June 23, 2026 | By Rajib Sagaria | 1 min read

ଫଟୋ, ଘୋଡା ଓ ଝିଣ୍ଟୁ ବରିହାଙ୍କ ପରିଜନ କଥା

ଘୋଡ଼ା ଆଦି ଭରସାରେ ନିଜର ନିଜର ଭାବମୂର୍ତ୍ତି ସଜଡ଼ା ଯାଉଛି ନା ଯେଉଁମାନେ ରାଜନୀତିର ମଙ୍ଗ ଧରିଛନ୍ତି ସେମାନେ ରାଜ୍ୟର ପ୍ରକୃତ ସମସ୍ୟା ବିଷୟରେ ଅନଭିଜ୍ଞ। ବେଳେବେଳେ ଦୟା ଲାଗେ ଏମାନଙ୍କୁ।କୋଭିଦ-୧୯ର ଦ୍ୱିତୀୟ ଲହର। ପ୍ରଥମ ଲହରରେ ଯେଉଁସବୁ ଘଟଣା ଘଟିଲା ଦ୍ୱିତୀୟ ଲହରରେ ଲୋକଙ୍କ ତରଫରୁ କୌଣସି ଭୁଲ ରହୁନାହିଁ। ଭୁଲ ଶାସନ ଗାଦିରେ ଥିବା ଲୋକଙ୍କର।ରାସ୍ତାରେ ଚାଲୁଥିବା କୋଟି କୋଟି ଶ୍ରମିକ ଓ ଶ୍ରମିକ ପରିବାର ତାଙ୍କୁ ସରକାର ନୁହେଁ ନାଗରିକ ହିଁ ନାଗରିକଙ୍କୁ ସହଯୋଗ କରିଥିଲା।

ସୁଯୋଗ ମିଳିଲେ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି କରାଯିବା ଅସମ୍ଭବ ନଥିଲା। କିନ୍ତୁ ଏ କାମ ସଂଗୋପନରେ କରାଗଲା। ରେଳଷ୍ଟେସନ ଆଦିରେ ସ୍ଵାଗତ ମଣ୍ଡପ ତିଆରି କରିବା। ଧରି ନିଆଯାଉ ବଲାଙ୍ଗିର, ଅନାହାରରେ ମରିଥିବା ଝିଣ୍ଟୁ ବରିହାର ସମ୍ପର୍କୀୟ ସେ ଷ୍ଟେସନରେ ଜିଲ୍ଲାପାଳଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା ପାଇଲା। ଫୁଲତୋଡ଼ା ପାଇଲା। ତା’ର ମନରେ କେଉଁ ପ୍ରକାର ଭାବ ଜାତ ହୋଇଥିବ? ସମସ୍ତଙ୍କୁ ଚିନ୍ତା କରିବା ଉଚିତ। ଖାସ କରି ସରକାର ମାନଙ୍କୁ।ଭାବ ତ ନିଶ୍ଚିତ ଜାତ ହୋଇଥିବ। ଅସୁବିଧା ହେଲେ ସେଠ ମେଣ୍ଢା ରପ୍ତାନି କଲାଭଳି ପଠେଇବ ଏବେ ସରକାର ମଣିଷ ଭଳି ଆଣିଲା। ସେ ତାର କଳ୍ପନାରେ ବାସ୍ତବତା ଦେଖିପାରେ। ସେଥିଲାଗି ବାହାଁମାଜି ଭାଷା ଜାଣିନଥିବା ରାଇଜରେ ରୋଜଗାର କରିପାରେ। ସେ ଜାଣେ ସେଠ ଓ ସରକାର କେଉଁଠି ନା କେଉଁଠି ଗୋଟିଏ ବନ୍ଧରେ ପାଣି ପିଅନ୍ତି। ସେ ଘରକୁ ଆସି ଦେଖିଛି ମହାମାରୀ ହୁଏ। ସେମାନେ ମରିମରି ବଞ୍ଚି ଜାଣିଛନ୍ତି। ପରବାଏ ନାହିଁ। ସରକାର ତୁମେ ବି ବୁପନ୍ତା ଲୋକ ହୋ ମହାଭାଗ। ମହାମାୟା ମହାମାରୀ କରୁଣାରୁ ଆମେ ଜାଣିଲୁ ହୋ ପ୍ରଭୂ ତୁମେ ମୁଡ଼ତୁପୁ ପରି। ପାଞ୍ଚବର୍ଷରେ ଥରେ ନାଚି ଆସ ଆମ ଗାଁକୁ; ଆମ ଦାଣ୍ଡକୁ। ଆମେ ଖୁସି ହୋଇ ତୁମକୁ ଭୋଟ ଦେଇ ଦେଉଁ। ତୁମେ ହାର କି ଜିତ ତମର ଭାଗ୍ୟ। ତୁମେ ତୁମର ବାନା ଉଡ଼ାଅ।ଦ୍ୱିତୀୟ ଲହରଝିଣ୍ଟୁ ବରିହାର ସମ୍ପର୍କୀୟ ପ୍ରବାସରେ ଦ୍ୱିତୀୟ ଲହର ଭୋଗ କରୁଛି। ସେଠାରେ ସେ ଟିକା ନେଇଛି। ରସିଦରେ ସେ ଦେଖୁଛି ପ୍ରଧାନମନ୍ତ୍ରୀଙ୍କ ଫଟୋ। ତାକୁ ପରିବାର ପାଇଁ ବଞ୍ଚିବାକୁ ଅଛି। ସେଥିଲାଗି ଟିକା ନେଲା। ରସିଦ ପାଇଲା। ପରିବାର ପାଇଁ ବଞ୍ଚିବା ଜରୁରି। ଟିକଟ କଲା ଟ୍ରେନରେ ବସିଲା। କରୋନା ରସିଦରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଉକି ରେଳ ଟିକଟରେ ରେଳମନ୍ତ୍ରୀଙ୍କ ତାପାଇଁ ମୂଲ୍ୟହୀନ। ସେ ଜାଣେ କାଗଜର ମୂଲ୍ୟ ଅଛି ଫଟୋ ଯାହାର ବି ଥାଉ। ତେଣୁ ଫଟୋ କଜିଆ ତା ପାଇଁ ମୂଲ୍ୟହୀନ। ସେ ଦେଖିଛି ରାଣୀପୁର ଝରିଏଲର ଛେଲିଆ ମନ୍ଦିରକୁ ଭାଙ୍ଗି କେନାଲ ତିଆରି କଲେଣି। ସେ ଜାଣେ ଏହି ନାଳରେ ପାଣି ଆସିବ ସୁନାର ଫସଳ ହେବ ଓ ମହାଜନ ସବୁଧାନ ନେଇ ସାରିଲା ପରେ ସୂଧମୂଳ କାଟି କିଛି ଟଙ୍କା ଦେବ। ସେ ଟଙ୍କାରେ ମହାଜନ ପାଖରୁ କପଡ଼ା କିଣିବ ନହେଲେ ସୁନା। ପୁଣି ଋଣୀ ହେବାର ଚକ୍ର ଆରମ୍ଭ କରିବ।ତା ପାଖରେ ଆହୁରି ଖବର ଅଛି ଲୋୟର ଇନ୍ଦ୍ର ବିସ୍ଥାପିତ ଟଙ୍କା ପାଇ ନାହାନ୍ତି। ତାଙ୍କୁ ପ୍ରବାସରେ ସେ ଦେଖିଛି। ନେତା ଖବର ଦେଇଛି, ତୋ ଟଙ୍କା ବାହାର କରିଦେବି ଦସ୍ତଖତ କରିବାକୁ ଆସ। ସେ ଦେଖିଛି ପ୍ରବାସରେ ତାର ବାପକୁ ଧରି ସେଠ ପାଖରୁ ଛୁଟି ନେଇ ଗାଁକୁ ଫେରିଛି। ତାଙ୍କ ଲୁହ ଏ ନାଳରେ ଆସିବ ହଜାରେ ବର୍ଷର ଛେଲିଆ ମନ୍ଦିର, ପାଣି ଆସିନାହିଁ ତାକୁ ଖାଇ ସାରିଲାଣି; ପାଣି ଆସିଲେ ଆହୁରି କେତେ କଣ ଖାଇବା ଯୋଜନା ଅଛି?

ଖଡ଼ିକାର ଭଳି କହି ପାରିବନି କିନ୍ତୁ ଅନୁମାନ କରି ଜାଣେ। ସରକାର ଠୁ ସ୍ପଷ୍ଟ ସେ ତାର ଭବିଷ୍ୟତ ଦେଖି ଜାଣେ। ସେ ଯଦି ଶୁଣେ ଗୋଟିଏ ପଥର ଘୋଡା ପାଇଁ ରାଜଧାନୀରେ କଜିଆ ହେଉଛନ୍ତି। କ’ଣ ଭାବିବ ସେ?

ଏ ବଡ଼ ଲୋକ ମାନଙ୍କ କାମ ନାହିଁ ନା କ’ଣ?

ରାଜଧାନୀର ପଥର ଘୋଡା। କିଛି ଭାବି ରାଜାମାନେ ବସେଇ ଥିବେ! ଗାଁର କୁମ୍ଭାର ପରିବାର ହବିସ କରି ଗାଁ ଦେବୀଙ୍କ ପାଇଁ ମାଟିଘୋଡ଼ା ତିଆରେ। ସେଇ ଘୋଡ଼ାରେ ଦେବୀ ଚିରଗୁଣି-ଚଣ୍ଡାଳୁଣୀ ଠାରୁ ଗାଁକୁ ରଖନ୍ତି। ପ୍ରବାସରେ ବି ଘୋଡ଼ାଟାପୁ ସେ ନିଜେ ଶୁଣେ ସୁଖଦୁଃଖରେ। ସେମାନେ ସମସ୍ତେ ଶୁଣନ୍ତି।ରାଜଧାନୀ ଘୋଡ଼ାବି ରାତିରେ ଜୀବନ୍ତ ହୋଇ ରାଜାଙ୍କୁ ନଗରବିଜେ କରାଉଥିବ। ରଜାର ଘୋଡ଼ା ତା ଘୋଡ଼ାଶାଳରେ ରଖୁ କି ରାସ୍ତାରେ। କାହିଁ ଝଗଡ଼ା ହେଉଛନ୍ତି?

ସେ ଶୁଣି ସାରିଲାଗି ଘୋଡ଼ା ଉପାକ୍ଷାନ।ସରକାର! ଯେତେବେଳେ ନିଜ ଦେବାଦେବୀଙ୍କୁ କବାଟ କିଳି ଦେଲେ ଝିଣ୍ଟୁ ବରିହାର ପରିଜନକୁ ସରକାର କିଏ, ବୁଝିବା ସହଜ ହୋଇଗଲା।ତାର ଗାଁର ଦେବୀ ପୂଜାଗଜା ଖାଇ ଗାଁ ଦାଣ୍ଡରେ ଠିଆହୋଇ କହିଲା, “ହୁସିଆର ଥିବ ପୁତେ! ବିପଦର ଘଡ଼ି ଚାଲୁଛେ। ଅଚିନ୍ତା ଥିବ ମୁଇଁଅଛେଁ ନାଇ ଘବରାବ”ଏଇ ସାହସରେ ଫେର ବିଦେଶ ଆସିଛି। ଟିକା ନେଉଛି, ମାକ୍ସ ଲଗାଉଛି, ହାତ ଧୋଉଛି ଓ କାମ କରୁଛି। ତୁମ ଦେବତାକୁ କିଳି ଦେଲ। ବିପଦରେ ସେ କଣ କହିବ ଏକଥା ବି ବିଚାରିଲ ନାହିଁ ଯେହେତୁ; ଚିଣ୍ଟୁ ବରିହାର ସମ୍ପର୍କୀୟ ବୁଝିଗଲା ସେ ନୁହେଁ ସରକାର ହିଁ ଭୟରେ ଅଛି।ସେଥିପାଇଁ ସେ ଘୋଡ଼ା ପାଇଁ ଫଟୋ ପାଇଁ ଲଢୁଛି।ସେ ଏବେ ଜାଣି ସାରିଲାଣି ସରକାର କୁଆଡ଼େ କରୋନାକୁ ଏକପଦ ମାନିବାକୁ ବୁଝେଇ ସାରିଲେଣି। ଏକଦା କଳିକୁ ତିନିଥାନ ଦେବା ପରି। ହେ କରୋନା-ଦେବୀ! ତୁ ମୋ ଆଦେଶରେ ଆତଯାତ ହେବୁ। ତତେ ସବୁ ଉପଚାର ଦେବି। ଅକ୍ସିଜେନ କାଣ୍ଡ ବି କରିବି। ତିନିମାସର ଚାଉଳ ପନ୍ଦର କିଲୋ ଦେଇ ଝିଣ୍ଟୁ ବରିହାର ସମ୍ପର୍କୀୟ ଆଦି ଇତର ମାନଙ୍କ ମିଥ୍ୟାକୃପା ଭାଜନ ବି ହେବି।ତେଣୁ ସେ ଜାଣେ କାମକରି ଖାଇବା ଛଡ଼ା କିଛି ନାହିଁ।ସରକାର ତୁମେ ଯାହା କଲେ ବି ଝିଣ୍ଟୁ ବରିହାର ପରିଜନ ସମସ୍ତେ ଜାଣିଛନ୍ତି ତାଙ୍କର ପୃଥିବୀ ବଦଳି ନାହିଁ। ବାହାଁ ମାଜି ଖାଇବେ। ସେ ଜାଣିଛି ତୁମର ପୃଥିବୀରେ ସଙ୍କଟ ଆସିଛି। ତେଣୁ ତୁମେ ବଡ଼ଲୋକ ବୋଲି ନାନା ଭିଆଣ କରି ଲଢୁଛ।ଦ୍ୱିତୀୟ ଲହର ଏତିକି ଶିଖାଇ ସାରିଛି ଝିଣ୍ଟୁ ବରିହାର ସମ୍ପର୍କୀୟ କୁ।ଏବେ ସତକଥା ଶୁଣ ସରକାର। ଗତଥର ଯାହାକୁ ତୁମ ଜିଲ୍ଲାପାଳ ଫୁଲତୋଡ଼ା ଦେଇ ସ୍ଵାଗତ କଲେ ସେ ଝିଣ୍ଟୁ ବରିହାର ସମ୍ପକୀୟ ହିଁ ସମସ୍ତେ ଥିଲେ। ସେମାନଙ୍କୁ ତାଙ୍କ ପରିବାର ଅପେକ୍ଷା କରିଥିଲେ; ଯେଉଁମାନଙ୍କୁ ମୁଣ୍ଡପିଛା ପାଞ୍ଚ କେଜି କରି ଆଠ ମାସର ଚାଉଳ ଦେଉଛ।

0 Comments