January 17, 2025 | By Rajib Sagaria | 1 min read

କପା ନଙ୍ଗଲ ଓ ଏହାର ଉଦ୍ଭାବକର କାହାଣୀ

ଦେଶ ସମେତ ଆମେରିକା, ଋଷିଆ, ଚୀନ, ବ୍ରାଜିଲ, ମିଶର, ପାକିସ୍ଥାନ, ତୁର୍କୀ, ମେକ୍ସିକୋ ଏବଂ ସୁଦାନରେ ମୂଖ୍ୟତଃ କପାଚାଷ ହୁଏ। ଭାରତ କପା ଉତ୍ପାଦନରେ ପୃଥିବୀରେ ଦ୍ୱିତୀୟ। ଖ୍ରୀ.ପୂ ଦୁଇ ହଜାର ବର୍ଷତଳେ ଭାରତରେ କପାଚାଷ ହେଉଥିବା ଜଣାଯାଏ। କ୍ଷେତ୍ରଫଳ ଦୃଷ୍ଟିରୁ ଭାରତରେ ସର୍ବାଧିକ କପା ଚାଷ ହେଉଥିଲେ ମଧ୍ୟ ଉତ୍ପାଦନରେ ଆମ ଦେଶର ସ୍ଥାନ ଦ୍ୱିତୀୟ। ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ପ୍ରାଚୀନ କାଳରୁ ବୟନ ମୂଖ୍ୟ ଭୁମିକା ନେଇ ଆସିଅଛି। ଭାରତର ଅର୍ଥନୀତିକୁ ଏହା ପ୍ରାଥମିକ ଶିଳ୍ପ ଯେଉଁଥିରେ କର୍ମସୁଯୋଗର ଅପୂର୍ବ ସୁଯୋଗ ରହିଅଛି।
ପାରମ୍ପାରିକ ବୟନଶିଳ୍ପରେ ରେଶମ ଉପରେ କପାର ମର୍ଯ୍ୟାଦା ରହିଅଛି। ତେଣୁ ଓଡ଼ିଶାରେ କପାଚାଷ ଏକ ପ୍ରାଚିନ ଏବଂ ପାରମ୍ପାରିକ ଚାଷ ଭାବରେ ମାନ୍ୟତା ପାଇଥାଏ।
ପଶ୍ଚିମ ଓଡ଼ିଶାରେ ଏକ ପ୍ରବାଦ ଅଛି; କୁସେର କରେ ଝିକିର ପୋ, କପା କରେ ବାପର ପୋ।
ରାଜତନ୍ତ୍ର ସମୟରୁ ମୂଖ୍ୟତଃ ଇଂରେଜ ଶାସନର ଦ୍ୱିତୀୟାର୍ଦ୍ଧରେ ଜଙ୍ଗଲ କାଟି ଚାଷଜମି ପ୍ରସ୍ତୁତି ଏବଂ ସ୍ଥାନୀୟ ଅଧିବାସୀଙ୍କୁ ଉଦବାସ୍ତୁ କରାଯିବା ସମୟରେ ମୂଖ୍ୟତଃ ବୟନ ଶିଳ୍ପ ବେଶ ପ୍ରଭାବିତ ହେଲା। ଏହି ପ୍ରଭାବ କୁଲି ଭୁଲିଆ ଏବଂ ଗଣା ଜାତି ଉପରେ ବେଶ ପଡ଼ିଲା। ବୟନ ଶିଳ୍ପ ଉପରେ ନିର୍ଭର କରୁଥିବା ଲୋକ ଦେଶାନ୍ତରୀ ହେଲେ।
ଏହି କ୍ରମ ଦୀର୍ଘ ଦଶନ୍ଧୀ ଧରି ଚାଲିଲା। ମରୁଡ଼ି ଏବଂ ବୟନ ଶିଳ୍ପ ନଷ୍ଟ ହେବା ପରେ ପଶ୍ଚିମ ଓଡ଼ିଶାରେ କପାଚାଷ ପ୍ରାୟ ହେଉ ନ ଥିଲା। ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଚାଷୀ କପା ଚାଷ କଲେ। କୃଷ୍ଣକାର୍ପାସ ମୃତ୍ତିକା କପା ଚାଷ ପାଇଁ ଉପଯୁକ୍ତ ଥିବାରୁ କଳାହାଣ୍ଡି ଜିଲ୍ଲାର ଚାଷୀ କପା ଚାଷ କରି ବେଶ ଲାଭବାନ ହେଲେ। ଦେଶୀ ଉପାୟରେ କରାଯାଉଥିବା ଏହି ଉତ୍ପାଦ ବଜାରରେ ବେଶ ମହତ୍ତ୍ୱ ରଖିଲା। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୬୦ ହଜାର ହେକ୍ଟର କପାଚାଷ ହେଉଥିବାର ଦେଖାଯାଏ।
ନବେ ଦଶକ ପରେ ଶିଳ୍ପ ପାଇଁ କପାଚାଷର ବେଶ ଆବଶ୍ୟକତା ହେଲା। ଏହା ବଲାଙ୍ଗିର ନୂଆପଡ଼ା, ସୋନପୁର, ବୌଦ୍ଧ ସମେତ ଅନ୍ୟ ଅଣଜଳସେଚିତ ଅଞ୍ଚଳକୁ ବ୍ୟାପିଲା। ଏହି ଚାଷରେ ଧିରେ ଧିରେ ବ୍ୟବସାୟ ସଙ୍ଗେ ମାଫିଆରାଜ ମଧ୍ୟ ଚାଲିଲା। ଜିଲ୍ଲାର ଯେ କୌଣସି ଗ୍ରାମ୍ୟ ସଡ଼କର ଦୁଇ ପାଖରେ ପରିବହନ ବେଳେ କପା ପୁଞ୍ଜାପୁଞ୍ଜା ହୋଇ ପଡ଼ି ଥିବାର ଦେଖାଯାଏ। ଶହ ଶହ ଟନ କପା ଗାଁରୁ ବଜାରକୁ ନିଆହୁଏ।
ଏହି ଚାଷରେ କମହାଜନୀ କାରବାର ମାଫିଆ କାରବାର ତୁଲ୍ୟ ହୋଇ ସାରିଛି। ଜଳବାୟୁ ଏବଂ ମୃତ୍ତିକା ଚରିତ୍ର ଦୃଷ୍ଟିରୁ କପା ପାଇଁ ଅନୁକୂଳ ଥିବା ପରିବେଶ କେବିକେ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ କପା ପାଇଁ ଉପଯୁକ୍ତ। ଜଳସେଚିତ ଅଞ୍ଚଳ ବ୍ୟତୀତ ସଂଖ୍ୟାଧିକ ଚାଷୀଙ୍କ ପାଇଁ କପା ଏକ ଲାଭଦାୟକ ଫସଲ।
କପାଚାଷ ଉଭୟ ପଇସା ଏବଂ ପରିଶ୍ରମ ବେଶ ଦରକାର କରିଥାଏ। ଏଥିଯୋଗୁଁ ମହାଜନୀ କାରବାର ପାଇଁ ବେଶ ସୁଯୋଗ ଦେଇଥାଏ। ଅନ୍ୟାନ୍ୟ ଲାଭକାରୀ ଫସଲ ପରି କପାଚାଷୀକୁ ମହାଜନ ବିହନ ସାର ଏବଂ ଜମିକାମ ପାଇଁ ଟଙ୍କା ଦିଏ। ନିଜର ବିନିଯୋଗର ଦଶପ୍ରତିଶତ ଏବଂ ବଜାର ମୂଲ୍ୟରୁ ସର୍ବାଧିକ ପାଞ୍ଚଶହ ଟଙ୍କା କମ ମୂଲ୍ୟରେ କପା କିଣି ମହାଜନ ହିଁ ବଜାରକୁ ଫସଲ ଯୋଗଇଥାଏ। ଦକ୍ଷିଣଭାରତ ଏବଂ ପଶ୍ଚିମବଙ୍ଗକୁ କପା ଯୋଗାଇବାରେ ସିଧା ସିଧା ବଜାର ଏବଂ ଚାଷୀଙ୍କୁ ଦୂରରେ ରଖାଯାଇଥାଏ। ଏହା ଏକ ସୁଚିନ୍ତିତ ଚକ୍ରାନ୍ତ। ଫଳରେ ମହଜନ ହିଁ ଏକଚାଟିଆ କପା ଚାଷର ଲାଭ ନେଇଥାଏ। ଚାଷୀ କେବଳ ପରିଶ୍ରମ ହିଁ କରିଥାଏ।

କପାଚାଷର ରହସ୍ୟ ଖୁବ ଗଭିର। କପା ଚାଷ ବାଦ ସରକାର ମଧ୍ୟ ବେଶ ହୁସିଆରି ଦେଖେଇ ସାରିଛନ୍ତି କପା ଚାଷୀଙ୍କୁ ନେଇ। କପାଚାଷରେ ଚାରା ସାମାନ୍ୟ ବଡ଼ ହୋଇଗଲେ ପ୍ରତିଟି ଗଛକୁ ଅଧଫୁଟରୁ ଅଧିକ ପୁଟ କରାଯାଏ। ଏଥିପାଇଁ ଚାଷୀକୁ ସମୟ ଓ ଶ୍ରମ ପାଇଁ ବେଶ ଖର୍ଚ୍ଚାନ୍ତ ହେବାକୁ ହୁଏ। ପ୍ରତିଟି ଗଛକୁ ପୁଟ କରିବା ବ୍ୟତୀତ କେଉଁ ଉପାୟ ଅବଲମ୍ବନ କଲେ ଏହି ଖର୍ଚ୍ଚରୁ ନିସ୍ତାର ମିଲିବ ଏହାର ସରଳ ଉପାୟ ବଙ୍ଗୋମୁଣ୍ଡା ଅଞ୍ଚଳର ଚାଷୀମାନେ ପ୍ରଥମେ ଚିନ୍ତା କରିଥିଲେ। ପଙକ୍ତିବଦ୍ଧ କରି ଏକ ନିର୍ଦ୍ଦିଷ୍ଟ ଦୂରତାରେ ଚାରା ରୋପଣ କରି ମଝିରେ ନଙ୍ଗଲ ଚଲେଇଲେ ପୁଟ ପାଇଁ ପରିଶ୍ରମ କରିବାକୁ ପଡ଼େ ନାହିଁ। ଏହି ନଙ୍ଗଲ ମଝିରେ ଚାଲିଲେ ଆପେ ଆପେ ମାଟି ନଙ୍ଗଲର ଦୁଇ ପାଶ୍ୱର୍ରେ ଜମା ହୋଇ ଆଡ଼ି ତିଆରି ହୋଇଯାଏ ଏବଂ ପୁଟର ଆବଶ୍ୟକତା ରହେ ନାହିଁ। ଏହି ନଙ୍ଗଲ ତାର ପୂର୍ଣ୍ଣରୁପକୁ ଆସିବା ପାଇଁ ପାଖାପାଖି ପାଞ୍ଚବର୍ଷ ଲାଗିଗଲା। ଏହି ଉପାୟକୁ ବଙ୍ଗୋମୁଣ୍ଡା ବ୍ଲକ ସଂଲଗ୍ନ କଳାହାଣ୍ଡିର ଚାଷୀମାନେ ପ୍ରଥମେ ବ୍ୟବହାର କଲେ। ଦେଖାଯାଏ ଦୀର୍ଘ ବର୍ଷରୁ କଳାହାଣ୍ଡିର ଚାଷୀମାନେ କପା ଚାଷ କରୁଥିଲେ ମଧ୍ୟ ବଙ୍ଗୋମୁଣ୍ଡାର ନଙ୍ଗଲ ଯାହାକୁ ପୁଟ-ନଙ୍ଗଲ; କପା-ନଙ୍ଗଲ ଆଦି ନାମରେ ସ୍ଥାନୀୟ ଲୋକେ ଜାଣନ୍ତି। ଏହି ନଙ୍ଗଲକୁ କଳାହାଣ୍ଡିର କପାଚାଷୀମାନେ ଦୈନିକ ଭଡ଼ା ପାଞ୍ଚଶହ ଟଙ୍କା ଦେଇ ନେଉଥିଲେ। ୨୦୦୫ ମସିହା ପର୍ଯ୍ୟନ୍ତ ଏହି ନଙ୍ଗଲକୁ ସ୍ଥାନୀୟ ଲୁହୁରାମାନେ ତିଆରି ଆରମ୍ଭ କଲେ। ଏହାପରେ ଏହା ରାୟପୁରରୁ ତିଆରି ହୋଇ ବଜାରକୁ ଆସିଲା। ଏହି ନଙ୍ଗଲ ଯୋଗୁଁ କପାଚାଷୀ ସଂଖ୍ୟା ବେଶ ବଢ଼ିଲେ। ଦେଖାଯାଏ ୨୦୦୬ ମସିହା ବେଳକୁ କଳାହାଣ୍ଡିର କପାଚାଷୀ ଯେତେ ଥିଲେ ୨୦୧୮ ମସିହାରେ ଚାଷୀଙ୍କ ସଂଖ୍ୟା ତିନିଗୁଣ ବଢ଼ି ସାରିଥିଲା। କପା ଚାଷ ଜମିର ଅନୁଧ୍ୟାନ କଲେ ମଧ୍ୟ ଏହି ତଥ୍ୟ ସାମ୍ନାକୁ ଆସିଥାଏ।
କପାଚାଷ ବଢ଼ିବା କାରଣ ମାନଙ୍କ ମଧ୍ୟର ଏହି କପାନଙ୍ଗଲ ମୂଖ୍ୟ ବୋଲି ମତ ଆସେ।
ଚଳନ୍ତି ବର୍ଷ ଗୋଟିଏ ନୂଆ କଥା ଦେଖିବାକୁ ହେଲା। ଏହି ନଙ୍ଗଲକୁ ସରକାର ୧୪୦୦ ଟଙ୍କା ଚାଷୀଠାରୁ ନେଇ ରିହାତି ଦରରେ ନଙ୍ଗଲ ଯୋଗାଇଲେ।
ପରିତାପର ବିଷୟ ଏହା ଯେ ଏହି ନଙ୍ଗଲ କୌଣସି ଲୁହୁରା ଅଥବା ସ୍ଥାନୀୟ ଶିଳ୍ପକୁ ଉପେକ୍ଷା କରି ସାଧାରଣ କୃଷୀ ଉପକରଣ ବ୍ୟବସାୟୀମାନଙ୍କ ନିକଟରୁ କୋଟି କୋଟି ଟଙ୍କାର କପାନଙ୍ଗଲ କିଣାଯାଇ ରିହାତି ଦରରେ କପାଚାଷୀଙ୍କୁ ଦିଆଗଲା।
ଚାଷର ଉନ୍ନତି ଚାହୁଁଥିବା ସରକାର ଯଦି ଗୋଟିଏ ଉଦ୍ଭାବନର ଇତିହାସ ଜାଣି ନାହାନ୍ତି; ଯଦିବା ଜାଣିଛନ୍ତି ଏହାର କୌଶଳ ଏବଂ ବିପଣନ ପାଇଁ ଗୋଟିଏ ସୁଯୋଗ ତିଆରି କରି ପାରି ନାହାନ୍ତି। ଯେଉଁ ସୁଯୋଗ ତିଆରି କରିଛନ୍ତି ତାହା କେବଳ ସେ ମହାଜନଙ୍କୁ ଲାଭ ଦେବାପାଇଁ ଯେଉଁମାନେ ଚାଷୀଙ୍କୁ ଶୋଷଣ କରନ୍ତି।
ଯଦି ଏଠାରେ କପାନଙ୍ଗଲର ପ୍ରକୃତ ଉଦ୍ଭାବକକୁ ରୟାଲଟି ଦେବା କଥା କୁହାଯାଏ ତାହା ପ୍ରଶାସନିକ ଦୃଷ୍ଟିରେ ପାଗଳାମି ହେବ ନିଶ୍ଚୟ।
ଚାଷୀ ପାଇଁ ନିରନ୍ତର ଚିନ୍ତା କରୁଥିବା ସରକାର ଚାଷୀର ପରିଶ୍ରମ ଓ କୌଶଳକୁ ଅପହରଣ କରି ସେହି ଚାଷୀର ସମ୍ମୁଖରେ ବେପାରୀକୁ ଲାଭଦେଉଥିବା ନୀତିକୁ କଣ କହିବା।
ଏହା ବି ସତକଥା ଯେ ଯେଉଁ ବଙ୍ଗୋମୁଣ୍ଡାର କପାଚାଷୀ ଭାଇମାନେ ଦୀର୍ଘ ପାଞ୍ଚବର୍ଷ ଧରି ନାନା ପରୀକ୍ଷା ନିରୀକ୍ଷା କରି ପୂର୍ଣ୍ଣାଙ୍ଗ ରୁପ ଦେଇଥିବା କପାନଙ୍ଗଲକୁ ନିଜେ ୧୪୦୦ ଟଙ୍କା ଦେଇ ବ୍ଲକର କୃଷିକାର୍ଯ୍ୟାଳୟରୁ କିଣିବା ହିଁ ସରକାରୀ ପ୍ରତାରଣା।
ସେ ନଙ୍ଗଲ ଉଦ୍ଭାବକକୁ ଆଇନ ଅନୁସାରେ ପାଉଣା କଥା କହିବା କେତେ ଅପରାଧ ହେବ?

0 Comments