ପ୍ରକୃତରେ ଏହା ଜଣେ ଦେଶଦ୍ରୋହୀ ଲେଖିଥିବା କବିତା। ସେ କଲେଜ ପଢିଲା ବେଳୁ କବିତା ଲେଖୁଥିଲା। ପ୍ରେମ କରିପାରି ନଥିଲା। ବିଧବା ମାଁ ଦ୍ୱିତୀୟ ହେଲା ପରେ ତାର ପିତୃ ସମ୍ପତ୍ତିର ମୂଲ୍ୟ ତହସିଲ ଅଫିସରୁ ମାଗିଲା। ସାବତ ବାପାର ଟଙ୍କାରେ ପାଠ ପଢ଼େ; ମାସକୁ ସେତେକ ଟଙ୍କା ପିତୃ ସମ୍ପତ୍ତିରୁ କାଟିଦିଏ।ପିତୃ ସମ୍ପତ୍ତି ମୂଳକୁ ଦଶପଇସା ପୁରି ନଥାଏ ସାବତ ବାପାର ଟଙ୍କା, ସେ ଚାକିରି ପାଇଲା। ଚାକିରି ପାଇଲା ଦିନ ସେ ବହୁତ ଖୁସିଥିଲା। ଚାକିରିରେ ଯୋଗ ଦେଲା ଓ ମତେ ତା ଚାକିରି ଗାଁକୁ ଡାକିଥିଲା।ରାତିରେ ମହୁଲି ପିଇ ଖୁବ କାନ୍ଦିଥିଲା। ଏତେବେଳ ଯାକ ସେ ପ୍ରେମ କରିନଥିଲା ବୋଲି ମୋର ଧାରଣା ଭୁଲ ଥିଲା। କାନ୍ଦିକାନ୍ଦି ମତେ ୩୫ ପଇସାର ଡାକ ବିଭାଗ ମୋହରଥିବା ଗୋଟିଏ ଇନଲେଣ୍ଡ ଲେଟର ବଢେଇ ଦେଇଥିଲା।ହିନ୍ଦୀ ଅକ୍ଷର ଓ ତାର ମାତୃଭାଷାରେ ଲେଖାଥିଲା, “ଲୋକେ ପାଠପଢ଼ି ସହର ଆସନ୍ତି ତୁ ଟା ଜଙ୍ଗଲି ବୋଲି ଜଙ୍ଗଲକୁ ଗଲୁ।”କହିଥିଲା, ‘ଦାଦୁ ମେରା ଚଲନ କିସ ପର ଥୋପୁ!” ମୋର ଜ୍ଞାତସାରରେ ଏପରି ଶବ୍ଦ ଅଭିଧାନରେ ନ ଥିଲା ଯାହାକୁ ଏ ପରିସ୍ଥିତିରେ କୁହାଯାଇ ପାରିବ।ଦୁଇବର୍ଷ ପରେ ଶୁଣିଲି ସେ ନକ୍ସଲଙ୍କ ସହ ସମ୍ପର୍କ ରଖିଛି। ତାର ଉତ୍ତର ଥିଲା, ରୋଗୀ ଶତୃ ହେଲେବି ମୋ ଦୃଷ୍ଟିରେ ରୋଗୀ।ଦିନେ ସେ ମରି ଯାଇଥିବା ଖବର ପାଇଲି। ତା ରାଜ୍ୟର ଜିଲ୍ଲା ମହକୁମା ଡାକ୍ତର ଖାନାରୁ ଛଅ ଦିନ ପରେ ଶବ ମାଗିଲି। ବ୍ୟବଛେଦ ପୂର୍ବରୁ ତାର ଅସ୍ତିତ୍ଵକୁ ମିଟେଇବାର ପ୍ରୟାସ କରିଥିଲେ କେଉଁମାନେ। ଦେହସାରା ପ୍ରତିହିଂସାର କ୍ଷତ ! ତାକୁ ମୁଖାଗ୍ନି ଦେଇ ରାତିସାରା ରହିଲି ଅଜଣା ମଶାଣିରେ।ସେ ପୋଡିଥିବା ଥାନରେ ଆହୁରି ଦୁଇଟି ଶବ ଜଳିବା ପାଇଁ ଆସିଲେ। ଚଣ୍ଡାଳ ମତେ ତାର ଅସ୍ଥି ଶୀଘ୍ର ଗୋଟାଇବାକୁ କହିଲେ।

ତୁମେ ଦିଅ !

ନା ମୁଁ ଶୁଣିଛି ଡାକ୍ତରବାବୁ ଉଚ୍ଚଜାତିର ଲୋକ ଥିଲେ।ଅଗତ୍ୟା ମୁଁ ଅସ୍ଥି ଗୋଟେଇ ଫେରିଲି। କିଛି ଟଙ୍କା ଥିଲା। ତାଙ୍କ ରାଜ୍ୟର ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଜମା କରିଦେଲି। ବହିପତ୍ର ସବୁ ଗାଁରେ ରହିଲା। ଅସ୍ଥି ଓ କପଡ଼ା ସବୁକୁ ମହାନଦୀରେ ଭସେଇ ଦେଲି। ସେ ମହାନଦୀ କୁ ଭଲ ପାଉଥିଲା। ପାଞ୍ଚ ବ୍ରାହ୍ମଣ ଓ ବାଳଭୋଗ ଦେଇ ତାର ଶୁଦ୍ଧି କରେଇଲି। ତାର ଡାଇରୀ ଆଣିଥିଲି ତାର ଶେଷ ଅସ୍ତିତ୍ଵ। ଯାହା ମୋର ଲକରରେ ଅଛି।ସେଥିରେ କିଛି କବିତା ଲେଖିଛି। ଯାହାବି ଲେଖିଛି ତୃତୀୟ ବିଶ୍ଵର ବାଲ ବିଗାଡି ପାରିବନି।ତାର କବିତାର ଆକ୍ଷରିକ ଅନୁବାଦ

ସେମାନେ ଆମ ଗାଁକୁ ଆସିଲେ

ନିଜକୁ ଭଗବାନ କହିଲେ।

ଆମେ ହଁ କଲୁ

ଆମକୁ ରହିବା ପାଇଁ ଜମି ମାଗିଲେ

ଗଛବୃଚ୍ଛ, ଜୀବଜନ୍ତୁ, ଚେରେ-ଚିରଙ୍ଗୁଲ ପାଇଁ

ବସୁଧା କୋଲ ପାରିଛି

ଭଗବାନ ପାଇଁ କାହିଁକି ଜାଗା ନ ଥିବ ?

ସେମାନେ ରହିଲେ ଓ

ଆମ ଖେତର ଧାନ ମାଗି ଖାଇଲେ

ଭଗବାନ କି ଦୋଷ କରିଛି ଜେ

ତାର ପେଟ ଖାଲି ରହିବ?

ଆମେ ଧାନ ଦେଲୁ, ସେମାନେ ଖାଇଲେ।

ତାଙ୍କର ପିଦର କାଠରେ ପୂଜା ପାଏ

ସେମାନେ ଆମର ଜଙ୍ଗଲ ନେଇଗଲେ

ତାଙ୍କର ପିତୃ ଗୁହାଳରେ ଜନମିଲା ବୋଲି

ଆମର ଗୁହାଲ ନେଇଗଲେ

ଆମର ଜମି ଭୂମୀ ସବୁ ନେଇଗଲେ

ଆମେ ଗାଁ ଲୋକ ସଭା କଲୁ

ଗାଁ ଗୁଡ଼ିରେସେମାନେ ଆମକୁ କିଛି କହିଲେନି

ସରକାରର ପୁଲିସ ଆସି ଆମକୁ ପିଟିଲା

ଭଗବାନଙ୍କ ପୁଅଝିଅ ଆମ କ୍ଷତରେ

ଓଷଦ ଲଗାଇଲେ