ଅଶି ଦଶକ ପରବର୍ତ୍ତି ଛାତ୍ର ଜାଗରଣକୁ ଓଡ଼ିଶାରେ କୌଣସି ରାଜନୈତିକ ନେତୃତ୍ଵ ବୁଝିବା ଓ ପରିଚାଳନା କରିବାରେ ଅସମର୍ଥ ରହିଲେ। ଏହି ଅସମର୍ଥତା ପାଇଁ ସେ ସମୟର ବୁଦ୍ଧିଜୀବି/ବିଚାରବାନ/ସମାଜ ଚିନ୍ତକ/ ନେତୃତ୍ଵ କେବେ ବି କ୍ଷମା ମାଗିବା ତ ଦୂରର କଥା ଚିନ୍ତା କରିବା ଦେଖି ନାହିଁ। ସବୁଠାରୁ କ୍ଷୋଭର ବିଷୟ ହେଲା ଖବରକାଗଜ ସମ୍ପାଦକମାନେ ମଧ୍ୟ ଏ ବିଷୟରେ କେବେବି କିଛି କହି ନାହାନ୍ତି। ଅପରନ୍ତୁ ଏମାନେ ଏ ସମୟର ଯୁବଶକ୍ତିର ଗୋଟିଏ ଗୋଟିଏ ଉପଭୋକ୍ତା। ଏହି ଉପଭୋକ୍ତା ମାନଙ୍କ(କେବଳ ସମ୍ପାଦକ ନୁହନ୍ତି) ମାନସିକତାରେ ମାଫିଆବାଦ କେତେ ଥିଲା?
ପ୍ରତି ପଞ୍ଚାୟତକୁ ଗୋଟିଏ ଗୋଟିଏ ଉଚ୍ଚ ବିଦ୍ୟାଳୟ, ପ୍ରତି ବ୍ଳକରେ କଲେଜ ଘରୋଇ ପ୍ରୟାସରେ ଖୋଲାଗଲା ଏହାକୁ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ କରି ଛାଡ଼ି ନାହାନ୍ତି। ପାଖାପାଖି ନେତୃତ୍ଵର ଗୋଟିଏ ବଡ଼ଶକ୍ତି ଏଥିରେ ନିଯୁକ୍ତ ହୋଇ କୌଣସି ଫଳ ପାଇଲେ ନାହିଁ। ଶିକ୍ଷକ ଆନ୍ଦୋଳନ କଥା ଅଛପା ନୁହେଁ। କହିବା ବାହୁଲ୍ୟ ଶିକ୍ଷା ଆଇନକୁ ମୋଡ଼ିଭାଙ୍ଗି ବାରମ୍ବାର ପରିବର୍ତ୍ତନ କରାଗଲା ଏବଂ ଏପରି ପରିବର୍ତ୍ତନ କରାଗଲା ଯେ ପୂର୍ବାଞ୍ଚଳ ଜିଲ୍ଲାମାନ ସର୍ବାଧିକ ଲାଭରେ ରହିବେ। ରହିଲେ ମଧ୍ୟ।
ନବେ ଦଶକ ଆରମ୍ଭ ହେବା ବେଳକୁ ବୈଶୟିକ ଶିକ୍ଷା କମ୍ପ୍ୟୁଟର ଶିକ୍ଷାରୁ ଆରମ୍ଭ ହେଲା ୨୦୦୦ ମସିହା ପର୍ଯ୍ୟନ୍ତ ଏହା ଏକ ମାନ୍ୟତାପ୍ରାପ୍ତ ଶିଳ୍ପ ହୋଇ ସାରିଥିଲା। ବଜାରୀକରଣ ବ୍ୟବସ୍ଥାରେ କେଉଁ କ୍ଷେତ୍ରରେ କେତେ ନିଯୁକ୍ତି ଦରକାର ସେ ଆକଳନ ସରକାର ନିକଟରେ ଅସମ୍ଭବ କି? କିନ୍ତୁ ବେହିସାବ ଶିକ୍ଷାନୁଷ୍ଠାନ ହେଲା। କୌଣସି ଅଙ୍କୁଶ ନାହିଁ କି ପ୍ରତିଶୃତି ନାହିଁ। ଯେପରି ଶିକ୍ଷା କ୍ଷେତ୍ରରେ ଗୋଟିଏ ଅରାଜକତାକୁ ସରକାର ଆଇନ କରି ଦେଇଛନ୍ତି।
ଏଥିରେ ଧ୍ଯାନ ଦେବାର କଥା ଏହା ଯେ ଉଚ୍ଚବର୍ଗର ଯୁବକ ଯୁବତୀମାନଙ୍କ ବ୍ୟତୀତ ଆଦିବାସୀ ଦଳିତ ନିଯୁକ୍ତି ପ୍ରାୟ ନାହିଁ ଭଲି ରହିଲା। ଏହା କି ପ୍ରକାର ଚକ୍ରାନ୍ତ ଥିଲା କେହିମଧ୍ୟ ଏବାବଦ ଆଲୋଚନା କରନ୍ତି ନାହିଁ।
ଏପିଢ଼ିକୁ ରାଜନୀତି ଯେପରି ବାରଣ ହିଁ ଥିଲା। ରାଜନେତା କହିଲେ ବୟସ୍କ ବ୍ୟତୀତ ଅନ୍ୟ କେହି ନୁହେଁ ଯେପରି। ରାଜନୀତିରେ ତୋଷଣ ପ୍ରାୟ କିଛି ଦଳୀୟ କ୍ଷମତା ଦେଇ ବ୍ଯବହାର ହିଁ ରୋଗଲା।
ଏନଜିଓ ପୁରାଦମରେ ଏ ପିଢୀଙ୍କୁ ଶୋଷଣ କରିବା ସହ ଗୋଟିଏ ସନ୍ତ୍ରାସ ଗୋଷ୍ଠୀ ପରି କାମ କରାଇଲା। ଏହି ଏନଜିଓ ସଙ୍ଗଠନ କାର୍ଯ୍ୟର ଅତି ନିକଟରୁ ଚିଟଫଣ୍ଡ ସଂସ୍ଥା ଯୁବଶକ୍ତିକୁ ଅପବ୍ୟବହାର କଲା।
ଗୋଟିଏ ବୁଦ୍ଧି-ଶ୍ରମଜୀବି ଗୋଷ୍ଠି ତିଆରି ପାଇଁ ସମଗ୍ର ସମାଜକୁ କାମରେ ଲଗାଗଲା।
ସୁତରାଂ ସ୍ଵାଧିନତା ପରେ ପରେ ଓ ବିଶ୍ଵାୟନ ପରେ ପରେ ନେତୃତ୍ଵ ଯୁବଶକ୍ତିର ପରିଚାଳନା ଓ ନିୟୋଜନରେ ବିଫଳ ହିଁ ରହିଛି।
କେତୋଟି ରାଜ୍ୟର ଅଧ୍ୟୟନ ପରେ ଗୋଟିଏ କଥା ସ୍ପଷ୍ଟ ଯେ ସମସ୍ତ ଦେଶର ଅବସ୍ଥା ଏହିପରି। ଯୁବଶକ୍ତି ପରିଚାଳନାରେ ରାଷ୍ଟ୍ର ନିର୍ମାତାମାନେ ଏତେ ଅଜ୍ଞ କେମିତି ବିଶ୍ୱାସବି କରି ହୁଏନାହିଁ।
ସେ ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢୀଙ୍କୁ ନିଜ ଦାସ କରି ରଖିବାର ମାନସିକତା ଆଜି ବି ନେତୃତ୍ଵ ନିକଟରେ ଅଛି। ଯୁବ ସମାଜକୁ ଗୋଟିଏ ମୁକ୍ତ ବିଚାର ପାଇଁ ପରିବେଶ ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଆଗାମୀ ଦିନରେ ଦିଆଯିବାର କୌଣସି ସମ୍ଭାବନା ବି ନାହିଁ।
ଏ ସମୟ ଗୋଟିଏ କଷ୍ଟକର ସମୟ ଯୁବ ସମାଜକୁ ବିଚାର କରିବା ଅଛି। ଆମେ କିପରି ସମାଜରେ ଭଲରେ ବଞ୍ଚିବା !
ଗୋଟିଏ ବିଶ୍ଵାସ ଆସେ ବାମପନ୍ଥୀ ଜନ ଆନ୍ଦୋଳନ ମାନଙ୍କରେ ଯୁବମାନସ ଗୋଟିଏ ଦୁର୍ବାର ସୃଜନଶୀଳତାର ଅଧିକାରୀ ହୋଇ ପାରିଛି। ଅନ୍ତତଃ ଗୋଟିଏ ବିଶ୍ଵାସ କରାଯାଇ ପାରେ ଅଶି ଦଶକ ପରର ସେ ଯୁବଶକ୍ତି ଗୋଟିଏ ମଞ୍ଚ ପାଇନ ଥିଲା। ବର୍ତ୍ତମାନ ସୃଜନଶୀଳ ଯୁବ ସମାଜ ସୂଚନା ଓ ସଙ୍ଗଠନ ଉଭୟ ରଖିଛି। ପୃଥିବୀ ସାରା ତାର ସହଯୋଗୀ ଅଛନ୍ତି। ଏହା ହିଁ ଆଗାମୀ ସମୟ ଲାଗି ସୁସ୍ଥ ସମାଜ ତିଆରିବ ବୋଲି ବିଶ୍ଵାସ ଲାଗେ।
ଜନ ଆନ୍ଦୋଳନକୁ ଦେଉଥିବା ନେତୃତ୍ୱ ଯେ ସବାଶେଷ ଦକ୍ଷତାର ଅଧିକାରୀ ଏହା ଭାବିବା ଭୁଲ। ଏଠାରେ ମଧ୍ୟ ସଂକୀର୍ଣ୍ଣତା ଅଛି: କ୍ଷମତା ପାଇଲେ ଏମାନେ ବି ଉପଦ୍ରବୀ ନ ହେବେ ଏହା କହି ହେବ ନି। ତେଣୁ ଯୁବ ସମାଜ କୁ ନିଜେ ନିଜେ ବିଚାର କରିବାକୁ ପଡ଼ିବ। ଯେଉଁଠି ବି ଥା’ନ୍ତୁ ନିଜର ମୌଲିକତା ରଖିବାକୁ ପଡ଼ିବ।
ସବାଶେଷ କଥା ଏହା ଯେ ନେତୃତ୍ଵ ଆଜି ପର୍ଯ୍ୟନ୍ତ ପ୍ରଜ୍ଞାବାନ ହୋଇ ପାରିନାହିଁ। ଆମକୁ ପ୍ରଜ୍ଞାବାନ ନେତୃତ୍ଵ ଦରକାର।
Leave a Reply