ସେମାନେ ଚାରିଜଣ, ନୂଆପଡ଼ା ଜିଲ୍ଲାର। ଭାଇ ବିରାଦରି; ଅର୍ଥାତ ଗୋଟିଏ ଜାତିର। ସମସ୍ତେ ଅଭିଜ୍ଞ ଶ୍ରମିକ। ପାଣିଭିତରକୁ ପଶି ବାଲି/ପଥର କାଢ଼ନ୍ତି ଅବା ପାଣି ଭିତରେ ପଥର ଫଟାନ୍ତି। ନଦୀପୋଲ ଆଦି କାମରେ ସେମାନେ ନାମକରା ଶ୍ରମିକ। ରୋଜଗାର ବି ଭଲ। ଭଞ୍ଜନଗରରେ କାମ କରୁଥିଲେ।ପରମ୍ପରା ଅନୁସାରେ ତାଙ୍କ ଜାତି ସ୍ଥାନୀୟ କେଉଁଟ ଜାତି ପରି ପାଣିରେ କାମ ନାହିଁ। ତାଙ୍କ ଇତିହାସ ସ୍ଥାନୀୟ ଦେବୀ ପରମ୍ପରା ଅନୁସାରେ ଗୋଟିଏ ସ୍ୱୀକୃତି ପ୍ରାପ୍ତ ଜାତି। ଗଣରାଜ୍ୟ ଓ ରାଜାଙ୍କ ସୁରକ୍ଷା ବଳ। ବନ ଉପଜର ଅନେକ ଔଷଧୀୟ ବିଜକୁ ବ୍ୟଞ୍ଜନ କରି ଲୋକଙ୍କୁ ଯୋଗାଇବା ମଧ୍ୟ ଗୋଟିଏ କାମ। ସମୟ କ୍ରମ ତାଙ୍କୁ ଶ୍ରମିକ କଲା ଅନ୍ୟଙ୍କ ପରି।ସେମାନେ ଶୁଣିଲେ ଲକଡାଉନ କଥା। ଚାରିଟା ସାଇକେଲ କିଣି ଗାଁକୁ ବାହାରିଲେ। ଟିଟିଲାଗଡ଼ ପରେ ପରେ ଜାଣିଲେ ଯେ ଲୋକେ ନିୟମ ମାନୁଛନ୍ତି। ଖାଇବା ପାଇଁ କହିଥିବା ପରିଜନଙ୍କୁ ଗାଁ ବାହାରକୁ ଖାଇବା ଆଣିଦେବାକୁ ଅନୁରୋଧ କଲେ। ଖାଇ ସାରି ନିଜ ଗାଁକୁ ସଂଧ୍ୟାରେ ପହଞ୍ଚିଲେ। ଗାଁ ସ୍କୁଲରେ ରହିଲେ। ପରଦିନ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ଯାଇ ନିଜର ବିଧି ପୁରା କରି ଆସିଲେ। ଗାଁ ବାହାର ଗୋଟିଏ ଘରେ ଚାରିଜଣ ଏକାନ୍ତବାସ କଲେ।ଗାଁର ଲୋକବାକ ତାଙ୍କୁ ଭେଟି ଆସିଲେ। କାକିବି ଆସିଲେ ଭେଟିବାକୁ।-ଜୁହାର ବୁଆମନେ(କାକି ପୁତୁରାକୁ ଜୁହାର ହୁଅନ୍ତି) ଗୋ !-ଜୁହାର ଗୋ କାକି।ଷାଠିଏ ଟପି ସାମାନ୍ୟ ଅଧିକ ବୟସ। ତାଙ୍କ ଆଖି ଦେଖିଛି ଗୋଟିଏ ପରିବର୍ତ୍ତନକୁ। ସମୟ ସହ ତାଳ ଦେଇ କେମିତି ତାର ପରିଜନ ତା’ଠାରୁ ଦୂରେଇ ଦୂରେଇ ଯାଇଛନ୍ତି। ଜଙ୍ଗଲ, ଜମି ଆଉ କୌଳିକ ବେଉସା, ଗୋଟିଏ ସମ୍ମାନର ଜୀବନ ଦେଉଥିଲା। ମରୁଡ଼ି ହେଲା ବିବାହ କି ଅନ୍ୟ ଅନେକ ସୁଖଦୁଃଖ। ଜମି ଖପି ଖପି ଆସିଲା। ଦାଦନ ଗଲା। ଏବେ ସେ ଘରମାଡ଼ି ଅଛି, କାମକୁ ପାରୁନି ତେଣୁ କକା ଯାଇଛି ଦାଦନ।କରୋନାର ଖବର କାକି ପାଖରେ ବି ଅଛି; କିନ୍ତୁ ସେ ରୋଗର ବଳ ମାପି ପାରି ନାହାନ୍ତି। ସରକାର ଯେତେ ହୁସେର ହେଉଛନ୍ତି ସେ ବୁଝିପାରୁଛନ୍ତି ଯେ ଦେଶକୁ ବିପଦ ପଡିଛି।_କେନ୍ତା କରି ଆସଲ ବୁଆମାନେ ଗୋ?-ବାଇସ୍କଲ ଗୁଟେ ଗୁଟେ ଘିନଲୁ ଗୋ ଆରୁ ଆସଲୁଁ।-ରାତେ ପହରେ ଲାଗିଥିବା ନାଇ ଗୋ ବୁଆମାନେ।-କଥା କହୁଛ କାକି ଗୋ! ବାଟେ ବାଟେ ଚାଏର ରାଏତ ଶୁଇଛୁଁ। ବଡ଼ା କଷ୍ଟ ଗୋ। ବାଟ ସରବା? ତା’ର ନାଁ ନାଇ।ଏ ବୁଆ ଗୋ ମୁଇଁ କାହିଁ ଯାଏସିଁ! ତମେ ଜୁଆନ ପୁତା ମନେ ବୁଆଗୋ! ବାଇସକଲେ ଭାଗି ଆଏଲ। ଆମର ଉଡ଼ଶା ଭିତରେ ଦେଖନୁ ଚାଏର ରାଏତ ! ତମର କକା ତୋ ବିଦେଶ ଯାଇଛେ ହାଦ୍ରା କେ। ହେ ଆରୁ ଫିରସି ତାଲ କାଏଁ?ଝର କରି ଦୁଇ ଆଖିରୁ ଲୁହ ଝରିଗଲା। ତାଙ୍କ ପଣତରେ ପୋଛି ପୁତୁରା ଚାରିଙ୍କ ଠାରୁ ରୋଗ ବିଷୟକ ଅଙ୍ଗେ ନିଭା କଥା ଶୁଣିଲେ। କକା ପଟକୁ ଦୁଶ୍ଚିନ୍ତାରେ ମନ ଘିଚି ହେଉଥାଏ।ସେ ନିଜ ପରିସୀମାର ପୃଥିବୀରେ ଘଟଣାମାନଙ୍କୁ ତିଆରି କରୁଥାନ୍ତି। ଗୋଟିଏ ବିରାଟ ରାକ୍ଷସ ମାଡି ଆସୁଛି। ଗ୍ରାମାନଗ୍ର ସବୁକୁ ଗିଳିମାଡ଼ି ଆସୁଛି। ମନ୍ଦିରରେ ଠାକୁର ଲୁଚିଛି ଆଉ ଘରେ ମଣିଷ।ସେ ଆସୁଛି; କାହାକୁ ମାରିବ କାହାକୁ ତାରିବ କିଏ ଜଣେ। ସେ ପହଞ୍ଚିବା ପୂର୍ବରୁ ଲୋକେ ନିଜ ନିଜ ଘର ପହଞ୍ଚୁଛନ୍ତି। କିଏ ଆଗ ପହଞ୍ଚିବ କକା ନା କରୋନା?ଆଶା ଦିଦି ଆଉ ଅଙ୍ଗନବାଡ଼ି ଦିଦି ହାତଗୋଡ ଧୋଇ ଘରକୁ ପଶିବାକୁ ବୁଝାଉଛନ୍ତି। ସରକାର ଏତେଦିନେ ବୁଦ୍ଧି ପାଇଲେ? ତାର ତ ନୀତି କାମ ଏଇଟା।ଯୁଦ୍ଧ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସେଲାଗି ପୁଲିସ ଲୋକଙ୍କୁ ଘରକୁ ତଡୁଛି ପିଟିମାରି କରି। ଆଉ ତେଲଲୁଣର ଦାମ ବଢ଼େଇ ଦେଇଛି ଦୋକାନୀ।ତାର ପୃଥିବୀକୁ ଗୋଟିଏ ଯୁଦ୍ଧକ୍ଷେତ୍ର କରିଦେଲେ କାକି ତାଙ୍କର ମନେମନେ। ସେ ଭିତରେ କକାକୁ ରଖିଲେ। ଜମିରୁ ଜଙ୍ଗଲରୁ ବଢ଼ିଲା ନଈକୁ କକା ପାର କରିପାରେ। ଏତେବଡ଼ ଯୁଦ୍ଧକ୍ଷେତ୍ରର ବ୍ୟୁହକୁ ଭେଦି ପାରିବ?ହଁ ନା ର ଗୋଟିଏ ଅସରନ୍ତି ଖେଳ କାକିଙ୍କ ମନରେ। ସମସ୍ତଙ୍କ ସହ ଘରକୁ ଗଲେ ଚୁପଚାପ। ଶୋଇବାକୁ ଗଲେ। ଘର ଭିତରପଟୁ ବନ୍ଦ କଲେ।ପାଖଘର ମୋବାଇଲ ବାଜିଲା। କକା ଫୋନ କରିଥିଲେ। କରୋନା ଚର୍ଚ୍ଚା କରିବାକୁ କିଛିଲୋକ ଏବେ ବି ଦାଣ୍ଡରେ ଅଛନ୍ତି। କିଏ କେମିତି ବଞ୍ଚିବା ଗାଁକୁ କଣ କରିବା?କକା ଫୋନ କରିଛି। ଭଲମନ୍ଦ କଥା ହେଲାପରେ କାକିଙ୍କୁ ଖୋଜିଛି। ସମସ୍ତେ କହନ୍ତି ଏବେ ଥିଲା ଘରକୁ ଯାଇଥିବେ। କକା ଆଉ ଗାଁର ଯାଇଥିବା ସବୁଲୋକ ହାଦ୍ରାରେ କୁଶଳରେ ଅଛନ୍ତି ଲୋକେ ଜାଣିଲେ। ସେମାନେ ଇଟାଭାଟିରେ କାମ କରୁଛନ୍ତି, କିଛି ଅସୁବିଧା ନାହିଁ।ସେ ଚାହିଁଲେ କାକିଙ୍କ ସହ କଥା ହେବାକୁ। ଫୋନ ନେଇ ଜଣେ ଘରକୁ ଗଲା।ଭିତରପଟୁ କବାଟ ବନ୍ଦ ଅଛି।ଡାକିକରି ଉଠେଇଲେ ଜଣେ।ଉତ୍ତର ଆସିଲାନି।କବାଟ ବଡେଇଲେ।ଉତ୍ତର ଆସିଲାନି!କକାର ଫୋନ କଟି ନ ଥାଏ। ସମସ୍ତ ପ୍ରୟାସ ବିଫଳ ହେଲା ପରେ ହାଇଦ୍ରାବାଦରୁ ଫୋନ କରିଥିବା କକାକୁ ଚାଲ ଫାଡ଼ିବା ଅନୁମତି ମାଗିଲେ।ଏ ମୋର ବୁଆମା ମନେ ହେ କଥା ଆର ପଚାରସ କାଏଁ? ଦେଖ ବୁଆ ଗୋ ଦେଖ!ଛାତକୁ ଚଢି ଭିତରକୁ ଜଣେ ଗଲେ। ଭିତରୁ ଭୋ’କରି କାନ୍ଦିବା ଶବ୍ଦ ଆସିଲା।କାକି ମରି ଯାଇଥିଲେ।କାକିସଙ୍ଗେ ଥିବା ସମସ୍ତେ ଜାଣିଲେ ବୁଢାର ଚିନ୍ତାରେ ସେ ମରିଗଲେ। ଫୋନରେ କକା କାନ୍ଦୁଥିବା ସମସ୍ତେ ଶୁଣିଲେ। ଲୋକେ ପ୍ରବୋଧନା ଦେଉଥାନ୍ତି।ଗାଁରେ ଆଶ୍ଚର୍ଯ୍ୟ ଚକିତ କରିଥିବା ଗୋଟିଏ ଚହଳ ପଡ଼ିଗଲା। ଏ ଭିତରେ ଭଞ୍ଜନଗର ଫେରନ୍ତା ଚାରିଜଣ ବି ନିଜ ଅଜାଣତରେ ଲୋକଙ୍କ ସହ ମିଶି ସାରିଥିଲେ।ଅନେକ ଦିନ ପରେ ତାଙ୍କ ନମୂନା ପରୀକ୍ଷା ରିପୋର୍ଟ ଆସିଲା ଦୋଷମୁକ୍ତ ବୋଲି।କକା ଏ ପର୍ଯ୍ୟନ୍ତ ଆସି ନାହିଁ