ପ୍ରମିଳା-ଅଶୋକ(ଉଭୟ ଛଦ୍ମନାମ) ଆସୁଛନ୍ତି। ଏ ଖବରକୁ ମୁଁ ଅଶୋକର ବାପାକୁ କହିଲି। ପ୍ରମିଳାର ଶ୍ୱଶୁରଙ୍କ ଘନିଷ୍ଠ ବନ୍ଧୁ ଗୁସେଇଁ ମହାପୁରୁଙ୍କୁ କହିଲି। ମହାପୁରୁଙ୍କ ଛଡ଼ା ପାଞ୍ଚପାଳିରେ କିଏ ଅଛି ଗୌନ୍ତିଆଙ୍କୁ ଆକଟ କରିବ।

ଗୌନ୍ତିଆର ବିଧବା ବୋହୂ ପ୍ରମିଳାକୁ ନେଇ ଅଶୋକ କେରଲ ଭାଗି ଯାଇଥିଲା। ଟେଲର କାମ କରୁଥିଲା ଅଶୋକ। ନବମ ପଢ଼ିବା ଆଗରୁ ଖରାଛୁଟିରେ ଅବଦୁଲ ଟେଲର ପାଖକୁ ଯାଇ ବୋତାମ ଟିପିବା ଆଦି କାମ କରୁଥିଲା।

ବାପା ଲାଜ କଲା। ରାଗ ତମତମ ହେଇ ଅବଦୁଲର ଦୋକାନରୁ ପୁଅକୁ ଘରକୁ ତଡି ଦେଲା। ଅବଦୁଲର ଆଖିକୁ ଦେଖିଲା ଅଶୋକ। ଅଶୋକର ଆଖିରେ ଗୋଟେ ବିରାଟ ଭଉଁରୀ। ସେ ଭଉଁରେଇ ଗୋଟେ ଗଜରୁଥିବା ଉପବନକୁ ଗିଳିବାକୁ ଯାଉଛି। ଅବଦୁଲର ଆଖି ପାଣି ଭରିଗଲା; କିଛି କହିପାରିଲା ନାହିଁ।

ସଂଧ୍ୟାରେ ଅବଦୁଲ ଅଶୋକର ବାପାକୁ ଭେଟିଗଲା ଘରକୁ, ଚାଳବାଡ଼ ଡେଇଁ ଦୁଆରେ ଠିଆ ହେଲା।

-ମୋର ବୁଆ ନାଇ ଡାକେ ନା କେଁ ଗା ଘରକେ!

-ହେଁ ! ଆ ମୋର ବୁଆ ଗୋ।

-ତୋର ଥାପର କେ ଡର ଲାଗସି ବୁଆ ଗୋ!

-କେତେବେଳେ ପିଟଳିରେ ମାତୃ?

– ସକାଳର ଲୁଲା ନାଇ ଉସରିବାର ମୋର ଗାଲୁ; ଆର କହେଲାକେ ମୋର ମା କେ ନଉଛେ !

-ହଏ ବୁଆ ଗୋ ତର ନିକେ ଏକା ଯିବି ଭାବୁଥିଲି ନା।… ଆ ଆ ଭିତର କେ

ଅତ୍ମୀୟତାର ଏ ମହା ମିଳନ ବହୁତ ରସଦାୟି। ଆମ ପରସ୍ପରର ସମ୍ପର୍କ ଭିତରେ ଥିବା ବିଶ୍ୱାସ ହିଁ ଗାଁକୁ ରସମୟ କରେ।

ବହୁତ ପୁରୁଣା କଥା

ଅବଦୁଲର ଅଜା ନାକା ହେଇ ଆସିଲେ। ପଇଁଚାଲିଶ ବେଳକୁ ଆଠଟି ସନ୍ତାନ କିଏ ପେଟରେ ଚାରିପାଞ୍ଚ ମାସ କି କିଏ ରଙ୍ଗିବା ବୟସରେ ମରି ଯାଉଥାନ୍ତି।

ନାକା-ବେଗମ; ପ୍ରକୃତ ନାଁ କଣଥିଲା ଯେ ଅବଦୁଲ ଜାଣିଥିବ। ନାକା ସାହେବ, ଉଚ୍ଚାପୁରା ଗୋରା ତକତକ ତାଙ୍କ ସ୍ତ୍ରୀଙ୍କୁ ‘ବେଗମ’ ଡାକୁ ଥିଲେ। ତେଣୁ ତାଙ୍କ ନା ବେଗମ ବୋଲି ଗାଁଲୋକ ଭାବନ୍ତି, ନାକାବେଗମ ଡାକନ୍ତି। ତାଙ୍କ କୋଳ ଶୂନ୍ୟ ହେଉଥାଏ।

ଦଶରା ବୁଏଲ ବୁଲିଲା ବେଳେ ଦେବୀ ବାବେ କୁଡ଼ା ଆଉ ଶିକଲି ହାତରେ ନାକା ବେଗମଙ୍କୁ ଆଉଁସି ଦେଲେ। ଚାରିମାସ ପରେ ଅବଦୁଲର ବାପା ନାକା-ବେଗମଙ୍କ ପେଟକୁ ଆସିଲେ। ସେ ଜନ୍ମ ହେଲେ। ଗାଁ ସ୍କୁଲରେ ପଢ଼ିସାରି ଆଗକୁ ଆଗକୁ ପଢିଲେ। ଆଉ ପାଠ ସାରିଦେଲେ। ଶିକ୍ଷକ ହେଲେ।

ପୁଅର ଚାକିରି ହେଲା ନାକା ସାହେବ ଅବସର ନେଲେ। ଗାଁ ଲୋକଙ୍କୁ ଡାକିଲେ ଗୋଟେ ଭୋଜିର ଆୟୋଜନ କରି। ପାଖ ଦୂର କରି ମିଛ କହିଲେ ତିରିଶ ଆଉ ସତ କହିଲେ… ଖଣ୍ଡ ଗାଁ ଲୋକ ଆସିଥିଲେ।

ସମସ୍ତଙ୍କୁ ହାତ ଯୋଡ଼ି କହିଲେ, ମୁଁ ସରକାରୀ ଚାକର ଥିଲି ତାର ଲୁଣ ଖାଉଥିଲି। କାହାକେ ପଦେ କାହାକେ ଥାପରେ ବି ଦେଇଛେଁ ସରକାରୀ ନୌକର … ସେ ଗାଁରୁ କଣ ପାଇଛନ୍ତି ସ୍ମୃତି ଓ ସମ୍ପଦା ସବୁ କହି କ୍ଷମା ମାଗିଲେ। ଏ ମାଟିରେ ପୁଅର ବାହା କରି ସେ ନିଜ ଗାଁକୁ ଚାଲିଯିବେ।

ଗାଁ ପୂଜାରୀ ଗୌନ୍ତିଆଙ୍କୁ ସାକ୍ଷୀ ରଖି କହିଲା,’ଦେଖ ନାକା ସାହେବ। ତୋର ପିଲା ଗାଁର ଜନମ। ହଁ ଇନେ ପାଁ ଥାପଲା ମାକର ନୁ ମୁନୁଷ ହେଲା। ବହ ଆନ। ନତି-ନାତେନ ଦେଖ। ସୁଖେ ରହ।

ହେଲେ ବୁଆ ନାକା ସତ କହ ପଦେକ; ଗାଁକେ ଛାଡ଼ବାର ତୋର ମନ ନାଇ କି ତକେ ଛାଡ଼ବାର ଆମର ମନ ନାଇ। ତୋର ଲୋକବାକ କେତକର ଯେ ଅମେ ଦେଖିଛୁ। କାହାକେ ଭରସା ନାଇ ବଲି ଦୁଇ ଗାଁର କେତେ ଲୋକ ନେ କେତେ ମେନ ରଖିଛୁ। ଦୁଃଖେ ସୁଖେ ଠିଆ ହେଇଛୁ। ଗାଁର କେତେ ଘରକେ ତୋର ଘରୁ ମାମୁଁ-ଭାର ଯାଇଛେ ! ଦୁଇ ଗାଁ ଛାଡ଼ି କାହିଁଯିବୁ କହ?

ଗାଁବାଲେ ଆରୁ ଗାଁଟିଆ ପାଞ୍ଚପାଲି ଭାଇ ବନ୍ଧୁ ବି ଅଛନ। ଇ ମାଁ-ମାଏଟ ତକେ ଅଙ୍ଗ ଦେଇଛେ।’

ଏବେ ସରକାରୀ ନାକାବଙ୍ଗଳା ଭାଙ୍ଗି ଯାଇ ତା’ଉପରେ ସେମେଲ ଗଛ ବଡ଼ ହେଇଗଲାଣି, ନାକା ସାହେବ ନିଜ ଘର ତିଆରି କଲେ। ନୂଆ ଘରର ନାଁ ବି ‘ନାକାବଙ୍ଗଲା’। ପାଖଆଖ ଗାଁ ମାନଙ୍କରେ ବଡ଼ଘର ମହଲଘର ଅଛି, କିନ୍ତୁ ବଙ୍ଗଳା ଗୋଟିଏ; ନାକାବଙ୍ଗଳା।

ବଡ଼ ଦୁଇଭାଇ ବାହାରେ ଚାକିରୀ କରନ୍ତି। ନାକାବେଗମ ଆଉ ମାଁ ଠାରୁ ଶିଖିଥିବା ସିଲେଇ କାମକୁ ବେଉସା କରି ପାଞ୍ଚ ଏକର ଜମି ଆଉ ନାକାବଙ୍ଗଳା ମାଡି ରହିଛି ଅବଦୁଲ। ସ୍ତ୍ରୀ, ଆଠ ଦଶ ବର୍ଷର ଦୁଇ ପୁଅ ଓ ଅବଦୁଲ। ପୁଅ ଦୁଇଜଣ ତାଙ୍କ ବଡ଼ବାପା ମାନଙ୍କ ସହ ରହନ୍ତି, ପାଠ ପଢନ୍ତି।

ଯାତ୍ରା ମହୋତ୍ସବ ରେ ସମସ୍ତେ ଗାଁକୁ ଆସନ୍ତି। ଅଯୋଧ୍ୟାକୁ ଇଟା ପଠେଇବା ଠାରୁ ତିନି ତଲାକ ପର୍ଯ୍ୟନ୍ତ ସବୁ ଗାଁକୁ ଖବର ମାତ୍ର ହୋଇ ଆସେ। ତବଲିକ ଜମାତ ଗାଁଠୁ ଅପହଞ୍ଚ ଦୂରର ଘଟଣା। ଆଜି ବି ନାକା-ବଙ୍ଗଲାରେ ଗାଈଗୁହାଳ ଅଛି। ନାକା-ବଙ୍ଗଲା ଦ୍ଵାର ନୀତି ଗୋବର ଢଳାହୁଏ; ତେଣୁ ମଵଲିଂଚିଂ ଆଦି ଅଗନାଅଗନି ବନସ୍ତ ଭିତରେ ରହୁଥିବା ବୁଢୀ ଅସୁରୁଣୀର କଥା।

ଅବଦୁଲ ବୁଝେଇଲା, ଅଶୋକର ବାପାକୁ।

ବାପର ବେମାର, ମାଁ ମରିବା ନାନା ଅସୁବିଧା ଡେଇଁ ସାତ ଏକର ଜମି ବନ୍ଧକ ପଡିଛି। ଜଙ୍ଗଲ ଅପସରି ଅପସରି ଯାଉଛି। କାମ ବୁଡ଼ିବୁଡି ଗଲା।(ସେମାନେ ଚାଷ ଉପକରଣ ଛଡ଼ା ବାକି ଅସ୍ତ୍ର ତିଆରନ୍ତି। ଦେବୀ ପୀଠରେ ବୁକା ମାରିବା ଟାଙ୍ଗି ହଉ କି ଜଙ୍ଗଲରେ ଲାଗୁଥିବା ହତିଆର। ଏ କାମ ଏବେ ସବୁ ଦିନକୁ ନୁହେଁ)

ଅଶୋକର ଜେଜେ, ଏମିତି ତୀର ତିଆରୁଥିଲା ଯେ ଯଦି ସେନ୍ତି ଧନୁର୍ଦ୍ଧର ହେଇଛେ ବଏଲେ ବରହା ଘେସରୀ ଯିବା ତୀର ନାଇ ଲେପେ। ଅଶୋକର ବୁଆ ବି କମ କ୍ଷେତ୍ରୀ ନୁହେଁ! ସମକର ବେଉସା ବୁଡ଼ିବୁଡି ଆଉଛେ।

ଅଶୋକ ଯାଉ ଦୁକାନ କେ, ପାଠ ବି ପଢ଼ବା।

ଅଶୋକ ବିଏ ପଢିଲା, ନିଜ ରୋଜଗାରରେ। ଚାକରି କରିବାକୁ ବହୁତ ଇଚ୍ଛା।

ଗଉନ୍ତିଆର ବହ ପ୍ରମିଳା ବାସର ରାତିରେ ହିଁ ମନ ଖଟ କରିଥିଲା। କକାବବା ନଣନ୍ଦ ହେବେ ତାକୁ ଅସହଜ ଲାଗିବା ପର୍ଯ୍ୟନ୍ତ ସ୍ୱାମିସ୍ତ୍ରୀଙ୍କ ସହ ଖଟରେ ବସିଥିଲା। ବାହାରେ କିଛି ଟୁପୁଫୁସୁ ବି ଶୁଣିଲା।

ଦୁଇ ବର୍ଷ ନ ପୁରୁଣୁ ବିଧବା ହେଲା। କିଏ କିଏ କହନ୍ତି ନଣନ୍ଦ ପାଙ୍ଗି ମଗେଇଲା କଉ ଗୁଣିଆକୁ। ପ୍ରମିଳାକୁ ସତ ଲାଗେ ବେଳେବେଳେ।

ଯୋଜନା ତାକୁ ମାରି କକାପୁଅ ମାନେ ସମ୍ପତ୍ତି ଖାଇବେ। ସ୍ୱାମୀ ଗଲାପରେ ପ୍ରମିଳା କେମିତି ଗୋଟିଏ ଭଉଁରୀ ଭିତରକୁ ପଶି ଯାଉଛି। କେତେ ଥର ଦିଅରଙ୍କ ପାଇଁ ପ୍ରସ୍ତାବ ବି ଆସିଲାଣି। ତାକୁ ଆଉ ଗଉନ୍ତିଆଙ୍କୁ ମାରିଦେବେ କେତେବେଳେ।ଅଶୋକ ସାଙ୍ଗେ ପଳେଇଲା। କେରଳରେ ରହିଲା। ଦୁଇ ବର୍ଷ ହେବ। ଗାଁ ପାଞ୍ଚପାଲି ଚୁପ ରହିଲେ ବି ଅଶୋକ ବିପକ୍ଷରେ କିଛି କହନ୍ତି ନାହିଁ। whatsapp ରେ ଦୁହିଁଙ୍କ ଫୋଟୋ ତା ସାଙ୍ଗମାନଙ୍କ ପାଖକୁ ଆସେ। ସାଙ୍ଗ ମାନଙ୍କ ପ୍ରେମିକାସମୂହ ଦେଇ କେବେ କେବେ ସାରା ଗାଁ ଭାଇରାଲ ହୁଏ ଫୋଟୋ। ଦୁହିଙ୍କ ସମ୍ପନ୍ନତାରେ ଲୋକେ ଖୁସି ହୁଅନ୍ତି।

ଗୌନ୍ତିଆ, ଷାଠିଏ ଟପି ସାରିଲାଣି। ନାକା ସାହେବଙ୍କୁ ଜମି ଦେଇ ଦୁଇ ବର୍ଷ ଉତାରୁ ଶତାୟୁ ଜେଜେ ମରିଥିଲେ।

ଅଶୋକ ବୋହୁକୁ ନେଇ ଗାଁ ଫେରୁଛି; ଚିନ୍ତାରେ ଥିଲେ ଗଉନ୍ତିଆ। ଅଧସିଟ ଜମି; ଏତକୁ ନେଇ କେତେ ମହାଭାରତ ରହିଛନ୍ତି ଅଇରୀ। ରାଣୀ ପରି ଝିଅ ପ୍ରମିଳା। ତାଙ୍କ ଅନ୍ତେ ତାକୁ ବି ମାରି ଦେଇଥାନ୍ତେ।

ଅଶୋକ-ପ୍ରମିଳାଙ୍କ ପ୍ରେମକଥା କେତେ କାଣ୍ଡ କରିଛି। ଅବଶ୍ୟ ଏପରି କିଛି ନଥିଲା। ପ୍ରମିଳାକୁ କୂଳଟା ସଜେଇ ଗାଁରୁ ତଡିବା ଯୋଜନା ଥିଲା ବିରୋଧିଙ୍କ। ଛନ୍ଦାୟିତ ଘଟଣା ଦୁର୍ଘଟଣା ମାନ ଏମିତି ପରିସ୍ଥିତି ତିଆରିଲା ଯେ ଅଶୋକ ପ୍ରମିଳାକୁ ନେଇ କେରଳ ଯିବାକୁ ବାଧ୍ଯ ହେଲା। ପ୍ରବାସ ଯିବାବେଳେ ହିଁ ଅଶୋକ ପ୍ରଥମେ ପ୍ରମିଳାକୁ ଛୁଇଁଛି।

ମହାମାରୀ ! ଲୋକବାକ ଚିହ୍ନୁ ନାହିଁ। କିଏ ରୋଗରେ ତ କିଏ ଭୋକରେ ରାସ୍ତା ଉପରେ ମରି ଯାଉଛନ୍ତି। ନାନା କଥା ଓ କାହାଣୀ ଭିତରେ ଲୋକେ ଶଙ୍କି ରହିଥାନ୍ତି। ପ୍ରଳୟ ହେବ। କଲକୀ ଛତିଆବଟରୁ ବାରହାତ ଖଣ୍ଡା ନେଇ ବିନାଶ ଯାତ୍ରାରେ ବାହାରି ସାରିଲେଣି। ବନ୍ଧୁ ପରିଜନ ମେଳରେ ମୃତ୍ୟୁ ଆସୁ; ଏହା ହିଁ ଶେଷ ଇଚ୍ଛା ଉତ୍ତରବୟସ୍କଙ୍କ।

ପାଟ ପିନ୍ଧି ନାଗରା ମାଡ଼ି ଅଶୋକ ଘର ସାମ୍ନାକୁ ଆସିଲେ ଗଉନ୍ତିଆ। ପଛେ ପଛେ ଦୁଇ ଲଠେତ ଓ ଅନୁଚର ଦନାର। ଗାଁଲୋକେ ମାବହେନ ଆଶ୍ଚର୍ଯ୍ୟ ଉସତରେ ଦେଖୁଥାନ୍ତି। ଏବେ ଏବେ କଣ ଗୋଟାଏ ଘଟିତ ହେବ! ମା ମାନଙ୍କ ଆଖି ଓଦା ହେଇ ବହି ଯାଉଥାଏ। ଆଜି ବି ଗଉନ୍ତିଆ ଗାଁର ମାନନୀୟ ବଡ଼ଲୋକ। ଆଜି ବି ତାଙ୍କ ଘରୁ କେହି ନିରାଶ ଫେରେନାହିଁ। ପାଖଆଖ ଗାଁ ରେ ବାପା ଡାକନ୍ତି ତାଙ୍କୁ। ଏଥିଲାଗି ବିରୋଧି ତାଙ୍କ କ୍ଷତି କରିପାରନ୍ତି ନାହିଁ।

-ସମଦି ଡାକଲେ ଯାଇ ବିନ୍ଧାଣି ଜାତି ବରଣ କରସନ ପରେ ହୋ ମୋର ଗାଁର ଲୋକବାକ… ଅଶୋକ ଘରଦ୍ଵାରରେ ଠିଆହୋଇ ଗଉନ୍ତିଆ ଡାକିଲେ, ଗାଁ ଲୋକଙ୍କୁ ଶୁଣେଇ।

ଭୋ ଭୋ କାନ୍ଦି ପକାଇଲେ ଗାଁ ଲୋକ । ମନ ମାନଙ୍କରେ ଦୁଇ ବର୍ଷର ଚାପି ହେଇଥିବା ଆନନ୍ଦ ଲୁହ ହୋଇ ବାହାରି ଆସୁଥିଲା।

ଘଟଣା ନିଶ୍ଚିତ ବହୁ ଚର୍ଚ୍ଚିତ ଆଉ ରୋମାଞ୍ଚକ। ଗୋଟିଏ ଆଗତ ବିପଦର ସୁଖଦ ସମାପନ ହେଲା।

ପୂଜାରୀ ଦଦା ମତେ ଫୋନରେ କହିଲା, ବାବୁ ! ତୁଇ ତୋର ବୁଦ୍ଧିସୁଧି ଲଗାତୁ ବଏଲେ ବନେ ହେତା। ଏପରି କିଛି ହେଲାନି। ଗାଁ ଲୋକ ସରକାରଙ୍କ ଆଦେଶ ମାନି ନିଜ ନିଜ ବାଟରେ କି ଗଛତଳେ ଠିଆ ହେଇଥିଲେ। ସରକାରଙ୍କ ଆଦେଶ ମାନିବାକୁ ଗାଁଲୋକଙ୍କୁ ଗଉନ୍ତିଆ କହିଥିଲେ। ପୋଲିସ ଗାଡ଼ି ଆଗରେ ହେଇ ଅଶୋକ-ପ୍ରମିଳା ଗାଁକୁ ପଶିଲେ ଡାକ୍ତରୀ ଗାଡ଼ିରେ। ଦୂରରୁ ବଡ଼ମାନଙ୍କୁ ମୁଣ୍ଡିଆ ମରୁଥାନ୍ତି। ଦୁହେଁ ଅବଦୁଲକୁ ମୁଡ଼ିଆ ମାରିଲେ। ଅଶୋକ ତାଙ୍କୁ ଗୁରୁବାପା ଡାକେ।

ଗୁସେଇଁ ମହାପୁରୁ କହୁଥାନ୍ତି ଗୁଡି କେ ଯ ପୁତେ ମୁଡ଼ିଆ ମାରି ଆସବ।

ଗଉନ୍ତିଆ ଦୂରରେ ନିଜର ଅନୁଚର – ସହଯୋଗୀଙ୍କ ସହ ଠିଆ ହୋଇଥାନ୍ତି। ପାଖ ସହରରୁ ଓକିଲ ବି ପହଞ୍ଚିଲେ। ଗଉନ୍ତିଆଙ୍କ ପାଖକୁ ଦୌଡ଼ିଯାଇ କାନ୍ଦିକାନ୍ଦି ଭୁଇଁରେ ଲୋଟି ପଡ଼ିଲା ପ୍ରମିଳା। ଗଉନ୍ତିଆ ଓକିଲଙ୍କ ହାତରୁ କାଗଜ ମୁଠେ ଆଣି ପ୍ରମିଳା କୁ ଧରେଇ ଦେଲେ।

ନେ …ମା’ ! ତୋର ସଂସାର ପାଏଲୁ

(ଫୋଟୋ ସୌଜନ୍ୟ-ରମେଶ ଶର୍ମା)