ପଞ୍ଚାୟତ ନିର୍ବାଚନ ବେଳେ ଗଉନ୍ତିଆ ସରପଞ୍ଚ ପ୍ରାର୍ଥି ହେଲେ। ନରିହା ଜମା ଭୋଟ ଦେଲେ ଗଉନ୍ତିଆ ସରପଞ୍ଚ ହେବା ସୁନିଶ୍ଚିତ, ବାକି ଜାତିର ଲୋକେ ଠିକ ଅଛନ୍ତି, ଗଉନ୍ତିଆକୁ ସାଧ୍ୟମତେ ଦେବାର ପ୍ରତିଶୃତି ଦେଇ ସାରିଛନ୍ତି। ସରପଞ୍ଚ ଭୋଟ କିଏ କାହାକୁ ଦେଇଛି ଜାଣିହୁଏ ଲୋକଙ୍କ ହାବଭାବରୁ। ନିର୍ବାଚନ ଦୁଇମାସ ବେଶ ଚର୍ଚ୍ଚାହୁଏ କିଏ କାହିଁକି କହାକୁ ଭୋଟ ଦେଲାନାହିଁର।
ନରିହା ଅର୍ଥାତ ଗଉଡ ଜାତି। ମହାକାନ୍ତାର ଅଞ୍ଚଳରେ ଗଉଡ ଅପେକ୍ଷା ନରିହା ଭାବରେ ହିଁ ପରିଚିତ ହୋଇଥାନ୍ତି। ଆଦିବାସୀ ଓ ଦଳିତଙ୍କ ଭଳି ରାଜନୀତିରେ ଗଉଡଜାତିକୁ ବହୁଧା ବିଭାଜିତ କରାଯାଇଛି। ଅବଶ୍ୟ ଗୋଟିଏ ସଂଖ୍ୟାଗରିଷ୍ଠ ଓ ପ୍ରଭାବଶାଳୀ ଗୋଷ୍ଠୀ ହୋଇଥିବା କାରଣରୁ ବ୍ୟବସ୍ଥାରେ ଏକ ସମ୍ମାନନୀୟ ସ୍ତର ଦାବୀ କରିଥାନ୍ତି। ମିତାନ ଗୋଷ୍ଠୀ ଭାବରେ ଗଉଡ ଜାତିର ସମ୍ମାନ ରହିଅଛି। ଭାଷା ଓ ଭୂଗୋଳ ଆଧାରରେ କୁଶଲିଆ (କୋଶଲର ଗଉଡ), ମଗଧା (ମଗଧର ଗଉଡ) ଗଉଡ ସହ ଭୂଗୋଳ ଆଧାରରେ ଝରିଆ, ମାହାର, ଝରନିଆ ଆଦି ବଂଶ ବିଶେଷରେ ପରିଚିତ ହୋଇଥାନ୍ତି। ସମସ୍ତେ ନରିହା। କନ୍ଧ ଓ ଡମ୍ବଭାଷା ଭଳି ଗଉଡଙ୍କ ମଧ୍ୟ ସ୍ୱତନ୍ତ୍ର ଭାଷା ରହିଅଛି। ଗଉଡଙ୍କ ଏହି ସ୍ୱତନ୍ତ୍ର ଭାଷା ବିଶ୍ୱାୟନ ପରେ ବିଲୁପ୍ତିକୁ ପହଞ୍ଚି ଗଲାଣି।
ଜାତକ କଥା ଅନୁସାରେ ଦାସ ବିଭାଗୀକରଣରେ କୁମ୍ଭଦାସ, ଯିଏ ମାଳିକ ପାଇଁ ଜଳଯୋଗାଇବା କାମ କରିବ। ଅପରନ୍ତୁ ସେ ସମୟର ସମ୍ରାଟ ଗଉଡ ଥିଲେ। ଅର୍ଥାତ ସମାଜର ପ୍ରତିଟି ସ୍ତରରେ ଗଉଡ ଜାତିର ଅସ୍ତିତ୍ୱ ରହିଥିଲା। ଜଳ ଅର୍ଥାତ ନୀର, ନୀରବାହକ ନରିହା।
ବର୍ତ୍ତମାନ ମଧ୍ୟଯଦି କୌଣସି ପାରମ୍ପାରିକ ଗାଁ ତିଆରି ହୁଏ ତା’ହେଲେ ଗୋଟିଏ ଡମ୍ବ ପରିବାର ଓ ଗୋଟିଏ ଗଉଡ ପରିବାରର ଆବଶ୍ୟକତା ହୋଇଥାଏ। କାରଣ ଗାଁର ସାମାଜିକ ଅବା ସାମୁହିକ କାମରେ ଗଉଡ ପାଣି ଯୋଗଇଥାଏ। ଏଣୁ ନରିହା। ଏହି ନରିହା, ଗଉଡ ବା ଯାଦବ ଜାତିର ଦୀର୍ଘ ଦାସତ୍ୱ ଉପରେ କେହି ଆଲୋଚନା କରନ୍ତି ନାହିଁ। ଯଦିବା ଦାସ ଜୀବନର ହେତୁ ଆସେ ସମ୍ରାଟ, ଶାସକ, କୃଷ୍ଣ ଆଦିଙ୍କ କଥା କହି ଗଉଡଙ୍କୁ ଆକ୍ରୋଶ ପ୍ରତିବାଦ ଆଦିରୁ ଦୂରରେ ରଖା ଯାଇଥାଏ। ଏଣୁ ଗଉଡ ଜାତି ଏମିତି ଏକ ଶୋଷିତ ଜାତି ଯାହାର ଶୋଷଣର ଇତିହାସ ବେଶ ନିଷ୍ଠୁର ହେଲେ ମଧ୍ୟ ସେ ବିଷୟରେ ଆଲୋଚନା ହୋଇନାହିଁ। ସାମନ୍ତବାଦୀ ବ୍ୟବସ୍ଥାରେ ଗଉଡ ଜାତିଠୁ ଅଧିକ କେହି ଶୋଷିତ ହୋଇ ନାହାନ୍ତି। ଅବଶ୍ୟ ଗଉନ୍ତିଆ ଓ ରାଜା ମଧ୍ୟ ଗଉଡ ଅଛନ୍ତି। ଅର୍ଥାତ ଗୋଟିଏ ସଂଖ୍ୟା ଗରିଷ୍ଠ ଜାତି ସାମନ୍ତିୟ ପ୍ରଥାରେ ଅନେକ ଶ୍ରେଣୀରେ ବିଭକ୍ତ ହୋଇଯାନ୍ତି। ଆଜି ମଧ୍ୟ ଯେ କୌଣସି ଜାତିର ମହିଳା ଚାକରାଣୀ ନରିହେନ ଭାବେ ପରିଚିତ ହୁଅନ୍ତି। ନରିହାର ସ୍ତ୍ରୀବାଚକ ଶବ୍ଦ ନରିହେନ।
ଅନ୍ତର କଥା ଅନ୍ତର ବୁଝେ। ନରିହା ବୁଢାର କଥା ନରିହା ବୁଢା ଜାଣେ। ଗାଁ ସଭାରେ ବି ତାର ସ୍ଥାନ ଟିକିଏ ଗୋଠଛଡା। କାହାକୁ ଶୋଷ ହେଲେ କି ଝାକର ନଡିଆ ଭାଙ୍ଗି ହାତ ଧୋଇଲେ ପାଣି ଦେବ। ଏମିତି ଏକ ନିର୍ବାଚନୀ ସଭାରେ ଗଉନ୍ତିଆ ନରିହା ବୁଢାର ପାଦ ଧରି ତାର ଦୁଇ ପାଦରେ ନିଜ ମୁଣ୍ଡକୁ ଛୁଏଁଇ ଦେଲେ, “ଦେଖ୍ ! ତୁଇ ଏକା ମରୋ ରକ୍ଷାକର୍ତ୍ତା ନା ବୁଆ”। ନରିହା ବୁଢା ପ୍ରଥମ କରି ଗଣତନ୍ତ୍ରର ସ୍ୱାଦ ଚାଖିଲା। ଲୋକେ ହତବାକ ହୋଇଗଲେ। ଏ କି ବିଚିତ୍ର ହେଲା! ନରିହା ଆଖିରୁ ଧାର ଧାର ଲୁହ ବାହାରି ଯାଉଥାଏ। ନରିହା ବୁଢା କାନ୍ଦୁ ନଥାଏ କିନ୍ତୁ ଆଖିର ଧାରା ବନ୍ଦ ହେଉ ନଥାଏ।
ଏ ଦେଖ ଗା ! ମୋର ଆଏଁଖ କାଏଁ କାଏଁଟା ହେଲା କାଏଁ ରେ! ଆଖି ଝରନ ନେଇ ଥେବୁଛେ ଯେ ବୁଆ!
ବୁଝିବା ଲୋକ ବୁଝୁଥାନ୍ତି ପୁରୁଷା ପୁରୁଷା ଧରି ଜମାଟ ବାନ୍ଧିଥିବା ଶୋଷଣର ପ୍ରତିକ୍ରିୟା ସବୁ ପାଣି ହୋଇ ଝରୁଛି। ଲୋକେ ଜାଣିଲେ ଗଉନ୍ତିଆ ଜିତିଗଲା। ନିର୍ବାଚନ ସରିଲା। ଗଉନ୍ତିଆ ବି ପଦ ଗାରିମା ସବୁ ଫେରି ପାଇଲେ ଯେମିତି। ଗଉନ୍ତିଆ ସରପଞ୍ଚ ହେଲେ ମଦ ପିଇଲେ ଓ ମରିଗଲେ। ଉପ ନିର୍ବାଚନ ହେଲା ଲୋକେ କେମିତ କେମିତି ନରିହା ବୁଢାକୁ ସରପଞ୍ଚ କରିଦେଲେ। ଚାରି ପୁରୁଷା ନରିହା ହୋଇ ଦଶ ଏକର ଜମି କରିଥିବା ନରିହା ପରିବାରର କଳେବର ବଢି ବଢି ପ୍ରବାସୀ ହୋଇ ରାୟପୁର ଓ ନାଗପୁରରେ ବି ରହୁଛନ୍ତି। ସରପଞ୍ଚ ପଦବୀ ଛାଡିବା ପର୍ଯ୍ୟନ୍ତ ଗୋଟିଏ ସମ୍ପନ୍ନ ପରିବାରର ମାନ୍ୟତା ପାଇ ସାରିଥିଲେ।
ମରୁଡି ମହାଜନୀ ଓ ବଦଳୁଥିବା ଯୁଗ କାରଣରୁ ଗାଁର ଅନେକ ଲୋକ ଜମିବାଡି ବିକି ଗାଁ ଛାଡନ୍ତି। ଏମିତି କୋଡିଏ ଏକର ଆଦିବାସୀ ଜମି କିଣି ସାରିଥିଲେ ନରିହା ବୁଢା। ଛୋଟବେଳୁ ହଲିଆ ଥିବା ମକରଧ୍ୱଜ ମାଝୀ ନାମରେ କୋଡିଏ ଏକର ଜମି ରେଜେଷ୍ଟ୍ରି କରିଥିଲା।

ନରିହା ବୁଢା ସରପଞ୍ଚ ହେବାର ଦଶବର୍ଷ ପୁରିଲା ବେଳକୁ ନରିହାକୁ ୬୫ ବର୍ଷ ହେଲା। ସରକାର ଘୋଷଣାକଲେ ଗୋଟିଏ ମଧ୍ୟମ ଜଳପ୍ରକଳ୍ପ ହେବ। ଏନଜିଓ ପିଲାମାନେ ଆସି ଗାଁ ଗାଁ ବୁଲି ବୁଝେଇଲେ ନଦୀବନ୍ଧ କେମିତି ଆମର କ୍ଷତି କରିଥାଏ। ଲୋକେ ସଭାରେ ଶୁଣନ୍ତି ଜିଲ୍ଲାପାଳ ଅଫିସ ବି ଘେରାଉ କରିଗଲେ। କ୍ଷତିପୁରଣ ଟଙ୍କା କଥା ଶୁଣିବା ପରେ ଏନିଜିଓ ପିଲାଙ୍କ ଆନ୍ଦୋଳନ ପତଳା ହୋଇଗଲା। ବନ୍ଧକୁ ବିରୋଧ କରୁଥିବା ଗୋଟିଏ ଏନଜିଓ ପିଲା ଏକ ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ ବି ହୋଇଗଲା।
ଲୋକେ ଟଙ୍କା ନେଇ ଗାଁ ଛାଡିଲେ। ନରିହାବୁଢା ସତୁରୀ ଡେଇଁ ସାରିଥିଲା। ମକରଧ୍ୱଜ ମାଝୀ ବି ଚାରୋଟି ଭେଣ୍ଡିଆ ପୁଅର ବାପା ହୋଇ ସାରିଥିଲା।
ବନ୍ଧରେ ପାଣି ଜମିଲା। ବର୍ଷେ ପରେ ବାକି ଜମି କ୍ଷତିପୁରଣ ଟଙ୍କା ମିଳିବା ଦିନ ନରିହା ବୁଢା ନିଜର ବୋଲେରୋ ଗାଡିରେ ସବକଲେକ୍ଟରଙ୍କ ଅଫିସ ଆଗରେ ମକରଧ୍ୱଜକୁ ଅପେକ୍ଷା କରିଥାଏ। ସମୟ ଗଡିଗଲା ମକରଧ୍ୱଜ ଆସିଲା ନାହିଁ। ନରିହାବୁଢାର ଡ୍ରାଇଭର ବାରମ୍ବାର ଫୋନ କଲେ ବି ମକରଧ୍ୱଜ ଫୋନ ଉଠେଲା ନାହିଁ।
ନରିହାବୁଢାର ପ୍ରତ୍ୟୟ କମି କମି ଆସୁଥାଏ। ମକରଧ୍ୱଜ ଏମିତି କରିବ ନାହିଁ। ସେ କେତେ ଆଜ୍ଞାବହ ପିଲା। ଦଗା ନଦେବା ଯାଏ କାମ କରୁଥିବ। ଏଡେ ସରଳ ଲୋକ ଏତେବଡ ପାପ କରି ପାରିବ ନାହିଁ।
ନିଜକୁ ନିଜେ ପ୍ରବୋଧିବାରେ ଯେତେବେଳେ ନରିହାବୁଢା ହାରିଗଲେ ଡ୍ରାଇଭରକୁ କହିଲା ଚାଲ!
ମକରଧ୍ୱଜର ଘରକୁ ପହଞ୍ଚିବା ବେଳେ ନୂଆଁ ବସିଥିବା ଗାଁର ଲୋକେ ଖାଇସାରି ଦାଣ୍ଡରେ ବାସନ ମାଜୁଥାନ୍ତି। ନରିହାବୁଢା ଡାକିଲାଟ
ବାବୁ ମକରଧଜ
କିଏ? ଘର ଭିତରୁ ମକରଧ୍ୱଜର ବଡପୁଅ ପଚାରିଲା।
ମୁଇଁ ବାବୁ! ବୁଡିଅଞ୍ଚଲ ତାଲପିଠା ଗାଁର ମକାରୁ ନରିହା।
ହଁ ସାଁକାର ବାହାରୁଛେଁ! କହି ମକରଧ୍ୱଜର ବଡପୁଅ ଗୋଟିଏ ଖଟିଆ ଧରି ବାହାରିଲା। ନରିହାକୁ ବସିବାକୁ କହିଲା। ତାର ସ୍ତ୍ରୀ ପାଣି ଗଡେ ଆଣିଦେଲା।
ଏତକି ରାତି କେନ୍ତା ଆମ ବୁଆ କେ ନୁରି ଆଏଲ?
କହି ଦେ ବାବୁ ତୋର ବୁଆ କେ, ଆଏଜ କାଣା ଅସୁବିଧା ହେଲା ଯେ ସବକଲେକ୍ଟର ଅଫିସ କେ ନାଇ ଆସଲା ବଲୁଛେଁ? ସବୁ ବନେ ବନେ ତ ବୁଆ?
ସବୁ ଭଲ ନା ଯେ ଗୋ। ଆମର ବୁଆର କାଏଁ କାମ ପଡଲା ସବକଲେକ୍ଟର ଅଫିସ ଥି।
ଜମିର ପଏସା ମିଲବା ଯେ ଗା ବାବୁ।
କାର ଜମି?
ଆମର ଜମି ଜେନ ତୋର ବୁଆର ନା ଥି ଘିନା ହେଇଛେ।
ହୁଁ… ଆମ ବୁଆର ନା ଥି ଜମି ଘିନିଛ?
ହଏ ଗା ବାବୁ ତୁଇ ନେଇ ଜାନୁ ଜେ ଆର ପଚରଉଛୁ କାଏଁ।
କେତେ ବଛର ହେଲା?
କୁଡେ ବଛର ତୋ ହେବା ବାବୁ, ପଛର ଟା ବି ହିସାବ କେତେ କରସୁ? କହିଦେ ତୋର ବୁଆ କେ
ହଁ କହେମି ଗୋ! ଜେ ଶୁନ ତ। ଗୁଟେ କଥା କହ, କୁଡେ ବଛର ହେଲା ଆମେ ତ ନାଇ ଜାନି ଜେ ଆମର ବୁଆର ନା ଥି ଜମି ଅଛେ ବଲି। କେବେ ଧାନ ମାନେ କି ଚଉଲ ଅଡେ ଦେଇଛ କାଏଁ? ତୋର ବୁଆର ନା ଥି ଜମି ଅଛେ ବଲି?
ନରିହାବୁଢା ବୁଝିଗଲା ସବୁ। ପାଦତଳୁ ମାଟି ଖସିଗଲା ଯେମିତି। କାଠ ହୋଇଗଲା।
କିଛି ସମୟ ନିରବ ହୋଇଗଲା ଗାଁ। ଦୁହିଙ୍କ କଥାବାର୍ତ୍ତା ଭିତରେ ପାଖଆଖ ଘରର ଲୋକ ବି ବାହାରକୁ ବାହାରି ଆସି ସାରିଥିଲେ। ମକରଧ୍ୱଜର ବଡପୁଅ କହିଲା
ଦେଖ ସାଁକାର ନିଅ ମୋର ବୁଆ କେ। ହେଲେ ଆର ଘରକେ ଆନି ନେଇ ଦେବ। ଯଦି ମୋର ବୁଆ ଘରକେ ଫିରଲା ବଏଲେ ଆମେ ଭାଇମାନେ ଠେସି ଦେମୁଁ ନା ବୁଢାକେ। କୁଡେ ବଛର ମୋର ବୁଆର ନା ଥି ଜମିର ଥିବା କମାନି ଖାଏବ। ଗିଧେପସେ କର ଲୋକ ଆମେ ନେଇ ହେମୁଁ? ଆଏଜ ସରକାର ମୋର ବୁଆର ନା ଥି ଟଙ୍ଗା ଦଉଛେ। ସରକାର ଭକୁଆ କି ନେଇ ଜାନେ କିଏ କିଏ ଟଙ୍ଗା ପାଏବେ ବଲି? ଦେଖ ନଉଛ ବଏଲେ ନିଅ ମୋର ବୁଆ କେ…
ନରିହାବୁଢା ସବୁ ବୁଝିଗଲା। ଠିଆ ହୋଇ ହାତ ଯୋଡି ଆସି ଗାଡିରେ ବସିଲା। ଡ୍ରାଇଭର କିଛି ନ କହି ଗାଡି ଚଳେଇଲା। ଗାଁକୁ ପଛକରି ଫେରିଲେ। ନରିହାବୁଢାର ଆଖିରୁ ଧାର ଧାର ପାଣି ବହୁଥାଏ।