ବିମୁଦ୍ରାୟନ
ବିମୁଦ୍ରାୟନ ସମୟରେ ବନ୍ଧୁ ରିତେଶ କୁମାର ଦାସ ଏହି ଲେଖ ଲେଖିଥିଲେ। ଏହାକୁ ସେ ସମୟରେ ମୁଁ ଡିସେମ୍ବର ୧ – ୧୫, ୨୦୧୬ ସଂଖ୍ୟା ଝାରସୁଗୁଡ଼ା ବିଚାର ପାକ୍ଷିକରେ ସ୍ଥାନ ଦେଇଥିଲି। ସେ ସମୟରେ ସୁଭାଷ ସହାରେଙ୍କ ଦ୍ୱାରା ସମ୍ପାଦିତ ଏବଂ ମୋର ସହଯୋଗରେ ପ୍ରକାଶ ପାଉଥିବା ପାକ୍ଷିକ ଝାରସୁଗୁଡ଼ା ବିଚାର , ସାଧାରଣଙ୍କ ସମ୍ବାଦ ପତ୍ରିକା ନାମରେ ପ୍ରକାଶ ପାଉଥିଲା।

୮ ନଭେମ୍ବର ୨୦୧୬, ଶାଳକଙ୍କ ସ୍ୱାସ୍ଥ୍ୟରେ ଘୋର ଅବନତି ଘଟିବାରୁ ବୁର୍ଲା ମେଡ଼ିକାଲରେ ରହିଥିଲି। ହଠାତ ପ୍ରଚାର ହେଲା ଯେ ଆଜି ରାତି ୧୨ ଟା ପରେ ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ ହୋଇଯିବ। କେତେକ ଆବଶ୍ୟକୀୟ ସ୍ଥାନରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧିତ ନୋଟ ଚଳିବ। ଲୋକେ ଏହି ପ୍ରତିବନ୍ଧିତ ନୋଟ ଗୁଡ଼ିକୁ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନକୁ ଚାରି ହଜାର ଜମା ଏବଂ ଦୁଇ ହଜାର ଟଙ୍କା ଉଠାଇ ପାରିବେ।
ପ୍ରଥମେ ଭାବିଲି କିଏ ମୋବାଇଲରେ କୌଣସି ଏକ ସଂଦେଶ ଶୁଣୁଥିବେ। କିନ୍ତ୍ରୁ ସତ ଜାଣିଲା ପରେ ବୁଝି ପାରିଲି ନାହିଁ କଣ କରିବି? କାରଣ ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ମେଡ଼ିକାଲ ଖର୍ଚ୍ଚ ପାଇଁ ପାଞ୍ଚହଜାର ଟଙ୍କା ଏଟିଏମରୁ ଉଠେଇ ଥିଲି। ଯେଉଁଥିରେ ୫୦୦ ଓ ଆଉ ଶହେ ଟଙ୍କିଆ ନୋଟ ଥିଲା। ରାତିରେ ହୋଟେଲରେ ଖାଇବା ବେଳେ ପାଞ୍ଚଶହ ଟଙ୍କିଆ ନୋଟ ଦେବାରୁ ମାଲିକ ବିରକ୍ତ ହେଲା; ରାତି ୧୨ ଟା ପର୍ଯ୍ୟନ୍ତ ନିୟମର ଦ୍ୱାହି ଦେଇ ଖୁଚୁରା ପାଇଲି। ପାନ ଦୋକାନରେ ସେହି ପ୍ରକ୍ରିୟା ଦୋହରାଇଲି। ବେଚାରା ମୋଦିଙ୍କ ଘୋଷଣା ଶୁଣି ନ ଥିଲା। ହେଲେ ବି ବଡ଼ନୋଟକୁ ଭାଙ୍ଗିବାରେ ଟିକିଏ ହିଚକିଚ ହେଲା କିନ୍ତୁ ଖୁଚୁରା ଦେଲା। ଏକା ଉଦ୍ଦେଶ୍ୟ ନେଇ ଅନ୍ୟ ଏକ ଦୋକାନକୁ ଗଲି। ସେଠାରେ ଦେଖିଲି ମୋ ଚିନ୍ତାଧାରାର ତିନିଜଣ ଠିଆ ହୋଇଛନ୍ତି। ବାଧ୍ୟ ହୋଇ ୱାର୍ଡ଼କୁ ଫେରିଲି। ପାଖଆଖରେ ଗୋଟିଏ ଚର୍ଚ୍ଚା ନୋଟକୁ ନେଇ। ଉତ୍ସାହିତମାନେ କୁହାକୁହି ହେଉଥିଲେ ନୋଟ ପ୍ରତିବନ୍ଧକୁ ନେଇ। କେତେଜଣ କଳାଟଙ୍କା, ଜାଲି ନୋଟ ଓ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଚର୍ଚ୍ଚା କରୁଥାନ୍ତି। ଏଥିରୁ କିଛି ବୁଝି ପାରୁ ନ ଥିଲା ଏହି ଲେଖକ। କାରଣ ତାତ୍କାଳିକ ସମସ୍ୟାର ସମ୍ମୁଖିନ ହେଇଥିବାରୁ ଏହାକୁ ସହଜରେ ଗ୍ରହଣ ବି କରି ପାରୁ ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ନୋଟବନ୍ଦୀକୁ ରାଷ୍ଟ୍ରହିତ ସହିତ ଯୋଡ଼ି ଦେବାରୁ ଅନେକ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ। ମତାମତ କ’ଣ ଦେବୁ ଅନେକ ଚିନ୍ତା କରି ପାରିଲେ ନାହିଁ ବୋଧହୁଏ। ରାଷ୍ଟ୍ରର ସମସ୍ତ ପଦକ୍ଷେପକୁ ରାଷ୍ଟ୍ରହିତ ସହିତ ସଂଶ୍ଲିଷ୍ଟ କରାଯାଇପାରେ, ମାତ୍ର ସରକାରଙ୍କ ପଦକ୍ଷେପକୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ସାଧାରଣ, ସରକାରଙ୍କ ଏହି ପଦକ୍ଷେପକୁ ଦଣ୍ଡ ସ୍ୱରୁପ ଭୋଗିବା ହୁଏତ ଭାରତବର୍ଷରେ ପ୍ରଥମ ଘଟଣା।
ତା’ପରଦିନ ଥିଲା ଦେଶରେ ଆର୍ଥିକ ଆପାତକାଳର ସ୍ଥିତି। ଯେଉଁ ଡାକ୍ତରଖାନାରେ ପୁରୁଣା ନୋଟ ଚଳିବ ବୋଲି ସରକାର ପ୍ରତିଶୃତି ଦେଲେ ସେହି ଡାକ୍ତଖାନାଗୁଡ଼ିକରେ ଦେଖାଗଲା ବିଷମ ପରିସ୍ଥିତି। ଔଷଧ ଦୋକାନୀ, ପାଥୋଲେବଗୁଡ଼ିକ ନିଜ ଦୋକାନ ବାହାରେ ୫୦୦/୧୦୦୦ ଟଙ୍କିଆ ନୋଟ ନିଷିଦ୍ଧ ବୋଲି କାଗଜ ଛାପି ଦେଲେ। ଲୋକ ବିଶ୍ୱାସ କରି ପାରୁନ ଥିଲେ ଯେଉଁ ରଙ୍ଗୀନ କାଗଜ ଖଣ୍ଡିକ କିଛି ଘଣ୍ଟା ପୂର୍ବରୁ ସମସ୍ତଙ୍କ ପ୍ରିୟ ହୋଇ ରହିଥିଲା, ଏବେ ତାହା ମୂଲ୍ୟହୀନ! ହୋଟେଲରୁ ଲୋକେ ଖାଦ୍ୟ କିଣି ପାରିଲେ ନାହିଁ। କିଛି ଲୋକ ତୁରନ୍ତ ବେପାର ଆରମ୍ଭ କରିଦେଲେ, କୋଡ଼ିଏ ପ୍ରତିଶତ କମ କରି। ଖୁଚୁରା ସରିଯିବା ଭୟରେ ମତେ ମଧ୍ୟ ସେହିଦିନ ବିଦାୟ ନେଇ ଘରକୁ ଫେରିବାକୁ ପଡ଼ିଲା। ନିଜକୁ ଏତିକି ପ୍ରବୋଧି ପାରୁଥିଲି ଶାଳକ ଆସନ୍ନ ମୃତ୍ୟୁରୁ ରକ୍ଷା ପାଇଯାଇଛନ୍ତି। ବାକି ଚିକିତ୍ସା ପାଇଁ କିଛି କରାଯାଇ ପାରେ।
ଦେଶ ଏକ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଥିଲା ଯେପରି। ଗଣମାଧ୍ୟମ ଦୟାରୁ ତାଜାତାଜା ଅର୍ଥନୀତିଜ୍ଞ ହୋଇଥିବା ଲୋକ, ସରକାରଙ୍କ ସମର୍ଥକ ଓ ତଥାକଥିତ ଉଚ୍ଚଶିକ୍ଷିତମାନେ ଏହାକୁ ରାଷ୍ଟ୍ରହିତ, ଦେଶପ୍ରେମ ଓ ଜାତୀୟତାବାଦର ସ୍ତର ଯାକେ ନେଇ ଚର୍ଚ୍ଚା କରୁଥାନ୍ତି। ବିପକ୍ଷ ଓ ବିରୋଧି ଏହାକୁ ନିଜ ଦୃଷ୍ଟିରେ ତର୍ଜ୍ଜମା କରି ଏହାର କୁଫଳ ଗୁଡ଼ିକୁ କହୁଥାନ୍ତି। ପୂର୍ବ ଘଟଣାମାନଙ୍କ ପରି ଏଥିରେ ମଧ୍ୟ ତିନିଭାଗ ହୋଇଗଲା ଦେଶର ଚିନ୍ତା। ମୋଦୀ ସପକ୍ଷବାଦୀ, ମୋଦୀ ବିରୋଧି ଓ ନିରପେକ୍ଷ। ଜାତୀୟ ନ୍ୟୁଜ ଚେନାଲରୁ ଅଧିକାଂଶ ଯେତେବେଳେ ଏହି ପଦକ୍ଷେପକୁ ନେଇ ମୋଦୀ ସପକ୍ଷରେ ଛିଡ଼ା ହୋଇଥାନ୍ତି(ଯେପରିକି ସେମାନେ ଅନ୍ୟ ସବୁ ଘଟଣାରେ ମଧ୍ୟ କରୁଥିଲେ) ଏଥିପାଇଁ ଏନଡିଟିଭିର ରବିଶ କୁମାର(ଯିଏ ପତ୍ରକାରିତାରେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରିୟ ସମ୍ମାନ ପାଇଛନ୍ତି)କୁ ସୋସିଆଲ ମିଡ଼ିଆରେ ସମର୍ଥକଙ୍କ ତରଫରୁ ଅତ୍ୟନ୍ତ ଅଶ୍ଲୀଳ ଭାଷା ଶୁଣିବାକୁ ପଡ଼ିଲା। ଅତି ଆଶ୍ଚର୍ଯ୍ୟର କଥା ଯେ ଯେଉଁ କଳାଟଙ୍କା ବିରୋଧରେ ଏପରି ପଦକ୍ଷେପ ନିଆ ଯିବା କଥା କୁହାଗଲା; କିଛିଟା ରାଜନୈତିକ ଦଳ, ବଡ଼ ବଡ଼ ବେପାରୀ, କର୍ପୋରେଟ ସଂସ୍ଥା ମଧ୍ୟ ଏ ବିଷୟରେ ମୁହଁ ଖୋଲିଲେ ନାହିଁ, ଅଳ୍ପ କେତେକଙ୍କୁ ବାଦ ଦେଲେ। କଂଗ୍ରେସ ଦଳ ପ୍ରଥମେ ମାପିଚୁପି ନିଜର ମନ୍ତବ୍ୟ ଦେଲା। ପ୍ରଥମ ବିରୋଧ ଆସିଲା; ଉତ୍ତର ପ୍ରଦେଶର ଦୁଇଟି ଜାତୀୟ ଦଳ ମୁଲାୟମ ସିଂହଙ୍କ ସମାଜବାଦୀ ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ତରଫରୁ। ଏହାପରେ ପଶ୍ଚିମବଙ୍ଗର ମୂଖ୍ୟମନ୍ତ୍ରୀ ମମତା ବେନର୍ଜୀ, ସିପିଆଇ, ସିପିଆଇଏମ, ଶିବସେନା ଓ ପରେ ବହୁ ପ୍ରତିକ୍ଷିତ କେଜରିୱାଲ। ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହେଲା। ଅଦ୍ଭୁତ ଭାବରେ ନୀରବତା ରକ୍ଷା କଲେ ବିଜୁ ଜନତା ଦଳ, ଏଆଇଏଡ଼ିଏମକେ। ଅକାଳୀ ଦଳ ଓ ଆହୁରି ଏନଡ଼ିଏ ସମର୍ଥକ କିଛି ଦଳ କୌଣସି ସ୍ପଷ୍ଟ ମତାମତ ଦେଲେ ନାହିଁ, ମାତ୍ର ପ୍ରଧାନମନ୍ତ୍ରୀ (ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ ଏହି ନିଷ୍ପତ୍ତି ତାଙ୍କର)ଙ୍କ ଏହି ପଦକ୍ଷେପରେ ସେମାନେ ପ୍ରସନ୍ନ ବୋଲି କହିହେବ ନାହିଁ। ଜେଡ଼ିୟୁରେ ମତ ଭାଗ ହେଲା। ନୀତିଶ କୁମାର ଏହାକୁ ସମର୍ଥନ କଲାବେଳେ ଜେଡ଼ିୟୁ ଅଧ୍ୟକ୍ଷ ଶରଦ ଯାଦବ ଏବଂ ଅନ୍ୟ କେତେଜଣ ଏହାକୁ କଡ଼ା ସମାଲୋଚନା କଲେ। ରାଜନୈତିକ ଦୃଶ୍ୟପଟରୁ ଅନ୍ୟ ସମସ୍ତ ଘଟଣା ଏପରିକି ଆମେରେକୀୟ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଫିକା ପଡ଼ିଗଲା।
ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଦୀଜୀଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଜନତା ବହୁଳ ଭାବରେ ସମର୍ଥନ କଲେ। କଳାଧନ, ଜାଲିନୋଟ ଓ ଆତଙ୍କବାଦ ବିରୋଧରେ ସେମାନେ ମୋଦୀଙ୍କ ପକ୍ଷରେ ଅଛନ୍ତି। ଥିବା କଥା, ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ଯେ କୌଣସି ପଦକ୍ଷେପ ସ୍ୱାଗତଯୋଗ୍ୟ। ସାଧାରଣତଃ ରାଷ୍ଟ୍ରହିତ ଅର୍ଥ
ଜନତାଙ୍କ ହିତକୁ ହିଁ ଲୋକେ ବୁଝନ୍ତି। ଲୋକ ଭାବିଲେ ବିଦେଶରୁ କଳାଟଙ୍କା ଆଣିବା ପ୍ରତିଶୃତିକୁ ଯଦିବା ମୋଦି ପୂରଣ କରି ପାରିଲେ ନାହିଁ; କିନ୍ତୁ ଏହା ଦ୍ୱାରା
ଦେଶରେ ଗଚ୍ଛିତ ରହିଥିବା କଳାଟଙ୍କା ବାହାରି ଆସିବ।
ଯେଉଁ ଲୋକମାନେ କଳାଟଙ୍କା ରଖିଛନ୍ତି, ତାହା ଜମା ନ କରିପାରିଲେ, ମୂଲ୍ୟହୀନ ହୋଇ ପଡ଼ିବ ଏବଂ ତା ବଦଳରେ ଯେଉଁ ଟଙ୍କା ଛପା ହେବ ତାହା ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ଲଗାଯାଇ ପାରିବ। ମାତ୍ର ସରକାର ଡାଳେଡାଳେ ତ କଳାଟଙ୍କାଧାରୀ ପତ୍ରେପତ୍ରେ ଯା’ନ୍ତି। ବିଭିନ୍ନ କାରସାଦି କରି କଳାଟଙ୍କା ଗୁଡ଼ିକ ଜନଧନ ଖାତାରେ ଜମା ହେଲା। ସରକାର ବାରମ୍ବାର ନୀତି ପରିବର୍ତ୍ତନ କଲେ। କେବେ ନୋଟ ବଦଳା ପରିମାଣକୁ ବଦଳଇଲେ, କେବେ ଜନଧନ ଖାତା ଗୁଡ଼ିକ ଉପରେ ଆଖି ରଖିଥିବା କଥା କହିଲେ। ଜନଧନ ଖାତାରେ, ବ୍ୟକ୍ତିଗତ ଖାତାରେ, ବିଭିନ୍ନ ବ୍ୟାଙ୍କ ଗୁଡ଼ିକରେ ଥିବା ଖାତା ଗୁଡ଼ିକରେ, ପୋଷ୍ଟ ଅଫିସ ଆକାଉଣ୍ଟରେ ସମଗ୍ର ୫ ଲକ୍ଷ କୋଟି ଟଙ୍କା ଜମା ହୋଇଥିବ। ସୂଚନାଯୋଗ୍ୟ ଯେ କେବଳ ଅନୀଳ ଅମ୍ବାନୀ ବ୍ୟାଙ୍କ ଗୁଡ଼ିକରୁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା କରଜ ନେଇଛନ୍ତି। ଅନ୍ୟାନ୍ୟ ସମସ୍ତଙ୍କ କରଜ ଜମା ହୋଇଥିବା ପରିମାଣ ଠାରୁ ମଧ୍ୟ ବେଶୀ। ଅତଏବ ସରକାରଙ୍କ କେତେ ଲାଭ ହେଲା କହିବା ମୂଲ୍ୟହୀନ।
ଅନ୍ୟ ପକ୍ଷରେ ଦେଶର ଅର୍ଥନୀତି ହଠାତ ସ୍ଥିର ହୋଇଗଲା। ଲୋକେ କାମକୁ ନ ଯାଇ ଦିନ ଦିନ ଧରି ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ଛିଡ଼ା ହେଲେ। ଛୋଟ, ମଧ୍ୟମ ବେପାରୀମାନେ କେତେ କ୍ଷତି ସହିଥିବେ ତାର ଏ ପର୍ଯ୍ୟନ୍ତ ହିସାବ ହୋଇ ନାହିଁ। ଦିନକୁ ହାରାହାରି ୨୫ ହଜାର କୋଟି ଭାବିଲେ ମଧ୍ୟ ଏ ପର୍ଯ୍ୟନ୍ତ ୫ ଲକ୍ଷ କୋଟିରୁ ଅଧିକ ଜମା ହୋଇ ସାରିଥିବ। ଏହା ଡିସେମ୍ବର ୩୧ ତାରିଖ ସୁଦ୍ଧା ବୋଧହୁଏ ଆଜୁରି ୧୫ ଲକ୍ଷ କୋଟିରେ ପହଞ୍ôଚବ। ହୋଲସେଲ ବଜାରରେ ଯଦିବା ମୂଲ୍ୟ କମିଥିବା ଜଣାପଡ଼େ, ଖୁଚୁରା ବଜାରରେ ମୂଲ୍ୟ ଆଦୌ କମିନାହିଁ। ବିକ୍ରି କମିବାରୁ ହଜାର ହଜାର ଟନ ପରିପରିବା ନଷ୍ଟ ହୋଇଛି। ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଓଲଟା ପ୍ରତିକ୍ରିୟା ଦେଖାଗଲା। ଅନେକ ବ୍ୟକ୍ତି, କର୍ମସଂସ୍ଥାନ ଓ ସେବାକ୍ଷେତ୍ର ହଠାତ ବିନା ଦୋଷରେ କ୍ଷତିଗସ୍ତ ହେଲେ।
କଳାଟଙ୍କା, ଜାଲନୋଟ ଓ ଆତଙ୍କବାଦକୁ ନେଇ ଏହା ଏକ ବିରଳ ପଦକ୍ଷେପ। ଅତି ସାହସୀ ଅବା ମୂର୍ଖ ନ ହେଲେ ଏଭଳି ପଦକ୍ଷେପ ନେବା ଅସମ୍ଭବ।
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାମାନେ ମଧ୍ୟ ଏ ବିଷୟରେ ବିଶେଷଜ୍ଞ ହୋଇଥିବେ। ସେମାନେ ଅବଶ୍ୟ ପରିଣତିକୁ ନେଇ ସେତେ ଚିନ୍ତିତ ହୋଇ ନ ଥିବେ। ପରିଣତି ଯେ ଏତେ ଭୟଙ୍କର ହୋଇ ଉଠିବ, ସେକଥା ସେମାନେ ବା ଜାଣିଥାନ୍ତେ କିପରି? କାରଣ ଏହିପରି ପଦକ୍ଷେପ ସହିତ ନିଜେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଅର୍ଥ ସଚିବ, ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର କାହାରି ମଧ୍ୟ ପୂର୍ବରୁ କୌଣସି ଅଭିଜ୍ଞତା ନ ଥିଲା। ନ ହେଲେ ଏଥିପାଇଁ ଯଦି ୮୦ ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିବେ ବୋଲି ସେମାନେ ଜାଣିଥାନ୍ତେ ତେବେ ହୁଏତ ଏପରି ପଦକ୍ଷେପ ନେବା ଆଗରୁ ଏକ ଉପଯୁକ୍ତ ପ୍ରତିକାର ପଦ୍ଧତି ମଧ୍ୟ ଲାଗୁ କରିଥାନ୍ତେ। ଅବଶ୍ୟ ରାମଦେବ(ବାବା) ଭଳି ଉଚ୍ଚକୋଟୀର ଦେଶପ୍ରେମୀ ଓ ରାଷ୍ଟ୍ରହିତୈଷି ଚ୍ୟାନେଲ ଗୁଡ଼ିକ ଥିଲେବୋଲି ଘଟଣାକୁ ହାଲୁକା କରି ଦିଆଯାଇ ପାରିଲା। ମିଡ଼ିଆଙ୍କୁ ମଧ୍ୟ ଧନ୍ୟବାଦ ଦେବା କଥା ଯେ ସେମାନେ କର୍ପୋରେଟ ସଂସ୍ଥାନ ପ୍ରତି ନିଜର ବିଶ୍ୱସନୀୟତାକୁ ବଜାୟ ରଖିପାରିଲେ।
ବିମୁଦ୍ରୀକରଣ କାହା ସ୍ୱାର୍ଥରେ?
ଯଦିବା କଳାଧନ, ଜାଲନୋଟ ଓ ଆତଙ୍କବାଦକୁ ଆକ୍ରମଣ କରି ଏହି ପଦକ୍ଷେପ ନେଲେ; ବିପକ୍ଷୀ (କେବଳ ରାଜନୈତିକ ଦଳଗୁଡ଼ିକ ନୁହନ୍ତି) ଏହାକୁ ଗ୍ରହଣ କରି ପାରିଲେ ନାହିଁ। ସାଧାରଣ ଜନତାଙ୍କ କଥା ଛାଡ଼ିଦେବା ଉଚିତ। ସେମାନଙ୍କ ପାଇଁ ସରକାର ଯାହା କଲେ ମଧ୍ୟ ଗ୍ରହଣୀୟ। ସରକାର ଯିଏ ହେଉ, ଏସବୁର କୌଣସି ଧାର ଧାରନ୍ତି ନାହିଁ। ମାତ୍ର ଯେଉଁମାନେ ସରକାରର ପ୍ରତ୍ୟେକ କାର୍ଯ୍ୟକଳାପକୁ ଧ୍ୟାନ ସହକାରେ ତର୍ଜମା କରନ୍ତି, ସେମାନେ ଚୁପ ରହିପାରିଲେ ନାହିଁ। ଆରମ୍ଭ ହୋଇଗଲା ଆକ୍ରମଣ ପ୍ରତିଆକ୍ରମଣ। ଅନେକ କ୍ଷେତ୍ରରେ ଆକ୍ରମଣ ଗୁଡ଼ିକର ଯଥେଷ୍ଟ ତର୍କ ପ୍ରମାଣ ମଧ୍ୟ ଦେଲେ। ଉଭୟ ପକ୍ଷ ନିଜ ନିଜ ସପକ୍ଷରେ ଓ ବିରୋଧିର ବିପକ୍ଷରେ ପୃଥିବୀର ବଡ଼ ବଡ଼ ପତ୍ରପତ୍ରିକା, ଅର୍ଥନୀତିଜ୍ଞମାନଙ୍କ ମତାମତକୁ ଉଦ୍ଧାର କଲେ। ଏଭଳି ଉଦାହରଣ କେବେ ଦେଖିବାକୁ ମିଳି ନ ଥିଲା। ଖବର ସଂସ୍ଥା ଏବଂ ବେଶୀ ସୋସିଆଲ ମିଡ଼ିଆରେ ଏହା ପ୍ରତିଫଳିତ ହେବାକୁ ଲାଗିଲା। କେହି ପରାଜୟ ସ୍ୱୀକାର କରିବାକୁ ରାଜି ନୁହନ୍ତି। ତେବେ ବିପକ୍ଷ ଯେଉଁ ଅଭିଯୋଗ ଗୁଡ଼ିକ ଆଣିଲେ ତାହା ଅବାନ୍ତର ମଧ୍ୟ ନ ଥିଲା।
ପ୍ରଥମ କଥା ଥିଲା ସରକାର କଳାଧନ ରଖିଥିବା ଲୋକମାନଙ୍କୁ ଦଣ୍ଡ ଦେବାକୁ ଯାଇ ଭାରତର ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେଲେ, ଯେଉଁଥିରେ କି ସାମିଲ ଥିଲେ ବୃଦ୍ଧବୃଦ୍ଧା, ରୋଗୀ, ସାମାଜିକ ଉତ୍ସବ ଥିବା ପରିବାର, ଦିନମଜୁରିଆ, ଚାଷୀ, ଛୋଟ ବେପାରୀ, ଗୃହିଣୀ, ଦିବ୍ୟାଙ୍ଗ। ଯେଉଁମାନେ ମୃତ୍ୟୁବରଣ କଲେ ସମସ୍ତେ ଥିଲେ ଏହି ଶ୍ରେଣୀର। ସେଥିରେ ସରକାରଙ୍କ ପକ୍ଷଧରମାନଙ୍କ ଅବାନ୍ତର ବୟାନବାଜୀ ବିପକ୍ଷୀଙ୍କୁ ବେଶ ଖୋରାକ ଯୋଗାଇଲା।
ଦ୍ୱତୀୟରେ ବିଜେପି ଏହି ନୋଟବନ୍ଦୀ ପାଇଁ ନିଜେ ପୂର୍ବ ପ୍ରସ୍ତୁତି କରି ସାରିଥିଲା। ଏପରିକି ପଶ୍ଚିମବଙ୍ଗର ଦଳୀୟ କାଉଣ୍ଟରରେ ଏକ ବଡ଼ ରାଶି ଜମା ହୋଇ ସାରିଥିଲା। ଅନେକ ଏପରି ଘଟଣା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିସାରିଥିଲା। ଏପରିକି ଦଳର ଅନେକ କର୍ମକର୍ତ୍ତା ବା ସଙ୍ଗଠନ ନାମରେ ବିହାର, ରାଜସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନେକ ଜମି ଗତ ଅଗଷ୍ଟ ମାସରୁ ନଭେମ୍ବର ପ୍ରଥମ ସପ୍ତାହ ଯାଏ କିଣାଯାଇ ସାରିଥିଲା।
ତୃତୀୟରେ, ନୋଟବନ୍ଦୀକୁ ନେଇ ସରକାର ସମସ୍ତ ବିଷୟ ଗୁପ୍ତ ରଖିଥିଲେ ବୋଲି କହିଥିଲେ। ଏହା ଭୁଲ ବୋଲି ବିରୋଧି ଅଭିଯୋଗ କଲେ। ଦୀର୍ଘ ମାସ ଧରି ଏହି ବିଷୟରେ ସରକାର ସବୁକାର୍ଯ୍ୟ କରିଆସୁଥିଲେ। ଏହି କଥାଟିକୁ ଅନେକ ବିଜେପି ନେତା, ବଡ଼ ବଡ଼ କର୍ପୋରେଟ ସଂସ୍ଥା ମୂଖ୍ୟତଃ ଅମ୍ବାନୀ-ଅଡ଼ାନୀ (ଏମାନେ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଅନ୍ତରଙ୍ଗ ବୋଲି ସମସ୍ତେ ଜାଣନ୍ତି) ପରି ଲୋକ ଜାଣିଥିଲେ ବୋଲି ଅଭିଯୋଗ କରିଥିଲେ। ସରକାର ସମସ୍ତ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି, କହି ବାହୁସ୍ଫାଟ ମାରୁଥିବା ବେଳେ ପ୍ରତ୍ୟେକ ଦିନ ନିୟମରେ ପରିବର୍ତ୍ତନ ହେଲା, ବେଳେ ପ୍ରତ୍ୟେକ ଦିନ ନିୟମରେ ପରିବର୍ତ୍ତନ ହେଲା, ଯାହା କି ସରକାରଙ୍କୁ ଏବେ କାଠଗଡ଼ାରେ ଛିଡ଼ା କରାଇଛି।
ଚତୁର୍ଥତଃ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଉର୍ଜ୍ଜିତ ପଟେଲ ଗତ ସେପ୍ଟେମ୍ବର ମାସରେ ହିଁ ଦାୟୀତ୍ୱ ଗ୍ରହଣ କରିଥିଲେ। ନିଜେ ସରକାରଙ୍କ କହିବା ଅନୁସାରେ ନୂତନ ୨୦୦୦ ଟଙ୍କିଆ ନୋଟ ଛଅମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଏହା ଭିତରେ ଗଭର୍ଣ୍ଣର ଚୟନରେ ମଧ୍ୟ ଅନିୟମିତତା ଓ ତଦଜନିତ ବିବାଦ ଲାଗି ରହିଲା। ଏଠାରେ ବିରୋଧି ଦୋଷାରୋପ କରନ୍ତି ଯେ ରଘୁରାମ ରାଜନ ଯେହେତୁ ନୋଟ ଅଚଳ କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶକୁ ଖଣ୍ଡନ କରିଥିଲେ, ସେଥିପାଇଁ ଭର୍ଜ୍ଜିତ ପଟେଲଙ୍କୁ ଏହି ଠାରେ ଆଣି ବ୍ୟବହାର କରାଗଲା।
ପଞ୍ଚମତଃ କଳାଧନ ରଖିଥିବା ବ୍ୟକ୍ତି ଓ ସଂସ୍ଥାମାନେ ନିୟମ ଅନୁଯାୟୀ ଦଣ୍ଡିତ ହେବାକଥା। ମାତ୍ର ସରକାର ଏମାନଙ୍କ ପାଇଁ ସୁଯୋଗ ଓ ସୁବିଧା ତିଆରିଲେ। ଲୋକଙ୍କ ମନରେ ଯେଉଁ ରୋଷ ଥିଲା, ସେହି ରୋଷକୁ ପ୍ରଶମିତ କରିବାକୁ ଯାଇ ସରକାର ପ୍ରଥମେ ବ୍ୟାଜାପ୍ତ ଓ ସମର୍ପିତ କଳାଧନକୁ କେବଳ ଟ୍ୟାକ୍ସ ଦେଇ ଅପରାଧକୁ କ୍ଷମା କରିଦେବା କଥା ଲୋକ ବୁଝିପାରିଲେ ନାହିଁ। ସେମାନେ ଭାବିଲେ ଯେ କଳାଧନ ସଞ୍ଚୟ କରିଥିବା ଲୋକ ଜେଲ ଯିବେ ଜରିମାନା ଦେବେ ବା ସମ୍ପତ୍ତି ବାଜ୍ୟାପ୍ତ ହେବ। ମାତ୍ର ଏପରି କିଛି ହେଲା ନାହିଁ। କଳାଟଙ୍କା ଜମାକାରୀ ପ୍ରଥମରୁ କିଛି ବାଟ ବାହର କରିନେଇ ଥିଲେ ଏବଂ ଶେଷବାଟ ସ୍ୱୟଂ ସରକାର ନିଜେ ତିଆରି କରିଦେଲେ।
ଷଷ୍ଠତଃ ନୂତନ ୨୦୦୦ ଟଙ୍କିଆ ନୋଟକୁ ନେଇ ଅନେକ ଟିଭି ଚ୍ୟାନେଲ ଯେପରି ନାଟକୀୟ ପ୍ରସାର କଲେ ଲୋକ ଭାବିଲେ ଯେ ଆଉ ଜାଲ ନୋଟ ବଜାରକୁ ଆସିବ ନାହିଁ। ଏହା ଆସିବାର ଦୁଇଦିନପରେ ହିଁ ତାର ନିକୃଷ୍ଟତା ପାଇଁ ଆଲୋଚିତ ହେଲା ଏବଂ ବଜାରରେ ତାର ନକଲି ପ୍ରତିରୂପ ମଧ୍ୟ ଆସିଯିବାର ଖବର ଜଣା ପଡ଼ିଲା।
ସପ୍ତମତଃ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଗଲେ ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଶକ୍ତିହୀନ ହୋଇଯିବେ ବୋଲି ସରକାର ସମର୍ଥକ ଓ ସମର୍ଥକ ମିଡ଼ିଆ ଖୁବ ଜୋରସୋରରେ ପ୍ରଚାର କଲେ। ଅବଶ୍ୟ ଆତଙ୍କବାଦ କାର୍ଯ୍ୟକଳାପ କେତେ କମିଲା ତାହା କହି ହେବ ନାହିଁ। ମାତ୍ର ସେନା ଓ ପୋଲିସ ଉପରେ ପଥର ଫିଙ୍ଗିବା ଅନେକ ପରିମାଣରେ କିଛିଦିନ ପାଇଁ କମି ଗଲା। ଏହା ଚିରସ୍ଥାୟୀ ଆଦୌ ନୁହେଁ। ପୁଣି ୫୦୦ ଟଙ୍କିଆ ନୋଟ ଆସିବ ପୁଣି ଚାଲିବ।
ଅତଏବ ସରକାରଙ୍କ ନୋଟବଦଳ ଯୋଜନାକୁ ସମର୍ଥକ ଯେତେ ବଢ଼େଇ ଚଢ଼େଇ ଯୁକ୍ତିଯୁକ୍ତ କରିବାକୁ ଚେଷ୍ଟା କଲେ ମଧ୍ୟ ଏହା ଭିତରେ ଥିବା ଅସଲ ଉଦ୍ଦେଶ୍ୟ କଣ ଜଣା ପଡ଼ି ଯାଉଛି ଯେପରି।
ପ୍ରଥମତଃ ଯଦି ବିପକ୍ଷୀଙ୍କ ଅଭିଯୋଗ ସତ ହୁଏ, ତା’ହେଲେ ଏହା ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ ଓ ଅନ୍ୟାନ୍ୟ ବଡ଼ ଦଳ ଆର୍ଥିକ କ୍ଷତି ଯୋଗୁଁ ଦୁର୍ବଳ ହୋଇଯିବେ। ଏମାନଙ୍କୁ ମୂଳରୁ ସୈନ୍ୟବଳ ଦ୍ୱାରା ଦମନ କରାଯାଇ ପାରିବ ନାହିଁ। ଆର୍ଥିକ ଦୁର୍ବଳତା ଆସିଲେ କଂଗ୍ରେସ ଦଳର କର୍ମୀସଂଖ୍ୟା ଆଶାତୀତ ଭାବରେ କମିଯିବ। ସେମାନେ ବାଧ୍ୟ ହୋଇ ବିଜେପି ବା ତାର ସମର୍ଥକ ହୋଇ ବା ଆଞ୍ଚଳିକ ଦଳ ଗୁଡ଼ିକରେ ସାମିଲ ହେବେ। (ଅବଶ୍ୟ ଏହି ଯୁକ୍ତିକୁ ଉତ୍ତର ପ୍ରଦେଶ, ପଞ୍ଜାବ ଓ ୨୦୧୭-୧୮ରେ ଥିବା ଅନ୍ୟାନ୍ୟ ରାଜ୍ୟ ନିର୍ବାଚନର ଫଳାଫଳ ହିଁ ପ୍ରମାଣ କରିବ) ଧିରେ ଧିରେ ବିଜେପି ହିଁ ଏକମାତ୍ର ରାଷ୍ଟ୍ରୀୟ ଦଳ ହେବ ଯାହାର କି ବିକଳ୍ପ ନ ଥିବ। ଗଣତନ୍ତ୍ର ନାମରେ ଯେଉଁ ଦୁଇ ବା ତିନୋଟି ରାଷ୍ଟ୍ରୀୟ ଦଳ ଥିବେ, ସେମାନେ ବିଜେପିର ଇଚ୍ଛା ଓ ଦୟା ଉପରେ ହିଁ ନିର୍ଭର କରୁଥିବେ।
ଫଳାଫଳ
ବିମୁଦ୍ରୀକରଣର ଆର୍ଥିକ ଅର୍ଥ ଯାହା ହେଉ ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଲୋକଙ୍କୁ ମୁଦ୍ରା ଶୂନ୍ୟ କରିବା। ଅର୍ଥାତ ଆପଣଙ୍କ ପାଖରେ ନଗଦ ରହିବ ନାହିଁ। ଆପଣ ଅନଲାଇନ, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ସବୁ କିଣାବିକା କରିବେ। ଭାରତୀୟ ବଜାରରେ ମାତ୍ର ଦୁଇ ପ୍ରତିଶତ କାରବାର ଅନଲାଇନ ବା କାର୍ଡ଼ରେ ହୋଇଥାଏ। ଅର୍ଥାତ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଦଶବର୍ଷ ଲାଗିଯିବ ନିଶ୍ଚୟ। ସରକାର ୫୦ ଦିନରେ ସବୁଠିକ ହୋଇଯିବା କଥା କହନ୍ତି। ଯେଉଁ ସରକାର ୨୦ ଦିନ ମଧ୍ୟରେ ନିଜର ଏକ ପଦକ୍ଷେପକୁ ସୁଧାରି ପାରିଲେ ନାହିଁ, ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନିଜର ମାଆଙ୍କୁ ମଧ୍ୟ ଲାଇନରେ ଲଗାଇ ଦେଲେ, ସଭାରେ କାନ୍ଦିଲେ, ସେ ପଚାଶ ଦିନରେ ସବୁ ଠିକ କରିଦେବା କଥା ମିଛ ହିଁ ଅଟେ। କାରଣ ଠିକ କରିବା ଉଦ୍ଦଶ୍ୟ କେବେ ନ ଥିଲା। ଉଦ୍ଦଶ୍ୟ ଥିଲା ‘ବଜାର’; ସଂକ୍ଷିପ୍ତରେ ପୁଞ୍ଜିପତିଙ୍କ ଲାଭ।
୧. ବଡ଼ ବଡ଼ ପୁଞ୍ଜିପତିମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ଦେଇ ବୁଡ଼ିଯାଉଥିବା ବ୍ୟାଙ୍କ ଗୁଡ଼ିକ ଲୋକଙ୍କ ଟଙ୍କା ଜମା ଆକାରରେ ପାଇଗଲେ। ସେମାନେ ନିଜର ବେପାରରେ ଆସନ୍ତା ୧୫ କି ୨୦ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସମସ୍ୟାକୁ ଟାଳି ଦେଇ ପାରିବେ।
୨. ଅନଲାଇନ ମାର୍କେଟଙ୍ଗ ଫଳରେ ଅଦୃଶ୍ୟ ଭାବରେ ରହୁଥିବା ହାତଗଣତି ବଡ଼ ବଡ଼ କମ୍ପାନୀ ସେମାନଙ୍କ କିଛି ଦଲାଲମାନଙ୍କ ସହ ହଜାର ହଜାର କୋଟି ଟଙ୍କାର ବେପାର ଏହି ମୁଦ୍ରା ଅଚଳ ସମୟରେ ହିଁ କରି ପାକାଇଲେ। ଭାରତରେ ନିଜର ସ୍ଥିତିକୁ ଦୃଢ଼କରି ଆସନ୍ତା କେତେ ବର୍ଷରେ ଆହୁରି ଲକ୍ଷ ଲକ୍ଷ କୋଟି ଟଙ୍କାର ବେପାର କରିବାର ସମସ୍ତ ବନ୍ଦୋବସ୍ତ କରି ପକାଇଲେ।
୩. ସମସ୍ତ ପ୍ରକାରର ସରକାରୀ କାର୍ଯ୍ୟ ଅନଲାଇନ ହେବା ଦ୍ୱାର ତଳ ସ୍ତରରେ ଦୁର୍ନିତୀ କେତେ କମିବ ତାର କୌଣସି ଭରସା ନାହିଁ, ମାତ୍ର ପ୍ରତ୍ୟେକ କାର୍ଯ୍ୟ ପାଇଁ ଲୋକଙ୍କ ପକେଟରୁ
ଦୁଇରୁ ତିନିଗୁଣ ଅଧିକ ଖର୍ଚ୍ଚ ହେବ (ଟିକେଟ ଓ ଅନ୍ୟନ୍ୟ କ୍ଷେତ୍ରରେ ତତ୍କାଳ ବ୍ୟବସ୍ଥା)। ଏହି ପଦକ୍ଷେପ ପାଇଁ ସରକାର ଓ ଲୋକଙ୍କ ମଝିରେ ଥିବା ଇଣ୍ଟରନେଟ ସାଇଟଗୁଡ଼ିକ କୋଟି କୋଟି ଟଙ୍କା ଲାଭ କରିବେ।
୪. ପ୍ରଧାନମନ୍ତ୍ରୀ ଭାଷଣରେ କହୁଛନ୍ତି ଯେ ସେ ମୋବାଇଲ ଫୋନକୁ ପର୍ସ ଭାବରେ ଦେଖିବାକୁ ଚାହୁଁଛନ୍ତି। ଅର୍ଥାତ ଏଥର ପ୍ରତ୍ୟେକ ଲୋକ ମୋବାଇଲ ରଖିବାକୁ ବାଧ୍ୟ ହେବେ। ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ପାଇଁ ଜଣେ ବ୍ୟକ୍ତିକୁ ପାଖାପାଖି ଦଶହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରିଲାଏନ୍ସ ଏହା ପୂର୍ବରୁ ଲଞ୍ଚ କରିସାରିଛି ନିଜର ଜିଓ ସିମ ଓ ମୋବାଇଲ ସ୍ମାର୍ଟ ଫୋନ। ଅର୍ଥାତ ସ୍ପଷ୍ଟ ଇଙ୍ଗିତ ହେଇଯାଉଛି ଯେ ପ୍ରଧାନମନ୍ତ୍ରୀ କାହା ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି। ପୃଥିବୀର କୌଣସି ରାଷ୍ଟ୍ର ପ୍ରମୂଖ ଏହିପରି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଯେ କୌଣସି ଘରୋଇ କମ୍ପାନୀ ପାଇଁ ବିଜ୍ଞାପନରେ ବ୍ୟବହୃତ ହେଇଥିବା ପ୍ରଥମ।
୫. ଅନଲାଇନ କାରବାର ଯୋଗୁଁ ଦୁର୍ନୀତି ଆଇନର ଏକ ରୂପ ପାଇଯିବାର ସମ୍ଭାବନା ଅଛି। ଯଥା ସରକାରୀ ବା ବେସରକାରୀ ସ୍ତରରେ ଯେ କୌଣସି କାମ କରିବାକୁ ହେଲେ କିଛିଟା ଅଧିକ କର ନେଇ କାମ କରାଇବେ। ଯେହେତୁ ସମସ୍ତ ବିଭାଗ ଘରୋଇ କରା ଯାଇଥିବ।
ଆପଣ କେବଳ ଅଧିକ ଟଙ୍କା ଖର୍ଚ୍ଚ କରନ୍ତୁ, କର ପଇଠ କରନ୍ତୁ, ଆପଣଙ୍କୁ ତତ୍କାଳ ସେବା ମିଳିବ। ଯେଉଁ ଟଙ୍କା ହାଗୁଞ୍ଜାରେ ଯାଉଥିଲା ତାହା କର ଆକାରରେ କିଛିଟା ସରକାରୀ ଖଜଣାକୁ ଯିବ ଏବଂ ସିଂହଭାଗ କର୍ପୋରେଟ ନିକଟକୁ। ଏହାର ଉଦାହରଣ ମିଲି ସାରିଛି ସରକାରଙ୍କ କଳାଧନ ଅସୁଲ କରିବାରେ ନିୟମ ଗୁଡ଼ିକ ଯୋଗୁଁ। ହିସାବ ଦେଇ ୫୦ ଭାଗ ଓ ହିସାବ ନ ଦେଇ ୧୫ ଭାଗ କଳାଟଙ୍କାକୁ ଧଳା କରାଯାଇ ପାରିବ।
୬. ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ମନୋରଞ୍ଜନ, ଖାଦ୍ୟ ପଦାର୍ଥ, ଔଷଧ, ଆବଶ୍ୟକୀୟ ସାମଗ୍ରୀ ପ୍ରଭୃତି ମହଙ୍ଗା ହେବ। ପେଟ୍ରୋଲ ଜାତୀୟ
ଦ୍ରବ୍ୟ ମଧ୍ୟ ଲୋକଙ୍କ କ୍ରୟ କ୍ଷମତାକୁ ଚ୍ୟାଲେଞ୍ଜ କରିବ।
୭. ଭାରତୀୟ ବଜାର ଯାନ୍ତ୍ରିକ ହେବ। ଭାରତବର୍ଷର ଅଧିକାଂଶ ବେପାର ଯଥା ରାସନ ଦୋକାନ, ଲୁଗା ଦୋକାନ, ଷ୍ଟେସନାରୀ ଦୋକାନ, ଫଳ ଦୋକାନ, ହୋଟେଲ, ଜୋତା, ଇଲେକ୍ଟ୍ରୋନିକ୍ସ ଏପରିକି ଔଷଧ ଦୋକାନ ମଧ୍ୟ ବିଶ୍ୱାସରେ ଚାଲେ। ଶତକଡ଼ା ୮୦ ଭାଗ ଲୋକ ଏଠାରେ ଉଧାରୀରେ ଜିନିଷ କିଣନ୍ତି। ଏଣୁ ସପିଙ୍ଗମଲ ଗୁଡ଼ିକ ଏଠାରେ ଏ ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରି ପାରି ନାହାନ୍ତି।
ଏଫଡ଼ିଆଇ ବଳରେ ଏହି ଛୋଟ ବେପାରୀମାନେ ଯେଉଁମାନେ ପାରମ୍ପାରିକ ପଦ୍ଧତିରେ ବ୍ୟବସାୟ କରି ନିଜର ସଂସାର ଚଳାଉଛନ୍ତି; ସେମାନେ ନିଜର ଜୀବିକା ହରାଇବେ।
୮. ବିମୁଦ୍ରୀକରଣ ସବୁଠାରୁ ବଡ଼ କୁପ୍ରଭାବ ପଡ଼ିବ କୃଷି କ୍ଷେତ୍ରରେ। ନୂତନ କୃଷି ପଦ୍ଧତି ଯୋଗୁଁ କୃଷକ ହିଁ ଆର୍ଥିକ ସଙ୍କଟରେ ପଡ଼ିବ। ବିନା ଟଙ୍କାରେ ଚାଷ ଅସମ୍ଭବ ହୋଇଯିବ। ଟଙ୍କା ବ୍ୟାଙ୍କ ହିଁ ଦେବ। ସେପରି ଅସୁଲ ବି କରିବ। କ୍ରମେ ଚାଷୀ ତାର ଜମି ଓ ଜୀବିକା ହରାଇବ। ଏହା ଚୁକ୍ତି ଅଥବା ବିଭିନ୍ନ ସରକାରୀ ନିୟମ ଦ୍ୱାରା ବି ହୋଇପାରେ। ଖାଦ୍ୟ ପରିଚାଳନା ସବୁ କମ୍ପାନୀ କରିବ। ଦରଦାମ କଳନା କରି ହେବ ନାହିଁ।
୯. ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମନୋରଞ୍ଜନ, ଯୋଗାଯୋଗ ଯାହାର ଅଧାରୁ ଅଧିକ ଘରୋଇ କରଣ ହୋଇ ସାରିଛି ତାହା ସମ୍ପୂର୍ଣ୍ଣ ଭାବରେ ଘରୋଇ ହୋଇଯିବ। ସବୁବେଳ ପରି ସରକାର ହାତ ଟେକି ଛିଡ଼ା ହୋଇଯିବେ। ସାଧାରଣ ପ୍ରଶ୍ନଟିଏ ସରକାର ଗୁଡ଼ିକ ହିଁ କେବଳ କ୍ଷତିରେ କାହିଁକି ଥାଆନ୍ତି? ସେହି ସରକାରଙ୍କର ଛତ୍ରଛାୟା ତଳେ ଉଦ୍ୟୋଗପତିମାନେ କ୍ଷତିରେ ଥାଇ ମଧ୍ୟ ଏତେ ଧନୀ ହୋଇପାରନ୍ତି?
୧୦. ବିମୁଦ୍ରାୟନ ପୂର୍ବରୁ ବିଜୟ ମାଲ୍ୟା, ମୁକେଶ ଅମ୍ବାନୀ, ଗୌତମ ଅଡ଼ାନୀ ଭଳି ପୁଞ୍ଜିପତିମାନଙ୍କ ଉପରେ ବ୍ୟାଙ୍କ ଗୁଡ଼ିକର ଲକ୍ଷ ଲକ୍ଷ କୋଟି ଟଙ୍କା ବକେୟା ରହିଯାଇଥିଲା। ବ୍ୟାଙ୍କ ପରି ସରକାର ମଧ୍ୟ ଏମାନଙ୍କଠାରୁ କରଜ ଅସୁଲ ପାଇଁ ଅସମର୍ଥ।
ଅତଏବ ସରକାର ଏହି ବିମୁଦ୍ରୀକରଣ ଯୋଗୁଁ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟାଙ୍କମାନଙ୍କ ପାଖକୁ ପହଞ୍ଚାଇ ଦେଲେ ଏବଂ ବ୍ୟାଙ୍କମାନେ ଉପରୋକ୍ତ ପୁଞ୍ଜିପତିମାନଙ୍କ କରଜ ଛାଡ଼ିଦେଲ। ଚାଷିମାନେ ଋଣୀ ହୋଇଥିବା ହେତୁ ଆତ୍ମହତ୍ୟା କରିଥାନ୍ତି ମାତ୍ର ସେମାନଙ୍କ ଋଣ ଛାଡ଼ ହୋଇ ପାରେ ନାହିଁ। ସୂଚନା ଯୋଗ୍ୟ ଯେ ଏକା ଅନୀଲ ଅମ୍ବାନୀ ବ୍ୟାଙ୍କରୁ ଯେତେ କରଜ କରିଛନ୍ତି, ତାହା ଭାରତବର୍ଷର ସମସ୍ତ ଚାଷୀଙ୍କ କରଜଠାରୁ ମଧ୍ୟ ଯଥେଷ୍ଟ ଅଧିକ।
୧୧. ସରକାରଙ୍କ ଏହି ନୀତି ଯୋଗୁଁ ଦଶବର୍ଷ ମଧ୍ୟରେ ଏକ ବିରାଟ ଖାଦ୍ୟ ସଙ୍କଟ ଦେଖାଯିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ। କହିବା ବାହୁଲ୍ୟ ଏଥେôଯାଗୁଁ ମରିବେ ସେହି ସାଧାରଣ ଲୋକ।
୧୨. ସରକାରଙ୍କ ଏହି କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଏକ ଗୋଷ୍ଠୀ ଦରକାର। ସେହି ଗୋଷ୍ଠୀରେ ସମସ୍ତ କ୍ଷେତ୍ରର ବ୍ୟକ୍ତିଙ୍କ ଆବଶ୍ୟକ ରହିବ। ବୁଦ୍ଧିଜୀବି, ସାହିତ୍ୟିକ, ଅର୍ଥନୀତିଜ୍ଞ, ଆଇନଜ୍ଞ, ପତ୍ରକାର, ଶିକ୍ଷାବିଦ ଓ ପ୍ରଚାର ତନ୍ତ୍ରର ଏକ ସମୂହ। ଅନ୍ୟ ସମସ୍ତଙ୍କୁ ଅବଶ୍ୟ ଦେଶପ୍ରେମ, ରାଷ୍ଟ୍ରପ୍ରେମ, ଉଗ୍ର ଜାତୀୟତାବାଦ ଓ ଧର୍ମ ନାମରେ ପ୍ରଭାବିତ କରିହେବ ନାହିଁ, ମାତ୍ର ସାଧାରଣ ଜନତାଙ୍କୁ ଯେ କୌଣସି ସମୟରେ ଏହିସବୁ କଥାରେ ଉନ୍ମାଦ କରିହେବ, ଏକଥା ଏବକାର ସରକାର ପ୍ରମାଣିତ କରି ସାରିଛନ୍ତି। ଆଗକୁ ମଧ୍ୟ ଏଥିରେ ସଫଳ ହେବେନାହିଁ ତାହା କହିହେବ ନାହିଁ।
ଦ୍ୱିତୀୟତଃ ଭାରତର ଗ୍ରାମ୍ୟ ଓ ପାରମ୍ପାରିକ ଅର୍ଥନୀତି ଯାହାକି ୫୦୦୦ ବର୍ଷରୁ ମେରୁଦଣ୍ଡ ହୋଇ ରହିଛି, ତାହା ଳିନ ହୋଇଯିବ। ଏକ ନୂତନ, ସହରୀ, ସମ୍ଭ୍ରାନ୍ତ, ପୁଞ୍ଜିବାଦୀ ଅର୍ଥନୀତି ମୂଖ୍ୟସ୍ଥାନ ନେବ। ଏହାଦ୍ୱାରା ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ଦେଶରେ ଆର୍ଥିକ ସଙ୍କଟ ଦେଖାଯିବ, ଯାହାର ଶୀକାର ହେବେ ଗ୍ରାମୀଣ ଦରିଦ୍ର ଜନତା, ଆଦିବାସୀ, ଦୀନ ମରୁରିଆ, ଚାଷୀ, ଛୋଟ ବେପାରୀ ଓ ମଧ୍ୟମ ବେପାରୀ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ପରିବାର। କେବଳ ଯେଉଁମାନେ ସରକାରୀ ଚାକିରୀ କରୁଥିବେ କି ବଡବଡ଼ ବେପାରୀ ହୋଇଥିବେ ସେମାନେ ଏକ ରାଷ୍ଟ୍ର ନିୟନ୍ତ୍ରିତ ସନ୍ତୁଳିତ ଜୀବନ ନର୍ବାହ କରିପାରିବେ। ବଡ଼ ବଡ଼ ଉଦ୍ୟୋଗପତି, ଉଚ୍ଚ ପଦସ୍ଥ ଅଧିକାରୀ, ରାଜନେତା, ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଏ ଅର୍ଥନୀତିର କୌଣସି କୁଫଳ ଭୋଗିବାକୁ ପଡ଼ିବ ନାହିଁ। ଆହୁରି ଏକ ଚମକପ୍ରଦ କଥା ହେଉଛି ଯେ ଏହି ସମସ୍ୟା ଏପରି ଭାବରେ ପ୍ରଭାବିତ କରିବ ଲୋକ ଏହାର ରହସ୍ୟ ବୁଝି ମଧ୍ୟ ପାରିବେ ନାହିଁ। ଯନ୍ତ୍ର ଚାଳିତ ଭାବରେ ଭାଗ୍ୟ, ରାଷ୍ଟ୍ରପ୍ରେମ, ଜାତିପ୍ରେମ ଓ ଅନ୍ୟାନ୍ୟ ଭାବପ୍ରବଣତାକୁ ନେଇ ସମସ୍ୟା ଗୁଡ଼ିକୁ ଭୋଗୁଥିବେ। ଗୋଟିଏ ରାଷ୍ଟ୍ରରେ ପରିବର୍ତ୍ତନରେ ମୂଖ୍ୟ ଭୂମିକା ଗ୍ରହଣ କରନ୍ତି ମଧ୍ୟବିତ୍ତ ଶ୍ରେଣୀ। ମାତ୍ର ଏହି ଗୋଷ୍ଠୀର ଏକ ଭାଗ ରାଷ୍ଟ୍ରବାଦ, ଦ୍ୱିତୀୟ ଗୋଷ୍ଠୀ ଆଧୁନିକ ଜୀବନଶୈଳୀ ଓ ଗୋଟିଏ ଗୋଷ୍ଠୀ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ହୋଇ ରହିଥିବେ। ଅନ୍ୟ ଏକ ଗୋଷ୍ଠୀ ଯେଉଁମାନେ କିଛିଟା ପାଟିତୁଣ୍ଡ କରିବେ, ସେମାନଙ୍କୁ ସାମ-ଦାମ-ଦଣ୍ଡ-ଭେଦ, ନୀତିରେ ଦମନ କରାଯିବ। ପ୍ରକୃତ କଥାଟି ହେଉଛି ବର୍ତ୍ତମାନ ଲଢ଼େଇ ବିଜେପି ବା କଂଗ୍ରେସର ନୁହେଁ। ଏହା ଆକ୍ରମଣ, ଥିଲାବାଲା ନ ଥିଲାବାଲାଙ୍କ ପ୍ରତି। ଯେ କିପରି ନଥିଲାବାଲାଙ୍କୁ କ୍ରୀତଦାସ କରି ସବୁଦିନ ରଖିବେ! ବିଜେପି କେବଳ ଏକ ହାତବାରିସି କାରଣ ଉଗ୍ର ରାଷ୍ଟ୍ରବାଦ, ଧର୍ମ, ଜାତିବାଦକୁ ପୁଞ୍ଜିବାଦ ସହଜର କବଳ କରିପାରେ। କାରଣ ଏମାନେ ପ୍ରଶ୍ନ କରନ୍ତି ନାହିଁ ବା ପ୍ରଶ୍ନ କରିବାକୁ ଦିଅନ୍ତି ନାହିଁ। ଏବଂ ପୁଞ୍ଜିବାଦୀଙ୍କୁ ଏହା ହିଁ ସୁହାଏ। ଏହି ପରିସ୍ଥିତି କେବଳ ଭାରତବର୍ଷର ନୁହେଁ। ସମଗ୍ର ପୃଥିବୀର। ପୃଥିବୀର ବିଭିନ୍ନ ପ୍ରାକୃତିକ ଉତ୍ସ ଆଉ ୩୦୦/୪୦୦ ବର୍ଷ ପର୍ଯ୍ୟନ୍ତ ରହିବ। ଷ୍ଟିଫେନ ହକିନ୍ସ କହିସାରିଲେଣି ପୃଥିବୀ ପରିବର୍ତ୍ତନକୁ ଦେଖିଲେ ଏହାର ଆୟୁ ବର୍ତ୍ତମାନ ଆଉ ୧୦୦୦ ବର୍ଷ। ଏକଥା ପୁଞ୍ଜିପତିଙ୍କୁ ବି ଜଣା। ସେମାନେ ନିଜର ବଂଶରକ୍ଷା, ବଂଶବୃଦ୍ଧି ଓ ସମ୍ପତ୍ତିକୁ ନେଇ ସବୁବେଳେ ଚିନ୍ତିତ। ପୃଥିବୀ ଗ୍ରହଟି ଧ୍ୱଂସ ହେଲେ ଏମାନେ ବି ମରିବେ? ନା! ଏହା ବି ଚିନ୍ତାର କାରଣ ନୁହେଁ; ଜୀବନ ବଞ୍ଚି ପାରୁଥିବା ଗ୍ରହର ସନ୍ଧାନ ବିଜ୍ଞାନ ବହୁ ପୂର୍ବରୁ କରିଆସୁଛି। ଯାହା ନ ମିଳିବାର ସମ୍ଭାବନା ଆଦୌ ନାହିଁ। ଆବଶ୍ୟକ ଅନୁସାରେ କିଛି କ୍ରୀତଦାସଙ୍କୁ ସେଠାକୁ ନିଆଯାଇ ପରିବ। ସେଠାକୁ କିଏ ଯିବ ଏହା ଜଣା ପଡ଼ୁଛି; କେଉଁମାନେ ଯିବାର ସମ୍ଭାବନା ନାହିଁ?
ନୋଟ ବଦଳ ଧାଡ଼ିରେ କେଉଁମାନେ ଥିଲେ?
ଫଟୋ ସୌଜନ୍ୟ ଗୁଗଲ
LIKE THIS ARTICLE
Give us a thumbs up!
0 Comments