ଲୋ ଶୁଆଦେଇ, ଲୋ ବିନେ, କାହିଁକି ମଲୁ!
ଅକ୍ଟୋବର ୨୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା, ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରା.ପ.ର ପାତଲପଡ଼ା ଗାଁରେ ବିନେ ବଛା(୩୪) ମରିଗଲା। ଦାଦନ ସ୍ୱାମୀ ନବୀନର ଅନୁପସ୍ଥିତିରେ ମରିଥିବା ବିନେର ମୃତ୍ୟୁ ସାମାନ୍ୟରୁ ଅସାଧାରଣ ହୋଇଗଲା; ଯେତେବେଳେ ଗଣମାଧ୍ୟମରେ ଏହାକୁ ଅନାହାର ମୃତ୍ୟୁ ବୋଲି କୁହାଗଲା।
ତା’ ପରବର୍ତ୍ତୀ ଦୃଶ୍ୟ ଥିଲା ଏହିପରି। ବଙ୍ଗୋମୁଣ୍ଡା ବି.ଡ଼ି.ଓ କହିଲେ ଏହା ଅନାହାର ମୃତ୍ୟୁ ନୁହେଁ। ଜିଲ୍ଲାପାଳ କହିଲେ ବିନେ କିଛିଦିନ ପୂର୍ବରୁ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଲେ ଘଟଣାର ତଦନ୍ତ କରାଯିବ। ୱାର୍ଡସଭ୍ୟ କହିଲେ ଖାଇବାକୁ ପାଉ ନଥିଲା। ଅନେକ ଥର ସରପଞ୍ଚଙ୍କୁ ତାଗିଦ କରିଛି ତାକୁ କୌଣସି ଯୋଜନାରେ ନିଆଗଲା ନାହିଁ। ବାସ ତା’ପରେ ସବୁ ନୀରବ ହୋଇଗଲା।
କିନ୍ତୁ କାହାଣୀଟି ଏହିପରି। ଅନାଥ ନବୀନ ବୁଦ୍ଧି ପାଇବା ଦିନଠୁ କାମ କରି ଚଳେ। ବିନେକୁ ବାହା ହେବା ପୂର୍ବରୁ ରାୟପୁର ଯାଇ କାମ କରୁଥିଲା। ତା’ର ଆୟରେ ଅଭାବ ହେଉପଛେ ଅନ୍ୟମାନଙ୍କ ପରି ବଞ୍ôଚବା କଠିଣ ନଥିଲା। ବିନେର ତୃତୀୟ ଗର୍ଭ ଯମଜ ଥିଲା। ଚାରୋଟି ସନ୍ତାନର ପରିବାରକୁ ପ୍ରତିପାଳିତ କରିବା ପାଇଁ ନବୀନ ମାସ ମାସ ଧରି ରାୟପୁରରେ ପ୍ରବାସ କରୁଥିଲା। ଦୁଇବର୍ଷ ପୂର୍ବେ ବର୍ତ୍ତମାନର ତେଲେଙ୍ଗାନା ରାଜ୍ୟକୁ ଦାଦନ ଯାଇଥିଲା ପରିବାର ସହ। ଦାଦନ ଜୀବନ ଅସହ୍ୟ ହେବାରୁ ପରିବାରକୁ ଗାଁରେ ଛାଡ଼ି ରାୟପୁର ଗଲା। ମାସକୁ ସର୍ବାଧିକ ପନ୍ଦରଶହ ଟଙ୍କା ପଠେଇବାର ନବୀନ କହେ। କିନ୍ତୁ ଏତକ ଟଙ୍କାରେ ବିନେ ଚାରୋଟି ସନ୍ତାନ ସହ ପରିବାର ଚଳେଇ ପାରେ ନାହିଁ। ଛୁଆଙ୍କୁ ଛାଡ଼ି କାମକୁ ବି ଯାଇ ପାରେ ନାହିଁ।
ପରିବାର ନିୟୋଜନ ଅସ୍ତ୍ରୋପଚାର ହେଲା। ଖାସ ଏଇଥିପାଇଁ ଯେ ଅସ୍ତ୍ରୋପଚାର ହେଲେ କିଛି ଅନୁକମ୍ପା ରାଶି ପାଇବ। ଆଉ ଏଇଥିପାଇଁ ମଧ୍ୟ ଚାରି ସନ୍ତାନର ପରିବାର ପ୍ରତିପୋଷଣ ଦଣ୍ଡ ପ୍ରାୟ କଷ୍ଟ। ସ୍ୱଳ୍ପ ଟଙ୍କା ଆଉ ଚାରିଟି ସନ୍ତାନର ପେଟ ବିନେକୁ ଅନେକ ଦିନ ଅନାହାରରେ ରହିବାକୁ ପଡୁଥିଲା। ଅସ୍ତ୍ରୋପଚାର ପରେ ଦୁର୍ବଳ ହୋଇଗଲା। ମାସେ, ଦୁଇମାସ ପରେ ମରିଗଲା।
ଏହି ମୃତ୍ୟୁଟି ଅନାହାର ପଦବାଚ୍ୟ ନୁହେଁ; ପ୍ରଶାସନ ଦୃଢ଼ୋକ୍ତି ଥିଲା। ନବୀନର ପରିବାରକୁ ଭୋଟର ପରିଚୟ ପତ୍ର ଛଡ଼ା ପ୍ରଶାସନିକ କୌଣସି ଯୋଜନାର ପ୍ରମାଣପତ୍ର ଦିଆଯାଇ ନଥିଲା। ଏପିଏଲ, ବିପିଏଲ, ପିଏଲଓ କି ଜବକାର୍ଡ଼ କିଛି ବି ନଥିଲା ତା’ପାଖରେ। ଦୋକାନରୁ ଚାଉଳ କିଣି ଖାଉଥିଲା। ଜୁଲାଇ ୨୦୧୫ରୁ ନଭେମ୍ବର ପର୍ଯ୍ୟନ୍ତ ଗାଁରେ ପିଡ଼ିଏସ ଚାଉଳ ଦିଆଯାଇ ନଥିଲା। ଯଦି ବି ଟଙ୍କିକିଆ ଚାଉଳ ଦିଆଯାଇ ଥାନ୍ତା, ତା’ହେଲେ ତାହା ବି ବିନେର କ୍ଷୁଧା ପାଇଁ ଅପହଞ୍ଚ ହିଁ ଥିଲା। କାହିଁକି ପାଞ୍ଚମାସ ହେଲା ଚାଉଳ ଦିଆଯାଇ ନାହିଁର ଉତ୍ତର ଦେବାଭୟରେ ସପ୍ଲାଇ ଇନ୍ସପେକ୍ଟର ଆତ୍ମଗୋପନ କଲେ। ବିଡ଼ିଓ କହିଲେ ସେ କାମରେ ଯାଇଛନ୍ତି। ନଭେମ୍ବର ଚାରି ତାରିଖ ଦିନ ଚୁଲିଫୁଙ୍କା ଗ୍ରାମବାସୀ ଆସି ବ୍ଲକ ଘେରାଉ କଲେ। ଲୋକେ ନିଜେ ନିଜେ କୌଣସି ନେତୃତ୍ୱ ବିନା ବ୍ଲକକୁ ଆସିଥିଲେ ଅଭିଯୋଗ କରିବାକୁ। କୌଣସି ନେତୃତ୍ୱ ନଥିବା ଜାଣି ସପ୍ଲାଇ ଇନ୍ସପେକ୍ଟରଙ୍କ ପ୍ରଭୁପଣ ଜାଗିଗଲା। ସେ ଲୋକଙ୍କୁ ଧମକ ଚମକ ଦେଇ ତଡ଼ିଦେଲେ। କିନ୍ତୁ ସେହିଦିନ ହିଁ ସେ ଗାଁକୁ ଯାଇ ଚାଉଳ ବାଣ୍ଟିଲେ। ଆଶ୍ୱସ୍ତିି ଏହା ଥିଲା ଯେ ସେ କେବଳ ଗଣମାଧ୍ୟମକୁ ଠକି ପାରିଲେ।
ନବୀନକୁ କୋଡ଼ିଏ କିଲୋ ଚାଉଳ ଦିଆଗଲା। ସହଯୋଗ ନାମରେ ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇହଜାର ଟଙ୍କା। ଚାରିସନ୍ତାନର ବୋଝ ନେଇ ନବୀନ ଏବେ ତ୍ରିଶଙ୍କୁ ଅବସ୍ଥାରେ। ନା ଘରେ ରହି ପାରୁଛି ନା ରୋଜଗାର କରିପାରୁଛି।
୭ ଡିସେମ୍ବର ୨୦୧୫ ସନ୍ଧ୍ୟାରେ ବଲାଙ୍ଗିର ସଦର ବ୍ଲକ, ଜିଲ୍ଲା ମହକୁମାଠୁ ୩୨କି.ମି ଦୂର ଘୁଲିମୁହାଣ ଗ୍ରା.ପର ଘୁଚାପାଲି ଗାଁର ଶୁଆଦେଈ ନାଗ ମରିଗଲା। ଯେତେବେଳେ ଗଣମାଧ୍ୟମ ଏହାକୁ ଅନାହାର ମୃତ୍ୟୁ ବୋଲି କହିଲା , ବିଧାନସଭାରେ ହଟ୍ଟଗୋଳ ହେଲା। ବିରୋଧିଦଳଙ୍କ ଦାବୀ ଏବଂ ବାରମ୍ବାର ଗୃହ ଅଚଳ ହେବା ପରେ ବାଚସ୍ପତି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଲେ। ତାଙ୍କ ଆଦେଶ ମୁତାବକ କାମ ହେଲା। ରାଜସ୍ୱମନ୍ତ୍ରୀ କହିଲେ ଆଠ ବର୍ଷ ହେଲା ପକ୍ଷାଘାତ ରୋଗରେ ଶୁଆଦେଈ ପଡ଼ିଥିଲା। ତାର ଏକମାତ୍ରପୁଅ ତାକୁ ଛାଡ଼ି କୁଆଡ଼େ ଚାଲିଗଲା। ଦୁଇବର୍ଷ ହେବ ଶୁଆ ଖଟରେ ପଡିଥିଲା। ଏବଂ ତା’ର ମୃତ୍ୟୁ ରୋଗଜନିତ , ଅନାହାରଜନିତ ନୁହେଁ।
ଶୁଆଦେଈ/ନୂଆଦେଈ ଓ ସୁନାଦେଈ ତା’ର ତିନୋଟି ନାମ ଭୋଟର ପରିଚୟପତ୍ର, ବିପିଏଲ ଏବଂ ବାର୍ଦ୍ଧକ୍ୟଭତ୍ତା କାର୍ଡ଼ରେ। ରୋଗିଣା ବୁଢ଼ୀଜଣକ ପୁଅ, ବୋହୂ ଓ ତିନି ନାତି ନାତୁଣିର ସଂସାର। ଘର କହିଲେ କିଛି ଖୁଣ୍ଟର ସାହାରାରେ ନଡ଼ା ବୋହିଥିବା ଛାତ। ଘରେ କିଛି ନାହିଁ। ପେଟ ପାଇଁ ପୁଅ,ବୋହୂ ମଝିଆ ଝିଅକୁ ଛାଡ଼ି ଦାଦନ ଖଟି ଗଲେ। ବୁଢ଼ୀ ଦଶବର୍ଷର ନାତୁଣି ସହ ଏକା ରହିଲା। ଝିଅଟି ମଧ୍ୟାହ୍ନ ଭୋଜନରୁ କିଛି ବଳକା ମାଗି ଆଈପାଇଁ ଖାଇବା ଆଣେ। ବାସ ଏତିକି ତାଙ୍କ ଆହାର। ଶୁଆଦେଈ ଖଟରେ ପଡ଼ିରହେ। ଚିକିତ୍ସା ଅଭାବ, ଦଶବର୍ଷର ଝିଅ କରିବ ବା କଣ? ଖଟରେ ପଡ଼ି ପଡ଼ି ପିଠିରେ ଘା’ ହୋଇଯାଏ। ଖଟକୁ ଉଈ ଚଢ଼ିଯାନ୍ତି। ପିଠିର ଘା’ରେ ପୋକ ହୋଇଯାଏ। ଶୁଆଦେଈ ମରିଯାଏ। ପଡୋଶୀ ତା’ର ଶବକୁ ନେଇ ପୋତି ଦିଅନ୍ତି ମଶାଣିରେ। କାରଣ କୌଣସି ଲୋକ ପୋକହୋଇ ମଲେ ଯିଏ ତା’ର କୋକେଇ ମଶାଣିକୁ ନିଅନ୍ତି ସେମାନଙ୍କ ଜାତି ଚାଲିଯାଏ। ପାଞ୍ଚ ଜାତିଭାଇଙ୍କ ସମ୍ମୁଖରେ କିଛି ସାମାଜିକ ବିଧି ପୁରାକରି ପୁଣି ଜାତିରେ ମିଶିବାକୁ ହୁଏ।
ଗଣମାଧ୍ୟମରେ ଶୁଆଦେଈର ମୃତ୍ୟୁକୁ ଅନାହାରଜନିତ କହିବା ପରେ ପ୍ରଶାସନ ନିଜ ଚେଷ୍ଟାରେ ରହିଲା। ଏହା ଅନାହାରଜନିତ ନୁହେଁ ବରଂ ରୋଗଜନିତ ବୋଲି କହିଲା। ଏହି କଥା ଦୋହରାଗଲା ବିଧାନସଭାରେ।
ବଲାଙ୍ଗିରରେ ଅନାହାର ମୃତ୍ୟୁ ନୂଆ ନୁହେଁ। ଏକଦା ବାଲମତୀ ଶବର ନାମ୍ନୀ ଜଣେ ମହିଳା ବଙ୍ଗୋମୁଣ୍ଡା ବ୍ଲକ ବଲଧା ଗ୍ରା.ପର ବରଲାବେହେଲି ଗାଁରେ ମରିଗଲା। ନଭେମ୍ବର ୧୪, ୧୯୯୬ରେ ପ୍ରଧାନମନ୍ତ୍ରୀ ଏଚ.ଡ଼ି.ଦେବଗୌଡ଼ା ଘଟଣାର ସରଜମିନ ତଦନ୍ତ ପାଇଁ ଆସିଲେ। ସେ ସମୟରେ ଶୁଣାଯାଉଥିଲା ଯେ କେବିକେ ଯୋଜନା ବନ୍ଦ ହୋଇଯିବ ଏବଂ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ବାତିଲ କରାଯିବ। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଲେ କେବିକେ ଯୋଜନା ବନ୍ଦ ହେବ ନାହିଁ। ଲୋୟର ଇନ୍ଦ୍ର ପ୍ରକଳ୍ପ ବାତିଲ ହେବ ନାହିଁ। ଏହାସହ ଓଡ଼ିଶାକୁ ୫୦ କୋଟି ଟଙ୍କାର ସହାୟତା ବି ଦେଲେ।
୨୦୦୦ ମସିହା ଜାନୁଆରୀ ମାସରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବଡ଼ଗମଡ଼ା ଗାଁର ପ୍ରେମଶିଳା ଭୋଇ ନାମ୍ନୀ ଜଣେ ବିଧବା ମହିଳାର ମୃତ୍ୟୁ ହେଲା। ଏହା ଅନାହାରଜନିତ ବୋଲି ବିଧାନସଭାରେ ଶାସକଦଳର ବିଧାୟକ ବାଳଗୋପାଳ ମିଶ୍ର ଦାବୀ କରିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ଡ.ହୃଷୀକେଶ ପଣ୍ଡା ସରଜମିନ ତଦନ୍ତ ପାଇଁ ଆସିଲେ। ମହାବନ୍ଧ ଯୋଜନା କାର୍ଯ୍ୟକାରୀ ହେଲା। କିଛିଦିନ ଏହି ଯୋଜନା ଚାଲିବା ପରେ ବନ୍ଦ ହୋଇଗଲା। ମହାବନ୍ଧର ମହାଦୁର୍ନୀତିମାନ ସାମ୍ନାକୁ ଆସିଲା।
ଏଥିବାଦ ଅନେକ ଅନାହାର ମୃତ୍ୟୁର ଖବର ଓଡ଼ିଶାରେ ହଟଚମଟ ସୃଷ୍ଟି କରିସାରିଛି। ବଲାଙ୍ଗିରର ଭାଗ୍ୟରେ ଅନାହାର ଦିନୁଦିନ ଗୋଟିଏ ପରେ ଗୋଟିଏ ନୂଆ ସଂସ୍କରଣ ଲେଖା ହେଉଛି ମାତ୍ର। ତମାମ ହଟଚମଟ, କଥା କଟାକଟି ଏବଂ ଅନେକ ଅର୍ଦ୍ଧସତ୍ୟର ଆଧାରରେ ନିଜର ତଥାକଥିତ ମର୍ଯ୍ୟାଦା ହେଉକି ସ୍ଖଳନକୁ ସୁରକ୍ଷିତ ରଖାଯାଉଛି, ଉଭୟ ଶାସକ ଏବଂ ପ୍ରଶାସକଙ୍କ ଦ୍ୱାରା। ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଯେ ଅନାହାରର ଜମାନବନ୍ଦୀ ଦେବାକୁ ଜଣକୁ ମରିବାକୁ ପଡ଼େ। ଏହି ମୃତ୍ୟୁ ବି ନିଷ୍ଫଳ ହୁଏ ଅନେକ ସମୟରେ। କୁହାଯାଉ ଶୁଆଦେଈ ଅନାହାରରେ ନୁହେଁ, ରୋଗରେ ମଲା। ତା’ଖଟକୁ ଚଢୁଥିବା ଉଈ ଓ ବେଡ଼ସୋଲ ହୋଇ ପୋକ ଲାଗିଯିବା କଥାକୁ କେହି ଅସ୍ୱୀକାର କରିପାରିବେନି। ମାନବୀୟ ଦୁର୍ଗତିର ଏହି ସ୍ତର ତଥାକଥିତ ବିକାଶ ଦୌଡ଼ରେ ଥିବା ମଣିଷମାନଙ୍କୁ ଆନ୍ଦୋଳିତ କରିବା ପରି ସ୍ଥିତି ପର୍ଯ୍ୟନ୍ତେ ପହଞ୍ôଚ ପାରି ନାହିଁ- ଏହା ହିଁ ଦୁଃଖ। କାରଣ ଶାସକ କି ପ୍ରଶାସକ କେହି ବି ମଣିଷ ବାଦ୍ ଭିନ୍ନ ନୁହନ୍ତି।
ଏସବୁ ଆଲୋଚନା ବାଦ୍ ଗୋଟିଏ ପ୍ରଶ୍ନ ଉଠେ ନିଶ୍ଚୟ… କାହିଁକି ଏ ଅବସ୍ଥା?
ଅବତାର-ତାରକ ଭାରତୀୟ ସଂସ୍କୃତିରେ ସଂଘର୍ଷର ମୂଲ୍ୟକୁ ନ୍ୟୁନ କରାଯାଇ ଆସିଛି ହଜାର ହଜାର ବର୍ଷ ହେଲା। ଯେଉଁ ଗୋଷ୍ଠୀ ବା ଅଞ୍ଚଳ ଅବତାରବାଦ ବାହାରେ ରହିଆସିଛନ୍ତି ସେମାନେ ନିଜକୁ ସ୍ୱାବଲମ୍ବୀ କରି ଆସିଛନ୍ତି। ଇତିହାସର ଗଣରାଜ୍ୟମାନ ଏହି ଶ୍ରେଣୀଭୁକ୍ତ। ଅପରନ୍ତୁ ରାଜା କି ସାମନ୍ତ ଯେଉଁଠି ଧର୍ମବାପା ହୋଇ ରହିଛନ୍ତି ସେମାନଙ୍କ ସଂସ୍କୃତି ଶାସକ ମାଧ୍ୟମରେ ହିଁ ଭଗବାନ ଯା’ଏ ପହଞ୍ଚେ। ମଣିଷ ନ୍ୟୁନ! ତା’ର ନିଜସ୍ୱ ସତ୍ତା ବୋଲି କିଛିନାହିଁ। ତା’ର ସୁଖଦୁଃଖ, ଉନ୍ନତି-ଅବନତି ସବୁ ସେହି ପରମପୁରୁଷର ଇଙ୍ଗିତରେ ହୋଇଥାଏ। ତେଣୁ ଆଜି ଗଣତନ୍ତ୍ରକୁ ବାହାନା କରି ଶାସକ ହେବାର ପ୍ରତିଯୋଗିତା ବେଶି ଦେଖାଯାଏ। କେଉଁଠି ନା କେଉଁଠି ଆମେ ଆମର ଅର୍ଥନୀତିକୁ ବି ଏହି ଦର୍ଶନରେ ଉପସ୍ଥାପିତ କରି ଆସିଅଛୁ।
ଅବତାରବାଦକୁ କିଏ ଆଣିଲା କିଏ ଥୋଇଲା ଏହା ଅର୍ଥହୀନ କଥା ଏଇଠି। ଧର୍ମର ଗୋଟିଏ ସଂକ୍ଷିପ୍ତ ସଂଜ୍ଞା ହେଲା ମାନବତାର ଉତ୍ତରଣ। କିନ୍ତୁ ଧର୍ମ ଭିତରକୁ ଶାସନ ପଶିଗଲା। ଏହାକୁ ରୋଚକ କଥାମାଧ୍ୟମରେ ତତ୍କାଳୀନ ଗଣମାଧ୍ୟମମାନେ ମୁଖର ହେଲେ ଅବତାରବାଦର ପ୍ରଚାରରେ। ଯେକୌଣସି ପ୍ରକାରେ ଏମାନେ ହିଁ କ୍ଷମତା ଦଖଲ କଲେ। ଏହା ପ୍ରାଚୀନ କଥା। କିନ୍ତୁ ସଦ୍ୟତମ ପରିସ୍ଥିତିକୁ ଆମେ ବିଚାର କଲେ ସ୍ୱାଧୀନତା ପରେ ଆମେ ଯେଉଁ ଅର୍ଥନୀତିକୁ ଆପଣେଇଲୁ ତାହା ସେମାନଙ୍କ ଅର୍ଥନୀତିର ନୂତନ ସଂସ୍କରଣ ଯେଉଁମାନେ ଇଂରେଜ ପର୍ଯ୍ୟନ୍ତ ଆମର ଶାସକ ଥିଲେ। ଶାସକ ସ୍ୱଦେଶୀ ହେଲେ କିନ୍ତୁ ଅର୍ଥନୀତିର ଢ଼ାଞ୍ଚା ସେହି ସାମନ୍ତିୟ ହିଁ ରହିଲା। ଯା’ର ଆଧାରରେ ସେମାନେ ଆମକୁ ଶାସନ କରୁଥିଲେ ସହି ଆଧାରରେ ଆମେ ଆମକୁ ଶାସନକରିବା; ଏହାକୁ କୁହାଗଲା ଗଣତନ୍ତ୍ର। ଏହାର ପ୍ରତିଫଳନ ହିଁ ଶୁଆଦେଈ।
ଏହି କଥାର ସତ୍ୟତା ଜାଣିବାକୁ ଆମକୁ ବିନେ ଓ ଶୁଆଦେଈର ସାମ୍ରାଜ୍ୟକୁ ଅନୁଶୀଳନ କରିବାକୁ ପଡ଼ିବ। ଶୁଆଦେଈର ସାମ୍ରାଜ୍ୟ କର୍ମ ଆଧାରିତ ଥିଲା। ବହୁ ପ୍ରାଚୀନକାଳରେ ଶୁଆଦେଈର ପୂର୍ବପୁରୁଷ ରାଜା ସାମନ୍ତକୁ ଦେଖି ନଥିଲେ। ତାଙ୍କର ଗୋଟିଏ ବ୍ୟବସ୍ଥିତ ଭୂଖଣ୍ଡ ଥିଲା। ପ୍ରକୃତି ସହ ନିିବିଡ଼ ଭାବରେ ସହାବସ୍ଥାନ ହିଁ ଅଞ୍ଚଳର ସଂସ୍କୃତି ଥିଲା। ଏବଂ ଏହା ହିଁ ଥିଲା ଅର୍ଥନୀତିର ଆଧାର। ଜଙ୍ଗଲ, ପାହାଡ଼ ଓ ଜଳସ୍ରୋତର ସ୍ଥିତି ସହ ସମତାଳରେ ଗାଁ ତିଆରି ହେଉଥିଲା। ସେହି ଭୂଖଣ୍ଡର ଉପଜ ଯେପରି ଥିଲା ସେହି ଗୋଷ୍ଠୀର ଲୋକ ହିଁ ଗାଁରେ ରହୁଥିଲେ। ଗୋଷ୍ଠୀମାନଙ୍କର ପରିଚୟ ଜାତି ଆକାରରେ ଥିଲା। ଗାଁର ବିଭାଜନ ପଡ଼ା ଆକାରରେ ଥିଲା। ଗୋଟିଏ ଗୋଷ୍ଠୀ ବା ଜାତି ଗୋଟିଏ ପଡ଼ାରେ ରହୁଥିଲେ। ଫଳରେ ଜଣେ ନିଜର ଜାତିର ଲୋକଙ୍କ ସହ ରହୁଥିଲା। ଏହାଙ୍କ କର୍ମ, ଦନ୍ତକଥା, କାହାଣୀ, ଲୋକକ୍ରୀଡ଼ା, ନାଚଗୀତ ସବୁ ଏପରି ଥିଲା ଯାହା ପରପିଢ଼ିକୁ ପ୍ରଭାବିତ କରିବା ସହ ନିଜ କର୍ମଉପରେ ଶିକ୍ଷିତ କରାଉଥିଲା। ପଡ଼ା କେବଳ ପଡ଼ା ନଥିଲା ଗୋଟିଏ ବିଦ୍ୟାଳୟ ଥିଲା। ଯେଉଁଠି ଜଣକୁ କର୍ମଠ ଓ ବ୍ୟବସ୍ଥିତ ମଣିଷ ତିଆରି କରିବାରେ କଠିଣ ନଥିଲା। ଏହି କ୍ଷୁଦ୍ର ଅନୁଷ୍ଠାନ ଯାହା ପଡ଼ା ନାମରେ ପରିଚିତ ଥିଲା ଏଠିକାର ଜଣେ ନିର୍ଦ୍ଧିଷ୍ଟ ଯୋଗ୍ୟତା ନେଇ ଗାଁ ସହ ମିଶୁଥିଲା। ଗାଁ ସେହିପରି ବ୍ୟବସ୍ଥିତ ହେଉଥିଲା। ନିଜର କୌଳିକ ବୃତ୍ତି ବାଦ୍ ଅନ୍ୟ ଗୋଷ୍ଠୀ ସହ ସମ୍ପର୍କ ଓ ସହାବସ୍ଥାନ ଥିଲା ଗ୍ରାମ୍ୟ ବ୍ୟବସ୍ଥାର ମୂଳ। ନିଜର ଜୀବନଚର୍ଯ୍ୟା ମାଧ୍ୟମରେ ପରପିଢ଼ିକୁ ଅନବରତ ଶିକ୍ଷା ଦିଆଯାଉଥିଲା। କେତେକ ଗାଁର ସମଷ୍ଟି ଥିଲା ‘ଦେଶ’। ଆଜି ବି କେହି ପ୍ରୌଢ଼ ଜଣକୁ ଠିକଣା ପଚାରିଲେ କହନ୍ତି ‘କେନ ଦେଶର ବାବୁ ତମେ’। ଏହି ଦେଶ୍କୁ ବିଶ୍ୱବିଦ୍ୟାଳୟ ସ୍ତରର ସଂସ୍ଥା ଆକାରରେ ବି କୁହାଯାଇପାରେ।
ଏହି ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଜଣକପ୍ରତି ସମର୍ପିତ ଥିଲା। ବ୍ୟକ୍ତି ନୁହଁ ସମୂହ। ସମୂହର ଚେହାରା ନଥାଏ। ସମୂହ ଯେତେବେଳେ ଏକକ ହୋଇଯାଏ, ସେ ବି ବିଲୀନ ହୋଇଯାଏ। ସୁତରାଂ ସମର୍ପଣର ମାଧ୍ୟମ ଥିଲେ ଗାଁର ଦେବୀଦେବତା। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ସମସ୍ତେ ଗାଁର ଦେବାଦେବୀ ପୀଠରେ ଏକାକାର ହେଉଥିଲେ। ତାହା କୃଷିର ଦୁଇଟି ସମୟ ଖରିଫ କାମସାରି ଦଶହରା ଓ ରବି କାମସାରି ଚୈତ୍ର। ଏହି ଦିନ ଦେବାଦେବୀ ମଧ୍ୟ ନିଜେ ବ୍ୟବସ୍ଥା ଉପରେ ଉପଦେଶ କି ଆଦେଶ ଦେଉଥିଲେ। ଏହି ନିର୍ଦ୍ଦେଶ ହିଁ ପାଳନ ହେଉଥିଲା ପରବର୍ତ୍ତୀ ସମୟରେ।
ଏହି ସଂସ୍କୃତି ଭିତରକୁ ପ୍ରଥମେ ଶାସକ ଆକାରରେ ରାଜାମାନଙ୍କ ଅନୁପ୍ରବେଶ ହେଲା। କିନ୍ତୁ ରାଜାମାନେ ହୁସିଆର ଥିଲେ। ସେମାନେ ଏହି ସଂସ୍କୃତିକୁ ସମ୍ମାନ ଦେଲେ। ପ୍ରତିବଦଳରେ ଖଜଣା ନେଲେ। ଇତିହାସ କହିଲେ ଏହି ରାଜାମାନଙ୍କ କାହାଣୀ ଜୟପରାଜୟର କଥା ହିଁ କୁହାଗଲା। କାରଣ ରାମାୟଣ ମହାଭାରତର ଛାୟାରେ ସବୁ ଲେଖାଗଲା। କିନ୍ତୁ ତା’ର ଆଢୁଆଳରେ ରହିଥିବା ଏକ ବିରାଟ ବ୍ୟବସ୍ଥାର କାହାଣୀ କହିବାକୁ କେହି ବାହାରିଲେ ନାହିଁ। ଶେଷରେ ଇଂରେଜ ଆସିଲେ। ଏମାନେ ହିଁ ଆରମ୍ଭ କଲେ ବ୍ୟବସାୟଭିତ୍ତିରେ ଶାସନ। ତା’ପରେ ଗଣତନ୍ତ୍ର।
ଗଣତନ୍ତ୍ର ଆସିଲା ପରେ ସମସ୍ତ ଦୟିତ୍ୱ ସରକାର ନେଲେ। ରାସ୍ତା, ଜଳାଶୟ, ବିଦ୍ୟାଳୟ, ଚିକିତ୍ସାଳୟ ଇତ୍ୟାଦି ମାଧ୍ୟମରେ ମାଟିରୁ ମଣିଷକୁ ମାନସିକ ସ୍ତରରେ ଉଦବାସ୍ତୁ କରାଯିବାର ପ୍ରକ୍ରିୟା ଆରମ୍ଭ ହେଲା। ଯେଉଁ ଗାଁକୁ ଓ ଯେଉଁ ବ୍ୟବସ୍ଥାର ନିର୍ମାଣରେ ସମସ୍ତଙ୍କ ଦାୟିତ୍ୱ ଥିଲା ସମସ୍ତ ଦାୟିତ୍ୱ ସରକାର ନେଲେ। ରାଜତନ୍ତ୍ରର ଏକ ନୂତନ ସଂସ୍କରଣ ଲୋକେ ଦେଖିଲେ। ନିଜର ପୋଖରୀକୁ ଦଳ ମାଡ଼ିଗଲେ କି ହୁଡ଼ା ଭାଙ୍ଗିଗଲେ ଲୋକେ ସରକାର ଉପରେ ନିର୍ଭର କଲେ। ଗୋଟିଏ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର ବ୍ୟତୀତ ତା’ର କବର ଉପରେ ବିକାଶର ଢ଼ାଞ୍ଚା ତିଆରିକୁ ହିଁ ପ୍ରଗତୀ କୁହାଗଲା।
ଏଠାରେ ପ୍ରଶ୍ନ ଉଠେ ସେ ଲୋକମାନେ କୁଆଡ଼େ ଗଲେ ଯେଉଁମାନେ ବ୍ୟବସ୍ଥାକୁ ନିଜ କାନ୍ଧରେ ବୋହିଥିଲେ?
ବିକାଶ ପ୍ରକ୍ରିୟାରେ ନିଜକୁ ଢାଳିବାର ପ୍ରୟାସ କଲେ। ମରୁଡ଼ି ଅର୍ଥନୀତିକୁ ଅବକ୍ଷୟ କଲା। ଏହି ଅବକ୍ଷୟକୁ ଗୋଟିଏ ହୁସିଆର ଗୋଷ୍ଠୀ କ୍ଷୀପ୍ର କଲେ ସେମାନେ ହେଲେ ମହାଜନ। ବ୍ୟବସ୍ଥାର ଛତ୍ରଛାୟା ତଳେ ନିଜକୁ ଯଥାସମ୍ଭବ ସୁରକ୍ଷିତ ରଖି ପୁଞ୍ଜି ଠୁଳ କଲେ। ବୁଭୁକ୍ଷୁମାନଙ୍କ ପଟୁଆର ତିଆରି ହେଲା। ଯେଉଁମାନେ ବିକାଶ ପ୍ରକ୍ରିୟାରେ ଉଦବାସ୍ତୁ ହେଲେ ସେମାନେ ଏକେ ତ ସ୍ଥାନାନ୍ତର ହେଲେ, ନଚେତ ଆୟର ଅନ୍ୟମାର୍ଗ ତିଆରିଲେ। ଚଳନ୍ତି ସମୟରେ ଦଳିତ ବୋଲି ଆଖ୍ୟା ଦିଆଯାଉଥିବା ଗୋଷ୍ଠୀ ସାମାଜିକ ବ୍ୟବସ୍ଥାର ନିୟନ୍ତ୍ରକ ଥିଲେ। ଦୁଇଶହ ବର୍ଷର ସାମାନ୍ୟ କିଛି ପୂର୍ବରୁ ସେମାନେ ପ୍ରଥମେ ଦେଶାନ୍ତରୀ ହେଲେ। କିଶୋର ମେହେରଙ୍କ ଗବେଷଣା ଏହା ପୁଷ୍ଟ କରେ। ଆଜୀବିକା ପାଇଁ କିଛି ଅପରାଧ କଲେ। ଜଣେ ସଭ୍ୟ ବି କର୍ମବିଚ୍ୟୁତ ହେଲେ ଅପରାଧ କରେ। କିନ୍ତୁ ଏହି ଗୋଷ୍ଠୀଙ୍କ ମାନସିକତାରେ ଅପରାଧପ୍ରବଣତା ଭରି ତାଙ୍କୁ ସାମନ୍ତ (ଶାସକ, ପୁଞ୍ଜିପତି, ଧର୍ମଧ୍ୱଜାଧାରୀ)ମାନେ ନିଜର ସୁରକ୍ଷା ପାଇଁ ବ୍ୟବହାର କଲେ। ଯେପରି ପି.ସାଇନାଥଙ୍କ ଲେଖାରେ ଖଡ଼ିଆଳ ରାଜା ଜଣେ ଦଳିତଙ୍କୁ ନିଜ ପାଖରେ ରଖୁଥିଲେ। ତାଙ୍କୁ ଗୋଟିଏ ଖାଲି ବନ୍ଧୁକ ଦିଆଯାଉଥିଲା। କାରଣ ରାଜାଙ୍କ ପାଖକୁ ପ୍ରଜା ଆସିପାରିବେ ନାହିଁ। ରାଜା ଓ ପ୍ରଜା ମଝିରେ ରାଜାର ସୁରକ୍ଷା ପାଇଁ କେବଳ ଜଣେ ଖାଲି ବନ୍ଧୁକଧାରୀ ଦଳିତ ହିଁ ଦେହରକ୍ଷୀର କାମ କରି ପାରୁଥିଲା। ସେ ସମୟରେ ରାଜା ସୁରକ୍ଷିତ ନ ଥିଲେ। ବହିରାଗତ କୃଷକ ଗୋଷ୍ଠୀଙ୍କୁ ଥଇଥାନ କରି ରାଜାମାନେ ନିଜର ରାଜସ୍ୱ ବୃଦ୍ଧିର ଉପାୟ କରିଥିଲେ। ଏତେବେଳେ ମୂଳ କନ୍ଧମାନେ ବିସ୍ଥାପିତ ହେଲେ ଓ ରାଜାମାନଙ୍କ ବିପକ୍ଷରେ ‘ମେଳି’ କରୁଥିଲେ।
ଯେଉଁ ଗୋଷ୍ଠୀମାନେ ନିଜକୁ କାମକରି ଖାଇବାର ସଂସ୍କୃତି ସହ ଯୋଡ଼ି ରଖିଲେ ସେମାନେ ଦେଶାନ୍ତରୀ ହେଲେ। ଦାଦନ ଏହି ନିକୃଷ୍ଟ ପ୍ରକ୍ରିୟାର ଏକ ଉଦାହରଣ ମାତ୍ର।
ଲୋକଙ୍କୁ କର୍ମବିଚ୍ୟୁତ କରି ଦାରିଦ୍ର୍ୟ ସହ ସଂଘର୍ଷ କରିବାକୁ ଶାସକ ନିଜ ପଟରୁ ଯୁଦ୍ଧଘୋଷ ଦେଲେ। ସମୟକ୍ରମେ ବାଲମତୀ ଶବର, ପ୍ରେମଶିଳା ଭୋଇଙ୍କ ପରି ଉଦାହରଣମାନ ସାମ୍ନାକୁ ଆସିଲା। ସରକାର ରିହାତି ଚାଉଳ ଦେଲେ। ତା’ସତ୍ତ୍ୱେ ବି ଅନାହାରର ଉଦାହରଣ କମିଲା ନାହିଁ। ଦେଶାନ୍ତରୀ ଓ କ୍ଷୁଧା ଏକ ବଡ଼ ସମସ୍ୟା ହେଲା। ଚନ୍ଦ୍ର ଅଭିଯାନର ସ୍ୱପ୍ନ ଦେଖୁଥିବା ସରକାର ପାଇଁ ଏହା ନିଶ୍ଚିତ ଏକ ଅପମାନ। ଲୋକଙ୍କୁ କାମ ଦେବାପାଇଁ କାମର ଗ୍ୟାରେଣ୍ଟି ଦେଲେ। ଇଏଏସ୍ ଯୋଜନା ପରେ ଏମ୍ନରେଗା। ଖାଦ୍ୟ ସୁରକ୍ଷା ପାଇଁ ଆଇନ ବି ତିଆରି କଲେ। ସରକାର ମଙ୍ଗଳ ବିଜୟରେ ସଫଳ ହେଲେ। ତା’ପରେ ବି ଶୁଆଦେଈର ଉଦାହରଣ ନିଶ୍ଚିତ ଅବ୍ୟବସ୍ଥା ପଟକୁ ଇଙ୍ଗିତ କରେ। ସରକାର ରାଗିବେ ନିଶ୍ଚୟ। ନିଜର ଶାସନକୁ ପରିଚାଳିତ କରିବା ପାଇଁ ଅମଲାର ଏକ ବିରାଟ ପଟୁଆର ସାମାନ୍ୟ କ୍ଷୁଧା ନିବାରଣରେ ଅସମର୍ଥ। ଅମଲା ନିଜକୁ ସୁରକ୍ଷିତ ରଖିବ ଯେନତେଣ ପ୍ରକାରେଣ। ସେ କହିଲା ଶୁଆଦେଈର ମୃତ୍ୟୁ ଅନାହାରଜନିତ ନୁହେଁ, ରୋଗଜନିତ। ଏହାକୁ ବିଧାନସଭାରେ ବି ଦୋହରାଯିବ। ଏହା ହିଁ ଗଣତନ୍ତ୍ରର ନିୟତି। ନିଜର ଦୋଷ ସ୍ୱୀକାର କରିବାକୁ ଲଜ୍ଜାବୋଧ ହେବ। ଖାସ ଏଇଥି ପାଇଁ। ଆଉ ଏଇଥିପାଇଁ ବି ଯେ ସରକାରଙ୍କ ବିରୋଧୀ (ସାମାଜିକ,ରାଜନୈତିକ କର୍ମୀ) ବି ଜଣେ ଅଛନ୍ତି। ଯଦି ନଥାନ୍ତେ ତା’ହେଲେ ହୁଏତ ନିଜର ବକ୍ତବ୍ୟ (ଅନାହାର ନୁହେଁ ରୋଗ)କୁ ଦମନ ମାଧ୍ୟମରେ ପ୍ରତିପାଦିତ କରନ୍ତେ।
ଯେଉଁଠି ସାମାଜିକ ସମସ୍ୟାର ଉପଚାର ଗୋଟିଏ କେନ୍ଦ୍ରରୁ ପ୍ରସ୍ତୁତ ହୁଏ, ସେଠାରେ ବ୍ୟକ୍ତି ସତ୍ତା ନ୍ୟୁନ ହୋଇଯାଏ। ଏହା ହିଁ ଅବତାରବାଦ ପ୍ରକ୍ରିୟାର ଉଦାହରଣ।
ନିକଟ ଅତୀତରେ ଗୋଟିଏ କଥା ଶୁଣାଗଲା। ତିନିକୋଟିରୁ ଊର୍ଦ୍ଧ୍ୱ ମାମଲା ଦେଶର ଅଦାଲତମାନଙ୍କରେ ବିଚାର ହୋଇ ନପାରି ପଡ଼ି ରହିଛି। ଏହାର ସମାଧାନ ପାଇଁ ଗାଁ ମୁଖ୍ୟଙ୍କୁ ଦାୟିତ୍ୱ ହସ୍ତାନ୍ତର ଚିନ୍ତା କରାଗଲା। ‘ଖାପ୍’ ପଞ୍ଚାୟତର କ୍ଷତିକାରକ ଦିଗମାନଙ୍କ ଉଦାହରଣ ପ୍ରସ୍ତୁତ କରିବାର ମୁଖର ହୋଇଗଲେ ଅନେକ। ପଲ୍ଲୀସଭା, ଗ୍ରାମସଭା ମାଧ୍ୟମରେ ଲୋକେ ନିଜ ବିଚାର ନିଜେ କରିବାର ଯୋଜନା ହେଲା। ଅନୁଦାନ ବଣ୍ଟନରେ ବିଦ୍ରୋହ ନହେବାକୁ ଗ୍ରାମସଭା-ପଲ୍ଲୀସଭା ଶାସକଙ୍କ ଢାଲ ହୋଇଛି କେବଳ। ତା’ଠୁ ବେଶି ନୁହେଁ। ସୁତରାଂ ଯାହା ବି ଲୋକାଭିମୁଖୀ ଚିନ୍ତା ଶାସକର ସୁରକ୍ଷା ପାଇଁ।
ଏହି ବ୍ୟବସ୍ଥା ଭିତରେ ବିନେ ଓ ଶୁଆଦେଈର ସାମ୍ରାଜ୍ୟ କ୍ଷତବିକ୍ଷତ। ବିନେ କି ଶୁଆଦେଈ ମରିବା କିଛି ନୂଆକଥା ନୁହଁ। କିନ୍ତୁ ତାଙ୍କ ମୃତ୍ୟୁ ଯେ ଅନାହାର; ଏହା ବିନେ ଓ ଶୁଆଦେଈଙ୍କ ହିଁ ଅପରାଧ।
LIKE THIS ARTICLE
Give us a thumbs up!
0 Comments