ଯୋଗିନୀ

ଓଡ଼ିଶାରେ ସୋମବଂଶୀ ପ୍ରଭାବ ବିସ୍ତାର ପାଇଁ ହର୍ଷଦେବଙ୍କ ପତ୍ନୀ ରାଣୀ ବାସଟାଙ୍କ ଅବଦାନ ବେଶ ରହିଅଛି। ଛତିଶଗଡ଼ର ଶ୍ରୀପୁରରୁ ନରସିଂହନାଥ, ନୂଆପଡ଼ା ଜିଲ୍ଲାର ବୁଦ୍ଧିକୋମନା ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଏଲରେ ତାଙ୍କର ନେତୃତ୍ୱରେ ତିଆରି ଅନେକ କୀର୍ତ୍ତିରାଜି ଆଜି ମଧ୍ୟ ରହିଅଛି। ସୋମବଂଶୀଙ୍କ ରାଜ୍ୟବିସ୍ତାର ସମୟରେ ସାମାଜିକ ଜୀବନରେ ମଧ୍ୟ ବେଶ ପରିବର୍ତ୍ତନମାନ ଦେଖା ଯାଉଥାଏ। ଏହି ପରିବର୍ତ୍ତନର ସ୍ପଷ୍ଟ ଚିତ୍ର ଏବଂ ଇତିହାସ ବ୍ୟାକ୍ଷାନ କରିବାକୁ ମନ୍ଦିରମାଳିନୀ ରାଣୀପୁର ଝରିଏଲରେ ଚଉଷଠି ଯୋଗିନୀ ମନ୍ଦିର ନିଜର ଜିର୍ଣ୍ଣ କଳେବର ନେଇ ଆଜି ବି ଠିଆ ହୋଇଛି।
ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରୁ ୧୦୭ କିଲୋମିଟର ଦୂର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦୁଇଟି ଜମଜ ଗାଁ ରାଣୀପୁର ଓ ଝରିଏଲରେ ଲହଡ଼ି ତୁଲ୍ୟ ବିରାଟ ପଥର ଚଟାଣରେ ଛୋଟବଡ଼ ୪୮ ଗୋଟି ମନ୍ଦିର ଏବଂ ୩୦ରୁ ଅଧିକ ପିଢା ରହିଅଛି। ଗୋଳାକାର ଶୂନ୍ୟାକାଶ ମନ୍ଦିର କାନ୍ଥର ସ୍ୱତନ୍ତ୍ର ୬୪ ଗୋଟି ଜୁଲକାରେ ୬୪ ଯୋଗିନୀଙ୍କ ମୂର୍ତ୍ତି ଅଦଭୂ ନୃତ୍ୟମୁଦ୍ରାରେ ରହିଛନ୍ତି। ମନ୍ଦିର କେନ୍ଦ୍ରରେ ଗୋଟିଏ ଛାତଯୁକ୍ତ ତୋରଣରେ ତ୍ରୀମୁଖି ଅଷ୍ଟଭୂଜା ଉର୍ଦ୍ଧ୍ୱଲିଙ୍ଗି ଶିବ ମୂର୍ତ୍ତି ଆନନ୍ଦତାଣ୍ଡବ ନୃତ୍ୟମୁଦ୍ରାରେ ରହିଛନ୍ତି। ପ୍ରତ୍ନତତ୍ତ୍ୱବିଦ ଡ. ଜିତାମିତ୍ର ସିଂଦେଓଙ୍କ ଅନୁସାରେ ଯୋଗିନୀ ମନ୍ଦିର ଯଯାତିକେଶରୀଙ୍କ ଦ୍ୱାରା ନବମ ଶତକରେ ତିଆରି କରା ଯାଇଥିଲେ।
ଏହାର ନେପଥ୍ୟ କାହାଣୀ କହିବାକୁ ଯାଇ ଡ. ଦେଓ କହନ୍ତି ମତ୍ତମୟୂର ଶୈବ ସଂପ୍ରଦାୟଙ୍କ ଶେଷ ଗୁରୁ ଗଗନଶିବ ଦ୍ୱିତୀୟ ବା ବ୍ୟୋମଶିବଙ୍କ ଆଗ୍ରହରେ ଚଉଷଠି ଯୋଗିନୀ ମନ୍ଦିର ତିଆରି ହୋଇଥିଲା। ସୋମେଶ୍ୱର ମନ୍ଦିର ଗାତ୍ରରେ ଖୋଦିତ ଲିପି ଜରିଆରୁ ମନ୍ଦିରଟି ଗଗନଶିବ ଦ୍ୱିତୀୟଙ୍କ ଦ୍ୱାରା ତିଆରି ହୋଇଥିବା ଜଣାପଡେ। ମତ୍ତମୟୂର ଶୈବ ସଂପ୍ରଦାୟର ଇତିହାସରେ ରାଣୀପୁର ଝରିଏଲ ଏକ ପ୍ରମୁଖ ସ୍ଥାନ ଦାବୀ କରେ। ଆଠ ସ୍ତରୀୟ ଗୁରୁଶିଷ୍ୟ ପରମ୍ପରାରେ ମତ୍ତମୟୂର ସମ୍ପ୍ରଦାୟର ଶେଷଗୁରୁ ହେଉଛନ୍ତି ଗଗନଶିବ ଦ୍ୱିତୀୟ। ଏଥି ସହିତ ମନ୍ଦିରର ଗର୍ଭଗୃହ ପ୍ରବେଶ ଦ୍ୱାରର ଡାହାଣରେ ଇଶାନ ଶିବଙ୍କ ମୂର୍ତ୍ତି ଖୋଦିତ ହୋଇଅଛି। ମତ୍ତମୟୂର ଗୁରୁଶିଷ୍ୟ ପରମ୍ପରାରେ ମନ୍ଦିର ତିଆରି କଲେ ନିଜର ଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥାଏ। ଯାହା ସୋମେଶ୍ୱର ମନ୍ଦିରରେ ଗଗନଶିବଙ୍କ ଗୁରୁ ଈଶାନ ଶିବଙ୍କ ମୂର୍ତ୍ତି ରହିଅଛି। ପରବର୍ତ୍ତି ସମୟରେ ଗଗନଶିବ ଦ୍ୱିତୀୟ ନିଜର ଉପଲବ୍ଧି ଚଉଷଠି ଯୋଗିନୀ ଶକ୍ତି ଉପାସନା ମାଧ୍ୟମରେ ନେଲେ। ଚଉଷଠିଯୋଗିନୀ ପରମ୍ପରା ଆରମ୍ଭ ହେଲା। ଏଣୁ ରାଣୀପୁର ଝରିଏଲ ବିଶ୍ୱରେ ଆଦିଯୋଗିନୀ ତନ୍ତ୍ରପିଠ ଭାବରେ କ୍ଷାତ। ଏହାର ବିସ୍ତାର ସର୍ବଭାରତୀୟ ସ୍ତରରେ ଦେଖାଯାଏ। ବର୍ତ୍ତମାନ ମଧ୍ୟ ରହିଥିବା ନଅଗୋଟି ଯୋଗିନୀ ମନ୍ଦିର ମଧ୍ୟରୁ ଓଡ଼ିଶାରେ ଦୁଇଗୋଟି ବୃତ୍ତାକାର ମନ୍ଦିର ଦେଖାଯାଏ। ରାଣୀପୁର ଝରିଏଲ ପରେ ଭୂବନେଶ୍ୱର ନିକଟସ୍ଥ ହୀରାପୁରରେ ମଧ୍ୟ ଗୋଟିଏ ଯୋଗିନୀ ମନ୍ଦିର ଦେଖାଯାଏ। ଏହାମଧ୍ୟ ସୋମବଂଶୀଙ୍କ କୃତ୍ତି ଅଟେ। ଉଭୟ ମନ୍ଦିରରେ ଆଙ୍ଗିକ ବ୍ୟତୀତ ଅନେକ ପ୍ରଭେଦ ଦେଖାଯାଏ। ହୀରାପୁରର ସମସ୍ତମୂର୍ତ୍ତି ମାନବାକୃତି ଥିବାବେଳେ ରାଣୀପୁର ଝରିଏଲର ମୂର୍ତ୍ତୀମାନଙ୍କ ମଧ୍ୟରୁ ୨୭ ଗୋଟି ମୂର୍ତ୍ତୀ ପଶୁମୁଣ୍ଡ ଓ ମଣିଷ ଶରୀର ଆକୃତିର ଅଟନ୍ତି।

ଯୋଗିନୀଙ୍କ ବ୍ୟାକ୍ଷାନ କଲାବେଳେ ଡ. ଦେଓ କହନ୍ତି ହଠଯୋଗ ପ୍ରଦୀପ ଗ୍ରନ୍ଥରେ କୁହାଯାଇଛି ଯେଉଁ ନାରୀ ବଜ୍ରୋଳୀମୁଦ୍ରାରେ ସିଦ୍ଧିଲାଭ କରନ୍ତି ତାଙ୍କୁ ଯୋଗିନୀ କୁହାଯାଏ। ସାଧାରଣତଃ ଯୋଗୀର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ଯୋଗିନୀ ବୋଲି ବୁଝାଯାଏ। ଏହାକୁ ପୁରାତତ୍ତ୍ୱ ଅଧ୍ୟେତା ସାଲେଗ୍ରାମ ହୋତା ଅନ୍ୟ ପ୍ରକାରେ ବ୍ୟାକ୍ଷା କରିଥାନ୍ତି। ଉଡ୍ଡୀୟାନ ଯାହାକୁ ଅନେକ ପୁରାତତ୍ତ୍ୱବେତ୍ତା ଦକ୍ଷିଣ କୋଶଲ ବୋଲି ଚିହ୍ନିତ କରିଥାନ୍ତି। ଏହି ଉଡ୍ଡୀୟାନର ମୂଳ ଦର୍ଶନ ସହ ଶାକ୍ତ ପରମ୍ପରାର ଏକ ଅଙ୍ଗ ଭାବେ କହିଥାନ୍ତି। ଯୋଗିନୀ ପରମ୍ପରାର ଇତିହାସ ବ୍ୟାକ୍ଷା କଲାବେଳେ ପ୍ରାଚୀନ ପରମ୍ପରା ଉପରେ ଆଲୋକପାତ କରିଥାନ୍ତି। ପୁରୁଷ ଓ ପ୍ରକୃତି ପ୍ରତି କୃତଜ୍ଞ ଓ ଆନୁଗତ୍ୟତା ରଖି ସାଂଖ୍ୟ ଦର୍ଶନର ବିକାଶ ହୁଏ। ଯାହାକୁ ଶିଳାଲିପି ଆକାରରେ ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା ଉପତ୍ୟକାରେ ଡ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଦ୍ୱାରା ପାଠୋଦ୍ଧାର ହୋଇଥିବା କହନ୍ତି। ଦୃଷ୍ଟ ଲୋପ ଓ ଦ୍ୱିମ ତିନୋଟି ଶବ୍ଦକୁ ସତ୍ତ୍ୱ ରଜ ଓ ତମ ବୋଲି ଉଲ୍ଲେଖ କରିଛନ୍ତି।
ସାଂଖ୍ୟ ପରମ୍ପରାର ବହୁ ବିଭିନ୍ନମାର୍ଗ ରହିଅଛି। ଗୋଟିଏ ମୌଳିକ ମାର୍ଗ ହେଲା କୌଳ। ମଣିଷ ଯେତେବେଳେ ବଣଜଙ୍ଗଲରେ ଘୁରି ବୁଲୁଥିଲା କୌଳଜ୍ଞାନ ଆଧାରରେ ନିଜର ପୂର୍ବଜଙ୍କ ଡୁମାକୁ ଗିରିଗୁମ୍ଫାରେ ରଖିଲା। କୌଳଜ୍ଞାନ ଯାହା କୂଳ ବା ବଂଶକୁ ଗୁରୁତ୍ୱ ଦେଇଥାଏ। ପ୍ରକୃତିର ଅଂଶ ଝରଣା, ଉଦ୍ଭିଦ, ସରିସୃପ, ପଶୁ ଅବା ପକ୍ଷୀଙ୍କୁ ଅନୁକରଣ କରି ପ୍ରାଚୀନ ମଣିଷ ନିଜର ପରିବେଶ ସହ ବଂଚି ଶିଖିଲା। କ୍ରମେ କୌଳ ବା ବଂଶ ଭାବନା ଏହି ପ୍ରାକୃତିକ ଅଂଶମାନଙ୍କୁ ନିଜର ରକ୍ଷକ ଓ ଦିକଦର୍ଶକ ବୋଲି ଚିନ୍ତା କଲେ। ଯାହା କୂଳଦେବୀ, ଏହି କୂଳଦେବୀ କୃଷି ସଭ୍ୟତାରେ ପାଟଦେବୀ ହୋଇଛନ୍ତି।
ପାଟର ବ୍ୟାକ୍ଷା କଲାବେଳେ ପ୍ରାଚୀନ ମଣିଷର ଜୀବନଶୈଳୀ ଉପରେ ଆଲୋଚନା ହୋଇଥାଏ। ମଣିଷ କୃଷିକୁ ଆପଣାଇଲା ପରେ ପାହାଡ ଅପେକ୍ଷା ସମତଳ ଭୂମିର ଆବଶ୍ୟକତା ରହିଲା। ପ୍ରଥମେ ଜଳଉତ୍ସ ନିକଟରେ ମଣିଷ ରହିଥିଲା। ଯାହାକୁ ପାଟ କୁହାଗଲା। ପାଟ ଅର୍ଥାତ ସନ୍ତସନ୍ତିଆ ଜମି। ଅରଣ୍ୟରେ ପରିପୂର୍ଣ୍ଣ ଅଞ୍ଚଳର ଜମି ସନ୍ତସନ୍ତିଆ ରହିଥିଲା। ଏହି ଜମିକୁ ଚାଷ ଉପଯୋଗୀ କରାଗଲା। କୌଳ ଭାବନାରେ ନିଜର ସଂରକ୍ଷକ ଦେବୀ ଅବା ଦେବତାଙ୍କୁ ପାଟଦେବୀ ବା ପାଟଦେବତା ଆକାରରେ ସ୍ଥାପନ କରାଗଲା। ଯେହେତୁ ପାଟଦେବୀ ଅବା କୌଳଦେବୀଙ୍କୁ ପଶୁ, ପକ୍ଷୀ ଅବା ସରିସୃପ ଆକାରରେ ମଧ୍ୟ ପୂଜା କରାଯାଏ ତେଣୁ ଯୋଗିନୀ ପରମ୍ପରାର ଆଦିରୂପ ମଣିଷ ଶରୀର ସହ ପଶୁ, ପକ୍ଷୀ ଅବା ସରିସୃପ ଆଦି ଇତରଙ୍କ ମୁଣ୍ଡ ରହିବା ଆବଶ୍ୟକ। ଏଥିଯୋଗୁଁ ରାଣୀପୁର ଝରିଏଲର ଅନେକ ଯୋଗିନୀ ମଣିଷ ଶରୀର ପଶୁପକ୍ଷୀ ଆଦି ଇତର ପ୍ରାଣୀ ମୁଣ୍ଡଯୁକ୍ତ ଅଟନ୍ତି। ଏହି ଦର୍ଶନ ମତ୍ସ୍ୟେନ୍ଦ୍ରନାଥଙ୍କ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ସଙ୍କଳନରେ ମଧ୍ୟ ଦେଖା ଯାଇଥାଏ।

ଏଲିଜାବେଥ ଇଂଲିସଙ୍କ ମତରେ ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟଦିନ ସମବେତ ହୋଇ ବାଦ୍ୟ, ନୃତ୍ୟ ଆଦିରେ ପୂର୍ବଜଙ୍କୁ ଶାନ୍ତ କରିଥାନ୍ତି। ଯାହାର ପ୍ରାଚୀନ ରୂପ ଗିରିଗୁମ୍ଫାରେ ଦଶହରା ଓ ଚୈତ୍ରମାସରେ ହେଉଥିବା ଜତରା ଏବଂ ଆଧୁୁନିକ ରୂପ ଡାଲଖାଇକୁ ବୋଲି ଶ୍ରୀ ହୋତା କହିଥାନ୍ତି। ଆଦି ଦର୍ଶନର ଗବେଷକ ଶ୍ରୀ ଅଜିତ କୁମାର ଭୋଇ ଏହି ଉକ୍ତିକୁ ସମର୍ଥନ କରି କହିଥାନ୍ତି ବର୍ଷର ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ଆଜି ବି ପାଟଦେବୀମାନେ ଏକତ୍ରିତ ହୋଇଥାନ୍ତି। ଶୁଲିଆ ଜତରା, ବୁଢାରଜା ଜତରା, ସୁନାଦେଈ ଜତରା ଆଦି। ସେ ଏହାକୁ ଗୁମ୍ଫାଚିତ୍ର ସହ ଯୋଡିଥାନ୍ତି। ଡୁମାଙ୍କୁ ଗୁମ୍ଫା ଭିତରେ ରଖାଯାଏ, ଯାହା ଏବେ ମୃତ୍ୟୁର ଦଶମ ଦିନ ରାତିରେ ଡୁମା ଆଣିଲାବେଳେ ପାଳିତ ହୋଇଥାଏ ଓ ଏହି ଗୁପ୍ତ ଅନୁଷ୍ଠାନରେ ପ୍ରାଚୀନ ଗୁମ୍ଫାଚିତ୍ର ତୁଲ୍ୟ ପ୍ରତୀକମାନଙ୍କୁ ସମ୍ମାନ ଦିଆ ଯାଇଥାଏ। ଏହି ସାମୁହିକ ଓ ପାରିବାରିକ ଅନୁଷ୍ଠାନ ମାନଙ୍କରେ ଯେଉଁ ପାଟଦେବୀମାନେ ଉପସ୍ଥିତ ରହନ୍ତି ତାଙ୍କୁ ଯୋଗିନୀ କୁହାଯାଏ।
ଚାରି ପାଞ୍ଚ ଏବଂ ଛଅ ସଂଖ୍ୟକ ଯୋଗିନୀଙ୍କ ସମୂହ ଦର୍ଶନକୁ ଡାଙ୍କିଣୀ ଦର୍ଶନ କୁହାଯାଏ। ଯାହା ମାଉଲୀ ନାମରେ ବର୍ତ୍ତମାନ ପୂଜିତା ହୁଅନ୍ତି। ସାଂଖ୍ୟ ସହ ଏହି ଦର୍ଶନ ସୁନାବେଡ଼ା ଉପତ୍ୟକାରୁ ଆରମ୍ଭ ହୋଇଅଛି ବୋଲି ହୋତା ଏବଂ ଭୋଇ ଉଭୟେ ଦାବୀ କରନ୍ତି। ଯାହାର ଆନୁଷ୍ଠାନିକ ରୂପ ରାଣୀପୁର ଝରିଏଲର ଚଉଷଠି ଯୋଗିନୀ ମନ୍ଦିର ବୋଲି କହିଥାନ୍ତି।

ବୁଦ୍ଧଙ୍କ ସମୟରେ ଭରଦ୍ୱାଜ ଉଡ୍ଡୀୟାନର ଏହି ଦର୍ଶନ ଉପରେ ଅଧ୍ୟୟନ କରିଥିବା ତାଙ୍କର ସମରାଙ୍ଗନସୂତ୍ରଧାରେ ଗ୍ରନ୍ଥରୁ ଜଣାପଡେ। ପରବର୍ତ୍ତି ସମୟରେ ବୁଦ୍ଧଧମ୍ମ ଉଡ୍ଡୀୟାନର ସାଧାରଣଙ୍କ ଜୀବନଶୈଳୀକୁ ଅନୁକରଣ କରି ତନ୍ତ୍ରଧାରା ଉପରେ ଗବେଷଣା ଓ ପ୍ରଚାର କରିଥିଲେ। ଯାହାକୁ ସହଜ ମାର୍ଗ କୁହାଗଲା। ୮୪ ପା’ଯୋଗୀଙ୍କ ସମେତ ପଦ୍ମସମ୍ଭବ, ପିଟୁପାଦ, ଅଶ୍ୱଘୋଷ, ନାଗାର୍ଜ୍ଜୁନ ଆଦିଙ୍କ ନାମ ବେଶ ସମ୍ମାନର ସହ ନିଆ ଯାଇଥାଏ। ସମ୍ବଲକର ରାଜା ଇନ୍ଦ୍ରଭୁତି ଓ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରା ଏହି ମାର୍ଗର ପ୍ରମୁଖ ପ୍ରବକ୍ତା ରହିଥିଲେ।
ଏହି ସମୟରେ ରାଣୀପୁର ଝରିଏଲ ବେଶ କ୍ଷାତି ପାଇ ସାରିଥାଏ। ସ୍ଥାନୀୟ ମୌଳିକ ଦର୍ଶନ, ବୁଦ୍ଧଧମ୍ମ ଓ ପରେ ପରେ ଆର୍ଯ୍ୟଙ୍କ ଧର୍ମଦର୍ଶନ ମାଧ୍ୟମରେ ବିଶେଷ ଅଧ୍ୟୟନ ଏହି ପିଠରେ ହୋଇଥିଲା।
ଉପରୋକ୍ତ ଯୋଗିନୀ ପରମ୍ପରାର ସତ୍ୟତକୁ ପ୍ରମାଣ କରିବାକୁ ଯାଇ ଉଭୟ ହୋତା ଏବଂ ଭୋଇ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ସୀମାରେ ଥିବା ଯୋଗୀମଠ, ରିସିପିଟି ଓ ପଟୁଆ (ପ୍ରସ୍ତର ଯୁଗୀୟ ପଥର କଳା, ଯାହା ବଲାଙ୍ଗୀର-ନୂଆପଡ଼ା ଜିଲ୍ଲା ସୀମାରେ ରହିଅଛି)ର ଉଦାହରଣ ଦେଇଥାନ୍ତି। ଉଭୟ ଜିଲ୍ଲାର ସୀମାନ୍ତ ଏହି କ୍ଷେତ୍ରରେ ପ୍ରସ୍ତର ଯୁଗୀୟ ପ୍ରସ୍ତର କଳା, ଗୁମ୍ଫାଚିତ୍ର ଓ ପାହାଡ଼ ଉପର ପ୍ରାଚୀନ ଅବଶେଷ ମାନଙ୍କ ଉଦାହରଣ ଦେଇଥାନ୍ତି। ଏହାସହ ରାଣୀପୁର ଝରିଏଲ ନିକଟସ୍ଥ ମୁଙ୍ଗେ ଡୁଙ୍ଗରୀ ଏବଂ ଅଲଣ୍ଡାର ଦ୍ୱାରସେନୀ ମନ୍ଦିରରେ ମଧ୍ୟ ଏହିଭଳି ପ୍ରାଚୀନ ଚିତ୍ରକଳା ଏବଂ ପ୍ରସ୍ତର କୃତିମାନ ଦେଖାଯାଏ। ଏହି ଅଞ୍ଚଳମାନଙ୍କରେ ହିଁ ଯୋଗିନୀତତ୍ତ୍ୱର ପୂର୍ବରୂପ ଦେଖିବାକୁ ମିଳିଥାଏ। ଯାହାର ଆଧୁନିକ ରୂପ ରାଣୀପୁର ଝରିଏଲର ଚଉଷଠି ଯୋଗିନୀ ମନ୍ଦିର ଅଟେ ବୋଲି ଦୁଇ ଅଧ୍ୟେତା ମତ ଦେଇଥାନ୍ତି। ହଜାର ହଜାର ଯୋଗିନୀଙ୍କ ମଧ୍ୟରୁ ବୁଦ୍ଧ ଓ ଆର୍ଯ୍ୟମାନେ ୬୪ ପ୍ରାରୁପରେ ବିଭକ୍ତ କରି ଅନୁଷ୍ଠାନ ତିଆରି ଥିବା ମଧ୍ୟ ଦାବୀ କରନ୍ତି।
ନାନା ମୁନିଙ୍କ ନାନା ମତ ଅନୁସାରେ ଉଭୟ ହୋତା ଏବଂ ଭୋଇ ଯେଉଁ ତଥ୍ୟ ଦିଅନ୍ତି ସେହି ଅନୁସାରେ ଆମର ସାଂସ୍କୃତିକ ଧରୋହରକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ନିଶ୍ଚୟ। କିନ୍ତୁ ଏହାର ପ୍ରତିପ କ୍ରିୟା ଶାସନ ନିକଟରୁ ଦେଖାଯାଏ। ପଟୁଆ, ଯୋଗୀମଠ ଓ ରିସିପିଟି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗସ୍ତ ହୋଇ ସାରିଲାଣି। ଏପରିକି ଯୋଗୀମଠର ଗୁମ୍ଫାଚିତ୍ର ଲିଭି ଆସିଲାଣି। ପଟୁଆ ଡୁଙ୍ଗରୀକୁ ପଥର ଫଟେଇବା ପାଇଁ ଅନୁମତି ଦେଇ ପାଖାପାଖି ୩୫ ମିଟର ଅଞ୍ଚଳକୁ ବିସ୍ଫୋରକ ଦ୍ୱାରା ନଷ୍ଟ କରାଯାଇଥିବା ଦେଖାଯାଏ। ଏହାପରେ ମୁଙ୍ଗେ ପାହାଡ଼ ନିକଟ ଅତୀତରେ ବଙ୍ଗୋମୁଣ୍ଡା ତହସିଲଦାର ପଥର ଫଟେଇବା ପାଇଁ ଜଣେ ବ୍ୟବସାୟୀଙ୍କୁ ଅନୁମତି ଦେଇ ସାରିଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ମୁଙ୍ଗେ ଡୁଙ୍ଗରୀ ପଥର ଫଟେଇବା କାମ ବନ୍ଦ କରିଥିଲେ। ତଦୃପ ପଟୁଆ ଡୁଙ୍ଗରୀକୁ ମଧ୍ୟ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ପଥରକ୍ୱାରୀ ତାଳିକାରୁ ବାଦ ଦେଇ ନାହାନ୍ତି।
ରହିଲା ଯୋଗିନୀତନ୍ତ୍ରର ଆଦିରୂପ ଚଉଷଠି ଯୋଗିନୀଙ୍କ ମନ୍ଦିର କଥା। ନିକଟ ଅତୀତରେ ହେମନ୍ତ କୁମାର ପଣ୍ଡା ଆରଟିଆଇରୁ ପାଇଥିବା ତଥ୍ୟ ଅନୁସାରେ କହିଥିଲେ ଯେ ସୁରକ୍ଷା ତ ଦୂରର କଥା ଭାରତୀୟ ପୁରାତତ୍ତ୍ୱ ବିଭାଗ ୬୪ ଯୋଗିନୀଙ୍କ ନାମ ତାଳିକା କରି ନାହାନ୍ତି। ନିକଟ ଅତୀତରେ ଚଉଷଠି ଯୋଗିନୀ ମନ୍ଦିରକୁ ଭାରତୀୟ ପୁରାତତ୍ତ୍ୱ ବିଭାଗ ମରାମତି କରିଅଛି। ପ୍ରାଚୀନ ଜୁଲକା ୬୪ ଗୋଟି ରହିଥିଲା। ମରାମତି ପରେ ଏହି ସଂଖ୍ୟାକୁ ୬୫ କରି ଦିଆ ଯାଇଛି। ଅର୍ଥାତ ଭାରତୀୟ ପୁରାତତ୍ତ୍ୱ ବିଭାଗ ଚଉଷଠି ଯୋଗିନୀ ରକ୍ଷଣାବେକ୍ଷଣ ନାମରେ ଏହାକୁ ବିକୃତ କରି ଦେଇ ସାରିଛି ବୋଲି ବୁଦ୍ଧିଜୀବୀ ମହଲ ଆରୋପ ଲଗେଇଥାନ୍ତି।
କେବଳ ୬୪ ଯୋଗିନୀ ମନ୍ଦିର ନୁହେଁ ଲୋୟର ଇନ୍ଦ୍ର ପାଇପଲାଇନ ବିଛେଇଲା ବେଳେ ପ୍ରାଚୀନ ଛେଲିଆ ମନ୍ଦିରକୁ ନଷ୍ଟ କରି ଦିଆଗଲା। ଏହା ଉପରେ ଅନେକ ଅଭିଯୋଗକୁ ଅଣଦେଖା କରାଗଲା। ଏଥିସହ ଇନ୍ଦ୍ରଲାଠ ମନ୍ଦିରର ସୌନ୍ଦର୍ଯ୍ୟିକରଣ ନାମରେ ଜେସିବି ମସିନ ଦ୍ୱାରା ମାଟି ଖୋଳାଯାଇ ଅନେକ ପ୍ରାଚୀନ ଧରୋହରକୁ ନଷ୍ଟ କରାଗଲା।
ଓଡ଼ିଶା ସଂସ୍କୃତିର ଆଦିରୂପ ଯଦି ସୁରକ୍ଷିତ ନ ରହିବ ତାହେଲେ ଓଡ଼ିଶାର ମୌଳିକତା ନଷ୍ଟ ହୋଇଯିବ। ତେଣୁ ଗଭିର ଅଧ୍ୟୟନ ସହ ପ୍ରାଚୀନତାକୁ ସମ୍ମାନ ଦେଇ ଉପରୋକ୍ତ ପିଠମାନଙ୍କ ପୁନରୁଦ୍ଧାର ଓ ସୁରକ୍ଷା ଆବଶ୍ୟକ ହୋଇପଡେ।

LIKE THIS ARTICLE
Give us a thumbs up!
0 Comments