ମେରିଆ ଏଜେନ୍ସି ଓ ସାଂସ୍କୃତିକ ଦମନ

ଆମକୁ ପଢା ଯାଇଥିବା ଇତିହାସ ଅନୁସାରେ ମେରିଆ ପ୍ରଥା ଆଦିବାସୀଙ୍କ ସାଂସ୍କୃତିକ ପରମ୍ପରା ଅଟେ। ଯେଉଁ ପ୍ରଥାରେ ମେରିଆ ନାମରେ ନରବଳୀ ଦିଆଯାଏ। ଯେହେତୁ ନରବଳୀ ଅମାନବୀୟ ଏବଂ ଆସୁରିକ କାର୍ଯ୍ୟ ଏହାକୁ ଶାସନ ବିରୋଧ କରେ। ପ୍ରକାରାନ୍ତେ ଶାସନ ଆଦିବାସୀ ସମାଜକୁ କୃର ଓ ହିଂସ୍ରକ ସମାଜ ବୋଲି ରାଜନୀତିକ ପରିଚୟ ଦିଏ। ଫଳତଃ ଶାସନକୁ ଏକପ୍ରକାର ଆଦିବାସୀ ଦମନ ପାଇଁ ସ୍ୱୀକୃତି ମିଳିଯାଏ। ଏଣୁ ମେରିଆ ଏଜେନ୍ସି ନାମରେ ଆଦିବାସୀ ଓ ଆଦିବାସୀ ସଂସ୍କୃତି ଉପରେ ଆକ୍ରମଣ କରିବା ପାଇଁ ଏକ ସରକାରୀ ଆକ୍ରାନ୍ତା ବିଭାଗ ତିଆରି ହୁଏ।
ଛୋଟ ଛୋଟ ରାଜ୍ୟରେ (terettory) ବିଭକ୍ତ ଥିଲା। ଫଳରେ ରାଜସ୍ୱ ଆଦାୟ ପାଇଁ କଷ୍ଟ ହେଉଥିଲା। ସେ ସମୟରେ ଜଙ୍ଗଲ ଏବଂ ଜମି ଉପରେ ହିଁ ରାଜସ୍ୱ ଆଦାୟ ହୋଇ ପାରୁ ନ ଥିଲା। ସରକାର ଓ ରାଜାଙ୍କୁ ସ୍ଥାନୀୟ ଅଧିବାସୀଙ୍କ କ୍ରମ ପ୍ରତିରୋଧ ଫଳରେ ଜଙ୍ଗଲ ଓ ଜମି ସରାକରଙ୍କ ନିୟନ୍ତ୍ରଣରେ
ଆସିବା ଅସମ୍ଭବ ଥିଲା। କାରଣ ଜଙ୍ଗଲ ଓ ଜମି ସ୍ଥାନୀୟ ଅଧିବାସୀଙ୍କ ଜୀବନ ଧାରଣ ଏବଂ ସାଂସ୍କୃତିକ ସ୍ରୋତ ଥିଲା। ଏଣୁ ନିଜ ଛଡ଼ା ବାହ୍ୟ ଅନୁ ପ୍ରବେଶକୁ ସମସ୍ତେ ବିରୋଧ କରୁଥିଲେ। ସରକାର ଜଙ୍ଗଲ ଏବଂ ଜମି ଉପରେ ଶାସକୀୟ ନିୟନ୍ତ୍ରଣ ରଖିବା ପାଇଁ ଧର୍ମୀୟ କୂଟନୀତି ହିଁ ଏକମାତ୍ର ପନ୍ଥା ହୋଇ ରହିଲା।
ମାଡ୍ରାସ ପ୍ରେସିଡ଼େନ୍ସି ଦ୍ୱାରା ରସେଲଙ୍କୁ ମେରିଆ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଦାୟୀତ୍ୱ ଦିଆଯାଏ। ରସେଲ ସାଂସ୍କୃତିକ ଦମନ ପାଇଁ ମେରିଆ ଏଜେନ୍ସି ନାମକ ଏକ ଏଜେନ୍ସି ତିଆରି କରନ୍ତି। ଏହି ଏଜେନ୍ସିର ପ୍ରଥମ ଦାୟୀତ୍ୱ ୧୯୩୭-୩୮ରେ କେମ୍ପବେଲ୍‌ଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦେଇ ଘୁମସର ଅଞ୍ଚଳର ଦାୟୀତ୍ୱ ଦିଅନ୍ତି। କେମ୍ପବେଲ ସାହେବ ୨୫ ଟି ସିପାହୀ ୧୭, ମାଡ୍ରାସ ଇନ୍‌ଫେଣ୍ଟ୍ରି (ପଦାତିକ ସୈନିକ) ଏବଂ ୪୪ଟି ପିଅନଙ୍କ ସହ ତାଙ୍କର ପ୍ରଥମଗସ୍ତ ଘୁମସରକୁ ରହେ। (Sacrificing people,Felix Padel. Page-64)
ଘୁମସରରେ ସ୍ୱତନ୍ତ୍ର କ୍ୟାମ୍ପ ତିଆରିକଲେ। ଏହିଠାରୁ ସେ ମେରିଆ ନାମରେ ଆଦିବାସୀ ସଂସ୍କୃତି ଉପରେ ଆକ୍ରମଣ ଆରମ୍ଭ କରଥିଲେ। ସ୍ଥିତି ପରଖିବା ପାଇଁ ସେ ଅନେକ ଗ୍ରାମ ଗସ୍ତକରି ପ୍ରଥମେ ଗ୍ରାମ ମୁଖିଆମାନଙ୍କୁ ସାକ୍ଷାତ କରିଥିଲେ। ନିଜର ପ୍ରାଚୀନ ପରମ୍ପରା ଅନୁସାରେ ଗ୍ରାମମୁଖ୍ୟ କନ୍ଧ ହିଁ ରହନ୍ତି। ପ୍ରଥମେ କେମ୍ପବେଲଙ୍କୁ ନଭେମ୍ବର ୧୯୩୭ ରେ ଗଞ୍ଜାମ କଲେକ୍ଟର ମିଷ୍ଟର ବନରମେନ (Mr. Bannerman) ମେରିଆର ଖବର ଦିଅନ୍ତି। ଜଣେ ଡମ୍ବଲୋକ ମେରିଆ ଅପହରଣ କରି ଗୋଟିଏ କନ୍ଧ ଗାଁର ମୁଖିଆକୁ ସମର୍ପି ଥିବା କଥା କଲେକ୍ଟର ସାହେବକୁ ଜଣାଏ। ଘଟଣାର ତଦନ୍ତ ପାଇଁ କେମ୍ପବେଲ ନିଜେ ସରଜମିନ ତଦନ୍ତ ପାଇଁ ଯାଆନ୍ତି। କିନ୍ତୁ ଗାଁରେ କେହି ମଧ୍ୟ ସ୍ୱୀକାର କରନ୍ତି ନାହିଁ ଯେ ସେମାନେ ମେରିଆ ଆଣିଛନ୍ତି। କେମ୍ପବେଲ ସାହେବ ମେରିଆ ର କୌଣସି ପ୍ରମାଣ ପାଆନ୍ତି ନାହିଁ।
ମେରିଆ ପ୍ରକରଣକୁ ଦେଖିଲେ ସେ ସମୟରେ ଗଞ୍ଜାମ କଲେକ୍ଟରଙ୍କ ଖବର ସତ୍ୟ ପ୍ରମାଣିତ ନ ହେବା ସ୍ୱୟଂ କେମ୍ପବେଲଙ୍କ ଏକ ବଡ଼ ପରାଜୟ ଥିଲା। ସେ ବିଭିନ୍ନ ଉପାୟ କରି ମଧ୍ୟ ଦୀର୍ଘଦିନ ଘଟଣାର ସତ୍ୟତା ଜାଣି ପାରି ନଥିଲେ। ଏହାପରେ ସେ କେତେକ ଉପାୟ ପ୍ରୟୋଗକୁ ଆଣିଲେ।
୧. ବୁଝାମଣା
୨. ବଳପ୍ରୟୋଗ
୩. ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା ଯୋଗାଇବା। (ବିଦ୍ୟାଳୟ ଓ ଚିକିତ୍ସାଳୟ ସ୍ଥାପନ)
୪. ମାତ୍ରାଧିକ କର ଅସୁଲି (ଅନ୍ୟପ୍ରକାରେ ଧର୍ମ ଉପରେ କର ଅସୁଲି)
୫. ଷଡ଼ଯନ୍ତ୍ର
୬. ମଧ୍ୟସ୍ଥି ପ୍ରୟୋଗ ଆଦି।
୧୮୩୮-୩୯ରେ କେମ୍ପବେଲ ସାହେବ କନ୍ଧ ଅଞ୍ଚଳକୁ ଦ୍ୱିତୀୟ ଗସ୍ତ କରନ୍ତି। ସେ ଭାଗ ଭାଗ ହୋଇଥିବା ଛୋଟ ଛୋଟ ସମସ୍ତ ଟେରିଟୋରି (Territory) କୁ ଯାଇ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରନ୍ତି। ଏ ଗସ୍ତ ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ ସାମବିଶୋୟୀ (Sam-Bissoi – ‘Mutah’) ଅଞ୍ଚଳରେ ଦୁଇଟି ଓ ତେନ୍ତୁଲିଘର (Tentilghor) ରେ ଗୋଟିଏ ମେରିଆବଳୀ ଦିଆଯାଇଛି। ଏହି ଦୁଇ ଅଞ୍ଚଳର ପ୍ରତ୍ୟେକ କନ୍ଧଗାଁମାନଙ୍କୁ ମେରିଆ ପୂଜା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଏ ଓ ଅବମାନନା କଲେ କଠୋରରୁ କଠୋର ଦଣ୍ଡ ଦେବାପାଇଁ ସେ ନିଜେ ଯାଇ ପ୍ରଚାର କରନ୍ତି। ଏପରି ଅନେକ ଭୟ ଦେଖାଇବାରୁ କନ୍ଧମାନେ ନିଜର ମେରିଆ ସଂସ୍କୃତିକୁ ଛାଡ଼ି ସ୍ଥିର ହୋଇଗଲେ ବୋଲି ଆଶ୍ୱସ୍ତ ହୁଅନ୍ତି। ଏହାର ଏକ ରିପୋର୍ଟ ୧୫ ଜାନୁୟାରୀ, ୧୯୩୯ ମସିହାରେ ମାଡ୍ରାସ ପ୍ରେସିଡେନ୍ସିକୁ ଦିଅନ୍ତି। ଉକ୍ତ ଚିଠି ନିମ୍ନରେ ପ୍ରଦତ୍ତ କରାଗଲା (Sacrificing people,Felix Padel. Page-66) କିଛି ଦିନ ପରେ ଦେଖିଲେ ଜେ ପ୍ରକୃତରେ କନ୍ଧମାନେ ତାଙ୍କ ପରମ୍ପରା ଛାଡ଼ି ନାହାନ୍ତି। ଏଣୁ ବଳପୂର୍ବକ ମେରିଆ ପରମ୍ପରାକୁ ବନ୍ଦ କରିବା ପାଇଁ ପ୍ରଥମ ଥର ପାଇଁ ଆଦିବାସୀ ଅଞ୍ଚଳ ଉଦୟଗିରି ଠରେ (ଯାହାକି ଏକ ହିନ୍ଦୁ ଗାଁ) ୬୦ ଜଣ ପିଅନକୁ ନେଇ କନ୍ଧମାନଙ୍କ ପାହାଡ଼ରେ ଆଉଟପୋଷ୍ଟ ତିଆରି କରିଥିଲେ।
୧୮୩୮ ମସିହାରେ ଲେପ୍ଟନେଣ୍ଟ ହିଲ (Lt. Hill) କେମ୍ପବେଲ ରିପୋର୍ଟ କରିଥିବା ଅଞ୍ଚଳକୁ ଯାଇ ଏକ ସର୍ଭେକରି ଜାଣିବାକୁ ଚେଷ୍ଟା କରିଥିଲେ ଯେ ପ୍ରକୃତରେ କନ୍ଧମାନେ ମେରିଆ ପ୍ରଥା କେତେ ପରିମାଣରେ ଛାଡ଼ିଛନ୍ତି। ସେ ଜାଣିବାକୁ ପାଇଲେ ଯେ କନ୍ଧମାନେ ମେରିଆ ଛାଡ଼ି ନାହାନ୍ତି। ଏହାକୁ ନେଇ ଉପରସ୍ତ ଅଧିକାରୀଙ୍କୁ ୨ ଜୁଲାଇ, ୧୮୩୮ ମସିହାରେ ନିଜର ରିପୋର୍ଟ ଦେଇଥିଲେ।

୧୮୪୦-୪୧ ମସିହାରେ କେମ୍ପବେଲ ନିଜର ତୃତୀୟଗସ୍ତ କଲେ। ଏହି ଗସ୍ତରେ କନ୍ଧମାନଙ୍କ ମେରିଆ ପ୍ରଥାକୁ ଧରିବା ପାଇଁ ଅନେକ ଯୋଜନା କରିଥିଲେ। ଜାନୁୟାରୀ ୧୮୪୨ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼କଥା ଲେଖି ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟ ଅନୁଯାୟୀ କନ୍ଧମାନେ ୧୨୫ ମେରିଆଙ୍କୁ କଏଦ କରିଥିଲେ ଏବଂ ସମସ୍ତ ୧୨୫ ମେରିଆଙ୍କୁ ସେ ଉଦ୍ଧାର କରିଛନ୍ତି। ମୁକ୍ତ ମେରିଆମାନଙ୍କ ମଧ୍ୟରୁ କନ୍ଧମାନଙ୍କ ଅଞ୍ଚଳରେ ଇଂରେଜମାନଙ୍କୁ … ଡ୍ୟୁଟି ଦେଇ ଚାଷ କରୁଥିବା ଓ ବେପାର କରୁଥିବା ଲୋକ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ ୫୫ ଜଣ କେମ୍ପବେଲ ସାହେବଙ୍କ ସହ ସମ୍ପର୍କ ରଖିଥିବା ଲୋକ, ୨୩ ଜଣ ସରକାରୀ କର୍ମଚାରୀ, ୩୪ ଜଣ ଇଂରେଜ ସମର୍ଥକ, ୧୧ ଜଣ ସ୍ତ୍ରୀ ଓ ଅନ୍ୟାନ୍ୟ ଲୋକ ସାମିଲ ଥିଲେ। ଏଥିରୁ ସ୍ପଷ୍ଟ ଯେ କେମ୍ପବେଲ ସାହେବ ଯେଉଁ ରିପୋର୍ଟ ଦେଇଥିଲେ ସେମଧ୍ୟରୁ ପ୍ରକୃତରେ ଜଣେ ମଧ୍ୟ ମେରିଆ ନଥିଲେ। ରିପୋର୍ଟରେ କଥିତ ସମସ୍ତ ମେରିଆ ବହିରାଗତ ଥିଲେ ଯେଉଁମାନେ କି କନ୍ଧ ଅଞ୍ଚଳକୁ ଆସି କନ୍ଧମାନଙ୍କ ଜଙ୍ଗଲ ଓ ଜମିକୁ କବଜା କରିଥିବା ହେତୁ ସେମାନଙ୍କୁ କନ୍ଧମାନେ ବନ୍ଦୀ କରିଥିଲେ।
କେମ୍ପବେଲ ସାହେବ ଜାନୁୟାରୀ ୧୮୪୩ ମସିହାରେ ପୁନର୍ବାର ୧୧୩ ମେରିଆଙ୍କୁ ଉଦ୍ଧାର କରିଥିବା ଉଲ୍ଲେଖ କରିଛନ୍ତି। ଏପରି ଭାବେ ମେରିଆ ଉଦ୍ଧାର ହୋଇଥିବା କନ୍ଧ ଅଞ୍ଚଳର ଲୋକମାନଙ୍କୁ ମେରିଆବଳୀ ପାଇଁ ଦୋଷାରୋପ କରି ରସୁଲକୁଣ୍ଡା ଜେଲକୁ ନେଇ ବନ୍ଦୀକରି ରଖୁଥିଲେ।
କେମ୍ପବେଲଙ୍କ ପରେ ୧୮୪୬ ମସିହାରେ ମେକଫର୍ସନ (Macpherson. S) ସ୍ୱତନ୍ତ୍ର ନିଯୁକ୍ତି ପାଆନ୍ତି। ମେକଫର୍ସନ ପ୍ରେସିଡ଼େନ୍ସିଙ୍କୁ ବିଶ୍ୱାସ ଦିଅନ୍ତି ଯେ କନ୍ଧମାନଙ୍କୁ ଭୟ ଦେଖାଇ ବା କଷ୍ଟ ଦେଇ ସଂସ୍କୃତିଗତ ପରିବର୍ତ୍ତନ କରିହେବ ନାହିଁ। ଏଣୁ କନ୍ଧମାନଙ୍କ ଧର୍ମ ପରିବର୍ତ୍ତନ ହିଁ ତାଙ୍କୁ ନିୟନ୍ତ୍ରଣ କରିବାର ଏକମାତ୍ର ପନ୍ଥା।
ମେକଫର୍ସନଙ୍କ ମୂଖ୍ୟ ଉଦ୍ଦେଶ୍ୟ ଯେ ଆଦିବାସୀ କନ୍ଧମାନଙ୍କୁ ମିଶନାରୀ ମାଧ୍ୟମରେ ପରିବର୍ତ୍ତନ କରିବା ଏଣୁ ତାଙ୍କସହ ଏକ ନୂତନ ଆସିଷ୍ଠାଣ୍ଟ ଲେଫ୍ଟନେଣ୍ଟ ମେକ ଭିସାର (Lt. Mec Viccar) ଙ୍କୁ ନିଯୁକ୍ତି ଦେଇ ନିଜସହ ରଖନ୍ତି। କାରଣ ଲେଫ୍ଟନେଣ୍ଟ ମେକ ଭିସାର ନିଜେ ଅନେକ ପାଦ୍ରୀ ମିଶନାରୀ ଓ ହିନ୍ଦୁ ସଙ୍ଗଠନ ମାନଙ୍କ ସହ ନିକଟତର ଥିଲେ। ମେକଫର୍ସନ ଘୁମସର ଛଡ଼ା କଳାହାଣ୍ଡି ଓ ପାଟଣା ଅଞ୍ଚଳରେ ନିଜର କାର୍ଯ୍ୟ ଆରମ୍ଭ କରନ୍ତି। ଯେଉଁ ଗାଁ ମାନଙ୍କରେ କନ୍ଧମାନେ ବସତି ସ୍ଥାପନ କରୁଛନ୍ତି ସେହି ଗାଁମାନଙ୍କୁ ମୂଖ୍ୟଲକ୍ଷ ରଖନ୍ତି। ମେକଫର୍ସନ ଦେଖିଲେ ଯେ ଗୋଟିଏ କନ୍ଧ ଅଞ୍ଚଳରେ ନିଜେ କନ୍ଧ ଉମରା ବା ଗାଁ ମୁଖିଆ ମେରିଆକୁ ନିଜେ ହିଁ ଉଚ୍ଛେଦ କରିଛନ୍ତି ଓ ମେରିଆକୁ ନିଜ ଅଞ୍ଚଳରୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହା ଦେଖି ଖୁସି ହୋଇଗଲେ ଓ ଆଶ୍ୱସ୍ଥ ହୋଲେ ଯେ କନ୍ଧମାନଙ୍କୁ ପରିବର୍ତ୍ତିତ କରି ଧର୍ମାନ୍ତର ସମ୍ଭବ ହୋଇପାରିବ। ୧୮୪୬ ମସିହାରେ ମେକଫର୍ସନ ଘୁମସର ସୀମା ଅଞ୍ଚଳର କନ୍ଧମାନଙ୍କ ସହ ବୁଝାମଣା କରି ହିନ୍ଦୁମାନଙ୍କର ମୁଖିଆ ଓ କନ୍ଧମାନଙ୍କର ମୁଖିଆମାନଙ୍କୁ ନେଇ ବିଭିନ୍ନ ଆଲୋଚନା କରନ୍ତି।
କନ୍ଧମାନେ କେବଳ ରାଜାଙ୍କ କଥା ହିଁ ମାନୁଥିଲେ କାରଣ ସେମାନେ ନିଜେ ହିଁ ରାଜାକୁ ଶାସନ ଅଧିକାର ଦେଇଥିଲେ। ଜଣେ ରାଜାଙ୍କ କାକା ଯାହାଙ୍କ ନାମ କୃତ୍ତିବାସ; ସେ ପ୍ରତି ମେରିଆ ପାଞ୍ଚଟଙ୍କା କନ୍ଧମାନଙ୍କ ନିକଟରୁ ଅସୁଲ କରୁଥିଲେ। ମେକଫର୍ସନ କୃତ୍ତିବାସଙ୍କୁ ପାଞ୍ଚଟଙ୍କା ନେବାକୁ ନେଇ ଧମକଚମକ ଦେଇଥିଲେ ଓ ଏହି କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ୧୭୨ ଜଣ କୃତ୍ତିବାସଙ୍କ ଦ୍ୱାରା ପ୍ରରୋଚିତ ଲୋକଙ୍କୁ ଧରିଥିଲେ। ଏହାପରେ କୃତ୍ତିବାସ କନ୍ଧମାନଙ୍କୁ ଭିତିରିଆ (୧୪ ମାର୍ଚ୍ଚ ଓ ୧୯ ମାର୍ଚ୍ଚ ୧୮୪୬ ଦିନ) ସଂଗଠିତ କରି ଆଶ୍ୱାସନା ଦେଇଥିଲେ।
୧ ଏପ୍ରିଲ, ୧୮୪୬ ହଜାରେ କନ୍ଧ ବ୍ରିଟିଶଙ୍କୁ ଆକ୍ରମଣ କରିଥିଲେ। ପ୍ରତିବଦଳରେ ମେକଫର୍ସନ ପାଞ୍ଚଟି କନ୍ଧ ଗ୍ରାମକୁ ନିଆଁ ଲଗାଇ ଜାଲି ଦେଇଥିଲେ। ଏବଂ ଗ୍ରାମଦାହକୁ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ଭାବେ ସରକାରଙ୍କ ଗାରିମା ରକ୍ଷା ପାଇଁ ଗ୍ରହଣ କରାଯାଇ ଥିଲା।

ଉପସଂହାର

ଇଂରେଜ ଶାସନକୁ କନ୍ଧଦେଶ ଆସେ। ମେରିଆ କମିଶନ ଗଠନ ପୂର୍ବରୁ କନ୍ଧମାନେ ନିଜେ ନିଜେ ନିର୍ଣ୍ଣୟ ନେଇ ମେରିଆ ପ୍ରଥା ବନ୍ଦ କରି ସାରିଥିଲେ। ଏହାର ଦସ୍ତାବେଜ ମଧ୍ୟ ଉପଲବ୍ଧ। ମେରିଆ ବଳୀ ବନ୍ଦ ହୋଇଥିବା ପୃଷ୍ଠଭୂମୀ ଏହିପରି।
ଦିନେ ଚନ୍ଦ୍ରପୁର କୋଟିଆମାଲରେ ହନୁମନ୍ତପୁର ପାଖ କୁର୍ଲିବାଲି ଗାଁର କଥା। ଜାନି ନିଜର ଜନ୍ମିତ କନ୍ୟା ରାଈ ମାଝୀକୁ ବଳୀ ପାଇଁ ବିଧିବିଧାନ ପାଳନ ବେଳେ ଧରଣୀଦେବୀ ନିଜେ ରାଈଙ୍କୁ କାଳିସୀ ଲାଗିଲେ। କାଳୀସୀ ନିର୍ଦ୍ଦେଶ ଦେଲେ ସମସ୍ତ କନ୍ଧ ଦେଶରେ ଘୋଷଣା କରଦିଅ ଆଜି ଦିନଠାରୁ ମଣିଷ ବଳୀ ବନ୍ଦ ହେବ। କାଳିସୀ ନିଜେ ଗୋଟିଏ ଗାଢ଼ ଖୋଳିବାକୁ ନିର୍ଦ୍ଦେଶ ଦେଲେ ଓ ସ୍ୱଦେହରେ ଗାଢ଼ ଭିତରକୁ ପ୍ରବେଶ କଲେ। ପ୍ରତିବଦଳରେ ବିଜିନା ନାମକ ଗୋଟିଏ ପୋଢ଼କୁ ବଳୀ ଉପହାର ଦିଆଗଲା। ଏଣୁ ଦୁଇଜଣଙ୍କ ନାମ ମିଶି ଶେଷ ମଣିଷ ଓ ପୋଢ଼ବଳୀର ନାମ ରାଈବିଜି ଭାବେ ପ୍ରସିଦ୍ଧ ହେଲା। ସେହିଦିନୁ କୁର୍ଲିବାଲି ଗାଁ ରାଈବିଜି ନାମରେ ମଧ୍ୟ ପରିଚିତ ହୋଇଥାଏ। କନ୍ଧ ନିଜେ ନିଜ ପରମ୍ପରାରେ ସଂସ୍କାର ଆଣେ। କନ୍ଧ ଗାଁ ବସେଇଲେ ମଣିଷ ବଳୀ ଦେବାକଥା ସର୍ବବିଦିତ ଥିଲା। ଯାହାକୁ ମେରିଆ ପ୍ରଥା ବୋଲି କୁହାଯାଏ। ଶେଷ ମେରିଆ ରାଈ ମାଝୀର ବଳୀଦାନ ପରେ ମଣିଷ ବଦଳରେ ମେରିଆପ୍ରଥାରେ ପୋଢ଼ବଳୀର ପ୍ରଚଳନ ହୁଏ। ଏହାକୁ କୌଣସି ବ୍ରଟିଶ ଶାସନ, କୌଣସି ଧର୍ମାଚାର, କୌଣସି ବହିରାଗତ ଧର୍ମ କି ବିଚାରଧାରା ଅବା ଶାସନ ମେରିଆ ସଂସ୍କାର ଆଣି ନାହାନ୍ତି। କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମେରିଆ କମିଶନ ଗଠନ କରେ। ଏହାଦ୍ୱାରା ଉଦ୍ଦେଶ୍ୟ ସ୍ପଷ୍ଟ ହୁଏ ଯେ କୌଣସି ମଣିଷବଳୀକୁ ରୋକିବା ପାଇଁ ମେରିଆ କମିଶନ ଗଠିତ ହୋଇନଥିଲା। ଫେଲିକ୍ସ ପେଡେଲଙ୍କ ପୁସ୍ତକରେ ମେରିଆ କମିଶନ ଗଠନ କରି କମ୍ପାନୀର ଧର୍ମାନ୍ତରଣ ଉଦ୍ଦେଶ୍ୟ ଥିବା କଥା ସ୍ପଷ୍ଟ କରାହୋଇଛି।