କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ, ସମୁଦ୍ର ପତନରୁ ୭୨୩ ମିଟର ଉଚ୍ଚ ଏହି ପାହାଡ଼ ଓ ଘଞ୍ଚଜଙ୍ଗଳ ଘେରା ଅଞ୍ଚଳର ନାକରୁଣ୍ଡି ଗ୍ରା.ପରୁ ଛଅ କିଲୋମିଟର ଗଲେ ପଡ଼େ ବାଜିଙ୍ଗଦର ପାହାଡ଼ି ନଈ; ତା’ସେପଟେ ଛୋଟ ଡୁଙ୍ଗରୀ ଯାହା ଉପରେ ଅଛି ମେଳଘରା ୬୨ ପରିବାର ରହୁଥିବା ଏକ ଆଦିବାସୀ ଗାଁ। ଦାନ ମାଝୀ ନିଜର ତିନି ଝିଅ ଓ ସ୍ତ୍ରୀ ଅମାଙ୍ଗଦେଈଙ୍କୁ ନେଇ ପରିବାର କରେ। ବଡ଼ ଝିଅ ସପୁରି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ରାବଗୁଡ଼ା ଗାଁରେ ବିବାହ ଦେଇଛି। ତିନି ଝିଅ ସାନ୍ଦିନୀ, ସବାଇ ଓ ପ୍ରମିଳାଙ୍କୁ ନେଇ ନିଜର ପୈତୃକ ଘରେ ରହେ। ନିଜର ୩୩ ଡିସମିଲ ଗାଁରେ ଆଉ ଗାଁରୁ ଦେଢ଼ କିଲୋମିଟର ଦୂର ଏ.୧.୯୦ ଡି. ପାହାଡ଼ି ଜମିରେ ଚାଷ କରି ଚଳେ। ଜଙ୍ଗଲି ଲୋକ ବାହାଁ ଯେମିତି ମାଜିବ ସେମିତି ଖାଇବ। ପରିବାରର ମୂଖ୍ୟ ଆୟ ଜଙ୍ଗଲ ଆଉ ସରକାରୀ କାମ(ଯାହା ମିଳେ ତାହା ସରକାରୀ ବାବୁର କି କୁଜି ନେତାର ଦୟା ଉପରେ ଥାଏ)। ଦାନ ଚାଷ କରେ, ମଜୁରୀ କରେ। ନିଜର ଜମିରେ ଚାଷ କରେ; ପ୍ରତିବର୍ଷ ସରକାରଙ୍କୁ ନିଜର ରହୁଥିବା ଘର ସହ ଜମି ଦୁଇଟିର ବି ସେସ ଦିଏ। ଆଉ ସେ ଦୁଇଟି ଚାରି ଚାରି ଡିସମିଲ ଘରବାରିର ବି ସେସ ଦିଏ ଯାହାକୁ ସେ ସରକାରଙ୍କଠୁ ପାଇଛି ଆଉ ଆଜି ପର୍ଯ୍ୟନ୍ତ ଦେଖିନି ଯେ ସେ ଆଠ ଡିସମିଲ ଜାଗା କଉଠି ଅଛି। ଚଳିଯାଏ ବାସ ସେପରି ଯେପରି ଅନ୍ୟ ଅନେକ ପରିବାର ସେ ଜଙ୍ଗଲ ଗାଁମାନଙ୍କରେ ଚଳନ୍ତି। କାହା ପ୍ରତି ଆକ୍ଷେପ ନାହିଁ କି ଆରୋପ ନାହିଁ। ଝିଅମାନଙ୍କ ପାଠପଢ଼ା ପ୍ରତି ଉଦାସିନ ଦାନ ପାଇଁ ବଞ୍ଚିବା ଟା ହିଁ ଧର୍ମ; ପଡୋଶୀ ସହ ପରିବାର ସହ।
ଏହି ଧର୍ମ ହିଁ ତାର ପୃଥିବୀର ଗୋଟିଏ ସୀମାରେଖା ତିଆରି କରି ଦେଇଛି। ନାକରୁଣ୍ଡି ଗ୍ରାମପଞ୍ଚାୟତକୁ ବିଶେଷ ସରକାରୀ କାମରେ ଯାଏ। ଆଉ ସବୁ ସରକାରୀ କାର୍ଯ୍ୟାଳୟ ତା’ପାଇଁ ଅପରିଚିତ। ଯଦି ପଞ୍ଚାୟତ ଇଓ କି ସରଞ୍ଚଚ ପାଖରେ କାମ ଅଛି ସମାଧାନ ହୋଇ ପାରୁନି ତା’ହେଲେ ସେ ଘରର ଦେବତା ମିରଚୁକ କୁ କହିବ ଦେଖ ମୋର କାମ ଯେନ୍ତା ହେଇଜଉ! ରୋଗ ବଇରାଗରେ ବି ପରିବାରର ପ୍ରତିକାର ଯଥେଷ୍ଟ, ନ ହେଲେ ମିରଚୁକ କି ଡଙ୍ଗରବୁଢ଼ା ଅଛି ସେ ସମ୍ଭାଳି ନେବ। ନ ହେଲେ ସରକାରୀ ଉଷୋ(ଔଷଧ) ପାଇଁ କ୍ୱାକ୍ କି ସ୍ୱାସ୍ଥ୍ୟକର୍ମୀ ପାଖକୁ ନେବ। ବେଶି ହେଲେ ନାକରୁଣ୍ଡିର ଡାକ୍ତରବାବୁ ଅଛନ୍ତି। ଚାରି ସନ୍ତାନର ଜନନୀ ଅମାଙ୍ଗଦେଈ ରୋଗରେ ପଡ଼ିଲା। ସାଧ୍ୟମତେ ତାର ସମସ୍ତ ପ୍ରତିକାର କଲା ଦାନ। ଆଦିବାସୀ ଘରଣୀ ଅମାଙ୍ଗଦେଈ; ପବନ ଟିକେ ଯା’ଆସ କରୁଥିବା ପରିଯନ୍ତେ ପରିବାର ପାଇଁ ସେ ଶୀତଳ ବୃକ୍ଷ। ଅମାଙ୍ଗଦେଈର ସ୍ୱାସ୍ଥ୍ୟ ଗୁରୁତର ହେବା ଦେଖି ତିନି ହଜାର ଟଙ୍କାରେ ଦୂର ଗାଁରୁ ଗୋଟିଏ ବୋଲେରୋ ଗାଡ଼ି ଭଡ଼ାକରି ୨୩ ଅଗଷ୍ଟ ଦିନ ୧୨ଟା ପରେ ଭବାନୀପାଟଣା ସଦର ଡାକ୍ତରଖାନାକୁ ପହଞ୍ଚିଲା। ଗାଡ଼ିବାଲା ହରବର ହେବାଦେଖି ଭଣଞ୍ଜା ସୀତାରାମ ମାଝୀ ଗାଡ଼ି ସହ ଗାଁକୁ ଫେରିଲେ। ଏକଲା ଦାନ ଝୀଅ ସାନନ୍ଦୀ (୧୩) ସହ ରହିଲେ ସ୍ତ୍ରୀର ଚିକିତ୍ସା ପାଇଁ। ପୂର୍ବରୁ ଜ୍ୱର ହୋଇ ଅମାଙ୍ଗଦେଈ ଦୂର୍ବଳ ହୋଇଯାଇଥିଲା। ଯକ୍ଷ୍ମାପିଡ଼ିତ ଅମାଙ୍ଗଦେଈକୁ ଯକ୍ଷ୍ମା ୱାର୍ଡ଼ରେ ରଖାଗଲା। ଦାନ ଏକ୍ସରେ ବାବଦକୁ ୩୫୦ଟଙ୍କା ଓ ରକ୍ତ ପରୀକ୍ଷା ବାବଦକୁ ୨୦୦ଟଙ୍କା ଦେବାପରେ ଦସ୍ତଖତ ପାଇଁ ୧୦୦ ଟଙ୍କା ଓ ସିଲ ବାଡ଼େଇବା ପାଇଁ ଦଶଟଙ୍କା ଦେଇଥିଲେ। ଏହାପରେ ଚିକିତ୍ସା ଓ ଔଷଧ ବାବଦ ଖର୍ଚ୍ଚ ବାକି ଅଛି। ଦୂର୍ବଳ ଅମାଙ୍ଗଦେଈକୁ ଦେଖି ଡାକ୍ତର ଦାନକୁ କହିଲେ ତୁମେ ରୋଗୀକୁ ବୁର୍ଲା ନେଇଯାଅ। ଏକେତ ପଇସାର ଅଭାବ; ଜୀବନରେ ପ୍ରଥମଥର ଭବାନୀପାଟଣା ଦେଖିଥିବା ଦାନ ପାଇଁ ବୁର୍ଲା ଥିଲା ଅପଞ୍ଚଚ। ସହରରୁ ମାତ୍ର ଆଠ କିଲୋମିଟର ଦୂର କାମଠଣା ଗାଁରେ ଯକ୍ଷ୍ମା ରୋଗ ଚିକିତ୍ସାଳୟ ଅଛି। ଏକଦା ଯକ୍ଷ୍ମାରୋଗୀଙ୍କ ତାରଣକ୍ଷେତ୍ର ଭାବେ ପରିଚିତ କାମଠଣା-ଡାକ୍ତରଖାନା ଆଜି ତାର ପୂର୍ବ ଗୌରବ ହରେଇ ସାରିଛି। ବଡ଼ ବଡ଼ ଗଛ ଘେରା କୁଡ଼ିଆ ସଦୃଶ କିଛି ଧାଡ଼ି ଘରେ ଚାଲୁଥିବା ଡାକ୍ତରଖାନାର କ୍ଷାତି ଆଜି କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ଅତ୍ୟାଧୁନିକ(?) କୋଠା ବି ଅମାଙ୍ଗଦେଈର ଚିକିତ୍ସା ପାଇଁ ଅସମର୍ଥ। ଦାନ ନେହୁରା ହେଲା ସ୍ତ୍ରୀର ଚିକିତ୍ସା ଏଠାରେ କରାଯାଉ କାରଣ ସେ ଆଗକୁ ଅସମର୍ଥ। ଚିକିତ୍ସା ଆରମ୍ଭ ହଲା। ଚିକିତ୍ସା କରୁଥିବା ଭିତରେ ଭଣଞ୍ଜା ପଇସାପତ୍ର ଖଞ୍ଜି (ଯୋଗାଡ଼ କରି) ଆସିବ। ବୁର୍ଲାରେ କିଏ ଅଛି ତା’ର… କ’ଣ ବା କରି ପାରିବ ସେଠି?

ଥୁଆମୂଲ ରାମପୁର; ଅପହଞ୍ଚ ଇଲାକା ବୋଲି ୭୦ ଦଶକର ମଧ୍ୟଭାଗରେ କଲାହାଣ୍ଡି ଜିଲ୍ଲାର କାଶିପୁର ବ୍ଲକକୁ ରାୟଗଡ଼ା (ତତ୍କାଳିନ କୋରାପୁଟ ଜିଲ୍ଲା)କୁ ଦିଆଗଲା ପୈତୃକ ସମ୍ପତିକୁ ଭାଗକଲା ପରି। କାହାକୁ କିଛି କୁହାଗଲା ନାହିଁ। ଅବ୍ୟବସ୍ଥା ଓ ଦାରିଦ୍ର‌୍ୟର ଯେତେସବୁ କଥା ମଣିଷକାନ ଶୁଣିଛି ସେ ସମସ୍ତ ଘଟଣା କଲାହାଣ୍ଡିର ଏହି ଦୁଇ ବ୍ଲକରେ ଦେଖାଯାଏ। ବକ୍ସାଇଟ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ଭର୍ତି ଏହି ଉପତ୍ୟକା ଦାରିଦ୍ର‌୍ୟର ଚରମତାକୁ ଛୁଇଁସାରିଛି ଏହା ଏବକାର ନୁହେଁ ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ପ୍ରକ୍ରିୟାର ଏକ କ୍ରମ। ଉତ୍କଳ ହେଉ କି ବେଦାନ୍ତ ବକ୍ସାଇଟ ଅପହରଣ ପାଇଁ ଆସନ୍ତି। ସ୍ୱପ୍ନ ଦେଖାନ୍ତି କଲାହାଣ୍ଡିର ଭାଗ୍ୟ ପରିବର୍ତ୍ତନ ପାଇଁ। ଯେପରି ସେମାନେ ହିଁ ନିତାନ୍ତ ଆବଶ୍ୟକ ବିକଳ୍ପ। କିନ୍ତୁ ଦନା ମାଝୀ ଓ ଡଙ୍ଗରିଆ ସମେତ ତାର ସମୂହ ଏହି ବଣମୂଳକରେ ରହିଯାନ୍ତି। ତାଙ୍କୁ କୁହାଯାଏ ତୁମେ ଅସଭ୍ୟ, ତୁମର ଉନ୍ନତି ପାଇଁ ତୁମକୁ ମୂଖ୍ୟଧାରାରେ ସାମିଲ କରିବା ପାଇଁ ଆମେ ତୁମକୁ ଏକ ସୁଯୋଗ ଦେବୁ। ତୁମେ ସେଠାରେ ତୁମ ପିଲାପିଲିଙ୍କୁ ପାଠ ପଢ଼େଇବ; କାଳିଆ ଘୋଡ଼ାରେ ଚଢ଼େଇବ!
ଏତେସବୁ କଥା ବୁଝନ୍ତିନି ଦାନ ମାଝୀ ଓ ତାର ସମୂହ। ଦାନ ସକାଳୁ ଉଠି ଜମିର କାମ ସାରିବ, ଜଙ୍ଗଲ ଭିତରକୁ ଯିବ। ଋତୁ ଅନୁସାରେ ଗୋଟେଇବ ଚାଁର, ଟୋଲ, ମହୁଲ, ମହୁ ଇତ୍ୟାଦି। ଆଉ କିଛି ପରିବାରର ଆବଶ୍ୟକତା ନେଇ ଫେରିବ ଘରକୁ। ନିଜର ଛୋଟ ପୃଥିବୀକୁ। କିଏ ବେପାରୀ ଆସିଲେ ଲୁଣ, କପଡ଼ା ଓ କିଛି ଟଙ୍କା ବଦଳରେ ନିଜର ଜଙ୍ଗଲ ସଂଗୃହିତ କି କୃଷି ଉପଜକୁ ଦେଇ ଦିଅନ୍ତି। ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ସହ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ହଜାର ହଜାର କୁଚିଆ ବେପାରୀ ଏହି ଜଙ୍ଗଲ ଇଲାକା ଉପରେ ନିର୍ଭର କରନ୍ତି ନିଜର ପେଟ ପାଟଣା ପାଇଁ। ସେ ଥୁଆମୂଲ ରାମପୁର ହେଉକି ଲାଞ୍ଜିଗଡ଼, କାଶିପୁର ହେଉକି ମାଲକାନଗିରି। କୌଣସି ସରକାରୀ ବାବୁ କି ନେତା ନୁହନ୍ତି ଏହି ବେପାରୀମାନେ ହିଁ ସେତୁ ବାକି ପୃଥିବୀପାଇଁ। ଦାନ ମାଝୀ ପାଇଁ ତାର ଜଙ୍ଗଲ ହିଁ ହେଉଛି ତାର ପୃଥିବୀ; ଏଥିବାଦ ସବୁ ଅପରିଚିତ ଅଲୋଡ଼ା।
ଅମାଙ୍ଗଦେଈର ଚିକିତ୍ସା ଆରମ୍ଭ ହୋଇ ସାରିଥିଲା। ଯକ୍ଷ୍ମା ୱାର୍ଡ଼ରେ ଖଟ ନ ଥିଲା। ଦାନକୁ କୁହାଗଲା ତୁମ ସ୍ତ୍ରୀକୁ ତଳେ ଶୁଆଅ। ନିରୁପାୟ ଦାନ ତଳେ ଗଡ଼େଇଦେଲା ସ୍ତ୍ରୀକୁ। କାନ୍ଥର କିଲାରେ ଝୁଲା ହେଲା ସାଲାଇନ ବୋତଲ। ବୋତଲରୁ ଟପ ଟପ ଔଷଧ ପଡ଼ି ଅମାଙ୍ଗଦେଈର ଶରୀରକୁ ପଶୁଥିଲା; ବର୍ଷାର ବୁନ୍ଦା ଯେପରି ଜଙ୍ଗଲରେ ଜୀବନ ଭରିଦିଏ ଦାନ ଭାବିଲା ଏହାପରେ ସ୍ତ୍ରୀ ତା’ର ଜୀବନ ପାଇବ ଧିରେ ଧିରେ। ନିଜର ଦୃଷ୍ଟିରେ ଆକୁଳ ହୋଇ ସେ ଦେଖୁଥିଲା ସୃଜନର ଟପ ଟପ ଧାରକୁ। ଦାନର ଭାଷାରେ ସ୍ତ୍ରୀ ସୁସ୍ଥ ହୋଇଯିବ… ଟିକେ ଆରାମ ଲାଗି ଜଣେ କର୍ମଚାରୀକୁ ନେହୁରା ହେଲା ଖାଲି ଭୁଇଁରେ ଶୋଇଛି ରୋଗୀ ଲୋକ ତାକୁ ଗଦା ଗୋଟେ ଦିଅ। ଡାକ୍ତରଖାନା କର୍ମଚାରୀଙ୍କ ଧୁତକାରରେ ଦାନ ଚୁପ ହୋଇଗଲା। ଝିଅ ସାନ୍ଦନୀ ବାପାକୁ ଚୁପ ରହିବା ପାଇଁ କହିଲା। ଚିକିତ୍ସା(ସାଲାଇନ) ଚାଲୁଥାଏ ଓ ରାତିରେ ମରିଗଲା ଅମାଙ୍ଗଦେଈ। ଘରେ ମରିଥିଲେ ଭୋ ହୋଇ କାନ୍ଦିଥାନ୍ତେ ସମସ୍ତ ଗାଁ ମାଇପ… ଏ ଡାକ୍ତରଖାନାରେ ସେ ଆଉ ଝିଅ… କାନ୍ଦିଲେ ଭୋ… କରି। ଦୌଡ଼ି ଆସିଲେ କର୍ମଚାରୀ ଜଣେ ଏଃ…! ବୁପ୍‌। ଦିନତମାମ ଦେଖିଛି ଦାନ ଡାକ୍ତରଖାନାରେ କର୍ମଚାରୀଙ୍କ ରାଜୁତି ଆଉ ବର୍ଚ୍ଚସ୍ୱ। ଠକ୍ କରି ଚୁପ ହୋଇଗଲେ ବାପ ଝିଅ। ହେଲେ ଲୁହ ଗଡୁଥାଏ ଦୁଇ ଯୋଡ଼ା ଆଖିରୁ।

କାହା ପ୍ରତି କିଛି ଅଭିଯୋଗ ନ ଥିଲା ଦାନର। ଭଣଞ୍ଜା ସୀତାରାମକୁ କହିଛି ଚିକିତ୍ସା ପାଇଁ ସକାଳକୁ ଟଙ୍କା ଧରି ଆସିବାକୁ। ସେ ଆସିଲେ ସ୍ତ୍ରୀର ଶବକୁ ନେଇ ଗାଁକୁ ଯିବ। ଓଢ଼େଇଥିବା କମ୍ବଳକୁ ଢାଙ୍କିଦେଲା ଅମାଙ୍ଗଦେଈର ମୁହଁରେ, ମୁଣ୍ଡପଟେ ନିଜେ ବସିଲା ଆଉ ସାନ୍ଦନୀ ବସିଲା ଗୋଡ଼ ପଟେ। ଦୁଇଜଣ କର୍ମଚାରୀ ଆସିଲେ। ଶବକୁ ବାହାରେ ରଖିବା ପାଇଁ କହିଲେ। ସେ ବାହାରକୁ ବୋହି ଆଣିଲା ଶବକୁ। ଜରି ଓ ପଲିଥିନ ମୁଣା ଦୁଇଟିକୁ ଝିଅକୁ ଧରିବକୁ କହିଲା। ୱାର୍ଡ଼ ବାହାରକୁ ଶବକୁ ଆଣି ତଳେ ରଖିଛି ପୁଣି ପାଟି ଶୁଣିଲା, ‘ଏ! ତୁଇ ଇନୁ ଲାଁସ କେ ଧରିକରି ଯା…।’ ଶୋକସନ୍ତପ୍ତ ବାପଝିଅ ଅନନ୍ୟୋପାୟ ହୋଇଗଲେ। ଦାନ ଯାହାକୁ ଦେଖିଲା ନେହୁରା ହେଲା, “ମୋର ଲାଗି ଗାଡ଼ି ଗୁଟେ କରିଦିଅ ଆଜ୍ଞା! ମୋର ମାଇକିନାର ଲାଁସ କେ ଧରିକରି ଘରକେ ନେମି।” ସବୁ କାକୁତିମିନତି ନିଷ୍ଫଳ ହେଲା। ଆଦିବାସୀ କନ୍ଧ ଲୋକ, ଭିକ ମାଗିବା ତା’ରକ୍ତରେ ନାହିଁ। ମୋର ସ୍ତ୍ରୀ, ମୋ ସହ ଖଟିବ… ମୋ ସହ ସଂସାର କରିବ… ବଞ୍ଚିଥିବା ଯାକେ ସଂସାର କଲୁ ସେ ମରିଗଲା ବୋଲି ସେମାନଙ୍କୁ ନେହୁରା ହେବି! ଗୋଡ଼ହାତ ଧରିବି!! ଯେନମାନେ ଅନମାନୁଷ(ଅମାନବ)।
ସ୍ତ୍ରୀର ଶବ ପାଖକୁ ଆସିଲା, କମ୍ବଳକୁ ଶବଦେହରେ ଗୋଡ଼େଇଲା, ତା ଉପରେ ଚାଦରକୁ ଗୋଡ଼େଇ ବାନ୍ଧିଲା। କାନ୍ଧରେ ବୋହିଲା ଅମାଙ୍ଗଦେଈର ଶବକୁ; ଝିଅକୁ କହିଲା ଚାଲ… ରାତି ତିନିଟା ପାଖାପାଖି ହୋଇଥାଏ।
ସଦର ଡାକ୍ତରଖାନା ପଛପଟୁ ବାହାରିଲା। ତା’ର ଅପରିଚିତ ପୃଥିବୀ ଓ ଏଠାରେ ଥିବା ଅମଣିଷମାନଙ୍କୁ ପଛକରି ରାସ୍ତା ଧରିଲା; ଯେଉଁରାସ୍ତା ଲମ୍ବିଯାଇଛି ଥୁଆମୂଲରାମପୁରକୁ; ତାର ନିଜ ଆପଣାର ପୃଥିବୀକୁ।
ଦାନ ମାଝୀର ଲକ୍ଷ ଥିଲା ଶଗଡ଼ା ଗାଁ। ଯେଉଁଠାରେ ରହିଲେ ସେ କେଉଁ ନା କେଉଁ ଖୁଚୁରା ବେପାରୀକୁ ଦେଖିବ। କାହା ହାତରେ ଖବର ଦେବ ଗାଁକୁ। ଡାକ୍ତରଖାନା ଡ଼େଇଁଲେ ପଡ଼େ ହିଲଟାଉନ। ଏଠାରେ ପହରା ଦେଉଥିବା ଦୁଇଜଣ ପୋଲିସ ଅଟକାଇଲେ। ଡାକ୍ତରଖାନାରେ ମରିଥିବା ସ୍ତ୍ରୀର ଶବ ନେଉଛି ବୋଲି କହିବା ପରେ ସେମାନେ ତାକୁ ବାଟ ଛାଡ଼ିଦେଲେ। ସକାଳକୁ ପହଞ୍ଚିଲା ଶଗଡ଼ା। ସେଠାରେ ଜଣେ ଯୁବକ ପ୍ରିତମ ନାୟକ ସ୍ତ୍ରୀର ଶବ ବୋହି ଯାଉଥିବା ଦାନକୁ ଦେଖିଲେ। ଫରେଷ୍ଟର ସମେତ ଆଉ ପାଞ୍ଚ ଭଦ୍ରଲୋକ ଜମାହେଲେ। ପ୍ରିତମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେବାସହ କେତେଜଣ ସମସଜସେବୀଙ୍କୁ ମଧ୍ୟ ଖବର ଦେଲେ। ଶଗଡ଼ାରେ ଫରେଷ୍ଟର ବବଲୁ ଖାନ ସମେତ ବିଧାୟକ ପ୍ରତିନିଧି ଓ ଅନ୍ୟମାନେ ଆସିଲେ। ଦାନକୁ ଆର୍ôଥଜ ସହାୟତା ଦେଲେ। ବାଲାଜୀ ସୁରକ୍ଷା ସମିତିର ପ୍ରମୋଦ ଖମାରୀ ଶବବାହକ ଗାଡ଼ି ପଠାଇବା ପରେ ଅମାଙ୍ଗଦେଈର ଶବକୁ ନେଇ ବାପଝିଅ ମେଲଘରା ଗାଁକୁ ଗଲେ।
ଦାନ ନିଜର ସ୍ତ୍ରୀର ଶବକୁ ନେଇ ଗଲା। ହେଲେ ବିଚଳିତ କରିଗଲା ମାନବତାକୁ। ସୋସିଆଲ ମିଡ଼ିଆରେ ଦାନ ସ୍ତ୍ରୀର ଶବ ବୋହିଥିବା ଦୃଶ୍ୟ ଭାଏରାଲ ହୋଇଗଲା। ସମସ୍ତେ ନିଜ ନିଜର ଭିତରକୁ ଅଣ୍ଡାଳିଲେ।

ଘଟଣାଟି ସାଧାରଣ ଭାବେ ଏହିପରି; ଦାନ ମାଝୀ ନିଜ ସ୍ତ୍ରୀର ଚିକିତ୍ସା ପାଇଁ କେବେ ଦେଖି ନ ଥିବା ସହର ଭବାନୀପାଟଣାର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଲା। ସେଠାରେ ସ୍ତ୍ରୀ ମରିଗଲା। ସ୍ତ୍ରୀର ଶବକୁ ନେବାପାଇଁ ଗାଡ଼ି ଯୋଗାଡ଼ କରିବାକୁ କହିଲା। ଗାଡ଼ି ଯୋଗାଡ଼ରେ ଅସମର୍ଥ ଅଥବା ଉଦାସିନ କିଛି କର୍ମଚାରୀ(ସେ ଜିଲ୍ଲା ମୂଖ୍ୟଚିକିତ୍ସା ଅଧିକାରୀ ହୁଅନ୍ତୁ ଅବା ରାତ୍ରି ଦାୟିତ୍ୱରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ହୁଅନ୍ତୁ)ଙ୍କ ଅସହଯୋଗ/ଧୁତ୍କାର ଯୋଗୁଁ ନିଜ କାନ୍ଧରେ ସ୍ତ୍ରୀର ଶବ ବୋହି ବାହାରିଲା ଶଗଡ଼ା ଅଭିମୂଖେ। ଯେଉଁଠାରୁ ତାର ପରିଚିତ ପୃଥିବୀ ଆରମ୍ଭ ହୁଏ। ବାସ୍ ତା’ପରେ…
ଜିଲ୍ଲାପାଳ ଡି. ବୃନ୍ଦା ଡ଼ି ଖବର ପାଇସାରିଥିଲେ ସକାଳ ୯ଟା ପର୍ଯ୍ୟନ୍ତ। ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଫୋନ ଯୋଗେ ପଚାରିଲେ ନିଜର ଅଧସ୍ତନ କର୍ମଚାରୀଙ୍କୁ। ତା’ପରେ ଚୁପ ରହିଲେ। ଯାହା ଶୁଣାଯାଏ ଜିଲ୍ଲାପାଳ ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରୁ ଶାନ୍ତ୍ୱନା ପାଇ ସାରିଥିଲେ।
୨୫ ତାରିଖ ଦିନ କଲାହାଣ୍ଡି ଜିଲ୍ଲାର ଦଶଟି ଗ୍ରା.ପର ଚାଷୀ କୃଷିବୀମା ପାଇଁ ଖଡ଼ିଆଳ ଭବାନୀପାଟଣା ମୂଖ୍ୟରାସ୍ତା ବୋର୍ଡ଼ାଠାରେ ଅବରୋଧ କରିଥିଲେ। ଖବରକାଗଜ ସମେତ ସମସ୍ତ ଗଣମାଧ୍ୟମରେ ଘଟଣାର ଚର୍ଚ୍ଚା ହୋଇ ସାରିଥିଲା। ସବୁଠାରୁ ବେଶି ସୋସିଆଲ ମିଡ଼ିଆରେ ଘଟଣାଟି ପ୍ରତୀକ ହୋଇ ଆସୁଥିଲା। ଜିଲ୍ଲାପାଳ ତରବରରେ ସହାୟତା ନାମରେ ରେଡ଼କ୍ରସ ପାଣ୍ଠିରୁ ଦଶହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇ ହଜାର ଟଙ୍କାର ସହାୟତା ଘୋଷଣା କଲେ। ଅନ୍ୟପଟେ ଏହାର ପ୍ରଶାସନିକ ତଦନ୍ତ ଘୋଷଣା କଲେ, ଯାହାର ଦାୟିତ୍ୱ ଉପଜିଲ୍ଲାପାଳ ସୁଶାନ୍ତ କୁମାର ତ୍ରିପାଠୀଙ୍କୁ ଦିଆଗଲା। ମୂଖ୍ୟମନ୍ତ୍ରୀ ଏପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଦେବନ୍ଧିଆ ଠାରେ ‘ମହାପ୍ରୟାଣ ଯୋଜନା’ର ଶୁଭ ଉଦ୍‌ଘାଟନ କଲେ। ଏହି ଯୋଜନାରେ ୧୦୮ ଗାଡ଼ିରେ ରୋଗୀ ବୁହା ହେବାପରି ଶବ ବୁହା ହେବ। ଅପର ପକ୍ଷରେ ଯେପରି ଘୋଷଣା ହେଲା ଦାନ ହିଁ ଓଡ଼ିଶାର ଶେଷ ସ୍ୱାମୀ ଯିଏ ତା’ସ୍ତ୍ରୀର ଶବକୁ କାନ୍ଧରେ ନେଇଛି।
୨୬ ତାରିଖ ସକାଳେ ଥୁଆମୂଲରାମପୁର ବିଡ଼ିଓ ପିୟୁଷ ଲୁହାର ସକାଳ ୬ଟା ବେଳେ ୨୫ କି.ମି ସୁଗମ ରାଜପଥ ଓ ୨୦ କି.ମି ଦୂର୍ଗମ ପାହାଡ଼ି ରାସ୍ତା ଅତିକ୍ରମ କରି ମେଲଘରା ପହଞ୍ଚିଲେ। ରେଡ଼କ୍ରସ ର ଦଶହଜାର ଓ ହରିଶ୍ଚନ୍ଦ୍ର ଯୋଜନାର ଦୁଇହଜାର ଟଙ୍କା ଦେଇ ଦାନକୁ କହିଲେ ଚାଲ ଜିଲ୍ଲାପାଳ ଡାକିଛନ୍ତି। କଲାହାଣ୍ଡି ଇତିହାସରେ ବୋଧହୁଏ ଏହା ପ୍ରଥମ ଘଟଣା, ଯୋଜନା ଟଙ୍କା ବ୍ଲକମୂଖ୍ୟ ନିଜେ ଏତେ ଦୂର୍ଗମ ପଥ ଅତିକ୍ରମ କରି ପହଂଚେଇଛନ୍ତି। ବିଡ଼ିଓ ନିଜ ଗାଡ଼ିରେ ଦାନ ମାଝୀ, ଝିଅ ସାନ୍ଦିନୀ ଓ ଭଣଞ୍ଜା ସୀତାରାମକୁ ନେଇ ଭବାନୀପାଟଣା ଗଲେ। ଏପଟେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ବୟାନ ଦେଲେ ଯେ ଦାନ ମାଝୀ ତା’ ସ୍ତ୍ରୀ ମରିଯିବା ପରେ କାହାକୁ କିଛି ନ ଜଣାଇ ଶବ ନେଇ ପଳାଇଛି। କଡ଼ା ସୁରକ୍ଷା ବଳୟ ଭିତରେ ଦାନକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଗଲା। ସେଠାରେ ଦାନକୁ ଧମକ ଦେଲେ ସ୍ୱୟଂ ଜିଲ୍ଲାପାଳ ଯେ ତୁମେ ତୁମ ସ୍ତ୍ରୀକୁ ହତ୍ୟା କରିଛ। ପୂର୍ବ ଘଟଣା ଏହା ସ୍ପଷ୍ଟକରେ ଯେ ଜିଲ୍ଲାପାଳ ଭୟଭିତ ହୋଇଯାଇଥିଲେ। ସାଧ୍ୟମତେ ଘଟଣାର ପ୍ରକୋପରୁ ନିଜକୁ ଓ ନିଜର ଅନୁଚରଙ୍କୁ ସୁରକ୍ଷା ଦେବାର ପ୍ରୟାସ କରୁଥିଲେ। କିଛି କାଗଜରେ ଦସ୍ତଖତ ନେଲେ ଓ ଦାନର ସାର୍ଟ ପକେଟରେ ପାଞ୍ଚହଜାର ଟଙ୍କା ଦେଲେ। କହିଲେ କାହାକୁ କିଛି କହିବୁନି। ଯିଏ ପଚାରିଲେ କହିବୁ ମୁଁ କାହାକୁ କିଛି ନ କହି ସ୍ତ୍ରୀର ଶବ ନେଇ ପଳେଇଲି। ଦାନ ହଁ କଲା। ଗଣମାଧ୍ୟମ ପ୍ରତିନିଧିମାନେ ଜମାହୋଇଗଲେ। ପରେ କଡ଼ା ସୁରକ୍ଷା ବଳୟ ଭିତରେ ଦାନକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଗଲା।

ମେଲଘରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ସାଧାରଣ ସମ୍ପାଦକ ଭକ୍ତଚରଣ ଦାସ ଦାନ ଘରେ ବସିଥିଲେ। ତାର ପରିବାରକୁ ଆର୍ôଥକ ସହାୟତା ବି ଦେଲେ। ଆମ ଆଦମି ପାର୍ଟିର କାର୍ଯ୍ୟକର୍ତ୍ତା ଅଂଶୁମାନ ଶତପଥିଙ୍କ ନେତୃତ୍ୱରେ ମେଲଘରାରେ ଥିଲେ। ସର୍ବପ୍ରଥମେ ଜିଲ୍ଲା ବାହାରୁ ଝାରସୁଗୁଡ଼ା ଜିଲ୍ଲାର ‘ମାନବ ସେବା ସଂସ୍ଥାନ’ର ମୂଖ୍ୟ ସୁବାସ ସାହାରେଙ୍କ ଦ୍ୱାରା ସୁବ୍ରତ କୁମାର ବାରିକ ଆର୍ôଥକ ସହାୟତା ପଞ୍ଚାଇଲେ। ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, ବିଧାୟକ ଦିବ୍ୟ ଶଙ୍କର ପଣ୍ଡା, ଭୂପିନ୍ଦର ସିଂ ସିଦ୍ଧୁ, ବିଧାୟକ ବଳଭଦ୍ର ମାଝୀଙ୍କ ଆର୍ଥିକ ସହାୟତା ପହଞ୍ଚି ସାରିଥିଲା।
ବାହାରିନ ପ୍ରଧାନମନ୍ତ୍ରୀ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫା ନିଜ ଦେଶରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରରୁ ଦାନ ମାଝୀର ଖବର ଜାଣି ସେ ମାନବିକତା ଦୃଷ୍ଟିକୋଣରୁ ନିଜର ସହାୟତା ରାଶି ଭାରତୀୟ ଦୂତାବାସର ମୂଖ୍ୟଙ୍କୁ ଡାକି ପ୍ରଦାନ କଲେ। ୧୬ ଡିସେମ୍ବର ୧୯୭୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଆସିଥିବା ପ୍ରିନ୍ସ ଖଲିଫା ବିଶ୍ୱର ଚଳନ୍ତି ପ୍ରଧାନମନ୍ତ୍ରୀ ଯିଏ ଦୀର୍ଘ ସମୟ ଧରି ନିଜର ପଦବୀରେ ରହିଆସୁଛନ୍ତି। ବହାରିନ ଭାରତରୁ ରାଜନୈତିକ, ସାମାଜିକ, ଆର୍ôଥକ, ସାଂସ୍କୃତିକ ଓ ସୁରକ୍ଷା କ୍ଷେତ୍ରରେ ସହାୟତା ପାଇଥାଏ। ସେ ସ୍ୱୀକାର କଲେ ଯେ ମାନବିକତା ଦୃଷ୍ଟିକୋଣରୁ ଏହି ରାଶି ଦାନ ମାଝୀକୁ ପ୍ରଦାନ କରିଛନ୍ତି।
ପ୍ରଶାସନିକ ତଦନ୍ତ ସରିଗଲା ଯେତେବେଳେ ଘୋଷଣା କରାଗଲା ଯେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଚୁକ୍ତି ଭିତିରେ କାର୍ଯ୍ୟ କରୁଥିବା ପୁରୁଷ ନର୍ସଙ୍କୁ ଚାକିରିରୁ ବହିଷ୍କାର କଲେ। କିନ୍ତୁ କାହିଁକି? କିଛି ବୁଝା ପଡ଼ିଲା ନାହିଁ।
କଂଗ୍ରେସ ମେଲଘରାରୁ ଭବାନୀପାଟଣା ଦିବାରାତ୍ର ପଦଯାତ୍ରାରେ ୭୦ କି.ମି ବାହାରିଲେ। ଅନ୍ୟ ସମସ୍ତ ରାଜନୈତିକ ଦଳଙ୍କ ସୂଅ ଛୁଟୁଛି ମେଲଘରାକୁ। ଏହା ସହିତ ସହାୟତା ରଶିର ସୂଅ।
୨୬ ତାରିଖ ଦିନ ଥୁଆମୂଲରାମପୁର ବିଡ଼ିଓ ଦାନ ମାଝୀକୁ ତଦନ୍ତ ନାମରେ ଘରୁ ଉଠାଇ ଆଣିବା କଥାକୁ କେହି ଗୁରୁତ୍ୱ ଦେଲେ ନାହିଁ। ୨୮ ତାରିଖ ଦିନ ‘ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ’ ସ୍ୱଳ୍ପ କାଳୀନ ରାସ୍ତାରୋକ କରିଥିଲା ବଙ୍ଗୋମୁଣ୍ଡା ମୂଖ୍ୟ ଛକ ନିକଟରେ। ସଂଘର ଦାବୀ ଥିଲା ଯେ ଦାନ ମାଝୀ ପ୍ରତି ଯେଉଁ ଅତ୍ୟାଚାର କରାଗଲା ତାର ଫଳ ସ୍ୱରୂପ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବାକୁ ହେଲା। ତା’ବାଦ ବି ତାର ପାରମ୍ପାରିକ ଅଧିକାର ବିଡ଼ିଓଙ୍କ ଦ୍ୱାରା କ୍ଷୁର୍ଣ୍ଣ କରାଗଲା। ‘ତେଲ’ ଆଦିବାସୀ ସମେତ ପ୍ରାୟ ସମସ୍ତ ସାଧାରଣ ଜାତିରେ ଏକ ପ୍ରଥା। ଏହାର ଅର୍ଥ ହେଲା ପରିବାରର କେହି ମରିଗଲେ ଏହାର ତିନି ଦିନ ପରେ ପରିବାର ଓ ଜ୍ଞାତିକୁଟୁମ୍ବ ଏକତ୍ର ହୋଇ ପ୍ରାଥମିକ ଶୁ୍‌ଦ୍ଧି ହୋଇଥାନ୍ତି। ଏହି ଶୁଦ୍ଧି ଅନିବାର୍ଯ୍ୟ କିନ୍ତୁ ତାହାକୁ ବିଡ଼ିଓ କରିବାକୁ ସୁଯୋଗ ଦେଇ ନ ଥିଲେ। କଲାହାଣ୍ଡି ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲାମୂଖ୍ୟ ଚିକିତ୍ସା ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କ ବହିଷ୍କାର ଓ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବୀରେ ରାସ୍ତାରୋକ କରିଥିଲେ। ଏହାର ବିଚାର ନ ହେଲେ ଆଗାମି ଦିନରେ ଧାରଣା ଓ ରାସ୍ତାରୋକର ଚେତାବନୀ ଦେଇଛନ୍ତି। ଲୋକ ପରମ୍ପରା ଓ ଆଦିବାସୀ ଧର୍ମ ବିଶ୍ୱାସକୁ ଦେଖିଲେ ଏହା ନ୍ୟାଯ୍ୟ ଦାବୀ ଅଟେ।
୨୬ ତାରିଖ ଦିନ ଏହି ପତ୍ରକାର ପହଞ୍ଚିଲା ହେମନ୍ତ ଦଳପତିଙ୍କ ସହ। ଦୂର୍ଗମ ଘାଟିରାସ୍ତାକୁ ବର୍ଷା ଅଭେଦ୍ୟ କରି ଦେଇଥିଲା। କୋରାପୁଟରୁ ତିନିଜଣ ଯୁବକ ସମବେଦନା ଜଣାଇବାକୁ ଆସିଥିଲେ। ଜିଲ୍ଲାପାଳଙ୍କ ସହାୟତା ପହଞ୍ଚି ସାରିଥିଲା କିନ୍ତୁ ଏମଜିଏନଆରଇଜିଏ ରେ କାମ କରିଥିବା ପାଉଣା ନା ତ ଦାନ ପାଇଥିଲା ନା ମୃତକ। କିନ୍ତୁ ବେଦାନ୍ତର ମୂଖ୍ୟ ଅନିଲ ଅଗ୍ରବାଲ ନିଜର ଆଠ ଜଣିଆ ପ୍ରତିନିଧି ଦଳ ନେଇ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ। କଲାହାଣ୍ଡିରେ ଏକ ମେଡ଼ିକାଲ କଲେଜ କରିବା ପାଇଁ ଏମଓୟୁ ଦସ୍ତଖତ କଲେ। ସରକାର ଭିତ୍ତିଭୂମୀ ଯୋଗଇବ ପ୍ରଥମ ଦଫାରେ ବେଦାନ୍ତ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ!
କାହାଣୀଟି ଏତିକି!
୧୯୮୫ ମସିହା ଫାନସ ପୁଞ୍ଜି ଓ ରମା ଗହିରଙ୍କ ଛୁଆବିକ୍ରି ଘଟଣାରୁ ମଧ୍ୟରାତ୍ରୀର ପରେ ପରେ ଦାନ ମାଝୀର ଶବ ବୁହା ଘଟଣାକୁ ନିରେଖି ଦେଖିଲେ କଲାହାଣ୍ଡି ଦାରିଦ୍ର‌୍ୟର ନୁହେଁ ଅମଳା ଓ ରାଜନୈତିକ ତାମସାର କ୍ରିଡ଼ାଭୂମୀ ହୋଇ ଆସୁଅଛି। ଏକଦା ସରକାର କୃତ ବଙ୍ଗାଲ ମରୁଡ଼ି ସମୟରେ କଲାହାଣ୍ଡିରୁ ଅର୍ଣ୍ଣ ସହଯୋଗ ଯାଇଥିବା କଲାହାଣ୍ଡିକୁ ଆଜି କ୍ଷୁଧାର୍ତ କରିବାରେ କାହାର କାହାର ହାତ ଅଛି।
କଲାହାଣ୍ଡିର ଇତିହାସ ଖୋଜିଲେ ଏହା ପନ୍ଦର ହଜାର ବର୍ଷରୁ ଅଧିକ ପୁରୁଣା। ରତ୍ôନôôôôôôôôôôôôôôô ପଥର ମାଣିକୁ କୁରୁଣ୍ଡମ କୁହାଯାଏ। କାରୁଣ୍ଡ ଅଂଚଳରୁ ମିଳୁଥିବା ହେତୁ ଏହି ରତ୍ନର ନାମକରାଣ ଏପରି ହୋଇଛି। କାରୁଣ୍ଡ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବଣ, ଇତ୍ୟାଦି ନାମରେ ପରିଚିତ କଲାହାଣ୍ଡି ରତ୍ନଗର୍ଭା, କଲାହାଣ୍ଡିର ମାଟି ଅର୍ଣ୍ଣପୂର୍ଣ୍ଣା, ଏଠାକାର ଦର୍ଶନ, ଧର୍ମଧାରା, ଉନ୍ନତ ସାମାଜିକ ଜୀବନ ଆଜିବି ଅଛୁତ ହୋଇ ରହିଅଛି। ଚାଣକ୍ୟ ଏହି ଭୂମୀକୁ ‘ଅଜେୟ କନ୍ଧଭୂମୀ’ ବୋଲି ସ୍ୱୀକାର କରିଛନ୍ତି। ଏହି ମାଟି ବୁଦ୍ଧଧର୍ମକୁ ଆଧୁନିକ ହେବାକୁ ସମସ୍ତ ସୁଯୋଗ ଦେଇଛି। ନିଜର ମୌଳିକ ଧର୍ମଧାରାରେ ସମସ୍ତଙ୍କୁ ଢାଳିଛି କିନ୍ତୁ ନିଜର ସ୍ୱାତନ୍ତ୍ର‌୍ୟତାକୁ ହଜେଇ ନାହିଁ।
୨୧ଜୁନ, ୧୯୮୫ ମସିହାରେ ରାଜୀବ ଗାନ୍ଧୀ ନିଜର ପ୍ରଧାନମନ୍ତ୍ରୀତ୍ୱ ସମୟରେ କଲାହାଣ୍ଡିକୁ ଆସିଥିଲେ। ସେ ସ୍ୱୀକାର କଲେ ଯେ କେନ୍ଦ୍ର ଲୋକଙ୍କ ପାଖକୁ ଟଙ୍କାଟିଏ ପଠାଇଲେ ପହଞ୍ଚୁଛି ମାତ୍ର ଦଶ ପଇସା। ସେ ସେତେବେଳେ ବିଭିନ୍ନ ସାଧାରଣସଭା ମାନଙ୍କରେ ସ୍ୱୀକାର କରୁଥିଲେ ‘ଦାରିଦ୍ର‌୍ୟ ଦେଖିବାର ଅଛି ତ କଲାହାଣ୍ଡି ଯାଅ’। ଏ ବିରୋଧାଭାଷ କାହିଁକି?

ଅଞ୍ଚଳର ସାମାଜିକ ସ୍ଥିତି ଏହିପରି… ବ୍ୟକ୍ତିସତା ର ଉର୍ଦ୍ଧ୍ୱରେ ଗୋଷ୍ଠୀ ଯାହାର ମୂଳ ପରିବାର। ସାମାଜିକ ବ୍ୟବସ୍ଥାରେ ପରିବାରର ଗୁରୁତ୍ୱ ବ୍ୟକ୍ତିକୁ ଅନେକ ସାମାଜିକ ଦାୟିତ୍ୱ ତୁଲାଇବାକୁ ସୁଯୋଗ ଦେଇଥାଏ। ବଂଚିବାର ଯେତିକି ଆଧାର ଜଳ, ଜଙ୍ଗଳ ଓ ଜମି ବ୍ୟତୀତ ଖଣି ଖାଦନର ସୁରକ୍ଷା ଶାସନର ନୁହେଁ ସମାଜର ଦାୟିତ୍ୱରେ ଥିଲା। ଏଠିକାର ମୂଳ ବାସିନ୍ଧା ମଣିଷବାଦକୁ ହିଁ ସର୍ବାଦୌ ପ୍ରାଥମିକତା ଦେଉଥିଲା। କିନ୍ତୁ ପରବର୍ତି ସମୟରେ ଶାସନ ନିଜକୁ ସୁରକ୍ଷିତ ରଖିବା ପାଇଁ ବହିରାଗତମାନଙ୍କୁ ଆଣିଲା। ଯେଉଁମାନେ କ୍ରମାନ୍ୱୟରେ ନୁହେଁ ଶାସନର ଦୟାରେ ଥଇଥାନ ହେଲେ। କ୍ରମେ ସମସ୍ତ ସତ୍ତା ଉପରେ ନିଜର ଆଧିପତ୍ୟ ରଖିଲେ। ନିଜର ମାଟିଠୁ ବିଚ୍ଛିନ୍ନ ହୋଇ ପ୍ରଥମେ ଅଭାବ ଜାଣିଲେ। ଦେଶ ସ୍ୱାଧିନ ହେଲା ବେଳକୁ ସ୍ଥିତି ଗୁରୁତର ହୋଇ ସାରିଥିଲା। ପ୍ରକୃତ କଲାହାଣ୍ଡିଆ ଦ୍ୱିତୀୟ ଶ୍ରେଣୀର ନାଗରିକ ହୋଇ ସାରିଥିଲେ। ଏକଦା ମୁଁ କୋରାପୁଟର ସ୍ୱାଧିନତା ସଂଗ୍ରାମୀ ପଞ୍ଚସଖା ମଧ୍ୟରୁ ଜଣେ ସୀମାଞ୍ଚଳ ବେହେରାଙ୍କ ସାଙ୍ଗରେ ରହିବାର ସୁଯୋଗ ମିଳିଥିଲା। ସେ ଗଡ଼ଜାତକୁ ଅଂଧାରୀ ମୂଳକ ବୋଲି କହିଥିଲେ। ଅବଶ୍ୟ ଏହା ବି କହିଥିଲେ ଯେ କୋରାପୁଟର ଆଦିବାସୀ ଓ ଦଳିତମାନଙ୍କୁ ରାଜତନ୍ତ୍ର କିପରି ଶୋଷଣ କରୁଥିଲା।
ବହିରାଗତଙ୍କ ପ୍ରଭାବ ଯେତିକି ବଢ଼ିଲା ଆଦିବାସୀଙ୍କ ମୂଳ ଶ୍ରମ ସଂସ୍କୃତିର ପରିଭାଷା ବଦଳିବାକୁ ଲାଗିଲା। ଯେଉଁଠାରେ ନିଜର ବଂଶାନୁକ୍ରମିକ ଦାବୀ ଓ ସମର୍ପଣ ନେଇ କାମ କରୁଥିଲେ ସେଠାରେ ସେମାନେ ସେଠାରେ ବରାଦରେ କାମ କଲେ। ଗୋଟିଏ ଧାଡ଼ିରେ ନିଜ ଜମିରେ ନିଜେ ହଳିଆ ହେଲେ। ତାଙ୍କର ଶ୍ରମ ଉପଜ ସବୁ ବହିରାଗତ ସୁବିଧାବାଦୀ ଗୋଷ୍ଠୀ ଭୋଗ କଲେ।
ସ୍ୱାଧିନତା ପରେ ସ୍ଥିତିକୁ ବୁଝିବାର ପରିସ୍ଥିତିରେ ଶାସନ ନ ଥିଲା। ସେହି କ୍ରମ ହିଁ ଚାଲିଲା ଯାହା ରାଜତନ୍ତ୍ର ସ୍ଥାପନ କରି ସାରିଥିଲା। ପରମ୍ପରା ଓ ସଂସ୍କୃତିକୁ ଅନ୍ଧବିଶ୍ୱାସ ଓ ମଣିଷକୁ ଅଶିକ୍ଷିତ ନାମକରଣ କରି ନବ୍ୟ ବ୍ୟବସ୍ଥାର ସ୍ଥାପନ କରିବାକୁ ନୈଷ୍ଠିକତାର ସହ ପ୍ରୟାସ କଲେ। ସେହି ଲୋକମାନେ ପୂର୍ବ ପରି ହିଁ ରହିଗଲେ। ନବେ ଦଶକ ପରେ ଆର୍ôଥକ ଉଦାରବାଦ କେବଳ ମାଟି ତଳର ସମ୍ପଦାକୁ ଆଖି ଆଗରେ ରଖି ନିଜର ବ୍ୟବସାୟ ଆରମ୍ଭ କଲା। ଯେପରି ବେଦାନ୍ତ।

ମେଡ଼ିକାଲ କଲେଜ କରିବା ପୂର୍ବରୁ ଦାନ ମାଝୀକୁ ଅନିଲ ଅଗ୍ରବାଲ କୌଣସି ସମବେଦନା ଜଣାଇ ନ ଥିଲେ। ବରଂ ଶହେ କୋଟିର ଗୋଟିଏ ନିବେଶର ଉତ୍କୋଚ ଦେଇ ଓଡ଼ିଶା ସରକାରଙ୍କଠୁ ବକ୍ସାଇଟ ପାଇବାର ସରଳ ରାସ୍ତାଟିଏ ତିଆରି କରିଦେଲା।
ଯଦି ଦାନା ମାଝୀ ଦିନବେଳା ନିଜ ସ୍ତ୍ରୀକୁ ବୋହି ନେଉଥାନ୍ତା; ଭବାନୀପାଟଣାରେ ଦଶ କିଲୋମିଟର ତ ଦୂରର କଥା ଦଶ ମିଟର ବି ନେଇ ନ ଥାନ୍ତା। ଅନେକ ହାତ ଲମ୍ବି ଆସିଥାନ୍ତା ସହଯୋଗ ପାଇଁ। ଏହାର ପ୍ରମାଣ ଶଗଡ଼ାରେ ହିଁ ମିଳିସାରିଥିଲା।
ଡାକ୍ତରଖାନାର କିଛି କର୍ମଚାରୀ ପାଇଁ କଲାହାଣ୍ଡି ପୁଣି ବଦନାମ ହେଲା, ଜିଲ୍ଲାର ଅମଳାମାନଙ୍କ ପାଇଁ ସରକାର ଓ ରାଜ୍ୟ ବଦନାମ ହେବା ସାର ହେଲା ଯାହା। କିନ୍ତୁ ଦାନ ମାଝୀମାନେ ଆଗକୁ ଯେ ଶବ ନ ବୋହିବେ ପ୍ରତିଶୃତି ଦେବ କିଏ?
କିଏ କିଏ କହନ୍ତି ସରକାର ଶବ ବୋହିବା ପାଇଁ ଡାକ୍ତରଖାନାମାନଙ୍କୁ ଯେଉଁ ଗାଡିମାନ ଦେଲେ ତାର ବିଜ୍ଞାପନରେ ଏବେ ଆଉ କାନ୍ଧରେ ଶବ କେହି ବୋହିବେ ନାହିଁ ବୋଲି ଲେଖାଥିଲା।