ମାର୍ଚ୍ଚ ୬ ତାରିଖ ୨୦୨୦ ଦିନ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ଗାଳ୍ପିକ ଭୀମ ପୃଷ୍ଟି, ଯୁବ ଗାଳ୍ପିକ ଆଦିତ୍ୟେଶ୍ୱର ମିଶ୍ର ଏବଂ ନଙ୍ଗଲଘାଟ ପହରିଆ ସମସ୍ୟା ଉପରେ ବିବାଦର କେନ୍ଦ୍ର ହୋଇଥିବା ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ସହ ନଙ୍ଗଲଘାଟ ଯିବାର ସୁଯୋଗ ମିଳିଲା। ୨୦୦୭ ମସିହା ମଇ ୨୭, ୨୮ ଏବଂ ୨୯ ତିନିଦିନ ଧରି ଗୋଟିଏ ରାଷ୍ଟ୍ରିୟ ବୈଦ୍ୟୁତିକ ଗଣମା୍ମମ ଫୋନଇନ ଦେଲା। ଘଟଣା ଥିଲା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲବୋଡ଼ ଗ୍ରାମପଞ୍ଚାୟତର ନଙ୍ଗଲଘାଟ ଗାଁ। ଏହି ଅଣରାଜସ୍ୱ ଜଙ୍ଗଲ ଗାଁରେ ପହରିଆମାନେ ହିଁ ରହନ୍ତି।
ଘଟଣା ଏହିପରି! ୨୦୦୭ ମସିହାର ଦୁଇ ଦଶନ୍ଧି ପୂର୍ବରୁ ବିଭିନ୍ନ ଏନଜିଓ ପହରିଆମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଆସୁଥାନ୍ତି। ଦୀର୍ଘ ସେବା ପାଇ ମଧ୍ୟ ପହରିଆ ଓଡ଼ିଶାରେ ଆଦିବାସୀ ମାନ୍ୟତା ପାଇ ପାରି ନ ଥିଲେ। ଏହା କୌଣସି ଅଭିସନ୍ଧି ମୂଳକ ନ ଥିଲା। ପହରିଆ ଓ କମାର ଦୁଇଟି ପହରିଆ ମାନଙ୍କ ସାଙ୍ଗିଆ। ଅନ୍ୟାନ୍ୟ ପଛୁଆବର୍ଗ ତାଳିକା ପ୍ରସ୍ତୁତ ବେଳେ କମାର ସାଙ୍ଗିଆ ଲୁହୁରାମାନଙ୍କ ହୋଇ ଥିବା କାରଣରୁ ପହରିଆ ଅନ୍ୟାନ୍ୟ ପଛୁଆବର୍ଗ ତାଳିକାରେ ରହିଲେ। ଅପରନ୍ତୁ ଛତିଶଗଡ଼ ସରକାର ଏମାନଙ୍କୁ ଆଦିମ ଜନଜାତି ଭାବରେ ତାଳିକାଭୂକ୍ତ କରି ପହରିଆମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ସୁବିଧା ପ୍ରଦାନ କରି ଆସୁଛନ୍ତି।

ନଙ୍ଗଲଘାଟ ହେଉକି ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରୁ ଚାରି ପାଞ୍ଚ କିଲୋମିଟର ଗଲେ ପଡ଼େ ଛତିଶଗଡ଼ ସୀମା। ଛତିଶଗଡ଼ରେ ଥିବା ପହରିଆମାନଙ୍କ ଆବାସିକ ବିଦ୍ୟାଳୟରେ ଓଡ଼ିଶାର ପାଟଧରା ଅଞ୍ଚଳରୁ କିଛି ଯୁବକ ଯାଇ +୨ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଉଦାହରଣ ରହିଅଛି। ଏପରିକି ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ କେତେକ ସୁବିଧା ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଏବଂ ତୁରେକେଲା ବ୍ଲକରେ ପହରିଆ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେଉଥିବା ଉଦାହରଣ ମଧ୍ୟ ରହିଅଛି। ଏହା ସାମୟିକ କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରି ନାହିଁ ଯେ ପହରିଆ ମାନେ ଆଦିମ ଜନଜାତି ନ ହେଲେ ବି ଜନଜାତି ମାନ୍ୟତା ପାଇବେ!
ଝିକିରି ପଥର ଏକ ପଥର! ଝିକର ଅର୍ଥାତ ଖପର; ଖପର ସାଇତିଲା ପରି ସ୍ତର ସ୍ତର ହୋଇ ଥିବାରୁ ଏହାକୁ ଝିକିରି ପଥର କହନ୍ତି। ଏହାକୁ ପାଣିରେ ବତୁରାଇଲେ ଲହୁଣୀ ପରି ହୋଇଯାଏ ଏବଂ ସ୍ୱାଦରେ ଲୁଣମିଶ୍ରିତ ଖଡ଼ିପଥର ପରି। ଏହାକୁ ପହରିଆ କେତେକ ଗୋଷ୍ଠି ଖାଇଥାନ୍ତି। ଝିକିରି ପଥର ଖାଇବା ଅନ୍ତରାଳେ ଥିବା ଏକ ବିଦାରକ ସତ୍ୟ ରହିଅଛି। ବାଉଁସ ହେଉଛି ପହରିଆଙ୍କ ସବାଶେଷ ଆଧାର। ବାଉଁସରୁ ପହରିଆମାନେ ନାନା ଉପକରଣ ତିଆରନ୍ତି ଏବଂ ଏହାକୁ ମଧ୍ୟସ୍ଥିକୁ ଦେଇ ସ୍ୱଳ୍ପମୂଲ୍ୟ ପାଇଥାନ୍ତି। ସରକାରୀ ଯୋଜନାରୁ ବହୁଦୂରରେ ଥାଇ ସରକାରଙ୍କ ଦୁଇଟଙ୍କିଆ ଚାଉଳ ଆଦି ପାଇବାରେ ଅସମର୍ଥ ଜଙ୍ଗଲରେ ରହୁଥିବା ପହରିଆ ଖାଦ୍ୟପାଇଁ କେତେକ ବୃକ୍ଷର ଡାଳପତ୍ର ଏବଂ କନ୍ଦମୂଳକୁ ହିଁ ଖାଦ୍ୟ ଭାବରେ ଖାଇଥାନ୍ତି। ଏହି ଖାଦ୍ୟ ଖୁବ ଗରିଷ୍ଠ ଥିବା କାରଣରୁ ଝିକିରି ପଥର ଜିର୍ଣ୍ଣକାରକ ଏବଂ ଅମ୍ଲନାଶକ ବୋଲି ତାଙ୍କର ବିଶ୍ୱାସ। ଅନେକ ସମୟରେ ଏହି ଝିକିରି ପଥର ଖାଦ୍ୟର ଆବଶ୍ୟକତା ମ୍ମ ପୁରା କରିଥାଏ।

ଏହି ଘଟଣା ଉପରେ ନିଜର ଅ୍ମୟନ ଆରମ୍ଭ କରୁଥିବା ସମୟରେ ଗୋଟିଏ ରାଷ୍ଟ୍ରିୟ ଗଣମାଧ୍ୟମ ଏହାକୁ ଫୋନଇନ ରେ ତିନିଦିନ ଚଳେଇଲା। ରାଜ୍ୟର ଭାଜପା ବିଜଦ ମିଳିତ ସରକାରଙ୍କୁ ଦେଶବ୍ୟାପି ଏକ ଅପମାନ ସହିବାକୁ ପଡ଼ିଲା।
ଜୁନ ୧, ୨୦୦୭ ଦିନ ବିଧାନସଭା ବସିଲା। ଏହି ଦିନ ପହରିଆ ପଥର ଖାଇବା ଘଟଣାକୁ ନେଇ ବିଧାନସଭା ଅଚଳ ହେଲା। ଏହି ଦିନ ଏକ ଗୃହ କମିଟି ଗଠନ କରାଗଲା। ଜୁନ ୧୭ ତାରିଖ ଦିନ ଗୃହ କମିଟି ନଙ୍ଗଲଘାଟ ଗାଁକୁ ଯାଇ ପଥର ଖାଇବା ଅଭିଯୋଗ ଉପରେ ଅନୁସନ୍ଧାନ କରିବା କଥା ସରକାରୀ ଘୋଷଣା ହେଲା।
ପ୍ରଶାସନକୁ ଚାପ ପଡ଼ିଲା। ପ୍ରଶାସନର ପ୍ରଥମ କାମ ହେଲା, ଜୁନ ୨, ତାରିଖ ଦିନ ସାମ୍ବାଦିକ ଖୁଟୁରାମ ସୁନାନୀ ଏବଂ ଜଣେ ଏନଜିଓ କର୍ମଚାରୀ ଘନଶ୍ୟାମ ଭିତିରିଆଙ୍କୁ ରାଷ୍ଟ୍ରଦ୍ରୋହ ୧୨୪(ଏ) ଲଗାଗଲା। ଆଶ୍ଚର୍ଯ୍ୟ କଥା ହେଲା ଏ ପର୍ଯ୍ୟନ୍ତ କୌଣସି ଖବର କାଗଜ ଅବା କୌଣସି ଗଣମାଧ୍ୟମରେ ଖୁଟୁରାମ ସୁନାନୀ ଗୋଟିଏ ବି ଶବ୍ଦ ଲେଖି ନ ଥିଲେ ପହରିଆଙ୍କ ପଥର ଖାଇବା କଥା ନେଇ।
ସିନାପାଲି ବିଡ଼ିଓଙ୍କୁ ଅଖଣ୍ଡ କ୍ଷମତା ଦିଆଗଲା। ଏହି କ୍ଷମତା ବଳରେ ଉଦନ୍ତି ଇଦୀର ସେ ପାଖରେ ଥିବା ନଙ୍ଗଲଘାଟ ଗାଁରେ ହିଁ ବିଡ଼ିଓ ରହିଲେ। ଜୁନ ୩ ତାରିଖ ଦିନ ସକାଳ ହେଲା। ଯେଉଁ ଗାଁକୁ ସରକାରୀ ଲୋକ ନାମରେ ଏଏନଏମ, କି ଭିଏଲଡବ୍ଲୁ ଯିବା ସ୍ୱପ୍ନ ସେ ଗାଁରେ ବିଡ଼ିଓ ନିଜେ ରହି ଗୋଟିଏ ନଳକୂଅ ଖୋଲାଇଲେ, ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତିଆରି କରାଗଲା ଏବଂ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଗଲା। ଜୁନ ୫, ୨୦୦୭ ତାରିଖ ଦିନ ଏହି ପତ୍ରକାର ନିଜେ ନଙ୍ଗଲଘାଟ ଦ୍ୱିତୀୟ ଥର ଗଲା। ଏ ଭିତରେ ଏହି ପରିବର୍ତ୍ତନ ସ୍ପଷ୍ଟକଲା ଯେ ଲୋକଙ୍କୁ ଠକା ଯିବାର ସମସ୍ତ ପ୍ରସ୍ତୁତି ପ୍ରଶାସନ କରି ସାରିଛି।
ଲେଖନ ପହରିଆ; ଗାଁ ମୁଖିଆ। ଯିଏ ନିଜ ଗାଁ ନଙ୍ଗଲଘାଟର ଅସୁବିଧା ସବୁକୁ ପାଞ୍ଚଦିନ ପୂର୍ବରୁ ଦେଖଉଥିଲା, ସେ କୁଣ୍ଠିତ ହେଲା ମୋ ସହ କଥା ହେବାକୁ। ଉଦନ୍ତି ଡେଇଁଲେ ଗୋଟିଏ ରାସ୍ତା ଲମ୍ବିଯାଇଛି ଗାଁକୁ ଛୁଇଁ ଜଙ୍ଗଲ ଭିତରକୁ। ଯାହା ଛତିଶଗଡ଼ର ତାଲାକୋଟ ଅଞ୍ଚଳକୁ ଛୁଏଁ। ନଦୀରୁ ଶହେ ମିଟର ଗଲେ ପଡ଼େ ନଙ୍ଗଲଘାଟ ଗାଁ। ଗାଁରେ ଗୋଟିଏ ପ୍ରାଚୀନ ପଥର ନଙ୍ଗଲ। ଏହି ନଙ୍ଗଲ କାରଣରୁ ଗାଁର ନା ନଙ୍ଗଲଘାଟ। ଏହି ରାସ୍ତାର ଦୁଇପାଖେ ୩୧ ପରିବାର ରହୁଥିବା ଘର। ଗୋଟିଏ ଘର ବାରନ୍ଦାରେ ବିଡ଼ିଓ ଗୋଟିଏ ଖଟରେ ଶୋଇଥିଲେ। କିଛି ଯୁବକ ଯେଉଁମାନେ ଶାସନରେ ଥିବା ରାଜନୈତିକ ଦଳର ସମର୍ଥକ ଥିଲେ, ବିଡ଼ିଓଙ୍କୁ ଘେରି ବସିଥାନ୍ତି। କୌଣସି ସାମ୍ବାଦିକ ଗାଁକୁ ପଶି ପାରିବେ ନାହିଁ ଏହି ବ୍ୟବସ୍ଥା ଥିଲା। ଉଦନ୍ତି ନଦୀ ଡେଇଁବା ପୂର୍ବରୁ ହିଁ ପୋଲିସ କନେଷ୍ଟବଲ ଏବଂ କିଛି ଯୁବକଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡୁଥିଲା। ଗାଁ ଭିତରେ ସୁରକ୍ଷିତ ବିଡ଼ିଓ ଅଧିଶ୍ୱରର କ୍ଷମତା ନେଇ ତଦାରଖ କରୁଥିଲେ।

ଚାଉଳ କପଡ଼ା ଏବଂ ସୁନାର ଭ୍ରମ ତିଆରି କରୁଥିବା ଅଳଙ୍କାର ସମସ୍ତ ପରିବାରକୁ ଦିଆଗଲା। କୁହାଗଲା ତୁମେ କହିବ ଯେ ତୁମେ ପଥର ଖାଅ ନାହଁ। ତୁମେ ସମ୍ପନ୍ନ, ସରକାରଙ୍କ ଦୟାରୁ ତୁମେ ଆନନ୍ଦରେ ଅଛ। ଗାଁ ଲୋକ ମନା କଲେ କହିଲେ ଆମେ ପଥର ଖାଉ। ବିଡ଼ିଓ ଏତିକି ପରିଶ୍ରମ ପରେ ଲୋକଙ୍କ କଥାରେ ରାଗିଗଲେ। ସମସ୍ତଙ୍କ ପଡ଼ି କାର୍ଡ଼ ଜବତ କରାଗଲା। ଏକଥା ବିଡ଼ିଓ ନିଜେ ଗୋଟିଏ ଗଣମାଧ୍ୟମରେ ସ୍ୱୀକାର କଲେ। ତୁମେ ଯଦି ପଥର ଖାଅ ଚାଉଳର କି ଆବଶ୍ୟକତା ଅଛି?
ବିଦ୍ୟାଳୟକୁ ଶିକ୍ଷକ ଗଲେ, ଅଙ୍ଗନବାଡ଼ିକୁ କର୍ମଚାରୀ ଗଲେ। ଛୋଟ ଛୁଆମାନଙ୍କୁ ଅଙ୍ଗନବାଡ଼ିକୁ ଆଦରରେ ପାଛୋଟି ନିଅନ୍ତି ଅଙ୍ଗନବାଡ଼ି କର୍ମଚାରୀ, ତଦୃପ ବିଦ୍ୟାଳୟକୁ ଶିକ୍ଷକ। ପ୍ରତିଦିନ ଡାକ୍ତର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି। ଏଏନଏମ ଯାଇ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି, ପଞ୍ଚାୟତ କର୍ମଚାରୀ ଯାଇ ସୁଖଦୁଃଖ ବୁଝନ୍ତି ଚାଉଳ ଚିନି କିରୋସିନି ଆଦି ଦିଅନ୍ତି। ନଙ୍ଗଲଘାଟର ଲୋକେ ସରକାରଙ୍କ ପ୍ରତ୍ୟକ୍ଷ ତଦାରଖରେ ସମସ୍ତ ସରକାରୀ ସୁବିଧା ଉପଭୋଗ କରନ୍ତି।
ଏହିଦିନ େ‘ରିଲା ବେଳେ ଜଣେ ପହରିଆକୁ ପଚାରିଲି ଏ ନଳକୂଅ, ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର କିଏ କଲା? ପହରିଆ ଲୋକଟିର ଉତ୍ତର ଥିଲା ବିଶ୍ୱକର୍ମା! କାରଣ ବିଶ୍ୱକର୍ମା ହିଁ ସେ ଲୋକ ଯିଏ ଗୋଟିଏ ରାତିରେ ସବୁ ସର୍ଜନା କରି ପାରନ୍ତି।
ଜୁନ ୧୭ ତାରିଖ ଦିନ, ଶତାଧିକ ଗାଡ଼ିରେ ଗୃହ କମିଟି ଯାଇ ନଙ୍ଗଲଘାଟର ପହରିଆମାନଙ୍କ ସହ ଆଲୋଚନା କଲେ ଓ ଫେରିଲେ। ଲେଖନ ପହରିଆଙ୍କୁ ସାମ୍ନାକୁ ଅଣାଗଲା ନାହିଁ। ତାଙ୍କ ଭଉଣୀ ଦଶମତୀ ପହରିଆ ସଭାରେ ବସିଥାଏ। ସଭା ସରିଲା ବେଳକୁ ଦଶମତୀ ପହରିଆ ଗୀତ ଗାଇଲା। ଗୀତର ଅର୍ଥ ଥିଲା ସଂସାରର ନୀୟମ ବହୁତ ଅବୋଧ୍ୟ; ଯେଊଁଠି ନିଜକୁ ସୁରକ୍ଷିତ ପାଇବୁ ସେଠାରେ ରହିଯିବୁ।

ଗୃହ କମିଟିଙ୍କ ପଛେ ପଛେ ବିଡ଼ିଓ ଫେରିଲେ। ତାଙ୍କପଛେ ସମସ୍ତ ପଟୁଆର। ଏହି ଦିନ ସଂଧ୍ୟାରେ ଗାଁ ଲୋକ ଏକଲା ହୋଇଗଲେ। ଗୃହ କମିଟି ଯିବାର ଆଠଦିନ ପରେ ପୁଣିଥରେ ଏହି ପତ୍ରକାର ଗାଁକୁ ଯାଇଥିଲା। ସେଠାରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଗୃହ ଖାଲି ପଡ଼ିଥିଲା। ଲେଖନ ପହରିଆ କହିଲେ ଶିକ୍ଷକ ଓ ଅଙ୍ଗନବାଡ଼ି ଦିଦି ଛୁଟିରେ ଯାଇଛନ୍ତି। ନଳକୂଅରୁ ପାଣି ନେବାର ଶବ୍ଦ ଖାଲି ଶୁଭୁଥିଲା।
ଖୁଟୁରାମ ସୁନାନୀଙ୍କୁ ପଚାରିଥିଲି ଏତେ ସବୁ ଆୟୋଜନର ଅର୍ଥ କଣ ହେଲା?
ଦୀର୍ଘ ଦୁଇ ଦଶନ୍ଧି ହେଲା ପହରିଆମାନଙ୍କ ଉନ୍ନତି ପାଇଁ ସରକାରୀ ବେସରକାରୀ ସଂସ୍ଥାମାନେ ବହୁତ କାମ କରିଛନ୍ତି। ତାହାର ଉତ୍ତର ତ ଆପଣ ଦେଖିଲେ। ପହରିଆ ଛତିଶଗଡ଼ ରାଜ୍ୟରେ ଆଦିମ ଆଦିବାସୀ ଥିବାବେଳେ ଓଡ଼ିଶାରେ ଅନ୍ୟାନ୍ୟ ପଛୁଆବର୍ଗର ଅଟନ୍ତି। ଏମାନଙ୍କୁ ଆଦିବାସୀ ମାନ୍ୟତା ଦେଲେ ଅନ୍ତତଃ ସେମାନେ ମୂଖ୍ୟଧାରା ପାଇଁ ପାଦ ବଢ଼େଇ ପାରିବେ।
ପଥର ଖାଇବାର ଅର୍ଥ?
ନିଶ୍ଚିତ ଅଭାବରେ ହେଉ ଅବା ଅଭ୍ୟାସରେ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତବ୍ୟ ହେଲା ପହରିଆ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଉଚିତ। ଯଦି ଝିକିରି ପଥରରେ କୌଣସି ଔଷଧିୟ ଗୁଣ ଅଛି ତାହା ଉପରେ ମଧ୍ୟ ଏବଂ ଯଦି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ରହିଛି ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବା ଉଚିତ। ସରକାର କେବଳ ପଥର ଖାଉ ନାହାନ୍ତି ପ୍ରମାଣ କରିବାକୁ ଯାହା ଇଚ୍ଛା ତାହା କରି ପକାଇଲେ। କିନ୍ତୁ ପହରିଆମାନେ ଯେ ପ୍ରକୃତରେ ଅସୁବିଧାରେ ଅଛନ୍ତି ଏହା ତାଙ୍କର ହୃଦବୋଧ ହେଲା ନାହିଁ।
ଅନ୍ତତଃ ଏହି ଘଟଣାକୁ ନେଇ ପହରିଆ ଦୃଷ୍ଟିକୁ ତ ଆସିଲେ।
ପହରିଆଙ୍କ ନିକଟରୁ ଗୃହ କମିଟି ଯିବାର ଚାରିବର୍ଷ ପରେ ଜୁନ ୭, ୨୦୧୧ ଦିନ ଖୁଟୁରାମ ସୁନାନୀ, କବି ହେମନ୍ତ ଦଳପତି ଏବଂ ମୁଁ ନଙ୍ଗଲଘାଟ ଗଲୁ। ଉଦନ୍ତି ନଦୀ ଡେଇଁଲା ପରେ ସମାନ ଦୂରତା ଗଲୁ। ଗାଁଟି ନିଜ ସ୍ଥାନରେ ନ ଥିଲା। ରାସ୍ତାର ଦକ୍ଷିଣକୁ ପାଖାପାଖି ଦୁଇ ଫର୍ଲଙ୍ଗ ଗଲେ ନୂଆ ବସ୍ତିଟିଏ ବସିଛି। ଚାଲ ଉପରେ ମାଟି ଲେପି କରାଯାଇଥିବା କାନ୍ଥମାନ ନୂଆ ଦିଶୁଥାଏ। କାରଣ ହେଲା ପହରିଆ ଜନଜାତି ନିଜର ମୂଖିଆର ମୃତ୍ୟୁପରେ ସ୍ଥାନ ଛାଡ଼ି ଦିଅନ୍ତି।
ଏଠାକୁ କାହିଁକି ଆସିଲ?

କେହି ମଧ୍ୟ ଉତ୍ତର ଦେଲେ ନାହିଁ। ପଥର ଖାଇବା ଘଟଣା ତାଙ୍କୁ ଅପଦସ୍ତ କରିବା ସହ ପ୍ରତାରଣା ମାନଙ୍କୁ ହିଁ ତାଙ୍କ ଉପରେ ଅଜାଡ଼ି ଦେଲା। ସେହି ଖୁଟୁରାମ ସୁନାନୀଙ୍କ ଉପସ୍ଥିତି ଅନ୍ୟ ଏକ ଅଜଣା ଆତଙ୍କକୁ ଜନ୍ମ ନ ଦେଉ ଏଇ ଭୟରେ ସମସ୍ତେ କଥାକୁ ଆଡ଼େଇ ଯାଉଥାନ୍ତି। ବସିଲୁ କଥା ହେଲୁ। ବାସ ସେମିତି ଚଲିଯାଉଛନ୍ତି ନଙ୍ଗଲଘାଟ ଗାଁର ଲୋକେ ଆଗରୁ ଯେମିତି ଚଲୁଥିଲେ।
ପଥର ଖାଉଛ?
ଏକ ବିସ୍ଫୋଟକ ପ୍ରଶ୍ନ! ଉତ୍ତର ଦେବାକୁ ନାରାଜ ଦଶମତୀ କହିଲା, “ବାବୁ ଖୁଟୁରାମ! ଦେଖତୋ ଆଜ୍ଞା! ପଥର କେ ଆରୁ ଶୋର କରୁଛନ ଯେ!’
ଗାଁର ସମସ୍ତେ ଛଅବର୍ଷ ତଳେ ପ୍ରତାରିତ ହୋଇଥିବା ଯନ୍ତ୍ରଣାକୁ ଦେଖୁଥିଲେ ଯେମିତି।
ଦଶମତୀକୁ ପଚାରିଲି ତୁମର ପୁଅ କେଡ଼େ ହେଲାନା ଗୋ?
ବ’ଆନଲି ନା ବୁଆ!
ଘରେ ଅଛନ?
ବଲକ କେ ଯାଇଛନ।
କାରଣ ଏହା ଯେ ତାର ପୁଅ ବଂଶୀ ଓ ବୋହୂ ବେଲମତୀ ଦଲାଲ ଠାରୁ ଅଗ୍ରିମ ନେଇ ଦାଦନ ଖଟିବାକୁ ଯାଇଥିଲେ ଦକ୍ଷିଣର କେଉଁ ଅଜଣା ସହରକୁ। ସେଠାରେ ଗୋଟିଏ ଏନଜିଓ ତାଙ୍କୁ ଉଦ୍ଧାର କଲା। ସେଠାରୁ ତାମିଲନାଡୁ ସରକାର ତାଙ୍କୁ ଗୋତି ଶ୍ରମିକ ଆକାରରେ ପ୍ରମାଣପତ୍ର ଦେଲେ। ଗାଁକୁ ଫେରିଲେ। ଏନଜିଓ ବାଲା କହିଲା ଟଙ୍କା ଦେବ ସରକାର। ସେହି ଅପେକ୍ଷାରେ ସେମାନେ ବ୍ଲକକୁ ଯାଇଥିଲେ।
ଛୁଆ ପିଲା ପଢୁଛନ?
କେନ କେ ପଢ଼ିଯିବେ? ପ୍ରଶ୍ନର ଉତ୍ତର ପ୍ରଶ୍ନରେ। ଗୃହ କମିଟି ଆସିଲା ପରେ ସ୍କୁଲ ଉଠିଗଲା। ଅଙ୍ଗନବାଡ଼ି କେନ୍ଦ୍ର ବି ଉଠିଗଲା। କେବଳ ରହିଲା ନଳକୂଅ ଯେଉଁଥିରୁ ଏବେ ପାଣି ବାହାରୁଛି। ପ୍ଲାଷ୍ଟିକ ବୋତଲରେ ରଖିଲେ ଆଠ ଦଶଦିନ ପରେ ବୋତଲଟି ଲାଲ ହୋଇ ଯାଉଛି। ନଳକୂଅ ଖରାପ ହୋଇ ନାହିଁ।
ବାଶ ଉଦନ୍ତି ସେ ପାରିରେ କିଛି ପହରିଆ ରହନ୍ତି। ଯେଉଁମାନଙ୍କ ଉପସ୍ଥିତିର କୌଣସି ଦାୟ ରଖେନି ଶାସନ। କିନ୍ତୁ ଯେଉଁମାନଙ୍କ ମଣିଷ ହେବାର ଉଦଘୋଷ ମହାରାଜଙ୍କ ସିଂହାସନ ଉପରେ ପ୍ରଶ୍ନଚିହ୍ନ ଟିଏ ଥୋଇଦିଏ।
ଗୀତ ଗୁଟଏ ଗା’ ଗୋ!

ଗୋଟିଏ ନିଷ୍ପାହ ହସରେ ଦଶମତି ତାର ସମସ୍ତ ଅସହଜ କ୍ଷୋଭକୁ ଲୁଚେଇ ଦେଲା। ଗୀତ ଆରୁ ଗାଇ ହେସି ତାଲ କେଁ ବୁଆ!
ପାଣି ବୋତଲର ଲାଲ ରଙ୍ଗ ପରି ଜଲ ଜଲ ଦିଶି ଯାଉଥିଲା ତାର ହସରେ ପହରିଆ ସମୂହର ବେଦନା।
ଏ ଭିତରେ ପହରିଆଙ୍କ ବହୁତ କାହାଣୀକୁ ଉଦନ୍ତି ବହେଇ ନେଇ ସାରିଛି। ଜାନୁୟାରୀ ୨୦୨୦ ସୋନପୁର ଇଙ୍କ-ଫେଷ୍ଟରେ ଓଡ଼ିଶାର ଦୁଇ କ୍ଷାତ କଥାକାର ଭୀମ ପୃଷ୍ଟି ଏବଂ ଆଦିତ୍ୟେଶ୍ୱର ମିଶ୍ରଙ୍କ ସହ ଗୋଟିଏ ବୁଲିବା କାର୍ଯ୍ୟକ୍ରମ ପାଇଁ ଯୋଜନା କଲୁ। ମାର୍ଚ୍ଚ ୬, ୨୦୨୦ ଦିନ ଆମେ ଗଲୁ ଦଶମତୀର ଗାଁକୁ; ଖୁଟୁରାମ ସୁନାନୀଙ୍କ ନେତୃତ୍ୱରେ। ସାଙ୍ଗରେ ଥା’ନ୍ତି ପରୀକ୍ଷିତ ଟାଇଗର କଲେଜର ନିର୍ଦ୍ଦେଶକ ତେଜରାଜ ବାଗ।

ଗୃହ କମିଟି ଆସିବା ପୂର୍ବରୁ ଗୋଟିଏ ରାତିରେ ଖୋଳାଯାଇଥିବା ନଳକୂଅ ଅଛି। ଏବେ ବି ପାଣି ବାହାରୁଛି। ଗାଁରେ ଘରମାନ ଟିକିଏ ସ୍ଥାୟୀ ହେବାର ଉପକ୍ରମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରୁଛନ୍ତି କେତେଜଣ। ସେମାନଙ୍କ ନା ନାହିଁ। ସେମାନେ ସମୂହ। ସବୁଠୁ ବେଶି ସେମାନେ ସଂଖ୍ୟା। ନଙ୍ଗଲଘାଟର ସଂଖ୍ୟାର କୌଣସି ଅର୍ଥ ନାହିଁ। ସେମାନଙ୍କ ନା ଭଗତରାମ, ସୁଖବତୀ, ଶିବରତି ଯାହା ବି ହୋଇପାରେ। ଏହାର କୌଣସି ଅର୍ଥ ନାହିଁ।
ଦଶମତୀକୁ ପଚାରିଲି। ଗୀତ କୁଢ଼ିଆ(ଗୀତ ରଙ୍କୁଣୀ / ଗୀତ ବାୟାଣୀ / ଗୀତର ବିଶ୍ୱକୋଷ)! ନେଇନା ଗୋ ବୁଆ ବାଦ (ମରିଗଲା) ହେଇଗଲା ନା।
ସବୁକୁ ଭୁଲି ସାରିଲେଣି ଗାଁ ଲୋକେ। ଅଙ୍ଗନବାଡ଼ି ପୋଷାକ ପିନ୍ଧି କେତେଜଣ ଶିଶୁ ସାମାନ୍ୟ ବର୍ଷାରେ ସଦ୍ୟ ଭିଜିଥିବା ରାସ୍ତାରେ ଖେଳୁଥିଲେ। ମୁଁ ପଚାରିଲି ଅଙ୍ଗନବାଡ଼ି ଅଛେ କେଁ?


କାହିଁର କଥା ଆଜ୍ଞା! ହେ ଛୁଆ ପିଲା କେ କପଡ଼ା ଆନି ଦେଇଛନ ଯେ ଉଢ଼ିଛନ(ପିନ୍ଧିଛନ୍ତି)।
ସ୍କୁଲ?
ନେଇନା!
ଛୁଆ ପିଲା କେନ କେ ପଢ଼ି ଯାଏସନ?
କାହିଁ ଯିବେ ଆଜ୍ଞା? ସେହି ପୁରୁଣା ଉତ୍ତର! ସେହି ପାଲଟା ପ୍ରଶ୍ନରେ। କିଛି ବି ବଦଳି ନାହିଁ। ଉଦନ୍ତିରୁ ବାହାରି ରାସ୍ତାଟିଏ କଂକ୍ରିଟ ହୋଇଛି। ଗାଁର କେଇ ଧାଡ଼ି ରାସ୍ତା କଂକ୍ରିଟ ହୋଇଛି ମାତ୍ର। ସେହି ପୁରୁଣା ବେଉସା। ବାଉଁସ!
ପଥରକୁ କେମିତି ଖାଆନ୍ତି? ଆଶ୍ଚର୍ଯ୍ୟରେ ଭୀମ ପୃଷ୍ଟି ପଚାରିଲେ ଖୁଟୁରାମ ସୁନାନୀଙ୍କୁ। ଗୋଟିଏ ଝିକିରି ପଥର ନିକଟରୁ ସଂଗ୍ରହ କରି ସୁନାନୀ, ପୃଷ୍ଟି ସାରଙ୍କୁ ଦେଲେ।
ଭୀମ ପୃଷ୍ଟି ପଥର ଖାଇଲେ।
ଗାଁ ଲୋକଙ୍କ ସହ ଅନ୍ୟମାନେ କଥା ହେଉଥାନ୍ତି। ମୁଁ ଗଲି ଦଶମତୀ ଘରକୁ ତା’ର ପୁଅବୋହୂଙ୍କ ସହ କଥାହେଲି। ଆଉ ଦାଦନ ଯାଉ ନାହାନ୍ତି ସେମାନେ। ତାମିଲନାଡୁ ସରକାରଙ୍କ ଗୋତିଶ୍ରମିକ ପ୍ରମାଣପତ୍ର ଦେଖାଇ ୧୯ ହଜାର ଟଙ୍କା ପାଇଲେ। ଗୋତି ଶ୍ରମିକ ଥଇଥାନ ଯୋଜନା ସରକାରଙ୍କ ଆରମ୍ଭ ହୋଇ ରହିଗଲା। ଏବେ ସେମାନେ କୌଳିକ ବୃତ୍ତି କରନ୍ତି। ବାଉଁସ ଜଙ୍ଗଲରୁ ନୁହେଁ କିଣି କରି ଆଣନ୍ତି। ଥରକୁ ପାଞ୍ଚଶହ ଟଙ୍କା।
ଆମେ ଫେରିଲୁ ଉଦନ୍ତି ଏ ପାରିକୁ। ପ୍ରାଚିନ ପଥର ନଙ୍ଗଲ ଯଥାବତ ଅଛି। ନଙ୍ଗଲଘାଟ ଗାଁ ପରି ସରକାରଙ୍କ ଆଖି ଆଢ଼ୁଆଳରେ।