ଗୋଟିଏ ବାଘର ଇତିକଥା

ଗଡ଼ଜାତ ମିଶ୍ରଣ ସରିଲା। ଜନମାଁ ବିଧବା ହେବାଟା କିଛି ବର୍ଷର ପୁରୁଣା ହୋଇ ସାରିଥିଲା। ଆଦିବାସୀ ଗଉନ୍ତିଆ ୩୬୫ ଏକର ଜମି। ଜୀବନ ତମାମ ତା’ର ଗୋଟିଏ କଥା, “ଦିନେକେ ଏକରେ ଖାଏମି ଆରୁ ଖୁଆମି”। ଅର୍ଥାତ ଗୋଟିଏ ଏକର ଜମିର ଆୟ ଦିନକରେ ଖର୍ଚ୍ଚ କରିବ; ପରିବାର ଓ ପ୍ରଜା ଲାଗି। ଏତିକି ଥିଲା ଗଉନ୍ତିଆର ଉଦାରତା।
ଏତିକି ଉଦାରତା ନେଇ ଯଦି ଗଉନ୍ତିଆ ବଂଚି ପାରିଥାନ୍ତେ! ଆଜି ମୁଁ ଘଂଚ ଜଙ୍ଗଲର ଏକ ଜବରଦଖଲ ଗାଁର ମାଟିଘରେ ଶରଧାକର ସଙ୍ଗେ ବସି ନ ଥାନ୍ତି। ଶରଧାକର ସତୁରୀ ଡ଼େଇଁଲାଣି। ମଧ୍ୟମ ଉଚ୍ଚତା, ଚଉଡ଼ା ଛାତି। ବୟସକୁ ସମ୍ମାନ ଦେଇ ତାର ପେଶୀମାନେ ସାମାନ୍ୟ ନତମସ୍ତକ ହୋଇ ଆସୁଛନ୍ତି। ମୋଟା ନିଶ! ତା’ର ପୁରୁଷକାରର ଜୟବାନା। ଆଖି ଦୁଇଟିରେ ନବଜାତକର କୋମଳତା।
ସାତ ଘଂଟା ପାଖାପାଖି ବାଇକରେ ଆଉ ଘଂଟାଏ ଚାଲିଲା ପରେ ଆମେ ପହଂଚିଲୁ ଶରଧାକରର ଗାଁକୁ। ଦିନ ଦୁଇଟା ବାଜି ସାରିଲାଣି। ପ୍ରଫୁଲ୍ଲ ରାଏ; ବିନ୍ଧାଣୀ ଜାତିର। ଆଖ ପାଖ କୋଡ଼ିଏ ଗାଁର ଲୋକ ତାକୁ ଜାଣନ୍ତି। ମହୁଲ, ଟୋଲ, ଚାଁର, ଝୁଡ଼ଙ୍ଗ, ଆଦି ଲୋକଙ୍କଠୁ କିଣେ। ଜେଜେ ତା’ର ପାରମ୍ପାରିକ ହତିଆର କାରିଗର। ବୁଢ଼ାର ତିଆରି ତୀର ଓ ଟାଙ୍ଗିଆର କଳା କେହି ପାଇ ପାରିନାହାନ୍ତି। କାଠୁରିଆକୁ ଟାଙ୍ଗିଆର କଳା କେହି ପାଇ ପାରିନାହାନ୍ତି। କାଠୁରିଆକୁ ଟାଙ୍ଗିଆ ଦେବ କି ପହରିଆକୁ ବାଉଁଶ କାଟିବ ପାଇଁ; ତାଙ୍କ ବୃତ୍ତିକୁ ସୁହାଇଲା ଭଳି। ତା’ର ହତିଆର ଯାହାକୁ ଦେବ ହତିଆରଟି ସେ ଜାତିର ଲୋକ ସଙ୍ଗେ ମିଶିଯିବ ଯେପରି। ଯାତରାବେଳେ ଦେବୀ ତାର ତିଆରି ଖଣ୍ଡାକୁ ଆଗ୍ରହରେ ଧାରଣ କରନ୍ତି। ଟାଙ୍ଗି ଏପରି ମାଜେ ପୋଢ଼ ବେକରେ ଗଳି ଯିବାକୁ କଷ୍ଟ ହୁଏନି। ପ୍ରଫୁଲ୍ଲର ବାପା କିଛି ଶିଖିଥିଲା ବୁଢ଼ାଠୁ। ପ୍ରଫୁଲ୍ଲ ୧୨କି.ମି ସାଇକେଲରେ ଯାଇ ପାଖ ଗାଁ କଲେଜରେ +୨ ଶେଷ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ। ଭାଇ ମାଟ୍ରିକ ପଢୁଥାଏ। ଏସ୍.ପି ନିଜେ ଆସି ତାର ବାପାକୁ ଗିରଫ କଲେ। ତାର ବାପା କେଉଁ ଜଙ୍ଗଲିଆର ପୁରୁଣା ବନ୍ଧୁକକୁ ସଜାଡ଼ି ଦେଉଥିଲେ। ଜଙ୍ଗଲରୁ ଲୋକେ କାନ୍ଧରେ ବନ୍ଧୁକ ଧରି ସଜାଡ଼ି ନିଅନ୍ତି। ତାଙ୍କ ଗାଁକୁ ଆଡ଼ ଆଖିରେ ଦେଖୁ ନଥିବା ସରକାର ବନ୍ଧୁକର ଖବର ପାଇଲା। ତା ବାପାକୁ ଗିରଫ କରିନେଲା। ପ୍ରଫୁଲ୍ଲ ପାଠରେ ଡ଼ୋରି ବାନ୍ଧିଲା। ବାପା ଦେହରୁ ସରକାରୀ ଦୋଷ ଝାଡ଼ିବାକୁ ଚାରିମାସ ଲାଗିଲା। ପ୍ରଫୁଲ୍ଲ ଋଣୀ ହୋଇଗଲା। ବାପା ଆଉ ତାର କାମ କଲାନି। ଏସ୍.ପି ବାପାର ସବୁ କାମର ଉପକରଣ ଏବଂ ସଞ୍ଚିଥିବା ଲୁହା ସବୁକୁ ନେଇଗଲେ ଜବତ କରିନେଲେ। କାଳେ ମାଓବାଦୀଙ୍କ ପାଇଁ ହତିଆର ତିଆରି ଦେବ! ପ୍ରଫୁଲ୍ଲ ବେପାର କଲା। ବାପା ସହଯୋଗ କଲେ। ଭାଇ ଏବେ ଗୋଟିଏ ସରକାରୀ ସ୍କୁଲରେ ପାରା ଶିକ୍ଷକ ଅଛି। ପ୍ରଫୁଲ୍ଲ ନିଜେ ଆହୁରି ଆଠଜଣ କୁଚିଆ ରଖି ବେପାର କରୁଛି। ମତେ ଶରଧାକରକୁ ଚିହ୍ନେଇ ଦେଲା।
ଶରଧାକର ଆମକୁ ଝରଣାପଟେ ନେଲେ। ଜଙ୍ଗଲରେ ବା’ରି ହେଉଥିବା ପରି ଗଳି ରାସ୍ତା। ମତେ ଚିହ୍ନେଇ ଦେଲେ ଫୁଲବେ’ରକେ ରାସ୍ତା। ଆକ୍ଷରିକ ଅର୍ଥରେ ଫୁଲ ବଗିଚାକୁ ରାସ୍ତା। ଗଞ୍ଜାଇ, ସରକାରୀ ଅଭିଧାନରେ ଧର୍ତ୍ତବ୍ୟ ପରିସରଭୁକ୍ତ ଥିବାରୁ ଫୁଲ ନାମରେ ତାକୁ ସମ୍ବୋଧନ କରନ୍ତି। ସରକାରର ସିନା କିଛି ଯାଏ ଆସେ ନାହିଁ, ହେଲେ ଅନେକଙ୍କୁ ରୋଜଗାର ଦିଏ ଜଙ୍ଗଲ ଭିତରେ ଗଞ୍ଜାଇ ଚାଷ।
ଘରକୁ ଫେରିଲାବେଳେ ସନ୍ଧ୍ୟା ହୋଇ ଆସୁଥାଏ। ତାର ପିଣ୍ଡାରେ ବସିଲୁ। ଦେଢ଼ହାତ ମୋଟାର ମାଟି କାନ୍ଥ, ଦୁଇ ପୁରୁଷା ଉଚ୍ଚା। ଚାରି ବଖରା ଘର। ଲମ୍ବା ପରଚି, ଶେଷପଟକୁ ରନ୍ଧାଶାଳ। ପଛପଟେ ଗୁହାଳ। ଝରଣାର ଗୋଟିଏ ଧାରକୁ ନିଜ ବାଡ଼ିରେ ଖେଳେଇ କିଛି ଚାଷ କରିଛି। ମୋଡ଼ୋ ଆଉ ଛାତକୁ ଶିମ୍ବ, କଖାରୁ, କୁମଡ଼ା ଓ ଲାଉ ଲହ ମାଡ଼ିଯାଇଛି। ତାର ଏଇ ଛୋଟ ପୃଥିବୀକୁ ଘେରି ରହିଛି ବାଉଁଶ ଓ ଶୁଖା କାଠଗଣ୍ଡିର ବାଡ଼।
ଜଙ୍ଗଲ, ଜଙ୍ଗଲ ଭିତରେ କିଛି ଜମି ଆଉ ଏଇ ଘରଟି ହିଁ ତାର ସଂସାର। ବୈଧ ମାନଚିତ୍ରରେ ଏସବୁ କିଛି ନାହିଁ। ଏଇଥିପାଇଁ ବର୍ଦ୍ଦୀପିନ୍ଧା ଲୋକେ ବେଳେବେଳେ ଆସନ୍ତି (ପୋଲିସ, ଜଙ୍ଗଲ ବିଭାଗଲୋକେ, ମିଲିଟାରି ଓ ମାଓବାଦୀ)। ଶରଧାକର ମାଓବାଦୀଙ୍କୁ ବି ସରକାରୀ ଲୋକ ଭାବେ। କେଜାଣି କେଉଁ କାରଣରୁ ଏମାନେ ଲଢୁଛନ୍ତି ତାହା ଜାଣିବାର ସ୍ପୃହା ନାହିଁ। କିଏ ରହିବ କହିଲେ କିଏ ଯିବ କହେ ଏଇ ଜଙ୍ଗଲରୁ।
ବୁଢ଼ୀ ଶରଧାକରକୁ ଭିତରେ ବସିବା ପାଇଁ କହିଲା। ଆମେ ଘର ଭିତରକୁ ଗଲୁ।

ଲମ୍ବା ପରଚି, ଅନତି ଦୂରରେ ରନ୍ଧାଶାଳ। ଖଜୁର ପତ୍ରର ତିନୋଟି ଲମ୍ବା ପଟି। ମୁଁ କାନ୍ଥକୁ ଆଉଜି ବସିଲି। ସାମ୍ନାରେ ଶରଧାକର ଓ ମୋ ପାଖେ ପ୍ରଫୁଲ୍ଲ। ବୁଢ଼ୀ ଗୋଟିଏ ବଏଁଠି ଗରିଆରେ ପାଣି ଆଣି ଥୋଇଦେଲା। ତା ପରକୁ ତିନୋଟି ଗ୍ଲାସ। ଗୋଟିଏ କଂସା ଥାଳିରେ ପିଆଜ, କାକୁଡ଼ି, ଲଙ୍କା ଓ ଲୁଣ। ତିନୋଟି କଂସା ତାସନିରେ ଜଙ୍ଗଲି ଭଜା ଚଣା। ଅନ୍ୟ ଏକଥାଳିରେ କଂସା ହୋଇଥିବା କୁକୁଡ଼ା ମାଂସ ଓ ଗୋଟିଏ ପାତୁଲ କସ ଆଣି ଥୋଇଦେଲା। ବୁଢୀଯାଇ ଚୁଲି ପାଖରେ ବସିଲା। ଆମପାଖେ ଥିବା ଉହ୍ମେଇଟି ଆମକୁ ଟିକିଏ ଗରମ ରଖୁଥାଏ।
ପ୍ରଫୁଲ୍ଲକୁ ଇସାରା କଲି ଟଙ୍କାଦେଇଛୁ କି ବୋଲି। ସେ ଇସାରାରେ ମନାକଲା। ମୁଁ କହିଲି ଇ ଖର୍ଚ୍ଚା କେଁ କରି? ବୁଢ଼ୀ ମୋର କଥା ନ ସରୁଣୁ କହିଲା ଖୁଦ କନକି ଦେଇକରି ନୁନ ଖାଲି ଘିନୁଆଟା ବୁଆ ଗୋ! ବାକି ନିଜରଟା ଆଏ। ମାଁ ମାଟିର ଲୋକ ବୁଆ ତମେ! ବୁଢୀ ହାତ ଯୋଡ଼ି କହିଲା, ‘ଯୁଗ ପୁରଲା କେ ପାଇଛେଁ ବୁଆ! ତମକେ ଜୁହାର ବୁଆ ଗୋ! ମୋର ଗାଁ ମାଁର ଦେବାଦେବୀକେ ଜୁହାର ବୁଆ! ମୋର ଘରେ ପାଏନ ଟିକେ ଛିଅଁ। ନେହେଲେ ମୋର ଦେବାଦେବୀ ବିରଡ଼ି ଯିବେ ବୁଆ ଗୋ!
ବୁଢ଼ୀର କଥା ନସରୁଣୁ ଶରଧାକର କହିଲା, ‘ଗରିବଲୋକ ଆମେ ବୁଆ ଗୋ! ଇଟା କେ’ନ ଲାଗ ଉଧାର କଲାଟା ନେଇ ଦେବାର ଗୋ ତମକେ। ମୋର ବହାମଜା ଟା ଆଏ। ନିଅ ବୁଆ କହି ଦୁଇ ହାତରେ ପାଣି ଗ୍ଲାସ ବଢ଼େଇ ଦେଲା।
ଶରଧାକର ତରପିଲା। ଧିରେ ଧିରେ ଅଧ ଗ୍ଲାସ କସ ସରିଲା ପରେ ହଜିଗଲା ତାର ଅତୀତରେ। କଉଠି ହୁଡ଼ିଲେ ବୁଢୀ ସଳଖୁ ଥାଏ…
ବୁଢ଼ୀର ନାଁ ଭାନୁମତୀ ନାୟକ। ବାପା ତାର ଘାସିରାମ। ଦୁଇ ରାତି ବାଟ ଚାଲି ପାଟଣା ଡେଇଁ କୁଣିଆ ଯାଇଥାଏ। କଳା ମିଶମିଶ ଦେହ। ବୃଚ୍ଛ ଉପାଡ଼ିବାର ବଫୁ। ସେଠାକାର ଗଉନ୍ତିଆ ପୂର୍ଣ୍ଣକେତୁ। ବାରଖଣ୍ଡ ଗାଁରେ ତାର ରାଜୁତି। ରାତି ପହରେ ବାକିଥିବା ସେ ବିଛଣା ଛାଡ଼ିବ। ପୋଖରୀପାଣି ଯାଇ କସରତ କରିବ। ହାଡ଼ଥରା ଶୀତରେ ବି ଘମଘମ ଝାଲ ବହିବ। ନିଜର ପୋଖରୀରେ ଗାଧୋଇ ସିଧା ପଶିବ ଦେବତା କୁଠିକୁ। ପୂଜା ସାରି ସୂର୍ଯ୍ୟଙ୍କୁ ଜଳ ତର୍ପଣ କଲାବେଳେ ସିନ୍ଦୁରା ଫାଟିବ। କପଡ଼ା ବଦଳେଇଲା ପରେ ଗଉଡ଼ ବୁଢ଼ା ସଦ୍ୟ ଦୁହାଁ କାଳିଗାଈର ଖିର ଖୁରେ ଧରିଥିବ। ଖିର ପିଇ ଗଉନ୍ତିଆ ସଭାକୁ ଯିବ। ସଭା ଅର୍ଥାତ ସଭାଗୃହ। ଗଉନ୍ତିଆର ଦରବାର। ଏଠାରୁ ସମସ୍ତେ ପୋଖରି ଅବା କାମକୁ ଯା’ନ୍ତି। ଜଙ୍ଗଲକୁ କି ଜମିକୁ, ଗାଈଆଳ ଗାଈ ନେଇ ଯିବ। ଗଉନ୍ତିଆ କାହାକୁ ଭଲମନ୍ଦ ପଚାରିବ ତ କାହାକୁ ତାଗିଦ କରିବ। ଦ୍ୱିପହରେ ଖାଇସାରି ଟିକିଏ ବିଶ୍ରାମ ନେବ ପୁଣି ସଭାକୁ ଆସିବ। ଲୋକେ ଆସି ସେତେବେଳେ ସାକ୍ଷାତ କରିବେ। କାର ଭାବ, ଅଭାବ, ଭଲମନ୍ଦ ବୁଝିବ। କିଛି କାହାକୁ ଦେବାର ଥିଲେ ଯା’ ତୋର ମାଁ ନିକେ ବୋଲି କହିବ।

ଜନମାଁ ଗଉନ୍ତିଆଣୀ। ଲୋକଟିର ଭଲମନ୍ଦ ବୁଝିବ। ତା’ର ଆବଶ୍ୟକତା ପୁରା କରିବ। ଦ୍ୱିପ୍ରହର ସଭା ସରିଲେ ଜନମାଁ ସଙ୍ଗେ ଜମିକୁ ଯିବ। ସଂଧ୍ୟାଯାକେ ତା ସହ ରହି ଗାଧୋଇ ଘରକୁ ଫେରିବ। ସଂଧ୍ୟା ଭାଗବତ ସରିଲେ କୁଠିକୁ ଯିବ, ଯାହା ଗାଁ ମୁଣ୍ଡରେ ଅଛି। ସେଠାରେ କଣ କରିବ କେହି କେବେ ଦେଖି ନାହାନ୍ତି।
ଗଉନ୍ତିଆ ଦିନକୁ ଏକରେ ଖାଇବ ଓ ଖୂଏଇବ। ବିପଦ ଆପଦରେ ଗଉନ୍ତିଆ ସଭାର ଦୁନ୍ଦୁଭି ବାଜିବ। ତା’ପରକୁ ତା’ପରକୁ ସବୁ ଗାଁରେ ବାଜିବ। ଗାଁର ଜୁଆନ ଭେଣ୍ଡିଆମାନେ ଖଣ୍ଡା, ଟାଙ୍ଗି, ଭାଲ, କାତି, କର୍ରି, ଧନୁତୀର ଧରି ମେଳ ହେବେ। ଡକା ମାରି ମାରି ସଭାକୁ ଆସିବେ। ପହରେ ଲାଗିବ ପାଂଚଶହ ଭେଣ୍ଡିଆ ଜମା ହୋଇଯିବେ। ମୋହନ ନାୟକ ସରଦାର ପିଣ୍ଡାରେ ଛିଡ଼ାହୋଇ ହାକିବ। ନାୟକର ଆଦେଶରେ ରଜାର ସିପାହୀଙ୍କୁ ବି ଦଲିଦେବେ ଭେଣ୍ଡିଆମାନେ।
ମୋହନ ନାୟକ ଭାନୁମତୀର ଅଜା। ସେନାପତି ସେ, ଅଦମ୍ୟ ଅପରାଜେୟ। ତା’ର ଚାଲିରେ ବାଘ ବି ବାଟ ଦେବ। ଗଉନ୍ତିଆ ତାକୁ ଗୋଟିଏ ଗାଁ ଛାଡ଼ିଥିଲେ। ସାରା ଜଙ୍ଗଲଟି ମୋହନ ନାୟକର। ଗଉନ୍ତିଆର ବଫୁ ହିଁ ମୋହନ ନାୟକ। ସେଥିଲାଗି ଜମିଦାରକୁ ସେସ ଦେଉନ ଥିଲେ ଗଉନ୍ତିଆ। ଜଙ୍ଗଲଟି ଆମର, ଜମି ଆମର। ଆମେ ଖଟିବୁ ଆମେ ଖାଇବୁ ଧରତିମାତା ତୋ ସେସ ନେଇ ମାଗବାର ଜମିଦାର କି ରଜା କିଏ ଆଏ? ଏହା ହିଁ ତାକୁ ଉଚ୍ଚ ଶାସକଙ୍କ ନିକଟରେ ବଇରି କରି ରଖିଥିଲା।
ଘାସିରାମ ପହଂଚିଲାବେଳକୁ ପନ୍ଦରଦିନ ହେବ ନରଖାଦକର ଆତଙ୍କ ଥିଲା। ଲୋକେ ବିନା ହତିଆରରେ ବାହାରୁ ନଥିଲେ। ଗାଁ ଭେଣ୍ଡିଆମାନେ ଗାଁ ଜଗୁଥିଲେ। ତଥାପି ବି ବାଘଟି ତିନିଜଣଙ୍କୁ ନେଇ ସାରିଥିଲା। ସେ ବାଘକୁ ଘାସିରାମ ମାରିଦେଲେ। ଦେଖିବା ଲୋକ କହନ୍ତି ଯେଉଁ ବେହେଲିରେ ଘାସିରାମ ବାଘସଂଗେ ଲଢୁଥିଲେ ସେ ଜମିର ମାଟି ବି ଧୂଳି ହୋଇଯାଇଥିଲା। ସଭାରେ ଗଉନ୍ତିଆ ତାକୁ ସିଂ ଉପାଧି ଦେଲେ। ଘାସିରାମ ସିଂ ମାଝି। ମୋହନ ନାୟକ ତାର ଝିଆକୁ ଆଣି ସଭାରେ ଲୋକଙ୍କ ଆଗରେ ଟେକିଦେଲା ଘାସି ହାତରେ। ବାର ପାଟକର ଲୋକେ ଭୋଜିଖାଇଲେ। ଗଉନ୍ତିଆ ତାର ଆୟୋଜନ କରିଥିଲା। ସେଦିନୁ ଘାସିରାମ ରହିଗଲେ ମୋହନ ଘରେ। ମୋହନ ଅନ୍ତେ ଘାସିରାମ ଭୋଗକଲେ ତାର ପଦ ଓ ସମ୍ପଦା। ଗଉନ୍ତିଆଙ୍କ କନ୍ଧ ବାହିନୀକୁ ନେତୃତ୍ୱ ଦେଲାବେଳେ ମୋହନଙ୍କ ଅଭାବ ଦୂର ହୋଇଯାଏ ଲୋକଙ୍କ ମନରୁ। ତାଙ୍କର ଖ୍ୟାତି ଓ ବୀରତା ଗଉନ୍ତିଆଙ୍କ ପରବର୍ତ୍ତୀ ବ୍ୟକ୍ତିତ୍ୱ କରି ରଖିଥିଲା। ଜନମା ବି ତାଙ୍କୁ ପତ୍ରପ୍ରାୟ ଆଦର କରୁଥିଲେ।
ଦିନେ କୁଠିରେ ଗଉନ୍ତିଆଙ୍କ କାଳ ହେଲା। ପ୍ରଜାଏ ପ୍ରସ୍ତୁତ ନ ଥିଲେ ଏ କାଳ ପାଇଁ। ଉପର ଶାସକଙ୍କଠୁ ଭୟଥିଲା ସବୁବେଳେ। ଅଦମ୍ୟ ଥିଲେ ଗଉନ୍ତିଆ। ତାଙ୍କ ପ୍ରଜା ସ୍ୱଭାବିକ ନେଲେନି ଏ ମୃତ୍ୟୁକୁ। ଯାହା ହେଉ ନିଜଲୋକ ନଥିଲେ ଏ କାଣ୍ଡ ହେବା ଅସମ୍ଭବ। ପରିସ୍ଥିତିକୁ ଦେଖି ଘାସିରାମ ସିଂ ମାଝୀ ଶୋକ କଲେନି। କାନ୍ଧରେ ଧନୁ ପିଠିରେ ଗୁଣୀର, ହାତରେ ଭାଲ, ଅଂଟାରେ ଟାଙ୍ଗି, ଦୁଇଜଙ୍ଘରେ କଟାର, ଗୋଡ଼ରେ ପଏଁର, ହାତରେ ବହାପଟ କମରବନ୍ଦ ତଲବାରରେ ଘାସିରାମ ଯେପରି ପାହାଡ଼ ଚିରି ମାଡ଼ିଯିବାର ଦର୍ପ ନେଇ ଗଉନ୍ତିଆ ଘରକୁ ଗଲେ।
ଜନମାଁ କାନ୍ଦୁଥାନ୍ତି।

ଘାସିରାମ ଦ୍ୱାରରେ ଠିଆହେଲେ, ‘ମାଁ…! ତୋର ଆଖିର ପାନିଥି ତୋର ରାଏଜ ଏକା ଭାସିଯିବା। ତୋର ରାଏଜକେ ସମ୍ଭାଲ ଆଜ୍ଞା ନେବାର କେ ଆସିଛେଁ!’
ଶରଧାକର ଓ ଭାନୁମତୀ ଦୁହେଁ ଠିଆ ହୋଇଗଲେ। କେବେକାଳେ ଏମିତି ବୀର ଜନ୍ମ ନିଅନ୍ତି ମାଟିରେ। ସେ ବୀରଙ୍କୁ ସମ୍ମାନ ବସିକରି ଦିଆଯାଇ ପାରେନା। ମୁଁ ବି ଠିଆହେଲି ମୋ ପରେ ପ୍ରଫୁଲ୍ଲ। ବୁଢ଼ାବୁଢ଼ୀ ଦୁହେଁ କହୁଥାନ୍ତି ଘାସିରାମଙ୍କ ବୀରଗାଥା।
ଜନମାଁ ଠିଆ ହେଲେ। ପୂଜାକୁଠିକୁ ପଶିଲେ। ଗଉନ୍ତିଆ ଗତକାଲି ଦେବୀଙ୍କୁ ଚଢ଼େଇଥିବା ମନ୍ଦାରମାଳ ଘାସିରାମଙ୍କ ଗଳାରେ ଦେଲେ। ଆରତୀ କରି ସିନ୍ଦୁର ଟିକା ଦେଲେ।
ଘାସିରାମଙ୍କ ହାତଧରି ସଭାକୁ ନେଲେ। ଡକାମାରି ପିଲାଠୁ ବୁଢ଼ା ଆଗରେ ଚାଲୁଥାନ୍ତି ହୁଇକ୍..! ହୁଇକ୍..!! ରଣଧ୍ୱନୀ ଦେଇ ପଛରେ ଗାଁଟି ଜାକର ମାଇପ ହୁଳହୁଳୀ ଦେଇ। ସମସ୍ତଙ୍କ ଆଖିଲୁହରେ ଭିଜିଥାଏ। ହେଲେ ନିଜର ମାଟି ଆଉ ଅସ୍ତିତ୍ୱ ଲାଗି ଗଛବୃଚ୍ଛ ବି ରଣହୁଙ୍କାର ଦେଉଥାନ୍ତି ଯେପରି। ସଭାରେ ଦୁନ୍ଦୁଭି ବାଜିଲା। ଯେଉଁଠି ଗଉନ୍ତିଆ ସାଙ୍ଗେ ମୋହନ ଠିଆ ହେଉଥିଲେ ସେଠାରେ ଥାନ୍ତି ଜନମାଁ ସାଙ୍ଗେ ଘାସିରାମ ସିଂ ମାଝୀ।
ଜନମାଁ ମେଳିକୁ ସମ୍ବୋଧନ କଲେ। କପାଳର ସିନ୍ଦୁର ଦପ ଦପ କରୁଛି। ଆଖି ଦୁଇଟି ଜଳୁଛି। ସ୍ୱରରେ କାଳଭୈରବୀର ହୁଂକାର…
ମାଁ…କେ ଜୁହାର! ମୋର ପୋ’ମାନେ! ତମର ଗଁତିଆ ବୁଆ ସରିଗଲା। କେ’ନ୍ତା ହେ କଥା ଜାନବାର ସମିଆ ନେଇନା ଇଛନ ଆମରଠାନେ। ତମର ଇ ରାଏଜ ଥି ମାଁର କୁରପା ନୁ ଆର ତମର ବଫୁ ଲାଗି କେବେ ବି ଶତୃର ପାହାଁ ନେଇ ପରି ଇ ମାଏଟ ଥି। ମାଁ ଅଛେ! ତମେ ଅଛ! ଯ’ ଯିଏ ବି ଇ ମାଏଟ କେ ଆଏଁଖ କରବା ତାକେ ମାଟି ଦଲି ଦିଅ! ମାଁ ତମକେ ଛତର ଆଡ଼ କରବା। ଦଲପତି ଘାସିରାମ ସିଂ ମାଝୀ ତମକେ ବାଟ ଦେଖାବା।
ସମବେତ ହୁଳହୁଳି ଓ ରଣହୁଂକାର ସେ ଦୂର ପାହାଡ଼କୁ ବି ସ୍ତବ୍ଧ କରିଦେଲା। କାଳି ନଈ, ପାହାଡ଼ ଘାଟିରେ ଅଧିକ ବାହିନୀ ରହିଲେ। ବାକି ସୀମାରେ ଆବଶ୍ୟକତା ମତେ। ଘାସିରାମଙ୍କ ବ୍ୟୁହ ଏପରି ଥିଲା ଯେ ସହଜରେ ଭେଦିବା କଠିଣ ଥିଲା। ଘାସିରାମ ନିଜେ ଘୋଡ଼ାରେ ସବୁ ଶିବିରକୁ ଯାଉଥାନ୍ତି। ଏପରି ଯାଉଥାନ୍ତି ଯେ ସବୁ ଶିବିର ତାଙ୍କ ଅନୁପସ୍ଥିତି ଜାଣି ପାରୁନଥାନ୍ତି।
ଗଉନ୍ତିଆଙ୍କ ଶେଷକୃତ୍ୟ ସରିଲା। ଦିନରାତି ଗୋଟିଏ ମାସ ସୀମା ଜଗିଲେ। ତା’ପରେ ସୀମାରେ କିଛି ସ୍ଥାୟୀ ବ୍ୟବସ୍ଥା କଲେ। ଜମିଦାର ଓ ରାଜା ଜାଣିଗଲେ ଏଇଟା ଅଜେୟ ଭୂମି। ଜନମାଁ ସବୁ ସଙ୍ଖୋଳିଲେ; ସକାଳ ପହରୁ ସେହି ନିତ୍ୟକର୍ମ, ସଭା ଓ ଭାଗବତ।
ଗଉନ୍ତିଆ ଯିବାର ପାଂଚବର୍ଷ ପରେ ଘାସିରାମ ଆସି ଜନମାଁଙ୍କୁ କହିଲେ, ‘ମାଁ! ରଜା ତାର ରାଏଜକେ ଦେଶୀ ସରକାର କେ ଲେଖିଦେଲା।’
- ନିଜର ଇଚ୍ଛାଥି ଲେଖିଦେଲା କାଏଁ?
- ନେଇ ଗୋ ମାଁ! ସନ୍ତକ ଦେଲାବେଳେ କାନ୍ଦୁଥିଲା ରଜା।
- ମୁଇଁ ତୋ କାହାକେ ନେଇ ଲେଖିଦେବାର ମୋର ରାଏଜ କେ!
ପୁଣିଥରେ ଦୁନ୍ଦୁଭି ବାଜିଲା ସଭାରେ।
କିଛିଦିନ ଗଲା ଉତାରେ…
ଦିନେ ରାତିରେ ପଚାଶ ପାଖାପାଖି ଲୋକ ମଶାଲ ଧରି ଘାସିରାମ ପଛେ ପଛେ ଗଲେ। - ରଜାଘରେ ଉଛବ କରୁଛନ!
- ହୁଁ…
- ଗାନ୍ଧୀ ମହାରାଜ କେ ବି ମାରିଦେଲେ!
ଜନମାଁ ଆକାଶକୁ ହାତଯୋଡ଼ିଲେ ଅମର ଆତ୍ମାର ସଦଗତି ଲାଗି। - ରଜା ରାଏଜ ପାଏମି ବଲୁଛେ କେଁ?
- … … …
- ତୋର ରାଏଜ କେ କିଏ କେବେ ଛିଁଛେ କାଏଁ?
ଉତର ମିଳିଗଲା ଘାସିରାମଙ୍କୁ।
-ତେଲ (ତିନିଦିନର ଶୁଦ୍ଧିକର୍ମ) କେବେ? - ପର କେ..(ପରଦିନ)।
- ହେ ଦିନେ ତେଲ ହେବା ପାଟକ ଥି। ଦଶା ବି କରମୁଁ।
ସମୟ ଗଡ଼ି ଚାଲିଲା। ବାହୁ ଓ ବୁଦ୍ଧିବଳକୁ ମିଶେଇ ପାଟକକୁ ରକ୍ଷା କରିବାକୁ ପଡ଼ୁଥିଲା। କେବଳ ଦଳପତି ଘାସିରାମ ସିଂ ମାଝୀ ହିଁ ସମସ୍ତ ବୋଝ ନେଉଥିଲେ। ଜନମାଁଙ୍କ ସଜାଗତା ହିଁ ଥିଲା ମୁଖ୍ୟ କବଚ।
ରଜା ନିଜର ରାଜୁତି ଫେରି ପାଇବାକୁ ଦେଶୀ ସରକାର ନିକଟରେ ମନ୍ତ୍ରୀ ହେବାକୁ ରାଜନୀତି କଲେ। ଗଉନ୍ତିଆଙ୍କ ପାଟକ ଅକ୍ଷତ ଥିଲା।
ଭୋଟ ଆସିଲା। ଭାଗଭାଗ କରାଗଲା ପାଟକକୁ। ପାଂଚଟି ପଂଚାୟତରେ ଭାଗ ହେଇଗଲା ଗଉନ୍ତିଆଙ୍କ ପାଟକ। ହେଲେ ଗୋଟିଏ ବି ପଂଚାୟତ ସ୍ୱତନ୍ତ୍ର ରହିଲାନି ପାଟକରେ। ଲୋକଙ୍କୁ ଭୋଟପାଇଁ ପ୍ରାର୍ଥୀମାନେ ଆସିଲେ। ଜନମାଁଙ୍କ ଭିତରେ କିଏ ଗୋଟିଏ ମରି ମରି ଆସୁଥାଏ। ଦିନେ ରାତିରେ ଦଳପତି ଘାସିରାମ ସିଂ ମାଝୀଙ୍କ ଶବ ପଡ଼ିଥାଏ ନଦୀ ପଠାରେ। ପିଠିରେ ଗଭୀର କ୍ଷତମାନ ଥାଏ। କିଛିଦିନ ପରେ ଜନମାଁ ବି ମରିଗଲେ।
ଗଉନ୍ତିଆଙ୍କ ପାଟକ ସରିଗଲା।
ଘାସିରାମଙ୍କ ଗୋଟିଏ ପୁଅ କମଳଲୋଚନ ଓ ଝିଅ ଭାନୁମତୀ। ଦୁହିଙ୍କୁ ନେଇ ଘାସିରାମଙ୍କ ପତ୍ନୀ ଶ୍ରୀକୁମାରୀ ରାଜ୍ୟ ଛାଡ଼ିଲେ। ଭାନୁମତୀଙ୍କୁ ଶ୍ୱଶୁର ଘର ମାନ୍ୟରେ ଭଣଞ୍ଜା ଶରଧାକରକୁ ଦେଲେ। ପୁଅକୁ ବାହା କଲେ। କମଳଲୋଚନଙ୍କ ତିନିପୁଅ। ବଡ଼ ପୁଅ ଋପଧର ମଦ ପିଇ ମଲା। ମଝିଆ ବିଦ୍ୟାଧରକୁ ଭାନୁମତୀ ନିପୁତ୍ରୀ ହେବାରୁ ପୁଅ କଲେ ଓ ଛୋଟ ଚକ୍ରଧର ମାଁ ପାଖରେ ରହିଲା।
ଉଦବାସ୍ତୁ ହେଲାପରେ ଶ୍ରୀକୁମାରୀ ଦାରିଦ୍ର୍ୟ ଦେଖିଲେ। ଅଶି ଦଶକ ଆରମ୍ଭ ବେଳକୁ ଗୋଟିଏ ଜଳସେଚନ ପ୍ରକଳ୍ପ ହେଲା। ଶରଧାକରର ପରିବାର ବିତାଡ଼ିତ ହେଲେ ମାଟିରୁ। ଜଙ୍ଗଲରେ ରହିଲେ। ଜଙ୍ଗଲ ବାବୁମାନଙ୍କୁ ଦେଇଥୋଇ ଦୁଇ ଏକର ଜମି ମାରିଲେ। ଗୋଟିଏ ଛୋଟ ଗାଁ କଲେ ସମଦୁଃଖିମାନଙ୍କୁ ନେଇ। ସେଠାରେ ରହିଲେ।
ଦିନେ ସରକାର ନୋଟିସ କଲେ ଯେ ତୁମେ ବେଆଇନ ଭାବେ ଗାଁକରି ରହିଛ। ଏଠାରୁ ବାହାରି ଯାଅ। କୁଆଡ଼େ ଯିବେ ସମସ୍ତେ? କଉଠି ରହିବେ? କ’ଣ ଖାଇବେ? କିଏ ଦେବ? ଏମିତି ନାନା ପ୍ରଶ୍ନର ଅସମାଧିତ ଉତ୍ତରମାନ ତାଙ୍କୁ ବିବ୍ରତ କରୁଥାଏ। ଏନଜିଓରୁ ଲୋକ ଆସିଲେ କହିଲେ ଆମେ ଆନ୍ଦୋଳନ କରିବା। ତୁମର ଏ ଦେଶ! ଏ ମାଟି! ତୁମକୁ କେହି ବି ତଡ଼ି ପାରିବ ନାହିଁ। ଆଠ/ଦଶଦିନରେ ଥରେ ସଭା ହୁଏ। ବଡ଼ବଡ଼ କଥା କହନ୍ତି। ତାଙ୍କ କଥା ଶୁଣିଲେ ଶରଧାକରକୁ ଲାଗେ ସେ ଏଇଠି ରହିବ ଥିର ହୋଇ। ଥରେ ମାଟିଛାଡ଼ିବାର ଦୁଃଖ ଦେଖିଛି। ଆଉ ନୁହେଁ। ଲଢ଼ିବେ ସେମାନେ। କିନ୍ତୁ ଏହା କିପରି ଲଢ଼େଇ? ଯେଉଁଥିରେ ସତ୍ୟର ସାହସ ନାହିଁ! ପୁରୁଷକାରର ଜୟଘୋଷ ନାହିଁ! ହଉ ଦେଶ ବଦଳୁଛି ତାର ରୀତିନୀତି ବି।
ବିଦ୍ୟାଧର ଶରଧାକରଙ୍କୁ ଘରେ ବସେଇ ମେଳି (ଏନଜିଓ କରୁଥିବା ସଭା)କୁ ଯାଏ। ଗାଁର କୋଡ଼ିଏ ଜୁଆନଙ୍କୁ ସାଙ୍ଗରେ ରଖିଥାଏ ସବୁବେଳେ।
ଦିନେ ରାତିରେ ଜଙ୍ଗଲବାବୁ(ଫରେଷ୍ଟର) ଓ ସିପାହୀ ଦୁଇଜଣ ଆସି ଶରଧାକରକୁ ଡାକିଲେ। - ଇ ବୁଆ! କାଣା ହେଲା ହଜୁର ମନେ!
- ହେଁ ! କିଛି ନେଇ ବୋ ଚାଲ ଝନେକେ ଚିହ୍ନବୁ।
ଶରଧାକର ଯାହାକୁ ଚିହ୍ନିବା ପାଇଁ ଯାଇଥିଲା ସେ ସବୁଜ ପଲିଥିନରେ ଗୁଡ଼ାହୋଇ ଥାଏ। ଜରି ଅଡ଼େଇଲା ପରେ ଦେଖିଲା କପାଳ ଓ ଛାତି ଚିରା ହୋଇ ଟିପା ହେଇଛି। ଭଲକରି ଦେଖିଲା ଟର୍ଚ୍ଚ ଆଲୁଅରେ… ଏ ବୁଆ ଗୋ… ମୁଇଁ ତୋର ମାଁ ବୁଆ କେ କେଁ ବଲି ଜବାବ ଦେମିରେ ବାବୁ! ଏଡ଼କି କରମ କରିଦେଲୁ ଯେ…! ଏଇଟା ଥିଲା ବିଦ୍ୟାଧରର ଶବ। ପୋଲିସ କହିଲା ନକ୍ସଲସଙ୍ଗେ ଥିଲା। ପୁଲିସ ସଙ୍ଗେ ଲଢ଼ଲା ବେଳେ ମରିଗଲା। - ଯା’ର ବୁଆ ନିଜର ବାହାଁ ଥି ପୁରଥି ଠେକେଇଥିଲା(ଥିର ରଖିଥିଲା) ହଜୁର! ତା’ର ପିଲା ନକସଲ ହେବା କେଁ। ତମେ ମିଛ କହୁଛ…!
ଜଣେ ସିପାହୀ ଶରଧାକରକୁ ତେଂଟିଆ ଧରି ଭିତରକୁ ନେଇଗଲା। ଶଳା! ଆମେ ମିଛ କହୁଛୁଁ ନେଇ! କହି ତାର ମୂଳା ଆଙ୍ଗୁଠି କାଳିରେ ବୁଡ଼େଇ ଟିପ ନେଲା କେଉଁ କାଗଜରେ। ବାହାରକୁ ସେମିତି ତେଂଟିଆ ଦେଇ ପେଲିଦେଲା ବିଦ୍ୟାଧରର ଶବ ପଟକୁ। ଶରଧାକର ନେହୁରା ହେଲା ତା’ଘରକୁ ଶବ ନେଇଦେବାକୁ। କେହି ରାଜି ହେଲେନି। ରାତିରେ ପଲିଥିନ ସଙ୍ଗେ ଶବକୁ ବୋହି ରଡ଼ି ରଡ଼ି ବାଟ ଚାଲୁଥାଏ। ଏ ବୁଆ ମାଁ ମନେ! ମୋର ପୁଓକେ ଖାଇଦେଲି ଗୋ। ମୋର କିହେ ନେଇ ବୁଆ! ମକେ ନେଇ ଦୁଶ।… ଏମିତି ଆସୁଥାଏ। ଯେଉଁ ନଦୀର ବନ୍ଧଲାଗି ସେ ବାସ୍ତୁହରା ହେଲା ସେ ନଦୀ ଆସିଲା। ଶରଧାକର ନଦୀ ବାଲିରେ ଶବକୁ କଚାଡ଼ି ଦେଲା। ନଦୀକୁ ଜବାବ ମାଗିଲା, ‘ବଡ଼ା ନାଟ ଶିଖିଛୁ ତୁଇ ତୋ! କେତେ ସୁନ୍ଦର କିଛି ନେଇ ଜନଲା ବାଗିର ଅଛୁ। ମୋର ଘର ଗାଁ ବୁଡ଼ାଲୁ। ମକେ ମୋର ମାଁ ମେଟନୁ ଖେଦଲୁ। ନେ ଇଛନ ଆର କାଣା ନେବୁ। ମୋର ପୁଓକେ ଆନିଛେଁ। ଇତାକେ ବି ଖା!’
ପ୍ରଫୁଲ୍ଲ କସ ଗ୍ଲାସକୁ ଏକାସଙ୍ଗେ ପିଇଦେଲା। ଭୋ ଭୋ କାନ୍ଦିଲା… ନିରବରେ କାନ୍ଦୁଥାନ୍ତି ଶରଧାକର ଓ ଭାନୁମତୀ।
ରାତିରେ ବିଦ୍ୟାଧରର ଶବକୁ ଅଣ୍ଡାଳିଲା ଶରଧାକର। କିଛି ନ ଥିଲା ତା ଦେହରେ କେବଳ ଭାନୁମତୀ ଆପଦବିପଦରୁ ରକ୍ଷା କରିବା ପାଇଁ ବାହୁରେ ବାନ୍ଧିଥିବା ତାବିଜ ବ୍ୟତୀତ। ତାବିଜକୁ ଖୋଲି ଅଂଟାରେ ରଖିଲା। ତାର ଧରିଥିବା ଲାଠିରେ ବାଲିକୁ ଉଖାରିଲା। ନଦୀକୁ ଗାଳି ଦେଉଥାଏ! ବିଦ୍ୟାଧରର ଗୁଣ ଗାଇ ଗାଇ କାନ୍ଦିକାନ୍ଦି ନଈବାଲିରେ ଖାଲ କୋଡ଼ୁଥାଏ।
ସକାଳ ପହରେ ହେଇସାରିଥାଏ ଶରଧାକର ଗାଁକୁ ଫେରିଲା। ଭାନୁମତୀ ଆକୁଳରେ ଅପେକ୍ଷା କରିଥାଏ; ଶରଧାକରକୁ ଦେଖି ଦୌଡ଼ି ଆସିଲା। କିଛି କହିଲାନି ଶରଧାକର। ବିଦ୍ୟାଧରର ତାବିଜକୁ ବଢ଼େଇଦେଲା ଭାନୁମତୀକୁ। ଭାନୁମତୀ ଲଥକରି ତଳେ ବସିଗଲା… ଯେତେ ଶୀଘ୍ର ପାରିବ ନିଜକୁ ସଂଖୋଳିଲା। ବିଦ୍ୟାଧରର ସ୍ତ୍ରୀ ପାଖକୁ ଗଲା। ଦୁଇବର୍ଷର ପୁଅ ରାଜକୁମାର ଶୋଇଛି। ଚଟାଣରେ କୌଶଲ୍ୟା ସଂଜ୍ଞାହୀନ ହୋଇପଡ଼ିଛି।
ଏନ୍ତାକରି ବୁଆ ଛାତିକେ ପଥର କରି ପରିଛୁଁ ଆମେ ଦୁଇ ବୁଢ଼ାବୁଢ଼ୀ। ଖ’ ବୁଆମାନେ ଖ’ ଗୋ! ଆମକୁ ସ୍ୱାଭାବିକ କରିବା ପାଇଁ ବୁଢ଼ୀ କହିଲା। କିଛି ସମୟ ଗଲାପରେ ପଚାରିଲି କୌଶଲ୍ୟାର କଥା। - ଏ ବୁଆ! ବାଛିକରି ବହ କରିଥିଲି ଗୋ। ତା’ର ତୁଣେ ମାଁ ପଦ ଥାଏ ନା। ମକେ କାମ କରେଇ ନେଇ ଦଉଥାଇ। ମୋର ହାତର କାମ କେ ଘିଚି ନେବା। ତା’ର ବୁଆ(ଶରଧାକର) ଗୁଏଲ ହିଅନ ପାରଲେ। ମୋର ଘର ପୁରି ଯାଇଥିଲା ବୁଆ ଗୋ!
କୌଶଲ୍ୟାର ବାପାଙ୍କୁ ଡକା ହେଲା। ତିନି ବର୍ଷର ବିବାହ କି ବିବାହ! ବୁଝାସୁଝା କରି ତାକୁ ତାର ବାପା ସଙ୍ଗେ ପଠେଇ ଦେଲେ। କୌଶଲ୍ୟା ବହୁତ କାକୁତି ମିନତି ହେଲା। ମୁଇଁ ତମର ଅଏଁଠା ଖାଇକରି ରହେମି ନିନ୍ଦା ବଦନାମ ନେଇ ଆନେ ବୋଲି କହୁଥାଏ। ଶରଧାକର କହିଲା ମୋର ତୋ ସବୁ ସରି ଯାଇଥିଲା ମାଁ; ବିଦ୍ୟା ଆଏଲା ଫେର ଘାଏ ଜୀଇଁଲି, ଏଭେ ଆର ବଁଚମି ମୋର ରାଜକୁମାର ଅଛେ। ମୁଇଁ ବୁଢ଼ାଲୋକ ଗୁଟେ ବଁଚବାକେ ନେଇ ହାରବାର; ତୁଇ ତୋ ଖୁଦର ଖାପେ ନେଇ ଖାଏବାର ପୁତା। ରାତିସାରା ବୁଢ଼ା ସଂଚିଥିବା ସୁନା ସବୁକୁ ବାହାର କଲା। ରାତିସାରା ବାଛି ବାଛି କୌଶଲ୍ୟାକୁ ଦେଉଥାଏ। ଗୋଟିଏ ଆଭୁଷଣରେ ଗୋଟିଏ କାହାଣୀ ଥୋଇଥାଏ କରୁଣାକର। ଶେଷକୁ କୌଶଲ୍ୟାର ପାଦ ଦୁଇଟି ଧରି ସାଷ୍ଟାଙ୍ଗ ହୋଇ କହିଲା, ‘ମୁଇଁ ତକେ ପର ନେଇ କରବାର ମାଁ ଗୋ! ଇଟା ସଂସାର ଆଏ ତୁଇ ବନେ ହେଇ କରି ଥିଲେ ଆମର ହାତଗୋଡ଼ ପରିଗଲେ ଆମକେ ସଁକଲିବୁ।
ଶରଧାକର ଛାତିକୁ ଟାଣ କଲା। ତାର ପରଦିନ ପୁଣି କାମକଲା। ହଜି ଯାଇଥିବା ବଫୁ ଧିରେ ଧିରେ ଫେରି ଆସୁଥାଏ ଯେପରି ତା ନିକଟକୁ।
ଦିନେ ଏନଜିଓର ଗୋଟିଏ ଲୋକ ଆସିଲା। ଶରଧାକର ଡାକିଥାଏ ତାଙ୍କୁ। ଥରେ ସେ ପ୍ରସ୍ତାବ ଦେଇଥିଲେ। ଜଙ୍ଗଲ ଭିତରେ ଗାଁମାନ ବସୁଛି। ବହୁତ ଲୋକ ଏହାର ଲାଭ ନେଉଛନ୍ତି। ଆମେ ଯେତେ ଲଢ଼ିଲେ ବି ତୁମକୁ ଗାଁ ଛାଡ଼ିବାକୁ ପଡ଼ିବ। ଭଲ ହେବ ତୁମେ (…?)ସେଠାକୁ ଯା’ଅ। ଫରେଷ୍ଟର ତୁମକୁ ଜାଗା ଦେଖେଇ ଦେବ। ଇଚ୍ଛାରେ ଜମି ବାଛିବ। ନିଜ ଇଚ୍ଛାରେ ରହିବ। କେହି କିଛି କରିବେନି, କି’ କହିବେ ନାହିଁ।
ଘରଡ଼ିହ ପାଇଁ କୋଡ଼ିଏ ହଜାର ଓ ଏକରକୁ କୋଡ଼ିଏ ହଜାର କରି ଦେବାକୁ ହେବ। ନିଜର ଖର୍ଚ୍ଚ ସଙ୍ଗେ ଏନଜିଓର ଲୋକ କହିଲା ଅଢ଼େଇ ଲକ୍ଷ ଟଙ୍କା। ରାଜକୁମାରର ଭବିଷ୍ୟତକୁ ଦେଖି ଦଶଏକର ଜମିର ସେସ(?) ଦେଲା। ଗାଁରୁ ଟିକିଏ ଛାଡ଼ି ଏଇ ଘର।
ଏଠାକୁ ଆସିଲାବେଳେ ରାଜକୁମାରକୁ ଆଠ ବର୍ଷ। ଅଢ଼େଇଲକ୍ଷ ଟଙ୍କା ଦେଲା ଏନଜିଓ ଲୋକକୁ। ସତରେ ଫରେଷ୍ଟର ଆସି ଜମି ମଡ଼େଇ ଦେଲା। ନକସା ଦେଲା କାଗଜପତ୍ର ବି କଣ କଣ ଦେଲା। ଟିପଚିହ୍ନ ଦେଇ ଦେଇ ବୁଢ଼ାର ଆଙ୍ଗୁଠି ଦରଦ କଲା। ସୁନା ବିକି ବଳିଥିବା ବିସ୍ଥାପନ ଟଙ୍କା ସହ ଦୁଇ ଲକ୍ଷ ଏନଜିଓବାଲାକୁ ଦେଲା। ଏନଜିଓବାଲାର ମଧ୍ୟସ୍ଥତାରେ ମହାଜନକୁ ପଚାଶ ହଜାର ଋଣ କରେ ଦେଲା।
କରୁଣାକର ଗଛ କାଟି ବିକିଲା। ଚାଷ କରି ଋଣ ପରିଶୋଧ କରୁଥାଏ। ଦୁଇବର୍ଷ ଜଙ୍ଗଲରେ ଖଟି ଖଟି ଏଇ ଘର ଆଉ ଜମି ତିଆରି କଲା। ଏମିତି ଏମିତି ଋଣ ପରିଶୋଧ କରିବାକୁ ସାତବର୍ଷ ସମୟ ଲାଗିଗଲା। ପନ୍ଦରଭରି ସୁନା ଓ ଅଶି ହଜାର ଟଙ୍କା ଦେଇ ବି ପଚାଶ ହଜାର ଟଙ୍କାର ଋଣୀ ହେଲା। ମାସକୁ ଦଶଟଙ୍କା ସୂଧ ଦେଇ ଦେଇ ଏଇ ଦୁଇବର୍ଷ ତଳେ ମୁକୁଳିଛି।
ରାଜକୁମାର କେନଠାନେ ଏବେ ଅଛେ?
ରାଜକୁମାର ବର୍ଷେ ହେବ ତାର ସାନକକା ଚକ୍ରଧର ନିକଟରେ ରହୁଛି। ସେ ଲେବର ପଠାଏ (ଦାଦନ ଶ୍ରମିକ ଦଲାଲ) ହାଦ୍ରା(ଆନ୍ଧ୍ର)କୁ। ବୋଲେରୋ ଦୁଇଟି ବି ରଖିଛି। ତାକୁ ସେ ଦେଖାଶୁଣା କରେ। ଏଠାରେ କରିବ କଣ? ତାର ଲୋକବାକ ସଙ୍ଗେ ମିଶିକରି ଥାଉ। ଆସନ୍ତାବର୍ଷ ସେ ଫେରିବ। ବାହା କରେଇ ଦେବୁ। ସେ ରହିବ ଏଠାରେ। ଏସବୁ ତାର ସମ୍ପତିବାରି। ରହିପାରେନି ଆଈକୁ ଛାଡ଼ି। ମାସ ନ ପୁରୁଣୁ ଦୌଡ଼ି ଆସେ। ଦିନେ ରହି ଫେରିଯାଏ।
ରାଜକୁମାର କୌଶଲ୍ୟା ପାଖକୁ ଯାଏ?
ଯାଏ! କୌଶଲ୍ୟାର ବାପାକୁ ନିନ୍ଦା ନାଇଁ। ଭଲ ଜୋଇଁ ବାଛିଛି। ଦୁଇଟା ଛୁଆ ଜମି ବାଡ଼ି ବନେ ଅଛି। ସୁଖରେ ରହୁଛି। ରାଜକୁମାର ଯାଏ ଘଡ଼ିଏବେଳେ ରହି ଫେରିଆସେ। ରାତି ଶୋଇବା କେହି ଦେଖିନି।
ଶରଧାକର କାନ୍ଥକୁ ଆଉଜି ଶୋଇପଡ଼ିଲା। ନିଦରେ ପୁଣିଥରେ ବୋହିଥିବା ବୋଝମାନ ସଜୀବ ହୋଇଗଲେ ଯେମିତି। ବୁଢ଼ୀ ବସିଥାଏ ଚୁଲି ମୁଣ୍ଡରେ। ପ୍ରଫୁଲ୍ଲ ବୁଢ଼ାର ଥକିବାଟାକୁ ଅପେକ୍ଷା କରିଥିଲା ଯେମିତି। ଧରିଥିବା ଚାଦର ଘୋଡ଼ି ହୋଇ ଶୋଇପଡ଼ିଲା। - ବଡ଼େ!
- ଓ ପୁତା!
- ତୁଇ ତ ଏତେ ସଂସାର ଦେଖଲୁ ଗଁତିଆର ରାଏଜ କେନ୍ତା ଗୋ?
- ଏ ବୁଆ; ଏତକି ପୁରଥି ବୁଲାଲା ମୋର କପାଲ ମକେ। ହେଲେ ସେ ବୁପନ୍ତା ବିଧାତା ଥିଲା ଗୋ ବୁଆ। ତାର ରାଏଜ ଆରୁ କିହେ ନେଇ ଗଢ଼ି ପାରନ ନା ବୁଆ। ରାତି ଭାରି ହୋଇ ଆସୁଥାଏ। ରାତିସଙ୍ଗେ ଛାତ, କାନ୍ଥ, ବାସନ ବି। ସ୍ତବ୍ଧ ଥାଉ ସମସ୍ତେ। ଏତେବେଳେ ବଇଁଶୀର କରୁଣ ସ୍ୱରଟିଏ ଭାସିଆସିଲା ଗାଁ ଭିତରୁ। ବୁଢ଼ୀ ସଦ୍ୟ ଉଜାଗର ହୋଇଥିବା ଅତୀତର ଦୁଃଖ ଓ ବଇଁଶୀର ସଂଯୋଗକୁ ଗ୍ରହଣ କରିବାକୁ ଅପ୍ରସ୍ତୁତ ଥିଲା।
-ଏଃ! କରି ଉଠିଗଲା ଭିତରକୁ। ମୁଁ ଚିତ ହୋଇ ଛାତକୁ ଦେଖୁଥାଏ। ଭିତରୁ ବୁଢ଼ୀ କହିଲା ସଖିରାମ ପହରିଆ ଆଏ ବାବୁ ଇଟା। ବୁପରା ବଉଁଶ ନେ ଜୀଁଲା ବଉଁଶ ନେ ମଲା। ତାର ଦୁଇଟା ପୋ’। ଗୁଟେକେ ପୁଲିସ ବାଲେ ମାରିଦେଲେ ମାଉବାଦି ବଲି; ଆର ଗୁଟେକେ ମାଉବାଦିମାନେ ମାରଲେ ପୁଲିସ ବଲିକରି। ବୁପରା କାହାକେ କହେବା। ହେ ବଏଁଶୀଥି ଏକା ମରମି ବଲି ରାଏତ ସରଲେ ଫୁକୁଥିସି। ବୁକ ଚିରି ହେଇ ଯାଏସି ଗୋ ବୁଆ!
ଝରଣା ପଟୁ ଫେରି ଚା’ ଆଉ ମୁଢ଼ି ଖାଇଲା ବେଳେ କହିଲି ତୁମ ଗଉନ୍ତିଆର ରାଏଜକୁ କମ୍ପାନୀ ନେବ। ତୁମେ ତୁମର ଟଙ୍କା ଆଣନ୍ତନି ଯାଇ କରି।
ଶରଧାକର ଚମକି ପଡ଼ିଲା ଯେପରି। - ନାହିଁ ନାହିଁ ବୁଆ ଗୋ! ସେ ରାଏଜ କେ ଜୁହାର। ଗଁତିଆ ନାଇଁ ଜନମାଁ ନାଇଁ। ଆମେ ଛାର ଛିକର ଲୋକ କିଏ ଆଏ ବୁଆ ଗୋ ବୋଲି ବୁଢ଼ୀ କହିଲା।
ଶରଧାକର କହିଲା, ‘ପିଲାମାନେ ଉଡ଼ି ଶିଖଲେ ନା ହଜୁର ଆରୁ ସେ ନାଁ କେ ନାଇଁ ଧର!’
ହେଲେ କେଉଁ ଆକାଶରେ…?
(ଏହି ସନ୍ଦର୍ଭଟି ଗୋଟିଏ କାହାଣୀ ଉପରେ କାମ କଲାବେଳେ ଏ ପତ୍ରକାରର ଅନୁଭୂତି। ଚରିତ୍ର ଓ ସ୍ଥାନର ନାମ ବ୍ୟତୀତ ସମସ୍ତ ଘଟଣା ସତ ଅଟେ।)
LIKE THIS ARTICLE
Give us a thumbs up!
0 Comments