ଆମକୁ ଚିନ୍ତା କରିବା ଉଚିତ ଯେ ରାଜନୈତିକ ନିର୍ଣ୍ଣୟ ନେଲା ବେଳେ ଓଡ଼ିଶାର କେଉଁ କେଉଁ ସୁଯୋଗ ଓ ସମସ୍ୟା ପ୍ରତି ପ୍ରାଥମିକତା ଦେବୁ! ଏହି ପରିପ୍ରେକ୍ଷିରେ ଛତିଶଗଡ଼ କଥା ବିଚାର କରାଯାଉ। ଓଡ଼ିଶାର ସାଂସ୍କୃତିକ ସ୍ରୋତ ଛତିଶଗଡ଼ ପଟୁ ପ୍ରବାହିତ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ବିଧିବଦ୍ଧ ଭାବେ ଏକ ରାଜ୍ୟର ମାନ୍ୟତା ପାଇଲା। ସ୍ଵାଧିନତା ପାଇବା ପରେ ଗଡ଼ଜାତ ରାଜ୍ୟ ମାନ ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିଅନ ପାଇଁ ପ୍ରୟାସ କଲେ। ୨୬ ଗୋଟି ଗଡ଼ଜାତ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳର ଥିଲେ। ମହାନଦୀର ଜନ୍ମ ବୃତ୍ତାନ୍ତ ଠୁ କାଲାଚୁରୀ – ସୋମବଂଶୀ — ଗଡ଼ଜାତ ଏବଂ ମିଶ୍ରଣ ପରବର୍ତ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ଏବଂ ଓଡ଼ିଶାର ସମ୍ପର୍କ ବେଶ ନିବିଡ଼ ରହିଅଛି। ଆଜି ଯେତେବେଳେ ମହାନଦୀ ପାଇଁ ହୋ ହାଲ୍ଲା ଚାଲିଛି ଠିକ ଷଢ଼େଇକଲା ଓ ଖରସୁଆଁ ମିଶ୍ରଣକଥା ମନେପଡ଼େ। ସ୍ୱ. ଲକ୍ଷ୍ମୀଧର ନାଏକ ଅନେକ ନିବନ୍ଧରେ ବିଛିନ୍ନାଞ୍ଚଳର ବ୍ୟଥା ଲେଖୁଥିଲେ। ଆଜି ପର୍ଯ୍ୟନ୍ତ କୌଣସି ସରକାର ସେ ଅଞ୍ଚଳ ପାଇଁ ଦୃଢ଼ ଦାବୀଟିଏ କେନ୍ଦ୍ର ସରକାରଙ୍କ ନିକଟରେ ରଖି ପାରିନାହିଁ। ଏହି ବିଡ଼ମ୍ବିତ ରାଜନୈତିକ ଚିନ୍ତା ସମୟରେ ଛତିଶଗଡ଼ ବିଷୟରେ କହିବା କାଲା- ମୂଳା ସମ୍ପର୍କ ଭଲି କଥା ହେବ। ହୀରାକୁଦ ବନ୍ଧ ବିସ୍ଥାପିତମାନେ ଛତିଶଗଡ଼ ଅଞ୍ଚଳକୁ ପଳାୟନ କଲେ। ୧୯୬୫ ମସିହାରେ ବଡ଼ମକାର ପରେ ଓଡ଼ିଶାର ବୁଭୁକ୍ଷୁ ପରିବାର ଛତିଶଗଡ଼ ଅଞ୍ଚଳକୁ ପଳାୟନ କଲେ। ଏହାର ଗୋଟିଏ କାରଣ ପଶ୍ଚିମ ଓଡ଼ିଶାର ଗୋଟିଏ ପରିବାର ଛତିଶଗଡ଼ରେ ହିଁ ନିଜର ସାଂସ୍କୃତିକ ସୁରକ୍ଷା ପାଇଥାଏ। ବିରୋଧାଭାଷ ଦେଖାଯାଉ ୧୯୩୬ ମସିହାରେ ଗଠିତ ଗୋଟିଏ ରାଜ୍ୟ ନିଜ ନାଗରିକଙ୍କୁ ସାଂସ୍କୃତିକ ସୁରକ୍ଷା ସତୁରୀ ଦଶକ ପର୍ଯ୍ୟନ୍ତ ଦେଇପାରି ନ ଥିଲା। ଐତିହାସିକ ରାମଚନ୍ଦ୍ର ମଲ୍ଲୀକଙ୍କ ସଂକ୍ଷିପ୍ତ କୋଶଲ ଇତିହାସକୁ ପାଠ୍ୟ ଖସଡ଼ାରୁ ବାହାର କରିଦେବା ପରେ ସମଗ୍ର ଓଡ଼ିଶାବାସୀ ଜଗନ୍ନାଥିୟ (ଓଡ଼ିଶାର ପୂର୍ବାଞ୍ଚଳ) ଇତିହାସର ଅଂଶ ହୋଇଗଲେ। ସାଂସ୍କୃତିକ ସାମନ୍ତବାଦର ବୌଦ୍ଧିକ ସନ୍ତ୍ରାସ ଏତେ କୃର ହୋଇଗଲା ଯେ ତନ୍ତ୍ର ଯୁଗରେ ବ୍ୟବହୃତ ଏକ ସ୍ୱୟଂସମ୍ପୂର୍ଣ୍ଣ ଭାଷାକୁ ଓଡ଼ିଆର ଉପଭାଷା କହିବାକୁ ପଛେଇଲେ ନାହିଁ। ଏହାର ପ୍ରତିଫଳନ ସାମାଜିକ ଜୀବନର ଅନ୍ୟାନ୍ୟ ବିଭାଗ ଉପରେ ବି ପଡ଼ିଲା। ଗଡ଼ଜାତ ପ୍ରଜାମାନେ ନିଜକୁ ଆଜି ପର୍ଯ୍ୟନ୍ତ ନାଗରିକ ଭାବିବା ମନଃସ୍ଥିତିରେ ନାହାନ୍ତି। ଏ ଅଞ୍ଚଳରୁ ପୂର୍ବତନ ରାଜପରିବାରର କୌଣସି ସଦସ୍ୟ ଅନାୟାସ ନିର୍ବାଚନ ଜିତିଯିବା ଘଟଣା କଥିତ ଗଣତନ୍ତ୍ର ପ୍ରେମୀ ମାନଙ୍କୁ ଖଟକେ। ଏ କ୍ଷେତ୍ରରେ କୌଣସି ଗୋଟିଏ ସରକାରକୁ ଦୋଷ ଦେବା କଦାଚିତ ଉଚିତ ନୁହେଁ। ଏହା ନିଜର ଧାରାବାହିକତା ଆଜି ପର୍ଯ୍ୟନ୍ତ ବଜାୟ ରଖିଛି। ଆଜି ପରିସ୍ଥିତି ଖୁବ ଜଟିଳ। ଅର୍ଥନୈତିକ ନିୟନ୍ତା ହୋଇ ସାରିଛି ଛତିଶଗଡ଼ ଓଡ଼ିଶାର। ଆମ ଖାଦ୍ୟର ୮୦% ରୁ ଅଧିକ ଜିନିଷ ଛତିଶଗଡ଼ ଉପଜ ହିଁ ଅଟେ। ଏହି ପରିସ୍ଥିତିରେ ମହାନଦୀ ସଂଗ୍ରାମ ଛତିଶଗଡ଼ ପାଇଁ କେଉଁ ଗୁରୁତ୍ଵ ରଖୁଥିବ ସହଜରେ ଅନୁମାନ କରି ଦେଉଥିବl ଛତିଶଗଡ଼ର ସାମାଜିକ ରାଜନୈତିକ ଓ ଆର୍ଥିକ ବିଭବରେ ନାତ ଓଡ଼ିଶା ସରକାରର ସହଯୋଗ ରହିଅଛି ନା ନିୟନ୍ତ୍ରଣ ! ଏହା ହିଁ ଓଡ଼ିଶା ରାଜନୈତିକ ଇତିହାସର ଏକ କ୍ରମ ପରାଜୟ।