ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜୀବନୀ ଉପରେ ରାଜନୈତିକ ଆଲୋଚନା ହେବା ଆବଶ୍ୟକ। ପରାଧିନ ଭାରତର ଗୋଟିଏ ଗଡ଼ଜାତ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ। ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରର ଶୀର୍ଷରେ ରହି ଓଡ଼ିଶା ରାଜନୀତିର ମହାନତମ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ହୋଇ ପାରିଥିଲେ।ଇଷ୍ଟ ଇଣ୍ଡିଆ କମ୍ପାନୀ ଗଡ଼ଜାତ ରାଜ୍ୟମାନଙ୍କୁ ସିଧାସଲଖ ଶାସନ ନକରି ରାଜାମାନଙ୍କ ସହ ସନ୍ଧି ଆଧାରରେ ଶାସନ କରୁଥିଲେ। ପ୍ରଥମେ ଗଡ଼ଜାତ ରାଜ୍ୟମାନ ବଙ୍ଗାଲ ଷ୍ଟେଟ ଏଜେନ୍ସି ଓ ସେଣ୍ଟ୍ରାଲ ପ୍ରୋଭିନ୍ସ ଅଧୀନରେ ଥିଲା। ୧୯୩୩ ମସିହାରେ ଓଡ଼ିଶାର ୨୬ ଗଡ଼ଜାତ ସମେତ ୩୯ ଗଡ଼ଜାତ କୁ ନେଇ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ଏଜେନ୍ସି ଗଠିତ ହେଲା। ଏହାର ପରିଚାଳନା ପାଇଁ ରାଞ୍ଚିରେ ଚିମନଲାଲ ଛୋଟାଲାଲ ଦେଶାଇ, ଆଇସିଏସ ପଲିଟିକାଲ ଏଜେଣ୍ଟ ଭାବେ ନିଯୁକ୍ତ ଥିଲେ। ସ୍ୱାଧୀନତା ସମୟରେ ଶେଷ ପଲିଟିକାଲ ଏଜେଣ୍ଟ ଚାର୍ଲସ୍ ଏଡୱାର୍ଡ ଜନ୍ସ ନିଜ ଦାୟୀତ୍ୱ ଭାରତ ସରକାରଙ୍କୁ ସମର୍ପି ଥିଲେ। ୧୯୪୯ ପର୍ଯ୍ୟନ୍ତ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଚାଲିଲା।ଭୋସଲା ପରେ ଇଂରେଜ ଅଧିନକୁ ଗଡ଼ଜାତମାନ ଆସିବାର ପ୍ରାୟ ଦେଢ଼ଶହ ବର୍ଷ ପରେ ରାଜାମାନେ ସ୍ୱତନ୍ତ୍ର ଚିନ୍ତା କରିବା କ୍ଷମତା ପାଇଲେ। ମିଶ୍ରଣ ପୂର୍ବରୁ ରାଜେନ୍ଦ୍ର ନାରାୟଣ ସମସ୍ତ ଗଡଜାତକୁ ଏକତ୍ରିତ କରି ପାରିଥିଲେ।ପ୍ରଜାମଣ୍ଡଳ ଆନ୍ଦୋଳନ ଇଷ୍ଟର୍ଣ୍ଣ ଷ୍ଟେଟସ ଏଜେନ୍ସିରେ ସଫଳତାର ସହ ଚାଲିଥିଲା। ସ୍ଵାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ଗଣତାନ୍ତ୍ରିକ ଚେତନାର ପ୍ରତିରୋପଣ ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନର ଭୂମିକାକୁ ଅସ୍ୱୀକାର କରା ଯାଇ ପାରିବ ନାହିଁ।ଜାନୁୟାରୀ ୧୯୪୮ ରେ ଓଡ଼ିଶା ସହ ୨୩ ଗୋଟି ଗଡ଼ଜାତର ମିଶ୍ରଣ ହେଲା । ଏହି ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ସମ୍ବଲପୁରରେ ‘କୋଶଲ ଉତ୍କଳ ପ୍ରଜା ପରିଷଦ’ର ସାଧାରଣ ସମ୍ମିଳନୀ ଆୟୋଜିତ ହେଲା ଓ ଏଥିରେ ରାଜନୈତିକ ଦଳ ଗଠନର ପ୍ରସ୍ତାବ ଗୃହିତ ହେଲା। ପ୍ରଜା ପରିଷଦର ମଙ୍ଗୁଆଳ ଥିଲେ ରାଜେନ୍ଦ୍ର ନାରାୟଣ । ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୧୯୫୦ ବଲାଙ୍ଗୀର ବାର୍ଷିକ ସମ୍ମିଳନୀରେ ‘ଗଣତନ୍ତ୍ର ପରିଷଦ’ର ଗଠନ ହୁଏ।୧୯୫୧ ସାଧାରଣ ନିର୍ବାଚନରେ ଗଣତନ୍ତ୍ର ପରିଷଦ ସର୍ବ ଭାରତୀୟ ସ୍ତରରେ ୦.୯୧ ପ୍ରତିଶତ ଭୋଟ ପାଇ ୬ ଜଣ ସାଂସଦ କେନ୍ଦ୍ରକୁ ପଠେଇଥିଲା। ପରେ ନିର୍ବାଚନ କମିଶନ ଗଣତନ୍ତ୍ର ପରିଷଦକୁ ଜାତୀୟ ଦଳର ମାନ୍ୟତା ଦେଇଥିଲେ। ୧୯୫୨ ମସିହାରେ ଓଡ଼ିଶାର ପ୍ରଥମ ବିଧାନସଭାକୁ ୨୦.୫ ପ୍ରତିଶତ ଭୋଟ ପାଇ ୩୧ ଜଣ ବିଧାୟକ ବିଧାନସଭାକୁ ପଠେଇ ଥିଲା। ୧୯୫୭ ମସିହାରେ ପରିଷଦ ୫୧ ଜଣ ବିଧାୟକ ଦେଇଥିଲା।ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଳଚାରୀ ସ୍ୱତନ୍ତ୍ର ପାର୍ଟି ଗଠନ କରିଥିଲେ। ଯାହାର ରାଜନୈତିକ ଆଦର୍ଶ ଗଣତନ୍ତ୍ର ପରିଷଦ ସହ ମେଳ ଥିଲା। ତେଣୁ ୧୯୬୦ ମସିହା ବେଳକୁ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି ସହ ବିଲୟ ହେଲା। ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଥିଲେ।ଉପରୋକ୍ତ ଦୁଇଟି ଦଳ ମୁକ୍ତ ଅର୍ଥନୀତିର ପକ୍ଷଧର ଥିଲେ। ଯାହାକୁ ୧୯୯୦ ମସିହାରେ ଭାରତ ସରକାର କାର୍ଯ୍ୟକାରୀ କରିଥିଲେ।ରାଜନୀତିକ ଇତିହାସର ତାର୍କିକ ଦିଗ ମାନଙ୍କୁ ସମ୍ମାନ କରିବା ଅପରିହାର୍ଯ୍ୟ ନିଶ୍ଚୟ। ଦେଢ ଶତକର ବିଦ୍ରୋହ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ସତ୍ତ୍ୱେ ଗଡ଼ଜାତ ଅଞ୍ଚଳରେ ନିଜକୁ ଅପରାଜେୟ ରଖିବା ନିଶ୍ଚୟ ରାଜନୈତିକ ମହତ୍ତ୍ୱ ରଖେ। ଭାରତୀୟ ରାଜନୀତିର ସନ୍ଧିକ୍ଷଣରେ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ରାଜନୈତିକ ଯାତ୍ରା ନିଶ୍ଚୟ ଐତିହାସିକ ଉଦାହରଣ ଅଟେ। ଯାହା ପଶ୍ଚିମ ଓଡ଼ିଶାର ବହୁଆୟାମି ତଥ୍ୟ ଓ ଚିତ୍ର ସାମ୍ନାକୁ ଆଣିଥାଏ। ତେଣୁ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜୀବନୀ ଉପରେ ଅଧ୍ୟୟନ ଓ ଆଲୋଚନା ଐତିହାସିକ ଅସ୍ମିତାର ଆଲୋଚନା ହେବ ନିଶ୍ଚୟ।ଜନ୍ମ ଜୟନ୍ତିରେ ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ