ଅଜଣା ରାଇଜ। ଉପରସ୍ଥଙ୍କ ଆଦେଶ ଆସିଲା, କାମ ପାଇଁ ଯିବାକୁ ହେବ। ଦୁଇ ଘଣ୍ଟାର ବିମାନ ଯାତ୍ରା। ତାପରେ ଟେକ୍ସି ନେଇ ପାଖାପାଖି ତିନିଶହ କିଲୋମିଟର। ଗୋଟିଏ ଛୋଟ ସହର। ସହର ସୀମା ହୋଇ ବହିଯାଇଛି ନଦୀ। ନଦୀ ଡେଇଁବାକୁ ଗୋପିନାଥ ମାଝୀର ଡଙ୍ଗା, ତା ପରେ ଘଣ୍ଟାଏ  ଚାଲିଲେ ମୋର ଲକ୍ଷସ୍ଥଳ।ତିନିଟା ସାଇକେଲରେ ଲୋକ ଆସିଥାନ୍ତି, ସମସ୍ତେ ଆଶ୍ରମ ଅନ୍ତେବାସୀ ଓ ଶିକ୍ଷିତ। ଏବେ ବି ଅଧ୍ୟୟନ_ଅଧ୍ୟାପନା କରନ୍ତି।ପହଞ୍ଚିଲା ବେଳକୁ ରାତି ହୋଇ ଯାଇଥାଏ। ମୋର ଅପେକ୍ଷାରେ ଥାଆନ୍ତି ଆଶ୍ରମର ଅନ୍ତେବାସୀ। ଆଶ୍ରମ ମୁଖ୍ୟ, ଲୋକଙ୍କ ପାଇଁ ସେ ବାପା। ତାଙ୍କୁ ଯାଇ ମୁଣ୍ଡିଆ ହେଲି। ମତେ ଶୌଚ ହୋଇ ବିଶ୍ରାମର ଆଦେଶ ହେଲା।ଉଠିଲା ବେଳକୁ ଆଠଟା ପାଖାପାଖି। ଅନ୍ତେବାସୀ ବାଳକ ଜଣେ ଚା ନେଇ ଆସିଲା। ଗଡ଼ୁରେ ଥିବା ପାଣି ପିଇ ଚା ପିଇଲି।କେମିତି ଜାଣିଲ ମୁଁ ଉଠିଲେ ଚା ପିଏ ବୋଲି ?ସରଳ ଉତ୍ତର ବାପା କହିଲେ। ମୋର ଟିକିନିଖି ଖବର ତାଙ୍କ ପାଖରେ!ଆଶ୍ରମ ବାଡ ଲାଗି ପାଖାପାଖି ଦଶ ଫର୍ଲଙ୍ଗ ଚାଲିଲା ପରେ ଜଙ୍ଗଲି ରାସ୍ତା। ତାପରେ ପାହାଡ଼ର ପାଦ। ଟିକିଏ ଭିତରକୁ ଗଲେ ଝରପାଣିର ଗୋଟିଏ ସୁନ୍ଦର ପୋଖରୀ। ଚା ଆଣିଥିବା ଅନ୍ତେବାସୀ ବାଳକ ମୋର ପଥ ପ୍ରଦର୍ଶକ।ଝରଣା କୁ ନେଇ ସୁନ୍ଦର ଦନ୍ତକଥା। ଗଛପତ୍ର, ପାହାଡ଼ ଓ ଆକାଶର ଶବ୍ଦକୁ ମିଶେଇ ଗୀତ ବାନ୍ଧେ ଶବରୀ ଲଳନା ନୀଳି। ପୂର୍ଣ୍ଣିମାରେ ଉନ୍ମାଦ ହୋଇ ଜଙ୍ଗଲ ଭିତରେ ଗୀତ ଗାଏ। ଦିନେ ଜଣେ ଗନ୍ଧର୍ବ ତାକୁ ଦେଖି ରସିଗଲା। ନୀଳିର ଅଭିସାର ଥାନ ସେ ଝରପୋଖରୀ ଯେଉଁଠି ମୁଁ ଗାଧୋଇଲି। ପୂର୍ଣ୍ଣିମା ରାତିରେ ଆକାଶରୁ ପାହାଡ଼ ଉପରେ ଓହ୍ଲାଏ ଗନ୍ଧର୍ବ, ନୀଳି ଗୀତଗାଇ ପାହାଡ଼ ତଳେ ଅପେକ୍ଷା କରେ।ପୂର୍ଣ୍ଣିମାର ଜ୍ୟୋତ୍ସ୍ନାରେ ଉଜ୍ବଳ ଦିଶୁଥିବା ପଥର ମାନଙ୍କୁ ନୀଳିର ଦେହସାରା ସଜାଏ ଗନ୍ଧର୍ବ। ନୀଳି ନୀଳ ରଙ୍ଗରେ ଝଲସି ଯାଏ। ଜ୍ୟୋତ୍ସ୍ନାରେ ଗୋଟିଏ ମୋହକ ଦୀପ୍ତସତ୍ତା। ଗୀତବାନ୍ଧେ, ଦୁହେଁ ନୃତ୍ୟ କରନ୍ତି ରାସ କରନ୍ତି।ନୀଳି ଅନ୍ତଃସତ୍ତ୍ଵା ହେଲା। ମୁଖିଆ ପିତାର ନାମ ପଚାରିଲେ। ନୀଳି ପ୍ରେମ କରୁଥିଲା, ହିସାବ ନୁହେଁ। ତେଣୁ ନାମ ପଚାରି ନଥିଲା କେବେ। ନାମ କହିନ ପାରିବାରୁ ତାକୁ ନିର୍ବାସନ ଦିଆଗଲା। ଗର୍ଭସ୍ଥ ସନ୍ତାନର ପିତାସହ ହିଁ ଗ୍ରାମପ୍ରବେଶ କରିବୁ।ଆଉ ଗୋଟିଏ ପୂର୍ଣ୍ଣିମା ପାଇଁ ତାର ଧର୍ଯ୍ୟ ନଥିଲା। ଗନ୍ଧର୍ବ ଆସୁଥିବା ରାସ୍ତାରେ ନୀଳି ଗଲା। ତାର ଫେରିବା କଥା କେହି ଜାଣନ୍ତିନି।ପୂର୍ଣ୍ଣିମା ହେଲା ଗନ୍ଧର୍ବ ଅଭିସାରକୁ ଆସିଲା। ନୀଳିକୁ ନ ପାଇ ଗାଁକୁ ଗଲା। ନୀଳିକୁ ଖୋଜିଲା। ଗାଁ ଲୋକ ଜାଣିଲେ ନିଲି ଆକାଶ ଭଳି ନିର୍ମଳ ଥିଲା। ଦୁଃଖରେ ଗନ୍ଧର୍ବ ଫେରିଗଲା। ଲୋକଙ୍କ ଅତ୍ୟାଚାର ଓ ତାର ପ୍ରେମର ପବିତ୍ରତାକୁ ସୂଚେଇବା ପାଇଁ ଗନ୍ଧର୍ବ ଆସୁଥିବା ରାସ୍ତାଟି ଝରଣା  ହୋଇଗଲା। ଅଭିସାର ନିକଟରେ ପୋଖରୀ । ଲୋକଙ୍କ ଜଳକଷ୍ଟ ଦୂର ହେଲା, ମନ କଷ୍ଟ ନୁହେଁ। ଆଜି ବି ଝରଣାକୁ ଦେଖିଲେ କି ତାର ପାଣି ବ୍ୟବହାର କଲେ ଲୋକେ କହନ୍ତି କ୍ଷମା ନୀଳାଗନ୍ଧର୍ବ। ଝରଣାଟିର ନା ନୀଳିଗନ୍ଧା।ଆଜିବି ଝରଣା ସ୍ରୋତରେ ଲୋକେ ହୀରା ପାଉଥିବା କହନ୍ତି। ଅନେକ ବେପାରୀ ଆସି ସେଠାରୁ ହୀରା କିଣି ନେଉଥିବା କଥା କାଁ ଭାଁ ପୋଲିସ ରେକର୍ଡ ବି କହେ। ନୀଳବର୍ଣ୍ଣର ହୀରା ପାଇଁ ଅଞ୍ଚଳ କ୍ଷାତ। କେବେ କିଏ ନୀଳବର୍ଣ୍ଣର ହୀରା ବେପାର ହୋଇଥିବା କଥା ଲୋକେ ଉଦାହରଣ ଛଳରେ କହନ୍ତି। କିନ୍ତୁ କେହି ଦେଖି ନାହାନ୍ତି। ମନ୍ଦିରରେ ବୈଶାଖ ପୂର୍ଣ୍ଣିମା ଦିନ ପୂଜା ପାଉଥିବା ଶାଳଗ୍ରାମ ମାନଙ୍କ ଭିତରେ ଗୋଟିଏ ନୀଳ ଲିଙ୍ଗତୁଲ୍ୟ ପଥରକୁ ଅନେକ ଦେଖିଛନ୍ତି।ନଦୀରେ ବ୍ୟାରେଜ ହେବ। ସହର ଭଳି ସହର ଟିଏର ପରିକଳ୍ପନା ହୋଇ ସାରିଲାଣି। ଗୋଟିଏ ପୁରୁଣା ସହରରେ ରାଜି ଅରାଜିର ଦ୍ଵନ୍ଦ। ଆଜାଦ ହିନ୍ଦ ଫୌଜକୁ ଗୋପନ ସହଯୋଗ କରିଥିଲା ବୋଲି ବିଭିନ୍ନ ଅକାରଣ ଦଫା ଲଗେଇ ଆଠ ଜଣଙ୍କ ହତ୍ୟା କରିଥିଲା ପୋଲିସ। ସେମାନଙ୍କ ମୂର୍ତ୍ତି ତିଆରି କରିବା ପ୍ରତିଶୃତି ପ୍ରାୟ ସମସ୍ତ ନେତା ଦେଇ ସାରିଛନ୍ତି। ନଦୀ ଏପାରିକୁ ପାହାଡ଼ ଓ ଘଞ୍ଚ ବନାନୀ। ଗୁମ୍ଫାମୟ ଅନେକ ପାହାଡ଼। ପାହାଡ଼ ତଳେ ବାପାଙ୍କ ଆଶ୍ରମ। ଝରଣା ପାଣି ବାପାଙ୍କ ଆଶ୍ରମର ସମସ୍ତ ବ୍ୟବହାର ହୁଏ। ଝରପାଣି ଆଶ୍ରମର ବାଡି ବଗିଚା ବୁଲି କରି ଯାଏ। ଚାଷବାସ ସୁନ୍ଦର ହୁଅନ୍ତି। ଅତିଥି / ଉତ୍ସବ ବେଳକୁ ଖାଇବା ଅଭାବ ରହେ ନାହିଁ କାହାର। ନିଲି ଯେମିତି ଆଶ୍ରମକୁ ନିଜ ହାତରେ ସଲଖିଯାଏ ସବୁଦିନ। ଆଶ୍ରମରେ ଅନ୍ନପୂର୍ଣ୍ଣାଙ୍କ ନିବାସ ଥିବା କଥା ଦୁଇଟି ରାଜ୍ୟର ସାଧାରଣ ସ୍ତରରେ ରହୁଥିବା ଲୋକ ଜାଣନ୍ତି।ଲୋକେ ସାତପୁରୁଷ ହେବ ଆଶ୍ରମକୁ ଦେଖି ଆସୁଛନ୍ତି। ବର୍ତ୍ତମାନ ବାପାଙ୍କ ହିସାବ ୧ କରନ୍ତି ଲୋକ। କିଏ କିଏ ଶତାୟୁ, ତିନି ପାଟ ବାପାଙ୍କ ରାଜୁତି ବେଳେ, ଚାରି ପାଟର ବାପା ଯିଏକି ଦାୟିତ୍ଵ ଦେଇ ଆଶ୍ରମ ମଧ୍ୟରେ ନିରୋଳାବାସ କଲେ ଅବଶିଷ୍ଟ କୋଡ଼ିଏ ବର୍ଷ; ଦୂରରୁ ତାଙ୍କ ଦର୍ଶନ କରିଥିବା କଥା କହନ୍ତି।ସମସ୍ତ ବାପାଙ୍କ ଅନେକ କାହାଣୀ ଲୋକଙ୍କ ମୃହଁରେ। ଆହୁରି ଅନେକ କାହାଣୀ ବାପା ଓ ରଜା / ବେପାରୀ ଆଦିଙ୍କ ସଙ୍ଗେ ଯୋଡନ୍ତି। ଅବଶ୍ୟ ବାପାଙ୍କ ପାଟ ସଂଖ୍ୟା ଲୋକଙ୍କ କାହାଣୀରେ ନ ଥାଏ। ସେମାନଙ୍କ ସମୟକୁ ଉପାଖ୍ୟାନମାନ ଛୁଇଁ ପାରନ୍ତି ନାହିଁ। ଯେହେତୁ ୯୦ ପ୍ରତିଣତ କାମ ଆଶ୍ରମ ମାନ୍ୟତା ପାଉଥିବା ଅଞ୍ଚଳରେ ହେବ ତେଣୁ ନଦୀ ଉପରେ ସେତୁ ହେବ। ସେତୁ କାମ ଆରମ୍ଭ ହୋଇନ ଥିବା ବେଳକୁ ମୁଁ ଗଲି। ଅପରିଚିତ ରାଜ୍ୟ। ଅପରିଚିତ ଅଞ୍ଚଳ।ସେତୁ ଆରମ୍ଭ ହେବାର ସୂଚନା ମୁଁ ଗୋପିନାଥ ମାଝୀ ନିକଟରୁ ପାଇଲି। ଗୋପିନାଥ ନାମକୁ ନେଇ ମୁଁ ଅଡ଼ୁଆରେ ଥିଲି। ମାଁ ଦିନ ତମାମ ସଜ ହେଉଥାଏ ରାତିରେ ଗଉନ୍ତିଆ ଦୁଆରକୁ କୃଷ୍ଣଲିଳା ଦେଖିଯିବ। ସେଦିନ ସଂଧ୍ୟାରେ ଗୋପିନାଥ ଜନ୍ମ ହେଲା। ଆଜି ସିନା ଗୋପିନାଥଙ୍କୁ ଦେଖି ପାରିଲି ନାହିଁ, ଗୋପିନାଥଙ୍କୁ ସବୁଦିନ ଦେଖିବି ବୋଲି ବାପାଙ୍କ ସଙ୍ଗେ ଜିଦ କରି ଗୋପିନାଥ ନାମ ରଖିଲା ମାଁ। ବାପାଙ୍କ ଦୃଢ ପ୍ରତିବାଦ ନଥିଲା। କହିଲେ ଏହା କୁଆଡେ ବଡ ଲୋକଙ୍କ ନାମ। ମାଁ ଖୁସି ହେଲା, ପୁଅ ବଡ଼ଲୋକ ହେବ। ଗୋପିନାଥ ଡଙ୍ଗା ଚଳେଇଲା। ତାକୁ ଓ ତା’ପରି ଅନେକ ମାଝୀଙ୍କୁ ବ୍ୟାଙ୍କ ବାବୁମାନେ ଆସି ୫୦ ହଜାର ୠଣ ଦେଇଛନ୍ତି ବିନା ସୂଧରେ। ମହାଜନୀ ୠଣମୁକ୍ତ ହୋଇ ବାକି ଟଙ୍କା ଛୋଟ ପରିବାରର ଛୋଟ ଛୋଟ ସ୍ୱପ୍ନମାନ କିଣି ୨୨ ହଜାର ଟଙ୍କାରେ ଭରେ ସୁନା କିଣିଲା।ବ୍ୟାଙ୍କର ଟଙ୍କା ?ଡଙ୍ଗା ଚଳେଇ ଦେବି ! ଦାମ୍ଭିକ ଉତ୍ତର।ସେତୁ ହେଲେ?ଦମ୍ଭର ମିନାର ଟି ମୋ ଆଖି ସାମ୍ନାରେ ଭୁଷୁଡ଼ି ପଡ଼ିଲା।ହତାଶ ହୋଇ କହିଥିଲା, “ମାଁ ସାତଭଉଣୀ ଯେଉଁ ପାଣିର ଛାତିରେ ଡଙ୍ଗା ମଡ଼େଇବ ସେଇଠି ଡଙ୍ଗା ବାଇବି!”କୂଳ ଲାଗିଲା ବେଳକୁ ଅନ୍ଧାର ଆମ ସମସ୍ତଙ୍କ ମୁହଁ ମାନଙ୍କୁ ପରସ୍ତେ ଅସ୍ପଷ୍ଟତା ଲେସି ଦେଇଥାଏ।ସେତୁ ହୋଇଗଲେ ଅନ୍ୟ ରାଜ୍ୟ ସହ ବେପାରରେ ସୁଗମତା ଆସିବ। ରାଜ୍ୟର ବେପାରୀ କିଛି ସହର ମାନଙ୍କୁ ଦୂରତା କମିଯିବ। ସେତେବେଳେ ଦୂରଦର୍ଶନରେ ମଧ୍ଯ ତେଲ ଅପଚୟ ରୋକିବାର ଉପାୟମାନ କହୁଥାଏ।ବାପା ସେତୁ କି ବନ୍ଧ କାହା ବିପକ୍ଷରେ କହୁ ନଥାନ୍ତି। କିଛି ଯୁବକଙ୍କୁ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରେ (ଚଳନ୍ତି ଶାସନରେ ବିଶ୍ଵବିଦ୍ୟାଳୟମାନଙ୍କ ନାମ ଲେଖି ହେବନାହିଁ) ଉଚ୍ଚଶିକ୍ଷା ଦେଉଥାନ୍ତି। ଦ୍ୱିତୀୟ କାମ ହେଲା ବନଉପଜର ପ୍ରକ୍ରିୟାକରଣ କରେଇ ନଦୀ ଏପାଖ ସହର ମାଧ୍ୟମରେ ବଜାରକୁ ଯୋଡିବା।ଏଥିପାଇଁ ବହୁତ ଟଙ୍କା ଦରକାର। ପରିଚିତଙ୍କ ନିକଟରୁ ପାଣ୍ଠି ସଂଗ୍ରହ ହେଇଥାଏ ସଂଗୋପନରେ। ଏ ଅଞ୍ଚଳର କାହାଣୀ ଲେଖିବାକୁ ଜଣେ ସମ୍ପାଦକ ବରାଦ କଲେ। ମୁଁ ସେଠାକୁ ଯିବାସହ ବନ୍ଧୁମାନଙ୍କ ନିକଟରୁ ସଂଗୃହିତ ଗୋଟିଏ ମୋଟା ଅଙ୍କର ରାଶି ମଧ୍ଯ ନେଇ ଯାଇଥିଲି। ଅବଶ୍ୟ ଦୂରର କିଛି ବେପାରୀ (କେତେଜଣ ସ୍ଵଳ୍ପକ୍ଷାତ ହୀରା ବେପାରୀ ମଧ୍ୟ) ବାପାଙ୍କୁ ଆର୍ଥିକ ସହଯୋଗ କରୁଥିଲେ। ଗୋପିନାଥ କ’ଣ କରିବ?ଉତ୍ତରର କେଉଁ ଦେଶରୁ ଆସିଥିବା ଗୋପିନାଥ ମାଝୀର ପୂର୍ବଜ ପାଣିସହ ହିଁ ବଞ୍ଚି ଆସିଛନ୍ତି। ତାଙ୍କର ଦେବତା କଥା ଓ କାହାଣୀ ପାଣି ସଙ୍ଗେ ଯୋଡି ହୋଇ ରହନ୍ତି। କାହାଣୀଟିଏ ବି ଅଛି। ନେତାଜୀଙ୍କ ଫଉଜ ସଂଗୋପନରେ ନଦୀ ପାର ହେଉଥିଲା। ତାଙ୍କ ଗୁଇନ୍ଦା ମାନେ ମଧ୍ୟ। ଅରଚୁ ମାଝୀକୁ ପୋଲିସ ଖୋଜିଲା। ସେ ପାଣି ଭିତରେ ଦୁଇଦିନ ଦୁଇରାତି ରହିଗଲା। ତାଙ୍କ ବଂଶର କିଏ କିଏ ମହାପୁରୁଷ ସାତଦିନ ସାତରାତି ପାଣିରେ ବୁଡ଼ି ରହି ଦେବୀ ଆରାଧନା କରୁଥିବା ତାଙ୍କ କଥା ଓ କାହାଣୀରେ।ଚଳନ୍ତି ପାଣିକୁ ବାଧା ନଦେଇ କୂଳରେ ଲଗେଇବା ଗୋପିନାଥ ମାନଙ୍କ କାମ।ଯେତେବେଳେ ଜୀବ କୂଳ ଖୋଜିଲା ବିଧାତା ପୁରୁଷ ଗୋପିନାଥ ବଂଶର ପ୍ରଥମ ପୁରୁଷକୁ ଆଦେଶ ଦେଲେ, ‘ଯା! ଅମୁକ ଅମୁକ ଗଛକୁ କାଠ ମାଗିବୁ, ଧରାକୁ ତଳମାଗିବୁ କାଠକୁ ଦେହ।’-ଧରା ତ ଧରା ସଙ୍ଗେ ମିଶିବ ବିଧାତା! ମୋର ଡଙ୍ଗା ଓ ତୋର ଜୀବକୁ କୂଳ ଦେବି କିପରି?-ସାତ ଭଉଣୀ ତୋର ଡଙ୍ଗାକୁ ଟେକି ଧରିବେ।ସେଇ ଦିନୁ ସେ ଲୋକଙ୍କୁ କୂଳରେ ଲଗେଇ ଆସୁଛି। ତେଣୁକରି ପରମପୁରୁଷ ମଜୁରୀ କେତେ ଦେବିର ଉତ୍ତରରେ ରାମଚନ୍ଦ୍ରଙ୍କୁ କିଏ ଜଣେ ଗୋପିନାଥ କହିଲା, କୂଳରେ ଲଗେଇବା ତୋର କାମ ମୋର ବି। ଦୁଇ ମଜୁରିଆ ମଝିକୁ ମଜୁରୀ ଆସେ ନାହିଁ।ବାପା ଉଚ୍ଚଶିକ୍ଷିତ ଥିଲେ। ତିନିରାତି ଦୁଇଦିନର ରହଣି ଭିତରେ ଅନେକ ବୁଲିଲି ଅନେକ କଥା ଶୁଣିଲି। ବାପା କହିଲେ ଗୁମ୍ଫାମୟ ପାହାଡ଼ ଭିତରେ ଅନେକ ଜ୍ଞାନ ଓ ରହସ୍ୟ ଭରିପଡିଛି। ତାକୁ ଜଙ୍ଗଲଜନ୍ତୁ ଓ ପରିସୃପ ଜଗିଛନ୍ତି। ସବୁକୁ ସୁରକ୍ଷା ଦେବାପାଇଁ ଆଦିବାପା ଆଶ୍ରମ ତିଆରିଛନ୍ତି।ଆଶ୍ରମରୁ ବାପା ବିଦାୟ ଦେଲାବେଳେ କହିଲେ-ବନ୍ଧ ହେବନାହିଁମୁଁ ବି ସ୍ଵର ମିଳେଇଲି – ବନ୍ଧ ହେବନାହିଁମୋ ସହ କୋଡ଼ିଏ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ସହର କୂଳରେ ଲାଗିଲା। ହୋଟେଲରେ ଗୋଟିଏ ନୂଆ ନାଟ। ଡ୍ରାଇଭର ପାଞ୍ଚଶହ ଟଙ୍କା ଧାରରେ ମଦ ପିଇ ଦେଇଛି। ଆଜି ସକାଳୁ ଟଙ୍କା ଅସୁଲି ପାଇଁ ଲବିରେ ମଦ ଦୋକାନୀର ପିଲା ବସିଛି। ଥରେ ଦିଥର ଗାଡ଼ି ଚାବି ନେଇ ଯିବାର ଧମକବି ଦେଲାଣି, ଯଦି ମୁଁ ଟଙ୍କା ନ ଦିଏ।ସବୁ ସମାଧାନ ହୋଇଗଲା। ମଦ ଦୋକାନୀର ପିଲାକୁ ଆଉ ଗୋଟିଏ ବୋତଲ ପାଇଁ ବରାଦ କଲି। ଏ ଭିତରେ ଚା ପିଇ ବାହାରିଲୁ।ବାଟରେ ଡ୍ରାଇଭରକୁ ପଚାରିଲି – ମଦ ପିଇନ ତ?- ନାଇ ସାର ମୁଁ ପିଏନି। ବହୁତ ନାମ ଡାକ ଏ ମଦର। ‘ମୋହିତ’! ମୁଁ ଖୁସିରେ ପିଇଦେଲି।-ଏମିତି କେଉଁ ଖୁସି ଏଥିରୁ ପାଇଲ ଶୁଣେ? ଅନେକ କାହାଣୀ କହିଲେ ଡ୍ରାଇଭର ‘ମୋହିତ’କୁ ନେଇ। ନିଶା କୁଆଡେ ଗୋଟିଏ ସ୍ୱପ୍ନ ରାଇଜକୁ ନେଇଯାଏ। ଯେଉଁଠି ସବୁ ମୋହକ ମୋହକ !’ ମୋହିତ’ର କାହାଣୀମାଳାରେ ରାସ୍ତା ମାନ ଶିଘ୍ର ଶିଘ୍ର ସରି ଯାଉଥାନ୍ତି। ଦୀର୍ଘ ସମୟର ସମ୍ପର୍କ କାରଣରୁ ଗୋପନ କଥା କହିଲେ। ୧୬ ବର୍ଷର ବିବାହ ଜୀବନରେ ପେଟ ପାଇଁ  ଦୌଡି ଦୌଡ଼ି ସ୍ତ୍ରୀଙ୍କ ଭଲ ପାଇବା ସେ ବୁଝିନଥିଲେ କି ତାଙ୍କର ସୁନ୍ଦରତାକୁ ଅନୁଭବ କରିନଥିଲେ। ସେ ଜାଣିଲେ ପୃଥିବୀର ଜଣେ ସ୍ଵତନ୍ତ୍ର ମହିଳା ତାଙ୍କ ସ୍ତ୍ରୀ। ଡ୍ରାଇଭର କଥା କହୁ କହୁ ଭାବୁକ ହୋଇଗଲେ। ମୁଁ ପଛ ସିଟରେ ମୋର ବ୍ୟାଗ ଓ ଆଶ୍ରମର ବାପା ଦେଇଥିବା ଉପହାର ବ୍ୟାଗ ସହ ‘ମୋହିତ’ ଅଚିନ୍ତା ଗଡୁଛି। ବୋତଲ ଭିତରେ ଗାଡି ଗତିସହ ମସଗୁଲ ଲହର। ଗୋପିନାଥର ଡଙ୍ଗା ବି କେଉଁ ସ୍ବପ୍ନ ରାଇଜକୁ ଯାଇ ପାରିବ କି?ସମ୍ପାଦକଙ୍କ ସହ ଅନେକ ଆଲୋଚନା ହେଲା। ଆଶ୍ରମର ବାପାଙ୍କ ଏକକ ଆନ୍ଦୋଳନ ଅବିଶ୍ୱସନୀୟ ଥିଲା। ଆନ୍ଦୋଳନକୁ ସୁରକ୍ଷିତ ରଖିବା ପାଇଁ କାହାଣୀକୁ ଅପ୍ରକାଶିତ ରଖିବା ନିଷ୍ପତ୍ତି ନେଲୁ।କିଛିବର୍ଷ ଗଲାପରେ ଜାଣିଲୁ ବିଶ୍ଵବ୍ୟାଙ୍କ କେଉଁ କାରଣରୁ ଟଙ୍କା ଦେବାକୁ ମନାକଲା। ଆଠଟି ପିଏଚଡି ନିବନ୍ଧ ଓ ଅନ୍ୟ ଅନେକ କାରଣକୁ ଯୋଡି ଯୋଡି ଘୋଷଣା ହୁଏ ବନ୍ଧ ହେବନାହିଁ; କିନ୍ତୁ ସେତୁ ହୋଇ ସାରିଛି।ଘୋଷଣା ପରେ ଦିନେ ଆଶ୍ରମର ଗୋଟିଏ ଉତ୍ସବ ପାଇଁ ନିମନ୍ତ୍ରଣ ଆସିଲା।ସହର ରୁଚିକର ଦିଶୁଛି। ସେତୁ ଉପରେ ଅନେକ ଛୋଟବଡ଼ ମାଲବାହୀ ଗାଡି। ଜଙ୍ଗଲରୁ ସହରକୁ ମାଲ ଆଣନ୍ତି। ସେତୁ ଉପରୁ ନଦୀକୁ ଦେଖିଲି। ଆଗପରି ବହି ଯାଉଛି ନଦୀ। ତା ଭିତରେ କିଛି ହାତଗଣତି ଡଙ୍ଗା। କେଉଁ ଗୋପିନାଥ ମାନେ ମାଛ ମାରୁଛନ୍ତି। ଆଶ୍ରମକୁ ଗାଡି ଲାଗିଲା। ସ୍ଥାନୀୟ ଲୋକ ବ୍ୟବସାୟୀ, ବୁଦ୍ଧିଜୀବୀ, ଲେଖକ ଶିକ୍ଷକଙ୍କ ଗୋଟିଏ ସୁନ୍ଦର ଭିଡ଼। ଆଶ୍ରମର ବାପା ନିଜ ଥାନରେ ଓ ବାହାରେ ଗୋଟିଏ ସୁନ୍ଦର ସଙ୍ଗଠନ ତିଆରି କରିଛନ୍ତି। ତା ପରଦିନ ସଂଧ୍ୟାରେ ଫେରିବାକୁ ହେଲା।ଡ୍ରାଇଭରଙ୍କୁ ଆଗରୁ କହିଥିଲି ଡଙ୍ଗାଘାଟ ଯାଇ ଫେରିବି। ଫେରିବାବେଳେ ସେତୁରୁ ପାଖାପାଖି ଚାରି ଫର୍ଲଙ୍ଗ ଦୂରରୁ ଗୋଟିଏ ମାଟି ରାସ୍ତା। କିଛି ଦୂର ଚାଲିଲା ପରେ ଘାଟ। ସେତେବେଳର ସୁନ୍ଦର ସିମେଣ୍ଟ ପାହାଚ ଭାଙ୍ଗି ଭାଙ୍ଗି ଆସୁଛି। ମୁଁ ଟର୍ଚ୍ଚ ଆଳୁଅରେ ସ୍ଵଳ୍ପ ସମୟ ପାଇଁ ଦେଖିଥିବା ବିଶ୍ରାମ ଗୃହ ଚା’ଦୋକାନ ଗଛ ମାନଙ୍କୁ ଚିହ୍ନିବାର ଚେଷ୍ଟାକଲି। ସମସ୍ତେ ପରିତ୍ୟକ୍ତ ପରିତ୍ୟକ୍ତ ଲାଗିଲେ। ଜଙ୍ଗାରେ ଯିବାଆସିବା ବେଳେ ମୁଁ ନଈର ପିଠିରେ ପାପୁଲି ରଖିଥିଲି। ଘରେ ଗାଈର ପିଠିକୁ ଆଉଁସିଲା ଭଳି ଅନୁଭବ। ନଈଟି ଜୀବନ୍ତ ଲାଗିଥିଲା। ଥିର ଯାତ୍ରା କରୁଥିବା ଗୋଟିଏ ଗାଈର ପିଠିରେ ହାତ ରଖିଛି। ତାର ପିଠିରେ ମୋର ପାପୁଲି ଘସି ହେଉଛି।ସେ ଅନୁଭବ ଖୁବ ଲୋଭନୀୟ ଲାଗିଥିଲା। ‘ମୋହିତ’ ନ ପିଇଥିଲେ ବି। ଫେରିଲା ବେଳେ ବି ସେ ଲୋଭ ହେଲା। ନଈ ବାଲିରେ କିଛିଦୂର ଚାଲିଲେ ସ୍ରୋତ।ଘାଟରେ ଡଙ୍ଗା ଦୁଇ ତିନୋଟି। ଗୋଟିଏ ଡଙ୍ଗାରେ କିଏ ଜଣେ ବସିଛି। ଟର୍ଚ୍ଚ ମାରିଲି, ଚମକି ପଡିଲି। ସାତ ଭଉଣୀରୁ କିଏ ଅତୀତକୁ ଝୁରି ବସିଛି କି?ଫିସ ଫିସ କରି ଟର୍ଚ୍ଚ ବନ୍ଦ କରିବାର ତାଗିଦ କଲା।- ଆସ ଶିଘ୍ର ଡଙ୍ଗାରେ ବସିପଡ଼। ପରିଚିତ ଭଳି ନିର୍ଦ୍ଦେଶ। ଅସହଜ ପରିଧାନରେ ପରାସରଙ୍କୁ ନଈ ପରିକ୍ରମାର ନିମନ୍ତ୍ରଣ। ପୂର୍ବ ପ୍ରସ୍ତୁତ ରାତିର ଅନନ୍ତ କୁହୁଡି।ନଈ ପିଠିରେ ହାତ ମାରିବାର ଶିହରଣ ଅହେତୁକ ଲାଗିଲା। ଗୋଟିଏ ସମ୍ପନ୍ନ ପୃଥିବୀ ଭାଙ୍ଗିରୁଜି ନଷ୍ଟ ହେଇ ସାରିଛି। ତାର ଅବଶେଷ ଖୁବ୍ ବିଦାରକ। ଫିସ୍ ଫିସ୍ ନିର୍ଦ୍ଦେଶକୁ ଓ ନଈକୁ ପଛକରି ଫେରିଲି। ବିଧାତା ପୁରୁଷର ଏ ଡଙ୍ଗାକୁ କେଉଁ ସାତଭଉଣୀ ନଈଛାତିରେ ଭସଉ ଥିବେ? ଗୋପିନାଥର ସେ ଦମ୍ଭର ମିନାର ଭାଙ୍ଗିରୁଜି ଘରର କେଉଁ କୋଣରେ ପଡ଼ିଥିବ ଏବେ !ସହରରେ ଗାଡ଼ି ରଖିବା ପାଇଁ କହିଲି ଓ ଡ୍ରାଇଭରଙ୍କୁ ଟଙ୍କା ଦେଇ ଗୋଟିଏ ବୋତଲ ଆଣିବାକୁ କହିଲି।- କ’ଣ ସାର ‘ମୋହିତ’? – ନା ! ହ୍ବିସ୍କି