ଭାଜପା ଏକ ଅନ୍ତଃଦୃଷ୍ଟି

ନବୀନ ପଟ୍ଟନାୟକଙ୍କ ପ୍ରଥମ ନଅବର୍ଷ ଭାରତୀୟ ଜନତା ପାର୍ଟି ଶାସନ ସହଯୋଗୀ ହୋଇ ରହିଲା। ଏହାର ୧୫ ବର୍ଷ ପରେ ଓଡ଼ିଶାରେ ପୂର୍ଣ୍ଣ ବହୁମତ ନେଇ ଦୁଇ ବର୍ଷ ଶାସନ ପୁରା କଲାଣି। ଏବେ ଦୁଇଟି ଖବର ସମ୍ମାକୁ ଆସିଛି; ୧୯୯୯ ମସିହାରେ ଗ୍ରାହାମେ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟାକାରୀ ରବିନ୍ଦ୍ର କୁମାର ପାଲ ଓରଫ ଦାରା ସିଂର ମୁକ୍ତି ଓ ହତ୍ୟା ଶିକାର ହୋଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ନାମରେ ଫୁଲବାଣୀ ମେଡିକାଲ କଲେଜର ନାମ ରଖାଯିବା ପ୍ରସ୍ତାବ। ଅବଶ୍ୟ ଦାରାସିଂ ସପକ୍ଷରେ ମୋହନ ଚରଣ ମାଝୀ ଅନେକ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ।
ଘଟଣାର କୌଣସି ଆଲୋଚନା କରିବା ପୂର୍ବରୁ ଏହି ପତ୍ରକାରର ନିଜସ୍ୱ ମତ ହେଲା, ଏହା ଅବଧାରିତ।
ପ୍ରକରଣ ଉପରେ ସ୍ପଷ୍ଟତା ଆଣିବା ଚେଷ୍ଟାରେ ଭାଜପା ଇତିହାସର କିଛି ବିନ୍ଦୁ ଉପରେ ଆଲୋଚନା କରିବାକୁ ଚାହିଁବି। ଭାଜପା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS)ର ଏକ ଅଂଶ ଅଟେ। ଏହା ସର୍ବବିଦିତ କିନ୍ତୁ ଆଇନତଃ ଦୁଇଟି ଭିନ୍ନ ସଙ୍ଗଠନ।
ନାଗପୁର, ସେପ୍ଟେମ୍ବର ୨୭, ୧୯୨୫ ବିଜୟାଦଶମୀ ଦିନ ଡା କେଶବ ବଳିରାମ ହେଡ଼ଗେୱାରଙ୍କ ବାସଭବନରେ ଔପଚାରିକ ଭାବେ ଗୋଟିଏ ସଙ୍ଗଠନର ପ୍ରତିଷ୍ଠା ହୁଏ।
ଏପ୍ରିଲ ୧୭, ୧୯୨୬ ଡ ହେଡ଼ଗେୱାରଙ୍କ ବାସଭବନରେ ସଙ୍ଗଠନକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନାମ ଦିଆଗଲା। ନାମକରଣ ପାଇଁ ଚାରୋଟି ନାମ ପ୍ରସ୍ତାବକୁ ଆସିଥିଲା।
ମଇ ୨୮, ୧୯୨୬ ଦିନରୁ ନାଗପୁର ମୋହିତ ଓ୍ଵାଡା ପଡ଼ିଆରୁ ନିତ୍ୟ ଶାଖାର ଆରମ୍ଭ ହେଲା। ଏଠାରେ ଦଣ୍ଡ (ଲାଠି), ଅଭ୍ୟାସ ଓ ଗୈରିକ ଧ୍ବଜ ପ୍ରଣାମ ଆଦି ପ୍ରଚଳନ କରାଗଲା। ପରେ ୩୦ ଜଣ ସ୍ୱୟଂ ସେବକଙ୍କୁ ନେଇ ପଥ ସଂଚାଳନ ହୋଇଥିଲା। ଏହାର ବର୍ଷେ ପରେ ପ୍ରଥମ OTC ବା officers tranning Camp ଅନୁଷ୍ଠିତ ହୋଇଥିଲା। ଏହାର ଏକବର୍ଷ ପରେ ୯୯ ଜଣ ସ୍ୱୟଂ ସେବକଙ୍କୁ ନେଇ ପ୍ରଥମ ପ୍ରତିଜ୍ଞା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ୧୯୨୮ ମସିହା ଶେଷ ବେଳକୁ ୧୮ଟି ଶାଖାକୁ ନେଇ ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିଲା। ୧୯୨୫ ରୁ ୧୯୨୮ ଏହା ଥିଲା RSS ର ପ୍ରଥମ ଚରଣ ବା ଆଧାର।
ସ୍ଵାଧୀନତା ସଂଗ୍ରାମ

ବିବିଧତା ଭରା ଭାରତ ବର୍ଷରେ ଅନେକ ସମସ୍ୟା ଥିଲା ସବୁଠାରୁ ବଡ଼ ଘଟଣା ଘଟୁଥିଲା ସ୍ଵାଧୀନତା ସଂଗ୍ରାମର। ଡ ହେଡ଼ଗେୱାର ଜାତୀୟବାଦୀ ରାଜନୀତି ଓ କଂଗ୍ରେସ ସହ ଜଡିତ ଥିଲେ। ସଂଘର ବ୍ୟାକ୍ଷାନ ଅନୁସାରେ ସେ ବିପ୍ଲବୀ ଅନୁଶୀଳନ ସମିତି ସହ ସମ୍ପର୍କ ରଖିଥିଲେ ଏବଂ ପରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଡିସେମ୍ବର ୧୯୨୯, ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗ୍ରହଣ କରିବା ପରେ ଡ ହେଡଗେୱାର ଜାନୁୟାରୀ ୨୬, ୧୯୩୦ କୁ ସ୍ଵାଧୀନତା ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ପରେ ସେ ଜଙ୍ଗଲ ସତ୍ୟାଗ୍ରହରେ ଯୋଗଦେଇ କାରା ବରଣ କରିଥିଲେ।
କେଶବ ବଳିରାମ ହେଡଗେୱାର କଲିକତାରେ ଡାକ୍ତରୀ ପଢ଼ିବା ବେଳେ ବିପ୍ଲବୀ ଅନୁଶୀଳନ ସମିତି ସହ ସମ୍ପର୍କ ରଖିଥିଲେ। ୧୯୧୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ବେଶ ସକ୍ରିୟ ରହିଲେ। ତିଲକପନ୍ଥୀଙ୍କ ସହ ତୀଙ୍କର ନିବିଡ ସମ୍ପର୍କ ଥିଲା। ବ୍ରିଟିଶ ଦସ୍ତାବେଜରେ ନାଗପୁର କଂଗ୍ରେସ ଅଧିବେଶନର Co-incharge ବୋଲି ତାଙ୍କୁ ଲେଖାଯାଇଛି।
ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ବ୍ରିଟିଶ ବିରୋଧି ଭାଷଣ ଯୋଗୁଁ ତାଙ୍କୁ ଗିରଫକରି ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା। ଖିଲାଫତ ଆନ୍ଦୋଳନରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ପରେ ସେ RSS ଗଠନରେ ବ୍ରତୀ ରହିଲେ। କିନ୍ତୁ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ୧୯୩୦ ମସିହାରେ ଜଙ୍ଗଲ ସତ୍ୟାଗ୍ରହ କରି ମଧ୍ୟ ପ୍ରଦେଶରୁ ଗିରଫ ହୋଇ ୯ ମାସ କାରାବରଣ କରିଥିଲେ।

ଇଂରେଜ ସରକାରଙ୍କ ଜଙ୍ଗଲନୀତିକୁ ବିରୋଧ କରି ଗାନ୍ଧୀ ଜଙ୍ଗଲ ପ୍ରବେଶ କରି ବନଜାତ ଦ୍ରବ୍ୟ ସଂଗ୍ରହ ଓ ଘାସ କାଟିବା ଭଳି କାମ ପ୍ରତିରୋଧର ପ୍ରତୀକ ଭାବେ କରୁଥିଲେ। ଯାହା ଜଙ୍ଗଲ ସତ୍ୟାଗ୍ରହ ଭାବେ ପରିଚିତ। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା RSS ରୁ ସାମୟିକ ବିରତି ନେଇ ଡ଼ ହେଡଗେୱାର ଜଙ୍ଗଲ ସତ୍ୟାଗ୍ରହ କରି ଦ୍ୱିତୀୟଥର ଗିରଫ ହୋଇ ୯ ମାସ ସଶ୍ରମ କାରା ଭୋଗିଥିଲେ।
୧୯୪୨ ମସିହା ଭାରତଛାଡ ଆନ୍ଦୋଳନରେ RSS ର ନିଜସ୍ଵ ଦଲିଲ ଓ ବ୍ରିଟିଶ ସରକାରଙ୍କ ଗୁଇନ୍ଦା ତଥା ପ୍ରଶାସନିକ ଦଲିଲ Rastriya Swamsebak Sangh organisation and development in each district of CP and Berar at the end of the year 1942 ନାମରେ ସଙ୍କଳିତ ହୋଇ ରହିଛି।
ବ୍ରିଟିଶ ସରକାର RSS କୁ ନିଜର ସମର୍ଥକ ଭାବେ ବିଚାର କରୁ ନଥିଲା। ମଇ୧୮, ୧୯୪୨ Government of India Home department Intelligence bureau memorandum ରେ RSS ଉପରେ ଅଧିକ ନଜର ରଖିବାକୁ କୁହା ଯାଇଥିଲା। ଏହି ରିପୋର୍ଟରେ RSS ର ଦୀର୍ଘକାଳିନ ଲକ୍ଷକୁ ବ୍ରିଟିଶ ଶାସନ ମୁକ୍ତ ଭାରତ ସହ ଯୋଡ଼ା ଯାଇଥିଲା। ଏହାର ଶୃଙ୍ଖଳିତ ଓ ସାମରିକ ପ୍ରଶିକ୍ଷଣ ତୁଲ୍ୟ ଅଭ୍ୟାସକୁ ସମ୍ଭାବ୍ୟ ବିପଦ ଭାବରେ ଦେଖା ଯାଇଥିଲା। ୧୯୪୨ Quit India disturbance (ବ୍ରିଟିଶ ଦଲିଲ) ରେ ବ୍ୟକ୍ତିଗତ ଭାବେ ସ୍ୱୟଂ ସେବକଙ୍କ ସଂପୃକ୍ତିକୁ ସ୍ୱୀକାର କରା ଯାଇଛି।
ଏଥି ପୂର୍ବରୁ ୧୯୪୦ ମସିହାରେ ବ୍ରିଟିଶ ସରକାର ଗଣବେଶ ଓ ରୋଡ଼ମାର୍ଚ୍ଚ ଉପରେ ନିଷେଧାଦେଶ ଲାଗୁ କରିଥିଲା।
ଚିମୁର ବିଦ୍ରୋହ- ୧୯୪୨, ୨୫ ଜଣଙ୍କୁ ମୃତ୍ୟୁଦଣ୍ଡ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁଦଣ୍ଡ କାୟମ ରହିଥିଲା। ଅନେକ ଆବେଦନ ପରେ ରାଜା ଷଷ୍ଠ ଜର୍ଜ ଅଗଷ୍ଟ ୧୬, ୧୯୪୫ ଦିନ ଆଦେଶରେ ମୃତ୍ୟୁଦଣ୍ଡ ଆଜୀବନ କାରାବାସରେ ବଦଳି ଥିଲା। ଏହି ସାତଜଣଙ୍କ ମଧ୍ୟରୁ ତିନିଜଣ RSS କର୍ମୀ ଥିଲେ। ଏମାନଙ୍କ ମଧ୍ୟରୁ କେଉଁମାନେ RSS କର୍ମୀ ସ୍ପଷ୍ଟ ଉଲ୍ଲେଖ ନଥିଲେ ମଧ୍ୟ ଏମାନେ ତିମୁର ସପ୍ତର୍ଷି ଭାବେ ପରିଚିତ ହୁଅନ୍ତି।
ଗାନ୍ଧୀହତ୍ୟା

ଜାନୁୟାରୀ ୩୦, ୧୯୪୮ ଦିନ ମହାତ୍ମା ଗାନ୍ଧୀଙ୍କ ହତ୍ୟା ହୁଏ। ଫେବୃୟାରୀ ୪ ତାରିଖ ଦିନ ଭାରତ ସରକାର ଆନୁଷ୍ଠାନିକ ଭାବେ RSS ଉପରେ ପ୍ରତିବନ୍ଧ ଲଗାଇଲେ। ପ୍ରତିବନ୍ଧର ଉଦ୍ଦେଶ୍ୟ ଗାନ୍ଧୀ ହତ୍ୟାରେ RSS କୁ ଦୋଷୀ ସାବ୍ୟସ୍ତ କରିବା ନୁହେଁ; ଏହା ଆଇନଗତ ଆଲୋଚନା ମାନ ସ୍ପଷ୍ଟ କରିଥାଏ। ଗୃହ ମନ୍ତ୍ରାଳୟ ୧୯୪୯-୫୦ ରିପୋର୍ଟରେ ଉଲ୍ଲେଖ ଅନୁସାରେ, ଅକ୍ଟୋବର ୧୯୪୮, ରେ ସରକାର RSS କୁ ସୂଚିତ କରିଥିଲେ, ‘ଯଦି ସଂଘ କେତୋଟି ନିର୍ଦ୍ଦିଷ୍ଟ ସର୍ତ୍ତ ପୁରଣ କରିବ ତାହେଲେ ପୁନଃ କାର୍ଯ୍ୟ କରିବାରେ ସରକାରଙ୍କ ଆପତ୍ତି ରହିବ ନାହିଁ’। ସର୍ତ୍ତ ଗୁଡ଼ିକ ମଧ୍ୟରୁ ଲିଖିତ ଓ ପ୍ରକାଶିତ ସମ୍ବିଧାନ; କାର୍ଯ୍ୟକଳାପକୁ ସାଂସ୍କୃତିକ କ୍ଷେତ୍ରରେ ସୀମିତ ରଖିବା; ହିଂସା ଓ ଗୋପନୀୟତା ପରିତ୍ୟାଗ; ଭାରତୀୟ ସମ୍ବିଧାନ ଓ ଜାତୀୟ ପତକା ପ୍ରତି ନିଷ୍ଠା; ସଙ୍ଗଠନରେ ଗଣତାନ୍ତ୍ରୀକ ବ୍ୟବସ୍ଥା ଆଦି ମୁଖ୍ୟ ବିନ୍ଦୁ ଥିଲା।
ତତ୍କାଳୀନ ସର ସଂଘ ଚାଳକ ଏମ.ଏସ. ଗୋଲୱାଲକର ଥିଲେ। RSS ଓ ସରକାର ମଧ୍ୟରେ ଆଲୋଚନା ଚାଲିଲା। ମାର୍ଚ୍ଚ ୧୯୪୯ ରେ ଗୋଲୱାଲକର ସରକାରଙ୍କୁ RSS ର ଲିଖିତ ସମ୍ବିଧାନ ଦେଇଥିଲେ। ଆଲୋଚନା ପରେ ସରକାର କେତେକ ଲିଖିତ ଅନୁଚ୍ଛେଦ ଉପରେ ସ୍ପଷ୍ଟିକରଣ ମାଗିଥିଲେ।
ଘଟଣାର ସ୍ପଷ୍ଟତା ଉପରେ ଫେବୃୟାରୀ ୨୭, ୧୯୪୮ ମସିହାରେ ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଲେଖିଥିବା ପତ୍ର ବିଷୟରେ ଉଲ୍ଲେଖ ଆବଶ୍ୟକ। ପତ୍ରରେ ସର୍ଦ୍ଦାର ପଟେଲ ଗାନ୍ଧୀହତ୍ୟା ତଦନ୍ତର ଅଗ୍ରଗତି ସମ୍ବନ୍ଧରେ ଦୈନନ୍ଦିନ ରିପୋର୍ଟ ନେଉଥିବା ଉଲ୍ଲେଖ କରିଛନ୍ତି। ଗାନ୍ଧୀହତ୍ୟା ଷଡ଼ଯନ୍ତ୍ରକୁ ନିର୍ଦ୍ଧିଷ୍ଟ ଗୋଷ୍ଟି ସହ ଯୋଡ଼ିଥିଲେ। ଏହାକୁ ନେଇ RSS କୁ ଗାନ୍ଧୀହତ୍ୟା ଷଡ଼ଯନ୍ତ୍ରକାରୀ ବୋଲି ଘୋଷଣା କରିବା ଉଚିତ ନୁହେଁ।
ଜୁଲାଇ ୧୮, ୧୯୪୮, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଦେଇଥିବା ପତ୍ରରେ କହିଥିଲେ ତଦନ୍ତ ଚାଲୁଥିବା ସମୟରେ RSS ଓ ହିନ୍ଦୁ ମହାସଭା ବିଷୟରେ ମତ ଦେବାକୁ ଚାହୁଁ ନଥିଲେ। RSS ଏପରି ଏକ ପରିବେଶ ସୃଷ୍ଟି କରିଥିଲା ଯେଉଁଥିରେ ଏହି ଦୁର୍ଘଟଣା ସମ୍ଭବ ହୋଇ ପାରିଲା ବୋଲି ଉଲ୍ଲେଖ କରିଥିଲେ। ସେପ୍ଟେମ୍ବର ୧୧, ୧୯୪୮ ରେ ସର୍ଦ୍ଦାର ଗୋଲୱାଲକରଙ୍କୁ ଲେଖିଥିଲେ, RSS ହିନ୍ଦୁଙ୍କୁ ସଙ୍ଗଠିତ ଓ ସହାୟତା କରିବା କାମକୁ ସେ ଅସ୍ୱୀକାର କରନ୍ତି ନାହିଁ। ସେ କହିଥିଲେ ହିନ୍ଦୁଙ୍କୁ ସଙ୍ଗଠିତ କରିବା ଓ ନିରିହ ମୁସଲମାନ ମହିଳା, ପୁରୁଷ ଓ ଶିଶୁଙ୍କୁ ଆକ୍ରମଣ କରିବା କାମକୁ ଯୋଡାଯାଇ ପାରିବ ନାହିଁ। RSS ମଧ୍ୟରେ ବ୍ୟାପିଥିବା ବିଷାକ୍ତ ସାମ୍ପ୍ରଦାୟିକ ପରିବେଶକୁ ଗାନ୍ଧୀହତ୍ୟା ସହ Sociopolitical ଅର୍ଥରେ ସେ ଯୋଡ଼ିଥିଲେ।
ଜୁଲାଇ ୧୨, ୧୯୪୯ ଦିନ RSS ଉପରୁ ପ୍ରତ୍ୟାହାର ହଟିଥିଲା। RSS ର ସମ୍ବିଧାନରେ ହିନ୍ଦୁରଷ୍ଟ୍ରର ଉଲ୍ଲେଖ ନାହିଁ। ଏହାର ଧାରା ୪ ଅନୁସାରେ, ସମସ୍ତ ଧର୍ମ ପ୍ରତି ସହିଷ୍ଣୁତାର ମୌଳିକ ନୀତିରେ ବିଶ୍ୱାସ ରଖେ।
ଭାଜପା

ପରବର୍ତ୍ତି ସମୟରେ ନେହେରୁ ମନ୍ତ୍ରୀମଣ୍ଡଳର ଶିଳ୍ପ ଓ ଯୋଗାଣ କ୍ୟାବିନେଟ ମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀ RSS ସହ ସମ୍ପର୍କ ରଖନ୍ତି। ସଂଘ ଅନୁସାରେ କେତେଜଣ ଅଭିଜ୍ଞଙ୍କୁ ମୁଖାର୍ଜୀଙ୍କ ସହଯୋଗ ପାଇଁ ଦିଆଗଲା। ଅକ୍ଟୋବର ୨୧, ୧୯୫୧ ଦିନ ଜନସଂଘ ଗଠିତ ହୁଏ। ଜରୁରୀ କାଳିନ ପରିସ୍ଥିତି ପରେ ଏହି ଦଳ ଜନତା ପାର୍ଟିରେ ବିଳୟ ହୁଏ।
ଜନସଂଘ ନେତାମାନେ RSS ଓ ଜନତା ପାର୍ଟି ର ଦ୍ଵେତ ସଦସ୍ୟତା ନେଇ ମତଭେଦ ଆସେ। ଜନସଂଘର ସଭ୍ୟମାନେ ଜନତା ପାର୍ଟିରୁ ଓହରି ଆସନ୍ତି । ଏହାପରେ ଏପ୍ରିଲ ୬, ୧୯୮୦ ଦିନ ଭାରତୀୟ ଜନତା ପାର୍ଟି ଗଠିତ ହୁଏ।
୧୯୮୪ ମସିହା ଭାଜପା ତାର ପ୍ରଥମ ଲୋକସଭା ନିର୍ବାଚନରେ ୨ ଟି ସିଟ ପାଇଥିଲା। ଏହି ନିର୍ବାଚନୀ ଇସ୍ତାହାରରେ ଗାନ୍ଧୀ ଅର୍ଥନୀତି ଓ ଗାନ୍ଧୀ ସମାଜବାଦ କଥା ଉଲ୍ଲେଖ କରିଥିଲା। ଜନସଂଘର ପ୍ରଥମ ନିର୍ବାଚନୀ ଇସ୍ତାହାରରେ ହିନ୍ଦୁ କୋଡ଼ ବିଲ ଉପରେ ଆପତ୍ତି ଉଠେଇ ଥିଲା। ଦ୍ୱିତୀୟ ଇସ୍ତାହାରରେ କାଶ୍ମୀର ଓ ସମାନ ନାଗରିକ ସଂହିତା ଉପରେ ଗୁରୁତ୍ୱ ଦେଇଥିଲା। ଏହା ପରେ ଗୋହତ୍ୟା ପ୍ରସଙ୍ଗ ଉତ୍ଥାପନ ହୋଇଥିଲା।
୧୯୮୯ ମସିହା ଭାଜପାର ନିର୍ବାଚନୀ ଇସ୍ତାହାରରେ ଗାନ୍ଧୀଙ୍କ ନାମ ରହିଲା ନାହିଁ। ଏଥିରେ ଅଯୋଧ୍ୟା ପ୍ରସଙ୍ଗ ସ୍ଥାନ ପାଇଥିଲା। ୨୦୧୯ ଇସ୍ତାହାର CAA, ୩୭୦/୩୫(କ) ଯୋଡ଼ି ହେଲା।
RSS ର ହିନ୍ଦୁରଷ୍ଟ୍ର ଧାରଣାର ପରମ୍ପରା ରହିଛି, କିନ୍ତୁ RSS ସମ୍ବିଧାନ, ଜନସଂଘର ନିର୍ବାଚନୀ ଇସ୍ତାହାର ଓ ଭାଜପାର ଇସ୍ତାହାରରେ ହିନ୍ଦୁରଷ୍ଟ୍ର ଉଲ୍ଲେଖ ଦେଖିବାକୁ ମିଳେନାହିଁ।
ପରବର୍ତ୍ତି ପ୍ରତିବନ୍ଧ
ଜୁନ ୨୫, ୧୯୭୫ ଜରୁରୀ ପରିସ୍ଥିତି ଲାଗୁହେଲା। ଏହି ସମୟରେ ଦେଶର ୨୬ ଟି ସଙ୍ଗଠନ ଉପରେ ପ୍ରତିବନ୍ଧ ଲାଗୁହେଲା। ଜୁଲାଇ ୪, ୧୯୭୫ ଦିନ RSS ଉପରେ ପ୍ରତିବନ୍ଧ ଲାଗିଲା। Home Ministry S.O 306 (E), notification ରେ ଲେଖାଯାଇଛି, RSS ଓ ଏହାର ସଦସ୍ୟ / ନିୟନ୍ତ୍ରକମାନେ ଏପରି କାର୍ଯ୍ୟରେ ଲିପ୍ତ ଅଛନ୍ତି ଯାହା Internal security, public safety and maintenance of public order ପ୍ରତି କ୍ଷତି କାରକ। ଯାହା Defence of internal security of India rules, 1971; rule 33 (I) ଅଧିନରେ ଲଗା ଯାଇଥିଲା।
RSS ତତ୍କାଳିନ ମୁଖ୍ୟ ମଧୁକର ଦତ୍ତାତ୍ରେୟ ବାଲା ସାହେବ ଦେଓରସ, ସ୍ଵାଧୀନତା ଦିବସର ଭାଷଣ ଉପରେ ପ୍ରଶଂସା କରି ଇନ୍ଦିରା ଗାନ୍ଧୀଙ୍କୁ ପ୍ରତିବନ୍ଧ ଉଠେଇବା ପାଇଁ ଚିଠି ଲେଖିଥିଲେ। କୁହାଯାଏ ବିନୋବା ଭାବେଙ୍କୁ ମଧ୍ୟ ସେ ପତ୍ର ଲେଖିଥିଲେ।
ମାର୍ଚ୍ଚ ୨୨, ୧୯୭୭ ଦିନ RSS ଉପରୁ ପ୍ରତିବନ୍ଧ ଉଠିଲା।
ଡିସେମ୍ବର ୬, ୧୯୯୨ ଦିନ ବାବରୀ ମସଜିଦ ଭଙ୍ଗାଗଲା। ଡିସେମ୍ବର ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, RSS ସହ ଆହୁରି ତିନୋଟି ହିନ୍ଦୁ ଓ ଦୁଇଟି ଇସଲାମିକ ସଙ୍ଗଠନ ଉପରେ ପ୍ରତିବନ୍ଧ ଲଗାଇଥିଲେ। Unlawful activities (prevention)Act-1967 (UAPA) ଆଇନ ବଳରେ। ୧୯୯୩ ମସିହାରେ ଦିଲ୍ଲୀ ହାଇକୋର୍ଟ ନ୍ୟାୟାଧିଶ ବି. କେ. ବାହରି ନିଜର ଆଦେଶନାମାରେ କହନ୍ତି, RSS କୁ Unlawful Association ଘୋଷଣା କରିବା ପାଇଁ ପର୍ଯ୍ୟାପ୍ତ କାରଣ ନାହିଁ।
ଉପସଂହାର
ଗୋଟିଏ ଶତାୟୁ ଅନୁଷ୍ଠାନର ଇତିହାସ ଏତେ ସହଜତା ଭରା ନଥିଲା। କେବଳ ହିନ୍ଦୁ ଧର୍ମକୁ ଆଧାର କରି ବିପରିତ ପରିସ୍ଥିତି ମାନଙ୍କୁ ସାମ୍ନା କରିଛି। ନିଜର ଋଢୀବାଦ ଉପରେ ସ୍ଥିର ରହି ଭାରତ ଭଳି ଗୋଟିଏ ରାଷ୍ଟ୍ରରେ ନିଜକୁ ଅପ୍ରତିଦ୍ବନ୍ଦୀ ରଖିବା ଏତେଟା ସହଜତା ଭରା ନଥିଲା। ଆଗକୁ ଯାତ୍ରା କଠିନ ହେବ ଏକଥା ବି ଅସମ୍ଭବ ନୁହେଁ। ଗାନ୍ଧୀହତ୍ୟାର ଅପବାଦ ନେଇ ଗାନ୍ଧୀର ଦେଶରେ ଦଶନ୍ଧୀ ବ୍ୟାପି ସ୍ଥିର ସରକାର ଗଠନ କରିବା ନିଶ୍ଚୟ ସଂଘର୍ଷର ପରିଣତି।
ଏହି ସରକାରକୁ ପରାଜିତ କରିବା ଏତେଟା ସହଜ ନୁହେଁ। ଭାଜପା ଯେଉଁ ପ୍ରତିଶୃତି ଦେଇ ନିର୍ବାଚନ ଲଢ଼ିଥିଲା ତାହା ପୁରା କରୁଛି। ଧାରା ୩୭୦, ରାମ ମନ୍ଦିର, CAA ଆଦି ପୁରା ହେଉଛି। ଯେଉଁ ସମସ୍ୟା କଥା ସାଧାରଣରେ ବିରୋଧ ହୁଏ ତାହା ଅବଦମିତ ନହେବା ପର୍ଯ୍ୟନ୍ତ ନିରନ୍ତର ସେ ଉପରେ କାମ ଚାଲେ। କୃଷି ଆଇନ ପ୍ରତ୍ୟାହାର କରାଗଲା। ଯେଉଁମାନେ କୃଷି ଆଇନ ପାଇଁ ଲଢ଼ିଲେ ପରବର୍ତ୍ତି କୃଷକ ସମସ୍ୟା ଉପରେ ପ୍ରଭାବୀ କାମ ରହିଲା ନାହିଁ। ଓଡ଼ିଶାର କଥା ନିଆଯାଉ, ଚଳନ୍ତି ବର୍ଷ ଧାନ କିଣାଗଲା ନାହିଁ। ବହୁତ ଚର୍ଚ୍ଚାରେ ରଖାଗଲା। ବେପାରୀଙ୍କୁ ଲାଭ ହେଲା। ଅର୍ଥାତ କୃଷକ ଓ ବେପାରୀ ପରସ୍ପର ଦର ନିର୍ଦ୍ଧାରଣ କରିବେ। ଚଳିତ ବର୍ଷ ତାହା ହେଲା। ଅର୍ଥାତ ଓଡ଼ିଶାରେ ପ୍ରତ୍ୟାହୁର୍ତ୍ତ କୃଷି ଆଇନ ଅପୋଷିତ କାର୍ଯ୍ୟକାରୀ ହେଲା। ଅବଶ୍ୟ ଓଡ଼ିଶାରେ ଧାନ ବେପାର ଅଗମ୍ୟ ସ୍ତରରେ ହୁଏ। ଏହି କାହାଣୀ ସବୁଜ ବିପ୍ଲବ ପରବର୍ତ୍ତି ସମୟର ଧାରା ବେପାର ଶୋଷଣ ଓ ପ୍ରତାରଣା ଏକା ସଂଙ୍ଗେ।
କୃଷି ଆଇନ ପରେ କକରୋଜ! ଜେନ-ଜୀ ଆନ୍ଦୋଳନ ସରକାରଙ୍କ ଅଧିକାରକୁ ବାଧା ଆସିଛି।
ରାଜନୈତିକ ବିଶ୍ଳେଷଣ ବେଶ୍ ଜଟିଳ କାରଣ ଦେଶବାସୀ ତିଆରିଥିବା ସରକାର ତାର ପ୍ରତିଶୃତି ସବୁ ପୁରା କରୁଛି। ଏହାପରର ପ୍ରଶ୍ନ କଣ?
ସୁତରାଂ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଗୋଟିଏ ପ୍ରତିକ ମାତ୍ର
ଫଟୋ ସୌଜନ୍ୟ ଗୁଗୁଲ
LIKE THIS ARTICLE
Give us a thumbs up!
0 Comments