
ଆଜି ଖବର ପାଇଲି କକା ମରି ଯାଇଛନ୍ତି। କରୋନାର ଦ୍ୱିତୀୟ ଆକ୍ରମଣ ଏତେ ମାରାତ୍ମକ ବିଶ୍ଵାସ କରି ହେଉନାହିଁ। ଫୋନ ରିଂ ହେଲେ ଭୟ ଲାଗୁଛି। ସୋସିଆଲ ମିଡ଼ିଆ ଖୋଳିଲେ ପ୍ରଥମେ ଆଶଙ୍କା ପରେ ଦଶ ପନ୍ଦର ମିନିଟ ସବୁ ବ୍ୟବହାର କରୁଥିବା ଏପ ମାନଙ୍କୁ ଦେଖି ସାରିଲେ ପ୍ରକୃତିସ୍ଥ ହେବାକୁ ହେଉଛି।କ୍ରମାଗତ ଏହା ଭିତରେ କିଛି ଗୋଟିକୁ ଅସ୍ଵଭାବିକ ଅଥବା କଠୋର କରି ସାରିଲାଣି। କକାର ମୃତ୍ୟୁ ଖବର ସେତିକି ଆଘାତ ହେଲାନି।ମଣିଷ ପଣିଆକୁ ଚ୍ୟାଲେଞ୍ଜ କରୁଥିବା ମହାମାରୀ ପ୍ରତି କୌଣସି ପ୍ରତିକ୍ରିୟା ନାହିଁ। ଉପଦ୍ରବ କରୁଥିବା ଗାଁ ମୁଣ୍ଡର ଭୂତ ପରି। ପ୍ରତିକାର ଛଡ଼ା ଉପାୟ ନାହିଁ।କଥା କାହାଣୀରେ ଶୁଣିଛି ଆଈମା ନିକଟରୁ; ପୂର୍ବେ ହଇଜା କଲେରା ହେଲେ ଆଚାନକ ପରିଜନ ମାନେ ଚାଲିଯାନ୍ତି। କିଏ କହିବ କାଲିକୁ ମୁଁ ନୁହେଁ ବୋଲି।ଏତିକିବେଳେ ଭଗବାନ ମାନେ ବି ମନ୍ଦିର କିଳି ବସିଛନ୍ତି।କକା ମରିଗଲା। ବୟାଅଶି ବନ୍ୟାରେ କକା ପାଖାପାଖି ପଚିଶ ବର୍ଷର ଥିଲା। ଗାଁ ସାହୁକାର ଘରର ମଝିଆ ପୁଅ। ପାଠ ପଢ଼ି ଜାଣିଲାନି ବୋଲି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲା ନାହିଁ। ଆବଶ୍ୟକ ନଥିଲା ବୋଲି ଦଶ କିଲୋମିଟର ହାଇସ୍କୁଲ ପ୍ରତିଦିନ ଯିବା ସମସ୍ତଙ୍କ ସ୍ଵୀକୃତ-ବାଧକ ପ୍ରମାଣ ହେଲା। ଜମି ଦେଖିଲା, ମହୁଲ ଚାଁର ଆଦି ତାଙ୍କ ଘରେ ବିକୁଥିବା ଲୋକଙ୍କ ସମ୍ପର୍କରେ ରହିଲା। ବିଡ଼ି ପିଇଲା। କେବେ କେବେ ମଦ ବି।ଲୋକେ ବାକି ଭାଇଙ୍କଠୁ କକାକୁ ମାନନ୍ତି। ‘ଗୁଲା’ ପଡ଼ିବା(୧୯୮୦ କୃତ୍ରିମ ଉପଗ୍ରହ ଭାରତରେ ପଡ଼ିବ ବୋଲି ଆତଙ୍କ ଖେଳି ଯାଇଥିଲା। ଲୋକେ ମାଳିକାକୁ ଖୁବ୍ ମନେ ପକାଇଲେ। ଆତଙ୍କିତ ରହିଲେ। ଏହାକୁ ସ୍ଥାନୀୟ ଲୋକେ ‘ଗୁଲା’ପଡ଼ିବ ବୋଲି କହିଲେ।)ଗୁଲାରୁ ରକ୍ଷା ପାଇବା ପାଇଁ ପ୍ରଥମ କରି ଗାୟତ୍ରୀ ଯଜ୍ଞ ହେବା ଦେଖିଲେ। କକାଙ୍କ ଗାଁରେ ବି ଗାୟତ୍ରୀ ଯଜ୍ଞ ହେଲା। କକା ଯଜ୍ଞରେ ବହୁତ ସହଯୋଗ କଲେ। କୁଲତା ଲୋକ ହୋଇବି ବ୍ରହ୍ମଗଣ୍ଠି ଦିଆ ପଇଁତା ପିନ୍ଧିଲେ। ମଦ ନ ପିଇବା ସଂକଳ୍ପ ବି ନେଲେ। ସକାଳୁ ଉଠି ଗାଧୋଇ ଗାୟତ୍ରୀ କରିବା ସମ୍ଭବ ହେଲା ନାହିଁ। ତା ପର ବର୍ଷ ସାଙ୍ଗର ବାହା ଭୋଜିରେ ମଦ ଦିଇଦେଲେ। କିନ୍ତୁ ଗାୟତ୍ରୀ ମାତାଙ୍କ ପ୍ରତି ତାଙ୍କର ସମ୍ମାନ ଥାଏ ପ୍ରଚାରକ ବ୍ରାହ୍ମଣ ଶୋଷଣରୁ ମୁକ୍ତି ପାଇଁ ସବୁ ସଂସ୍କାର ଗାୟତ୍ରୀ ଧର୍ମ ପ୍ରଦର୍ଶୀତ ଧାରାରେ କଲେ।ବୟାସୀ ବନ୍ୟା ଗାଁର ଅନେକଙ୍କୁ ଉଦବାସ୍ତୁ କରିଦେଲା। କାନ୍ତ ଗଉଡ଼ ଭାସିଯାଉଥିବା ଗାଈକୁ ବଞ୍ଚାଇବାକୁ ଗଲା। ନା ଗାଈ ଫେରିଲା ନା କାନ୍ତ। ସ୍ତ୍ରୀ ବାସନ୍ତି ବର୍ଷକର ଛୁଆକୁ କାଖରେ ଧରି ଗଛତଳେ ରାତିସାରା ଠିଆ ହୋଇ ନଦୀକୁ ଦେଖୁଥାଏ। ମନେ ମନେ ଗୁହାରୁଥାଏ ନଦୀକୁ ସ୍ୱାମୀକୁ ଫେରେଇ ଦେ!ବାସନ୍ତି ଛୁଆକୁ ଛାଡ଼ି ଘର କରି ଯାଇପାରିଲା ନାହିଁ। ଦୁଇ ଏକର ଜମିବି ବଞ୍ଚାଇ ପାରିଲା ନାହିଁ। କାନ୍ତ ବାପା ମଲା ବେଳକୁ ପୁଷ୍କର ତିନିପାଦ ଲାଗିଥିଲା। ରାତିରେ ଦୂର ରାଇଜର ବ୍ରାହ୍ମଣ ଆସି ହୋମ କଲେ ଓ ମହା ବିପତ୍ତି ପୁଷ୍କରର ପ୍ରତାପରୁ କାନ୍ତକୁ ରକ୍ଷା କଲେ।ଏତେ ବଡ଼ ଅନୁଷ୍ଠାନ ପାଇଁ କାନ୍ତର ବଫୁନ ଥିଲା। ମହାଜନ ପାଖକୁ ଗଲା।ସେ ମହାଜନ ଜମି ଉପରେ ନିଜର ମାଲିକାନା ଜାହିର କଲା ପରେ ବାସନ୍ତି କୁଡ଼ିଆ ସଲଖି ରହିଲା। ବଳଦ ଦୁଇଟି ତାର ସାହା ରହିଲେ। ମହାଜନ ଜମି ନେଲା ପରେ ବଳଦ ବି ଛେଉଣ୍ଡ ହୋଇଗଲେ। ବଳଦ ବିକିଦେଲା ବାସନ୍ତି।ଆର ବର୍ଷାକୁ ଦୁଇବର୍ଷର ପୁଅକୁ ନେଇ ବାସନ୍ତି କୁଡ଼ିଆରେ ଗୋଡ଼ହାତ ବାନ୍ଧି ବସିଥାଏ। ବର୍ଷାରେ କି କାମ କରିବ?ଝକେର ଲାଗିଲା ଆଠ ଦିନ। ପୁଅ ମୁଣ୍ଡରେ ପଣତ ଢାଙ୍କି ବାସନ୍ତି ଗାଁ ଦାଣ୍ଡକୁ ଆସିଲା- କକାଙ୍କୁ ଦେଖି କହିଲା ଘରେ ଖାଇବାର ନାହିଁ ଗୋ ! ମୁଇଁ ସିନା ଭୁକେ ଶୁଇ ଦେମି ପିଲା କେନ୍ତା କରବା? ସକାଳୁ ଦୁଇ ମାଇପିଲା ଭୋକରେ ଅଛୁ।କକା ବାସନ୍ତିକୁ ଘରକୁ ଯିବାକୁ କହିଲେ। ଚାଉଳ ଡାଲି ତେଲ ଧରି ମାଛି ଅନ୍ଧାରକୁ ବାସନ୍ତି ଘରକୁ ଗଲେ।ବାସନ୍ତି କୁଡ଼ିଆକୁ ଡାକିଲା। ପୁଅ ପାଣି ପିଇ ଭୋକରେ ଶୋଇଛି। ରାନ୍ଧି ସାରିଲେ ଉଠେଇବ।ଖଟରେ କକା ବସିଲେ। ବାସନ୍ତି ଚୁଲି ଜଳିଲା। ଅନ୍ଧାନ ବସେଇ ଭିତର କୋଠରୀକୁ ଗଲା। କକାଙ୍କୁ ଡାକିଲା ଭିତରକୁ ଆସ।କକା ଭିତରକୁ ଗଲେ। ଭୂତ ଦେଖିଲା ପରି ଦୌଡ଼ି ଆସିଲେ ବାହାରକୁ। ଏକମୁହାଁ ଘରକୁ ପଳେଇଲେ।ସକାଳକୁ ବାସନ୍ତି ଘରକୁ ଗଲେ। ମା ପୁଅଙ୍କୁ ଧରି ଝିପିଝିପି ବର୍ଷାରେ ଘରକୁ ଆସିଲେ। ଦ୍ଵାରରେ ଠିଆହୋଇ ବାପାଙ୍କୁ ଡାକିଲେ। ଏ ଭିତରେ ଗାଁଟା ସାରା ସାହୁକାର ଘର ସାମ୍ନାରେ ଜମା ହୋଇ ଗଲେଣି। ସେ ଘରୁ ନିର୍ବାସିତ ହୋଇ ରାୟପୁର ପଳେଇଲେ।ଦଶ ବର୍ଷ ଗଡ଼ିଗଲା।ସାହୁକାର ଘର ଧିରେ ଧିରେ ଶୂନ୍ୟ ହୋଇଗଲା। ଛୋଟ ପୁଅ ଶିକ୍ଷକ ହୋଇ ସହର ଗଲା। ବିଜାତି ମାଷ୍ଟରାଣୀ ସଙ୍ଗେ ସଂସାର କଲା। ବଡ଼ ନିପୁତ୍ରିକ ଭାଇ ରୋଗରେ ମଲା। ଡାକ୍ତର ଖର୍ଚ୍ଚକୁ ସାହୁକାର ବି ହାର ମାନିଲେ। ପୁଅକୁ ରଖି ପାରିଲେ ନାହିଁ। ବୋହୂ ବି କାଠ ହୋଇଗଲା।ସାହୁକାର ବି ରୋଗରେ ପଡିଲେ। ପାଞ୍ଚ ଏକର ଜମି ଛାଡ଼ି କିଛି ରହିଲା ନାହିଁ। କକା ଯିବାର ଦୁଇ ବର୍ଷ ପରେ ପତ୍ନୀଙ୍କୁ ହରେଇଥିବା ସାହୁକାର ମରିଗଲେ। ସାନ ଦିଅର, ଶଶୁରଙ୍କ ଦଶାହ ଦିନ ରାତିରେ ଡୁମା ଆଣି ସାରିବା ପରେ ସବୁ ସମ୍ପର୍କ ଛିଣ୍ଡେଇ ଦେଲେ।ବିଧବା ବୋହୂ ରାୟପୁର ଗଲେ। କକାକୁ ପଚାରିଲେ ଜାତି ବଡ଼ କି ପରିବାର?କକା ପ୍ରବାସରେ ବାପାଙ୍କ ଶୁଦ୍ଧି ହୋଇ ଲଣ୍ଡା ହୋଇଥାନ୍ତି। ଦୁଇ ପୁଅ ବି। ତାଙ୍କର ଆଠ ବର୍ଷର ପୁଅ।କକା ଘରକୁ ଫେରିଲେ। ଦୁଇ ବର୍ଷରେ ସାହୁକାର ପରିବାର ସଲଖି ଗଲା।ଚାଷକୁ ଯେମିତି ବେପାରକୁ ବି ସେମିତି। କକା ଗାଁର କକା ହୋଇଗଲେ ଆଉ ବାସନ୍ତି କାକି। ପଞ୍ଚାୟତ ଭୋଟ ହେଉ କି ଏମେଲେ ଏମପି କକା ଘରେ ପ୍ରତ୍ୟାଶୀ ପାଦ ଦେବେ।ଏବେ କକା ନାତି ନାତୁଣୀ ଦେଖିଲେଣି। ଗାଁ ମୁରବୀ ପ୍ରାୟ ହୋଇଛନ୍ତି। ଠିକା କରୁଥିବା ନେତା ପିଲାମାନେ ବି ତାଙ୍କୁ ଜବାବ ଦିଅନ୍ତି ନାହିଁ କି ସାମ୍ନାରେ ମଦ ପିଅନ୍ତି ନାହିଁ। କକାଙ୍କ ଇତିହାସ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଏ। ତାଙ୍କ ପରି କାମ ପାଖଆଖ ରେ କରିଥିବା କେହି ଶୁଣି ନାହାନ୍ତି।ମୋର କକା ହିରୋ ଆଏ ବୁଆ! କକାଙ୍କ ପ୍ରତି ସବାଶେଷ ଟିପପଣି ଏତିକି। ସ୍କୁଲଘର, ପୋଖରୀ, ଗାଁ ରାସ୍ତା, ଅଙ୍ଗନବାଡ଼ି ଘରସବୁ ଚକଚାକ କକା ଯୋଗୁଁ। ଭତ୍ତା ଆଉ ଚାଉଳ ଏପଟ ସେପଟ ହୁଏନି। କକା ଠିଆ ହେଲେ ସବୁ ଦଳର ଜୁଆନ କକା ପଛେ ଠିଆ ହେବେ। ରାୟପୁର ରୁ ଘରକୁ ଫେରି କକା ମହାଜନକୁ କାନ୍ତର ଜମିରୁ ବେଦଖଲ କଲେ ଆଉ ନିଜ ଗାଁ ମହାଜନୀରୁ ବି। କଚେରୀରେ ଯାହା ବି ହେଇଥାଉ ମହାଜନ ପାଖ ଆଖ ଗାଁ ବି ଛାଡ଼ିଦେଲା।କ୍ରିକେଟ ପାଇଁ କକା ପାଗଳ। ରାତିସାରା ଟିଭି ଦେଖିବେ ବାଟଘରେ ଆଠ ଦଶ ପିଲାଙ୍କୁ ନେଇ। କାକି ବାଦାମ, ଚଣା, ଭୁଜା ଆଉ ଚାହା ଯୋଗାଉଥିବେ। କକାଙ୍କ ଏକାମ ଘର ଲୋକ ପସନ୍ଦ ନ କଲେ ବି ପ୍ରତିବାଦ କରନ୍ତି ନାହିଁ।କକା ନିଜ ବୋଲେରୋରେ ତାଙ୍କର ସହ ଦର୍ଶକଙ୍କୁ ଧରି ରାୟପୁର କ୍ରିକେଟ ଦେଖିଗଲେ। ଜୀବନ ଥିବାର ଭିତରେ ଜଉଁ ଦୁଇ ଆଖି କ୍ରିକେଟ ଦେଖିଥିମୁଁ!ସେମାନେ ଗାଁକୁ ମହାମାରୀ ନେଇ ଫେରିଲେ। ଗାଁର ବି ଆଠ ଦଶଜଣ ସଂକ୍ରମିତ ହେଲେ। କକାଙ୍କ ଅବସ୍ଥା ଗୁରୁତର ହେଲା।ଗତ ବର୍ଷ କକା ଟିଭି ରୁ ଶୁଣି ମହାମାରୀର ଚରିତ୍ର ଜାଣିଥିଲେ। ସନ୍ଦେହ ହେଲେ ପଚାରିବେ ଫୋନ କରି। କରୋନା ରାଜନୀତି କଥା ବି ଜାଣିଥିଲେ। ଟିପପଣୀ ବି କରୁଥିଲେ। ଗତବର୍ଷ କରୋନା ତାଙ୍କ ପାଇଁ ହିଁ ଗାଁକୁ ଛୁଇଁ ନ ଥିଲା। ଗାଁର କାହାକୁ ଭୋକରେ ରଖି ନ ଥିଲେ। ଦାଦନ କି ପ୍ରବାସରେ ଥିବା ପିଲାଙ୍କ ଭଲମନ୍ଦ ବୁଝୁଥିଲେ।ପ୍ରବାସରେ ଥିବା ତାଙ୍କ ଗାଁ ପିଲାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ମତେ ଫୋନରେ ଆଦେଶ କରୁଥିଲେ। କକାଙ୍କ ଆଦେଶ ପାଳନ କରୁଥାଏ। (ସେ ସମୟରେ ସମଦୃଷ୍ଟି ସମ୍ପାଦକ ସୁଧିର ପଟ୍ଟନାୟକ ତାଙ୍କର ବନ୍ଧୁ ଏବଂ ଓଡ଼ିଶାର ଅନେକ; ପ୍ରବାସରେ ଥିବା ଓଡ଼ିଆଙ୍କ ଖାଦ୍ୟ, ନିରାପତ୍ତା ଓ ଗମନାଗମନ ସୁବିଧା ପାଇଁ କାମ କରୁଥିଲୁ। ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଥିଲା। କରୋନା କାଳରେ ସବୁଠାରୁ ବଡ଼ ପ୍ରବାସୀ ଉଦ୍ଧାର କାର୍ଯ୍ୟ ଥିଲା ଏହା। ଯଦି ଏହି କାମ ହୋଇ ନଥାନ୍ତା ପ୍ରବାସୀଙ୍କ ସାମୁହିକ ଅନାହାର ମୃତ୍ୟୁ ହୋଇଥାନ୍ତା) କକାଙ୍କୁ ସହଯୋଗ ପାଇଁ କହିଥିଲି। ଗାଁର ସମସ୍ତେ ଭଲରେ ଫେରିଥିଲେ। ନିଜ ଆଡୁ ଗୋଟିଏ ଭୋଜି କରି ମତେ ଡାକିଥିଲେ। ଏହା ଆମ ପରମ୍ପରା ବି ଅଟେ। ତାଙ୍କର ଯୁବ ସହଚରଙ୍କ ସହ ସେହି ଭୋଜିରେ ହିଁ ତାଙ୍କୁ ଶେଷଥର ଦେଖିଥିଲି। ମତେ ଫୁଲତୋଡ଼ା ଦେଇ ଆଲିଙ୍ଗନ କରିଥିଲେ। ତାଙ୍କର ଭଲ ପାଇବା ଓ କୃତଜ୍ଞତାକୁ ମୋ ଛାତି ଭିତରେ କେଉଁଠି ଖଞ୍ଜି ଦେଇଥିଲେ ଯେମିତି। ଆମ ସମସ୍ତଙ୍କ ଆଖିରେ ଲୁହ ଥିଲା। ବେଶ୍ ମୂଲ୍ୟବାନ ଥିଲେ ସେ ଲୁହମାନେ।କକାଙ୍କୁ ବିଶାଖାପାଟଣା ନେଲେ। ପୁଅ ଦୁଇ ଜଣ ବହୁତ ଟଙ୍କା ସାରିଲେ ହେଲେ କକାଙ୍କ ଦେହରୁ ରୋଗ ସରିଲା ନାହିଁ।ଏବେ ଗାଁର ଦୁଇ ଜଣ ମାତ୍ର ସଂକ୍ରମିତ ଏକାନ୍ତବାସରେ ଅଛନ୍ତି। କେବଳ କକା ନାହାନ୍ତି ଗାଁରେ।

Leave a Reply