ଗତକାଲି ଫୋନ ଆସିଲା…

ବାବୁ ! ବନେକରି ହାଦ୍ରା(ହାଇଦ୍ରାବାଦ) ଖେଟଲି(ପହଞ୍ଚିଲି)। ଛୁଆ ପୁତା ଅଏନ ହି’ଛନ।(କିଛି ଔପଚାରିକ କଥାବାର୍ତ୍ତା)

ହଁ ଗୋ! ସୁବିଧା ଅସୁବିଧା କେ ଖବର କରବୁ!= ତୋର ହେତେ ଅସୁବିସ୍ତା ଆର ହେସି ତା’କେଁ…. …ଗୋଟିଏ ରାଜସ୍ଵ ଗାଁ। ବେଶ୍ ପୁରୁଣା। ବୁଢାମାନେ ତାଙ୍କ ସମୟରେ ବୁଢ଼ାମାନଙ୍କ ଠାରୁ ସେମାନଙ୍କ ସମୟର ବୁଢ଼ାମାନଙ୍କ କଥା ଶୁଣିଛନ୍ତି। ସୁତରାଂ ଗାଁର ବୟସ ମାପିବା ମୁସ୍କିଲ। ଧାରେ ପାହାଡ଼ର ମଝିରେ ରାସ୍ତାଟିଏ। ହଳଗାଡ଼ି ଅନାୟାସ ଯାଏ। ଆଉ ଗୋଟିଏ ଗାଡିକୁ ରାସ୍ତା ବି ଦେଇପାରେ। ପାହାଡ଼ର ଏପାରି ସେପାରି ଚାଷଜମି। ପାହାଡ଼ି ରାସ୍ତାର ମଝିରେ ଗ୍ରାମଦେବୀ।ଏ ପାହାଡ଼ି ରାସ୍ତାର ଇତିହାସ ବେଶ୍ ରୋଚକ। ସୁଦୂର ରଜାର ଲୋକ ଏକଦା ଲଗାନ ଅସୁଲିରେ ପ୍ରଥମ ଥର ଆସିଲେ। ଦୁଇ କୁଏର (୪୦) ହଳଗାଡ଼ି ଧରି।ଲୋକେ ଭାବିଲେ ରଜା କିଏ? ଲଗାନ କାହିଁ ଦେବୁ? ଲଗାନ ନେବାକୁ ଆସିଥିବା ଚାରି କୁଏର ଲୋକ ସାତ ଗାଁକୁ (ସେ ସମୟରେ ସାତଟି ଗାଁ ଥିଲା। ଏବେ ବେଛପରି ଗାଁ ମିଶେଇ କୋଡ଼ିଏ ଗୋଟି ହେବ। ଏଇ କିଛି ବର୍ଷ ତଳେ ଆଉ ଦୁଇଟି ଗାଁ ବସିଛି) ଆସିଥିବା ରଜାର ଲୋକ ଆଉ ଫେରିଲେ ନାହିଁ।ମାଘ ଗଲା ଦୁଇ କୁଏର ଗାଡ଼ି ଫେରିଲା ନାହିଁ।

ରଜାର ଲୋକ ଡଗର(ଖୋଜି) ଆସିଲେ। ସେମାନେ ବି ଫେରିଲେ ନାହିଁ।ଗୋଟିଏ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆସିଲେ। ସେମାନେ ଦେଖିଲେ ଦୁଇ କୁଏର ଗାଡି ଚାଏର କୁଏର ହଲ ସଙ୍ଗେ ସମସ୍ତ ରାଜ ସେବକମାନଙ୍କ ଅବଶେଷ ପଡ଼ିଛି ରାସ୍ତାର ଦୁଇ ପାଖ ପାହାଡ଼ର ତଲୁଉପର ସାତଖଣ୍ଡ ଗାଁର ସମସ୍ତେ ସେସମୟର ରାଜଦ୍ରୋହ/ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ହେଲେ। ପରିବାର ମୁଖିଆଙ୍କୁ ମୃତ୍ୟୁଦଣ୍ଡ ଓ ଗ୍ରାମ ଦହନର ଦଣ୍ଡ ବିଧାନ ହେଲା। ରଜାର ପାରିଷଦ ରାଜଆଜ୍ଞା ପାଳନ ପାଇଁ ଆସନ୍ତି ଆଉ ଫେରନ୍ତି ନାହିଁ। ଏମିତି ବାରବର୍ଷ ଗଲା।ରଜା ଖବର କଲା ମତେ ଲଗାନ ଦିଅ ମୁଁ ସବୁ ଅପ୍ରାଧ କ୍ଷମା କରିବି।ବାର ବର୍ଷ ରଜାର ଯୁଦ୍ଧ ଶୈଳୀ ବି ବାର ପ୍ରକାର ଥିବ।

ଏ ସାତଟି ଗାଁ ପାହାଡ଼ ସେ ପାଖେ ତାପରେ ଜଙ୍ଗଲ ଆଉ ଜଙ୍ଗଲ। ତା ପର ରାଜ୍ୟ କନ୍ଧ ଓ ଗଣ ରଜାର। ଏକଲା ରାଜପୁତ ରଜା କରିବ କଣ?ସାତଖଣ୍ଡ ଗାଁର ନାୟକ ଲୋକ ମୁଖରେ ଆଜି ସେ ନାହାକବୁଡ଼ା। ଦରବାରକୁ ଗଲା ସାତଦିନ ସାତରାତି ଚାଲି ଚାଲି।

ରାଜାକୁ କହିଲା – ହଏ ହଜୁର ! ତୋର ଲୋକ କେ ଆମେ ମାରୁଛୁଁ ବଲୁଛୁ କାଏଁ? ଘାଟିମାଏଲୀ ତକେ ଅଙ୍ଗ ନାଇ ଦେବାର ! ଆମର କାଏଁ ଦୋଷ ଜେ ତୁଇ ଆମକେ ଦୁଷୁଛୁ !ରଜା ସବୁ ବୁଝିଲେ। ସେଦିନୁ ଭାରତ ସରକାର ଆସିଲା ପରେ ଛପନ ସାଲ ନେ ପ୍ରଥମ କରି ଘାଟି ସେପାରି ସାତ ଗାଁ ଲଗାନ ଦେଲେ। ଆଜିବି ଲଗାନ ଦେଇଗଲେ ଘାଟିମାଏଲୀ ଦେବୀଙ୍କ ନିକଟରେ ପୂଜାରୀ ନଡ଼ିଆଟିଏ ବି ଚଢ଼ାଏ।ନାହାକବୁଡ଼ା ଫେରି ଘାଟିମାଏଲୀ ଦେବୀଙ୍କ ଖଞ୍ଜା କରିଦେଲା। ପୂଜାରୀ, ଦିହାରୀ ଆଦି ଶୋହଳ ଚାରିଘରିଆ। ସମସ୍ତଙ୍କ ପାଇଁ ଜମି। ଦେବୀଙ୍କ ପୂଜା ଦଶରା ଚଇତ ସଙ୍ଗେ ଆମ ଜତରା, ଶେମିଜତରା, ବିହନ ଛିନା ସବୁ ବିଧି ହିସାବରେ ପୂଜା ଚାଲିଲା।ମଝିପାହାଡ଼ରେ ଦେବୀ ଘାଟିମାଏଲୀ ଓ ପାହାଡ଼ ତଳେ ନାହାକବୁଡ଼ା ପୂଜା ପାଆନ୍ତି। ଲୋକେ ନାହାକବୁଡାକୁ ଦୁଃଖ ଗୁହାରନ୍ତି; ବୁଡ଼ା ଦେବୀଙ୍କୁ କହି ଆଜିବି ଦୁଃଖ ଲାଘବ କରେ।ଶହ ଶହ ବର୍ଷ ବଂଶ ଅନୁକ୍ରମରେ ଏବେ ଚଏତୁ ମାଝୀ ଗାଁ ଦିହାରୀ ଅଛି। ଯିଏ ଚଏତ ଜତରା ପାଇଁ ଗାଁକୁ ଆସି ପାରୁ ନ ଥିଲା। ତାକୁ ଯେଉଁ ସର୍ଦ୍ଦାର ଇଟା ଗଢିବା ପାଇଁ ତେଲେଙ୍ଗାନାର କେଉଁ ଇଟାଭାଟିକୁ ପଠେଇଛି ପରିବାର ସହ।

ଗାଁ ଯାତ୍ରା କିପରି ହେବ ଦିହାରୀ ନ ଥିଲେ?ବେଚାରା ସର୍ଦ୍ଦାର ସବୁ ଶୁଣି ସେଠଙ୍କୁ କହି ଚଏତୁ ଦିହାରୀକୁ ଆଣିଥିଲା। ନଅ ଦିନର ଜତରା ସାରି ଚଏତୁ ତେଲେଙ୍ଗାନା (ଯାହା ଆଜିବି ଲୋକ ମୁଖରେ ହାଦ୍ରା) ଗଲା।ଚଏତୁ କାହିଁକି ଦାଦନ ଗଲା ? ଚଏତୁ ୪୦ ବର୍ଷ ହେବ। ବାପା ପରି ସେ ବି ନିଷ୍ଠାବାନ ଦିହାରୀ ! କାହା ଖଟରେ ବସିବନି, କାହା ରନ୍ଧା ଖାଇବନି ! ସ୍ତ୍ରୀଙ୍କ ଧର୍ମ ଦିନରେ ନିଜେ ରାନ୍ଧି ଖାଇବ। ବାହାର ଗାଁରେ ଅନ୍ନ ଛୁଇଁବନି। କାହାଘର ପାଣି ଛୁଇଁବନି। ଜତରା ବେଳେ ଶିଝା ଖାଇବ ଗୋଟିଏ ଓଳି।ବାପା ପାଖରେ କୋଡ଼ିଏ ଏକର ଦୈବୀ ସେବା ଜମି। ଲାଗ ଲାଗ ମରୁଡ଼ି। ଝାଅ ବାହା ପୁଅ ବାହା ୧୯୯୫ ପର୍ଯ୍ୟନ୍ତ ଦଶ ଏକର ଜମି ମାରବାଡ଼ି ମହାଜନ ପାଇ ସାରିଥିଲା। ଏହି ବର୍ଷ ଋଣ ଶୁଝିବାକୁ ଘର କାମ ଲାଗି ପନ୍ଦର ହଜାର ଟଙ୍କାରେ ତିନି ଏକର ଆଁଟ ଛାଡ଼ି ସାତ ଏକର ମହାଜନ ପାଖରେ ଉଡେନ ଦେଲା। ୨୦୦୬ ମସିହାରେ ଜମି ଫେରି ପାଇବା କଥା। ମଝିରେ ମଝିରେ ମହାଜନ ହଜାରେ ପାଁ’ଶ କରି ୪୭ ହଜାର ଟଙ୍କା ଖାତାରେ ଲେଖି ଥିଲା। ମୂଳ କଲନ୍ତର ମିଶେଇ ତିନକୁଡ଼ି-ଶୋହଲ ହଜାର ଟଙ୍କା।ଚଏତୁ ଅନ୍ୟାୟର ଗନ୍ଧ ବାରିଲା। ପାଞ୍ଚଭାଇ ସାମ୍ନାର ଲେଖା ଧରି ଥାନାକୁ ଗଲା। ମହାଜନ ବି ଆଠ ଦଶଟି ସରକାରୀ କାଗଜ ଧରି ଥାନାକୁ ଗଲା।ଥାନାବାବୁ ଚଏତୁ ଦିହାରୀକୁ ଧମକ ଦେଲେ।ସନ୍ଧ୍ୟାରେ ଚଏତୁ ମଦ ପିଇଲା। ମହାଜନ ଘରକୁ ଗଲା। ବାଟରେ ଠିଆ ହୋଇ ମହାଜନର ମାଁ …ଝୀ … କଲା। ମହାଜନ ଥାନାକୁ ଫୋନ କଲା। ଚଏତୁ ଥାନାରେ ରାତିସାରା ମାଡ଼ ଖାଇଲା। ଜମିତ ଫେରେଇବ ଯେମିତି ହେଲେ। ରାୟପୁର ଗଲା, ଗାଁ ପିଲାଙ୍କ ସଙ୍ଗେ ମୁମ୍ବାଇ ଗଲା। ପରିବାର ଖର୍ଚ୍ଚ ବାଦ ଦଶବର୍ଷର ପରିଶ୍ରମରେ ୪୦ ହଜାର ଟଙ୍କା ମହାଜନକୁ ଦେଲା। ଆଁଟ ତିନି ଏକର ଆଉ ସ୍ତ୍ରୀ ଫୁଗଲି (ଅତିରିକ୍ତ ସଞ୍ଚୟ) କରିଥିବା ଗୋଟିଏ ଛେଲ ମାଇ ଦଶଟି କରିଥିଲା। ଏଥିରେ ପରିବାର ଚଳେ।ଜଙ୍ଗଲ ବି ଯାଇ ହେଉନି। ଏଞ୍ଜୋ (ଏନଜିଓ) ଆଠ ଦଶବର୍ଷ ହେବ ଜଙ୍ଗଲ ଭିତରେ ବେଛପରିଗାଁ ବସେଇଛି। ଶଲେ ଉଡ଼ି ଆଏଲା ପତରମାନେ ଜଙ୍ଗଲ ଭିତରୁ ଦାନ୍ତକାଠି ବି ଛୁଏଁଇ ଦଉ ନାହାନ୍ତି।ଦିନେ ସର୍ଦ୍ଦାର ଆସିଲା। ଚଏତୁ ରାଜି ହେଲା ହାଦ୍ରା ଯିବାକୁ। ସର୍ଦ୍ଦାରକୁ ଡାକିନେଲା ମହାଜନ ଘରକୁ। ଅଗ୍ରିମ ୩୦ ହଜାର ଟଙ୍କା ମହାଜନକୁ ଦେଇ ଦେଲା। ଦଶଟି ଛୋଟବଡ଼ ଛେଲିକୁ କୋଡ଼ିଏ ହଜାର ବିକିଲା। ଏଭିତରୁ ପନ୍ଦର ହଜାର ଟଙ୍କା ଦେଇ ମହାଜନରୁ ଜମି ମୁକୁଳେଇଲା। ପାଞ୍ଚଭାଇ ଧରି ପଟ୍ଟା ଆଣିଗଲା। ଦେବୀଙ୍କ ଟାଙ୍ଗିବି ଧରିଥାଏ। ମହାଜନ ପଟ୍ଟା ଫେରେଇଲା। ସମସ୍ତଙ୍କ ସାମନାରେ ଟାଙ୍ଗିକୁ ଉଠେଇ ମହାଜନକୁ ମାଁ ଗାଲି କଲା ଓ ତା’ ଦ୍ଵାରବନ୍ଧରେ ମୁତିଲା। ଯେନତେନ ପ୍ରକାରେଣ ଝମେଲା ବଢି ପାରିଲା ନାହିଁ। ପଞ୍ଚଭାଇ ସଙ୍ଗେ ମନଭର୍ତ୍ତି ମଦ ପିଇଲା। ଗୋଟିଏ ହାତରେ ଟାଙ୍ଗି ଆର ହାତରେ ପଟ୍ଟା ତାର ସନ୍ତକ କାଗଜ ଧରି ନାଚିନାଚି ଗାଁକୁ ଫେରିଲା। ଘାଟି ରାସ୍ତାରେ ନାହାକବୁଡ଼ା ପାଖେ ଟଙ୍ଗି ଓ ପଟ୍ଟା ରଖିଦେଲା। – ଦେଖ ବୁଆ ଗୋ ନାହାକବୁଡ଼ା ତୋର ପନ ଫିରାଲି। ହାଦ୍ରାନୁ ଫିରସି ମାଁ ର ସେବା କରମି। ଚଇତ ଜତରା ରେ ଚଏତୁ ଦିହାରୀ ହାଦ୍ରାରୁ ଆସି ମାଁଙ୍କ ସେବା କଲା। କାମସାରି ହାଦ୍ରାକୁ ଗଲା। ମୌସୁମି ସଙ୍ଗେ ପରିବାର ଧରି ଗାଁକୁ ଫେରିବ, ନିଜ ଜମିରେ ଚାଷ କରିବ। ମାଁଙ୍କ ସେବା କରିବ।ଆସନ୍ତା ବର୍ଷ ଠୁ ସେ ଆଉ ଦାଦନ ଯିବନାହିଁ।