
ବିଶ୍ଵ ଖାଦ୍ୟ ଓ କୃଷି ସଙ୍ଗଠନ, ଭାରତକୁ ବିଶ୍ଵର ପ୍ରମୁଖ ଜଙ୍ଗଲ ସମ୍ପନ୍ନ ରାଷ୍ଟ୍ର ତାଳିକାର ପ୍ରଥମ ଦଶଟି ଦେଶ ମଧ୍ୟରେ ସ୍ଥାନ ଦେଇଛନ୍ତି। ୨୦୨୦ ର ଏକ ତଥ୍ୟ ଅନୁସାରେ ଭାରତ ବିଶ୍ଵର ୨ ପ୍ରତିଶତ ଏବଂ ଦେଶର ୨୪.୩ ପ୍ରତିଶତ ଜଙ୍ଗଲ ରହିଅଛି।
ବିଭିନ୍ନ କାରଣରୁ ଭାରତର ଜଙ୍ଗଲ କ୍ଷୟ ଏକ ଚିନ୍ତାର କାରଣ ହୋଇଥିବା ବେଳେ ଏହାର ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦିଆ ଯାଉଅଛି। ୨୦୧୨-୧୩ର ଏକ ରିପୋର୍ଟରେ ଦୁଇ ବର୍ଷରେ ୬୮ ମିଲିୟନ ହେକ୍ଟରରୁ ୬୯.୮ ମିଲିୟନ ହେକ୍ଟରକୁ ଜଙ୍ଗଲ ବୃଦ୍ଧି ପାଇଥିଲା। ସେହିପରି ଓଡ଼ିଶାରେ ୨୦୧୫ ମସିହାରେ ୫୦,୩୫୪ ବର୍ଗ କି.ମି ରୁ ବୃଦ୍ଧି ପାଇ ୨୦୧୯ ମସିହାରେ ୫୧,୬୧୯ ବର୍ଗ କି.ମି ହୋଇଥିଲା।
ଜଙ୍ଗଲ ବୃଦ୍ଧିର ପରିମିତି ବାଦ ଜଙ୍ଗଲ ଜବରଦଖଲ ଓ ଏହାର କ୍ଷତି ବିଷୟରେ କୌଣସି ଆଲୋଚନାକୁ ଗୁରୁତ୍ୱ ଦିଆ ଯାଉନାହିଁ। କେତେକ ନ୍ୟସ୍ତସ୍ୱାର୍ଥ ସଙ୍ଗଠନ ଦ୍ବାରା ଜଙ୍ଗଲ ଜମି ବେପାର ଉପରେ ଚର୍ଚ୍ଚା କରିବା ପୂର୍ବରୁ ଜଙ୍ଗଲ ରାଜନୀତି ଉପରେ ସମ୍ୟକ ଦୃଷ୍ଟି ଦିଆଯାଉ।
୧୮୧୫ ସମୟରେ ୱାଟରଲୁ ଯୁଦ୍ଧରେ ନେପୋଲିୟନ ଙ୍କୁ ଇଂଲଣ୍ଡ ପରାସ୍ତ କରିଥିଲା। ଏହାର ଏକ ପ୍ରମୁଖ କାରଣ ମଧ୍ୟରୁ ଭାରତୀୟ ଶାଗୁଆନ କାଠରେ ତିଆରି ଇଂଲଣ୍ଡର ଯୁଦ୍ଧପୋତର ସାମର୍ଥ୍ୟ ରହିଥିଲା। ୱାଟରଲୁ ପୂର୍ବରୁ ମଧ୍ୟ ଅନେକ ଯୁଦ୍ଧ ନେପୋଲିୟନ ସହ ଲଢା ଯାଇଥିଲା। ଫଳରେ ଭାରତୀୟ ଶାଗୁଆନ କାଠ ଉପରେ ବିଶ୍ଵର ଏକ ବଡ଼ ରାଜନୈତିକ ଶକ୍ତିର ଲୋଭ ବଢ଼ିଲା।
ଦ୍ୱିତୀୟରେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖ, ବମ୍ବେରୁ ଠାଣେ ୩୪ କି.ମି ପଥ ୪୦୦ ଅତିଥି ଯାତ୍ରୀଙ୍କୁ ନେଇ ଭାରତରେ ପ୍ରଥମ ରେଳଗାଡି ଗଡ଼ିଥିଲା। ଏହାପରେ ସମଗ୍ର ଦେଶରେ ରେଳ ଧାରଣା ବିଛେଇବା ପାଇଁ କାଠର ଆବଶ୍ୟକ ପଡ଼ିଲା। ଫଳରେ ୧୯୬୫ ମସିହାରେ ଭାରତୀୟ ବନ ଅଧିନିୟମ ଲାଗୁ ହେଲା। ଏହି ଅଧିନିୟମ ବଳରେ ଭାରତୀୟ ଜଙ୍ଗଲ ଉପରେ ବ୍ରିଟିଶ ହସ୍ତକ୍ଷେପ ରହି ପାରିଲା। ଜଙ୍ଗଲ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦା ଭଳି ସାଧାରଣଙ୍କ ସମ୍ପତ୍ତି ରହିଥିଲା। ସରକାରଙ୍କ ଅନୁପ୍ରବେଶ ପ୍ରତି ବିରୋଧ ହେଲା। ଫଳରେ ୧୮୭୮ ବନ ଅଧିନିୟମ ଲାଗୁ କରି ସରକାର ଜଙ୍ଗଲ ଉପରେ ସାଧାରଣଙ୍କ ଅଧିକାର ସମାପ୍ତ କରିଦେଲେ। ଫଳରେ ସାଧାରଣଙ୍କ ଜଙ୍ଗଲ ଅର୍ଥନୀତି ନଷ୍ଟ ହୋଇଗଲା। ଲୋକଙ୍କୁ ଅନ୍ୟ କାମରେ ଲଗାଗଲା ଅଥବା ସେମାନଙ୍କୁ ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା ଆଦି ବ୍ରିଟିଶ କ୍ୟାମ୍ପ ମାନଙ୍କୁ ନେଇ କ୍ରିତଦାସ ଭଳି ଖଟାଗଲା। ଏ ସମୟରେ ଜଙ୍ଗଲ କାଟିବା ପାଇଁ ଠିକାରେ ଦିଆଗଲା। ଠିକାରେ ଦିଆଯାଇ ଥିବା ଜଙ୍ଗଲ ଚଳନ୍ତି ସମୟର SEZ (ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର) ତୁଲ୍ୟ ଥିଲା।
୧୯୨୭ ଜଙ୍ଗଲ ଆଇନ ତିଆରି ହେଲା। ଯାହାକୁ ଆଜି ପର୍ଯ୍ୟନ୍ତ ସଂଶୋଧିତ କରି କାର୍ଯ୍ୟକ୍ଷମ କରାଯାଇ ଆସୁଅଛି। ଏହି ଆଇନ ବଳରେ ସମସ୍ତ ଆଇନ ବାଦ ସରକାର ନିଜର ସମସ୍ତ ଆବଶ୍ୟକତା ପୁରଣ ପାଇଁ ଜଙ୍ଗଲକୁ ଏକାଧିକାର କ୍ଷେତ୍ରକୁ ନେଲେ। ଜଙ୍ଗଲକୁ ରାଜ୍ୟ ସମ୍ପତ୍ତିଭୁକ୍ତ କରି ଇଂରେଜ ସରକାର ବନଶୋଷଣ ନୀତି ଅବଲମ୍ବନ କଲେ।
୧୯୫୨ ପର୍ଯ୍ୟନ୍ତ ଭାରତୀୟ ବନ ଅଧିନିୟମ ଉପରେ କୌଣସି ପରିବର୍ତ୍ତନ କି ନୂତନ ଆଇନ ବ୍ୟବସ୍ଥା କରାଗଲା ନାହିଁ। ଏହି ବର୍ଷ ଜଙ୍ଗଲକୁ ରାଷ୍ଟ୍ରୀୟ କାରଣ କରି ବନବାସୀ ଓ ବନାଞ୍ଚଳ ଅଧିବାସୀଙ୍କ ଠାରୁ ରାଷ୍ଟ୍ରହୀତକୁ ସର୍ବୋପରି ରଖାଗଲା।
୧୯୭୬ ମସିହାରେ ୪୨ତମ ସମ୍ବିଧାନ ସଂଶୋଧନ ସମୟରେ ଜଙ୍ଗଲକୁ ରାଜ୍ୟ ଅଧିକାର ଭୁକ୍ତ କରାଯାଇ ଉଦ୍ୟୋଗ ପାଇଁ ଜଙ୍ଗଲ ଅଧିକାରକୁ ବୈଧ କରାଗଲା।
୧୯୮୦ ମସିହା ଆଇନରେ ଜଙ୍ଗଲ କାଟିବାକୁ ବନ୍ଦ କରିବା ପାଇଁ ଆଇନ ତିଆରି ହେଲା। ଜଙ୍ଗଲ ଜମି ବ୍ୟବହାର ଅଧିକାର କେନ୍ଦ୍ର ହାତରେ ନ୍ୟସ୍ତ ରହିଲା ।
୧୯୮୮ ବନନୀତି ବନବାସୀ ଓ ବନାଞ୍ଚଳ ଲୋକଙ୍କ ପାଇଁ ଜରୁରୀ ଆବଶ୍ୟକତା ଜଙ୍ଗଲରୁ ପୁରା କରିବାପାଇଁ କୋହଳ କରାଗଲା। ଏହାପରେ ଅନୁସୂଚିତ ଜନଜାତି ଓ ବନବାସୀ ( ଜଙ୍ଗଲ ଅଧିକାର ମାନ୍ୟତା) ଅଧିନିୟମ – ୨୦୦୬ ପାରିତ ହେଲା। ଏଥିରେ ସରକାର ସ୍ଵୀକାର କଲେ ଯେ ଜଙ୍ଗଲ ନୀୟମ ଲୋକଙ୍କ ପ୍ରତି ଅନ୍ୟାୟ କରିଛି।
ବନଗ୍ରାମ ଓ ରାଜସ୍ଵ ଗ୍ରାମକୁ ଜଙ୍ଗଲ ଅଧିକାର ଦିଆଯିବା ସପକ୍ଷରେ ଯୁକ୍ତି ରହିଲା।
ଏତେବେଳକୁ ଏକ ଭୟଙ୍କର ଖେଳ ଚାଲିଥାଏ। ବିଶ୍ୱାୟନ ପରେ ଜଙ୍ଗଲଜମି ଦଖଲ ବେଳେ ଲୋକଙ୍କ ବିରୋଧ ହୁଏ। ପ୍ରକଳ୍ପ ଖଣିଖାଦାନ କାମ ଅଟକି ରହେ। କୌଣସି ବ୍ୟବସାୟିକ ସଙ୍ଗଠନ କୁ ଜମି ଦେବାରେ ବିଫଳ ରହିଲେ। ସରକାର ଜଙ୍ଗଲ ଗାଁମାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କଲେ। ବିଶ୍ୱାୟନ ଉଦ୍ଦେଶ୍ୟକୁ ଫଳବତୀ କରିବା ପାଇଁ ଅନେକ ସାମାଜିକ ସଙ୍ଗଠନ କାମ କରୁଥାନ୍ତି। ଲୋକଙ୍କୁ ଆଇନ, ସରକାରଙ୍କ ଅପାରଗତା ଆଦି ବିଷୟରେ କହୁଥାନ୍ତି। ଅନୁଦାନ ବି ଦେଉଥାନ୍ତି। ଏତେବେଳକୁ ଜଙ୍ଗଲ ଗାଁ ସର୍ଭେ ଚାଲିଲା। ତିନିପୁରୁଷ ଧରି ଜଙ୍ଗଲଗାଁ ମାନଙ୍କରେ ରହୁଥିବା ଲୋକଙ୍କୁ ମାନ୍ୟତା ଦେବା କଥା ଉଠିଲା। ଏ ସମୟ ନୂଆ ଶତାବ୍ଦୀ ଆସିବାର ସମୟ ଥିଲା। ଗୋଟିଏ ବଡ଼ ବେପାର ଜଙ୍ଗଲ ନଷ୍ଟ କରି ଆରମ୍ଭ ହେବାର ଥିଲା।

୧୯୬୫ ମସିହାରେ ବଡମକାର ପଡେ। ୧୯୬୬ ମସିହାରେ ଖାଦ୍ୟାଭାବ ଯୋଗୁଁ ଗାଁ ଗାଁରେ ଅନାହାର ମୃତ୍ୟୁର ତାଣ୍ଡବ ଚାଲିଥାଏ। ସାଧାରଣ ଲୋକ ଜଙ୍ଗଲ ଭିତରକୁ ପ୍ରବେଶ ବାରଣ ଥାଏ। ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କଳାହାଣ୍ଡି ଗସ୍ତ ସାରି ଫେରିଲା ବେଳେ ବଙ୍ଗୋମୁଣ୍ଡାର ଗଣାପଡ଼ାରେ ଓହ୍ଲାନ୍ତି। ଲୋକଙ୍କ ଦାରୁଣ ଅବସ୍ଥା ଦେଖି ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କରନ୍ତି। ଲୋକମୁଖରେ ଏହାକୁ ‘କୋକଛାଡ’ କହନ୍ତି। ଲୋକେ ଜଙ୍ଗଲ କାଟି ବ୍ୟବସାୟ ଜାଣିନଥିଲେ। ଫଳରେ କିଛି ହୁସିଆର ଲୋକ ଖାଦ୍ୟ ବଦଳରେ ଲୋକଙ୍କୁ ଜଙ୍ଗଲ କାଟିବାରେ ଲଗାନ୍ତି। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଅଞ୍ଚଳକୁ ରେଳ ଯୋଗେ ମୂଲ୍ୟବାନ ଗଛ ଚାଲାଣ କରନ୍ତି। ଏହିଠାରୁ ଜଙ୍ଗଲ ତଷ୍କରୀ ଆରମ୍ଭ ହୁଏ।
ଏଥି ପୂର୍ବରୁ ଜଙ୍ଗଲ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ଲୋକେ ଜଙ୍ଗଲ ଭିତରେ ସ୍ଥାୟୀ ହୋଇ ରହିଥାନ୍ତି। ରାଜନୈତିକ କାରଣ ଯୋଗୁଁ ମଧ୍ୟ ଜଙ୍ଗଲ ଭିତରେ ରହି ଯାଇଥାନ୍ତି। ଏ ଗାଁ ମାନ ୯୦ ଦଶକ ଶେଷ ପର୍ଯ୍ୟନ୍ତ ମାନ୍ୟତା ପାଇ ନଥାଏ। କୋକଛାଡ ପରେ ଜଙ୍ଗଲ ତଷ୍କରୀ ଆରମ୍ଭ ହୋଇ ସାରିଥାଏ।
୨୦୦୨ ମସିହାରେ ମରୁଡ଼ି ପଡ଼ିଲା। ଖାଦ୍ୟ ପାଇଁ କାମ ଯୋଜନା ଚାଲିଲା। ମୁରିବାହାଲ ବ୍ଲକ ତିଖାରୀ ଜଙ୍ଗଲ ଭିତରେ ଏକ ଖନନ କାମକୁ ଜଙ୍ଗଲ ଅଧିକାରୀ ବିରୋଧ କଲେ। ସେଠାକାର ନୂଆ ହୋଇ ବସିଥିବା ଗାଁ ଲୋକ ମହିଳାଙ୍କୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଦୁର୍ବ୍ୟବହାର, ଏଟ୍ରୋସିଟି ଆଦି ଅଭିଯୋଗ ମାନବାଧିକାର କମିଶନ ପାଖରେ କଲେ। କମିଶନ ରିପୋଟିୟର ଘଟଣା ତଦନ୍ତ ପାଇଁ ଆସିଲେ। ଏହାପରେ ଜଣା ପଡ଼ିଲା ଏଭଳି ୫୦/୬୦ ଗାଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ବସି ସାରିଛି। ପାଖଆଖ ଜିଲ୍ଲାର ବିସ୍ଥାପିତ ଓ ସାମାଜିକ ସଙ୍ଗଠନମାନଙ୍କ ସହଯୋଗୀ ମାନେ ଏସବୁ ଗାଁ ବସେଇଛନ୍ତି। ଏହି ଲୋକମାନେ ହଜାରରୁ ଅଧିକ ହେକ୍ଟର ଜଙ୍ଗଲ ସଫାକରି ୨୦୦୦ ମସିହା ପରେ ପରେ ରହିବା ଆରମ୍ଭ କରିଛନ୍ତି। ଏହାଙ୍କୁ ସେ ସମୟର କ୍ଷାତ କେତୋଟି ସାମାଜିକ ସଙ୍ଗଠନ ସହଯୋଗ କରୁଛନ୍ତି।
କ୍ରମେ ଚିତ୍ର ସ୍ପଷ୍ଟ ହେଲା। ସମଗ୍ର ଦେଶରେ ଚାଲିଥିବା ବନବାସୀଙ୍କ ଆନ୍ଦୋଳନରେ ନିଜକୁ ଅଂଶିଦାର କରିବାପାଇଁ ସାମାଜିକ ସଙ୍ଗଠନମାନେ କେବିକେ ସମେତ ଜଙ୍ଗଲ ବହୁଳ ଜିଲ୍ଲା ମାନଙ୍କରେ ଏମିତି ଶହ ଶହ ଗାଁ ପ୍ରତିଷ୍ଠା କରିଛନ୍ତି।
କୋକଛାଡ ପରେ ଜଙ୍ଗଲ କାଟୁଥିବା ଲୋକଙ୍କ ନାମରେ ହୋଇଥିବା ଏତଲା ଆଦିକୁ ମିଛ ଆଧାର କରି ଏ ଜଙ୍ଗଲ ଅନୁପ୍ରବେଶକାରୀ ଗାଁ ମାନେ ନିଜକୁ ରାଷ୍ଟ୍ରୀୟ ଆନ୍ଦୋଳନରେ ସାମିଲ କରିବାକୁ ସକ୍ଷମ ହୁଅନ୍ତି। ଧୁଆମୂଳା ଅଧୁଆମୂଳା ଏକାକାର ହୁଅନ୍ତି। ଏମିତି ଗୋଟିଏ ସାମାଜିକ ସଙ୍ଗଠନ ଦୟାରେ ଜଙ୍ଗଲ ଭିତରେ ରହିଥିବା ଅନ୍ୟ ଜିଲ୍ଲାର ପ୍ରକଳ୍ପ ବିସ୍ଥାପିତଙ୍କୁ କଣ୍ଟାବାଞ୍ଜି ବନବିଭାଗ ଓ ପୋଲିସ ଘଉଡ଼େଇବାରେ ସଫଳ ହୋଇଥିଲେ। କିନ୍ତୁ ମାନବାଧିକାରର ମୁରିବାହାଲ ଘଟଣା ପରେ ସଙ୍ଗଠନ ଆଶ୍ରିତ ଗାଁ ମାନଙ୍କୁ ବିଭାଗ ଛୁଇଁବା ପାଇଁ ଭୟ କଲା। ବରଂ ସହଯୋଗୀ ହେବା ଭଲ।
୨୦୧୬ ମସିହାରେ ତୁରେକେଲା ବ୍ଲକର ଏକ ଜଙ୍ଗଲରେ ଗୋଟିଏ ମହାବଳ ବାଘ ମରି ପଡ଼ିଥିବା ଦେଖାଗଲା। କେତୋଟି ଅସମର୍ଥିତ ସୂତ୍ର ଆଧାରରେ ପ୍ରତିଷେଧକ ଟୀକା ଦିଆଯାଇଥିବା ଗୋରୁଗାଈ ଙ୍କୁ ବଣ୍ୟଜନ୍ତୁ ଖାଇଲେ ବିଷକ୍ରିୟାରେ ତାର ମୃତ୍ୟୁ ହୋଇଥାଏ।
ପ୍ରକୃତିର ସନ୍ତୁଳନ ପାଇଁ ଜଙ୍ଗଲ ଓ ବଣ୍ୟଜନ୍ତୁଙ୍କ ବଞ୍ଚିବା ଆବଶ୍ୟକ। ବର୍ତ୍ତମାନ ଜଙ୍ଗଲ ସଂଯୋଗୀକରଣର ଆବଶ୍ୟକତା ରହିଅଛି। କାରଣ ଗୋଟିଏ ଜଙ୍ଗଲ ଭିତରେ ରହିଥିବା ଜୀବଜନ୍ତୁ କ୍ରମେ ବଂଶାନୁକ୍ରମ ବିଲକ୍ଷଣର ଶିକାର ହୋଇ ଆସୁଛନ୍ତି। ଏହି ଅନଧିକାର ଜଙ୍ଗଲ ଗାଁ ମାନ ଜୈବ ବିବିଧତାକୁ ନଷ୍ଟ କରୁଛନ୍ତି। ଏହା ସହ ଜଙ୍ଗଲ ଉପରେ ନିର୍ଭର କରି ରହୁଥିବା ଲୋକଙ୍କ ସହ ଖଣ୍ଡଯୁଦ୍ଧ ମଧ୍ୟ କରୁଥିବା ଦେଖାଯାଏ। ଫଳରେ ଜଙ୍ଗଲ ପାଖଆଖ ଗାଁ ଲୋକେ ନିଜର ଆଜୀବିକା ହରେଇ ସାରିଛନ୍ତି। ଏ ଜବରଦଖଲକାରୀ ଗାଁ ମାନଙ୍କ ସହ ଲଢ଼ିବା ପାଇଁ ସମସ୍ତେ ଭୟ କରନ୍ତି କାରଣ ଏମାନଙ୍କ ପଛରେ ଗୋଟିଏ ବଡ ସଙ୍ଗଠନ କାମ କରେ ବୋଲି ଲୋକଙ୍କ ଧାରଣା ରହିଅଛି। କାରଣ ଏମାନେ ସଙ୍ଗଠିତ ହୋଇ ଦିଲ୍ଲୀରେ ପାର୍ଲ୍ୟାମେଣ୍ଟ ସମ୍ମୁଖରେ ସରକାରଙ୍କ ସହ ଝଗଡ଼ା ଲାଗି ଫେରିଛନ୍ତି। ମାନବାଧିକାର କମିଶନ ଏମାନଙ୍କ ସପକ୍ଷରେ ଯାଏ।
ଏହି ଜବରଦଖଲକାରୀମାନେ ଜୈବ ବିବିଧତା ସହ ଜଙ୍ଗଲ ଅର୍ଥନୀତିକୁ ନଷ୍ଟ କରି ଗୋଟା ଜଙ୍ଗଲକୁ ନିଜ ଭୋଗ ଦଖଲରେ ରଖିଛନ୍ତି।
ତେଣୁ ୧୯୯୦ ପରବର୍ତ୍ତି ସମସ୍ତ ଗାଁକୁ ଖାଲି କରି ପୁନଃ ବିନିକରଣର ଆବଶ୍ୟକତା ରହିଅଛି। କାରଣ ଦେଶର ମୋଟ ଜନସଂଖ୍ୟାର ୦.୧୫ ପ୍ରତିଶତ ପରିବାର ବାସଶୂନ୍ୟ ଅଟନ୍ତି। ସେହିପରି ଓଡ଼ିଶାର ୩୪,୦୬୧ ପରିବାର ବାସଶୂନ୍ୟ ଥିବାବେଳେ ଏମାନେ ସଙ୍ଗଠନ ବଳରେ ହଜାର ହଜାର ଏକର ଜଙ୍ଗଲ ନଷ୍ଟକରି ଗାଁ ବସେଇ ରହୁଛନ୍ତି। ଅପରନ୍ତୁ ସମସ୍ତଙ୍କ ପୈତୃକ ଗାଁମାନ ରହିଅଛି।

Leave a Reply