October 15, 2026 | By Rajib Sagaria | 5 min read | 20 views

ଘରୱାପସି

ମାଟିମା ଗୁଡି

ଗାଁ ଟି କେତେ ପୁରୁଣା ଜେ କେଜାଣି ! ଆମ କାହାଣୀଟି ମୋ ଜାଣିବାରେ ଗୋଟିଏ ଘଟଣାରୁ ଆରମ୍ଭ ହୁଏ। ଗୁସେଇଁ ମହାପ୍ରଭୁ ଗାଁ ବାଟଦେଇ ଯାଉଥାନ୍ତି। ରାସ୍ତାକଡ଼ରେ ବିରାଡିଟିଏ ମରି ପଡିଥାଏ। ମହାପ୍ରଭୁ ଆଜ୍ଞା ଦେଲେ ଶୀଘ୍ର ଏହାକୁ ନେଇ ପୋତିଦିଅ। ଗୁସେଇଁ ନିଜ ଗନ୍ତବ୍ୟକୁ ଗଲେ। ତାଙ୍କର ଆଜ୍ଞା ପାଳନ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା।

କିଛି ସମୟ ପରେ ପରଦେଶୀ ଶ୍ଵେତବସ ପିନ୍ଧା ଜଣେ ନିଜର ଦୁଇ ଚାରିଜଣ ଅନୁଗାମୀଙ୍କ ସହ ପହଞ୍ଚିଲେ। ଅନୁଗାମୀ ପାଖ ଆଖ ଗାଁର କେତେଜଣ। ବିରାଡିର ମୃତଦେହ ପାଖରେ ଅଟକିଲେ। ଶ୍ଵେତବସ୍ତ୍ରର ଲୋକଙ୍କ ଆଦେଶରେ ଅନୁଗାମୀ ଦୁଇଜଣ ଶାବଳ ଆଦି ଯୋଗାଡ କରି ଗାତ ଖୋଳିଲେ। ବୁଝା ଅବୁଝା ଅନେକ କଥା ପ୍ରାର୍ଥନା କଲାପରେ ବିରାଡିକୁ ସମାଧି ଦିଆଗଲା। କାହାଣୀଟି ବହୁତ ପୁରୁଣା। ଆମର କେତେ ପିଢୀ ଆଗର ଲୋକ ଘଟଣା ଦେଖିଥିବେ। ହେତୁ ହେଲାପରେ ଆମେ ଜାଣିଲୁ ବିରାଡିଟି ଗାଁର ପ୍ରଥମ ଖ୍ରୀଷ୍ଟିଆନ ବୋଲି।

ଏବେ ଗାଁରେ ଦୁଇଟି ଖ୍ରୀଷ୍ଟିଆନ ପଡା ଅଛି। ଆମ ଗାଁ ଲୋକ ପଡା ଦୁଇଟିକୁ ବଡଯୀଶୁ ପଡା ଓ ସାନଯୀଶୁ ପଡା ବୋଲି କହୁ। ପଞ୍ଚାୟତ କାଗଜାତରେ ମଧ୍ୟ ଏଭଳି ଲେଖାଯାଏ। ବର୍ଷକ ଅତି ବେଶିରେ ଚାରି ପାଞ୍ଚଟି ମାମଲା ଥାନାକୁ ଯାଏ। ଥାନାରେ ବି ପଡାର ନାମ ଏଭଳି ଲେଖାହଏ।

ଗାଁ ଭାଇ ଧର୍ମ ଗ୍ରହଣ କଲେ ବୋଲି କେବେ ହତାଦର ହୋଇ ନାହାନ୍ତି। ଆମଲୋକ ଧର୍ମକୁ ନିନ୍ଦନ୍ତି ନାହିଁ ବୋଲି କେବଳ ସମ୍ମାନ କରନ୍ତି। କୁମପଟିଆ, ବୈଷ୍ଣବ ଭଳି ଖିରସ୍ଥାନୀ ବି ଗୋଟିଏ ଧର୍ମ। ଏହା ଆଗକୁ କୌଣସି ତର୍କ ରହେ ନାହିଁ।

ନୂଆଲୋକ ଧର୍ମ ନେଉନାହାନ୍ତି କି କେହି ଘରୱାପସି କରୁନାହିଁ। ଗାଁରେ ପଞ୍ଚାୟତ ମୁଖ୍ୟାଳୟ ହେଲା। ପାଞ୍ଚ ପିଢୀ ସରପଞ୍ଚ ଏବେ ଭୋଗ କରୁଛି। ଗାଁର ପ୍ରଥମ ସରପଞ୍ଚ ଅପ୍ରତିଦ୍ଵନ୍ଦୀ ଥିଲେ, ସାନଯୀଶୁ ପଡାରୁ।

ହାଇସ୍କୁଲ ପରେ ଗାଁ ବାହାରକୁ କଲେଜ ପାଠ ପଢିବାକୁ ଯାଆନ୍ତି। ପଚିଶ ତିରିଶରୁ କମ ପୁଅଝୀଅ କଲେଜ ପଢି ଯାଆନ୍ତି ନାହିଁ। ଗାଁ ଗୁଡିରେ, ଚର୍ଚ୍ଚରେ କି ଜଗନ୍ନାଥ ମନ୍ଦିରରେ ସମାନ ଲୋକ ଭିଡ ହୁଅନ୍ତି। ପ୍ରହରୀ ବେଳକୁ ଯୀଶୁ ପଡର ଲୋକ ବି ସହଯୋଗ କରନ୍ତି। କିଏ ଧର୍ମକଥା କି ପ୍ରବଚନ କହିଲେ ସମସ୍ତେ ଶୁଣନ୍ତି। ଏବେ ତ ଛୋଟ ଛୋଟ ରାଜନେତାମାନେ ବି ଧର୍ମକଥା କହୁଛନ୍ତି। ଲୋକେ ତାଙ୍କୁ ବି ଶୁଣନ୍ତି।

ସମୟ ଗଡି ଚାଲୁଥାଏ, ଆଉ ଗୋଟିଏ କାହାଣୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲା। ସାମୁଏଲ ଘରୱାପସି କରିବ। ଲୋକେ ଉଡା ଖବର ଶୁଣିଲେ। ଖବର ସତବୋଲି ପରିବାର ଲୋକ ସ୍ପଷ୍ଟ କଲେ। ସାମୁଏଲର ଘରଓ୍ୱାପସି ପାଇଁ ଖ୍ରୀଷ୍ଟିଆନ ସମାଜ, ଦୁଇ ଯୀଶୁପଡା କି ପରିବାର ଲୋକ ରାଜି ନଥିଲେ।

ଦିନେ ଝଗଡା କରି ସାମୁଏଲ ବାଇକ ଚାବି ବାପାଙ୍କ ପାଖକୁ ଫିଙ୍ଗି ଦେଲା। କଉ ସାଙ୍ଗ ଜଣକୁ ଭଗବାନଙ୍କ ନାମରେ ନୂଆଁ ନୂଆଁ ପରିଚିତ ରାଜନୀତିକ ସମ୍ବୋଧନ କରି ଡାକିଲା ଓ ରାଗରେ ଫଁ ହୋଇ ଗାଁ ଦାଣ୍ଡକୁ ଆସିଲା। ଲୋକେ କିଛି କହିପାରୁ ନଥାନ୍ତି। ତାର ରାଗ ଜରଜର ଚାଲିକୁ ଭକୁଆ ହୋଇ ଦେଖୁଥାନ୍ତି କେବଳ।

ଗାଁର ପ୍ରଥମ ସରପଞ୍ଚ ସାମୁଏଲର ଜେଜେ ଥିଲେ। ଗୋଟିଏ ଭୋଟ ପାଇଁ ବ୍ଲକ ଚ୍ୟାରମେନ ହୋଇ ପାରି ନଥିଲେ। କୋଭିଦ ବେଳେ ତାଙ୍କର ଦେହାନ୍ତ ହେଲା। ବାପା ଚାକିରୀ କରନ୍ତି। ଲୋକେ କେବେ କେବେ କଥା ହୁଅନ୍ତି ସାମୁଏଲ ତାର ଦାଦିର ଗୁଣକୁ ଆଣିଛି!

ସାମୁଏଲ ଗାଁ ବେସମୁଡା ଡେଇଁ ରାସ୍ତାରେ ଚାଲୁଥାଏ। ଅନେକ ବିକଳ ଆଖି ତାକୁ ଦେଖୁଥାଏ। ଆଖିମାନଙ୍କ ଉହାଡକୁ ଯିବା ପୂର୍ବରୁ ଲୋକେ ଦେଖିଲେ ମନ୍ମଥ ଗୁସେଇଁ ପୁରୁଣା ମଡେଲ ବୁଲେଟରେ ଆସୁଛନ୍ତି। ସାମୁଏଲ ହାତଟେକି ଜୁହାର ହେଲା। ମନ୍ମଥ ବାବୁ ଅଟକିଲେ। ପ୍ରଶ୍ନଭରା ଆଖିମାନ ଆଶ୍ୱସ୍ତିରେ ସାମାନ୍ୟ ହୋଇଗଲେ। ମନ୍ମଥ ବାବୁ ଓ ସାମୁଏଲ ରାସ୍ତାର ସେଇଠି ଭେଟ ହେଲେ ଯେଉଁଠି କାହାଣୀ ଆରମ୍ଭର ବିଲେଇଟି ମରି ପଡ଼ିଥିଲା। ଯାହାକୁ ଦେଖି ଗଣାପରା ରେ ଠିଆ ହେଲା ଭଳି ଗୁସେଇଁ ସଙ୍କୁଚି ଯାଇଥିଲେ। ଗୁସେଇଁ ମନ୍ମଥ ବାବୁଙ୍କ ପୂର୍ବଜ ଥିଲେ। ତାଙ୍କ ପରିବାରର ସମ୍ମାନ ଆଜିବି ଉଣା ନୁହେଁ। ମନ୍ମଥ ବାବୁଙ୍କ ବାପା ପ୍ରଥମ ସରପଞ୍ଚଙ୍କ ସହ ସହି ବସିଥିଲେ।

ସାମୁଏଲର ମୁହଁ ଦେଖି ସେ ଅନେକ କଥା ବୁଝିଗଲେ। ଆଦେଶ କଲାଭଳି ଗାଡିରେ ବସିବାକୁ କହିଲେ। ସାମୁଏଲକୁ ନେଇ ପଞ୍ଚାୟତକୁ ଗଲେ। ଦୁଇଜଣ ଦେଇଙ୍କୁ ଆତିଥ୍ୟ ଦେଇ ବିଦା କରୁଥିଲେ ସରପଞ୍ଚ। ମନ୍ମଥଙ୍କୁ ଦେଖି ସରପଞ୍ଚ ଜୁହାର ହେଲେ ଓ ସାମାନ୍ୟ କୌତୁକ କରି କହିଲେ କଣ ସେବା କରିବି ମାହାପୁରୁ କହନ୍ତୁ।

ମନ୍ମଥ ବାବୁ ଚାମ୍ଭୀର ହୋଇ କହିଲେ, ସରପଞ୍ଚ ଆଜ୍ଞା ମୋର ବିନମ୍ର ଅନୁରୋଧ ଆପଣଙ୍କ ଗାଁରେ ଗୋଟିଏ ଅସ୍ବଭବିକ ଘଟଣା ଘଟିବାକୁ ଯାଉଛି। ଯାହା ପରେ ଆମ ପଞ୍ଚାୟତର ନୈତିକ ସମସ୍ୟା ତିଆରି କରିବ। ତେଣୁ ଜରୁରୀ ଗ୍ରାମସଭା ଡାକନ୍ତୁ।

ବ୍ରହ୍ମବାକ୍ୟ ପାଳନ ହେଲା। ଗୋଧୂଳି ପାଖାପାଖି ସଭା ଆରମ୍ଭ ହେଲା। ଏତେବେଳକୁ ଲୋକେ ବୁଝିଲେ ଘରୱାପସି ଗୋଟିଏ ବଡ ଘଟଣା ଅଟେ। ଯାହା ତାଙ୍କ ଗ୍ରାମରେ ଘଟିତ ହେବାକୁ ଯାଉଛି। କିଛି ସମୟ ଫୁସଫାସ ହେବାପରେ ସଭା ଗମ୍ଭୀର ହୋଇଗଲା।

ସଭାରେ ସାମୁଏଲ ସହିତ ସମସ୍ତେ ନିଜ ନିଜର ପକ୍ଷ ରଖିଲେ। ପ୍ରଥମେ ସାମୁଏଲ ଇଂରେଜ ସରକାରଙ୍କ ଅନ୍ୟାୟ ଆଦି କଥା କହି ତାର ପୂର୍ବଜ ଗ୍ରହଣ କରିଥିବା ଧର୍ମ ବିଧିଗତ ନୁହେଁ ଅନ୍ୟାୟ ବୋଲି କହିଲା। ବୟୋଜ୍ୟେଷ୍ଠ ନିଜ ନିଜର ମତ ରଖିଲେ। ସାମୁଏଲ ସାବାଳକ ଥିବାରୁ ଅଧିକାଂଶ ମତ ସାମୁଏଲର ନିର୍ଣ୍ଣୟ ନେବାର ଅଧିକାର କଥା କହିଲେ। ଘରୱାପସି କୁ ଖୋଳା ବିରୋଧ କଲେ ନାହିଁ।

ଦୁଇଜଣ ଯୁବକ ଗୋଟିଏ କାର ରେ ସାମୁଏଲକୁ ନେବାପାଇଁ ଆସିଥିଲେ। ଯାହାଙ୍କୁ ସାମୁଏଲ ସହ ଗାଁର କେତେଜଣ ଭଦ୍ରବ୍ୟକ୍ତି ସମ୍ମାନର ସହ ବିଦାକଲେ ଯେ ଜରୁରୀ ଗାଁ ସଭା ଚାଲିଛି।

ଜେଇଙ୍କୁ ଆତିଥ୍ୟ ଦେଲାବେଳେ ସରପଞ୍ଚ ଗୋଟିଏ କେନ ପିଇ ଦେଇଥାନ୍ତି। ନିଜର ପଦବୀକୁ ଦେଖି ପ୍ରକରଣ ପ୍ରତି ଚିନ୍ତିତ ହେଲାଭଳି ବସିଥାନ୍ତି। ହଠାତ୍ ଠିଆହୋଇ କହିଲେ, ମନ୍ମଥ ଗୁସେଇଁଙ୍କ ଅନୁରୋଧରେ ଗ୍ରାମସଭା ଆୟୋଜିତ ହୋଇଛି, ତେଣୁ ସେ କହନ୍ତୁ!

ମନ୍ମଥ ବାବୁ ଗୋଟିଏ କାହାଣୀ କହିଲେ। ଦିନେ କେବେ ବୁଢା ଜାନୀକୁ ରବିବାର ପ୍ରାର୍ଥନା ସାରି ଫେରିଲା ବେଳେ ପାଷ୍ଟର କଣ କହିଲେ ! ବୁଢାଜାନୀ କଥାଶୁଣି ପ୍ରଚଣ୍ଡ ହୋଇ କହିଲେ, କିଏ ଅଛରେ ! ମୋର ଟାଙ୍ଗୀ ଧରାକର ଆସ।

ଘଟଣା ଥାନାକୁ ଗଲା।

ସେତେବେଳେ ଫାଦ୍ରୀଗୁଡି (ଚର୍ଚ୍ଚ) ହୋଇ ନଥାଏ। ଖ୍ରୀଷ୍ଟିଆନ ଭାଇମାନେ ପରିବାର ସହ ଆସି କ୍ଷମାମାଗିଲେ ବୁଢ଼ାଜାନୀ ଓ ଗାଁ ଭାଇଙ୍କୁ। ଥାନାରେ ବୁଢ଼ାଜାନୀଙ୍କୁ ସର୍ବମାନ୍ୟ ବୋଲି ପାଷ୍ଟର ବିପକ୍ଷରେ ବୟାନ ଦେଲେ। ପାଷ୍ଟରଙ୍କୁ ଗାଁ ମନାକଲେ ତାଙ୍କ ଉପରିସ୍ଥ ଲୋକ। ଗାଁ ପାଖଆଖରେ ଧର୍ମପ୍ରଚାରର ଶେଷ ଘଟଣା ଥିଲା ତାହା। ତା’ ପରେ ସାମୁଏଲର ଘରୱାପସି ଘଟଣା। ତେଣୁ ଏହା ବହୁତ ବଡ ଘଟଣା ଅଟେ।

ସଭା ଆହୁରି ଗମ୍ଭିର ହୋଇଗଲା। ପାଖ ଲୋକର ନିଶ୍ୱାସ ବି ସ୍ପଷ୍ଟ ଶୁଣାଗଲା।

ମନ୍ମଥ ବାବୁ ଆଗକୁ କହିଲେ। ପ୍ରଥମେ ପାଞ୍ଚଟି ପରିବାର ଖ୍ରୀଷ୍ଟିଆନ ଧର୍ମ ନେବା ଆଗରୁ ପଞ୍ଚ ବସେଇ ଆଦେଶ ମାଗିଥିଲେ। ଲୋକେ ହରିବୋଲ ଡାକ ଦେଲାପରେ ସେମାନେ ଖ୍ରୀଷ୍ଟିଆନ ହେଲେ।

ମୁଁ ବ୍ରାହ୍ମଣ ପିଲା। ପାଇଁତା ପଛର କଥା କପଡା ସଂଖୋଳିବା ପୂର୍ବରୁ ଆମେ ଧର୍ମର ପାଠ ପଢୁ। ବାବୁ ସାମୁଏଲ ପିତା ମାତା ଓ ବଂଶର ଆଶୀର୍ବାଦ ବିନା ଧର୍ମ ଫଳବତୀ ନୁହେଁ। ସାତ ଆଠ ପୁରୁଷା ତମର ଖ୍ରୀଷ୍ଟିଆନ ହେଲେ ଲୋକଙ୍କୁତ ଅସୁବିଧା ହୋଇନାହିଁ। ତୋର ଜେଜେଙ୍କୁ ଗାଁର ପ୍ରଥମ ସରପଞ୍ଚର ସମ୍ମାନ ଦେଇଛନ୍ତି। ତାହାବି ଅନକଣ୍ଟେଷ୍ଟ ! ତୋର ଘରୱାପସିର ଆବଶ୍ୟକତା କଉଠି ପଡିଲା ?

କଉ ଘରକୁ ଫେରିବୁ ?

ସାମୁଏଲ ଘରକୁ ଫେରିଲା। ଗାଁ ଲୋକ ମନ୍ମଥ ବାବୁଙ୍କୁ ଧନ୍ୟ କଲେ କିଛି ଭ୍ରଷ୍ଟ ବ୍ରାହ୍ମଣବି କହିଲେ।

ଚଳନ୍ତି ଛାତ୍ରସଂସଦ ନିର୍ବାଚନରେ ସାମୁଏଲ ସଭାପତି ଜିତିଲା।

ଲୋକେ କଥା ହେଉଛନ୍ତି ସାମୁଏଲ ବ୍ଲକ ଚ୍ୟାରମେନ ହେଲେ ଭଲ ହେବ।

ଫଟୋ ସୌଜନ୍ୟ: ଗୁଗୁଲ

0 Comments