September 2, 2026 | By Rajib Sagaria | 17 min read | 39 views

ସୁଲହ କୁଠି

ସୁନାଦେଈ ମା, ନୂଆପଡା

ମାନବ ସଭ୍ୟତାର ଇତିହାସରେ ପ୍ରାମାଣିକ ଭାବେ ପ୍ରସ୍ତର ଯୁଗୀୟ ଦାର୍ଶନିକ ବିଭବ ଆମ ସମ୍ମୁଖରେ ରହିଅଛି। ପ୍ରସ୍ତର ଯୁଗୀୟ ଅବଶେଷ, ପ୍ରାଚୀନ ଗୁମ୍ଫା ଚିତ୍ର ଆଦିକୁ ଦେଖିଲେ ମଣିଷ, କୃଷି, ପ୍ରକୃତି, ପଶୁପକ୍ଷୀ, ଇତର ପ୍ରାଣୀ ସହ ସମ୍ପର୍କ ଆଦି ସୂଚନା ମିଳିଥାଏ।

ମୁଖ୍ୟତଃ ଏହି ଚିତ୍ରମାନଙ୍କର ସାଙ୍କେତିକ ଅର୍ଥ ହୃଦ୍‌ବୋଧ ହୋଇଥାଏ। କିନ୍ତୁ ଏହାକୁ ଏକ ସୂତ୍ରରେ ଧରିବା ସେତେବେଳେ ସମ୍ଭବ ହେଲା, ଯେତେବେଳେ ଅଜିତ କୁମାର ଭୋଇ ଏବଂ ଶାଳଗ୍ରାମ ହୋତାଙ୍କ ଅଧ୍ୟୟନ ଉପରେ ଆନୁଷ୍ଠାନିକ ଆଲୋଚନାରେ ଗୋଟିଏ ଶୃଙ୍ଖଳ ପାଇଥିଲି।

ଗୁମ୍ଫା ଚିତ୍ର ଓ ପ୍ରସ୍ତର ଯୁଗୀୟ ଭାସ୍କର୍ଯ୍ୟମାନେ ଜୀବନ୍ତ ହୋଇଉଠନ୍ତି। ପ୍ରତି ଗୁମ୍ଫାରେ ରୋଚକ ଉପନ୍ୟାସ ଲେଖାହୋଇଛି ଯେମିତି। ଆଜି ପର୍ଯ୍ୟନ୍ତ ଅସଂଖ୍ୟ ଅଧ୍ୟୟନ ଓ ଦସ୍ତାବିଜ ରହିଅଛି। ନିଶ୍ଚିତ ସମସ୍ତେ ସମ୍ମାନର ଯୋଗ୍ୟ, ନିଜର ସାଧନାର ଫଳସ୍ୱରୂପ ଗୋଟିଏ ଗୋଟିଏ ଦସ୍ତାବିଜ ଦେଇଛନ୍ତି ଆମକୁ। ଅଜିତ କୁମାର ଭୋଇ ଗୁମ୍ଫା ଚିତ୍ରକୁ ‘ପିଦର’ ବୋଲି କହନ୍ତି। ଶାଳଗ୍ରାମ ହୋତା ପ୍ରସ୍ତର ଯୁଗୀୟ ଆକୃତି ଆଦିର ଦାର୍ଶନିକ ବ୍ୟାଖ୍ୟାନ ଦେଇଥାନ୍ତି, ଯାହା ପିଦର ପରମ୍ପରାକୁ ସମର୍ଥନ କରିଥାଏ।

ଗୁମ୍ଫା ଚିତ୍ର ପରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିତ୍ର ଦେଖାଯାଏ। ଅନେକ ଅଧ୍ୟୟନ ଏହି ଚିତ୍ରର ପ୍ରାଚୀନତାକୁ ସ୍ୱୀକୃତି ଦେଇଥାଏ। ଏହି ଚିତ୍ର ହେଉଛି ଡାଲଖାଇ କୁଠିର ଅଙ୍କାଯାଇଥିବା ଚିତ୍ର; ଯାହାକୁ ୧୬ ସଂଖ୍ୟକ କୋଠରୀରେ ରଖାଯାଏ, ତେଣୁ ‘ସୁଲହ କୁଠି’ ଭାବରେ ଲୌକିକ ପରିଚିତି ପାଇଥାଏ। ପାରମ୍ପରିକ ଭାବରେ ଏହାକୁ ଡାଲଖାଇ କୁଠି କୁହାଯାଇଥାଏ।

ରାଣୀପୁର ଝରିଆଲ

ମୁଖ୍ୟତଃ ପ୍ରାଚୀନ ଗୋଣ୍ଡୱାନା ଭୂମିର ମୌଳିକ ସଂସ୍କୃତି ନିଜର ପୂର୍ବଜମାନଙ୍କୁ ସଙ୍ଗରେ ନେଇ ପରିବାର ତିଆରି କରିଥାଏ। ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ନିଜର ପୂର୍ବଜଙ୍କ ସୁଖ-ଦୁଃଖ ବି ବୁଝିଥାଏ। ଏହା କେବଳ ସୂଚନା ମାତ୍ର, କୌଣସି ତାର୍କିକ ପ୍ରସଙ୍ଗ ଭାବରେ ଉପସ୍ଥାପନ କରାଯାଉ ନାହିଁ।

କୃଷି ସଭ୍ୟତା ଆସିଲା ପରେ ଗୋଷ୍ଠୀ ପରିବାରର ରୂପ ନେଲା। ପରିବାରରେ ପିଦର ପରମ୍ପରା, ପିଦର ଗୁମ୍ଫାରୁ ଘରକୁ ଆସିଲା। ପିଦରରେ କୌଳ ଦେବାଦେବୀଙ୍କ ସହ ପରିବାରର ପୂର୍ବଜ ସମସ୍ତେ ରହନ୍ତି। ପରିବାରର ଆବଶ୍ୟକତା ପୂରା କରିବା ପାଇଁ ପୂର୍ବଜ ପୁଣିଥରେ ଜନ୍ମ ନିଅନ୍ତି।

ସ୍ୱଦେହରେ ପରିବାର ଓ ବିଦେହରେ ପିଦର, ଏ ଦୁଇଟି ହିଁ ମଣିଷର ବାସସ୍ଥାନ। କର୍ମ ହିଁ ସର୍ବୋପରି। ଅତି କମ୍ ପରିବାର ପାଇଁ, ପରିବାର ସମୂହ ପାଇଁ, ଏହା ହିଁ ଆଦିବାସୀ ମୂଳ ଧର୍ମର ଲୋକାଚାର ବ୍ୟାଖ୍ୟା।

ଆଦିବାସୀ ସଂସ୍କୃତିରେ ଚିତ୍ର ପ୍ରମୁଖ ସ୍ଥାନ ପାଇଥାଏ। ହୁଏତ ହୋଇପାରେ ମଣିଷର ପ୍ରଥମ ପ୍ରବାସର ସମୟ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ଆଦି ସେହି ପରିବେଶରେ କିଭଳି ବଞ୍ଚୁଛନ୍ତି, ଏହାର ଉତ୍ତର ଖୋଜୁ ଖୋଜୁ ଉପରୋକ୍ତ କେହିଜଣ ତାଙ୍କର ମାର୍ଗଦର୍ଶକ ହୋଇଯାନ୍ତି। କାଳକ୍ରମେ ସେମାନେ ପୂର୍ବଜଙ୍କ ସମେତ ବଂଶର ପ୍ରତୀକ ଦେବତା ହୋଇଯାଆନ୍ତି, ଯେଉଁମାନେ ପ୍ରାଚୀନ ଗୁମ୍ଫା ଚିତ୍ର ଓ ପ୍ରସ୍ତର କୃତି ମଧ୍ୟରେ ଦେଖାଯାନ୍ତି।

କୋଟ ଅର୍ଥାତ୍ ରାଜ୍ୟ। ଅଜିତ କୁମାର ଭୋଇଙ୍କ ଅନୁସାରେ ଗୋଣ୍ଡୱାନା ୩୩ କୋଟ ଥିଲା। ସେହିପରି କନ୍ଧିସ୍ଥାନ ୩୨ କନ୍ଧ ଦେଶର ଏକକ ଥିଲା। ଏହି ୩୨ ପାଟକରେ ଆଠ ବହନୀ ଏବଂ ଆଠ ପ୍ରକୃତିର ଶକ୍ତିଙ୍କୁ ପୂଜା କରନ୍ତି, ଅର୍ଥାତ୍ ୧୬ କୁଠି ବା ୧୬ କୋଟର ପ୍ରମୁଖ ଦେବୀ ।  ଭାରତୀୟ ସଂସ୍କୃତିରେ ୧୬ ସଂଖ୍ୟା ଗୋଟିଏ ଏକକର ମାନ୍ୟତା ପାଇଥାଏ।

୧୬ କୁଠି ଭଳି ୧୬ କଳା, ୧୬ ଘଡ଼ି, ୧୬ ଅଣା ଆଦି। ୧୬ ସଂଖ୍ୟା ଗୋଟିଏ ଆବର୍ତ୍ତ। ମୁଖ୍ୟତଃ ଡାଲଖାଇ ପାଳିତ ଅଞ୍ଚଳରେ ମଧ୍ୟ ୧୬ ସଂଖ୍ୟା ଗୋଟିଏ ଗୁରୁତ୍ତ୍ୱ ରଖେ।ସୁଲହ କଳା, ସୁଲହ କାଠି, ସୁଲହ ଅଣା, ସୁଲହ ପୂଜା ଆଦି; ୧୬ ସଂଖ୍ୟା ଗୋଟିଏ ଏକକ। ସୁଲହ କୁଠିରେ ଆଠ ଦେବୀ ଏବଂ ଆଠ ପ୍ରକୃତି ଦେବୀଙ୍କ ସମାଗମ ଦେଖାଏ, ଅର୍ଥାତ ମାନବୀୟ ସଂସ୍କୃତି ଏବଂ ପ୍ରକୃତି ପରସ୍ପରର ସନ୍ତୁଳିତ ପ୍ରଦର୍ଶନ। ଆଠ ଯୋଗ ଆଠ+ଆଠ (୮ + ୮ = ୧୬ କୁଠି)।

ତନ୍ତ୍ର ପରମ୍ପରାରେ ପାଖାପାଖି ଜ୍ୟାମିତିକ ଚିତ୍ରରେ ଅଙ୍କିତ ଚିତ୍ରକୁ ଯନ୍ତ୍ର କୁହାଯାଏ, ଯାହା ପ୍ରାକୃତିକ ରଙ୍ଗ ଅଥବା ଚାଉଳ ଦ୍ୱାରା ଅଙ୍କା ଯାଇଥାଏ। ସୁଲହ କୁଠି ମଧ୍ୟ ତଦ୍ରୂପ ଚିତ୍ର, ଯାହା କାନ୍ଥରେ ଅଙ୍କାଯାଏ। ଗୋଟିଏ ଆୟତାକାର କ୍ଷେତ୍ର, ଯାହାକୁ ତଳ-ଉପର ଆଠ-ଆଠ କୋଠରୀ ଅଙ୍କାଯାଏ। ପ୍ରତି କୋଠରୀରେ ଜଣେ ଜଣେ ଶକ୍ତିଙ୍କ ଅବସ୍ଥାନ ରହେ।

କୁଠି ଅର୍ଥ କୁଟୀର, କୁଡ଼ିଆ, କୋଠା ଭାବରେ ସାଧାରଣତଃ ବୁଝାଯାଏ। ଏହାର ପ୍ରକୃତ ଅର୍ଥ ହେଲା ସହାବସ୍ଥାନ ସ୍ଥଳ, ସମାଗମ ସ୍ଥଳୀ ଯାହା ଉଭୟ ସ୍ଥାୟୀ ଓ ସାମୟିକ ଉଭୟ ଅବସ୍ଥାକୁ ବୁଝାଏ। ଏପରିକି ନିୟମିତ ସଭା ହେଉଥିବା ସ୍ଥାନକୁ ମଧ୍ୟ କୁଠି କୁହାଯାଏ। ମୁଖ୍ୟତଃ ଦେବତାଙ୍କ ଉପସ୍ଥିତି ରହୁଥିବା ସ୍ଥାନ କୁଠି ବୋଲି କୁହାଯାଇଥାଏ। ତେଣୁ ଡାଲଖାଇ କୁଠିରେ ଅଙ୍କିତ ଚିତ୍ରକୁ ସୁଲହ କୁଠି କୁହାଯାଏ। ୧୬ ସଂଖ୍ୟା ଏହାର ନାମକରଣର ମୁଖ୍ୟ। ୧୬ ଗୋଟି କୋଠରୀ ରହିଥାଏ।

ଡାଲଖାଇ କୁଠି ବା ସୁଲହ କୁଠିରେ କେଉଁମାନଙ୍କ ଉପସ୍ଥିତି ରହେ, ଏ ବିଷୟରେ ଆଲୋଚନା ହେବା ଆବଶ୍ୟକ। କାରଣ ସୁଲହ କୁଠି ଏକ ସାଂସ୍କୃତିକ ପ୍ରତୀକ ଅଟେ। ସୁଲହ କୁଠିରେ ଆଠଟି କୋଣ ଏବଂ ଚାରୋଟି ଦ୍ୱାରକୁ ମାନ୍ୟତା ଦିଆଯାଏ; ଯେଉଁଠି ଆଠ ଜଣ ଜଖେନ ଏବଂ ଚାରି ପ୍ରକାର ଦେବୀ; ଯୋଗିନୀ, କାସିନୀ, ଡାକିନୀ ଏବଂ ଶାକିନୀ ରହିଥାନ୍ତି। କନ୍ଧ ପରମ୍ପରାରେ ସୁଲହ କୁଠିରେ କୋଟ ଦେବତା, ପାଟ ଦେବତା, ଗଡ଼ ଦେବତା ଓ ନାର ଦେବତା ବା ଗ୍ରାମ ଦେବତା ସ୍ଥାନ ପାଇଥାନ୍ତି, ଯେଉଁମାନେ ଜଖେନ ସମେତ ଅନ୍ୟ ଚାରି ପ୍ରକାର ଦେବୀ ଶ୍ରେଣୀରେ ଆସିଥାନ୍ତି।

କୃଷି କର୍ମଣରେ ନିଜର ସଭ୍ୟତା ଆରମ୍ଭ କଲା ପରେ ବିଭିନ୍ନ ଗୋଷ୍ଠୀଙ୍କୁ ସହାବସ୍ଥାନ ସୁଯୋଗ ଦେଲା। ଏହା ପରେ ଜନପଦ ତିଆରି ହେଲା। କୃଷି ଭୂମି ଓ ଜନପଦ ପାଇଁ ଯେକୌଣସି ଭୂମିକୁ ମଣିଷ ଅଧିଗ୍ରହଣ କରୁଥିଲା ଏହା ନୁହେଁ, ଭୂମି ଉପରେ ଅଧ୍ୟୟନ କରୁଥିଲା ଏହି ଅଧ୍ୟୟନ ଏତେ ସ୍ୱତନ୍ତ୍ର ଥାଏ ଯେ ଭାବନାତ୍ମକ ଦୃଷ୍ଟିରେ ମାଟି ମଣିଷକୁ ଚୟନ କରି ସ୍ଥାନ ଦିଏ ଯେମିତି।

ମୁଖ୍ୟତଃ ମଣିଷ ସ୍ୱାସ୍ଥ୍ୟ ଅନୁକୂଳ ହେବା ସହ ଜଳାଗମନର ସୁବିଧା ରହିବା ଆବଶ୍ୟକ। ସେହି ନୂତନ ଅଞ୍ଚଳ ବା ମାଟିରେ କେଉଁ ଶକ୍ତିର ପ୍ରଭାବ ରହିଛି, ସେହି ଶକ୍ତିର ପ୍ରତିନିଧିତ୍ୱ କେଉଁ ଦେବୀ କରିଥାନ୍ତି, ସେ ଯୋଗିନୀ, କାସିନୀ, ଡାକିନୀ କି ଶାକିନୀ ଅଟନ୍ତି। ସେ ହୁଅନ୍ତି ଗ୍ରାମଦେବୀ ବା ନାର ଦେବତା।

କନ୍ଧାନ ଅଞ୍ଚଳ ୩୨ ପାଟକ। ପାଟକ ଗ୍ରାମ, ଦେଶ, କୋଟରେ ଏକକ ହୋଇଥାଏ। ଯେମିତି ପାଖାପାଖି ୮୪ ଗ୍ରାମର ସମାହାର – ଗୋଟିଏ ଦେଶ, ଏକରୁ ଅଧିକ ଦେଶ – ଗଡ଼, ଏକାଧିକ ଗଡ଼ କୋଟ ତିଆରି କରନ୍ତି।

ଗ୍ରାମଦେବୀଙ୍କ ଠାରୁ ପାଟଦେବୀ ପର୍ଯ୍ୟନ୍ତ ୧୬ ପୂଜାରେ ଆଧାରିତ ହୋଇଥାନ୍ତି। ଯେମିତି ସୂର୍ଯ୍ୟ ଉଦୟ ହେବାର କ୍ରମ ସହ ପୂଜାର ସମାନ୍ତରତା ରହେ, ଶକ୍ତିକୁ ଜାଗରଣ କରି ମଣିଷ କାଳସୀ ମାଧ୍ୟମରେ ଶକ୍ତି ସହ ସମ୍ପର୍କ ସ୍ଥାପନ କରେ। ସୁଖ, ଦୁଃଖ, ଭାବ, ଅଭାବର କଥା କୁହେ, କଥା ହୁଏ।

ଏହି ପୂଜାସ୍ଥଳୀମାନଙ୍କରେ ୧୬ ପ୍ରତୀକ ରଖାଯାଏ, ଯାହା ମୁଠାରେ ଚାଉଳ ଧରି ୧୬ ପୁଞ୍ଜ ହେଉ ଅବା ଦୀପ ହେଉ ରଖାଯାଇଥାଏ। ଏହି ଦେବୀ ପୂଜାରେ ଗଣାବଜା ହେଉଛି ମୁଖ୍ୟ। ଗଣାବଜା ପ୍ରତିଟି ଅବସର ପାଇଁ ଭିନ୍ନ ପାରରେ ବଜାଯାଇଥାଏ।

ଡାଲଖାଇ ପାଇଁ ସମବେତ ହେଉଥିବା ସ୍ଥଳ ବା କୁଠିରେ ସୁଲହ କୁଠି ଅଙ୍କନ କରାଯାଏ। ଦେବୀ ପୂଜାରେ ୧୬ ପ୍ରତୀକ ତୁଲ୍ୟ ଚିତ୍ର ଅଟେ। ମୁଖ୍ୟ ଦେବୀ ଭୂଦେବୀ, ତା’ପରେ କୋଟ, ଗଡ଼, ଦେଶ ଓ ଗ୍ରାମଦେବୀ। ଏହାପରେ କୌଳ ଦେବୀଙ୍କ ସ୍ଥାନ ରହିଥାଏ, ଯେଉଁମାନେ କାଠ, ପଶୁ, ପକ୍ଷୀ, ସରୀସୃପ ଅବା ମାନବ ଆକୃତି ହୋଇଥାନ୍ତି।

୧୬ କୁଠିରେ ଏଭଳି କ୍ରମରେ ଚିତ୍ର ରଖାଯାଏ, ଯାହା ଅଞ୍ଚଳର ଗ୍ରାମ, ଦେଶ, ଗଡ଼, କୋଟ, ରାଇଜର ପ୍ରତୀକାତ୍ମକ ଇତିହାସ ହୋଇଥାଏ। ଏହା ହିଁ କୁଠି ଚିତ୍ରର ଆଧାର। ଏଥିପାଇଁ ସୁଲ୍ହ କୁଠି ମୁଖ୍ୟତଃ ଚାରି ଭାଗରେ ପ୍ରତି ଏକକ ପାଇଁ ଗୋଟିଏ ପ୍ରକାର କୁଠି – ଗ୍ରାମ, ଦେଶ, ଗଡ଼ ଓ କୋଟ। ପ୍ରତି ସୁଲହ କୁଠିର ଚିତ୍ର ଭିନ୍ନ ଭିନ୍ନ ହୋଇଥାଏ। ଭିନ୍ନ ରହିବାର କାରଣ ହେଲା ସୁଲ୍ହ କୁଠି ଆଙ୍କିତ ସୂତ୍ର ଆଧାରରେ ହୋଇଥା। କୁଠିରେ ଯୋଗିନୀ ବା କୌଳ ଦେବୀଙ୍କ ସଂଖ୍ୟା ବଦଳିବା ଦେଖାଯାଏ।

ଡାଲଖାଇ ବ୍ୟତୀତ କର୍ମା ପୂଜାରେ ମଧ୍ୟ ସୁଲହ କୁଠି ଅଙ୍କନର ପରମ୍ପରା ରହିଛି। ଏହି ଆଧାରକୁ ନେଲେ ସୁଲହ କୁଠି ଦୈବୀକ୍ଷେତ୍ର ବା ରାଜନୀତିକ ଏକକର ମୂଳପୀଠ, ସମ୍ପ୍ରଦାୟ ଓ ସାମୁହିକ ମାନ୍ୟତା କ୍ଷେତ୍ରରେ ଆଙ୍କିତ ହୋଇଥାଏ। ସୁତରାଂ ସୁଲହ କୁଠି ରାଜନୈତିକ, ସାମୂହିକ, ସାମ୍ପ୍ରଦାୟିକ ଏକକ ତିଆରି କରେ ଅବଚେତନରେ। ଶାସନ ଓ ସଂସ୍କୃତି ଏକାକାର ମାନ୍ୟତା ପାଆନ୍ତି। ଏହି ଏକକ ସେ ସମୟର ସାମ୍ବିଧାନିକ ସ୍ୱୀକୃତି ପାଇଥିଲା। ଏହି ଏକକ  ସେହି ସମୟର ସାମ୍ବିଧାନିକ ସ୍ୱୀକୃତି ପାଇଥିଲା। ସୁଲହ କୁଠି ଅଞ୍ଚଳ ଭିତ୍ତିରେ ଭିନ୍ନ ହୋଇଥିଲେ ମଧ୍ୟ ସାଂସ୍କୃତିକ ଏକକର ବାର୍ତ୍ତା ବହନ କରିଥାଏ।

ସୁଲହ କୁଠିରେ ଯୋଗିନୀ ଉପସ୍ଥାପିତ ହୁଅନ୍ତି। କୌଳ ଦେବୀ ଯୋଗିନୀ ଅଟନ୍ତି। ଯୋଗିନୀ ମଣିଷ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ଅଟନ୍ତି। ତେଣୁ ସୁଲହ କୁଠିରେ ପ୍ରାୟ ଏହି ଚିତ୍ର ଦେଖାଯାଏ। ସୁଲହ କୁଠିରେ ଶକ୍ତିମାନଙ୍କ ଚିତ୍ର ଆଠ-ଆଠ ସଂଖ୍ୟାରେ ଦୁଇ ପଙକ୍ତିରେ ରହିଥାଏ। ଏହାର ଆଠ କୋଣ ଓ ଚାରି ଦିଗକୁ ଗୁରୁତ୍ତ୍ୱ ଦେଉଥିବା ହେତୁ ସୁଲହ କୁଠି ମଣ୍ଡଳ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ। ଯାହାର ନିୟନ୍ତ୍ରକ ଅଥବା ବ୍ୟବସ୍ଥାପକ ସ୍ଥାନୀୟ ମାନ୍ୟତା ଓ ଭାଷାରେ ଭୈରୋ; ବୁଦ୍ଧ ଓ ଆର୍ଯ୍ୟ ସଂସ୍କୃତିରେ ଭୈରବ ରହିଥାନ୍ତି।

ସୁଲହ କୁଠି ମଣ୍ଡଳ ଅନୁରୂପ ଡାଲଖାଇ ନାଚିଲା ବେଳେ ମହିଳାମାନେ ଢୁଲିଆଙ୍କୁ ଘେରି ମଣ୍ଡଳାକାରରେ ନାଚିଥାନ୍ତି। ଯୋଗିନୀ ମନ୍ଦିରର ଭାସ୍କର୍ଯ୍ୟ ମଧ୍ୟ ବର୍ତ୍ତୁଳାକାର ଅଟେ। ଖୋଲା ଛାତ, ଗୋଲାକାର କାନ୍ଥ ଓ କାନ୍ଥଗାତ୍ରରେ ୬୪ ଜଣ ଯୋଗିନୀ ଅବସ୍ଥାପିତ ହୁଅନ୍ତି। ମନ୍ଦିର କେନ୍ଦ୍ରରେ ଭୈରବ ରହିଥାନ୍ତି।

୧୬ ସଂଖ୍ୟା ଗୋଟିଏ ଏକକ, ୬୪ ସଂଖ୍ୟା ମଧ୍ୟ ଏକକ ଅଟେ। ୧୬ କୁଠି ୬୪ ଯୋଗିନୀ ହେବାର ବିବର୍ତ୍ତନ ଉପରେ ବିଶେଷ ଅଧ୍ୟୟନ ହୋଇପାରି ନାହିଁ। ୧୬ ଏକକର ପରିବର୍ଦ୍ଧିତ ଏକକ ୬୪ ସଂଖ୍ୟା ହେବାର ଅନେକ ଉଦାହରଣ ରହିଛି। ଯେମିତି ୧୬ କଳା – କଳା ଅର୍ଥ ଅଂଶ, ଶକ୍ତି, କ୍ଷମତା, ପ୍ରକାରର ରୂପ। ୧୬ ଗୋଟି ପୂର୍ଣ୍ଣଶକ୍ତିର ପରିପ୍ରକାଶ ଅର୍ଥରେ ବୁଝାଏ। ୧୬ କଳାରେ ମଣିଷ ଅର୍ଜନ କରିପାରୁଥିବା ଶିକ୍ଷା, ଦକ୍ଷତା ଓ ସୃଜନୀ କୌଶଳର ସମାହାର। ଏହି ସମାନ୍ତର ଅର୍ଥରେ ହୁଏତ ୧୬ କୁଠି ଓ ୬୪ ଯୋଗିନୀ ବ୍ୟାଖ୍ୟା କରାଯାଇପାରେ।

ବାତ୍ସାୟନ ୬୪ କଳାର ଉଲ୍ଲେଖ କରିଛନ୍ତି। ଅନେକ ବିଜ୍ଞଙ୍କ ଉଲ୍ଲେଖରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ୧୬ କୁଠିକୁ ସମ୍ପୂର୍ଣ୍ଣତାର ୧୬ ଅଂଶ ଓ ୬୪ ଯୋଗିନୀ ୧୬ ଶକ୍ତିଙ୍କ ବହୁମୁଖୀ କଳା, ଜ୍ଞାନ ଓ ଦକ୍ଷତାର ପରିପ୍ରକାଶ ହୋଇପାରେ। ଯୋଗିନୀ ତତ୍ତ୍ୱରେ ଏହାର ଅଭ୍ୟାସ ମଧ୍ୟ ମିଳିଥାଏ। ୬୪ ଯୋଗିନୀର ଅବଧାରଣା ବୌଦ୍ଧ ଏବଂ ହିନ୍ଦୁ ତନ୍ତ୍ରରେ ଦେଖାଯାଇଥାଏ। ଏହାର ଆଦି ରୂପ ରାଣୀପୁର ଝରିଆଲ୍ ୬୪ ଯୋଗିନୀ ମନ୍ଦିରରେ ଦେଖାଯାଏ। ରାଣୀପୁର ଝରିଆଲ ୬୪ ଯୋଗିନୀ ମନ୍ଦିର ଗାତ୍ରରେ ପଶୁ, ପକ୍ଷୀ ଓ ସରୀସୃପ ମୁଣ୍ଡ ଓ ମାନବ ଶରୀରଧାରୀ ଯୋଗିନୀ ବିଗ୍ରହମାନ ରହିଛନ୍ତି, ଯାହା କୌଳ ଦେବୀଙ୍କ ମୂଳ ସ୍ୱରୂପକୁ ପ୍ରଦର୍ଶିତ କରିଥାଏ। ରାଣୀପୁର ଝରିଆଲ ୬୪ ଯୋଗିନୀ ମନ୍ଦିରକୁ ଆଦି ବା ପ୍ରଥମ ଯୋଗିନୀ ମନ୍ଦିର ଭାବରେ ଗ୍ରହଣ କରାଯାଏ।

ଏହାର ଐତିହାସିକ ତଥ୍ୟ ଦେବାକୁ ଯାଇ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହଦେଓ କହନ୍ତି – ମତ୍ତମୟୂର ଶୈବ ପରମ୍ପରାର ଶେଷ ଗୁରୁ ଗଗନ ଶିବ ଦ୍ୱିତୀୟ ଜୀବନ ଦର୍ଶନର ପୂର୍ଣ୍ଣତା ପାଇଁ ଯୋଗିନୀ ପରମ୍ପରାକୁ ସ୍ୱୀକାର କରିଥିଲେ। ମତ୍ତମୟୂର ଶୈବ ପରମ୍ପରା ବିକ୍ଷିପ୍ତ ହେଲା ପରେ ଯୋଗିନୀ ପରମ୍ପରା ସର୍ବଭାରତୀୟ ସ୍ତରରେ ଏକ ଆନ୍ଦୋଳନର ରୂପ ନେଇଥିଲା, ଯାହା ରାଣୀପୁର ଝରିଆଲରୁ ସୋମବଂଶୀ ଶାସନ କାଳରେ ଆରମ୍ଭ ହୋଇ ଅନ୍ୟତ୍ର ଗ୍ରହଣୀୟ ହୋଇଥିଲା।

ସୁଲହ କୁଠି ୬୪ ଯୋଗିନୀ ପରମ୍ପରାର ମୂଳ ଅଟେ, ଉଭୟ ଚିତ୍ର ଓ ଚରିତ୍ରରେ। ସୁଲହ କୁଠି ଅଙ୍କନ ସୂତ୍ର ସ୍ଥାନ ବିଶେଷରେ ଭିନ୍ନ ହୋଇଥାଏ। ପ୍ରାଚୀନ କୁଠି ଅଙ୍କନ ସମୟ ଓ ଦର୍ଶନ ମଧ୍ୟରେ ଗାଣିତିକ ତାଳ ପାଳନ କରିଥାଏ। ଏହା ସର୍ବଦା ଗୁପ୍ତ ବିଧି ଅଟେ, ଯାହା ଚିତ୍ର ମାଧ୍ୟମରେ ଅଞ୍ଚଳର ପରିବେଶ ଓ ଆଚାର ମିଶି ମହାଶକ୍ତିକୁ ପ୍ରତିଫଳିତ କରିଥାଏ। କୁଠି ପୂଜା, ଡାଲଖାଇ, ଭାଇଜିଉନ୍ତିଆ ଆଦି ବିଭିନ୍ନ ନାମ ଗୋଟିଏ ଅନୁଷ୍ଠାନର ବିଭିନ୍ନ ନାମ ହୋଇଥାଏ। ବର୍ତ୍ତମାନ କୁଠି ପୂଜା ସ୍ଥାନରେ ଦୁର୍ଗା ପୂଜା କରାଯାଉଛି, ଏହାର ଐତିହାସିକ କାରଣ ରହିଅଛି।

ଡକ୍ଟର ଫଣୀନ୍ଦମ ଦେଓଙ୍କ ମତରେ – କନ୍ଧାନ ରାଜ୍ୟରେ ବହିରାଗତ ମଧ୍ୟ ବସବାସ କରିପାରୁଥିଲେ, ଯଦି ସେ ଅଞ୍ଚଳରେ ସଂସ୍କୃତିକୁ ଆପଣେଇ ପାରିଲା। ଚୌହାନ ବଂଶର ରମାଇ ଦେଓ ଆଠ ମଲ୍ଲିକଙ୍କ ମଧ୍ୟରୁ ସାତ ଜଣ ମଲ୍ଲିକଙ୍କୁ ହତ୍ୟା କରି ପାଟଣା ରାଜ୍ୟ ସ୍ଥାପନ କରିଥିଲେ। ଅଷ୍ଟମ ମଲ୍ଲିକ ଚକ୍ରଧର ପାଣିଗ୍ରାହୀ ରମାଇ ଦେଓଙ୍କୁ ଆଶ୍ରୟ ଦେଇଥିବା ହେତୁ ତାଙ୍କୁ ଛାଡ଼ି ଦେଇଥିଲେ।

ଶଙ୍କରାଚାର୍ଯ୍ୟଙ୍କ ଦିକବିଜୟ ଅଭିଯାନରେ ବୁଦ୍ଧଙ୍କ ବିପକ୍ଷରେ ହିନ୍ଦୁ ଧର୍ମ ପୁରୋଧା ବ୍ରାହ୍ମଣଙ୍କ ବର୍ଚ୍ଚସ୍ୱ ବଢ଼ିଥିଲା। ରାଜଦେବୀ ବା ଗଡ଼ଦେବୀଙ୍କ ପୂଜାରେ ବ୍ରାହ୍ମଣ ପୁରୋଧା ରହିଲେ, ଗଡ଼ଦେବୀ ରାଜଦେବୀଙ୍କ ମାନ୍ୟତା ପାଇଲେ। ସୁଲହ କୁଠିରେ ଗଡ଼ଦେବୀ ପ୍ରମୁଖ ରହନ୍ତି, ଏହା ଅବଧାରିତ। ରାଜଦେବୀ ବା ଗଡ଼ଦେବୀ କେତେକ ସ୍ଥାନରେ ମୂଳଦେବୀ ନ ହୋଇ ଶାସକ ବଂଶର ଦେବୀ ହେଲେ। କୁଠିକୁ ଏହା ହିଁ ବାହ୍ୟ ଧର୍ମର ଅତିକ୍ରମଣ ବୋଲି କୁହାଯାଇପାରେ। ଗଡ଼ଦେବୀ ସୌମ୍ୟରୂପା ଓ ମାନବ ଶରୀର ଆକୃତିର ଅଟନ୍ତି। ରାଣୀପୁର ଝରିଆଲ ୬୪ ଯୋଗିନୀ ମନ୍ଦିରର ମୂର୍ତ୍ତିମାନେ ସୌମ୍ୟ ଓ ଆକର୍ଷଣୀୟ ଅଟନ୍ତି। ଏହି ସମୟର କୁଠିଚିତ୍ର ଉପରେ କୌଣସି ପ୍ରମାଣ ମିଳିନଥାଏ।

ମାତୃକା ମୂର୍ତ୍ତି ତିଆରିରେ ପଙକ୍ତିକୁ ମାନ୍ୟତା ଦିଆଯାଏ, ଯେମିତି ସୁଲହ କୁଠିରେ ଦିଆ ଯାଇଥାଏ। ଅଶୀ ଦଶକରେ କେତେକ କୁଠିରେ ୧୬ ତମ କୋଠରୀରେ ନାରୀ-ପୁରୁଷର ଯୁଗଳ ମୂର୍ତ୍ତି ରହିଥିବା ଦେଖାଯାଉଥିଲା। ଅଶୀ ଦଶକ ପର୍ଯ୍ୟନ୍ତ ଅନେକ ସ୍ଥାନରେ କୁଠି ଅପରିବର୍ତ୍ତିତ ଥିଲା। ଏହି ସମୟରେ କୁଠିରେ ଦୁର୍ଗାଙ୍କ ଚିତ୍ର ଅଙ୍କନ କରାଯାଉଥିଲା। ଦୁର୍ଗାଙ୍କ ଚିତ୍ର ପଛରେ ସୁଲହ କୁଠି ଅଙ୍କନ କରାହେଉଥିଲା।

ଡାଲଖାଇ ପ୍ରକାରାନ୍ତରେ ଦୁର୍ଗାପୂଜାରେ ପରିବର୍ତ୍ତିତ ହେଲା। ତଦନୁସାରେ କୁଠିର ଚିତ୍ର ମଧ୍ୟ ପରିବର୍ତ୍ତିତ ହେଲା। ମୟୂର ସ୍ଥାନରେ କାର୍ତ୍ତିକେୟ, ବରଗଛ ସ୍ଥାନରେ ବ୍ରହ୍ମାଙ୍କ ଚିତ୍ର ଆଦି ଅଙ୍କନ କରାଗଲା। ଏହାପରେ ଧୀରେ ଧୀରେ ମୂଳ ସୁଲହ କୁଠି ଲୋପ ପାଇଗଲା।  ସୁଲହ ଯେଉଁଠି ଅଙ୍କିତ ହେବ, ଡାଲଖାଇ ପରେ ତା’ ଉପରେ ମାଟି ଅବା ଗୋମୟ ଘସି କୁଠିକୁ ଲିଭେଇ ଦିଆଯାଉଥିଲା। ସାଂସ୍କୃତିକ ସୁରକ୍ଷା ଦୃଷ୍ଟିରୁ ଏହା କରାଯାଉଥିଲା।

ପାଟଦେବୀଙ୍କ ପରେ କୌଳ ପାଟଦେବୀଙ୍କ ସ୍ଥାନ ଥିଲା। ପ୍ରାଚୀନ କୌଳ ଶାସ୍ତ୍ର ଅନୁସାରେ, “ଦ୍ଵାରସେନୀ ସ୍ଵରୂପେଣ କୌଳେଶ୍ଵରୀ ପରାଶକ୍ତି, ଅସ୍ମିନ୍ ଦ୍ଵାରେ ନିରାଭାସା ମୌନେ ନୈବ ପ୍ରତିଷ୍ଠିତା”। (ଅସୀମ ଓ ଅନନ୍ତ ଶକ୍ତି ସ୍ଵରୂପିଣୀ ମହାଶକ୍ତି କୌଳେଶ୍ଵରୀ ଦ୍ଵାର ରକ୍ଷାକାରୀ ଦ୍ଵାରସେନୀ ରୂପରେ ଏଠାରେ ନିର୍ବାକ୍ ଭାବରେ, ମୌନ ରୂପରେ ପ୍ରତିଷ୍ଠିତା ଓ ଖ୍ୟାତା ଅଟନ୍ତି।)

ସୁଲହ କୁଠିରେ ଦ୍ଵାରସେନୀଙ୍କୁ ମାନବ ରୂପରେ ନୁହେଁ, ପ୍ରତୀକ ମାଧ୍ୟମରେ ପରିଭାଷିତ ହୋଇଥାନ୍ତି। ଏହାଙ୍କ ପରେ ପରବର୍ତ୍ତି କ୍ରମ କୌଳ ଦେବୀଙ୍କର ଚିତ୍ର ରହିଥାଏ।

ଯଦି ଜଣେ ସୁଲହ କୁଠିକୁ ଠିକ୍ ବୁଝିପାରେ, ତାହାଲେ ସେ ଅଞ୍ଚଳର ଗୁପ୍ତ ଶକ୍ତି ଓ ରହସ୍ୟ ଭେଦ କରିପାରିବ। ବହିରାଗତ ଧର୍ମ ଓ ଶାସନ କିମ୍ବା ଜ୍ଞାନଚୋରଙ୍କ କବଳରୁ ନିଜର ଅଞ୍ଚଳ ଓ ସଂସ୍କୃତିର ସୁରକ୍ଷା ପାଇଁ ସୁଲହ କୁଠି ଉପରେ ମାଟି କିମ୍ବା ଗୋମୟ ଘସି ଲିଭେଇ ଦିଆଯାଉଥିଲା।  ସୁଲହ କୁଠି ଭିତରକୁ ଯେତେବେଳେ ହିନ୍ଦୁ ଦେବଦେବୀଙ୍କ ଅନୁପ୍ରବେଶ ହେଲା, ତାହାକୁ ଅନେକ ଦିନ ପର୍ଯ୍ୟନ୍ତ ରଖାଗଲା। ଏଠାରେ ପ୍ରଶ୍ନ ଉଠିବା ଆବଶ୍ୟକ ଅଟେ, ବୁଦ୍ଧଧମ୍ମ କିଭଳି ନିଜର ପ୍ରଭାବ ବିସ୍ତାର କରିଥିଲା ? ଯୋଗିନୀ ତନ୍ତ୍ରର ପ୍ରସାର ସମୟରେ ବୃଦ୍ଧ ଓ ହିନ୍ଦୁତନ୍ତ୍ର ମଧ୍ୟରେ ପ୍ରଭେଦ ନାମକୁ ମାତ୍ର ରହିଥିଲା। ସ୍ୱୟଂ ନାଗାର୍ଜ୍ଜୁନ ବ୍ରାହ୍ମଣ ଥିଲେ।ଏକବିଂଶ ଶତକର ଚଉଠେ ଭୋଗ କରୁଥିବା ଆମମାନଙ୍କ ସହ ବଞ୍ଚୁଥିବା ଲୋକ ସୁଲହ କୁଠି ଭିତରେ ବଦଳୁଥିବା ଚିତ୍ରକୁ ଦେଖିଛନ୍ତି। ତେଣୁ ଏହାକୁ ହିନ୍ଦୁ ଧର୍ମର ଅତିକ୍ରମଣ ର ଇତିହାସ ଏଇ ନୀକଟ ଅତୀତର କଥା। ଏତେ ଦୀର୍ଘ ବର୍ଷ କୁଠି ପୂଜା ବା ଡାଲଖାଇ ନିଜକୁ ମୌଳିକ ରଖି ପାରିଥିଲା କେମିତି? ନିଶ୍ଚିତ ଅଧ୍ୟୟନର ବିଷୟ ଅଟେ। ଯେହେତୁ ସୁଲହ କୁଠି ଦୃଶ୍ୟ ମାଧ୍ୟମ ଅଟେ, ଏହା ଧୀରେ ଧୀରେ ଜନମାନସରେ ପ୍ରାଚୀନ ପରମ୍ପରାକୁ ଶେଷ କରିବାରେ ସହଯୋଗୀ ହେଲା।

ବର୍ତ୍ତମାନ ମଧ୍ୟ ସୁଲହ କୁଠି ଆଙ୍କନ କରାଯାଏ। ବିଭିନ୍ନ ପୂଜା ଅନୁଷ୍ଠାନ ସୁଲହ କୁଠି ମୁଖ୍ୟ ସ୍ଥାନ ପାଇଥାଏ। ଯେହେତୁ ସୁଲହ କୁଠିରେ ହିନ୍ଦୁ ଦେବାଦେବୀଙ୍କ ଆଧିପତ୍ୟ ରହୁଅଛି ତେଣୁ ଏହାର ପାରମ୍ପାରିକ ସୂତ୍ର ଓ ଗୁରୁତ୍ୱ ଲୁପ୍ତ ହୋଇ ସାରିଛି। ପିଢ଼ି ପରେ ପିଢି ଆଦିମ ସଂସ୍କୃତିକୁ ଅନ୍ଧବିଶ୍ୱାସ ବୋଲି ବାରମ୍ବାର କୁହାଗଲା। ବହିରାଗତଙ୍କ ଜ୍ଞାନ ଓ ପରମ୍ପରାକୁ ପ୍ରମୁଖତା ଦିଆଗଲା। ଯାହାର ପ୍ରଭାବରୁ ସୁଲହ କୁଠି ମଧ୍ୟ ମୁକୁଳି ପାରିଲା ନାହିଁ।

ସୁଲହ କୁଠିର ଅଙ୍କନ ନିୟମ ଅନୁସାରେ ହେବା କଥା, ଯାହା ନିକଟରେ ସାମ୍ପ୍ରଦାୟିକ ସଂପ୍ରୀତିର ବାର୍ତ୍ତା ଦେବାର ମଧ୍ୟ ଦକ୍ଷତା ରହିଅଛି। ଚିତ୍ର ତ ଯିଏ ବି ଆଙ୍କିଦେବ, କିନ୍ତୁ ସେ ଲୋକ କାହିଁ ଯେ କୁଠିର କ୍ରମ କହିପାରିବ?

ସମଧ୍ବନୀ, ପୂଜା ସଂଖ୍ୟା

0 Comments