ଓରାଙ୍ଗଉଟାନ ଶିଶୁ

ଓରାଙ୍ଗଉଟାନ; ମାଳୟ ଭାଷାରେ ଓରାଙ୍ଗ ଅର୍ଥ ମଣିଷ ଓ ଉଟାନ ଜଙ୍ଗଲକୁ ବୁଝାଏ। ବଂଶଲତାରେ ଏମାନେ ମାନବର ଅତି ନିକଟତମ ପ୍ରଜାତି। ଇନ୍ଦୋନେସିଆ ମାଲେସିଆର ବର୍ଷାବନରେ ବସବାସ କରୁଥିବା ଏକ ବିରଳ ବାନର ପ୍ରଜାତି ଅଟନ୍ତି। ବୋର୍ଣ୍ଣିିଓ, ସୁମାତ୍ରା ଓ ତାନୁପାଲି ଓରାଙ୍ଗଉଟାନ ତିନି ପ୍ରଜାତି ଦେଖାଯାନ୍ତି। ଏମାନେ ଯୋଗାଣ, ନିର୍ମାଣ, ଉପକରଣ ବ୍ୟବହାର କରୁଥିବା ବୁଦ୍ଧିମାନ ବାନର ଅଟନ୍ତି। ବ୍ୟବସାୟିକ କୃଷି ଓ ଜଙ୍ଗଲ ଜମି ନଷ୍ଟ ହେବା ଯୋଗୁଁ ଓରାଙ୍ଗଉଟାନ ବିପଦରେ ରହିଥିବା ଏକ ପ୍ରଜାତି ଅଟେ।
ବାଲେଶ୍ୱର ଜିଲ୍ଲା, ଭୋଗରାଇ ନିକଟସ୍ଥ ବଡ଼ପାହି ଗାଁ ନିକଟରେ ରଣକୋଠା ସଂରକ୍ଷିତ ଜଙ୍ଗଲରେ ସେପ୍ଟେମ୍ବର ୮, ୨୦୨୬ ଦିନ ସକାଳୁ ପାଞ୍ଚଟି ଓରାଙ୍ଗଉଟାନ ଶିଶୁଙ୍କୁ ଦେଖିଲେ। ଲୋକଙ୍କ ପାଇଁ ଏକ ଅଜଣା ପ୍ରଜାତିର ଜୀବ। ପାଖଆଖ ଗାଁରୁ ଲୋକଙ୍କ ଭିଡ ଜମିଲା। ବନ ବିଭାଗ ଅଧିକାରୀମାନେ ଖବର ପାଇ ବିଧିବଦ୍ଧ ଭାବେ ନନ୍ଦନକାନନ ନେଇଥିଲେ।
ତିନୋଟି ପୁରୁଷ ଓ ଦୁଇଟି ମାଈ ଓରାଙ୍ଗଉଟାନ ବର୍ଷେ ପାଖାପାଖି ଶିଶୁ ଅଟନ୍ତି। ଗୋଟିଏ ଶିଶୁକୁ ଜ୍ଵର ହେଉଥିଲା। ଚିକିତ୍ସା ପରେ ସୁସ୍ଥ ହେଲା। ଶିଶୁମାନଙ୍କୁ ୨୪ ଘଣ୍ଟା କ୍ୱାରେଣ୍ଟାଇନରେ ରଖା ଯାଇଥିଲା।
ଜଙ୍ଗଲମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଉଦ୍ଧାର ଶିଶୁମାନେ ସୁସ୍ଥ ଓ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି। ଖାଦ୍ୟ ଯୋଗୁଁ ଆସିଥିବା କଥା ବି କହିଛନ୍ତି। ଡ. କେ. ମୁରୁଗନ ମୁଖ୍ୟ ବନ ସଂରକ୍ଷକ ଘଟଣାର ବ୍ୟାପକ ତଦନ୍ତ ହେଉଥିବା କଥା କହିଛନ୍ତି। ଅର୍ଥାତ ବନ୍ୟପ୍ରାଣୀ ତଷ୍କରୀକୁ ପ୍ରାଥମିକତା ଦେଇ ତଦନ୍ତ କରାଯାଉଛି।
ଆନୁଷ୍ଠାନିକ ତଦନ୍ତ ନିଷ୍କର୍ଷରେ ନ ପହଞ୍ଚିବା ପର୍ଯ୍ୟନ୍ତ ସଠିକ କିଛି କହି ହେବ ନାହିଁ। ପ୍ରଥମତଃ ଉଦ୍ଧାର ଓରାଙ୍ଗଉଟାନ ଭାରତର ନୁହନ୍ତି। ମୁଖ୍ୟତଃ ତାଙ୍କର ବାସସ୍ଥଳୀ ଠାରୁ ଉଦ୍ଧାର ସ୍ଥଳର ଦୂରତା ପାଞ୍ଚହଜାର କିମି ପାଖାପାଖି। ଶିଶୁମାନେ ଖାଦ୍ୟ ପାଇଁ ଏତେଦୂର ଆସିବା ଅସମ୍ଭବ ଅଟେ। ନିଶ୍ଚିତ କାହା ଦ୍ୱାରା ସ୍ଥାନାନ୍ତରିତ ହୋଇଛନ୍ତି। ଏହି ସ୍ଥାନାନ୍ତରଣର ପ୍ରାକୃତିକ କିମ୍ବା ବିଧାନ ଜନିତ ହୋଇ ନ ଥିବାରୁ ତଷ୍କରୀ ହିଁ କାରଣ ଅଟେ।
ବନ୍ୟପ୍ରାଣୀ ତଷ୍କରୀ ର ଏକ ବିରାଟ ଶୃଙ୍ଖଳ ରହିଅଛି। UNODC (United Nations Office on Drugs and Crime) ର World Wildlife Crime Report 2024 ରିପୋର୍ଟ ଅନୁସାରେ ୪୦୦୦ ପ୍ରଜାତିର ୧.୩ କୋଟି ସଂଖ୍ୟାରେ ବନ୍ୟଜୀବ ଉଦ୍ଧାର ହୋଇଥିଲେ। ୧୬ ହଜାର ଟନରୁ ଅଧିକ ବନ୍ୟଜୀବ ସମ୍ପର୍କିତ ସାମଗ୍ରି ଉଦ୍ଧାର ହୋଇଥିଲା। ଏହା ୨୦୧୫ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୧୬୨ ଦେଶର ପରିସଂଖ୍ୟାନ ଅଟେ। ଏଥିରୁ ଏହି ବେଆଇନ ବଜାରର ବ୍ୟାପକତା ଅନୁମାନ କରାଯାଇ ପାରେ।
ବଣ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ ଗୋଟି ବଣ୍ୟ ପ୍ରାଣୀ ଅଭୟାରଣ୍ୟ, ୭ଟି ବ୍ୟାଘ୍ର ପ୍ରକଳ୍ପ, ୩ଟି ହାତୀ ସଂରକ୍ଷଣ ଜଙ୍ଗଲ, ଗୋଟିଏ ଜୈବ ସଂରକ୍ଷଣ, ୬ଟି ରାମସର ରହିଛି। ରାମସର ମୁଖ୍ୟତଃ ଆର୍ଦ୍ଧସଂରକ୍ଷିତ ଅଞ୍ଚଳ। ପକ୍ଷୀ ଅଭୟାରଣ୍ୟ ମଧ୍ୟ କୁହାଯାଏ । ପୃଥିବୀରେ ଏଭଳି ୨୫୦୦ ରାମସର ଅଞ୍ଚଳ ରହିଛି।
ଏହି ସୁରକ୍ଷା ବଳୟ ଭିତରେ ବି ଓଡ଼ିଶାରେ ବଣ୍ୟ ଓ ବନ୍ୟପ୍ରାଣୀ ତଷ୍କରୀ ହୋଇଥାଏ। ଓଡ଼ିଶାରେ ପ୍ରତିଦିନ ଏହି ତଷ୍କରୀର ଖବର ପ୍ରକାଶ ପାଇଥାଏ। ନିଶ୍ଚିତ ଏହା ଚିନ୍ତାର ବିଷୟ।
ଚାନ୍ଦିପୁର, ବୁଢ଼ାବଳଙ୍ଗ ନଦୀମୁହାଣ, ତାଳସାରୀ ଓ ଅନ୍ୟାନ୍ୟ ଜଳାଭୂମି ପକ୍ଷୀ ଓ ଜୈବବିବିଧତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳମାନ ରହିଅଛି, ରାମସର ଅଞ୍ଚଳ ନାହିଁ। କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ମଧ୍ୟ ରହିଛି। ତଦୃପ ତଷ୍କରୀ ମଧ୍ୟ ହୋଇଥାଏ। ଫେବୃୟାରୀ ୨୦୨୬, ରେ ୨ ଟି ହାତୀଦାନ୍ତ, ଡିସେମ୍ବର ୨୦୨୪ ରେ ବାଘଚମଡ଼ା, ଅଗଷ୍ଟ ୨୩ରେ ୨୯ ଟି ସାପ, ଜୁଲାଇ ୨୬ ମସିହାରେ ୪୧୦ଟି ବିଦେଶାଗତ ପକ୍ଷୀ ବାଲେଶ୍ଵର ବନବିଭାଗ ଜବତ କରିଥିବା ରେକର୍ଡ କହିଥାଏ। ପଶ୍ଚିମବଙ୍ଗ ଓ ଝାରଖଣ୍ଡ ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ବନ୍ୟତଷ୍କରୀ ର ନେଟୱର୍କ ସହ ଯୋଡ଼ିଥିବା ସୂଚନା ମିଳେ। ଜିଲ୍ଲାରୁ ପାଞ୍ଚଟି ଓରାଙ୍ଗଉଟାନ ଶିଶୁ ମିଳିବା ଘଟଣାକୁ ସାଧାରଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ଏହି ଘଟଣା ୧୨୨ଟି ଫରେଷ୍ଟ ଚେକଗେଟ ଏବଂ ୨୨୭ ଟି ସ୍କ୍ବାର୍ଡର ନିଅଣ୍ଟିଆ ସାମର୍ଥ୍ୟକୁ ମଧ୍ୟ ସୂଚାଇ ଦେଇଥାଏ। ଅବଶ୍ୟ ମୁରୁଗେସନଙ୍କ ସୂଚନା ଅନୁସାରେ ତଷ୍କରମାନେ ରାଜପଥକୁ ପ୍ରାୟ ବ୍ୟବହାର କରନ୍ତି ନାହିଁ। ଆଭ୍ୟନ୍ତରିଣ ରାସ୍ତା ତାଙ୍କ ପାଇଁ ସୁରକ୍ଷିତ ରହିଥାଏ।
ବାଲେଶ୍ୱର ଜିଲ୍ଲା ୮୧ କିଲୋମିଟର ସମୁଦ୍ରକୁ ଛୁଏଁ। ତେଣୁ ଓରାଙ୍ଗଉଟାନ ସିଧା ସିଧା ସମୁଦ୍ର ପଥ ଦେଇ ଅଣାଯାଇଥିବା ଅସମ୍ଭବ ନୁହେଁ। ଚାନ୍ଦିପୁର ମିଶାଇଲ ପରୀକ୍ଷଣ କେନ୍ଦ୍ରର ଅବସ୍ଥିତି, ପଦାତିକ ସେନାର ଆଇଟିଆର ବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ରହିଛି ତେଣୁ ବାଲେଶ୍ଵର ଉପକୂଳ ତଷ୍କରୀ ପାଇଁ ସେତେ ସୁରକ୍ଷିତ ନୁହେଁ। ଏଥିପାଇଁ କଲିକତା ବାଟ ଦେଇ ଅଣା ଯାଇଥିବା ବିଷୟକୁ ଗୁରୁତ୍ୱ ଦେଇ ଅନୁସନ୍ଧାନ କରା ଯାଉଛି।
ଏହି ତର୍ଜମା ବ୍ୟତୀତ ଗୋଟିଏ କଥା ସତ ଯେ ପାଞ୍ଚଟି ଓରାଙ୍ଗଉଟାନ ଶିଶୁ ବାଲେଶ୍ଵର ଜଙ୍ଗଲରୁ ମିଳିଲେ। ଏମାନଙ୍କ ସ୍ଥାନାନ୍ତରଣର କାରଣ କଣ? ଓଡ଼ିଶା କାହିଁକି?
ଉଚ୍ଚଶ୍ରେଣୀର ଲୋକେ ବିଭିନ୍ନ ପଶୁପକ୍ଷୀ, ବଣ୍ୟଜନ୍ତୁଙ୍କୁ ଗୃହପାଳିତ ଭାବେ ରଖିବା ସମ୍ଭ୍ରାନ୍ତ-ଲକ୍ଷଣ ଭାବେ ଗଣାଯାଏ। ଏହା ପ୍ରମୁଖ କାରଣ ଅଟେ। ବିଭିନ୍ନ ପଶୁପକ୍ଷୀଙ୍କ ଅଙ୍ଗ ଔଷଧିୟ କାମରେ ଆସିଥାଏ। ଉଭୟ କାରଣ ମନୋରଞ୍ଜନ ଅବା ସଉକ ହେଉ ଅବା ଔଷଧ ପାଇଁ ହେଉ ଏହା ଅମାନବୀୟ ଅଟେ। ତାଙ୍କ ପ୍ରତି କୃରତା ହିଁ ହୋଇଥାଏ। କେବଳ ଶାସନଗତ କାରଣ ନୁହେଁ ମଣିଷ ନିଜ ବ୍ୟବହାର ପ୍ରତି ମଧ୍ୟ ସଜଗ ରହିବା ଆବଶ୍ୟକ।
ଅନ୍ୟ ପ୍ରାଣୀମାନଙ୍କ ପ୍ରାକୃତିକ ବାସସ୍ଥଳୀକୁ ନଷ୍ଟ ବା ଅତିକ୍ରମଣ କରିବା ନେଇ ସାମ୍ବିଧାନିକ କଟକଣା କୌଣସି ଦେଶରେ ପୂର୍ଣ୍ଣ ପ୍ରଭାବୀ ନୁହେଁ। ପୃଥିବୀ ଉପରେ ମଣିଷର ଯେତିକି ଅଧିକାର ରହିଛି ଇତରଙ୍କ ମଧ୍ୟ।
ଗତକାଲିର ଘଟଣା; ବେଦାନ୍ତ ବିରୋଧି ନିୟମଗିରି ସୁରକ୍ଷା ପାଇଁ ଲଢୁଥିବା ଲଦ ସିକକା ଙ୍କୁ ଜେଲରୁ ମୁକୁଳି ଘରକୁ ଯାଉଥିବା ବେଳେ ପୁଣି ଗିରଫ କରି ନିଆଗଲା। ତାଙ୍କର ଦୋଷ ହେଲା ନିୟମଗିରି ବକ୍ସାଇଟ ଖନନକୁ ବିରୋଧ କରନ୍ତି। ଏଥି ପୂର୍ବରୁ ତାଙ୍କୁ ପଳାତକ ଘୋଷଣା କରି ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ପାଇଁ ଆଦେଶ ହୋଇଥିଲା। ସରକାର ଜାଣି ନାହାନ୍ତି କନ୍ଧ ସଂସ୍କୃତି କଣ? ଗୋଟା ନିୟମଗିରି ର ମାଲିକ ଲଦ ସିକକା। ଏ ଅଧିକାର ତାର ରାଜନୈତିକ ଅଧିକାର। ପୃଥିବୀରେ ସର୍ବପ୍ରଥମ ମାନବ ସଭ୍ୟତା ଯେଉଁ ସମ୍ବିଧାନ ଆଧାରରେ ଅନୁଶାସନ ଆରମ୍ଭ କଲା ସେହି ସମ୍ବିଧାନ ତାକୁ ଏହି ଅଧିକାର ଦେଇଛି। ଭାରତର ସମ୍ବିଧାନ ମଧ୍ୟ ତାକୁ ଏ ଅଧିକାର ଦେଇଛି। ଅର୍ଥାତ ଜୈବ ବିବିଧତା ଭରା ନିୟମଗିରିର ସୁରକ୍ଷା ପାଇଁ ଲଢିବା ହିଁ ତାର ଅପରାଧ। ପ୍ରକାରାନ୍ତେ ଶାସନର ଏହି ମାନସିକତା ମଧ୍ୟ ଜୀବ ପ୍ରତି କୃରତା ଅଟେ। ଏହାକୁ ରାଷ୍ଟ୍ରହିଂସା କୁହାଯାଏ।
ଓରାଙ୍ଗଉଟାନ ଭଳି ବିଦେଶୀ ଜନ୍ତୁ ଓଡ଼ିଶାରେ ମିଳିଲା ଅନେକ ପ୍ରଶ୍ନ ତିଆରି କରିବ ନିଶ୍ଚୟ। ସରକାରୀ ବିଭାଗମାନେ ବହୁ ପ୍ରକାରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଅନ୍ଧବିଶ୍ୱାସକୁ ଆଧାର କରି ଗୋଟିଏ ବେପାର ଚାଲେ। ସାପ, ବଜ୍ରକାପ୍ତା (ସଲ) ଆଦିର ବ୍ୟବସାୟ ହେଉଥିବା ସମୟର ଧରା ପଡ଼ିବା ଅନେକ ରେକର୍ଡ ଅଛି। ହନୁମାନ ପଇସା ମଧ୍ୟ ତନ୍ମଧ୍ୟରୁ ଗୋଟିଏ। ନିକଟରେ ବଲାଙ୍ଗୀର ସହରର ଜଣେ ନାମି ହୋଟେଲ ମାଲିକଙ୍କ ଅପହରଣ ପଛରେ ହନୁମାନ ପଇସା କାରବାର କଥା ଗଣମାଧ୍ୟମ ମାନଙ୍କରେ ଚର୍ଚ୍ଚା ହେଲା। ଏଭଳି ଏକ ବେପାର ଦେଢ ଫୁଟିଆ ବା ଲିଲିପୁଟ। ଜୈବୀକ ସାରଣୀରେ ଏଭଳି କୌଣସି ଜୀବର ଉଲ୍ଲେଖ ନାହିଁ। ଏହି ବ୍ୟବସାୟ ଚାଲୁଥିବା ଅନେକ ପ୍ରମାଣ ମିଳିଥାଏ।
୨୦୧୫ ମସିହାରେ ବିବିସି ହିନ୍ଦୀରେ ଗୋଟିଏ ଖବର ପ୍ରକାଶିତ ହୋଇଥିଲା। ଛତିଶଗଡ଼ ପୋଲିସ ଜଶପୁର ଅଞ୍ଚଳରୁ ତିନିଜଣଙ୍କୁ ଗିରଫ କରିଥିଲା। ‘ଚଟିଆ-ମଟିଆ’ ବିକ୍ରି ପାଇଁ ଟଙ୍କା ଲେଣଦେଣ କରୁଥିଲେ। ୨୦୨୪ ମସିହାରେ ଏବିପି ଲାଇଭ ଅନୁସାରେ ଦେଢଫୁଟିଆ ବିକ୍ରି ଘଟଣା ଲୋକଙ୍କ ସାମ୍ନାକୁ ଆସିଥିଲା। ୨୦୨୬ ମସିହାରେ ଦେଢଫୁଟିଆ ବ୍ୟବସାୟରେ ଲିପ୍ତ ଜଣେ ତାନ୍ତ୍ରୀକ ଗିରଫ ହୋଇଥିଲା। webdunia ରେ ଆଲୋକ ପ୍ରକାଶ ପୁତୁଲ ଏଭଳି ବ୍ୟବସାୟ ନେଇ ଚର୍ଚ୍ଚା କରିଛନ୍ତି। ଆପଣ ଭୂତ କିଣିଛନ୍ତି କି? ଶୀର୍ଷକ ଲେଖରେ ସେ ପୋଲିସ କାର୍ଯ୍ୟାନୁଷ୍ଠାନ ଆଧାରରେ ଲେଖିଛନ୍ତି। thejbt.com (ତା. ୧୦.୧୨.୨୦୨୪) ର ଭୋପାଳର ଦେଢଫୁଟିଆ ବ୍ୟବସାୟ ବିଷୟରେ ଖବର ପ୍ରକାଶିତ ହୋଇଛି। ଅର୍ଥାତ ଅନ୍ଧବିଶ୍ୱାସ ଆଧାରରେ ଗୋଟିଏ ବଜାର ରହିଅଛି।
ଦେଢଫୁଟିଆ, ମଟିଆ ଆଦି ବାଳକ ବାଳିକା ପ୍ରେତ ଭାବେ ବୁଝା ଯାଇପାରେ। ଏହାର ଆକୃତି ଓରାଙ୍ଗଉଟାନ ଶିଶୁଙ୍କ ମହ ମେଳ ଖାଉଥିବା ସମ୍ଭାବନାକୁ କେତେକ ଇଙ୍ଗିତ କରିଥାନ୍ତି। ଏହା ସେଭଳି ନୁହେଁ ତ?
କାରଣ ଅନେକ ହୋଇପାରେ। ନିରିହ ଓରାଙ୍ଗଉଟାନ ଶିଶୁମାନଙ୍କୁ ଦେଖିଲେ ଏମାନଙ୍କ ସ୍ଥାନାନ୍ତରଣ ପଛରେ କେତେ କୃରତା ନଥିବ ! ବିଶେଷଜ୍ଞଙ୍କ ମତରେ ତିନି ଚାରିବର୍ଷ ମା ପାଖରେ ଶିଶୁମାନେ ରହନ୍ତି। ତାଙ୍କର ଖିର ଖାଇଥାନ୍ତି। ମା ମାନେ ଶିଶୁଙ୍କ ସୁରକ୍ଷା ପାଇଁ କୃର ହୋଇ ଉଠନ୍ତି। କେଉଁ ପ୍ରକାର ବିଭତ୍ସ ପରିବେଶ ତିଆରି ହୋଇ ନଥିବ ଶିଶୁମାନଙ୍କୁ ଆଣିଲା ବେଳେ।
ଉଦ୍ଦେଶ୍ୟ ଯାହାବି ହେଉ ପାଞ୍ଚଟି ଓରାଙ୍ଗଉଟାନ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ମାନବୀୟ ସ୍ୱର ଉଠିବା ଆବଶ୍ୟକ।

ଫଟୋ ସୌଜନ୍ୟ ଗୁଗୁଲ
LIKE THIS ARTICLE
Give us a thumbs up!
0 Comments