August 13, 2026 | By Rajib Sagaria | 3 min read | 13 views

ସତୁର ଦିନ

ସତୁର ଦିନର ଗୋଟିଏ ସମୟ ଭାରତୀୟ ସଭ୍ୟତାର ପ୍ରଥମ ଘଟଣା ନିଶ୍ଚୟ। ନିଶ୍ଚିତ ଏହି ସତୁର ଦିନର ବାରମ୍ବାର ଚର୍ଚ୍ଚା ହେବା ଉଚିତ। ଏହାର ପରବର୍ତ୍ତୀ ଘଟଣାବଳୀ ସମୂହଙ୍କ ଭଳି ଘଟିବ।

ଜନ୍ତର ମନ୍ତରରେ ପୋଲିସର ଲାଠି ଖାଇବା ପାଇଁ ଉଚ୍ଚ ଶିକ୍ଷିତା ଝିଅଟିଏ ମେକଅପ୍ ନେଉଛି। କେରଳମର ଅଜଣା କିଏ ଜଣେ ତାପାଇଁ ପିଜ୍ଜା ପଠଉଛି। ସମ୍ରାଟଙ୍କ କଳିଜା ସୁଦ୍ଧା ଥରି ଯାଇଥିବ ! ଏଭଳି ବିପ୍ଲବକୁ କୌଣସି ଶାସକ ସାମ୍ନା କରି ନଥିବେ। ଚାଣକ୍ୟଙ୍କ କାହାଣୀମାଳାରେ ବି ଏଭଳି ଘଟଣାର ଉଲ୍ଲେଖ ନାହିଁ। ରାଜନୀତିକ ବିଚାରଧାରା ରଖୁଥିବା ବ୍ୟକ୍ତି ଅନୁଷ୍ଠାନ ସମର୍ଥନ କରିବେ ଏହା ସ୍ୱଭାବିକ।

ଇତିହାସରେ ପ୍ରଥମ କରି କିଛି ବିରଳ ଘଟଣା ଘଟିଲା। କକରୋଜ ନିଜକୁ ପାରମ୍ପାରିକ ମାନଦଣ୍ଡରୁ ଅଲଗା ରଖି ପାରିଲା ଏହା ସବୁଠାରୁ ବଡ ଘଟଣା। ସତ୍ତା ରାଜନୀତି କରୁଥିବା ଲୋକ ସମର୍ଥନ ଦେବ ଅବା ବିରୋଧ କରିବ ସ୍ୱଭାବିକ କଥା। ସାମ୍ବିଧାନିକ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ବୋଲି ଲୋକମାନ୍ୟତା ପାଇଥିବା ଗଣମାଧ୍ୟମ। ସମ୍ରାଟ ଯେତେବେଳେ ଜାଣିଲେ ଏହା ସଶକ୍ତ ମାଧ୍ୟମ, ଏହାର ବ୍ୟବହାର ଆରମ୍ଭ କରିଦେଲେ। ପ୍ରଥମେ ଶିଳ୍ପ ଘୋଷଣା କଲେ, ବିଶ୍ଵ ବଜାର ପାଇଁ ଉନ୍ମୁକ୍ତ କରିଦେଲେ। ଶିଳ୍ପ ମାଧ୍ୟମ ଦେଇ ପୁଞ୍ଜିପତିଙ୍କ ହାତକୁ ଗରିଷ୍ଠ ପ୍ରଭାବ ରଖିଥିବା ସଂସ୍ଥା ପୁଞ୍ଜିପତଙ୍କ ହାତକୁ ଚାଲିଗଲା। ସ୍ଵଳ୍ପ ସମୟ ପାଇଁ ହେଲେ ମଧ୍ୟ ସାମ୍ବାଦିକତାକୁ ଆରୋପିତ କରିବା ପାଇଁ ଗୋଟିଏ ଭ୍ରମ ତିଆରି କରାଗଲା। ଶାସନକୁ (ବ୍ୟକ୍ତି ନୁହେଁ କିନ୍ତୁ ବ୍ୟକ୍ତି ମାଧ୍ୟମ ଅଟେ) ସମାଲୋଚନା କରିବା ଓ ସୂଚନା ଦେବା ହିଁ ସାମ୍ବାଦିକତା। ସମ୍ବାଦରେ ଲୋକେ ପ୍ରଭାବିତ ହେବା ଉଚିତ ପ୍ରଭାବିତ କରିବା ସାମ୍ବାଦିକର କାମ ନୁହେଁ। ସମାଜକୁ ପ୍ରଭାବିତ କରିବା ପାଇଁ ଅନେକ ବର୍ଗ ଅଛନ୍ତି।

ପ୍ରତିରୋପିତ କଥିତ ଗଣମାଧ୍ୟମକୁ ଜନ୍ତର ମନ୍ତରରେ ଅସ୍ୱୀକାର କରିବାର ଉଦଘୋଷ ହେଲା। ଗଣମାଧ୍ୟମ ପାଇଁ କକରୋଜ ପ୍ରସଙ୍ଗର ପ୍ରଥମ ସତୁର ଦିନ ଅଧ୍ୟୟନର ବିଷୟ ହେବା ଉଚିତ। ଅସ୍ୱୀକାର ସାଙ୍ଗକୁ ଶାଳିନତା ଓ ମାନବତାର ଉଦାହରଣ ମଧ୍ୟ ତିଆରି କଲା। ଗୋଦି ମିଡିଆ ଗୋ ବ୍ୟାକ୍ ! ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପ୍ରତିବାଦ କଲେ। ସେ ସମ୍ମାନର ସହ ନିର୍ବିକାର ରହିଲେ। ଘଟଣା ସହ ସଂପୃକ୍ତ କକରୋଜ ମାନେ ସାମ୍ବାଦିକଙ୍କୁ କ୍ଷମା ମାଗିଲେ। ଗୋଟିଏ ସ୍ୱଚ୍ଛ ସାମ୍ବାଦିକତାକୁ ହିଁ ଆଗାମୀ ପିଢ଼ୀ ଗ୍ରହଣ କରିବ। ବାକିସବୁ ବିଜ୍ଞାପନ ଚରିତ୍ରର।

ସମାଜକୁ ପ୍ରଭାବିତ କରିବା କାମକୁ ସାମ୍ବାଦିକତାର ନାମ ଦିଆଗଲା। ପ୍ରକୃତ ସମ୍ବାଦିକତା ନିଜର ସ୍ଥିତିକୁ କେବଳ ତାର ପ୍ରାରବ୍ଧକୁ ନେଇ ରଖି ପାରିଲା। ଖବର ସରବରାହ ଶିଳ୍ପ ହୋଇଗଲା ପରେ ସ୍ଥାନୀୟ ଖବର ସଂସ୍ଥାମାନ ନଷ୍ଟ ହୋଇଗଲା। ସାମାଜିକ ଗଣମାଧ୍ୟମ ଆସିଲା ପରେ ସ୍ଵର ପୁନଃ ଜାଗରିତ ହେଲା। ଏହି ସାମାଜିକ ଗଣମାଧ୍ୟମ ଗୋଟିଏ ରେନେସାର ଉଦଘୋଷରେ ସହାୟକ ହେଲା।

ପରସ୍ପରକୁ ଚିହ୍ନି ନଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ଅନୁଶାସନର ଯେଉଁ ଉଦାହରଣ ଦେଇଛନ୍ତି ତାହା ଭାରତ ଇତିହାସର ପ୍ରଥମ ଘଟଣା। ଜାତି ଓ ଧର୍ମ ଉଭୟ କେବଳ ପ୍ରତିନିଧି ଥିଲେ। ଏଭଳି ବିରଳ ଘଟଣା ସମସାମୟିକ କାଳଖଣ୍ଡକୁ ଦେଖିଲେ ପ୍ରଥମ ଓ ମାର୍ଜ୍ଜିତ। ଅତୀତର ସମସ୍ତ ବିପ୍ଲବ ଓ ବିପ୍ଲବୀଙ୍କୁ ସଲାମ। ଗଣତନ୍ତ୍ର, ଶାସନତନ୍ତ୍ର, ଧର୍ମତନ୍ତ୍ର, ଧନତନ୍ତ୍ର ଆଦି ତନ୍ତ୍ର ସମୂହର ଜଟିଳତା ଭିତରେ ଗୋଟିଏ ଆନ୍ଦୋଳନକୁ ଭାରତୀୟ ର ପରିଚୟ ଦେଇ ଶାସକର ନାକତଳେ ମାସାଧିକ କାଳ ଠିଆ ହେବା ସହଜ ନୁହେଁ ନିଶ୍ଚୟ। କିନ୍ତୁ କକରୋଜ ସମୂହ ଓ ତାଙ୍କର ଅତିଥି ଓ ସମର୍ଥକଙ୍କ ସହଜତା ସମ୍ରାଟଙ୍କ ନିଦ ହଜେଇ ଦେବ ନିଶ୍ଚୟ। ଏହି ଏକକ ଆଚରଣରେ ଗାନ୍ଧୀ ଥିଲା। ସଂଘ ପରିବାରର ବର୍ଚ୍ଚସ୍ୱର ଇତିହାସ ଭିତରେ ଏହା ହିଁ ସବୁଠାରୁ ଭୟର କାରଣ।

ସଂଘ ପରିବାରର ପ୍ରତିକ୍ରିୟା କଣ ହେବ ଏହି ପ୍ରଶ୍ନ ଗୁରୁତ୍ୱ ନୁହେଁ। ସଂଘ ପରିବାର ନିଜର ଅସ୍ତିତ୍ବ ପାଇଁ ଯେଉଁ ସଂଘର୍ଷ କରି ଆସିଛି, ତାର ଆଧାରରେ ନିଶ୍ଚୟ ରଣନୀତି ତିଆରିବ। ଏହା ରାଜନୀତିକ କଥା କିନ୍ତୁ ସଂପ୍ରତି ଶାସନ ଓ ବ୍ୟବସ୍ଥା ପ୍ରତି ଗୋଟିଏ ଉଦଘୋଷ ଏ ପୃଥିବୀ କେବଳ ତୁମର ନୁହଁ।

ଏହା ନିଶ୍ଚୟ ବିଚାରର କଥା।

ଫଟୋ ସୌଜନ୍ୟ ଗୁଗୁଲ

0 Comments