ଜିତୁ ମୁଣ୍ଡା, ଅନ୍ତଃରାଷ୍ଟ୍ରୀୟ ବେପାରର ଖନନ ଭୂମୀ  କେଉଁଝର ଜିଲ୍ଲା, ପାଟଣା ବ୍ଲକ ଡିଆନାଲି ଗାଁରେ ରହୁଥିବା ଜଣେ ଆଦିବାସୀ। ଜିତୁ ମୁଣ୍ଡା ନାମକ ଏହି ବ୍ୟକ୍ତି ଜଣକୁ ରାଷ୍ଟ୍ରର ନାଗରିକ ନ କହି ଆଦିବାସୀ କହିବା ଉଚିତ ହେବ। କାରଣ ରାଜ୍ୟରେ ଏହି ସମୟ ମଧ୍ୟରେ ଏମିତି କିଛି ଘଟଣା ଘଟି ଯାଇଛି, ଯେଉଁଥିରେ ଆଦିବାସୀ ହିଁ ଶେଷତମ ପୀଡ଼ିତ ଲୋକ ହୋଇ ସାମ୍ନାକୁ ଆସୁଛି।

ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ପ୍ରଶାସନ ତିଜିମାଲି ପର୍ଯ୍ୟନ୍ତ ତିନି କିଲୋମିଟର ରାସ୍ତା ତିଆରି ଦେବ, ବେଦାନ୍ତ – ମୈତ୍ରି ପାଇଁ। ବିଶ୍ୱବଜାରର ବେପାରୀ ଜଣକ ପାଇଁ ତିନି କିଲୋମିଟର ରେଡ଼ କାର୍ପେଟ ବିଛାହବ।

ମାର୍ଚ୍ଚ ୩୧, ୨୦୨୬ ଦେଶକୁ ମାଓମୁକ୍ତ ଘୋଷଣା କରିବା ଦିନ। ମାଓପ୍ରବଣ ଅଞ୍ଚଳରେ ପ୍ରତିଟି ଥାନା ସଜାଗ ଥାଆନ୍ତି। ଏ ଭିତରେ କଳାହାଣ୍ଡି ଓ ରାୟଗଡ଼ା ପ୍ରଶାସନକୁ ଅତିରିକ୍ତ ସଜଗତା ପାଇଁ କୁହାଯାଇଥିବା ଜଣାଯାଏ।

ପ୍ରସ୍ତୁତି ଆରମ୍ଭ ହୁଏ ଲିଙ୍ଗରାଜ ଆଜାଦ ଏବଂ ସୁରେଶ ସଂଗ୍ରାମୀଙ୍କୁ ଗିରଫ କରି। ଲିଙ୍ଗରାଜ ଆଜାଦଙ୍କ ସାମାଜିକ ଓ ରାଜନୈତିକ ପଦବୀ ଥିବାସତ୍ତ୍ୱେ ସାଧାରଣ ବନ୍ଦୀ ଭଳି ବ୍ୟବହାର ଦିଆଯାଏ।

ମାର୍ଚ୍ଚ, ୧୧ ତାରିଖ କଳାହାଣ୍ଡି ଜିଲ୍ଲା ତଲାମପଦର ଗାଁକୁ ପ୍ରାୟ ତିନିଶହ ପୋଲିସ ଯାଇ ଆକ୍ରମଣ କରନ୍ତି। ଏହି ଭଳି ଆକ୍ରମଣ ରାୟଗଡ଼ା ଜିଲ୍ଲାର କଣ୍ଟାମାଲ ଗାଁରେ ଏପ୍ରିଲ ୬, ତାରିଖ ଦିନ ହୁଏ। ଏହି ଆକ୍ରମଣ ମାନଙ୍କୁ ବୈଧ କରିବା ପାଇଁ ଗିରଫ ପରୱାନା ବି ଥାଏ।

ବିଶେଷ ସୂଚନା ଏହା ଯେ, ଏପ୍ରିଲ-୨୦୨୬ ଆରମ୍ଭରେ ପୂର୍ବରୁ ୨୦୨୩ ମସିହାର ବିବାଦୀୟ ଗ୍ରାମସଭାର ବୈଧତା ରହିଲା। ତିଜିମାଲି ବେଦାନ୍ତର ସମ୍ପତ୍ତି ହୋଇଗଲା। ଆହୁରି ପାଦେ ଆଗକୁ ଯାଇ ତିଜିମାଲିକୁ ରେଳପଥ ଓ କୁଟ୍ରୁମାଲି ଟେକି ଦେବାର ଘୋଷଣା ମଧ୍ୟ ହୋଇ ସାରିଛି।

ଏକଦା ଗମନାଗମନର ଅସୁବିଧା ଯୋଗୁଁ କଳାହାଣ୍ଡି ଜିଲ୍ଲାର କାଶିପୁର ବ୍ଲକକୁ କୋରାପୁଟ ସହ ମିଶାଗଲା। ଆଜି କିନ୍ତୁ ସେହି ଦୁର୍ଗମ ଅଞ୍ଚଳକୁ ରେଳ ଯିବ।

ବିକାଶର ଏହି କ୍ଷୀପ୍ରତାକୁ ଜିତୁ ମୁଣ୍ଡା ମାପି ପାରିଲା ନାହିଁ। ଅପରନ୍ତୁ ତାର ପୂର୍ବପୁରୁଷମାନେ ଜମି, ଜଙ୍ଗଲ, ପାହାଡ଼, ଝରଣା ସବୁ ବିକି ଆଜି ‘ଜେଜେଙ୍ଗ’ ହୋଇ ଯାଇଛନ୍ତି। ଜେଜେଙ୍ଗ ଅର୍ଥ ନିଜର ସ୍ଥାୟୀ ଛାତ ନଥିବା ଉଦବାସ୍ତୁ ଲୋକ ବା ପରିବାର। ଯାଯାବର ନୁହନ୍ତି, ନିଜ ମାଟି ବା ଲୋକଙ୍କ ସହ ସାଂସ୍କୃତିକ ଭାବେ ଯୋଡ଼ିହୋଇ ରହନ୍ତି। ଏହା କନ୍ଧ ଓ ଡମ ଭାଷାର ଶବ୍ଦ। ଯାହାକୁ ଆଜି ପ୍ରତ୍ୟେକ ବିସ୍ଥାପିତ ପାଇଁ କୁହାଯାଇ ପାରେ।

ଜାନୁୟାରୀ ୨୬, ୨୦୨୬ ଦିନ ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ମୁଣ୍ଡା, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ବେଳେ ମରିଯାଆନ୍ତି। ମୃତ୍ୟୁର କାରଣ ଯାହାବି ହୋଇପାରେ- ସ୍ୱାଭାବିକ, କ୍ଷୁଧା, ରୋଗ ଅଥବା ପ୍ରଦୂଷଣ। ଭଉଣୀର ମୃତକ କର୍ମ ସାରିଲା ପରେ ଜିତୁ ମୁଣ୍ଡା ବ୍ୟାଙ୍କ ଯାଆନ୍ତି। କାରଣ ଜିତୁ ମୁଣ୍ଡା ନିଜର ବଳଦ ବିକ୍ରି ଟଙ୍କା ଭଉଣୀ ଖାତାରେ ଜମା ରଖିଥିଲେ। ନିଜ ପାଖରେ ଥିଲେ ଖର୍ଚ୍ଚ ହୋଇଯିବ, ବର୍ଷା ପଡ଼ିବା ପୂର୍ବରୁ ଚାଷ ପାଇଁ ବଳଦ କିଣିବା ହେଉ କି ଭାଇକୁ ଭାଗ ଦେବା ହେଉ।

ଜିତୁ ମୁଣ୍ଡା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମଲ୍ଲୀପଶି ଶାଖାକୁ ଗଲା। ଭଉଣୀ ମରିଯାଇଥିବା କହିଲା। ବ୍ୟାଙ୍କ ବାବୁ ବୁଝାଇଲେ ମୃତ୍ୟୁ ଓ  ଉତ୍ତରାଧିକାରୀ ପ୍ରମାଣପତ୍ର ବିଷୟରେ। ଏ ଦୁଇଟି କାଗଜ ପ୍ରସ୍ତୁତ କରୁ କରୁ ଜିତୁ ମୁଣ୍ଡାର ଦୁଇ ମାସ ହଜିଗଲା। ଏ ଭିତରେ ସରକାର ଅଧିକ ଲୋକପ୍ରିୟ ହୋଇ ଯାଇଛନ୍ତି ବୋଲି ଜିତୁ ମୁଣ୍ଡା ପାଖରେ ଖବର ନଥାଏ।

ଅଙ୍ଗନବାଡ଼ି, ଆଶାମା, ଗାଁ ସାଥି, ଯୋଗାଣ ସହାୟକଠାରୁ ୱାର୍ଡ଼ ମେମ୍ବର, ସରପଞ୍ଚ, ବିଧାୟକ, ଶିକ୍ଷକ, ଡାକ୍ତରଖାନା, ବ୍ଲକ, ତହସିଲମାନଙ୍କ ଭିଡ଼ ଭିତରେ ଜିତୁ ମୁଣ୍ଡା ସେ କାଗଜ ଟିକକ ଖୋଜି ପାରିଲା ନାହିଁ। ଟଙ୍କା ଦେବା ଲୋକ ବ୍ୟାଙ୍କ ବାବୁ; ଯଦି ସେ ଦୁଃଖ ବୁଝିବେ ବଳଦ କିଣିବ, ଭାଇକୁ ଦେବ, ଚାଷ କରିବ, ପରିବାର ପେଟକୁ ଦାନା, ଦେହକୁ କନା ଯୋଗାଡ଼ କରିବା ଟିକେ ସହଜ ହେବ।

ବ୍ୟାଙ୍କ ବାବୁଙ୍କ ପଖକୁ ଜିତୁ ମୁଣ୍ଡା ଗଲେ।

ବ୍ୟାଙ୍କବାବୁଙ୍କ ସେହି ଗୋଟିଏ କଥା। ଦୁଇଟା କାଗଜ ଆଣ ଟଙ୍କା ନେଇ ଯା’।

ଥକି ଯାଆନ୍ତି ଜିତୁ ମୁଣ୍ଡା। ମାଟି ତାଡ଼ି ଫସଲ ଫଳେଇ ପାରିବେ କିନ୍ତୁ ସରକାରଙ୍କ ଭିଡ଼ ଭିତରେ ଦୁଇଟି କାଗଜ ପାଇବା ମୁସ୍କିଲ।

ଜିତୁ ମୁଣ୍ଡା ଅନେକ ମୌଖିକ ପ୍ରମାଣ ଦିଅନ୍ତି; କଲରା ମୁଣ୍ଡା ମରିଗଲେଣି; ଯିଏ ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ତାଙ୍କ ପାଖରେ ରହନ୍ତି। ବାବୁ ବି ବୁଝାନ୍ତି ନିଜ ଭାଷାରେ କାଗଜ ପାଇଁ ତୁ ଯେତିକି ଅସମର୍ଥ , ବିନା କାଗଜରେ ମୁଁ ମଧ୍ୟ ସେତିକି ଅସମର୍ଥ।

କେତେ ଥର ବ୍ୟାଙ୍କକୁ ଗଲା ପରେ ବ୍ୟାଙ୍କ ବାବୁ ରାଗି ଯାଆନ୍ତି, ‘କାଗଜ ଆଣ ନହେଲେ ତୋ ଭଉଣୀକୁ ଆଣ; ମୁଁ ଟଙ୍କା ଦେଇଦେବି। ସରକାରୀ ଚକ୍ରବ୍ୟୁହରୁ କାଗଜ କାଢ଼ିବା ଅପେକ୍ଷା ମଶାଣୀ ଗାତରୁ ଭଉଣୀର ଶବ କାଢ଼ିବା ସହଜ ଲାଗିଲା ଜିତୁ ମୁଣ୍ଡାଙ୍କୁ। ଏହା ପରର କାହାଣୀ ସର୍ବବିଦିତ। (ଜିତୁ ମୁଣ୍ଡାଙ୍କୁ ସମ୍ପର୍କୀୟ ଜଣକ ସୂତ୍ରରୁ ଉପରୋକ୍ତ ତଥ୍ୟ ସଂଗୃହୀତ; ଯାହାକୁ ଏହି ପତ୍ରକାର ଅସମର୍ଥିତ ସୂତ୍ର ଭାବରେ କହିଥାଏ।)

ବ୍ୟାଙ୍କ ଓ ବ୍ୟବସ୍ଥାରେ କେତେ ଅସମର୍ଥ ଜିତୁ ମୁଣ୍ଡାମାନେ। ତାଙ୍କୁ କେତେ ବାଧି ନ ଥିବ ଯେ ସେ ମାଟିକୁ ସମର୍ପି ଦେଇଥିବା ଭଉଣୀର ଶବକୁ ଉଖାରି ଆଣିଲେ। ବ୍ୟାଙ୍କ ଦ୍ୱାରରେ ଭଉଣୀ ମୃତ୍ୟୁ ପ୍ରମାଣ ଥୋଇ ଜିତୁ ମୁଣ୍ଡା ବସିଛନ୍ତି ଏବଂ ଜଣେ ପୋଲିସ ତାଙ୍କୁ ଇଝାର ମାଗୁଛନ୍ତି। ପୋଲିସ ସମ୍ନାରେ ଅର୍ଦ୍ଧଗଳିତ ଶବ ଧରି ଜଣେ ବସିଛି ଅର୍ଥାତ୍ ତାକୁ ହେଫାଜତ ଅବା ଗିରଫରେ ନେବା କଥା। ପୋଲିସ, ବ୍ୟାଙ୍କ କର୍ତ୍ତୃପକ୍ଷ ଅବା ଦେଖଣାହାରୀ କାହାକୁ ଗଳିତ ଶବ ଉପରେ କପଡ଼ା ଖଣ୍ଡେ ଢାଙ୍କିବା ବିବେକ ବି ଜାଗେ ନାହିଁ।

ଲୋକେ ଥୁ ଥା କରନ୍ତି। ବ୍ୟାଙ୍କ, ବ୍ୟବସ୍ଥା ଓ ସରକାରଙ୍କୁ ଗାଳି କରନ୍ତି। ଏତିକି ହିଁ ଘଟଣା। ଏହା ପରେ ଯାହା ହେବ ସବୁ ଛଳନା ଓ ନିଜେ ନିଜେ ସୁରକ୍ଷିତ ରହିବାର କୌଶଳ ପ୍ରୟୋଗ ହେବ।

ବ୍ୟାଙ୍କବାବୁ ଗଣମାଧ୍ୟମକୁ ସାକ୍ଷାତକାର ଦେବା ପର୍ଯ୍ୟନ୍ତ ଅନେକ ଘଟଣା ଘଟିଗଲା। କାହାଣୀ ତିଆର କରାଗଲା

ପ୍ରଥମ କାହାଣୀ – ଜିତୁ ମୁଣ୍ଡା ମଦ ପିଇ ବ୍ୟାଙ୍କକୁ ଆସିଲେ। ଭଉଣୀ ଖାତାରେ ଥିବା ଟଙ୍କା ମାଗିଲେ । ବ୍ୟାଙ୍କବାବୁ ଅତୀବ ଭଦ୍ରଭାଷାରେ ଜିତୁ ମୁଣ୍ଡାଙ୍କୁ ବୁଝାଇ କହିଲେ ଯେ ଦୁଇଟି କାଗଜ କିପରି ଅଣାଯାଏ। ସେହି କାଗଜ ଯାଇ ଆଣନ୍ତୁ ମୁଁ ଆପଣଙ୍କୁ ଟଙ୍କା ଦେଇଦେବି।

ଯେହେତୁ ବ୍ୟାଙ୍କ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ ତେଣୁ କୌଣସି ଖାତାଧାରୀ ଅବା ଗରାଖଙ୍କୁ ଅସମ୍ମାନ କରାଯାଏ ନାହିଁ। ଏହା ଅବଧାରିତ।

ଜିତୁ ମୁଣ୍ଡା ତ ମଦ ପିଇଥିଲେ ଅବା କୌଣସି ନିଶା କରିଥିଲେ। ତେଣୁ ରାଗିଯାଇ ବ୍ୟାଙ୍କ ବାବୁଙ୍କୁ ଦୁଇପଦ ଶୁଣେଇ ଭଉଣୀର ଶବ ଧରି ଆସିଲେ।

ଏଇ ଦେଖ; ଭଉଣୀର ମୃତ୍ୟୁ ହୋଇଥିବା ପ୍ରମାଣ।

ମୋବାଇଲର ଦୃଶ୍ୟ ଓ ଏ କାହାଣୀ ଭିତରେ ଥିବା ସମ୍ପର୍କକୁ ସାଧାରଣ ଦର୍ଶକଟିଏ ମଧ୍ୟ ଏହାକୁ ମନଗଢ଼ା କହିବ।

ଛନ୍ଦ ଜାଣି ନ ଥିବା ଆଦିବାସୀ ଲୋକ ଜିତୁ ମୁଣ୍ଡା। ବ୍ୟାଙ୍କ ବାବୁଙ୍କୁ ଗୋଟିଏ ପ୍ରମାଣ ଲୋଡ଼ା ଯେ ଭଉଣୀର ମୃତ୍ୟୁ ହୋଇଛି। ତେଣୁ କାଗଜ ଅପେକ୍ଷା ମାଟି ଭିତରୁ ଭଉଣୀର ଶବ ଉଖାରି ବାବୁଙ୍କୁ ଦେଖେଇଦେଲେ ମିଛ ସଂସାରରେ ମୃତ୍ୟୁର ପ୍ରତ୍ୟକ୍ଷ ପ୍ରମାଣ ପାଇଯିବେ। ଟଙ୍କା ଦେବେ, ବଳଦ କିଣିବ, ଚାଷ କରିବ, ଭାଇଙ୍କୁ ଦେବ, ଯାହାବି କରିବ ବାକି ସଂସାର ଚଳେଇବ।

ଦୁର୍ଭାଗ୍ୟକୁ କେଉଁଝର ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ତେଣୁ ଛଳନା ବି ସତ୍ୟ ପ୍ରତୀତ ହେବା ଆବଶ୍ୟକ। ଜିତୁ ମୁଣ୍ଡା ନିଶା କରିଥିବା କଥା ବିଶ୍ୱାସେ ଯୋଗ୍ୟ ହେବ ନାହିଁ।

ଦ୍ୱିତୀୟ କାହାଣୀ – ଜିତୁ ମୁଣ୍ଡାଙ୍କ ପାଖକୁ ଜଣେ ଯୁବକ ଗଲା। ତାର ଭାଷାରେ ଜିତୁ ମୁଣ୍ଡାମାନେ ଇତର ପ୍ରାଣୀ। ବ୍ୟବସ୍ଥାରେ ଥିବା ଲୋକମାନଙ୍କ ପାଇଁ  ତୁମ ମାନଙ୍କ ମୂଲ୍ୟ ନାହିଁ। ଅଥାନରେ ଭୋଟ ଦେଇ ଭୁଲ ଲୋକ ବାଛିଲୁ ବୋଲି ଏତକ ଦୁଃଖ। ସେମାନେ କାଗଜ ପାଇଁ ଜିଦ କରୁଛନ୍ତି। ତାଙ୍କୁ ମୃତ୍ୟୁର ପ୍ରମାଣ ଦରକାର। ବାବୁ ତ ମଶାଣୀ ଯାଇ ପାରିବେ ନାହିଁ, ତେଣୁ ତୁ ଶବକୁ କାଢି ବ୍ୟାଙ୍କ ଯା’।

ଜିତୁ ମୁଣ୍ଡାଙ୍କୁ ପ୍ରଶ୍ନ କରାଗଲା, ତୋ ସଙ୍ଗେ ଯିଏ ଯୁବକ ଆସିଥିଲେ ସେ କିଏ ?

– ସେ ମୋ ଗାଁ ପିଲା, ମତେ ସାଇକେଲରେ ବସେଇ ବ୍ୟାଙ୍କ ଆଣିଥିଲେ।

ଖଣି ଅଞ୍ଚଳର ଏତକ ଅକଲ ରଖିଥିବା ଯୁବକ ଚାରି ଚକିଆ କି ଦୁଇ ଚକିଆ ଚଢ଼ିବା କଥା। ସାଇକେଲରେ ଆସିବ କିଆଁ ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସତ ଓ ମିଛରେ ଭେତ ରହିଲେ ଜନତା ଧରିଦେବେ।

ଏ କାହାଣୀ ବି କାଟ ଖାଏ !

ତୃତୀୟ କାହାଣୀ – କାହାଣୀ ତିଆରି କରିବା ପାଇଁ ସମୟ କାହିଁ?

ସମଗ୍ର ଦେଶରୁ ଲୋକେ ଥୁ ଥା’ କରିବା ଆରମ୍ଭ କରି ଦେଇଥାନ୍ତି। କାହାଣୀ ଗଢ଼ିବାକୁ ସମୟ କାହିଁ? ଏହି ଦିନ ଏପ୍ରିଲ ୨୯, ଜମା ଟଙ୍କାର ମୂଳସୂଧ ୧୯,୪୦୨ ଟଙ୍କା ନେଇ ବ୍ୟାଙ୍କ ଜିତୁ ମୁଣ୍ଡାଙ୍କ ଘରକୁ ଯାଏ। ତା’ ପରଦିନ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଟଙ୍କା ପହଞ୍ଚେ।

ଅବଶ୍ୟ ପାଖାପାଖି ତିନିମାସ କାଳ ଜିତୁ ମୁଣ୍ଡାଙ୍କ ପାଇଁ ଅପହଞ୍ଚ କାଗଜ ମାନେ ଗନ୍ତବ୍ୟକୁ ପହଞ୍ଚି ଯାଆନ୍ତି ତାଙ୍କ ଅଜାଣତରେ।

ରେଡ଼କ୍ରସରୁ କୋଡ଼ିଏ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ୩୦ହଜାର ଟଙ୍କା ଜିତୁ ମୁଣ୍ଡାଙ୍କୁ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ୩୦ ହଜାର ଟଙ୍କା ପାଇବା ପୂର୍ବରୁ ଜଣେ ଜିତୁ ମୁଣ୍ଡାଙ୍କୁ ପଚାରିଲେ ଏହି କୋଡ଼ିଏ ହଜାର ଟଙ୍କାକୁ କଣ କରିବୁ?

ଜିତୁ ମୁଣ୍ଡା ଉତ୍ତରଦେଲେ ଶୁଦ୍ଧି ହେବି।

ଏତେବେଳେ ତୃତୀୟ କାହାଣୀଟି ଜନ୍ମ ହେଲା। ମାତ୍ର ୧୯,୩୦୦/- ଟଙ୍କା ଲାଗି ଜିତୁ ମୁଣ୍ଡା ଭଉଣୀର ଶବ ଉଖାରିଲେ। ମୁଫତ ଟଙ୍କା କୋଡ଼ିଏ ହଜାର ପାଇଲା ପରେ ଶୁଦ୍ଧି ହେବେ। ଏହାକୁ ଗୋଟିଏ ପ୍ରଶ୍ନ ବୋଲି ବିଚାର କରାଯାଉ। ଜିତୁ ମୁଣ୍ଡା ଆଦିବାସୀ ଲୋକ। ଏଠାରେ ଜିତୁ ମୁଣ୍ଡାଙ୍କୁ ଆଦିବାସୀ ହେବାକୁ ପଡ଼ିବ। କାରଣ ସେ ଶୁଦ୍ଧି ହେବେ। ଏହା ଇଙ୍ଗିତ କରେ ଆଦିବାସୀଙ୍କ କୁସଂସ୍କାର ତାଙ୍କୁ ଗରିବ କରେ। ଆମେ ଯାହାକୁ ପ୍ରଶ୍ନ ବୋଲି ଧରି ନେଇଥିଲୁ ତାହାର ଉତ୍ତର ଏହା ଅଟେ।

ସରକାର ଖଣିଖାଦାନ ଖୋଳି ଚାଉଳ ଭତ୍ତା ଦେଇ ଯେଉଁ ଉନ୍ନତି କରୁଛନ୍ତି ତାହା ବିଫଳ ହେବାର ମୂଳ କାରଣ କୁସଂସ୍କାର। ଆଦିବାସୀ ସମାଜର କୁସଂସ୍କାର।

ଏହି ପ୍ରଶ୍ନକୁ ପ୍ରଶ୍ନକର୍ତ୍ତାଙ୍କୁ ପଚାରିଲେ- ପୃଥିବୀର ପ୍ରଥମ ମଣିଷ ଆଦିବାସୀ। ତାର କାହାଣୀକୁ ଲେଖୁଥିବା ଧାରାର ଆଗଧାଡ଼ିରେ ଜିତୁ ମୁଣ୍ଡା ଚାଲୁଛନ୍ତି। ସେ ଜାଣନ୍ତି ବିଧିର ଇଚ୍ଛାରେ ଭଉଣୀ ମଲା। ଯେଉଁ ଧରତିମାତା ତାକୁ ପାଳିପୋଷି ବଡ଼ କଲା, ତାକୁ କୋଳରେ ଲୁଚେଇଲା। ଆଇନଗତ କାରଣ ବ୍ୟତୀତ କୌଣସି ଆଦିବାସୀ ପୋତିଲା ଶବକୁ କାଢ଼ି ନାହିଁ। ପିଦରକୁ ଛୁଇଁବା ପୂର୍ବରୁ ଦୁବଦୁଧରେ ପବିତ୍ର ହେବା ଆବଶ୍ୟକ। ଏହା ଯଦି ଅନ୍ଧବିଶ୍ୱାସ ତା ହେଲେ ଜଗତର ପାପ ଧୋଇ ଧୋଇ ମଇଳା ହୋଇଯାଇଥିବା ଗଙ୍ଗାଙ୍କ ପାଇଁ ହଜାର ହଜାର କୋଟିର ନମାମୀ ଗଙ୍ଗେ କାହିଁକି? ଅନ୍ଧବିଶ୍ୱାସ କେବଳ ଆଦିବାସୀଙ୍କ ପାଇଁ ?

ଏହାପରେ ମୁଖ୍ୟମନ୍ତ୍ରଙ୍କ ଟଙ୍କା ୩୦ହଜାର ପହଞ୍ଚେ। ଆଗକୁ ମଧ୍ୟ କିଏ କି ପ୍ରକାର ସହଯୋଗ ଆସୁଛି, ଲକ୍ଷର ଆକାରରେ। ଏହାପରେ ଚତୁର୍ଥ କାହାଣୀ ଲେଖା ହେବ।

ବ୍ୟାଙ୍କ ତା ବାଟରେ ଯିବ, ସରକାର ତା ବାଟରେ ଯିବ, ଜିତୁ ମୁଣ୍ଡା ବି ନିଜ ତେଲ ଲୁଣର ସମୁଦ୍ରରେ ଡଙ୍ଗା ବାହିବେ।

କେଉଁଝର ଜିଲ୍ଲା ! ଖଣି ଖନନରୁ ସରକାର ଯେତିକି ଟିକସ ପାଆନ୍ତି ତାର ଦୁଇ ପ୍ରତିଶତ ଟଙ୍କା ନେଇ ସରକାର ଜିଲ୍ଲା ଖଣି କୋଷ ଗଠନ କରିଛନ୍ତି। ପ୍ରତିବର୍ଷ ଟଙ୍କା ଜମା ହୁଏ ଜିଲ୍ଲା ଖଣିକୋଷରେ। ଯାହା ୨୦୨୪-୨୫ ଆର୍ଥିକ ବର୍ଷରେ ୧୬୯୨.୯ କୋଟି ଟଙ୍କା ଜମା ହୋଇଛି। ଖର୍ଚ୍ଚବାର୍ଚ୍ଚ ବାଦ ଏବେ ବି ଖଣି କୋଷରେ ୧୩,୧୫୪.୬ କୋଟି ଟଙ୍କା ଜମା ଅଛି। ଏପଟେ ଜିତୁ ମୁଣ୍ଡାମାନଙ୍କୁ ୧୯୩୦୦ ଟଙ୍କା ପାଇଁ ମାଟିକୁ ସମର୍ପି ଦେଇଥିବା ଶବ ଉଖାରିବାକୁ ପଡେ।

ମୁଖ୍ୟମନ୍ତ୍ରୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି। ତଦନ୍ତ ସାରାଂଶ ଏହିପରି;

ବ୍ୟାଙ୍କକୁ ଆଠଥର ଜିତୁ ମୁଣ୍ଡା ଯାଇଛନ୍ତି। ତାଙ୍କୁ ଉଚିତ ବ୍ୟବହାର ଦିଆ ଯାଇନାହିଁ। ଅନ୍ୟ ପ୍ରକାରେ ବ୍ୟାଙ୍କର ବ୍ୟବହାର ଓ ପାରିପାର୍ଶ୍ୱୀକ ଘଟଣା ତାଙ୍କୁ ଶବ ଉଖାରିବା ଭଳି ଅଶୃତ ଘଟଣା କରିବାକୁ ବାଧ୍ୟ କଲା । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭଳି ପୋଲିସ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତହସିଲଦାରଙ୍କୁ ମଧ୍ୟ ଆରଡିସି ଦାୟି କରିଛନ୍ତି।

ପୋଲିସର ଗାଡି ଥିଲେ ବି ବ୍ୟାଙ୍କରୁ ଶବକୁ ମଶାଣୀକୁ ଚାଲି ଚାଲି ତିନି କିଲୋମିଟର ବୋହି ନେଲେ।

ବ୍ୟାଙ୍କ କର୍ମଚାରୀ ସଂଘ ତଦନ୍ତ ବିରୋଧରେ ମତ ଦେଇଛନ୍ତି। ଯଦି ସଂପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତାହେଲେ ସଂଘ ଆନ୍ଦୋଳନ କରିବ।

ଜିତୁ ମୁଣ୍ଡାଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକେ ସହଯୋଗ କରୁଛନ୍ତି।  ସହଯୋଗ ରାଶି ଲକ୍ଷ ଲକ୍ଷ ଟଙ୍କାକୁ ଜିତୁ ମୁଣ୍ଡା ସଂପୃକ୍ତ ବ୍ୟାଙ୍କରେ ଜମା ରଖୁଛନ୍ତି। ନୂଆଁଖାତା ତାଙ୍କ ନାମରେ ଖୋଳା ଯାଇଛି।

ଯୋଜନା ହେବ। କାହାଣୀ ହେବ। ଲୋକେ ଭୁଲି ଯିବେ। ସରକାରୀ ଭିତରେ କାଗଜମାନେ ଉଡୁଥିବେ। ଆଉ ଜଣେ ଜିତୁ ମୁଣ୍ଡା ମଶାଣୀରେ ଶବ ଉଖାରିବା ପର୍ଯ୍ୟନ୍ତ କାହାଣୀମାନେ ବିଶ୍ରାମ ନେବେ ଯେମିତି ଦାନ ମାଝୀଙ୍କ ଶବ ବୁହା ଘଟଣାରେ ହୋଇଥିଲା।