
ସୁଭାଷ ସହାରେ, ପିତା- ସ୍ଵ. ରମେଶ ସହାରେ, ନି- ବେହେରାମାଲ, ଜି. ଝାରସୁଗୁଡ଼ା
ବୁଦ୍ଧଙ୍କ ସଂଙ୍ଘମ ଛାୟାରେ ମାନସ ଅନୁଷ୍ଠାନ ଟିଏ ଗଢ଼ନ୍ତି ‘ମାନବ ସେବା ସଂଘ’। ବାପାଙ୍କ କଥା ରଖି ସେବାକୁ ନିଜର ଧର୍ମ କରି ନେଇଥିଲେ। ବାପା ବେହେରାମାଲ ପୋଖରୀରୁ ସ୍ନାନ ସାରି ଶିବଲିଙ୍ଗରେ ପାଣି ଢ଼ାଳନ୍ତି। ଯେଉଁଦିନ ରୋଜଗାରକ୍ଷମ ହେଲେ ଗୋଟିଏ ଶିବ ମନ୍ଦିର ତୋଳାଇ ଦେଲେ।
ଝାରସୁଗୁଡ଼ା ସହର ସାରା ନିଜର ସାଧ୍ଯମତେ କାମ କରିଛନ୍ତି। କେଉଁଠି ମଣ୍ଡପ ମରାମତି ତ କେଉଁ ସରକାରୀ କାର୍ଯ୍ୟାଳୟରେ ବୃକ୍ଷରୋପଣ, ସୌନ୍ଦର୍ଯ୍ୟକରଣ ଆଦି କାମ କରିବେ।
ଖେଳରେ କିଏ ପାରଦର୍ଶୀତା ଦେଖାଇଲା ତା ପାଖକୁ ଅତିକମ ଦୁଇ ସେଟ ଉପକରଣ ଧରି ପହଞ୍ଚିବେ। କେଉଁ ମେଧାବୀ ଛାତ୍ରଛାତ୍ରୀ ପଢ଼ି ପାରୁ ନଥିବ ତା ପାଖକୁ ପାଠ୍ୟ ଉପକରଣ ଓ ପୋଷକ ଧରି ପହଞ୍ଚିବେ ସମସ୍ତ ପାଠଖର୍ଚ୍ଚ ନିଜେ ବହନ କରିବେ। ରାଜନେତା, କଳାକାର, ଶିକ୍ଷକ, ଯୁବ ଉଦ୍ଦ୍ୟମୀ, ଅନେକ ପ୍ରତିଭାଙ୍କୁ ସମ୍ଭ୍ରାନ୍ତିୟ ସଭାର ଆୟୋଜନ କରି ସମ୍ମାନିତ କରିବେ।
ଚିକିତ୍ସିତ ହେଇପାରୁ ନଥିବା ଅନେକ ଗରିବଙ୍କୁ ଚିକିତ୍ସା ସେବା ଖର୍ଚ୍ଚ ଯୋଗାଇଛନ୍ତି। ଅନେକ ଲୋକର ଚିକିତ୍ସା ଲକ୍ଷାଧିକ ଟଙ୍କା ବ୍ୟୟକରି କରେଇଛନ୍ତି। କେବଳ ଝାରସୁଗୁଡ଼ା ନୁହେଁ ସଂଲଗ୍ନ ଜିଲ୍ଲା ଅଞ୍ଚଳର ଗରିବ ତାଙ୍କର ସେବା ପାଇଛନ୍ତି।
କୌଣସି କାର୍ଯ୍ୟାଳୟକୁ ଯିବେ ଅଧିକାରୀଙ୍କ ଚୌକି ଖରାପ ଥିଲେ ବଜାରରୁ ଉଚ୍ଚମାନର ଚୌକିଟିଏ ପଠେଇ ଦେବେ।
ଟ୍ରାଫିକ ଭାଇ ଭଉଣୀ ଖରାରେ ଖଟି ସହରକୁ ସେବା ଦେଉଛନ୍ତି ତାଙ୍କ ପାଇଁ ଟାବଲ, ପାଣି ବୋତଲ, ଜୋତା, ଚଷମା ଆଦି ଉପହାର ଦେବେ। ମେହେନ୍ତର ଭାଇ ଭଉଣୀଙ୍କ ପାଇଁ ଲୁଗା, ଜୋତା, ତାଙ୍କ ପିଲାଙ୍କ ପାଠ୍ୟ ଉପକରଣ ନେଇ ତାଙ୍କ ଘରକୁ ପହଞ୍ଚିବେ।
ଖବରକାଗଜରୁ ପଢିବେ ବୌଦ୍ଧ ଜିଲ୍ଲାର ଅନ୍ଧାର ଗାଁ କଥା; ସୋଲାର ଲାଇଟ ନେଇ ଗାଁରେ ଲଗେଇବେ।
କଳାହାଣ୍ଡିର ଦାନ ମାଝୀ ସ୍ତ୍ରୀକୁ କାନ୍ଧରେ ବୋହି ଘରକୁ ନେବାର ଦୃଶ୍ୟ ବିଚଳିତ କରିବ ତାଙ୍କୁ। ଦାନ ମାଝୀ ନିଜ ଘରକୁ ପହଞ୍ଚିବ ସ୍ତ୍ରୀଙ୍କ ମାଟିରୁ। ତା ସହ ସୁଭାଷ ବାବୁଙ୍କ ସହଯୋଗ ରାଶି। ତାପରେ ପରେ ପହଞ୍ଚିବ ସାରା ବିଶ୍ଵରୁ ଅନୁଦାନ ଦାନ ମାଝୀ ନିକଟକୁ।
ପାଟଣାଗଡ଼ ଶ୍ରୀମତୀ ମେମ ତଅଁଲା ନିଜ ପୁଅ ବିପକ୍ଷରେ ବୟାନ ଦେବେ। ସୁଭାଷ ବାବୁ ଜାଣିବେ ମହିଳା ଜଣକ ନିଜର ରୋଜଗାରିଆ ପୁଅ ବିପକ୍ଷରେ ବୟାନ ଦେଇ ନାତିନାତୁଣୀ ସହ କଷ୍ଟରେ ରହୁଛି। ତା ନିକଟକୁ ଟଙ୍କା ପଠେଇବେ; ଏ ଟଙ୍କାରେ ପରିବା ବ୍ୟବସାୟ କରି ପରିବାର ଚଲା।
ବଲାଙ୍ଗିର ନୂଆପଡ଼ାର ଗରିବଙ୍କୁ କମ୍ବଲ ଛତା ଚପଲ ବାଣ୍ଟିବେ।
ସୁନାବେଡ଼ା ଅଭୟାରଣ୍ୟ ଭିତରେ ସିବିଡ଼ିଏ ଟଙ୍କା ଆତ୍ମସାତ ହୋଇଛି। ସେ କହିବେ ଝରଣା ପାଣିକୁ ଚାଷ ପାଇଁ ବ୍ୟବସ୍ଥିତ କଲେ କେତେ ଖର୍ଚ୍ଚ ହେବ। ପାଞ୍ଚବର୍ଷର ଅନୁଦାନରେ ହେଇଯିବ। ଯୋଜନା ଚାଲିବ।
ବୈଷୟିକ ତାଲିମ ଦେଇ କୁଟୀର ଶିଳ୍ପ ସ୍ୱାବଲମ୍ବି କରିବାପାଇଁ ବିଦ୍ୟାଳୟ ଖୋଳା ହେବ। ପାର୍ବତୀ ଏଭୋକେସନ। ସମ୍ୱଳ ଅଭାବରୁ କୋଡ଼ିଏ ଜଣ ଛାତ୍ରଙ୍କୁ ନେଇ ବିଦ୍ୟାଳୟ ଆରମ୍ଭ ହେବ।
ବ୍ୟବସାୟୀ ହେଲେବି ସାମ୍ବାଦିକତା ତାଙ୍କର ନିଶା। ଜଣେ ନିଷ୍ଠାବାନ ସାମ୍ବାଦିକ ଭାବରେ ସେ ଲୋକଙ୍କ ଦୁଃଖ ବୁଝିବେ ଏବଂ ତାର ମୋଚନ କରିବେ। ନିଜ ରୋଜଗାରରୁ।
ଏ ସମସ୍ତ କାମ ହେବ ‘ମାନବ ସେବା ସଂଘ’ ବେନର ତଳେ । ବର୍ତ୍ତମାନ ଝାରସୁଗୁଡାର ଅନେକ ମୂର୍ଦ୍ଧଣ୍ଯ ସଂଘ ସଦସ୍ୟ।
ଝାରସୁଗୁଡ଼ା ବିଚାର ଏକ ସମ୍ଭ୍ରାନ୍ତ ପତ୍ରିକା ପ୍ରକାଶ ପାଇବ ତାଙ୍କ ସମ୍ପାଦନାରେ। ପତ୍ରିକାରେ ଲୋକଙ୍କ ଦୁଃଖ ସୁଖର କଥା।
ନୋଟବନ୍ଦୀ ତାଙ୍କୁ ବେଶ୍ କ୍ଷତିରେ ପକାଏ। ପ୍ରକାଶନ ବନ୍ଦ ହୁଏ। ସେବା ଚାଲୁ ରହେ।
କିଛିଦିନ ତଳେ ସୁଭାଷ ସହାରେଙ୍କୁ ଜର ହୁଏ। ଥଣ୍ଡା ବି। ପରୀକ୍ଷା କରାନ୍ତି। ଦୁଇଟି ପରୀକ୍ଷାରେ କୋଭିଦ ମୁକ୍ତ ଜଣା ପଡ଼ନ୍ତି। କୋଭିଦ ଆକ୍ରାନ୍ତ ଥାଇ ମଧ୍ୟ ତାଙ୍କର ବନ୍ଧୁ ବାଧ୍ଯ କରାନ୍ତି ସିଟି ସ୍କାନ ପାଇଁ । ଏହାପରେ ସେ ଜାଣନ୍ତି କୋଭିଦ ଆକ୍ରାନ୍ତ ବୋଲି।
କିନ୍ତୁ ଜିଲ୍ଲା ଡାକ୍ତରଖାନାର ନିୟନ୍ତା ମାନେ କହନ୍ତି ଆମ ପରୀକ୍ଷାରେ ଯେହେତୁ ସେ ନେଗେଟିଭ ତେଣୁ ତାଙ୍କୁ କୋଭିଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପାରିବ ନାହିଁ।
ସୁତରାଂ ତାଙ୍କ ଯନ୍ତ୍ରର ଅନୁମତି ବିନା ସୁଭାଷ ସହାରେ କୋଭିଦ ଚିକିତ୍ସାଳୟର ଲକ୍ଷ୍ମଣଗାର ଡେଇଁ ପାରିବେ ନାହିଁ। ତାଙ୍କୁ ଘରକୁ ପଠେଇ ଦିଆଯାଏ। ରାଜନୈତିକ ହସ୍ତକ୍ଷେପ ପରେ ରାତି ୧୧ଟାରେ ବଡ଼ବଡ଼ ସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲା ଚିକିତ୍ସାଳୟ ନିଅନ୍ତି। କିନ୍ତୁ କୋଭିଦ ଡାକ୍ତରଖାନା ନୁହେଁ? ଏ ପ୍ରଶ୍ନର ଉତ୍ତର ଲକ୍ଷ୍ମଣଗାର ପରି ଅବୋଧ୍ଯ।
ବିଶ୍ୱାୟନ ସହର ସିନା କରିଦେଇଛି କିନ୍ତୁ ଝାରସୁଗୁଡ଼ା ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦାବି କରୁଥିବା ଏକ ସାଂସ୍କୃତିକ ନଗରୀ ଟିଏ | ଏହାର ଆତ୍ମା ସେ କିମ୍ଵଦନ୍ତି ମାନଙ୍କ ନିରୀହ ଆତ୍ମାଟିଏ। ଦ୍ୱିତୀୟ ବିଶ୍ଵଯୁଦ୍ଧ ରେ ବିମାନବନ୍ଦର। ରେଳପଥର ପ୍ରବେଶଦ୍ଵାର । ମହାତ୍ମା ଗାନ୍ଧୀ ଦୁଇ ରାତି ବିତେଇଥିବାର ସହର। ସେ ପ୍ରାଚୀନ ସହରର ଆତ୍ମା ଏବେ ବି ବଞ୍ଚିଛି। ପରସ୍ପର ଭାତୃତ୍ଵ ଭାବ ନେଇ କାଳୀମନ୍ଦିର ଚଣ୍ଡି ମନ୍ଦିର ଝାଡ଼େଶ୍ଵର ମନ୍ଦିର ପ୍ରତି ଯେଉଁ ସମ୍ଭ୍ରମତା ଐତିହାସିକ ମସଜିଦ-ଏ-ହଦିଦ ପ୍ରତି ତଦୃପ। ଖଣି କାରଖାନାର ଧୂଆଁରେ, ଜଙ୍ଗଲ ପଦା କରିବା କୃରତାରେ ଓ ବାରମ୍ଵାର ଆଶପଣ୍ଡ ଭାଙ୍ଗି କ୍ଷାର ବନ୍ୟା ହେଲେବି ସହରର ଭାତୃତ୍ଵ ଅମଳିନ ରହିଛି।
ସୁଭାଷ ସହାରେଙ୍କୁ ଦ୍ୱିତୀୟ ଥର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାନ୍ତି। ଏ ଭିତରେ ବନ୍ଧୁମାନେ ଭୂବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରନ୍ତି।
କାଳରାତ୍ରୀ ପହିଯାଉ ସକାଳୁ ଭୂବନେଶ୍ଵର ନେବା। ଝାରସୁଗୁଡ଼ାର ସ୍ୱାସ୍ଥ୍ୟ ପ୍ରଶାସନ ଉପରେ ସମସ୍ତଙ୍କ ଭରସା ତୁଟିଯାଏ। କିନ୍ତୁ ସୁଭାଷ ସହାରେଙ୍କ ପାଇଁ ରାତି ପାହେ ନାହିଁ। ପତ୍ନୀ ଓ ଦୁଇ ପୁଅଙ୍କୁ ଅନାଥ କରି ସେ ଚାଲିଯାନ୍ତି ଆରପାରିକୁ । ନିଜ ହାତରେ ଗଢ଼ିଥିବା ନିଜ ପୃଥିବୀକୁ ଶୂନ୍ୟ କରି ।
ତାଙ୍କ ମର ଶରୀରକୁ ବିନା ସୁରକ୍ଷାରେ ଘରକୁ ପଠେଇ ଦିଆଯାଏ। ପରେ ଆସନ୍ତି ଜବାବଦାର ରଖିଥିବା ଉଚ୍ଚ ଅଧିକାରୀଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ । ପିପିଇ, ସୁରକ୍ଷା କିଟ ଦେଇ ଶବ ସଂସ୍କାର ପାଇଁ କହନ୍ତି।
ମାନବ ସେବାସଂଘ ନିଜର ‘ମୁକ୍ତିପଥ’ କାର୍ଯ୍ୟକ୍ରମରେ ଅନେକ ଅନାଥ ଶବଙ୍କୁ ସତ୍କାର କରିଥିବା ସୁଭାଷଙ୍କ ମରଶରୀର ଯେମିତି ନ୍ୟାୟରୁ ବଞ୍ଚିତ ହୋଇଗଲା।
ସ୍ୱାସ୍ଥ୍ୟ ବିଭାଗ ଏଠାରେ କାହିଁକି ତାଙ୍କ ସ୍ୱାସ୍ଥ୍ୟଶାସ୍ତ୍ର ସମ୍ମତ କାମ କଲା? ପ୍ରଥମରୁ କାହିଁକି ତାଙ୍କୁ କୋଭିଦ ହସପିଟାଲ ନିଆଗଲା ନାହିଁ? କାହିଁକି ଏ ଦ୍ୱେତଦ୍ଵନ୍ଦ ?
ବାଶ୍ ସୁଭାଷ ସହାରେଙ୍କ ଜୀବନ କାହାଣୀ ଏତିକି ! କିନ୍ତୁ ତାଙ୍କର ମୃତ୍ୟୁ କାହାଣୀ ଓଡ଼ିଶା ସାମ୍ବାଦିକଙ୍କ ମନରେ ପ୍ରଶ୍ନଟିଏ ତିଆରିପାରିବା କ୍ଷମତା ରଖିଛି? ସୁଭାଷ ସହାରେଙ୍କ ଏହି ମୃତ୍ୟୁ ଯୁକ୍ତିଯୁକ୍ତ କି? ଗ୍ରହଣଯୋଗ୍ୟ କି ?
ତାହା ବି ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନାକ ତଳେ!
Leave a Reply