ବ
ଵଙ୍ଗୋମୁଣ୍ଡା ବ୍ଲକର ବିରାଟ ମାଝୀ; ସରକାରଙ୍କ ଅନୁଦାନରୁ ଛେଲି ଗୁହାଳ ପାଇଲେ। ଛେଲି ଚାଷକରି ସେ ପରିବାର ପ୍ରତିପୋଷଣ କରି ପାରନ୍ତି। ସରକାରଙ୍କ କୃପାଦୃଷ୍ଟି ପଡିଲା ପରେ ଗୁହାଳ ତିଆରିଲେ। ତାଙ୍କ ପାଉଣା ପାଇଲେ ନାହିଁ। ଛଡ଼ ସିମେଣ୍ଟ ବାଲି ଆଦି ପାଇଁ ବାକିଆ ରହି ଯାଇଥିଲା। ମହାଜନୀ ଋଣ କରି ବାକିଆ ଶୁଝିଲେ। ସରକାରୀ ପାଉଣା ଆସିଲା ନାହିଁ। ସେ ହିସାବ କଲେ ସରକାର ବର୍ଷେରୁ ଅଧିକ ହେବ କାମ ସରିଥିଲେ ବି ଟଙ୍କା ଦେଲେ ନାହିଁ। ମୂଳସୂଧ ମିଶି ଯାହା ବି ହୋଇଛି ତାକୁ ପରିଶୋଧ କଲେ ସମସ୍ତ ଛେଲି ବିକିବାକୁ ପଡିବ। ଏଥକୁ ଉପାୟ କଣ?
ସ୍ତ୍ରୀ ଓ ଝିଅ ଦାଦନ ଗଲେ ଆଗ୍ରିମ ଟଙ୍କାରେ ଋଣଭାର ଲାଘବ ହେବ ! ସେ ତାହାହିଁ କଲେ।
ଜିଲ୍ଲା ପ୍ରଶାସନ ନିଜର ‘ମିଶନ ଉଦ୍ଧାର’ କାର୍ଯ୍ୟକ୍ରମରେ ସାମିଲ ଥିବା କର୍ମଚାରୀଙ୍କ ହାବୁଡ଼ରେ ନପଡି ପ୍ରବାସକୁ ପହଞ୍ଚି ଗଲେ ମା ଝିଅ।
ଏପଟେ ପ୍ରଶାସନ ଶହଶହ ଦାଦନକୁ ଅଟକାଉ ଥାନ୍ତି। କଣ୍ଟାବାଞ୍ଜି ସହରର ଗୋଟିଏ ଲଜରୁ ଏକ କୋଟି ଆଠଲକ୍ଷ ଟଙ୍କା ଥାନାକୁ ପହଞ୍ଚୁ ପହଞ୍ଚୁ ଅଧା ବିଳିନ ହୋଇଗଲା। ଟଙ୍କା ଗଣିବାକୁ ବିଶେଷଜ୍ଞ ଦଳର ଆବଶ୍ୟକତା ପଡ଼ିଥିବା ଘଟଣା ଦାଦନ ବଜାରର ଭିଡରେ ହଜି ସାରିଥିଲା।
ବିରାଟ ମାଝୀ ଦାରିଦ୍ର୍ୟ ଉନ୍ମୁଳନର ବିରାଟ ସୌଧକୁ ଫୁ.. କରିଦେଲା। ଏପଟେ ଓଡ଼ିଶା ସରକାର କହିଲେ ବିରାଟ ମାଝୀ ମୁଣ୍ଡରେ ୩୪, ୨୫୯ ଟଙ୍କା ଋଣବୋଝ। ଏହାପରେ ରାଷ୍ଟ୍ରୀୟ ୠଣ ବାକି ଅଛି। ବ୍ୟକ୍ତିଗତ ଋଣବୋଝରୁ ମୁକୁଳିବା ପାଇଁ ଥରେ ଦାଦନ ଗଲା। ସଚ୍ଚା ଦେଶଭକ୍ତ ହେବାପାଇଁ କେତେଥର ଦାଦନ ଯିବ? ତାହା ବି ସେ ସମୟରେ ଯେତେବେଳେ ତା ଜାତିରୁ ଜଣେ ରାଜ୍ୟସଭାକୁ ଯାଇଛନ୍ତି ଓ ଅନ୍ୟ ଜଣେ ଦେଶର ପ୍ରଥମ ନାଗରିକ !
Leave a Reply