ଦାଦନ କଥା : ଜୁଆଙ୍ଗ

କେଉଁଝର ଜିଲ୍ଲାର ଆଦିମ ଅଧିବାସୀ ଜୁଆଙ୍ଗ। ଓଡ଼ିଶାରେ ୧୩ ପିଭିଟିଜି (Particularly vulnerable tribe group) ମଧ୍ୟରୁ ଜୁଆଙ୍ଗ ଜନଜାତି ଅନ୍ୟତମ।
ଭେରିୟର ଏଲଞ୍ୱିନ ଜଣେ ନୃତତ୍ତ୍ୱବିଦ ଯିଏ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ଓଡ଼ିଶାର ଆଦିବାସୀଙ୍କ ଉପରେ ସେ ଅଧ୍ୟୟନ କରିଥିଲେ। ୧୮୭୨ ମସିହାରେ ଜୁଆଙ୍ଗ ଜନଜାତି ବିଷୟରେ ତାଙ୍କର ଲେଖରେ ଜୁଆଙ୍ଗ ଜନଜାତି ବିଷୟରେ ପ୍ରଥମ ଉଲ୍ଲେଖ ଦେଖିବାକୁ ମିଳେ। ପରବର୍ତ୍ତି ସମୟରେ ୧୯୭୨ ମସିହାରେ ଇ ଟି ଡାଲଟନ ଜୁଆଙ୍ଗଙ୍କୁ କେଉଁଟରର ମୂଳନିବାସୀ ବୋଲି ଉଲ୍ଲେଖ କରନ୍ତି। ୧୮୯୧ ମସିହାରେ ଏଚ ଏଚ ରିସଲେ ଜୁଆଙ୍ଗ ଭାଷା, ସଂସ୍କୃତି, ସାମାଜିକ ଜୀବନ ଓ ଅର୍ଥନୀତି ଉପରେ ଆଲୋକପାତ କରିଥିଲେ। ୧୯୩୦ ମସିହାରେ ଏନ କେ ବୋଷ, ୧୯୬୯ ମସିହାରେ ଶିବ ପ୍ରସାଦ ରାଉତ ଅଧ୍ୟୟନ କରିଥିଲେ। ୨୦୦୮ ମସିହାରେ ଏ ବି ଓତା ଓ ଏ ସି ସାହୁଙ୍କ ଅଧ୍ୟୟନ ମଧ୍ୟ ଉଲ୍ଲେଖନୀୟ ଅଟେ। ୧୯୪୨ ମସିହାରେ ଏଲଞ୍ୱିନ ଜୁଆଙ୍ଗ ଜନଜାତି ଉପରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲେ।
ଜନଗଣନାରେ ୧୮୯୧ ମସିହାରେ ପ୍ରଥମ କରି ଜୁଆଙ୍ଗ ଜନଜାତିଙ୍କ ଜନଗଣନା ହୁଏ। ଯେଉଁଥିରେ ଏହି ଜନଜାତିର ସଂଖ୍ୟା ୯,୧୭୩ ଉଲ୍ଲେଖ ଅଛି। ବର୍ତ୍ତମାନ ୨୦୧୧ ଜନସଂଖ୍ୟା ଅନୁସାରେ ଜୁଆଙ୍ଗ ଜନସଂଖ୍ୟା ୫୦,୫୩୩ ବୋଲି ଦର୍ଶାଯାଇଛି। ୧୯୨୧ ଏବଂ ୧୯୪୧ ଜନସଂଖ୍ୟା ପୂର୍ବ ଗଣନା ଅନୁପାତରେ କମ ଜନସଂଖ୍ୟା ଦେଖା ଯାଇଥିଲା। ୧୯୧୮ ମସିହାରେ ଇନଫ୍ଲୁଏନଜା କାରଣରୁ ଜନସଂଖ୍ୟା କମି ଥିବାର କୁହାଯାଏ।

ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରୁଥିବା ଜୁଆଙ୍ଗ ଜନଜାତି ନିଜର ସାଂସ୍କୃତିକ ଜୀବନ ଉପରେ ଅଧିକ ନିଷ୍ଠା ଦେଖାଇଥାନ୍ତି। କୃଷି ପାଇଁ ପୋଡୁଚାଷ ଉପରେ ନିର୍ଭର କରନ୍ତି। ନୃତତ୍ତ୍ବବିଦଙ୍କ ମତରେ ପ୍ରାଚୀନ ଭାରତୀୟ ଜୀବନଧାରାର ଜୀବନ୍ତ ଉଦାହରଣ ଭାବେ ଜୁଆଙ୍ଗ ଜନଜାତିଙ୍କୁ ନେଇଥାନ୍ତି। ମୁଖ୍ୟତଃ କେଉଁଝର ଜିଲ୍ଲାର ପାହାଡିଆ ଅଞ୍ଚଳ ତାଙ୍କର ମୂଳ ନିବାସ ଅଟେ। ବର୍ତ୍ତମାନ ସଂଲଗ୍ନ ଜିଲ୍ଲାରେ ତାଙ୍କର ଅବସ୍ଥିତି ଦେଖାଯାଏ।
ଗୋଣ୍ଡ ତଥା ଅନ୍ୟ ଆଦିବାସୀ ସମାଜ ଭଳି ଜୁଆଙ୍ଗ କୂଳ ବା ଗୋତ୍ର କୁ ନେଇ ନିଜର ପରିଚୟ ଓ ସାମାଜିକ ସମ୍ବନ୍ଧ ରଖିଥାନ୍ତି। ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ ପତ୍ର କୁ ବସ୍ତ୍ର ଆକାରରେ ବ୍ୟବହାର କରୁଥିବା ଯୋଗୁଁ ତାଙ୍କ ଉଲ୍ଲେଖ leaf wearing Tribe ଭାବରେ ମଧ୍ୟ କରାଯାଇଥିବା ଦେଖାଯାଏ। ଜୁଆଙ୍ଗଙ୍କ ସମସ୍ତ କାର୍ଯ୍ୟ ଗ୍ରାମସଭା ମାଧ୍ୟମରେ କରା ଯାଉଥିବା ଦେଖାଯାଏ। ତାଙ୍କର ସଶକ୍ତ ସାମାଜିକ ଜୀବନ ଗୋଟିଏ ଅନନ୍ୟ ଉଦାହରଣ ଅଟେ। ଜୁଆଙ୍ଗ ଏକ ସ୍ୱତନ୍ତ୍ର ଭାଷା ଅଟେ। ଭାଷା ବିଜ୍ଞାନୀଙ୍କ ମତରେ ମୁଣ୍ଡା ଭାଷା ପରିବାର ଅନ୍ତର୍ଗତ ଏହି ଭାଷାରେ ମୌଖିକ ସାହିତ୍ୟ ବାଦ ଲିଖିତ ସାହିତ୍ୟ ନାହିଁ କହିଲେ ଚଳେ।
୧୮୬୫ ମସିହାରେ ପ୍ରଥମ କରି ଜଙ୍ଗଲ ଆଇନ ଲାଗୁହୁଏ। ୧୮୭୮ ମସିହାରେ ଜଙ୍ଗଲକୁ ରିଜର୍ଭ, ସଂରକ୍ଷିତ ଓ ଗ୍ରାମ୍ୟ ତିନି ଭାଗ କରାଗଲା। ଏହା ପରଠାରୁ ଜଙ୍ଗଲ ଉପରେ ନିର୍ଭର କରୁଥିବା ସମସ୍ତଙ୍କ ଉପରେ ପ୍ରଭାବ ପଡିଲା। ଜୁଆଙ୍ଗ ଜନଜାତି ବେଶ ପ୍ରଭାବିତ ହେଲେ। ଏହାପରେ ସେପ୍ଟେମ୍ବର ୯, ୧୯୨୭ ରୁ ସଂଶୋଧିତ ଜଙ୍ଗଲ ଆଇନ ଲାଗୁହଲା। ଯାହା ବର୍ତ୍ତମାନ ମଧ୍ୟ ମୂଳ ରୂପରେ ପ୍ରଚଳିତ ଅଛି। ଏହି ଦିନରୁ ଲୋକଙ୍କ ଜଙ୍ଗଲ ଅର୍ଥନୀତି ସମ୍ପୂର୍ଣ୍ଣରୂପେ ପ୍ରଭାବିତ ହେଲା। ବନ ଅଧିକାର ଆଇନ ୨୦୦୬ ଲାଗୁହେଲା। ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଏଥି ମଧ୍ୟରେ ଖଣି ଯୋଗୁଁ ଜୁଆଙ୍ଗ ସମେତ ଅନେକ ପ୍ରଭାବିତ ହୋଇ ସାରିଥିଲେ। ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃସ୍ଥାପନ ଆଇନ-୨୦୧୩ ପରେ ମଧ୍ୟ ଜୁଆଙ୍ଗ ଙ୍କ ସ୍ଥିତିରେ ପରିବର୍ତ୍ତନ ଆସି ନାହିଁ।
ଜୁଆଙ୍ଗ ଙ୍କ ସ୍ଥିତି ଆଲୋଚନା ବେଳେ ଖଣି ବିଷୟକ ଚର୍ଚ୍ଚା ମଧ୍ୟ ଆବଶ୍ୟକ ହୋଇଥାଏ। ୧୯୫୬ ମସିହାର ଭୂତତ୍ତ୍ଵ ସର୍ଭେ GSI ରେ କେଉଁଝର ଅଞ୍ଚଳର ବିରାଟ କ୍ଷେତ୍ରରେ ଲୁହାପଥର ଗଚ୍ଛିତ ଥିବା ଜଣାପଡେ। ୧୯୬୦ ମସିହାରୁ ୧୯୭୫ ମଧ୍ୟରେ ଜୋଡ଼ା – ବଡ଼ବିଲ ଅଞ୍ଚଳରେ ବଡଧରଣର ଖନନ କରାହୁଏ। ୧୯୭୬ ରୁ ୧୯୯୦ ମସିହା ମଧ୍ୟରେ ଅନେକ ବେସରକାରୀ ଖଣିପଟ୍ଟା ଦିଆଯାଏ। ୧୯୯୦ ମସିହାରେ ବିଶ୍ୱାୟନ ଲାଗୁହୁଏ। ସ୍ଥାନୀୟ ଅଧିବାସୀ ପ୍ରଭାବିତ ହୁଅନ୍ତି। ପ୍ରତିରୋଧ ମଧ୍ୟ ହୁଏ; ଫଳ ସେତେ ଅନୁକୂଳ ନଥିଲା। ଅନ୍ୟ ଜନ ଆନ୍ଦୋଳନ ଭଳି ଅନେକ କୌଶଳ ଆଇନ ଆଦିର ପ୍ରୟୋଗରେ ବିସ୍ଥାପନ କରାଗଲା।
ଉତ୍କଳ ବିଶ୍ଵବିଦ୍ୟାଳୟର ଗୋଟିଏ ଅଧ୍ୟୟନ କହେ ବାଂଶପାଲ ବ୍ଲକର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଖଣି ଯୋଗୁଁ ଜୁଆଙ୍ଗ ଓ ପଉଡି ଭୂୟାଁ ସମ୍ପ୍ରଦାୟ କୃଷି, ଲଘୁ ବନଜାତ ଦ୍ରବ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବିତ ହୋଇଛନ୍ତି।
କେଉଁଝର ଜିଲ୍ଲାରେ ଲୁହା, ମାଙ୍ଗାନିଜ, କ୍ରୋମାଇଟ, ପାଇରୋଫିଲାଇଟ, କ୍ୱାର୍ଟଜାଇଟ ଓ ସର୍ପେଣ୍ଟାଇନ ର ୧୩୩ ଟି ଖଣି ଚାଲୁଅଛି। ଏହାସହ ସୁନା, ଚୁନପଥର, ଡୋଲାମାଇଟ, ଚୀନାମାଟି, ପାଇରୋକ୍ଲେନାଇଟ ଖଣି କାର୍ଯ୍ୟାନୂୟନ ହେଭ ଅଛ। କେବଳ କେଉଁଝର ଜିଲ୍ଲାରୁ ସରକାର ବାର୍ଷିକ ୮ ରୁ ୧୨ ହଜାର କୋଟି ଟଙ୍କା ରାଜସ୍ୱ ପାଇଥାନ୍ତି। ୨୦୧୫ ମସିହାରେ ଜିଲ୍ଲା ଖଣି କୋଷ DMF ଗଠିତ ହୁଏ। ରାଜସ୍ବର ୨ ପ୍ରତିଶତ ଅତିରିକ୍ତ ରାଶି ଜିଲ୍ଲା ଖଣିକୋଷରେ ଜମା ହୁଏ। ଯାହା କେବଳ ବିସ୍ଥାପିତଙ୍କ ଉନ୍ନତି ପାଇଁ ବ୍ୟୟ ହେବାକଥା। DMF ର ବାର୍ଷିକ ଦୁଇ ହଜାର କୋଟିରୁ ଅଧିକ ଟଙ୍କା କେବଳ କେଉଁଝର ଜିଲ୍ଲା ପାଇଁ ! କଣ ହୁଏ ଏତେ ଟଙ୍କା?

୨୦୧୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କେଉଁଝର ଜିଲ୍ଲାରେ ଖଣି ଓ ଖନନ କ୍ରମବର୍ଦ୍ଧମାନ ଗତିରେ ବଢ଼ୁଛି। OMC, SAIL, Tata Steel, JSW, Rungta, Serajuddin ଭଳି କମ୍ପାନୀ କେଉଁଝରରେ କାମ କରନ୍ତି। ୧୫ ଟି ଜୁଆଙ୍ଗ ବହୁଳ ଗାଁ ସିଧା ସିଧା ପ୍ରଭାବିତ ହୁଏ।
କେବଳ ଖଣି ଯୋଗୁଁ ନୁହେଁ ଜଙ୍ଗଲ ଆଇନ ଲାଗୁ ହେଲାପରେ ଜୁଆଙ୍ଗ ଜନଜାତି ପ୍ରଭାବିତ ହୋଇ ଆସୁଛନ୍ତି। ଇଂରେଜ ଅଧିନକୁ ଗଲାପରେ କର ବ୍ୟବସ୍ଥା ପ୍ରଜାଙ୍କ ଉପରେ କଡାକଡି ଭାବେ ଲାଗୁ ହେଲା। ଧରଣୀଧର ଭୂୟାଁ ଆଦିବାସୀ ଅଧିକାର ଓ କର ବ୍ୟବସ୍ଥା ଉପରେ ଏକ ବିରାଟ ଆନ୍ଦୋଳନ କରିଥିଲେ। ଏହି ମହାନ ବିପ୍ଲବୀଙ୍କୁ ଫାଶୀ ଦିଆଯାଇଥିଲା, ମଇ ୧୬, ୧୯୧୪ ଦିନ। ଧରଣୀଧରଙ୍କ ବିପ୍ଲବକୁ ଜୁଆଙ୍ଗ ସମାଜ ମଧ୍ୟ ପ୍ରତ୍ୟକ୍ଷ ସହଯୋଗ ଦେଇଥିଲା। ସ୍ୱାଧୀନତା ପରବର୍ତ୍ତି ବିକାଶ ପ୍ରକ୍ରିୟାରେ ଜୁଆଙ୍ଗ ନିଜର ଅଧିକାର ଜାହିର କରି ପାରିଲା ନାହିଁ। ଦେଖାଯାଇଛି ଜଙ୍ଗଲ ଉପରେ ସରକାରୀ ନିୟନ୍ତ୍ରଣ ଯେତେ ବଢ଼ିଛି ଜୁଆଙ୍ଗ ନିଜର ପାରମ୍ପାରିକ ଅର୍ଥନୀତିରୁ ଦୂରକୁ ଯାଇଛି। ସେ ଶ୍ରମିକ ହୋଇଛି। ୧୯୫୦ ମସିହା ପରେ ଜୁଆଙ୍ଗ ପ୍ରବାସୀ ହୋଇଥିବା ଅନେକ ଅଧ୍ୟୟନ କହିଥାଏ। ଏହି ସମୟ ମଧ୍ୟରେ ସରକାରଙ୍କ ଜଙ୍ଗଲ ଉପରେ ନିୟନ୍ତ୍ରଣର ଇତିହାସ ପ୍ରଣିଧାନଯୋଗ୍ୟ। ବିଶ୍ୱାୟନ ପରେ ଜୁଆଙ୍ଗ ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି।
ଜୁନ ୨୧, ୨୦୨୬ ଦିନ ତାମିଲନାଡୁର ତିରୁଭାଲ୍ଲୁର ସାମୁଦ୍ରିକ ଖାଦ୍ୟ ରପ୍ତାନୀ କାରଖାନାରେ ଆମୋନିଆ ଗ୍ୟାସ ଦୁର୍ଘଟଣା ହେଲା। ତେଲକୋଇ ଓ ହରିଚନ୍ଦନପୁର ଅଞ୍ଚଳର ଶିବାନୀ, ଗୀତା, ଫୁଲମତୀ, ଚମ୍ପାବତୀ, ଗୁମାନି, ପୂର୍ଣ୍ଣିମା, ପାର୍ବତୀ ଓ ସୁବାସୀଙ୍କ ମୃତ୍ୟୁ ହୁଏ। ସମସ୍ତେ ଜୁଆଙ୍ଗ ଜନଜାତିର ମହିଳା ଥିଲେ। କେତେଜଣ ନାବାଳିକା ଥିବା ଅଭିଯୋଗ ହୁଏ। ଆଠଜଣ ମହିଳାଙ୍କ ହଜାର ହଜାର କିମି ଦୂର ପ୍ରବାସରେ ମୃତ୍ୟୁ ଓ ସମସ୍ତେ ଗୋଟିଏ ଜନଜାତିର ହୋଇଥିବା କାରଣରୁ ଅନେକ ପ୍ରଶ୍ନ ଉଠିଲା। କେଉଁଝରର ବିଭିନ୍ନ ଥାନାରେ ଆଠଟି ଏତଲା ଦିଆଗଲା। ସରକାର ମୃତକ ଓ ପିଡ଼ିତଙ୍କ ପାଇଁ ଅନୁକମ୍ପା ରାଶିର ଘୋଷଣା କଲେ। ପ୍ରଥମେ ଚାରି ଲକ୍ଷ ଓ ପରେ ଏହାକୁ ଦଶ ଲକ୍ଷ ବୃଦ୍ଧି କଲେ।
ତାମିଲନାଡୁ ଯାଇ ଗୋଟିଏ ପ୍ରତିନିଧି ଦଳ ଘଟଣାର ଅନୁସନ୍ଧାନ କରି ଫେରିଲେ। ୬୨ ଜଣ ଶ୍ରମିକଙ୍କୁ ସେଠାରୁ ଫେରେଇ ଆଣିଲେ। ଯେଉଁମାନଙ୍କ ମଧ୍ୟରେ ଜୁଆଙ୍ଗ ଙ୍କ ସଂଖ୍ୟା ଅଧିକ ଥିଲା।
ଏହାପରେ ସରକାର ପ୍ରତିକ୍ରିୟାଶୀଳ ହେଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଥାଲାପତି ଦୁଃଖ ପ୍ରକାଶ କରିବା ସହ ଉତ୍ତମ ଚିକିତ୍ସା ଓ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ଦେଇଥିଲେ। ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରିଥିଲେ।
ତହୃପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ମୃତକ ଦାଦନ ପରିବାରକୁ ଦଶଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ।
ତିନିଜଣିଆ ପ୍ରତିନିଧି ଦଳ ଅନୁସନ୍ଧାନ ପାଇଁ ତାମିଲନାଡୁ ଯାଇଥିଲେ। ଶ୍ରମିକମାନଙ୍କୁ ନେଇଥିବା ଦଲାଲ ଶ୍ରମିକ ଆଇନ-୧୯୭୯ ଅନୁସାରେ ନେଇଛି ନା ନାହିଁ ତାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଦେକ୍ଷେପ ଦେଇଛନ୍ତି।
ଜାତୀୟ ମାନବାଧିକାର କମିଶନ ସ୍ୱତଃ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛି।
ଓଡ଼ିଶା ଶ୍ରମ ବିଭାଗ ବେଶ ତତ୍ପରତା ଦେଖାଇ ସମଗ୍ର ଓଡ଼ିଶାରେ ଏକ ବଡ଼ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶ୍ରମମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଯେଉଁ ସୂଚନା ଦେଇଥିଲେ ତାହା କାର୍ଯ୍ୟକାରୀ ହେଉଛି।
ଗ୍ରାମ ପଞ୍ଚାୟତ ସ୍ତରରୁ ଦାଦନ ଶ୍ରମିକଙ୍କ ତଥ୍ୟ ରେକର୍ଡ, ବିଭିନ୍ନ ବିଭାଗ ସହ ଦାଦନ ଶ୍ରମିକଙ୍କୁ ଯୋଡ଼ି ଉନ୍ନୟନ ଓ ଅନ୍ୟାନ୍ୟ କଲ୍ୟାଣ ମୂଳକ ଯୋଜନାରେ ଯୋଡ଼ିବା, ପ୍ରବାସୀ ଶ୍ରମିକମାନଙ୍କ କାର୍ଯ୍ୟକ୍ଷେତ୍ର ସହ ସିଧା ସମ୍ପର୍କ ରଖି ତଦାରଖ କରିବା ଏବଂ ଉଦ୍ଧାର ଆଦି କାର୍ଯ୍ୟକୁ ସୁଗମ କରିବା ତଥା Interstate migrant workman (RE & CS)Act 1979 କୁ କଠୋରତା ସହ ଲାଗୁ କରିବା।
ଏ ମଧ୍ୟରେ ଦାଦନ ଟାକ୍ସ ଫୋର୍ସର କୌଣସି ବୟାନ ଆସିନାହିଁ।
ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ପଶ୍ଚିମ ଓଡ଼ିଶାରେ ଦାଦନ ସମ୍ପର୍କୀତ ଅନେକ ଦୁର୍ଘଟଣାକୁ ଅଣଦେଖା କରା ଯାଉଥିଲା। ସରକାରଙ୍କ ପଦକ୍ଷେପ ଦାଦନ ଓ ପ୍ରବାସୀ ଶ୍ରମିକଙ୍କ ନ୍ୟାଯ୍ୟ ଅଧିକାର ଦେଇ ପାରିବ ବୋଲି ବିଶ୍ୱାସ।
ମୂଳ ପ୍ରଶ୍ନ ହେଲା ଅଷ୍ଟାଦଶ ଶତକରୁ ପିଡିତ ଜୁଆଙ୍ଗ ଆଦିବାସୀଙ୍କ ସୁରକ୍ଷା ଓ ସଂରକ୍ଷଣ ବିଷୟ ଅସ୍ପଷ୍ଟ ରହିଛି। ଯାହା ଅନ୍ୟ ଆଦିବାସୀ କ୍ଷେତ୍ରରେ ମଧ୍ୟ ଦେଖାଯାଏ। ଯେମିତି ନୂଆପଡାର ପହରିଆ ସମ୍ପ୍ରଦାୟ, ଏମାନେ ବି ଦାଦନ ଯାଆନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପହରିଆ କେବଳ ଓଡ଼ିଶାରେ ଆଦିବାସୀ ନୁହନ୍ତି।
ଫଟୋ ସୌଜନ୍ୟ ଗୁଗୁଲ, ଜରିଆ

LIKE THIS ARTICLE
Give us a thumbs up!
0 Comments