ପରିବା ଚାଷ
ଏକଦା ପିଆଜର ଦରବୃଦ୍ଧି କାରଣରୁ ତିନୋଟି ରାଜ୍ୟରେ କଂଗ୍ରେସ ନିର୍ବାଚନ ହାରି ଯାଇଥିଲା। ନିର୍ବାଚନ ହାରି ଯିବାଟା ବଡକଥା ନୁହେଁ। ହାର ଜିତ ଅବଧାରିତ। କିନ୍ତୁ କେଉଁ କାରଣ ଯୋଗୁଁ ହାରିଲେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା। ଏହାପରେ ପରିବା ପ୍ରସଙ୍ଗ ଏକ ପ୍ରମୁଖ ଖବର ହୋଇ ଆସୁଅଛି। ଓଡ଼ିଶା ମଧ୍ୟ ଏହି ଧାରାରୁ ଅଛୁତ ନୁହେଁ। ପରିବା ପ୍ରସଙ୍ଗରେ ସରକାର ମଧ୍ୟ ଜବାବଦାରୀ ରଖି ଆସୁଛନ୍ତି। ସରକାର ପ୍ରତିଟି ପ୍ରସଙ୍ଗରେ ନିଜର ଜବାବ ରଖିବା ଆବଶ୍ୟକ। କାରଣ ଏହା ସରକାରଙ୍କ ମଧ୍ୟ ଦାୟୀତ୍ୱ ଯେ ରାଜ୍ୟବାସୀ ଅନ୍ତତଃ ଖାଦ୍ୟ ପ୍ରସଙ୍ଗରେ ନିଜର ଉତ୍ପାଦ ଅବା ବଜାର ଠାରୁ ଦୂରରେ ନ ରହନ୍ତୁ।
ଖାଦ୍ୟ ଶୃଙ୍ଖଳାରେ ପରିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥାଏ। ଅନ୍ୟାନ୍ୟ ପ୍ରମୁଖ ଫସଲ ଅପେକ୍ଷା ପରିବାଚାଷରେ ଭିନ୍ନ ଓ ସ୍ୱତନ୍ତ୍ର ଜ୍ଞାନକୌଶଳର ଆବଶ୍ୟକତା ହୋଇଥାଏ। ଆମର ଖାଦ୍ୟ ଶୃଙ୍ଖଳାରେ ପରିବା ଚାଷର ମହତ୍ୱ ଏତିକି ଯେ ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରାଚୀନ ମାଲି ଜାତି ଅଛନ୍ତି। ମହାପୁରୁଷ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀ ବାଈ ଫୁଲେ ମାଲି ଜାତିର ଅଟନ୍ତି। ଆଦିବାସୀ ପରମ୍ପରାରେ ଦେବକାର୍ଯ୍ୟ ପାଇଁ ଫୁଲ ଯୋଗାଇବା ଏବଂ ସାଧାରଣ ଲୋକଙ୍କୁ ପରିବା ଯୋଗାଇବା କାମ ମାଲି ଜାତିର ରହିଥିଲା। ପଶ୍ଚିମ ଓଡ଼ିଶା କୁଆଁରୀପାଟଣାର ସାତ ଭଉଣୀ ମଧ୍ୟରୁ ଜଣେ ଜ୍ଞାନଦେଈ ମାଲୁଣୀ ମାଲି ସମ୍ପ୍ରଦାୟର ଅଟନ୍ତି। ଯିଏ ପୁରୀ ଶ୍ରୀମନ୍ଦିରର ଭୋଗ ପରିଚାଳନା ବ୍ୟବସ୍ଥା କରିଥିଲେ। ଯାହା ଆଜି ମଧ୍ୟ ଦେବୀ ଜ୍ଞାନଦେଈଙ୍କ ସୂତ୍ର ଆଧାରରେ ପରିଚାଳିତ ହୋଇଥାଏ।

ଦେବୀ ଜ୍ଞାନଦେଈ କିଏ? ଏବଂ କାହିଁକି ତାଙ୍କୁ ସମ୍ମାନର ସହ ଗ୍ରହଣ କରାଯାଏ? ଏହାର ସଂକ୍ଷିପ୍ତ ପରିଚୟ ଆବଶ୍ୟକ। ସାତ ଭଉଣୀ ନାମରେ ପରିଚିତ ଦେବୀ ଜ୍ଞାନଦେଈ ମାଲୁଣୀ, ଯାହାଙ୍କୁ ଅନ୍ୟ ଛଅ ଭଉଣୀ ଯଥା ଦେବୀ ପତ୍ରପିନ୍ଧି ସଉରୁଣୀ, ଦେବୀ ଗାଙ୍ଗୀ ଗଉଡୁଣୀ, ଦେବୀ ସୁକୁଟି ଚମାରୁଣୀ, ଦେବୀ ଶୁଆ ତେଲୁଣୀ ଓ ଦେବୀ ନିତାଇ ଧୋବଣୀ ବଡଭଉଣୀ ମାନୁଥିଲେ। ଉଭୟ ବ୍ୟବହାର ଓ ବିଦ୍ୟାରେ। ସାତ ଭଉଣୀ ବା ସାତକୁମାରୀଙ୍କ ଗାରିମା ବେଶ କ୍ଷାତ। ସେ ସମୟରେ ବୌଦ୍ଧ ତାନ୍ତ୍ରୀକମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧରେ ସାତ ଭଉଣୀ ଏକ ସଫଳ ବିପ୍ଲବ କରିଥିଲେ। ସାତକୁମାରୀଙ୍କ ପରେ ମଧ୍ୟ ତାଙ୍କର କ୍ଷାତି ରାଜତନ୍ତ୍ର ପ୍ରାୟୋଜିତ ହିନ୍ଦୁଧର୍ମ ପ୍ରତି ଗୋଟିଏ ପ୍ରତିରୋଧ ଭାବରେ ଦେଖାଗଲା। ଫଳତଃ ସେ ସମୟର ପ୍ରଚାରତନ୍ତ୍ରମାନ ସାତ ଭଉଣୀ ବା ସାତକୁମାରୀଙ୍କ ବିପକ୍ଷରେ ବେଶ ସକ୍ରିୟ ହେଲେ। ଏହାର ବଡ ଉଦାହରଣ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ କ୍ଷାତ ‘ଶଶୀସେନା କାବ୍ୟ’ ଅଟେ। ଯେଉଁଥିରେ ଦେବୀ ଜ୍ଞାନଦେଈଙ୍କୁ ଜଣେ କୁତ୍ସତି ଖଳନାୟୀକା ଭାବରେ ଦର୍ଶାଯାଇଛି। ପ୍ରେମ ବିରହର ଏକ କଥା ଛଳରେ ତାଙ୍କୁ ନିକୃଷ୍ଟ ପ୍ରଦର୍ଶିତ କରାଯାଇଛି। ସାତକୁମାରୀ କୌଣସି ମତବାଦ କି ଧର୍ମ ନୁହେଁ ଉଡ୍ଡୀୟାନ ବା ସ୍ଥାନୀୟ ସ୍ୱକୀୟ ବିଦ୍ୟାର ଧନୀଥିଲେ।
ଏଥିଯୋଗୁଁ ସାତକୁମାରୀ ଆଜି ମଧ୍ୟ ପୂଜିତ୍ା ହୁଅନ୍ତି, ବିଦ୍ୟାରେ ମନ୍ତ୍ରରେ ଅବା ଉଡ୍ଡୀୟାନର ମୂଳନିବାସୀଙ୍କ ପରମ୍ପରାରେ।
ଦେବୀ ଜ୍ଞାନଦେଈଙ୍କ ଉଲ୍ଲେଖ ଏଥିପାଇଁ ଯେ ପରିବା ଉତ୍ପାଦକ ଗୋଷ୍ଠୀଙ୍କ ସାମାଜିକ ଗୁରୁତ୍ୱ କେଉଁ ସ୍ତରର ରହିଥିଲା? ଋତୁ ଅନୁସାରେ ପରିବା ଚାଷ କରିବା ଏବଂ ସମୁହର ସ୍ୱାସ୍ଥ୍ୟ ଅବସ୍ଥାକୁ ସନ୍ତୁଳିତ ରଖିବା ପାଇଁ ବିଭିନ୍ନ ପରିବା ଏବଂ ଔଷଧିୟ ପରିବା ଚାଷ କରିବା ମାଲି ସମ୍ପ୍ରଦାୟର କାମ ରହିଥିଲା। ଗାଁର ଦେବକାର୍ଯ୍ୟ କରିବା ସହ ଫୁଲଚାଷ ମଧ୍ୟ କରୁଥିଲେ। ସାଂସ୍କୃତିକ ଏବଂ ସାମାଜିକ ଦୃଷ୍ଟିରୁ ମାଲି ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିଲେ। ଅଶି ଦଶକ ଶେଷ ପର୍ଯ୍ୟନ୍ତ ମାଲି ସମ୍ପ୍ରଦାୟ ନିଜର ପାରମ୍ପାରିକ ଜ୍ଞାନ କୌଶଳ ଦ୍ୱାରା ସାଧାରଣଙ୍କ ଖାଦ୍ୟଶୃଙ୍ଖଳାକୁ ସନ୍ତୁଳିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲେ। ବଡମକାର (୧୯୬୫ ମରୁଡି) ପରେ ମଧ୍ୟ ମାଲି ସମ୍ପ୍ରଦାୟ ଯେଉଁମାନେ କୌଳିକ ବୃତ୍ତି ଆଧାରରେ ରହୁଥିଲେ ସେମାନେ ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ନିଜର ସ୍ଥିତିକୁ ଖୁବ ଶୀଘ୍ର ସାମାନ୍ୟ କରି ପାରିଥିଲେ।
ଋତୁ ଆଧାରିତ ପରିବା ଚାଷ ନବେ ଦଶକ ପର୍ଯ୍ୟନ୍ତ କେବଳ ମାଲି ସମ୍ପ୍ରଦାୟ ନୁହନ୍ତି ଅନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ପରିବା ଚାଷ ଆରମ୍ଭ କରିଥିଲେ। ଏହି ଚାଷ ଭଳି ଆଜି ମଧ୍ୟ କୋରାପୁଟ ଜିଲ୍ଲା ମାଳିପର୍ବତ ଅଞ୍ଚଳରେ ଦେଖାଯାଏ। ଶତାଧିକ ଚିରସ୍ରୋତା ଝରଣାର ପାଣିକୁ ବ୍ୟବସ୍ଥିତ କରି କେବଳ ମାଲି ନୁହନ୍ତି ଅନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ଚାଷ କରି ଆସୁଛନ୍ତି। ମାଳି ଶୃଙ୍ଖଳାର ପ୍ରତ୍ୟେକ ପରିବା ଚାଷୀଙ୍କ ଗୋଟିଏ ସ୍ୱାତନ୍ତ୍ର୍ୟତା ରହିଛି ସେମାନେ ନିଜ ଜମିରୁ ପ୍ରତିଦିନ ନିଜ ଉପଜକୁ ବଜାର ପଠେଇଥାନ୍ତି। ଅବଶ୍ୟ ମାଲି ଶୃଙ୍ଖଳାରେ ଓଡ଼ିଆ ଅପେକ୍ଷା ଅଣଓଡ଼ିଆ ମାଲି ମଧ୍ୟ ରହି ଅଛନ୍ତି। ସେମାନେ ଭୋସଲାମାନଙ୍କ ଆକ୍ରମଣ ୧୭୯୦ ମସିହା ପରେ ପରେ ଆସି ସ୍ଥାୟୀ ହୋଇ ରହିଛନ୍ତି। ଦୁଇ ଶତକ ପରେ ସେମାନେ ସ୍ଥାନୀୟ ଆଦିବାସୀ ଧର୍ମକୁ ଆପଣେଇ ଗୋଟିଏ ସହାବସ୍ଥାନର ସୁନ୍ଦର ଉଦାହରଣ ତିଆରି କରି ପାରିଛନ୍ତି। ଯାହା ଅନ୍ୟ ଅଣଓଡ଼ିଆ ସମ୍ପ୍ରଦାୟରେ ଦେଖାଯାଏ ନାହିଁ। ସମସ୍ତେ ମିଳିମିଶି ପ୍ରତିଦିନ ଶତାଧିକ ଟ୍ରକ ଭୂବନେଶ୍ୱର, ଛତିଶଗଡ ଓ ଆନ୍ଧପ୍ରଦେଶ ପଠେଇଥାନ୍ତି। ଯାହାକୁ ହିଣ୍ଡାଲକୋ ଭଳି କମ୍ପାନୀକୁ ବକ୍ସାଇଟ ପାଇଁ ଟେକି ଦେବା ପରେ ଏଠାରେ ଗୋଟିଏ ପ୍ରୟାସ ଚାଲୁଅଛି ଯେ ମାଳିଶୃଙ୍ଖଳାରେ ଗୋଟିଏ ମଧ୍ୟ ଝରଣା ନାହିଁ।
ଏହା ହେଲା ଗୋଟିଏ ଆକ୍ରମଣ ଏବଂ ପ୍ରମୁଖ ଆକ୍ରମଣ ଭିନ୍ନ ପ୍ରକାର। ଯେତେବେଳେ ଟମାଟର ୧୫୦ ୧୬୦ ଟଙ୍କା କିଲୋ ବିକ୍ରି ହେଲା ସେତେବେଳେ ହଟଚମଟ ସୃଷ୍ଟି ହେଲା। ସରକାରଙ୍କୁ ବି ଗାଲିଗୁଲଜ କଲେ। ଏହାର କିଛିଦିନ ପରେ ଦେଖାଗଲା ବରଗଡର ଚାଷୀ ନିଜ ଉପଜର ଉଚିତ ମୂଲ୍ୟାୟନ ପ୍ରତିବାଦରେ ରାସ୍ତା ଉପରେ ପରିବା ଢାଳି ଦେଇଥିଲେ। ନିଶ୍ଚିତ ସରକାରୀ ନୀତିକୁ ଆକ୍ଷେପ କରାଯିବ କାରଣ ଯେଉଁ ସମୟରେ ପରିବା ବଜାର ମୂଲ୍ୟବୃଦ୍ଧିର ଚାପରେ ଗରମ ଥାଏ ସେ ସମୟରେ ଓଡ଼ିଶାର ପରିବା ଚାଷୀ କଣ କରୁଥାନ୍ତି? ଯେତେବେଳେ ପରିବା ଶସ୍ତା ହୁଏ ସେତେବେଳେ ଓଡ଼ିଶାର ପରିବା ଚାଷୀ କଣ କରୁଥାନ୍ତି?
ଏହା ଏକ ଯକ୍ଷ ପ୍ରଶ୍ନ। ଓଡ଼ିଶାର ପରିବା ଚାଷୀଙ୍କୁ ଋତୁ ଉପରେ ନିର୍ଭର ରହିବାକୁ ହୁଏ। ଯେଉଁ ସମୟରେ ଓଡ଼ିଶା ଚାଷୀଙ୍କ ଫସଲ ବଜାରକୁ ଆସେ ସେତେବେଳେ ପରିବା ଶସ୍ତା ହୋଇଯାଏ। ଏହାର କାରଣ ମୁଖ୍ୟତଃ ପଡୋଶୀ ରାଜ୍ୟର ଫସଲ ଓଡ଼ିଶା ବଜାରକୁ ଅକ୍ତିଆର କରି ସାରିଲାଣି। ସେମାନେ ଚଢାମୂଲ୍ୟରେ ପରିବା ବିକ୍ରି କରିଥାନ୍ତି। ଓଡ଼ିଶା ଚାଷୀଙ୍କୁ ହତୋତ୍ସାହିତ କରିବା ପାଇଁ ଓଡ଼ିଶାର ପରିବା ଉତ୍ପାଦନ ସମୟରେ ମୂଲ୍ୟ କମେଇ ଦେଇଥାନ୍ତି। ଏହା ତାଙ୍କର ଏକ ସଫଳ ପ୍ରୟୋଗ ହୋଇଆସିଛି।
ନବେ ଦଶକ ପରେ ପରେ କୃଷିକ୍ଷେତ୍ରରେ ଯନ୍ତ୍ରକୁ ପ୍ରୋତ୍ସାହିତ କରାଗଲା। ଚାଷୀ ଗୋପାଳନ ପ୍ରତି ବିମୁଖ ହେଲା ଓ ଗୋଚର ଜମିସବୁ ଦଖଲ କରାଗଲା। ଏପରିକି ମାଳି ସମ୍ପ୍ରଦାୟ ଗୋପାଳନ ଛାଡିଦେଲେ। ବଳଦ ଦ୍ୱାରା ଜମି ଚଷିବେ ଏବଂ ଉପଜକୁ ବଜାରକୁ ବଳଦଗାଡିରେ ନେବାର ପରମ୍ପରା ମୋଟରଗାଡି ଏବଂ ଟ୍ରାକ୍ଟର ଆସିବା ପରେ ନଷ୍ଟ ହୋଇଗଲା। ପାରମ୍ପାରିକ ବିହନରେ ଅଭିଜ୍ଞ ଚାଷୀ ଶଙ୍କର ବିହନକୁ ଚିହ୍ନିବା ପାଇଁ ବେସ କିଛି ବର୍ଷ ନେଇଗଲା। ଯାହା ଦଶନ୍ଧୀ ପରେ ମଧ୍ୟ ଚାଷିଙ୍କ ଅବୁଝା ରହିଲା। ଏହି ସମୟାନ୍ତରରେ ଦେଶୀ ବିହନ ବଜାରରୁ ଉଭେଇଗଲା। ଏହି ପରିବର୍ତ୍ତିତ ଚାଷର ପରିଣାମ ଏହା ହେଲା ଯେ ଚାଷୀ କ୍ରମକ୍ଷତିରେ ପଡି ଚାଷ ଛାଡିଦେଲା। ଗୋଟିଏ ଅନୁଧ୍ୟାନ କହେ ଅଶି ଦଶକ ପରେ କାଁ ଭାଁ ମାଲି ସମ୍ପ୍ରଦାୟରୁ ପ୍ରବାସି ଶ୍ରମିକ ହେଉଥିଲା ବେଳେ ନୂତନ ଶତକ ଆରମ୍ଭ ପର୍ଯ୍ୟନ୍ତ ଦାଦନ ଶ୍ରମିକ ହୋଇଗଲେ। ମାଲି ଏବଂ ତେଲି ଦୁଇଟି ସମ୍ପ୍ରଦାୟ ଯେଉଁମାନେ ୨୦୦୦ ମସିହା ପରେ ପରେ ଦାଦନ ଯିବା ସଂଖ୍ୟାକୁ ବେଶ ବଢେଇ ଦେଇଥିଲେ। ଏଥିରୁ ଏହି ସମ୍ପ୍ରଦାୟମାନଙ୍କ ମଧ୍ୟରେ ବଜାରବାଦର କୁପ୍ରଭାବ ଦେଖିବାକୁ ମିଳିଥାଏ।
ଗୋଟିଏ ବିପରିତ ଦୃଶ୍ୟ ପରିବା ଚାଷରେ ଦେଖାଯାଏ। ବଲାଙ୍ଗୀର ଜିଲ୍ଲାର ଲୋୟରସୁକତେଲ ଉପତ୍ୟକା ପରିବା ଚାଷପାଇଁ କ୍ଷାତ। ଯେଉଁ ଅଞ୍ଚଳ ବରଗଡ ସହ ମିଶି ଏକ ସୁନ୍ଦର ପରିବା କରିଡର ତିଆରି କରିଛନ୍ତି ଲୋକେ। ଲୋୟର ସୁକତେଲ ପ୍ରକଳ୍ପ ତିଆରି ସରିବା ପରେ ଏକ ବିରାଟ ଅଞ୍ଚଳ ପରିବା ଚାଷରୁ ଉଭାନ ହୋଇଗଲା। ଚାଷ ପାରସ୍ପରିକ ସହଯୋଗର ଏକ କୃଷି। ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ କେଉଁ ପ୍ରକାର କ୍ଷତି ପରିବା ଚାଷରେ ଏହି ବିଷୟରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଆନୁମାନିକ ଉତ୍ତର ଦେଇଥାନ୍ତି। ଉପଜ ଜନିତ କ୍ଷତି ତ ସାଧାରଣ କଥା କିନ୍ତୁ ପାରସ୍ପାରିକ ଆଲୋଚନା ଏବଂ ବିହନ ସମେତ ଅନ୍ୟାନ୍ୟ ବିନିମୟ ମଧ୍ୟ ଚାଷର ଗୋଟିଏ ଅଂଶ ଅଟେ। ଏହା ଜନିତ କ୍ଷତି କେବେ ମଧ୍ୟ ଆକଳନ କି ଅଧ୍ୟୟନ ହୋଇନାହିଁ। ଅଧିକାରୀ ସମେତ ଅନେକ ଆନୁମାନିକ ଅଥବା ନିଜସ୍ୱ ଅନୁଭୂତିର ଉତ୍ତର ଦେଇଥାନ୍ତି। ସରକାରୀ ଲୋକେ ନିଜର ସେବା ଠିକ ଯୋଗାଇ ଆସୁଛନ୍ତି ଆଦିର ରକ୍ଷାତ୍ମକ ଉତ୍ତର ଦେଇଥାନ୍ତି। ଏହି କ୍ଷତି ବାଦ ଅଣ୍ଡରରେଟ ଓ ମହାଜନୀ ଗୋଟିଏ ବଡ ସମସ୍ୟା ହୋଇ ଦେଖା ଦେଇଛି। ଏହା ଏତେ ନିୟମିତ ହୋଇ ଗଲାଣି ଯେ ଏହା ପରମ୍ପରା ହୋଇ ସାରିଛି। ଚାଷୀ ମୋଟରରେ ପାଣି ମଡେଇବ ଏବଂ ବିହନ ସାର ଆଦି ଉପରେ ବଜାର ଉପରେ ନିର୍ଭର ରହିବ। ବଜାରର ନିୟନ୍ତ୍ରଣ ଚାଷୀକୁ ଗୋଟିଏ ନିବେଷକ କରି ସାରିଛି। ଚାଷୀ କେତେଟଙ୍କା ଚାଷରେ ବିନିଯୋଗ କଲେ କେତେ ଲାଭ ପାଇବ। ଫଳତଃ ଚାଷୀ ଚାଷ ଛାଡି ଦେଉଛି ଅଥବା ଫାର୍ମ ଚାଷପଟେ ଆକୃଷ୍ଟ ହେଉଛି। ଫାର୍ମ ସଂସ୍କୃତି ନୂଆ ପ୍ରୟୋଗ ନୁହେଁ। ଲେର ଏକ ଶବ୍ଦ ଯାହା ଫାର୍ମକୁ ହିଁ ବୁଝାଏ। ଲେର ଏକ ବ୍ୟବସ୍ଥିତ କୃଷିକ୍ଷେତ୍ର। ଆମ୍ବ, ଲେମ୍ବୁ, ପୁଜୁଳି, ଗଙ୍ଗାତେତେଲ, ତେନ୍ତୁଳି ଆଦି ଗଛ ସହ ପନିପରିବା ମଧ୍ୟ ଚାଷ କରାହୁଏ। ଲେରରେ ଏକ କୂଅ ରହେ। କୂଅରୁ ସର୍ବାଧିକ ଏକ ଏକର ଜମିକୁ ପାଣି ମଡାଇ ପରିବା ଚାଷ କରା ଯାଇଥାଏ।

ସରକାରଙ୍କ ନିୟୂତ କୂପ ଯୋଜନାର ରାଜନୀତିକରଣ ଅନେକ ପରିବା ଚାଷୀଙ୍କୁ ହତୋତ୍ସାହିତ କରିଥିଲା। ଏହା ସହିତ ଗୋଟିଏ ବଡ ସମସ୍ୟା ହେଲା ଚାଷୀ ଉଭୟ କୃଷି ଅଧିକାରୀ ଓ ବଜାରକୁ ବୁଝିବାରେ ବିଫଳ ରହିଲା। ହଜାର ହଜାର ବର୍ଷର ପାରମ୍ପାରିକ ଚାଷ କୃଷି ଅଧିକାରୀ ଓ ବଜାର ନିକଟରେ ହାରି ସାରିଛି। ଗୋଟିଏ ବଡ ସମସ୍ୟା ହେଲା ଭୂତଳ ଜଳ କମିଯିବା। ଏଠାରେ ଗୋଟିଏ ଉଦାହରଣ ନିଆଯାଇ ପାରେ। ଆଲୋକ ତୋମାର ନିଜର ବହୁ ଚର୍ଚ୍ଚିତ ପୁସ୍ତକ ‘ଏକ ହରାଭାରା ଅକାଲ’ ରେ ଉଲ୍ଲେଖ କରିଛନ୍ତି ମାଟିର ଦଶଫୁଟ ତଳେ ପାଣି ତଥାପିବି ମରୁଡି ହୁଏ। ଏହି ଅଞ୍ଚଳରେ ସବୁଠାରୁ ଅଧିକ ପାଣି ଦରକାର କରୁଥିବା ଆଖୁଚାଷ ପ୍ରବଳ ହୋଇଥାଏ। ମାଟିର ଦଶଫୁଟ ତଳେ ପାଣି! କିନ୍ତୁ ଭୂତଳ ଜଳ କମିବାର ଗୋଟିଏ କାରଣ ଅହେତୁକ ଭାବେ ଗଭିର ନଳକୂପ ଖନନ। ଚାଷୀଙ୍କୁ ରିହାତି ଦରରେ ଗଭିର ନଳକୂପ ଦିଆଗଲା। ଏହା ଠିକାଦାରୀ ମାଧ୍ୟମରେ ହୋଇଥିବା କାରଣରୁ କୋଟି କୋଟି ଟଙ୍କା ବେପାରୀ ଅଧିକାରୀଙ୍କ ପକେଟକୁ ଗଲା ସିନା ହେଲେ ପ୍ରାଥମିକ ଅନୁଧ୍ୟାନରେ ଯିଏ ବି ଜାଣିବ ଗଭିର ନଳକୂପ କୌଣସି କାମରେ ଆସିଲା ନାହିଁ। ଏହାର ଗୋଟିଏ ସମସ୍ୟା ସାମ୍ନାକୁ ଆସିଲା ଯେ ଗଭିର ନଳକୂପ ପାଖଆଖର ପାରମ୍ପାରିକ କୂପ ସମୟ ପୂର୍ବରୁ ଶୁଖି ଯାଉଛନ୍ତି। ଅବଶ୍ୟ ଜଙ୍ଗଲ କ୍ଷୟ ସାଙ୍ଗକୁ ପ୍ରାକୃତିକ ଉପାୟରେ ହେଉଥିବା ଜଳ ସଂରକ୍ଷଣ ନଷ୍ଟ କରାଯିବା କାରଣରୁ ଚିରସ୍ରୋତା ନଦୀମାନ ଜାନୁୟାରୀ ପୂର୍ବରୁ ଶୁଖି ଯାଉଛନ୍ତି।
ବଜାରବାଦ ପରିବାଚାଷୀଙ୍କୁ କ୍ଷତିରେ ପକାଇବା ସବୁଠାରୁ ବଡ କାରଣ ଅଟେ। ଅଶି ଦଶକ ପର୍ଯ୍ୟନ୍ତ ପିଆଜକୁ ଲାଭପାଇଁ ଏକ ଚାଷ ଭାବରେ ପ୍ରଥମେ ବେପାରୀମାନେ ପ୍ରୋତ୍ସାହିତ କଲେ। ଏହା ପୂର୍ବରୁ ମାଲି ସମ୍ପ୍ରଦାୟର ଲୋକ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି ପିଆଜ ଚାଷ କରୁଥିଲେ। ବିହନ ଯୋଗାଇ ଅଶି ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ପିଆଜ ଚାଷୀକୁ ପ୍ରୋତ୍ସାହିତ କରାଗଲା। ଅଧିକ ଲାଭ ଆଶାରେ ଧାନଚାଷ ପରେ ପରେ ପିଆଜ ଚାଷ ଆରମ୍ଭ କରାଗଲା। ପିଆଜକୁ ଅତି କମ ମୂଲ୍ୟରେ ଖରିଦ କରାଗଲା। ଅଣଚାଷ ସମୟରେ ଚାଷୀକୁ କାମ ଯୋଗାଉଥିବା କାରଣରୁ ପିଆଜ ଚାଷ ଲୋକେ କଲେ ଲାଭବାନ ବି ହେଲେ। ଲାଭ ବେପାରୀର ମର୍ଜି ଉପରେ ନିର୍ଭର କଲା। ପ୍ରଥମେ ପିଆଜ ଚାଷୀ ଉପଜକୁ ବଳଦ ଗାଡିରେ ବଜାରକୁ ନିଏ। ବଜାର ନିଜ ଜମିରୁ ସର୍ବାଧିକ ୩୦ କିଲୋମିଟର ଦୂର। ଫଳତଃ ବଜାର ପ୍ରାଙ୍ଗଣରେ ମୁଳଚାଲ କରି ଶୋଷଣ ସୁବିଧା ହେଉଥିଲା। ବାହାର ରାଜ୍ୟର ବେପାରୀ ଯେତେବେଳେ ପିଆଜ ଚାଷୀର ଜମିକୁ ଟ୍ରକ ଲଗାଇ ପିଆଜ କିଣିନେଲେ ଚାଷୀ ପିଆଜ ଚାଷରୁ ହତୋତ୍ସାହିତ ହେଲାନାହିଁ। କିନ୍ତୁ ଏହି ସମୟରେ ହେଉଥିବା ଖରାଟିଆ ତରଭୁଜ, ଖଡା, ନଳିତା, ଆଦି ପରିବା ଚାଷ ଉପରେ ଚାଷୀ ଧ୍ୟାନ କେନ୍ଦ୍ରିତ କରି ପାରିଲା ନାହିଁ। ଏତାଦୃଶ କପାଚାଷ ଯାହା ଅନେକ ଡାଳି ଜାତୀୟ ଚାଷ ଆଦିକୁ ନଷ୍ଟ କରି ସାରିଲାଣି।
ଶୀତଳ ଭଣ୍ଡାରର ଅନେକ ଭେଳିକି ବହୁ ବର୍ଷରୁ ଶୁଣି ଆସୁଅଛୁ। ଅନେକ ପୁରୁଣା ଶୀତଳଭଣ୍ଡାର ବନ୍ଦ ହୋଇଗଲା ପରେ ଘରୋଇ ସ୍ତରରେ ଶୀତଳଭଣ୍ଡାର ପାଇଁ ବିଫଳ ଯୋଜନା ପ୍ରଣୟନ କରାଗଲା। ଦରହ୍ରାସ ସମୟରେ ଶୀତଳଭଣ୍ଡାର ଚାଷୀକୁ ଲାଭ ଦେବ ବୋଲି ଚିନ୍ତା କରାଗଲା। ଚାଷୀର ଉତ୍ପାଦନରେ ଖର୍ଚ୍ଚ ସଂଯୁକ୍ତ କରି ଏବଂ ଯନ୍ତ୍ରର ନିରନ୍ତର ପ୍ରୟୋଗ ଗୋଟିଏ ପରମ୍ପରାକୁ ନଷ୍ଟ କରି ସାରିଲା ପରେ ଚାଷୀ ଯାହା ଉତ୍ପାଦନ କରେ ତାହା ବଜାରକୁ ନିଅଣ୍ଟ ହୁଏ। ତା ଉପରେ ଶୀତଳଭଣ୍ଡାର ଗୋଟିଏ ଅର୍ଥହୀନ ପ୍ରୟାସ ହୋଇଯାଏ। ଶୀତଳଭଣ୍ଡାରର ଉଚିତ ପରିଚାଳନା ପାଇଁ ଅତିକମରେ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରି ବାହ୍ୟ ଅନୁପ୍ରବେଶକୁ ନିୟନ୍ତ୍ରଣ କରିବା ଆବଶ୍ୟକ ହୋଇଥାଏ। ଏହାସହ ସରକାରୀ ଯୋଜନା କେତେକ ମୁଷ୍ଟିମେୟ ଲୋକଙ୍କୁ ଅବା ବଡ ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଯେଉଁଭଳି ଭାବରେ ଚାଷ କରାଯାଉଛି ତାହା କର୍ମନିଯୁକ୍ତି ଅପେକ୍ଷା ଉତ୍ପାଦନ ସର୍ବସ୍ୱ ହୋଇ ଯାଉଛି।
କୃଷିକ୍ଷେତ୍ର ପରିଚାଳନାରେ ସମସ୍ତ ସରକାର ବିଫଳ ରହିଛନ୍ତି। ଛୋଟଛୋଟ ଚାଷୀ ଅଥବା ପରିବା ଚାଷୀ ଯେଉଁଥିରେ କ୍ଷତିର ସମ୍ମୁଖିନ ହେଉଛନ୍ତି। ଚଳନ୍ତି ସରକାରୀ ନିୟମ ସବୁ ବଡଚାଷୀ ତିଆରି ପାଇଁ ଅଧିକ ଚେଷ୍ଟା କରୁଛନ୍ତି ଯେପରି। ସରକାରଙ୍କ ଲକ୍ଷ ମଧ୍ୟ ଏହା ଯେ କୃଷୀକ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସଂଖ୍ୟା କମାଇବା। ପରିବା ଚାଷ ଏକ ଏମିତି ଚାଷ ସ୍ୱଳ୍ପ ଜମିରେ ମଧ୍ୟ ଜଣେ ଚାଷୀ ବିଶେଷ ଲାଭ ପାଇଥାଏ। ରାଜ୍ୟରେ ପରିବା ଚାଷ ପାଇଁ ଜମି ଅଥବା ଲୋକଙ୍କ ଅଭାବ ନାହିଁ। ସରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବାଚାଷ ଉପରେ ଧ୍ୟାନ ଦେବା ଉଚିତ।ପରିବାଚାଷ ଅବକ୍ଷୟର ଗୋଟିଏ ଉଦାହରଣ ନିଆଯାଇ ପାରେ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦରବ୍ଲକ ଗୋଟିଏ ବଜାର ବସେ। ମଙ୍ଗଳବାର ଦିନ ରାତିବେଳା ଛାଡି ଦିନରାତି ସପ୍ତାହର ପ୍ରତିଦିନ ବଜାର ବସୁଥିଲା। ମୁରିବାହାଲ ରେଲଷ୍ଟେସନ ଏକ ଛୋଟ ଷ୍ଟେସନ। ଏହିଠାରୁ ତତ୍କାଳିନ ମଧ୍ୟପ୍ରଦେଶ ବର୍ତ୍ତମାନ ଛତିଶଗଡ଼ ରାଜଧାନୀ ରାୟପୁରକୁ ପରିବା ଯାଉଥିଲା। ୩୦ କିଲୋମିଟର ପରିଧି ମଧ୍ୟରେ ଚାଷୀ ମୁରିବାହାଲ ବଜାରକୁ ବେଶି ପସନ୍ଦ କରୁଥିଲେ। ଏକଦା ଯାହା ପରିବା ବଜାର ଥିଲା ବର୍ତ୍ତମାନ ତାହା କେବଳ ମଙ୍ଗଳବାର ଦିନ ବସୁଅଛି। ଛତିଶଗଡ ଅଞ୍ଚଳରୁ ପରିବା ଆସେ ଓ ଏହି ବଜାରରେ ବିକ୍ରୟ ହୁଏ। ଯେଉଁମାନେ ପୂର୍ବରୁ ସପ୍ତାହର ପ୍ରାୟ ପ୍ରତିଦିନ ଆସି ନିଜର ଉପଜ ବିକୁଥିଲେ ସେମାନେ ଆଜି କେବଳ ମଙ୍ଗଳବାର ଦିନ ଆସନ୍ତି ଏବଂ ତାଙ୍କ ଉପଜକୁ ଅତି କମ ଦରରେ ବିକି ନିଜର ଶ୍ରମର ମୂଲ୍ୟ କେତେ ନ୍ୟୁନ ତାହା ଠିକ ବୁଝି ପାରନ୍ତି। ଏହା ମାତ୍ର ପନ୍ଦରବର୍ଷର ପରିବର୍ତ୍ତନ।
LIKE THIS ARTICLE
Give us a thumbs up!
0 Comments