February 7, 2025 | By Rajib Sagaria | 1 min read

ରାଜପଦ ଓ ଜନପଦ

ବହୁତ ଦିନ ପରେ ପାଟଧରା ଗଲି। ଏ ଭିତରେ ଅନେକ ଘଟଣା ଘଟି ସାରିଛି। ଗୋଟିଏ କୁମ୍ବିଂ ହୋଇଛି। ଗୋଟିଏ ସୁରକ୍ଷାବଳ କ୍ୟାମ୍ପ ବସି ସାରିଛି। ପଞ୍ଚାୟତ ନିର୍ବାଚନ ବିି ସରିଛି। ସବାଶେଷ ଖବର ଥିଲା ନୂଆପଡ଼ା ଜିଲ୍ଲାପାଳ ଖୋଦ ପାଟଧରା ଯାଇ ଫେରି ଆସିଛନ୍ତି। ଗୋଟିଏ ପ୍ରଶ୍ନ ଥିଲା ମନରେ କିଛି ନ ହେଲା ନାହିଁ। ବୈଦ୍ୟ ଶ୍ରୀ ରିକିରାମ ସୌରୀଙ୍କ ଆବାସ ଘର କଥା ନିଶ୍ଚୟ ବୁଝିଥିବେ। ବୈଦ୍ୟ ଶ୍ରୀ ସୌରୀଙ୍କୁ ଭେଟିବା ଆବଶ୍ୟକ ହୋଇ ପଡିଲା।
ବୋଡେନରୁ କୋଟଗାଁ ରାସ୍ତା ଆଉ ଉବଡଖାବଡ ନାହିଁ। ନୂଆ ପିଚୁ ଲେସି ଦେଇଛନ୍ତି ଠିକାଦାର। କୋଟଗାଁ ଡେଇଁଲା ପରେ ରାସ୍ତାକାମ ଚାଲିଛି। ଏତେ ନିର୍ଭୟରେ ସେଠାରେ ରାସ୍ତା ତିଆରି ହେବା ମୁଁ ଦେଖି ନ ଥିଲି। ରାସ୍ତାକାମ ଘାଟି ଉପର ସୁରକ୍ଷାବଳ କ୍ୟାମ୍ପ ପର୍ଯ୍ୟନ୍ତ ଚାଲୁଛି। ଧୋବଘାଟ ନଦୀ ମୁଣ୍ଡରେ ସୁରକ୍ଷାବଳ କ୍ୟାମ୍ପ। ତା ସାମ୍ନାରେ କିଛି ସଦ୍ୟ କଟା ହୋଇଥିବା କଞ୍ଚାଡାଳମାନ ପଙକ୍ତି ଆକାରରେ ପୋତା ହୋଇଛନ୍ତି। ଏଠାରେ ବଜାର ବସିବ। ଜିଲ୍ଲାପାଳ ଉଦଘାଟନ କରି ଗଲେ। ବନ୍ଧୁକର ଛାଇତଳେ ବଜାର ସୁରକ୍ଷିତ ରହିବ। ଏହାସହ ଅନେକ ଲୋକ ସୁରକ୍ଷିତ ରହିବେ ଯେଉଁମାନେ ପାଟଧରାକୁ ବ୍ୟବସାୟ ପାଇଁ ଯାଆନ୍ତି।

ଧୋବଘାଟ, ଏକଦା ପାଟଧରାକୁ ଗଲାବେଳେ ନଦୀ ଗୋଟିଏ ବାଧକ ହୋଇଛି। ସହଜ ଲଙ୍ଘ୍ୟ ମଧ୍ୟ ହୋଇଛି ଯେତେବେଳେ ପାଣିର ଧାର ତୀବ୍ର ନ ଥାଏ। ପରବର୍ତ୍ତି ସମୟରେ ଗୋଟିଏ ନଦୀପୋଲ ତିଆରି ହୋଇଛି। ନିଶ୍ଚିତ ନଦୀର ଚରିତ୍ର ସହ ପୋଲର ଚାରିତ୍ରିକ ମେଳାପ ନାହିଁ। ଏକଥା ଲୋକେ ଜାଣନ୍ତି। କେବଳ ଏତିକି ଜାଣନ୍ତି ନାହିଁ ଯେ ଏହି ପୋଲ କାହା ନିର୍ଦ୍ଦେଶରେ ତିଆରି ହୋଇଛି। ଯାହାକୁ ତା’ର ବୈଶୟିକ ତୃଟିର ଉପଦେଶ ଦେଇ ହେବ। ପୋଲ ତିଆରି ହୁଏ। ଲୋକେ ଆରାମରେ ଚାଲି ପାରନ୍ତି। ତଦୃପ ବର୍ଷାଦିନେ ପାହାଡ଼ି ନଈ ଡେଇଁ ଶାନ୍ତିଲତା ମାଝି ଅଙ୍ଗନବାଡି ଦିଦି ସବୁଦିନ ଧୋବଘାଟ ନିଜ କେନ୍ଦ୍ରକୁ ଯାଆନ୍ତି। ଜଙ୍ଗଲ ଓ ଘାଟି ଡେଇଁ ବୋଡ଼େନ ବ୍ଲକ କାର୍ଯ୍ୟାଳୟରେ ସୁପରଭାଇଜର ଦିଦି ଯାହା କହନ୍ତି ତାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। ପାହାଡ଼ର ଝୀଅ; ପାହାଡ଼ୀ ଲୋକଙ୍କ ସମସ୍ୟା ଜାଣେ ତେଣୁ ଲୋକଙ୍କ ପାଇଁ ସେ ଠିଆ ହେବା ହିଁ ସବାଶେଷ ଆଶ୍ୱାସନା ହୋଇଯାନ୍ତି। ସରକାରଙ୍କ ଶିଶୁ କଲ୍ୟାଣ ବିଭାଗ ଜଙ୍ଗଲ ଭିତରେ ଶାନ୍ତିଲତା ଦିଦିଙ୍କ କାନ୍ଧରେ ବେଶ ସୁଗମତାର ସହ ଚାଲେ। ଏବେ ସେ ଚାଲି ଚାଲି ଯାଇପାରିବେ ସବୁଦିନ ନିଜର କାମକୁ; ବର୍ଷାଦିନେ ଛତା ଟିଏ ଉଢ଼ି।

ପୋଲ ଉପରେ ସେ ଗାଡ଼ି ବି ଯିବ ଯେଉଁ ଗାଡ଼ି ଦିନ ପ୍ରତିଦିନ ପାଟଧରା ଘାଟିରୁ ବନୈାଷଧି ସହ ବନ ଉପଜ ଆଣିଥାଏ। ପହରିଆ, ଭୁଞ୍ଜିଆ, ଗଉଡ, ଗଣ ଓ ଗଣା ଜାତିର ଲୋକେ ରହୁଥିବା ଏହି ପାହାଡ଼ୀ ଦେଶ ସୁନାବେଡ଼ା ଘାଟି ଉପରେ ରହିଅଛି। ଛତିଶଗଡ଼ ଓ ଓଡ଼ିଶାରେ ଉଦନ୍ତି ଓ ସୁନାବେଡ଼ା ଅଭୟାରଣ୍ୟ ଘୋଷଣା ହୋଇଛି। କିନ୍ତୁ ପାଟଧରା ନୁହେଁ। ଏଠାରେ କୌଣସି ବିଶେଷ କାର୍ଯ୍ୟକ୍ରମ ଚାଲେ ନାହିଁ; ଯେମିତି ଛତିଶଗଡ଼ରେ ପହରିଆ ଓ ଭୁଞ୍ଜିଆ ଏବଂ ଓଡ଼ିଶାରେ କେବଳ ଚକୋଟିଆ ଭୁଞ୍ଜିଆମାନଙ୍କ ଉନ୍ନତି ପାଇଁ କାମ ଚାଲୁଛି। ଓଡ଼ିଶାରେ ପହରିଆ ଆଦିବାସୀ ନୁହନ୍ତି ତେଣୁ ତାଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ସରକାର ପ୍ରସ୍ତୁତ କରି ପାରନ୍ତି ନାହିଁ। ପହରିଆ ଜଙ୍ଗଲଜମି ଅଧିକାରରୁ ବି ବଞ୍ଚିତ ରହେ। ଆହୁରି ଅନେକ ଆବଶ୍ୟକ ସରକାରୀ ସହଯୋଗରୁ ମଧ୍ୟ। ମାଓବାଦୀ ଆସନ୍ତି ପୋଲିସବଳ ବି ଯାଏ କିନ୍ତୁ ଲୋକଙ୍କ ଭାଗ୍ୟ ଯଥାବତ୍‌।
ରାସ୍ତା ତିଆରି ହେଉଛି। ଘାଟିରେ କଂକ୍ରିଟ ଓ ସମାନ ଜାଗାରେ ପିଚୁ। ଅଣ ଓସାରିଆ ଠିକ ସେହିପରି ମାପରେ ଏକଦା ମାଓବାଦୀ ଓ ଗାଁଲୋକଙ୍କ ରାଜିନାମାରେ ତିଆରି ହୋଇଥିଲା। ପୂର୍ବ ରାଜିନାମାକୁ ସମ୍ମାନ ଦିଆଗଲା ନା ନୂତନ ରାଜିନାମାରେ ଲାଭକ୍ଷତିର ମାପ ହେଲା ଠିକାଦାର ଓ ବିଭାଗ ଭିତରେ ତାହା କହିବା କଠିଣ ହେବ କିନ୍ତୁ ଲୋକଙ୍କ ଅନୁମାନ ସହଜ ହୁଏ। ପୋଲ ସେପଟେ ରାସ୍ତା ତିଆରି ହେଉନାହିଁ। ଏ ରାସ୍ତା ତିଆତି କରିବା ଯୋଜନା ବିଭାଗ ରଖିଛି ଏକଥା ବି କହିହେବ ନାହିଁ। କାରଣ ଏମଜିଏନଆରଇଜିଏ ଯୋଜନାରେ ବାକିରାସ୍ତା ମାଟିପଡି ସୁନ୍ଦର ଦିଶୁଛି। ଧୋବଘାଟ ନଦୀ ହିଁ ଘୋଷଣା କରୁଛି ସେପଟେ ସରକାରଙ୍କ ରାଜ୍ୟ ଏବଂ ଏପଟେ ପାହାଡି ଲୋକର ରାଜ୍ୟ। ସେତୁ ଯେମିତି ଅସମର୍ଥ ରହିଛି ସରକାର ଓ ପାହାଡକୁ ଯୋଡିବାରେ।
ବୈଶାଖର ଖରାରେ ୩୪ଶହ ଫୁଟ ଉଚ୍ଚ ଘାଟିର ଅରଣ୍ୟ ସବୁଜିମାରେ ଭର୍ତ୍ତି। ସକାଳ ୬ ଟାରେ ବିଦ୍ୟାଳୟ ଖୋଳିବ। ନାଗରିକ ଅସନ୍ତୁଷ୍ଟ ହେଲେ ସରକାରଙ୍କ ପ୍ରତି। ପ୍ରବଳ ଖରାରେ ପିଲାଏ ପାଠ ପଢିବେ କିପରି? କିନ୍ତୁ ପାଟଧରାରେ ଖରାର ପ୍ରକୋପ ନାହିଁ। ବିଡମ୍ବନା ଯେ ସ୍କୁଲ ସବୁଦିନ ଖୋଳେ ନାହିଁ। ପିଲାଏ ମାଁବାପାଙ୍କ ସହ ଚାର କି ମହୁଲ ଗୋଟେଇ ଯାଆନ୍ତି ସ୍କୁଲ ଯିବା ବଦଳରେ। ତଥାପି ଲାଗେ ବସନ୍ତ ଏଇ ଘାଟିକୁ ଆସିଛି। ଯେମିତି କଥା କବିତାରେ ଆସିଥାଏ। ଧୋବଘାଟ, ସାଇନିପରା, ପାଟଧରା, ଖୁରସିଗୁଭା, କୋପଟିଆମ ଗାଁମାନଙ୍କରେ ପରିବାର ସମେତ ଲୋକେ ଜଙ୍ଗଲ ଭିତରକୁ ଯାଇଥାନ୍ତି। ବନଉପଜ ଗୋଟେଇବା ପାଇଁ। ଘର ଅଗଣାରେ ନାନା ଜାତିର ବନ ଉପଜ, ମହୁଲ, ଚାଁର ସମେତ ଆହୁରି ଅନେକ।
ମହୁଲକୁ ବେପାରୀ ଯାଏ କଉଠି ପନ୍ଦର ଟଙ୍କା ତ କଉଠି ତିରିଶ ଟଙ୍କାରେ କିଣି ଆଣେ। ଚାଁର କେଜିକୁ ଶହେ ଟଙ୍କା। କାମରାଜ, ତେଜରାଜ ଭଳି ଔଷଧି କେତେଶହ ଟଙ୍କାର ମୂଲ୍ୟ ରଖିଥାଏ କେବଳ। ସରକାର ପାଟଧରାକୁ ନ ପହଞ୍ଚିବା କାଳରୁ ବେପାରୀ ଯାଇ ନିଜ ନିଜ ମୂଲ୍ୟ ନିର୍ଦ୍ଧାରଣ କରି ବନଉପଜ କିଣି ଆଣୁଥିଲା। ଆଜିବି ଠିକ ସେପରି। କଥା କବିତାର ବସନ୍ତ କି ବଣର ମଣିଷ ମହୁଲ ଗୋଟାଉ ଥିବାର ଚିତ୍ର ସବୁ ଅବାସ୍ତବ ଯେପରି।
ତଥାପିବି ସେଠାରେ ମଣିଷ ବଞ୍ଚନ୍ତି। ଧୋବଘାଟ ନଦୀ ପୋଲତଳେ ପତଲା ହୋଇ ବହି ଯାଉଥାଏ ଚୁପଚାପ। ଏହି ନଦୀ ହିଁ ଉପର ସତରଟି ଜନବସତିର ପିଇବା, ଗାଧୋଇବା ପାଇଁ ବ୍ୟବହାର ହୋଇଥାଏ। ସରକାର କିଛି ନଳକୂଅ କରିଛନ୍ତି। ସେଠାରେ ସୋଲାର ପମ୍ପ ପାଣି ବାହାର କରେ କିନ୍ତୁ ଲୋକଙ୍କ କହିବା ଅନୁସାରେ ତାହା ପାନଯୋଗ୍ୟ ନୁହେଁ। ନଦୀ ଡେଇଁ ଧୋବଘାଟ ଗାଁ ଡେଇଁଲେ ଗୋଟିଏ ପୋଲ ତିଆରି ହେଉଥାଏ। ସେଠାରେ ପୋଲର ଖମ୍ବ ପାଇଁ ଖୋଳା ଯାଉଥିବା ଖାଲ ପାଞ୍ଚଫୁଟରେ ପାଣି ଦେଇଥାଏ। ତାକୁ ଶ୍ରମିକମାନେ ଡିଜେଲ ପମ୍ପ ଲଗାଇ ପାଣି ବାହାର କରୁଥାନ୍ତି। ସରକାରଙ୍କ ପାନୀୟ ଜଳ ଯୋଜନା କେବଳ ଗୋଟିଏ ନୀତିରେ ଚାଲେ। ଯଦି ପାଟଧରାରେ ଜଳଉତ୍ସ କରିବାର ଥିଲା ଅଳ୍ପ ଖର୍ଚ୍ଚରେ ପାଣି ଲୋକଙ୍କୁ ଯୋଗାଇ ହେବ ଏକଥା ସରକାରଙ୍କୁ କହିବା ପାଇଁ ସରକାରୀ ଲୋକେ ବି ଅସମର୍ଥ ଯେପରି। କାରଣ ନଳକୂଅ ଛଡା ଅନ୍ୟ ଉପାୟ ଲେଖି ନାହାନ୍ତି ସରକାରଙ୍କ ଯୋଜନା ନିର୍ମାତାମାନେ।

ସାଇନିପରା ଗାଁରୁ କିଛି ଫର୍ଲଙ୍ଗ ଗଲାପରେ ଜଙ୍ଗଲ ଭିତରକୁ ଗୋଟିଏ ପାଦଚଲା ରାସ୍ତା। ପୁଣିଥରେ ଧୋବଘାଟ ନଦୀକୁ ପାର ହେବାକୁ ହେଲା। ନଦୀର କ୍ଷୀଣ ସ୍ରୋତ ଠାଏ ଠାଏ ଲୋକଙ୍କ ପ୍ରୟାସରେ ବନ୍ଧା ହୋଇଥାଏ ପାଣି ଅଟକାଇବା ପାଇଁ। ତାହା ହିଁ ଆଶ୍ରା ଜଳ ଆପୂର୍ତ୍ତି ଲାଗି। ନଦୀ ଡେଇଁଲେ ଖୁରସିଗୁଭା ଗୋଟିଏ ଛୋଟ ଜନବସତି। ବୈଦ୍ୟ ଶ୍ରୀ ରିକିରାମ ସୌରୀଙ୍କ ଘରକୁ ଗଲୁ। ସେ ବସିଥାନ୍ତି ବାଇକର ଆବାଜ ଶୁଣି ବାହାରକୁ ବାହାରିଲେ। ଦେଖି ଖୁସି ହୋଇ ପାଛୋଟି ନେଲେ ଘରକୁ। ବାଉଁଶ ବାଡ, ତାପରେ ତାଙ୍କର ଭଙ୍ଗା ମାଟିଘର ଯାହାକୁ ଏବେ ବ୍ୟବହାର କରୁ ନାହାନ୍ତି। ନିଜ ପାଇଁ ଅନ୍ୟ ଏକ ଘର ତିଆରିଛନ୍ତି ଚାଲ ଉପରେ ମାଟି ଲେପି। କେଉଁ ପରିଜନ ଆସି ତିନି ମାସର ପରିଶ୍ରମରେ ଖପର ତିଆରି କରି ଯାଇଛି। ଯାହା ଉପହାସ କରୁଛି ସେଇ ପୁରୁଣା ଇନ୍ଦିରା ଆବାସ ଘରକୁ। ସରକାର ଖୁସି ହୋଇ ଦେଇଥିବା ଇନ୍ଦିରା ଆବାସ ଘରଟି ପୂର୍ବବତ ଅଧାଗଢା ହୋଇ ପଡିଛି। ସେ ଘରଟି କେବେ ପୁରାହେବ ତାହା ଶ୍ରୀ ସୌରୀ ବି ଜାଣନ୍ତି ନାହିଁ। କିନ୍ତୁ ହିସାବ ଦିଅନ୍ତି ଘାଟି ରାସ୍ତା ଦେଇ ୨୬ କିଲୋମିଟର ବାରମ୍ବାର ଗଲାପରେ ସେ ୪୦ ହଜାର ଟଙ୍କା ପାଇଲେ। ବାଲି ଗୋଟିଏ ଟ୍ରାକ୍ଟରକୁ ସାତ ହଜାର ଟଙ୍କା। ଘାଟି ଚଢେଇ ଟ୍ରାକ୍ଟର ବାଲି ନେଇ ଯିବ। ଏ ମୂଲ୍ୟ ଉଚିତ ଲାଗେ ପାଟଧରା ଲୋକଙ୍କୁ। ତା ପରେ ଇଟା ଆଉ ଛଡ ସିମେଣ୍ଟ ଆଦିର ମୂଲ୍ୟ ଅବିଶ୍ୱାସ କଲା ପରି ଦର।
ଘର ତିଆରି କରିବେ। ବାହାରୁ ରୋଗି ଆସିଲେ ଆଠଦଶଦିନ ରହି ବି ଚିକିତ୍ସା ହୁଅନ୍ତି। ରୋଗୀ ଅନ୍ତତଃ ରହି ପାରିବେ। ନିଜପାଇଁ ମାଟିଘର ବି ଯଥେଷ୍ଟ। ବ୍ଲକକୁ ବାରମ୍ବାର ଗଲେ। ଶେଷରେ ଜାଣିଲେ ସେ ସବୁତକ ଟଙ୍କା ପାଇ ସାରିଛନ୍ତି। ସରକାର ଦେଇଥିବା ଆବାସ ଘର ଆଉ ପୁରା କରି ପାରିବେ ଏ ବିଶ୍ୱାସ ନାହିଁ ତାଙ୍କର। ଚାଷ ଓ ଚିକିତ୍ସାରୁ ପାଇଥିବା ଅନେକ ଟଙ୍କା ସେ ଖର୍ଚ୍ଚ କଲେଣି ଘର ତିଆରିରେ। ସବୁ ହିସାବ ମୁହେଁ ମୁହେଁ ଅଛି ତାଙ୍କର। କିନ୍ତୁ ଘରଟି ତିନିଫୁଟ ମାତ୍ର ଉଠି ପାରିଛି। ପାଖରେ ଦୁଇଟ୍ରିପ ବାଲି, ଦୁଇ କ୍ୱିଣ୍ଟାଲ ଛଡ, ପଥର ହୋଇଯାଇଥିବା କୋଡିଏ ବସ୍ତା ସିମେଣ୍ଟ ଓ ଶ୍ରୀ ସୌରୀଙ୍କ ପରିବାର ସମବେତ ଅପେକ୍ଷାରେ ଅଛନ୍ତି ସରକାର କେବେ କୃପାଦୃଷ୍ଟି ଦେଲେ ଅନ୍ତତଃ ଘରଟି ପୁରା ହେବ।
ଘର ଶିଘ୍ର ସାରି ଦିଅନ୍ତୁ ଆଜ୍ଞା!
ଅସମ୍ଭବ ଅନୁରୋଧ ଥିଲା ଯେପରି। ସେ ମୁହଁକୁ ଦେଖି ସାମାନ୍ୟ ହସିଲେ, ବାପା! ବାଜପେୟୀ ରାଜଗାଦି ବସିଲେ ଘରଟିଏ ଦେଲେ; ମୋଦୀ ସରକାର ଆସିଲେ ବି ଘର ସାରି ପାରିଲି ନାହିଁ। କେବେ ହେବ ପ୍ରଭୁଙ୍କ ଇଚ୍ଛା!
ଘର ଅଗଣାରେ ସେ ଭଗବାନ ଶିବଙ୍କୁ ଏବଂ ତାଙ୍କ ସହିତ ତାଙ୍କ ଆରାଧ୍ୟା ଦେବୀମାନଙ୍କୁ ଥାପନା କରିଛନ୍ତି। ଲୋକେ ଆସିଲେ ତାଙ୍କ ଦୁଃଖ ଗୁହାରନ୍ତି। ରୋଗ ବଇରାଗ ଶ୍ରୀ ସୌରୀଙ୍କ ପାରମ୍ପାରିକ ଚରିମୂଲିରେ ଠିକ କରନ୍ତି। ସମସ୍ତ ରୋଗୀ ସୁସ୍ଥ ହୋଇ ଯାଉଥିବାର କହନ୍ତି। କୌଣସି ରୋଗୀ ନିରାଶ ହୋଇ ଯାଇ ନାହାନ୍ତି ତାଙ୍କ ଘରୁ। ଏହା ହିଁ ସବାଶେଷ ତୃପ୍ତି ତାଙ୍କ ପାଇଁ।
ପୁରା ହେବାକୁ କୁଣ୍ଠିତ ଆବାସ ଘର, ଘର ପୁରା କରିବାକୁ ଅପେକ୍ଷାରତ ବାଲିଗଦା, ପଥର ହୋଇଥିବା ସିମେଣ୍ଟ, ଛଡ ଓ ଇଟା। ଲୋକଙ୍କ ସେବା ପାଇଁ ଚାଷ ଉପରେ କମ ଧ୍ୟାନ ଦେଉଥିବା ଶ୍ରୀ ସୌରୀ, ରୋଗୀଙ୍କୁ ରାନ୍ଧି ଖୁଆଉଥିବା ସ୍ତ୍ରୀ ଜଙ୍ଗଲ ଭିତରକୁ ବାଉଁସ, ଲାଖ, ମହୁ, ଧୁପ କି ଅନ୍ୟ ଅନେକ କିଛି ସଂଗ୍ରହ କରି ଯାଉଥିବା ପୁଅ ସୁରେଶ, ଆରୋଗ୍ୟ ହେବାକୁ ଆସୁଥିବା ରୋଗୀ, ଦୂର ପର୍ଯ୍ୟନ୍ତ ଦରଚଷା ଜମି, ତାଙ୍କ କୁଡିଆରେ ଆଶ୍ରା ନେଇଥିବା ଦେବାଦେବୀ ଓ ବହୁ ଦୂରରେ ଥିବା ବୁଝି ହେଉ ନ ଥିବା ସରକାର। ଗୋଟିଏ ଅସହଜ ସମିକରଣ ତିଆରି କରନ୍ତି ଶ୍ରୀ ସୌରୀଙ୍କ ସଂସାରରେ।

ଏହା ହେଉଛି ଔଷଧି ସଂଗ୍ରହର ସମୟ। ଏବେ ଆଉ ପାଖରେ ବନୌଷଧି ମିଳୁନାହିଁ। ରାଜସ୍ଥାନୀ ମେଣ୍ଢା ଓ ଓଟ ଚରିବାକୁ ଆସନ୍ତି। ଜଙ୍ଗଲ ଭିତରେ ସେମାନେ ମାଡିଚକଟି ପଲ୍ଲବି ଆସୁଥିବା ଅନେକ ଔଷଧିକୁ ନଷ୍ଟ କରନ୍ତି। ତେଣୁ ଶ୍ରୀ ସୌରୀଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଯାଇ ଔଷଧ ଆଣିବାକୁ ପଡେ। ବିଶେଷ ପରିସ୍ଥିତିରେ ରୋଗୀକୁ ଦୁଇ ଦିନ ମଧ୍ୟ ତାଙ୍କ ଘରେ ରହିବାକୁ ହୁଏ। ସେ ଗଭିର ବନକୁ ଯାଆନ୍ତି, ଔଷଧ ଆଣନ୍ତି ଅତିକମରେ ଗୋଟିଏ ଦିନ ଯାଏ। କେବେକେବେ ଜଙ୍ଗଲରେ ରାତି ବିତେଇବାକୁ ହୁଏ। ବାଘ ଗୁମ୍ଫା କି ଅସହଜ ଜଳଉତ୍ସ ନିକଟରେ ଔଷଧ ଥାଏ। ଶ୍ରୀ ରିକିରାମ ସୌରୀ କହନ୍ତି ଯଦି କିଛି ସହଯୋଗ ମିଲନ୍ତା ତାହେଲେ ନିଜ ଜମିରେ କିଛି ଔଷଧିୟ ଗଛ ଲଗାନ୍ତେ। ରୋଗୀଙ୍କୁ ଅପେକ୍ଷା କରିବାକୁ ପଡନ୍ତା ନାହିଁ କି ତାଙ୍କୁ ନିୟମିତ ଜଙ୍ଗଲ ଯିବାକୁ ହୁଅନ୍ତା ନାହିଁ।
ରୋଗ ବଇରାଗ ଅଲଗା କଥା; ଜନନୀ ସୁରକ୍ଷା ଯୋଜନାରେ ଲୋକେ ପ୍ରସୂତିକୁ ନିଅନ୍ତି ବୋଡେନ ସରକାରୀ ଡାକ୍ତରଖାନା। ବାଇକେ କି ଚାଲିକରି ଯାଇ ହେବା ଅସମ୍ଭବ ତେଣୁ ଗାଡି ଭଡା କରି ଯାଆନ୍ତି, ସାତହଜାର ଟଙ୍କା ଗାଡିଭଡା। ପସୂତୀ ମାଁ ଘରକୁ ଫେରିଲେ ସରକାରଙ୍କ ଅନୁଦାନ ନିଅଣ୍ଟ ହୁଏ ଓ ସ୍ୱଳ୍ପ ମୂଲ୍ୟରେ ବିକିଥିବା ବନୋପଜରୁ ଜମାଟଙ୍କା ସରିଯାଏ। ମହାଜନ ଦ୍ୱାରକୁ ଯିବାକୁ ହୁଏ। ମହାଜନର ଟଙ୍କା ପରିଶୋଧ କରିବାକୁ ଚାଷ ନହେଲେ ବନୋପଜ ସମୟକୁ ଅପେକ୍ଷା। ତା ଉପରେ କଲନ୍ତର।
ଆଗରୁ ସରକାରୀ ଡାକ୍ତରଖାନା ଯାଉ ନ ଥିଲେ। ଶ୍ରୀ ସୌରୀଙ୍କ ମାଁ, କୌଣସି ପ୍ରସୂତୀକୁ ଅପଦସ୍ତରେ ପକାଉ ନ ଥିଲେ। ଆଜି କିନ୍ତୁ କଥା ଅଲଗା। ସରକାରୀ ଡାକ୍ତରଖାନାରେ ହାଜିର ନ ହେଲେ ନବଜାତକର ନାମ ସରକାରୀ ପାଞ୍ଜିରେ ଲେଖା ହେବ ନାହିଁ। ଶହେ ତିରିଶ କୋଟି ଲୋକଙ୍କ ଭିତରେ ତାର ନାମ ତାଳିକାରେ ଆସିବ ନାହିଁ। ବିଦ୍ୟାଳୟରେ ପାଠ ପଢି ପାରିବ ନାହିଁ, ସରକାରୀ ଯୋଜନାରେ ତାକୁ ବାଦ ଦିଆଯିବ ଏପରି ନାନା କଥା କୁହାଯାଇଥାଏ ସମସ୍ତଙ୍କୁ। ଯେମିତି ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଘାଟି ଉପରେ ଥିବା ସତରଖଣ୍ଡ ଗାଁ ଲୋକଙ୍କୁ ଗଣେଶ ପୂଜା କରିବାକୁ କୁହାହୁଏ। ଲୋକେ ହଁ କରନ୍ତି ଡାକ୍ତରଖାନା ଯାଆନ୍ତି, ଗଣେଶ ପୂଜା କରନ୍ତି।
ଠିକ ସେପରି କୋପଟିଆମର ଶ୍ରୀ ଭୁଜବଲ ଚିନ୍ଦା। ସେ କାବ୍ୟ ନାଟକ ଲେଖନ୍ତି, ଅଭିନୟ କରନ୍ତି, ଅନେକ ଗାଁର ନାଟଗୁରୁ, ଛତିଶଗଡ଼ ଓ ଓଡ଼ିଶା ଘାଟିରେ ସେ ପ୍ରାୟ ପରିଚିତ। ଔଷଧିୟ ବିଦ୍ୟା ବି ଜାଣନ୍ତି। ଗାଁ ସ୍କୁଲ ଘର କି ରାସ୍ତାର ସୁବିଧା ପାଇଁ ବ୍ଲକକୁ ଯାଇ ବାବୁମାନଙ୍କ ସହ କଥା ବି ହୋଇ ପାରନ୍ତି। ତାଙ୍କର କାମ ହେଲା ଚାଷ କରିବା। ତାଙ୍କର ବି ଆବାସ ଘର ପୁରା କରି ପାରି ନାହାନ୍ତି। ସେ କହନ୍ତି ସରକାରୀ ପଏସା ତ ନିହରେ ସରିଲା। ଏବେ ଟୋଲ ଚାଁର ବିକି ଯାହା ହେବ ଘର ପୁରା କରିବେ। ସେ ଚାରିବର୍ଷ ହେଲା ଘର ପୁରା କରିବା ଚେଷ୍ଟାରେ ଅଛନ୍ତି। ବିଶ୍ୱାସ ରଖନ୍ତି ବର୍ଷା ଆଗରୁ ଘରର ଛାତ ପଡିଗଲେ ବାକି କାମ ଆର ଋତୁକୁ ଦେଖିବା।
ଆବାସ ଘର, ଜନନୀ ସୁରକ୍ଷା ଯୋଜନା ଆଦି ଆଣି ସରକାର ତାଙ୍କ ଉପରେ ଲଦି ଦିଅନ୍ତି। ଏହା ସହଯୋଗ ନୁହେଁ ସରକାର ଦଣ୍ଡ ଦେଇଛନ୍ତି ଯେପରି। ସମାନେ ପୋଲିସ ଦେଖନ୍ତି ମାଓବାଦୀ ବି ଦେଖନ୍ତି କିନ୍ତୁ ଜିଲ୍ଲାପାଳ ଦେଖି ନ ଥିଲେ। ଜିଲ୍ଲାପାଳ ସ୍ୱାଧାଦେବ ସିଂ ପାଟଧରା ଗଲେ। ଲୋକଙ୍କୁ ଭେଟିଲେ। ପିଇବା ପାଣି ସୁବିଧା କରିବାକୁ କହିଲେ, ଆବାସିକ ବିଦ୍ୟାଳୟ ହେବ, ଡାକ୍ତରଖାନା ହେବ, ରାସ୍ତା ହେବ ଓ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଫଳ ପାଟଧରା ଲୋକେ ପାଇବେ। ଗୋଟିଏ ସୁରକ୍ଷାବଳ କ୍ୟାମ୍ପ ସହ ତା ସାମ୍ନାରେ ବଜାର ଉଦଘାଟନ କଲେ। ଯେଉଁଠାରୁ ବେପାରୀ ସହଜରେ ସଂଗୃହିତ ବନୋପନ ନେଇ ପାରିବେ।ତାଙ୍କ ଯିବାର କିଛିଦିନ ପୂର୍ବରୁ ସମସ୍ତ ବିଦ୍ୟାଳୟକୁ ଶିକ୍ଷକ ଗଲେ। ଆମେ ଗଲାଦିନ ଦୁଇଘଣ୍ଟା ପାଇଁ ବିଦ୍ୟାଳୟମାନ ଖୋଳୁଥିବା ଲୋକେ କହିଲେ। ଅନେକ ଅସୁବିଧା ଭିତରେ ଜିଲ୍ଲାପାଳଙ୍କ ପ୍ରତିଶୃତି ଫଳବତୀ ହେବ ଲୋକେ ବିଶ୍ୱାସ କରନ୍ତି। ଯେପରି ବଜାର ହେଲା ସୁରକ୍ଷାବଳ କ୍ୟାମ୍ପ ବି ହେଲା ଜବାନ ବି ରହୁଛନ୍ତି। ଠିକ ସେପରି ବାକି ପ୍ରତିଶୃତି ବି ପୁରା ହେବ। ଲୋକେ ଖୁସି ଅଛନ୍ତି।
ବିଦାୟ ମାଗିଲୁ ଶ୍ରୀ ସୌରୀଙ୍କୁ। ସେ ଟିକିଏ ରହିବା ପାଇଁ କହିଲେ। ବାପା! ମନ୍ଦିର ଗୁଟେ ହେଲେ ଠିକ ହେତା। ଶ୍ରୀ ରିକିରାମ ସୌରୀ ନିଜ କୁଡିଆରେ ଥାପନା କରିଥିବା ଦେବାଦେବୀଙ୍କ ନିକଟକୁ ଯାଇ ରୋଗୀର ଦୁଃଖ କହନ୍ତି। ରୋଗୀ ପାଖୁ ଆସି ଔଷଧ ଦେବା ପୂର୍ବରୁ ପ୍ରାର୍ଥନା କରନ୍ତି। ଚରାଚର ତୁମର ସୃଷ୍ଟି ପ୍ରଭୁ! କେଉଁ ଦୋଷରେ ଏ ନିରିହକୁ ଦଣ୍ଡ ଦେଉଛ ତାହା ମୁଁ ଜାଣେ ନାହିଁ। କିନ୍ତୁ ମତେ ରୋଗ ଉପସମ କରିବା ବିଦ୍ୟା ଦେଇଛ। ଯେହେତୁ ମୁଁ ବିଦ୍ୟା ଜାଣେ ରୋଗୀଟି ମୋ ନିକଟକୁ ଆସିଛି। ମୁଁ ତାହାର ରୋଗ ଉପସମ କରିବା ପାଇଁ ବାପଦାଦି କହିଲା ଔଷଧ ଦେଉଛି। ଏହି ଔଷଧରେ ତାର ରୋଗ ଉପସମ ହେଉ। ମତେ ବି କ୍ଷମା କରିବ ଯେ ତୁମର ଦେଇଥିବା ଦଣ୍ଡକୁ ମୁଁ ଉପସମ କରିବାକୁ ଯାଉଛି।
ଏତେବଡ ଭଗବାନ ତାଙ୍କ ଗୁହାରୀ ଶୁଣନ୍ତି କିନ୍ତୁ ବର୍ଷାଦିନେ ଛାତରୁ ଝରୁଥିବା ପାଣିରେ ଭିଜି ଭିଜି ରହନ୍ତି। ଏହା ଅସହ୍ୟ ମୋ ଆବାସ ଘର ନ ହେଉ ପଛେ ଭଗବାନଙ୍କ ମନ୍ଦିର ହେଉ।
ଦିନେ ଜଣେ ଲୋକ ଆସିଲା। ଭାଗବତ ଓ କାର୍ତ୍ତିକ ପୁରାଣ ଦୁଇଖଣ୍ଡ ବହି ଦେଲା। ରିକିରାମଙ୍କୁ କହିଲା, “ବାର ଜଣ ମିଶି ଗୋଟିଏ ଗୋଷ୍ଠି ତିଆରି କର। ପ୍ରତିଦିନ ଏହି ପୁରାଣ ପଢ। ତୁମକୁ ମନ୍ଦିର ଦିଆହେବ। ପ୍ରଥମରେ ୫୦ ହଜାର ଟଙ୍କା ତାପରେ ଦ୍ୱିତୀୟ କିସ୍ତିରେ ଦେଢଲକ୍ଷ ଟଙ୍କା ଓ ଶେଷରେ ଆଠଲକ୍ଷ ଟଙ୍କା ଦିଆହେବ।”
ପୁରାଣ ପଢିବ କିଏ? ସାଇନିପରାରେ ଜଣେ ବୋହୂ ଶିକ୍ଷିତା ଅଟନ୍ତି। ସେ ପୁରାଣକୁ ସହଜରେ ପଢିପାରିବା ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଛନ୍ତି। ରିକିରାମ ଗାଁରେ ଥିଲେ ପ୍ରତିଦିନ ଯାଇ ପୁରାଣ ଶୁଣନ୍ତି। ଏହି ଔପଚାରିକତାରେ ସେ ଆଠ ଦଶ ହଜାର ଟଙ୍କା ଖର୍ଚ୍ଚ କଲେଣି। ସଙ୍ଗଠନ, ପୁରାଣ ପଢିବା ସମୟ ତାରିଖ, ପୁରାଣ ଶୁଣୁଥିବା ଲୋକଙ୍କ ତାଳିକା ଆଦି ଲେଖା ହେବ। ମୋହର ଦିଆହେବ। ପୁରାଣ ପାଠ ସହ ଖାତାପତ୍ର ବି ଠିକ ଠିକ ପରିଚାଳିତ ହେଉଛି। ଦେଢବର୍ଷ ହେଲା ମନ୍ଦିର ତିଆରି ପ୍ରସ୍ତାବ ଦେଇଥିବା ଲୋକ ଆସୁନାହିଁ। କେବେ କେମିତି ବୋଡେନରେ ସେ ଲୋକସହ ଦେଖାହେଲେ ମନ୍ଦିର କଥା ପଚାରନ୍ତି। ଉତ୍ତର ବି ପାଆନ୍ତି, ତୁମେ ପୁରାଣ ପଢୁଥାଅ। ମନ୍ଦିର ଆସିଲେ ମୁଁ ଖବର ଦେବି।

ସେ ମନ୍ଦିର କଥା କେତେଦୂର ଗଲା ବାପା ତୁମେ ପଚାରି ବୁଝିଦେବ! ଏକ କାକୁସ୍ଥ ଅନୁରୋଧ। କିଏ ସେମାନେ ଯିଏ ଦଶଲକ୍ଷ ଟଙ୍କା ମନ୍ଦିର ପାଇଁ ଦେବାକୁ ପ୍ରତିଶୃତି ଦେଇଛି ସେ ଲୋକ ସରକାରର କି ସହଯୋଗୀର ଏହା ଜାଣିବା ଆମପାଇଁ ମୁସ୍କିଲ। କିନ୍ତୁ ଅନୁମାନ କରିହୁଏ କିଏ ହୋଇଥିବେ। କୁଡିଆ ଘରୁ ଦେବାଦେବୀ ନିସ୍ତାର ପାଇବେ ବୋଲି ରିକିରାମ ଓ ତାଙ୍କ ବାର ଜଣିଆ ଗୋଷ୍ଠୀ ପ୍ରତ୍ୟହ ପୁରାଣ ଶୁଣନ୍ତି। କିନ୍ତୁ ମନ୍ଦିର ପାଇଁ ସହଯୋଗ ଆସିବା ତାରିଖଟି କେଉଁଟା ସେକଥା ଶୁଣି ପାରନ୍ତି ନାହିଁ। ପୁରାଣ ପାଠ ଚାଲୁଥାଏ। ଭଗବାନମାନେ ରିକିରାମଙ୍କ କୁଡିଆ ଘରେ କିନ୍ତୁ ଅସହଜ ହୋଇ ରହିଥାନ୍ତି। ରୋଗୀକୁ ଔଷଧ ଦେଲାବେଳେ ରିକିରାମଙ୍କ ପ୍ରର୍ଥନା ଶୁଣି ରୋଗ ଭଲ କରନ୍ତି। ମନ୍ଦିର ହେଉ ନ ହେଉ ଭଗବାନ କୁଡିଆ ଘରୁ ରିକିରାମଙ୍କ ଗୁହାରୀ ଶୁଣନ୍ତି। କିନ୍ତୁ ଭଗବାନଙ୍କୁ କୁଡିଆରେ ରଖିବାକୁ ବାଧ୍ୟ ହୁଅନ୍ତି ରିକିରାମ। ଏ ଅସହଜତା ଭିତରେ ନିଜର ଆବାସ ଘରକଥା ଗୌଣ କରି ଦିଅନ୍ତି। ଭଗବାନ ତାଙ୍କ ଡାକ ଶୁଣନ୍ତି କିନ୍ତୁ ସରକାର ଶୁଣି ପାରନ୍ତି ନାହିଁ।
ଭଗବାନ ଓ ରିକିରାମ ନିଜ ନିଜ ଘର ପାଇବାକୁ ଅପେକ୍ଷା କରିଛନ୍ତି କେଉଁ ଅଲକ୍ଷର ନିର୍ଦ୍ଦେଶକୁ। କିନ୍ତୁ ପାହାଡର ସନ୍ଥ ବୈଦ୍ୟ ଶ୍ରୀ ରିକିରାମ ସୌରୀ ଜାଣନ୍ତି ନାହିଁ ଯେ ସେ ଲୋକଙ୍କୁ ଆରୋଗ୍ୟ କରୁକରୁ ଅନେକ ଦିନରୁ ନିଜେ ଭଗବାନ ହୋଇ ସାରିଛନ୍ତି।

0 Comments