August 17, 2026 | By Rajib Sagaria | 3 min read | 6 views

ବାବା

ଭଦନ୍ତୀ ଅଭୟାରଣ୍ୟ

ଗୋଟିଏ ଛୋଟ ଗାଁ : ଗାଁରୁ ୨୦୦ ମିଟର ଜଙ୍ଗଲ ଭିତରେ ଗଲେ ବାବାଙ୍କ ଘର / ଆଶ୍ରମ / ବଗିଚା / ଯାହା ବି କୁହାଯାଉ। ମୁଁ ସେଠାକୁ ସବୁବେଳେ ଅପ୍ରତ୍ୟାଶିତ ଆଗନ୍ତୁକ। ପହଞ୍ଚିବି ବାବାଙ୍କୁ ଜୁହାର କରି ଶୋଇ ପଡ଼ିବି। ଉଠିବି, ଶୌଚ ହୋଇ ବାବାଙ୍କ ପାଖେ ବସିବି। ସକାଳ ହେବା ପୂର୍ବରୁ ଫେରିବି।
ବାବା, ସତୁରୀ ପାଖାପାଖି ବୟସ, ବହୁ ବର୍ଷ ତଳେ ଏକ ଦୁରାରୋଗ୍ୟ ବ୍ୟାଧି ରେ ତାଙ୍କୁ ଛାଡ଼ି ସମସ୍ତେ ମରିଗଲେ। ମାଁ ବାପା ଭାଇ ସ୍ତ୍ରୀ ସମସ୍ତେ। ସେ ଦିନୁ ଜମି ଗାଈ କୁକୁଡ଼ା ବିରାଡ଼ି ପାରାଭାଡ଼ି ଓ ଜଙ୍ଗଲ ତାଙ୍କର ପୃଥିବୀ। ଆଜି ବି ସେ ଶ୍ରମକୁ ବଳିଆନ ‘ ଦୁଇଜଣ ଜୁଆନଙ୍କ କାମ କରନ୍ତି। ଆଖପାଖ ଲୋକଙ୍କ ଛୋଟ ଛୋଟ ଦୁଃଖ ଦୂର କରନ୍ତି। ପ୍ରତିଦିନ ଚେରି ମୂଳି କେବେ କେବେ କୋଦୋ ଚାଉଳ ଘିଅ ଆଦି ବି। କିଏ ଖୁସିରେ ମଦ ଆଣିଦିଏ କେବେ କେମିତି।
କୌଣସି ଧର୍ମରେ ଦାୟ ରଖନ୍ତି ନାହିଁ ତଥାପି ବି ସେ ବାବା। ସମସ୍ତଙ୍କ ବାବା। ମୁଁ ଭାବେ ଏକୁଟିଆ ଅଛନ୍ତି ବୋଲି / କେବେ କାହାର ଅନିଷ୍ଟ କରି ନାହାନ୍ତି ବୋଲି / ଦୁଃଖ ଦୂର କରନ୍ତି ବୋଲି ପାଖାପାଖି ସବୁ କାରଣରୁ ସେ ବାବା ହିଁ ଅଟନ୍ତି।
ବାବା କେବେ ବି ମତେ ପଚାରନ୍ତି ନାହିଁ ଯେ କୁଆଡ଼େ ଯାଇଥିଲୁ? ସେ ଜାଣନ୍ତି ମୁଁ ତାଙ୍କ ନିକଟକୁ ହିଁ ଆସେ।
ବାଇକ ଛାଡ଼ି ପାଖାପାଖି ଆଠ କି.ମି ପାଦରେ, ସେ ଲାଗି ହାତ ଗୋଡ଼ ଧୋଇ ଗୋଟେ ଗ୍ଲାସ ଖିର ପିଇ ଶୋଇବା। ଉଠି କି ବାବାଙ୍କ ସଙ୍ଗେ ବସିବା ଆଉ ରାତି ସାରା ଗପିବା …
ମହୁଲିର ଝୁପ ଝୁପ ନିଶାରେ ଗୀତ ଗାଇବେ କଥା ହେଉ ହେଉ,
ସହି ସଙ୍ଗାତ ହୋ ଲୁଦୁରେ ଦୁଃଖ
ବଫୁ ବୁଇଲ ନାଇ ପାରୁଛେ ଘିଚି
ସହି ହେବାର ଏତେ ଦେତୁ ବଏଲେ ରେ…
ପେଟ ବସିଆ କେ ପାରନ୍ତି ପୁସି
ଘଞ୍ଚ ଜଙ୍ଗଲ ଓ ରାତି ବାବାଙ୍କ ଗୀତ ସମବେତ ଶୁଣନ୍ତି। ପଥରର ବି ଆଖି ଭିଜି ଯାଏ।
ଫେରିଲା ବେଳେ ବାବା ଗୋଟିଏ କିଲୋମିଟର ରୁ ଅଧିକା ମୋ ପଛେ ପଛେ ଆସିବେ, ମୁଁ ଖେଦୁଥିବି ସେ ମାନୁନ ଥିବେ। ବାହାନା କରୁଥିବେ ର ନୁ ଗା ପିଲା ଟିକେ ଉକିଆ ହଉ : ଯିବା ଆଗରୁ ମୋ ପକେଟରେ ଦଶ କୋଡ଼ିଏ ଟଙ୍କା ଭରିବେ।
ଆଜି ଫୋନ ଟିଏ ଆସିଲା

  • କେନ୍ତି ଅଛୁ ପିଲା।
    ମୁଁ ବିଶ୍ବାସ କରି ପାରିଲି ନାହିଁ ବାବା ଆଉ ଫୋନ !
  • ହେଁ! ବାବା ତୁଇ କେଁ ଗୋ? ସବୁ ଭଲ ତୋ ଗୋ…। ତୁଇ କାହିଁ ପାଏଲୁ ଫୋନ? କେନ କେ ଆସିଛୁ କେଁ?
  • ଶୁନ ରେ ମାତୃ କିଛି ନାଇ ବୁଝି କରି ଘବରଉଛୁ ଯେ ସବୁ ବନେ। ମୁଇଁ ତାଜା ଅଛେଁ … ଇଟା …. ଗାଁ କେ ଆସିଛେଁ। ଧନମାଲି ଘରେ ଅଛେଁ। ତାର ଫୁନ ଥୁନୁ କଥା ହୁଆ ଛେ’
    ପାଞ୍ଚ କିଲୋମିଟର କେଉଁ କାମରେ ଆସିଥିବେ; ମୁଁ ଭଲ ମନ୍ଦ କଥା ସବୁ ହେଲି,
    ମୋ କଥାକୁ ଅଟକାଇ ବାବା କହିଲେ,
  • ଶୁନ ମୋର କଥା ଗୁଟେ ଜାନବାର ଅଛେ
  • ହଁ କ’ କେଁ କଥା?
  • ଏ ବାବୁ’ ଆମେ ହିନ୍ଦୁ ଆଏ ପରେ ଗା?
  • ବାୟା ହେଲୁନା କେଁ? (କଣ ହେଇଥିବ ଜାଣି ହେଲା) କେନ ଶଲା କହେଲା?
  • ଯେ ନ ବି କହୁ କହ ତୋ ମୁଇଁ ହିନ୍ଦୁ ଆ ଏ କେଁ?
  • ହଏ ଗୋ ଧର ତୁଇ ହିନ୍ଦୁ ଆଏ – ଅସୁବିଧା ନେଇସେ’ ଇ ବଏସେ ତୁଇ ହିନ୍ଦୁ ହେବୁ ଯେ ତୋର ଗାଁ ଘରର ଦେବାଦେବୀ ଝାର ଜଙ୍ଗଲ ଗାଁ ଡୁଙ୍ଗରୀ କାହିଁ ଯିବେ? ଲୋକର ସୁଖ ଦୁଖ ଅଲି ଅର୍ଦ୍ଦଲି କେ କେନ ଠାନେ ରଖବୁ?
  • ସୁଦଭାବେ କଥା କହି ଜାନସୁ କି ନେଇ …
    ଯାହା ତୁଣ୍ଡ ରେ ଆସିଲା ଆଦିବାସୀ ଭାଷାରେ ଚାଲିଲା …

କେମିତି ପାଗଳ ମାନେ ଅଛନ୍ତି ଜଣେ ଭଗବାନଙ୍କୁ ବୁଝଉଛନ୍ତି ଯେ ତାର ଧର୍ମ କଣ

0 Comments