ମାର୍ଚ୍ଚ 23 ତାରିଖ; ସମଗ୍ର ଦେଶବାସୀଙ୍କୁ କୁହାଗଲା ଯିଏ ଯେଉଁଠି ଅଛ ସେଠାରେ ରୁହନ୍ତୁ। କୋଭିଦ-୧୯ ମହାମାରିରୁ ନିଜକୁ ଏବଂ ଦେଶକୁ ସୁରକ୍ଷା ଦେବାକୁ। ଆବଶ୍ୟକ ଥିଲା।
ପରବର୍ତ୍ତି ଦୃଶ୍ୟ ଥିଲା ବିଦାରକ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁକୁ ବାହାରିଲେ। କିଏ ଚାଲିଚାଲି ତ କିଏ ସାଇକଲରେ। କୋଟି ସଂଖ୍ୟାରେ ସମଗ୍ର ଦେଶର ରାଜରାସ୍ତାରେ ଗୋଟିଏ ଦୃଶ୍ୟ। ନିଜ ନିଜ ସାମାନ ସହ ଚାଲୁଥିବା ମେହେନତି ମଣିଷଙ୍କ ପଟୁଆର। କାନ୍ଧରେ କାଖରେ ସଂସାର ବୋହି ଚାଲି ଚାଲି। ଆଜିଯାକେ ଚାଳୁଛନ୍ତି ସେ ମଣିଷ ମାନେ।
ଅନେକ ସ୍ଥାନରେ ଦୁର୍ଘଟଣା ଓ ପଥଶ୍ରମ ଜନିତ ଦୁର୍ଘଟଣାରୁ ମୃତ୍ୟୁ ଘଟୁଛି। ଔରଙ୍ଗାବାଦ ରେଳ ଦୁର୍ଘଟଣା, ୧୬ ଜଣ ପଥଚାରୀଙ୍କ ଉପରେ ରେଲଗାଡ଼ି ମାଡିଯିବା ଘଟଣା ଦେଶକୁ ସ୍ତବ୍ଧ କରି ଦେଇଥିଲା।
ଏହି ଲେଖାର ପୂର୍ବ କ୍ରମରେ ଜଣେ ସରପଞ୍ଚ କିପରି ଗୋଟିଏ ଆନ୍ଧ୍ରପ୍ରଦେଶର ଶ୍ରମିକ ଦମ୍ପତିଙ୍କୁ ଘର ଯିବାକୁ ବାଧକ ହେଲେ ସେ ବିଷୟ କୁହାଯାଇଥିଲା। ଅବଶ୍ୟ ପରେ ଶ୍ରମିକ ଜଣକ ଅନ୍ୟ ଉପାୟରେ ଘରବାହୁଡା ଅନୁମତି ପାଇଲେ।
ଠିକ ଏହିପରି ଘଟଣା କର୍ଣ୍ଣାଟକରେ ଘଟୁଥିଲା। ଅନୁମତି ପ୍ରାପ୍ତ ରେଲଗାଡ଼ି ମାନଙ୍କୁ ସରକାର ବାତିଲ କଲେ, ଯେଉଁଥିରେ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବା ଥିଲା।
ପ୍ରଥମ ଲକଡାଉନ ସମୟରୁ ଚାଲୁଥିବା ଶ୍ରମିକ ମାନେ ଏବେବି ଚାଲିଛନ୍ତି ରାସ୍ତାରେ। ଅନବରତ ଚାଲୁଥିବା ଏ ମେହନତି ମଣିଷମାନଙ୍କ ଭାଗ୍ୟ ଲେଖା ସାରିଲାଣି ଏ ଅନ୍ତରାଳରେ। କର୍ଣ୍ଣାଟକ ସରକାରଙ୍କୁ ଉଦ୍ୟୋଗୀମାନେ କହିଲେ, ଶ୍ରମିକମାନେ ଚାଲିଗଲେ ଉଦ୍ୟୋଗ ସବୁ ବନ୍ଦ ହୋଇଯିବ। ସରକାର ଟ୍ରେନ ବାତିଲ କଲେ। ଘଟଣାଟି ଅସହଜ ଥିଲା। ଅନେକ ଏହାର ବିରୋଧ କଲେ ଯେ ଏହା ଶ୍ରମିକ ଅଧିକାର କ୍ଷୁର୍ଣ୍ଣ କଲାପରି।
ପ୍ରତ୍ୟୁତ୍ତର ଥିଲା ସାଙ୍ଘାତିକ।
ରାଜସ୍ଥାନ ଓ ପଞ୍ଜାବ ସରକାର ଶ୍ରମ ଆଇନ ଉପରେ ହସ୍ତକ୍ଷେପ କଲେ। ଉତ୍ତରପ୍ରଦେଶ ସରକାର ଗୋଟିଏ ଏକତରଫା ଆଇନ ତିଆରି କରି ସାରିଲେଣି। ଅଧ୍ୟାଦେଶ ଆଣି ତିନିବର୍ଷ ପାଇଁ ସମସ୍ତ ଶ୍ରମ ଆଇନକୁ ରଦ୍ଧ କରିଦେଲେ।
୧. ଗୋତି ଶ୍ରମିକ ଆଇନ – ୧୯୭୬
୨. ଶ୍ରମିକ କ୍ଷତି ପୂରଣ ଆଇନ – ୧୯୨୩
୩. ନିର୍ମାଣ ଶ୍ରମିକ ଆଇନ – ୧୯୯୬
୪. ପାରିଶ୍ରମିକ ଆଇନ (କେବଳ ଧାରା-୫)-୧୯୩୬ ଯାହା ପ୍ରତିମାସ ପାରିଶ୍ରମିକ ପ୍ରଦାନ ଉପରେ କହେ। ବ୍ୟତୀତ ପ୍ରାୟ ୩୫ ଗୋଟି ଆଇନକୁ ତିନିବର୍ଷ ପାଇଁ ରଦ୍ଧ କରି ଦେଇଛନ୍ତି।
ଏହା ସହିତ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ଛଅ ଘଣ୍ଟାପରେ ଅଧା ଘଣ୍ଟା ଭୋଜନ ଓ ବିଶ୍ରାମ ପାଇଁ ବିରତି ଦିଆ ହେବ। ଯାହା ୧୨ କାର୍ଯ୍ୟଘଣ୍ଟା ଭୁକ୍ତ ନୁହେଁ। ଅର୍ଥାତ ଜଣେ ଶ୍ରମିକ ଶୋଇବା/ଖାଇବା ବ୍ୟତୀତ ତାର ସମସ୍ତ ଶ୍ରମ ମାଲିକକୁ ଦେବ।
ଏହା ପଛକୁ ମଧ୍ୟପ୍ରଦେଶ, ଗୁଜୁରାଟ ରାଜ୍ୟ ପଦାଙ୍କ ଅନୁସରଣ କଲେ। ଶ୍ରମ ଆଇନରେ ପରିବର୍ତ୍ତନ ନ କରି ଓଡ଼ିଶା ଓ ଆସାମ ସରକାର କାର୍ଯ୍ୟ ନିର୍ଘଣ୍ଟ ୮ ରୁ ୧୨ ଘଣ୍ଟାକୁ ବୃଦ୍ଧିକଲେ।
ଏହି କ୍ରମ ଜାରି ରହିବ। ସମଗ୍ର ଦେଶରେ ୧୨ ଘଣ୍ଟା ଶ୍ରମିକଙ୍କୁ ଖଟାଇବା ଆଇନ ହୋଇଯିବା ଅସମ୍ଭବ ନୁହେଁ।
ଏକଦା ସମ୍ରାଟ ଜଣେ ଜୋତା କାରିଗର ଉପରେ ଖୁସି ହୋଇଗଲେ। ମୃଗୟାରେ ସିଂହ ଆକ୍ରମଣରୁ ବଞ୍ଚିବା ପାଇଁ ସହଜରେ ବୃକ୍ଷାରହଣ କରିପାରିଲେ, ଜୋତା ପିନ୍ଧି। ଅତୀବ ଆନନ୍ଦ ହୋଇ କାରିଗରକୁ ସପ୍ତାହକ ପାଇଁ ରାଜା କରିଦେଲେ। କାରିଗର ରାଜା ହୋଇ କରିବ କଣ? ବହୁ ଚିନ୍ତାକରି ଗରିବଙ୍କ ପାଇଁ ହେଉଥିବା ଅର୍ଥାଭାବ ଦୂର କରିବା ନିଷ୍ପତ୍ତି ନେଲେ ନୂଆ ରାଜା। ସେ ଚମଡାର ମୁଦ୍ରା ପ୍ରଚଳନ କଲେ।
୧୨ ଘଣ୍ଟାର ଶ୍ରମ, ଜଣେ ଶ୍ରମିକ ପାଇଁ ସମ୍ଭବ କି? ଜଣେ ସାଧାରଣ ଲୋକ ପାଇଁ ଯେଉଁ କ୍ୟାଲୋରି ଖାଦ୍ୟ ଦରକାର ତାହାର ତିନିଗୁଣ ପାଖାପାଖି ଜଣେ ଶ୍ରମିକ ପାଇଁ ଲୋଡ଼ା ହୋଇଥାଏ।
ବିସ୍ତାରରେ ବୁଝିବା ପାଇଁ ଡ. ବିନାୟକ ସେନ (ସମଦୃଷ୍ଟି, ୧-୧୫ ନଭେମ୍ବର, ୨୦୧୧ ସଂଖ୍ୟା)ଙ୍କ ସହ ହୋଇଥିବା ଆଲୋଚନା ପ୍ରସଙ୍ଗ ଉପରେ ବିଚାର କରିବା କଥା। BMI (Body Mass Index) ଜଣେ ବ୍ୟକ୍ତିର ଓଜନକୁ ତାର ଉଚ୍ଚତା(ମିଟର)ର ବର୍ଗରେ ଭାଗ କରିଥାଏ। ଜଣେ ସୁସ୍ଥ ବୟସ୍କ ନିକଟରେ ଏହା ୧୮.୫ ହେବା କଥା। ଏହାଠୁ କମ ରହିଲେ ତାହା ସ୍ଥାୟୀ ଅପପୁଷ୍ଟି ବୋଲି ଧରାଯାଏ। ଭାରତୀୟ ଜନସଂଖ୍ୟାର ୩୭% ମାନକଠୁ କମ ରେ ରହିଥାନ୍ତି। ଆଦିବାସୀଙ୍କ କ୍ଷେତ୍ରରେ ଏହା ୬୦% ଏବଂ ଦଳିତଙ୍କ କ୍ଷେତ୍ରରେ ୭୦% ଅଟେ।
ଓଡ଼ିଶା ଜନସଂଖ୍ୟାର ୪୦%ରୁ ଅଧିକ ଲୋକ ଏ ମାନକ ତଳେ ରହନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ୪୦% ଲୋକ ଏ ମାନକ ତଳେ ରହିଲେ ତାକୁ ସ୍ଥାୟୀ ମରୁଡ଼ି ପୀଡିତ ବୋଲି ଧରାଯାଏ। ସରକାର ଏହାର ପଦକ୍ଷେପ ନେବା କଥା। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିରେ ଯେଉଁ ଦଶନ୍ଧି ପ୍ରୟାସ ନିଷ୍ଫଳ ହେଉଛି, ଆଇନତଃ ରାଜ୍ୟକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ବାଧ୍ୟ କରିବା କଥା। ତାହା ହେଉନାହିଁ।
ଖାଦ୍ୟ ଅଧିକାର ଆଇନ ହେବାପରେ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ସଂସାଧନରେ ମଧ୍ୟ ଏହି ଅସମାନତା। ଭାରତର ଜନସଂଖ୍ୟାକୁ ପାଞ୍ଚ ଭାଗକରି ବଡ଼ରୁ ଛୋଟ କ୍ରମରେ ରଖିଲେ ପ୍ରଥମ ଭାଗରେ ୮୩ ଭାଗ ସଂସାଧନ ଥିବାବେଳେ ଶେଷ ଭାଗରେ ମାତ୍ର ୧ ଭାଗ ସଂସାଧନ ଅଛି। ଅନ୍ୟ ଭାଷାରେ ୯୭% ସମ୍ପଦା ମାତ୍ର ୧ ଭାଗ ଲୋକଙ୍କ ନିକଟରେ ଅଛି।


ଦାରିଦ୍ର୍ୟ ସୀମାରେଖା ତଳେ ୨୫% ଭାରତୀୟ ଥିବାବେଳେ ୭୫% ଲୋକ ଦୈନିକ ₹ ୨୦/-ରୁ କମ ଖର୍ଚ୍ଚରେ ଚଲିଥାନ୍ତି।
ଅନ୍ୟ ଏକ ସତ୍ୟ; ରାଷ୍ଟ୍ରୀୟ ପୋଷଣ ସଂସ୍ଥା NIN ୨୮ ବର୍ଷ ପରେ ନିଜର ରିପୋର୍ଟ ପ୍ରକାଶ କଲେ। ତାଙ୍କ ଅଧ୍ୟୟନରେ ୪୩ ଗୋଟି ଉପଜରେ ପ୍ରୋଟିନ, କାଲସିଅମ, ଆଇରନ, ଫସଫରସ, ରାଇବୋଫ୍ଲେବିନ ଓ ଅସ୍କୋର୍ବିକର ମାତ୍ରା ତିନି ଦଶନ୍ଧି ତଳର ଉପଜର ମାତ୍ରାରୁ କମ ଅଛି। ଏହି ପୋଷାକ ତତ୍ତ୍ୱ କମ ହେବାର ଅନେକ କାରଣ ଦର୍ଶାଯାଇଛି। ୧୯୩୭ ରୁ ୧୯୮୯ ଏହି ୫୦ ବର୍ଷର ତୁଳନା ଆତଙ୍କିତ ସ୍ତରର।
ଯେପରି ବାଜରା ରେ ୮.୫% କାର୍ବୋହାଇଡ୍ରେଡ଼ କମ ଥିଲା ବେଳେ ଗହମରେ ୯% କମ। ଚାଉଳରେ ୧୬.୭୬% ପ୍ରୋଟିନର ବୃଦ୍ଧି ହୋଇଛି କିନ୍ତୁ ପ୍ରୋଟିନ ପାଇଁ ଚାଉଳ ଖିଆଯାଏ ନାହିଁ। ଅର୍ଥାତ ଖାଦ୍ୟ ଅଭ୍ୟାସରେ ଏହାର କୌଣସି ପ୍ରଭାବ ଦେଖାଯାଏ ନାହିଁ।
ଖାଦ୍ୟାନ୍ନରେ ପୋଷକତତ୍ତ୍ୱର କମି ଏବଂ ଖାଦ୍ୟସୁରକ୍ଷା ପାଇଁ ସରକାର ଗରିବ ଲୋକଙ୍କୁ ମୁଣ୍ଡପିଛା ପାଞ୍ଚକିଲୋ ଚାଉଳ କି ଗହମ ଦେବା ଭଲି ସ୍ଥିତିଥିବା ଦେଶରେ ଜଣେ ଲୋକର ଶାରୀରିକ ସାମର୍ଥ୍ୟ କେତେ ରହିବ ଅନୁମାନ କରାଯାଇ ପାରେ।
ଦାରିଦ୍ର୍ୟ ସୀମାରେଖା ତଳେ ଶ୍ରମିକ ରହନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜଣେ ଶ୍ରମିକ ୧୨ ଘଣ୍ଟା ଖଟି ପାରିବ? ଏ ପ୍ରଶ୍ନର ଉତ୍ତର ଅତି ହିଂସକ ଓ ଘୃଣା ଉଦ୍ରେକକାରୀ।
ଜଣେ ଶ୍ରମିକ ୧୨ ଘଣ୍ଟା ଖଟିବା ପାଇଁ ଗନ୍ତବ୍ୟ ସ୍ଥଳକୁ ଯିବା ଓ ଯିବାପାଇଁ ପ୍ରସ୍ତୁତ ହେବାକୁ କେତେ ସମୟ ନେବ। ନିଦ୍ରା ଅଛି। ନିଜପାଇଁ ବଞ୍ଚିବ କେତେବେଳେ? କ୍ରମାଗତ ୩ ବର୍ଷର ଖଟଣି, ଏ ଭିତରେ ତାର ସ୍ୱାସ୍ଥ୍ୟ କିପରି ଥିବ? ଯଦି ସରକାରଙ୍କ ଇଚ୍ଛା ହେଲା ଆଇନ ତାଙ୍କ ରାଜୁତି ପର୍ଯ୍ୟନ୍ତ କାୟମ ରହିବ। ଅଥବା ଏହା ସ୍ଥାୟୀ ହେଇଯିବ। ଅର୍ଥାତ ଶ୍ରମିକକୁ ଅନୁଭବ କରି ପାରୁଥିବା ମସିନ କରାଯିବ। ସେ କେବଳ ମାଲିକ ପାଇଁ କାମ କରିବ ତା ଛଡା କିଛି ନୁହେଁ।
ଏହା ମାନବିକ ଅଧିକାର ହନନ ନୁହେଁ କି?
ଏ ଅଧ୍ୟାଦେଶର ଅର୍ଥ କଣ? ମାନବତା ଶୂନ୍ୟ ବିକାଶ। ତର୍କ ଦିଆଯାଏ ଓଟି କରନ୍ତି! ପ୍ରକାରନ୍ତେ ପ୍ରଶ୍ନ ହେବ କେଉଁମାନେ?
ଯଦି ଶ୍ରମିକ ୧୨ ଘଣ୍ଟା ଖଟିବ ତାହେଲେ ଶ୍ରମର ବ୍ୟାକ୍ଷା ଭିତରେ ଆସୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ତାହା ଲାଗୁହେବ ନାହିଁ କାହିଁକି?
କିଛି କାରଖାନା ମାଲିକଙ୍କୁ ଲାଭ ଦେବାପାଇଁ ନାଗରିକଙ୍କୁ କ୍ରୀତଦାସ କରିବା ଏବଂ ତାଙ୍କୁ ବଳଦ ପରି ପୁଞ୍ଜିପତିଙ୍କୁ ଟେକିଦେବା କେଉଁ ଆଇନ?
ଲକଡାଉନ ୫୦ ଦିନରେ ଯଦି ଏତେ ସଙ୍କଟ; ଅର୍ଥାତ ଜଣକୁ ୫୦ ଦିନର ବସି ଖାଇବା କ୍ଷତି ଭରଣା କରିବାକୁ ସର୍ବନିମ୍ନ ତିନିବର୍ଷ ଖଟିବାକୁ ପଡେ ତାହେଲେ ଏହାକୁ କେଉଁ ବିକାଶ କୁହାଯିବ?
ଦଶ ପନ୍ଦର ହଜାର ବର୍ଷରୁ ବି ଅଧିକ ପୁରୁଣା ସଭ୍ୟତା ଆଜି ମାତ୍ର ୪୦ ଦିନ ବସିଗଲା ବୋଲି ତାର ତିନିବର୍ଷର ଆୟ ଦ୍ୱାରା ତାକୁ ଭରଣା କରିବ? ଧନ୍ୟ ସେ ନୀତି ଓ ଧନ୍ୟ ସେ ବ୍ୟବସ୍ଥା!
ଏକେତ ଆମକୁ ମିଛ କୁହାଯାଉଛି, ନହେଲେ ଆମ ତିନିବର୍ଷର ରୋଜଗାର ଏତିକି ଯେତିକି ଆମେ ୪୦/୫୦ ଦିନରେ ବସି ଖାଇଦେଉ!
ଆମକୁ ମିଛ କହିବା କାରଣ କଣ? କୌଣସି ପରିସ୍ଥିତିରେ ବି ଏତେବଡ଼ ସଙ୍କଟକୁ ପାରି କରିହୁଏ। ଆମର ଇତିହାସରେ ଅନେକ ଉଦାହରଣ ଅଛି। ପ୍ରାୟ ସମସ୍ତ ଧର୍ମଗ୍ରନ୍ଥରେ ପ୍ରଳୟର କଥା କୁହା ଯାଇଛି। ତା’ପରେ ବି ମଣିଷ ବଞ୍ଚିଛି।
ମେହନତି ମଣିଷମାନେ ରାସ୍ତାକୁ ଓହ୍ଲାଇଲେ; କାହା ଉପରେ ଆରୋପ ପ୍ରତ୍ୟାରୋପ ନାହିଁ। ଚୁପଚାପ ଚାଲିଲେ ଶହ ହଜାର କିଲୋମିଟର। ପୋଲିସ ପିଟିଲା ହଁ କଲେ; କୀଟନାଶକ ଝିଣ୍ଟିଲେ ହଁ କଲେ; ମରିଗଲେ ହଁ କଲେ; ରେଲଗାଡ଼ି ମାଡ଼ିଗଲା ହଁ କଲେ। ଏ ହଁ ଭିତରେ ଆଉ ଗୋଟିଏ ହଁ; ତୁମେ ସୂର୍ଯ୍ୟ ଥିବାଯାକେ ଖଟିବ, ସୂର୍ଯ୍ୟ ଅସ୍ତଗଲେ ଯୁଆଡେ ଯା। ହଁ କରିବେ? ଏହା ଏକ ଯକ୍ଷପ୍ରଶ୍ନ।
ଉତ୍ତର ହେବ ହଁ! ନିଶ୍ଚୟ ହଁ କରିବେ।
କାହିଁକି ଏ ଉତ୍ତର ହଁ ହେବ ଏ ପାଲଟା ପ୍ରଶ୍ନ ଖୁବ ବିଦାରକ। ହଜାର ହଜାର ବର୍ଷର ଉତ୍ପୀଡ଼ନ କେତେବେଳେ ରାଜା ନାମରେ ତ କେତେବେଳେ ସରକାର ନାମରେ। ଏ ମଣିଷମାନେ ଖାଲି ହଁ କରିଛନ୍ତି। ସେମାନେ ସବୁ ଆପଦାକୁ ହଁ କରିଛନ୍ତି। ସବୁ ପ୍ରକାର ମୃତ୍ୟୁକୁ ସ୍ୱୀକାର କରିଛନ୍ତି। ବହୁ ଲୁହ ଓ କୋହକୁ ବିନା ପ୍ରତିବାଦରେ ହଜମ କରିଦେଇଛନ୍ତି। ଅଜେୟ ଏ ମଣିଷମାନେ। କାହା ଉପରେ ତାଙ୍କର ବିଶ୍ୱାସ ନାହିଁ। ସ୍ୱର୍ଗସ୍ୱପ୍ନରେ ହଁ ନର୍କର ତାଡନାରେ ହଁ। କାରଣ ସେମାନେ ଜାଣନ୍ତି ନଦୀ ବହିବ। ଖରାହେଲେ ଶୁଖିଯିବ। ଦୁଃଖକୁ ସହଚର କରିଥିବା ଏ ମଣିଷମାନେ କାହାକୁ ନୁହେଁ ନିଜକୁ ହିଁ ବିଶ୍ୱାସ କରନ୍ତି। ବାହାଁ ମାଜିହେଉଥିବା ଜାକେ ସେମାନେ ଅଜୟ। ପେଟ ପୁରିଗଲେ ତାଙ୍କର ସ୍ୱର୍ଗ।
ଦେଶ ବନ୍ଦ କରାହେବ! କାହିଁକି ପଚାରିବା ବି ଅକାରଣ।
ସରକାର ଖାଇବାକୁ ଦେବ!
ହେଃ! ଚାରିଯୁଗରେ ଏମାନେ ଏପରି ଶୁଣିଛନ୍ତି, ଶୁଣି ଆସୁଛନ୍ତି। କାହାକୁ ପରତେ ଯିବେ? ତାଙ୍କ ଖଟିବା ସୁଯୋଗ ନାହିଁ, ଚାଲ ଘରକୁ ଯିବା। ବାହାରି ପଡ଼ିଲା ପଟୁଆର। ସେମାନେ ଯିଏ ଯେଉଁଠି ଥାନ୍ତୁ ଗୋଟିଏ କଥା ଭାବନ୍ତି; ଗୋଟିଏ କଥା କରନ୍ତି। କୋୟାମବାଟୁରରୁ ମାଲକାନଗିରି ହେଉ କି ମୁମ୍ବାଇରୁ ଝାରଖଣ୍ଡ ସେମାନେ ଏକସଙ୍ଗେ ବାହାରିଲେ ଆଉ ଚାଳୁଛନ୍ତି। ମରିଗଲେ ଚୁପଚାପ ମରିଯିବେ ପ୍ରତିବାଦ କରିବେନି। ବଞ୍ଚିଗଲେ ଚୁପଚାପ ବଞ୍ଚିବେ ପ୍ରତିଫଳ ମାଗିବେନି।
ଏମାନଙ୍କ ଚିନ୍ତା କରୁଥିବା ଲୋକଙ୍କୁ ଏମାନଙ୍କୁ ଉତ୍ତମ ଜୀବନ ଦେବାକୁ ବହୁ ଲୋକ ବହୁତ କଥା କହନ୍ତି। ଏମାନେ ହଁ କରନ୍ତି। କିଏ ଯଦି ବୁଦ୍ଧ କି ଗାନ୍ଧୀ ତାଙ୍କ ସଙ୍ଗେ ଚାଲିଲେ ସେମାନେ ତାଙ୍କୁ ଭଗବାନ କହନ୍ତି। ଅପେକ୍ଷା କରନ୍ତିନି କାହାକୁ ଆସିଗଲେ ହୃଦୟରେ ବସାନ୍ତି। ବାସ ଚାଳୁଥାନ୍ତି ଚାଳୁଥାନ୍ତି ଯୁଗ ସରିଯାଏ ତ ରାସ୍ତା କଣ?
ଏମାନେ ଏକାସଙ୍ଗେ ବାହାରିଲେ। ଆଉ ଏକସଙ୍ଗେ ଚାଳୁଛନ୍ତି। ନିଜ ଜାତିର ଅନେକ ଲୋକଙ୍କୁ ଭେଟନ୍ତି। ବଫୁ ପଆନ୍ତି, ଚରାଚାର ତାଙ୍କ ଜାତି ଲୋକଙ୍କ ସମୂହକୁ ନେଇ ଚାଲୁଛି।
ତାରକମାନେ ବୁଝି ପାରନ୍ତି ନାହିଁ। ଅନେକ କଥା ଉପକଥା ପାଠ କରନ୍ତି। ତାଙ୍କ ପାଠ ବହିରେ ଏ ମଣିଷଙ୍କ ସବାଶେଷ କଥା ଲେଖା ହୋଇନାହିଁ। ଏମାନଙ୍କ ଦୁଃଖ କି ସୁଖ କଣ ସେମାନେ ଜାଣିବେ କିପରି?
ବାସ ଇତିହାସର ଅନେକ ଅନନ୍ତ କାହାଣୀ ପରି ଆଉ ଗୋଟେ କାହାଣୀ ଲେଖା ହେଉଛି। ସେମାନେ ଚାଳୁଛନ୍ତି। ତାଙ୍କର ଆକାଶରେ। ଉପାୟ ତାଙ୍କୁ ଧରିଆଣି ସୁନା ପଞ୍ଜୁରୀର ସ୍ୱପ୍ନ କିପରି ଦେଖା ହେବ।
କୁହାହେବ
ତପ୍ତକୁରୁ ଶୁଆର ପେଟପୁରୁ।
ଏ ହେଲା ସମ୍ରାଟର ଗୀତ। ଶୁଆର ଗୀତ ସେମାନେ ବୁଝିବେ କାହିଁକି? ସେମାନେ ଶାସକ ସେମାନେ ସ୍ବଘୋଷିତ ବିଧାତା।
ଅବୋଧ୍ୟ! ଏ ମଣିଷମାନଙ୍କୁ କେହି ବୁଝିବେ ନାହିଁ। ଆଗାମୀ ଅନେକ ମନ୍ବନ୍ତର ପର୍ଯ୍ୟନ୍ତ।
ଏମାନେ ସେ ମଣିଷ ଯିଏ କାହାର ନୀତି କି ଆଦର୍ଶରେ ଦାୟ ରଖନ୍ତିନି। କୌଣସି ଭଗବାନ ତାଙ୍କର ନୁହେଁ। କୌଣସି ରାଜା ତାଙ୍କର ନୁହେଁ କି କୌଣସି ସରକାର ତାଙ୍କର ନୁହେଁ।
ସେମାନେ ତାଙ୍କ ନିଜର।
ଏବେ ବେତାଳ ପ୍ରଶ୍ନ କରିବ ! ଏମାନେ ଚାଲୁଛନ୍ତି କାହିଁକି?
ଶେଷ କଥା ସମ୍ରାଟ ତ ସମ୍ରାଟ କେଉଁ ପୁଅର ଦମ ନାହିଁ ଏହାର ସଠିକ ଉତ୍ତର ଦେବ।
ଅନୁରୋଧ, ତୁମେ ପାରିବନି ଏତେକଥା।
ସେମାନେ ଚାଲୁଥାନ୍ତୁ…