April 29, 2026 | By Rajib Sagaria | 1 min read

ତିଜିମାଲି ଡାଇରୀ

ରିତେସ କୁମାର ଦାସ

ଆସନ୍ତୁ ସରଳ ଭାଷାରେ ପାହାଡ଼, ଜଙ୍ଗଲ, ମାଳି ଅଞ୍ଚଳର ସରଳ ଅଧିବାସୀଙ୍କ ଜଟିଳ କାହାଣୀ ବୁଝିବା।
ଗତ ପଚିଶ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଓଡ଼ିଶାର ହଜାର ହଜାର ସାମାଜିକ କର୍ମୀ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ରାଜନୈତିକ କର୍ମୀ, ସାମ୍ବାଦିକ, ଲେଖକ, ବାମପନ୍ଥୀ, ମଧ୍ୟମପନ୍ଥୀ, ଆଇନଜୀବୀ, ମାନବିକ ଅଧିକାର କର୍ମୀ ତଥା ସମାଜର ବିଭିନ୍ନ ସ୍ତରର ଲୋକ, ସମସ୍ତେ ନିୟମଗିରି ଆନ୍ଦୋଳନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେଠାକାର ଗ୍ରାମବାସୀଙ୍କ ଖଣି ଖନନ ବିରୋଧରେ ଆନ୍ଦୋଳନକୁ ସମୟ ଓ ସହଯୋଗ ଦେଇ ଆସୁଛନ୍ତି। ସମର୍ଥନକାରୀଙ୍କ ତାଲିକାରେ ବର୍ତ୍ତମାନର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି ଯିଏ ଏହି ସ୍ଥାନର ଲୋକଙ୍କ ଲଢ଼େଇକୁ ସମର୍ଥନ ଦେଇଥିଲେ।ତାଙ୍କର ସମର୍ଥନ ଯୋଗୁଁ ସ୍ଥାନୀୟ ଲୋକଙ୍କ ନୈତିକ ବଳ କିଛି ସମୟ ପାଇଁ ବଢ଼ି ମଧ୍ୟ ଯାଇଥିଲା। ସୁପ୍ରିମ କୋର୍ଟର ଏକ ତଥ୍ୟ ତଦନ୍ତକାରୀ ଦଳ ମଧ୍ୟ ଆସି ବେଦାନ୍ତ ଖଣିଖନନ ଉପରେ ରୋକ ଲଗାଇବାକୁ ମତ ଦେଲେ। ସରକାରଙ୍କ ତରଫରୁ ହୋଇଥିବା ଗ୍ରାମସଭାରେ ଖଣିଖନନକୁ ବିରୋଧ ମଧ୍ୟ କରାଯାଇଥିଲା।ସୁପ୍ରିମକୋର୍ଟଙ୍କ ରାୟ ଫଳରେ ଖଣି ଖନନ ବନ୍ଦ ରଖିବାକୁ ବାଧ୍ୟ ହେଲା ବେଦାନ୍ତ କମ୍ପାନୀ। କିନ୍ତୁ ଲୋକଙ୍କ ଭିଟାମାଟି ଲଢ଼େଇ ସଫଳ ହୋଇଛି ବୋଲି ଆମେ କହି ପାରିବା କି? କାରଣ କର୍ପୋରେଟ ତ କେବେ ହାର ମାନେ ନାହିଁ। ହଁ, ଏହା କିଛି ପାଦ ପଛକୁ ଅବଶ୍ୟ ଘୁଞ୍ଚିଯାଏ।

ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ପରେ ବେଦାନ୍ତ ପୁଣି ଥରେ ନୂଆ କରି ଖଣି ଖନନ ପାଇଁ ଚେଷ୍ଟା ଆରମ୍ଭ କରିଛି। ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏଥର ମୁଖ୍ୟ ଟାର୍ଗେଟ ହୋଇଥିଲେ ତିଜିମାଳି (କମ୍ପାନୀ,ସରକାର ଏପରିକି ଆନ୍ଦୋଳନକାରୀଙ୍କ ସମର୍ଥକମାନଙ୍କ ଭାଷାରେ ମଧ୍ୟ ସିଜିମାଲି ହୋଇଯାଇଛି,ଗ୍ରାମବାସୀମାନେ କିନ୍ତୁ ତିଜିମାଳି କହୁଛନ୍ତି ) ଅନ୍ତର୍ଭୁକ୍ତ ତଲ୍ଆମପଦର ଓ କଣ୍ଟାମାଳ ଗ୍ରାମ। ଏଥରର କାହାଣୀ ସେହି ଦୁଇ ଗ୍ରାମର, ସେଠାକାର ଜଙ୍ଗଲ, ଜମି, ପାହାଡ଼ର। ସେଠାକାର ଲୋକଙ୍କ ସଂଘର୍ଷର।

ତଲ୍ଆମପଦର ଗ୍ରାମରେ ପ୍ରାୟ ଷାଠିଏ ସତୁରୀ ପରିବାର ହେବେ। ପାଞ୍ଚ ଛ’ ପରିବାର ଅନୁସୂଚିତ ଜାତିର, ଦୁଇଟି ପରିବାର ଶୁଣ୍ଢି (ଉଭୟେ ଭାଇ) ବାକି ଆଦିବାସୀ। କମ୍ପାନୀ ଦ୍ଵାରା ଏଠାରେ ଗାଁକୁ ଦୁଇଭାଗ କରି ଦିଆଯାଇଛି। ଖଣି ସପକ୍ଷବାଦୀ ଓ ବିପକ୍ଷବାଦୀ। କମ୍ପାନୀ ତରଫରୁ 2022 ରେ ଗ୍ରାମରେ ସଭା କରାଗଲା ଏବଂ କୁହାଗଲା ଯେ କମ୍ପାନୀ ଆସିଲେ ଗ୍ରାମରେ ଉନ୍ନତି ହେବ। ପାଣି ଆସିବ, ବିଜୁଳି ଆସିବ, ରାସ୍ତାଘାଟ ହେବ,ରୋଜଗାର ମିଳିବ ଏବଂ ଆହୁରି କେତେ କ’ଣ? କମ୍ପାନୀ ସମର୍ଥନ କରୁଥିବା ପ୍ରତ୍ୟେକ ପରିବାରକୁ ମାସକୁ 1500 ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଲା। 1500 ଟଙ୍କା କହିଲେ ଏପରି ଅଗମ୍ୟ ଅଞ୍ଚଳର ଲୋକଙ୍କ ପାଇଁ ବହୁତ ବଡ଼ କଥା। କିଛି ପରିବାର କମ୍ପାନୀର ଏହି ପ୍ରଲୋଭନର ଶିକାର ହେଲେ। କମ୍ପାନୀ ପ୍ରାୟ ଦୁଇ ବର୍ଷ ଏହି ପରିବାରମାନଙ୍କୁ 1500 ଟଙ୍କା ‘ଭତ୍ତା’ ନାମରେ ଦେଇ ଚାଲିଲା। ଲୋକଙ୍କୁ ପଚାରିଲେ କି ଭତ୍ତା ସେମାନେ କହୁଛନ୍ତି ‘କମ୍ପାନୀ ଭତ୍ତା’! ମାତ୍ର ଯେତେବେଳେ ଆଦିବାସୀମାନେ ଜାଣିଲେ ଯେ ସେମାନଙ୍କୁ ଉଚ୍ଛେଦ କରିବା ହିଁ କମ୍ପାନୀର ଅନ୍ତିମ ଲକ୍ଷ୍ୟ ସେମାନେ ବିରୋଧ କରିବା ଆରମ୍ଭ କଲେ। ଫଳରେ କମ୍ପାନୀ ଭତ୍ତା ବନ୍ଦ ହେଲା। କମ୍ପାନୀ ଗାଁରେ କେତୋଟି ପରିବାରକୁ ନିଜ ନିୟନ୍ତ୍ରଣରେ ରଖିଲା, ସେମାନଙ୍କୁ ଦଲାଲ କଲା ବୋଲି ତଲ୍ଆମପଦର ଗ୍ରାମର ଲୋକେ କହନ୍ତି। ଗାଁର ଜନୈକ ବ୍ୟକ୍ତି ପ୍ରଥମେ କମ୍ପାନୀ ବିରୁଦ୍ଧରେ ଲଢ଼ିବାର ନାଟକ କରୁଥିଲେ ଓ ପରେ ସେ କମ୍ପାନୀର ସମର୍ଥନ କରିବାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହେଲେ। ପୋଲିସ ଓ ପ୍ରଶାସନର ଭୟ ଦେଖାଇ ଓ ବିଭିନ୍ନ ଲୋଭ ଦେଖାଇ ଉକ୍ତ ବ୍ୟକ୍ତି ଗ୍ରାମବାସୀଙ୍କୁ କମ୍ପାନୀର ସମର୍ଥନ କରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କଲେ। ଅନ୍ୟ କିଛି ପରିବାର ମଧ୍ୟ ଏଥିରେ ଜଡ଼ିତ ଥିଲେ। ଶେଷରେ 10 ମାର୍ଚ୍ଚରେ କିଛି ଗ୍ରାମବାସୀ ମିଳିତ ଭାବରେ ଗ୍ରାମର ସେହି କମ୍ପାନୀ ସମର୍ଥକଙ୍କ ଘର ଉପରେ ଆକ୍ରମଣ କଲେ ବୋଲି କମ୍ପାନୀ ସମର୍ଥକ ଗୋଷ୍ଠୀ ଭିତରୁ କିଛି ପରିବାର ଅଭିଯୋଗ କରିଛନ୍ତି। ଘର ଭଙ୍ଗାରୁଜା ହେବାରୁ ସେହି ପରିବାରମାନେ ଗାଁ ଛାଡ଼ି ପଳାୟନ କଲେ ଏବଂ ପୋଲିସ ପାଖରେ ଅଭିଯୋଗ କଲେ। ଏହାପରେ କମ୍ପାନୀର ଇଶାରାରେ ୧୧ ମାର୍ଚ୍ଚରେ ବିପୁଳ ସଂଖ୍ୟାରେ ପୋଲିସ ଆସି ଗ୍ରାମରେ ପଶି ପୁରୁଷଙ୍କୁ ଗିରଫ କରିବା ଆରମ୍ଭ କରିଦେଲେ। ପ୍ରତିବାଦ କରିବାରୁ ମହିଳାମାନଙ୍କୁ ମଧ୍ୟ ଗିରଫ କରାଗଲା। ପୋଲିସ ତରଫରୁ ମାଡ଼ପିଟର ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏପରିକି ଜଣେ ଦୁଇଜଣ ନାବାଳିକା ଓ ଜଣେ ଗର୍ଭବତୀ ମହିଳା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାଁନ୍ତି। ଗୋଟିଏ ପରିବାରର ସମସ୍ତ ମରଦପିଲା (ବାପ,ପୁଅ,ସାଙ୍ଗରେ ବୋହୁ ମଧ୍ୟ )ଗିରଫ ହୋଇ ଜେଲରେ। ଘରେ ଥିବା ସତୁରୀ ବା ଅଶି ବର୍ଷର ବୁଢ଼ୀମା’ ନାତିନାତୁଣୀଙ୍କୁ ରାନ୍ଧି ଖାଇବାକୁ ଦେଉଛି। କାମିକା ବାପା ଜେଲରେ ଥିବାରୁ କଲେଜ ପଢ଼ୁଆ ପୁଅ ପଢ଼ିବାକୁ ଯାଇ ପାରୁ ନାହିଁ। ମାସେ ଉପରେ ହୋଇଗଲାଣି ଏମାନଙ୍କୁ ଜାମିନ୍ ମିଳୁନାହିଁ। ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରି, ବଡ଼ ବଡ଼ ଅପରାଧ କରି ଚବିଶ ଘଣ୍ଟାରେ ଜାମିନ ପାଇ ଯାଉଥିବାର ଉଦାହରଣ ଏ ଦେଶରେ ଓ ରାଜ୍ୟରେ ରହିଛି, ମାତ୍ର ମାଡ଼ପିଟ ଓ ଭଙ୍ଗାରୁଜା ଘଟଣାରେ ଏମାନଙ୍କୁ ଜାମିନ ମିଳୁନାହିଁ। କାହା ଇଶାରାରେ? କାହିଁକି?

ଏଥର ତଲ୍ଆମପଦରରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଥିବା କଣ୍ଟାମାଳ ଗ୍ରାମର କଥା। ଗାଁ ଭିତରକୁ ପ୍ରବେଶ କଲା ବେଳେ ବାଁ ପଟରେ ତିଜିମାଲି,ଡାହାଣ ପଟରେ ମାଜିଙ୍ଗମାଲି ଓ ପଛରେ ଦୁଇ କିଲୋମିଟର ପରେ କୁଟ୍ରୁମାଳି। ବକ୍ସାଇଟ ଅଞ୍ଚଳର ହୋଇଥିବାରୁ ଗାଁ ମାଟିରୁ ଜାଣି ପାରିଲି ମାଟି ତଳେ ଅଛି ଅମାପ ବକ୍ସାଇଟ। ମାଟିର ରଙ୍ଗ କହି ଦେଉଥିଲା କାହାଣୀ। କଣ୍ଟାମାଳ ଗ୍ରାମ ହେଉଛି ନିୟମଗିରି ଆନ୍ଦୋଳନର ଏକ ମୂଖ୍ୟ ଗ୍ରାମ। ‘ମା’ ମାଟି ମାଳି ସୁରକ୍ଷା ସମିତି’ ର ମୁଖ୍ୟ ଓ ସଦସ୍ୟମାନେ ଏହି ଗ୍ରାମର। ମାଳି ପର୍ବତ ଉପରକୁ କମ୍ପାନୀ ପାଇଁ ରାସ୍ତା ତିଆରି କରାଯାଉଥିବା ବେଳେ ଗ୍ରାମବାସୀମାନେ ରାସ୍ତା ନିର୍ମାଣକୁ ବିରୋଧ କଲେ। ସ୍ବୟଂ କଲେକ୍ଟର ମହୋଦୟ ଗାଡ଼ି ଗାଡ଼ି ପୋଲିସ ସହ ଉପସ୍ଥିତ ଥିଲେ। ଏହି ବିରୋଧ ଫଳରେ ରାସ୍ତା କାମ ବନ୍ଦ କରିବାକୁ କଲେକ୍ଟର ବାଧ୍ୟ ହେଲେ। ମାତ୍ର ନିଜର ‘ମାଲିକମାନଙ୍କ’ ସାମନାରେ ବୋଧହୁଏ ମୁହଁ ଦେଖାଇ ପାରିଲେ ନାହିଁ। ତେଣୁ ହଠାତ 6 ତାରିଖ ରାତି ଦୁଇଟା ପାଖାପାଖି ଦୁଇ ତିନିଶହ ପୋଲିସ ପହଞ୍ଚି ଗଲେ କଣ୍ଟାମାଳ ଗ୍ରାମରେ। କୋଳାହଳ ଶୁଣି ଲୋକେ ବାହାରିବାରୁ ପ୍ରଚଣ୍ଡ ମାଡ଼ ବୃଷ୍ଟି କଲେ ‘ବୀର’ ସିପାହୀମାନେ। ମହିଳାମାନେ ମଧ୍ୟ ବାଦ୍ ପଡ଼ିଲେ ନାହିଁ। ଜଣେ ମହିଳାଙ୍କୁ ମୁଣ୍ଡରେ ବନ୍ଧୁକ ଦ୍ବାରା ପ୍ରହାର କଲେ ଜଣେ ‘ବାହାଦୁର’ ପୋଲିସ କର୍ମଚାରୀ। ପୋଲିସ୍ ବିଭାଗ ଓ ସରକାର ନିଶ୍ଚିତ ଭାବରେ ସେହି ସିପାହୀଙ୍କୁ ପୁରସ୍କୃତ ଓ ସମ୍ମାନିତ କରିବା କଥା ତାଙ୍କର ଶୌର୍ଯ୍ୟ ଓ କମ୍ପାନୀ ପ୍ରତି ବିଶ୍ବସ୍ତତା ପାଇଁ। ଏହିପରି ଘଣ୍ଟାଏ ଦୁଇଘଣ୍ଟା କାଳ ‘ଶାନ୍ତି’ ସ୍ଥାପନ ପ୍ରକ୍ରିୟା ଜାରି ରଖିବା ପରେ ପୋଲିସ୍ ଦଳ ଫେରିଗଲେ। ସତେ ଯେପରି ପହଲଗାଓଁ ଆକ୍ରମଣରେ ଜଡ଼ିତ ଥିବା ଆତଙ୍କବାଦୀମାନଙ୍କୁ ଏନକାଉଣ୍ଟର କରି ଫେରିଥିଲେ ସେମାନେ।
ତଲ୍ଆମପଦର ଓ କଣ୍ଟାମାଳ ଗ୍ରାମବାସୀ କିନ୍ତୁ ଗୋଟିଏ କଥା ଦୃଢ଼ ଭାବରେ କହନ୍ତି। କମ୍ପାନୀ ଯେତେ ଯାହା ଉଦ୍ୟମ କରୁ ସେମାନେ ହାରିବେ ନାହିଁ।
ମାଳି ଅଞ୍ଚଳର ୯୨ଟି ଗ୍ରାମ ଆଜି କମ୍ପାନୀ ବିରୁଦ୍ଧରେ। ଖବର ପାଇଲା ମାତ୍ରକେ ସମସ୍ତେ ପାହାଡ଼ ଡେଇଁ,ଜଙ୍ଗଲ ଓ ଝରଣା ପାରି ହୋଇ ପାହାଡ଼ ଓ ଜଙ୍ଗଲ ସୁରକ୍ଷା ଉଦ୍ଦିଷ୍ଟ ଯେକୌଣସି ସଭାରେ ଯୋଗ ଦିଅନ୍ତି। କିନ୍ତୁ ବିଗତ ସମୟରେ ଜଣେ ବ୍ୟକ୍ତି କୁଆଡ଼େ ଏକା ସମୟରେ ଦଶଟି ସ୍ଥାନରେ ଗ୍ରାମସଭା କରାଇ କମ୍ପାନୀ ସପକ୍ଷରେ ପ୍ରସ୍ତାବ ପାସ୍ କରାଇଥିଲା। ବେଶ୍ ଚମତ୍କାରୀ ବ୍ୟକ୍ତି ହୋଇଥିବ। ଆହୁରି ଚମତ୍କାର କଥା ହେଲା ସେହି ପ୍ରସ୍ତାବରେ ମୃତ ବ୍ୟକ୍ତିମାନେ ମଧ୍ୟ ଦସ୍ତଖତ ଦେଇଥିଲେ, ପଢ଼ାପଢ଼ି କରିଥିବା ଯୁବକମାନେ ଟିପଚିହ୍ନ ଦେଇଥିଲେ। କ’ଣ ଚାଲିଛି, ଲୋକେ ଠିକ ଜାଣି ପାରୁଛନ୍ତି।

କିଛି ପାଠ ପଢ଼ି କଲେକ୍ଟର ହୋଇ ଆସିଥିବା କିଛି ଯୁବକ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ାର ମାଳି ଅଞ୍ଚଳର ଭାଗ୍ୟ ନିର୍ମାତା ବୋଲି ନିଜକୁ ଚିନ୍ତା କରୁଛନ୍ତି। କଲେକ୍ଟର ଲୋକଙ୍କୁ ମାଗୁଛନ୍ତି ଜମି ପଟା ! ମାନେ ସେଠାରେ ରହି ଆସୁଥିବା ପ୍ରମାଣ। ଅଦ୍ଭୁତ!। ଅର୍ଥାତ୍ ଚାକିରି (ସରକାରଙ୍କ କମ୍, କମ୍ପାନୀର ଗୋଲାମି ବେଶୀ) କରିବାକୁ ଆସିଥିବା ଜଣେ ବାହାରିଆ ଲୋକ ହଜାର ହଜାର ବର୍ଷ ଧରି ରହି ଆସୁଥିବା ଲୋକଙ୍କୁ ସେଠାକାର ଅଧିବାସୀ ହୋଇଥିବାର ପ୍ରମାଣ ମାଗୁଛି! ଫୋର୍ସ ଧରି ଆସୁଛି, ଧମକ ଦେଉଛି, ମାଡ଼ ମାରୁଛି, ଅଶ୍ରୁଗ୍ୟାସ୍ ଛାଡ଼ୁଛି, ଜେଲ୍ ପଠାଉଛି।ସେହି ଲୋକମାନଙ୍କ ଉପରେ ଯେଉଁମାନେ ପୁରୁଷ ପୁରୁଷ ଧରି ସେହି ପ୍ରାକୃତିକ ସଂପଦକୁ ସୁରକ୍ଷା ଯୋଗାଇ ଆସୁଛନ୍ତି। ଆଉ ସରକାର ନୀରବ ରହି ତାମସା ଦେଖୁଛନ୍ତି।

ରାଜନୈତିକ ଦଳମାନଙ୍କ ଭୂମିକା ଆହୁରି ମାରାତ୍ମକ ବୋଲି ଅନେକଙ୍କ ଧାରଣା। ଏମାନେ ଏପାଖ ମାଉସୀ, ସେପାଖ ପିଉସୀ ଭଳି କାମ କରୁଥିବା ଅନେକ ଆନ୍ଦୋଳନକାରୀ ଅଭିଯୋଗ କରନ୍ତି। ଗୋଟିଏ ପଟେ ଆଦିବାସୀଙ୍କ ଲଢ଼େଇରେ ସାମିଲ୍ ଥିବା କହି ଭୋଟ୍ ହାତେଇ ନିଅନ୍ତି ତ ଅନ୍ୟପକ୍ଷରେ କମ୍ପାନୀଠାରୁ କୋଟି କୋଟି ଟଙ୍କା ଆଣି ନିର୍ବାଚନ ଲଢ଼ୁଥିବା କଥା କହନ୍ତି ଲୋକେ।ଏପରି କ୍ଷେତ୍ରରେ ଆଦିବାସୀଙ୍କ ଲଢ଼େଇ ସଫଳ କେମିତି ହେବ? କଣ୍ଟାମାଳ ଘଟଣା ପରେ କଂଗ୍ରେସ ଦଳ ଗୋଟିଏ ସତ୍ୟ ଅନୁସନ୍ଧାନ ଦଳ ପଠାଇ ନିଜର ଦାୟୀତ୍ବ ସାରି ଦେବା ଭଳିଆ ସୌଜନ୍ୟମୂଳକ ପଦକ୍ଷେପ ନେଇଥିଲା ବୋଲି ଜଣେ ବରିଷ୍ଠ ନାଗରିକଙ୍କ ମୁହଁରୁ ଶୁଣିଲି। କମ୍ପାନୀ ବିରୁଦ୍ଧରେ କେବଳ ସରକାରଙ୍କୁ ସୁହାଇଲା ଭଳି ଗୁଡ଼ାଏ ତାଗିଦ୍ କରିଦେଇ ରାଜ୍ୟ କଂଗ୍ରେସ ଦଳ ଦାୟୀତ୍ବ ସାରିଦେଇଥିବା ବ୍ୟକ୍ତିଜଣକ କହିଲେ। ଏପରିକି ବେଦାନ୍ତ ସବୁ ଦଳର ନେତାଙ୍କ ପକେଟ ଗରମ କରୁଥିବାରୁ ନେତାମାନେ ସାଧାରଣ ଲୋକଙ୍କ ସଂଘର୍ଷରେ ସାମିଲ୍ ହେଉ ନଥିବା ଲୋକ କ୍ଷୋଭ ପ୍ରକାଶ କରୁଛନ୍ତି। ଲୋକଙ୍କ ଭରସା ରାଜନୈତିକ ଦଳଗୁଡ଼ିକ ଉପରେ ରହୁନାହିଁ। ହେଲେ ଲୋକେ ଏପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକୁ ଛି ଛାକର କରୁନାହାଁନ୍ତି। ଯେଉଁ ଦଳର ହେଉନା କାହିଁକି, ଯିଏ ସେଠାକୁ ଗଲା, ଲୋକେ ସେମାନଙ୍କୁ ଫୁଲମାଳ ଦେଇ ସ୍ବାଗତ କରୁଛନ୍ତି, ଚେୟାରରେ ବସାଉଛନ୍ତି, ସଭାରେ ନିଜ କଥା ରଖୁଛନ୍ତି, ନେତାଙ୍କ ଭାଷଣ ଧୈର୍ଯ୍ୟର ସହ ଶୁଣୁଛନ୍ତି ଓ ସେମାନଙ୍କୁ ଭାତ, ଡାଲମା’, ଭଜା ଖାଇବାକୁ ଓ ମାଣ୍ଡିଆ ଜାଉ ପିଇବାକୁ ଦେଉଛନ୍ତି।

କଣ୍ଟାମାଳ ଘଟଣା ପୂର୍ବ ନିୟୋଜିତ ଥିଲା ବୋଲି ମାଳି ସୁରକ୍ଷା ସମିତିର ଜଣେ ସଭ୍ୟ କହନ୍ତି। ନିୟମଗିରି ଅଞ୍ଚଳର ଦୁଇ ଟାଣୁଆ ନେତା ଶ୍ରୀ ଲିଙ୍ଗରାଜ ଆଜାଦ ଓ ଶ୍ରୀ ସୁରେଶ ସଂଗ୍ରାମୀଙ୍କୁ ମାସେ ଆଗରୁ ପୁରୁଣା କେସରେ ଗିରଫ କରି ନିଆଗଲା। ସେମାନଙ୍କ ବିରୋଧରେ ଡକାୟତି ଭଳି ମାମଲା ରୁଜୁ କରିଥିବା କଥା ହାସ୍ୟାସ୍ପଦ ଅଟେ। ମାଳି ଅଞ୍ଚଳର ଖଣିଜ ପଦାର୍ଥର ଯେପରି ଡକାୟତି ନ ହେବ, ସେଥିପାଇଁ ଲିଙ୍ଗରାଜ ଆଜାଦ ଆଜୀବନ ସଂଘର୍ଷ କରି ଆସିଛନ୍ତି। ବର୍ତ୍ତମାନ ତାଙ୍କୁ ଜମାନତ୍ ମିଳିଥିବା ଖବର ଆସୁଛି। ସୁରେଶ ସଂଗ୍ରାମୀ ଜେଲରୁ ବାହାରି ଆସିଛନ୍ତି, ମାତ୍ର ଲିଙ୍ଗରାଜ ଆଜାଦ୍ ଏଯାବତ୍ ବାହାରି ନାହାଁନ୍ତି। ତାଙ୍କୁ ପୁଣି ଏକ ପୁରୁଣା କେସ୍ ବଳରେ ଜେଲରେ ରଖାଯାଇଛି।

ସରକାରଗୁଡ଼ିକ ଲୋକ ଓ ଲୋକଙ୍କ ସମସ୍ୟାଗୁଡ଼ିକ ପ୍ରତି ଆଦୌ ସମ୍ବେଦନଶୀଳ ହୋଇ ରହି ନାହାଁନ୍ତି। ସରକାର ଚଳାଇବା ବର୍ତ୍ତମାନ ଲୋକଙ୍କ ଠାରୁ ଖଜଣା ଆଦାୟ କରିବା, ଲୋକଙ୍କ ଉପରେ ନୁଆ ନୁଆ ଖଜଣା ଲାଗୁ କରିବା, ଯେ କୌଣସି ଉପାୟରେ ଲୋକଙ୍କଠାରୁ ଖଜଣା ଆଦାୟ କରିବା, ନିର୍ବାଚନ କରାଇବା, ନିର୍ବାଚନ ସମୟରେ ନୂଆ ନୂଆ ଯୋଜନା ଘୋଷଣା କରିବା, ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେବା ତଥା ଟଙ୍କା ଦେଇ ଭୋଟ କିଣିବା ଓ ନିର୍ବାଚନ ଜିଣିଲେ କର୍ପୋରେଟ୍ ର ଇଙ୍ଗିତରେ ଚାଲିବାରେ ସୀମିତ ରହିଯାଇଛି। ପୂର୍ବର ସରକାର ବେଦାନ୍ତ ପାଇଁ ଆକାଶ ପାତାଳ ସମାନ କରି ଦେଇଥିଲେ, ଏବର ସରକାର ମଧ୍ୟ କିଛି କମ୍ ନୁହଁନ୍ତି। ସରକାରଗୁଡ଼ିକ ବୁଝିବା ଦରକାର ଯେ ଲୋକଙ୍କ ସହନ ଶକ୍ତିର ଗୋଟିଏ ସୀମା ଅଛି।
(ଏହା ଭିତରେ ଥିବା ତଲ୍ଆମପଦରରୁ ଗିରଫ ହୋଇଥିବା ମହିଳାମାନେ ଜାମିନରେ ଖଲାସ ହୋଇଯାଇଛନ୍ତି।)

1 Comments

  • Ritesh Kumar Das 3 months ago

    Thank you, Sir. The real condition of Niyamgiri people is many more times pathetic than the description. You are witnesses of my statement.