
ବହୁତ ପୁରୁଣା କଥା। କନ୍ଧ ନିଜର ଇଷ୍ଟଙ୍କୁ ଶାନ୍ତ କରି ଅଥିର ଧରାକୁ ଥିର କଲା। ବିନ୍ଧ୍ୟଗିରିରୁ ନିଜର ସାମ୍ରାଜ୍ୟ ବିସ୍ତାର କଲା। ଦେବାଦେବୀ ତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମୀଖଣ୍ଡମାନଙ୍କୁ ଗମନ କଲେ। ତାଙ୍କୁ ଅନୁଧାବନ କରି କନ୍ଧ ବିଧିର ସର୍ଜ୍ଜନାକୁ କେବଳ ଗୋଟିଏ ସୂତ୍ରରେ ପରିଚାଳିତ କରିବାର ନିୟମ କଲା; ତାହା ହେଲା ‘ସତ୍ୟ’। ବିଧାତା ସର୍ଜ୍ଜନା କରିଥିବା ଧରାକୁ କନ୍ଧ ସମ୍ଭାଳିଲା।
ଦେବୀ ‘ଛତରବାଉତୀ’ ଯିଏ ନିଜର ଛତ୍ରଛାୟା ତଳେ ସମଗ୍ର ସର୍ଜ୍ଜନାକୁ ସୁରକ୍ଷା ଦିଅନ୍ତି ତାଙ୍କର ଆଦିପିଠ ‘ଛତରଦାଣୀ’। ସଇନ୍ତଲା ଅଞ୍ଚଳରେ ରହୁଥିବା କନ୍ଧ ମେଟନା ଭୋଇଙ୍କୁ ଆଜ୍ଞା କଲେ। ମେଟନା ଭୋଇଙ୍କ ବଡ଼ଭାଇ ଅମ୍ବାଦଲା ଅଞ୍ଚଳକୁ ଏବଂ ନିଜେ ମେଟନା ଭୋଇ ଛତରଦାଣୀକୁ ଆସିଲେ। ଆସିବା ଭିତରେ ନିଜର ଅଜ୍ଞାନତା ବଶତଃ ସରଧାପୁର, ଖୁଜେନବେହେଲିରେ କିଛିବର୍ଷ ରହିଥିଲେ। ଏହି ଗାଁ ମାନଙ୍କରୁ ଛତରଦାଣୀ ଦୂର ହେବା ଫଳରେ ଅଗନାଅଗନୀ ବନସ୍ତ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ମହଖଣ୍ଡ ଜଙ୍ଗଲସ୍ଥ ଛତରଦାଣୀ ପାହାଡ଼ତଳକୁ ଆସି ରହିଲେ। ଏହି ଥାନରେ ଗୋଟିଏ ଗାଁ ହୋଇଗଲା। ଛତରଦାଣୀର ମୂଖ୍ୟ ସେବକ ଗାଁରେ ରହୁଥିବା ହେତୁରୁ ଗାଁର ନାମ ଛତରଙ୍ଗ ହେଲା। ଆଜିବି ମେଟନା ଭୋଇଙ୍କ ପରିବାର ଛତରଙ୍ଗ ଗାଁରେ ରହି ଦେବୀଙ୍କ ସେବା କରନ୍ତି।
ଛତରଦାଣୀ ବାରଗୋଟି ପାହାଡ଼ର ସମାହାର। ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଓ ତୁରେକେଲା ଅଞ୍ଚଳକୁ ଆବୋରିଥିବା ଚାରିଶହ ହେକ୍ଟର ଭୂମୀରେ ଛତରଦାଣୀ ପର୍ବତ ଶୃଙ୍ଖଳା ଗନ୍ଧମାନର୍ଦ୍ଦନ ପର୍ବତ ଶୃଙ୍ଖଳାର ଏକ ଅଂଶ। ଛତରବାଉତୀ, ଗରଭଙ୍ଗା, କୁଲିହାମାଲି, ସୁନ୍ଦରୀ ପାହାଡ଼, ଝଜାବନ୍ଧା ଡୁଙ୍ଗରୀ, ରଉଲ ଡଙ୍ଗର ଓ ସାତ ଧାଙ୍ଗରୀ ନାମରେ ସାତଟି ପାହାଡ଼ ଦେବୀ ଛତରବାଉତୀଙ୍କ ଆବାସସ୍ଥଳୀ। ଛତରବାଉତୀ ପାହାଡ଼ରେ ଦେବୀ ନିଜେ ବିରାଜମାନ କରିଛନ୍ତି। ଗରଭଙ୍ଗା ପାହାଡ଼ରେ ଗରହଟଲା କରାଯାଏ। ଗରହଟଲା ଏକ ଆଦିବାସୀ ବିଧାନ। ବିବାହ ପୂର୍ବରୁ ଝିଅ ଶାଶୁଘର ଯିବ। ନିଜର ପୈତୃକ ପରିଜନଙ୍କୁ ଛାଡ଼ି ଅନ୍ୟର ଘର ସମ୍ଭାଳିବ। ନିଜ ବଂଶର ଗର୍ହ(ଗ୍ରହ) ଏବଂ ତାର ଶକ୍ତିକୁ ଶାନ୍ତ କରି ଅନ୍ୟର ବଂଶ ଉଦ୍ଧାର କରିବା କ୍ଷମତା ପ୍ରଦାନ କରିବାର ଆଦିବାସୀ ବିଧିକୁ ‘ଗର୍ହଟଲା’ ବୋଲି କୁହାଯାଉ। ଏହି ପାହାଡ଼ରେ ଦେବୀଙ୍କ ସମ୍ମୁଖରେ ଗର୍ହଟଲା ବିଧି କରାଯାଇ ଥାଏ। କୁଲିହାମାଲି ପାହାଡ଼ରେ ବାଘଭାଲୁ ଆଦି ହିଂସ୍ରଜନ୍ତୁ ରହନ୍ତି। ଏହି ପାହାଡ଼ରେ ଦେବୀଙ୍କ ଆଭୁଷଣ ଆଦି ରଖାଯାଏ। ଦେବୀଙ୍କ କୌଣସି ଆଭୂଷଣ ଭାଙ୍ଗିଗଲେ କି ନଷ୍ଟ ହୋଇଗଲେ ସେହି ପାହାଡ଼ରେ ହିଁ ତାକୁ ଫିଙ୍ଗି ଦିଆଯାଏ। ଦେବୀଙ୍କ ଆଭୂଷଣ ରଖିବା ପାଇଁ ଗୁମ୍ଫା ଆଦି ପରି କୌଣସି ବିଶେଷ ସ୍ଥାନ ନାହିଁ। ସମସ୍ତ ଆଭୂଷଣକୁ ଗଛଡ଼ାଳରେ ହିଁ ଉଲେଇ ଦିଆଯାଏ। ଏହି ପାହାଡ଼ର ବିଶେଷତା ହେଲା କୌଣସି ଲୋକ ନିଜର ଆବଶ୍ୟକତା ଅନୁସାରେ ଦେବୀଙ୍କୁ ଆଭୂଷଣ ମାଗିବ ଏବଂ ନିଜର କାମ ସରିଲେ ପୁଣି ଫେରେଇବ। ଏହି ଯାଚନା ଦେବୀଙ୍କୁ କରି ସେ କୁଲିହାମାଲି ପାହାଡ଼ରୁ ଆଭୂଷଣ ନେବ। ଏକଦା ଜଣେ କନ୍ଧୁଣୀ କୌଣସି ଲୋକ ଏହାକୁ ଫେରେଇଲା ନାହିଁ। ଦେବୀ ରୁଷ୍ଟ ହୋଇ ଲୋକଙ୍କୁ ଆଉ ଆଭୂଷଣ ଦେଲେ ନାହିଁ। ସୁନ୍ଦରୀ ପାହାଡ଼ରେ ଦେବୀ ପ୍ରସାଧନ ହୁଅନ୍ତି। ଏହି ପାହାଡ଼ର ନାମକରଣ ଏଥିପାଇଁ ଯେ ପହାଡ଼ଟିକ ଯେଉଁ ପଟରୁ ଦେଖିଲେ ମଧ୍ୟ ସୁନ୍ଦର ଦିଶିଥାଏ। ଝଜାବନ୍ଧା ଡୁଙ୍ଗରୀ, ଏହି ପାହାଡ଼ ଚୂଡ଼ାରେ ଦେବୀଙ୍କ ଧ୍ୱଜା(ଝଜା) ବନ୍ଧାହୁଏ। ଦେବୀଙ୍କ ଏହି ଧ୍ୱଜା ବହୁଦୂରରୁ ଦେଖାଯାଇଥାଏ। ଏ ଲାଗି ପାହାଡ଼ର ନାଁ ଝଜାବନ୍ଧା ହୋଇଛି। ରଉଲ ଡଙ୍ଗରରେ ଦେବୀଙ୍କ ପୂଜାବିଧି ହୋଇଥାଏ। ଏବଂ ସାତଧାଙ୍ଗରୀ ଡଙ୍ଗରରେ ଦେବୀଙ୍କ ସାତ ଅନୁଚରୀ ରହନ୍ତି। ଅମାପ ଶକ୍ତିର ସାତ ପ୍ରତୀକ ସାତଧାଙ୍ଗରୀ ଆଜିବି ଲୋକଙ୍କ ଅତି ନିକଟତର ହୋଇ ରହନ୍ତି। ସ୍ଥାନୀୟ ଲୋକେ କହନ୍ତି ସାତଧାଙ୍ଗରୀକେ ଡାକଲେ ଓ କରସି। ଅର୍ଥାତ ସାତଧାଙ୍ଗରୀ କହାର ଯାଚନାକୁ କି ପ୍ରାର୍ଥନାକୁ ଉପେକ୍ଷା କରି ନ ଥାନ୍ତି। ଏହି ପାହାଡ଼ମାନଙ୍କ ବ୍ୟତୀତ ଛତରଦାଣୀର ଅନ୍ୟ ପାଞ୍ଚଟି ପର୍ବତରେ ଅନ୍ୟ ଦେବାଦେବୀ ପୂଜା ପାଇଥାନ୍ତି। ମକରେନ ପାହାଡ଼ରେ ମକରେନ ମାଏଲୀ ଦେବୀ ପୂଜା ପାଆନ୍ତି, ଯେଉଁଠି ଝରନ ରହିଅଛି। ବୁଡ଼ପାଏନ ପାହାଡ଼ରେ ଦେବୀ ବସ୍ତ୍ରେନ (ବସ୍ତର ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ପଶ୍ଚିମ ଓଡ଼ିଶାରେ ବସ୍ତ୍ରେନ ନାମରେ ପରିଚିତ) ପୂଜା ପାଆନ୍ତି। ବରଡ଼ିପାଏନ ପାହାଡ଼ରେ ଦେବୀ ବନ୍ଧଖଣେନ ପୂଜା ପାଆନ୍ତି। ମହୁଲପାଏନ ପାହାଡ଼ରେ ଦେବୀ ମାୟାମଣୀ ପୂଜା ପାଆନ୍ତି। ଜାମପାଏନ ଡଙ୍ଗରରେ ଜମଜଦେବୀ ଜାୟାକାୟାଙ୍କ ପୂଜା ହୋଇଥାଏ। ଟିପଟିପି ପାଏନ ପାହାଡ଼ରେ ପାଟଖଣ୍ଡାଙ୍କ ସେବା ହୋଇଥାଏ। ଏହି ପାଞ୍ଚଟି ପାହାଡ଼ରେ ପାଣିର ପ୍ରାକୃତିକ ବ୍ୟବସ୍ଥା ସୁନ୍ଦର ଭାବରେ ହୋଇଅଛି। ଏହି ପାହାଡ଼ମାନଙ୍କରେ ଦେବାଦେବୀଙ୍କ ସେବାକରି ମେଟନା ଭୋଇଙ୍କ ବଂଶଧର ରହୁଥିଲେ।
ଛତରଙ୍ଗ ସମେତ ତାଲଚକେଲ, ବରକାନୀ, ବାଗବାହାଲ, ଡଙ୍ଗିଆ, ଖୂଜେନବାହାଲ, ମାଲପଡ଼ା, ଚାଉଲିଆ, ଦେଗାଁ, ଜୁରାବନ୍ଧ, ବଡ଼ଗମଡ଼ା, ସାନଗମଡ଼ା ଆଦି ବାରଗୋଟି ଗ୍ରାମ ମେଟନାଙ୍କ ବଂଶଧର ତଥା ଦେବୀମାନଙ୍କ ସେବକ ରହୁଥିଲେ। ଆଜିବି ବିଧିବିଧାନରେ ପୂଜା ଚାଲୁଅଛି। ବାରଭାଇ ବିସ୍ତରି ରହିଲେ।
‘ବିହନଛିନା’ ଏକ କୃଷି ଉତ୍ସବ। ଆଦିବାସୀ ଏହି ଦିନ ତାର ଦେବୀଙ୍କୁ ଆବାହନ କରିଥାଏ। ଆଗାମୀ ଚାଷ କିପରି ହେବ? ବର୍ଷା କିପରି ହେବ? ଏପରି ଚାଷ ଓ ପାଣିପାଗ ଉପରେ ନାନା କଥା ପଚାରିଥାଏ। କୃଷି ଜନିତ ଘଟଣାଅଘଟଣକୁ ଦେବୀ ପାଖରେ ଅଭିଯୋଗ କରିଥାଏ। ଅଭିମାନ ବି କରିଥାଏ। ଏହି ଦିନ ବାରଭାଇ ବାରଟି ଗାଁରୁ ଆସି ନିଜ ନିଜର ସୁଖଦୁଃଖ ସହ ଭେଟ ହୋଇଥାନ୍ତି। ଆଜି ବି ବିହନଛିନା ବାରଭାଇ ବଂଶଧରଙ୍କ ଲାଗି ମିଳନର ପର୍ବ ବି ହୋଇଆସୁଅଛି।

ସମସ୍ତ ସର୍ଜ୍ଜନାର ସୁରକ୍ଷାଦାତ୍ରୀ ଛତରବାଉତୀଙ୍କ ସେବା ମେଟନା ଭୋଇଙ୍କ ବଂଶଧର ଆଜି ବି ତୁଲାଇ ଆସୁଛନ୍ତି। କ୍ରମ ଅନୁସାରେ ମେଟନା ଭୋଇ, ମେକା ଭୋଇ, ରାମଚନ୍ଦ୍ର ଭୋଇ, ଧର୍ମୁ ଭୋଇ, ଡମ୍ବରୁ ଭୋଇ, ମଧୁ ଭୋଇ ମୂଖ୍ୟ ପୂଝାରୀ ରହି ଆସିଛନ୍ତି। ମଧୁ ଭୋଇଙ୍କ ଅନ୍ତେ ତାଙ୍କ ପୁଅ ମେଘନାଦ ଭୋଇ ବର୍ତ୍ତମାନ ପୂଜକ ଅଟନ୍ତି। ତାଙ୍କ ପୁଅ ଆର୍ତ୍ତତ୍ରାଣ ଭୋଇ ଯିଏ ‘ଛତରବାଉତୀ ଜଙ୍ଗଲ ସୁରକ୍ଷା କମିଟି’ର ସଭାପତି ଅଟନ୍ତି, ମେଘନାଦ ଭୋଇଙ୍କ ପରବର୍ତ୍ତି ପୂଜକ ହେବେ।
ଅଞ୍ଚଳର ମୌସୁମୀ ରୋଧକ ଛତରଦାଣୀ ପର୍ବତସମୂହ ଅଞ୍ଚଳବାସୀଙ୍କ ସମ୍ଭ୍ରମତାକୁ ହିଁ ଛୁଇଁଥାଏ। ପର୍ବତ ଉପରେ ଛତର ପଥର; ଢୋଳ, ନିସାନ, ତାସା ଆଦି ଗଣାବଜାର ପଥର ଆକୃତି; ବିରାଟ ବୋଡ଼ା ସାପର ପଥର ଆକୃତି ଇତ୍ୟାଦି ଦେବୀ ଓ ତାଙ୍କ ସହଚରଙ୍କ ଉପସ୍ଥିତି ଓ ଲୋକଙ୍କ ସଂଶ୍ଲିଷ୍ଟତାର ପ୍ରମାଣ ଦେଇଥାଏ ଲୋକଙ୍କ ମନରେ। ଏ ସମସ୍ତ କାରଣରୁ ଛତରଦାଣୀ ଗୋଟିଏ ପର୍ବତ ସମୂହ ନୁହେଁ ଗୋଟାପଣେ ଦୈବୀ ଆକୃତି ହିଁ ଅଟେ।
ପ୍ରାଚୀନ କାଳରେ ପଶ୍ଚିମ ଓଡ଼ିଶା ଓ ଏହାର ସଂଶ୍ଲିଷ୍ଟ ତେଲେଙ୍ଗାନା, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗର କିଛି କିଛି ଅଂଶ ଉଡ୍ର ବୋଲି କୁହାଯାଏ। ଉଡ୍ରପିଠ ତନ୍ତ୍ର ଓ ସାଂଖ୍ୟର ଆଦିଭୂମୀ ଅଟେ (ଡ. ଜିତାମିତ୍ର ପ୍ରସାଦ ସିଂ ଦେବ)। ରାବଣ ସଂହିତାରେ ସ୍ୱୟଂ ରାବଣ ଉଡ୍ର ତନ୍ତ୍ରକୁ ବେଶ ସମ୍ମାନନୀୟ ସ୍ତରରେ ରଖିଛନ୍ତି। ବୁଦ୍ଧତନ୍ତ୍ରର ବିକାଶ ସ୍ଥଳୀ ଏକାଦଶ ଶତକ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ହିଁ ଦେଖାଯାଇଥାଏ। ଶ୍ରୀପୁର, ରାଣୀପୁର ଝରିଆଲ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଆଦି ଅଞ୍ଚଳରେ ଆଜି ବି ବୁଦ୍ଧତନ୍ତ୍ରର ମନ୍ଦିର ଓ ସ୍ଥାନମାନ ରହିଅଛି।
ଆଦିବାସୀ ସଂସ୍କୃତିରେ ମାତୃଶକ୍ତି ହିଁ ସର୍ବୋପରି। ସେ ଲାଗି ମୂଖ୍ୟକୁ କୋଶଲୀ ଭାଷାରେ ‘ମାଇ’ ବୋଲି ସମ୍ବୋଧନ କରିଥାନ୍ତି। ଯେମିତି ମାଇଖୁଟା (ମୂଖ୍ୟ ଖମ୍ବ ଅର୍ଥରେ), ମାଇଡୁଲି (ଜଳ ଭଣ୍ଡାରନ ଓ ବିତରଣ କ୍ଷମତା ରଖିଥିବା ଜମିର ମୂଖ୍ୟ ଡୁଲି ବା ଜମିଖଣ୍ଡ) ଏପରିକି ଖେଳରେ ମୂଖ୍ୟ ଖେଳାଡ଼ିକୁ ମାଇ ବୋଲି କୁହାଯାଇଥାଏ। ଦେବୀ ଛତରବାଉତୀ ସୃଷ୍ଟିକୁ ନିଜର ଛତ୍ରଛାୟା ତଳେ ରଖିଥାନ୍ତି। ସେ ଯେଉଁ ନାମରେ ହୋଇଥାନ୍ତୁ ନା କାହିଁକି ଆଦିଶକ୍ତିଙ୍କ ପୂଜାପର୍ବ ବେଳେ ଛତର ଦେବୀଙ୍କ ନିକଟରେ ରହିଥାନ୍ତି। ଛତର ବା ଛତ୍ର ପାଇଁ ପ୍ରତି ବର୍ଷ ନୂଆ ଛତ୍ରଦଣ୍ଡ(ବାଉଁଶ) ଦରକାର ପଡ଼ିଥାଏ। ଛତରଦାଣିରୁ ହିଁ ଏହି ଛତ୍ରଦଣ୍ଡ ଗୋଟିଏ ବିଧିବିଧାନରେ ସଂଗ୍ରହ କରାଯାଇଥାଏ। ଏକଦା ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ମୂଖ୍ୟ ଦେବୀପିଠମାନଙ୍କ ପାଇଁ ଦରକାର ପଡ଼ୁଥିବା ଛତ୍ରଦଣ୍ଡ ଛତରଦାଣିରୁ ହିଁ ସଂଗୃହ କରାଯାଉଥିଲା। ବର୍ତ୍ତମାନ ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଜଗଦଲପୁର, ବସ୍ତର ଆଦି ଦୂର ଅଞ୍ଚଳମାନଙ୍କରୁ ଛତର ନେବାକୁ ଆସୁ ନାହାନ୍ତି। ପୂଜାରୀ ମେଘନାଦ ଭୋଇଙ୍କ କହିବା ଅନୁସାରେ ଦୂର ହେବା ଯୋଗୁଁ ଏବଂ ଛତର ନେବାର ଏକ ନିର୍ଦ୍ଦିଷ୍ଟ ବିଧି ଥିବା କାରଣରୁ ବହୂ ଦୂରର ଦେବୀପିଠମାନଙ୍କରୁ ଛତରଦାଣିକୁ ଆସୁ ନାହାନ୍ତି, ଛତରଦାଣିରୁ ଆଜ୍ଞା ନେଇ ନିକଟସ୍ଥ ପାହାଡ଼ରୁ ଛତର ସଂଗ୍ରହ କରିଥାନ୍ତି। ଯେମିତି ବୌଦ୍ଧ ଏବଂ ସମ୍ବଲପୁର ଦେବୀପିଠମାନଙ୍କରୁ ଦେବୀଙ୍କ ସେବକମାନଙ୍କୁ ଆସିବାକୁ ଆଠଦିନ ସମୟ ଲାଗିଥାଏ। କାରଣ ସେମାନେ ଚାଲି ଚାଲି ହିଁ ଆସିଥାନ୍ତି। ତଥାପିବି ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର ଅନେକ ଦେବୀ ପିଠରୁ ଗାଡ଼ିମଟରରେ ବି ଆସି ଛତର ନେଇଥାନ୍ତି।
ବହୁ ଯୁଗରୁ ଛତରଦାଣି ପର୍ବତ ସମୂହ ଦେବୀପାହାଡ଼ ହିଁ ଅଟେ। ବଂଶାନୁକ୍ରମରେ ଚାଲିଆସୁଥିବା ପରମ୍ପରା ବର୍ତ୍ତମାନ ବି ପୂର୍ବବତ ଚାଲୁଅଛି। ସେହି ସେବକ ପରିବାର ଅଛନ୍ତି। ସେବକ ପରିବାର ସଙ୍ଗେ ସମଗ୍ର ପର୍ବତସଂଘ ବାହ୍ୟ ଆକ୍ରମଣରୁ ନିଜକୁ ରକ୍ଷା କରି ପାରୁ ନାହାନ୍ତି।
ମେଘନାଦ ଭୋଇଙ୍କ ପୁଅ ଆର୍ତ୍ତତ୍ରାଣ ଭୋଇଙ୍କ ନାମରେ ଆଜି ପର୍ଯ୍ୟନ୍ତ ୪୨ ଗୋଟି ମାମଲା ରୁଜ୍ଜୁ ହୋଇ ସାରିଲାଣି। ଅନେକ ମାମଲା ଭିତ୍ତିହୀନ ଅଟେ। ଦେବୀଙ୍କ ସେବା ପାଇଁ ଯେଉଁଜମିରେ ସେମାନଙ୍କ ପୂର୍ବପୁରୁଷ ଚାଷ କରି ଆସୁଥିଲେ। ପୂର୍ବତନ ପାଟଣାରାଜ୍ୟ(ବଲାଙ୍ଗିର) ଶାସନ ତାଙ୍କୁ କୋଡ଼ିଏ ଏକର ଜମି ଖଞ୍ଜା କରି ପଟ୍ଟା ଦେଇଥିଲେ। ମୂଖ୍ୟ ପୂଜକ, ଅନ୍ୟାନ୍ୟ ସେବକ(ସେବକ ପରିବାରଙ୍କୁ ସ୍ଥାନୀୟ ଭାଷାରେ ଚାରିଘରିଆ କୁହାଯାଏ)ଏପରିକି ଦେବୀଙ୍କ ପୂଜାରେ ବାଜା ବଜଉଥିବା ଗଣା ସମ୍ପ୍ରଦାୟର ସେବକଙ୍କ ପାଇଁ ମଧ୍ୟ ଜମି ଖଞ୍ଜା ହୋଇଛି। ଅନେକ ଦେବୋତ୍ତର ଜମି ବିଭିନ୍ନ ଲୋକଙ୍କ ଦଖଲରେ ରହିଅଛି, ଯାହା ସେବକଙ୍କ ଦଖଲରେ ରହିବା କଥା। ଜମି ଉପରେ ସେବକମାନଙ୍କ ଅଧିକାର ରହିଅଛି ବୋଲି ଆର୍ତ୍ତତ୍ରାଣ ଭୋଇ ମାମଲା ଦାଖଲ କରିଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମିଥ୍ୟାମାମଲାରେ ଫସେଇ ହଇରାଣ କରୁଥିବା କଥା କହନ୍ତି ସେବକ ପରିବାର। ନିକଟ ଭବିଷ୍ୟତରେ ମାମଲାର ଶୁଣାଣି ହେବାକୁ ଅଛି। ଯେଉଁଥିରେ ନିଜ ଜମି ଉପରେ ଦଖଲ ପାଇବା ବିଶ୍ୱାସ ରଖନ୍ତି ଚାରିଘରିଆ ପରିବାର। ଦୀର୍ଘବର୍ଷରୁ ଚାରିଘରିଆ ପରିବାର ଜମିରୁ ଉଚ୍ଛେଦ ହୋଇଥିଲେ ମଧ୍ୟ ଦେବୀଙ୍କ ସେବାରେ ଅବହେଳା କରି ନାହାନ୍ତି।

ଗତବର୍ଷ ଥବିର ଚନ୍ଦ୍ର ବାଗ, ଅଞ୍ଚଃର ଜଣେ ଜଣାଶୁଣା ସାମାଜିକ କର୍ମୀ ଅଟନ୍ତି। ସେ ଛତରଦାଣିର ସ୍ଥିତି ଏବଂ ଏହି ପର୍ବତରୁ ପଥର ଫଟାଇବା ପାଇଁ ଦିଆ ଯାଇଥିବା ଲିଜ ଅନୁମତି ଉପରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଥିଲେ। ଏହି ସୂଚନା ଦେବାରେ ଉଭୟ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ତହସିଲରୁ ଅସହଯୋଗ କରାଯାଇ ଆସୁଅଛି। ଗତ ମାର୍ଚ୍ଚ ୨୦୧୮ରେ ସାମାଜିକ କର୍ମୀ, ନେତୃସ୍ଥାନୀୟ ବ୍ୟକ୍ତି, ତହସିଲଦାର ଏବଂ ସାମ୍ବାଦିକଙ୍କୁ ନେଇ ଏକ ସତ୍ୟାନୁସନ୍ଧାନ କମିଟି ଗଠନ କରାଯାଇ ଛତରଦାଣିର ସ୍ଥିତି ଉପରେ ସରଜମିନ ଦୌରା ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହିଦିନ ତହସିଲଦାର ଦୁଇଜଣ ଅନୁପସ୍ଥିତ ରହିଲେ। ଏହି ପାହାଡ଼କୁ ଫଟାଇବା ପାଇଁ ଦିଆଯାଇଥିବା ଲିଜର ବୈଧତା ସମ୍ବନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ କରିବା ଥିଲା। ଛତରଦାଣି ଅଞ୍ଚଳରେ ତିନୋଟି ପଥର କ୍ରସର ଚାଲୁଅଛି ସେହି କ୍ରସରମାନ ପାହାଡ଼ ଏବଂ ଏହା ନିକଟରୁ ଡାଇନାମାଇଟ ଯୋଗେ ବିସ୍ଫୋରଣ କରି ପଥର ଫଟେଇଥାନ୍ତି। ଏହି ଲିଜ ଅନୁମତି ଫଳରେ ଗୋଟାପଣେ ଦେବୀ ପାହାଡ଼ର ସାଂସ୍କୃତକ ଗାରିମାକୁ ହତାଦର ଏବଂ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରନ୍ତି ଥବିର ଚନ୍ଦ୍ର ବାଗ। ଅପରନ୍ତୁ ଉପରୋକ୍ତ ଦୁଇଟି ତହସିଲ କାର୍ଯ୍ୟାଳୟରୁ କୁହାଯାଏ ଯେ ଲିଜ ଦେବାରେ କୌଣସି ଅନିୟମିତତା ହୋଇ ନାହିଁ। କିନ୍ତୁ ପ୍ରଶ୍ନ ଉଠେ ବିସ୍ଫୋରଣ ଫଳରେ ହେଉଥିବା ବହୁଧା କ୍ଷତି ଉପରେ କୌଣସି ବିଚାର କି ଆଲୋଚନା କରିବାକୁ ସରକାରୀ କର୍ତ୍ତୃପକ୍ଷ ନାରାଜ ଅଟନ୍ତି।
ଛତରଦାଣୀ ପାହାଡ଼ ସମୂହ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ତୁରେକେଲା, ଲାଠୋର ଏବଂ ହରିଶଙ୍କର ଜଙ୍ଗଲ ସହ ସଂଯୁକ୍ତ ହୋଇଅଛି। ଏହି ଜଙ୍ଗଳରେ ବିଗତ ବର୍ଷ ଏକ ମହାବଳ ବାଘ ମରିଥିବାର ଦେଖାଯାଇଥିଲା। ସୁତରାଂ ଦୀର୍ଘ ବର୍ଷରୁ ଜଙ୍ଗଲ ତଷ୍କରୀ ହେବା ସତ୍ତ୍ୱେ ଏବଂ ପାହାଡ଼ମାନଙ୍କରେ ବେଆଇନ ବିସ୍ଫୋରଣ ହେବା ସତ୍ତ୍ୱେ ଜଙ୍ଗଳର ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ପାରି ନାହିଁ। ଆଦିବାସୀଙ୍କ ସାଂସ୍କୃତିକ ଧରୋହର ତଥା ଦୁଇଟିରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ସାଧାରଣଙ୍କ ଆସ୍ଥା ରହୁଥିବା ଛତରଦାଣୀ ପାହାଡ଼ସଂଘ ସୁରକ୍ଷିତ ରହିବା ଉଚିତ। କୌଣସି ଜମି ଜବରଦଖଲ କିମ୍ବା ଲିଜ ଦେବା ଉଚିତ ନୁହେଁ। ଏହା ଦୁଇଟି ରାଜ୍ୟ ତଥା ପ୍ରାଚୀନ ପାରମ୍ପାରିକ ଆସ୍ଥା ଉପରେ କୁଠାରଘାତ ବୋଲି ଅଭିଯୋଗ କରନ୍ତି ଉଭୟ ଆର୍ତ୍ତତ୍ରାଣ ଭୋଇ ଏବଂ ଥବିର ଚନ୍ଦ୍ର ବାଗ।
ଛତରଦାଣୀ ସହ ତତ୍ସଂଗ୍ଲନ ବାରଗୋଟି ପାହାଡ଼ ଗୋଟିଏ ଗୋଟିଏ ଦେବୀସତ୍ତାର ଆଧାର ହୋଇ ଆସିଛନ୍ତି। ଏହା ଦୁଇଟି ରାଜ୍ୟର ସର୍ବମାନ୍ୟ ଦୈବୀପର୍ବତସମୂହ। ଏହାର ସୁରକ୍ଷା ପ୍ରତି କୌଣସି ସାଲିସ କରିବା ଉଚିତ ନୁହେଁ।
ଅନ୍ୟତ୍ର ଜଙ୍ଗଲ ଅଧିକାର ଆଇନ ବଳରେ ଅନେକ ନୂଆ ନୂଆ ଜନବସତି ସ୍ଥାପନ କରାଯାଇଅଛି ଏନଜିଓମାନଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ତତ୍ତ୍ୱାବଧାନରେ। ଜଙ୍ଗଲ ଅଧିକାରର ଦ୍ୱାହି ଦେଇ ଅନେକ ଆନ୍ଦୋଳନ ଭିଆଣ କରାଯାଉଅଛି। ଜଙ୍ଗଲ ଭିତରେ ଜବରଦଖଲ ଗାଁ ମାନଙ୍କ ଦ୍ୱାରା ହଜାର ହଜାର ଏକର ଜଙ୍ଗଲ ନଷ୍ଟ କରାଯାଇ ଚାଷଜମି ପ୍ରସ୍ତୁତ କରାଯାଇ ଅଛି। ଭୋଟ ସମୟରେ ନେତାଙ୍କ ଦ୍ୱାରା ଏହି ଗାଁମାନଙ୍କୁ ବିଦ୍ୁ୍ୟତ ସଂଯୋଗର ପ୍ରତିଶୃତି ମଧ୍ୟ ଦିଆଯାଇ ଅଛି। କେତେକ ଗାଁକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇଅଛି ଏବଂ କେତେକ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଅଛି। ଅର୍ଥାତ୍ ଛତରଦାଣୀ ପର୍ବତ ସମୂହର ଗାରିମାକୁ ଅଣଦେଖା କରି ନିଜ ନିଜର ଦୁଷ୍ଟାମିକୁ ଉଭୟ ଏନଜିଓ ଓ ସରକାରୀ ବିଭାଗ ଦେଖାଉଛନ୍ତି।
ତୁରେକେଲା ବ୍ଲକ ଅଧିନସ୍ଥ ମହଖଣ୍ଡ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ମାଓବାଦୀଙ୍କ ଆସିବା ଫଳରେ ବଙ୍ଗୋମୁଣ୍ଡା ରେଞ୍ଜ ଅଫିସରୁ ଏହା ପରିଚାଳିତ ହେଉଅଛି। ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସ୍ଥାନାନ୍ତର ହେବା ଫଳରେ ଏନଜିଓଦ୍ୱାରା କରାଯାଇଥିବା ଜବରଦଖଲ ଗାଁମାନେ ଏକ ପ୍ରକାର ନିରବ ସ୍ୱୀକୃତି ପାଇଯାଇଛନ୍ତି। କ୍ରମାଗତ ଜଙ୍ଗଲ କାଟି ଚାଷଜମି ପ୍ରସ୍ତୁତ କରୁଅଛନ୍ତି। ମାଓବାଦୀଙ୍କ ଦ୍ୱାରା ଏକ ପ୍ରକାର ଅଘୋଷିତ ନିଷେଧାଦେଶ ଜଙ୍ଗଲବିଭାଗ ଓ ପୋଲିସ ର ପ୍ରବେଷ ଉପରେ ଲାଗୁ କରିଛନ୍ତି। ଫଳରେ ସମସ୍ତ ମାଫିଆ ଛତରଦାଣି ଅଞ୍ଚଲକୁ ନିଜ ନିଜର ଭୂସ୍ୱର୍ଗ କରି ନେଇଛନ୍ତି। ମାଫିଆମାନଙ୍କ ଉତ୍ପାତ ଏବଂ ସରକାରୀ ଉଦାସିନତା ଯୋଗୁଁ ସାଂସ୍କୃତିକ, ପ୍ରାକୃତିକ, ଜୈବିକ ଏବଂ ଆର୍ôଥକ କ୍ଷତି ହେଉଛି ଏହା ଉପରେ କାହାରି ଦୃଷ୍ଟି ନାହିଁ।
ସରକାରୀ ବିଭାଗ, ଏନଜିଓ, ଜଙ୍ଗଲ ତଷ୍କର, ଜମି ମାଫିଆ, ପଥର ମାଫିଆ ଆଦିଙ୍କ ସହିତ ଛତରଦାଣୀର ଯେଉଁମାନେ ବି କ୍ଷତି କରୁଅଛନ୍ତି ଅଥବା ଏହାର ଗାରିମାକୁ ନଷ୍ଟ କରୁଅଛନ୍ତି, ସେ ସମସ୍ତ ସମସ୍ୟାର ପ୍ରତିକାର କିପରି କରାଯିବ ଏ ନେଇ ଏକ ସଭା ଆର୍ତ୍ତତ୍ରାଣ ଭୋଇଙ୍କ ଅଧ୍ୟକ୍ଷତା ତଥା ଥବିର ଚନ୍ଦ୍ର ବାଗଙ୍କ ସହଯୋଗରେ ହୋଇଥିଲା। ଏଥିରେ ଛତରଦାଣି ପାହାଡ଼ସମୂହର ଧାର୍ମିକ ଗାରିମାକୁ ଆଖି ଆଗରେ ରଖି ପାହାଡ଼ ସମୂହ ଏବଂ ଏହାର ଗାରିମାର ସୁରକ୍ଷା ଏବଂ ଲୋକ ପରମ୍ପରାର ସୁଚାରୁ ନିର୍ବାହ କିପରି କରାଯାଇ ପାରିବ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା। ଏହା ବି ଆଲୋଚନା ହୋଇଥିଲା ଯେ ପ୍ରାଚୀନ ପରମ୍ପରାରେ ଚାଲି ଆସୁଥିବା ଦେବୀଙ୍କ ପୂଜାବିଧି ପାଇଁ ପୂର୍ବରୁ ଛତରଦାଣୀ ସହ ଯେଉଁ ପ୍ରତ୍ୟକ୍ଷ ସମ୍ପର୍କ ଉଭୟ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ରହି ଆସିଥିଲା ସେ ପରମ୍ପରାର ପୁନଃପାଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯିବ। ଏଥିପାଇଁ ସରକାରୀ ବିଭାଗମାନଙ୍କ ପ୍ରତ୍ୟକ୍ଷ ସହଯୋଗ ନିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ରାଜ୍ୟ ବ୍ୟବସ୍ଥା ଏବଂ ଶାସନ ବ୍ୟବସ୍ଥା ଲୋକଙ୍କ ଆସ୍ଥା ଓ ବିଶ୍ୱାସର ସୁରକ୍ଷା କରିବାରେ ଉଦାସିନ ହେବା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଉପେକ୍ଷା ଭାବକୁ ହିଁ ବୁଝାଇଥାଏ। ନ୍ୟସ୍ତସ୍ୱାର୍ଥ୍ୟ ବିଭାଗିୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଗୋଟିଏ ବିରାଟ ପ୍ରାକୃତିକ ସମ୍ପଦା ନଷ୍ଟ ହେବାକୁ ବସିଲାଣି ତା ସହିତ ଲୋକବିଶ୍ୱାସ ଏବଂ ଦୁଇଟି ରାଜ୍ୟର ଲୋକ ସଂସ୍କୃତିର ମୂଲଛେଦନ କରାଯାଉଥିବା ନେଇ ସଭାରେ ଚିନ୍ତା ପ୍ରକଟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ନିରନ୍ତର ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା।
ଆର୍ତ୍ତତ୍ରାଣ ଭୋଇ
ମୂଖ୍ୟ ପୂଝାରୀଙ୍କ ବଂଶଧର ତଥା ଛତରଦାଣୀ ବନ ସୁରକ୍ଷା ସମିତିର ସଭାପତି
ଜରିଆ- ଛତରଦାଣୀର ପ୍ରକୃତ ଅସୁବିଧା କଣ?
ଭୋଇ- ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତ ପରି ଛତରଦାଣୀ ଉପରେ ମଧ୍ୟ ଆମର ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ଲୋକଙ୍କ ବିଶ୍ୱାସ ରହିଅଛି। ଗନ୍ଧମାର୍ଦ୍ଦନ ତୀର୍ଥ ହୋଇଥିବା କାରଣରୁ ସେଠାରେ ହେଉଥିବା ସାମାନ୍ୟ କ୍ଷତି ବି ଲୋକ ଲୋଚନକୁ ଆସିଥାଏ। କିନ୍ତୁ ଛତରଦାଣୀର କଥା ଅଲଗା। ଦେବୀପିଠମାନଙ୍କରେ ହେଉଥିବା ଛତରପୂଜାର ମୂଖ୍ୟଦଣ୍ଡ ପ୍ରତିବର୍ଷ ଛତରଦାଣୀରୁ ହିଁ ବିଭିନ୍ନ ଦେବୀପିଠକୁ ବିଶିଷ୍ଟ ବିଧିବିଧାନ ସହ ନେବାକୁ ହୋଇଥାଏ। ଏହା ବର୍ଷକୁ ଥରେ ଏବଂ ଅନେକାଂଶରେ ଗୁପ୍ତ ରୀତିରେ ହେଉଥିବା ହେତୁ ଏହାର ପ୍ରଚାର ପ୍ରସାର ସେତେ ହୋଇନାହିଁ। ଲୋକମାନ୍ୟତାରେ ଛତରଦାଣୀ ବିକ୍ଷାତ। ବର୍ଷକ ଥରେ ଶହଶହ ଦେବୀପିଠରୁ ଆଜି ବି ଛତର ନେଇଥାନ୍ତି। ଏହି ଗୋଟିଏ ଦିନ କେବଳ ଛତର ସଂଗ୍ରହ କରି ଯାଇଥାନ୍ତି। ବାଉଁଶ ପାଇଲେ ସେମାନଙ୍କ କାମ ସରିଲା। ସେମାନେ କିପରି ସୁଚାରୁ ଭାବେ ଏବଂ ନିଜ ଦୈବୀରୀତି ଅନୁସାରେ ବାଉଁସ ପାଇବେ ତାର ବ୍ୟବସ୍ଥା ଆମର ଅଟେ।
ମୁଁ ମୂଖ୍ୟପୁଝାରୀଙ୍କ ଦାୟାଦ। ମୋର ପିତା ମେଘନାଦଙ୍କ ପରେ ମୁଁ ପୂଝାରୀ ହେବି। ଦୁଇଟି ରାଜ୍ୟର ଦେବୀପିଠମାନଙ୍କରେ ଲାଗି ହେଉଥିବା ମୂଖ୍ୟ ଛତ୍ରଦଣ୍ଡ ଆମ ଛତରଦାଣୀରୁ ହିଁ ଯାଇଥାଏ। ଏହାର ସୁଚାରୁ ବନ୍ଦୋବସ୍ତ ମୋର ଦାୟିତ୍ୱ ରହିବ। ଏବେ ବି ଆମର ଦାୟିତ୍ୱ। କିନ୍ତୁ ଅନେକ କାରଣରୁ ଆମେ ଏହା କରିବାରେ ଅସମର୍ଥ ହେଉଛୁ।
ଜରିଆ- ହଁ ! ସେ କାରଣମାନ କଣ?
ଭୋଇ- ଦେଖନ୍ତୁ ଆମର ବାପଦାଦି ଅମଳରେ ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି ଆଦି ଅଞ୍ଚଳକୁ ଛତରଦଣ୍ଡ ଯାଉଥିଲା। ଏପରିକି ଛତିଶଗଡ଼ ଅଞ୍ଚଳକୁ ମଧ୍ୟ। ଦୂରତା କାରଣରୁ ପରମ୍ପରାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜିବି ଉଭୟ ରାଜ୍ୟର ଅନେକ ଦେବୀପିଠ ଏହି ଛତରଦାଣୀ ପାହାଡ଼ରୁ ହିଁ ଛତର ସଂଗ୍ରହ କରିଥାନ୍ତି। ଏହି ପରମ୍ପରାକୁ ବ୍ୟବସ୍ଥିତ କରାଯାଇ ନାହିଁ। ଏହାର ସୁବ୍ୟବସ୍ଥା ଏବଂ ଲେଖାଯୋଖା ଆବଶ୍ୟକ। ପ୍ରଥମରେ ଏହି କାମ କରାଯିବାର ନିଷ୍ପତ୍ତି ନିଆ ଯାଇଅଛି।
ଦ୍ୱିତୀୟରେ ଜଙ୍ଗଲ ନଷ୍ଟ ହେବା, ପଥରଖାଦାନ ପାଇଁ ବେଆଇନ ଅନୁମତି ଦେବା ଏପରିକି ଆମର ଅଧିକାରରେ ଥିବା ଦୈବୀସେବା ଜମିକୁ ଜବରଦଖଲ କରିନେବା ମୋ ନାମରେ ମିଥ୍ୟା ମକଦମା କରି ଜମି ହାତେଇବା ପରି କାମ କରା ହୋଇଛି। ଦେଖନ୍ତୁ ଆମେ ମୂଖ୍ୟ ପୂଜକ ଆମର ସମସ୍ତ ଜମି ଅନ୍ୟର ଦଖଲରେ ରହିଅଛି। ଏହାର ଅଧିକାର ପାଇବା ପାଇଁ ମୁଁ ଅଦାଲତର ଆଶ୍ରୟ ନେଇଅଛି। ଆମେଯଦି ଖାଇବା ପାଇଁ ବିଦେଶ ଯିବୁ କି ଦାଦନ ଯିବୁ ତା ହେଲେ ଏତେବଡ଼ ପରମ୍ପରାକୁ ନିର୍ବାହ କରିବା ପାଇଁ କେହି ରହିବେ ନାହିଁ।
ବାହାରୁ ଛତର ନେବାକୁ ଆସୁଥିବା ଦେବୀ ସେବକଙ୍କ ସୁବିଧାପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ସେମାନେ ବର୍ଷକ ଥରଟିଏ ଆସିଲେ ମଧ୍ୟ ନିଜ ନିଜ କ୍ଷେତ୍ରର ତମାମ ବର୍ଷପାଇଁ ଦାୟିତ୍ୱ ନିର୍ବାହ କରିଥାନ୍ତି। ସେମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ନାହିଁ।
ଏପରି ଅନେକ ସମସ୍ୟାରେ ଛତରଦାଣି କବଳିତ।
ଜରିଆ- ଏ ସମସ୍ୟାମାନଙ୍କ ନିରାକରଣ ପାଇଁ ଆପଣ କଣ ଚିନ୍ତା କରିଛନ୍ତି?
ଭୋଇ- ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ହିଁ ଏହାର ନିରାଜରଣ କରି ପାରିବ। ବେଆଇନ ସମସ୍ତ ଦଖଲକୁ ଉଚ୍ଛେଦ କରାଗଲେ ପ୍ରାଥମିକ ସମସ୍ୟାର ସମାଧାନ ହେବ। ଏହାପରେ ପାହାଡ଼ ଏବଂ ଜଙ୍ଗଲ ସହ ଏହାର ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଅନେକ ଯୋଜନା ଅଛି। ଯାହା ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁରା କରାଯାଇ ପାରିବ।
ଜରିଆ- ଏ ଉପରେ ପଦକ୍ଷେପ କଣ ନେଇଛନ୍ତି?
ଭୋଇ- ହଁ ବ୍ୟକ୍ତିଗତ ସ୍ତରରେ ମୁଁ ଲଢୁଛି। ପ୍ରଥମତଃ ମୋର ପରିବାର ତଥା ସେବକ ଚାରିଘରିଆ ପରିବାରର ଜମି ଅନ୍ୟର ଦଖଲରୁ ମୁକ୍ତ କରିବା ପାଇଁ ଅଦାଲତର ଆଶ୍ରୟ ନେଇଛି। ଯାହା ନିକଟ ଭବିଷ୍ୟତରେ ପୁରା ହେବାର ସମ୍ଭାବନା ଦେଖାଯାଉଛି। ଏହାପରେ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏବଂ ସେ ଉପରେ କାମ କରାଯିବ ଛତରଦାଣୀର ପୂର୍ବ ପରମ୍ପରାକୁ ପୁନଃଜାଗରଣ କରାଯିବ ସେ ଉପରେ ବିଚାର ଆଲୋଚନା କରି କାମ କରିବା ନିଷ୍ପତ୍ତି ନେଇଛୁ।
ଜରିଆ- ଆପଣଙ୍କ ବିଶ୍ୱାସ ଅଛି କି ଯେ ଆପଣ ଏତେବଡ଼ ମାଫିଆ ଶକ୍ତି ସଙ୍ଗେ ଲଢ଼ି ପାରିବେ?
ଭୋଇ- ଆମେ ନିମିତ୍ତମାତ୍ର ସାର! ଯାହା କରିବ ଦେବୀ ହିଁ କରିବ। ତାକୁ ଯଦି ନଷ୍ଟ ହେବାର ଅଛି ରୋକିବ କିଏ? ଯଦି ଉଜାଗର ହେବା ଅଛି ତ ରୋକିବ କିଏ? କିନ୍ତୁ ଦେବୀ ଆଜିବି ନିଜର ଅନୁଚର ଅନୁଚରୀଙ୍କ ସହ ବାରଟି ପାହାଡ଼ରେ ପ୍ରତ୍ୟକ୍ଷ ଅଛନ୍ତି। ତାଙ୍କର କରୁଣା ହିଁ ଆମର କାମକୁ ସଫଳ କରିବ।
ଥବିର ଚନ୍ଦ୍ର ବାଗ
ସାମାଜିକ/ସୂଚନା ଅଧିକାର କର୍ମୀ

ଜରିଆ- ଛତରଦାଣୀ ଏକ ପ୍ରସଙ୍ଗ କି?
ଥବିର- ନିଶ୍ଚିତ ପ୍ରସଙ୍ଗ ଅଟେ! ଏହାର ସାଂସ୍କୃତିକ ପରମ୍ପରା ବିଷୟରେ ଉଭୟ ଛତିଶଗଡ଼ ରାଜ୍ୟ ଏବଂ ପଶ୍ଚିମ ଓଡ଼ିଶାର ଲୋକେ ଅବଗତ। କିନ୍ତୁ ଏକ ଧର୍ମ ଏକ ପରମ୍ପରାକୁ ଉଭୟ ସରକାରୀ ବେସରକାରୀ କଳ ଏବଂ ଏହାଙ୍କ ସହଯୋଗରେ ମାଫିଆଙ୍କ କବଳରେ ସମଗ୍ର ଛତରଦାଣୀ ବାରଟି ପାହାଡ଼ ସମୂହ ରହିଅଛି। ଏମାନଙ୍କ ନିକଟରୁ ଏହି କ୍ଷେତ୍ରର ମୁକ୍ତି ହିଁ ଏହାର ସୁରକ୍ଷା ହେବ। ତେଣୁ ଏହା କେବଳ ପ୍ରସଙ୍ଗ ନୁହେଁ ଏକ ସ୍ପର୍ଶକାତର ପ୍ରସଙ୍ଗ ଅଟେ।
ଜରିଆ- ଆପଣ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି?
ଥବିର-ଗୋଟିଏ ପରମ୍ପରାର ସୁରକ୍ଷା, ଗୋଟିଏ ଧର୍ମବିଶ୍ୱାସର ସୁରକ୍ଷା ପାଇଁ କାମ କରିବା ଯଦି ଆନ୍ଦୋଳନ ତା’ହେଲେ ଆମେ ଆନ୍ଦୋଳନ ପାଇଁ ହିଁ ପ୍ରସ୍ତୁତ ହେଉଅଛୁ। ମୋର ପରିବାର ମଧ୍ୟ ବଙ୍ଗୋମୁଣ୍ଡା ଦ୍ୱାରସେନୀ ଦେବୀଙ୍କ ଗଣାସେବାକାରୀ ପରିବାର। ଆମେ ମହୂରୀ ସେବା କରିଥାଉ। ଏଥିପାଇଁ ଆମେ ସେବକ ଜମି ଭୋଗ କରୁଅଛୁ। ମୋ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ। କିନ୍ତୁ ଆମ ଦେବୀପାଇଁ ଯେଉଁ ଛତର ଆସେ ତାହା ଛତରଦାଣୀରୁ ହିଁ ଆସିଥାଏ। ପ୍ରଥମତଃ ସେବକ ପରିବାରର ଦାୟାଦ ହିସାବରେ ମୋର ନୈତିକ ଦାୟିତ୍ୱ ଅଛି ଯେ ଛତରଦାଣ୍ଡିର ସୁରକ୍ଷା କଥା ଚିନ୍ତା କରିବା। ଆର୍ତ୍ତତ୍ରାଣ ଭୋଇ ଯେଉଁ ପ୍ରୟାସ କରୁଛନ୍ତି ତାକୁ ପୂର୍ଣ୍ଣ ସହଯୋଗ କରିବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବେ। ଏହାକୁ ଆନ୍ଦୋଳନ କୁହନ୍ତୁ ଆମେ କରିବାକୁ ପ୍ରସ୍ତୁତ।
ଜରିଆ- ଛତରଦାଣୀ ଅସୁରକ୍ଷିତ କିପରି?
ଥବିର-ହଁ ଏହାର ପରମ୍ପରା କେତେକାଂଶରେ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଗାରିମା ଅକ୍ଷୁର୍ଣ୍ଣ ରହିଅଛି। କିନ୍ତୁ ଜବରଦଖଲକାରୀଙ୍କ କବଳରେ ସମସ୍ତ ଛତରଦାଣୀ ଅଞ୍ଚଳ ରହିଅଛି। ଜଙ୍ଗଲ, ପାହାଡ଼, ଜମି ଆଦିକୁ ମାଫିଆମାନେ ନିଜ କବଳକୁ ନେଇ ସାରିଲେଣି। ସବୁଠାରୁ ଆଶ୍ଚର୍ଯ୍ୟକଥା ଯେ ଏହା ସରକାରୀ ଅନୁମତି ନେଇ ଦଖଲରେ ଅଛନ୍ତି।
ଜରିଆ- ଅନୁମତି ନେବା ସତ୍ତ୍ୱେ ମାଫିଆ ହେଲେ କିପରି?
ଥବିର-ହଁ ନିଶ୍ଚିତ ସେମାନେ ମାଫିଆ ଏବଂ ସରକାରୀ ଅଧିକାରୀଙ୍କଦ୍ୱାରା ପ୍ରତିପାଳିତ ମାଫିଆ ହିଁ ଅଟନ୍ତି। ବେନିୟମ ପଥରଖାଦାନ ଲିଜ, ଦେବୋତ୍ତର ଜମିକୁ ଦଖଲକୁ ନେଇଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନରେ ଅବହେଳା, ଜଙ୍ଗଲ କଟା ପ୍ରତି ଅଣଦେଖା ଆଦି ମାଫିଆ ପାଳନ ନୁହେଁ ତ କଣ?
ଜରିଆ- ସମାଧାନ?
ଥବିର-ରାଜସ୍ୱ, ଉନ୍ନୟନ, ପୋଲିସ, ଜଙ୍ଗଲ ବିଭାଗର ଅଧିକାରୀଙ୍କ ନୈଷ୍ଟିକତା ନିଜର ଦୟିତ୍ୱପ୍ରତି ସଚେତନତା ହିଁ ସମସ୍ୟାର ସମାଧାନ କରି ପାରିବ। ଜଙ୍ଗଲବିଭାଗ ଅଧିନରେ ଥିବା ପାହାଡ଼କୁ ତହସିଲଦାର ଲିଜ ଦେଉଛନ୍ତି; ଏ ନେଇ ଜଙ୍ଗଲ ବିଭାଗ କୌଣସି ଆପତ୍ତି କି ଅଭିଯୋଗ କରି ନାହାନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ ବାରୁଦ ବିସ୍ଫୋରଣ ହେଉଛି ଏହି ଶବ୍ଦ କଣ ପୋଲିସ ବିଭାଗରୁ କେହି ଶୁଣୁ ନାହାନ୍ତି? ନିକଟ ଅତୀତରେ ବଲାଙ୍ଗିର ପୋଲିସ ପଥର ଫଟାଇବା ପାଇଁ ବ୍ୟବହୃତ ବାରୁଦ କାରବାରରେ ଏକ ବଡ଼ ଧରଣର ଧରପଗଡ଼ କରିଥିଲା। ଏହା ସତକଥା ଯେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ସହ ବ୍ୟକ୍ତିଗତ ଭାବେ ଅନେକ ନିର୍ମାଣ ହେଉଛି। ଏହି ନିର୍ମାଣମାନଙ୍କ ପାଇଁ କେତେ ପରିମାଣର ପଥର ଦରକାର ତାହା କେଉଁ ପରି ଆପୂର୍ତ୍ତି କରାଯିବ ସେ ଯୋଜନା ନାହିଁ। ଯିଏ ଯେଉଁଠୁ ପଥର ଯୋଗାଡ଼ କଲା ଏହା ହିଁ ଚାଲିଛି। ତୃଣମୂଳ ସ୍ତରରେ ଏହି ହିସାବ ଯଦି ରଖାଯାନ୍ତା ତାହେଲେ ହୁଏତ ପଥର ତଷ୍କରୀକୁ ରୋକାଯାଇ ପାରନ୍ତା।
ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଘର ଯୋଜନା ନିର୍ମାଣ ଯଦି ଚାରିମାସରେ କରାଯାଏ ତାକୁ କୋଡ଼ିଏ ହଜାର ଏବଂ ଛଅମାସରେ କଲେ ଦଶହଜାର ଟଙ୍କା ପୁରସ୍କାର ଘୋଷଣା ସରକାର କରିଛନ୍ତି। କୋଡ଼ିଏ ହଜାର ଟଙ୍କା ପାଇଁ ଅନ୍ୟରାଜ୍ୟକୁ ଦାଦନ ଯାଉଥିବା ବ୍ୟକ୍ତି ପଥରର ଜାତି କିପରି ଜାଣିବ ସରକାରୀ ମାନ୍ୟତା ପ୍ରାପ୍ତ କି ତଷ୍କରୀ ପଥର? ଏଥିଯୋଗୁଁ ପଥର ତଷ୍କରୀ ନିରଙ୍କୁଶ ହୋଇ ବଢ଼ିଛି। ବାରୁଦ କାରବାର ଏଥିଯୋଗୁଁ ବଢ଼ିଛି। ଏହି ବିପଦ ଛତରଦାଣି ଉପରେ ମଧ୍ୟ ପଡ଼ିଛି।
ତେଣୁ ଛତରଦାଣୀର ମୁକ୍ତି ପାଇଁ ସ୍ଥାନୀୟ ବିଭାଗ ଓ ଅଧିକାରୀଙ୍କ ପ୍ରତ୍ୟକ୍ଷ ସହଯୋଗ ଚାହିଁବୁ। ଏହା ହିଁ ସମାଧାନ ବୋଲି ମୋର ବିଚାର।

Leave a Reply