ନୂଆଁଖାଇ ସିଧା ସିଧା ଅନ୍ନ ସହ ଜଡିତ ତେଣୁ ଏହି ତିହାରରେ ଆତ୍ମିୟତା ଥାଏ ଭାବାବେଗ ଥାଏ। ବର୍ତ୍ତମାନ ନୂଆଁଖାଇ ସମୟରେ ପ୍ରାଚୀନ ପରମ୍ପରା ହିସାବରେ ପିଦର ପୂଜା କରାଯାଏ। ନୂଆଖାଇ ଭେଟ ଆଦି ସମାରୋହ ମନୋରଞ୍ଜନ ଧର୍ମୀ, ବିଚାରଧର୍ମୀ ଓ ସତୀର୍ଥମାନଙ୍କ ସହ ଭେଟ ଆଲୋଚନା ଆଦି ମାଧ୍ୟମରେ ବିସ୍ତାରିତ ହୋଇଛି। ନୂଆଁଖାଇ ଭେଟ ପୂର୍ବରୁ ଗାଁ ମଧ୍ୟରେ ସୀମିତ ଥିଲା ଏହା ବର୍ତ୍ତମାନ ଗାଁ ଏବଂ ବନ୍ଧୁବାନ୍ଧବ ଭେଟ ସହ ବିଭିନ୍ନ ସ୍ତରରେ ପାଳିତ ହେଉଛି। ପୂର୍ବରୁ ନିଜର ବନ୍ଧୁକୁଟୁମ୍ବ ସାମିଲ ହେଉଥିଲା ବେଳେ ବର୍ତ୍ତମାନ ନିଜ ପରିଧି ଓ ନିଜର ବିଚାରଧାରାର ବନ୍ଧୁସ୍ୱଜନ ସହ ମିଶିବାର ଗୋଟିଏ ବଡ ଭୂମୀ ପ୍ରସ୍ତୁତ ହୋଇଛି। ନୂଆଁଖାଇ ଅବଧାରଣାର ଏହି ପ୍ରସାରଣଶୀଳତାକୁ କୌଣସି ଧର୍ମ ଅବା ଗୋଷ୍ଠୀ ମଧ୍ୟରେ ସୀମିତ ରଖାଯାଇ ପାରେ ନାହିଁ। ସମାଜ ଯେତେ ବସ୍ତୁନିଷ୍ଟ ହେଲେ ମଧ୍ୟ ଭାବଆତୁର ମଣିଷର ମନ ଗୋଟିଏ ଆଧାର ଖୋଜେ ନିଜକୁ ଗୋଷ୍ଠୀ ଭିତରେ ପାଇବାକୁ। ଏହା ହିଁ ନୂଆଁଖାଇ ଭେଟର ଭାବଗତ ଆଧାର।
ନୂଆଁଖାଇ ଅନ୍ନର ପର୍ବ ତେଣୁ ଏଥିରେ ମଣିଷର ବଞ୍ଚିବାର ଆଧାର ଅନ୍ନ ସିଧା ସିଧା ମଣିଷର କର୍ମ ସହ ଯୋଡି ହୋଇଯାଏ ତେଣୁ ଏହାର ଗୁରୁତ୍ୱ ମଣିଷ ନିକଟରେ ବହୁତ ବଢିଯାଏ। ବହୁ ପୂର୍ବରୁ କର୍ମର ପ୍ରକାର ସୀମିତ ଥିଲା। ବର୍ତ୍ତମାନ କର୍ମର ପ୍ରକାର ବହୁ ଜଟିଳ ହୋଇ ସାରିଛି। ନୂଆଁଖାଇ ଗୋଟିଏ ମାତ୍ର ତିହାର ଯିଏ ମଣିଷକୁ ନିଜର ମୂଳ ସହ ଯୋଡି ରଖି ପାରିଛି। ଏହି ମୂଳ ସହ ଯୋଡି ହୋଇ ରହିବା ସଂସ୍କୃତି ହିଁ ଉଡ୍ଡୀୟାନ ସଂସ୍କୃତି ବା ଆଦିବାସୀ ସଂସ୍କୃତି। ଆଦିବାସୀ ଯେଉଁମାନେ ଏହି ମାଟି ସହ ଯୋଡି ହୋଇ ନିଜର ଜୀବିକା ନିର୍ବାହ ସହ ବଂଶବିସ୍ତାର କରିଥାନ୍ତି।
ଯିଏ ପିଦର ପୂଜା କରେ ସେ ଆଦିବାସୀ। ପିଦର ଅର୍ଥାତ ନିଜର ପୂର୍ବଜ ବ୍ୟତୀତ ଅନ୍ୟକେହି ସେଠାରେ ପୂଜା ପାଆନ୍ତି ନାହିଁ। ଏହି ଦର୍ଶନ ବହୁ ପୁରୁଣା। ମଣିଷ ଯେତେବେଳେ ନିଜର ପ୍ରଥମ ପ୍ରବାସ ଆରମ୍ଭ କଲା ନିଜ ସହ ବଂଶ ଗାରିମା ତା’ସଙ୍ଗରେ ଥିଲା। ଜରିଆ ଏହି କୌଳ ଭାବନା ଉପରେ ଆମେ ପୂର୍ବରୁ ଆଲୋଚନା କରି ସାରିଛି। ବର୍ତ୍ତମାନ ଆଲୋଚନାର ବିଷୟ ହେଲା କୌଳଦେବତା ଓ ପିତୃପୁରୁଷ। ପିତୃପୁରୁଷକୁ ମିରଚୁକ ଦେବୀ/ଦେବତାଙ୍କ ନାମରେ ପୂଜା କରାଯାଏ। ଅନେକ ବଂଶରେ ମଶାନ, ପୂର୍ବାପୁରୁଷ ଆଦି ଅନେକ ନାମରେ ପୂଜା କରିଥାନ୍ତି। ଏହା ସହିତ କେତେକ ଦେବତା ଯେଉଁମାନେ ନିଜ ବଂଶ ପାଇଁ ଗୋଟିଏ ନୂତନ ମାର୍ଗ ଦେଖାଇଥାନ୍ତି ସେମାନଙ୍କ ମଧ୍ୟ ସ୍ୱତନ୍ତ୍ର ପୂଜା ହୋଇଥାଏ। ପିତୃପୁରୁଷ ପରେ ଦେବତା ଏବଂ କୌଳ ଦେବତାଙ୍କ ସ୍ଥାପନା କରାଯାଏ। ଏମାନେ ହେଉଛନ୍ତି ବଂଶ ବା କୂଳର ମାର୍ଗଦର୍ଶକ। କୂଳଦେବତା ଜୀବଜଗତରୁ ଗୋଟିଏ ହୋଇଥାନ୍ତି। ଏହି ସମସ୍ତଙ୍କ ବ୍ୟତୀତ ପିଦରରେ ଅନ୍ୟ କେହି ସ୍ଥାନ ପାଆନ୍ତି ନାହିଁ। ଜାତି ନିର୍ବିଶେଷରେ ସମସ୍ତ ଆଦିବାସୀ, ଦଳିତ ଏବଂ ପଛୁଆବର୍ଗଙ୍କ ନିକଟରେ ପିଦର ବିଧାନ ଦେଖାଯାଏ।

ଧାନ
ଓଡ଼ିଶାର ସାମାଜିକ ଇତିହାସ ଆଲୋଚନା ବେଳେ ଜୋଙ୍କ ନଦୀ ଅବବାହିକାର ସୁନାବେଡା ଉପତ୍ୟକା ବିଷୟରେ ବାରମ୍ବାର ଆଲୋଚନା କରି ଆସୁଅଛୁ। ଏହି ଉପତ୍ୟକାରେ ଗୋଟିଏ ମିଥ ପ୍ରଚଳିତ ରହିଅଛି। ସୁନାବେଡା ସମେତ ମାନବ ସମାଜର ପରିଚାଳକ ବୁଢାରଜା ନିଜର ଭଣଞ୍ଜା ଭୀମାଦେଓଙ୍କୁ କୃଷି ଅଧିକାରୀ ଦାୟୀତ୍ୱ ଦେଲେ। ଏହି ମିଥରେ ଭୀମାଦେଓ ପ୍ରଥମେ ଧାନ ଅମଳ କରିଛନ୍ତି ଏବଂ ମାମୁଁଙ୍କ ଆଦେଶରେ ସମସ୍ତ ଫସଲ ଉପରେ ନିଆଁ ଲଗେଇ ଦେଇଛନ୍ତି। ଅନେକ ଦିନ ଧୂଆଁ ଉଠିବା ଦେଖି ନିଆଁ ଲିଭେଇ ଧାନକୁ ଉଦ୍ଧାର କରିଛନ୍ତି। ପୋଡାଧାନ, ଦରପୋଡାଧାନ, ନିଆଁ ଲାଗି ନଥିବାଧାନ ଅନେକ ପ୍ରକାର ରୁପର ଧାନ ଉଦ୍ଧାର ହୋଇଛି। ସମସ୍ତ ଧାନକୁ ବିହନ କରିଛନ୍ତି ଏବଂ ସେହି ପ୍ରକାରର ଧାନ ଅମଳ ହୋଇଛି। ଏ ସମସ୍ତ ଧାନର ନାମ ମଧ୍ୟ ରହିଛି। ମିଥ ଅନୁସାରେ ଗୋଟିଏ ବିସ୍ତିର୍ଣ୍ଣ କ୍ଷେତ୍ର ଉପତ୍ୟକାରେ ରହିଛି। ଯେଉଁଠାରେ ଭୀମାଦେଓ ଧାନଚାଷ କରିଥିବା କୁହାଯାଏ। ଏହାସହ ସୁନାବେଡା ଉପତ୍ୟକାର ଦକ୍ଷିଣକୁ ଲଙ୍ଗଲବୋଡ ଅଞ୍ଚଳର ନଙ୍ଗଲଘାଟ ଅରଣ୍ୟ ମଧ୍ୟରେ ଗୋଟିଏ ପଥରର ନଙ୍ଗଲ ରହିଅଛି। ଏହି ନଙ୍ଗଲ ଯୋଗୁଁ ଗାଁଟିର ନାମ ନଙ୍ଗଲବୋଡ ଏବଂ ହେମଲେଟର ନାମ ନଙ୍ଗଲଘାଟ ଅଟେ।
ନୂଆପଡ଼ା ଜିଲ୍ଲାର ସୁନାବେଡା ଓ କୋରାପୁଟ ସୁନାବେଡ଼ା ଅଞ୍ଚଳରେ ସମ୍ପର୍କ ପ୍ରସ୍ତରଯୁଗରୁ ରହି ଆସିଅଛି। ସୁନାବେଡା ଉପତ୍ୟକାର ଦକ୍ଷିଣ ଦିଗ ତଳକୁ ନଙ୍ଗଲବୋଡ ଏବଂ ଏହି ସ୍ଥାନରୁ କୋରାପୁଟ ସହଜଗମ୍ୟ। ବୈଜ୍ଞାନିକ ନିଷ୍କର୍ଷ ମଧ୍ୟ କୋରାପୁଟକୁ ଧାନର ଆଦିଭୂମୀ ବୋଲି କହିଥାଏ।

ସାମାଜିକ ଜୀବନ
ଡ ତୋଷବନ୍ତ ପ୍ରଧାନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ଜୋଙ୍କ ନଦୀ ଯାହା କିଛି ଅଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇ ରାଜ୍ୟର ସୀମାରେଖା ହୋଇଛି, ଏହି ନଦୀ ଉପତ୍ୟକାରେ ୪୩ ଗୋଟି ପ୍ରସ୍ତରଯୁଗୀୟ ସ୍ଥାନ ଆବିଷ୍କାର କରିଛନ୍ତି। ଏହି ସମସ୍ତ ସ୍ଥାନ ୧.୭୬ ମିଲିୟନ ବର୍ଷରୁ ଖ୍ରୀ.ପୂ ୪୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ନିର୍ଣ୍ଣୟ କରିଛନ୍ତି। ସମସ୍ତ ତିନି ପ୍ରସ୍ତରଯୁଗକୁ ବ୍ୟାପିଥିବା ଏହି ସଂସ୍କୃତିର ସାମାଜିକ ଜୀବନ ବହୁ ପ୍ରସାରିତ। ପ୍ରତ୍ନତାତ୍ତ୍ୱିକ ଆଧାରରେ ଏହାର ଗୋଟିଏ ଅଂଶ ଉପରେ ବିଚାର କଲେ ଗୋଟିଏ ନିରନ୍ତର ଧାରାକୁ ଦେଖିହୁଏ।
ମଣିଷ ପ୍ରଥମେ ଗୋଷ୍ଠୀଗତ ଜୀବନ ବଞ୍ଚୁଥିଲା। ଶିକାର ଥିଲା ବଞ୍ôଚବାର ମୁଖ୍ୟ ଆଧାର। ପ୍ରାଚୀନ ଅଧ୍ୟୟନ ଶିକାରୀ ଦେବୀଙ୍କ ବିଷୟରେ କହିଥାଏ। ଯାହା ଦିଲ୍ଲୀ ରାଷ୍ଟ୍ରୀୟ ସଂଗ୍ରହାଳୟରେ ରହିଅଛି। ଓଡ଼ିଶାରେ ଶିକେରପାଟ ଦେବୀଙ୍କ ପୂଜା ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକରେ ହୋଇଥାଏ। ଶିକେରପାଟ ଭୀମଡୁଙ୍ଗରୀ ଶୃଙ୍ଖଳାରେ ଆସିଥାଏ। ଯାହା ବଲାଙ୍ଗୀର ଓ ସୋନପୁର ଉଭୟ ଜିଲ୍ଲାର ସୀମାନ୍ତ ଏକ ଉପତ୍ୟକା। ଶିକେରପାଟ, ଭୀମଡୁଙ୍ଗରୀ, ସୁଲିଆବୁଢା ଆଦି ପ୍ରାଚୀନ ଆରାଧନା ପିଠ ଏହି ଅଞ୍ଚଳରେ ରହିଅଛି। ଉପତ୍ୟକା ପାଖରେ ତେଲନଦୀ ବହି ଯାଉଛି। ଏଭଳି ଅନେ ଶିକାରୀ ଦେବୀଙ୍କ ଅବସ୍ଥିତି ପଶ୍ଚିମ ଓଡ଼ିଶାରେ ଦେଖିଥାଉ।
ଦ୍ୱିତୀୟତଃ ଚନ୍ଦଲୀ ନାମରେ ଅନେକ ପାହାଡ, ଡୁଙ୍ଗରୀ ଆଦି ରହିଅଛି। ଚନ୍ଦଲୀ, ଚନ୍ଦେଲ ଆଦି ନାମରେ ପରିଚିତ ଏହି ସ୍ଥାନମାନଙ୍କରେ ପ୍ରସ୍ତରଯୁଗୀୟ ଚିହ୍ନସବୁ ଦେଖାଯାଏ। ଜୋଙ୍କ ଉପତ୍ୟକା ଭଳି ବଲାଙ୍ଗୀର ନୁଆପଡ଼ାର ରିସିପିଟି ଉପତ୍ୟକା, କଳାହାଣ୍ଡିର ଡୋକରୀ ଚଁଚରା, କୋରାପୁଟ ସମେତ ଝାରସୁଗୁଡା ରୁ ଢେଙ୍କାନାଳ ପର୍ଯ୍ୟନ୍ତ ପ୍ରାଚୀନ ମାନବର ସ୍ମୃତି ପାଇଥାଉ। ଏହି ଚିହ୍ନ ସବୁକୁ ଅନୁଧ୍ୟାନ କଲେ ପଶୁପକ୍ଷୀଙ୍କ ପାଦଚିହ୍ନ ପଥର ଉପରେ ଅଙ୍କିତ ହୋଇଛି, ଗୁମ୍ଫାଚିତ୍ରମାନଙ୍କରେ ମଧ୍ୟ ତଦୃପ ଅନେକ ଚିହ୍ନ ଦେଖାଯାଏ। ଏହି ଚିହ୍ନସବୁ ନିଜର କୌଳଦେବୀଙ୍କ ପ୍ରତିକ ଭାବରେ ସ୍ଥାପିତ କରା ହୋଇଛି। ମୃତକଙ୍କ ଡୁମାକୁ ଆଣି ସେହି ଦେବୀଙ୍କ ନିକଟରେ ସ୍ଥାପନ କରା ଯିବାର ପ୍ରାଚୀନ ବିଶ୍ୱାସ ଆଜି ମଧ୍ୟ ପ୍ରଚଳିତ ଅଛି।
ଏହି ଚିତ୍ର ଓ ପ୍ରତିକମାନଙ୍କ ଅଧ୍ୟୟନ ସେ ସମୟର ମଣିଷଙ୍କ ସାମାଜିକ ଜୀବନ ଉପରେ ବେଶ ସୂଚନା ଦେଇଥାଏ। କ୍ରମେ ଶିକାରୀ ମଣିଷ ବନସ୍ପତିକୁ ମଧ୍ୟ ବଞ୍ଚିବାର ଆଧାର କରିଛି। ଏହାପରେ କୃଷିକୁ ଆପଣେଇଛି। କୃଷି ଆଧାରିତ ସମାଜ ମଧ୍ୟ ନିଜର ମଶାନକୁନାରେ ହିଁ ନିଜର ଜବାବଦାରୀ ରଖିଛି। ମଣିଷ କୃଷି ଆରମ୍ଭ ପୂର୍ବରୁ ମଧ୍ୟ ନିଜର ବିସ୍ତାର ରଖିଛି। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଛି। କୃଷି ପାଇଁ ଅନ୍ତତଃ ଜଳ ଓ ସମତଳ ଭୂମୀ ଆବଶ୍ୟକ। ଉଭୟ ତା ପାଇଁ ସହଜ ହୋଇଛି। ନିଜର ବିସ୍ତାର କରିଛି। ମଶାନକୁନା ବା ପର୍ବତ ଛାଡି ମଣିଷ ଗାଁ ବସେଇଛି। ମଶାନକୁନାର ପ୍ରତିକ କରି ଗାଁରେ ଦେବୀପିଠ ସ୍ଥାପନ କରିଛି। ପରବର୍ତ୍ତି ସମୟରେ କୃଷି ଅନେକ କର୍ମସୁଯୋଗ ଦେଇଛି। ମଣିଷ ବିଭିନ୍ନ କର୍ମରେ ନିଜକୁ ନିୟୋଜିତ କରିଛି। ମଶାନକୁନା ଉପଗୋଷ୍ଠୀକୁ ଯାଇଛି। ପରେ ପରିବାରର ଘର ଭିତରକୁ। ପ୍ରତି ପରିବାରରେ ମଶାନକୁନା ରହିଥାଏ ଯେଉଁମାନେ ପିଦର ପୂଜା କରନ୍ତି। ନୂଆଁଖାଇ ଏହି ଲୋକଙ୍କ ତିହାର।

ନୂଆଁଖାଇ
ପିଦର କୈନ୍ଦ୍ରିକ ସମାଜ ଗୋଟିଏ ବିଧି ନିୟମିତ ପାଳନ କରିଥାଏ। ସେ ଯାହା ବି ଗ୍ରହଣ କରେ ପ୍ରଥମେ ତାର ପିତୃପୁରୁଷ ଓ ଦେବାଦେବୀଙ୍କୁ ଅର୍ପଣ କରିଥାଏ। ଏପରିକି ଖାଇବା ବେଳେ କିଛି ଅନ୍ନ ମାଟିରେ ପକାଇଥାଏ। ଏହି ସଂସ୍କୃତିରେ କୌଣସି ନୂଆ ଫଳ ଅବା ଫସଲକୁ ନିଜର ପିଦରରେ ଚଢେଇବ ନିଶ୍ଚୟ। ବହୁ ପ୍ରକାର ଫଳ, ଫୁଲ, ପରିବା ଆଦିକୁ ପ୍ରଥମେ ଗ୍ରହଣ କଲେ ତାହାକୁ ନୂଆଖାଇ କୁହାଯାଏ। ଯେପରି ଆମ ନୂଆଁଖାଇ, ଶେମି ନୂଆଁଖାଇ, ମହୁଲ ପୁଡା ଆଦି ନୂଆଁଖାଇ ସହ ଜଡିତ। କିନ୍ତୁ ଧାନ ଅମଲ ହେଲାପରେ ପିତୃପୁରୁଷକୁ ଅର୍ପଣ କରିବା ସମୟ ହେଉଛି ନୂଆଁଖାଇ। ନୂଆଁଖାଇ ଆଦିବାସୀ ସମାଜରୁ ପଶ୍ଚିମ ଓଡ଼ିଶାର ସମସ୍ତ ବର୍ଗ ଓ ଜାତିଙ୍କୁ ବ୍ୟାପି ପାରିଛି। ତେଣୁ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ। କାରଣ ଯେଉଁ ଚାଷ ମଣିଷ ପ୍ରଥମେ ଆରମ୍ଭ କରିଛି ତାହାକୁ ନିଶ୍ଚୟ ଗୁରୁତ୍ୱ ଦେବ। ଏବଂ ଯାହାର ଚାଷ ପୃଥିବୀରେ ଅଧିକାଂଶ ଲୋକଙ୍କୁ ପ୍ରତିପାଳିତ କରିବାର ସାମର୍ଥ୍ୟ ରଖେ ନିଶ୍ଚୟ ଏହା ଗୌରବର ଘଟଣା। ତେଣୁ ପ୍ରଥମ ଧାନ ଅମଲ ହେଲାପରେ ନୂଆଁଖାଇକୁ ପଶ୍ଚିମ ଓଡ଼ିଶାରେ ଗଣପର୍ବ ଭାବରେ ପାଳନ କରାଯାଏ।

ଦର୍ଶନ ଓ ସ୍ୱାସ୍ଥ୍ୟ
ଖାଇ ଅର୍ଥ କେବଳ ଖାଇବା ନୁହେଁ। କୋଶଲୀ ଭାଷାରେ ଖାଇ ଅର୍ଥ ଅତି ଗଭିର, ବିଳିନ ହେବା, ଶେଷ କରିବା, ଖାଇବା ଏବଂ ଶୂନ୍ୟ ହେବା ଅର୍ଥରେ ମଧ୍ୟ ବ୍ୟବହାର ହୋଇଥାଏ। ସେହି ଆଧାରରେ ନୂଆଁଖାଇ ଓ ଡାଲଖାଇକୁ ନିଆଯାଏ। ଏହାର ସୂକ୍ଷ୍ମତମ ଅର୍ଥ ଅନୁଭୁତିରେ ବିଳିନତା, ଯେଉଁଠାରେ ମଣିଷ ଅଭିଜ୍ଞାନର ପରିଧିକୁ ଅତିକ୍ରମ କରି ସାଧକ ନିଜକୁ ଅନନ୍ତ ସହ ମିଶାଇଥାଏ।
ପ୍ରାଚୀନ ଶରୀର ବିଜ୍ଞାନ ଅନୁସାରେ ମଣିଷର ଶରୀର ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ବୀର୍ଯ୍ୟରେ ଗଠିତ। ଖାଦ୍ୟ ଗ୍ରହଣ ପରେ ପ୍ରତି ପାଞ୍ଚ ପାଞ୍ଚ ଦିନରେ କ୍ରମ ଅନୁସାରେ ରସ, ରକ୍ତ ହୋଇ ବୀର୍ଯ୍ୟ ପର୍ଯ୍ୟନ୍ତ ତିଆରି ହୁଏ। ନୂଆଁ ଅନ୍ନ ଗ୍ରହଣ କରିବାର ୩୫ ଦିନ ମଧ୍ୟରେ ଡାଲଖାଇ ଆୟୋଜିତ ହୋଇଥାଏ। ଡାଲଖାଇ ହେଉଛି ଶୀର୍ଷକୁ ଏକ ସାମୁହିକ ଯାତ୍ରା। ଗୋଟିଏ ସମାଜ ଏକା ସାଙ୍ଗରେ ଶୀର୍ଷକୁ ଯିବାର ପ୍ରୟାସ କରିଥାଏ। ଉଚ୍ଚତର ମାନବୀୟ ସତ୍ତାକୁ ଛୁଇଁବାର ପ୍ରୟାସ କରିଥାଏ।
ନୂଆଁଖାଇ କେବଳ ନୂଆଅନ୍ନ ଗ୍ରହଣ କରିବାର ଏକ ତିହାର ନୁହେଁ ଏହା ଉଚ୍ଚତର ମାନବୀୟ ସତ୍ତାସହ ବିଳିନ ହେବାର ପ୍ରାରମ୍ଭିକ ଯାତ୍ରା। ଯିଏ ଆମକୁ ଅନ୍ନ ଓ ଜୀବନର ମହତ୍ତ୍ୱ ଶିଖାଏ।