ଭାରତକୁ ରେଳପଥ ଆସିବା ପୂର୍ବରୁ ସଡକ ଓ ନଦୀ ହିଁ ଥିଲା ଯୋଗାଯୋଗ ଓ ପରିବହନର ଆଧାର। ମାନବ ପ୍ରଜାତି ସମସ୍ତ ଭୂଗୋଳକୁ ବିସ୍ତରୀ ଯିବାର ଇଚ୍ଛା ହିଁ ତାକୁ ଜୀବଜଗତରେ ଅଗ୍ରଣି କରି ରଖିଛି। ଏଇଥିପାଇଁ ସ୍ଥାନାନ୍ତରଣ ହିଁ ମାଧ୍ୟମ। ଏହା ହିଁ ଯାତ୍ରାର ଆରମ୍ଭ। ଏହି ଦିନୁ ପଥ ର ଇତିହାସ ଆରମ୍ଭ ଓ ବିକାଶ ହୋଇଛି। ମଣିଷ ସମୁଦ୍ର ଲଙ୍ଘି ପାରିଛି। ପ୍ରାଗୈତିହାସିକ ଯୁଗରୁ ଚାଲି ଆସିଥିବା ଏହି ଧାରା ସମ୍ରାଟ ଅଶୋକଙ୍କ ସମୟରେ ବ୍ୟବସ୍ଥିତ ଓ ଆଧୁନିକ ହୋଇଗଲା। ଉତ୍ତରା ପଥକୁ ବ୍ୟବସ୍ଥିତ କରି ହିମାଳୟର ଅପର କ୍ଷେତ୍ରକୁ ରେଶମ ପଥ ସହ ଯୋଡାଗଲା। ବିଶ୍ୱ ବଜାର ସହ ଭାରତ ଯୋଡି ହୋଇଗଲା। ଅଶୋକଙ୍କ ପୂର୍ବରୁ ମଧ୍ୟ ଏହି ପଥର ଅବସ୍ଥିତି କଥା ଅନେକ ବିଶେଷଜ୍ଞ କହିଥାନ୍ତି। କିନ୍ତୁ ସମ୍ରାଟ ଅଶୋକଙ୍କ ସମୟରେ ଏହାକୁ ବ୍ୟବସ୍ଥିତ ଓ ସୁରକ୍ଷିତ କରାଗଲା। ପୂର୍ବପଥ, ମଧ୍ୟପଥ, ଦକ୍ଷିଣାପଥ ସହ ନଦୀପଥ ଭାରତକୁ ପଶ୍ଚିମ ଜଗତରେ ସ୍ୱପ୍ନର ଭୂଖଣ୍ଡ କରିଦେଲା।
ଯୋଗାଯୋଗ ଓ ପରିବହନର ବିକାଶ ପରେ ଭାରତ ଭୂଖଣ୍ଡକୁ ଆକ୍ରମଣର ସମ୍ନା କରିବାକୁ ପଡିଛି। ପଥିକ ଓ ବ୍ୟବସାୟୀଙ୍କୁ ସୁରକ୍ଷା ଦେଉଥିବା ଗୋଷ୍ଠୀ ପରବର୍ତ୍ତି ସମୟରେ ଶାସକ ହେବାର ଅନୁମାନ କରାଯାଏ। ଏମାନେ ବହୁଧା ବିଭାଜିତ ଥିବା ହେତୁରୁ ମୌର୍ଯ୍ୟ ଯୁଗର ଶେଷ ବେଳକୁ ନିଜ ନିଜର ଛୋଟ ଛୋଟ କ୍ଷେତ୍ର ତିଆରି କରିଛନ୍ତି। ଭାସ୍କୋଡାଗାମା ବିନା ବାଧା ଅଥବା ବ୍ୟବସ୍ଥିତ ଖଜଣା ବିନା ନିଜର ବ୍ୟବସାୟିକ ସାମ୍ରାଜ୍ୟ ତିଆରି କରିବାର ସୁଯୋଗ ପାଇଛନ୍ତି। ଭାସ୍କୋଡାଗାମାଙ୍କ ଏହି ସଫଳତା ବିଶ୍ୱ ପୁଞ୍ଜି ବଜାରକୁ ସଜଗ କରି ଦେଇଛି। ୧୯୪୭ ଅଗଷ୍ଟ, ୧୫ ଭାରତ ସ୍ୱାଧିନ ହେବା ପରଠାରୁ ବିଶ୍ୱାୟନ ପର୍ଯ୍ୟନ୍ତ ବାହ୍ୟ ନିୟନ୍ତ୍ରଣ ମୁକ୍ତ ରହିଲା। ଶାସକୀୟ ଦୃଷ୍ଟିରୁ ଭିନ୍ନ ଅର୍ଥ ହୋଇପାରେ କିନ୍ତୁ ବଜାର ବ୍ୟବସ୍ଥାରେ ଭାରତ ପୂର୍ବଭଳି ମୁକ୍ତ ହୋଇଗଲା। ବୁଦ୍ଧଧମ୍ମର ସମାପନ ପରେ ଭାରତୀୟ ଭାବନା ଓ ଧର୍ମିୟ ଭୂଗୋଳ ଯଦି ସଶକ୍ତ ନଥାନ୍ତା ତାହା ହେଲେ ବଜାରବାଦର କ୍ଷିପ୍ରତା ନିକଟରେ ଭାରତୀୟ ଭାବନାର ଅବଶେଷ ହିଁ ଲୋକଙ୍କ ମନରେ ଥାଆନ୍ତା। ଏହା ଭିନ୍ନ ପ୍ରସଙ୍ଗ କିନ୍ତୁ ଧର୍ମ ଆଧାରିତ ସତ୍ତା ଆପାତତଃ ନିଜର ସ୍ଥାୟୀତ୍ୱ ଅଧିକ ରଖିଥାଏ।
ଯୋଗାଯୋଗ ଓ ପରିବହନର କାଳଖଣ୍ଡରେ ଅନେକ ଭଙ୍ଗାଗଢାର କାହାଣୀ ମଣିଷ ପ୍ରଜାତିର ଇତିହାସରେ ସାମିଲ ହୋଇ ସାରିଛି। ଏହି ଇତିହାସରେ କୃଷି ଏକ ପ୍ରମୁଖ ଅଙ୍ଗ। ଦେଖା ଯାଇଛି ପୁଞ୍ଜିବାଦ କୃଷି ଉପରେ ବେଶ ପ୍ରଭାବ ପକାଇ ପାରିଛି। କୃଷି ସହ ମଣିଷର ଖାଦ୍ୟ ଆବଶ୍ୟକତା ସିଧା ସିଧା ସମ୍ପର୍କ ରଖିଥାଏ। ପୁଞ୍ଜି ବଜାର କୃଷି କର୍ମଣ ଉପରେ ନିଜର ସିଧା ସିଧା ପ୍ରଭାବ ଯେହେତୁ ରଖି ଆସିଛି, ସ୍ୱତଃ ଏହା ମଣିଷର ଖାଦ୍ୟଭ୍ୟାସ ଉପରେ ନିୟନ୍ତ୍ରଣ ରଖି ପାରିଛି। ଇଂରେଜ ଶାସନ ସମୟରେ ଅର୍ଥକାରୀ ଫସଲର ଦ୍ୱାହି ଦେଇ କୃଷିକ୍ଷେତ୍ର ଉପରେ ପୁଞ୍ଜିର ନିୟନ୍ତ୍ରଣ ରହିଥିବା ଦେଖାଯାଏ। ଅଫିମ, କପା, ନୀଳ, ଚା ଆଦି ଚାଷ ପୁଞ୍ଜି ପ୍ରରୋଚିତ ହିଁ ଅଟେ। ଯାହାର ପରିବର୍ତ୍ତିତ ରୂପ ଆମେ ପଶ୍ଚିମ ଓଡ଼ିଶାରେ କପା ଓ ପିଆଜ ଚାଷରେ ଦେଖିଥାଉ। ଇଂରେଜ ସମୟରେ ଖଜଣା ଅସୁଲି ପାଇଁ ମୁଦ୍ରାକୁ ମାଧ୍ୟମ କରାଗଲା। ଯାହା ପ୍ରକାରାନ୍ତେ ଅର୍ଥକାରୀ ଫସଲ ଉପରେ ଚାଷୀର ଧ୍ୟାନ ଆକର୍ଷଣ କରି ପାରିଥିଲା। ସୁତରାଂ ଅର୍ଥକାରୀ ଫସଲ ପଟକୁ ଚାଷୀକୁ ମୁହେଇବା ପାଇଁ ଗୋଟିଏ ପରିବେଶ ତିଆରି କରାଗଲା। ସ୍ୱାଧିନୋତ୍ତର ଭାରତରେ ସବୁଜ ବିପ୍ଲବକୁ ଗୋଟିଏ ଉଦାହରଣ ନିଆଯାଇ ପାରେ। ଖାଦ୍ୟ ଆବଶ୍ୟକତା ପୁରା କରିବା ପାଇଁ ସବୁଜ ବିପ୍ଲବର ଆବଶ୍ୟକତା ରହିଥିବା କଥା ଅନେକ ତର୍କ ରଖିଥାନ୍ତି। ଯାହାକୁ ଅସ୍ୱୀକାର କରିବା କଠିଣ ହିଁ ଅଟେ। କିନ୍ତୁ କୃଷିକ୍ଷେତ୍ରର ପ୍ରାରୂପ ପରିବର୍ତ୍ତନରେ ସତ୍ତାର ବିଚାର ବେଶ ପ୍ରଭାବୀ ରହି ଆସିଛି ଏହା ସତକଥା।
ସତ୍ତା ରହିତ କୃଷି ସମ୍ଭବ କି?
ଉତ୍ତର ନିଶ୍ଚୟ ହଁ ହେବ କିନ୍ତୁ କଠିଣ ବି ଅଟେ। ଅତୀତରେ ଆମେ ଯେତେ ବି ମରୁଡି ବିଷୟରେ ଅଧ୍ୟୟନ କରିଛୁ ତାହା ଖାଦ୍ୟାଭାବ ଅପେକ୍ଷା ସତ୍ତାର ଉଦାସିନତା ପରିସ୍ଥିତିକୁ ଜଟିଳ କରିଛି। ହୁଏତ ଉଦାସିନତା କୁହା ନଯାଇ ଯୋଗାଯୋଗ ଓ ପରିବହନର ଅଭାବ କୁହାଯାଇ ପାରେ। ମରୁଡି ସିଧା ସିଧା ଲୋକଙ୍କ ଖାଦ୍ୟାଭ୍ୟାସ ଉପରେ ପ୍ରଭାବ ପକାଏ। ଅତୀତର ମରୁଡିମାନଙ୍କୁ ଅଧ୍ୟୟନ କଲେ ଦେଖାଯାଏ ଯେ ଛୋଟଚାଷୀ କୃଷିକ୍ଷେତ୍ର ଛାଡିଦେବା ଏକ ବଡ ସମସ୍ୟା ହୋଇ ସାମ୍ନାକୁ ଆସିଲା। ଏହାକୁ ସତ୍ତା ମୁଖ୍ୟତଃ ଉପନିବେଶବାଦୀ ସତ୍ତା ସେତେବେଳେ ସମସ୍ୟା ଆକାରରେ ଗ୍ରହଣ କରି ନଥିଲା। ଅଧ୍ୟୟନ ଏହା ମଧ୍ୟ କହିଥାଏ ଯେ ଉପନିବେଶବାଦୀ ସତ୍ତା ପୂର୍ବରୁ ଭାରତୀୟ ସାମାଜିକ ବ୍ୟବସ୍ଥାରେ କୃଷି ଗ୍ରାମ୍ୟ ସ୍ତରରେ ଖାଦ୍ୟ ଆବଣ୍ଟନର ଏକ ଉଚ୍ଚତର ବ୍ୟବସ୍ଥାକୁ ନିଷ୍ଠାର ସହ ପାଳନ କରି ଆସୁଥିଲା। ସେତେବେଳେ କୃଷିକ୍ଷେତ୍ରରେ ନିୟୋଜିତ ନଥିବା ସମୁହ ମଧ୍ୟ ଖାଦ୍ୟ ସୁରକ୍ଷା ପାଇ ପାରୁଥିଲେ।
ଖଜଣା ଅସୁଲ ପାଇଁ ଇଂରେଜମାନେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ କଲେ। ଖଜଣା ଅସୁଲ ମୁଦ୍ରା ଆକାରରେ କରାଗଲା। ଏହାପରେ କୃଷିକ୍ଷେତ୍ରରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହିତ କରାଗଲା। କୃଷକ ସ୍ୱତଃ ଅର୍ଥ ପାଇଁ ଅର୍ଥକାରୀ ଫସଲ ପ୍ରତି ଆକୃଷ୍ଟ ରହିଲା। ଯେଉଁମାନେ ପୂର୍ବ ବ୍ୟବସ୍ଥାକୁ ମାନି ଚଳିଲେ ସେମାନେ ଆପତତଃ ଖାଦ୍ୟ ସଙ୍କଟରୁ ନିଜକୁ ଦୂରେଇ ରଖି ପାରିଲେ। ୧୮୫୦ ପରବର୍ତ୍ତି ମରୁଡିମାନଙ୍କରେ ଦାରୁଣ ଚିତ୍ର ଦେଖିବାକୁ ମିଳେ। ପ୍ରତିଟି ମରୁଡି ଅୟୁତ ସଂଖ୍ୟାରେ ଜୀବନହାନୀ କରିଛି। ସ୍ୱାଧିନୋତ୍ତର ଭାରତରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। କ୍ରମ ମରୁଡି ଏବଂ ଖାଦ୍ୟ ଆବଣ୍ଟନ ବ୍ୟବସ୍ଥାର ଅବହେଳା ଯୋଗୁଁ ପୁଷ୍ଟିହୀନତା ଗୋଟିଏ ବଡ ସମସ୍ୟା ହୋଇ ରହିଗଲା। ଚଳନ୍ତି ସମୟରେ ୮୦ କୋଟି ଲୋକଙ୍କୁ ଖାଦ୍ୟ ଅଧିକାର ଆଇନ ବଳରେ ଖାଦ୍ୟ ଯୋଗାଇବା ନିଶ୍ଚିତ ଏକ ସ୍ଥାୟୀ ମରୁଡି ପଟକୁ ଇଙ୍ଗିତ କରିଥାଏ। ସୁତରାଂ ଖାଦ୍ୟ ଆବଣ୍ଟନର ଏକ ସଙ୍କଟ ସମୟରେ ଆମେ ରହିଅଛୁ। BMU (Body Mass Unit) ସୂତ୍ର ଆଧାରରେ ବିଚାର କଲେ ଯେଉଁ ରାଜ୍ୟରେ ଏହା ୪୦ ପ୍ରତିଶତରୁ ଅଧିକ ସେହି ରାଜ୍ୟକୁ ଚିର ମରୁଡି ପିଡିତ ବୋଲି ଧରିନିଆଏ ବୋଲି ଡ. ବିନାୟକ ସେନ ଏହି ପତ୍ରକାରକୁ ଏକ ସାକ୍ଷାତକାରରେ କହିଥିଲେ। BMUଈଗଟ ଅର୍ଥାତ ମଣିଷର ଉଚ୍ଚତା ଓ ଓଜନର ଏକକ। ଯାହା ଖାଦ୍ୟ ଜନିତ ଅଟେ। ଏହି ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆସିଥାଏ। ସର୍ବ ଭାରତୀୟ ସ୍ତରରେ ପୃଥିବୀର ସର୍ବ ବୃହତ୍ତ ଖାଦ୍ୟ ଆବଣ୍ଟନ ବ୍ୟବସ୍ଥା ପରିଚାଳିତ ହୋଇଥାଏ। ଏହା ପ୍ରକାରାନ୍ତେ ସ୍ଥାୟୀ ମରୁଡିର ପ୍ରତିଛବି ବୋଲି ବିଚାର କରାଯାଇ ପାରେ।

ଅତୀତ ଏଭଳି ନଥିଲା। ପଶ୍ଚିମ ଓଡ଼ିଶାର ଗୋଟିଏ ଲୋକକଥା ଅନୁସାରେ; ଏକଦା ଲକ୍ଷ୍ମୀ ରାଇଜ ଛାଡି ଚାଲି ଯାଉଥିଲେ। କାରଣ ଏହି ଭୂମୀ ମରୁଡି ପଡିତ ରହିବ। ଗୁରଜି, ମାଣ୍ଡିଆ, କୋଦୋ, ଖେଡଜହ୍ନା, ଝାରି, କାଞ୍ଜି ଆଦି ଶସ୍ୟ ଲକ୍ଷ୍ମୀଙ୍କ ବାଟ ଓଗାଳିଲେ। ରାଇଜ ଛାଡି ଯିବାକୁ ବାରଣ କଲେ। ଲକ୍ଷ୍ମୀ କହିଲେ ଖାଦ୍ୟାଭାବରୁ ଲୋକେ ସାମୁହିକ ମୃତ୍ୟୁର ଶିକାର ହେବେ। ମୋର ଏଠାରେ ରହିବା ଆବଶ୍ୟକତା ନାହିଁ। ସମସ୍ତ ଶସ୍ୟ ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଲୋକଙ୍କୁ ପ୍ରତିପାଳିତ କରିବା ପାଇଁ ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଲେ। କିଏ ମାସେ କିଏ ଦୁଇମାସ ସମୟ ଖାଦ୍ୟ ଆପୂର୍ତ୍ତିର ଦାୟିତ୍ୱ ନେଲେ। ଝାରି ଆଠଦିନ ସମୟ ପାଇଲା। ଧାନ ପାଇଁ ମାତ୍ର ଅଢେଇ ମାସ ସମୟ ମିଳିଲା। ଲକ୍ଷ୍ମୀ ଥିର ହୋଇ ରହିଲେ।
ଏହି ଦନ୍ତକଥା ନିଶ୍ଚିତ ଗୋଟିଏ ସୁନ୍ଦର ଖାଦ୍ୟାଭ୍ୟାସକୁ ଇଙ୍ଗିତ କରିଥାଏ। କେବଳ ଚାଉଳ ନୁହେଁ ଅନ୍ୟାନ୍ୟ ସଶ୍ୟ ମଧ୍ୟ ଲୋକଙ୍କୁ ମୁଖ୍ୟ ଖାଦ୍ୟର ସ୍ଥାନ ପାଇଥିଲା। ଏହି ଖାଦ୍ୟ ବ୍ୟବସ୍ଥାରେ ଶରୀର ପାଇଁ ଆବଶ୍ୟକ ଜଳର ମଧ୍ୟ ଆବଶ୍ୟକତା ପୁରା କରୁଥିଲା। ପଥିକ ଏବଂ ଆଗନ୍ତୁକଙ୍କ ପାଇଁ ପିଇବା ପାଣି ଆବଶ୍ୟକ ହେଉଥିଲା। ଗତ ଶତକର ଅଶି ଦଶକ ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ବିଭାଗର ଲୋକେ ଦେଖିଥିବେ ଲୋକଙ୍କ ପାଣି ପିଇବା ଅଭ୍ୟାସ ନଥିଲା। ତେଣୁ ଅନେକ ଜଳାଭାବ ଜନିତ ରୋଗରେ ପଡିତ ଥିଲେ। ଅର୍ଥାତ ୧୯୬୫ ମରୁଡି ବା ବଡମକାର ପରେ ଖାଦ୍ୟାଭ୍ୟାସରେ ବଡ ପରିବର୍ତ୍ତନ ଦେଖାଗଲା। ଏହାର ଦୁଇ ପ୍ରମୁଖ କାରଣ ଦେଖାଯାଏ ପ୍ରଥମତଃ ଖଜଣା ବା ତକୋଲି ବ୍ୟବସ୍ଥା ଏବଂ ଏହି ବ୍ୟବସ୍ଥାରୁ ଜନ୍ମିତ ମହାଜନୀ ବ୍ୟବସ୍ଥା।
ଇଂରେଜ ଶାସନ ପ୍ରସାରିତ ହେବା ସହ ପୁଞ୍ଜିର ପ୍ରାଧାନ୍ୟକୁ ପ୍ରତିରୋପିତ କରାଗଲା। ସମଗ୍ର ଦେଶରେ ଏହି ଅବସ୍ଥା। ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ୧୮୧୮ ମସିହା ପରେ ମରାଠା ମାନଙ୍କ ସହ ଯୁଦ୍ଧସନ୍ଧି ପରେ ଏହା ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା। ସ୍ଥାନୀୟ ଶାସକଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ତକୋଲି ବିନିମୟରେ ଶାସନର ଦାୟୀତ୍ୱ ଦିଆଗଲା। ତାହା ବି ମୁଦ୍ରା ଆକାରରେ। ଚିରସ୍ଥାୟୀ ବନ୍ଦୋବସ୍ତ ପରେ ଜମିଦାର ଆଦି ରାଜସ୍ୱ ବିଭାଗର ସ୍ଥାପନ କରାଗଲା। ଏହି ସମୟରେ ଯେହେତୁ ମୁଦ୍ରା ଆକାରରେ ତକୋଲିର ସଂଗ୍ରହ ହେଉଥିଲା ଗୋଟିଏ ନୂତନ ବ୍ୟବସାୟର ଅଭ୍ୟୁଦୟ ହେଲା। ତହା ହେଲା ମହାଜନୀ। ବିନିମୟ ଅର୍ଥନୀତି ବଦଳରେ ମୁଦ୍ରାର ଅନୁପ୍ରବେଶ ଶୋଷଣକୁ ତ୍ୱରାନ୍ୱୀତ କଲା। ଜଙ୍ଗଲ ଆଇନ ଜଙ୍ଗଲ ଉପରେ ସାଧାରଣଙ୍କ ଅଧିକାର ସମାପ୍ତ କରିଦେଲା। ରହିଲା କୃଷିକ୍ଷେତ୍ର! ତକୋଲି ଏବଂ ମହାଜନୀ ଦୁହେଁ ପରିପୁରକ ହୋଇ ଶୋଷଣର ଗୋଟିଏ ମାୟାଜାଳରେ ଲୋକଙ୍କୁ ପକେଇଲେ। ଶୋଷକବର୍ଗ ମଧ୍ୟରେ ଜମିଦାରୀ ମହାଜନୀ ଉଭୟେ ରହିଲେ। ଫଳରେ ସମ୍ପନ୍ନ ଲୋକ ମଧ୍ୟମ ଚାଷୀ ଆଦି ମଧ୍ୟ ବାସ୍ତୁହରା ହୋଇଗଲେ। ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜନ କରାଗଲା। ଯାହାର ଆଧୁନିକ ଏବଂ ନିକୃଷ୍ଟ ରୁପ ଆମେ ପଶ୍ଚିମ ଓଡ଼ିଶାର ଦାଦନ ବ୍ୟବସାୟ ଭାବରେ ଦେଖିଥାଉ। ଶତାଧିକ ବର୍ଷର କ୍ରମଶୋଷଣ ସ୍ୱାଧିନତା ପରେ ମଧ୍ୟ ଲୋକଙ୍କ ସ୍ଥିତି ସୁଧାରିବାରେ ବିଫଳ ହେଲା। ଏହି ବିଫଳତା ଏତେ ସୁଦୂର ପ୍ରସାରୀ ହେଲା ଯେ ଆମେ ସ୍ୱାଧିନତାର ଅମୃତକାଳରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦେବାର ବ୍ୟବସ୍ଥାକୁ ଏକ ଲୋକକଲ୍ୟାଣ ବ୍ୟବସ୍ଥା ଭାବରେ ଦେଖିଥାଉ।
ଶତାଧିକ ବର୍ଷର ଶୋଷଣ ଏବଂ ପୁଞ୍ଜିବାଦୀ ଶାସନ ଗୋଟିଏ ବିରାଟ ସଂଖ୍ୟାକୁ ଉଦବାସ୍ତୁ କରିଥିଲେ ମଧ୍ୟ ଲୋକଙ୍କ ଖାଦ୍ୟ ଅଭ୍ୟାସ ବଦଳି ନଥିଲା। ଏହା ବଡମକାର ପରେ ଗୋଟିଏ ସମାପନ ସ୍ତରକୁ ଆସିଲା। ପୂର୍ବରୁ ଇଂରେଜ ସମୟରେ ଯେଉଁମାନେ ଅର୍ଥକାରୀ ଫସଲ କରୁଥିଲେ ସେମାନଙ୍କ ବ୍ୟତୀତ ଗୋଟିଏ ବଡ ଗୋଷ୍ଠୀ ପାରମ୍ପାରିକ କୃଷି ଉପରେ ନିର୍ଭର କରୁଥିଲେ। ଫଳତଃ ଅଭାବ ସତ୍ତ୍ୱେ ଲୋକଙ୍କ ଖାଦ୍ୟଅଭ୍ୟାସ ବଦଳି ନଥିଲା।
ବଡମକାର ପରେ ପରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଖାଦ୍ୟ ଅଭ୍ୟାସକୁ ଗୋଟିଏ ଚକ୍ରାନ୍ତ କରି ବଦଳା ଯାଇଥିଲା। ସବୁଜ ବିପ୍ଲବର ଯୁଗ ଆରମ୍ଭ ହୋଇ ସାରିଥାଏ। ଦୀର୍ଘ ଶୋଷଣ ପରେ ମଧ୍ୟ ଚାଉଳଠାରୁ ମହଙ୍ଗା ଶସ୍ୟ ଲୋକଙ୍କ ମୁଖ୍ୟଖାଦ୍ୟ ତାଳିକାରେ ଥାଏ। ଲୋକଙ୍କ ମୂଳଧର୍ମକୁ ଅନ୍ଧବିଶ୍ୱାସ କହି ଲୋକଙ୍କ ଅଜାଣତରେ ହିନ୍ଦୁ ଭାବରେ ପରିବର୍ତ୍ତିତତ କରାଗଲା। ତଦୃପ ଏହି ଅନ୍ଧବିଶ୍ୱାସ ଓ ଛୁଆଁଅଛୁଆଁ ଭେଦକୁ ଆଧାର କରି ଲୋକଙ୍କୁ ଖ୍ରୀଷ୍ଟିଆନ କରାଗଲା। ଲୋକଙ୍କ ମନରେ ହୀନଭାବନା ଭରି ଦିଆଗଲା। ତଦୃପ ଲୋକଙ୍କ ପାରମ୍ପାରିକ ଖାଦ୍ୟକୁ ଦରିଦ୍ରର ଖାଦ୍ୟ ଭାବରେ ପ୍ରଚାର କରାଗଲା। ଶସ୍ୟର ବଜାର ମୂଲ୍ୟ ଯେହେତୁ ଅଧିକ ଥିଲା ଏବଂ ଲୋକେ ନିଜର ଜୀବନମାନର ଉନ୍ନତି ପାଇଁ ଚାଉଳକୁ ମାପକ କରି ଦେଖିଲେ ତେଣୁ ତାଙ୍କର ମୂଲ୍ୟବାନ ଶସ୍ୟକୁ କମ ଦରରେ ମହାଜନମାନଙ୍କୁ ଦେଲେ। ମଡିଆ ପଖାଲ, ବାସିପଖାଲ (ଗୋଟିଏ ରାତି ରଖାଯାଇଥିବା ପଖାଲ), କୋଦୋଭାତ, ଗୁରଜିଭାତ ଆଦି ମହାଜନୀ ପ୍ରଚାର ଫଳରେ ଗରିବର ଖାଦ୍ୟ ହୋଇଗଲା। ଲୋକେ ଅନ୍ଧବିଶ୍ୱାସରୁ ମୁକୁଳିବା ପାଇଁ ଯେମିତି ନିଜ ଅଜାଣତରେ ହିନ୍ଦୁ ଅବା ଖ୍ରୀଷ୍ଟିଆନ ହୋଇଗଲେ ତଦୃପ ସମ୍ପନ୍ନର ପରିଚିତ ପାଇଁ ଚାଉଳକୁ ମୁଖ୍ୟଖାଦ୍ୟ ଭାବରେ ଗ୍ରହଣ କରିନେଲେ।
ମହାଜନ ସେହିମାନଙ୍କ ଅନୁଗାମୀ ଯେଉଁମାନେ ଇଂରେଜ ଶାସନ ସମୟରେ ଲୋକଙ୍କୁ ମୁଦ୍ରା ଉପଲବ୍ଧ କରେଇବା ପାଇଁ ଶୋଷଣରେ ଏକ ବ୍ୟବସ୍ଥାକୁ ପ୍ରତିରୋପିତ କରିଥିଲେ। ଏହି ଲୋକମାନଙ୍କ ଅନୁଗାମୀ ମୁଖ୍ୟତଃ ବହିରାଗତ ବେପାରୀମାନେ ବଡମକାର ସମୟରେ ମହାଜନୀର ନବକଳେବର କଲେ ଏବଂ ଏହାକୁ ବ୍ୟବସ୍ଥା ଆକାରରେ ସ୍ଥାୟୀତ୍ୱ ପ୍ରଦାନ କରିଥିଲେ। ଯାହା ବର୍ତ୍ତମାନ ମଧ୍ୟ ବଲବତ୍ତର ରହିଅଛି।
ସ୍ୱାଧିନୋତ୍ତର ସମୟରେ ବଡମକାର ପରେ ପରେ ଆପାତକାଳ ମହାଜନୀ ବ୍ୟବସ୍ଥା ପାଇଁ ଆତଙ୍କ ହୋଇଥିଲା। ଆପାତକାଳରେ ମହାଜନୀ ବ୍ୟବସ୍ଥାରେ ଯେଉଁ ଅଙ୍କୁଶ ଲାଗିଥିଲା ତାହା ପରବର୍ତ୍ତି ସମୟରେ ସେତେ ଜୋର ଦେଖାଗଲା ନାହିଁ। ସ୍ୱତଃ ମହାଜନମାନେ ଇନ୍ଦିରା ଗାନ୍ଧୀ ବିରୋଧି ହୋଇଗଲେ। ସତ୍ତା ଓ ମହାଜନୀ କୌଣସି ନା କୌଣସି ପ୍ରକାରେ ନିକଟତର ହେବାକୁ ଲାଗିଲେ। ଏତେବଡ ଅଭିଜ୍ଞତା ପରବର୍ତ୍ତି ସମୟରେ ମହାଜନୀକୁ ଚାଲାକ କରି ସାରିଥିଲା। ସତ୍ତା ଓ ପ୍ରଶାସନ ସହ ଗୋଟିଏ ସୁରକ୍ଷିତ ସମ୍ବନ୍ଧ ରଖି ଆଜି ପର୍ଯ୍ୟନ୍ତ ମହାଜନୀର ଜୟବାନା ମଳିନ ହୋଇ ନାହିଁ। ବରଂ ପ୍ରସାରିତ ହୋଇଛି ମାଇକ୍ରୋ ଫାଇନାନ୍ସ, ଇ.ଏମ.ଆଇ, ବ୍ୟାଙ୍କଋଣ ଆଦି ମାଧ୍ୟମରେ।
ପୁନର୍ବାର ସେହି ପ୍ରଶ୍ନ ସତ୍ତା ରହିତ କୃଷି ସମ୍ଭବ କି?
ପ୍ରଥମରୁ ଦେଖିଛୁ ନିଜର ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପୁରା କରିବାକୁ କୃଷି କରା ଯାଉଥିଲା। ଶାସନ ମୁଖ୍ୟତଃ ଉପନିବେଶିକ ଶାସନ ଅର୍ଥକାରୀ ଫସଲ ଯୋଗୁଁ କୃଷି କ୍ଷେତ୍ରକୁ ଶିଳ୍ପ ଆବଶ୍ୟକତାର ଏକ ମାଧ୍ୟମ କରିଥିଲା। ପରବର୍ତ୍ତି ସମୟରେ ଉନ୍ନତ କୃଷି ଓ ଅର୍ଥକାରୀ କୃଷିର ମିଶ୍ରଣ କୃଷକକୁ ବଜାରର ନିୟନ୍ତ୍ରଣକୁ ନେଇ ଆସିଲା। ପୂର୍ବରୁ କୃଷକ ସ୍ୱାବଲମ୍ବୀ ଥିଲା। ନିଜର ହଳ ନଙ୍ଗଳ ନେଇ ଜମି କର୍ଷଣ କରି ନିଜର ସଞ୍ଚିତ ବିହନ ନେଇ ଚାଷ କରୁଥିଲା। କେବଳ ଶ୍ରମ ଦାନ କରି ନିଜର ଏବଂ ପରିଜନଙ୍କ ଖାଦ୍ୟ ଆବଶ୍ୟକତା ତଥା କୃଷି ଶିଳ୍ପ ଆବଶ୍ୟକତା ପୁରା କରୁଥିଲା। ବର୍ତ୍ତମାନ ହଳ କରିବା ସହ ବିହନ ସାର ଆଦି ପାଇଁ ଟଙ୍କା ବ୍ୟତୀତ ଅନ୍ୟ ସାମଗ୍ରି ଗୌଣ ହୋଇ ଯାଇଛି। ଦେଖା ଯାଇଛି ଯେତେ ବି ଚାଷୀ ଆତ୍ମହତ୍ୟାର ଅଭିଯୋଗ ଆସୁଛି ସମସ୍ତ ଘଟଣା ପଛରେ ଋଣ ରହିଛି। ଅର୍ଥାତ ବିନା ଋଣରେ ଅବା ଅର୍ଥରେ ଚାଷୀ ଚାଷ କରି ପାରୁନାହିଁ। ଏହି ପରିସ୍ଥିତିରେ ସତ୍ତାରହିତ କୃଷି ବେଶ କାଠିକର ହୋଇ ପଡିଛି।
ଯଦି ବା ଶୂନ୍ୟ ବଜେଟର କୃଷି ଉପରେ ଚିନ୍ତା କରାଯାଏ ତାହେଲେ ଏହା ନିକଟ ଅତୀତରେ ସମ୍ଭବ ଦେଖାଯାଉ ନାହିଁ। କାରଣ କୃଷି କ୍ଷେତ୍ରକୁ ନେଇ ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇ ସାରିଛି ଏବଂ ସେଥିରୁ ମିଲୁଥିବା ଲାଭକୁ ନା ତା ବେପାରୀ ଛାଡିବ ନା ସରକାର।

ପୁଞ୍ଜି ଓ କୃଷି
କୃଷିକ୍ଷେତ୍ରକୁ ପୁଞ୍ଜିର ପ୍ରବେଶ ବହୁ ପୁରୁଣା। ଛୋଟ କ୍ଷେତ୍ରରେ ମଧ୍ୟ ପୁୁଞ୍ଜିର ବ୍ୟବସ୍ଥା ପ୍ରତିଫଳିତ ହୋଇଥାଏ। ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ପିଆଜ ପରେ କପାର ଚାଷକୁ ଉଦାହରଣ ଭାବରେ ନିଆଯାଇ ପାରେ। ପୂର୍ବରୁ ମଧ୍ୟ ପିଆଜ ଓ କପା ଚାଷ ହେଉଥିଲା। କିନ୍ତୁ ଅର୍ଥ ପାଇଁ ଏହି ଉଭୟ ଚାଷ ଅନ୍ୟ ଚାଷ ଯେମିତି ପରିବା, ଡାଳି, ଶସ୍ୟ ଜାତୀୟ ଆଦି ଖାଦ୍ୟଶସ୍ୟ ଉପଜରେ ପ୍ରତିକୂଳ ପ୍ରଭାବ ପକାଇଛି। ପ୍ରଥମେ ଏହାକୁ ବେପାରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରୋତ୍ସାହିତ କରାଗଲା। ଉପଜ ଉପରେ ପୂର୍ବାଗ୍ରହ ଯୋଗୁଁ ମହାଜନୀ ଓ ଶୋଷଣ ଆରମ୍ଭ କରାଗଲା। ଅଣ୍ଡରରେଟ ଏକ ପରମ୍ପରା ହୋଇ ଯାଇଛି। ଦେଖାଯାଇଛି ପରବର୍ତ୍ତି ସମୟରେ ସରକାରୀ ସ୍ୱୀକୃତି ଓ ସହାୟତା ଉଭୟ ଚାଷପାଇଁ ମିଳିଛି। କପା ଓ ପିଆଜ ଚାଷକୁ ସରକାର ପ୍ରତ୍ୟକ୍ଷ ସହାୟତା ମଧ୍ୟ ଦେଇଥାନ୍ତି। କିନ୍ତୁ ବ୍ୟବସାୟୀ ନିଜର ବଜାରକୁ ସ୍ଥିର କରିବା ବେଳକୁ ସରକାର ଏହି କ୍ଷେତ୍ରକୁ ପ୍ରବେଶ କରିଛନ୍ତି। ଅନ୍ୟତ୍ର ବଜାର ନିୟନ୍ତ୍ରଣରୁ ସରକାରୀ ଓ ପ୍ରଶାସନିକ କଳ ଆଶ୍ଚର୍ଯ୍ୟଜନକ ଭାବରେ ଅପସରି ଯାଇଥାନ୍ତି। ଯାହା ଫଳରେ ବେପାରୀର ମନମାନି ବେଶ ଫଳବତୀ ହୋଇଥାଏ।
ସବୁଠାରୁ ବିପଦଜନକ କଥା ହେଲା ଏହି ଉଭୟ ଚାଷର ପ୍ରାବଲ୍ୟ ଖାଦ୍ୟାଭ୍ୟାସ ଉପରେ ପ୍ରଭାବ ପକାଇବା ସହ ଜୈବ ବିବିଧତା ଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପକାଉଛି। ଡାଳି ଆଦି ଶସ୍ୟ ଏବଂ ଏହା ଉପରେ ହେଉଥିବା ପୋକ ଖାଇବାକୁ ବିଭିନ୍ନ ପ୍ରଜାତିର ପକ୍ଷୀ ସମୂହ ଦେଖା ଯାଉଥିଲେ। ପିଆଜ ଓ କପା ଚାଷରେ ରାସାୟନିକ କୀଟନାଶକ ବ୍ୟବହାର ଫସଳର ବିବିଧତା ନଷ୍ଟ ହୋଇଯିବା ଫଳରେ ଏମାନେ ଆଉ ଆସୁ ନାହାନ୍ତି। ଏପରିକି ପାରାଭାଡିମାନ ଶୂନ୍ୟ ହୋଇ ପଡିଲାଣି। ପ୍ରକକୃତି ଓ ପରିବେଶ ଉପରେ ଏହାର ପ୍ରଭାବ ବିଷୟରେ କୌଣସି ବିଭାଗ ନିକଟରେ ଉତ୍ତର ନାହିଁ। ଏହା ହିଁ ବିଡମ୍ବନା।

ରୁପାନ୍ତରିତ ଖାଦ୍ୟ ଓ ବଜାର
କୃଷି ବ୍ୟବସ୍ଥାକୁ ନଷ୍ଟ କରାଯିବା ସହ ଏକକ ଖାଦ୍ୟ ବ୍ୟବସ୍ଥା ପ୍ରଚଳନ କରାଗଲା। ଚାଉଳ ଓ ଗହମକୁ ମୁଖ୍ୟ ଖାଦ୍ୟ ଆକାରରେ ମାନ୍ୟତା ଦେବାର ପରିବେଶ ତିଆରି କରାଗଲା। କୃଷିର ବିବିଧତା ନଷ୍ଟ କରାଗଲା ପରେ ଖାଦ୍ୟ ବିବିଧତା ଓ ଶୃଙ୍ଖଳା ଉପରେ ବେଶ ପ୍ରଭାବ ପଡିଲା। ଏହା ବଦଳରେ ବଜାରରେ ଅନେକ ଖାଦ୍ୟର ବିପଣି ଖୋଳାଗଲା। ଯାହା ପୂର୍ବ ଖାଦ୍ୟ ତୁଳନାରେ ଗୋଟିଏ ବଡ ପ୍ରଭେଦ ରଖିଥାଏ।
ଏହି ପରିବେଶରେ ମଣିଷର ଉପଜ ଦକ୍ଷତା କେବଳ ଅର୍ଥ ଉପଜ ପାଇଁ ନିୟୋଜିତ ହେଉ ଯାହା ବଜାରକୁ ପୁଷ୍ଟ କରିବ। ଏହାର ଆଢୁଆଳରେ ପୁଞ୍ଜି ସମଗ୍ର ଅସ୍ତିତ୍ୱକୁ ନିଜ ଅକ୍ତିଆରରେ ରଖିବ। ଖାଦ୍ୟ ଉପରେ ନିୟନ୍ତ୍ରଣ ରହିଲେ ସତ୍ତା ହାସିଲ ସୁଗମ ହେବ।
ଏହା ସତକଥା ଯେ ଭୂଗୋଳ ଅନୁସାରେ ଖାଦ୍ୟରେ ବିବିଧତା ରହେ। ଏହା ପାଇବା ମଣିଷର ପ୍ରାକୃତିକ ଅଧିକାର। ଖାଦ୍ୟର ଧୃବିକରଣ ସତ୍ତା ସହଯୋଗୀ ହୋଇଥାଏ କିନ୍ତୁ ଏହା ମାନବୀୟ ଅଧିକାର ପରିପନ୍ଥୀ ଅଟେ।

ଜୈବିକକୃଷି
ଜୈବିକ କୃଷି ଶ୍ଲୋଗାନକୁ ବେଶ ସୁନ୍ଦର ଭାବରେ ପରିବେଷଣ କରାଯାଉଛି। ଅତୀତର କୃଷି ଏବଂ ବର୍ତ୍ତମାନର ଏହି ଶ୍ଲୋଗାନକୁ ତୁଳନା କଲେ ଗୋଟିଏ ବିରାଟ ବ୍ୟବଧାନ ଦେଖାଯାଏ। ଜୈବିକ କୃଷି ପାଇଁ ଯେଉଁ ସବୁ ଜିନିଷର ଆବଶ୍ୟକତା ରହିଥାଏ ତାହା ବଜାରରୁ ମୁକ୍ତ ନୁହେଁ। ପ୍ରଥମେ କୃଷକ ନିଜର ଆବଶ୍ୟକତା ନିଜେ ପୁରା କରୁଥିଲା। ଘରେ ଗୋରୁ, ଛେଳି, କୁକୁଡା ଆଦି ପାଳନ କରୁଥିଲା। ଘର ଛାତରେ ଶିମ୍ବ, କଖାରୁ ଆଦି ଅମଳ କରୁଥିଲା। ପରିବା ପାଇଁ ବଜାର ଉପରେ ଆବଶ୍ୟକତା ପାଇଁ ନିର୍ଭର କରୁଥିଲା। ଏହି ସବୁ ବ୍ୟବସ୍ଥା ଗୋଟିଏ କୃଷକ ପରିବାରର ଗୋଟିଏ ସୁନ୍ଦର ଅର୍ଥନୈତିକ ଚକ୍ର ତିଆରି କରୁଥିଲା। ଫଳତଃ ଶୂନ୍ୟବଜେଟ କୃଷି ସମ୍ଭବ ହୋଇ ପାରୁଥିଲା।
ବର୍ତ୍ତମାନର ଜୈବିକକୃଷି ପାଇଁ ଯେଉଁମାନଙ୍କୁ ପ୍ରୋତ୍ସାହିତ କରା ଯାଉଛି ସେଥିରେ ଗୋରୁଙ୍କ ସ୍ଥାନ ନାହିଁ। ଗୋପାଳନ ଅର୍ଥପାଇଁ ଅଧିକ କୃଷି ପାଇଁ ଅତି ନଗଣ୍ୟ କରାଯାଉଛି। ବଳଦ ଅପେକ୍ଷା ଗାଈଙ୍କ ସଂଖ୍ୟା ଅଧିକ ହୋଇଛି। ବଳଦ ଆଉ ନାହିଁ କହିଲେ ଚଳେ। ପ୍ରାବଧାନ ଅଛି ଶହେ ଏକର ଜମି ପାଇଁ ସର୍ବନିମ୍ନ ପାଞ୍ଚ ଏକର ଗୋଚର ଜମି ରହିବ। ଦେଖାଯାଉଛି ଗୋଚର ଜମିରେ ଗାଈ ଚରୁ ନାହାନ୍ତି। ଏବେ ଲୋକଙ୍କ ଅବୈଧ ଦଖଲକୁ ଗୋଚର ଚାଲି ଯାଉଛି। ଗୋମାତାର ସୁରକ୍ଷା ପାଇଁ ଜାତିଗତ ହିଂସା ଭିଆଣ ହେଉଛି କିନ୍ତୁ ଗୋସୁରକ୍ଷାର ମୂଳ କାରଣମାନଙ୍କୁ କେବେ ବି ଆଲୋଚନା କରାଯାଇ ନାହିଁ। ଗୋମହିଷାଦି ପଶୁର ମଳ, ଘରେ ରଖିଥିବା ବିହନ ହିଁ ଜୈବିକକୃଷିର ମୂଳ ଆଧାର ବଜାର ନୁହେଁ। ତେଣୁ ଆମର ଜୀବନଶୈଳୀ ଉପରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ।
ରସାୟନିକ ସାର ଏବଂ କୀଟନାଶକ ମଣିଷ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଏହା ଜାଣିବାକୁ ୫୦ ବର୍ଷରୁ ଅଧିକ ସମୟ ସତ୍ତା ନେଇଗଲା। ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ ନାମରେ କୃଷିକ୍ଷେତ୍ରକୁ ଖିନଭିନ କରି ଦିଆଗଲା। ଏହାର ପ୍ରତିକୂଳ ପ୍ରଭାବ ମୂଳରୁ ହିଁ ଦେଖାଯାଇ ଆସୁଅଛି। ସବୁଜବିପ୍ଲବର ମଡେଲ ପଞ୍ଜାବକୁ ନିଆଗଲା। ସବୁଜ ବିପ୍ଲବ ପରେ ପରେ ଗୋଟିଏ ଦୃଶ୍ୟ ସାଧାରଣ ହୋଇଗଲା। ଟ୍ରକ ଡ୍ରାଇଭର ମାନେ ପଞ୍ଜାବୀ ଅଧିକ ଥିଲେ। ଅଶି ଦଶକ ପରେ ପରେ ଟ୍ରକଡ୍ରାଭର କହିଲେ ଗୋଟିଏ ପଞ୍ଜାବୀର ଛବି ହିଁ ଲୋକଙ୍କ ମନରେ ଆସୁଥିଲା। ଏହାର କାରଣ ହେଲା ସବୁଜ ବିପ୍ଲବ ଫଳରେ ଛୋଟ ଏବଂ ମଧ୍ୟମ ଚାଷୀ ବଡ ଚାଷୀମାନଙ୍କୁ ନିଜର ଜମି ଦେଇ ବାସ୍ତୁହରା ହୋଇଗଲେ। ପଞ୍ଜାବୀ ଏକ କର୍ମଠ ଗୋଷ୍ଠୀ ତେଣୁ ସେମାନେ କୃଷିକ୍ଷେତ୍ର ଛାଡିଲା ପରେ ବିଭିନ୍ନ କାମରେ ନିୟୋଜିତ ରହିଲେ। ସେ ମଧ୍ୟରୁ ପରିବହନ କ୍ଷେତ୍ରରେ ନିଜକୁ ସ୍ୱନିୟୋଜିତ କରିଥିଲେ। କିନ୍ତୁ ଓଡ଼ିଶାରେ ମହାଜନୀ ଓ କୃଷିକ୍ଷେତ୍ରର ପରିବର୍ତ୍ତନ ଫଳରେ ଲୋକେ ପ୍ରବାସୀ ଶ୍ରମିକ ଅଥବା ଦାଦନ ହେବାକୁ ବାଧ୍ୟ ହେଲେ।
ଏହି କଠିଣ ସମୟରେ ସ୍ୱାବଲମ୍ବୀ କୃଷକ ଏକ କଳ୍ପନା ତୁଲ୍ୟ ଲାଗେ। କିନ୍ତୁ ପାଦ ତ ବଢେଇବାର ଅଛି। କାରଣ ଅତୀର ପୁନଃ ଜାଗରଣ ହିଁ କୃଷି କ୍ଷେତ୍ର ଓ କୃଷକ ସୁରକ୍ଷାର ଏକମାତ୍ର ବିକଳ୍ପ।
ଜନସଂଖ୍ୟାର ବହୁଳତା ସତ୍ତ୍ୱେ ସ୍ୱାବଲମ୍ବୀ କୃଷକ ଏବଂ କୃଷି ଆଧାରିତ କର୍ମ ନିଯୁକ୍ତି ଗୋଟିଏ ସୁସ୍ଥ ସମାଜ ପାଇଁ ଆଜି ବି ବେଶ ଗୁରୁତ୍ୱ ରଖେ।