ତଥ୍ୟ କହେ ଦଶହଜାର ବର୍ଷ ପୂର୍ବେ ଗାଈକୁ ଗୃହପାଳିତ କରାଗଲା। ମେକ ତଭିସ୍ ଜଣେ ୟୁରୋପିୟ କୃଷକ ଏବଂ ବିହନ ଉତ୍ପାଦକ ତଥା ଗୋ ସଂରକ୍ଷକ। ମେକ ତଭିସ ନିଜର ସହଯୋଗୀଙ୍କ ସହ ୫୫ ପ୍ରକାର ଗାଈ ବଂଶ ଉପରେ ଅଧ୍ୟୟନ କରିଥିଲେ। ୮୦ ରୁ ୩୦୦ ପୁରୁଷା ଗାଈ ବଂଶର ତଥ୍ୟ ଦେଇଛନ୍ତି। ମୂଖ୍ୟତଃ ଗାଈକୁ ଦୁଇ ପ୍ରଜାତିରେ ବିଭାଗ କରାଯାଇଥାଏ। ଭାରତୀୟ ବଂଶୋଦ୍ଭବ ଏବଂ ୟୁରୋପୀୟ ବଂଶୋଦ୍ଭବ। ଖ୍ରୀ.ପୂ. ତିନିହଜାର ବର୍ଷ ପୂର୍ବେ ମେସାପୋଟାମିଆ ଓ ସିନ୍ଧୁସଭ୍ୟତାର ବ୍ୟବସାୟ ଫଳରେ ଗୋ ସମ୍ପଦାର ଆଦାନ ପ୍ରଦାନ ହୋଇଥିଲା। ଆଜି ପର୍ଯ୍ୟନ୍ତ ମଣିଷର ସହଯାତ୍ରୀ ହୋଇଥିବା ଗାଈର ଇତିହାସ ହିଁ ମାନବ ସଭ୍ୟତାର ଇତିହାସ ଅଟେ। ବର୍ତ୍ତମାନ ବିଶ୍ୱରେ ୧୫୦ କୋଟି ଗୋ ସମ୍ପଦା ରହିଅଛି। ଏହି ଗୋରୁଙ୍କୁ ତିନି ଭାଗରେ ବିଭାଗୀକରଣ କରାଯାଇଥାଏ। ୧. ୟୁରୋପିୟ ତୈରାଇନ(ଆଫ୍ରିକୀୟ ଓ ଏସୀୟ ସହ); ୨. ବସ ଇଣ୍ଡିକସ ଓ ୩. ଏକ୍ସଟେଣ୍ଟ ବସ ପ୍ରିମିଜିନିୟସ। ବର୍ତ୍ତମାନ ଏହାକୁ ପୁନଃ ବିଭାଗୀକରଣ କରାଯାଇଛି(କ. ବସ ଟରସ ପ୍ରିମିଜିନିୟସ, ଖ. ବସଟରସ କସ ଓ ଗ. ବସଟରସ ଟରସ)।
ଗାଈ ହେଉଛି ଅସ୍ଥାବର ସମ୍ପଦା। ଭାରତରେ ଏହା ଗୋମାତା ଭାବରେ ସମ୍ମାନ ପାଇଥାଏ। ଭାରତୀୟ ସଂସ୍କୃତି ଗୋ-ଆଧାରିତ। ଗବେଷଣା ଶବ୍ଦ ଗୋ-ଏଷଣା(ଗୋରୁ ଖୋଜିବା)ରୁ ଆସିଅଛି। କୋଶଲରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀଙ୍କ କୋଶଲୀ ଶବ୍ଦ ବ୍ୟଞ୍ଜନା ଅନୁସାରେ “ଖୋଜ’ ଶବ୍ଦ ଗୋରୁ ଖୋଜରୁ ଆସିଅଛି। କାମଧେନୁ ସମସ୍ତ ଇଚ୍ଛା ପୁରଣ କରୁଥିବା ପବିତ୍ର ଗାଈ। ନନ୍ଦା, ସୁନନ୍ଦା, ସୁରଭି, ସୁଶିଳା, ସୁମନ ପରି କାମଧେନୁଙ୍କ ବର୍ଣ୍ଣନା ଆମେ ପୁରାଣରେ ଶୁଣିଥାଉ। ଋଗବେଦରେ ୯ ପ୍ରକାର ଗାଈର ନାମ ରହିଅଛି। କୃଷ୍ଣ ଭାରତୀୟ ଅର୍ଥନୀତିକୁ ଗୋରୁ ସହ ଯୋଡ଼ିଥିଲେ। ଭାରତରେ ଯାଦବ ଗୋଟିଏ ଜାତି ଯେଉଁମାନେ ନିଜକୁ ଗୋ ସେବକ ବୋଲି ଗର୍ବ କରନ୍ତି। ଏହି ଯାଦବମାନେ ଉଡ୍ରରେ ଗୋ-ଉଡ୍ର(ଗଉଡ଼) ହେଲେ। ଏହି ଗୋ ସେବକ ଜାତି ଆର୍ଯ୍ୟାବର୍ତ୍ତର ଇତିହାସରେ ଏକ ସିଂହଭାଗ ନିଜ ଦଖଲରେ ରଖି ଆସୁଛନ୍ତି।

ଅନେକ ଧର୍ମରେ ଗୋ’ ପୂଜ୍ୟ ଅଟେ। ହିନ୍ଦୁ, ଜୈନ, ପ୍ରାଚୀନ ଇଜିପ୍ଟ, ଗ୍ରୀକ, ଇସ୍ରାଏଲ, ରୋମ, ଜର୍ମାନୀରେ ଗାଈକୁ ମହତ୍ୱ ଦିଆଯାଇଥାଏ।
ଓଡ଼ିଶା ଇତିହାସ ଓ ସଂସ୍କୃତିରେ ଗାଈର ମହତ୍ୱ ବିଶେଷ ରହିଅଛି। କିନ୍ତୁ ଗୋ ବ୍ୟତିତ ହାତୀ ସହ ସଂଯୁକ୍ତ ଶାସକଙ୍କ ମାନ୍ୟତା ଓଡ଼ିଶାରେ ରହିଅଛି। ଗଜପତି ଯିଏ ଠାକୁର ରାଜା; ଆଜିବି ସେ ଓଡ଼ିଶାର ସଂସ୍କୃତିରେ ରାଜା। ଓଡ଼ିଶାର ସଂସ୍କୃତିରେ ଗୋ ଜାତିର ମାନ୍ୟତା ଓ ମହାନତା ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ଖାଦ୍ୟ ଇତିହାସରେ ପୃଥିବୀର ଧାନଚାଷ ପ୍ରଥମେ କୋରାପୁଟ ଜିଲ୍ଲାରେ ହୋଇଥିଲା। ଏହି ଦୃଷ୍ଟିରୁ ଗୋରୁର ମହତ୍ୱ ବିଶେଷ ଅନୁମାନ କରିହୁଏ। ଏପରିକି କଲାହାଣ୍ଡିର ଗୁଡ଼ହାଣ୍ଡି ଶିଳାଚିତ୍ରରେ ପୃଥିବୀର ପ୍ରଥମ ପଶୁପତିଙ୍କ ଚିତ୍ର ରହିଅଛି।
ହଜାର ହଜାର ବର୍ଷର କୃଷି ଇତିହାସରେ ଗୋଟିଏ ବିରାଟ ବିତ୍ପାତ ହେଲା ସବୁଜ ବିପ୍ଲବ ସମୟରେ। ଏହି ସମୟରେ ଚାଷ ଜମିରେ ଅଧିକ ଅମଳ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବଳକା ରାସାୟନିକ ବିଷକୁ କୃଷି କ୍ଷେତ୍ରରେ ପ୍ରୟୋଗ କରାଗଲା। ଏପରିକି କୃଷିର ମୂଖ୍ୟ ଅଂଗ ଗାଈକୁ ଶଙ୍କରୀକରଣ କରାଗଲା। କ୍ରମାଗତ ଦଶନ୍ଧୀ ଦଶନ୍ଧୀ ଧରି କୃଷି ଓ ଗୋ ସମ୍ପଦା ଉପରେ ଆକ୍ରମଣ ଫଳରେ ଗୋ ଜାତି ନଷ୍ଟ ହେବାର ସ୍ଥିତି ପର୍ଯ୍ୟନ୍ତ ପହଞ୍ôଚ ସାରିଲେଣି। ଆଜି ଆଉ ଦେଶୀ ଗୋରୁ ନାହାନ୍ତି କହିଲେ ଚଳେ। କିଛି ଅଗମ୍ୟ ଅଞ୍ଚଳରେ ସାମାନ୍ୟ ଦେଶୀ ଗୋରୁ ଦେଖାଯାନ୍ତି। ଯାହା ନିଜ ବଂଶଧାରାର ପୂର୍ଣ୍ଣଛେଦ ପର୍ଯ୍ୟନ୍ତ ଚାଲି ଆସିଲେଣି।
ବିଶିଷ୍ଟ ସାମ୍ବାଦିକ ପି. ସାଇନାଥ ନିଜର “ଏଭ୍ରିବଡ଼ି ଲଭସ ଏ ଗୁଡ଼ ଡ୍ରାଉଟ'(ଯେଉଁ ବହି ବିଶ୍ୱର ୧୩ଟି ମର୍ଯ୍ୟାଦାଜନକ ପୁରସ୍କାର ପାଇଅଛି) ପୁସ୍ତକରେ ଦେଶୀ ଗୋବଂଶର ବିଲୋପ ନେଇ ବିଶେଷ ଚିନ୍ତା ପ୍ରକଟ କରିଛନ୍ତି। ଗୋଟିଏ ବେସରକାରୀ ସଂସ୍ଥା କଲାହାଣ୍ଡିର ଏକ ବିଶେଷ ପ୍ରଜାତି “ଖଡ଼ିଆଳୀ ଗାଈ’ର ସଂରକ୍ଷଣ ଉପରେ କିଛି ପଦକ୍ଷେପ ନେଇଥିବା ବି ଉଲ୍ଲେଖ କରିଅଛନ୍ତି।

ଆପଦା ଭିତରୁ ଏକ ସମ୍ଭାବନା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ଗ୍ରମ ପଞ୍ଚାୟତ ହୀରାକୁଦ ଜଳଭଣ୍ଡାର କୂଳର ଏକ ପଞ୍ଚାୟତ। ଠିକ ଜଳଭଣ୍ଡାରକୁ ଲାଗି ଏକ ଗାଁ ବରଙ୍ଗାମାଲ। ସାମାନ୍ୟ କୃଷି ଓ ଜଳଭଣ୍ଡାରର ମାଛ ଉପରେ ନିଜର ଅର୍ଥନୀତିକୁ ସମର୍ପିତ କରିଦେଇଥିବା ଏହି ଗାଁ ଓଡ଼ିଶାର ଗୋ ଇତିହାସ ଉପରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାର ସମ୍ଭାବନା ରଖିଅଛି।
୧୯୫୬ ମସିହାର କଥା। ହୀରାକୁଦ ନଦୀବନ୍ଧ କାମ ସରିଲା। ଲୋକେ ଗାଁମାନଙ୍କୁ ଖାଲି କରି ନ ଥାନ୍ତି। ପାଣି ଭରିଯିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଯିଏ ପାରିଲା ସେ ପଳେଇଲା। ଗୋରୁଗାଈଙ୍କୁ ପଚାରେ କିଏ?
ସଉରା ସ୍ଥାନୀୟ ଭାଷାରେ ସଅଁରା ବା ସଁରା ଜାତିର ଖାରୁ ମାଧ କେହି କେହି ତାଙ୍କୁ ମାଧ ବାଗ ନାମରେ ମଧ୍ୟ ଡାକିଥାନ୍ତି। ନିଜ ଶକ୍ତିମତେ ଗୋରୁଗାଈଙ୍କୁ ଘଉଡ଼େଇ ଆଣିଲେ। ପାଣିର ପ୍ରାବଲ୍ୟ ବାଧ୍ୟ କଲା ଯେ ସେ ଗୋରୁପଳଙ୍କୁ ଘଉଡ଼େଇ ଦେଲେ ନିକଟସ୍ଥ ଦେଷଣ ଏବଂ ଭୁଲକା ପାହାଡ଼କୁ।
ନଦୀବନ୍ଧ ଭିତରକୁ ବରଙ୍ଗାମାଲରୁ ପାଖାପାଖି ଚାରି କିଲିମିଟର ଗଲେ ପଡ଼େ ଦେଷଣ ପାହାଡ଼। ତା ଚାରି ପାଖରେ ଗୁଜା ପାହାଡ଼(ଏକ ଧର୍ମସ୍ଥଳୀ, ଶିବ ମନ୍ଦିର ଏବଂ ଗୁମ୍ପା ପାଇଁ ପ୍ରଶିଦ୍ଧ; ଯାହା ହୀରାକୁଦ ଜଳଭଣ୍ଡାରକୁ ଲାଗି ରହିଅଛି); ମଡ଼ରା, ବଘରା, ଭୁଲକା ଇତ୍ୟାଦି ପାହାଡ଼ ରହିଅଛି। ଏହି ପାହାଡ଼ମାନଙ୍କ ମଧ୍ୟରୁ ଭୁଲକା ଓ ଦେଷଣ ପାହାଡ଼ରେ ଗାଈ ରହିଅଛନ୍ତି।
ସଂଖ୍ୟାରେ ଦେଷଣ ପାହାଡ଼ ଯାହା ଛୋଟବଡ଼ ତିନି ଚାରୋଟି ପାହାଡ଼ର ଏକ ଛୋଟ ସଂଗଠନ ଏବଂ ତଦୃପ ଭୁଲକା ପାହାଡ଼ରେ ପନ୍ଦରଶହ ଏବଂ ପାଞ୍ଚଶହରୁ ଅଧିକ ଗାଈ ରହି ଅଛନ୍ତି। ଘଞ୍ଚ ଜଙ୍ଗଳରେ ପୂର୍ଣ୍ଣ ଏହି କୁତ୍ରିମ ଦ୍ୱୀପ ଦୁଇଟିରେ ବାଧ୍ୟ ହୋଇ ଗାଈମାନେ ରହି ଅଛନ୍ତି। ଗାଈ ସାଙ୍ଗକୁ ବାର୍‌ହା ଆଦି ଇତର ପ୍ରାଣୀ ଥିବା ବି ସ୍ଥାନୀୟ ଲୋକେ କହିଥାନ୍ତି।
“ଝାରସୁଗୁଡ଼ା ବିଚାର’ ଦ୍ୱାରା ଏହି ପାହାଡ଼କୁ ଯାଇ ଗୋରୁଙ୍କୁ ଦେଖା ଯାଇଥିଲା। ପାଖାପାଖି ପାଞ୍ଚ କିଲୋମିଟର ପରିଧି ଓ ସାତଶହ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ରେ ମୂଖ୍ୟତଃ ଗାଈ ଏବଂ ଷଣ୍ଢଙ୍କ ପ୍ରାବଲ୍ୟ ଦେଖାଯାଏ। ବର୍ଣ୍ଣରେ ଧଳା ଏବଂ କଳା ଗୋରୁଙ୍କ ବ୍ୟତୀତ କବରା(ଚିତ୍ରିତ) ଗୋରୁ ଦେଖାଯାନ୍ତି। ସାଧାରଣ ଗୋରୁଙ୍କ ଠାରୁ ଏମାନଙ୍କ ଉଚ୍ଚତା ଓ ଲମ୍ବା ଅଧିକ। ଭାରତରେ ୩୭ ପ୍ରକାର ଦେଶୀ ଗୋରୁ ଦେଖାଯାନ୍ତି(୧) ଏହି ମାନଙ୍କ ମଧ୍ୟରୁ କୌଣସି ପ୍ରଜାତି ସହ ଏମାନଙ୍କ ମେଳ ନଥିବା ଅନୁମାନ କରାଯାଏ।

କୌଣସି ରକ୍ଷଣା ବେକ୍ଷଣ ବିନା ଜଙ୍ଗଲର ଡାଳପତ୍ର ଖାଇ ବଞ୍ଚୁଥିବା ଏହି ଗୋରୁ ଦୀର୍ଘ ସାତ ଦଶନ୍ଧୀ ପରେ ବଣ୍ୟ ହୋଇ ସାରିଲେଣି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଖାରୁ ମାଧ ଗାଈଗୋରୁଙ୍କୁ ଘଉଡ଼େଇ ଆଣିଲେ ଯେତେବେଳେ ହୀରାକୁଦ ନଦୀବନ୍ଧରେ ପାଣି ଭରିଗଲା। ଲୋକେ ପ୍ରଥମେ ଭାବୁଥିଲେ ଏତେ ପାଣି କୁଆଡ଼ୁ ଆସିବ? କିନ୍ତୁ ପାଣି ଆସିଲା। ଖାରୁମାଧ ନିଜର ଗୋରୁ ସହିତ ଅନ୍ୟଗୋରୁମାନଙ୍କୁ ଘଉଡ଼େଇ ଆଣୁଥିଲେ। କିନ୍ତୁ ପାଣିର ପ୍ରାବଲ୍ୟ ନିକଟରେ ତାଙ୍କର ପ୍ରୟାସ ଛୋଟ ପଡ଼ିଗଲା। ସେ ଘଉଡ଼େଇ ଦେଲେ ଗୋରୁଗାଈଙ୍କୁ ଦେଷଣ ଓ ଭୁଲକା ପାହାଡ଼କୁ। ହାତଯୋଡ଼ି ଧର୍ମକୁ ଓ ଗୋରୁମାତାଙ୍କୁ ଗୁହାରୀ ହେଲେ, “ହେ ଧରମ ଦେବତା! ତୁ ଏହି ଗୋ ବଂଶକେ ରଖ। ହେ ଗୋରୁମାତା ! ମୋର ବଫୁ ଯା’କେ ସଁକଲିଲି… ମୋର ଦୋଷାଦୋଷ ମାଫ କର!’
ଖାରୁ ବି ଗୋରୁଙ୍କ ପରି ବିତାଡ଼ିତ ହୋଇଥିଲେ ନିଜର ମୂଳ ଗାଁ ପୁଢ଼ପାଲିରୁ। ସେ ରହିଗଲେ ବରଙ୍ଗାମାଲରେ। ସେ ଦିନୁ ପ୍ରତ୍ୟେକ ଦିନ ଗୋରୁଙ୍କ ଦେଖାଶୁଣା କରିବା ତାଙ୍କର କର୍ତ୍ତବ୍ୟ ହୋଇଗଲା। ଗୋରୁଙ୍କ ସେବାରେ ହିଁ ସେ ନିଜର ବାକି ଜୀବନ ବିତେଇ ଦେଲେ। ଗୋରୁଙ୍କ ଖିର ଓ ଚାଷରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଖାରୁ ମାଧ ଗୋରୁ ସେବାରେ ହେଳା କରୁ ନ ଥିଲେ। ହୀରାକୁଦ ନଦୀବନ୍ଧ ଉଦବାସ୍ତୁ, ପ୍ରତାରଣା, ବିରହ, ନାରକୀୟ କାଣ୍ଡପରି ଅନେକ କାହାଣୀର ସମାହାର। ଖାରୁ ବି ଅତି ନିକଟରୁ ଦେଖିଥିଲେ ମାନବ କୃତ ସଂହାରକୁ। ଛଳରେ ଛଳରେ ମହାନ ଆଦର୍ଶବାଦର ଉମଙ୍ଗ ଦେଇ ନିର୍ମାଣର ଦୈତ୍ୟ ସ୍ୱପ୍ନକୁ ପୁରାକରିବା ବାହାନାରେ ଶହଶହ ଗାଁର ଲକ୍ଷାଧିକ ଲୋକଙ୍କ ପାଇଁ ବିପର୍ଯ୍ୟୟକୁ ଆଣିଥିଲେ। ସେହି ବିପର୍ଯ୍ୟୟକୁ ନିକଟରୁ ଦେଖିଥିବା ଖାରୁ ମାଧ ପ୍ରକୃତିର କୃରତାକୁ ବି ଦେଖିଲେ। କୁହାଯାଏ ବନ୍ଧରେ ପାଣି ଭରିଲା ଏବଂ ଖାରୁ ସାଧୁ ଜଣକର ଜୀବନ ବଞ୍ଚିଲେ ବାକି ବୟସ।
ଖାରୁଙ୍କ ପୁଅ ମୂରଲୀ। ମୂରଲୀ ବାପାଙ୍କୁ ଗୋରୁଙ୍କ ସେବାରେ ସହଯୋଗ କରୁଥିଲେ। କିନ୍ତୁ ଖାରୁଙ୍କ ଅନ୍ତେ ସେ ଆଉ ଗୋରୁଙ୍କୁ ସମ୍ଭଳି ପାରିଲେ ନାହିଁ। ଖରାଦିନେ ଜଳଭଣ୍ଡାର ଅପସରି ଯାଏ। ଗୋରୁମାନେ ଗାଁ ପାଖକୁ ବି ଚାଲି ଆସନ୍ତି। ସେତେବେଳେ ଏହି ଗୋରୁମାନେ ଲୋକଙ୍କ ଚାଷକୁ ନଷ୍ଟ କରିଦେଉଥିବାର କଥା କହନ୍ତି ଗାଁ ଲୋକେ। ଯେତେବେଳେ ଖାରୁ ଥିଲେ ସେତେବେଳେ ସେ ଏପରି କୌଣସି ଅନିଷ୍ଟରୁ ଦୂରରେ ରଖୁଥିଲେ ଗୋରୁଙ୍କୁ। କିନ୍ତୁ ତାଙ୍କ ମୃତ୍ୟୁପରେ ଲୋକେ ମୁରଲୀଙ୍କୁ କହିଲେ ଦେଖ ତୋର ଗାଈଗୋରୁ କେ କେନ୍ତା କରୁବୁ ଯେ। ପାଏନ ଗଲେ ଚାଷବାଡ଼ିକେ ବିପଦ କରୁଛେ।
ମୂରଲୀ ପରିବାର ସହ ଆସି ଗାଁ ଲୋକଙ୍କୁ ହାତ ଯୋଡ଼ିଲେ। ମୋର ବୁଆ ଗୋରୁ ସେବା କରୁଥିଲା ତାର ଅନ୍ତେ ମୁଇଁ ଏତକି ବଡ଼ ସମ୍ପତ୍ତିକେ ସମ୍ଭାଲି ନାଇଁ ପାରେଁ। ଆଜିଠାନୁ ଇ ଗାଈ ଗୋରୁ କେ ଆପଣମାନକୁ ଦେଇଦେଲି। ଆପଣମାନେ ରଖୁନ, ବିକୁନ କି କସେଇକେ ଦେଉନ ସେକଥା ଆପଣମାନେ ଏକା ବିଚାର କରବେ। ବାସ ସେ ଦିନୁ ଗାଈ ପାହାଡ଼ରେ ରହିଲେ ଆଉ ଲୋକେ ଗାଁରେ। କୌଣସି ଦିନ ଦେଷଣ କି ଗାଁ ଲୋକଙ୍କ ମଧ୍ୟରେ ଅହେତୁକ ଅଧିକାର ଜାହିର ହୋଇ ନାହିଁ।
ଉଭୟ ମଣିଷ ଓ ଗୋରୁ ପିଢ଼ି ପରେ ପିଢ଼ି ନିଜ ନିଜର ସୀମାରେ ରହିଲେ।
ପାଖାପାଖି ୧୯୬୦ ମସିହା ପରେ ଆଉ କୌଣସି ମଣିଷର ସଂସ୍ପର୍ଶରେ ଆସି ନାହାନ୍ତି ସେ ଦୁଇଟି ପାହାଡ଼ରେ ଥିବା ଗୋରୁ। ଆଖପାଖ ଗାଁର ଲୋକ ମାଛମାରିବା ପାଇଁ ଗଲେ ଏ ପାହାଡ଼ମାନଙ୍କରେ ରାତି ବିତେଇଥାନ୍ତି କେବେ କେବେ। ଗୋରୁମାନଙ୍କ ଆଚରଣ ଚଳପ୍ରଚଳରୁ ହିଁ ଭଲମନ୍ଦ ଲୋକେ ଜାଣନ୍ତି। ବାସ ଏତିକି ହିଁ ସମ୍ପର୍କ ସେ ପାହାଡ଼ ଦୁଇଟିର ଗୋରୁ ଓ ମଣିଷ ଭିତରେ।
ସରକାରଙ୍କ ନିକଟରେ ଏ ଗୋରୁମାନଙ୍କ ହିସାବ ନାହିଁ। ବଣ୍ୟ ଘୋଷିତ ହୋଇ ନାହାନ୍ତି ଗୋରୁମାନେ ତେଣୁ ଜଙ୍ଗଲ ବିଭାଗର କୌଣସି ଦାୟିତ୍ୱ କି ହିସାବ ବି ନାହିଁ। ପ୍ରାଣୀ ଚିକିତ୍ସା ବିଭାଗ ପାଖରେ ବି ଏ ଗୋରୁମାନଙ୍କ କୌଣସି ଖବର ନାହିଁ।

ଦଶହଜାର ବର୍ଷ ପରେ ଗୋଟିଏ ଗୋରୁ ପ୍ରଜାତି ବଣ୍ୟ ହୋଇ ସାରିଲେଣି ଏହି ଦୂର୍ଲଭ ଘଟଣାର କୌଣସି ଅଧ୍ୟୟନ ବି ନାହିଁ କାହା ନିକଟରେ। ଏପଟେ ପ୍ରାୟ ପାଖାପାଖି ସମସ୍ତ ଗୋରୁଜାତି ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଦେଶୀ ଗୋରୁ ପ୍ରଜାତିକୁ ନଷ୍ଟ କରାଯାଇ ସାରିଲାଣି। ଟ୍ରାକ୍ଟର ଓ ଯାନ୍ତ୍ରୀକ କୃଷି ପଦ୍ଧତି କୃଷି କ୍ଷେତ୍ରରୁ ଗୋରୁଙ୍କୁ ଉଚ୍ଛେଦ କରାଯାଇ ଆସୁଅଛି। ଏହି ପ୍ରକ୍ରିୟା ଫଳରେ କେତେକ ଆଭ୍ୟନ୍ତରୀଣ ଅଞ୍ଚଳ ବ୍ୟତୀତ ପ୍ରାୟ ଦେଶୀ ପ୍ରଜାତି ଲୋପ ହୋଇ ସାରିଲାଣି। କେବଳ କ୍ଷୀର ପାଇଁ ଗୋ ପାଳନ କରାଯାଉଅଛି। କିନ୍ତୁ ଏମାନଙ୍କ ମଧ୍ୟରେ କୌଣସି ଦେଶୀ ପ୍ରଜାତିର ଗାଈ ନାହାନ୍ତି କି ସେମାନଙ୍କୁ ସୁରକ୍ଷା ଦେବାର ବି କୌଣସି ଉପାୟ ନାହିଁ।
ସବୁଜ ବିପ୍ଲବ ଆରମ୍ଭରୁ ମାଟିମାତା ଓ ଗୋମାତାକୁ କ୍ରମାଗତ ଆକ୍ରମଣ କରି ଏମାନଙ୍କ ମୂଳସ୍ଥିତିକୁ ପରିବର୍ତ୍ତନ କରାଯାଇ ସାରିଲାଣି। ଫଳରେ କୃଷି ଆଉ ବିନା ଖର୍ଚ୍ଚରେ ସମ୍ଭବ ହେଇ ପାରୁ ନାହିଁ।
ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ଏହି ଦୁଇଟି ଦ୍ୱୀପର ଗୋରୁଙ୍କ ଉପରେ ଆମେ ବିଭିନ୍ନ କ୍ଷେତ୍ରରେ କିଛି ସୂଚନା ଓ ତଥ୍ୟ ପାଇଁ ଯୋଗାଯୋଗ କଲୁ। ଏହା ଉପରେ ଅଧ୍ୟୟନ କି ଯୋଜନା ତ ଦୂରର କଥା ସୂଚନା ବି ନାହିଁ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ବେଳେ ଗୋଟିଏ ସୂଚନା ମିଳିଲା। ଲୋକଙ୍କ ଅନୁମାନରେ ୨୦୦୪ କି ୨୦୦୫ ମସିହାରେ ଦୁଇଶହରୁ ଅଧିକ ଗୋରୁ, ସ୍ଥାନୀୟ ଭାଷାରେ ଗଲାଚିପା ରୋଗରେ ମରିଗଲେ। ଏ ବିଷୟକ ସୂଚନା ପ୍ରାଣୀ ଚିକିତ୍ସା ବିଭାଗ କି ବନବିଭାଗ ନିକଟରେ ନାହିଁ। କୌଣସି ଗଣମାଧ୍ୟମରେ ବି ଏହା ବିଷୟରେ ଚର୍ଚ୍ଚା ନ ଥିଲା।
ମୋଟାମୋଟି ଦେଖିବାକୁ ଗଲେ ମଣିଷ ସହ ଏହି ଗୋରୁମାନଙ୍କ ସମ୍ପର୍କ ତୁଟିବା ହୀରାକୁଦ ବନ୍ଧର ବୟସ ସଙ୍ଗେ ସମାନ। ଏହି ସମୟ ଗୋଟିଏ ପ୍ରଜାତିର ଚରିତ୍ର ପରିବର୍ତ୍ତନ ପାଇଁ ଯଥେଷ୍ଟ। ଏହି ଦୂର୍ଲଭ ଘଟଣାର ଅଧ୍ୟୟନ ହୋଇନାହିଁ ଏହା ହିଁ ପରିତାପର ବିଷୟ। କିନ୍ତୁ ଏମାନେ ପ୍ରକୃତି ସହ ଦୀର୍ଘ ସାଲିସ ଓ ସଂଗ୍ରାମ କରି ନିଜକୁ ସମର୍ଥ କରିବା ସହ ନିଜର ପୂର୍ବଜଙ୍କ ମୌଳିକତାକୁ ଧରି ରଖିଛନ୍ତି। ବିପର୍ଯ୍ୟୟ ଭିତରେ ବି ଏମାନେ ନିଜକୁ ସୁରକ୍ଷିତ ରଖି ପାରିଛନ୍ତି; ଏହା ହୁଏତ ପ୍ରକୃତିର ନିୟମ ହୋଇପାରେ କିନ୍ତୁ ଏହି ଗୋରୁ ବଂଶ ମଣିଷ ସମାଜ ପାଇଁ ସମ୍ପଦା ହୋଇ ସାରିଛନ୍ତି।
ଏପଟେ ହୀରାକୁଦ ନଦୀବନ୍ଧର ପାଣି ବି ବହୁତ ବଦଳି ସାରିଲାଣି। ଓଡ଼ିଶା ଏବଂ ଛତିଶଗଡ଼ରେ ଶିଳ୍ପ ବିକାଶ ଫଳରେ କାରଖାନା ବର୍ଜ୍ୟ ବିଭିନ୍ନ ପ୍ରାକୃତିକ ଜଳ ନିର୍ଗମନ ମାର୍ଗ ନଦୀ, ନାଳା ଇତ୍ୟାଦିକୁ ଡ୍ରେନ ପରି ବ୍ୟବହାର କରି ହୀରାକୁଦ ନଦୀବନ୍ଧର ପାଣିକୁ ଦୂଷିତ କରି ସାରିଲେଣି। ଅଧ୍ୟୟନ ଏହା ବି ପୁଷ୍ଟ କରି ସାରିଲାଣି ଯେ ହୀରାକୁଦ ବନ୍ଧର ପାଣି ପାନୀୟ ଯୋଗ୍ୟ ରହିନାହିଁ। ଏହି ପାଣିକୁ ହିଁ ଏହି ଗୋରୁମାନେ ପିଉଛନ୍ତି। ଘଞ୍ଚ ଅରଣ୍ୟରେ ରହୁ ଥିବାରୁ ଏମାନଙ୍କ ଖାଦ୍ୟରେ ହୁଏତ କୌଣସି ପ୍ରଦୂଷଣ ରହି ନ ପାରେ କିନ୍ତୁ ଦୂଷିତ ଜଳ ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ଯେଉଁ ପ୍ରତିକୁଳ ପ୍ରଭାବ ପକାଉଛି ତାର ପ୍ରତିକାର ଚିନ୍ତା ବି କରିବା ସମ୍ଭାବନା ଆଜି ପର୍ଯ୍ୟନ୍ତ ହୋଇ ନ ଥିବ ନିଶ୍ଚୟ। କାରଣ ଏହି ଗୋରୁ ବଂଶର ହିସାବ କାହା ନିକଟରେ ନାହିଁ। ଫଳରେ ସୁରକ୍ଷା କଥା ବି ଚିନ୍ତା କରିବା ଅବାନ୍ତର ପରି ହେବ ନିଶ୍ଚୟ।

ହୀରାକୁଦ ବନ୍ଧ ବିକାଶ ପାଇଁ ଏକ ମୂଖ୍ୟ ସହଯୋଗୀ ହୋଇପାରେ କିନ୍ତୁ ବିସ୍ଥାପିତଙ୍କ ପାଇଁ ଉଦବାସ୍ତୁ କରାଇ ତାଙ୍କ ସମ୍ପଦା ଓ ସାମ୍ରାଜ୍ୟକୁ ଆବୋରି ପଡ଼ିଥିବା ଗୋଟିଏ ଦୈତ୍ୟ ଛଡ଼ା କିଛି ନୁହେଁ। ବିପର୍ଯ୍ୟୟର ଏହି ମହାବନ୍ଧ ଭିତରେ ଏ ଗୋ ଜାତି ଗୋଟିଏ ନୂଆ ଉପାୟ ଓ ସମ୍ଭାବନାକୁ ଜୀବିତ ରଖି ପାରିଛନ୍ତି ଏହା ହିଁ ବଡ଼କଥା। ଏମାନେ ଜୀବିତ ଅଛନ୍ତି, ଏହି ଘଟଣା ହିଁ ଅନେକ ସମ୍ଭାବନାକୁ ସମ୍ଭବ କରିପରିବାର ବଫୁ ରଖି ପାରିଛି ଏତିକି ହିଁ ଅବଶେଷ ସୁଖକର କଥା।
ଖାରୁ ମାଧର ପରିବାର
ଖାରୁ ମାଧ ଗୋଟିଏ ସାଧୁର ଜୀବନ ବଞ୍ଚୁଥିଲେ। ଦେଷଣ ଓ ଭୁଲକା ପାହାଡ଼ର ଗୋରୁଙ୍କ ଦାୟିତ୍ୱ ଯେପରି ତାଙ୍କ ଉପରେ ପଡ଼ିଛି। ସେ ଖରାବେଳେ ଗୋରୁଙ୍କୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ବାଡ଼ ଦେଇ ରଖୁଥିଲେ। ରୋଗ ବଇରାଗ ବେଳେ ନିଜର ଲବ୍‌ଧ ଜ୍ଞାନ ବଳରେ ଗୋରୁଙ୍କ ସେବା କରୁଥିଲେ। ତାଙ୍କ ସମୟ ପର୍ଯ୍ୟନ୍ତ ସେ ଗାଈଙ୍କ କ୍ଷୀର ମଧ୍ୟ ଦୋହୁଥିଲେ। ଶତାଧିକ ଗାଈଗୋରୁଙ୍କୁ ସମ୍ଭାଳି ରଖିବା ସମ୍ଭବ ହେଲା ନାହିଁ ତାଙ୍କ ଅନ୍ତେ ପୁଅ ମୁରଲୀଙ୍କ। ପାଣି ଶୁଖିଗଲେ ଲୋକଙ୍କ ଫସଲ ନଷ୍ଟ କରୁଥିଲେ ଏହି ଗୋରୁମାନେ। ଫଳରେ ଏହାକୁ ଗାଁ ଲୋକଙ୍କୁ ଦେଇ ଦେଇଥିଲେ ଖାରୁଙ୍କ ପୁଅ ମୁରଲୀ। ଏହି କୁତ୍ରିମ ଦ୍ୱୀପର ଗୋ ସମ୍ପଦା ବରଙ୍ଗାମାଲ ଗାଁ ଲୋକଙ୍କ ନିଜ ସମ୍ପଦା।
କାହିଁକି ଗାଈଗୋରୁଙ୍କୁ ଛାଡ଼ିଦେଲ ପ୍ରଶ୍ନର ଉତ୍ତରରେ ମୁରଲୀଙ୍କ ବିଧବା ତୁଲସୀ କହନ୍ତି ଏଡ଼କି ଗଡ଼ ଗୋଠକେ ସମ୍ଭାଲି ନେଇ ହେଲା ଗୋ! ହେଥିର ଲାଗି ଛାଡ଼ି ଦେଲୁଁ। ସେ ବି ସେତିକି ମନେ ପକାଇ ପାରନ୍ତି ନାହିଁ ସେ ସମୟର ସମସ୍ୟାମାନଙ୍କୁ। ବାସ ସେ ଗୋରୁମାନେ ବଞ୍ôଚଛନ୍ତି ଏତିକି ହିଁ ତାଙ୍କପାଇଁ ସବାଶେଷ ଆଶ୍ୱାସନା ଯେପରି।
ତାଙ୍କର ତିନି ପୁଅ। ନେରନ୍ଦ୍ର, ଲବ ଓ ଦେବାନ୍ଦ୍ର। ଦୁଇଜଣ ପୁଅ ଜମିକୁ ନହେଲେ ପାଣିକୁ(ମାଛ ମାରିବା) ଯା’ନ୍ତି। ଜଣେ ଦାଦନ ଖଟି ଯାଇଛନ୍ତି ସୁରାଟର କେଉଁ କାରଖାନାକୁ। ବାସ ଏତିକି ପରେ ଏକଦା ଗୋମ୍ପଦାର ମାଳିକ ଥିବା ଏହି ପରିବାର ଆଜି ଅନ୍ୟମାନଙ୍କ ସୁଖଦୁଃଖ ସହ ମିଶିକରି ରହନ୍ତି ବରଙ୍ଗାମାଲ ଗାଁ ସହ।

ବସାଂ ଦେବା ଉପଜୀବତି ବସାଂ ମନୁଷ୍ୟା ଉପ ଚିକିତ୍ସା
ବସେଦଂ ସର୍ବ ଭୁକ୍ତ ଯାବତୁ ସୂର୍ଯ୍ୟ ବିପଶ୍ୟତି।।

(ଅଥର୍ବ ବେଦ/୧୦.୧୦.୩୪)
ମନୁଷ୍ୟ ଏବଂ ଦେବତା ଗାଈର ଉତ୍ପାଦରୁ ନିଜର ସ୍ଥିତି ରଖିଥାନ୍ତି। ସୂର୍ଯ୍ୟ ଓ ବିଶ୍ୱ ଥିବା ପର୍ଯ୍ୟନ୍ତ ଗାଈ ଉପରେ ହିଁ ନିର୍ଭରଶୀଳ ରହିବେ। ସମଗ୍ର ବ୍ରହ୍ମାଣ୍ଡ ଗାଈ ଉପରେ ହିଁ ନିର୍ଭଶୀଳ।
ସା ନୋ ମନ୍ଦ୍ରେ ସମୁର୍ଜମ ଦୁହାନା
ଧେନୁର୍ବା ଗସ୍ମାନୁଷ ସୁଷ୍ଟ୍ରତେତୁ।।

ସମୁଦ୍ର ମନ୍ଥନରୁ କାମଧେନୁର ସୃଷ୍ଟି। ସମସ୍ତ ଦେବତା ଏବଂ ଜୀବ କାମଧେନୁ ଉପରେ ନିର୍ଭର କରିଥାନ୍ତି।
ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦାୟିନୀ ଗାଈ(କାମଧେନୁ) ଅଟନ୍ତି। ସେ ଆମକୁ ଖାଦ୍ୟ ସହ ପରମଜ୍ଞାନ
ଦେବାର ଶକ୍ତି ରଖିଛନ୍ତି। ମଣିଷକୁ ତାଙ୍କ ନିକଟରେ ରହିବାର ଉପଦେଶ ଦିଆଯାଇଛି।