
୧୯୩୬ ଏପ୍ରିଲ, ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା। ସମଗ୍ର ଓଡ଼ିଶାରୁ ସ୍ୱତନ୍ତ୍ର ପ୍ରଦେଶ ସଂଗ୍ରାମ ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା ସମ୍ବଲପୁର ହିଁ ପ୍ରଥମେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାର ଅଗୁଆଳ କରିଥିଲା। ସ୍ୱତନ୍ତ୍ର ପ୍ରଦେଶ ଗଠନ ସଂଗ୍ରାମରେ ପ୍ରଥମ ମଙ୍ଗୁଆଳ ସମ୍ବଲପୁର ହିଁ ଥିଲା। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯିଏ ଭାଷା ଭିତ୍ତିରେ ଗଠିତ ହୋଇଥିଲା। ସେ ସମୟ ସମ୍ବଲପୁର ପଶ୍ଚିମ ଓଡ଼ିଶାର ପରିଚୟ ବହନ କରୁଥିଲା। ନିଜକୁ ଓ ନିଜର ଭାଷାକୁ ସମ୍ବଲପୁରୀ କୁହାଯାଉଥିଲା। ବର୍ତ୍ତମାନ ମଧ୍ୟ ସମ୍ବଲପୁରର ଏହି ଗାରିମା ଉପରେ କେହି ପ୍ରଶ୍ନ କରନ୍ତି ନାହିଁ। ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନ ସମୟରେ ପଶ୍ଚିମ ଓଡ଼ିଶାର ଭାଷା ଉପରେ ଅନୁସନ୍ଧାନ ସମୟରେ ଯେଉଁ ଭାଷା କଥା କୁହା ଯାଇଥିଲା ତହାକୁ ୧୯୮୦ ମସିହା ପର୍ଯ୍ୟନ୍ତ କେହି ବିରୋଧ କରି ନ ଥିଲେ। ୧୯୮୬ ମସିହାରେ କୋଶଲ ରତ୍ନ ପଣ୍ଡିତ ଡ ପ୍ରୟାଗଦତ୍ତ ଜୋଷୀ ପ୍ରଥମେ ତାହାର ଅନୁବାଦ କୋଶଲୀ ଭାଷାରେ କରି ସେ ସମୟର ଭୁଲ ସୂଚନା ଉପରେ ପ୍ରତିବାଦ କରିଥିଲେ। ସମ୍ପୂର୍ଣ୍ଣ ତଥ୍ୟ ସହ ଏହି ବର୍ଷ ହିଁ ପଣ୍ଡିତ ଜୋଷୀ ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ କୋଶଲୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନୀତ କରିବା ପାଇଁ ଅନୁରୋଧ କରିଥିଲେ।
ଗୋଟିଏ ସତ୍ୟ ଏହା ମଧ୍ୟ ଅଟେ ଯେ ଓଡ଼ିଆ ଭାଷା ପଶ୍ଚିମ ଓଡ଼ିଶାର ଲିଖିତ ଓ ସରକାରୀ ଭାଷା ଥିଲା। ଯାହା ବର୍ତ୍ତମାନ ମଧ୍ୟ ଲୋକଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଅଛି। କୌଣସି ଆବେଦନ, ଥାନାକୁ ଅଭିଯୋଗ କିମ୍ବା ଅନ୍ୟ କୌଣସି ଲିଖିତ ଦସ୍ତାବେଜ ପାଇଁ ସାଧାରଣ ଲୋକେ ଓଡ଼ିଆ ଭାଷାରେ ହିଁ ଲେଖିଥାନ୍ତି। ସଭାସମିତି ଅବା ସମୂହ ସମ୍ବୋଧନ ବେଳେ ଓଡ଼ିଆ ଭାଷା ହିଁ କହି ଆସୁଥିଲେ। କୋଶଲୀ ଭାଷା ଆନ୍ଦୋଳନ ଆରମ୍ଭ ହେବା ପରେ ଏହି ଅଭ୍ୟାସରେ ସାମାନ୍ୟ ବ୍ୟତିକ୍ରମ ଆସିଅଛି।
ରାମାୟଣ, ମହାଭାରତ ଏବଂ ଭାଗବତ ଟୁଙ୍ଗି ତଥା ବିଦ୍ୟାଳୟରେ ଓଡ଼ିଆ ଭାଷା ହିଁ ନିଜର ପ୍ରଭାବ ରଖିଥିଲା। ଛାନ୍ଦ, ଚମ୍ପୁ, ସଂଗୀତ, ପୁରାଣ ଚର୍ଚ୍ଚା ଆଦି ଓଡ଼ିଆ ଭାଷାକୁ ନେଇ ହିଁ ହେଉଥିଲା। କଥୋପକଥନରେ ସମ୍ବଲପୁରୀ(ସେ ସମୟରେ) ଭାଷା ହିଁ ବ୍ୟବହାର ହେଉଥିଲା। ଯାହା ଆଜି ବି ଚଲି ଆସୁଅଛି। ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଓଡ଼ିଆ ବ୍ୟବହାର ହୁଏ ନାହିଁ। ଲିଖିତ ଭାଷା ହିଁ ଓଡ଼ିଆ ଭାଷା।
ଅନେକ ସମ୍ବାଦପତ୍ର ପଶ୍ଚିମ ଓଡ଼ିଶା ସଂସ୍କରଣ କରି ନିଜର ବ୍ୟବସାୟ ମଧ୍ୟ ବହୁତ ଭଲ କରିଆସୁଛନ୍ତି। ଯାହା ଓଡ଼ିଆ ଭାଷାରେ ଛପାହୁଏ। ପଶ୍ଚିମ ଓଡ଼ିଶାର ଭାଷାକୁ ସପ୍ତାହନ୍ତ ଆଲୋଚନାରେ କେବଳ ରଖାଯାଇ ଥାଏ। କୌଣସି ସମ୍ବାଦପତ୍ର ପଶ୍ଚିମ ଓଡ଼ିଶାର ଭାଷାରେ ସମ୍ବାଦ ପରିବେଷଣ କରନ୍ତି ନାହିଁ। କାରଣ କୋଶଲୀ ଭାଷାରେ ସମ୍ବାଦ ପରିବେଷଣ ତାଙ୍କ ବ୍ୟବସାୟିକ ଆକାଙକ୍ଷା ପୁରା ହୁଏତ କରି ନ ପାରେ। କିନ୍ତୁ ଏହା ବି ସତକଥା ଯେ ଓଡ଼ିଆ ଭାଷା ହିଁ ଗୋଟିଏ ଭାଷା ଯିଏ ଓଡ଼ିଶାକୁ ସ୍ଥିର ରଖି ପାରିଛି; ପ୍ରଦେଶ ଗଠନ ପୂର୍ବରୁ ଓ ପରେ ମଧ୍ୟ।
ପଶ୍ଚିମ ଓଡ଼ିଶାର ଭାଷାକୁ ସ୍ୱତନ୍ତ୍ର ପ୍ରମାଣ କରିବା ଓ ଏହାକୁ କୋଶଲୀ ଭାଷା ନାମ ଦେଇଥିବା ପଣ୍ଡିତ ଜୋଷୀଙ୍କ ଜନ୍ମ ୨୫ ଫେବୃୟାରୀ, ୧୯୧୩ ମସିହାରେ ଖଡ଼ିଆଳ ନଗରରେ ଶ୍ରୀ ଚନ୍ଦ୍ରଶେଖର ପାଟଜୋଷୀ ଓ ଶ୍ରୀମତୀ ବୃନ୍ଦାବତୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମ ହୁଅନ୍ତି। ଖଡ଼ିଆଳରେ ଅଷ୍ଟମ ଶ୍ରେଣୀ ପଢ଼ିସାରିବା ପରେ ୧୯୩୨ ମସିହାରେ ରାୟପୁର ଯାଆନ୍ତି। ସେଠାରେ ୧୯୩୪ ମସିହାରେ ମାଟ୍ରିକ ପାସ କରିବା ପରେ ୧୯୩୪-୩୮ କାଶୀ ଯାଆନ୍ତି ଆୟୁର୍ବେଦ ପଢ଼ିବା ପାଇଁ। ସେଠାରେ ସେ ଆୟୁର୍ବେଦ ଶାସ୍ତ୍ର ଚାରିଖଚ ସଂସ୍କୃତରୁ ହିନ୍ଦୀ ଅନୁବାଦ କରନ୍ତି। ସେ ଆୟୁର୍ବେଦ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ପାଆନ୍ତି।
ଖଡ଼ିଆଳକୁ ନିଜର କର୍ମଭୂମୀ କରନ୍ତି। ସେ ନିଦ୍ୱର୍ନ୍ଦରେ ଖଡ଼ିଆଳର ପ୍ରଥମ ସରପଞ୍ଚ ହୁଅନ୍ତି। ସ୍ୱାଧିନତା ସଂଗ୍ରାମ ଆନ୍ଦୋଳନରେ ସେ ଏକମାସ କାରାବରଣ ମଧ୍ୟ କରିଛନ୍ତି। ୧୯୪୦ ମସିହାରେ ତାଙ୍କଦ୍ୱାରା ରଚିତ କୋଶଲୀ ନାଟକ ‘କପଟ ବିବାହ’ ଖଡ଼ିଆଳ ରଙ୍ଗମଞ୍ଚରେ ବହୁବାର ଅଭିନିତ ହୁଏ। ଖଡ଼ିଆଳ ରଙ୍ଗମଞ୍ଚ ଓଡ଼ିଶା ନାଟ୍ୟଜଗତରେ ଐତିହାସିକ ରଙ୍ଗମଞ୍ଚ ଅଟେ। ଏହା ସର୍ବ ପ୍ରାଚୀନ ରଙ୍ଗମଞ୍ଚ ଭାବରେ ସ୍ୱୀକୃତ।
୧୯୮୦ ମସିହାରୁ ତାଙ୍କର ପଶ୍ଚିମ ଓଡ଼ିଶାର ଭାଷା ଉପରେ ଗବେଷଣା ହୁଏ। ପଶ୍ଚିମ ଓଡ଼ିଶାର ଭାଷାକୁ ସ୍ୱତନ୍ତ୍ର ବୋଲି ସେ ଅନେକ ଗବେଷଣାତ୍ମକ ନିବନ୍ଧରେ ପ୍ରମାଣ କରନ୍ତି।
ପୁନଃପୁନଃ ଘୋଷୟାମୀ ପ୍ରଶୃନ୍ୱନ୍ତୁ ମନିଷିଣଃ
ସ୍ୱତନ୍ତ୍ର କୋଶଲୀ ଭାଷା ନୋପ ଭାଷା କଦାଚନ
ଏହି ଉଦଘୋଷ ପରେ ଗୋଟିଏ ବିବାଦ ଆରମ୍ଭ ହୁଏ। କୌଣସି ସ୍ୱୀକୃତି ପାଇନ ଥିବା ଭାଷା ଯାହା କେବେବି ଶାସକୀୟ ଲେଖନୀକୁ ଛୁଇଁ ନ ଥିଲା ତାହାକୁ ସ୍ୱତନ୍ତ୍ର ବୋଲି କହିବା ଦ୍ୱାରା ସେ ଅନେକ ବିରୋଧର ସମ୍ମୁଖିନ ହୁଅନ୍ତି।
ପଶ୍ଚିମ ଓଡ଼ିଶାର ଭାଷାର ଇତିହାସ ଦେଖିଲେ ପଣ୍ଡିତ ଜୋଷୀଙ୍କ ଉଦଘୋଷ ନିଶ୍ଚିତ ସାହସିକ ଥିଲା। ଐତିହାସିକଙ୍କ ମତରେ ଗଣ୍ଡ ଜନଜାତି ଦୁଇଲକ୍ଷ ବର୍ଷରୁ ମଧ୍ୟ ପୁରୁଣା ଅଟେ। ଭାରତବର୍ଷର ମଧ୍ୟଭାଗ ଗୋଣ୍ଡୱାନା ଅଞ୍ଚଳ। ଏହି ଗୋଣ୍ଡୱାନା ଅଞ୍ଚଳର ସୀମାରେ ପଶ୍ଚିମ ଓଡ଼ିଶାର ଅନେକ କ୍ଷେତ୍ର ଆସିଥାଏ। ଏହି ସୁପ୍ରାଚୀନ ଜନଜାତି ଏବଂ ଗଣ୍ଡ ଜନଜାତି ସହ ଅନେକଙ୍କ ସାଂସ୍କୃତିକ ସମନ୍ୱୟ ଘଟେ। ଏହି ସମୟରେ ଆଦିବାସୀ ସମ୍ପ୍ରଦାୟ ନିଜକୁ ପ୍ରକୃତି ସହ ଜଡ଼ିତ କରି ନିଜର ଜୀବନଶୈଳୀକୁ ଉଚ୍ଚତର କରି ଆସୁଥାନ୍ତି। ଏ ସମୟରେ ଉଦ୍ଭିଦ, ପ୍ରାଣୀ ଏବଂ ପକ୍ଷୀଙ୍କ ଉପରେ ଗଭିର ଗବେଷଣା କରି ନିଜର ଜୀବନଶୈଳୀକୁ ତଦନୁରୁପ ପ୍ରସ୍ତୁତ କରୁଥାନ୍ତି। ଏହି ଗବେଷଣା ଜନିତ ଜୀବନଶୈଳୀକୁ ଚଳନ୍ତି ଭାଷାରେ ତନ୍ତ୍ର ବୋଲି ସାଧାରଣତଃ ଆମେ ଜାଣିଥାଉ।
ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ଅଞ୍ଚଳର ପ୍ରାୟ ପ୍ରତିଟି ପର୍ବତରେ ଏହି ସମୟର ଅନେକ ପ୍ରମାଣ ଦେଖିବାକୁ ମିଲିଥାଏ। ଯାହା ବର୍ତ୍ତମାନ ମଧ୍ୟ ଅନୁସୃତ। ସେହି ପ୍ରାଚୀନ ସମୟରେ ଗବେଷଣା ଲବ୍ଧ ଜ୍ଞାନ ଏକ ସ୍ୱତନ୍ତ୍ର ଜୀବନ ସହ ଏକ ସ୍ୱତନ୍ତ୍ର ଦର୍ଶନ ମାନବସମାଜକୁ ଦେଇ ସାରିଥାଏ।

ଯେଉଁ କ୍ଷେତ୍ରର କଥା କୁହାଯାଉଅଛି ତାହା ବିଭିନ୍ନ ସମୟରେ ବିଭିନ୍ନ ନାମକରଣ କରାଯାଇଛି। ଇନ୍ଦ୍ରବଣ, କାରୁଣ୍ଡ, ମହାକାନ୍ତାର, ସମ୍ବଲକ, ଉଡ୍ଡୀୟାନ ଆଦି ଅନେକ ନାମରେ ନାମିତ କରାଯାଇ ଅଛି। ଉଡ୍ଡୀଆନ ତନ୍ତ୍ର ଜଗତରେ ଏକ ପୂଜନୀୟ ନାମ। ଅନେକ ଗବେଷକ ନେପାଳରୁ ବଙ୍ଗ ପର୍ଯ୍ୟନ୍ତ ଉଡ୍ଡୀଆନକୁ ଦେଖାଇଥାନ୍ତି। ଏଲିଜାବେଥ ଇଂଲିସ ନିଜର ବଜ୍ରଯୋଗିନୀ ପୁସ୍ତକ ରେ ଉଲ୍ଲେଖ କରିଛନ୍ତି ଉଡ୍ଡୀୟାନ ଦୁଇ ଭାଗରେ ପରିଚିତ ହେଉଥିଲା ପ୍ରଥମ ଭାଗ ସମ୍ବଲକ ଯାହା ୬୦ ହଜାର ଜନପଦର ସମଷ୍ଟି ଥିଲା। ସମ୍ବଲକର ରାଜଧାନୀ ଜାଟିମାଟି ଯେଉଁ ନଗରୀ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ସଳିଲ ସମାଧି ନେଇ ସାରିଛି। ଦ୍ୱିତୀୟ ଭାଗ ହେଉଛି ଲଙ୍କା। ଯାହାକୁ ବୁଦ୍ଧଲଙ୍କା ମଧ୍ୟ କୁହାଯାଏ। ଏହାକୁ ନେଇ ମଧ୍ୟ ବିବାଦ ଦେଖାଯାଏ। ଏହାର ସରଳ ସମାଧାନ ପ୍ରତ୍ନତତ୍ତ୍ୱବିଦ ପ୍ରାଚୀନ ଦର୍ଶନ ବିଶେଷଜ୍ଞ ସାଲେଗ୍ରାମ ହୋତା କହନ୍ତି ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ଅଟନ୍ତି। ଏବଂ ଲଙ୍କେଶ୍ୱରୀ ସମ୍ବଲପୁରର ଗୁନଦରହରୁ କଳାହାଣ୍ଡିର ଜୁନାଗଡ ପର୍ଯ୍ୟନ୍ତ ଲଙ୍କେଶ୍ୱରୀଙ୍କ ପୂଜା ହୋଇଥାଏ। ତେଣୁ ମହାନଦୀର ଦକ୍ଷିଣ ଭାଗ ଲଙ୍କା ଅଟେ। ରାବଣ ନିଜର ରାବଣ ସଂହିତାରେ ଉଡ୍ଡୀଆନର ପ୍ରଶଂସା କରିଅଛନ୍ତି। ତନ୍ତ୍ରରେ କୌଳ ଏକ ମୌଳିକ ବିଭାଗ। କୌଳ ଯାହା ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ କ୍ଷେତ୍ରର ଆଦିବାସୀଙ୍କ ଦ୍ୱାରା ଅନୁସୃତ ହୋଇ ଆସୁଅଛି। କୌଳର ପ୍ରାଚୀନ ଅଧ୍ୟୟନ ଓ ବୌଦ୍ଧ ଏବଂ ହିନ୍ଦୁ ତନ୍ତ୍ରରେ ଲିଖିତ ମିଲିଥାଏ।
ଭରଦ୍ୱାଜ ବୁଦ୍ଧଙ୍କ ଶିଷ୍ୟ ଥିଲେ। ଭରଦ୍ୱାଜ ତନ୍ତ୍ର ଅଧ୍ୟୟନ କରୁଥିବା ସମୟରେ ବୁଦ୍ଧ ନିଜେ ତାଙ୍କୁ ବାରଣ କରିଥିଲେ। ଭରଦ୍ୱାଜ ନିଜର ‘ସମରାଙ୍ଗନସୂତ୍ରଧାରେ’ ଗ୍ରନ୍ଥ ପ୍ରସ୍ତୁତ ସମୟରେ ସ୍ୱୀକାର କରିଛନ୍ତି ଏହି ପୁସ୍ତକରେ ବର୍ଣ୍ଣିତ ତଥ୍ୟ ସମଗ୍ର ମୂଳ ଭାଷାରୁ ଗୃହିତ ହୋଇଛି। ଏହାକୁ ସେ ‘ରାମଭାଷା’ ବୋଲି କହିଥିଲେ। ଆଦିବାସୀଙ୍କ ପୂଜା, ଯାନିଯାତ୍ରା ସମୟରେ ଦେବୀଙ୍କ ନିକଟରେ ଅବା ତାନ୍ତ୍ରୀକ ଧାରାର ଅନୁଷ୍ଠାନ ସମୟରେ ଯେଉଁ ମନ୍ତ୍ର କହନ୍ତି ତାହା ସଂସ୍କୃତ ନୁହେଁ। ପଶ୍ଚିମ ଓଡ଼ିଶାର ଭାଷାର ଆଦିରୁପ ହିଁ ଅଟେ। ଏହି ବିଭାଗ ଉପରେ କୌଣସି ଗବେଷଣା ହୋଇ ନାହିଁ। ଏହି ରାମଭାଷାକୁ ହିଁ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ କୋଶଲୀ ନାମ କରଣ କରିଛନ୍ତି। ଏହା ଏକ ଅଧ୍ୟୟନର ବିଷୟ। ସୁତରାଂ ତନ୍ତ୍ର ସହ କୋଶଲୀ ଭାଷା ମୁଦ୍ରାର ଦୁଇପାଶ୍ୱର୍ ଭଲି ସମ୍ପର୍କ ରଖିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ନା ତ ତନ୍ତ୍ର ଉପରେ କୌଣସି ଗବେଷଣା ହୋଇଛି ନା କୋଶଲୀ ଭାଷାର ଏହି ରୂପ ଉପରେ ଅଧ୍ୟୟନ ହୋଇଛି।
ଚର୍ଯ୍ୟା ଯୁଗରେ ୮୪ ଶିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଚର୍ଯ୍ୟାଗୀତିକାରେ ଯେଉଁ ଭାଷାର ବ୍ୟବହାର ହୋଇଛି ତାହାକୁ କୋଶଲୀ ଭାଷା ବୋଲି ଅନେକ ପ୍ରମାଣ ଦେଉଥିବା ବେଳେ, ଏହା ଉପରେ ଅନେକ ଗବେଷକ ବର୍ତ୍ତମାନ ନିଜସ୍ୱ ଉଦ୍ୟମରେ ଗବେଷଣା ଜାରି ରଖିଛନ୍ତି। ପ୍ରଫେସର ଡ ଗୋପିନାଥ ବାଗ ନିଜର ଅଧ୍ୟୟନରେ କହନ୍ତି ଚର୍ଯ୍ୟାଗୀତିକାରେ ଯେଉଁ ଭାଷାର ବ୍ୟବହାର ହୋଇଛି ତାହା ‘ଡମ ଭାଷା’ ଅଟେ। ବୈୟାକରଣିୟ ଅଧ୍ୟୟନରେ ସେ ଅନେକ ପ୍ରମାଣ ଦେଇଥାନ୍ତି। ଯାହା ଦଳିତ ସମ୍ପ୍ରଦାୟ ଡମ ବା ଗଣା ସମ୍ପ୍ରଦାୟର ନିଜସ୍ୱ ଭାଷା ଅଟେ।
ଡମ ବା ଗଣା ସମ୍ପ୍ରଦାୟ ଏକ ପ୍ରାଚୀନ ସମ୍ପ୍ରଦାୟ ଅଟେ। ଏହି ସମ୍ପ୍ରଦାୟ ନିଜର ବାଦନ ଶୈଳୀ ପାଇଁ ବିକ୍ଷାତ। ଡମ/ଗଣାବଜା ସେହି ପ୍ରାଚୀନ ଯୁଗରୁ ତାଙ୍କଦ୍ୱାରା ସାଧିତ ଓ ସଂରକ୍ଷିତ ହୋଇ ବର୍ତ୍ତମାନ ମଧ୍ୟ ରହିଅଛି। ଗଣାବଜା ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ମାନ୍ୟତାକୁ ଅପେକ୍ଷା ରଖିଥିବା ବାଜା ଅଟେ। ଗୁରୁଶ୍ରୀ ଡ ଘାସିରାମ ମିଶ୍ରଙ୍କ କହିବା ଅନୁସାରେ ମଣିଷ କେବଳ ଆହାର ନିଦ୍ରା ଓ ମୈଥୁନରେ ସମୟ ଅତିବାହିତ କରୁ ନ ଥିଲା। ମାନବ ସଭ୍ୟତା ଆରମ୍ଭ କରିବା ବହୁ ପୂର୍ବରୁ ପ୍ରକୃତିକୁ ଗଭିର ଅନୁଧ୍ୟାନ କରିଅଛି। ପ୍ରକୃତି ସହ ନିବିଡ଼ ହୋଇ ସେ ନିଜର ଦର୍ଶନକୁ ଉପସ୍ଥାପିତ କରିଛି। ସେହିପରି ପ୍ରକୃତିର ପାଞ୍ଚତତ୍ତ୍ୱ କ୍ଷିତି, ଆପ, ତେଜ, ମରୁତ ଓ ନଭର ଶବ୍ଦକୁ ସଂରକ୍ଷିତ କରି ଦୁନ୍ଦୁଭି(ନିସାନ), ଢୋଳ, ତାସା, ମହୁରୀ ଓ ଟିମକିଡ଼ିର ନିର୍ମାଣ କରିଛି। ଏହି ପାଞ୍ଚଟି ବାଦ୍ୟ ହିଁ ଗଣାବଜା ଅଟେ। ଗଣାଜାତି ବର୍ତ୍ତମାନ ପର୍ଯ୍ୟନ୍ତ ଦଳିତ ଓ ଅଛୁତ ହୋଇ ରହିଛନ୍ତି। ଶିକ୍ଷାର ପ୍ରସାର ପରେ ପରେ ଅଛୁତପଣରୁ ସେମାନେ ସାମାନ୍ୟ ଦୂରରେ ରହି ଆସିଛନ୍ତି। ଡମ/ଗଣା ଜାତି ଅନ୍ୟ ବର୍ଗଙ୍କ ନିକଟରୁ ସ୍ୱତନ୍ତ୍ର ରହିବା ଫଳରେ; ଅବଶ୍ୟ ଏହା ଅମାନବୀୟ ପ୍ରକ୍ରୀୟା। କିନ୍ତୁ ଜାତିବାଦ ପୂର୍ବରୁ ତାଙ୍କର ଏହି ଅବସ୍ଥା ନ ଥିଲା।

ରାଜତନ୍ତ୍ର ପୂର୍ବରୁ ଗୋଟିଏ ଜାତି ନିଜର ଭାଷାଦ୍ୱାରା ହିଁ ପରିଚିତ ହେଉଥିଲା। ଯେମିତି ଡମଭାଷା, କନ୍ଦଭାଷା, ଗଉରଭାଷା ଆଦି। କର୍ମ ଆଧାରରେ ଜାତି ଓ ଜାତି ନିଜର ଗୋଟିଏ ସ୍ୱତନ୍ତ୍ର ଭାଷା ନେଇ ରହୁଥିଲା। କିନ୍ତୁ ସମସ୍ତ ଭାଷା କୌଣସି ମାନକ ଭାଷାରେ ଦାୟ ରଖୁ ନ ଥିଲା। ସମସ୍ତ ଭାଷାକୁ ସମସ୍ତେ ବୁଝୁଥିଲେ। ଯାହା ବର୍ତ୍ତମାନ ମଧ୍ୟ ଯଥାବତ ରହିଅଛି। ନିଶ୍ଚିତ ଭରଦ୍ୱାଜ ଏହାକୁ ହିଁ ରାମଭାଷା ବୋଲି କହିଥିବେ।
ଡମ/ଗଣାବଜା, ଯେଉଁ ଭୂମିରେ ବାଜିଥାଏ ତାହା ହିଁ ସେ ଭୂମି ଯାହାର ଭାଷାକୁ ପଣ୍ଡିତ ଜୋଷୀ କୋଶଲୀ ବୋଲି କହିଛନ୍ତି। ହୁଏତ ରାମଭାଷା ଏହାର ଆଦିରୂପ, ଯାହା ଗବେଷଣା ସାପେକ୍ଷ। ଗଣାବଜା ଏବଂ ଏହାକୁ ବଜାଉଥିବା ଗଣା ସମ୍ପ୍ରଦାୟ ପ୍ରତି ମୂଳ ପରିବାରର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ସାମୁହିକ ପୂଜା ଯାତ୍ରାରେ ବାଜିଥାଏ। ହଜାର ହଜାର ବର୍ଷର ତାଡ଼ନା ସତ୍ତ୍ୱେ ଭୂବନେଶ୍ୱରର ସମଧ୍ୱନୀ ପରିବାର ଏବଂ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଅନେକଙ୍କ ସହାୟତାରେ ଗଣାବଜାକୁ ମାନ୍ୟତା ମିଲିବା ସଙ୍ଗେସଙ୍ଗେ ଗଣାବଜା ବଜାଉଥିବା କଳାକାରଙ୍କୁ କଳାକାର ମାନ୍ୟତା ୨୦୨୦ ମସିହାରେ ମିଲିଅଛି। ଓଡ଼ିଶାର ବଲାଙ୍ଗିର ଜିଲ୍ଲା ପ୍ରଥମ ଜିଲ୍ଲା ଯିଏ ଗଣାବଜା କଳାକାର ଙ୍କୁ କଳାକାର ମାନ୍ୟତା ଦେଇଛି।
ଭାଷାର ଗୋଟିଏ ସ୍ଥିର ରୁପ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ମୌଳିକତା ଅନ୍ୟାନ୍ୟ ଭାଷାଠାରୁ ବେଶ ସୁରକ୍ଷିତ ରଖି ଆସିଅଛି। ଭାରତୀୟ ଭାଷା ପରିବାରରେ କୋଶଲୀ ଏବଂ ପଞ୍ଜାବୀ ଭାଷା ଯିଏ ନିଜର ଅଭିସାରୀ ଶବ୍ଦକୁ ମୂଳ ଶବ୍ଦଠାରୁ ନିଜକୁ ଅପରିବର୍ତ୍ତିତ ରଖିଥାଏ। ଲୋକ-ଲୁକା, ମାଖନ-ମୁଖନା, କପଡ଼ା-କୁପଡ଼ି, ଖଟ-ଖୁଟା ଆଦି। ଏହି ଭାଷା ଅନ୍ୟାନ୍ୟ ଭାଷାମାନଙ୍କ ପରି ପ୍ରଭାବିତ ହୋଇ ଆସିଛି। ମୂଖ୍ୟତଃ ଆକ୍ରାନ୍ତା ଶାସକଙ୍କ ରାଜସ୍ୱ ଶାସକୀୟ ଦଲିଲ ଆଦି ପ୍ରସ୍ତୁତ ବେଳେ ଶାସକୀୟ ଭାଷା ବ୍ୟବହାର ହେଉଥିଲା। ଜମି ଲୋକଙ୍କ ସହ ଜଡ଼ିତ ଥିବାରୁ ଏହି ଭାଷାର ଅନେକ ଶବ୍ଦ ବ୍ୟବହାର ହେଉଥିବା ଦେଖାଯାଏ। ଏହା ସହ ଧର୍ମଧାରା ମାନଙ୍କ ଆଗମନ ପରେ ବୌଦ୍ଧଙ୍କ ପାଲି, ହିନ୍ଦୁଙ୍କ ସଂସ୍କୃତ ଆଦି। ଏହା ସହ ଗୋଟିଏ ଧାରା ସେହି ପ୍ରାଚିନ ସମୟରୁ ନିଜର ନିରନ୍ତରତା ରଖି ଆସିଅଛି, ଯାହା ଓଡ଼ିଶାକୁ ସାଂବସ୍କୃତିକ ସ୍ତରରେ ଐକ୍ୟ ରଖି ଆସିଛି। ତାହା ହେଉଛି ଓଡ଼ିଆ ଭାଷା। ଧର୍ମପୁସ୍ତକ ଓ ପୋଥି; ରାମାୟଣ, ମହାଭାରତ, ଭାଗବତ ଆଦି ଓଡ଼ିଆ ଭାଷାରେ ହିଁ ରହି ଆସିଅଛି। ଓଡ଼ିଆ ଭାଷା ହିଁ ଚଳନ୍ତି ଓଡ଼ିଶାର ରାଜନୈତିକ ରୂପକୁ ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ସ୍ଥିର ରଖି ଆସିଅଛି।
ସାମାଜିକ ବ୍ୟବହାର, ଲୋକକଥା, ଲୋକଗୀତ, ଶୃତିବିଦ୍ୟା, ସ୍ଥାନୀୟ ବୈଷୟିକ କ୍ଷେତ୍ର, ପାରମ୍ପାରିକ ଶିକ୍ଷାଳୟ ଯେପରି ବୈଦ୍ୟ, ଗୁନିଆ, ସଂଗୀତ ଶିକ୍ଷା ଆଦି କ୍ଷେତ୍ରରେ କୋଶଲୀ ଭାଷା ବ୍ୟବହାର ହେଉଥିବା କାରଣରୁ ଏହି ଭାଷା ଉପରେ ବିଶେଷ ବାହ୍ୟ ପ୍ରଭାବ ପଡ଼ିପାରି ନାହିଁ। ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷା ଶାସକୀୟ ଭାଷା ଥିବା କାରଣରୁ ଏବଂ ଚଳନ୍ତି ସମୟରେ ଶିକ୍ଷାଦାନର ମାଧ୍ୟମ ଉପରୋକ୍ତ ଭାଷାମାନ ଥିବା କାରଣରୁ ଏହାର ପ୍ରଭାବ କୋଶଲୀ ଭାଷା ଉପରେ ରହିଅଛି।
ଅଶି ଦଶକ ପର୍ଯ୍ୟନ୍ତ ଏହି ଧାରା କୋଶଲୀକୁ ଏକ ଉପଭାଷା, ଜଙ୍ଗଲୀ ଭାଷା ଆଦି ବୋଲି କହୁଥିଲେ। ଯେତେବେଳେ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ ପଶ୍ଚିମ ଓଡ଼ିଶାର ଭାଷାକୁ ସ୍ୱତନ୍ତ୍ର ବୋଲି ଘୋଷଣା କଲେ ସେ ସମୟରେ ଏହା ଏକ ବୈପ୍ଲବିକ ଉଦଘୋଷ ଥିଲା। ପ୍ରଚଳିତ ଧାରାର ପ୍ରତିପ ସନ୍ତରଣ ସଦୃଶ। କେହି ମଧ୍ୟ ସହଜରେ ଗ୍ରହଣ କଲେ ନାହିଁ। ଏହି ପତ୍ରକାର ନିଜର ଛାତ୍ରାବସ୍ଥାରେ ଗୋଟିଏ ସାହିତ୍ୟ ପତ୍ରିକା ‘ଶିଖାତ୍ମା’ର ସମ୍ପାଦନାରେ ଥିବା ସମୟରେ ୧୯୯୨ ମସିହାରେ ପଣ୍ଡିତ ଜୋଷୀଙ୍କ ଏକ ଦୀର୍ଘ ସାକ୍ଷାତକାର ନେଇଥିଲା। ସେହି ସାକ୍ଷାତକାରରେ ପଣ୍ଡିତ ଜୋଷୀ ସୁନ୍ଦର ଭାବରେ ପଶ୍ଚିମ ଓଡ଼ିଶାର ଭାଷାକୁ ସ୍ୱତନ୍ତ୍ର ଓ ସମ୍ପନ୍ନ ବୋଲି କହିଥିଲେ। ଏହି ସାକ୍ଷାତକାରରେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଗୋଟିଏ ରାଜ୍ୟରେ ଦୁଇଟି ଭାଷା ବିଭାଜନକାରୀ ନୁହେଁ ବରଂ ଗର୍ବର କଥା।
ଏତେବେଳକୁ ପଶ୍ଚିମ ଓଡ଼ିଶା ବିଦ୍ୟାଳୟମାନଙ୍କରେ ଶ୍ରୀ ରାମଚନ୍ଦ୍ର ମଲ୍ଲୀକଙ୍କ ବୃହତ୍ତ କୋଶଲ ଇତିହାସର ସଂପାଦିତ ରୁପ ସଂକ୍ଷିପ୍ତ କୋଶଲ ଇତିହାସ ମାଧ୍ୟମିକ ବିଦ୍ୟାଳୟ ପାଠ୍ୟକ୍ରମ ଥିଲା। କେଉଁ କାରଣରୁ ଏହା ପାଠ୍ୟକ୍ରମରେ ଥିଲା ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ପୁରୁଷାନୁକ୍ରମେ ନିଜର ସ୍ୱତନ୍ତ୍ର ସାଂସ୍କୃତିକ ଧାରା ହିଁ ଏହାର ପ୍ରମୂଖ କାରଣ ବୋଲି ଜଣାପଡ଼େ। କାରଣ ଅଧ୍ୟୟନ ଏହା ପ୍ରମାଣ କରେ ଯେ ବୌଦ୍ଧ, ଆର୍ଯ୍ୟ, ଜୈନ ଆଦି ଧର୍ମର ପ୍ରଭାବ ସତ୍ତ୍ୱେ ନିଜର ସାଂସ୍କୃତିକ ଧାରାକୁ ଲୋକେ ମୌଳିକ ରଖି ଆସିଥିଲେ। ଆଜି ମଧ୍ୟ ଏହି ଧାରା ନିଜର ମୌଳିକତା ରଖି ଆସିଅଛି। କୌଣସି ବାହ୍ୟ ପ୍ରଭାବ ପଡ଼ିପାରି ନାହିଁ। କାରଣ ପାରିବାରିକ ଓ ସାମୁହିକ ସାଂସ୍କୃତିକ ଧାରା ସର୍ବାଦୌ ମୌଳିକ ରହି ଆସିଅଛି। ଏହି ଧାରାରେ ନା ତ କୌଣସି ଧର୍ମଧାରାର ପ୍ରଭାବ ପଡ଼ିଛି ନା କୌଣସି ଶାସକୀୟ ଧାରାର।
ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ ବିଶ୍ୱାୟନର ଦଶନ୍ଧୀ ପୂର୍ବରୁ ନିଜର ଘରେ ଜଣକିଆ ଅନୁଷ୍ଠାନ କୋଶଲ ଭାରତୀ କୁରିଆ କରି ଏକା ଏକା ନିଜର ସଂଗ୍ରାମ ଜାରି ରଖିଥିଲେ। ତାଙ୍କର ନାମକରଣ କୋଶଲୀକୁ ଅନେକ ସମର୍ଥନ କଲେ। ଭାଷା ସଂଗ୍ରାମ ଚାଲିଲା।
ଅନେକ ବିବାଦୀୟ ପରିସ୍ଥିତିରେ ପଣ୍ଡିତ ଜୋଷୀ ନିଜର ସଂଗ୍ରାମ ଜାରି ରଖିଥିଲେ। ଅନେକ ସମୟରେ ତାଙ୍କୁ ଅପମାନିତ ମଧ୍ୟ କରାଯାଇଛି। ଯାହା ତାଙ୍କୁ ବିଚଳିତ କରି ନ ଥିଲା। ସେ କହୁଥିଲେ ବ୍ୟବସ୍ଥାର ବିପରିତ ଧାରାକୁ କେହି ସ୍ୱୀକାର କରନ୍ତି ନାହିଁ କିନ୍ତୁ ବାସ୍ତବତା ସବୁବେଲେ ନିଜର ମୌଳିକତା ରଖିଥାଏ। କୋଶଲୀ ଭାଷା ଗୋଟିଏ ସୁନ୍ଦର ଶବ୍ଦଭଣ୍ଡାର ସାଇତି ରଖିଛି। ପ୍ରତିଟି ଶବ୍ଦ ପ୍ରକୃତି ଓ ମଣିଷର ବ୍ୟବହାର ସହ ଏତେମାତ୍ରାରେ ଜଡ଼ିତ ଯେ ଯାହା ପ୍ରକାଶରେ ନିଜର ପ୍ରଭାବ ଦେଖାଇଥାଏ।
ଏକଦା ଜଣେ ଗବେଷକ କୋଶଲୀ ଲିପି ନିଜେ ତିଆରି କରି ଅନୁମୋଦନ ପାଇଁ ପଣ୍ଡିତ ଜୋଷୀଙ୍କ ନିକଟକୁ ପଠାଇଥିଲେ। ଏହି ଲିପି ଉପରେ ପଣ୍ଡିତ ଜୋଷୀ ନିଜର ମନ୍ତବ୍ୟ ଦେବାକୁ ଯାଇ କହିଲେ ବୈଜ୍ଞାନିକତାକୁ ଦେଖିଲେ ଲିପି ସମୟୋପଯୋଗୀ ହେବାକଥା। କିନ୍ତୁ ସୁଖଦ ବିଷୟ ଏହା ଯେ ଲୋକେ କୋଶଲୀ ଭାଷା ଉପରେ ଗମ୍ଭିର ଅଛନ୍ତି। ମୋର ନେଇଥିବା ସାକ୍ଷାତକାରରେ ମଧ୍ୟ ସେ ସ୍ୱିକାର କରିଛନ୍ତି ଭାଷା ପାଇଁ ଲିପି ସମସ୍ୟା ନୁହେଁ। ଉଚ୍ଚାରଣ ଦୃଷ୍ଟିରୁ ଓଡ଼ିଆ ଲିପି ପ୍ରତି ଥିବା ଆମର ଅଭ୍ୟାସ ଅନୁସାରେ ଦେବନାଗରୀ ଲିପି ହିଁ କୋଶଲୀ ଭାଷା ପାଇଁ ଉପଯୁକ୍ତ ଅଟେ। ଓଡ଼ିଆ ଲିପିକୁ ସେ ବତ୍ତୃଳ ଦେବନାଗରୀ ବୋଲି କହୁଥିଲେ। କାରନ ଦେବନାଗରୀକୁ ତାଳପତ୍ର ପୋଥିରେ ଲେଖିଲା ବେଳେ ତାହାକୁ ବତ୍ତୃଳ କରିବାକୁ ହେଲା।
୧୯୯୫ ମସିହାରେ ପଣ୍ଡିତ ଜୋଷୀଙ୍କ ଜୀବିତାବସ୍ଥାରେ ଖଡ଼ିଆଳ ଅଗ୍ରସେନ ଭବନରେ ତିନି ଦିନିଆ କୋଶଲ ସମ୍ମେଳନର ଆୟୋଜନ କରା ଯାଇଥିଲା। ତିନିଦିନ ବ୍ୟାପି ଅନେକ ଭାଷାବିଦ ନିଜ ନିଜର ସମ୍ପାନ ପାଠ କରିବା ସହ ଅନେକ ଯୁକ୍ତି ଉପସ୍ଥାପିତ କରିଥିଲେ। ଏହା ଥିଲା କୋଶଲୀ ଭାଷାର ସଂଗଠିତ ସମ୍ମେଳନ। କିନ୍ତୁ ଦୁଃଖର କଥା ଏହାପରେ କୌଣସି ସଙ୍କଳନ କରାଯାଇ ନ ଥିଲା। ସମସ୍ତ ମୂଲ୍ୟବାନ ପାଠ କୁଆଡ଼େ ଗଲା କେହି କହି ପାରନ୍ତି ନାହିଁ। ଅନ୍ତତଃ ସମସ୍ତ ଆଲୋଚନାକୁ ସଙ୍କଳିତ କରି ରଖି ପାରିଥିଲେ ଓଡ଼ିଆ ଭାଷା ଭଣ୍ଡାରର ଏକ ମୂଲ୍ୟବାନ ସଂଗ୍ରହ ହୋଇ ପାରିଥାନ୍ତା।
ବାଦବିବାଦ ସତ୍ତ୍ୱେ ୧୯୮୬ ମସିହା ପରେ ସରକାରୀ ସ୍ତରରେ କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ଲାଗି ଓଡ଼ିଶା ସରକାର ନିଜର ଦାବୀ ଉପସ୍ଥାପନ କରିଛନ୍ତି।
ଏ ସମୟାନ୍ତରାଳରେ କୋଶଲୀ ଭାଷାକୁ ନେଇ ଏକପ୍ରକାର ବିବାଦ ଦେଖା ଯାଇଛି। ସମ୍ବଲପୁରୀ ଓ କୋଶଲୀ ନାମକରଣର ଦ୍ୱନ୍ଦ ଭିତରେ ଏବେ କୋଶଲୀ ଭାଷାକୁ ସମ୍ବଲପୁରୀ-କୋଶଲୀ ଭାଷା ବୋଲି ପରିଚୟ ଦେଉଛନ୍ତି। କିନ୍ତୁ ଏହା ମଧ୍ୟ ଦ୍ୱିପାକ୍ଷିକ ଅସନ୍ତୋଷରେ ରହିଥିବା ଦେଖାଯାଏ। ଏକ ପ୍ରାଚୀନ ଭାଷା ହଜାର ହଜାର ବର୍ଷ ନିଜକୁ ସ୍ଥିର ରଖି ଆସିଥିବା ବେଳେ ଏତାଦୃଶ ବିବାଦ ଯେ କୌଣସି ପ୍ରଭାବ ପକାଇବ ତାହାକୁ ଅନେକ ଅସ୍ୱୀକାର କରନ୍ତି। କିନ୍ତୁ ଭାଷାର ସ୍ୱତନ୍ତ୍ରତାକୁ ନେଇ ସରକାରଙ୍କ ସହ ବିବାଦ ତା ସାଙ୍ଗକୁ କୋଶଲ ସ୍ୱତନ୍ତ୍ର ରାଜ୍ୟ ଦାବୀ ଓଡ଼ିଶା ଭିତରେ ଦୁଇ ପ୍ରକାର ମତ ଦେଖା ଯାଉଥିବା ବେଳେ କୋଶଲୀ ଓ ସମ୍ବଲପୁରୀ ବିବାଦ ଏହା ସାଙ୍ଗକୁ ଆଞ୍ଚଳିକତା କୌଣସି ସ୍ଥିର ନିଶ୍ଚିତ ସ୍ତରରେ କାହାକୁ ପହଞ୍ଚାଇ ନାହିଁ ବୋଲି ପ୍ରତୀତ ହୋଇଥାଏ।
ଏ ସମୟରେ ପୂର୍ବାଞ୍ଚଳର ବିଜ୍ଞଗଣ କୌଣସି ତର୍କ ବିନା କୋଶଲୀ ଭାଷାକୁ ଉପଭାଷା, କୋଶଲୀ ଭାଷା ଆନ୍ଦୋଳନକୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଆଦି କହି ଅସ୍ୱୀକାର କରି ଆସୁଥିଲେ। ଯାହା ବର୍ତ୍ତମାନ ମଧ୍ୟ କୌଣସି ପ୍ରକାରେ ପ୍ରଶମନ ହୋଇ ନାହିଁ। କୌଣସି ଲିଖିତ ସାହିତ୍ୟ ନ ଥିଲେ ଗୋଟିଏ ଭାଷା ଯେ ଉପଭାଷା ହୋଇଯିବ ଏହି ତର୍କ ନିଶ୍ଚୟ ଅପରିପକ୍ୱତାର ପରିଚାୟକ। କୋଶଲୀ ଭାଷା ହୁଏତ ସେ ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ ଯାହର ବ୍ୟବହାରକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ତାହାକୁ ମୌଳିକ ରଖି ଆସିଛନ୍ତି, ଏ ବିଷୟ ନିଶ୍ଚୟ ଆଲୋଚନା ଓ ଗବେଷଣାକୁ ଅପେକ୍ଷା କରେ। ଓଡ଼ିଶାର ଯିଏ ମଧ୍ୟ କୋଶଲୀ ଭାଷାର ସମର୍ଥନ ଅବା ବିପକ୍ଷରେ କହୁ ସେ ନିଶ୍ଚିତ ତା ପଛର ତର୍କ ଉପରେ ଆଲୋକପାତ କରିବା କଥା। କିନ୍ତୁ ଏହା କରାଯାଇ ନାହିଁ।
ଏ ମଧ୍ୟରେ କୋଶଲୀ ଭାଷାରେ ରାମାୟଣର ଅନୁବାଦ ହୋଇ ସାରିଛି। କିନ୍ତୁ ଓଡ଼ିଆ ରାମାୟଣ ସ୍ଥାନରେ କୋଶଲୀ ରାମାୟଣକୁ ସ୍ଥାପନ କରାଯାଇ ପାରି ନାହିଁ। କାରଣ ଜଣେ ପଶ୍ଚିମ ଓଡ଼ିଶାର ଲୋକ ନିଜର ଘରେ ମଶାନକୁନାରେ ପୂଜା କଲାବେଳେ ନିଜର ଭାଷାର ମନ୍ତ୍ର କହିଥାଏ, ତଦୃପ ଭାଗବତ ଟୁଙ୍ଗିରେ ଓଡ଼ିଆ ଭାଷାର ପୁରାଣ ଶୁଣିଥାଏ। ଏହା ସହ ପଶ୍ଚିମ ଓଡ଼ିଶାରେ ଦୈନିକ ଖବରକାଗଜମାନଙ୍କ ଅନେକ ସଂସ୍କରଣ ବାହାରିଥାଏ। ୧୯୯୪ ମସିହା ପରେ ପରେ ପ୍ରକାଶନ ସଂସ୍ଥାମାନ ପଶ୍ଚିମ ଓଡ଼ିଶାରେ ନିଜ ନିଜର ଖବରକାଗଜ ଛାପୁଛନ୍ତି। ସମସ୍ତ ଖବର ଓଡ଼ିଆରେ ବାହାରି ଥାଏ। ବିପୁଳ ବ୍ୟବସାୟ ମଧ୍ୟ କରିଥାଏ। କେବଳ ସପ୍ତାହନ୍ତ ଆଲୋଚନାରେ କୋଶଲୀ ଭାଷାକୁ ସ୍ଥାନିତ କରିଥାନ୍ତି। କବିତା ବହୁଳ ସଂକଳନ ମାନ ପ୍ରଥମ କରି ଗୋଟିଏ ପ୍ରଚୀନ ଭାହାର ଆଧୁନିକ ଲିଖିତ ସାଧାରଣ ସାହିତ୍ୟ ସାହିତ୍ୟ ପାଇଁ ଯଥେଷ୍ଟ ନୁହେଁ।
ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୋଶଲୀ ଭାଷାରେ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଥିଲେ। ଏହାର ପ୍ରୟୋଗ କଣ ରହିଲା। ଏହି ପାଠ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ କେଉଁପରି ଥଇଥାନ କରାଗଲା ଅବା କରାଯିବାର ପ୍ରତିଶୃତି ଦିଆଗଲା ସେ ଉପରେ ବିଶେଷ ତଥ୍ୟ ମିଲି ନ ଥାଏ।
ରାମାୟଣ ଓ ମହାଭାରତ ବିଶ୍ୱ ସାହିତ୍ୟ ପାଇଁ ଅମୂଲ୍ୟ ଗ୍ରନ୍ଥ ସମୂହ। ରାମାୟଣ କେବଳ ଭାରତରେ ତିନିଶହରୁ ଉର୍ଦ୍ଧ୍ୱ ପ୍ରକାରେ ରହିଅଛି। ସର୍ବ ଭାରତୀୟ ସ୍ତରରେ ଗୋଟିଏ ମତକୁ ନିଜ ନିଜ ଭଙ୍ଗିରେ ପ୍ରକାଶ କରାଯାଏ ଏହାର ସର୍ବୋତ୍କୃଷ୍ଟ ଉଦାହରଣ ରାମାୟଣ ଅଟେ। ତଦୃପ କୋଶଲୀ ଭାଷାରେ ମଧ୍ୟ ଏହାର ମୌଳିକ ରାମାୟଣ ରହିଅଛି। ଯାହା ଲୋକଗୀତ ଓ ଲୋକକଥାରେ ରହିଥିବା ଜଣାଯାଏ। ଏହାର ମୌଳିକତାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରେ ନାହିଁ।
ନାମକରଣ ବିବାଦ ଏବଂ ବିଚ୍ଛିନ୍ନତାବାଦୀ ଭଲି ଆରୋପ ପରେ ମଧ୍ୟ କୋଶଲୀ ଭାଷା ନିଜକୁ ଗୋଟିଏ ସ୍ଥିତିରେ ଆଣି ରଖି ପାରିଛି। ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହାର ସୁପରିଣାମ ବର୍ତ୍ତମାନ ଦେଖିବାକୁ ମିଳିଥାଏ। ଗୋଟିଏ ସଂଗ୍ରାମର ସୁଖଦ ଫଳାଫଳ ବିନା ସାମୁହିକ ପ୍ରୟାସରେ ଅସମ୍ଭବ। କାବ୍ୟ ଉପନ୍ୟାସ ଆଲୋଚନା ଆଦି ଗ୍ରନ୍ଥମାନ କୋଶଲୀ ଭାଷକୁ କ୍ରମ ଉତ୍ତରଣ ଦେଇ ଆସୁଅଛି।
ଏହାର ପଛରେ କୋଶଲରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀଙ୍କ ପ୍ରୟାସ ନିଶ୍ଚୟ ତାଙ୍କ ସମସାମୟିକ ବିଭୁତିଙ୍କ ସହଭାଗ ତୁଲ୍ୟ ଅଟେ। ଗୋଟିଏ ଭାଷାକୁ ପୁନଃ ସ୍ଥାପିତ କରିବାରେ ତାଙ୍କର ସାଧନା ନିଶ୍ଚିତ ଓଡ଼ିଶା ମାଟିର ଜଣେ ବରପୁତ୍ର ଭାବରେ ତାଙ୍କୁ ସ୍ଥାପିତ କରିଛି। ଏହା ହିଁ ସବାଶେଷ ଗୋଟିଏ ବିପ୍ଲବର ସୁଖଦ ପରିଣତି।

Leave a Reply