ମୁଖାପିନ୍ଧା ମଣିଷ
ରାଜୀବ ସଗରିଆ

ମୁଖାପିନ୍ଧା ମଣିଷ
ରାଜୀବ ସଗରିଆ
ପ୍ରକାଶକ : ଜାଗୃତି ପ୍ରକାଶନ, ଭୁବନେଶ୍ୱର
ପ୍ରଥମ ପ୍ରକାଶନ : ୨୦୦୯
ଅକ୍ଷରସଜ୍ଜା : ଶାନ୍ତା ବେଉରା
ପ୍ରଚ୍ଛଦ : ଡଃ ରମାକାନ୍ତ ସାମନ୍ତରାୟ
ମୁଦ୍ରଣ : ସମଦୃଷ୍ଟି, ଭୁବନେଶ୍ୱର
ମୁଲ୍ୟ : ୧୫୦/- (ଏକଶତ ପଚାଶ ଟଙ୍କା ମାତ୍ର)

MUKHA PINDHA MANISHA
RAJIB SAGARIA
Publisher: Jagruti Prakashaan, BBSR
1st published : 2009
Type Setting : Shanta Beura
COVER : Dr. Ramakanta Samantray
Printed At : Samadrusti, BBSR
Rs.150/-(One hundred fifty only)

କାହିଁକି ଏ ଲେଖା ?
ବିଶ୍ୱ ଦରବାରରେ ଅଧିକାଂଶ ସମୟ ଏହି ଗୋଟିଏ ଭୂଖଣ୍ଡ ଯେତେବେଳେ ଚହଳ ପକାଏ, କେବଳ ଦାରିଦ୍ର‌୍ୟର ଉଦାହରଣ ଯୋଗୁଁ। ଏହାକୁ ନେଇ ଅନେକ ଆଲୋଚନା, କଥା, ଉପକଥା। ହଜାର ହଜାର କୋଟି ଟଙ୍କା ଏହି ଲୋକମାନଙ୍କ ପାଇଁ ଆସେ। ସବୁତକ ବୋହିଯାଏ ଅଳ୍ପ କେଇଟି ବର୍ଷରେ, କିନ୍ତୁ ଏମାନେ ଛୁଇଁ ପାରନ୍ତି ନାହିଁ। ସେହି ଅଭାବ, ସେହି ଦାରିଦ୍ର‌୍ୟ ରହିଯାଏ ପୂର୍ବବତ।
କିନ୍ତୁ ଆଶ୍ଚର୍ଯ୍ୟ, ଦ୍ୱିଧା ସାମ୍ନାକୁ ଆସେ। ସହର ବଢ଼େ, ତା’ର ସୁନ୍ଦରତା ବି ବଢ଼େ। ଏହି ଅନୁପାତରୁ କ୍ଷୀପ୍ରଗତିରେ ଶ୍ରୀହୀନ ହୁଏ। ମଣିଷର ଶ୍ରମ, ପ୍ରାକୃତିକ ସମ୍ପଦ, ଜମି ସମେତ ଉନ୍ନୟନମୂଳକ କାମ ପାଇଁ ଆସୁଥବା ଟଙ୍କାର ଗୋଟିଏ ବ୍ୟବସ୍ଥିତ ବଜାର ଚାଲେ। ଚାଲାକ୍ ଲୋକମାନେ ଏଠାକାର ଲୋକଙ୍କ ସରଳତା, ଶ୍ରମ ଓ ସମ୍ପତିକୁ ନିଜ ଇଛାରେ ରଖି ଉନ୍ନତି କରନ୍ତି। ଖାସ୍ ଏଇଥିପାଇଁ ରାଜନିତି ବି କରନ୍ତି। ମାନବତାର ମୂଲ୍ୟାଙ୍କନ ସହ ତା’ର ସମ୍ପନ୍ନତାବି କ୍ଷୀପ୍ରପତିତ (ଗ୍ଦଗ୍ଧକ୍ସରବଜ୍ଞସଦ୍ଭଶ ୟକ୍ଟଙ୍ଗଦ୍ଭ) ହୁଏ। ଏହାକୁ ଏ ଅଞ୍ଚଳର ପ୍ରତିବାଦହୀନ ମଣିଷମାନଙ୍କର ନିୟତି କରିସାରିଛନ୍ତି ସେହି ଚାଲାକ ଲୋକମାନେ। କଳାହାଣ୍ଡିର ଗୁଡ଼଼ହାଣ୍ଡି, ନୂଆପଡ଼ାର ଯୋଗୀମଠ, ସୁବର୍ଣ୍ଣପୁରର ପୂଜାଡୁଙ୍ଗରୀରେ ପ୍ରସ୍ତରଯୁଗର ଚିତ୍ର ଖ୍ରୀ.ପୂ ଦଶହଜାର ବର୍ଷର ବୋଲି କୁହାଯାଏ। ଏହି ସମୟଠାରୁ ସଭ୍ୟତାର ଧାରା ବୌଦ୍ଧଯୁଗ, ତନ୍ତ୍ରଯୁଗକୁ ଅତିକ୍ରମ କରି ପ୍ରବହମାନ। ଛତିଶଗଡ଼ର ଶ୍ରୀପୁର, ରାଣୀପୁର ଝରିଆଲ, ମାରାଗୁଡ଼ା ,ସୁବର୍ଣ୍ଣପୁର ଓ ବୌଦ୍ଧର ପ୍ରାଚିନ ମନ୍ଦିର ଓ ଧର୍ମମତର ଚିହ୍ନ ଆଜିବି ଅଛି। ମଣିଷ ସଭ୍ୟତା ଆରମ୍ଭରୁ ଆଜିପର୍ଯ୍ୟନ୍ତ ମାନବସମାଜର ଧାରାକୁ ଉପଯୁକ୍ତ ଗବେଷଣା କରାଯାଇ ପାରିନାହିଁ ବରଂ ବିଗତ କିଛି ଦଶନ୍ଧି ହେଲା କ୍ରମାଗତ ଏ ପୃଥିବୀର ପ୍ରାଚୀନ ଜନବସତି ଥିବା ଭୂଖଣ୍ଡକୁ ଶୋଷଣ କରାଯାଇ ଆସୁଛି। ଏଠାକାର ଆଦିମ ଜନଜାତି ସର୍ବହରା ହୋଇ ପଳାୟନ କରୁଛି, ଭୋକରେ ମରୁଛି ଅବା ନିଜ ଜନ୍ମିତ ସନ୍ତାନର ମୂଲ୍ୟାଙ୍କନ କରିବାରେ ବି ଦ୍ୱିଧା କରୁନାହିଁ। ଏପରି ଏକ ଉଦାହରଣ ଖବରକାଗଜକୁ ଆସିଲେ ତଳୁ ଉପର ପର୍ଯ୍ୟନ୍ତ ଶାସନକଳ ଚଳଚଞ୍ଚଳ ହୋଇଯାଉଛି। ସ୍ୱୟଂ ପ୍ରଧାନମନ୍ତ୍ରୀ ନିଜେ ଆସୁଛନ୍ତି ଅଥବା ନିଜେ ଏ ଅଞ୍ଚଳର କୌଣସି ଘଟଣା ଉପରେ ମନ୍ତବ୍ୟ ଦେଉଛନ୍ତି। ଲୋକଙ୍କ ଜୀବନମାନର ଉନ୍ନତି ଲାଗି କୋଟି କୋଟି ଟଙ୍କାର ଅନୁଦାନ ଆସୁଛି, କିନ୍ତୁ ଦାରିଦ୍ର‌୍ୟର ଭାଷା କି ଚିତ୍ର ବଦଳୁନାହିଁ।
ବାରହଜାର ବର୍ଷ ପୁରୁଣା ଗୋଟିଏ ସଭ୍ୟଜାତି କାହିଁକି ପତନର ଚରମତାକୁ ଛୁଇଁଛି, ଏ ଉତ୍ତର କାହା ନିକଟରେ ନାହିଁ। ଏ ବିଷୟରେ ଅନେକ କଥା ଲେଖାଯାଇଛି। ଅନେକ ହିସାବ କିତାବ କରାଯାଇଛି। ଅନେକ ସାହାଯ୍ୟ ସହୋଯୋଗ ବି ଆସିଛି। ତଥାପି ସବୁ ମୂଲ୍ୟହୀନ ହୋଇଛି, ପରିବାର ଧରି ଦାଦନ ଖଟି ଯାଉଥିବା ମଣିଷ ନିକଟରେ।
ଏ ଭୂଖଣ୍ଡର ମାଟିତଳେ ୮୨ ପ୍ରକାରର ରତ୍ନ ଅଛି, ବକ୍ସାଇଟ ଅଛି, ଗ୍ରାଫାଇଟ ଅଛି, ଜଙ୍ଗଲରେ ଦୁର୍ଲଭ ଦୃମଲତା ଅଛି, ଜନ୍ତୁ ଅଛନ୍ତି। ନଦୀରେ ପାଣି ବି ଅଛି। ଅଜବ ବିରୋଧାଭାଷ ବି ଅଛି। ମାଟିତଳେ ରତ୍ନପଥର, ତା’ ଉପରେ ମାଟି କୁଡ଼ିଆରେ ଭୋକରେ ଶୋଇଥିବା ମଣିଷ । ନିଜର କୈଶୋରରେ ଜମିରୁ ହରିଣ କି କୁଟ୍‌ରା ପଲଙ୍କୁ ଘଉଡ଼ାଉଥିବା ବୁଢ଼ାଟିର ପରିସୀମାରୁ ଜଙ୍ଗଲ ହଜିଯାଇଥିବା ଦେଖେ। ଜ୍ୟେଷ୍ଠ ଖରାରେ, ଚଳନ୍ତା ନଦୀରେ ଗାଧୋଉଥିବା ବେଳେ ଆଜି ଶୀତଆସିବା ପୂର୍ବରୁ ନଦୀ ଶୁଖିଯିବାର ଦେଖେ। ‘ପୁଷ୍‌ପୁନୀ’ ଦିନ ଗାଁ ପିଲାଙ୍କୁ ଚୁଡ଼ାଗୁଡ଼ ବାଣ୍ଟୁଥିବା ଲୋକର ପୁଅ ଆଜି ଆନ୍ଧ୍ରପ୍ରଦେଶକୁ ଇଟା ଗଢ଼ିଯାଏ କି ରାୟପୁରକୁ ରିକ୍ସା ଚଳେଇ ଯାଏ। କିନ୍ତୁ କାହିଁକି ଏହାର ଉତ୍ତର କେହି ଦିଅନ୍ତି ନାହିଁ।
ନା ତ’ ଏଠାକାର ମାଟିକୁ ପଢ଼ାଯାଏ, ନା ମଣିଷକୁ, ନା ଇତିହାସକୁ; କେବଳ ସ୍ୱପ୍ନଟିଏ ହାତରେ ଧରେଇ ଭୋଟ କିଣାଯାଏ। କେତୋଟି ଦଶନ୍ଧିର ତାଡ଼ନାରେ ହଜାର ହଜାର ବର୍ଷର ଗୌରବ ଲୁଣ୍ଠିତ ହୁଏ। ମଣିଷ ବଜାରରେ ପଣ୍ୟ ହୋଇଯାଏ ବିନା ପ୍ରତିବାଦରେ। ଏହି କାରଣରୁ ନିଜର ଭୋଟକୁ ବିକିଦିଏ ସାମାନ୍ୟ କେଇଟା ଟଙ୍କା ବଦଳରେ। କାରଣ ସେ ଜାଣେ ବାରହଜାର ବର୍ଷର କ୍ରମାଗତ ଉନ୍ନତି ପରେ ଆଜି ସେ ଗଣତନ୍ତ୍ରରେ ନିଜର ମତଦେଇ ଏହାଠୁ ଅଧିକ କିଛି ପାଇବ ନାହିଁ ଆଗାମି ପାଞ୍ଚବର୍ଷ। ସେ ମତଦାତା ନୁହେଁ, ମତବିକ୍ରେତା ହୁଏ। ସବୁଠୁ ଦୁଃଖର କଥା ମତକ୍ରେତାକୁ ବାରହଜାର ବର୍ଷ ବୟସର ଅଭିଜ୍ଞ ଲୋକଟି ନିଜର ଅନିଚ୍ଛା ସତ୍ତ୍ୱେ ନେତା ମାନିବାକୁ ବାଧ୍ୟ ହୁଏ। ସେ ସରପଞ୍ଚ ହେଉ ଅବା ବିଧାୟକ। ଏ ଭୂଖଣ୍ଡର ସାମାନ୍ୟ କେତେଜଣ ଚରିତ୍ରଙ୍କୁ ନେଇ ମୁଁ ଏହାର ସତ୍ୟତା ଛୁଇଁବାର ପ୍ରୟାସ କରିଛି। ଏ ମାଟିର ସ୍ପନ୍ଦନକୁ ଛୁଇଁବାର ଧୃଷ୍ଟତା କରିଛି। ମୋ ପୂର୍ବରୁ ଅନେକ ଲୋକ ଅନେକ କଥା ଲେଖିଛନ୍ତି। ସେମାନଙ୍କର ନିଷ୍ଠାକୁ ଅସ୍ୱୀକାର କରାଯାଇ ନପାରେ। ତଥାପି ମୋର ଲେଖିବାର କାରଣ ଏହା ଯେ ପ୍ରଥମତଃ ମୁଁ ଜଣେ ପତ୍ରକାର ଏବଂ ସବାଶେଷ କଥା ଏହା ଯେ ମୁଁ ଏ ପ୍ରାଚୀନ ସଭ୍ୟତାର ଜଣେ ଅଂଶ। ମୁଁ ଏ ମାଟିର, ଏ ଚରିତ୍ରମାନଙ୍କ ସହ ମୁଁ ବଞ୍ଚେ। ଶାସ୍ତ୍ର କହିବାର ବହୁପୂର୍ବରୁ କଳାହାଣ୍ଡିର ପୃଥିବୀର ପଥମ ପଶୁପତି ଚିତ୍ରରେ ବସୁଧୈବ କୁଟୁମ୍ବକମ୍‌ର ସନ୍ଦେଶ ପଢ଼ିଛି। ଆଜିର ଗ୍ଲୋବାଲାଇଜେସନ୍‌ରେ ଏ ମଣିଷଙ୍କ ସଙ୍ଗେ ଅଛି। ଏ ପାର୍ଥକ୍ୟ ଭିତରେ ମଣିଷର ସମଗ୍ରତାକୁ ନେଇ ବଜାର ଭିତରେ ଠିଆ କରେଇ ତା’ର ମୂଲ୍ୟାଙ୍କନ କରାଯାଉଛି। ଏ ବହିଟି ମାନବିକ ମୂଲ୍ୟବୋଧକୁ ମୁଁ ମୋ ମାଟିର କେତେଜଣ ଚରିତ୍ରଙ୍କୁ ଆଧାର କରି ମୋର ସତ୍ୟପାଠ କରିଛି ମାତ୍ର।
ଏ ସମୟରେ ପଛରେ ଛାଡ଼ିଆସିଥିବା ଲୋକମାନେ ମନେପଡ଼ନ୍ତି। କୋଲକାତାରୁ ପ୍ରକାଶିତ ପ୍ରତିବେଶୀ, ଆକାଶବାଣୀ ତଥା ଅନେକ ଛୋଟବଡ଼ ପତ୍ରିକାରେ ମୁଁ କ୍ଷୁଦ୍ରଗଳ୍ପ ଲେଖୁଥିଲି। ନିଜର ଗୋଟିଏ ମିନି ସାହିତ୍ୟ ପତ୍ରିକା ‘ଶିଖା’ ଓ ପରେ ‘ଶିଖାତ୍ମା’ ପ୍ରକାଶିତ କଲି। ପ୍ରଥମେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ ରେ ସ୍ଥାନୀୟ ପ୍ରତିନିଧ୍‌ô ଭାବରେ ସାମ୍ବାଦିକତା ଆରମ୍ଭ କଲି। ଏହାପରେ ରବି ଦାସଙ୍କ ପର୍ଯ୍ୟବେକ୍ଷକରେ ସାମ୍ବାଦିକ ରହିଲି। ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ‘ଶତାବ୍ଦୀ’ ପତ୍ରିକା ଜଗତରେ ଏକ ବିପ୍ଳବ ଥିଲା ନିଶ୍ଚୟ। ଏହା ଓଡ଼ିଶାର ଏକ ପରିଚୟ ହୋଇ ସାରିଥିଲା। ଏଠାରେ ଚନ୍ଦ୍ରଭାନୁ ପଟ୍ଟନାୟକ ଏବଂ ଅସିତ୍ ମହାନ୍ତିଙ୍କ ସହ କାମ କଲାବେଳେ କୌଣସି ସାମୟିକ ବିଚାର ଅବା ମତବାଦର ଅଙ୍କୁଶ ନଥିଲା। କେବଳ ସାମ୍ବାଦିକତା ହିଁ ଧର୍ମ ଥିଲା, କର୍ତବ୍ୟ ଥିଲା। ‘ଶତାବ୍ଦୀ’ ପାଇଁ କାମ କରିବା ଯେକୌଣସି ସାମ୍ବାଦିକ ପାଇଁ ଗର୍ବର କଥା ନିଶ୍ଚୟ। ଏହାପରେ ମୁଁ ମୋର ଗୋଟିଏ ପାକ୍ଷିକ ଖବରକାଗଜ ‘ମୋକ୍ତା’ର ସମ୍ପାଦନା କଲି ଲକ୍ଷ୍ମୀଧର ନାୟକଙ୍କ ସହ। ଲକ୍ଷ୍ମୀଧର ନାୟକଙ୍କ ସହ ପରିଚୟ ବହୁ ପୂର୍ବରୁ କିନ୍ତୁ କ୍ରମାଗତ ତାଙ୍କ ସହ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ବୁଲିଛି। ଲୋକଙ୍କୁ ଭେଟିଛି। ଏ ଅବସରରେ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ। ଅଗ୍ରଲେଖ ଲେଖବବାକୁ ସମ୍ମତି ପ୍ରଦାନ କରିଥିବା “ସମଦୃଷ୍ଟି”ର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କୁ ମୋର ହାର୍ଦ୍ଧିକ କୃତଜ୍ଞତା।
‘ଶତାବ୍ଦୀ’ ରେ କାମ କଲାବେଳେ ବିଘ୍ନେଶ୍ୱର ସାହୁଙ୍କ ସହ ଭେଟ। ମୁଖାପିନ୍ଧା ମଣିଷର କଳ୍ପନା ଓ ଏହାର ରୁପାୟନର ସମସ୍ତ ଶ୍ରେୟ ତାଙ୍କର ଓ ତାଙ୍କର ପରିଶ୍ରମର। ମା’ ଓ ବାପାଙ୍କ ନୀରବ ସମର୍ଥନ ମୋ ପାଇଁ ସବୁଠୁ ବଡ଼ ଆଶୀର୍ବାଦ।
ମୋ ଧର୍ମପତ୍ନୀ ଆଶା, ବିରକ୍ତ ହେବା ବଦଳରେ ବରଂ ମାନସିକ ଭାବେ ସହଯୋଗ କରିଛନ୍ତି, ସାହସ ଦେଇଛନ୍ତି; ଯାହାଲାଗି ମୁଁ ଲେଖାଲେଖିରେ ଝୁଣ୍ଟିବାରୁ ରକ୍ଷାପାଇଛି।

ଅଗ୍ରଲେଖା
ବହୁଚର୍ଚ୍ଚିତ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଅଞ୍ଚଳର ଓଡ଼ିଶା ତଥା ଦେଶର ରାଜନୀତିକୁ ପ୍ରଭାବିତ କଲାଭଳି କିଛି କଥା ଓ କାହାଣୀ ଯୋଗାଇ ଆସିଛି। ତୁହାକୁତୁହା ମରୁଡ଼ି, ଭୂଖା, ଶ୍ରମିକଚାଲାଣ, ପିଲାବିକ୍ରି ଇତ୍ୟାଦି ଘଟଣା ଓ ସେସବୁର ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରଧାନମନ୍ତ୍ରୀମାନଙ୍କୁ ବି ଟାଣିଆଣିଛି ଏହି ଅଞ୍ଚଳକୁ। ଆଶ୍ୱାସନା ଓ ପ୍ରତିଶ୍ରୁତିର ସୂଅ ଭିତରେ ଆସିଛି ଅନେକ ଯୋଜନା କେବିକେ ନାଁରେ, ଅର୍ଥ ବି ଆସିଛି। ସମଗ୍ର ଅଞ୍ଚଳକୁ ଦାରିଦ୍ର‌୍ୟ ସୀମାରେଖା ତଳେ ରଖିଦିଆ ଯାଇଛି। ତଥାପି ଆଜି ଅନାହାର କାହାଣୀ ସରୁନାହିଁ। ତଥାପି ପିଲାବିକ୍ରି ବନ୍ଦ ହେଉନାହିଁ, ତଥାପି କାମଟିଏ ପାଇବା ଆଶାରେ ହଜାର ହଜାର ପରିବାର ଗାଁମାଟି ଛାଡ଼ି ଦୂରଦୂରାନ୍ତକୁ ଯିବାରେ ପଛାଇ ନାହାନ୍ତି। ସେମାନଙ୍କର ନିର୍ଯ୍ୟାତନା କାହାଣୀର ବି ଅନ୍ତ ନାହିଁ। ତଥାପି କେବିକେକୁ ନେଇ ରାଜନୀତି କମ୍ ହେଉନାହିଁ। ବୋଝ ଉପରେ ନଳିତା ବିଡ଼ା ଭଳି ଏତେ ସମସ୍ୟା ଥାଉ ଥାଉ ସମସ୍ୟାର ଆଉ ଏକ ବଡ଼ ପାହାଡ଼ ତିଆରିକରିବା କଥା ସରକାର ନିଜେ କରିଚାଲିଛନ୍ତି। ଯେତେବେଳେ ଆବଶ୍ୟକ ହେଉଛି କ୍ଷେତକୁ ପାଣି, ଅମଳ ହେଉଥିବା ‘ସଲର ଉଚିତ ମୂଲ୍ୟରେ ବିକ୍ରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ହାତକୁ କାମ ସରକାର ଦ୍ରୁତ ଶିଳ୍ପାୟନ ନାଁରେ ଲୋକଙ୍କଠୁ ଥିବା ସମ୍ପଦଗୁଡ଼ିକ ଛଡ଼ାଇ ନେଉଛନ୍ତି। ଏକ ଜଟିଳ ପରିସ୍ଥିତିରେ ପହଞ୍ଚିଛନ୍ତି କେବିକେବାସୀ। ଠିକ ଏତିକି ବେଳେ ଚରମ ବାସ୍ତବତା ଉପରେ ଆଧାରିତ ରାଜୀବ ସଗରିଆଙ୍କ ଏହି ପୁସ୍ତକ ଏକ ସ୍ୱାଗତଯୋଗ୍ୟ ଓ ଅଭିନନ୍ଦନୀୟ ପଦକ୍ଷେପ। କେବିକେର ଦୁଃଖଗୁଡ଼ିକ ସେ ଅଞ୍ଚଳର ଗାଁ ମାନଙ୍କରେ ରହୁଥିବା କିଛି ଚର୍ଚ୍ଚିତ ଓ ଆଉକିଛି ଅଣଆଲୋଚିତ ଚରିତ୍ରମାନଙ୍କର ଜୀବନକାହାଣୀ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଶ୍ରୀ ସଗରିଆ। ଗୋଟିଏ ପଢ଼ିଲେ ଅନ୍ୟଟି ପଢ଼ିବାପାଇଁ ଇଛାହେବ ଏବଂ ଏମିତିରେ କେତେବେଳେ ବହିଟି ସରିଯିବ, ଜଣାପଡ଼ିବ ନାହିଁ।
ସାମ୍ବାଦିକ, ଗବେଷକ ଓ କଥାକାରର ସମନ୍ୱୟ ନିଜ ଭିତରେ ଆଣିବା ପାଇଁ ଚେଷ୍ଟା କରିଛନ୍ତି ରାଜୀବ। ସମ୍ବାଦପତ୍ରରେ ଚର୍ଚ୍ଚା ପାଇଁ ମସଲା ଯୋଗାଇ ଆସିଥିବା ବହୁ ଆଲୋଚିତ ଓ ଚର୍ଚ୍ଚିତ ଚରିତ୍ରଗୁଡ଼ିକ କେମିତି ଜୀବନ ସହ ସଂଗ୍ରାମ ଏବେବି ଜାରିରଖିଛନ୍ତି ଏବଂ କେତେ ବି ଅବେଳରେ ଟଳି ପଡ଼ିଛନ୍ତି, ରାଜୀବଙ୍କ ଲେଖାରୁ ସେସବୁ ଝଲକ ମିଳିବ। ଯାହା ପାଇଁ କେବିକେ ଯୋଜନା ତିଆରି ଚାଲିଛି ତାହାର ଅସ୍ତିତ୍ୱ ଓ ଅସ୍ମିତା ଆଜି ସଙ୍କଟ ଭିତରେ। ଯୋଜନାଟିଏ କରିବା, ନକରିବା, ଅଧାରୁ ବନ୍ଦକରିବା ବା କାହା ନାଁରେ ନାମିତ କରିବା ଇତ୍ୟାଦିର ରାଜନୀତି କେବିକେ ବାସୀଙ୍କ ଦୁଃଖର୍ଦ୍ଦଶାକୁ ବଢ଼ାଇଚାଲିଛି। ତାହାର କିଛି ପ୍ରଭାବ ପଡ଼ୁନାହିଁ ଜୀବନ ସଂଗ୍ରାମରେ କ୍ଲାନ୍ତ ହୋଇଯାଇଥିବା ଲୋକମାନଙ୍କ ଉପରେ। ରାଜୀବଙ୍କ ନିଜ ଭାଷାରେ ‘କୁମାରୀ ଆଜି ବି ବୁଲୁଛି ସହଯୋଗ ପାଇବା ଆଶାରେ। ଅତୀତରେ ଝିଅବିକ୍ରି ପରି ଏକ ଅଭାବନୀୟ କାମ କରିଥିବା ପୁଞ୍ଜିକୁ ପାଥେୟ କରି….ତା’ ପଇସା ତାକୁ ନଦେଇ ସରକାରୀ ଲୋକେ ଓ ନେତାମାନେ ଖାଇ ଯାଇଛନ୍ତି। ଏବେ ସରକାର କେବିକେ ଜିଲ୍ଲାରେ ଆହୁରି ଆଠବର୍ଷ ପାଇଁ ଦୀର୍ଘମିଆଦି ଯୋଜନାର କଥା ଚିନ୍ତା କରୁଛନ୍ତି’। ସେହିଭଳି ଅନ୍ୟ ଏକ ଜୀବନସ୍ପର୍ଶୀ ଚରିତ୍ର ନୁରା। ଯେ କହେ ‘ପୁଅଝିଅ ଭୋକରେ ମରିବେ, ସତୀ ଥାଇ ଲାଭ କ’ଣ?’ ରାଜୀବଙ୍କ ଭାଷାରେ ଦୀର୍ଘ ଉତ୍ପୀଡ଼ନ ଫଳରେ ଚର୍ଚ୍ଚିତ ହୋଇ ସାମ୍ନାକୁ ଆସିଥିବା ଗୋଟିଏ ନଆଁ ନୁରା। କେବଳ କୁମାରୀ ବା ନୁରା ନୁହେଁ; ଆହୁରି ଅନେକ ସଂଘର୍ଷରତ, ନିର୍ଯାତିତ ଏବଂ ଉତ୍ପିଡ଼ନର ଶିକାର ଅନେକ ଚରିତ୍ର ରାଜୀବଙ୍କ ଲେଖାରେ ଯେ କେହି ଆବିଷ୍କାର କରିବ। ଯେମିତିକି ଉର୍ମିଳା, ସୁନୀତା, ବନୀତା, ହେମା, ପ୍ରେମଶୀଳା ଇତ୍ୟାଦି ଇତ୍ୟାଦି। ସେ କୁହନ୍ତି ଦାରିଦ୍ର‌୍ୟ ଅନେକଙ୍କୁ ଅସହାୟ କରେ। ଏହି ଅସହାୟତାର ସୁଯୋଗ ନେଇ ଅନେକ ଝିଅଙ୍କୁ ଦେହ ବ୍ୟବସାୟରେ ଲଗାଯାଏ। ଏଥି ପାଇଁ କୌଣସି ବାଧ୍ୟବାଧକତା କିମ୍ବା ଭୟ ଦେଖାଯଇ ନଥାଏ। ମନସ୍ତାତ୍ୱିକ ସ୍ତରରେ ଗୋଟିଏ ଚାପ ସୃଷ୍ଟି କରାଯାଇଥାଏ। ଶ୍ୟାମଲାଲ ଓ ତା’ ଝିଅକୁ କିଣିଥିବା ରାମପ୍ରସାଦ ଏବଂ ସେମାନଙ୍କୁ ନେଇ ଘଟିଥିବା ଚର୍ଚ୍ଚା ଓ ସେଥିରେ ପ୍ରଶାସନର ହସ୍ତକ୍ଷେପ ଏବଂ ଏହିସବୁ ସତ୍ତ୍ୱେ ପିଲାଟିର ଅନାହାରଜନିତ ମୃତ୍ୟୁ ଅନେକଙ୍କୁ ସ୍ତବ୍ଧ କରିଛି। ରାଜୀବ ଏଠି ପ୍ରଶ୍ନ କରନ୍ତି ‘ବନିତା ବିକ୍ରି ଘଟଣାର ୧୫ ବର୍ଷ ପରେ ପୁଣି ପିଲାବିକ୍ରି : ଏତେ ଯୋଜନା, ଅନୁଦାନ ସତ୍ତ୍ୱେ ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି କାହିଁକି?’ ସେଭଳି ପ୍ରେମଶୀଳାର କାହାଣୀ ଭିତରେ ଅନେକ ଜଟିଳ କଥା ସରଳ ଭାବେ ସାମ୍ନାକୁ ଆଣିଛନ୍ତି ରାଜୀବ। ଅନାହାରରେ ମରିଥିବା ନିଜ ସ୍ୱାମୀର ମୃତ୍ୟୁଜନିତ ପ୍ରମାଣପତ୍ର ପାଇଁ ଦୌଡ଼ିଦୌଡ଼ି ଶେଷରେ ନିଜେ ମରିଯାଇଛି ପ୍ରେମଶୀଳା। ଶେଷରେ ତା’ ସ୍ୱାମୀର ମୃତ୍ୟୁଜନିତ ପ୍ରମାଣପତ୍ର ଏବଂ ତା’ ମୃତ୍ୟୁର ଅନୁକମ୍ପାମୂଳକ ସାହାଯ୍ୟ ୧୦,୦୦୦ ଟଙ୍କା ଧରି ପ୍ରଶାସନ ପହଞ୍ଚିଛି ସେମାନଙ୍କ ଜୀବିତପୁତ୍ର ହୃଦାନନ୍ଦଙ୍କ ପାଖରେ। ଏପଟେ ପ୍ରେମଶୀଳାର ମୃତ୍ୟୁକୁ ନେଇ ଅନୁସନ୍ଧାନ କରୁଥିବା ପ୍ରଶାସକ ଯେତେବେଳେ ପ୍ରେମଶୀଳାର ଜମିକୁ ବନ୍ଧକ ରଖିଥିବା ଶ୍ରୀକର ଭୋଇଙ୍କ ନିକଟରେ ପହଞ୍ଚିଛନ୍ତି, ସେ ବି ଅନାହାରଜନିତ ଅବସ୍ଥାରୁ ଶଯ୍ୟାଶାୟୀ। ପ୍ରଶାସକ ଅନୁସନ୍ଧାନ ସାରି ବ୍ଲକ ମୁଖ୍ୟାଳୟକୁ ଫେରିବା ପରେ ପରେ ଖବର ପହଞ୍ଚେ ଶ୍ରୀକର ଭୋଇଙ୍କର ବି ମୃତ୍ୟୁ ହୋଇଗଲା।
ପ୍ରଶାସକ ଜଣକ କାହାଣୀ ଲେଖନ୍ତି। ଅଧିକାଂଶରେ ମନଗଢ଼ା। ପ୍ରଶଂସା ପାଆନ୍ତି। କେବିକେରେ ନିଷ୍ପେସିତମାନଙ୍କର କରୁଣକାହାଣୀ ବଢ଼ିଚାଲେ। ସ୍ୱେଚ୍ଛାସେବୀ ସଙ୍ଗଠନମାନେ ସେହି କାହାଣୀରୁ ନିଜର ସୁନ୍ଦର ଭବିଷ୍ୟତଟିଏ ନିର୍ମାଣ କରନ୍ତି। ପରିସ୍ଥିତି ଯାହା ଥିଲା ସେମିତି ରହେ ବା ଆହୁରି ଖରାପ ହୋଇଚାଲେ। ରାଜନୀତିଆ ମାନଙ୍କର ନାଟକରପର୍ବ ଗୋଟିଏ ପରେ ଗୋଟିଏ ଅନୁଷ୍ଠିତ ହୁଏ। ଅନେକ ଅବାନ୍ତର ପ୍ରସ୍ତାବ ଆସେ ଯେଉଁଥିରେ କେବିକେବାସୀଙ୍କର ଭାଗ୍ୟ ପରିବର୍ତ୍ତନର କୌଣସି ସମ୍ଭାବନା ନଥାଏ। ଯେମିତିକି ଧାନଚାଷ ବଦଳରେ ଅର୍ଥକାରୀ ଫସଲ ପିଆଜ ବା କପାଚାଷର ପ୍ରବର୍ତ୍ତନ। ଏଭଳି ଏକ ଛଳନାମୟ ଚାଷନୀତି ବାବୁରାଓଙ୍କ ଭଳି ଚାଷୀଙ୍କ ମନରେ ମିଛ ଆଶା ସୃଷ୍ଟିକରେ ଏବଂ ଶେଷରେ ସେମାନେ ଆତ୍ମହତ୍ୟାର ରାସ୍ତା ହିଁ ବାଛିନିଅନ୍ତି। ରାଜନେତା, ମିଲମାଲିକ, ବ୍ୟବସାୟୀ ଏବଂ କମ୍ପାନୀମାନଙ୍କ କବଳରୁ ଚାଷୀ ନିଜକୁ ମୁକ୍ତ କରିପାରେନି। ସେ ଭିତରେ ପ୍ରସ୍ତାବ ଆସେ ନିୟମଗିରି ପାହାଡ଼ ଖୋଳି ବକ୍ସାଇଟ୍ ତାଡ଼ି ଆଲୁମିନା କାରଖାନା କରି କେବିକେର ଦୁଃଖ ଦୂର କରିବାକୁ। ପୁଣି କେବେ ପ୍ରସ୍ତାବ ଆସେ ଲୋୟର ସୁକତେଲ ନଦୀବନ୍ଧ ଯୋଜନା ପାଇଁ। ସବୁଥିରେ ଲୋକଙ୍କ ପ୍ରତିବାଦର ସ୍ୱର ବିରୁଦ୍ଧରେ ସରକାର ନିର୍ଦ୍ଦୟ ହୁଅନ୍ତି। ଗୋଟିଏ ପରେ ଗୋଟିଏ ଜମି, ଜଳର ଆଧାର, ଜଙ୍ଗଲ ଓ ଡଙ୍ଗର କେବିକେବାସୀଙ୍କ ହାତରୁ ଚାଲିଯାଏ। କେବିକେରେ କିନ୍ତୁ ଅଧିକ ହାତକୁ କାମ ମିଳେନି। ସେହିଭଳି ଶ୍ରମିକଚାଲାଣ ରୀତିମତ ଜାରି ରହେ। ରାୟପୁରରେ ରିକ୍ସାଟାଣିବା ବା ହାଇଦ୍ରାବାଦର ଇଟା କାରଖାନାରେ କାମ କରି ନିର୍ଯ୍ୟାତିତ ହେବା ଏବେ କେବିକେବାସୀଙ୍କର ଏକମାତ୍ର ବିକଳ୍ପ। ନା ସରକାର , ନା ରାଜନେତା (ଶାସକ ବା ବିରୋଧୀଦଳ), ନା ପ୍ରଶାସକ, ନା ସ୍ୱେଚ୍ଛାସେବୀ ସଙ୍ଗଠନ, ନା ଗଣମାଧ୍ୟମ; କେହି ବି କେବିକେବାସୀଙ୍କର ଆଗରେ ପଛରେ ନାହାନ୍ତି।
ରାଜୀବଙ୍କ ଭାଷାରେ ‘ଗଣା ଓ ନାରାୟଣ କହିବି ପାରନ୍ତି ନାହିଁ ଯେ ସରକାରଟି ଆମର। କିନ୍ତୁ ସରକାର ଗଣା ଓ ନାରାୟଣକୁ କହେ ତୁମର ଅଭାବ, ସୁଖଦୁଃଖ ମୋର।’ ଏଭଳି ଛଳନା, ପ୍ରତାରଣା ଓ ପ୍ରବଞ୍ଚନା ଭିତରେ କେବିକେବାସୀ ଆଜି ଅଣନିଶ୍ୱାସୀ। ତେବେ ଏମାନଙ୍କୁ ମୁକ୍ତିର ରାସ୍ତା ଦେଖାଇବ କିଏ ଏବଂ ଯଦି କେଉଁଠି କେଉଁଠି ଏମାନଙ୍କର ମୁକ୍ତିର ସଂଗ୍ରାମ ଚାଲିଛି ତାକୁ ସହଯୋଗ କରିବ କିଏ ଓ କେମିତି, ସେଇଟା ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ପ୍ରଶ୍ନ ଏବଂ ଆହ୍ୱାନ ମଧ୍ୟ। ରାଜୀବଙ୍କର ବହିଟି ଆରମ୍ଭରୁ ଶେଷଯାଏଁ ପଢ଼ିଲେ ଅନ୍ତତଃ ଗୋଟିଏ କଥା ସହରୀ ପାଠକ ମାନେ ବୁଝିପାରିବେ ଯେ, ସେମାନେ ବାସ୍ତବତାଠାରୁ କେତେ ହଜାର ମାଇଲ ଦୂରରେ ଅଛନ୍ତି। ହୁଏତ ସେଥିପାଇଁ ସେମାନେ ଏତେ ଖୁସିରେ ଓ ନିରାପଦରେ ଅଛନ୍ତି। କିନ୍ତୁ ଏହି ଖୁସି ଓ ନିରାପତ୍ତା କେତେ ଦିନ?
ସୁଧୀର ପଟ୍ଟନାୟକ
ସମ୍ପାଦକ, ସମଦୃଷ୍ଟି
ଭୁବନେଶ୍ୱର

ସୂଚୀ
୧) ବହିଯାଇଥିବା ନଈ ଓ ସରିନଥିବା ଶୋଷ
୨) ରିସିପିଟିର ସାମ୍ରାଜ୍ୟ ଓ ବଞ୍ଚିପାରିନଥିବା ବାଳମତୀ
୩) କେବଳ ଜୀଇଁବା ବାହାନାରେ
୪) ଈଶ୍ୱରୀ ହେମା ପାଟିଗଣିତ
୫) ଗୋଟିଏ ଶବ ଓ ମୁଖାପିନ୍ଧା ମଣିଷମାନଙ୍କ କଥା
୬) ଫିଙ୍ଗା ହୋଇନଥିବା କଣ୍ଢେଇ
୭) ସୁଖବାସୀରୁ ପ୍ରଜା : ଏକ ଅପହଞ୍ଚ ଯାତ୍ରା
୮) ମୁଁ ବି ବଞ୍ଚିଜାଣେ ତୁମ ପୃଥିବୀରେ
୯) ଦାଦନ ଶ୍ରମିକଙ୍କୁ ରାଷ୍ଟ୍ରର ମାନ୍ୟତା ମିଳୁ
୧୦) ପରାଜିତ ଈଶ୍ୱର
୧୧) କାରୁଣ୍ୟର ଫସଲ
୧୨) ମୃତ୍ୟୁର ଅଭିସାର
୧୩) ତପ୍ତକୁରୁ ଓ ଶୁଆର ଚଉଦ ପୁରୁଷ ଉପାଖ୍ୟାନ
୧୪) ମୁଁ ଏବେବି ହାରିନାହିଁ
୧୫) ଛୋଟ ଗାଁର ବଡ଼ ଲୋକ

୧୬) ଅହଲ୍ୟା ଉପାଖ୍ୟାନ ଓ ମହୁଲ ବଣର ଗୀତ
୧୭) ବଜାର
୧୮) ପୃଥିବୀର ଶେଷ ବରତନିଆ


ବହିଯାଇଥିବା ନଈ ଓ ସରିନଥିବା ଶୋଷ

କାଠ ମିସ୍ତ୍ରୀ ଛୁଟା ଭୁଏ। ନିକଟସ୍ଥ ବିରିପାଲି ଗାଁରୁ ଆସି ଭାଲୁମୁଣ୍ଡାରେ ରହିଲା। ପୋଲିଓ ରୋଗୀ। ଲାଠିଧରି ଚାଲେ। କନ୍ଧଜାତିର ଭୋଇ ବର୍ଗ, ତେଣୁ ଲୋକ ମୁଖରେ ସେ ଛୁଟା ଭୁଏ। କାଠମିସ୍ତ୍ରୀ ରୋଜଗାର ଆଖିଦୃଶିଆ। ପୁଅଟିଏ ପାଇଁ ଦ୍ୱିତୀୟ ବାହାହେଲା ଜାମଖୁଣ୍ଟା ଗାଁର କୁମାରୀକୁ। ଦୁଇଗୁଣ ବୟସର ସ୍ୱାମୀ ଛୁଟା ହେଲେ ବି ରୋଜଗାର ଭଲ। କିଛି ଅନୁଶୋଚନା ନଥିଲା। ଏ ବିବାହ ପରମ୍ପରା ସ୍ୱୀକୃତ ବି।
ଡୋକ୍ରା ଯୋଜନା। ମୁଖ୍ୟତଃ ମହିଳାମାନଙ୍କୁ ରୋଜଗାର ଦେବାପାଇଁ ଧନ୍ଦାମୂଳକ ଶିକ୍ଷା ଦେଇ ଥଇଥାନ କରିବା କାମ। ଛୁଟାର ପ୍ରଥମ ସ୍ତ୍ରୀ ଋଣପାଇ ତନ୍ତଟିଏ କଲା। ସଉତୁଣୀ ସଙ୍ଗେ ରହି ପାରିଲା ନାହିଁ। ନିଜ ମା’ ଘର ପଳେଇଲା। ଛୁଟାକୁ ଯକ୍ଷ୍ମା ହୋଇଗଲା। ରୋଜଗାର ଠପ୍ ହୋଇଗଲା। କଷ୍ଟେମଷ୍ଟେ ଚଳିଲା ବର୍ଷଟିଏ। କୁମାରୀ ମୁଣ୍ଡେଇଲା ପରିବାରର ବୋଝ ଭିକ ମାଗିଲା ଛୁଟା।
ଅନନ୍ୟୋପାୟ କୁମାରୀ ନିଜ ଗାଁ ଗଲା। ପଡ଼ୋଶୀ ବ୍ରାହ୍ମଣ ଲିଙ୍ଗରାଜ ହୋତାଙ୍କ ହାତରେ ଟେକିଦେଲା ଛଅବର୍ଷର ଝିଅ ଭୂମିସୁତାକୁ। ନିଜର ଟେପରେକର୍ଡ଼କୁ ବନ୍ଧା ପକେଇ ହୋତା ପାଞ୍ଚଶହ ଟଙ୍କା ଦେଲା କୁମାରୀକୁ। କୁମାରୀ ସାକ୍ଷ୍ୟପ୍ରମାଣ ସହ ଲେଖିଦେଲା ଝିଅକୁ ବିକିଦେଲି ବୋଲି।
କନ୍ଧଝିଅକୁ ବ୍ରାହ୍ମଣ କିଣିବ କାହିଁକି?
ମୁଖ୍ୟତଃ ଜଙ୍ଗଲ ଓ କୁଷିଭିତ୍ତିକ ସାମାଜିକ ପରମ୍ପରା, ଧର୍ମ ଓ ସଂସ୍କୃତି ଏ ଅଞ୍ଚଳରେ। ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ ଓ କୋରାପୁଟକୁ ଏହି ଆଧାରରେ ନିଆଯିବ। କିଣାବିକାର ପ୍ରାଚିନ ପରମ୍ପରାରେ ‘ଡ଼ମଘିନା’ ବୋଧହୁଏ ସର୍ବପୁରାତନ। ନୂଆକରି କୌଣସି ଗାଁ ବସେଇଲେ ଗାଁକୁ ଗୋଟିଏ ଡମ ପରିବାରର ଆବଶ୍ୟକତା ପଡ଼ୁଥିଲା ଯିଏ ଜନ୍ମଠାରୁ ମୃତକ କ୍ରିୟା ପର୍ଯ୍ୟନ୍ତ ଦାୟିତ୍ୱ ତୁଲେଇବ। ଖବର ଦିଆନିଆ କିମ୍ବା ଅନ୍ୟ ଗାଁର ଝିଅକୁ ବୋହୁ କରି ଆଣିବା ପୂର୍ବରୁ ଡମ ଲୋକଟି ସେ ଗାଁକୁ ଯିବ। ଗାଧୁଆ ତୁଠରେ ରନ୍ଧା ବସେଇବ। ଲକ୍ଷ କରିବ ଝିଅଟିର ହାବଭାବ। ନିଜ ଗାଁକୁ ଆସି ଝିଅଟିକୁ ବୋହୁ କରାଯାଇପାରିବ କି ନା, ତାର ନିଜ ମନ୍ତବ୍ୟ ଦେବ ସଂପୃକ୍ତ ପୁଅଘରେ। ତା’ର ନିର୍ଣ୍ଣୟ ହିଁ ସବାଶେଷ ନିର୍ଣ୍ଣୟ। ଏହି ବିଶ୍ୱାସ ଗାଁବାଲାଙ୍କ ତା’ର ଉପରେ। ଏହାର ଆଧାରରେ ତା’ର ସମ୍ମାନ ବି।
ସମୟ ସହ ସାମନ୍ତୀୟ ପ୍ରଭାବରେ ସବୁଠୁ ବେଶୀ ନିଷ୍ପେଶିତ ହେଲେ ଦଳିତ ଗୋଷ୍ଠୀ। ଏମାନଙ୍କ କୌଳିକ ବୃତି ‘ବୟନ’ ଅପହୃତ ହେଲା। କେବଳ ରହିଗଲା ବାଦନ। ଏକଦା ଗଣାକପଟା ନାମରେ ଖ୍ୟାତ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗା ଆୟର ମୁଖ୍ୟ ସ୍ରୋତ ଥିଲା। ଏହା ଅପହୃତ ହେବା ପରେ ହଠତ୍ ଗୋଟିଏ ବିରାଟ ଗୋଷ୍ଠୀ କର୍ମଶୂନ୍ୟ ହୋଇ ପଡ଼ିଲା। ଗୋଟିଏ ବିରାଟଗୋଷ୍ଠୀ କର୍ମଶୂନ୍ୟ ହୋଇଗଲେ ଅପରାଧପ୍ରବଣତା ବଢ଼ିବ, ଏହା ସ୍ୱାଭାବିକ କଥା। ଯଦି ସେହି ଗୋଷ୍ଠୀ ଉପଯୁକ୍ତ କର୍ମସଂସ୍ଥାନ ନ ପାଇଲା। କୋରାପୁଟରେ ଇଂରେଜ ସରକାର ଏହି ଗୋଷ୍ଠୀଙ୍କୁ ଅପରାଧ୍‌ôଗେଷ୍ଠୀ ଭାବରେ ସରକାରୀ ଘୋଷଣା କରିସାରିଥିଲା। କୌଣସି ଅପରାଧ ପାଇଁ ବିନା ବିଚାରରେ ଏହି ଗୋଷ୍ଠୀ ଦଣ୍ଡିତ ହେଉଥିଲା।
ଏମାନଙ୍କୁ କିଛି ହୁସିଆର ଜମି ମାଲିକ ଓ ସାମନ୍ତ ସାମାନ୍ୟ ଅର୍ଥଦେଇ ‘ବାହାବନ୍ଧା’ ରଖୁଥିଲେ। ବାହାଁ ବା ବାହୁ କର୍ମ ଓ ଶ୍ରମର ପ୍ରତିକ। ବାହାଁବନ୍ଧା / ବାହୁ ବନ୍ଧକ ଅର୍ଥାତ ସମସ୍ତ ଶ୍ରମ ସାହୁକାରର। କ୍ରମାଗତ ମରୁଡ଼ି ଅନେକ ଗରିବ ସୃଷ୍ଟି କଲା। ଜମି, ଜଙ୍ଗଲ ଆଇନ, ପରମ୍ପରା ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସାମନ୍ତମାନଙ୍କ ହାତକୁ ଚାଲିଗଲା। ଅନ୍ୟଜାତିର ଲୋକ ବି ହଳିଆ ରହିଲେ।
ଏମାନଙ୍କ ପଛକୁ ରହିଲେ ଗଉଡ଼ ସମ୍ପ୍ରଦାୟ, ଯେଉଁମାନଙ୍କୁ ସ୍ଥାନୀୟ ସାମନ୍ତ ଭାଷାରେ ଗଉଡ଼ ନକହି ‘ନରିହା’ କୁହାଗଲା। ଏ ସମ୍ବୋଧନ ଆଜିବି ରହିଛି। ଏହାକୁ ଏତେ ପ୍ରଚାରିତ କରାଗଲା ଯେ ‘ନୌକରାଣୀ’ କୁ ସେ ଯେକୌଣସି ବର୍ଗ କି ଜାତିର ହେଉ ତାକୁ ‘ନରିହେନ୍‌’ ବୋଲି କୁହାଗଲା। ଶ୍ରମ ଶୋଷଣର ଏହି ନିକୃଷ୍ଟ ପରମ୍ପରା କାଳକ୍ରମେ ଶିଶୁମାନଙ୍କୁ ବି ଗ୍ରାସ କଲା। ମା’ ବାପା ନିଜର ସନ୍ତାନକୁ ନିକଟ ପରିଚିତ ଘରେ ଛାଡ଼ିଦିଅନ୍ତି ସାମାନ୍ୟ ଅର୍ଥ ପ୍ରତିବଦଳରେ। ଏହାର ପଛରେ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥାଏ, ଶିଶୁଟିର ଖାଦ୍ୟ ସୁରକ୍ଷା। ଦେଖାଯାଉଛି ସତୁରୀ ପ୍ରତିଶତ ପର୍ଯ୍ୟନ୍ତ ଶିଶୁଶ୍ରମିକ ହୋଟେଲରେ କାମ କରନ୍ତି। ଏହି ଶିଶୁଶ୍ରମିକମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରାୟତଃ ଏକବର୍ଷ ରହନ୍ତି, ଏହାପରେ ଦରଧାର୍ଯ୍ୟ ହେବ ଅଥବା ନୂଆ ମହାଜନ ଖୋଜିବେ।
କିନ୍ତୁ ଭୂମିସୁତା ନିକଟରେ ଏହା ଭିନ୍ନ। ସେ ନିଜ ମା’ବାପାଙ୍କ ନିକଟକୁ ଯା’ଆସ କରିପାରିବ। ଖାଉନ୍ଦ ଘରେ କାମ କରିପାରିବ। ଖାଉନ୍ଦ ପରିବାରକୁ ନିଜର ପରିବାର ବୋଲି ଆଇନତଃ ନ ହେଲେ ବି, ସାମାଜିକ ପରିଚୟ ଦେଇପାରିବ।
ଏହି ପ୍ରଥାପାଇଁ ପରମ୍ପରା କୌଣସି ଶବ୍ଦ କି ସମ୍ବୋଧନ ବାହାର କରିନାହିଁ। ତେଣୁ ଏହାକୁ ବିକ୍ରି ବୋଲି କୁହାଯାଏ। ଗଣମାଧ୍ୟମ ଏହାର ସରଳ ବ୍ୟାଖା ‘ବିକ୍ରି’ ବୋଲି ହିଁ ଉଲ୍ଲେଖ କରିଥାଏ। କିନ୍ତୁ ଏହି ସମ୍ବୋଧନ ସମ୍ବିଧାନକୁ ଆକ୍ରମଣ କରିଥାଏ। ତେଣୁ ପ୍ରଶାସନ ଅବାଞ୍ଛିତ ଭାବରେ ସଚେତନ ଓ ସତର୍କ ହୋଇଯାଏ।
ଏହା ହିଁ ହୋଇଥିଲା ଭୂମିସୁତା କ୍ଷେତ୍ରରେ। ର୍ସପ୍ରଥମେ ଓଡ଼ିଆ ଦୈନିକ ‘ସମ୍ବାଦ’ ଭୂମିସୁତା ବିଷୟରେ ଲେଖ୍‌ôଲା। ଏଥିରେ ଅନ୍ୟଏକ ଘଟଣା ଉଲ୍ଲେଖ ଥିଲା। ଘଣଣାଟି ହେଲା ସିନ୍ଧେକେଲା ଉନ୍ଦେର ନଦୀ ଆରପଟେ ଭବାନୀପାଟଣା ରାୟପୁର ମୁଖ୍ୟରାସ୍ତା ଡେଇଁଲେ କୁର୍ଲୁଭଟା ଗାଁ। ଡମ ସମ୍ପ୍ରଦାୟର ବିଧବା ନଥିଲା ସୁନା ନିଜର ଦୁଇ ସନ୍ତାନ ମଧ୍ୟରୁ ଆଠବର୍ଷର ବଡ଼ପୁଅ ରୋହିତକୁ ଦେଇଦେଲା ଟିଟିଲାଗଡ଼ର ଜଣେ ସମାଜସେବୀ ହେମନ୍ତ ସିପକାଙ୍କୁ। ସିପକାଙ୍କ ଯୋଜନା ଥିଲା ଗୋଟିଏ ଅନାଥ ଆଶ୍ରମ କରିବା। ଅନ୍ୟ ଚାରି ପାଞ୍ଚଜଣ ଶିଶୁ ବି ତାଙ୍କ ଘରେ ଥିଲେ।
ଘଟଣା ଦୁଇଟି ବେଶ ଚର୍ଚ୍ଚିତ ଓ ଆଲୋଡ଼କ ଥିଲା। ରାଜ୍ୟର ଜନତା ଦଳ ଓ କେନ୍ଦ୍ରରେ କଂଗ୍ରେସ ସରକାରଙ୍କ ନିକଟରେ ବଲାଙ୍ଗିର ଜିଲ୍ଲା ବିଷୟରେ ତର୍ଜମା ହେଲା ଗଣମାଧ୍ୟମମାନଙ୍କରେ। ବଲାଙ୍ଗିରର ଦାରିଦ୍ର‌୍ୟ ସାମ୍ନାକୁ ଆସିଲା।
ଏହି ଘଟଣାକୁ ଆଧାର କରି ପଶ୍ଚିମ ଓଡ଼ିଶାର ମରୁଡ଼ି ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ଅଭିଯୋଗ କରି ତା’ ବିରୁଦ୍ଧରେ ୧୯୯୩ ମାର୍ଚ୍ଚ ମାସରେ ସି.ପି.ଆଇ ସାଂସଦ ଲୋକନାଥ ଚୌଧୁରୀ ସଂସଦ ସମ୍ମୁଖରେ ଆମରଣ ଅନଶନର ଧମକ ଦେଲେ। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏ ଅଞ୍ଚଳର ଶିଶୁମାନଙ୍କ ବିକାଶ ଲାଗି ଏକକୋଟି ଟଙ୍କାର ସହାୟତା ଦେଇ ଶ୍ରୀଯୁକ୍ତ ଚୌଧୁରୀଙ୍କୁ କ୍ଷାନ୍ତ କରାଗଲା। କୁମାରୀ ଭୋଇକୁ ୨୫ କେଜି ଚାଉଳ ଓ ୧୦୦ ଟଙ୍କା ସରକାରୀ ସହଯୋଗ ଦିଆଗଲା। ଗୋଟିଏ ଇନ୍ଦିରା ଆବାସ ଗୃହ ପାଇଁ ଆଦେଶ ଦିଆଗଲା। ଯାହାକୁ ଜନୈକ ଠିକାଦାର ଛଅମାସରେ ପୁରାକଲା।
ଏହି ସମୟରେ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର ଏବଂ ଏହି ପଞ୍ଚାୟତ ସମିତି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଅଞ୍ଚଳର ଦାରିଦ୍ର‌୍ୟକୁ ଖୋଲାଖୋଲି ସ୍ୱୀକାର କଲେ। ସରକାର ବିରୋଧରେ ବିରୋଧୀ ମନ୍ତବ୍ୟ ବିରଳ ନହେଲେ ବି ନିଜ ଅଞ୍ଚଳରେ ଜନତାଦଳ ବିଧାୟକ ଓ ରାଜ୍ୟର ଜନତାଦଳ ସରକାର ବିପକ୍ଷରେ ଏହି ଦୁଇଜଣଙ୍କ ସ୍ୱୀକାରୋକ୍ତି ଦୁଃସାହସ ଥିଲା ନିଶ୍ଚୟ। ଏହା ହିଁ ରାଜନୈତିକ ଆଧାର ଥିଲା ଘଟଣାର ସତ୍ୟତା ଉପରେ। ପ୍ରକାଶଯୋଗ୍ୟ ବିଷୟ ଏହା ଯେ ଉଭୟ ଅଧ୍ୟକ୍ଷ ଓ ସରପଞ୍ଚ କଂଗ୍ରେସ ସମର୍ଥକ ଥିଲେ। କଂଗ୍ରେସ ଦଳର ଦୁଇଜଣ ଯୁବକ ଦେବେନ୍ଦ୍ର ବହିଦାର ଓ ସୁଧାଂଶୁ କୁମାର ଦାଶ ବି.ଡି.ଓଙ୍କୁ ଆକ୍ରମଣ କରିବାର ଅଭିଯୋଗ ହେଲା। ଯୁବକ ଦୁଇଜଣଙ୍କ ଅନୁସାରେ ପିଲାବିକ୍ରି ପରି ଦୁଃଖଦ ପରିସ୍ଥିତି ପାଇଁ ସେମାନେ ବି.ଡି.ଓଙ୍କୁ ଦାୟୀ କରି ନିଜର ପ୍ରତିକ୍ରିୟା ପ୍ରଦର୍ଶନ କରୁଥିଲେ। ବି.ଡି.ଓ କହିଲେ ଏହା ମିଛ, କଥାର କାରଣ ଅନ୍ୟକିଛ। ଯୁବକ ଦୁଇଜଣ ଜାତୀୟ ସୁରକ୍ଷା ଆଇନବଳରେ ଗିରଫ ହେଲେ। ବି.ଡି.ଓ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲକୁ ନିଜ ପିଅନ କାନ୍ଧରେ ବୁହାଇ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ଅବାଞ୍ଛିତ ଗସ୍ତମାନ କଲେ।
ପ୍ରଶାସନ ଓ ଗଣମାଧ୍ୟମ ବାରମ୍ବାର ଗସ୍ତକଲେ ଭାଲୁମୁଣ୍ଡା, ଜାମଖୁଣ୍ଟା ଓ କୁର୍ଲୁଭଟାକୁ। ଛୁଟା ଭୋଇକୁ ଓøଷଧ ଦିଆଗଲା। ସରକାରୀ ପଦବାଚ୍ୟ ହେଉନଥିବା କିଛିଲୋକ କୁମାରୀକୁ ଆର୍ଥିକ ସହଯୋଗ କଲେ। କୁମାରୀକୁ ଯିଏ ଦେଖିଲା, ଆସିଲା; ପଚାଶ/ଶହେ ଟଙ୍କା ସହଯୋଗ ହେଲା। ଭୟରେ ବିକ୍ରି ହୋଇଥିବା ରୋହିତର ବିଧବା ମାଁ ନଥିଲା ସୁନା କୁଆଡେ ପଳେଇଲା ଗାଁ ଛାଡ଼ି। ଛୁଟାକୁ ତିନିଚକିଆ ସାଇକେଲ୍‌ଟିଏ ମିଳିଲା। ଯେଉଁଥିରେ ଚଢ଼ି ସେ ଦୂରକୁ ଯାଇ ଭିକମାଗି ପାରିଲା ।
ମାର୍ଚ୍ଚ ୧୯୯୩ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବଲାଙ୍ଗିର ଜିଲ୍ଲାର ଟଙ୍କପାଣି ଗାଁକୁ ଆସିଲେ। ଭାଲୁମୁଣ୍ଡାରୁ ୩୫ କିଲୋମିଟର ଦୂର। କୁମାରୀ ଭୋଇ ଜାଣିଲା ତା’ ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେଲାନି। ସେ ଜାଣିଥିଲା ଏହା ଅବଧାରିତ। ତା’ର ପଡ଼ୋଶୀ ଗାଁ କଳାହାଣ୍ଡି ଜିଲ୍ଲାର ଅମଲାପାଲିର ଫାନସ୍ ପୁଞ୍ଜି ନିଜର ନଣନ୍ଦ ବନୀତାକୁ ବିକିବା ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସପରିବାର ଛୁଟି ଆସିଥିଲେ ତା’ପାଖକୁ। କୁମାରୀ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷାରେ ରହିଲା। ନା’ ପ୍ରଧାନମନ୍ତ୍ରୀ ତା’ ପାଖକୁ ଆସିଲେ, ନା’ସେ ଭେଟିବାକୁ ଗଲା।
ଏ ଭିତରେ ୧୯୯୩ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାର କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା ମରୁଡ଼ିର ମୁକାବିଲା ପାଇଁ ୧୦୦ କୋଟି ଟଙ୍କାର ଏକ ଯୋଜନା କେନ୍ଦ୍ରକୁ ଦେଲେ। କେନ୍ଦ୍ର ପରିବର୍ଦ୍ଧିତ ଯୋଜନା ଇଛାକଲା। ୧୯୯୩ ମାର୍ଚ୍ଚ ୨୦ ତାରିଖରେ ୩୯୭ କୋଟି ୪୯ ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ରକୁ ଦେଇ ସାରିଥିଲେ।
କୁମାରୀ ଭୋଇ ବେଶ ଖ୍ୟାତ ହୋଇ ସାରିଥିଲା। ସରକାରଙ୍କ କୃପାଦୃଷ୍ଠି ତା’ ଉପରେ ପଡ଼ିଛି। ସେ ସମ୍ପନ୍ନ ହୋଇଯିବ। ଏହି ବିଶ୍ୱାସକୁ ଆଧାର କରି ସେ ବୁଲିଲା ବ୍ଲକ୍‌, ତହସିଲ୍ ଓ ଜିଲ୍ଲାପାଳଙ୍କ କାଯ୍ୟାଳୟକୁ। ଏ ଭିତରେ ଗଣମାଧ୍ୟମ, ପ୍ରଶାସନ କି ଅନ୍ୟ କିଏ ତାକୁ ଭେଟି ଆସିଲେନି। ତେଣୁ ଯେ ତାକୁ ଭେଟିବାକୁ ଗଲା, ସେ ତା’ ଦୃଷ୍ଟିରେ ବଡ଼ ଦିଶିଲା
୧୯୯୫ ମସିହା ଅଗଷ୍ଟ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ କୋରାପୁଟ ଆସିଲେ। ୧୯୯୫-୯୬ ମସିହାରୁ ପରବର୍ତ୍ତୀ ସାତବର୍ଷ ପାଇଁ ୪୫୫୭.୦୩ କୋଟି ଟଙ୍କାର ଏକ ଯୋଜନା କଳାହାଣ୍ଡି, ବଲାଙ୍ଗିର, ଓ କୋରାପୁଟ ଜିଲ୍ଲାର ଉନ୍ନତି ପାଇଁ ଘୋଷଣା କଲେ। ଓଡ଼ିଶାର ୧୩ ଟି ଜିଲ୍ଲାକୁ ୩୦ଟି ଜିଲ୍ଲା କରାଯାଇ ସାରିଥିଲା। ଏହି ଯୋଜନାକୁ କୁହାଗଲା ‘କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲା ନିମନ୍ତେ ଦୀର୍ଘମିଆଦି କ୍ରିୟାନୁଷ୍ଠାନ ଯୋଜନା’ (ଖକ୍ଟଦ୍ଭଶ ଞରକ୍ସଜ୍ଞ ଇମଗ୍ଧସକ୍ଟଦ୍ଭ ଚକ୍ଷବଦ୍ଭ) ଏହି ଜିଲ୍ଲା ମାନେ ଅବିଭାଜ୍ୟ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଜିଲ୍ଲା- ତେଣୁ ଏହାକୁ ‘କେବିକେ ଯୋଜନା’ ନାମରେ ଖ୍ୟାତ କରାଗଲା। ଏହି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଦେଇଥିଲେ ୯୭ ଲକ୍ଷଟଙ୍କା।
ଛୁଟା ଭୋଇ ମରିଗଲା। ଲୋକେ ଭୁଲିଯାଉଥିଲେ କୁମାରୀକୁ। କୁମାରୀ ନିଜକୁ ଜାହିର କରିବା ଛାଡ଼ୁନଥାଏ। କ’ଣ ମିଳୁଥାଏ କି ନା, କେ ଜାଣେ; କେବେ କେବେ ପୂର୍ଣ୍ଣଚନ୍ଦ୍ର ବେହେରା ପାଖକୁ କି ମୋ ପାଖକୁ ଆସେ। କାନ୍ଦେ ଓ ଏଇଥି ପାଇଁ କାନ୍ଦେ ଯେ ସରକାର ତାର ଦୁଃଖ ବୁଝିଲେନି। ଆଉ ଏଇଥି ପାଇଁ କାନ୍ଦେ ଯେ ତାକୁ ପରିବାର ଚଳେଇବା କଷ୍ଟ ହେଉଛି। ତା’ର ଦୁଇପୁଅ ମଂଟୁ ଓ ସଂଟୁ କୁ ଅନାଥାଶ୍ରମରେ ରଖି ପାଠ ପଢ଼େଇବା ପାଇଁ କହେ। ତାକୁ ବୁଝେଇବା ପାଇଁ ବହୁତ ଚେଷ୍ଟା କରେ ଯେ, ମୁଁ ଏମିତି କୌଣସି ଲୋକ ନୁହେଁ, ଯିଏ ଟଙ୍କା ଦେବ। ସେ ବୁଝିବାକୁ ନାରାଜ। ତୁଇ ଚିଠି ଲେଖଲେ ପ୍ରଧାନମନ୍ତ୍ରୀ ବି ସତ ବଲିକରି ଆସୁଛେ। ଇ ଛୋଟ ଅଫିସରମାନେ କାଣା ଆଏ। ତୁଇ ମତେ ସାହାଯ୍ୟ କରିବାର ଲାଗି ନେଇ ଚାହେଁବାର।’ ଫେରେ କିଛି ଡାଲି ଚାଉଳ ନେଇ ଯାଏ, ଯାହାକୁ ମା ବାନ୍ଧି ଦେଇଥାନ୍ତି। ଦ୍ୱାରକୁ ଯିଏ ବି ଦୁଃଖ ଜଣେବାକୁ ଆସିବ, ତାକୁ ଯଥାଶକ୍ତି ସହଯୋଗ କରିବା ହେଉଛି ପରମ୍ପରା। ଅନୁରୂପ ବ୍ୟବହାର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରୁ ପାଏ।
କେବିକେ ଫୋରମ୍ ତିଆରି ହେଲା। ପୂର୍ବତନ ବଲାଙ୍ଗିର ସାଂସଦ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କେବିକେ ଜିଲ୍ଲାରେ ର‌୍ୟାଲି, ସଭାମାନ ଆୟୋଜିତ ହେଲା। ଲୋକେ ଏତିକି ଜାଣିଲେ ଯେ ନେତାମାନେ ତାଙ୍କ କାମ କରୁଛନ୍ତି। କେବିକେକୁ ନେଇ ଚର୍ଚ୍ଚା ହେଲା। ଏହାର ମାଟି କ’ଣ, ଜଙ୍ଗଲ କ’ଣ, ପାଣି କ’ଣ, ଲୋକେ କ’ଣ, ନାଚ କ’ଣ, ଗୀତ କ’ଣ ଇତ୍ୟାଦି ନାନା କଥା ରାଜନୀତିରେ, ଏନ୍‌.ଜି.ଓ ମାନଙ୍କରେ, ଗଣମାଧ୍ୟମରେ କେବିକେର ପ୍ରୟୋଗ ହେଲା। ଚାଷ ହେଲା, ଫଳ ଫଳିଲା।
ଏଚ୍‌.ଡି.ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହେଲେ। ଶୁଣାଗଲା କେବିକେ ଯୋଜନାକୁ ବାତିଲ କରାଯିବ। ଆଲୋଚନା ହେଲା, ଆନ୍ଦୋଳନ ବି। ୧୯୯୬ ମସିହାରେ ମରୁଡ଼ି ହେଲା। ଜଣେ ବିଧବା ବାଳମତୀ ଶବରର ଅନାହାରରେ ମୃତ୍ୟୁ ହେଲା। ଏଚ୍‌.ଡି.ଦେବେଗୌଡ଼ା କେବିକେ ଜିଲ୍ଲା ଗସ୍ତ ସମୟରେ ଭାଲୁମୁଣ୍ଡାରେ ଓହ୍ଲାଇ ପ୍ରତିଶ୍ରୁତି ଦେଲେ କେବିକେ ଯୋଜନା ବାତିଲ ହେବନାହିଁ। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଶିଘ୍ର କାର୍ଯ୍ୟକାରୀ ହେବ। ଓଡ଼ିଶାକୁ ପଚାଶକୋଟି ଟଙ୍କାର ସ୍ୱତନ୍ତ୍ର ସହଯୋଗ ବି ଦେଲେ।
କୁମାରୀ ଜଣେ ଭୁଲିଆ ମହାଜନଠାରୁ ପରିବାର ଚଳାଇବା ପାଇଁ ସମୟାନ୍ତରରେ କିଛି ଶହ ଆକାରରେ ଟଙ୍କା କରଜ କରିଥିଲା। ସମ୍ବଳ ଥିଲା ଠିକାରେ ତିଆରି ଇନ୍ଦିରା ଆବାସ ଓ ତା’ର ନିଜ ମାଟିଘର। ଭୁଲିଆ ମହାଜନ ଏହାକୁ ଦାବୀ କଲା। ପାଞ୍ଚହଜାର ଟଙ୍କା କରଜ ବଦଳରେ କୁମାରୀ ଯାଇ ରହିଲା ମା ଘର ଗାଁ ଜାମଖୁଣ୍ଟାରେ। ତା’ର ବି.ପି.ଏଲ୍ କାର୍ଡରୁ ଫି ମାସ ଚାଉଳ ଉଠେ। ଯାହାର କାଣିଚାଏ ସୁଦ୍ଧା କୁମାରୀ ପାଏ ନାହିଁ। ମାସକୁ ଥରେ ଭାଲୁମୁଣ୍ଡା ଆସେ ମା ଘରୁ, ୩୫ କିଲୋମିଟର, ବିଧବା ଭତ୍ତା ୧୦୦ ଟଙ୍କା ନେବାପାଇଁ।
୧୯୯୭-୯୮ ମସିହାରେ କେନ୍ଦ୍ରରୁ କେବିକେ ଯୋଜନାକୁ ମିଳିଲା ୨୦.୪୬ କୋଟି ଟଙ୍କା। ଛୋଟ ଛୋଟ ଗାଁକୁ ଧଳା ଛାତଥିବା ସବୁଜରଙ୍ଗର ଗାଡ଼ି ବୁଲିଲା। ଯେଉଁଥିରେ ଲୋକେ କିଛି ସ୍ୱାସ୍ଥ୍ୟକର୍ମୀ ବସିଥିବା ଦେଖନ୍ତି। ଏହା ବି ଦେଖନ୍ତି ଯେ ସେଥିରେ କେବିକେ ଯୋଜନା ଲେଖାଯାଇଛି। ଶିକ୍ଷିତ ଲୋକ ଆଶ୍ୱସ୍ତ ହୁଅନ୍ତି କେବିକେ ଯୋଜନା ଚାଲିଛି।
୧୯୯୮-୯୯ ମସିହାରେ ଅଟଳବିହାରୀ ବାଜପେୟୀ ସରକାର କେବିକେ ଯୋଜନା ସାତବର୍ଷରୁ ନଅବର୍ଷକୁ ଏକ ପରିବର୍ଦ୍ଧିତ ଯୋଜନା କରିବାକୁ କହିଲେ ରାଜ୍ୟ ସରକାରଙ୍କୁ। ୫, ୫୨୭.୪୧ କୋଟି ଟଙ୍କାର ଏକ ସଂଶୋଧିତ ଯୋଜନା କେନ୍ଦ୍ରକୁ ଗଲା। ୧୯୯୮-୯୯ରେ ମିଳିଲା ୫୫.୮୦ କୋଟି ଟଙ୍କା । ୧୯୯୯-୨୦୦୦ରେ ମିଳିଲା ୫୭.୬୦ କୋଟି ଟଙ୍କା।
ଭୁଲିଆ ମହାଜନ ଋଣୀ କୁମାରୀର ଅନୁପସ୍ଥିତିରେ ତା’ଘରକୁ ଅକ୍ତିଆର କରିସାରିଥାଏ। କୁମାରୀ ତାକୁ ଅହୁରି ଟଙ୍କା ମାଗିଲା। ଟଙ୍କା ଦେ, ନଚେତ ଘର ଦେ। କୁମାରୀର ଏହି ଦାବି ଯେତେ ଯଥାର୍ଥ ହେଇଥାଉ ନା କାହିଁକି, ଭୁଲିଆ ମହାଜନର ଯୋର ନିକଟରେ କୁମାରୀ ହିଁ ଦୁର୍ବଳ ଥିଲା। ସେ ବି.ଡି.ଓ, ଥାନାବାବୁ, ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟକୁ ତିନିମାସ ଦୌଡ଼ାଦୌଡ଼ି କଲା। ଶେଷରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆଦେଶନାମାଟିଏ ଧରି କଣ୍ଟାବାଞ୍ଜି ତହସିଲଦାରଙ୍କ ନିକଟକୁ ଗଲା। ଯେଉଁଥିରେ ୧୫ଦିନ ମଧ୍ୟରେ ତାର ସମସ୍ୟା ବୁଝିବାପାଇଁ ଆଦେଶ ଥିଲା। ତହସିଲଦାର ବଙ୍ଗୋମୁଣ୍ଡା ଥାନାକୁ କାଗଜ ପଠେଇଲେ। ଭୁଲିଆ ମହାଜନକୁ ତିନିଦିନ ଥାନାରେ ଚକ୍କର କାଟିବାକୁ ପଡ଼ିଲା। ଶେଷରେ ଭୁଲିଆ ସଂପ୍ରଦାୟର ଜଣେ ପୂର୍ବତନ ସରପଞ୍ଚଙ୍କ ମଧ୍ୟସ୍ଥତାରେ କେଶ ପଟିଲା। କୁମାରୀ ଦୁଇହଜାର ଟଙ୍କା ପାଇଲା। ସେ ଦିନୁ ସେ ଘରର ନା’ ଧରିଲାନି ଅଥବା ଧରିବାକୁ ଭୟ କଲା।
କେବିକେ ଯୋଜନା ଚାଲୁଥାଏ। ସଇନ୍ତଳା ଥାନା ଅନ୍ତର୍ଗତ ଡେଙ୍ଗ ଗ୍ରାମରେ ପବନ ରଣା ନାମକ ଜଣେ ଲୋକ ଅନାହାରରେ ଅଛି ବୋଲି ଅଭିଯୋଗ ହେଲା। ସଇନ୍ତଳା ସରକାରୀ ଡାକ୍ତରଖାନାରେ ତା’କୁ ଭର୍ତ୍ତି କରାଗଲା। ଡାକ୍ତର ଭୟ ପାଇଗଲେ। ରୋଗୀକୁ ବଲାଙ୍ଗିର ସଦର ହାସପାତାଳକୁ ନେବାକୁ କହିଲେ। ଲୋକେ ଡାକ୍ତରଙ୍କୁ ଗାଡ଼ି ପାଇଁ କହିଲେ। ଡାକ୍ତର ପରାମର୍ଶ ଦେଲେ ଭଡ଼ା କରି ଗାଡ଼ି ନିଅ। ଲୋକେ ଦାବି କଲେ କେବିକେ ଗାଡ଼ି ଦିଅ। ସେତେବେଳେ ଗାଡ଼ିଦେବାକୁ ଡାକ୍ତର ଅସମର୍ଥ ଥିଲେ। ଗାଡ଼ିଟି ଗୋଟିଏ ବାହାଘରକୁ ଭଡ଼ାରେ ଯାଇଥିଲା। ପବନ ରଣା ମରିଗଲା।
କେବିକେ ଯୋଜନା ଚାଲିଥାଏ। ଏହାର କାର୍ଯ୍ୟାଳୟ ପ୍ରଥମେ ଭବାନୀପାଟଣା, ତା’ପରେ କୋରାପୁଟର ସୁନାବେଡ଼ା ଓ ପରେ ଭୁବନେଶ୍ୱରକୁ ପଳେଇଲା। ତତ୍କାଳୀନ କେବିକେ କମିଶନର ଡଃ ହୃଷୀକେଶ ପଣ୍ଡା କେବିକେ ଅଞ୍ଚଳ ଗସ୍ତକରି ଏହାର ମୂଳ ସମସ୍ୟା ଉପରେ ଆଲୋକପାତ କରି କେବିକେ ଯୋଜନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ କଲେ।
ମୁଁ ଶୋଇଥାଏ, କୁମାରୀ ଆସିଲା। ଉଠି ବାହାରକୁ ବାହାରିଲା ବେଳେ ମୋ ହାତକୁ କାଗଜଖଣ୍ଡେ ବଢ଼େଇ ଦେଲା। ଲେଖାଥିଲା, “ମାନନୀୟ ଲେଖିଜଣାଇବାର କାରଣଏମନ୍ତ କି ଯେ ମୁଁ ଲିଙ୍ଗରାଜ ହୋତା ଜାମଖୁଣ୍ଟା, କୁମାରୀ ଭୋଇ ଭାଲୁମୁଣ୍ଡା ତାଙ୍କର ଝିଅ ଭୂମିସୁତାକୁ କିଣିଲି, ୫୦୦ ଟଙ୍କାରେ। ତାର ବୟସ ୧୮ ହେଲା। ତାକୁ ମୁଁ ବିଭା କରିବି। ତୁମ୍ଭେମାନେ ସାହାଯ୍ୟ କର। ମୁଁ ବିଭା କରିବି। ଆପଣଙ୍କ ବିଶ୍ୱସ୍ତ ଲିଙ୍ଗରାଜ ହୋତା, ଜାମଖୁଣ୍ଟା।”

  • ଏ ଚିଠି କାହାକୁ ଦେବୁ?
  • ସମକେ ଦେମି। ଯିଏ ସାହାଯ୍ୟ ହେବା।
  • ପିଲା ଦେଖିଲୁ?
  • ହଁ!
  • ଠିକ୍‌ଅଛି ବିହା କର। ଯାହା ହେବା ସହଯୋଗ କରମି।
  • ନେଇ ତୁଇ ହଜାରେ କି ଦୁଇ ହଜାର ଦେବୁ।
  • ହେ ପଇସା କାଣାହେବା।
  • ତୁଇ ମୋର ଜୁଏଁ (ଜ୍ୱାଇଁ) କେ ଚାକରୀ ଗୁଟେ କରେଇ ଦେ।
    ମୁଁ ବହୁତ ବୁଝେଇଲି ମୋ ଦ୍ୱାରା ଚାକିରୀ କରେଇବା ସମ୍ଭବ ନୁହେଁ। ଚାକିରୀ ପାଇଁ ପାଠ ପଢ଼ିଥିବା ଦରକାର। ସରକାର ଆବଶ୍ୟକ ଚାକିରୀ ପାଇଁ ଯେଉଁ ପ୍ରକ୍ରିୟା ଦେଇ ଚୟନ କରନ୍ତି ସେ ସବୁ ଦେଇ ଯିବାକୁ ହୁଏ। କୁମାରୀ ମାନିଲା ନାହିଁ। ରାଗରେ ଗର୍ଜି ଉଠିଲା ଫାନସର ନଣନ୍ଦକୁ ସରକାର ବାହା କରେଇଦେଇ ପାରିଲା, ମୋ ଝିଅକୁ କାହିଁକି ନୁହେଁ? ତା’ର ବିଶ୍ୱାସ ଯେ ମୁଁ ଚିଠିଟିଏ ଲେଖିଦେଲେ ଚାକିରୀ ପାଇବ। ଯେଉଁକାମ କେବେ ବି ସମ୍ଭବ ନୁହେଁ। ଏକଥା କୁମାରୀ ବୁଝିଲାନି। ଏବେବି ବୁଝିନି।
    ଏହାର ଦୁଇମାସ ପରେ ସିନ୍ଧେକେଲାରେ କୁମାରୀ ମତେ ଭେଟିଲା। ବାହାଘର ପ୍ରସ୍ତ।।ବ ଭାଙ୍ଗିଗଲା ବୋଲି କହିଲା। ସେ ଗାଁ ଗାଁ ବୁଲି କପଡ଼ା ବିକି ଗୁଜୁରାଣ ମେଣ୍ଟାଉଥିବା କଥାକହିଲା। କପଡ଼ା ବିକ୍ରି ନହେଲେ ବନତୁଳସୀ ମଞ୍ଜି ସଂଗ୍ରହ କରି ଖାଉଥିବା କଥା ବି କହିଲା। ଏହା ବି କହିଲା ଯେ ସେ କୌଣସି ଋଣ ପାଇବା ଆଶାରେ ସିନ୍ଧେକେଲାସ୍ଥିତ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ଆସିଛି (ଯାହା ବର୍ତ୍ତମାନ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଅଟେ)। ତାର ଦୁଇ ପୁଅଙ୍କୁ ପାଠ ପଢ଼ାଇବା ପାଇଁ ଖଇରା ସତ୍ୟମହିମା ଆଶ୍ରମରେ ଛାଡ଼ିଛି।
    ଏବେ କଣ କରିବୁ?
    ତେର/ଚଉଦ ବରଷ ବୁଲିଲି, କେହି ବି ମତେ ସାହାଯ୍ୟ ନେଇ ହେଲେ। ମାଗିଯାଚି କରି ମୋର ଦୁଇ ପୁଓକେ ପଢ଼ାମି। ଝି କେ ବିହାଦେମି। ଖାଲି ମୋର ଜୀବ ଥାଉ। ୨୦୦୬ ମସିହାରେ କେବିକେ ଯୋଜନାରେ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଏ। ଶେଷ ସମୟରେ ଓଡ଼ିଶା ସରକାର ୬୦୦କୋଟି ଟଙ୍କାର ବିଜୁ କେବିକେ ଯୋଜନା ଘୋଷଣା କଲେ। ୨୭ ଅଗଷ୍ଟ ୨୦୦୬ ମସିହାରେ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ କେବିକେ ଅଞ୍ଚଳ ପାଇଁ ବାର୍ଷିକ ୨୫୦କୋଟି ଟଙ୍କା ଦେବାର ଘୋଷଣା କଲେ।
    କେନ୍ଦ୍ର ସରକାରଙ୍କ କମ୍ପ୍‌ଟ୍ରୋଲର ଓ ଅଡ଼ିଟର ଜେନେରାଲ(ସି.ଏ.ଜି)ଙ୍କ ରିପୋର୍ଟ ଅନୁସାରେ କେବିକେର ଆଠଟି ଜିଲ୍ଲାରେ ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ କେବିକେ ଯୋଜନାର କାର୍ଯ୍ୟକାରୀ ହୋଇଥିଲା। ମୋଟ ୭୮୫୦କୋଟି ଟଙ୍କାରୁ ୭୨୪୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟ ସରକାରଙ୍କ ୨୨ଟି ବିଭାଗ ଏହି ଟଙ୍କାରେ ୫୨ ପ୍ରକାର କାମ କରିଛନ୍ତି। ସେଥିମଧ୍ୟରୁ ୯ଟି ଯୋଜନାକୁ ତର୍ଜମା କରି ସି.ଏ.ଜି ତାର ରିପୋର୍ଟ ପ୍ରସ୍ତୁତ କରିଛି। ସେଗୁଡ଼ିକ ହେଲା ଜଳଛାୟା, ବିଜୁ କୃଷକବିକାଶ ଯୋଜନା, ବନୀକରଣ, ଗ୍ରାମ୍ୟନିଯୁକ୍ତି, ଇନ୍ଦିରା ଆବାସ, ଗ୍ରାମ୍ୟ ଜଳଯୋଗାଣ, ଏମ.ଏଚ.ୟୁ ଓ ଜରୁରୀକାଳୀନ ଖାଦ୍ୟ ଯୋଜନା।
    ଏ ଯୋଜନାରେ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣକୁ ଉପେକ୍ଷା କରାଯାଇଛି। ଏଥିପାଇଁ ୧୦୩୭ କୋଟି ଟଙ୍କାର ଯୋଜନା ଥିବାବେଳେ ମିଳିଥିଲା ମାତ୍ର ୪୧୬ କୋଟି ଟଙ୍କା। ଏଥିରୁ ଖର୍ଚ୍ଚ ହୋଇଛି ୩୨୬ କୋଟି ଟଙ୍କା।
    ଗ୍ରାମ୍ୟ ଯୋଗାଯୋଗ ଓ ରାସ୍ତା ନିର୍ମାଣକ୍ଷେତ୍ରରେ ଲକ୍ଷରୁ ଅଧ୍‌ôକ ଖର୍ଚ୍ଚ ହୋଇଛି। ଆଠଟି ଜିଲ୍ଲା ମଧ୍ୟରୁ ବିପିଏଲ୍ ସଂଖ୍ୟା କମ ଥିବା ଜିଲ୍ଲାରେ ଅଧ୍ୱକ ଟଙ୍କା ଖର୍ଚ୍ଚ ହୋଇଛି ଯେପରି ବି.ପି.ଏଲ ସଂଖ୍ୟା ଦୃଷ୍ଟିରୁ ବଲାଙ୍ଗିର ଜିଲ୍ଲାର ସ୍ଥାନ ଦ୍ୱିତୀୟରେ ଥିବାବେଳେ ଟଙ୍କା ଖର୍ଚ୍ଚ ହୋଇଥିବା ସଂଖ୍ୟା ଅନୁସାରେ ଏହା ସ୍ଥାନ ଅଷ୍ଟମ।
    ୧୦୯ ଟି ପ୍ରକଳ୍ପକୁ ବାଦ ଦିଆଯାଇ ୨୭୫ ଟି ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଯାହାକୁ ଭୌଗଳିକ ପରିସ୍ଥିତି କିମ୍ବା ଓଡ଼ିଶାର ରିମୋଟ ସେନସନିଂ ତଥ୍ୟ ଅନୁଯାଇ କରାଯାଇ ନାହିଁ। ରାଜ୍ୟ ସରକାର ତାଙ୍କ ଅଂଶ ନଦେବାରୁ ୫୧.୪୬ କୋଟି ଟଙ୍କା ଖର୍ଚ୍ଚକାଟ କରାଯାଇଛି। ୮୪ ଟି ଜଳଛାୟା ପ୍ରକଳ୍ପ ଆରମ୍ଭ କରାଯାଇ ବନ୍ଦ କରାଗଲା। ଏଥିପାଇଁ ୪ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା।
    ୧୧ କୋଟି ୯ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଲକ୍ଷ ଥିଲା ୨୦ କୋଟି ୩୨ ଲକ୍ଷ ଶ୍ରମଦିବସ। କେବିକେ ଯୋଜନାର ଲକ୍ଷ ଥିଲା ଦାରିଦ୍ର‌୍ୟ ଦୂରୀକରଣ ଓ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଲୋକଙ୍କ ଆର୍ଥିକ ମାନଦଣ୍ଡର ବିକାଶ। ୨ କୋଟି ୭୫ ଲକ୍ଷ ଟଙ୍କା ହିତାଧିକାରୀ ବଦଳରେ ଠିକାଦାରଙ୍କ ଦ୍ୱାରା କାମ କରାଯାଇଛି।
    ୧୪ ପ୍ରତିଶତ ସ୍ୱୟଂ ସହାୟକ ଦଳ ଅର୍ଥ ଉପାର୍ଜନ କାମ କରିଛନ୍ତି। ୩୦ ପ୍ରତିଶତ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ କାମ ଯୋଗାଇବାର ଲକ୍ଷ ଥିଲା, କିନ୍ତୁ ପାଉଛନ୍ତି ମାତ୍ର ୬ ପ୍ରତିଶତ।
    ୫୦ ପ୍ରତିଶତ ଗଛ ବନୀକରଣ ଯୋଜନାରେ ନଷ୍ଟ ହୋଇଛି। ୩୧୬୦ ଟି ବନସଂରକ୍ଷଣ ସମିତି ମଧ୍ୟରୁ ମାତ୍ର ଗୋଟିଏ ପଞ୍ଜିକୃତ ହୋଇଛି। ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟରେ ଆବଶ୍ୟକୀୟ ମେଡ଼ିକାଲ୍‌, ପାରାମେଡ଼ିକାଲ୍‌, ଷ୍ଟାଫ ଓ ଯନ୍ତ୍ରପାତି ନଥିବାରୁ ଏହା ସେତେ ସଫଳ ହୋଇନାହିଁ।
    ୬ କୋଟି ୧୨ ଲକ୍ଷ ଟଙ୍କାରେ ନିର୍ମିତ ୩୯ ଟି ଜଳଯୋଗାଣ ପ୍ରକଳ୍ପ ବିଦ୍ୟୁତ ସଂଯୋଗ ନଥିବାରୁ ଅକାମୀ ହୋଇ ପଡ଼ିଛି। ୧୬୧୦ ଟି ନଳକୂପ ଉପଯୁକ୍ତ ସର୍ଭେବିନା ଖୋଳାଯାଇଥିବାରୁ ଅକାମୀ ହୋଇପଡ଼ିଛି।
    ଇନ୍ଦିରା ଆବାସ ଯୋଜନାରେ ମାତ୍ର ୮ ପ୍ରତିଶତ ହୀତାଧିକାରୀ ଘର ପାଇଛନ୍ତି। ଯେଉଁଥିରୁ ୬୦ ପ୍ରତିଶତ ଘରେ ଧୂମହୀନ ଚୁଲା ନାହିଁ।
    ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଏହି ଯୋଜନା ଉପଯୁକ୍ତ ପରିଚାଳନା ବିନା ପ୍ରଭାବ ଶୂନ୍ୟ ଥିଲା। ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ତାଳମେଳର ଅଭାବ ଯୋଗୁଁ ଏତେବଡ଼ ଯୋଜନା କେବିକେ ଜିଲ୍ଲାରେ ଦାରିଦ୍ର‌୍ୟ ଦୂରୀକରଣ ଓ ଲୋକଙ୍କ ଜୀବନଧାରା ମାନର ବିକାଶ କରିବାରେ ଅସମର୍ଥ ହୋଇଛି ବୋଲି ସି.ଏ.ଜି ରିପୋର୍ଟରେ ଦର୍ଶାଯାଇଛି।
    କୁମାରୀ ଆଜିବି ବୁଲୁଛି ସହଯୋଗ ପାଇବା ଆଶାରେ। ଅତୀତରେ ଝିଅବିକ୍ରି ପରି ଏକ ଅଭାବନୀୟ କାମ କରିଥିବା ପୁଞ୍ଜିକୁ ପାଥେୟ କରି। କେବେ କେବେ ଭେଟିଲେ କହେ ସେ କଷ୍ଟରେ ଅଛି। କେହି ତାକୁ ସାହାଯ୍ୟ କରୁନାହାନ୍ତି। ତା’ର ଭାଷାରେ ସେ ସରକାରୀ ସହଯୋଗ ପାଇବାକୁ ହକଦାର। କିନ୍ତୁ ତା’ ପଇସା ତାକୁ ନ ଦେଇ ସରକାରୀ ଲୋକ ଓ ନେତା ମାନେ ଖାଇଯାଉଛନ୍ତି।
    ଏବେ ସରକାର କେବିକେ ଜିଲ୍ଲାରେ ଆହୁରି ଆଠବର୍ଷ ପାଇଁ ଦୀର୍ଘମିଆଦି ଯୋଜନାର କଥା ଚିନ୍ତା କରୁଛନ୍ତି।

ଉତ୍ତରପର୍ବ
ଘଟଣାକୁ ଅନେକ ବର୍ଷ ହୋଇ ଗଲାଣି। କେବିକେ ଯୋଜନା ଆଜିବି ସରିନାହିଁ। କୌଣସି ନା କୌଣସି ପ୍ରକାରେ ଚାଲିଅଛି। କେବିକେ ଜିଲ୍ଲାରେ ଉନ୍ନୟନ କାମର ଲାଭ ପାଉଥିବା ନେତାମାନେ ବି ଏହି କାହାଣୀ ଭୁଲି ସାରିଲେଣି। କୁମାରୀର ସମସ୍ତ ଛୁଆମାନେ ଉଚ୍ଚଶିକ୍ଷିତ ଓ ବଡ ହୋଇ ସାରିଲେଣି। ନିଜ ଛୁଆପିଲାଙ୍କୁ ମଣିଷ କରିବା ପାଇଁ କୌଣସି ସରକାରୀ ସହଯୋଗ ମିଳି ନଥିଲା। ନିଜର ଚେଷ୍ଟାରେ ନିଜେ ପରିଶ୍ରମ କରି କୁମାରୀ ସମସ୍ତ ସନ୍ତାନକୁ ପାଠ ପଢେଇଲା।
ଦିନେ ମୋର ୟୁଟ୍ୟୁବ ଚେନାଲ ପାଇଁ ମୁଁ କୁମାରୀର ସାକ୍ଷାତକାର ନେଲି। ସମଦୃଷ୍ଟି ପତ୍ରିକାରେ ଥରେ ତାର କାହାଣୀ ଲେଖିଥିଲି। ୟୁଟ୍ୟୁବ ଚେନାଲରେ କାହାଣୀ ଅପଲୋଡ କରିବା ପରେ କୁମରୀର ପୁଅ ମତେ ଫୋନ କରିଥିଲା। ବିନମ୍ରତାର ସହ ଅନୁରୋଧ କରିଥିଲା ସେ ସମୟରେ ଆମେ ଛୋଟ ଛୋଟ ଥିଲୁ। ମୋର ମାଁ ଆମପାଇଁ ଯାହା କଷ୍ଟ କରିଛି ତାହା ଆପଣ ଜାଣନ୍ତି। ଆମେ ସମସ୍ତେ ଏବେଏବେ ବୁଝି ପାରୁଛୁ। ଆମର କାହାଣୀ ବଦଳରେ ହଜାର ହଜାର କୋଟିର ଅନୁଦାନ ରାଜ୍ୟ ପାଇଲା କିନ୍ତୁ ଆମ ଭାଗରେ କଣ ପଡିଲା? ଦୟାକରି କାହାଣୀକୁ ଚେନାଲରୁ ଡିଲିଟ କରି ଦିଅନ୍ତୁ। ଆମକୁ ସାଧାରଣ ଭାବେ ବଞ୍ଚିବାର ଅଧିକାର ଅଛି। ନା ତ ଅତୀତର ଅପମାନକୁ ଆଧାର କରି।
ସତକଥା ଏ ପ୍ରଶ୍ନର ଉତ୍ତର ମୋ ପାଖେ ନଥିଲା। ଭିଡିଓଟିକୁ ଗୁପ୍ତ କରିଦେଲି। ନିଜକୁ ନିଜେ ପଚାରିଲି ମତେ କିଏ ଅଧିକାର ଦେଲା ଗୋଟିଏ ଦୁଃଖଦ କାହାଣୀକୁ ବାରମ୍ବାର ଲେଖିବା ପାଇଁ? ପତ୍ରକାରିତାର ଧର୍ମ ଉପରେ ବି ପ୍ରଶ୍ନଟିଏ ଥିଲା ଯାହାର ଉତ୍ତର ମୋ ପାଖରେ ନାହିଁ।


ରିସିପିଟିର ସାମ୍ରାଜ୍ୟ ଓ ବଞ୍ଚି ପାରିନଥିବା ବାଳମତୀ

ବାଲମତୀ ଶବର ଦଶବର୍ଷ ପୁଅର ସାବତ ମାର ମାନ୍ୟତା ନେଇ ବରଲାବେହେଲି ଗାଁକୁ ବୋହୂ ହୋଇଆସିଲା। ଭାବ ଅଭାବର ପ୍ରାଚୀନତାଠାରୁ ଟିକିଏ ଅଧିକ ବୟସ ଗାଁ ଟିର। ତା’ଠାରୁ ଅଧିକ ଯେଗୀମଠ।
ବାଲମତୀ ଦୁଇ ବଖରା ମାଟିକୁଡ଼ିଆର ପରିଧି ଭିତରେ ସାବତ ପୁଅ ସୁଶୀଲର ମାଁ ଡାକ ଶୁଣେ। ସକାଳୁ ଉଠି କୁଡ଼ିଆ ସଫାକରେ / ରାତିରେ ସଞ୍ଚିଥିବା ବାସିକୁ ସ୍ୱାମୀ ଓ ସୁଶୀଲକୁ ଦିଏ। ବଳିଲେ ନିଜେ ଖାଏ / ସୁଶୀଲ ଲୋକଙ୍କ ଗାଈ ଚରେଇ ଯାଏ / ସେ ସ୍ୱମୀ ସହ କାମ କରି ଯାଏ। ଝାଟିକୁଟି ସଂଗ୍ରହ କରେ / ଛେନା (ଘସି) ଗୋଟାଏ / ସଂସାର ଚଳାଏ।
ସଂସାର ସର୍ଜ୍ଜିଲାପରେ ରିସିପିଟିକୁ କିଛି ଦାୟିତ୍ୱ ଦିଆଗଲା। ଉନ୍ଦେର ଆ ଉଦନ୍ତୀ ବାହୁ ଘେରରେ ଥିବା ସାମ୍ରାଜ୍ୟର ସୁଖଦୁଃଖ ରିସିପିଟି ବୁଝିଲା। ଏଇ ସାମ୍ରାଜ୍ୟରେ ବାଲମତୀର ଘର। ତାର ସୁଖଦୁଃଖ କି ଭାବ-ଅଭାବର କଥା ବାଲମତୀ ରିସିପିଟି ପାହାଡ଼କୁ କହିଲା। ରିସିପିଟି ବାଲମତୀର ଗୁହାରୀ ଶୁଣିଲା। ସୂର୍ଯ୍ୟ ଉଇଁଲେ ତାର ଦୁଃଖ ଦୂର କଲା। ଏପରିକି ବାଲମତୀ ଗାଁ ଯିବାର ଥିଲେ ଗହଣା ଥୋଇଦେଲା। ରିସିପିଟି ତା’ର ନିଜର ପାଦତଳେ। ଦିନେ କେଇଁଜଣେ ବଲମତୀ ଆଉ ଗହଣା ଫେରେଇଲା ନାହିଁ। ରିସିପିଟି ମାନକଲା। ଉଦନ୍ତୀ ଆଉ ଉନ୍ଦରକୁ ଭାଗ କରିଦେଲା। ଉଦନ୍ତୀ ଖଡ଼ିଆଳ ରାଜ୍ୟ ହୋଇଗଲା। ଉନ୍ଦର ପାଟଣା ରାଜ୍ୟ। ରିସିପିଟି ତା’ଜାଗାରେ ରହିଲା। ମାନ କଲା। ବାଲମତୀର ଅପ୍ରାଧକୁ ଲୋକ ନିଜ ମୁଣ୍ଡକୁ ନେଲେ। ରିସିପିଟିକୁ କିଚି କହିଲେନି। ସମ୍ମାନ ଦେବାକୁ ବି ଭୁଲିଲେନି। ଗୋଟିଏ ସାମ୍ରାଜ୍ୟ ଦୁଇଭାଗ ହେଲା ପରେ ବି ରିସିପିଟି ପାଖକୁ ଗଲେ ଛୋଟ ପଥର ଗୋଟିଏ ଥୋଇଦେଲେ। ଗାଁ ମୁଣ୍ଡ ଠାକୁରାଣୀ ପଥର ପରି ନିଜ ଭିତରେ ଥିବା ରିସିପିଟି ପ୍ରତି ସମ୍ଭ୍ରମତାକୁ ପଥର କରି ଥୋଇଲେ ଲୋକେ। ତଥାପି ରିସିପିଟିର ମାନ ଭାଙ୍ଗିଲା ନାହିଁ।
ସଂସାରର ପ୍ରଥମ ମଣିଷକୁ ବିଧାତା ସର୍ଜିଲେ। ଚରାଚରର ସୁଖଦୁଃଖ ବୁଝୁଥିବା ରିସିପିଟି ଦାୟିତ୍ୱରେ ଛାଛିଦେଲେ ଲୋକଟିକୁ। ଉନ୍ଦେର ଆଉ ଉଦନ୍ତୀ ମଜିରେ ଖେଳିଲା ଲୋକଟି। ନଦୀମାନେ ପାଣି ଦେଲେ। ଗଛବୃଚ୍ଛ ଖାଦ୍ୟ / ଲୋକଟି ଖେଳିଲା, ବୁଲିଲା ଆଉ ରହିଲା ଯୋଗୀମଠରେ। ରିସିପିଟିକୁ ପିତୃପ୍ରତିମ କଲା ଆଉ ଗଛବୃଚ୍ଛ ଜୀବଜନ୍ତୁଙ୍କୁ ସହଚର। ସମସ୍ତଙ୍କ ସଙ୍ଗେ ହସିଲା, କାନ୍ଦିଲା। ଯୋଗୀମଠରେ ସମସ୍ତଙ୍କ କଥା ଲେଖିଲା। ଘରକଲା/ ସମ୍ଭୋଗ କଲା ଆଉ ସଂସାର କଲା। ପୃଥିବୀର ଦୁର୍ଲଭ ଜନ୍ତୁକୁ ବିଧାତା ରିସିପିଟିକୁ ଦେଇଛି। ତାକୁ ସମସ୍ତେ ଗେଲକଲେ / ଆଦର କଲେ/ ଉନ୍ଦେର ଓ ଉଦନ୍ତୀ ପାଣି ଦେଲେ / ଜଙ୍ଗଲ ଗଛ ଦେଲା / ଧରା ଭୂମି ଦେଲା। ମଣିଷ ଏଠାରେ ପ୍ରଥମେ ଧାନଚାଷ କଲା। ଘରକଲା। ସମ୍ଭୋଗ କଲା। ଗାଁ କଲା। ସହର କଲା। ସାମ୍ରାଜ୍ୟକୁ ମୋର କହିଲା। ରିସିପିଟିର ଗହଣାକୁ ବି। ରିସିପିଟି ମାନ କଲା। ଯୋଗୀମଠ ଖାଲି ହୋଇଗଲା। ରିସିପିଟି ମାନକରିବସିଲା। ବିଧାତା ରିସିପିଟିକୁ ସଁପିଥିବା ପ୍ରଥମ ମଣିଷର ଲେଖା ଯୋଗୀମଠରେ ଲୁଚିଲା।
ଜିତାମିତ୍ର ପ୍ରସାଦ ସିଂଦେଓ ଏ ପ୍ରଥମ ମଣିଷର ଲେଖା ପଢ଼ିଲେ। ବିଧାତା ସର୍ଜିଥିବା ପ୍ରଥମ ମଣିଷ ପ୍ରକୃତି ଓ ପୁରୁଷକୁ ସମ୍ମାନ କରୁଥିଲେ। ପରମ ପୁରୁଷକୁ ତିନି ଠାକୁର କରିଥିଲେ। ରିସିପିଟି ମାନକଲାପରେ ତିନିଠାକୁର ଯୋଗୀମଠରୁ ବାହାରି ମହାନଦୀ କୂଳେ କୂଳେ ତେନ୍ତୁଲିଖୁଣ୍ଟି ଦେଇ ପୁରୀକୁ ପଳେଇଲେ। ଷାଠିଏ ପଉଟି ଖାଇଲେ। ସମୁଦ୍ରର ଏକୂଳ ସେକୂଳକୁ ବିସ୍ତରି ଗଲେ। ଜଗତରନାଥ ଜଗନ୍ନାଥ ହୋଇଗଲେ। ରିସିପିଟି ତଳେ ରହିଗଲେ ସେ ମଣିଷ ମାନେ, ଯେଉଁଠାକୁ ବାଲମତୀ ବୋହୁହୋଇ ଆସିଲା। ସଂସାର କଲା। କଷ୍ଟ ହେଲା। ଏଥିଲାଗି ଛୋଟ ପଥରଟିକୁ ରିସିପିଟି ପାଦତଳେ ଥୋଇଲା। ତିନି ଠାକୁର ଯୋଗୀମଠ ଛାଡ଼ିଗଲେ। ପୁରୀରେ ଷାଠିଏ ପଉଟି ଖାଇଲେ। ରିସିପିଟିର ମାନ ଭାଙ୍ଗିଲାନି। ସଂସାରର ପ୍ରଥମ ସମ୍ରାଟ ରିସିପିଟି ରୋଗୀ ବୁଢ଼ାଟି ପରି ବସିରହିଲା।
ବାଳମତୀ ବି ନିଜେ ମା ହୋଇଗଲା। ରିସିପିଟିର ସାମ୍ରାଜ୍ୟକୁ ମଣିଷ ବିଦାରି ସାରିଥିଲା। ଜଗନ୍ନାଥ ଯୋଗୀମଠ ଛାଡ଼ିସାରିଥିଲେ। ଏଠାରେ ଦିନକୁ ଦୁଇବେଳା ବାଳମତୀ ପାଇଁ ଅଭାବ ହେଲା। ତଥାପି ବି ବାଳମତୀର ଅଭିଯୋଗ କିଛି ନଥିଲା। ସଂସାର ଚଳେଇଲା। ରିସିପିଟି ପାଖେ ପଥର ଥୋଇଲା। ସୁଶୀଳକୁ ବାହା କରେଇଲା। ତା’ପରି କେଉଁ ବାଳମତୀକୁ ଘରକୁ ବୋହୁ କରି ଆଣିଲା। ଜଗନ୍ନାଥ ପୃଥିବୀର ବଡ଼ ଧନୀ, ରତ୍ନାକରର ଝିଅକୁ ବାହାହେଲା। ବୋହୁପାଇଁ ଅଳଙ୍କାର ମାଗିବାକୁ ସାହସ କଲାନି ବାଳମତୀ। ସେ ଜାଣିଥିଲା କେଉଁ ବାଳମତୀ ଜଣେ ରିସିପିଟିକୁ ଅଳଙ୍କାର ଫେରେଇ ନଥିଲା। ଖାଲି କହିଦେଲା ରିସିପିଟି ତୋ ସାମ୍ରାଜ୍ୟକୁ ତୁ ଦୁଇଭାଗ କରିଦେଲୁ। ମୁଁ କଲିନି। ସାମ୍ରାଜ୍ୟର ସେ ଭାଗ ତରାପୁରରୁ ବୋହୁ ଅଣିଛି ଏ ଭାଗ ବାରଲାବେହେଲିକୁ। ବୋହୁ ଆଣିବା ପରେ ସେ ଅପସରି ଗଲା ଜଗନ୍ନାଥଙ୍କ ପରି। ବଳଭଦ୍ର ସୁଭଦ୍ରାଙ୍କୁ ନେଇ ମହାନଦୀ କୂଳେ କୂଳେ ପୁରୀକୁ। ସ୍ୱାମୀ ଓ ପୁଅ ଗୁଣଧରକୁ ନେଇ ଉନ୍ଦେର କୂଳେ କୂଳେ ଯାଇ ପରିଲାନି। ଡେଇଁଲା ତା’କୁଡ଼ିଆରୁ ବରଲାବେହେଲିର ଅନ୍ୟ କୁଡ଼ିଆକୁ। ପୁରୀରେ ଷାଠିଏ ପଉଟି ରନ୍ଧା ହେଲା। ବାଳମତୀର କୁଡ଼ିଆରେ ଛଅମୁଠା ପାଇଁ ଦିନଯାକର ଖଟଣି ଓ ରାତିଯାକର ଚିନ୍ତା ଦରକାର ହେଲା।
ରିସିପିଟିର ମାନ ଭାଙ୍ଗି ନଥାଏ। ବସିଥାଏ ଗାଁ ବସେଇଥିବା ରୋଗିଣା ବୁଢ଼ାଟି ଘରେ ବସିଲାପରି।
ସ୍ୱାମୀକୁ ରୋଗ ହେଲା। ଘରେ ବସିଲା। ରିସିପିଟି ପାଦତଳର ଓøଷଧି ଆଉ ବୈଦ୍ୟକୁ ବି ଜଗନ୍‌ାଥ ନେଇ ଯାଉଥିଲେ। ସେଠାରେ ଷାଠିଏ ପଉଟି ପାଇଁ ଆନନ୍ଦ ବଜାର; ଏଠାରେ ଛଅମୁଠା ଅତିକଷ୍ଟ। ବାଳମତୀକୁ ଅଭାବ ସହଚର କଲା। ଜଗନ୍ନାଥ ଭାବବିନୋଦିଆ ହେଲେ। ପୁଅ ଗୁଣଧରକୁ ସାତବର୍ଷ ହେଲା।
ରିସିପିଟି ମାନ କରିଥାଏ। ବାଳମତୀ ସଂସାର ଚଳଉଥାଏ। ଜଗନ୍ନଥ ଧାମରେ ପରମପୁରୁଷ ଷାଠିଏ ପଉଟି ଖାଇ ବିଶ୍ରାମ କରୁଥାଏ। ଯୋଗୀମଠ ଖାଲିଥାଏ। ବାଳମତୀର କୁଡ଼ିଆ ଖାଲିଥାଏ। ପୃଥିବୀର ପ୍ରଥମ ବାଳମତୀ ଅଳଙ୍କାର ଫେରେଇ ନଥିବାର କାହାଣୀ ନେଇ।
ଜଗନ୍ନାଥଙ୍କୁ ଜମି ଲେଖିଦେଲେ ସଂସାରର ରାଜା ମହାରାଜା। ତହସିଲଦାର ଅଧଏକର ଜମି ପାଇଁ ଯୋଗ୍ୟ ଭାବିଲେନି ବାଳମତୀକୁ। ଲୋକେ ଜଗନ୍ନାଥଙ୍କ ହୁଣ୍ଡିରେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଯାଚିଲେ। ବିଡ଼ିଓ ମାସକୁ ଶହେ ଟଙ୍କା ଯୋଗ୍ୟ ଭାବିଲେନି ବାମତୀକୁ।
ରିସିପିଟିର ସାମ୍ରାଜ୍ୟ ଦୁଇଭାଗ ହୋଇଯାଇଥିଲା, ଆଉ ବାଳମତୀର ସଂସାର। ବାଳମତୀ ସାମ୍ରାଜ୍ୟର ସେ ଭାଗରୁ ବୋହୁଆଣିଲା। ତଥାପିବି ରିସିପିଟିର ସାମ୍ରାଜ୍ୟ ଏକ ହେଲାନି। ବରଲାବେହେଲି ସାମ୍ରାଜ୍ୟର ସେ ଭାଗ ଖଡ଼ିଆଳକୁ ସଉଦା କିଣିଗଲା। କାମ କରିଗଲା। ଡାକ୍ତରଖାନା ଗଲା। ରିସିପିଟିର ମାନ ଭାଙ୍ଗିଲାନି। ବରଲାବେହେଲିରୁ ରାୟପୁର ଗଲା, ରିକ୍‌ସା ଟାଣିଲା। ଆଇଦ୍ରାବାଦ ଗଲା, ଇଟା ଗଢ଼ିଲା। ପୁରୀରେ ଷାଠିଏ ପଉଟି ରନ୍ଧା ହେଲା। ଯେଉଁଠି ପ୍ରଥମ ମଣିଷ ଧାନଚାଷ ଆରମ୍ଭ କରିଥିଲା, ସେଠାରେ ବାଳମତୀ ବିପିଏଲ୍ ଚାଉଳ କିଣିବାକୁ ବାସନ ବନ୍ଧାକଲା। ବାସନ ସରିଗଲା। ବଣତୁଳସୀ ମଞ୍ଜି ଖାଇଲା। ବଣତୁଳସୀ ମଞ୍ଜି ସରିଗଲା। ଭୋକରେ ରହିଲା। ଭିକ ମାଗିଲା। ରୋଗ ହେଲା। ମରିଗଲା। ଗୁଣଧରକୁ ଆଠ ବର୍ଷ ହେଲା ସମୟକୁ ସେପ୍ଟେମ୍ବର ୨୭, ୧୯୯୬। ତଥାପି ବି ରିସିପିଟିର ମାନ ଭାଙ୍ଗିଲାନି।
ବାଳମତୀ ମଲା ପର୍ଯ୍ୟନ୍ତ ରିସିପିଟିର ସାମ୍ରାଜ୍ୟ ଏକ ହୋଇନଥିଲା। ଗଉନ୍ତିଆ, ଜମିଦାର, ରଜା ସମସ୍ତେ ରାଜ୍ୟଭୋଗ କରିସାରିଥିଲେ। ଜଗନା୍ନଥ ଷାଠିଏ ପଉଟି ଖାଉଥିଲେ। ରିସିପିଟିର ମାନ ଭାଙ୍ଗି ନଥିଲା। କିଛିଲୋକ ଆସି ବରଲାବେହେଲିକୁ ବୁଝେଇଲେ ମତେ ଭୋଟ ଦେ, ରଜା କର। ବରଲାବେହେଲି ସଙ୍ଗେ ବାଳମତୀ ବି ଭୋଟ ଦେଲା। କିଛି ହେଲାନି ଦୁଇବର୍ଷ କି ପାଞ୍ଚବର୍ଷରେ ଜଣେ ଆସିଲା, ଭୋଟ ମାଗିଲା ରଜା ହେଲା। ବାଳମତୀ ଭାବୁଥିଲା ଗୁଣଧର ଠାରୁ ବି ଘନିଷ୍ଠ ନାଁ ରିସିପିଟି। ମାନ କରିଛି କରିଥାଉ। କେହି ତା’ପରି ରଜା ହୋଇ ପାରିବେନି। ସେ ଭୋଟ ମାଗୁଥିବା ରଜାମାନଙ୍କ ନା ବି ଜାଣିପାରେନି। ମରିଯାଏ। ଗୁଣଧର ଏକଲା ହୋଇଯାଏ।
ଲୋକ ମରୁଡ଼ି ଦେଖିଲେ। ନିଜକୁ ପ୍ରସ୍ତୁତ କଲେ ଗାଁରେ, ରାୟପୁରରେ କି ହାଇଦ୍ରାବାଦରେ ଆଉ ଟିକିଏ ଅଧ୍‌ôକ ଖଟିବୁ। ବଣତୁଳସୀ ମଞ୍ଜି ଖାଇବୁ, ବଞ୍ଚିବାକୁ ଚେଷ୍ଟା କରିବୁ।
ଜଣେ ଲୋକ ଆସିଲା। କହିଲା ବାଳମତୀ ନଖାଇ, ନ ପିଇ ମଲା। ଲୋକେ ବି ଏ କଥା ଜାଣିଥିଲେ। ସେ ଲୋକ କହିଲା ଏଇଟା ଅନ୍ୟାୟ ହେଲା। ଲୋକେ ଏ କଥା ଜାଣି ନଥିଲେ। ସେ ଲୋକର କଥାରୁ ଜାଣିଲେ ଅଧା ଖାଇ ବଞ୍ଚିଯିବାଟା ନ୍ୟାୟ। ନ ଖାଇ ମରିଯିବାଟା ଅନ୍ୟାୟ। ଅନ୍ୟାୟ ହେଲେ ଫେରାଦ କରିବାକୁ ହୁଏ। ଫେରାଦ କଲେ ସରକାରକୁ ଅପମାନପାତକ ଲାଗେ, ତା’ ହେଲେ ସରକାର କେବିକେ ଘୋଷଣା କରେ, ମହାବନ୍ଧ ଖୋଳି ବୁଡ଼ ପକାଏ। ବାଳମତୀ ଚାଉଳ କିଣିବାକୁ ବାସନ ବନ୍ଧା ପକାଏ। ସରକାର ସୁନା ବନ୍ଧା ପକାଏ। ଲୋକେ କୁହାକୁହି ହୁଅନ୍ତି ଏକଦା ସରକାରଙ୍କୁ ପାତକ ମୁକ୍ତ କରିଥିବା କେବିକେକୁ ବନ୍ଦ କରାଯିବ। ଏତିକିବେଳେ ବାଳମତୀ ମରିଯିବ। ସରକାରଙ୍କୁ ଅପମାନପାତକ ଲାଗିବ।
ବାଳମତୀର କଥା ସରକାର ଜାଣିବେ। ତାକୁ କିପରି ଅନାହାରରେ ମଲା ଦେଖିବା ପାଇଁ ଆକାଶମାର୍ଗରେ ତିନିଟି ବିମାନ ଧରି ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେଗୌଡ଼ା କେବିକେ ଅଞ୍ଚଳ ବୁଲିଲା ବେଳେ ୧୪ ନଭେମ୍ବର, ୧୯୯୬ ଦିନ ଭାଲୁମୁଣ୍ଡାରେ ଓହ୍ଲେଇବେ। କ୍ଷେତ ଦେଖିବେ, ଲୋକ ଦେଖିବେ। ଲୋକ ନିଜର ଦୁଃଖ ଦେଖେଇବେ, ମରୁଡ଼ିରେ ଜଳିଥିବା ଧାନଗଛ ଦେଖେଇବେ।
ପ୍ରଧାନମନ୍ତ୍ରୀ ଦୁଃଖ ଦେଖିଲେ। ଗୁଣଧରକୁ ଦେଖିଯିବାକୁ ଚାହିଁବେ। ଅନୁଚର ମନା କରିବେ। ପ୍ରଧାନମନ୍ତ୍ରୀ ବରଲାବେହେଲି ଯାଇପାରିବେ ନାହିଁ। ଉନ୍ଦେର ଏ କୂଳରେ ରହିଯିବ। କହିବେ କେବିକେ ବନ୍ଦ କରିବା ନାହିଁ। ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା। ତୁମେ ୫୦ କେଟି ଟଙ୍କା ନିଅ। ନିଜର ଦୁଃଖ ଦୂର କର।
ରିସିପିଟିର ମାନ ଭାଙ୍ଗିଲା ନାହିଁ। ଭାରତବର୍ଷର ସମ୍ରାଟ ତା’ର ମାଟିରେ ବାଳମତୀର ଅନାହାର ମୃତ୍ୟୁଦଣ୍ଡ ଉପରେ ନିଜର ମନ୍ତବ୍ୟ ଦେଲେନି। ବାଳମତୀ ଗହଣା ଲୋଭ କଲାପରି ମହାପାତକ କରିଛି। ତା’ର କ୍ଷମା ନାହିଁ। ରାଜ୍ୟର ସେ ଭାଗରୁ ବୋହୁ ଆଣିଲେ କି ଏ ଭାଗରେ ବଣତୁଳସୀ ଖାଇଲେ ତାର ମୃତ୍ୟୁଦଣ୍ଡ ଧର୍ମସମ୍ମତ, ନ୍ୟାୟସମ୍ମତ।
ଭୋଟ ମାଗୁଥିବା ଲୋକ ବରଲାବେହେଲିକୁ କହିଲା ଆମ ଲୋକ ରଜା ହେଲାବେଳେ ଯେଉଁ କେବିକେ ଗାଈକୁ ଲୋକାର୍ପିତ କରିଥିଲୁ, ସେ ଗାଈର ଲାଞ୍ଜକୁ ଦ୍ୱିତୀୟଥର ଧରାଇ ପାତକମୁକ୍ତ ହେଲା ଏ ରଜା। ଯେଉଁ ଇନ୍ଦ୍ରଜଳରେ ଆମେ କେଳି କରିବା କଥା, ସେ ଜଳରେ ୟେ ବୁଡ଼ ପକେଇଲା। ତୁମକୁ ଠକିଲା। ବରଲାବେହେଲି କିଛି ବୁଝିଲାନି। ଅନ୍ୟଜଣେ ଆସି କହିଲା ତୁମେ କେବିକେ ସ୍ୱର୍ଗରେ ରହିବ, ଇନ୍ଦ୍ରଜଳରେ କେଳି କରିବ। ବରଲାବେହେଲି କିଛି ବୁଝିଲା ନାହିଁ। ଦେଖିଲା, ଶୁଣିଲା, ଆଉ କିଛି କହିଲା ନାହିିଁ। କହିବ କାହାକୁ? ଋିସିପିଟି ମାନ କରିଛି।
ବରଲାବେହେଲି ରାୟପୁରରୁ ଫେରି ଦେଖିଲା ତାର ଏଗାରଟି ଘର ଭାଙ୍ଗିଯାଇଛି। ଭାଙ୍ଗିଥିଲେ ଚଳନ୍ତା, ଛାତସୁଦ୍ଧା ତଳେ ପଡ଼ିଯାଇଛି। ବିଡିଓକୁ କହିଲା। ବିଡିଓ କହିଲା ଏତେବଡ଼ ବ୍ଲକ୍‌କୁ ତ’ ଏଗାରଟି ଘର ଆସୁନି, ତତେ ଦେବି କୁଆଡ଼ୁ? ବରଲାବେହେଲି ନିଜର ଦୁଃଖ କହିଲା। ବିଡିଓ ରାଗିଗଲା- ଗୋଟିଏ ବି ଘର ଦେଲାନି ବରଲାବେହେଲିକୁ। ବରଲାବେହେଲିର କିଛି ହେଲାନି। ଏଗାରଟି ଘର ହରେଇ ଟିକିଏ ସଙ୍କୁଚିତ ହୋଇଗଲା କେବଳ।
ସୁଶୀଲ ରିସିପିଟିର ଅନ୍ୟରାଜ୍ୟକୁ ଶାଶୁଘର ଗଲା। ସାଙ୍ଗରେ ଗୁଣଧରକୁ ନେଲା। ସେ ମଜୁରୀ କଲା ସ୍ତ୍ରୀ ସହ। ଗୁଣଧର ଗାଈ ଚରେଇଲା। ବରଲାବେହେଲି ପ୍ରାଥମିକ ବିଦ୍ୟାଳୟରେ ଗୁଣଧରର ହାଜିରା ପଡ଼ିଲା। ଗୁଣଧର ଏମ୍‌ଡିଏମ୍ ଖାଇଲା। ଶିକ୍ଷକଙ୍କୁ ପଚରାଗଲା ଆପଣ କେଉଁ ବିଦ୍ୟା ଗୁଣଧରକୁ ଶିଖାନ୍ତି ଯେ ସେ ତରାପୁରରେ ଗାଈ ଜଗେ ଓ ବରଲାବେହେଲି ସ୍କୁଲରେ ପଢ଼ି ଏମଡିଏମ ଖାଇପାରେ। ଏହି ଜଟିଳ ବିଦ୍ୟାର ସରଳ ବ୍ୟାଖ୍ୟା କରନ୍ତି ଶିକ୍ଷକ; ଏ କଥା ଏସ.ଆଇ, ବିଡିଓ, ଏସଇଓ ଜାଣନ୍ତି।
ସୁଶିଲ ଦେଖିଲା ତରାପୁରରେ ଶାଶୁଘରେ ବୋଝହେବା ଅପେକ୍ଷା ବରଲାବେହେଲିରେ ଅଧାପେଟରେ ଇଜ୍ଜତ ଅଛି। ଗୁଣଧର ଓ ପରିବାରକୁ ନେଇ ଫେରିଲା ବରଲାବେହେଲି। ଏଠାରେ ବି ଗୁଣଧର ଲୋକଙ୍କ ଗାଈ ଚରେଇଲା, ବିଦ୍ୟାଳୟରେ ଉପସ୍ଥାନ ପଡ଼ିଲା, ଏମଡିଏମ ଖାଇଲା। ଶିକ୍ଷକଙ୍କ ଜଟିଳ ବିଦ୍ୟା ଆହୁରି ସରଳ ହେଲା।
ବର୍‌ଲାବେହେଲିର ଗ୍ରାମଞ୍ଚାୟତ ବଲଧା। ଏଠାକାର ସରପଞ୍ଚ ବାପାକୁ ବିଡିଓ ବାର୍ଦ୍ଧକ୍ୟ ଭତ୍ତା ଦେଲେ। ଏକଦା ଯିଏ ବାଳମତୀକୁ ବିଧବା ଭତ୍ତା ପାଇଁ ଯୋଗ୍ୟ ଭାବିନଥିଲେ, ସେ ସରପଞ୍ଚଙ୍କ ବାପାଙ୍କୁ ଯୋଗ୍ୟ ଭାବିଲେ। ଏକଥା ତୁଣ୍ଡ ବାଇଦ ହୋଇଗଲା ପରେ ବିଡିଓଙ୍କୁ ଛୋଟ ପାତକଟିଏ ଲାଗିଲା। ସେ ଭତ୍ତା ତାଲିକାରୁ ସରପଞ୍ଚର ବାପାକୁ ବାଦ ଦେଲା।
ବରଲାବେହେଲି ପାଇଁ ରାସ୍ତା ନଥିଲା ରସ୍ତା କରାଯିବାକୁ ଉଚିତ୍ ମଣାଗଲା ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅନୁଚରମାନେ ଏଥିଯୋଗୁଁ ଛାଡ଼ିଲେ ନାହିଁ। ଏଗାରଟି ଭଙ୍ଗାଘର ବଦଳରେ ଗୋଟିଏ ବି ଇନ୍ଦିରା ଆବାସ ଦିଆଗଲା ନାହିଁ। ବିଡିଓ କହିଲା- ସେମାନେ ରାୟପୁରରେ ରୁହନ୍ତି, ଏଠାରେ ଘର କଣ କରିବେ? ସରପଞ୍ଚଙ୍କ ବାପା ଭତ୍ତା ତାଲିକାରୁ କଟିଯିବା ପରେ ବରଲାବେହେଲି ସେହି ସାତଟି ଭତ୍ତା ପାଇଲା, ଯାହା ଆଗରୁ ପାଉଥିଲା। ଗୁଣଧର ଗାଈ ଚରେଇଲା, ଏମଡିଏମ ଖାଇଲା। ରିସିପିଟିର ମାନ ଭାଙ୍ଗିଲାନି। ଜଗନ୍ନାଥ ଷାଠିଏ ପଉଟିରୁ କାଣିଚାଏ ଉଣା କଲେନି।
କେବିକେ କାମଧେନୁ ରିସିପିଟିର ଅଖଣ୍ଡ ସାମ୍ରାଜ୍ୟରେ ଚରିଲା। ୭,୨୪୪ କୋଟି ଟଙ୍କାର ଘାସ ଖାଇଲା। ଜ୍ଞାନୀଏ କହିଲେ ଘାସ ଅନୁପାତରେ କ୍ଷୀର ହେଲାନାହିଁ। ଲୋକେ କହିଲେ ଜଗନ୍ନାଥ ପଛ କରିଥିବା ଭୂମିରେ ଯାହା କଲେ କଣ ହେବ?
ଋିସିପିଟିର ମାନ ଭାଙ୍ଗିଲାନି। ଜଗନ୍ନାଥର ରଥ ମହୋଦଧିର ଦୁଇକୂଳରେ ଚାଲିଲା। ସେ ଶ୍ରୀପତି ନାମରେ ଖ୍ୟାତ ହେଲା, ଆଉ ଗୁଣଧର ଅନାହାର ନାମରେ। ଗୁଣଧର ଜୁଆନ ହେଲାଣି। ଲୋକେ କହୁଛନ୍ତି ତୁ ମୁମ୍ବାଇ ଯା। ସେଠାରୁ ଫେରିଲେ ବାହା ହେବୁ। ରିସିପିଟି ପାଖରେ ପଥର ଥୋଇବୁ। ସଂସାର କରିବୁ, ବଣତୁଳସୀ ଖାଇବୁ। ଜଗନ୍ନାଥ ଷାଠିଏ ପଉଟି ଖାଉଥାଉ, ତୋର ଏମଡିଏମ ଖାଇବା କାଳ ହେଲା।
ଲୋକେ ସେ ପ୍ରଥମ ପୁରୁଷ, ପରମପୁରୁଷ ଓ ପ୍ରଧାନମନ୍ତ୍ରୀଙ୍କୁ ଇତିହାସ କରିଦେଲେଣି। ଏବେ ରିସିପିଟିର ନାମ ଆଉ ଅନାହାର ନାମ ଗୋଟିଏ ରାଜ୍ୟରେ ଚାଲୁଛନ୍ତି ସମତାଳରେ। ରିସିପିଟି ତା’ଥାନରେ ଅଛି ଯେପରି ଆଗରୁ ଥିଲା। ଗୁଣଧର ପାଖରେ ରିସିପିଟିର ଧୈର୍ଯ୍ୟ କାହିଁ? ସେ ଯାଇଛି ରାୟପୁର, ଦାଦନ ଖଟି।

ଉତ୍ତରପର୍ବ
ତିନି ତିନି ଜଣ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଆଦି ଓଡ଼ିଶାର ପଶ୍ଚିମ ଜିଲ୍ଲା ମାନ ଗସ୍ତକରି ଗଲେଣି। କୌଣସି ଉତ୍ସବ ପାଇଁ ନୁହେଁ ଦାରିଦ୍ର‌୍ୟର ମହୋତ୍ସବ ପାଇଁ। ୧୯୬୬ ମସିହାରୁ ୧୯୯୬ ମସିହା ଦୀର୍ଘ ୩୦ ବର୍ଷ ଏଭିତରେ ତିନିଜଣ ପ୍ରଧାନମନ୍ତ୍ରୀ ନିଜେ ଦାରିଦ୍ର‌୍ୟର ସ୍ୱରୂପ ଦେଖି ଯାଇ ସାରିଛନ୍ତି। ତିନିବର୍ଷ ତଳେ ଖୋଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହଜାର ହଜାର କୋଟି ଟଙ୍କାର କେବିକେ ଯୋଜନାର ଘୋଷଣା ହୋଇ ସାରିଛି। ଏହାପରେ ଅନାହାର ମୃତ୍ୟୁର ଅଭିଯୋଗ! ଏତେବେଳକୁ ପୁଣି ଚତୁର୍ଥ ପ୍ରଧାନମନ୍ତ୍ରୀ ଆସନ୍ତି ବର୍ଲାହେହେଲି ଗାଁର ଅନାହାର ମୃତ୍ୟୁ ଅଭିଯୋଗ ପରେ। ଜଣେ ଆଦିବାସୀ ମହିଳା ବାଲମତୀ ଶବରର ମୃତ୍ୟୁ ହୁଏ। ଅଭିଯୋଗର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତି। ସବୁଠାରୁ ବଡକଥା ଚାରି ଚାରିଜଣ ପ୍ରଧାନମନ୍ତ୍ରୀ କେବଳ ଦାରିଦ୍ର‌୍ୟର ଅଭିଯୋଗ କାରଣରୁ ଆସିଛନ୍ତି। ଅର୍ଥାତ ୩୦ ବର୍ଷ ହେଲା ଅଞ୍ଚଳଟି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଅଛି। ତଥାପି ଦାରିଦ୍ର‌୍ୟ ଅଛି। ସେତିକି ଦାରିଦ୍ର‌୍ୟ ଯାହା ପ୍ରଧାନମନ୍ତ୍ରୀମାନଙ୍କୁ ମଧ୍ୟ ବିଚଳିତ କରିଆସୁଛି।
ନିଶ୍ଚିତ ଶାସନକୁ ସିଧା ସିଧା ଦୋଷ ଦେବା ଅନୁଚିତ। ରାଷ୍ଟ୍ର ତାର କାକୁସ୍ଥତା ପ୍ରକାଶ କରେ ପ୍ରଧାନମନ୍ତ୍ରୀ ଖୋଦ କହନ୍ତି ଫାନସ ପୁଞ୍ଜିକୁ ଟଙ୍କାଟିଏ ଦିଲ୍ଲୀରୁ ପଠେଇଲେ ତା ପାଖକୁ ପଚିଶ ପଇସା ପହଞ୍ଚୁଛି। ଏହା ୧୯୮୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ ବୟାନ। ଯିଏ କିଛି ସମୟପରେ ଭାରତକୁ ଯୋଗାଯୋଗ ଓ କମ୍ୟୁଟର କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଅନ୍ତଃରାଷ୍ଟ୍ରୀୟ ଘୋଷଣା କରିବାର ଅଛି। ପ୍ରାଚୂର୍ଯ୍ୟ ଓ ଦାରିଦ୍ର‌୍ୟର ଅଦ୍ଭୁତ ଯୁଗଳବନ୍ଦୀ।
ଠିକ ଏହାର ପରେ ପରେ ରାଜନୈତିକ ଚିତ୍ର ବଦଳିବାରେ ଲାଗିଛି। ଯେଉଁମାନେ ରାଜନୀତି କରିବା ଉଦ୍ଦେଶ୍ୟରେ ନିର୍ବାଚନ ଲଢୁଛନ୍ତି ସେମାନଙ୍କ ସଂଖ୍ୟା କମି କମି ଆସୁଛି। ତାଙ୍କ ସ୍ଥାନରେ ବେପାର ସହ ଜଡିତ ଏବଂ ବେପାରୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନେ ୱାର୍ଡ ସଭ୍ୟ ହୁଅନ୍ତୁ କି ବିଧାୟକ। ଏତେବେଳକୁ ରାଜନୈତିକ ଅସ୍ଥିରତା ପିଡିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆସୁଛନ୍ତି ଏବଂ ଘୋଷଣା କରୁଛନ୍ତି କେବିକେ କାର୍ଯ୍ୟକ୍ରମ ବାତିଲ ହେବାର ନାହିଁ। ଏହାପରେ ହଜାର କୋଟି ଟଙ୍କା ଅନୁଦାନର ସୂଅ ବହିବା ଆରମ୍ଭ ହୋଇଛି। ତାର ପରିଣାମ ବି ଆସୁଛି। ଏହାପରେ ପୁଣି ଅଭିଯୋଗ ଆସୁଛି ଅନାହାର ମୃତ୍ୟୁର ସେହି ବଲାଙ୍ଗୀର ଜିଲ୍ଲା ସେହି ମାଟି ଯେଉଁଠାକୁ ଏଥି ପୂର୍ବରୁ ଚାରି ଚାରି ଜଣ ପ୍ରଧାନମନ୍ତ୍ରୀ ଦାରିଦ୍ର‌୍ୟ ଦେଖି ଫେରିଛନ୍ତି। ଏକଥା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବିଚଳିତ କରିଛି। ମଥୁରାର ସାଧାରଣ ସଭାରୁ ପ୍ରଧାନମନ୍ତ୍ରୀ ଦେଶରେ ଖାଦ୍ୟାନ୍ନର ବଳକା ଭଣ୍ଡାର ଥିବା ସୂଚନା ଦେଉଛନ୍ତି।
ଅନୁଦାନରେ ଦାୟ ନରଖି ଦାରିଦ୍ର‌୍ୟ ନିଶ୍ଚଳ ରହିଛି ଦଶନ୍ଧୀ ଦଶନ୍ଧୀ ଧରି। ଯାହା ଆଜିର ଦିନରେ ବି ଅଜେୟ। ସେହି ବଲାଙ୍ଗୀର ଜିଲ୍ଲାରୁ ଚାରି ଚାରିଟି ଶିଶୁବିକ୍ରିର ଅଭିଯୋଗ ଆସୁଛି ୨୦୨୫ ମସିହାରେ। ଏହାର ଅର୍ଥ କଣ? ବିଶ୍ୱ ବଜାରରେ ଦାରିଦ୍ର‌୍ୟର ମୂଲ୍ୟ ସବୁଠୁ ଅଧିକ!
ପ୍ରଧାନମନ୍ତ୍ରୀ ମୃତ ବାଲମତୀର ପୁଅ ଗୁଣଧରକୁ ଦେଖିବାକୁ ଆସିଲେ। କେବିକେ ଯୋଜନା ସହ ଲୋୟର ଇନ୍ଦ୍ର (ପ୍ରକୃତରେ ଇନ୍ଦ୍ରେନଦୀ ଯାହା ସୁନାବେଡା ଉପତ୍ୟକାର ପ୍ରମୁଖ ଦେବୀ ଇନ୍ଦ୍ରେଦେଈଙ୍କ ପ୍ରାରୂପ ବୋଲି ଲୋକେ ବିଶ୍ୱାସ କରନ୍ତି) ପ୍ରକଳ୍ପ ବାତିଲ ହେବ ନାହିଁ। ଲୋୟର ଇନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୁଏ। କେନାଲରୁ ଚାଷଜମିକୁ ପାଣି ଆସୁଥିଲା ବେଳେ ପ୍ରତିପ ସ୍ରୋତରେ ଗୁଣଧର ପରିବାର ଧରି ଦାଦନ ଯାଉଛି। ରଷ୍ଟ୍ରୀୟ ଯୋଜନାର ଏହି ଆକୁଳ ରୂପ କଦାଚିତ କଳ୍ପନା ନୁହେଁ। ଏବେ ଏବ ଗୁଣଧରର ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଛି। ତାର ଦୁଇ ସନ୍ତାନ ଗାଁରେ ଥିଲେ ସ୍କୁଲ ଯାଆନ୍ତି ନହେଲେ ମାଁ ବାପାଙ୍କ ସହ ଦାଦନ ଯାଉଥିଲେ। ଏବେ ସେମାନେ ବି ବଞ୍ଚିବାକୁ ଲଢିବେ ନିଜର ସହି ପାରୁଥିବା ସାମର୍ଥ୍ୟ ସହ।


କେବଳ ଜୀଇଁବା ବାହାନାରେ

୧୪ ନଭେମ୍ବର, ୧୯୯୬ ଦିନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡ଼ା କେବିକେ ଜିଲ୍ଲା ଗସ୍ତ କରି ଫେରିଲେ। ଏହାର ଦୁଇଦିନ ପରେ ନୂରା ଗହିର ବିଧବା ହେଲା।
ପକ୍ଷାଘାତ ରୋଗଗ୍ରସ୍ତ ସ୍ୱାମୀକୁ ବର୍ଷଟିଏ ପାଳିଲା। ଇଆରଆରପି ଯୋଜନାରେ ପାଇଥିବା ଅଧଏକର ଜମି ବନ୍ଧାକଲା। ବଳଦକୁ ବିକିଦେଲା। ଛଅବର୍ଷର ଝିଅ ସଞ୍ଜୁକୁ ଦୁଇବସ୍ତା କୋଦୋ ଓ ୨୦୦ ଟଙ୍କାରେ ମହାଜନକୁ ଦେଇଦେଲା। ପୁଅ ଗୋପାଳକୁ ତା’ର ନଣନ୍ଦ ନେଲା ପୋଷ୍ୟ ସନ୍ତାନ କରି। ରହିଲା ଛୋଟ ପୁଅଟିଏ।
କାହାଣୀରେ କିଛି ନୂତନତା ନଥିଲା। ଲୋକେ ଦେଖିଲେ ଆହା କଲେ। ନୂରା ସେତେବେଳେ ଚର୍ଚ୍ଚିତ ହୋଇଗଲା। ଯେତେବେଳେ କହିଲା ଯେ ସେ ତାର ଛୁଆଙ୍କୁ ବିକ୍ରି କରିଛି। ମରୁଡ଼ି ପରିସ୍ଥିତି ଅନୁସନ୍ଧାନ କରି ଆସିଥିବା ଗୃହକମିଟି ଆଗରେ ବି କହିଲା ସେ ଛୁଆଙ୍କୁ ବିକିଛି।
ସରକାରୀ ଗାଡ଼ିମାନ ତା’ଘର ସାମ୍ନାରେ ଠିଆହେଲା। ଗଣମାଧ୍ୟମର ଲୋକ ଦୌଡ଼ିଲେ। ଗାଁର ଦୁଇଜଣ ଲୋକ ଟିକିନିଖି ତଥ୍ୟ ସମସ୍ତଙ୍କୁ ଦିଅନ୍ତି। କେଉଁ ଜାତିର, କେତେଲୋକ, କେତେ ବୟସର ଆଉ କେତେ ତାରିଖ, ରୋଜଗାର ଆଶାରେ ଗାଁ ଛାଡ଼ିଲେ। କିଏ ରାୟପୁର ଯାଇଛି, ଆଉ କିଏ ହାଇଦ୍ରାବାଦ ଯାଇଛି।
ନୂରାକୁ ପରିବାର ମଙ୍ଗଳ ଯୋଜନାରୁ ଦୁଇହଜାର ଟଙ୍କା ଦିଆଗଲା। ବିଧବାଭତ୍ତା ବି। ରାଷ୍ଟୀୟ ସ୍ତରର ଗଣମାଧ୍ୟମର ପ୍ରତିନିଧିମାନେ ଆସିଲେ। ନୂରାର କଥା ଲେଖିଲେ। ଅନୁକମ୍ପାମୂଳକ ସହଯୋଗ ଆସିଲା। କଣ୍ଟାବାଞ୍ଜି ଷ୍ଟେଟବ୍ୟାଙ୍କରେ ତା’ପାଇଁ ଖାତାଟିଏ ଖୋଲାଗଲା। ଖାତାରେ ତିରିଶ ହଜାର ଟଙ୍କା ବିଭିନ୍ନ ଆଡ଼ୁ ଆସି ଜମାହେଲା। ନୂରା ସମ୍ପନ୍ନ ହୋଇଗଲା ତା’ଗାଁରେ। ବିନା ପରିଶ୍ରମରେ ନୂରାର ସମ୍ପନ୍ନତା ଅନ୍ୟ ଅନେକଙ୍କ ପାଇଁ ଚକ୍ଷୁଶୂଳ ପରି ଥିଲା। ବର୍ଷଟିଏ ପୁରା ଆରାମରେ ଚଳିଲା। ତା’ପରେ ଦୌଡ଼ିଲା ବ୍ଲକକୁ, କିଛି ସାହାଯ୍ୟ ପାଇବ।
ମୁଁ ଗାଁରେ ଥିଲେ କେବେ କେମିତି ଆସି ନୂରା ଭେଟେ। କହେ ଖାଇବା ଯୋଗାଡ଼ କରିବା କଷ୍ଟ ହୋଇପଡ଼ୁଛି। ଏକଥା ଶୁଣି ମୁଁ ପଚାରିଲି ଏତେ ଟଙ୍କା ସବୁ କଣ କଲୁ? ତୁ ତୋ ଗାଁରେ କିଛି ରୋଜଗାର କରି ଚଳି ପାରିଥାନ୍ତୁ। ଗୋଟିଏ ତାଲିକା ଥୋଇଲା ମୋ ସାମ୍ନାରେ। କାହାକୁ କେତେ ଟଙ୍କା ଦେଇଛି। ଜମି ମୁକୁଳେଇଲା। ଗାଁର ଦୁଇଜଣ ଲୋକ ଯେଉଁମାନେ ତାକୁ କହିଲେ ଛୁଆକୁ ବିକ୍ରି କରିଛି ବୋଲି କହ, ପ୍ରଧାନମନ୍ତ୍ରୀ ତୋ ଘରକୁ ଆସିବେ, ତୋର ଦୁଃଖ ଯିବ। ସେ ଦୁଇଜଣ ଏଗାର ହଜାର ଏବଂ ନଅ ହଜାର ଟଙ୍କା କରି ନେଲେ। କାରଣ ଥିଲା ଯେ ସେମାନଙ୍କ ପାଇଁ ନୂରା ଏତେ ଟଙ୍କା ପାଇଲା। ଚାଉଳ ବେପାର କଲା। ଚାଉଳ ଉଧାର ନେଇ ଲୋକେ ଟଙ୍କା ଦେଲେନି। ବେପାର ବୁଡ଼ିଲା। ଝିଅକୁ ଚାକରାଣୀ ରଖିବା ପାଇଁ ଲୋକେ ନାରାଜ ହେଲେ। ନୂରା ସର୍ବସ୍ୱାନ୍ତ ହୋଇଗଲା। ମାଗିଯାଚି ବର୍ଷଟିଏ ଚଳିଲା। ଅଉ ରହିପାରିଲାନି ଗାଁରେ। ଗାଁର ଅନ୍ୟ କେତେକ ପରିବାର ପରି ସେ ବି ରାୟପୁର ଗଲା। ସଞ୍ଜୁକୁ ପାଖ ଗାଁ ମହାଜନ ଘରେ ଜୁହାର ମୁଣ୍ଡିଆ ହୋଇ ଚାକରାଣୀ ରଖେଇ ଦେଲା।
୨୦୦୧ ମସିହା ମାର୍ଚ୍ଚ ମାସ। ନୂରା ଫେରିଲା ରାୟପୁରରୁ। ତାର ହାବଭାବରୁ ଲୋକେ ଫୁସଫାସ ହେଲେ। ତାର ଦେଢ଼ଶୂର ଟାଙ୍ଗିଆ ଧରି ହାଣିବାକୁ ବାହାରିଲା। ରାତିରେ ଗାଁ ଲୋକେ ଠେଙ୍ଗାବାଡ଼ି ଧରି ତାକୁ ଗାଁ ଛାଡ଼ି ଚାଲିଯିବା ପାଇଁ କହିଲେ। ନୂରା ବଙ୍ଗୋମୁଣ୍ଡା ଥାନାକୁ ଆସିଲା। ଗାଁ ଲୋକେ କହିଲେ ତାର ପାପଗର୍ଭ ଅଛି। ଏହାକୁ ଦେଖି ଗାଁର ଅନ୍ୟ ଝିଅ, ବୋହୁମାନେ ବିପଥକୁ ଯିବେ। ଥାନାବାବୁ ଗାଁ ଲୋକଙ୍କୁ ବୁଝେଇଲେ। ଗାଁଲୋକ ମାନିଲେନି। ଧମକାଇଲେ।
ପରେ ଗାଁ ଲୋକ ମାନିଲେ। ନୂରା ଘରେ ରହିଲା। ଜାତିଭାଇମାନେ ତାକୁ ଜାତିରୁ ବାସନ୍ଦ କଲେ। ଏସଏଚଜି ସଭ୍ୟାଥିଲା ନୂରା। ଏସଏଚଜି କରି ଗୋଟିଏ ବିପ୍ଳବ ଆଣିଥିବା ଏନଜିଓ ପାଇଁ ନୂରାର କାମ ଥିଲା ତାର ସମସ୍ତ କୀର୍ତ୍ତିରେ କଳଙ୍କ ପରି। ସହଜ ଉପାୟ ଥିଲା ଜାତିଭାଇଙ୍କୁ ରାଜି କରେଇବା। ଏନଜିଓ ଦୁଇ ବସ୍ତା ଚାଉଳ ଓ ଛେଳିଟିଏ ଦେଲା ନୂରାର ଜାତିଭାଇଙ୍କୁ। ଜାତିଭାଇ ତାକୁ ଜାତିରେ ମିଶେଇଲେ। ନୂରାର ପୁଅଟିଏ ହେଲା ୧୪ ଅଗଷ୍ଟ, ୨୦୦୧ ମସିହାରେ। ଏତେବେଳକୁ ନୂରାର ବୟାନ ଥିଲା, “ପୁଅଝିଅ ଭୋକରେ ମରିବେ, ସତୀ ଥାଇ ଲାଭ କଣ?”
କଳାହାଣ୍ଡି ଜିଲ୍ଲାର କୁହୁରା ଗାଁ। କେଗାଁ ଥାନା ଅନ୍ତର୍ଗତ ଏହି ଗାଁ ହେଉଛି ନୂରାର ମା ଘର ଯେଉଁ ଗାଁରେ ନୂରାର ପୁଅ ଗୋପାଳ ରହେ, ନିଜର ମାମୁଁ ଘରେ। ପାଖଆଖ ଅନ୍ୟ ଅନେକ ଗାଁ ପରି ଏ ଗାଁରେ ବି ସଟ୍ଟା ଖେଳର ପ୍ରାଦୁର୍ଭାବ ବେଶି। ଏତେବେଶି ଯେ ଗୋପାଳ ପରି କିଶୋରମାନେ ମଧ୍ୟ ସଟ୍ଟା ଖେଳନ୍ତି। ଟଙ୍କାଟିଏ ନିର୍ଦ୍ଦିଷ୍ଟ ନମ୍ବରରେ ସଟ୍ଟା ଖେଳିଲେ ମିଳେ ୮୦ ଟଙ୍କା, ଯଦି ନମ୍ବର ଆସିଲା।
କୁହାଯାଏ ଏହିଖେଳ ବାହାର ରାଜ୍ୟରୁ ଖେଳାହୁଏ। ଦିନକୁ ଦୁଇଟି ଖେଳ। ଚାରିଥର ଫଳ ବାହାରେ। ଶୂନ ‘୦’ ରୁ ‘୯’ ସଂଖ୍ୟା ମଧ୍ୟରେ ଗୋଟିଏ ସଂଖ୍ୟାରେ ଟଙ୍କା ପକାଯାଏ। ଗୋଟିଏ ସଂଖ୍ୟାରେ ଖେଳାଗଲେ ‘ସିଙ୍ଗଲ’ ଏବଂ ଦୁଇଟି ସଂଖ୍ୟାରେ ଖେଳାଗଲେ ‘ଯୋଡି’ ବୋଲି କୁହାଯାଏ। ସମୟାନ୍ତରରେ ଦୈନିକ ଚାରିଥର ଗୋଟିଏ ସଂଖ୍ୟାର ଫଳ ପ୍ରକାଶ ହୁଏ। ପ୍ରଥମ ଫଳକୁ ‘ଓପନ’ ଏବଂ ଦ୍ୱିତୀୟ ଫଳକୁ ‘କ୍ଲୋଜ’ କୁହାଯାଏ। ଓପନ ଓ କ୍ଲୋଜ ମିଶି ଯୋଡି ହୁଏ। ଓପନ କିମ୍ବା କ୍ଲୋଜ ସଂଖ୍ୟା ବାହାରିଲେ ଖେଳା ଯାଇଥିବା ଟଙ୍କାର ୯ ଗୁଣ ଫେରସ୍ତ ମିଳିଲେ ଯୋଡି ସଂଖ୍ୟା ବାହାରିଲେ ୮୦ ଗୁଣ ଟଙ୍କା ଫେରସ୍ତ ମିଳିଥାଏ। ଏହି ଖେଳର ମୁଖ୍ୟ ହେଲା ପତି ସଂଖ୍ୟା। ତିନୋଟି ସଂଖ୍ୟାକୁ ନେଇ ପତି ହୁଏ। ପ୍ରତିଟି ସଂଖ୍ୟା ତିନୋଟି ସଂଖ୍ୟାର ଏକ ମିଶ୍ରଣ। ଧରାଯାଉ ୩, ୬ ଓ ୮ ତିନୋଟି ସଂଖ୍ୟାକୁ ନେବାର ଅଛି। ତିନିସଂଖ୍ୟାକୁ ପତି ନମ୍ବର କୁହାଯାଏ ଯାହାର ମିଶ୍ରଫଳ ୧୭। ଏଠାରେ ୭ ସଂଖ୍ୟାକୁ ପ୍ରଥମ ଓ ତୃତୀୟ ଫଳ ବେଳେ ଓପନ କୁହାଯିବ ଏବଂ ଦ୍ୱିତୀୟ ଓ ଚତୁର୍ଥ ଫଳବେଳେ କ୍ଲୋଜ କୁହାଯିବ। ଏଭଳି ଚାରିଥର ତିନି ତିନି କରି ପତି ସଂଖ୍ୟା ବାହାରେ। ଯିଏ ପତି ସଂଖ୍ୟାରେ ଖେଳିଥିବ ତାହାକୁ ୧୦୦ ଗୁଣ ଏବଂ ଯୋଡିରେ ଯଦି ସଠିକ ପତିସଂଖ୍ୟା ଆସିଲା ତା’ହେଲେ ହଜାରେ ଗୁଣ ଟଙ୍କା ମିଳିବ। ଯୋଡିର ସଠିକ ପତିସଂଖ୍ୟାକୁ ଜେକପଟ କୁହାଯାଏ। ଏହି ଖେଳ ପାଇଁ କିଛି ପତ୍ରିକା ବି ବାହାରେ ବିଭିନ୍ନ ନାମରେ। ପତ୍ରିକାର ନାମ ଜ୍ୟୋତିଷ ସାହିତ୍ୟ ସହ ମେଳ ଖାଏ। କାରଣ ଜ୍ୟୋତିଷ ମଧ୍ୟ ସଂଖ୍ୟା ଆଧାରିତ ଅଟେ।
ଏହା ଆଇନ ସମ୍ମତ ଖେଳ ନୁହେଁ। ଚୋରାରେ ଚାଲେ। ବହୁଳ ପ୍ରସାରିତ ଏହି ଖେଳ ଗୁପ୍ତ ରହିପାରେ ନାହିଁ ତେଣୁ ଏହାକୁ ପୋଲିସ ସମର୍ଥନ ବିନା ଖେଳାଇବା ଅସମ୍ଭବ। ଗୋଟିଏ ଅଞ୍ଚଳରେ ଗୋଟିଏ କେନ୍ଦ୍ର ମାଧ୍ୟମରେ ଏହି ଖେଳ ହୁଏ। ଯେଉଁଠାରେ ଦେଖାଯାଇଛି ଦୈନିକ ୫୦ ହଜାରରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖେଳ ଖେଳା ଯାଇଥାଏ। ସଂଖ୍ୟାର ଏହି ଖେଳରେ ମାତ୍ରାଧିକ ଲାଭ ଲୋକଙ୍କୁ ଆକୃଷ୍ଟ କରିଥାଏ। ବାରମ୍ବାର ହାରିଲେ ଗୋପାଳମାନଙ୍କୁ ଚୋରି ପରି ଅପରାଧ କରିବାକୁ ମଧ୍ୟ ପଡିଥିବା ଉଦାହରଣ ଅନେକ। କିନ୍ତୁ ଏଠାରେ ସମସ୍ତ ଉଦାହରଣକୁ ବଳିଗଲା କଥାଟିଏ।
୨ ଡିସେମ୍ବର, ୨୦୦୫। ଏହିଦିନ ରାତିରେ କୁହୁରା ଗାଁର ମାୟାଧର ନିଆଲ ନିଜର ଧାନଖଳାକୁ ଶୋଇବାକୁ ଗଲା। ସକାଳେ ଖଳାରେ ତାର ଶବ ପଡିଥିଲା। କିଏ କହିଲା ହତ୍ୟା, କିଏ କହିଲା ହେଟାବାଘ କି ଚିତା ଆକ୍ରମଣରେ ମରିଛି।
ମାସେ ଗଲା। ଆସ୍ତେ ଆସ୍ତେ କଥା ପ୍ରଘଟ ହେଲା। ନୂରାର ପୁଅ ଗୋପାଳ ଏବଂ ଅନ୍ୟ ଦୁଇଜଣ ଖଳାନିଧି ବାଗ ଓ ଦ୍ରୋଣ ଶବରକୁ କେଗାଁ ପୋଲିସ ଗିରଫ କଲା। ମୃତକ ମାୟାଧରର ହଲିଆ ମୁମ୍ବାଇ ପଳେଇଲା ଗିରଫ ହେବା ଭୟରେ, ଯେଉଁଠାକୁ ତାର ପରିଜନମାନେ କାମ କରି ଯାଇଥିଲେ ଅନ୍ୟ ଅନେକଙ୍କ ପରି। ଗିରଫ ତିନିଜଣଙ୍କ ବୟାନ ଥିଲା ଚମକପ୍ରଦ। ମାୟାଧରର ହଲିଆ ଆଉ ଏହି ତିନିଜଣ ଧାନବସ୍ତାଏ ଚୋରିକଲେ ଖଳାରୁ। ଚୋର ଧରା ପଡ଼ିଲାନି। ମାୟାଧର କହିଲା ଚୋର ଧରିବା ପାଇଁ ଖଟ ଚଳେଇବ। ଖଟ ଚଳେଇବା ଏକ ଗୁଣିଗାରେଡ଼ି ପ୍ରୟୋଗ। ଚାରିଜଣ ଲୋକ ଖଟ ଧରି ଛିଡ଼ାହେବେ। ଗୁଣିଆ ପୂଜା କରିବ। ଖଟ କୁଆଡେ ବାଧ୍ୟ କରିବ ତାର ଧାରକମାନଙ୍କୁ ତା’ନିର୍ଦ୍ଦେଶରେ ଚାଲିବା ପାଇଁ। ଖଟା ଯା’ ଦ୍ୱାରରେ ଠିଆହେବ ସେ ହେବ ଅପରାଧୀ। ଲୋକଲଜ୍ଜା ଯୋଗୁଁ ଖଟଚଲା ପ୍ରତି ଭୟ ସମସ୍ତଙ୍କର। ବିଶ୍ୱାସ ଆଉ ମାନ୍ୟତା ବି ସେତିକି। ଏ ଖଟଚଲାରେ କଳାହାଣ୍ଡି କର୍ଲାପଡା ନିକଟସ୍ଥ ଏକ ଗାଁରେ ଖଟ ଜନୈକ ବ୍ୟକ୍ତି ଘରେ ରହିଲା। ଲୋକ ତାକୁ ଚୋର ଠାବକରି କବାଟ ବାଡ଼େଇଲେ। ସେ ବାହାରିଲା ନାହିଁ। ଉତ୍ୟକ୍ତ ଲୋକେ ତାର କବାଟ ଭାଙ୍ଗିଦେଲେ। ସମସ୍ତେ ଦେଖିଲେ ଘର ଭିତରେ ଲୋକଟିର ଶବ ଝୁଲୁଥାଏ। ଗୁଣିଆ ସହ ଅନ୍ୟ ସମସ୍ତେ ଫେରାର ମାରିଲେ। ପୋଲିସ ଗିରଫ କଲା ଗୁଣିଆ ସହ ସହଯୋଗୀଙ୍କୁ। ଏଭଳି ଅନେକ ଘଟଣା ପାଖଆଖରେ।
ଗୋପାଳ ଏବଂ ଅନ୍ୟମାନେ ବି ଭୟ ପାଇଗଲେ। ଯୋଜନା କଲେ ମାୟାଧରକୁ ମାରିେବେ। ଗୋପାଳ ଏବେ ଜେଲରେ।
ଣୁରା ସମ୍ପର୍କୀୟମାନଙ୍କୁ କହିଲା ତା’ପୁଅକୁ ଜେଲରୁ ମୁକୁଳେଇବା ପାଇଁ। ସମସ୍ତେ ଅମଙ୍ଗ ହେଲେ। ଏତେ ଖର୍ଚ୍ଚ କିଏ କରିବ। ଆକ୍ଷେପ କଲେ, ତୋର ଚରିତ୍ର ଯୋଗୁଁ ତୋ ପୁଅ ଉପରେ ବିପଦ ପଡ଼ିଲା।
ନୂରା ବଞ୍ଚିଛି। ତାର ବଞ୍ଚିବାରେ କିଛି ନୂତନତା ନାହିଁ। କିଛି ପାପ, କିଛି ଅପରାଧକୁ ଦାୟିତ୍ୱ ଭାବିଛି ନା କର୍ମଫଳ ସେ ହିଁ ଜାଣିବ। ଦୀର୍ଘ ଉତ୍ପୀଡ଼ନ ଫଳରେ ଚର୍ଚ୍ଚିତ ହୋଇ ସାମ୍ନାକୁ ଆସିଥିବା ଗୋଟିଏ ନାଁ ନୂରା। ନୂରାର ଆଗକୁ ବହୁତ କାହାଣୀ, ପଛକୁ ବି।
ସିନ୍ଧେକେଲା ଥାନା ଅନ୍ତର୍ଗତ ଫଟାମୁଡା ଗାଁ। ୧୯୯୮ ମସିହାରେ ଜଣେ ଝିଅ ବାହାହୁଏ। ବାସର ରାତି ଶାଶୁଘରେ ଗର୍ଭକଷ୍ଟ ହୁଏ। ପୁଅଟିଏ ଜନ୍ମ ହୁଏ। ମାଟ୍ରିକ ପାସ କରିଥିବା ଝିଅ ଉର୍ମିଳା। ସ୍ୱାମୀ ରାଗିଯାଇ ନବଜନ୍ମିତ ଶିଶୁସହ ଉର୍ମିଳାକୁ ସିନ୍ଧେକେଲା ଥାନାକୁ ଆଣେ। ସମାଜର ଲୋକେ ସ୍ୱାମୀସହ ତାର ଭଉଣୀକୁ ବାହା କରେଇ ଦିଅନ୍ତି।
କଥା ସରିଯାଏ। ଖୋଜାହୁଏ କାହାଣୀ। ନିଜ ଘରେ ଭଡ଼ାରେ ରହୁଥିବା ଜଣେ କଳାକାର କାର୍ତ୍ତିକ ସହ ଉର୍ମିଳାର ପ୍ରେମ ସମ୍ପର୍କ ଗଢ଼ିଉଠେ। ବିବାହର ପ୍ରତିଶୃତି ପାଇ ସେ ସବୁକଥାରେ ସମ୍ମତ ହୁଏ। ଆଜି, କାଲି କହି କାର୍ତ୍ତିକ ଠକିଚାଲେ। ମାଁ ଛେଉଣ୍ଡ ଝିଅ ନିଜର ଗର୍ଭକୁ ଲୁଚେଇବାର ଚେଷ୍ଟରେ ସଫଳ ହୁଏ ଅବା ସମସ୍ତେ ଜାଣି ଚୁପ ରହନ୍ତି। ବାହାଘର ଦିନ ଧାର୍ଯ୍ୟହୁଏ। କାର୍ତ୍ତିକ ଦିନ ଗଡେଇଚାଲେ। ବାହାଘର ବି ସରିଯାଏ। ଛୁଆଜନ୍ମ ପରେ ତଡ଼ାଖାଏ। କାର୍ତ୍ତିକ ନିଜର ଦୋଷ ସ୍ୱୀକାର କରେ। ଟିଟିଲାଗଡ଼ କୋର୍ଟରେ ସତ୍ୟପାଠ କରି ଉର୍ମିଳାକୁ ବାହା ହୁଏ। ସୁଯୋଗ ଉଣ୍ଡି ଫେରାର ମାରେ ତା’ ପୂର୍ବର ସ୍ତ୍ରୀ ପାଖକୁ। ତାକୁ ଆଣିବାର କି ଉର୍ମିଳାକୁ ତା ପାଖକୁ ନେଇ ଦେବାକୁ ସାହସ ପାଆନ୍ତି ନାହିଁ। ଗାଁ ଲୋକେ କି କେହି ଦାୟିତ୍ୱ ନିଅନ୍ତି ନାହିଁ। ଏପରିକି ଶିକ୍ଷିତ ତା’ର କାକା, ଦାଦାମାନେ ମଧ୍ୟ। ଶିଶୁଟିକୁ ଜଣେ ସ୍ୱାସ୍ଥ୍ୟକର୍ମଚାରୀ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରନ୍ତି। ଉର୍ମିଳାକୁ ଅନ୍ୟଜଣେ ଦଶହଜାର ଟଙ୍କା ବଦଳରେ ନିଏ। କୁଆଡ଼େ ନିଏ କେହିବି ଜାଣନ୍ତି ନାହିଁ। ଉର୍ମିଳାର ବାପା ଲୋକଙ୍କୁ କାଗଜ ଖଣ୍ଡେ ଦେଖାଏ ଯେଉଁଥିରେ ଲେଖାଥାଏ ମୁଁ ଉର୍ମିଳାକୁ ପୋଷ୍ୟସନ୍ତାନ ଭାବେ ନେଲି। ଏହି ସମ୍ବନ୍ଧରେ ସିନ୍ଧେକେଲା ଥାନାରୁ ମଧ୍ୟ ସମସ୍ତ ରେକର୍ଡପତ୍ର ଗାୟବ ହୋଇଯାଏ।
ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତେନ୍ତେଲଖୁଣ୍ଟି ଗାଁ। ଏ ଗାଁର ଜଣେ ଦଳିତ ମହିଳାକୁ ଜଣେ ସବର୍ଣ୍ଣ ଯୁବକ ଉତ୍ତରପ୍ରଦେଶ ନେଇଯାଏ। ଗ୍ଧେଗ୍ଧେ ମହିଳାଟି ଗାଁକୁ ଫେରି ଥାନାରେ ଫେରାଦ ହୁଏ ଯେ ଯୁବକଜଣକ ତାକୁ ବିକ୍ରୀ କରିବାକୁ ନେଇଥିଲା। ଯୁବକକୁ ଗିରଫ କରାହୁଏ।
ବଙ୍ଗୋମୁଣ୍ଡାର ଜଣେ ଦଳିତ ଯୁବକ ସହ ଗୋଟିଏ ସବର୍ଣ୍ଣ ଝିଅ ଫେରାର୍ ହୁଏ। ଦୁଇବର୍ଷ ପରେ ନାଗପୁରରେ ଯୁବକଟି ମରିଯାଏ। ଝିଅଟି ନିଜର ନବଜନ୍ମିତ ଶିଶୁପୁଅକୁ ଧରି ଗାଁକୁ ଫେରେ। ବାପଘରକୁ ଯିବା ଅସମ୍ଭବ। ଶାଶୁଘରେ ରହିପାରେ ନାହିଁ। ଦିନେ ଝିଅଟି କୁଆଡ଼େ ପଳେଇଯାଏ।
ଅନେକ ସାମାଜିକ ଓ ପ୍ରାକୃତିକ କାରଣରୁ ଅଞ୍ଚଳର ଲୋକେ ପଳାୟନକୁ ସମାଧାନ କରିନେଲେ। ସେମାନେ ରାୟପୁର, ଦୁର୍ଗ, ଭିଲାଇ, ମୁମ୍ବାଇ, ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଯାଇଥନ୍ତି। ସେଠାକାର କର୍ମ ସୁଯୋଗ ଲୋକଙ୍କୁ ଯିବାପାଇଁ ଆକୃଷ୍ଟ କରିଥାଏ। କିନ୍ତୁ ଏହି ପଳାୟନ ଆଢ଼ୁଆଳରେ ଗୋଟିଏ ନିକୃଷ୍ଟ ବ୍ୟବସାୟ ଚାଲିଲା।
ରାୟପୁରରେ ଏଠାକାର ଅନେକ ମହିଳା ଚାକରାଣୀ କାମକରନ୍ତି। ଏମାନଙ୍କୁ ‘ବାଇ’ କୁହାଯାଏ। ଯାହା ଘରେ କାମ କରନ୍ତି ସେ ଘରର ମାଲିକାଣୀକୁ ଏମାନେ ‘ବାଇ’ ଡାକନ୍ତି। ଏ ‘ବାଇ’ ସମ୍ବୋଧନ ଉଭୟେ ଉଭୟଙ୍କ ପ୍ରତି କରିଥାନ୍ତି। ଏହି ସମ୍ବୋଧନ ସୂଚିତ କରେ ଯେ କାମ କରୁଥିବା ମହିଳାଟି ବହୁକ୍ଷେତ୍ରରେ ସୁରକ୍ଷିତ ରହେ, ସମ୍ମାନ ବି ପାଏ। ‘ବାଇ’ ଘରେ କାମ କରିବା ଏକ ଆକର୍ଷଣ ବି ରଖେ ଏହି ସର୍ବହରା ମହିଳାଙ୍କ ପାଇଁ।
ଦାରିଦ୍ର‌୍ୟ ଅନେକଙ୍କୁ ଅସହାୟ କରେ। ଏ ଅସହାୟତାର ସୁଯୋଗ ନେଇ ଅନେକ ଝିଅଙ୍କୁ ଦେହ ବ୍ୟବସାୟରେ ଲଗାଯାଏ। ଏଥିପାଇଁ କୌଣସି ବାଧ୍ୟବାଧକତା କିମ୍ବା ଭୟ ଦେଖାଯାଇ ନଥାଏ। ମନସ୍ତାତ୍ୱିକ ସ୍ତରରେ ଗୋଟିଏ ଚାପ ସୃଷ୍ଟି କରାଯାଏ ସେପରି ପରିବେଶ ତିଆରି କରାଯାଏ।
‘ବାଇ’ ଘରେ କାମ କରୁ ଅଥବା ଦେହ ବ୍ୟବସାୟ; ଏ କ୍ଷେତ୍ରରେ ଅନେକ ଯୁବତୀ ସେଠାକାର ଯୁବକମାନଙ୍କୁ ବାହା ହୁଅନ୍ତି। ତାଙ୍କ ଉପରେ ଅତୀତର କୌଣସି ପ୍ରଭାବ ରହେନାହିଁ।
ସୁନୀତା ଏହି ଅଞ୍ଚଳର ଜଣେ ୧୫ ବର୍ଷର ଝିଅ। ତାର ଜଣେ ନିକଟ ସଂପର୍କୀୟା ପିଉସୀ ତା ଘରକୁ ଆସିଲା। ବେଶ୍ ସମ୍ପନ୍ନ ଦିଶୁଥାଏ। ଏ ସମ୍ପନ୍ନତା ତା’ ପ୍ରତି ଅନ୍ୟମାନଙ୍କ ଆକର୍ଷଣର ଗୋଟିଏ କାରଣ। ସେ ବାରମ୍ବାର ସୁନୀତା ଘରକୁ ଆସିବା; ଫଳ, ପୋଷାକ ଉପହାର ଆଣିବା ତା’ପ୍ରତି ଗୋଟିଏ ସ୍ୱତନ୍ତ୍ର ସମ୍ମାନ ଓ ସମ୍ଭ୍ରମତା ତିଆରି କରିଥାଏ।
ଦିନେ ପ୍ରସ୍ତାବ ଦେଲା ସୁନୀତାକୁ ମୋ ସଙ୍ଗେ ଛାଡ଼ିଦିଅ। ଆଉ ପାଠପଢ଼ି କଣ କରିବ ମୋର କାମରେ ସହାୟତା କରିବ। ଭଲ ଖାଇବ, ଭଲ ପିନ୍ଧିବ। ଏକଦା ଯିଏ ଖାଇବାକୁ ପାଉନଥିଲା, ଆଜି ସେ ସମ୍ପନ୍ନ। ସୁନୀତାର ବାପା ମା’ ନିଜେ ଦେଖୁଛନ୍ତି। ସୁନୀତାକୁ ନ ଛାଡ଼ିବାର କାଣ ନଥିଲା।
ସୁନୀତା ଦିନେ ଘରକୁ ଆସିଲା। ସାଙ୍ଗରେ ପିଉସୀ। ଭଲ ପିନ୍ଧିଥଏ, ଭଲ ଦିଶୁଥାଏ। ଘରେ ଦୁଇଦିନ ରହିଲା। ପିଉସୀ ବି ରହିଲା। ଗଲାବେଳେ ବାପ ହାତକୁ ପିଉସୀ ବଢ଼େଇଦେଲା ତିନି ହଜାର ଟଙ୍କା ହାବଭାବରେ ସୁନୀତାର ମା’ଙ୍କର ଟିକିଏ ସନ୍ଦେହ ହେଲା। ପଚାରିଲେ ଠିକ ଅଛୁତ ମା। ସୁନୀତା ହଁ କଲା କେବଳ, ଘରର ଅଭାବ ବି କମ୍ ନଥିଲା। ରୋଗୀ ବାପ, ଚାରି ଭାଇଭଉଣୀ।
ସୁନୀତାର ବାପା ମରିଗଲା। ସୁନୀତା ଘରକୁ ଆସିଲା। କ୍ରିୟାକର୍ମର ସମସ୍ତ ଭାର ପିଉସୀ ଉଠେଇଲେ। ପାଞ୍ଚହଜାର ଟଙ୍କା ବି ଦେଲେ। ଦଶ / ବାର ଦିନ ପିଉସୀ ରହିପାରିଲେନି ସୁନୀତା ସଙ୍ଗେ। ସୁନୀତା କହିଲା ମୁଁ ଆଉ ରାୟପୁର ଯିବି ନାହିଁ। ମାଙ୍କୁ କହିଲା ସବୁକଥା। ରାୟପୁରରେ ପିଉସୀ ତା’ପରି ଆଉ ଦୁଇଟି ଝିଅଙ୍କୁ ରଖିଛି। ସୁନୀତାକୁ ପ୍ରଥମ ଦିନ ରାତିରେ ଜଣେ ଯୁବକ ସହ ଶୋଇବାକୁ କହିଲା। ସୁନୀତା ମନା କଲା। ପିଉସୀ କିଛି କହିଲାନି। ବାଧ୍ୟ ବି କଲାନି।
ସୁନୀତାକୁ କୌଣସି ପ୍ରକାର କଷ୍ଟ ବି ଦିଆଗଲାନି। ସୁନୀତା ରାତିରେ ଶୋଇଲା। ପାଖ ଖଟରେ ଅନ୍ୟ ଝିଅଟି। ଗରାଖ ଆସିଲା। ସୁନୀତା ଡିବିରି ଆଲୁଅରେ ସବୁ ଦେଖିଲା। ଘୃଣା ଲାଗିଲା, ଭୟ ବି। ସକାଳୁ ଖାଇଲାନି। ପିଉସୀ ବହୁତ ବୁଝେଇଲା। ତୁ ଖାଇଦେ, ମୁଁ ତତେ ଏପରି କାମ କରିବାକୁ କେବେ ବି କହିବିନି। ସୁନୀତା ତା’ ପରଦିନ ରାତିରେ ବି ସେ ଦୃଶ୍ୟ ଦେଖିଲା। ଗୋଟିଏ ସପ୍ତାହ ବାରମ୍ବାର, ଫି’ ଦିନ ଚାରି/ପାଞ୍ଚଟି ଗରାଖ ଆସନ୍ତି ଝିଅଟି ପାଖକୁ। ବିବେକ ବାଧା ଦେବାସତ୍ତ୍ୱେ ସେ ଟାଣିନେଲା ନିଜ ଖଟକୁ ଜଣେ ଆଗନ୍ତୁକ ଯୁବକକୁ। ଯାହାକୁ ଗରାଖ ସମ୍ବୋଧନ କରାଯାଏ। ପାଖ ଝିଅଟି ତାକୁ ଅଭିନନ୍ଦନ କଲାପରି ଉତ୍ସାହିତ କରୁଥାଏ। ସେଦିନ ରାତିରେ ଶୋଇପାରିନଥିଲା ସୁନୀତା। କାନ୍ଦିଥିଲା ରାତିସାରା।
ଦୁଇବର୍ଷ ପରେ ବାପା ମରିଗଲା। ସୁନୀତା ଫେରିଲା, ଆଉ ଗଲାନି। ଘରେ ରହିଲା ନିକଟ ସମ୍ପର୍କୀୟ ସବୁ ଜାଣିଲେ। ଲୋକଲଜ୍ଜା ଭୟରେ ଚୁପ ରହିଲେ। ବର୍ଷଟିଏ ପରେ ସୁନୀତା ବାହା ହେଲା। ଜଣେ ଶିକ୍ଷିତ ଯୁବକକୁ, ଏବେ ସେ ଠିକରେ ଅଛି।
ସୁନୀତାର ପରିସ୍ଥିତି ଅନେକେ ଭୋଗନ୍ତି। ଗାଁକୁ ଆସି ଯଦି ବା ଝିଅଟି ମା ବାପାଙ୍କ ପାଖରେ ଫେରାଦ ହେବ, ନା’ ତ ମା-ବାପା ଅପରାଧୀ ବିପକ୍ଷରେ କିଛି କରିପାରିବେ, ନା କାହାକୁ କିଛି କହି ପାରିବେ? ଉଭୟ କ୍ଷେତ୍ରରେ ଝିଅଟିର ହିଁ କ୍ଷତି ହେବ।
ଅନ୍ୟସ୍ଥାନରେ ଝିଅଟିକୁ ନେଇ ବିକ୍ରି କରିବାର ବି ଉଦାହରଣ ଅଛି। ଅନାଥ, ଯୁବା ବିଧବା କି ସ୍ୱାମୀ ପରିତ୍ୟକ୍ତା ଝିଅମାନଙ୍କୁ ଦଲାଲ ମାନେ ଅତି ଚତୁରତାର ସହ କାମରେ ଲଗେଇ ଦେବାର ବାହାନାରେ ନିଅନ୍ତି। ବାସ, ତା’ ପରେ ଝିଅଟିର ଭାଗ୍ୟ ବି ତା ସାଙ୍ଗ ଛାଡ଼ ଦିଏ।
ଅନ୍ୟ ଅନେକଙ୍କ ପରି ସେଠାରେ ଝିଅଟି କାହାକୁ ବାହା ହେଲା ତ ଠିକ, ନହେଲେ ତାର ବୟସ ଢଳିଗଲେ ସେ ବି ପିଉସୀ ପରି କାମ କରିବ ଅଥବା ଦଲାଲ୍ ହେବ।
ହଜାର ସଂଖ୍ୟାରେ ଏଠାକାର ଝିଅମାନେ ରାୟପୁର, ନାଗପୁର, ଭୋପାଳ, ଦିଲ୍ଲୀ, ଚଣ୍ଡିଗଡ଼ ପରି ଅଞ୍ଚଳରେ ଅଛନ୍ତି। ପୋଲିସ ନିକଟରେ ଏ ସୂଚନା ନାହିଁ, ଏହା କହିବା ମିଛ, କିନ୍ତୁ ପୋଲିସ କିଛି କରିନଥାଏ ଯେ ପର୍ଯ୍ୟନ୍ତ ଘଟଣାକୁ ଆଢ଼ୁଆଳରେ ରଖାଯାଇପାରେ।
ଏ କ୍ଷେତ୍ରରେ କୌଣସି ସମାଜସେବୀ ବି କାମ କରନ୍ତିନି। ଯାହା କରନ୍ତି ତାହା ଧର୍ମକୁ ଆଖିଠାର ପରି।
ମୁଁ ନିଜେ ଏପରି ଅଶୀରୁ ଉର୍ଦ୍ଧ ମହିଳାଙ୍କ ଉପରେ ଅନୁଧ୍ୟାନ କରିଛି। ମୋ ଅନୁଧ୍ୟାନରେ ୧୯ ଜଣ ବାହା ହୋଇଛନ୍ତି। ସେମାନେ ପାଖାପାଖି ଗୋଟିଏ ଉତ୍ତର ଦିଅନ୍ତି- ତାଙ୍କର ଅତୀତ ଅତୀତରେ ହିଁ ରହିଯାଏ। ତେଣୁ ସେମାନେ ସୁଖରେ ଅଛନ୍ତି। ଆଠ ଜଣ ଶିକ୍ଷିତା ଝିଅ ମଧ୍ୟରୁ ପାଞ୍ଚଜଣ ବାହା ହୋଇଛନ୍ତି ନିଜ ଗାଁ ପାଖରେ। ଫଟାମୁଡ଼ାର ଝିଅ ବିଷୟରେ କୌଣସି ଖବର ନାହିଁ। ଆଉ ଦୁଇଜଣ ବାହାହେବାରେ କୌଣସି ପ୍ରତିବନ୍ଧକ ନାହିଁ। ସୁନୀତାର ପିଉସୀ ସହ ସାତଜଣ ଦଲାଲ କାମ କରନ୍ତି। ଦୁଇଜଣଙ୍କର ମୃତ୍ୟୁ ହୋଇଗଲା। ବାକି ମାନେ ଭାଗ୍ୟକୁ ଆଦରି ରହନ୍ତି। କେବଳ ନୂରା ପାଖରେ ଦୁର୍ଘଟଣା ଘଟିଲା। ସେ ମା ହୋଇଗଲା। ତଥାପି ତା’ ପାଇଁ ଗୋଟିଏ ଭଲ ଖବର ଯେ ସେ ଗାଁରେ ରହିପାରିଲା।
(ଗୋଟିଏ ମିଡିଆ ଫେଲୋସିପ୍ ପାଇ ବିଜୟ କୁମାର ସହିସ କେବିକେ ଅଞ୍ଚଳରେ ଦେହ ବ୍ୟବସାୟ ଉପରେ ଗବେଷଣା କରିଥିଲେ। ତାଙ୍କ ମତରେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ବ୍ୟବସ୍ଥିତ କେତେକ ଗୋଷ୍ଠୀ କ୍ରମାନ୍ୱୟରେ ବିଭିନ୍ନ କାରଣରୁ ନିଃସ୍ୱ ହୋଇଯାଇ ଦେହ ବ୍ୟବସାୟରେ ନିଜକୁ ନିୟୋଜିତ କଲେ। ଏମାନେ ପାରମ୍ପାପାରିକ ଶିଳ୍ପରୁ ବିଚ୍ୟୁତ କରାଯାଇ ଲୁଣ ବ୍ୟବସାୟରୁ ଆୟୋଡିନଯୁକ୍ତ ଲୁଣର ପ୍ରଚଳନ ଏହାଙ୍କୁ କର୍ମଶୂନ୍ୟ କରିବା ସହ ଗହଣାକ୍ଷେତ୍ରରେ ରୁପାର ପ୍ରଚଳନ, ହଳଗାଡ଼ି ବଦଳରେ ଟ୍ରାକ୍ଟରର ପ୍ରଚଳନ, ତେଲ ପ୍ରସ୍ତୁତିରେ ଶିଳ୍ପର ଅନୁପ୍ରବେଶ, ହାଡ଼ ବ୍ୟବସାୟ ଆଦି କାମରୁ ବିଚ୍ୟୁତ ହୋଇ ଏମାନେ ଦେହ ବ୍ୟବସାୟ ପରି ନିକୃଷ୍ଟ ପରମ୍ପରାକୁ ଆଦରି ନେଲେ। ଏଡସ ପ୍ରଥମେ ଏହି ମହିଳାମାନଙ୍କୁ ହୋଇଥିଲା। ଏବଂ ଏଡସ ସଚେତନତା ଉପରଠାଉରିଆ ହୋଇ ପ୍ରକୃତ ସମସ୍ୟା ଉପରେ ଜ୍ଞାନ ନରହିବା ଯୋଗୁଁ ଏହା ଗ୍ରାମାଞ୍ଚଳରେ ବିସ୍ତାର ହୋଇ ଚାଲିଛି। ଏଡସ ନିୟନ୍ତ୍ରଣର ଧ୍ୱଜାଧାରୀ ସମସ୍ତେ ଭକୁଆ ହୋଇ ଦେଖୁଛନ୍ତି କେବଳ।)

ଉତ୍ତରପର୍ବ
ନୂରାର କାହାଣୀ ଗଣମାଧ୍ୟମରେ ଆସିବାପରେ ରାଜ୍ୟ ସରକାର ଏକ ଗୃହ କମିଟି ପଠେଇଥିଲେ। ଏହାପରେ ଜରୁରୀ କାଳୀନ ଖାଦ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରା ଯାଇଥିଲା। ଅଧିକରୁ ଅଧିକ ଲୋକଙ୍କୁ ଖାଦ୍ୟପାଇଁ କାମ ଯୋଜନାରେ ସାମିଲ କରାଯାଇ ପାରିବ ସେ ଦିଗରେ ପ୍ରୟାସ କରାଗଲା। ନୂରାର ପୁଅଝିଅ ବାହା ହୋଇ ସାରିଲେଣି। ସେ ପୂର୍ବପରି ରହେ। ଗଣମାଧ୍ୟମ ଓ ସରକାର ନିକଟରେ ବିକ୍ଷାତ ହୋଇ ନଥିଲେ ମଧ୍ୟ ଏହି ଜୀବନ ତା ପାଇଁ ଅବଧାରିତ ଯେପରି କୁମାରୀର।
ଜଣେ ହଜି ଯାଇଥିବା ଝିଅର ଠିକଣା ପାଇଲି। ରାୟପୁର ଗଲାବେଳେ ଥରେ ତାକୁ ଭେଟିବାକୁ ଗଲି। ଛୋଟ ଦୋକାନ ଟିଏ କରିଛି। ଜଣେ ଯୁବକକୁ ବାହା ହୋଇଛି ଏକଦା ଯିଏ ତାର ଦଲାଲ ଥିଲା। ତାର ଦୁଇଟି ସନ୍ତାନ। ଭଲ ସ୍କୁଲରେ ପଢନ୍ତି। ସେମାନେ ବହୁବର୍ଷ ତଳେ ଦୁଇଟି ଝିଅ ରଖି ବେପାର କରୁଥିଲେ। ରୋଜଗାର ହେଲାନାହିଁ। ରୋଜଗାର ବଦଳେଇ ଠିକ କାମ କଲ, ମୋର ମନ୍ତବ୍ୟରେ ତାର ଉତ୍ତର ଥିଲା, କାଣା ଆରୁ କରବୁ ଦଦା! ଏବେ ବେପାର କାହିଁ? ଭଲ ଝିଅମାନେ ବି ନିଜ ନିଜ ବୟଫ୍ରେଣ୍ଡ ରଖି ରୋଜଗାର କରୁଛନ୍ତି। ଆମକୁ ପଚାରେ କିଏ?


ଈଶ୍ୱରୀ ହେମା ଓ ପାଟିଗଣିତ

ଶ୍ୟାମଲାଲ ତାଣ୍ଡି, ସ୍ତ୍ରୀ ଲଳିତା; ପୁଅ ଦୁଇଟି ହରେନ୍ଦ୍ର ଓ ଦେବେନ୍ଦ୍ର, ଝିଅ ହେମା ସହ ରହେ ଅନ୍ୟ ଚାରୋଟି ପରିବାର ପରି କୁଣ୍ଡାବୁଟଲା ଗାଁର ଗୋଚର ଜମିରେ ମାଟିଘର କରି। ଇଆରଆରପି ଯୋଜନାରୁ ପାଇଥିବା ଅଧଏକର ଜମି ଚାଷକରି ଏବଂ ମଜୁରୀ କରି ଚଳେ।
ଶ୍ୟାମଲାଲ ରୋଗରେ ପଡ଼ିଲା। ଘରର ନାମମାତ୍ର ସୁନା ଓ ବାସନ ବିକାହେଲା। ଜମି ବନ୍ଧକ ଦେଲା। ଆଉ କରିବ କଣ! ଲଳିତାର ମା ଘର ନିକଟସ୍ଥ ଗାଁ ମମିଆଁ। ଲଳିତାର ନିଜ ପରିବାରର ସମ୍ପର୍କୀୟ ରାମପ୍ରସାଦ ମଙ୍ଗରାଜ। ଦଳିତ ସମ୍ପ୍ରଦାୟର ଗାଁ ମହାଜନ ବି। ଏ ମଙ୍ଗରାଜ ଚାରି ଭାଇଙ୍କ ମଧ୍ୟରୁ ଜଣେ ଟେଲିକମ୍ ଇଞ୍ଜିନିୟର, ପୁନାରେ ରହେ; ଜଣେ ଜିପିଇଓ ଏବଂ ଅନ୍ୟଜଣେ କୃଷିବିଜ୍ଞାନୀ। ଲଳିତା ରାମପ୍ରସାଦଙ୍କ ଠାରୁ ଋଣସୂତ୍ରରେ ତିନି ହଜାର ଟଙ୍କା ଆଣିସାରିଥିଲା। ଏତକ ବି ନିଅଣ୍ଟ ହେଲା। ଆହୁରି ଟଙ୍କା ମାଗିଲା। ରାମପ୍ରସାଦ ଦାବି କଲା ତୋ ଝିଅକୁ ମତେ ଦେଇଦେ। ଶ୍ୟାମଲାଲ ସହ ଯାଇ ଲଳିତା ଟେକିଦେଲା ତା’ ତିନିବର୍ଷର ଝିଅ ହେମାକୁ। ରାମପ୍ରସାଦ କହିବା ଅନୁସାରେ ତାଙ୍କ ପରିବାରରେ ତିନି ପୁରୁଷ ହେବ ଝିଅ ନାହିଁ। କନ୍ୟାଦାନ ପୁଣ୍ୟରୁ ବଞ୍ଚିତ ତାର ପରିବାରକୁ ହେମା ଉଦ୍ଧାର କରିବ।
‘ଶ୍ୟାମଲାଲ ଦାରିଦ୍ର‌୍ୟର ତାଡ଼ନାରେ ଛୁଆବିକ୍ରି କଲା’- କଥାଟା ଗଣମାଧ୍ୟମ ଦେଇ ପ୍ରଶାସନ ନିକଟକୁ ଗଲା। ଫେବୃୟାରୀ ୬ ତାରିଖ ୨୦୦୨ ମସିହା ଘଟଣା। ପ୍ରେସ ପର୍ଯ୍ୟନ୍ତ କଥାଟିକୁ ଯିବା ପାଇଁ ୩/୪ ଦିନ ସମୟ ଲାଗିଲା। ଜିଲ୍ଲା ପ୍ରଶାସନ ଚଞ୍ଚଳ ହେବା ସ୍ୱାଭାବିକ। ଶ୍ୟାମଲାଲକୁ ଶହେଟଙ୍କା ଓ ଚାଉଳ ଦଶକେଜି ସହଯୋଗ କରାଗଲା। ଶ୍ୟାମଲାଲ ଉପରେ ବିଭିନ୍ନ ପ୍ରକାର ଚାପ ପକାଗଲା। କୁହାଗଲା ଯେ ଛୁଆ ବିକିନି ବୋଲି କହ। ତଥାପି ଶ୍ୟାମଲାଲ କହିଲା ଯେ ମୁଁ ଝିଅ ବିକିଛି। ଅନୁରୂପ ରାମପ୍ରସାଦ କହିଲା ଯେ ମୁଁ ଝିଅ କିଣିଛି। ମରୁଡ଼ି ଅନୁଧ୍ୟାନରେ ଆସିଥିବା ଗୃହକମିଟି ସାମ୍ନାରେ ବି ଶ୍ୟାମଲାଲ ଝିଅ ବିକିଥିବା କଥା କହିଲା। ଗାଁର କିଛି ଲୋକ ମହାବନ୍ଧ ଯୋଜନାରେ ଖୋଳିଥିବା ପୋଖରୀରେ ମାଟିକାମ କରି ମଜୁରୀ ପାଇନଥିବା କଥା ବି କହିଲେ।
ଶ୍ୟାମଲାଲ ପ୍ରଶାସନ ଦୃଷ୍ଟିରେ ଦାରିଦ୍ର‌୍ୟ ସୀମାରେଖା ତଳେ ନଥିଲା। ସେ ଏପିଏଲ ତାଲିକାଭୁକ୍ତ ଥିଲା। ତା’ର ଦାରିଦ୍ର‌୍ୟତାର କାରଣ ଖୋଜାଗଲାନି। ତାକୁ ବାରମ୍ବାର ଭେଟି ଆସିଲେ ଅମଲାମାନେ। ରାଜ୍ୟ ରାଷ୍ଟ୍ରୀୟ ଗଣମାଧ୍ୟମମାନେ। ତା’ର ଅଭାବ, ତା’ର କଥା ଗଣମାଧ୍ୟମର ଶିରୋନାମା ମଣ୍ଡନ କଲା।
ଏତିକିବେଳେ ଶ୍ୟାମଲାଲ ବୟାନ ଦେଲା ଯେ ମା’ ତାର ଝିଅଟିକୁ ଖୋଜୁଛି। ଝିଅକୁ ଫେରିପାଇବା ସ୍ୱାଭାବିକ ଇଛା, ନା ଏ ସମୟରେ ଏ କଥା କହିଲେ ମହାଜନ ଋଣ ସୁଝିବାର ଗୁରୁଦାୟିତ୍ୱରୁ ମୁକ୍ତି ମିଳିବ! ଏହା ସହିତ ଝିଅକୁ ବି ଫେରିପାଇବ। ହୋଇଥାଇପାରେ!
ଶ୍ୟାମଲାଲ କହିବା ଅନୁସାରେ ସେ ଥରେ ତା’ ଝିଅକୁ ଭେଟି ଗଲା। ରାମପ୍ରସାଦ ଝିଅକୁ ଦେଖେଇଦେଲାନି। ଅଭଦ୍ର ଭାଷାରେ ଗାଳିଗୁଳଜ କରି ଶ୍ୟାମଲାଲକୁ ତଡ଼ିଦେଲା। ବଲାଙ୍ଗିର ଜିଲ୍ଲାପାଳ ସୁଶ୍ରୀ ସି.ଟି.ଏମ୍ .ସୁଗୁଣା ରାମପ୍ରସାଦର ଘରକୁ ଗଲେ। ହେମାକୁ ଫେରେଇ ଆଣିବା ଲାଗି। ରାମପ୍ରସାଦ କହିଲା ମୁଁ ମରିଯିବି ପଛେ ଝିଅକୁ ଦେବିନି। ଏହାକୁ ପାଠ ପଢ଼େଇବି। ତୁମ ପରି କଲେକ୍ଟର କରିବି। ଏହାପରେ ଜିଲ୍ଲାପାଳ ଅନେକଥର ରାମପ୍ରସାଦ ଘରକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଗୋଟିଏ। ତୁ ହେମାକୁ ଦେଇଦେ। ଏକଦା ଭୋକ ହେଲା, ଜିଲ୍ଲାପାଳ ରାମପ୍ରସାଦ ଘରର ବରକୋଳି ଖାଇଥିଲେ। ଏହାଥିଲା ରାମପ୍ରସାଦ ପାଇଁ ଗର୍ବର କଥା। ତା’ ଭାଇମାନେ ଏତେ ବଡ଼ ବଡ଼ ଚାକିରୀ କରନ୍ତି କିନ୍ତୁ ତାଙ୍କ ଘରକୁ କଲେକ୍ଟର ଆସେନି। ଏହା ସମ୍ଭବ ହୋଇଛି ହେମା ପାଇଁ। ତେଣୁ ହେମା ତା’ ଘର ପାଇଁ ଦେବୀ ଲକ୍ଷ୍ମୀ ହୋଇଗଲା।
ଶ୍ୟାମଲାଳକୁ ଯିଏ ବି ଭେଟି ଯିବ ତା’ର ରୋଗ କଥା କହିବ, ତା’ର ଅଭାବ କଥା କହିବ ଆଉ ଝିଅକୁ ଫେରେଇ ଦିଅ ବୋଲି କହିବ।
ଜୁନ ୨୫ ତାରିଖ ଦିନ ଶ୍ୟାମଲାଲ କଣ୍ଟାବାଞ୍ଜି ତହସିଲଦାରଙ୍କୁ ଫେରାଦ ହେଲା। ଯେ ରାମପ୍ରସାଦ ତା’ ଝିଅକୁ ନେଇଯାଇଛି। ଜୁନ୍ ୨୭ ତାରିଖ ରାତିରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ରାମପ୍ରସାଦ ଘରୁ ହେମାକୁ ଅଣାଗଲା। ହେମାକୁ ନେଲାବେଳେ ରାମପ୍ରସାଦର ପ୍ରାୟ ସମସ୍ତ ପରିଜନ ଓ ଚାରିଜଣ ପୋଲିସ କର୍ମୀ ଖଣ୍ଡଯୁଦ୍ଧରେ ଆହତ ହୋଇଥିଲେ। ରାମପ୍ରସାଦର ସ୍ତ୍ରୀ ଓ ଅନ୍ୟ ଏଗାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ରାମପ୍ରସାଦ ଫେରାର ହୋଇ ତିନିଦିନ ପରେ ଗିରଫ ହେଲା। ରାମପ୍ରସାଦର ପରିବାର ଲୋକଙ୍କୁ ଗୋଟିଏ ଆତଙ୍କର ବାତାବରଣ ତିଆରି କରି ଗିରଫ କରାଗଲା ଏବଂ ଏହାକୁ ବହୁଳ ପ୍ରଚାର କରାଗଲା।
ହେମାକୁ ଶ୍ୟମଲାଲ ଫେରିପାଇଲା। ରାମପ୍ରସାଦ ମାସାଧିକ କାଳ ଜେଲ୍‌ରେ ରହିଲା।
ହେମା ଉଦ୍ଧାରର ପାଖାପାଖି ବର୍ଷେପରେ ଗୋଟିଏ ଟି.ଭି.ରିପୋର୍ଟରେ ହେମାକୁ ଛେଳି ଚରଉଥିବାର ଦେଖିଲି। କିଛିଦିନ ପରେ ଗାଁକୁ ଫେରି ଶ୍ୟାମଲାଲ ପାଖକୁ ଗଲି। ଶ୍ୟାମଲାଲ ଅଭାବରେ ଚଳୁଥିବା କଥା କହିଲା। ହେମାର ସ୍କୁଲ ଯିବା ବୟସ ହୋଇନଥିଲା। ତେଣୁ କେବେ କେବେ ଘରପାଖରେ ଛେଳି ଜଗିବା କାମ କରେ। କାରଣ ତା’ ଘର ତ ଗୋଚର ଉପରେ। ଶ୍ୟାମଲାଲ ଏହା ବି କହିଲା ଯେ ଗୋଚର ସେପଟେ ଥିବା ରାସ୍ତା ଉପରୁ ରାମପ୍ରସାଦ ହେମାକୁ ଦେଖୁଥାଏ। ସେ ଗୁଣିଆ ଲୋକ ତେଣୁ ଭୟ ବି ଲାଗୁଛି।
ରାମପ୍ରସାଦ କାହିଁକି ଦେଖୁଛି। ରାମପ୍ରସାଦ ପାଖକୁ ଗଲି, ସେ କହିଲା, “ମନ୍ ନେଇ ମାନେଗା ଦଦା। ବଙ୍ଗୋମୁଣ୍ଡା ଗଲାବେଳେ ଟୁକେଲ୍ କେ ଟିକେ ଦେଖ୍‌ମି ବଲି ଠିଆ ହେସିଁ। ଯିଏ ଯାହାବଲୁ ଛନେ ଦେଖ୍‌ଲେ ପେଟ୍ ପୁରି ଯାଏସି। ଦେଖନୁ ଗା ଦଦା! ପାଠ ପଢ଼ାବାର ଛାଡ଼ି ଟୁକେଲ୍ କେ ଛେଲ ଚରେଇ ମଗଉଛେ ଯେ!”
ହେମା ଘରକୁ ଫେରିବା ପରେ ଶ୍ୟାମଲାଲ ଅଦରକାରୀ ହୋଇଗଲା ସମସ୍ତଙ୍କ ପାଇଁ। ଉପରେ ରାମପ୍ରସାଦ ବି କିଛି କହିବାକୁ ସାହସ କଲାନି।
୨୦୦୪ ମଇ ମାସ ୨୬ ତାରିଖ। ହେମା ମରିଯିବାର ଖବର କୁଣ୍ଡାବୁଟଲାର ଜଣେ ଯୁବକ ଫୋନ କରି ମତେ ଜଣେଇଲେ। ମୁଁ ଗଲି ତା’ ଘରକୁ। ଜଣେ ବନ୍ଧୁ ସଞ୍ଜୟ ମିଶ୍ର ତିନିଶହ ଟଙ୍କା ପଠେଇଥିଲେ। ତା’ ପାଖକୁ। ଶ୍ୟାମଲାଲ ଓ ଲଳିତା ମତେ ଦେଖିଲଶ ପରେ ତଳେ ଗଡ଼ି କାନ୍ଦିଲେ। ଟଙ୍କାତକ ଥୋଇଦେଲି ତଳେ। “ଇ ଟଙ୍କାକେ କାଣା କରମି ବୁଆ ମୋର ଟୁକେଲ କେ ତୋ ଖାଇଦେଲି।”
ଶ୍ୟାମଲାଲ କହିଲା ହେମା ଛଅମାସ ହେବ ରୋଗରେ ପଡ଼ିଥିଲା। ତାକୁ ସିନ୍ଧେକେଲା ଓ ତୁକ୍‌ଲାର ସରକାରୀ ଡାକ୍ତରଖାନାରେ ଦେଖଉଥିଲା। ଜନୈକ ବୈଦ୍ୟ ନିକଟରୁ ମଧ୍ୟ ଓøଷଧ ଖୁଆଉଥିଲା। ଫଳ କିଛି ହେଲାନି। କାନ୍ଦିଲା ଶ୍ୟାମଲାଲ। “ରାମପ୍ରସାଦ ଗୁନିଆ ଲୋକ ବୁଆ! ହେ କାଣା କରିଦେଇଥିବା ମୋର ଟୁକେଲ୍ କେ…।” ଶ୍ୟାମଲାଲ ବାହୁନି ବାହୁନି କାନ୍ଦୁଥାଏ।
ଘଟଣାର ଦୁଇଦିନ ପରେ ରାମପ୍ରସାଦ ସଙ୍ଗେ ଭେଟ ହେଲା। ରାମପ୍ରସାଦ ବାହୁନିଲା ହେମାର ଗୁଣ। ସେ ଲକ୍ଷ୍ମୀ ଝିଅ ଥିଲା। ଯେଉଁ କିଛିଦିନ ତା’ ଘରେ ରହିଲା, ତା’ଘରକୁ ବଡ଼ ବଡ଼ ଲୋକ ଆସିଲେ। ତା’ ଘର ପୁରିଲା ପୁରିଲା ଲାଗୁଥିଲା। ଶ୍ୟାମଲାଲ ଜିଦ୍ଦି କରି ଝିଅକୁ ନେଲା। ରୋଗରେ ଚିକିତ୍ସା ବି କରିପାରିଲା ନାହିଁ। ସେ ଜେଲ ଗଲା। ଏତେ ଲୋକ ଏତେ କଥା କହିଲେ। କେହି ତାକୁ ରଖିପାରିଲେ ନାହିଁ।
ଆଖି ଛଳ ଛଳ ହୋଇଗଲା ରାମପ୍ରସାଦର। କହିଲା, “ତୁଇ ସାକ୍ଷୀ ଥା ଦଦା! ଧରମ ବଲି ଦେଖୁଛେ!” ଥୁଃ କରି ଥୁକିଦେଲା ତଳେ ରାମପ୍ରସାଦ।
କପିଲ ନାରାୟଣ ତିୱାରୀ ଖଡ଼ିଆଳରେ ରହୁଥିବା ଅଞ୍ଚଳର ଜଣେ ବିଶଷ୍ଟ ଚିନ୍ତାନାୟକ। ଅଞ୍ଚଳକୁ ନିଜ ଦୃଷ୍ଟିଭଙ୍ଗିରେ ଚିନ୍ତା କରି ଯେଉଁ ସତ୍ୟ ଉପସ୍ଥାପିତ କରନ୍ତି, ତା’ଉପରେ ସମସ୍ତେ ଚିନ୍ତା କରିବା ଅତ୍ୟନ୍ତ ଆବଶ୍ୟକ। ମାଗାସେସେ ପୁରସ୍କାରପ୍ରାପ୍ତ ସାମ୍ବାଦିକ ପି.ସାଇନାଥ ତାଙ୍କ ଉପରେ ମନ୍ତବ୍ୟ ଦେବାକୁ ଯାଇ ନିଜର ବିଖ୍ୟାତ ପୁସ୍ତକ ‘ଏଭ୍ରିବଡ଼ି ଲଭସ୍ ଏ ଗୁଡ଼୍ ଡ୍ରାଉଟ’ ପୁସ୍ତକରେ ଲେଖନ୍ତି, “ଏ ଭିତରେ ବହୁତ କିଛି ବଦଳି ଯାଇଛି। କିନ୍ତୁ କପିଲ ନାରାୟଣ ତିୱାରୀ ବଦଳି ନାହାନ୍ତି ସେ ବଦଳିଥିଲେ ଦୁଃଖ ଥିଲା।” ତାଙ୍କ ସହ ଦୀର୍ଘ ସାକ୍ଷାତକାରରୁ କିଛି…
ପ୍ର: ବନୀତା ବିକ୍ରି ଘଟଣାର ୧୫ ବର୍ଷ ପରେ ପୁଣି ପିଲା ବିକ୍ରି; ଏତେ ଯୋଜନା ଅନୁଦାନ ସତ୍ତ୍ୱେ ଏଭଳି ଘଟଣାର ପୁନରାବୃତି ଘଟୁଛି କାହିଁକି?
ଉ: ଦେଖନ୍ତୁ ପ୍ରାଶ୍ନଟି ସଂକ୍ଷିପ୍ତ ହେଲେ ମଧ୍ୟ ଏ ଅଞ୍ଚଳର ସାମଗ୍ରିକ ବିଶ୍ଳେଷଣକୁ ଅପେକ୍ଷା ରଖେ। ଗୋଟିଏ କଥାରୁ ଆରମ୍ଭ କରାଯାଇପାରେ; କେବିକେ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ଚାଷକାମ ନଥିଲା ସମୟରେ ୬.୪୦ ଲକ୍ଷ ଲୋକଙ୍କୁ ସର୍ବନିମ୍ନ ମଜୁରୀ ଦେଇ ଅନ୍ୟୁନ ୧୦୦ ଦିନର କାମ ଯୋଗାଇଦେବାର ଯୋଜନା ଥିଲା। ଏଥିରୁ ୩.୫୫ ଲକ୍ଷ ଲୋକଙ୍କୁ କାମ ଦିଆଯିବା କଥା ମୌସୁମୀ ବେଳେ। ଦେଇଛନ୍ତି କେତେ?
ଏ ପରିସ୍ଥିତିରେ ଦାରିଦ୍ର‌୍ୟ, ଛୁଆବିକ୍ରି ରହିବନି ତ, ରହିବ କେଉଁଠି? ବନୀତା ଦାରିଦ୍ର‌୍ୟର ଗୋଟିଏ ପ୍ରତୀକ ମାତ୍ର, ତାକୁ ଅଙ୍ଗନୱାଡ଼ିରେ କାମ ଦେଇଦେଲେ, ପ୍ରେସ୍‌(ଗଣମାଧ୍ୟମ) ରେ ଖ୍ୟାତ କରିଦେଲେ। ବା ଜାତିରେ ମିଶେଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ।
ତେବେ ସମାଧାନ କେଉଁଠି?
ସଂକ୍ଷେପରେ ଗାନ୍ଧୀବାଦୀ ଅର୍ଥନିତି ଉପରେ ପୁନର୍ବିଚାର କରିବାର ବେଳ ଆସିଛି।
ବନୀତା ବିକ୍ରିଠାରୁ ଆଜି ପର୍ଯ୍ୟନ୍ତ ଆପଣ କି ପ୍ରକାର ପରିବର୍ତନ ସମାଜରେ ଦେଖିଛନ୍ତି?
ପରିବର୍ତନ!! ସ୍ୱାଧୀନତା ପରେ ଆମର ଯେଉଁ ଅର୍ଥବ୍ୟବସ୍ଥା ଅଛି, ତାହା ପୁଞ୍ଜିବାଦ ଓ ସାମାଜିକ ବ୍ୟବସ୍ଥା ସାମନ୍ତବାଦ। ଏଥିରୁ ପରିସ୍ଥିତି ଅନୁମାନ କରାଯାଇପାରେ।
ଦାରିଦ୍ର‌୍ୟ ପାଇଁ ତ ଅନେକ କାଣ ଦାୟୀ। କିନ୍ତୁ ଲୋକେ କେତେ ଦାୟୀ?
ଲୋକେ କେତେବେଳେ ବି ଦାୟୀ ନୁହଁନ୍ତି। ଯଦି ସେମାନେ ଅଳସୁଆ, ହାଇଦ୍ରାବାଦ, ମୁମ୍ବାଇକୁ ଯାଇ କାମ କରୁଛନ୍ତି କିପରି? ଆମର ଦୃଷ୍ଟିଭଙ୍ଗି ଖରାପ। ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ବାର୍ଷିକ ଆୟ ୨୪୭୩ ଥିବାବେଳେ ଓଡ଼ିଶାରେ୧୫୭୦ ଟଙ୍କା; ଏହାଠାରୁ କମ୍ ନୂଆପଡ଼ା ଜିଲ୍ଲାରେ। ଏଠି ଦୈନିକ ଆୟ ୨ରୁ୩ ଟଙ୍କା। ଏଥିରେ ସରକାର ଦେଉଥିବା ସବ୍‌ସିଡି ଚାଉଳ କିଣିବାରେ ବି ଲୋକେ ଅସମର୍ଥ; ବାକି କଥା ଛାଡ଼।
ଅଂଚଳର ଅର୍ଥନୀତି ଚାଷ ଉପରେ ନିର୍ଭର କରେ। ପଞ୍ଜାବ ସଙ୍ଗେ ଓଡ଼ିଶାର ତୁଳନା କଲେ ହେକ୍ଟର ପିଛା ୩ ଟନ୍ ରୁ ବେଶି ଉତ୍ପାଦନ ସେଠାରେ, ଏଠାରେ ବେଶିରେ୮ କ୍ୱିଂଟାଲ। ସେମାନଙ୍କ ଜଳସେଚନ ୯୩% ରୁ ଉର୍ଦ୍ଧ ହେଲେ ଆମର ୩୦%, ନୂଆପଡ଼ାରେ ୩%ରୁ ବି କମ୍‌। ଏଠାରେ ବର୍ଷା୧୩୫୦ମି.ମି ରେକର୍ଡ କରାଗଲେ ପଞ୍ଜାବରେ ୬୯୪ ମି.ମି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅ୍ମକ୍ଷ ଶ୍ରୀ ଚଡ୍‌ଢ଼ା କହନ୍ତି ଓଡ଼ିଶା ଭୂତଳ ଜଳର ଯେଉଁ ଭଣ୍ଡାର ଅଛି ସେଥିରେ ୪.୨ ମିଲିୟନ ହେକ୍ଟର ଜମି ଜଳସେଚିତ ହୋଇପାରିବ। କିନ୍ତୁ ହେଉଛି ୦.୩ ମିଲିୟନ ହେକ୍ଟର।
ଏ କ୍ଷେତ୍ରରେ ଜଣେ ଶ୍ରମଜୀବୀ ୩ ହଜାର କ୍ୟାଲୋରୀ ଖାଦ୍ୟ ଦରକାର କରୁଥିବା ବେଳେ ପାଉଛି ୫୦୦ କ୍ୟାଲୋରୀରୁ କମ୍‌। ତେଣୁ ଲୋକଙ୍କୁ ଦାୟୀ କରିବା ଉଚିତ୍ ନୁହେଁ। ସମସ୍ତେ ଅନାହାର ମୃତ୍ୟୁକୁ ଲେଖୁଛନ୍ତି ଏ ସ୍ଥିତିକୁ ଇସ୍ୟୁ କାହିଁକି କରାଯାଉନି?
ଏହାର ସମାଧାନ କେଉଁ ରାସ୍ତାରେ ଖୋଜିବା?
ସମସ୍ୟା ଲୋକଙ୍କର, ସେମାନେ ଚିନ୍ତା କରିବେ। ଦେଶ ସ୍ୱାଧୀନ କଲେ, ଭୋଟ ଦେଇ ସରକାର ପରିବର୍ତନ କଲେ… ଏ ସମସ୍ୟା କଣ?


ଗୋଟିଏ ଶବ ଓ ମୁଖାପିନ୍ଧା ମଣିଷମାନଙ୍କ କଥା

୨୦୦୦ମସିହା ନଭେମ୍ବର ୨୨ ତାରିଖ। ମୁଁ ଏବଂ ଦେବେନ୍ଦ୍ର ବହିଦାର ପହଂଚିଲୁ ବେଲପଡ଼ା ଗ୍ରାମ ପଂଚାୟତର ବଡ଼ଗମଡ଼ା ଗାଁରେ। ଖୋଜିଲୁ ମୃତ ଗଜିନ ଭୋଇର ଘର। ଛୋଟ ଗାଁ। ୱାର୍ଡମେମ୍ବର ସଖିରାମ ଭୋଇ ନେଇଗଲା ଆମକୁ ଗଜିନର ଘରକୁ। ଦୁର୍ବଳ ଶରୀରର ଜଣେ ମହିଳା ବାହାରି ଠିଆ ହେଲା, ତା’ପାଖେ ପାଂଚବର୍ଷର ଜଣେ ଲଙ୍ଗଳା ପିଲା। ମହିଳା ଜଣକ ଗଜିନର ବିଧବା ଏବଂ ବାଳକଟି ତାର ପୁଅ ମୀନକେତନ। ପରିବାରର ଆଉଜଣେ ଝିଅ ଉଜନା। ତାକୁ ମାଉସୀ ନେଇଯାଇଥିଲା ଝିଅକରି। ବିଧବା ପ୍ରେମଶିଳା ନିକଟରେ ତାର ଭାଗ୍ୟ ବ୍ୟତିତ ଆଉକିଛି ନଥିଲା।
ଚଳିବ କେମିତି?
ଟକ୍ ଟକ୍ ଦେଖିଲା ପ୍ରେମଶିଳା। ଯୋଜନାହୀନ ଜୀବନରେ ଏତେବଡ଼ ପ୍ରଶ୍ନର ଉତ୍ତର ଦେବାକୁ ନା ତା’ର ବୁଦ୍ଧି ଥିଲା ନା ସାହସ। ପଡ଼ୋଶୀ ମହିଳା କେତେଜଣ କହିଳେ, “ଚଲ୍‌ବା କେନ୍ତା କରି ଆଜ୍ଞା! ପିଲା ଟିକେ ବୁନ୍ଧି ପାଏଲେ କାର୍ ଛେଲ୍ ମେଢ଼ି ଚରାବା, ବୁପୁରୀ ଦୁଃଖଭୁତି କରିବା। କେଁ କରବା ଆରୁ ନୂରିଖିଆ କୁକରାର ଟୁଣେ ଘା’ ହେଇଗଲା।”
ଗଜିନ ଭୋଇ କେଉଁ ବାପ ଅଜା କାଳରେ ଜମି ଥିଲା ବୋଲି ଶୁଣିଥିଲା। କନ୍ଧ ପିଲା ଜମିନ୍ ଆଉ ଜଙ୍ଗଲର ରଜା। କାଠ ହାଣୁ କି ମାଟି, ଦେହକୁ ଖଣ୍ଡେ ଆଉ ପେଟକ ମୁଠାଏ ଅଭାବ ନଥାଏ। ବାସ୍‌! କାହା ନିକଟରେ କିଛି ଆପତି ନାହିଁ କି ଅଭିଯୋଗ। ନୂଆଖାଇ ପରେ ପରେ ଲୋକେ ହାଇଦ୍ରାବାଦ ଯାଆନ୍ତି ଇଟାଗଢ଼ି। ଧାନ ରୁଆଗଡ଼ା ସରିଗଲେ ମୁମ୍ବାଇ କି ରାୟପୁର ଯାଇଥାନ୍ତି। ଗଜିନ ବି ମୁମ୍ବାଇ ଗଲା ୧୯୯୮ ମସିହାରେ। ତା’ ପରବର୍ଷ ପରିବାର ଧରି ଗଲା। ୨୦୦୦ ମସିହାରେ ବି ଗଲା। ଦୁଇମାସ ପରେ ଫେରି ଆସିଲା। ତା’ର ବାମହାତ ଭାଙ୍ଗିଯାଇ ପ୍ଲାଷ୍ଟର ହୋଇଛି। ଏବଂ ଗୋଡ଼ରେ ଆଘାତ ଲାଗିଛି।
କଷ୍ଟେମଷ୍ଟେ ଗୋଡ଼ ଠିକ୍ କଲା। ସ୍ତ୍ରୀ ପ୍ରେମଶିଳା ମାଟିକାମ କରି ଯାହା ଆଣିଲା ପରିବାରକୁ ନିଅଣ୍ଟ ହେଲା। ଏପଟେ ଓøଷଧର ବୋଝ। ଭଙ୍ଗାହାତରେ ବି ସେ ଯାଇ ଯୋର ଜବରଦସ୍ତ କରି ମାଟିକାମ କଲା। ସପ୍ତାହେ ଖଟିଲା ଭଙ୍ଗାହାତ ଦରଦ ହେଲା। ଦରଦ ସହିହେବା ପର୍ଯ୍ୟନ୍ତ କାମ କଲା। ଭଙ୍ଗାହାତ ଏତେ କଷ୍ଟ ହେଲା ଯେ ରାତିରେ ଶୋଇପରିଲାନି। ନିକଟସ୍ଥ ବେଲପଡ଼ା ଡାକ୍ତରଙ୍କ ନିକଟକୁ ଗଲା। ଡାକ୍ତର କହିଲେ ଏ ହାତରେ କାମ କଲେ ମରିଯିବୁ। ହାତର ଏକ୍ସରେ କରା। ଓøଷଧ ଖା। ଏତେ ଖର୍ଚ୍ଚକୁ ତାର ସାମର୍ଥ୍ୟ କାହିଁ? ପ୍ରେମଶିଳା ତାକୁ ବୁଝେଇଳା ଦୁଃଖକଷ୍ଟ କରି ତତେ ଚିକିତ୍ସା କରିବି। ସେ ବି ଜାଣିଥିଲା ସ୍ତ୍ରୀର ସୀମିତତା। ମନ ବୁଝିଲାନି। ପ୍ରେମଶିଳା ରୋଜଗାର କରି ଯାହା ଆଣେ ଛୁଆଦୁହିଁକୁ ଦେଇ ଅଧାପେଟରେ ବି ଚଳନ୍ତି ଦୁଇଜଣ। କେବେ କେବେ ଓପାସରେ ରହିଯାଆନ୍ତି।
ସହି ପାରିଲାନି ଏ ଦୁଃଖ। କାମ କରିପରିଲା ନାହିଁ କି ଖାଇପାରିଲା ନାହିଁ। ଘରେ ବସିଲା କେବେ କେବେ ଚିତ୍କାର ବି କଲା ବିଧାତା ଉଦ୍ଦେଶ୍ୟରେ। ଅକ୍ଟୋବର ୧୬ ତାରିଖ। ଶୁଣିଲା ଡିପିଇପି (ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ)ରେ ଗୋଟିଏ ସଭାକୁ ଯୋଗ ଦେବାପାଇଁ ବଙ୍ଗୋମୁଣ୍ଡା ବି.ଡି.ଓ ଆସିଛନ୍ତି। ଲୋକଙ୍କ ମୁହଁରୁ ଯାହା ଶୁଣିଥିଲା, ତାର ଧାରଣାରେ ବି.ଡି.ଓ ହେଉଛନ୍ତି ସର୍ବସମର୍ଥ ବାବୁ। ତାଙ୍କୁ ଯାଇ କହିଲା, “ହଜୁର! ମୋର ଖାଏବାର ବ୍ୟବସ୍ଥା କର ନେଇହେଲେ ମୁଇଁ ମରିଯିମି।” ବିଦ୍ୟାଳୟ ଶିକ୍ଷକ ତାକୁ ବୁଝାସୁଝା କରି ଘରକୁ ପଠେଇ ଦେଲେ। ଗଜିନ ଆଉ ପାରିଲାନି। ଚିନ୍ତା କଷ୍ଟ ଓ ଭୋକରେ ଖଟ ଧରିଲ। ୧୭ ନଭେମ୍ବର ରାତି ପ୍ରେମଶିଳା ତା ମୁହଁରେ ତୋରାଣି ଟିକିଏ ଦେଲା, ତାହା ବି ପେଟକୁ ଗଲାନି। ସକାଳୁ ଗଜିନ ମରିଗଲା।
ସଖିରାମ ଭୋଇ ନେଇଗଲା ଆମକୁ ଗଜିନ ଘର ରାସ୍ତାର ଆରପଟ ଗୋଟିଏ କୁଡ଼ିଆକୁ ଦୁଇଜଣ ଶିଶୁ ଖଟରେ ନିଜର ପିନ୍ଧା ସାଢ଼ୀକୁ ଘୋଡ଼ିହୋଇ ପଡ଼ିଥିବା ଜଣେ କଙ୍କାଳସାର ସ୍ତ୍ରୀ ଲୋକର ମୁଣ୍ଡପଟେ ବସିଥାନ୍ତି। କୁଡ଼ିଆଘର ଦୁଇବଖରା। ଖଟତଳେ ଛୋଟ ଗିନାରେ ପଡ଼ିଥାଏ କିଛି ଭାତ। ଯାହାକୁ ପାଖଘରେ ଥିବା ସ୍ତ୍ରୀ ଲୋକଟିର ଯା’ଗଙ୍ଗବାଲି ଆଣି ଦେଇଥାଏ ଛୁଆଙ୍କ ପାଇଁ। ମୁମୂର୍ଷୁ ମହିଳା ଜଣକର ପାଟିରେ କିଛି ଭାତ ଦେବାର ଚେଷ୍ଟାରେ ଗଙ୍ଗବାଲି ବି‘ଳ ହେବାପରେ ଛୁଆ ଦୁହିଁଙ୍କୁ ଦେଲା। ନିଜ ହାତରେ ଖୁଏଇ ଦେଉଥିବା ମାର ଅବସ୍ଥା ଦେଖି ଛୁଆ ଦୁଇଟି ବି ଖାଇପାରି ନଥିଲେ। ଯାଇ ବସିଥିଲେ ମା ନିକଟରେ।
ଖଟରେ ପଡ଼ିଥିବା ମହିଳା ଜଣକର ନାଁ ବି ଥିଲା ପ୍ରେମଶିଳା। ଭୋକରେ ପଡ଼ି ପଡ଼ି କଥା କହିବାର କ୍ଷମତା ହରେଇ ସାରିଥିଲା ମହିଳା ଜଣକ। ତାକୁ କିଛି ପଚାରି ହେଲାନି। ଗାଁ ମହିଳା ମାନଙ୍କ ସହ ଗଙ୍ଗବାଲି କହିଲା ତାର କଥା।
ସ୍ୱାମୀ ପୂର୍ଣ୍ଣ, ଲୋକମୁଖରେ ପୁରୁନ ଭୋଇ, ବଡ଼ପୁଅ ହୃଦାନନ୍ଦ ଆଠବର୍ଷର, ମଝିଆ ପୁଅ ପରି ଚାରିବର୍ଷର ଓ ଝିଅ ଜେମତି ଦେଢ଼ବର୍ଷର। ଏମାନଙ୍କୁ ନେଇ ତାର ସଂସାର। ଅଧଏକର ଇ.ଆର.ଆର.ପି ଜମି ଓ ନିକଟସ୍ଥ ମହଖଣ୍ଡ ଜଙ୍ଗଲ ତା’ର ଆୟର ସ୍ରୋତ।
ଦିନେ କିଏ ଜଣେ ଶ୍ରମିକ ଦଲାଲ ଆସିଲା ତା’ ଘରକୁ ଆନ୍ଧ୍ରା ଇଟା ତିଆରି ଗଲେ ପ୍ରଚୁର ଆୟ କରିବାର ଲୋଭ ଦେଖାଇଲା। ପୁରୁନ ପରିବାର ନେଇ ଚାଲିଗଲା ହାଇଦ୍ରାବାଦର କେଉଁ ଅନାମ ଇଟାଭାଟିକୁ। ଦିନତମାମ ଖରା। ରାତିସାରା ଖଟଣି। ଇଟାଭାଟିର କଞ୍ଚା ଇଟାପରି ରଙ୍ଗ ହୋଇଗଲା ପୁରୁନ ଓ ପ୍ରେମଶିଳାର। ଫେରିଲେ ସ୍ୱପ୍ନ ଆଉ ଆଶାଠୁ କମ୍ ଟଙ୍କା ଧରି। ଆଇଦ୍ରାବାଦର ଇଟାଭାଟି ଅପେକ୍ଷା ମହଖଣ୍ଡ ଜଙ୍ଗଲର ଆୟ ବେଶି। ଲକ୍ଷାଧ୍‌ôକ ଶ୍ରମିକ ମାନଙ୍କ ଭିତରେ ପୁରୁନ ବି ଜଣେ, ଯେଉଁଠାରୁ ଅନେକ ଋଣି ହେଲେ ବି ଫେରନ୍ତି କୌଣସି କାରଣରୁ ଗଧ ପରି ଖଟି ନପାରିଲେ।
ପୁରୁନ ଓ ପ୍ରେମଶିଳା ବଡ଼ପୁଅ ହୃଦାନନ୍ଦକୁ ବେଲପଡ଼ା ଗାଁରେ ଛୋଟ ହୋଟେଲ କରିଥିବା ତାର ମିତ ନିକଟରେ କାମରେ ଲଗାଇଦେଲେ। ସକାଳୁ ଉଠି ଦୁହେଁ ଜଙ୍ଗଲ ଯାଆନ୍ତି। ଫେରନ୍ତି ସନ୍ଧ୍ୟାରେ। ତା’ ପରଦିନ ନିକଟସ୍ଥ ଭାଲୁମୁଣ୍ଡା କି ଛଅ କିଲୋମିଟର ବଙ୍ଗୋମୁଣ୍ଡ ଆସି ବିକ୍ରି କରନ୍ତି। ତା’ର ପରଦିନ ପୁଣି ଜଙ୍ଗଲ ଯାଆନ୍ତି। ଦୁଇଦିନର ପରିଶ୍ରମରେ ସର୍ବାଧିକ ରୋଜଗାର ସତୁରି ଟଙ୍କା ହାଇଦ୍ରାବାଦର ଇଟାଭାଟିରେ ପୁରୁନ ତାର ବଫୁ ହଜେଇ ଦେଇଥିଲା କେଉଁଠି! କାଠ ହାଣୁ ହାଣୁ ଥକ୍କା ମାରି ବସେ। ଦିନେ ଚେତାଶୂନ୍ୟ ହୋଇଗଲା। ତା’ ପରଦିନ ଆଉ ଯାଇପାରିଲାନି କାଠ ବିକି। ଇଆରଆରପି ଯୋଜନାରେ ପାଇଥିବା ଅଧଏକର ଜମିକୁ ଉଡ଼େନ ବନ୍ଧା ଦେଲା ପ୍ରେମଶିଳା ଗାଁର ଶ୍ରୀକର ଭୋଇକୁ। ପୁରୁନର ଚିକିତ୍ସା କଲା। ଦୁଇସପ୍ତାହ ପରେ ପୁରୁନ ମରିଗଲା।
ପରିବାରର ବୋଝ ପଡ଼ିଲା ପ୍ରେମଶିଳା ଉପରେ। ସେ ଜଙ୍ଗଲକୁ ଗଲା। ସେତିକି ପରିଶ୍ରମ। ଦୁଇଦିନର ପରିଶ୍ରମରେ ଆୟକଲା କୋଡ଼ିଏ ଟଙ୍କା।
ଶୁଣିଲା ପରିବାରର ମୁଖ୍ୟ ମରିଗଲେ ବ୍ଲକରୁ ଦଶହଜାର ଟଙ୍କା ମିଳେ। (ପରିବାର ମଙ୍ଗଳ ଯୋଜନା) ମଧ୍ୟସ୍ଥି ଧରି କାଗଜପତ୍ର କଲା। ପୁରୁନର ମୃତ୍ୟୁ ପ୍ରମାଣପତ୍ର ଦରକାର ପଡ଼ିଲା। ଜାଣିଲା ଏହା ମିଳେ ସିନ୍ଧେକେଲା ଡାକ୍ତରଖାନାରେ। ସିନ୍ଧେକେଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାହା ବଙ୍ଗୋମୁଣ୍ଡାରୁ ୧୪ କିଲୋମିଟର । ପ୍ରେମଶିଳା ଚାଲି ଚାଲି ଅସେ ବଙ୍ଗୋମୁଣ୍ଡା। ଏଠାରୁ ବସ୍‌ରେ ଯାଏ ସିନ୍ଧେକେଲା। ସେଠାରେ ଦାବି କରନ୍ତି କିଛି କାଗଜପତ୍ର। ଯାହାକୁ ଏ.ଏନ.ଏମଙ୍କ ନିକଟରୁ ନେଇଥାଏ। ସେଠାରେ ତାକୁ କୁହାଯାଏ ଟଙ୍କା ଦରକାର। ପ୍ରେମଶିଳା ହଁ କରେ, କିନ୍ତୁ ପାଞ୍ଚଶହ ଟଙ୍କା ପାଇଁ ତା ପଖରେ ସମ୍ବଳ ନଥାଏ। ଫେରେ ଗାଁକୁ। ନିକଟସ୍ଥ ଗାଁ ବେଲପଡ଼ାର କିଛି ମହାଜନଙ୍କ ନିକଟକୁ ଯାଏ। ମୃତ୍ୟୁ ପ୍ରମାଣପତ୍ର ଯଦି ବା ପ୍ରେମଶିଳା ପାଏ, ତା’ ହେଲେ ବି ତାକୁ ଦଶହଜାର ଟଙ୍କା ମିଳିବାର ଗ୍ୟାରେଣ୍ଟି ନାହିଁ ତେଣୁ ମହାଜନ ମାନେ ତାକୁ ଟଙ୍କା ଦେବାକୁ ମନା କରନ୍ତି। ହୃଦା କାମ କରୁଥିବା ମହାଜନ ବି ମନାକରନ୍ତି। ଆଗରୁ ବହୁତ ଟଙ୍କା ନେଇସାରିଛି ପୁରୁନର ଚିକିତ୍ସା ବେଳେ। ଦୁଇଦିନ ପରିଶ୍ରମ କଲେ ପାଏ କୋଡ଼ିଏ ଟଙ୍କା। ଛୁଆ ଦୁହିଁଙ୍କ ମୁହଁରୁ ଦାନା ଛଡ଼େଇ ସଂଗ୍ରହ କରେ ଦଶ କି ପନ୍ଦର ଟଙ୍କା। ଯାହାକୁ ନେଇ ସିନ୍ଧେକେଲା ଯାଏ ଡାକ୍ତରଙ୍କ ପାଖକୁ। ଫେରେ ନିରାଶ ହୋଇ। ଦିନକର ଆୟ ବି ଯାଏ। ସରକାର ଦଶହଜାର ଟଙ୍କା ଦେବେ। ଏହି ଆଶ୍ୱାସନା ପ୍ରତିବଦଳରେ ଏତକ କର୍ମ ସମର୍ପଣ ତୁଛ ଲାଗେ ତାକୁ। ଜଙ୍ଗଲ ଯିବାକୁ କି ଡାକ୍ତରଖାନା ଯିବାକୁ ଥକେନି। ଦିନେ ଅନୁଭବ କଲା ଜଙ୍ଗଲରେ କାଠ କାଟିବା ପାଇଁ ଆଉ ସେ ପୂର୍ବପରି ସମର୍ଥ ନୁହେଁ। ଚିନ୍ତା ବଢ଼ିଚାଲେ। ଭୋକରେ ରହେ। କିଛି ନଥିଲେ ବି ନିଜର ଯା’ ଗଙ୍ଗବାଲିକୁ କହେ। ଗଙ୍ଗବାଲି ପରି ଓ ଜେମତୀକୁ ଭାତମୁଠେ ଦିଏ। ପ୍ରେମଶିଳା ସିନ୍ଧେକେଲା ଡାକ୍ତରଖାନା ଗଲା। ବହୁତ ବୁଝେଇଲା। ପାଞ୍ଚଶହ ଟଙ୍କା ପାଇଁ ସେ ଅସମର୍ଥ। ସରକାରର ପଇସା ପାଇଲେ ସେଥିରୁ ଦେବ। ଡାକ୍ତର ବି ମହାଜନ ପରି ଚିନ୍ତା କରନ୍ତି ବୋଧହୁଏ। ତାକୁ ଯେମିତି ହେଲେ ଟଙ୍କା ଯୋଗାଡ଼ କରିବାକୁ କହନ୍ତି। ସେ ଡାକ୍ତରଖାନାରେ ଏପଟ ସେପଟ ହେଉଥିବା ଡାକ୍ତରଙ୍କୁ ବୁଝେଇବା ପାଇଁ ବହୁତ ଚେଷ୍ଟା କରେ। ପାରେନି। ଡାକ୍ତରଖାନା ବାରଣ୍ଡାରେ ବସି କାନ୍ଦେ। ଘରକୁ ଫେରିଲାବେଳେ ରାତି ହୋଇଯାଇଥାଏ। ବର୍ଷଟିଏ ଡାକ୍ତରଖାନା ଦୌଡ଼ି ଦୌଡ଼ି କିଛି ପାଏନି। ନ ଖାଇ ଶୋଇପଡ଼େ। ତା’ ପରଦିନ ସକାଳୁ ଉଠିପାରେନି। ବାସ୍ ପଡ଼ିଥାଏ। ତିନିଚାରି ଦିନ ହେବ କଦବା କେମିତି ଯା’ ଗଙ୍ଗବାଲି ଓ ଦିଅର ଡମ୍ବରୁ ତାକୁ ଖାଇବାକୁ ଦିଅନ୍ତି।
ଖଟରେ ପଡ଼ିଥିବା ପ୍ରେମଶିଳା ଓ ତାର ବସିଥିବା ଦୁଇଛୁଆଙ୍କ ଫଟୋ ନେଲି ମୋ ପତ୍ରିକା ‘ଶତାବ୍ଦୀ’ ପାଇଁ। ଆମେ ଗାଁରୁ ଫେରିଲୁ। ବହିଦାର ବାବୁ ଫେରିଲାବେଳେ ଗଜିନର ବିଧବାକୁ ୫୦ ଟଙ୍କା ଓ ଗଙ୍ଗବାଲିକୁ ୫୦ ଟଙ୍କା ଦେଲେ ଓøଷଧ କିଣିବାକୁ।
ଆମେ ଦୁହେଁ ବଙ୍ଗୋମୁଣ୍ଡା ବ୍ଲକ୍‌କୁ ଆସିଲୁ। ଇନ୍‌ଚାର୍ଜ ବି.ଡି.ଓ ବଲାଙ୍ଗିର ଯାଇଥାନ୍ତି। ପ୍ରେମଶିଳା ବାବଦରେ ଜଣେ ସମ୍ପ୍ରସାରଣ ଅଧିକାରୀଙ୍କୁ କହିଲୁ। ସେ କହିଲେ ବି.ଡି.ଓ ଆସନ୍ତୁ ମୁଁ ତାଙ୍କୁ ଏକଥା କାଲି କହିଦେବି।
ଇନ୍‌ଚାର୍ଜ ବି.ଡି.ଓ ଫେରିଲେ ତା’ପରଦିନ। ତାଙ୍କୁ ସମ୍ପ୍ରସାରଣ ଅଧିକାରୀ କିଛି କହିନଥାନ୍ତି। ଆମେ ଯାଇ କହିଲୁ ମୁମୂର୍ଷୁ ପ୍ରେମଶିଳାର କଥା। ସେ କହିଲେ, “ଆମେ ଚାକିରୀ କରିଛୁ। ଏମାନଙ୍କ ଠିକା ନେଇନୁ। ଦେଖନ୍ତୁ ଆପଣ କଣ କରିପାରୁଛନ୍ତି। ଏ ଲୋକମାନେ ମାଗଣା ଖାଇବାକୁ ଡ୍ରାମା କରନ୍ତି।”
ମୁଁ ବଙ୍ଗୋମୁଣ୍ଡା ଥାନାକୁ ଆସିଲି। ଥାନାବବୁଙ୍କୁ କହିଲି ସମସ୍ତ ଘଟଣା ଏବଂ ଡାଇରୀ ଏତଲାଟିଏ ଏହିଦିନ ୨୩ ନଭେମ୍ବର ୨୦୦୦, ସମୟ ୩ଟା। ସନ୍ଧ୍ୟା ୫ଟାରେ ପ୍ରେମଶିଳା ଘରକୁ କଂଟାବାଞ୍ଜି ତହସିଲଦାର, ବଙ୍ଗୋମୁଣ୍ଡା ଇନ୍‌ଚାର୍ଜ ବି.ଡି.ଓ ସମେତ ଅନ୍ୟାନ୍ୟ ଅମଲାମାନେ ପହଂଚିଲେ। ଡାକ୍ତର ତା’ ଘରକୁ ଗଲେ। ଇନ୍‌ଚାର୍ଜ ବି.ଡି.ଓ ୧୦୦ ଟଙ୍କା ଦେଲେ ପରେ ପ୍ରେସ୍‌କୁ କହିଲେ ମାନବିକତା ଦୃଷ୍ଟିକୋଣରୁ ସେ ୧୦୦ ଟଙ୍କା ଦେଇଥିଲେ।
ଏହି ସାମୂହିକ ଗସ୍ତ ବୋଧହୁଏ ବ୍ୟକ୍ତିଗତ ଥିଲା କାରଣ ଏ ବିଷୟରେ ସରକାରୀ କାଗଜରେ କିଛି ଉଲ୍ଲେଖ ନଥିଲା।
୨୪ ନଭେମ୍ବର ୨୦୦୦ର ପ୍ରାୟ ସମସ୍ତ ପ୍ରମୁଖ ସମ୍ବାଦପତ୍ର ଏ ବିଷୟରେ ଲେଖି ସାରିଥିଲେ।
ତହସିଲଦାରଙ୍କ ରିପୋର୍ଟରେ ନିମ୍ନ ପ୍ରକାର ଲେଖିଥିଲେ-
୧. ଗତ ନଭେମ୍ବର ୨୬, ୨୦୦୦ ଦିନ ବି.ଡି.ଓ (ଇନ୍‌ଚାର୍ଜ), ସି.ଡି.ପି.ଓ, ଏସ୍‌.ଇ.ଓ, ଜେ.ଇ, ଭି.ଏଲ୍‌.ଡବ୍ଲ୍ୟୁ ଏବଂ ପୋଲିସ ଓ.ଆଇ.ସି ତଦନ୍ତ ପାଇଁ ବଡ଼ଗମଡ଼ା ଯାଇଥିଲେ।
ଗଜିନ କାମ କରିବାକୁ ଦିଲ୍ଲୀ ଯାଇଥିଲା ଏବଂ ବିଦ୍ୟୁତ ଆଘାତ ଦ୍ୱାରା ତା’ ର ହାତ କଟିଯାଇଥିଲା। ସେ ଜଣେ ନିୟମିତ ଶ୍ରମିକ।
୨. ୧୮ ନଭେମ୍ବର ଦିନ ତାର ମୃତ୍ୟୁର କାରଣ ଓଦ୍ଭଗ୍ଧରକ୍ସଦ୍ଭବକ୍ଷ ସଦ୍ଭହଙ୍କକ୍ସଚ୍ଚ ରଲଲରମଗ୍ଧ ଗ୍ଧକ୍ଟ ଭକ୍ସବସଦ୍ଭ ବଦ୍ଭୟ ମକ୍ଷସରୟ ସଦ୍ଭ ମଷକ୍ଟମଳ ବୋଲି ଲେଖାଯାଇଛି। ଗଜିନ ମରିବା ପୂର୍ବରୁ ଦୁଇଓଳି ଖାଇଛି। ତା’ର ଘରେ ରୋଷେଇ ହୋଇଛି। ମୃତକର ସ୍ତ୍ରୀକୁ ୪ କେଜି ଚାଉଳ ଓ ୧୦୦ ଟଙ୍କା ବ୍ଳକ ତରଫରୁ ଦିଆଗଲା।
୩. ପ୍ରେମଶିଳା ବାବଦରେ ଲେଖା ହେଲା, ୮.୧୧.୨୦୦୦ ଦିନ ସେ ୧୬ କେଜି ଚାଉଳ ନେଇଛି। ୨୨.୧୧ ରେ ତାକୁ ୨କେଜି ଏସ୍‌.ଏମ୍‌.ପି ଚାଉଳ ଯୋଗାଯାଇଛି।
୪. ୨୭.୧୧ ରେ ବେଲପଡ଼ା ଡାକ୍ତର ତା’ର ଚିକିତ୍ସା ଆରମ୍ଭ କରିଥିଲେ। ଜଣାପଡ଼ିଲା ସେ ଏନିମିଆ ରୋଗରେ ପିଡ଼ିତ ଅଛି। ତାକୁ ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ। ବି.ଡି.ଓ ଏବଂ ସି.ଡି.ପି.ଓ ତାଙ୍କର ଗାଡ଼ି ଦେବାକୁ କହିଥିଲେ।
ପ୍ରେମଶିଳା ସହ ଟିଟିଲଶଗଡ଼ ଡାକ୍ତରଖାନା ଯିବ କିଏ? ଏତେଟଙ୍କା ଖର୍ଚ୍ଚ କରିବ କିଏ? ସମସ୍ତେ ତ କାମକଲେ ଖାଇବା ଲୋକ। ତା’ ର ସହ ରହିବ କିଏ?
ଡିସେମ୍ବର ୧,୨୦୦୦ ଦିନ ୧୧ଟାରେ ପ୍ରେମଶିଳା ମରିଗଲା।
ଏହିଦିନ ବଲାଙ୍ଗିର ଜି୍‌ଲାପାଳ ବଙ୍ଗୋମୁଣ୍ଡା ବସ୍‌ଷ୍ଟାଣ୍ଡ ରେ ରେଡ଼୍‌କ୍ରସ୍ ଚାନ୍ଦା ଆଦାୟ କରୁଥିଲେ। ପ୍ରେମଶିଳାର ମୃତ୍ୟୁ ଖବର ତଙ୍କୁ ଦିଆଗଲା ନାହିଁ। ଅଥବା ସେ ଜାଣିଲେ ନାହିଁ।
କନ୍ଧ ଜାତିରେ ମାଟିରେ ପୋତିବାର ପରମ୍ପରା ରହିଛି। ପ୍ରେମଶିଳାର ଶବ ଦାହ କରାଗଲା।
ହୁୁଏତ ତା’ର ଶବଦାହ ପାଇଁ ବ୍ୟବହାର କରାଯାଇଥିବା କାଠ ତାକୁ ଠିକ୍ ସମୟରେ ମିଳିଥିଲେ ତାର ମୃତ୍ୟୁ କିଛି ବିଳମ୍ବ ହୋଇଥାନ୍ତା। ଅଥବା ଏଭିତରେ ତା’ର ଚିକିତ୍ସା ହୋଇପାରିଥାନ୍ତା। ଅଥବା ତାର ଭାଗ୍ୟ ବଦଳି ଯାଇଥାନ୍ତା। ଅଥବା…
ପ୍ରେମଶିଳାର ମୃତ୍ୟୁ ଖବର ସମ୍ବାଦପତ୍ରମାନଙ୍କରେ ମୁଖ୍ୟ ଖବର ହୋଇ ବାହାରିଲା। ବିରୋଧୀ ଦଳ ସରକାରଙ୍କୁ ପ୍ରତିବାଦ କଲେ। ବିଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ କଲେ। କଣ୍ଟାବଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ନାଟକୀୟ ଢଙ୍ଗରେ ସରକାରଙ୍କୁ ପ୍ରତିବାଦ କଲେ। ଗୃହରେ ଧାରଣା ଦେଲେ। ବିଚାର ବିଭାଗୀୟ ତଦନ୍ତ ଦାବି କଲେ। ଗୃହର ସ୍ୱାଭାବିକ କାର୍ଯ୍ୟ ୧୧୭ ମିନିଟ ଧରି ବ୍ୟାହତ ହୋଇଥିଲା। ୧୫ ମିନିଟ ପାଇଁ ଗୃହ ମୁଲତବି ହେଲା।
ଶାସକଦଳର ନେତା ବାଳଗୋପାଳ ମିଶ୍ର ପ୍ରେମଶିଳା ମୃତ୍ୟୁ ଘଟଣାକୁ ନେଇ ପ୍ରତିବାଦ କଲେ। ଶେଷରେ ରାଜସ୍ୱମନ୍ତ୍‌୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଲେ ପ୍ରେମଶିଳାର ମୃତ୍ୟୁ ଘଟଣାର ତଦନ୍ତ ସ୍ୱତନ୍ତ୍ର ରିଲି‘କମିଶନର କରିବେ ଏବଂ ବିଧାନସଭା ଆଗାମି ଅଧ୍‌ôବେଶନରେ ତାହା ଉପସ୍ଥାପନ କାରାଯିବ।
ସ୍ୱତନ୍ତ୍ର ରିଲିଫକମିଶନର ଡଃ ହୃଷୀକେଶ ପଣ୍ଡା ବଡ଼ଗମଡ଼ା ଆସିଲେ। ତାଙ୍କ ଆସିବାର କିଛି ଦିନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଚଳଚଞ୍ଚଳ ହୋଇଗଲା। ଶାସକ ଦଳ ଓ ବିରୋଧୀଦଳ ଲୋକେ ଗାଁ କୁ ଗଲେ। ଲୋକଙ୍କୁ ନିଜ ନିଜର ତରିକ୍କାରେ ବୁଝେଇଲେ। ଯାହାକୁ ସମ୍ପତ୍ତି କୁହାଯିବ, ତାକୁ ଯଥାସମ୍ଭବ ଲୁଚାଗଲା। ସୁତରାଂ ସମସ୍ତେ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କଲେ ଡଃ ପଣ୍ଡାଙ୍କୁ ଦେଖେଇବା ପାଇଁ।
ପ୍ରେମଶିଳା ଯେଉଁ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦୌଡ଼ି ଦୌଡ଼ି ବର୍ଷଟିଏ ହଇରାଣ ହୋଇଥିଲା, ମରିଗଲା ପଛେ ପାଇଲା ନାହିଁ। ସେହି ମୃତ୍ୟୁ ପ୍ରମାଣପତ୍ର ସହିତ ପରିବାର ମଙ୍ଗଳ ଯୋଜନାର ଦଶହଜାର ଟଙ୍କାର ଚେକ୍ ହୃଦାନନ୍ଦକୁ ଦିଆଯାଇଥିଲା। ପ୍ରେମଶିଳା ଭୋଇ ସ୍ୱା. ପୁର୍ଣ ଭୋଇ କାଗଜପତ୍ରରେ। ଏ ପରିବାର କନ୍ଧ ସମାଜରେ କିଛି ଦୈବୀ ସେବାର ଅଧିକାର ପାଇଛନ୍ତି ତେଣୁ ତାଙ୍କୁ ମାଝି ବା ମୁଖିଆ ବୋଲି ବି କୁହାଯାଏ। ହୃଦାନନ୍ଦକୁ ଦିଆଯାଇଥିବା ଚେକ୍ ରେ ହୃଦାନନ୍ଦ ମାଝି ବୋଲି ଲେଖାଯାଇଥିଲା। ଏହାର ତଦନ୍ତ ବ୍ଲକ୍ କାର୍ଯ୍ୟାଳୟରେ କରିବାର ଥିଲା।
ପ୍ରେମଶିଳାର ଜମି ବନ୍ଧକ ରଖିଥିବା ଶ୍ରୀକର ଭୋଇ ନିକଟକୁ ଡଃ ପଣ୍ଡା ଗଲେ। ଶ୍ରୀକର ଚାଦର ଘୋଡ଼ି ହୋଇ ଜ୍ୱରରେ ଶୋଇଥିଲା । ଲୋକେ କହିଲେ ସପ୍ତାହେ ହେଲା ସେ ଅନାହାରରେ ଅଛି। ହୁଏତ ଯାହା ବିଶ୍ୱାସ ଯୋଗ୍ୟ କଥା ନଥିଲା। ଶ୍ରୀକର ସହ ଜମି ବନ୍ଧକ ରଖିଥିବା କଥା ହୋଇ ଡଃ ପଣ୍ଡା େ‘ରିଲେ ବଙ୍ଗୋମୁଣ୍ଡା ବ୍ଲକ୍ ଅଫିସ୍‌କୁ।
ଏହାର କିଛି ସମୟ ପରେ ଶ୍ରୀକର ମରିଗଲା।
କଣ୍ଟାବଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବି.ଡି.ଓଙ୍କ ଗିରଫ ଦାବିରେ ସ୍ଲୋଗାନ୍ ଦେଲେ। ଲୋକେ ଶ୍ରୀକରର ମୃତ ଶରୀରକୁ ନେଇ ବ୍ଲକ୍ ଅଫିସ୍ ଆସିବା ପାଇଁ ଉଦ୍ୟତ ହେଉଥିବା ବେଳ ତାର ଶବକୁ ବ୍ୟବଛେଦ ପାଇଁ ଟିଟିଲାଗଡ଼ ପଠାଗଲା। ଡଃ ପଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଆଉ ରହିଲେ ନାହିଁ । ବଲାଙ୍ଗିର ପଳେଇଲେ।
ତା’ପରଦିନ ଘଣାଟିକୁ ଖବରକାଗଜମାନେ ବେଶ୍ ପ୍ରାଞ୍ଜଳଭାବେ ଉପସ୍ଥାପନ କରିଥିଲେ। କେତେକ ସ୍ଥାନରେ ଉଲ୍ଲେଖ ଥିଲା ଯେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରେମଶିଳାର ଅନାହାର ମୃତ୍ୟୁ ତଦନ୍ତ କରୁଥିବା ସମୟରେ ଅନ୍ୟଜଣଙ୍କର ଅନାହାର ମୃତ୍ୟୁ ହୋଇଛି। ଯେଉଁମାନେ ଖବରକାଗଜ ପଢ଼ନ୍ତି, ସେମାନେ ଜାଣିଲେ ଯେ ଡଃ ପଣ୍ଡା ବଲାଙ୍ଗିରରେ ଅଛନ୍ତି। ଏବଂ ପ୍ରେମଶିଳାର ମୃତ୍ୟୁ ଘଟଣା ଉପରେ ଲୋକଙ୍କ ସତ୍ୟପାଠ ନେବେ। କେହି ଜଣେ ମଧ୍ୟ ଗଲେନାହିଁ ବଲାଙ୍ଗିର ୧୦୫ କିଲୋମିଟର ସତ୍ୟପାଠ କରିବାକୁ। ପରେ ଜଣାପଡ଼ିଲା ଯେ ଜଣେ ବି ଲୋକ ସତ୍ୟପାଠ କରିବାକୁ ଗଲେ ନାହିଁ। ଏହାର କାରଣ ଲୋକେ ଘଟଣାପ୍ରତି ଉଦାସୀନ ଥିଲେ। କିନ୍ତୁ ଏତେଦୂର ଯିବାକୁ ଲୋକଙ୍କ ପାଖରେ ଟଙ୍କା ସହିତ ସାମର୍ଥ୍ୟର ଅଭାବ ଥିଲା। ଅଥବା ଏହି ତଦନ୍ତ, ସ୍ଲୋଗାନ ସବୁ ପ୍ରହସନ ବୋଲି ଧରିନେଇଥିଲେ। ଏ ସତ୍ୟପାଠ ନିଆଯିବା କଥା ସେମାନେ ଜାଣି ନଥିଲେ, ଯେଉଁମାନେ ଜାଣିବା କଥା।
ତଦନ୍ତ ସରିଲା। ଶ୍ରୀକରର ବ୍ୟବଛେଦ ରିପୋର୍ଟ ଆସିଲା। ତାର ପାକସ୍ଥଳୀରେ ଖାଦ୍ୟ ଥିଲା ଓ ସେ କାମଳରୋଗୀ ଥିଲା। ଏହି ଘଟଣା ପରେ ସରକାର ଲୋକଙ୍କ ଜୀବନ ମାନର ଉନ୍ନତି ତଥା କର୍ମଯୋଗାଣ ପାଇଁ ମହାବନ୍ଧ ଯୋଜନା ପ୍ରଣୟନ କଲେ। ଏଥିରେ ପଞ୍ଚାୟତ ସ୍ତରରେ ପୋଖରୀ ଖୋଳାଯାଇ ତାର ଜଳକୁ ଲୋକ ଓ ଗାଇଗୋରୁଙ୍କ ବ୍ୟବହାର ତଥା ଆବଶ୍ୟକ ହେଲେ ଚାଷରେ ବ୍ୟବହାର କରିହେବ ବୋଲି କୁହାଗଲା।
ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ବିକାଶ ପରିଷଦର ଏକ ସଭାକୁ ମେଧା ପାଟକର ଆସିଥାନ୍ତି । ବନ୍ଧକୁ ବିରୋଧ କରି ଲୋକେ କୌଣସି ବାହ୍ୟ ସମର୍ଥନ ବିନା ନିଜେ ନିଜେ ସଂଗ୍ରାମ ଜାରି ରଖିଥାନ୍ତି। ଏହି ସଭାକୁ ମୁଁ ଏବଂ ଓକିଲ ବିଷ୍ନୁପ୍ରସାଦ ଶର୍ମା ଯାଇଥାଉ। ଶର୍ମାବାବୁ ଅଞ୍ଚଳର ବିଭିନ୍ନ ଜନସମସ୍ୟାମାନଙ୍କୁ ନିକଟରୁ ଅନୁ୍ମାନ କରି ଆଇନ ପରାମର୍ଶ ବି ଦିଅନ୍ତି।
ଜଣେ ଯୁବକ ଆସି ମତେ କହିଲେ ଆପଣଙ୍କ ବାବଦରେ ଡଃ ହୃଷିକେଶ ପଣ୍ଡା ଲେଖିଛନ୍ତି। ଝଙ୍କାରରେ ବାହାରିଛି। ମେଧା ପାଟକରଙ୍କ ସଭା ସରିଲା ପରେ ଆମେ ବଲାଙ୍ଗିର ଗଲୁ । ବଲାଙ୍ଗିରରେ ମ୍ମ ମେଧା ପାଟକରଙ୍କ ସଭା ଥାଏ। ସଭା ସରିଲା ପରେ ଝଙ୍କାର କିଣାହେଲା। ଶର୍ମାବାବୁ ପଢ଼ିଲେ। ମୁଁ ମୋ କାମରେ ଲାଗିପଡ଼ିଲି।
ସକାଳୁ ଘରୁ ଫୋନ ଆସିଲା, ମା କହିଲେ, “ତୋ ଏଡିଟର ଫୋନ କରିଥିଲେ କଥା ହ।” ଚନ୍ଦ୍ରଭାନୁ ପଟ୍ଟନାୟକ ଯିଏ ‘ଶତାଦ୍ଦୀ’, ଏକ ଖ୍ୟାତ ପତ୍ରିକାର ସମ୍ପାଦକ। ମୁଁ କାମ କରୁଥାଏ ଶତାଦ୍ଦୀରେ । ମୋ ଏଡିଟର ମତେ ତିନି ଚାରି ଦିନର କାମ ଦେଲେ। କାମସାରି ଘରକୁ େ‘ରିଲି । ଶର୍ମାବାବୁ ନିକଟକୁ ଯାଇ ଝଙ୍କାର ଆଣିଲି।
‘ଅନାହାର କମିଶନରଙ୍କ ଏକ ରିପୋର୍ଟ’ ପଢ଼ିଲି, ଗପଟି ସଂକ୍ଷେପରେ ଏହିପରି…
ଏକ ଗାଁ ପାଖଆଖରେ ଖ୍ୟାତ ହୋଇଥାଏ। ଏତେ ଖ୍ୟାତ ଯେ ତା’ ନାଁରେ ନିକଟସ୍ଥ ରେଲୱେ ଷ୍ଟେସନର ନାମ କରାଯାଇଥାଏ ଗମଡ଼ାରୋଡ଼। ଏଠାକୁ ପ୍ରଥମେ ଜଣେ ଲୋକ ଆସି ଚା’ ଦୋକାନଟିଏ କଲା। ଆଉ ଜଣେ ଆସି ପାଖ ଜଙ୍ଗଲରେ କାଠ ତଷ୍କରୀ କଲା। ଅନ୍ୟଜଣେ ଆସି ରେଲୱେର ଲୁହ ଚୋରୀକରି ବିକିଲା। କାଠ ବିକି ଓ ଲୁହାଚୋରୀ କରି ଦୁଇଜଣ ଧନୀ ହେଲେ। ଅଂଚଳର ଅର୍ଥନିତୀକୁ ନିଜ ଅକ୍ତିଆରରେ ରଖିଲେ। ଜେଲ୍ ଗଲେ। ଜେଲ୍‌ରୁ ଜଣେ େ‘ରି ଚା’ ଦୋକାନୀକୁ ବିତାଡ଼ିତ କରି ତା’ ଘରକୁ ଅକ୍ତିଆର କଲା। ସେମାନେ ପୂର୍ବ ଢଙ୍ଗରେ ନିଜର ପ୍ରତିପତି ବଢ଼େଇଲେ। ଦାଦନ ଶ୍ରମିକ ପଠେଇଲେ। ଦୁଇଟି ରାଜନୈତିକ ଦଳର ଆଂଚଳିକ ପୃଷ୍ଠପୋଷକ ହୋଇ ରାଜନୀତି କଲେ।
ଏପଟେ ଗମଡ଼ା ଗାଁରେ ରହୁଥିବା ମୁଖିଆର ଝିଅ ପ୍ରେମଶିଳା ପୂର୍ଣ୍ଣକୁ ବାହା ହେଲା। ଘଟଣା ଚକ୍ରରେ ମୁଖିଆ ମରିଯିବା ପରେ ପୂର୍ଣ୍ଣ ଗରିବ ହୋଇଗଲା। ପ୍ରେମଶିଳାକୁ ଧରି ହାଇଦ୍ରାବାଦ ଗଲା ଦାଦନ ଖଟି। ସେଠାରେ ଆଖପାଖ ଲୋକଙ୍କ ପରି କୁଡ଼ିଆରେ ରହିଲା। ସ‘ାସୁତୁରା କୁଡ଼ିଆ ଆଖପାଖ କୁଡ଼ିଆଠୁ ଆକର୍ଷଣୀୟ ଥିଲା। ଏଠାକୁ ଶ୍ରମିକ ଦଲାଲ ମାନେ ଆସି ମଦ ପିଇଲେ। ପୂର୍ଣ୍ଣ ମଦ କିଣି ଯାଏ। ମଦପିଇ ଶୋଇଯାଏ ଅଥବା ଜାଣି ଜାଣି ଶୋଇବାର ଅଭିନୟ କରେ।
ପ୍ରେମଶିଳାର ପ୍ରଚୁର ରକ୍ତସ୍ରାବ ହେଲା। ପୂର୍ଣ୍ଣ ସହ ଗାଁକୁ ଫେରି ଆସିଲା। ଦିନେ ପୂର୍ଣ୍ଣ ମରିଗଲା। ପ୍ରେମଶିଳା କାଠ ବିକି ପରିବାର ପାଳିଲା। ପ୍ରେମଶିଳା ବି ରକ୍ତସ୍ରାବ କାରଣରୁ ମରିଗଲା।
ଏହାକୁ ଜଣେ ସାମ୍ବାଦିକ ରାଜୀବ କୁମାର ସଗରିଆ ଅନାହାର ମୃତ୍ୟୁ ବୋଲି ଚତୁରତାର ସହ ଫଟୋ ନେଇ ଦିଲ୍ଲୀ ଓ ଭୁବନେଶ୍ୱରର ଖବର କାଗଜରେ ବାହାର କଲା। ପ୍ରଶାସନ ଉଠାପକା ହେଲା।
ଏହାର ତଦନ୍ତ ଭାର ଲେଖକଙ୍କୁ ଦିଆଗଲା। ଯିଏ ସରକାରଙ୍କ ଅନାହାର କମିଶନର। ତଦନ୍ତ କଲାବେଳେ ସାମ୍ବାଦିକ ରାଜୀବ ସଗରିଆ ତାଙ୍କୁ ବହୁତ ତଥ୍ୟ ଦେଲା। ଲେଖକ ତାକୁ ପଚାରିଲେ ଏସବୁ ଖବରକାଗଜରେ ବାହାର କଲନି କାହିଁକି? ଏକଦା ସାମ୍ବାଦିକର ବାପା ସେହି ଗମଡ଼ାରୋଡ଼ର ଚା’ ଦୋକାନୀ ଶ୍ରମିକ ଚାଲାଣ କରୁଥିଲା। ସେ ପୂର୍ଣ୍ଣକୁ ହାଇଦ୍ରାବାଦ ପଠେଇଥିଲା। ଏସବୁ ଖବର ଶୁଣି ସେ ସାମ୍ବାଦିକକୁ ମାରି ଗୋଡ଼େଇଲା। ତେଣୁ ସେହି ସାମ୍ବାଦିକ ଏସବୁ ଖବରକାଗଜରେ ଲେଖିଲା ନାହିଁ।
ଶେଷରେ ଅନାହାର କମିଶନର ମାନେ ଲେଖକ କହନ୍ତି ପ୍ରେମଶିଳାର ମୃତ୍ୟୁକୁ ଅନାହାର କହିବା କି ନ କହିବା ବିବାଦର କାରଣ ହେବ। ସେ ଦୂତ। ଏତେ ସତକଥା କହିଥିବାରୁ ତାଙ୍କ ଉପରେ ବିପଦ ପଡ଼ିବ। ଦୂତ ହୋଇଥିବା କାରଣରୁ ସେ ବିଧିଯୋଗ୍ୟ ନୁହନ୍ତି।
ବାସ୍ କାହାଣୀଟି ଏତିକି। ମୁଁ ଏହାର ପ୍ରତିବାଦ କଲି। ମୋର ମା, ବାପା ଦୁହେଁ ପ୍ରାଥମିକ ଶିକ୍ଷକ। ଡଃ ହୃଷିକେଷ ପଣ୍ଡା କହିଲେ ଏହା ଏକ କାହାଣୀମାତ୍ର କୌଣସି ଚରିତ୍ର କି ଘଟଣା ସହ ଏହାର ସମ୍ପର୍କ ନାହିଁ। ସେ ଏହା ବି ସ୍ୱୀକାର କଲେ ଯେ ସେ ବିଧାତା ନୁହଁନ୍ତି।
ଅନେକ ଆଲୋଚକ କହନ୍ତି ଗପଟି ବେଶ୍ ଉଚ୍ଚକୋଟୀର। ଏହା ବିଭିନ୍ନ ଭାଷାରେ ଅନୁବାଦିତ ବି ହେଲା। ବହୁତ ଦିନ ପରେ ଡଃ ପଣ୍ଡାଙ୍କର ଗଳ୍ପ ସଂକଳନଟିଏ ପ୍ରକାଶ ପାଇଲା ‘ମିଛ ଖୁସି ସତ ଦୁଃଖ’। ସେ ସଂକଳନରେ ଥିଲା ଉପରର ଚର୍ଚ୍ଚିତ ଗପଟି। ଏଥିରେ ସାମ୍ବାଦିକର ଚରିତ୍ର ରାଜୀବ କୁମାର ସଗରିଆ ବଦଳରେ ସଞ୍ଜୟ ସଗରିଆ ରହିଲା।
କିନ୍ତୁ ଗପରେ ଗୋଟିଏ କଥାର ଉଲ୍ଲେଖ କରାଗଲା ନାହିଁ ବୋଲି ଅନେକ ମତ ଦିଅନ୍ତି। ତଷ୍କର, ଚୋର ଓ ଚାଲ୍‌ବାଜ୍ ପରିଚାଳିତ କରୁଥିବା ଗୋଟିଏ ଅଞ୍ଚଳରେ ଅମଲାର ଚରିତ୍ର କେତେ ନିର୍ମଳ ଥିଲା।

ପ୍ରେମଶିଳା ମଲା ପରେ ହୃଦାନନ୍ଦ, ପରୀ ଓ ଜେମତୀ ଛେଉଣ୍ଡ ହୋଇଗଲେ। ନଅ ବର୍ଷର ହୃଦାନନ୍ଦ ରୋଜଗାର କରି ଖାଇ ଜାଣିଲାଣି। ସେ ଆଗରୁ ବି ତା ମିତ ବାପାର ହୋଟେଲରେ କାମ କରି ନିଜପାଇଁ ଖାଦ୍ୟସୁରକ୍ଷା କରିପାରିଥିଲା। ରହିଲେ ପରୀ ଓ ଜେମତୀ, ଏମାନଙ୍କର ଦାୟିତ୍ୱ ନେଲା ପୂର୍ଣ୍ଣର ଭାଇ ତଥା ପ୍ରେମଶିଳାର ଦିଅର ଡମ୍ବରୁ।
ଷ୍ଟାର ଟି.ଭି ପ୍ରେମଶିଳାର ଖବର ସଂଗ୍ରହ କରିଥିଲା। ଏହାର ରଏଲଟି ବାବଦ ଅଧିକ ୧୨ ହଜାର ଟଙ୍କା ମିଳିଲା। ଗୋଟିଏ ଫଣ୍ଡିଂ ଏଜେନ୍ସି ଦେଇ ସ୍ଥାନିୟ ଗୋଟିଏ ଏନ୍‌ଜିଓ ମା୍ମମରେ ଟଙ୍କା ଦିଆଗଲା। ଏନ୍‌ଜିଓ ଏହି ଟଙ୍କାକୁ ପ୍ରେମଶିଳାର ବନ୍ଧକ ଥିବା ଜମି ମୁକୁଳେଇଲା। ଯାହାକୁ ଡଃ ପଣ୍ଡା ତଦନ୍ତ କରୁଥିବା ସମୟରେ ମରିଥିବା ଶ୍ରୀକର ରଖିଥିଲା। ତିନୋଟି ଛେଳି କିଣିଦେଲା। ଛେଳିମାଙ୍କର ବୀମା କରେଇଲା ଓ ମହାଜନର ଋଣ ପରିଶୋଧ କଲା। ଏନ୍‌ଜିଓ ବଡ଼ଗମଡ଼ାକୁ ନିଜର ପୋଷ୍ୟଗ୍ରାମ ବୋଲି କହୁଥିଲା।
ମହାବନ୍ଧ କାମ ଚାଲୁଥାଏ। ପ୍ରେମଶିଳାର ଖବର ଅପାଂକ୍ତେୟ ହୋଇ ପଡ଼ିଲା। ଅନେକଥର ଖବର କାଗଜମାନ ଲେଖୁଥିଲେ ମହାବନ୍ଧରେ ହେଉଥିବା ଦୁର୍ନୀତିର କଥା।
ବେଦାନ୍ତ ବକ୍ସାଇଟ୍ ଖୋଳିବା ପାଇଁ କଳାହାଣ୍ଡି ଲାଞ୍ଜିଗଡ଼ର ନିୟମଗିରି ପାହାଡ଼ ନେବା ବିରୁଦ୍ଧରେ ହେଉଥିବା ଆନ୍ଦୋଳନ ଅଞ୍ଚଳର ମୂଖ୍ୟ ଘଟଣା ଥିଲା।
ସେପ୍ଟେମ୍ବର ୧୧, ୨୦୦୧ ଦିନ ଆମେରିକାର ବିଶ୍ୱବାଣିଜ୍ୟ କେନ୍ଦ୍ରର ଶତତଳ ପ୍ରାସାଦ ଉପରେ ବିମାନ ଆକ୍ରମଣ ଘଟଣା ବିଶ୍ୱକୁ ସ୍ତମ୍ଭିତ କରିଦେଇଥାଏ। ହତଚକିତ ଲୋକେ ଏ ଆକ୍ରମଣର ଆଶ୍ଚର୍ଯ୍ୟତମ ଦିଗମାନଙ୍କ ଉପରେ ଆଲୋଚନା କରୁଥିଲେ।
ସେ୍େ‌ଟମ୍ବର ୨୩, ୨୦୦୧ ଦିନ ଦିଲ୍ଲୀରୁ ପ୍ରକାଶିତ ଗୋଟିଏ ସମ୍ବାଦପତ୍ର ‘ହିନ୍ଦୁସ୍ଥାନ ଟାଇମ୍ସ’ ରେ ଖବରଟିଏ ବାହାରିଲା “ଘବଗ୍ଧସକ୍ଟଦ୍ଭ’ଗ୍ଦ ଗ୍ଦଷବଜ୍ଞର! ଝଗ୍ଧବକ୍ସଙ୍ଖସଦ୍ଭଶ ଙକ୍ସସଗ୍ଦଗ୍ଦବ ଲବଜ୍ଞସକ୍ଷଚ୍ଚ ଗ୍ଦରକ୍ଷକ୍ଷଗ୍ଦ ମଷସକ୍ଷୟକ୍ସରଦ୍ଭ”। ଖବର ଅନ୍ତରାଳେ ଥିବା ଘଟଣା ମାନଙ୍କୁ ଦେଖିଲେ ଏହା ଜଣାପଡ଼ିଲା ଯେ ଏହାରଚର୍ଚ୍ଚା ପାଇଁ ହିଁ ଜାଣି ଜାଣି ବିଳମ୍ବରେ ପ୍ରକାଶ କରାଯାଇଥିଲା। କାରଣ ୨୩ ତାରିଖ ପୂର୍ବରୁ ଖବରଟି ସେତେ ଚର୍ଚ୍ଚିତ ଓ ପ୍ରଭାବୀ ନଥାନ୍ତା।
ଏହାର ସତ୍ୟତା ଉପରେ ପ୍ରଶ୍ନ କରିବାର ଅବକାଶ ନଥିଲା କାରଣ ଘଟଣା ଓ ଏହାର ଭିତି ଥିଲା ବେଶ୍ ଦୃଢ଼। ଖବରଟି ଯାହା ବି ହେଉ ଏହା ପଛର ସତ୍ୟତା ଉପରେ ଯିଏବି ସନ୍ଦିହାନ ରହିବ।
ସେପ୍ଟେମ୍ବର ୮ ତାରିଖ ଜଣେ ଯୁବକ ଆସିଲେ ବଡ଼ଗମଡ଼ା। ତାଙ୍କ ସହ ଥିଲେ ସ୍ଥାନୀୟ କେତେକ ସାମ୍ବାଦିକ। ସେ ଖୋଜିଲେ ପ୍ରେମଶିଳାର ଛୁଆମାନଙ୍କୁ। ଡମ୍ବରୁ ଘରକୁ ଗଲେ। ଡମ୍ବରୁକୁ ପଚରାଗଲା ପ୍ରେମଶିଳାର ଛୁଆମାନଙ୍କ କଥା। ଡମ୍ବରୁ କହିଲା ହୃଦାନନ୍ଦ ପୂର୍ବରୁ ଯେଉଁ ହୋଟେଲରେ କାମ କରୁଥିଲା ସେଠାରେ କାମ କରୁଛି। ପରୀ ଗାଁ ସ୍କୁଲରେ ପାଠ ପଢ଼ୁଛି, ଜେମତୀ ଘରେ ରହୁଛି। ଡମ୍ବରୁକୁ ମନେ ପକେଇ ଦିଆଗଲା ତା’ର ଦାରିଦ୍ର‌୍ୟର କଥା। ଏତେବଡ଼ ଦାୟିତ୍ୱକୁ ପୁରା କରିବାରେ ବିଭିନ୍ନ ସମସ୍ୟାର କଥା। ପ୍ରକୃତରେ ଏହାହିଁ ନିରାଟ ସତକଥା ଡମ୍ବରୁ ପାଇଁ। ଦାୟିତ୍ୱ ନାମରେ ଡମ୍ବରୁ ଆଗତ ସମୟମାନଙ୍କରେ ଯେଉଁ ସମସ୍ୟା ମାନଙ୍କର ସାମ୍ନା କରିବ, ସେ ପ୍ରତି ତାର ସାମର୍ଥ୍ୟ କେତେଦୂର ସହାୟକ ହେବ। ଭବିଷ୍ୟତ ବିପଦକୁ କିଏ ଜାଣେ! ଦୋଷ ତ ଡମ୍ବରୁ ଉପରକୁ ଯିବ।
ସତକଥା ଡମ୍ବରୁ ଚିନ୍ତା କଲା। ତଥାପି ତ ସାହସ କରିଛି; ଦେଖାଯାଉ।
ଯୁବକଜଣକ ମୃତ ପ୍ରେମଶିଳାର ଫଟୋ ଦେଖେଇଲେ। କହିଲେ ଆମେ ତୁମ ବିଷୟରେ ସବୁ ଜାଣୁ। ଆମର ଅନାଥାଶ୍ରମଟିଏ ରାୟପୁରରେ ଅଛି। ସେଠାରେ ତୁମ ଛୁଆ ଦୁହିଁକୁ ପାଠ ପଢ଼େଇବୁ । ତୁମେ ଛୁଆଦୁହିଁକୁ ଛାଡ଼ିଦିଅ। ଡମ୍ବରୁ ଓ ଗଙ୍ଗବାଲି ମନାକଲେ।
ତା’ ପରଦିନ ଡମ୍ବରୁର ସମ୍ପର୍କୀୟ ରହୁଥିବା ର୍ଗଁରେଇ ଗାଁର ଯୁବକ ସହ ଆସିଲେ ସେହି ଯୁବ ଆଗନ୍ତୁକ। ଗଁରେଇର ଯୁବକ ହରପାଲ୍ ଛୁରା ଡମ୍ବରୁ ସଙ୍ଗେ ସମ୍ପର୍କ ଯୋଡ଼ିଲା। ହୃଦାନନ୍ଦକୁ ଡକାହେଲା। ଗାଁ ଲୋକଙ୍କୁ ଡକାହେଲା। ପ୍ରସ୍ତାବ ଦିଆଗଲା ପରୀ ଓ ଜେମତୀକୁ ନେଇ ରାୟପୁରର ଅନାଥାଶ୍ରମରେ ରଖି ପାଠ ପଢ଼େଇବେ। ଏହି ଗାଁ ସମେତ ଅଂଚଳର ଅନେକ ଲୋକ ରାୟପୁରରେ ରହି କାମ କରନ୍ତି। ଏଥିପାଇଁ ଛୁଆ ଦୁହିଁଙ୍କ ଭଲମନ୍ଦ ଜାଣିବାରେ ଡମ୍ବରୁକୁ ଅସୁବିଧା ହେବନାହିଁ। ଇଛାହେଲେ ଛୁଆମାନଙ୍କୁ ଡମ୍ବରୁ ଯାଇ ଦେଖି ଆସିପାରିବ। କଥା ପାଖାପାଖି ହଁ ହେଲା।
ସେପ୍ଟେମ୍ବର ୧୦ ତାରିଖ ସକାଳ। ଯୁବକ ଜଣକ ଆସିଲେ। ପରୀପାଇଁ ନୂଆ ଜାମା ଆଣିଥିଲେ। ଅନ୍ୟଜଣେ ଯୁବକ କ୍ୟାମେରା ଧରିଥାଏ। ଗାଁ ଝାଙ୍କର ସାତଟି ନଡ଼ିଆ ମାଗିଲା। ନଡ଼ିଆ କିଣାଗଲା। ଛୁଆଟିର ଭଲମନ୍ଦ ପାଇଁ ଗାଁ ଦେବୀଙ୍କୁ ମନାସିବା ଏକ ପୁରୁଣା ପ୍ରଥା। ଲୋକେ ଗାଁ ଛାଡ଼ି ବାହାରକୁ ଗଲେ ଏପରି କରିଥାନ୍ତି। କ୍ୟାମେରା ଧରିଥିବା ଲୋକଟି କୌଣସି ମୁହୂର୍ତକୁ ଉପେକ୍ଷା ନକରି ଫଟୋ ନେଉଥାଏ। ପୂଜା ସରିଲା। ଡମ୍ବରୁ ହାତ ଧରେଇଦେଲା ପରୀର। ପରୀକୁ ନେଇ ଯୁବକ ଯିବା ସମୟରେ ଡମ୍ବରୁ ହାତରେ ଗୁଞ୍ଜିଦେଲେ କିଛି ଟଙ୍କା।
ସେପ୍ଟେମ୍ବର ୧୩ ତାରିଖ। ଯୁବକ ଜଣକ ଆସିଥିଲେ ଜଣେ ବୟସ୍କା ମହିଳାଙ୍କ ସହ। କୁଆଡ଼େ ମହିଳା ଜଣଙ୍କ ତାଙ୍କ ମା। ଡମ୍ବରୁ ହାତରେ ଏଥର ବି ଟଙ୍କା ଗୁଞ୍ଜାହେଲା।
ସେପ୍ଟେମ୍ବର ୨୩ ତାରିଖ ଖବର ବାହାରିଲା। ସାମ୍ବାଦିକ ଜଣକ ଆସିଥିଲେ ଖବର ସଂଗ୍ରହ ପାଇଁ। ଏଠାରେ ଲୋକଙ୍କ ଅବସ୍ଥା ଏତେ ଦୟନୀୟ ଯେ ଲୋକେ ନିଜର ସନ୍ତାନ ବିକିବାକୁ ବି ପଛଉନାହାନ୍ତି। ସେ ନିଜେ ମ୍ମ ଦୁଇଟି ଛୁଆ କିଣି ଆଣିଛନ୍ତି। ଏହି ଯୁବକ ଜଣକ ଆନନ୍ଦ ଏସ୍‌.ଟି.ଦାସ ଜଣେ ସାମ୍ବାଦିକ ଥିଲେ ହିନ୍ଦୁସ୍ଥାନ ଟାଇମ୍ସରେ।
ପ୍ରଶାସନ ପାଇଁ ଅବାଞ୍ଛିତ ଓ ଆତଙ୍କିତ ଥିଲା କଥାଟା। ମଥୁରାର ଗୋଟିଏ ସାଧାରଣ ସଭାକୁ ସମ୍ବୋଧ୍‌ôତ କଲାବେଳେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମ୍ମ ଘଟଣା ଉପରେ ମନ୍ତବ୍ୟ ଦେଇଥିଲେ।
ହିନ୍ଦୁସ୍ଥାନ ଟାଇମ୍ସ ପ୍ରତିଦିନ ଘଟଣାକୁ ପ୍ରକାଶ କରୁଥାଏ ‘ଟୋସହ। ସରକାର ପ୍ରତିବାଦ କରୁଥାନ୍ତି। ପରୀ ଓ ଜେମତୀ ରାୟପୁର, ହିନ୍ଦୁସ୍ଥାନ ଟାଇମ୍ସ ମୁଖ୍ୟାଳୟ ଓ ପରେ ଏସ୍‌.ଓ.ଏସ୍ ଭିଲେଜ୍ ‘ରିଦାବାଦ ଯିବା ପର୍ଯ୍ୟନ୍ତ ଧାରାବାହିକ ବିବରଣୀ ବାହାରୁଥାଏ ପ୍ରୋକ୍ତ ସମ୍ବାଦପତ୍ରରେ, ‘ଟୋସହ। କମ୍ପ୍ୟୁଟର, ଖେଳଣା, ଟଙ୍କା ଇତ୍ୟାଦି ଅନୁଦାନ ଛୁଟୁଥାଏ ଦେଶ ବିଦେଶରୁ ପରୀ ଓ ଜେମତୀ ପାଇଁ।
ଏପଟେ ବ୍ଲକ୍ କାର୍ଯ୍ୟାଳୟର ଦୃଶ୍ୟ ଥିଲା ଭିନ୍ନ। ଉପଜିଲ୍ଲାପାଳ ମନିଷ ମୁଦ୍‌ଗଲ୍ ବଙ୍ଗୋମୁଣ୍ଡାକୁ ୨୩ ତାରିଖ ସକାଳୁ ଆସିଲେ। ଡମ୍ବରୁ ନିକଟକୁ ଗଲେ ବଡ଼ଗମଡ଼ା। ଡମ୍ବରୁ ଘରେ ନଥିଲା। କୁଆଡ଼େ ପଳେଇଥିଲା।
ବଡ଼ଗମଡ଼ାକୁ ଅନେକ ଗାଡ଼ିମଟର ଗଲା। ଗାଁକୁ ପୋଷ୍ୟଗ୍ରାମ କରିଥିବା ଏନ୍‌ଜିଓ ସମସ୍ତଙ୍କୁ ଗୋଟିଏ ଗୋଟିଏ ଫାଇଲ ବାଣ୍ଟୁଥିଲା। ଯେଉଁଥିରେ ପ୍ରେମଶିଳା ଜମି ବନ୍ଧକ ରଖିଥିବା କାଗଜ, ବନ୍ଧକ ଜମି ଶ୍ରୀକରଠାରୁ ମୁକୁଳେଇଥିବା କାଗଜ, ତିନୋଟି ଛେଳି କିଣିଥିବା ପ୍ରମାଣର କାଗଜ, ତାହାର ବିମା କାଗଜ ଏପରି ପାଖାପାଖି କୋଡ଼ିଏ ପୃଷ୍ଠାର ପ୍ରାମାଣିକ ଫଟୋକପି। ଉଦ୍ଦେଶ୍ୟ ଥିଲା ତାକୁ ପ୍ରେମଶିଳା ପରିବାର ପାଇଁ ଯେଉଁ ୧୨ ହଜାର ଟଙ୍କା ଦିଆଯାଇଥିଲା, ତାର ଖର୍ଚ୍ଚ କିପରି କରାଯାଇଛି, ତାହା ଦେଖେଇବା। ଶହ ଶହ ସଂଖ୍ୟାରେ ଏପରି ଫାଇଲ୍ ବଣ୍ଟା ହେଲା।
ତନ୍ନ ତନ୍ନ ଖୋଜାଗଲା ପରେ ଡମ୍ବରୁ ନିଜେ ଆସିଲା ବଙ୍ଗୋମୁଣ୍ଡା ବ୍ଲକ ଅଫିସକୁ ରାତି ଆଠଟାରେ। ଯେଉଁଠାରେ ଉପଜିଲ୍ଲାପାଳ ସକାଳୁ ବସିଥିଲେ। ସେ କହିଲା ଯେ ଛୁଆଙ୍କୁ ବିକିନି।
କିଛିଦିନପରେ ରାଜ୍ୟ ସରକାର ତାଙ୍କ ତଦନ୍ତ ରିପୋର୍ଟରେ ପିଲାବିକ୍ରି ଅଭିଯୋଗକୁ ମିଥ୍ୟା ଓ ଭିତିହୀନ ବୋଲି ଦର୍ଶାଇଥିଲେ। ରାଜସ୍ୱମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କଲେ ଯେ ଏହା ସରକାରଙ୍କୁ ବଦ୍‌ନାମ କରିବା ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର। ବଲାଙ୍ଗିର ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଆଧାରରେ ଶ୍ରୀଯୁକ୍ତ ହରିଚନ୍ଦନ କହିଲେ ଯେ ସରକାରଙ୍କ ତରଫରୁ କାକା ଡମ୍ବରୁ ଏବଂ ତାଙ୍କ ବଡ଼ଭାଇ ହୃଦା ସହ ଆଲୋଚନା କରାଯାଇଛି। ତାଙ୍କ ମତରେ ଯଦି ପେଟବିକଳରେ ପିଲାମାନଙ୍କୁ ବିକ୍ରି କରିଛି ବୋଲି କୁହାଯାଏ, ତା’ ହେଲେ ଏଭଳି ପରିସି୍ଥତିରେ ସେ ଛେଳିମାନଙ୍କୁ ବିକ୍ରି କରିଥାନ୍ତା।
ଆଇନତଃ ଏଭଳି କ୍ଷେତ୍ରରେ ଶିଶୁମାନଙ୍କୁ ପଣ୍ୟ ଭାବରେ ବ୍ୟବହାର କରାଯାଇ ପାରିବନି। ଏମାନଙ୍କୁ ଗୋଟିଏ ଗାରିମାମୟ ପରିବେଶ ଦେବା ରାଜ୍ୟ ସରକାରଙ୍କର ଦାୟିତ୍ୱ। ଅକ୍ଟୋବର ୧୬ ତାରିଖ ଡମ୍ବରୁ ଗୋଟିଏ ଏତଲା ବଙ୍ଗୋମୁଣ୍ଡା ଥାନାରେ ଦେଲା ଯେ ଖବରକାଗଜରୁ ପିଲାବିକ୍ରି କରିଥିବା କଥା ଜାଣିଲା। ଯାହା ସମ୍ପୁର୍ଣ୍ଣ ମିଥ୍ୟା। ବରଂ ତାକୁ କୁହାଯାଇଥିଲା ଛୁଆଙ୍କୁ ଅନାଥାଶ୍ରମରେ ରଖାଯିବ।
ବଙ୍ଗୋମୁଣ୍ଡା ସର୍କଲ ଇନ୍ସପେକ୍ଟର ଛୁଆଙ୍କ ନିକଟକୁ ଫରିଦାବାଦ ଏସ୍‌ଓଏସ୍ ଭିଲେଜକୁ ଗଲେ। ସେଠାରେ ପରୀ ଓ ଜେମତୀ ଯେଉଁ ସ୍ତରରେ ରହୁଛନ୍ତି ଓଡ଼ିଶାରେ ବଡ଼ଲୋକ ଜଣେ ନିଜ ଛୁଆକୁ ସେ ପରିବେଶ ଦେଇପାରିବ ନାହିଁ। ସେ ଫେରି ଆସିଲେ।
ନିୟମଗିରି ଆନ୍ଦୋଳନ ହେଲା। କାରଖାନା ବସିଲା। ସମୟ ପୂର୍ବରୁ ଉତ୍ପାଦନ ଆରମ୍ଭ ହେଲା। ଚାରିହଜାର ପାଞ୍ଚଶହ କୋଟି ଟଙ୍କାର ପ୍ରକଳ୍ପ।
ଏବେ ପରୀ ଓ ଜେମତୀ; ଆହ୍ୱାନ ଓ ହାଏନା ନାମରେ ପରିଚିତ। ତାଙ୍କର ମାତୃଭାଷାରେ କଥା ହୋଇପାରନ୍ତିନି। ସେମାନେ ଜାଣନ୍ତିନି ଯେ ହୃଦା କିଏ? ବଡ଼ଗମଡ଼ା କେଉଁଠି? ତାଙ୍କର ମା’, ବାପା କିଏ? ସେମାନଙ୍କର ପରିଚୟ ବଦଳି ଯାଇଛି। ପରୀ ଓ ଜେମତୀକୁ ସରକାର ଉଦ୍ଧାର କରି ହେମା ପରି ଯଦି ଡମ୍ବରୁକୁ ଫେରେଇ ବି ଦେଇଥାନ୍ତେ, ତାହେଲେ ହୁଏତ ସେମାନଙ୍କ ପ୍ରତି ସରକାର ଅପରାଧ ହିଁ କରିଥାନ୍ତେ। ରାମପ୍ରସାଦ ମଙ୍ଗରାଜ ପ୍ରତି ଯେଉଁ ଅନ୍ୟାୟ କରାଗଲା ତାହା ଯଦି ଉଚିତ ଥିଲା, ସରକାର ହିନ୍ଦୁସ୍ଥାନ ଟାଇମ୍ସ ପ୍ରତି କ’ଣ ବ୍ୟବହାର କଲେ ତାହା କେହି ଜାଣିଲେ ନାହିଁ।
ହୃୃଦାନନ୍ଦକୁ ପରୀ ଓ ଜେମତୀ କଥା କହିଲି। ସେ ଖୁସି ହେଲା। କହିଲା, “ ଦିଲ୍ଲୀଗଲେ ମକେ ନେବ ଆଜ୍ଞା! ପରୀ ଆର୍ ଜେମତୀ କେ ଛନେ ଦେଖ୍‌ମି, ନୁରା ଲାଗୁଛେ!” ତା’ ଆଖିରେ ଥିଲା ଆଶା ଓ ମମତ୍ୱର ଏକ ଲହର।
ସେମାନେ ହୃଦାକୁ ଚିହ୍ନିବେ?
କଥାଟି ତିନି ଚାରିବର୍ଷର ପୁରୁଣା। ଏକଥା ଲେଖିଲା ବେଳେ ମୁଁ ହୃଦାକୁ ଭେଟିବା ପାଇଁ ତା’ର ଗାଁ ବଡ଼ଗମଡ଼ା ଗଲି। ଗାଁ ଲୋକେ କହିଲେ ସେ ତିନିବର୍ଷ ହେବ ମୁମ୍ବାଇ ଯାଉଛି ଦାଦନ ଖଟି। ତା’ କଥା ଲେଖିବାକୁ କେଉଁ ଦାଦନ କମିଶନରଙ୍କୁ ସରକାର ପଠେଇ ନାହାନ୍ତି ଦୂତ କରି।


ଫିଙ୍ଗା ହୋଇନଥିବା କଣ୍ଢେଇ

ଅମ୍‌ଲାପାଲି ନୂଆପଡ଼ା ଜିଲ୍ଲାର ଏକ ଉପାନ୍ତ ଗାଁ। ଏଠାରେ ରହନ୍ତି ଛବି ପୁଞ୍ଜିର ପରିବାର। ଛବିର ମା ଅନ୍ୟତ୍ର ବାହାହେବା ପରେ ଛବି ପାଖରେ ରହିଗଲା ବନୀତା। ନଣନ୍ଦ ବନୀତାକୁ ଫାନସ୍ ଝିଅର ସମ୍ମାନ ଦେଇପାରିଲାନି। ସ୍ୱାଭାବିକ କଥା ବନୀତାର ପଖାଳ ଖୁରୀରେ ପରିବାରର ଶ୍ରମଝାଳ ପୁରିଥାଏ। ଚାଷ ସରିଲେ ଛବି ରାଉରକେଲାରେ ମଜୁରୀ କରି ଘରକୁ ଟଙ୍କା ପଠାଏ। ଫାନସ୍ ମଜୁରୀ କରେ, ଘରମାଡ଼ି ରହେ। ଗାଁର ଅନେକ ଲୋକ ଆସାମ ଓ ରାୟପୁରକୁ ଯା’ନ୍ତି ମଜୁରୀ କରି। ଛୋଟ ଗାଁ ଅମ୍‌ଲାପାଲି। ସମସ୍ତେ ସମସ୍ତଙ୍କ କଥା ଜାଣନ୍ତି। ବନୀତା ଖାଇଲେ ବି ଅନେକ ଅଭାବ ପାଇଁ ଲୁହ ଗଡ଼ାଏ। ନିକଟ ସମ୍ପର୍କୀୟ କେତେଜଣ ତାକୁ ନେଇ ରାୟପୁର ଯା’ନ୍ତି।
ଦିନେ ଦିନେ ଫାନସ୍ କାନ୍ଥକୁ ବାଡ଼କୁ ଲକ୍ଷକରି ଗାଳିଦିଏ; ମୋ ନଣନ୍ଦର କମାନି ଖାଉଛୁ, ତତେ ଦଇବ ସହିବ ନାହିଁ। ଲୋକେ ବୁଝିଲେ କିଛି କହିଲେ ନାହିଁ।
ମକର୍ଦ୍ଦମ ବନୀତାର ମାମୁଁ। ଦିନେ ଭାବିଲେ ବଧର୍ବା ଛୁଆଟି। ବିଦେଶରେ କେମିତି ରହିବ। ଝିଅ ବଢ଼ିଲେ ନାନା ଅପବାଦ। ନାନା ବିପଦ। ଯାଇ ଧରି ଆଣିଲେ ମୁଠାଏ ଖାଇ ପଡ଼ିଥିବ। କେଉଁ ଭଲ ପିଲା ଦେଖି ହାତକୁ ଦି’ ହାତ କରିଦେବି।
ରାୟପୁରରେ ଥିବା ନିଜ ସମ୍ପର୍କୀୟଙ୍କ ନିକଟରୁ ଠିକଣା ନେଇ ଜଣେ ପଞ୍ଜାବୀ ଘରକୁ ଗଲେ। ସେଠାରେ ସେ ବନୀତାକୁ ନେବାପାଇଁ ଆସିଥିବା କଥା କହିଲେ। ଘରମାଲିକ କହିଲେ ଆମଘରେ ଏମିତି କଉ ଝିଅ ନାହିଁ। ମକର୍ଦ୍ଦମ ଫେରିଲା ବେଳେ ଘରମାଲିକ ବନୀତାକୁ ଉପରମହଲାର ଝରକାରୁ ଦେଖେଇଲେ ସେ ଯାଉଥିବା ଲୋକକୁ ଜାଣୁ କି? ବନୀତା ଚିହ୍ନିଲା ତାର ମାମୁଁକୁ। ଘରମାଲିକ ଡାକିଲେ ଫେରୁଥିବା ମକର୍ଦ୍ଦମଙ୍କୁ। ତାଙ୍କ ସହ ବନୀତା ଗାଁକୁ ଫେରିଲା। ଏତେବେଳେ ବନୀତାକୁ ତେର ବର୍ଷ।
ପଞ୍ଜାବୀ ଘରେ ବନୀତା ଭଲ ଖାଉଥିଲା, ଭଲ ପିନ୍ଧୁଥିଲା। ଫେରିଲାବେଳେ ଆଣିଥିଲା କିଛି ପୋଷାକ। ଏଇ ପୋଷାକ ଆଉ ବନୀତାର ବ୍ୟବହାର ଅନ୍ୟଙ୍କ ନିକଟରୁ ଭିନ୍ନ ଓ ଆକର୍ଷଣୀୟ କରି ରଖିଥିଲା ଗାଁରେ। ଫାନସ୍ ଭାବିଲା ବନୀତା ରାୟପୁରରୁ ଆଣିଥିବା ସମ୍ପତ୍ତି ଲୋଭରେ ତାକୁ ତା’ର ମାମୁଁ ମାନେ ରଖିଛନ୍ତି। ନିଜ ଘରକୁ ନେଇଆସିଲା ବନୀତାକୁ।
ବଲାଙ୍ଗିର ଜିଲ୍ଲାର ଖାତିମୁଣ୍ଡା ଗାଁ । ପତି ପୋଡ଼ ନିଜର ପାଂଚଜାତି ଭାଇଙ୍କୁ ନେଇ ‘ାନସ୍ ଘରକୁ ଗଲେ। ନିଜର ଅନ୍ଧପ୍ରାୟ ପୁଅ ବିଦ୍ୟା ପାଇଁ ବନୀତାକୁ ମାଗିଲେ। ଫାନସ୍ ହଁ କଲା। ଛବି ଏତେବେଳକୁ ରାଉରକେଲାରେ ଥିଲା। ବିବାହ ଦିନ ଧାର୍ଯ୍ୟହେଲା। ଖବର ଶୁଣି ଛବି ଗାଁକୁ ଫେରିଲା। ଘଟଣାଟି ଏତେଦୂର ଯାଇସାରିଥିଲା ଯେ ଛବିର ହଁ ନା ର ମହତ୍ୱ ନଥିଲା। ନା କହିବାର କାରଣ ବି ଛବି ପାଖରେ ନଥିଲା।
‘ହରଜା’ ଏକ ପାରମ୍ପାରିକ ପ୍ରଥା। ବିବାହ ବେଳେ ବରପକ୍ଷରୁ କନ୍ୟାପକ୍ଷକୁ ଟଙ୍କା ଦିଆଯାଏ। ଯାହାର ପରିମାଣ ଦୁଇଟଙ୍କାରୁ ସାତଟଙ୍କା ମଧ୍ୟରେ ସୀମିତ ରହେ ସମ୍ପ୍ରଦାୟ ହିସାବରେ। ସମୟାନୁକ୍ରମେ ଅଭାବ ଓ ଦାରିଦ୍ର‌୍ୟ ଅନେକ ପ୍ରଥାର ରୁପ ବଦଳେଇ ସାରିଛି। ଯେପରି ବନୀତାର ବାହାଘର। ପାଞ୍ଚଜାତିଭାଇ ସାମ୍ନାରେ ବନୀତା ଓ ବିଦ୍ୟାକୁ ପତିପତ୍ନୀ ଘୋଷଣା କରାଗଲା। ଏଥିରେ ଗନସନ, ମଡ଼ୋଗଡ଼ା, ଦେ’ଗନସା, ପାଏନ୍‌ପଲଟା, ଚୁଟକି, କଉଡ଼ିଖେଳ କିଛି ନଥିଲା। ନା ବାଜା ନା ବରନୀ। ପାଞ୍ଚ ଜାତିଭାଇ ଓ ଗାଁ ଲୋକଙ୍କ ଆର୍ଶିବାଦ ଯଥେଷ୍ଟ। କିନ୍ତୁ ହରଜା ସ୍ଥାନରେ ଫାନସ୍ ଦାବିକଲା ଶାଢ଼ୀ ଓ ଟଙ୍କା। ଝିଅକୁ ଲାଳନ ପାଳନ କଲି, ପେଟରୁ କାଟି ଖୁଏଇଲି, ମତେ କାଣା ମିଳିଲା। ଏହି ଦାବି ପାରମ୍ପାରିକ। ଫାନସ୍ ବଦଳରେ ବନୀତାର ମା’ ଏକଥା କହିଥାନ୍ତା। ବନୀତାର ମା ଥିଲେ ବି ଅନ୍ୟତ୍ର ବିବାହ ଯୋଗୁଁ ସେ ଏ ଅଧିକାର ହରେଇ ସାରିଥିଲା। କଥା କଟାକଟି ପରେ ଫାନସ୍ ମାନିଲା ଚାଳିଶ ଟଙ୍କା ଓ ଗୋଟିଏ ଶାଢ଼ୀ ବଦଳରେ।
ଏକଦା ଗାଁର ଅନନ୍ୟ ଆକର୍ଷଣ ବନୀତାର ବାହାଘରକୁ ନେଇ ଲୋକେ ଚର୍ଚ୍ଚା କଲେ। ଆହା କଲେ। ଗାଁ ପାଖଆଖ ଲୋକ ବି ଏ କଥା ଚର୍ଚ୍ଚା କଲେ।
ସମ୍ବଲପୁରରୁ ପ୍ରକାଶିତ ଗୋଟିଏ ଖବରକାଗଜ’ହୀରଖଣ୍ଡ’ରେ ଉକ୍ତ ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଇଲା। ଦାରିଦ୍ର‌୍ୟ ଯୋଗୁଁ ଫାନସ୍ ପୁଞ୍ଜି ନିଜର ନଣନ୍ଦକୁ ବିକ୍ରି କରିଦେଲା। ବଡ଼ ବଡ଼ ଲୋକଙ୍କ ସୁଅ ଛୁଟିଲା ଫାନସ୍ ପାଖକୁ। ଅନୁକମ୍ପା ଅଜାଡ଼ି ହୋଇପଡ଼ିଲା ତା’ଉପରେ। କେବେ ଶୁଣିନଥିବା କଥା ଶୁଣିଲେ ସମସ୍ତେ। ଲୋକେ ଏତିକି ମାତ୍ର ବୁଝିଲେ ନେତାମାନେ ଲାଗିଛନ୍ତି ତେଣୁ ଏକଥା ଏତେ ଦୂର ଗଲା। ଫାନସ୍ ସମସ୍ତଙ୍କୁ କହିଲା, ହଁ ମୁଁ ଅଭାବରେ ପଡ଼ି ମୋ ନଣନ୍ଦକୁ ବିକ୍ରି କରିଛି।
ଏ ସମୟରେ ଆଉ ଗୋଟିଏ ଘଟଣା ଘଟିଲା ତତ୍କାଳୀନ କଳାହାଣ୍ଡି ଓ ବର୍ତମାନର ନୂଆପଡ଼ା ଜିଲ୍ଲାର ଧୋବେଇ ଗାଁରେ। ଜଣେ ବିଧବା ରମା ଗହିର ନିଜର ନବଜାତ ଶିଶୁପୁତ୍ରକୁ ଖଡ଼ିଆଳ ମିଶନ୍ ହାସପାତାଳର ଅନାଥାଶ୍ରମକୁ ଛାଡ଼ି ଆସୁଥିଲା। ଏହି ଆଶ୍ରମରେ ଆଖପାଖର ଅନେକ ଅନାଥ ରହନ୍ତି। ଲୋକେ ବି ଏଠାରେ ଗାଁର କେଉଁ ଅନାଥକୁ ଛାଡ଼ି ଯା’ନ୍ତି। ଏଠାରେ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀ ଏବେ ବିଦେଶରେ ଚାକିରୀ କରନ୍ତି। ଧର୍ମାନ୍ତରଣ ଅଭିଯୋଗ ହେବା ଫଳରେ ଏବେ ଏହି ଆଶ୍ରମ ବହୁ ସାବଧାନତା ଅବଲମ୍ବନ କରୁଛି। ରମା ବି ଆସୁଥିଲା। ଜଣେ ନିଃସନ୍ତାନ ବିଦ୍ୟୁତ୍ କର୍ମଚାରୀ ରମାର ନବଜାତ ଶିଶୁକୁ ପୋଷ୍ୟ କଲେ।
ଏ ଦୁଇଟି ଘଟଣାକୁ ବିକ୍ରି କୁହଗଲା। ଏହା ସହିତ ଯୋଡ଼ି ହୋଇଗଲା କଳାହାଣ୍ଡିର ଅନେକ ଅସୁବିଧା।
ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ କଂଗ୍ରେସ ଦଳର ଶାସନ ଥାଏ। ମୁଖ୍ୟମନ୍ତ୍ରୀ ଥା’ନ୍ତି ଜାନକୀବଲ୍ଲଭ ପଟ୍ଟନାୟକ। ବହୁ ପ୍ରୟାସ କରାଗଲା ଯେ ଏ ଦୁଇଟି ଘଟଣାକୁ ଅନ୍ତତଃ ବିକ୍ରି ବୋଲି କୁହାନଯାଉ।
ଏହି ଦୁଇଟି ଘଟଣାକୁ ଉପସ୍ଥାପିତ କରୁଥାନ୍ତି କପିଲ ନାରାୟଣ ତିୱାରୀ। ଏକଦା ଖଡ଼ିଆଳ ବିଧାନ ସଭା ଆସନ ପାଇଁ ସେ ଅଣକଂଗ୍ରେସ ବିଧାୟକ ଥିଲେ। ଆଲୋଚନା ବେଳେ ଥରେ ସେ ମତେ କହିଲେ-‘ ମୁଁ ଏ ଦୁଇଟି ଘଟଣାକୁ କେବେ ବି ବିକ୍ରି ବୋଲି ଉପସ୍ଥାପିତ କରିବାର ସପକ୍ଷରେ ନଥିଲି । ମୋର ଉଦ୍ଦେଶ୍ୟ ଥିଲା ଅଲଗା। କଥାଟି ହୁଏତ ଆଇନର ଧାରାରେ ଭିନ୍ନ ହୋଇପାରେ, କିନ୍ତୁ ମାନବିକ ଦୃଷ୍ଟିକୋଣରୁ ବିଚାର କରାଯିବା କଥା।’ କଣ୍ଟାବାଞ୍ଜି- ରାୟପୁର ରାସ୍ତାରେ ପଡ଼େ ଅମଲାପାଲି ଗାଁ। ଗମନାଗମନରହିତ ଅଞ୍ଚଳରେ ଧୋବେଇ ଗାଁ। ଯେଉଁ ରାସ୍ତାଦେଇ ପ୍ରତିଦିନ ଶହ ଶହ ଟ୍ରକ୍ ବନଜାତ ଦ୍ରବ୍ୟ ଓ ବାସୁମତୀ ଚାଉଳ ରାୟପୁରକୁ ଯାଏ, ସେଠାରେ ବି ଦାରିଦ୍ର‌୍ୟ ଅଛି ଏବଂ ଧୋବେଇରେ ମ୍ମ। କଳାହାଣ୍ଡିର ଅସୁବିଧାକୁ ଉପସ୍ଥାପିତ କରିବା ପାଇଁ ଏ ଦୁଇଟି ଘଟଣାକୁ ଉଦାହରଣ ନିଆଯାଇଥିଲା ମାତ୍ର। କିନ୍ତୁ ପ୍ରଶାସାନ ଏହାକୁ ବିରୋଧ କଲା ଭିନ୍ନପ୍ରକାରେ।
ରଜୀବ ଗାନ୍ଧୀ ଜୁନ୍ ୧୯୮୫ କଳାହାଣ୍ଡି ଗସ୍ତ ବେଳେ ଅମଲାପାଲିରୁ ଦୁଇକିଲୋମିଟର ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡାରେ ଓହ୍ଲେଇଲେ। ଦୁଇଦିନ ପୂର୍ବରୁ ବର୍ଷା ହୋଇଥିଲା। ନୂଆପଡ଼ା ଜିଲ୍ଲାର ଜଡ଼ାମୁଡ଼ା ଜଳସେଚନ ପ୍ରକଳ୍ପର ସମସ୍ତ ଗେଟ୍ ଖୋଲାଯାଇଥିଲା। ଧୋବେଇ ଜୋରରେ ପାଣି ଯାଉଥିବା ହେତୁ ସେ ଯାଇ ପାରିଲେନି। ପ୍ରଧାନମନ୍ତ୍ରୀ ଜିଦ୍ କଲେ ଧୋବେଇ ଯିବାକୁ। କାହାର କାନ୍ଧରେ ବସି ବି ସେ ଯୋର ପାରି ହେବେ। ଜଣେ ଲୋକ ପ୍ରଧାନମନ୍ତ୍ରୀଙ୍କୁ କାନ୍ଧରେ ବସେଇବା ପାଇଁ ରାଜି ବି ହେଲା। ନଦୀ ଓ ଜୋରର ଜଳସ୍ରୋତରେ ଜୋରର ସ୍ରୋତ ତୀବ୍ର ଓ ବିପଦପୂର୍ଣ୍ଣ। ତେଣୁ ଏ କଥା ସୁରକ୍ଷା ଦୃଷ୍ଟିକୋଣରୁ ବାତିଲ ହେଲା।
କିଛିଦୂର ନିଜେ ସାଇକେଲ ଚଳେଇ ପ୍ରଧାନମନ୍ତ୍ରୀ ଫେରିଲେ ସୋନିଆ ଗାନ୍ଧୀଙ୍କ ସହ ଅମ୍‌ଲାପାଲିକୁ । ଫାନସ୍ ପୁଞ୍ଜିର ଘରକୁ ଗଲେ। ଫାନସ୍ ରାନ୍ଧିଥିବା ସାଗ ଖାଇଲେ ଗୋଟିଏ ପତ୍ରରେ।
କଳାହାଣ୍ଡିର ଦାରିଦ୍ର‌୍ୟ ଚିତ୍ରକଳ୍ପ ହୋଇଗଲା। ସ୍ୱୟଂ ପ୍ରଧାନମନ୍ତ୍ରୀ ଅନେକ ସଭାରେ କହିଲେ ଦାରିଦ୍ର‌୍ୟ ଦେଖିବାର ଅଛି ତ କଳାହାଣ୍ଡି ଯାଅ। କଳାହାଣ୍ଡି ଗସ୍ତରୁ ଫେରି ସେ କ୍ଷୋଭର ସହ କହିଲେ କେନ୍ଦ୍ରରୁ ଟଙ୍କାଟିଏ ପଠେଇଲେ ଲୋକଙ୍କୁ ମିଳୁଛି ଦଶପଇସା।
ପ୍ରଧାନମନ୍ତ୍ରୀ ଯିବା ପରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାର ଖଡ଼ିଆଳ ବିଡିଓ ଫାନସ୍‌କୁ ଏବଂ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବିଡିଓ ବନୀତାର ଶ୍ୱଶୁରଙ୍କୁ ବହୁତ ହଇରାଣ କଲେ। ଧୋବେଇର ରମା ଗହିର ଗାଁ ଛାଡ଼ି କୁଆଡ଼େ ପଳେଇଲା ଯେ ଲୋକେ ଜାଣିଲେ ନାହିଁ। ଫାନସ୍ ଓ ବନୀତାକୁ ଚାକିରୀ ଦିଆଗଲା ଅଙ୍ଗନୱାଡ଼ି ହେଲ୍‌ପର ଭାବରେ। ଫାନସ୍‌କୁ ନିଜ ଗାଁ ଅମ୍‌ଲାପାଲିରେ ଓ ବନୀତାକୁ ମୋହରାରେ। ଉଭୟେ ଗାଁ କଳାହାଣ୍ଡି ଜିଲ୍ଲାର। ଏବେ ନୂଆପଡ଼ା ଜିଲ୍ଲାର। ବନୀତା ରହେ ବଲାଙ୍ଗିର ଜିଲ୍ଲା ଖାତିମୁଡ଼ା ଗାଁରେ। ଅଙ୍ଗନୱାଡ଼ି କେନ୍ଦ୍ର ମୋହରା ଯିବାକୁ ସେ ପ୍ରତ୍ୟହ ଦୁଇକିଲୋମିଟର ଚାଲେ ଉନ୍ଦେର ନଦୀ ଡେଇଁ।
କଳାହାଣ୍ଡି ଜିଲ୍ଲାର ଦାରିଦ୍ର‌୍ୟର ଉଦାହରଣ ଖୋଜିବାକୁ କାଁ ଭାଁ କେତେଜଣ ସମାଜକର୍ମୀ କି ସାମ୍ବାଦିକ ଖୋଜନ୍ତି ବନୀତା ଓ ଫାନସ୍‌କୁ।
ତିନୋଟି ହେଲିକେପ୍ଟର ନେଇ ସ୍ୱୟଂ ରାଜୀବ ଗାନ୍ଧୀ ତା ପାଖକୁ ଆସିଲେ। ଏତେ ଲୋକ ଏତେ କଥା କହିଲେ। କିନ୍ତୁ ମିଳିଲା କଣ? ସେହି ଅଭାବ, ସେହି ଅନଟନ। ଜୀବନକୁ ଉପଭୋଗ କରିବାର ବାହାନରେ ବନୀତାକୁ ପାଞ୍ଚଟି ସନ୍ତାନର ଜନନୀ କରି ସାରିଲାଣି। ଏତେ ଖ୍ୟାତି ପଛରେ ରହିଥିଲେ ବି ସେହି ଦାରିଦ୍ର‌୍ୟ ତା’ର ସହଚର। ଫାନସ୍ ଓ ବିଦ୍ୟାର ପରିବାର ନିଜକୁ ଗାନ୍ଧୀ ପରିବାର ସହ ଯୋଡ଼ନ୍ତି। ଖ୍ୟାତିରେ ତାଙ୍କର ପ୍ରଶ୍ନ ନଥାଏ। କିନ୍ତୁ ସମ୍ପନ୍ନତାରେ ସେମାନଙ୍କୁ ଅନ୍ୟାୟ କରାଯାଇଛି। ଲୋକେ ଇନ୍ଦିରା ଗାନ୍ଧୀର ଝିଅ କହୁଥିଲେ ବି ସେମାନେ କିଛି ପାଇଲେ ନାହିଁ। ଏହା ହିଁ ତାଙ୍କର ଅଭିମାନ, ଏହା ହିଁ ତାଙ୍କର କ୍ରୋଧ। ଏଥିପାଇଁ ଯିଏ ତା’ପାଖକୁ ଗଲା ସେ ପ୍ରତିବଦଳରେ ଟଙ୍କା ଦାବୀକରେ। କିଛି କହିବାକୁ ମନା କରେ। ବିଦ୍ୟା କିଛି କାମ କରେନି। ସେ ଅନ୍ଧ, ଏକଥା ସମସ୍ତଙ୍କୁ କହେ। ତା’ପାଖକୁ ଯାଇଥିବା ଲୋକଙ୍କୁ ଚିହ୍ନେ, କଥାହୁଏ। ଟଙ୍କାଦେଲେ ଚିହ୍ନେ, ନଦେଲେ ରାଗେ। କିନ୍ତୁ କାମ କରେନି। କାମ କରିବାକୁ କହିଲେ ରାଗେ। ମୁଁ କାମ କରିବି କି? ଫାନସ୍ କିଛି କହେନି। ‘ମତେ ସରକାର କାଣା ଦେଲା’। ବାସ୍ ଏମାନେ ଯାହା ସ୍ୱପ୍ନ ଦେଖିଥିଲେ କି ତାଙ୍କୁ ଦେଖାଯାଇଥିଲା, ସେହି ହିସାବରେ ସେମାନେ କିଛି ପାଇଲେନି। ସେମାନଙ୍କୁ ସ୍ୱପ୍ନ ଦେଖେଇଥିବା ଲୋକ ବଡ଼ ଆଉ ବାକି ସମସ୍ତେ ତାର ଅପରାଧୀ। ତାର ଅଧୀକାରକୁ ସମସ୍ତେ ଲୁଚେଇ ଦେଇଛନ୍ତି। ସେଥିଲାଗି ସେମାନଙ୍କ ନିକଟକୁ ଯାଉଥିବା ଲୋକଙ୍କଠାରୁ ଟଙ୍କା ଦାବୀ କରନ୍ତି। ଫାନସ୍ ପରି କଅଁଳେଇ କଥା କହି କି ବଦ୍ୟାପରି ରାଗି କରି। ଯାହା ମିଳୁ ତାହା ତାଙ୍କର ଦାବୀ, ତାଙ୍କର ଅଧିକାର। କିନ୍ତୁ ଏ ମିଛ ଭିତରେ ତାଙ୍କୁ ରଖିଥିବା ଲୋକେ ତାଙ୍କ କଥା ଭାବନ୍ତି ନାହିଁ କି ତାଙ୍କୁ ସତ କହି ପାରନ୍ତି ନାହିଁ।
ଥରେ ଖବର ବାହାରିଲା ବନୀତା ପ୍ରଥା ଅନୁସାରେ ବାହା ହୋଇନଥିବାରୁ ତାକୁ ଗଉଡ଼ ସମାଜ ବାସନ୍ଦ କରିଛି।
ଏହି ବହୁଚଚର୍ଚ୍ଚିତ ମହିଳାର ଉପେକ୍ଷା କଥା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଗଣମାଧ୍ୟମ ସମ୍ମୁଖରେ ବନୀତାକୁ ଝିଅ ବୋଲି କହିଲେ। ତାର ବିବାହର ସମସ୍ତ ଦାୟିତ୍ୱ ନିଜେ ନେଲେ। ଅକ୍ଟୋବର ୨୧ ତାରଖ ଦିନ ତିରିଶ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଏହି ବିବାହରେ ଅତିଥି ଥିଲେ ଗଣମାଧ୍ୟମ ଓ ରାଜନୈତିକ କର୍ମୀ ସମେତ ଅନେକ ମାନ୍ୟଗଣ୍ୟ ଲୋକ। ବନୀତାର ବାହାଘର ୨୦୦୦ମସିହାର ବିଶ୍ୱର ଅନ୍ୟ ଚର୍ଚ୍ଚିତ ଘଟଣାମାନଙ୍କରୁ ଅନ୍ୟତମ ଥିଲା। ବି.ବି.ସି ଏହାକୁ ଗୁରୁତ୍ୱର ସହିତ ଉପସ୍ଥାପିତ କରିଥିଲା।
ବନୀତାର ବାହାଘର ଅଞ୍ଚଳପାଇଁ ଥିଲା ଅନନ୍ୟ ବଡ଼ ଘଟଣା ମଧ୍ୟରୁ ଅନ୍ୟତମ। ଲୋକେ କହିଲେ ଇନ୍ଦିରା ଗାନ୍ଧୀଙ୍କ ଝିଅ ବାହହେଉଛି। ଫାନସ୍‌ର ପରିବାର ସମେତ ବନୀତାର ମା ମଧ୍ୟ ବାହାଘରକୁ ଆସିଥିଲା। ଫାନସ୍ ଉପହାରରେ ଶାଢ଼ୀ ଖଣ୍ଡିଏ ପାଇ ମନଦୁଃଖରେ ବସିଥାଏ। ତାର ମନ୍ତବ୍ୟ ଥିଲା ଘିନ୍‌ବାର ଲୋକ ଯେ ଗରିବ ହେଲା, ଆର୍ ବିକ୍‌ବାର୍ ଲୋକ ଧନୀ।
୨୦୦୪ ମସିହା। ଗଣମାଧ୍ୟମରେ ପ୍ରଚାର ହେଲା କୋଡ଼ିଏବର୍ଷ ତଳେ ବିକ୍ରି ହୋଇଥିବା ମା ପେଟ ବିକଳରେ ନିଜର ଝିଅକୁ ପୁଣି ବିକ୍ରି କଲା।
ଏ ସମୟରେ ବନୀତା ନିଜର ଅନ୍ଧପ୍ରାୟ ସ୍ୱାମୀ ବଦ୍ୟା ଓ ପାଞ୍ଚଟି ସନ୍ତାନ ସହ ଗାଁର ତୀର୍ଥ ଗଣ୍ଡର ଜାଗାରେ ଘର କରି ରହୁଛି। ତୀର୍ଥର ବାରମ୍ବାର ତାଗିଦ- ଟଙ୍କା ଦିଅ, ନ ହେଲେ ଘର ଭାଙ୍ଗି ଚାଲିଯାଅ। ତୁକ୍‌ଲାର ଜନୈକ ଭୁଲିଆ ମହାଜନଠାରୁ ତିନିହଜାର ଟଙ୍କାର ଋଣ କରିଛି। ତୀର୍ଥ ଓ ମହାଜନର ବାରମ୍ବାର ତାଗିଦ। ବଳିଷ୍ଠ ବିଦ୍ୟା ସହ ପାଂଚଟି ସନ୍ତାନକୁ ପ୍ରତିପାଳିତ କରିବା ତା’ ପାଇଁ ଦଣ୍ଡପ୍ରାୟ ଦାୟିତ୍ୱ, ଯାହାକୁ ଭାଗ୍ୟ ବୋଲି ସ୍ୱିକାର କରିନେବା ପାଇଁ ବନୀତାକୁ ବା୍ମ କରାଯାଇଛି। ଏତେ ବଡ଼ ବଡ଼ ଲୋକ ଆସିଲେ, ଏତେ ଗାଡ଼ିମଟର ଆସିଲା ତା’ ଘରକୁ। କିନ୍ତୁ ନିଜପାଇଁ ଗୋଟିଏ ସମ୍ପନ୍ନତାର ସମୟକୁ ଅପେକ୍ଷା ସରିଲାନି। ବେଳେ ବେଳେ ବିଦ୍ୟା ଏଇ କ୍ରୋଧକୁ ବନୀତା ଉପରେ ଅଜାଡ଼ି ଦିଏ। ବନୀତା ସହିବା ଛଡ଼ା ଅନ୍ୟ ପ୍ରତିକ୍ରିୟା ସବୁବେଳେ ନିଷ୍ଫଳ ଜାଣି ସାରିଥାଏ।
ଫାନସ୍‌ର ପୁଅ ଜଗବନ୍ଧୁ। ବାହା ହେଲା, କାମ କରି ପାରିଲାନ। ଯିଏ ତା’ର ଦ୍ୱାରକୁ ଆସିଲେ ଜଗବନ୍ଧୁ ପାଇଁ ଚାକିରୀ ଦିଅ ବୋଲି କହିଲା। ଜଗବନ୍ଧୁ ଚାକିରୀକୁ ଅପେକ୍ଷା କଲା। ଆଉ ପାରିଲାନି, ପରିବାର ସହ ପଳେଇଲା ରାୟପୁରକୁ ବାପା ଛବି ପୁଞ୍ଜିର ମୃତ୍ୟୁ ପରେ। ଫାନସ୍ ଏକଲା ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଯେଉଁ ଘରେ ସାଗଭଜା ଖାଇଥିଲେ, ସେ ଘର ଭାଙ୍ଗି ଗଲାଣି। ଗୋଟିଏ କୁଡ଼ିଆରେ ରହେ। କାଠ ସଂଗ୍ରହ କରେ, ସାମାନ୍ୟ ଚାଷ କରେ, ମଜୁରୀ କରେ, ଅଙ୍ଗନ୍‌ୱାଡ଼ିର କାମ କରେ, ଚଳିଯାଏ।
ବହୁବର୍ଷ ପରେ ବଙ୍ଗୋମୁଣ୍ଡା ବି.ଡି.ଓ ସଦୟ ହେଲେ ବନୀତାକୁ ଯେତେବେଳେ ସେ ଝିଅ ବିକିବା କଥା ପ୍ରଚାର ହେଲା। ଇନ୍ଦିରା ଆବାସ ଖଣ୍ଡିଏ ଦେଲେ। ଜନୈକ ଲୋକ ଜଣେ ଘର ବନେଇବାର ଦାୟିତ୍ୱ ନେଲେ। ଚାରିବର୍ଷ ହେଲା ଘର ହୋଇପାରିନି। ଏହି ଖବର ଣୁଣି ବିଦ୍ୟା ଘରର ଆକାର କଥା ପଚାରେ। ଇନ୍ଦିରା ଆବାସ ଆକାର ଶୁଣି କହେ ମୁଁ ଏପରି ଘରେ ରହିବି?
ନୂଆପଡ଼ା ଜିଲ୍ଲାପାଳ ଏବଂ ସମସ୍ତ ମୁର୍ଦ୍ଧଣ୍ୟ କର୍ମଚାରୀ ଖାତିମୁଣ୍ଡା ଆସିଲେ। ବନୀତା ନିଜର ଝିଅ ବିକିଛି ଅଭିଯୋଗର ତଦନ୍ତ ପାଇଁ। ପୋଲିସ୍‌, ତହସିଲଦାର ଓ ବଡ଼ ଗାଡ଼ି ବାରଟି। ଛୋଟ ଗାଡ଼ି ଅନେକ। ଦେଖଣାହାରୀଙ୍କ ସଂଖ୍ୟା ଏହାଠୁ ବଳି। ସମସ୍ତଙ୍କ ସମ୍ମୁଖରେ ବନୀତା କହିଲା ଯେ ଝିଅ ତାର ବଡ଼ବାପାର ପୁଅ ଭାଇ ଭାଉଜ ସହ ଯାଇଛି ରାୟପୁର। ସେଠାରେ ସେ ବଗିଚାରେ କାମ କରେ। ଦଶହରାରେ ଫେରିବ। ତାକୁ ପଚରାଗଲା-କେଉଁ ମାଲିକ ପାଖରେ କାମ କରେ। ମାଲିକର ନାମ ଜାଣିବା ବନୀତା ପାଖେ ସମ୍ଭବ ନୁହେଁ। କାରଣ ରାୟପୁର କିମ୍ବା ଛତିଶଗଡ଼ର ବିଭିନ୍ନ ପରିବା ବଗିଚାରେ ଅନେକ ଲୋକ କାମ କରନ୍ତି ଅଂଚଳର। କିଏ କେଉଁଠାରେ କାମ କରେ, ତାର ଠିକଣା କେହି ଜାଣନ୍ତି ନାହିଁ। ଏହା ଜାଣିବା ବନୀତା ପାଇଁ ଅସମ୍ଭବ ପ୍ରାୟ। ଆବଶ୍ୟକ ବି ନୁହେଁ।
ଜିଲ୍ଲାପାଳ ଫେରିଲେ ସମସ୍ତଙ୍କ ସହ। ଖଡ଼ିଆଳର ଗୋଟିଏ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଲେ ଯେ ଖାତିମୁଣ୍ଡା ଗାଁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ହୋଇଥିବାରୁ ବନୀତାର ସମସ୍ୟା ସେହି ଜିଲ୍ଲା ପ୍ରଶାସନର। ଜିଲ୍ଲାପାଳ ଗାଁଟିଏ ଆବିଷ୍କାର କରି ଫେରିଗଲେ ନିଜ ଅନୁଚର ମାନଙ୍କ ସହ।
ଦିନେ ବସିଥିଲି କପିଲ ନାରାୟଣ ତିୱାରୀଙ୍କ ପାଖେ। ସେ ସୂଚନା ଦେଳେ ରମା ଗହିରର ପୁଅ ଏବେ ସେହି ବିଦ୍ୟୁତ କର୍ମଚାରୀଙ୍କ ଘରେ ହିଁ ଅଛି। ସେ ଏବେ ଜଣେ ସଫ୍ଟୱେୟାର ଇଞ୍ଜିନିୟର।


ସୁଖବାସୀରୁ ପ୍ରଜା : ଏକ ଅପହଞ୍ଚ ଯାତ୍ରା

ଡମ୍ବରୁ କୋଡ଼ିଏ ବର୍ଷ ଖଟିଥିଲା ମହାଜନ ଘରେ। ଗାଁ ମାନଙ୍କରେ ଜମିଥିଲାଲୋକ କି ସାମନ୍ତ ମାନେ ବିଭିନ୍ନ ନାମରେ ହଳିଆ ରଖିଥାନ୍ତି। ବାହାମନ୍ଧା, କୁତିଆ, ହଳିଆ, ଭୁତି ଇତ୍ୟାଦି ନାମରେ। ‘ବାହାବନ୍ଧା’ରେ ମାଲିକ ପାଇଁ ସମସ୍ତ ଶ୍ରମ ସମର୍ପିତ ହେବ। ‘କୁତିଆ’ରେ ବିଭିନ୍ନ ସାମନ୍ତୀୟ ଆଇନରେ ନେଇଥିବା ଋଣ ପରିଶୋଧ କରିବ। ‘ହଳିଆ’ ପ୍ରଥାରେ ବାର୍ଷିକ ଶସ୍ୟ ବଦଳରେ ଖଟିବ। ‘ଭୁତି’ ରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଖଟି ମାଲିକର କାମ କରିବ ସାମାନ୍ୟ ଶସ୍ୟ ବଦଳରେ।
ଡମ୍ବରୁର ପରିବାର ହୋଇସାରିଥିଲା। ଡମ୍ବରୁ କ୍ଷେତ୍ରରେ ପ୍ରାୟ ତାର ସ୍ୱାଧୀନତା ସରିଯାଇଥାଏ। ମାଲିକର ବାପାକୁ ବାପା ଡାକିବ, ମା’କୁ ମା। ମାଲିକର ସମ୍ବୋଧନ ହିଁ ତାର ସମ୍ବୋଧନ। ତାର ଛୁଆ ବଡ଼ ହୋଇସାରିଥାଏ। ରଥଯାତ୍ରା ଲାଗି ଇଛାକଲା ନୂଆ ଜାମା। ଡମ୍ବରୁ ମାଲିକକୁ କହିଲା ଛୁଆର ଇଛା କଥା। ନିରାଶ ହେଲା। ଛୁଆ କାନ୍ଦିଲା। ଡମ୍ବରୁ ତାକୁ ବୁଝେଇ ପାରିଲାନି। ସେଦିନ ରାତିରେ ଡମ୍ବରୁ ଚିନ୍ତା କଲା। କୋଡ଼ିଏ ବର୍ଷର ଖଟଣି। ତଥାପି ଛୁଆକୁ ନୂଆ ଜାମା ଖଣ୍ଡେ ଦେବାକୁ ଅସମର୍ଥ। ଛୁଆକୁ ପିଟିଲା। ଚୁପ୍ ବସିଲା। ନିଷ୍ପତି ନେଲା କାମକୁ ଯିବନି।
ଦୁଇଦିନ ପରେ ମାଲିକ ଘରୁ ଡାକରା ଆସିଲା। ଡମ୍ବରୁ ମନା କରିଦେଲା କାମ କରିବନି। ଅଶ୍ଚର୍ଯ୍ୟର କଥା ଏହି ‘ନା’ରେ ଏତେ ଶକ୍ତି, ଏତେ ଆନନ୍ଦ ଲୁଚିଛି। ଡମ୍ବରୁର ସାହସ ବଢ଼ିଗଲା। କିନ୍ତୁ କରିବ କଣ? ପାଖ ଗାଁରେ ମୃତିକା ସଂରକ୍ଷଣ ବିଭାଗର କାମ ଚାଲୁଥାଏ। ସେଠାରେ କାମ କଲା। ସପ୍ତାହେ ପରେ ପାଇଲା ଦେଢ଼ଶହ ଟଙ୍କା। ସେହି ଟଙ୍କାକୁ ହାତରେ ଧରିଲା ପରେ ପୁଲକ ଖେଳିଗଲା ଦେହରେ। ରାତିରେ ଶୋଇଲା। ଅନୁଭବ କଲା। ଏ ନିଦ ତା’ର ନିଜର ଅତି ଆପଣାର ଯାହା ପ୍ରଥମ ଥର ଆସିଛି ତା’ ନିକଟକୁ।
ତା’ପରଦିନ ପୁଣି ଗଲା କାମକୁ। ଅଫିସର ମନାକଲେ। ଜାଣିଲା ମାଲିକର ଚାପ ଫଳରେ ଏହା ହୋଇଛି। ବିନା ପ୍ରତିବାଦରେ ଘରକୁ ଫେରିଲା। ଚୁପ୍‌ଚାପ୍ ବସିଲା। କାହାକୁ କିଛି କହିଲାନି। ସନ୍ଧ୍ୟାରେ ଉଠି ଚାଲି ଚାଲି ଗଲା ଦଶ କିଲୋମିଟର ମୁରିବାହାଲ ମୃତିକା ସଂରକ୍ଷଣ ଅ‘ିସକୁ । ବିଭାଗୀୟ ଯନ୍ତ୍ରୀଙ୍କୁ ହାତଯୋଡ଼ି ସମସ୍ତ ଘଟଣା କହିଲା। ଆଉ ପ୍ରସ୍ତାବ ଦେଲା ତୁମକୁ କାମ ଦରକାର, ଆଉ ମତେ କାମ କରିବା ଦରକାର। ଦିନ ହେଉ କି ରାତି, ଏଥିରେ କଣ ଅଛି? ମୁଁ ରାତିରେ କାମ କରିବି।
ଏହି ସାହସ ପରକୁ ଆଉ କିଛି ନାହିଁ ଯେମିତି। ଯନ୍ତ୍ରୀ ହଁ କଲେ। ରାତିରେ କାମକରି ଡମ୍ବରୁ ରୋଜଗାର କଲା। ଖାଇ ପିଇ ବାରଶହ ଟଙ୍କା ବଳିଲା। ଏହି ଟଙ୍କାରେ ଗୋଟିଏ ପୁରୁଣା ସାଇକେଲ ଓ ଗୋଟିଏ ମଈଁଷି କିଣିଲା। ଦୁଧ ବିକିଲା କଂଟାବାଞ୍ଜିକୁ ଯାଇ। ସ୍ୱତନ୍ତ୍ର ହୋଇଗଲା ସେ। ସବୁଥିରୁ…
ଗୋଟିଏ ସୁଖବାସୀ ସଭାରେ ମୁଁ ପଚାରିଲି ଆଛା ଡମ୍ବରୁ! ତୁମେ ସେ କଷ୍ଟ ଦିନମାନଙ୍କରେ ରାୟପୁର କି ହାଇଦ୍ରାବାଦ କାହିଁ ଗଲନି? ‘ଜମିଖଣ୍ଡେ ପାଇଛେ, ଇତାକେ ଛାଡ଼ିକରି ଯାଇ ନେଇ ହେଲା’।
ଡମ୍ବରୁ ସୁଖବାସୀ। ସେ ଇ.ଆର.ଆର.ପି ଯୋଜନାରେ ଜମି ପାଇଛି। ଏହି ଜମି ସୃଷ୍ଟିରୁ ଆଜିଯାକେ ତା’ ବଂଶଧାରାରେ ପ୍ରଥମ ଅଧିକାର। ମୋର ବୋଲି କହିବାକୁ ଛୋଟ ପୃଥିବୀ ଖଣ୍ଡେ। ତା’ ପାଇଁ ତା’ ପରି ହଜାର ହଜାର ସୁଖବାସୀ ପାଇଁ। ଶୁଣିଲା ଗଉନ୍ତିଆ କୋର୍ଟରୁ ଆଦେଶ ଆଣିଛି ତା’ର ଜମି ନେଇଯିବ। ସେ ଏକଲା ନୁହେଁ। ତା’ପରି ଶହ ଶହ ସୁଖବାସୀ ଭୟ ପାଇଗଲେ। ୦୫.୧୨.୨୦୦୪ ତାରିଖ ଦିନ ଏକ ସଭାରେ ମୁରିବାହାଲ ବ୍ଲକ୍‌ର ଦନ୍ଦରା ଗାଁରେ ଏ ସଭାକୁ ସାତଶହ ସୁଖବାସୀ ଆସିଥିଲେ।
ଡଙ୍ଗରପଡ଼ା ଗାଁର ଜ୍ୟେଷ୍ଟୁ ଭୋଇ କହିଲା, “ସେ ପାଇଥିବା ଜମି ଉପରେ ଘର କରିଛି, ଚାଷ ବି କରେ। ଗଉନ୍ତିଆର ଲୋକ ଆସି ତାର ଘର ଜଳେଇ ଦେଲେ, ଫସଲ କାଟି ନେଇଗଲେ ଓ ତାକୁ ମାଡ଼ ମାରି ହାତ ଭାଙ୍ଗିଦେଲେ।”
ବାନ୍ଧନପାଲିର ମାଲାରାମ ତାଣ୍ଡି ସୁଖବାସୀ ସମସ୍ୟା ଉପରେ ବାହାରିଥିବା ଖବର ମାନ ଶୁଣେଇଥିଲେ।
ସର୍ଗୁଲ ଗାଁର ସୂର୍ଯ୍ୟ ଭୋଇ ସ୍ୱାମୀ ମରିଯିବା ପରେ ଅଧଏକର ଜମି ପାଇଥିବା କଥା କହିଲା। ଗଉନ୍ତିଆମାନଙ୍କ ଧମକ ଆଉ ବିଭିନ୍ନ ସମୟରେ କୋର୍ଟର ଆଦେଶ ଫଳରେ ସେମାନେ ସନ୍ଦିହାନ ଅଛନ୍ତି। ଗୋଟିଏ ସରକାର ଜମି ଦେଇଛି, ଆଉ ତାର କୋର୍ଟ ସେ ଜମିରେ ଆମର ଅଧିକାର ନାହିଁ ବୋଲି କହୁଛି। ତେଣୁ କାହାରି ଉପରେ ଭରସା ନକରି ନିଜର ଲଢ଼େଇ ନିଜେ ଲଢ଼ିବା କଥା।
ଡମ୍ବରୁ ସମସ୍ତଙ୍କ କଥା ଶୁଣିଲା ଏହି ଲଢ଼େଇରେ ସେ ଏକଲା ନୁହେଁ। ତା’ପରି ଅନେକ ସୁଖବାସୀ ପୀଡ଼ିତ। ତା’ ପରି ଶହ ଶହ ସୁଖବାସୀ ଗଉନ୍ତିଆମାନଙ୍କ ଧମକ ଆଉ କୋର୍ଟର ବିଭିନ୍ନ ସମୟରେ ଆଦେଶ ଫଳରେ ସନ୍ଦିହାନ ଅଛନ୍ତି। ସରକାର କିମ୍ବା ଅଦାଲତ ତାଙ୍କୁ ନ୍ୟାୟ ଦେଇ ପାରୁନାହାନ୍ତି। ଯା ହେଉ ସେ ଏକଲା ନୁହେଁ ଏହି ଲଢ଼େଇରେ। ଏହା ହିଁ ଆଶ୍ୱାସନା ତା’ପାଇଁ।
ଏହାର ଅନ୍ୟଚିତ୍ର ଏହିପରି….
ତହସିଲଦାର କହନ୍ତି, ସରକାରୀ ଅନୁକମ୍ପା ତାଙ୍କପ୍ରତି ଅଛି ସେଥିଲାଗି ସେମାନେ ଚାଷ କରିପାରୁଛନ୍ତି। ନଚେତ୍ ଜମି ଉପରେ ସୁଖବାସୀଙ୍କ ଅଧିକାର ନହେବା କଥା।
ପୋଲିସ୍ କହେ, ଆମର ସହଯୋଗ ତାଙ୍କ ଉପରେ ଅଛି ବୋଲି; ନଚେତ୍ ଗଉନ୍ତିଆମାନେ ତାଙ୍କୁ ଗାଁରୁ ତଡ଼ି ସାରନ୍ତେଣି।
ଅଦାଲତ କହେ, ଭୂବରା ଜମି ଉପରେ ସୁଖବାସୀଙ୍କ ଅଧିକାରକୁ କେହି ପ୍ରତିହତ କରିପାରିବେ ନାହିଁ।
ଏହି ପରସ୍ପର ଅସମଞ୍ଜସ ମନ୍ତବ୍ୟର କାରଣ କଣ ହୋଇପାରେ?
ଇତିହାସକୁ ଦେଖିଲେ।
ପୂର୍ବର ପାଟଣାଷ୍ଟେଟ୍ ୦୧.୦୧.୧୯୪୮ଦିନ ଗଡ଼ଜାତ ମିଶ୍ରଣପରେ ବଲାଙ୍ଗିର ଜିଲ୍ଲା ହେଲା। ପାଟଣାଷ୍ଟେଟରେ ଜମି ସଂକ୍ରାନ୍ତୀୟ ଶାସନପାଇଁ ମୁଖ୍ୟତଃ ଦୁଇଟି ଆଇନ ଥିଲା।
୧. ପାଟଣା ଷ୍ଟେଟ ପ୍ରଜାସୂତ ଆଇନ (ଚବଗ୍ଧଦ୍ଭବ ଗ୍ଦଗ୍ଧବଗ୍ଧର ଗ୍ଧରଦ୍ଭବଦ୍ଭମଚ୍ଚ ଇମଗ୍ଧ-୧୯୪୪)
୨. ପାଟଣା ଭୂ-ରାଜସ୍ୱ ଆଇନ(ଚବଗ୍ଧଦ୍ଭବ ଖବଦ୍ଭୟ ଜରଙ୍ଖରଦ୍ଭଙ୍କର ଇମଗ୍ଧ-୧୯୪୦)
ୱାଜିବ-ଉଲ-ଅର୍ଜ ନାମକ ଏକ ଦସ୍ତାବେଜ ଦ୍ୱାରା ଠିକାଦାର, ଗୌନ୍ତିଅ ତଥା ପ୍ରଜାମାନଙ୍କର ଜମି ସମ୍ବନ୍ଧୀୟ ଅଧିକାର ଦର୍ଶାଯାଇଥିଲା। ପାଟଣା ପ୍ରଜାସ୍ୱତ୍ୱ ଆଇନ ଅନୁଯାୟୀ ୬ ପ୍ରକାର ରୟତର ଉଲ୍ଲେଖ କରାଯାଇଛି।
୧. ଦଖଲକାରୀ ପ୍ରଜା,
୨. ଅଧିନସ୍ଥ ପ୍ରଜା
୩. ଗାଁ ଚାକର ପ୍ରଜା
୪. ଅନ୍ୟାନ୍ୟ ଚାକର ପ୍ରଜା
୫. ମାଫି ପ୍ରଜା
୬. ସାଧାରଣ ପ୍ରଜା
ଏହି ଆଇନ କ୍ରମ ୭୭ ଅନୁଯାୟୀ ସୁଖବାସୀ ସେହିମାନଙ୍କୁ କୁହାଯାଉଥିଲା ଯାହାର କି ଘର, ବାରି ବା ଘରବାରି ଜମି ଥିବ, ଅଥବା ତତ୍କାଳୀନ ଠିକାଦାର ବା ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ପଟ୍ଟା ପାଇଥିବ। ପାଟଣାଷ୍ଟେଟରେ କୌଣସି ସୁଖବାସୀକୁ ତା’ ଘରବାରିରୁ ଉଛେଦ କରାଯାଇ ପାରୁନଥିଲା। ସରକାରଙ୍କ ନିର୍ଦ୍ଦେଶ ନେଇ ଜଣେ ସୁଖବାସୀ ତା’ଘରବାରିକୁ ହସ୍ତାନ୍ତର କରିପାରୁ ଥିଲା। ସୁଖବାସୀମାନେ କୌଣସି କର ବା ଖଜଣା ଦେଉନଥିଲେ। ଏମାନଙ୍କୁ ପ୍ରଜାମାନଙ୍କ ପରି ଜଙ୍ଗଲଜାତ ଦ୍ରବ୍ୟ ଉପଭୋଗ କରିବାର ଅଧିକାର ନଥିଲା। ଯେଉଁମାନେ ଭୋଗରା ଜମି ବା ଖମାର ଜମିକୁ କର ନେଇ ଜମି ଚାଷ କରୁଥିଲେ, ସେମାନଙ୍କଦ୍ୱାରା ସୁଖବାସୀମାନେ ରାସ୍ତା ନିର୍ମାଣ କାମରେ ବେଠି ଖଟୁଥିଲେ। ଯେଉଁମାନେ ରାଜକର୍ମଚାରୀ ସେବା ପାଇଁ ବା ଦେବସେବା ପାଇଁ ଭୋଗରା ଜମି ବା ଦେବତୋର ଜମି ଚାଷ କରୁଥିଲେ, ସେମାନଙ୍କୁ ଚାକରଣ ପ୍ରଜା କୁହାଯାଉଥିଲା। ଏହି ପ୍ରଜାମାନେ ତାଙ୍କ ଚାକରଣ ପ୍ରଜାକାମ କରୁଥିବା ପର୍ଯ୍ୟନ୍ତ ସେହି ଜମିର ହକ୍‌ଦାର ଥିଲେ।
୧ ଅପ୍ରେଲ ୧୯୩୬ ମସିହା ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା। ୧୫ ଅଗଷ୍ଟ ୧୯୪୭ଦିନ ଭାରତ ସ୍ୱାଧୀନ ହେଲା। ପାଟଣା ରାଜ୍ୟ ମ୍ମ ଏକ ସ୍ୱତନ୍ତ୍ର ଦେଶରାଜ୍ୟ ରୁପେ ମାନ୍ୟତା ପାଇଲା। ତା ୦୧.୦୧.୧୯୪୮ଦିନ ଏହା ଓଡ଼ିଶା ରାଜ୍ୟ ସଙ୍ଗେ ମିଶିଲା। ୦୩.୦୩.୧୯୫୦ମସିହା ଦିନୁ ଓଡ଼ିଶା ଦେଶଜ ମିଶ୍ରଣ ଆଇନ ଗୃହୀତ ହେଲା। ଅପ୍ରେଲ ୧୯୫୦ରୁ ୧୦.୦୩ ୧୯୫୩ ପର୍ଯ୍ୟଁନ୍ତ ଭୋଗରା ଜମି ବନ୍ଦୋବସ୍ତ ଜାରି ରହିଲା।
ବଙ୍ଗୋମୁଣ୍ଡା ଜମିଦାରୀ ପାଟଣା ଷ୍ଟେଟ୍‌ର ଏକ ପ୍ରମୁଖ ଜମିଦାରୀ। ଏହାର ଅଧିନରେ ୧୫୧ ଖଣ୍ଡ ଗ୍ରାମ ଓ ୯୫,୦୭,୯୦୦ଏକର ବା ୧୪୯ ଘନମାଇଲ୍ ଜମି ଥିଲା। ତା ୦୩.୦୯.୧୯୦୩ ମସିହାରେ ପାଟଣା ମହାରାଜ ସଦାନନ୍ଦ ସିଂ ଭୋଇଙ୍କୁ ବଙ୍ଗୋମୁଣ୍ଡା ଜମିଦାର ଭାବେ ନିଯୁକ୍ତି ଦେଇଥିଲେ। ବଙ୍ଗୋମୁଣ୍ଡା ଜମିଦାରୀର ସମ୍ପୂର୍ଣ୍ଣ ଆୟର ୪୦ ପ୍ରତିଶତ ଅର୍ଥାତ୍ ୧୭,୮୭୫ ଟଙ୍କା ପ୍ରତିବର୍ଷ ବଙ୍ଗୋମୁଣ୍ଡା ଜମିଦାରଙ୍କ ଦ୍ୱାରା ପାଟଣା ମହାରାଜାଙ୍କୁ ଦିଆଯାଉଥିଲା।
୧୨.୦୨.୧୯୪୪ ଦିନ ବଙ୍ଗୋମୁଣ୍ଡାର ଶେଷ ଜମିଦାର ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ମୃତ୍ୟୁ ହୋଇଥିଲା। ୧୯୪୫ ମସିହାରୁ ୦୧.୦୧.୧୯୪୮ ମସିହା ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଜମିଦାର ସଭ୍ୟମାନଙ୍କୁ ଭରଣପୋଷଣର ବ୍ୟବସ୍ଥା କରାଯାଇଥିଲା।
୦୧.୧୨.୧୯୪୮ ମସିହାରୁ ଜମିଦାରଙ୍କ ବିଧବା ମାତା ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କୁ ଭରଣପୋଷଣ ପାଇଁ ଡଙ୍ଗରପଡ଼ାର ୧୩୩ ଏକର ୯୭ ଡିସିମିଲ ଭୋଗରା ଜମି ଓ ୩୦ ଏକର ଗୌନ୍ତି ଜମି ଦେବାକୁ ଜିଲ୍ଲା ମାଜିଷ୍ଟେଟଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା। ତା ୨୧.୦୭.୧୯୪୯ ଦିନ ବଙ୍ଗୋମୁଣ୍ଡା , ଗନ୍ଧରାବନ୍ଧ, ସାନଗମଡ଼ା, ଗୁହୁରିଆପଦର,ବରୋମୁଣ୍ଡା, ନୂଆପଡ଼ା ଓ ଗୁରୁଣ୍ଡାର କିଛି ଜମି ଜମିଦାରଙ୍କ ବିଧବା ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ଦେବାପାଇଁ ଓଡ଼ିଶା ସରକାର ସୁପାରିଶ କରିଥିଲେ।
୧୯୬୧ ମସିହାରେ ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କର ମୃତ୍ୟୁପରେ ୦୭.୦୩.୧୯୫୨ ଭୁବରା ଜମି ସୁରକ୍ଷା ଆଇନ ଅନୁସାରେ ଶ୍ରୀମତୀ କୃଷ୍ଣକୁମାରୀ ଦେବୀଙ୍କ ସମସ୍ତ ଜମି ସରକାରଙ୍କ ହାତକୁ ଚାଲିଯିବା କଥା। କିନ୍ତୁ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀ ଜମି ଉପରେ ନିଜର ଅଧିକାର ଦାବୀ କରି ବସିଲେ।
୧୬.୧୦.୧୯୫୪ ଦିନ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ଆଦେଶ ସଂଖ୍ୟା ୬୦୦୭ ଅନୁଯାୟୀ ସମସ୍ତ ଭୋଗରା ଜମି, ଗୌନ୍ତି ଜମିର ଦଖଲ ସରକାର ନିଜ ହାତକୁ ନେଲେ। ଏହି ତାଲିକାରେ ବଙ୍ଗୋମୁଣ୍ଡାର ନାମ ନଥିଲା। ୦୭.୦୫.୧୯୬୨ ଦିନ ବଙ୍ଗୋମୁଣ୍ଡା, ଗନ୍ଧରାବନ୍ଧ, ସାନଗମଡ଼ାର ୬୦.୨୬ ଏକର ଜମି ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ରୟତି ସୂତ୍ରେ ରେକର୍ଡ କରାଯିବାକୁ , ତାଙ୍କୁ ମାସିକ ୧୦୦ ଟଙ୍କା ଭରଣପୋଷଣ ପାଇବାକୁ ରାଜ୍ୟସରକାର ଓ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ମ୍ମରେ ରାଜିନାମା ହେଲା।
୨୩.୦୭.୧୯୮୭ରେ ସବ୍‌ଜଜ୍ ବଲାଙ୍ଗିରଙ୍କ ଦ୍ୱାରା ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ତାଙ୍କର ଆଜୀବନ ଭରଣପୋଷଣ ପାଇଁ ସମସ୍ତ ଜମି େ‘ରାଇ ଦେବାକୁ ସରକାର ଆଦେଶ ଦେଲେ।
୨୭.୦୪.୧୯୭୬ ଦିନ ଉକ୍ତ ଆଦେଶର ମନ୍ତବ୍ୟ କଲମରେ ଲେ‘ଖାଗଲା ଯେ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ମିଳିଥିବା ସମସ୍ତ ଜମିକୁ ଏକ ସ୍ୱତନ୍ତ୍ର ଖାତାରେ ଉଲ୍ଲେଖ କରି ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ଜୀବଦ୍ଦଶା ପର୍ଯ୍ୟନ୍ତ ଭରଣପୋଷଣ ପାଇଁ ଉପଭୋଗ କରିବେ।
ଘଟଣା ପୂର୍ବ ପାଶ୍ୱର୍ଚିତ୍ର ଏହିପରି। ଗଡ଼ଜାତ ମିଶ୍ରଣବେଳେ ପାଟଣାଷ୍ଟେଟ୍ ଓ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମ୍ମରୁ ମିଶ୍ରଣ ପରେ ପାଟଣାଷ୍ଟେଟ୍‌ର ଭୂ-ସତ୍ୱ ଆଇନ ଅପରିବର୍ତିତ ରହିବ। ଯାହାକୁ ଓଡ଼ିଶା ମର୍ଜର ଷ୍ଟେଟ୍ ଏକ୍ଟ ୧୯୫୦ଦ୍ୱାରା ପାଟଣା ଭୂ-ସମ୍ବନ୍ଧୀୟ ଆଇନର ବୈଧାନିକ ସ୍ୱୀକୃତି ମିଳିଲା।
ଓଡ଼ିଶା ସରକାରଙ୍କ ରାଜସ୍ୱ ସଚିବଙ୍କ ପତ୍ର ସଂଖ୍ୟା ୧୫୪୮ ତା.୦୫.୦୨.୧୯୪୯ରେ ପାଟଣା ଷ୍ଟେଟ୍ ଅଧିନରେ ଥିବା ସମସ୍ତ ଭୋଗରା ଜମିକୁ ରୟତି ଜମିରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟଏକ ପତ୍ର ମା୍ମମରେ ପତ୍ର ସଂଖ୍ୟା ୧୪୩୪୦/ ଆର.ଏସ୍‌.ଟି.ଇ.ଏନ୍ ୧୧୪୪୯ ତା.୧୯.୧୨.୧୯୪୯ ଦ୍ୱାରା ରାଜସ୍ୱ ସଚିବ ୦୫.୧୨.୧୯୪୯ ପତ୍ରରେ କେତେକ ପରିବର୍ତନର ନିର୍ଦ୍ଦେଶନାମା ଦେଲେ।
କ. ବଲାଙ୍ଗିର ପାଟଣାର ଠିକାଦାରୀ ବ୍ୟବସ୍ଥା ୦୧.୦୪.୧୯୫୦ ରେ ସମାପ୍ତ ହେବ ଓ ଏହି ବ୍ୟବସ୍ଥା ଉଚ୍ଛେଦ କରାହେବ।
ଖ. ୧୯୩୬ ବନ୍ଦୋବସ୍ତରେ ରେକର୍ଡ଼ ହୋଇଥିବା ଭୋଗରା ଜମି ଠିକାଦାର ନାମରେ ରେକର୍ଡ଼ କରାଯିବା ପାଇଁ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ବିଚାର କରାଯିବ।
ଗ. ଭବିଷ୍ୟତ ବିବାଦର ପରିସମାପ୍ତି କରିବାପାଇଁ ସମସ୍ତ ଠିକାଦାର ତାଙ୍କ ଠିକାଦାରୀ ସମର୍ପଣ କଲେ ବୋଲି ଧରାଯିବ ଏବଂ ଠିକାଦାର ଓ ସରକାରଙ୍କ ମଧ୍ୟରେ ଏକ ଚୁୁକ୍ତିନାମା ସମ୍ପାଦନ କରିବାକୁ ବ୍ୟବସ୍ଥା କରାଯିବ।
୦୪.୦୪.୧୯୫୦ ମସିହାରେ ଭୋଗରା କନ୍‌ଭର୍‌ସନ୍ ଆରମ୍ଭ ହେଲା ଓ ତା.୦୭.୦୫.୧୯୫୧ଦିନ ଓଡ଼ିଶା ରାଜ୍ୟପାଳ ଓ ଠିକାଦାରଙ୍କ ମ୍ମରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା।
ଠିକାଦାରଙ୍କ ଦ୍ୱାରା ଖାସ୍ ଦାଖଲ କରାଯାଇଥିବା ଜମି ଓ ତାଙ୍କ ନାମରେ ରେକର୍ଡ଼ କରିବାପାଇଁ ନିର୍ଦ୍ଦେଶ ଦିଆଗଲା ଓ ପ୍ରତ୍ୟେକ ଠିକାଦାରୀ ଗ୍ରାମର ୫ଏକର ଲେଖାଏଁ ଜମି ସରକାର ନିଜ ହାତକୁ ନେଲେ ଓ ୧୯୫୩ ମସିହାରେ ଓଡ଼ିଶାର ରାଜ୍ୟପାଳ ବଲାଙ୍ଗିର ପାଟଣାଷ୍ଟେଟ୍‌ର ଭୋଗରା ଜମି ସମ୍ବନ୍ଧୀୟ ନିମ୍ନ ଆଦେଶ ଦେଲେ।
ବଲାଙ୍ଗିର ଜିଲ୍ଲାର ପୂର୍ବତନ ପାଟଣାଷ୍ଟେଟ୍ ଠିକାଦାରୀ ପ୍ରଥା ଉଚ୍ଛେଦ ପରେ ଭୋଗରା ଜମିରୁ ୫ଏକର ବା ୨୫ ପ୍ରତିଶତ ଗ୍ରାମ ପଞ୍ଚାୟତ ପାଇଁ ସଂରକ୍ଷିତ କରାଯିବ, ଇତିମ୍ମରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ କରିବା ଆରମ୍ଭ କରୁଛି। ତେଣୁ ଉକ୍ତ ଜମି ସରକାରଙ୍କ ପରିଚାଳନାରେ ରହିବ ଓ ବାର୍ଷିକ ନିଲାମ ଦ୍ୱାରା ସର୍ବାଧିକ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭୋଗରା ଜମି ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତରିତ କରାଯିବ ଓ ସେହି ନୀତି ଅନୁଯାୟୀ ପାଟଣାଷ୍ଟେଟ୍‌ର ସଂରକ୍ଷିତ ଭୋଗରା ଜମି ଗ୍ରାମ ପଞ୍ଚାୟତର ନିୟନ୍ତ୍ରଣ ଓ ପରିଚାଳନାରେ ରହିବ, କିନ୍ତୁ ଏହି ଜମି ଭୂମିହୀନମାନଙ୍କୁ ବଣ୍ଟନ କରିବାକୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯିବ।
୦୭.୦୩.୧୯୭୩ ଦିନ ଏକ ପତ୍ର ଅନୁଯାୟୀ ରାଜସ୍ୱ ସଚିବ ପି.ଆର.ଚନ୍ଦ୍ରା ବଲାଙ୍ଗିର ଜିଲ୍ଲାର ଭୋଗରା ଜମି ଗ୍ରାମ ପଞ୍ଚାୟତରୁ ରାଜସ୍ୱ ବିଭାଗର ନିୟନ୍ତ୍ରଣକୁ ଫେରାଇ ଆଣି ସୁଖବାସୀ ମାନଙ୍କ ମ୍ମରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଲେ। ଏହି ନିର୍ଦ୍ଦେଶ ବିରୁଦ୍ଧରେ ଅନେକ ଠିକାଦାର ମାନ୍ୟବର ହାଇକୋର୍ଟରେ ମୋକଦ୍ଦମା ଦାୟର କରିଥିଲେ ଓ ମାନ୍ୟବର ଅଦାଲତ ୧୯୭୫ରେ ଏହି ଏ÷ତିହାସିକ ରାୟ ଦେଇ ଭୋଗରା ଜମି ବଲାଙ୍ଗିର ଜିଲ୍ଲା ସମ୍ବନ୍ଧରେ ନିମ୍ନ ନିଷ୍ପତି ଦେଲେ-
କ. ବଲାଙ୍ଗିର ଜିଲ୍ଲା ଠିକାଦାରମାନଙ୍କର ଭୋଗରା ଜମି ଉପରେ ବନ୍ଦୋବସ୍ତ ପର୍ଯ୍ୟନ୍ତ ହିଁ କେବଳ ଭୋଗକରିବାର ଅଧିକାର ଅଛି। କିନ୍ତୁ ଉକ୍ତ ଜମିରେ ତାଙ୍କର କୌଣସି ସ୍ୱତ୍ୱ ଅଧିକାର ନାହିଁ ଓ ତାଙ୍କୁ କେତେକ ପରିସ୍ଥିତିରେ ଉଚ୍ଛେଦ କରାଯାଇ ପାରିବ। ଠିକାଦାରୀ କାର୍ଯ୍ୟକାଳ ସମାପ୍ତି ପରେ ଏହି ଜମିରେ ତାଙ୍କର କୌଣସି ଅଧିକାର ନାହିଁ।
ଖ. ଓଡ଼ିଶା ସରକାର ଦେଇଥିବା ଅଦେଶମତେ ଠିକାଦାରମାନେ ସ୍ୱେଚ୍ଛାରେ ଜମି ସମର୍ପଣ କରି ସାରିଛନ୍ତି। ଜବରଦଖଲ ଆଇନ ବଳରେ ମ୍ମ ଠିକାଦାରମାନଙ୍କ ଜମି ଉପରେ ଅଧିକାର ଲୋପ ପାଇଅଛି।
ଆଇନ ଏବଂ ବଙ୍ଗୋମୁଣ୍ଡା ଜମିଦାର ପରିବାର ନିଜ ନିଜ ବାଟରେ ଚାଲୁଥିଲେ । ୧୯୮୨ ମସିହରେ ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କର ମୃତ୍ୟୁ ହେଲା।
ଓଡ଼ିଶା ସରକାରଙ୍କ ମୁଖ୍ୟସଚିବଙ୍କ ପତ୍ର ସଂଖ୍ୟା ୩୩୦୯୭ /ତା. ୨୧.୦୮ ୧୯୮୦/ଏସି ଅନୁସାରେ ଭୁମିହୀନଙ୍କୁ ଭୂମି ବଂଟନ ପାଇଁ ଆଦେଶ ହେଲା।
ଶ୍ରୀମତୀ ଚନ୍ଦ୍ରକୁମାରୀ ଦେବୀଙ୍କ ମୃତ୍ୟୁ ପରେ ୧୮.୦୩ ୧୯୮୨ ଦିନ ବଙ୍ଗୋମୁଣ୍ଡା ଆର.ଆଇଙ୍କ ଦ୍ୱାରା ଜମି ପାଇବା ପାଇଁ ହକ୍‌ଦାର ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଗଲା। ୨୬.୦୬.୧୯୮୩ ରେ ଚିହ୍ନଟ ବ୍ୟକ୍ତିମାନଙ୍କୁ ଯେଉଁମାନେ ପୂର୍ବ ପ୍ରଚଳିତ ଆଇନ ଅନୁସାରେ ସୁଖବାସୀ ଥିଲେ ତାଙ୍କୁ ଜମି ବଣ୍ଟନ କରାଗଲା। ଏହା ଇଆରଆରପି ଯୋଜନା ଅଧିନରେ ବଙ୍ଗୋମୁଣ୍ଡା ଓ ମୁରିବାହଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ବଣ୍ଟାଗଲା। ଡମ୍ବରୁ ବି ଜମି ଖଣ୍ଡେ ପାଇଲା।
୧୯୮୪ ମସିହରେ ଲୋଚନ ଭୋଇ ନାମକ ଜଣେ ବ୍ୟକ୍ତି ନିଜକୁ ଗଉନ୍ତିଆ ଦାବୀକରି ସୁଖବାସୀଙ୍କ ବିପକ୍ଷରେ ମକଦ୍ଦମା ଦାୟର କଲା। ଟିଟିଲାଗଡ଼ କୋର୍ଟରେ ସୁଖବାସୀଙ୍କ ନାମରେ ୩୦ଟି ମକଦ୍ଦମା ଦାୟର ହେଲା।
ସାଧାରଣତଃ ଏହି ମୋକଦ୍ଦମା ମାନଙ୍କରେ ଜମିର ବର୍ତମାନ ସ୍ଥିତି ଓ ନ୍ୟାୟାଳୟ ମ୍ମରେ ପୋଲିସ ସୂଚନା ଦେଇଥାଏ। ଏ ସମୟରେ ପୋଲିସ ଯାହାବି ସୂଚନା ଦେଇଥାଉ ସୁଖବାସୀମାନଙ୍କ ଫସଲ କାଟି ଅଣାଗଲା ଓ ତାଙ୍କୁ କୋର୍ଟଦ୍ୱାରା ଗାଁ ଭିତରକୁ ପ୍ରବେଶ ନିଷେଧ କରାଗଲା।
ସାମୂହିକ ଭାବେ ଗଉନ୍ତିଆ ମାନଙ୍କ ଦ୍ୱାରା ଅତ୍ୟାଚାରିତ ସୁଖବାସୀମାନେ ଡଙ୍ଗରପଡ଼ାର ସୁଖବାସୀମାନଙ୍କୁ ସହଯୋଗ ଦେଲେ। ସୁଖବାସୀମାନେ ସଙ୍ଗଠିତ ହେଲେ। ଡଙ୍ଗରପଡ଼ାର ସୁଖବାସୀମାନେ ମୁଖ୍ୟତଃ ଆଦିବାସୀ। ସେମାନେ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ର ନେଇ ଏକ ଶୋଭାଯାତ୍ରା କରି ଗାଁକୁ ପଶିଲେ। ଏହି ଖବର ସେ ସମୟରେ ‘ଦି ଏସିଏନ୍ ଏଜ୍‌’ ପତ୍ରିକାରେ ବାହାରିଲା ଫଟୋସହ। ଏହି ଇଂରାଜୀ ପତ୍ରିକାର ହାଇଦ୍ରାବାଦର ‘ଇନ୍ନାଡ଼ୁ’ ସମାଚାର ଏଜେନ୍ସି ସହ ସମ୍ବନ୍ଧ ଥିଲା। ଯେଉଁ ଫଟୋ ‘ଇନ୍ନାଡ଼ୁ’ ତେଲୁଗୁ ପତ୍ରିକାରେ ମଧ୍ୟ ବାହାରି ଥିଲା। ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ଓଡ଼ିଶା ସରକାର ଖବର ପାଇଲେ। ସଶସ୍ତ୍ର ଆନ୍ଦୋଳନ କାଳେ ନକ୍ସଲମାନଙ୍କୁ ଆକୃଷ୍ଟ କରିବ, ସେଥିଲାଗି ସରକାର ସଚେତ ହୋଇଗଲେ। ତା’ପରଦିନ ଭୋରରୁ ଟିଟିଲାଗଡ଼ ସବ୍‌କଲେକ୍ଟର ଆସି ଏହି ସୁଖବାସୀମାନଙ୍କୁ ଜମି ଚାଷ କରିବା ପାଇଁ କହିଥିଲେ।
ଏହାପରେ ଗଠିତ ହେଲା ସୁଖବାସୀ ସଂଘ ଲୋଚନ ଭୋଇ ଏକତରଫା ଡିଗ୍ରି ପାଇଲେ। କାରଣ ଆଇନ ଅଦାଲତର ଚକ୍ରବ୍ୟୁହ ଭିତରେ ପଶିବା ସୁଖବାସୀମାନେ ପୃଥିବୀର ପ୍ରଥମ ଶାସକ ଜନ୍ମହେବା ଦିନୁ ଜାଣି ନଥିଲେ।
ଏପଟେ ଲୋଚନ ଭୋଇର ବିଜୟ ଅନ୍ୟ ଗଉନ୍ତିଆମାନଙ୍କୁ ଉତ୍ସାହିତ କରୁଥାଏ। ସେମାନେ ମଧ୍ୟ ସଙ୍ଗଠିତ ହେଉଥାନ୍ତି। ଯେଉଁ ଜମି ସେମାନେ ସ୍ୱଇଚ୍ଛାରେ ସମର୍ପି ସାରିଥିଲେ ଏବଂ ଯେଉଁ ଜମି ଉପରେ ସୁଖବାସୀମାନେ ଭୋଗ ଦଖଲ କରି ଆସୁଥିଲେ, ସେହି ସୁଖବାସୀମାନଙ୍କୁ ବିଭିନ୍ନ ସମୟରେ ମାଡ଼ ଝଗଡ଼ା କରି ତଡ଼ୁଥିଲେ।
ଗଉନ୍ତିଆମାନେ କଂଟାବାଞ୍ଜି କୋର୍ଟରେ ୬୦ଟି ମୋକଦ୍ଦମା ସୁଖବାସୀଙ୍କ ବିପକ୍ଷରେ କଲେ। କଣ୍ଟାବାଞ୍ଜି ତତ୍କାଳୀନ ଅତିରିକ୍ତ ଦେୱାନୀ ଜଜ୍ ମାନ୍ୟବର ବିଧାନ କୁମାର ଚାନ୍ଦ୍ ନିଜର ରାୟ ଦେଲେ ଯେ ଭୋଗରା ଜମିରେ ଗଉନ୍ତିଆମାନଙ୍କର କୌଣସି ଅଧିକାର ନାହିଁ ତଥା ସରକାରଙ୍କ ଦ୍ୱାରା ପାଇଥିବା ଭୋଗରା ଜମି ଚାଷ କରିବାରେ ସୁଖବାସୀମାନଙ୍କୁ କେହି ଅଟକାଇ ପାରିବେ ନାହିଁ।
ଅଦାଲତର ଏହି ଆଦେଶକୁ ସୁଖବାସୀମାନେ ଗ୍ରହଣ କରିପାରିଲେ ନାହିଁ। ସେମାନେ କହିଲେ ପେପର୍‌ରେ ନ ବାହାରିବା ପର୍ଯ୍ୟନ୍ତ ଆମେ ବିଶ୍ୱାସ କରିବୁ ନାହିଁ। ତାଙ୍କୁ ବୁଝାଗଲା, ତଥାପି ବୁଝିଲେ ନାହିଁ। ଏ ସମୟରେ ପୁରୁଷୋତ୍ତମ ସିଂ ଠାକୁର ନିଜର ‘ଜନମା୍ମମ’ ବାହାର କରୁଥିଲେ। ସେ ସୁଖବାସୀମାନଙ୍କୁ ବିଶ୍ୱାସ ଦେବା ପାଇଁ ତାଙ୍କର ପାକ୍ଷିକର ଗୋଟିଏ ସଂସ୍କରଣ ସୁଖବାସୀ ସମସ୍ୟା ଓ ସଂଗ୍ରାମ ଉପରେ ବାହାର କରିଥିଲେ।
ଏଠାରେ ସୁଖବାସୀମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜମି ବାଂଟିଥିଲେ। ଯାହାକୁ ତହସିଲଦାରଙ୍କ ଦ୍ୱାରା ବୈଧ କରାଯିବା କଥା। କିନ୍ତୁ ତହସିଲ ରେକର୍ଡ଼ ଭିନ୍ନ, ଏ ଜମି ଉପରେ ସୁଖବାସୀଙ୍କ ଅଧିକାର ରହିବା କଥା। ଗୋଟିଏ ସରକାରଙ୍କ ଦୁଇଟି ବିଭାଗ ଭିତରେ ଥିବା ଅନ୍ତର ଯୋଗୁଁ ସୁଖବାସୀମାନେ ପେଶି ହେଉଛନ୍ତି। କାରଣ ତହସିଲ କାର୍ଯ୍ୟାଳୟ ଅନୁସାରେ ଜମି ମାଲିକ ଗଉନ୍ତିଆ ଅଥବା ଠିକାଦାର କି ଜମିଦାର।
ଗଉନ୍ତିଆମାନେ ଉପର ଅଦାଲତରେ ଅପିଲ କରିଛନ୍ତି, ସୁଖବାସୀମାନେ ମ୍ମ। କିନ୍ତୁ ସମାଧାନ କାହିଁକି ନାହିଁ? ଡମ୍ବରୁ ତା’ର ଜମିର ପଟ୍ଟା ପାଇବ ତ?
ଏହିପରି ଅନ୍ୟ ଏକ ଉଦାହରଣ, ପାଟଣାଗଡ଼ ତହସିଲ ଅନ୍ତର୍ଗତ ବେଲପଡ଼ା ବ୍ଲକର ଭରୁଆମୁଣ୍ଡା ଗ୍ରାମ। ଏହି ଗାଁର ୧୭ଜଣ ସୁଖବାସୀ ଇ.ଆର.ଆର.ପି ଯୋଜନା ମା୍ମମରେ ୧୯୭୯ ମସିହାରେ ଜମି ପାଇଲେ। ସରକାର ସେମାନଙ୍କୁ ହଳ ଲଙ୍ଗଳ ସହ ବିହନ ଦେଲେ। ଜଳସେଚନ ପାଇଁ ପୋଖରୀ ଖୋଳେଇଦେଲେ। ଦୀର୍ଘ କୋଡ଼ିଏ ବର୍ଷର କ୍ରମାଗତ ପରିଶ୍ରମରେ ଜମିର କିସମ ବଦଳି ସାରିଥିଲା। ମାଲଜମି ବାହାଲ ଜମି ହୋଇ ସାରିଥିଲା।
୨୦୦୦ ମସିହା ଜଳଛାୟା ପ୍ରକଳ୍ପ ସରକାର କଲାବେଳେ ଭରୁଆମୁଣ୍ଡା ଗାଁର ଉପରୋକ୍ତ ଜମି ପ୍ରକଳ୍ପ ପାଇଁ ଚିହ୍ନଟ ହେଲା। ଏହି ୧୭ଜଣ ଚାଷୀ ତହସିଲରୁ ନୋଟିସ୍ ପାଇଲେ ଯେ ସେମାନେ ଜବରଦଖଲ କରି ଜମି ଚାଷ କରୁଛନ୍ତି। ତାଙ୍କୁ ଉଚ୍ଛେଦ କରାଯାଇ ଜଳଛାୟା ପ୍ରକଳ୍ପର ବୃକ୍ଷରୋପଣ କରାଗଲା ସେ ଜମିରେ । ଏତେଲୋକ ହଠାତ୍ ଭୂମିହୀନ ହୋଇଗଲେ।
ଏଠାରେ ଅନ୍ୟ ଏକ ସମସ୍ୟା ଏହିପରି । ୧୯୭୫ରେ ସେଟେଲ୍‌ମେଣ୍ଟ ହେଲା। ଯାହା ପୁଣି ୧୯୮୭ରେ ହେବା କଥା । କିନ୍ତୁ ସରକାର ୧୯୯୭ରେ ସେଟେଲ୍‌ମେଂଟର ଆଦେଶ ଦେଲେ। ସେଟେଲମେଂଟ ଆଦେଶ ହେଲେ ତହସିଲ୍‌ଦାର ଜମି ରେକର୍ଡ଼ କରିପାରିବେ ନାହିଁ । ୧୯୯୭ ସେଟେଲ୍‌ମେଣ୍ଟ ଆଦେଶକୁ ୨୦୦୫ରେ ବନ୍ଦ କରାଗଲା। ଏହାପରେ ତହସିଲ୍‌ଦାରଙ୍କୁ ଜମି ରେକର୍ଡ଼ କରିବା ପାଇଁ କୁହାଗଲା। ଯାହା କରାଯାଇ ପାରିଲା ନାହିଁ। ୨୦୦୮ ଜୁଲାଇ ମାସରେ ପୁଣି ଆଦେଶ ହେଲା ଯେ ସେଟେଲମେଂଟ ହେବ। ଏହି ସେଟେଲମେଂଟ ଆଦେଶ ହେବା ପରେ ତହସିଲଦରଙ୍କ ଜମି ରେକର୍ଡ଼ କରିବା କ୍ଷମତା ରଦ୍ଦ ହେଲା।
ଏଠାରେ ପ୍ରଶ୍ନ ଉଠେ ଯେ ସୁଖବାସୀମାନେ କରିବେ କଣ? ଅନ୍ୟ ଏକ ସମସ୍ୟା ଏହିପରି। ସରକାରଙ୍କ ନିର୍ଦ୍ଦେଶ ଯେ ବିବାଦୀୟ ଜମିମାନଙ୍କୁ ସରକାରୀ ଖାତାରେ ଲେଖାହେବ। ଯଦି ସୁଖବାସୀମାନଙ୍କ ସମସ୍ତ ଜମି ସରକାରୀ ଖାତାକୁ ଚାଲିଯାଏ, ତା’ହେଲେ ଇ.ଆର.ଆର.ପି ଯୋଜନାରେ ପାଇଥିବା ସମସ୍ତ ଜମି ବିବାଦୀୟ ନିଶ୍ଚୟ। ବଙ୍ଗୋମୁଣ୍ଡା ଜମିଦାରଙ୍କ ୧୪୯ଘନମାଇଲ୍ ଜମି ବି ଏ ବିବାଦକୁ ଆସିବ । କେତେକ ଗଉନ୍ତିଆ ଏବଂ ସେବାକାରୀଙ୍କ ଜମିକୁ ଛାଡ଼ି। ବିଶ୍ୱ ବଜାରରେ ଦୌଡ଼ୁଥିବା ସରକାର ପାଇଁ ଏକ ଏସ୍‌.ଇ.ଜେଡ୍‌ର ମାନ୍ୟତା ପାଇବାକୁ ବିଳମ୍ବ ହେବ କି? ସୁଖବାସୀ କରିବେ କଣ?
ଡମ୍ବରୁ ବିସ୍ଥାପିତ ହେବ?
କେବଳ ତା’ର ଘରବାରିର ଟଙ୍କା ପାଇଁ?
ନା ଦାଦନ ଖଟି ଯିବ?


ମୁଁ ବଞ୍ଚିବି ତୁମ ପୃଥିବୀରେ

ବଡ଼ମକାର ବେଳେ ‘ଚରିତ୍ର’କୁ ପାଞ୍ଚ କି ଛଅବର୍ଷ ହୋଇଥିଲା। ବାପା ଚାଷ କରୁଥିଲା। ମା ସୁନାଗହଣା ପିନ୍ଧୁଥିଲା। ଗାଁର କେତେ ଜଣ ସ୍ତ୍ରୀ ଲୋକ ଗାଁଗଣ୍ଡା ଗଲେ ତାର ମାର ସୁନାଗହଣା ମାଗିନେଇ ପିନ୍ଧୁଥିଲେ। ତିନି ଏକର ଜମିରେ ବାପା ଖଟୁଥିଲା। ଘରେ ଧାନ, ମୁଗ, ବିରି, ଚଣା, ରାଶି, ମାଣ୍ଡିଆ, କୋଦୋ, ଗୁରଜି, ଗୁଡ଼, ଚୁଡ଼ା ଇତ୍ୟାଦି ସବୁବେଳେ ରହୁଥିଲା। ଜମିପାଖ ଲେରରେ ବାପା ପରିବା କରୁଥିଲା ସବୁବେଳେ। ଦୁଇଟି ମହୁଲ ଗଛ ଆଉ ତିନୋଟି ଆମ୍ବଗଛ ଲେରକୁ ଅନ୍ୟ ଏକ ଘରର ମାନ୍ୟତା ଦେଇଥିଲା। ବାପାର ମା ମରିସାରିଥିଲା। ଲେରର କୁଡ଼ିଆ ଘରେ ଦାଦିବୁଢ଼ା ରହୁଥିଲା; ଦୁଇଟି ବଳଦ, ଗୋଟିଏ ଗାଈ, ଛେଳି, କୁକୁଡ଼ା ରଖିଥିଲା। ଦାଦିବୁଢ଼ା ଲେରରେ ହିଁ ରହୁଥିଲା। କାଳିଆ କୁକୁରଟିଏ ଥିଲା, ଯାହାକୁ ଦାଦିବୁଢ଼ା ଏ ଶଲା! ବୋଲି ଡାକୁଥିଲା। ଏ ଶଲା! ଯା ବଳଦ ଅଡ଼େଇ ଆନ୍‌ବୁ କହିଲେ କୁକୁରଟି ବଳଦ ଦୁହିଁଙ୍କୁ ଲେରର ଗୁହାଳକୁ ଆଣୁଥିଲା।
ଥରେ ବଉଳ ଝଡ଼ିଗଲା। ମହୁଲ କୁଁଚି ଶୁଖିଗଲା। ଗୁରଜି ଠିକ ହେଲା। ଆଉ ଧାନ, ମୁଗ, ବିରି କିଛି ହେଲାନି। କେଉଁ ଗୁନିଆଁ ବାନ୍‌ମାରି ପୁରଥିକୁ ଜାଳିଦେଲା ଯେମିତି। ଅନ୍ଧାର ଭେଦି ଗାଁ ଭିତରକୁ ଶୁଭୁଥିବା ଦାଦିବୁଢ଼ାର ଗୀତ ଆଉ ଶୁଭିଲାନି। ଲୋକେ ଚିନ୍ତାରେ ଶୁଖିଗଲେ। ‘ଚରିତ୍ର’ ଦିନେ ସକାଳୁ ମୋ ପଛେ ପଛେ ଲେରକୁ ଗଲା। ଗାଈ-ବାଛୁରୀ ଅଲଗା ବନ୍ଧା ହୋଇଛନ୍ତି। ବଳଦ, ଛେଳି ଢିଲା ହୋଇ ନାହାନ୍ତି। କୁକୁର କୁଡ଼ିଆ ସାମ୍ନାରେ ବସିଛି। ମା’କୁ ଦେଖି କୁଁ କୁଁ ହେଲା ଲାଞ୍ଜ ହଲେଇଲା। ଲେରର ଗଛ, ବଳଦ, ଘର, ଗାଈ, କୁକୁଡ଼ା, କୁକୁର ଭିତରେ ତାଳମେଳ ରହୁନଥିଲା ଯେପରି । ଲେରର ଗୀତ ହଜିଯାଇଥିଲା । ମା’କୁଡ଼ିଆ ଭିତରକୁ ଡୁଙ୍ଗିଲା। ଦାଦିବୁଢ଼ା ଶୋଇଛି ଆଁ କରି। ମା’ରଡ଼ିଛାଡ଼ିଲା, ଏ ବୁଆ! ଧଁ ଗୋ….ମୁଇଁ ମୋର ଶଶୁରକେ ଖାଇଦେଲି।
ଦାଦିବୁଢ଼ା ପଛେ ପଛେ ଶଲା କୁକୁର ମରିଗଲା। କୁକଡ଼ା ଆଉ ଛେଳି ଖାଦ୍ୟ ହେଲେ। ଘରର ଚାଉଳ ସରିଗଲା। ରୁଆ ଧାନ ଘରକୁ ଆସିଲାନି। ଚରିତ୍ରର ବାପା ଚିନ୍ତାରେ ବୁଡ଼ିଗଲେ। ଘରର ଖାଇବା ଜିନିଷ ସରିଗଲା। ମା’ବାପା ପାଖ ଗାଁ ମହାଜନ ଘରକୁ ଯାଆନ୍ତି ଗୋଟିଏ ସୁନା ନେଇ। ଫେରନ୍ତି ଭୁଗାରେ ଚାଉଳ ଧରି। ଚରିତ୍ର ବସିଥିବ ପିଣ୍ଡାରେ। କେବେ କେବେ ଦେଖିବ ବାରିକ ବୁଢ଼ା ଲୋକଙ୍କୁ ଖିଅର ସାରିଲା ପରେ ଘର ଘର ବୁଲିବ, ଅଛେ ବଏଲେ ଦିଅ ବୁଆ ନେଇନା ବଏଲେ ନିଅ। କେବେ କେବେ ବାରିକ ଖାଲିହାତରେ ଫେରିବ। ।
ପାଖ ଫଟାମୁଣ୍ଡା ଗାଁର ଲୋକକବି ଆନନ୍ଦ ବାଗ ଏ ମକାରକୁ ନେଇ ଗୀତ ବାନ୍ଧିଲେ…
ଚାଷ ବେଉସା ଗଲା ବୁଡ଼ି । ପରଜା ଉପରେ ପରଲା ରଡ଼ି
କନକୀ ଖୁଦେ ବାଏଲ ମିଶାଲା
ମାରବାଡ଼ି
ଅରନ ନେଇ ମିଲବାର ଯୋଗୁଁ
ଏତକି ଦଶା ଘଟଲା।
ଦେଖତରେ ଭାଇ
ଶୁନତରେ…
ଉନେଇଶ’ଶ ପଏଁଷଠି
ସାଲେ ଚେର ମକାର
ପରଲା।
ଆସିନ ମାସର
ମଡ଼ିଆ ପେଜ। ପି’ଲେ
ମୁହେଁ ନାଇନ ତେଜ
ଶୁଇଳା ଖଟେ ପାଁଚଲେ ବୁଦ୍ଧି। ଟେଣା ଗାଡ଼ମା ଖେତର ମଝି
କୁକୁରାଡ଼ାଖୁ ଉଠ୍‌ଲା ବେଲେ। ଜ୍ଞାନ ଗୁଚର ହଜ୍‌ଲା
ଦେଖତରେ ଭାଇ, ଶୁନତରେ…
ଅଡ଼େକ କନକୀ ଆଠ ଅନା। ବଟି ପରଲା ଦୁଇ ଅନା
ବଟି ପଏସା ନେଇ ପାଏଲେ। ଭୁକେ ଶୁଷେ ରହେଲା
ଯା’ର ଘରେ ପାଁଚ ମାଇପିଲା। ଅଡ଼େକ କନକି ରାନ୍ଧିଥିଲା
ଖାଏଲା ବେଲେ ରୁଷାଫୁଲା। ଦେ’ରେ ମେହେଜୀ ଆର ବେଲେ
ଜୀବନ ଜଉଛେ ଭୁକର ବେଲେ। ଭୁକର ଲାଗି ଲାଗଲେ କଲି
ବେଲା ଢେଁଟି ଧରି ଚୁପଲା। ଦେଖତରେ ଭାଇ…
ପଏଁଷଠି ନୁ ଛଷଠି। କେତେ ଗଲେନ ସରକଟି
ଅରନ ନେଇ ମିଲ୍‌ବାର ଯୋଗୁଁ। ଭାଇ ଏତକି ଦଶା ଘଟ୍‌ଲା
ଦେଖତରେ ଭାଇ, ଶୁନତରେ…
ଗାଈ ମଇଁଷି ଛେଲି ମେଢ଼ି। ଟିଟଲାଗଡ଼କେ ନେଲେ ଘଉଡ଼ି
ଏହେ ଟଁକାର ମାଲ୍ ପଚାଶ ଟଁକା। ନେଇ ବିକ୍‌ଲେ ମରଲା ଭୁକା
କନକି ଖୁଦର ଲାଗି ଭାଇରେ । ଦେଶର ଗୁହାଲ ସରଲା
ଦେଖତରେ ଭାଇ, ଶୁନତରେ…
ପରଜା ହଲ୍ ଥିଲେ ଛାଟି। ଭୁକେ ଜୀବନ ହେଲା ଘାଟି
ଜୀବନ କଲା କଲବଲ। ବିକି ନେଲେ ‘ନ୍ଦା ହଲ
ଧୁଆ ଗାଈ ଧୁଆ ମଇଷି। ଗୁହାଲ ଯାକ ସର୍‌ଲା
ଦେଖତରେ ଭାଇ, ଶୁନତରେ…
ଶ୍ରୀରାମ ସିନ୍ଧେକେଲା। କଁଟାବାଞ୍ଜି, ବଙ୍ଗୋମୁଡ଼ା,
ଖପ୍ରାଖୋଲ ତୁରେକେଲା
ଉନ୍‌ଚାଲିଶ ଗଡ଼ ପାଟନା ଭିତରୁ। ଛ’ଗଡ଼ ବୁଡ଼ିଗଲା
ଚକ୍ରାବତୀର ତେର ଜିଲା। ପୁଡ଼ିଗଲା ଖରିଆର ଜିଲା
ଉନେଇଶ’ଶ ପଏଁଷଠି ସାଲେ ଚେର ମକାର ପରଲା
ଦେଖତରେ ଭାଇ, ଶୁନତରେ…
ଗିନି ଗଜବନ୍ଧନ ଡୁଆମାଲି।
ନିକ୍ତି ଉପରେ ଦେଲେ ତୁଲି
ଆଁଠ କୁରିର ଭା’ ଶହେ ଟଁକା।
ପରଜାର କପାଲ
ଛାଡ଼ଲା ଏକା
ଅରନ୍ ନେଇ ମିଲବାର ଯୋଗୁଁ
ଏତକି ଦଶା ଘଟ୍‌ଲା
ଦେଖତରେ ଭାଇ, ଶୁନତରେ…
କତରିଆ ବନ୍ଦରିଆ ବଲା ବାହାଁପଟ। ତାକୁ ବିକିଦେଲେ ଝଟପଟ
ଘୁନଚି ପଏଁରି ଚାଁରରୀ ମୁଡ଼ି। ତାକୁ ବିକିଦେଲେ ଜଲ୍‌ଦି କରି
ଗଡ଼ୁ ଗିନା ଗରିଆ ଖୁରି। କନକି ଖୁଦେ ଗଲା ସରି
ଦେଖତରେ ଭାଇ, ଶୁନତରେ…

ଯାହାକୁ ଚରିତ୍ର ଜୁଆନ ହେବା ପର୍ଯ୍ୟନ୍ତ ଲୋକେ ଗାଉଥିବା ଶୁଣୁଥିଲେ।
ଖରାମାସ ଆସୁଥାଏ। କୁଅ ପୋଖରୀ ସବୁ ଠା’ ଶୁଖା। କାଦୁଅ ଚଟକି ଲୋକେ କସୁର କନ୍ଦା ଆଉ କଇଁ କନ୍ଦା ଖାଇ ସାରିଥିଲେ। ମା’ ଚରିତ୍ରକୁ ନେଇ ଲେରକୁ ଯିବ। ମାଟି ଖୋଳିବ। ଆମ୍ବ ଗଛର କଅଁଳ ନାଡ଼କୁ ଚରିତ୍ରକୁ ଚୋବାଇ ଖାଇବାକୁ କହିବ। ନିଜେ ବି ଖାଇବ। ବହୁତ ରାତିରେ ଚାଉଳ ମୁଠେ ଲଗେଇବ। ଭାତ ଖାଇବେ ସମସ୍ତେ। ଅଧା ନିଦରେ ଥିବା ଚରିତ୍ର ଚୁପଚାପ ଖାଇବ। ମା ବାପାର ତାଗିଦ, କାହାକୁ କହିବୁନି ଭାତ ଖାଇଲି ବୋଲି।
ଖରାମାସ ଅଧା ଗଲା ବେଳକୁ ବୁଢ଼ାବୁଢ଼ୀମାନେ ଦିଶିଲେନି। ଲୋକମାନେ ଭୋକ ଶୋଷରେ କଣ୍ଟାବାଞ୍ଜି ପଳେଇଲେ। ଦୁର୍ଗ ଯିବାକୁ। ଚରିତ୍ରର ବାପା ଟିକେ ହୁସିଆର ଥିଲା, ଅଧା ପେଟରେ ମରୁଡ଼ିକୁ ପାର କରିଦେଲା। ଏହାଥିଲା ବଡ଼ମକାର ବା ୧୯୬୫ ମରୁଡ଼ି ଚିତ୍ର ପାଇଁ, ପାଖାପାଖି ସମସ୍ତଙ୍କ ପାଇଁ। ଚରିତ୍ରର ପରିବାର ରହିଗଲା। ଅଧିକାଂଶ ଲୋକେ ଅସ୍ତବ୍ୟସ୍ତ ହୋଇଗଲେ।
ବର୍ଷା ହେଲା ଦୁଇଟି ଆମ୍ବ ଗଛ ପାଖ ଗାଁ ଗଉନ୍ତିଆକୁ ଦେଇ ବିହନ ଆଣିଲା। ମାରବାଡ଼ି ମହାଜନ ପାଖରୁ ଚାରିଟଙ୍କା କଳନ୍ତର ଆଣି ଅରଜି ଲେଖେଇଲା। ଚାଷ କଲା ଭଡ଼ାରେ ବଳଦ ଆଣି। ‘ସଲ ଭଲ ହେଲା। ଲେରର ଶିରି ଦାଦିବୁଢ଼ା ନେଇଗଲା। ଘରେ ଯାହା ମାଗିଲା ମିଳିଲାନି। ମା’ ଆଉ ସୁନା ପିନ୍ଧିଲାନି ବାପା ବହୁତ ଖଟିଲା ଛୋଟ ଛୋଟ କାମ ପଡ଼ିଲେ, ଚିହ୍ନା ପରିଚୟର ବାହାଘର, କୁଣାବରା କି ଏକଶିଆ ହେଲେ କି ନୂଆଖାଇ ହେଲେ ମାରବାଡ଼ି ମହଜନ ଘରକୁ ଗଲା ଟଙ୍କା ପାଇଁ।
ଚରିତ୍ର ଜୁଆନ୍ ହେଲା। ମା’ମରିଗଲା। ବାପା ତାର ଜମିକୁ ଉଡ଼େନ ଦେଇ ଚରିତ୍ରକୁ ବାହା କରେଇଲା। ଲେରରେ ଗୋଟିଏ କେବଳ ମହୁଲ ଗଛ ବଞ୍ଚିଥାଏ। ବାପା ଆସି ଲେରରେ ରହିଲା। କିଛି ପରିବା କରିଲା। ଏ ଭିତରେ ତାର ନିଜ ବଳଦ କରିସାରିଥାଏ। ଜମିକୁ ଉଡ଼େନ ଦେଲା ପରେ ବଳଦ ଦୁଇଟି ବେକାର ହୋଇ ରହନ୍ତି। ଚରିତ୍ରକୁ ହଳଗାଡ଼ିଟିଏ କରିଦେଲା ତାର ବାପା। ହଳଗାଡ଼ିରେ ଚରିତ୍ର ଲୋକଙ୍କ ଖତ ବୋହିଲା, ଫସଲ ଆଣିଲା, କାଠ ଆଣିଲା ଜଙ୍ଗଲରୁ, କରତ ମିଲ୍‌କୁ ଗଛ କଟେଇ ନେଲା, ମାରବାଡ଼ି ମହାଜନର ମାଲ୍ ଆଣିଗଲା କଣ୍ଟାବାଞ୍ଜି। ବେଶ୍ ଠିକ୍ ଚଳିଲା। ଝିଅଟିଏ ହେଲା ବାହା ହେବାର ଦୁଇବର୍ଷ ପରେ। ନିଜ ରୋଜଗାରରୁ ଝିଅପାଇଁ ସୁନା ଚନ୍ଦର୍‌ଟିଏ କଲା। ସ୍ତ୍ରୀ ଲାଗି ନାକପୁଟ୍‌କି ଟିଏ। ବାପା ଖୁସି ହେଲ ସ୍ତ୍ରୀ ବି।
ଝିଅ ଚାଲି ଜାଣିଲାବେଳକୁ ବାପା ମରିଗଲା । ଲେରରେ ଶଗଡ଼ ଆଉ ବଳଦ ରହିଲା। ସ୍ତ୍ରୀ ଲେର ସମ୍ଭାଳିଲା, ଚରିତ୍ର ହଳଗାଡ଼ି। ଠିକ୍ ଠିକ୍ ଚଳିଲେ। ହେଲେ ତା ବାପା ପରି ଶିରି ତାର ଆସିଲାନି।
ଝିଅକୁ ସ୍କୁଲରେ ନାଁ ଲେଖେଇଲା। ନୂଆଜାମା କିଣି ଦେଲା। ଦଶହରା ମାସରେ ଝିଅ ଭାଇ ଜିଉନ୍ତିଆ କଲା। ଦଶହରା ଦଶମୀ ଦିନ ରାତିରେ ଗାଁର ଦେବୀ ମାଏଲୀ ବୋଏଲ ବୁଲି ସାରିଲା ପରେ ଲୋକେ କଥା ହେଲେ, ମାବାଡ଼ି ଘରେ ଗାଡ଼ି ଗୁଟେ ଘିନ୍‌ଲେ। ଗାଡ଼ି କଣ ଚରିତ୍ର ଜାଣିଥିଲା। ରାତିରେ ନିଦ ହେଲାନି । ତଥାପି ସାହସ କଲା। ଦେଖାଯିବ ଯାହା ହେବ। ସତକୁ ସତ ତାର ଶଗଡ଼ିଆ କାମ ଅଧା ମାନ୍ଦା ହୋଇଗଲା। ସପ୍ତାହକୁ ଥରେ କଣ୍ଟାବାଞ୍ଜି ଯାଉଥିଲା ମାଲ୍ ଆଣି ସେ କାମ ଆଉ ମିଳିଲାନି। ଲେରରେ ଖଟିଲା ଆଉ ଜଙ୍ଗଲକୁ କାଠ ଆଣି ଗଲା। ବାହାଘର ବାରାତି ବି କେତେ ଲୋକ ଶଗଡ଼ରେ ଯିବା ବନ୍ଦ କରିନଥିଲେ। ଖରାମାସ ସରିଆସିଲା ବେଳକୁ ମାରବାଡ଼ି ଘରେ ଟ୍ରାକ୍ଟରଟିଏ ବି ଆଣିଲେ। ଚରିତ୍ରର ହଳଗାଡ଼ି ବନ୍ଦ ହୋଇଗଲା। ଚରିତ୍ର ଲେରରେ ହିଁ ଖଟିଲା, ଭୁତିଗଲା। କାଁ ଭାଁ କେବେ କାହାର ହଲଗାଡ଼ି କାମ ପଡ଼ିଲେ ଚରିତ୍ର ମନାକଲା।
ଉଡ଼େନ ଦେଇଥିôବା ଜମିକୁ ଦଶବର୍ଷ ପୁରିଲା। ଚରିତ୍ର ଜମି ଫେରେଇବା ପାଇଁ ଗଲା। ମାରବାଡ଼ି ମହାଜନ କହିଲା ତୋର ବୁଆ ଜମି ଉଡ଼େନ ଦେଲା, ମାସେ ପନ୍ଦରଦିନେ ଆସିକରି ଟଙ୍କା ନେଇଛେ। ମୂଳ କଳନ୍ତର ମିଶି ବାରହଜାର ହଉଛେ। ଟଙ୍କା ଦେ, ତୋର ଜମି ତୁଇ ନେଇ ଯା।
-କମାଲେ ସିନା ଦେମି ମାହାଜନ! ମତେ ତ ତୁଇ ଟଙ୍କାର କଥା କେବେ ନେଇ କହେବାର।
-ଖାତା ମିଛ କହେବା କେଁ? ତୁଇ ଟଙ୍କାର ବ୍ୟବସ୍ଥା କର୍‌, ଆରୁ ଜମି ନେବୁ।
ମାରବାଡ଼ି ମହାଜନ କିଛି ଶୁଣିଲାନି। କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ। ସବୁ କଥା ବୁଝି ହେଉଥିଲେ ବି କିଛି କହିପାରିଲାନି ଚରିତ୍ର। ଗୁମ୍ ହୋଇ ବସିଲା। ଏପଟେ ଘର ଚଳେଇବା କଷ୍ଟ ହୋଇ ପଡ଼ୁଛି। ଏବେ ଗୋଟିଏ ସାହାରା ଲେର। ସ୍ତ୍ରୀ ଝିଅ ଆଉ ସେ ଖଟିଲେ। ପିଆଜ ଚାଷ କଲେ। ଫସଲ ଭଲ ହେଲା। ଦୁଇଦିନ ପରିଶ୍ରମ କରି ଶଗଡ଼ ଠିକ୍ କଲା। ଅଠର ବସ୍ତା ପିଆଜ ନେଇ କଣ୍ଟାବାଞ୍ଜି ଆର.ଏମ୍‌.ସି ଗଲା। ସତରଶହ ଟଙ୍କା ବିକିଲା। ପିଆଜ କିଲୋ ୪୦ ପଇସାରୁ କମ୍‌। ଆଉଥରେ ନେଲା କୋଡ଼ିଏ ବସ୍ତା, ଆଣିଲା ଏଗାରଶହ ଟଙ୍କା।
ଏବେ ଝିଅ ପଞ୍ଚମ ପଢ଼ୁଛି। ପୁଅଟିଏ ହେଲା। ଝିଅ ଆଉ ପଢ଼ିଲାନି। ଭାଇକୁ ଧରିଲା, ଚରିତ୍ର ଆଉ ତା’ସ୍ତ୍ରୀ କାମ କରିଗଲେ। ସବୁଦିନ କାମ ମିଳିବାରେ ବି ଅସୁବିଧା ହେଲା। ସ୍ତ୍ରୀ ସଙ୍ଗେ କଥା ହେଲା। ବହୁତ ବିଚାର ଆଚାର ପରେ ରାୟପୁର ଗଲା। ସେଠାରେ ରହିଲା ଗାଁ ଲୋକଙ୍କ ସହ। ୱାଲଟିଅର ଗେଟ ପାଖରେ ରିକ୍‌ସା ଚଳେଇଲା। ମାସେ ଦେଢ଼ମାସରେ ଥରେ ଆସିଲା ଘରକୁ। ସ୍ତ୍ରୀ ତାର ଗାଁରେ କାମ କଲା, ଲେରରେ ଖଟିଲା, ଚରିତ୍ର ଆଣୁଥିବା ଟଙ୍କାରେ ଚଳିଲା।
ତଥାପି ଅଭାବ ଗୋଡ଼େଇଲା ତାକୁ। ବିଧିସମ୍ମତ ବୋଲି ସବୁକଥାକୁ ସହିଲା। ରାୟପୁରରୁ ଫେରିଥାଏ, ଦ୍ୱିପ୍ରହରରେ ବସି ଗପୁଥାଏ ଗାଁ ଲୋକଙ୍କ ସହ। ପାଖ ଗାଁର ଜଣେ ପିଲା ଆସି କହିଲା ହାଇଦ୍ରାବାଦ ଯିବା କଥା। ଆଗରୁ ହାଇଦ୍ରାବାଦ (ସ୍ଥାନୀୟ ଭାଷାରେ ‘ହାଦ୍ରା’) ଯାଉଥିବା ଲୋକ ରାୟପୁରଠୁ ହାଇଦ୍ରାବାଦର ଭଲକଥା ଆଉ ବଡ଼କଥାମାନଙ୍କର ଗୋଟିଏ ତୁଳନାତ୍ମକ ଚିତ୍ର ଦେଲେ। ଚରିତ୍ରର ସ୍ତ୍ରୀ ହାଇଦ୍ରାବାଦ ଯିବା କଥାକୁ ନାପସନ୍ଦ କଲା। ତଥାପି ଜୋର ଦେଇ ବାରଣ କରି ପାରିଲା ନାହିଁ। ପାଖ ଗାଁର ସରଦାର ପିଲା ତା’ହାତରେ ଧରେଇଦେଲା ତିନିଶହ ଟଙ୍କା। ନୂଆ ଖାଇଲା।
ଦଶହରା ସରିଲା। ସରଦାର ପିଲା ଆସିଲା। ତା’ର ସହ ଗାଁର ଅନ୍ୟ ଦୁଇଜଣ ଲୋକଙ୍କୁ ଡାକି କହିଲା ତମେ ତିନିଜଣ ଗୋଟେ ପଥରିଆ ହେଲ। ଅଗ୍ରୀମ ଦେଲା ନଅ ହଜାର ଟଙ୍କା। ଏକାସଙ୍ଗେ ତିନିହଜାର ଟଙ୍କା ଦେଲା ସ୍ତ୍ରୀକୁ। ଦିନେ ରାତିରେ ବାହାରିଲେ ସମସ୍ତେ। ଚରିତ୍ର କିଛି ଚାଉଳ, ଲୁଗା ଆଉ ବାସନ ଭରିଲା ବସ୍ତାରେ। ସ୍ତ୍ରୀ ଭୋ କରି କାନ୍ଦିଲା। ଝିଅ କିଛି କିଛି ବୁଝିପାରୁଥିଲା। ସେ ବି କାନ୍ଦିଲା। ଚରିତ୍ର ତାକୁ ବଚଝେଇଲା। କହିଲା ତୋର ଲାଗି କାଣା ଆନ୍‌ମି କହ। ଝିଅ କହିଲା କାର୍ତିକ ଗାଧମି, ନୂଆଁ କପଟା ଆନିଦେବୁ। କାର୍ତିକ ପୁଣ୍ଣିମା ପର୍ଯ୍ୟନ୍ତ ଛୋଟ ସମୟ। ସେ ତ ଯାଉଛି ଅନିଶ୍ଚିତ ଆଡ଼କୁ। ଚରିତ୍ରର ଆଖି ଓଦା ହୋଇଗଲା। ସରଦାର ପିଲା ଆସି ଧମକେଇଲା କାନ୍ଦନି। ଚୁପ୍ ହେଲ। ଚରିତ୍ର ଘରୁ ଏମିତି ବାହାରିଲା ଯେ ସେ କାମ କରି ଯାଉନି ଚୋରୀ କରିବାକୁ ଯାଉଛି।
କଣ୍ଟାବାଞ୍ଜି ଷ୍ଟେସନରେ ଦୁଇଦିନ ରହିବା ପରେ ଟ୍ରେନ୍ ଚଢ଼ିଲା ଚରିତ୍ର। ରେଳଗାଡ଼ି ଚାଲୁଥାଏ। ଚିହ୍ନା-ଅଚିହ୍ନା ଅନେକ ଲୋକ ରେଳଡବାରେ। ତା’ଝିଅ ବୟସର ଝିଅ ଅନେକ। ବୋହୁ ଭୁଆଶୁଣି ଅନେକ। ଛୁଆପିଲା ଧରି ବି ଯାଉଥାନ୍ତି। ଖିର ପିଉଥିବା ଛୁଆମାନଙ୍କୁ ଦେଖି ଚରିତ୍ର ମନେ ମନେ ବିଧାତାକୁ ହାତ ଯୋଡ଼ିଲା, ‘ହେ ମହାପୁରୁ! ଇ ଦିନ କାହାକେ ନେଇ ଦେଖା ହୋ।’
ରାତି ହେଲା। ଟ୍ରେନଟି ଚାଲୁଥାଏ। ଯିଏ ଯାହା ଧରିଥିଲା ଖାଇଲା। ପ୍ରାୟ ସମସ୍ତେ ଶୋଉଥାନ୍ତି। ଚରିତ୍ରକୁ ନିଦ ହେଉନଥାଏ। ଯୁବକ ଜଣେ ଆସି ଶୋଇଥିବା ଜଣେ ଯୁବତୀ ଝିଅକୁ ଉଠେଇଲ, କହିଲା ‘ଚାଲ ସେଆଡେ ବସ୍‌ବୁ।’ ବୋଧହୁଏ ସେ ଯୁବକଟି କେଉଁ ସରଦାର ହୋଇଥିବ। ତା’ବାପା ଶୋଇଥାଏ ପାଖରେ। ଝିଅଟି ଉଠିଲାନି। ପାଖ ଆଖରେ ଶୋଇଥିବା ତିନିଚାରଜଣଙ୍କ ନିଦ ଭାଙ୍ଗିଗଲା। ସେମାନେ କିଛି କହିଲେନି, ଯେମିତି ଶୋଇଥିଲେ ସେମିତି ଶୋଇଗଲେ। ବାପଟି କିନ୍ତୁ ଉଠିଲାନି। ‘ଚାଲ ଚାଲ ନାଟ ନେଇକର!’ ବୋଲି ଏକପ୍ରକାର ଭିଡ଼ି ନେଲା ସେ ସରଦାର ପରି ଦିଶୁଥିବା ପିଲାଟି। ଚରିତ୍ର ପ୍ରତିବାଦ କରିବାକୁ ଉଠୁଥିଲା। ପାଖର ଲୋକ ତା ହାତ ଧରିଦେଲା। ଆଶ୍ଚର୍ଯ୍ୟ ହେଲା ଚରିତ୍ର। ନିଦ ହେଲାନି। ଅସ୍ତବ୍ୟସ୍ତ ହୋଇପଡ଼ିଲା। ବହୁତ ରାତିରେ ଆସିଲା ଝିଅଟି। ତା’ବାପ ଶୋଇଥାଏ ପୂର୍ବପରି। ଆଉ ଏମିତି ଶୋଇଥାଏ ଯେ ଯେମିତି କିଛି ହୋଇନି। ସକାଳ ହେଲା। ଲୋକେ ନିଜ ନିଜର କାମରେ ବ୍ୟସ୍ତରହିଲେ। ରେଳଗାଡ଼ି ଚାଲିଥାଏ। ଆଶ୍ଚର୍ଯ୍ୟ ହୋଇଗଲା ଚରିତ୍ର ରାତିର ଘଟଣାକୁ ସମସ୍ତେ ଅସ୍ୱୀକାର କରୁଛନ୍ତି ନିଜ ନିଜର ବ୍ୟସ୍ତତା ଆଳରେ। ଚିରାଚରିତ ଘଟଣାଟିଏ ଘଟିଗଲା ଯେମିତି ରାତିରେ।
ଥରେ ଟ୍ରେନ ବଦଳି ପହଞ୍ଚିଲେ ହାଇଦ୍ରାବାଦ। ସେଠାରୁ ଟ୍ରକରେ ବହୁତ ଦୂରକୁ। ଗୋଟିଏ ଖୋଲା ପଡ଼ିଆ। ଗଛବୃଛର ନାଁ ନାହିିଁ। ତା’ପରି ତା’ ଅଞ୍ଚଳର ହଜାର ହଜାର ପରିବାର। ତାର ପରିବାର ତା’ ଠାରୁ ବହୁତ ଦୂରେ। ଲେରରେ ଦାଦିବୁଢ଼ା ଶୁଣୁଥିବା କାହାଣୀର ରାଇଜ। ଘୋଡ଼ାରେ ଗଲେ ସାତଦିନ, ସାତରାତି।
ଚରିତ୍ର ଆଉ ତା’ ଗାଁର ସାଙ୍ଗ ଦୁଇଜଣ ଗୋଟିଏ ଗୁଡ଼ସି ତିଆରି କଲେ। ପଡ଼ିଆ ସଫାକଲେ। ମାଟି ଖୋଳିଳେ। ଇଟା ତିଆରି କଲେ। ସକାଳୁ ଇଟାଭାଟି ମାଲିକ ଆସିବ। ହାଜିରା ପକେଇବ, ଇଟାର ହିସାବ ଲେଖିନେବ। ଖଟିଖିଆ ମଣିଷ ଚରିତ୍ର। ବୁଧବାର ହେଲା। ସକାଳୁ କାମ କଲେ ସନ୍ଧ୍ୟାରେ ଟଙ୍କା ମିଳେ। ମୁନ୍‌ସି ବୁଝେଇ ଦେଲା ଚରିତ୍ର ଦଳର ପଥରିଆଙ୍କୁ। ତୁମେ ଦଶହଜାର ଇଟା ତିଆରି କରିଛ। ହଜାର ୬୦ ଟଙ୍କା ହିସାବରେ ୬୦୦ ଟଙ୍କା। ଏଡ୍‌ଭାନ୍ସ ଟଙ୍କା ତିନି ଶହ କଟିଲା। ତିନିଶହ ତୁମର, ଆଉଜଣକୁ ବଜାର କରିବ ୨୦ ଟଙ୍କା। ମୋଟ ତିନିଶହ ଷାଠିଏ ଟଙ୍କା ଦେଲା। ଭାଗ ହେଲା ଜଣକୁ ଶହେକୋଡ଼ିଏ ଟଙ୍କା। ଚରିତ୍ର କହିଲା, ‘କଥା ତ ହଜାର ଇଟକେ ଛକୁଏର (୧୨୦) ଟଙ୍କା ଛିଡ଼ିଥିଲା!’ ପାଖ ଲୋକ କହିଲା, ଚୁପ୍ ରହ ଏଡ୍‌ଭାନ୍ସ ଟଙ୍କା ଆରୁ ବାକି ହିସାବ କିତାବ ଥି ନେଇ କଟ୍‌ବା ନା କେଁ! ଚୁପ୍ ହେଲା ଚରିତ୍ର। ପ୍ରତିବାଦ କରିବ ତ କାହାକୁ। ଏତେ ଟଙ୍କା ତ ସପ୍ତାହକୁ ସପ୍ତାହ ସବୁବେଳେ ଆସିବ। ସେ ଖଟିବ, ଖୁବ୍ ଖଟିବ। ରୋଜଗାର କରିବ ଖୁବ୍‌…
ତା’ପରଦିନ ଅନ୍ୟମାନଙ୍କ ପରି ପାଖ ବଜାରକୁ ଗଲା ଚରିତ୍ର। ଏଠାରେ ସେ ଜାଣିଲା ଯେ ସେ କାମ କରୁଥିବା ଅଞ୍ଚଳ ହେଉଛି ରଙ୍ଗାରେଡି ପାଖରେ। ବଜାରରେ ଦେଖିଲା ଅତି କମ୍ ଚାଉଳ ଯାହାକୁ କେବଳ ସର୍ଦ୍ଦାରମାନଙ୍କ ଲୋକ କିଣୁଥିଲେ। ଖୁଦ ଯାହାକୁ ତା’ପରି ଅନ୍ୟମାନେ କିଣୁଥିଲେ। ସେ ବି କିଣିଲା କିଲୋ ୬ ଟଙ୍କାରେ ଚାରି କେଜି, ତେଲ ଆଠଟଙ୍କା, ମିରଚା ୨ ଟଙ୍କାର, ଲୁଣ ୨ ଟଙ୍କା, ଡାଲି ୫ ଟଙ୍କା, ମାଚିସ ୨ ଟି, ବିଡ଼ି ଆଠ ଟଙ୍କାର। ବଜାରରେ ପକୋଡ଼ି ଖାଇଲା ୨ ଟଙ୍କାର,ଆଉ ଚା’ପିଇଲା ଟଙ୍କାଏ।
ଦିନବେଳେ ସରିଗଲା ଘରୁଆଣିଥିବା ଚାଉଳ। ରାତିରେ ରନ୍ଧାହେଲା। ଚରିତ୍ର ପାଟିରେ ପକେଇଲା ଖୁଦ ପଖାଳ। ହଠାତ୍ ମନ ଧାଇଁଗଲା ଘରକୁ। ତା’ ସ୍ତ୍ରୀ ଝିଅ କାନ୍ଦିଲେ ଗୀତ ଗାଇ ଖୁଏଇବ, ‘ମୋର ରାନୀ ଖାଏବା ଗେଲେଇ ଚାଉଲର ଭାତ…।’ ଆଖିରୁ ଧାରା ବହିଗଲା। ତାର ସାଙ୍ଗ କହିଲା, ‘ଏ ବବା! କାଏଁ ହଉଛୁ?’ ମାଇପ ପରି କାନ୍ଦି ପକେଇଲା ଚରିତ୍ର। ‘ଘର ଶୋର ଆସିଛେ ଗା ବବା! ପିଲାଛୁଆ…’ କାନ୍ଦିଲା। ‘ ଏଁ… ହେଁ…! ତୁମ ପଡ଼, ହେ ପିଲାଛୁଆର ଲାଗି ତୋ ପରଦେଶ ଆସିଛୁଁ!’ ‘ଖୋବ୍ ଅଭାବ ଦେଖିଛେଁ ଗା ବବା! ହେଲେ ଏନ୍ତା ଗୁଲ୍‌ଗୁଲା…’
ଚରିତ୍ର ଦୁଇଜଣ ସାଥିସହ କାମ କରେ। ଗୁରୁବାର ବଜାର ଯାଏ। ରାତିରେ ଗୁଡ଼ସିରେ ଶୁଏ। କେବେ କେବେ ବଏଲର କୁକୁଡ଼ାଟିଏ ଆଣନ୍ତି। ଲୁକା ଚୋରାରେ ମଦ ଟିକେ ପିଇ ଘର କଥା ହେଇ ହେଇ ଶୋଇ ପଡ଼ନ୍ତି। ଖରା ବଢ଼ିଲା। ଦିନବେଳେ କାମ କରିହେଲାନି। ସକାଳୁ ସକାଳୁ ମାଟି ମାଡ଼ିଦେଇ ଶୋଇପଡ଼ନ୍ତି। ଖରା ତେଜ କମିଗଲେ ଖଟନ୍ତି, ଆଉ ଖଟନ୍ତି ଶରୀର ଜବାବ ଦେବା ପର୍ଯ୍ୟନ୍ତ।
ଫେରିବା ସମୟ ହେଲା। ମୁନ୍‌ସି ଆସି ବସିଲା ତାଙ୍କ ଗୁଡ଼ସିରେ । ବୁଝେଇଲା ତମାମ କାମର ହିସାବ ପୁରା ଇମାନଦାର। ଟଙ୍କାଟିଏ ଏପଟ ସେପଟ ହେଲାନି। ସର୍ଦ୍ଦାର ପିଲା ଥିଲା ମୁନ୍‌ସୀ ସାଙ୍ଗରେ। ସେ କହିଲା, ‘ଗଲା ବେଲକେ ମୁଇଁ ଟିକଟ କରିଦେମି। ଚିନ୍ତା ନେଇ କର, ଯେନ୍ତା ଆନିଥିଲି ସେନ୍ତା ତମର ଘରେ ଛାଡ଼ିଦେମି।’
ଫେରିଲା। ଡବାକୁ ଚଢ଼ିଲା। ଆସିଲା ବେଳେ ସର୍ଦ୍ଦାର ପିଲା ଡାକିଥିବା ସେ ଝିଅକୁ ଦେଖିଲା। ଝିଅଟିର ଗଠନ ତାକୁ ଠିକ୍ ଲାଗିଲାନି। ପେଟ ଟିକେ ବଢ଼ିଛି ଯେପରି। ଚରିତ୍ରର ମନ ବିଚଳିତ ହେଲା। ଓହ୍ଲେଇ ଯାଇ ଅନ୍ୟ ଡବାକୁ ଗଲା।
ସନ୍ଧ୍ୟାରେ ଘରକୁ ଫେରିଲା ଚରିତ୍ର। ସ୍ତ୍ରୀ ତାର ଧୂସର ଶରୀରକୁ ଦେଖି କାନ୍ଦି ପକେଇଲା। ଝିଅ ଖୁସି ହେଲା ନୂଆ ଜାମା ଦେଖି। ପୁଅ ଚିହ୍ନିଲାନି। ସ୍ତ୍ରୀକୁ ବଢ଼େଇଦେଳା ଦୁଇହଜାର ଟଙ୍କା ଆଉ କିଛି ରେଜା। ପୁଅକୁ କିଛି ପ୍ଲାଷ୍ଟିକ୍ ଖେଳଣା।
ଗାଧୋଇ ଗଲା। ଫେରି ଖାଇଲା। ଶୋଇଲାବେଳେ ସ୍ତ୍ରୀ ତାକୁ ତେଲ ଲଗେଇଦେଲା, ଦୁହେଁ ସୁଖ ଦୁଃଖ ହେଲେ। ରାତି ଜଲ୍‌ଦି ଜଲ୍‌ଦି ସରିଯାଉଥାଏ।
ଏହାପରେ ଦୁଇବର୍ଷ ଚରିତ୍ର ଗଲା ଇଟାଗଢ଼ି ହାଇଦ୍ରାବାଦ।
ତା’ ପରେ ମନାକଲା ସ୍ତ୍ରୀ। ଉଇଲ ଦାମ ବି ବଢ୍‌ଲା ନା। ଲେର ଥି ଖଟୁଁ ଗୋ। ଝି ଜୁଆନ ହେଲା। ତମେ ପରଦେଶ ଗଲେ ମୁଇଁ କାହାକେ ଜଗମି। ଚରିତ୍ରର ମନକୁ ଘାଣ୍ଟିଲା ସେ ପ୍ରଥମ ଯାତ୍ରାର ପ୍ରଥମ ରାତି। ବହୁତ ଚିନ୍ତା କଲା। ସ୍ତ୍ରୀ କୁ କହିଲା ଦୁଇଟା ବଡ଼ମକରା (୧୯୯୬ ଏବଂ ୨୦୦୦) ରାଏପୁର ଆରୁ ହାଦ୍ରା ପାର କରାଲା। ଉଲର କେଁ ଭରସା? ଇ ଥର ସଭେ ଯିମା। ସରଦାର ପିଲା ପନ୍ଦର ହଜାର ଟଙ୍କା ଆଗ୍ରୀମ ଦେଲା। ପୁଅ ସ୍କୁଲ ଯାଇଥାଏ, ପ୍ରଥମ ଶ୍ରେଣୀ। ଚରିତ୍ର ଡାକିଲା। ପୁଅ ବସ୍ତାନି ଧରି ଘରକୁ ଅସିଲା। ଘରମୁହଁରେ କଣ୍ଟା ଝାପ ଦିଆ ହୋଇଥାଏ। କାଖରେ ବସ୍ତାନି ଧରି ଗାଡ଼ିରେ ଚଢ଼ିଲା। ଟ୍ରେନରେ ବି ବହିବସ୍ତାନି ଛାଡ଼ି ନଥାଏ। ପାଖ ଲୋକ ଥଟାରେ କହିଲେ, ଆମର ବାବୁ ପାଠପଢ଼ି ଯାଉଛେ ହାଦ୍ରାକେ। ସମସ୍ତେ ହସିଲେ।
ଚରିତ୍ରର ପରିବାର ପହଞ୍ଚିଲେ ହାଇଦ୍ରାବାଦ। ଏଥର ସେହି ରଙ୍ଗାରେଡ଼ୀ ଭାଟିରେ କାମ କଲେ। ଫେରିଲାବେଳେ ଆଣିଲା ସାତହଜାର ଟଙ୍କା। କିଛି ଅଘଟଣ ଘଟିଲାନି। ଆଖି ଆଖି ଦେଖୁଥିଲେ ଝିଅକୁ।
ତା’ପରବର୍ଷ ପୁଣି ଗଲା। ଏଥର କାମ କଲା ଗୁଣ୍ଟୁରରେ। ଗାଁ ଲୋକ କେହି ନଥିଲେ। ସମସ୍ତେ ଅଚିହ୍ନା। ଚରିତ୍ର ଅନୁଭବ କଲା ଝିଅର ବୟସକୁ ଆକଟ କରିବାକୁ ଅସମର୍ଥ ହେଇ ପଡ଼ୁଛି। ସେଠାରେ ପଡ଼ୋଶୀ ଝିଅଙ୍କ ସହ ମିଶି ନିତ୍ୟକର୍ମ ସାରିବାକୁ ଗଲେ କି ଗାଧୋଇବାକୁ ଗଲେ ଅହେତୁକ ବିଳମ୍ବ କରୁଛି। ଷୋହଳ ବର୍ଷର ଝିଅ। ଚରିତ୍ର ଆଉ ତା ସ୍ତ୍ରୀ ସେତେ ଖଟି ପାରିଲେନି । ଦିନେ ଝିଅ ରାନ୍ଧିସାରି କୁଆଡ଼େ ଗଲା। ଚରିତ୍ର ଗୁଡ଼୍‌ସିକୁ େ‘ରି ଜାଣିଲା ମୁନ୍‌ସୀ ମାଲିକ ଘରକୁ ଡାକି ନେଇଛି କାମ କରିବାକୁ । ପହରେ ରାତିରେ ଝିଅ ଫେରିଲା। ତା’ର ପାଖ ସାଙ୍ଗସହ। ଚରିତ୍ର ତାକୁ ଧମକେଇ ଦେଲା। ଝିଅ ଜବାବ ଦେଲା। ଚରିତ୍ର ଡରିଗଲା। ଖାଇଲାନି ରାତିରେ।
ପରଦିନ ମୁନ୍‌ସୀ ବୁଝେଇଲା ତୋର ଝିଅ ମୋର ଝିଅ। କିଛି ଅସୁବିଧା ହେବନି। ଅନ୍ୟ ଝିଅମାନେ ବି ତ’କାମ କରି ଯାଉଛନ୍ତି, ତାଙ୍କୁ ପଚାର। ଚରିତ୍ର ଚୁପ୍ ପଡ଼ିଲେ ବି ଶାନ୍ତ ହୋଇ ପାରିଲାନି। ନାନା ପାପ ଛୁଇଁଲା ମନକୁ। ଖଟି ପରିଲାନି। କାମ ବି କରି ପାରିଲାନି। ଅଗ୍ରୀମ ଟଙ୍କା ବି ସୁଝି ପାରିଲାନି। ଫେରିଲା ଗାଁକୁ।
ସ୍ତ୍ରୀ ଦିନେ କହିଲା ଝିଅର କଥା। ଚରିତ୍ର ମୁଣ୍ଡରେ ଚଡ଼କ ପଡ଼ିଲା। ମାଡ଼ପିଟ କଲା ଝିଅକୁ। କରିବ କଣ? ଦୁଇଜଣ ପିଲାର ନାଁ କହିଲା ଝିଅ। ଜଣେ ନିଜ ଜାତିର ସର୍ଦ୍ଦାର ପିଲା, ଅନ୍ୟଜଣେ ତାର ସହଯୋଗୀ। ମାଲିକ ପୁଅ ବି ତା’ଘରେ ତାକୁ ଜବରଦସ୍ତି କରିଥିବା କଥା କହିଲା।
ଚରିତ୍ର ସରଦାର ପିଲା ନିକଟକୁ ଗଲା। ସରଦାର ପିଲା କିଛି ଶୁଣିଲାନି, ଓଲଟା ମାଡ଼ପିଟ କଲା। ଅଚିହ୍ନା ଗାଁ, ସବୁବେଳେ ଯିବା ଆସିବା ଆନ୍ଧ୍ରକୁ। ଇଏବି ସରଦାର, କେତେବେଳେ କଉକଥା। ଜାତିର ପିଲା ତ କିଛ ବି କରିପାରିବ। ଫେରିଲା ଘରକୁ। ତା’ପରେ ଗଲା ଗୋଟିଏ ଛୋଟ ଏନ୍‌ଜିଓ କରିଥିବା ସମାଜର ସଭାପତି ନିକଟକୁ। ସଭାପତି ବଡ଼ ବଡ଼ କଥା କହିଲା। ଆଇନ କାନୁନର କଥା କହିଲା। ସରକାରକୁ ଗାଳିଦେଲା। ଦାଦନ କତା ବୁଝେଇଲା। ହେଲେ କିଛି କଲାନି। ବରଂ ସମାଜର କିଛି ଲୋକ ଏ କଥା ଜାଣି ଛି ଛା କଲେ।
ଅସହ୍ୟ ହେଲା ଚରିତ୍ରକୁ। ତାକୁ ଆନ୍ଧ୍ରା ନେଇଥିବା ସରଦାର ପିଲାକୁ କହିଲା। ସରଦାର ପିଲା ସବୁ ଜାଣି ଦୁଃଖ କଲା। ତାର ପରାମର୍ଶ ଅନୁସାରେ ସକାଳୁ ଝିଅକୁ ଧରି ଥାନାକୁ ଗଲା। ଥାନାବାବୁ ନଥିଲେ। ଝିଅ ଆଉ ସ୍ତ୍ରୀ କୁ ବସେଇ ଖାଇବା ଆଣିଗଲା। ସରଦାର ପିଲା ନାଁରେ ଅଭିଯୋଗ କଲା। ଥାନାରେ ସମସ୍ତେ ଜାଣନ୍ତି ସରଦାର ପିଲାକୁ। ଥାନାରେ ସମସ୍ତେ ଏହାକୁ ନାନା କଥା ପଚାରୁଥାନ୍ତି। ଝିଅକୁ ବି। ମୁଣ୍ଡଝାଡ଼ି ଝିଅଟି ତାଙ୍କୁ ଉତର ଦେଉଥାଏ। ସନ୍ଧ୍ୟା ହେଇ ଆସୁଥାଏ। କନେଷ୍ଟବଲ ଜଣେ ତାକୁ ଚା ଓ ସିଗାରେଟ କିଣି ଯିବାକୁ କହିଲା। ଚରିତ୍ର ହଁ କଲା। ଫେରିଲା, ସ୍ତ୍ରୀ ପାଖରେ ଝିଅ ନଥିଲା। ସ୍ତ୍ରୀ ତାକୁ ଇସାରା କଲା। ଭିତରକୁ ଯାଇ ଦେଖିଲା ତା ରକ୍ତ ଗରମ ଗରମ ହୋଇଗଲା। ଦୌଡ଼ିଯାଇ କନେଷ୍ଟବଲକୁ ଗୋଟିଏ ଚଟକଣା ଦେଲା। ଏତେବେଳେ ଥାନାବାବୁ ପହଞ୍ଚିସାରିଥିଲେ। କିଛି ନ ବୁଝି ବାଡ଼େଇଲେ ଚରିତ୍ରକୁ। ଚରିତ୍ର ଚିତ୍କାର କରୁଥାଏ। ଝିଅ ଓ ତା ସ୍ତ୍ରୀ ଥାନାବାବରୁ ଗୋଡ଼ ଧରିଲେ। ଥାନାବାବୁ ବୁଟ୍‌ରେ ଗୋଟିଏ ଲାତ ମାରିଲେ। ବାଜିଲା ଝିଅର ପେଟରେ। ଏ ବୁଆ! ବୋଲି ଝିଅଟି ସଂଜ୍ଞାହୀନ ହୋଇପଡ଼ିଲା। ଗ୍ରାମରକ୍ଷୀ ଦୁଇଜଣ ଝିଅର ମୁହଁରେ ପାଣି ଛାଟିଲେ। ଝିଅ ପିନ୍ଧିଥିବା ସାଢ଼ୀଟି ଅଣ୍ଟା ତଳକୁ ଭିଜି ଯାଇଥିଲା ରକ୍ତରେ। ଥାନା ଗାଡ଼ିରେ ଝିଅ, ଚରିତ୍ର, ଓ ସ୍ତ୍ରୀକୁ ଲଦି ନେଇଗଲେ ଗୋଟିଏ ଶୁନ୍‌ଶାନ ଜାଗାକୁ। ଘଣ୍ଟାଏ ପରେ କ୍ୱାକ୍ ଜଣକୁ ଧରି କନେଷ୍ଟବଲଟିଏ ପହଞ୍ଚିଲା ମୋଟରସାଇକେଲରେ। କ୍ୱାକ୍ ଝିଅର ପିନ୍ଧା ଶଢ଼ୀକୁ ତଳେ ପକେଇ ତା’ ଉପରେ ସଜ୍ଞାହୀନ ଝିଅକୁ ଶୁଆଇ ଚିକିତ୍ସା କଲା। ଇଂଜେକ୍ସନ୍ ଦେଲା। ଚରିତ୍ର ଓ ତା’ସ୍ତ୍ରୀର ସାମାନ୍ୟ ପ୍ରତିକ୍ରିୟାକୁ ପୋଲିସମାନେ ଧମକେଇ ଚୁପ୍ କରଉଥାନ୍ତି। ଅଧାରାତିରେ ଝିଅର ସଜ୍ଞା ଫେରିଲା। ପୋଲିସ ଗାଡ଼ିରେ ସମସ୍ତଙ୍କୁ ଆଣି ଗାଁ ବାଟରେ ଛାଡ଼ି ପୋଲିସମାନେ ପଳେଇଲେ। ଫେରିଲାବେଳେ ଧମକ ଦେଇଗଲେ ଯେ କାହାକୁ କହିଲେ ମାରିଦେବୁ।
ଝିଅଟି ଘରୁ ବାହାରିଲାନି। ଅନେକ ଦିନ ପରେ ଲୋକ ଜାଣିଲେ ଝିଅକୁ ଅକାରଣେ ବଦନାମ କରୁଥିଲେ। ଚରିତ୍ର ପୁଅ ଖୋଜିଲା। ଝିଅର ବାହାଘର ପାଇଁ। ତାକୁ ନେଉଥିବା ସରଦାର ପିଲା ବହୁତ ସହଯୋଗ କଲା। ନିଜର ପୁଅ ପରି। ଜୋଇଁ ମିଳିଲା, ଛଅ ଏକର ଜମି-ଦୁଇଭାଇ ଧାନ,ଗୁରଜି ଚାଷ କରନ୍ତି, ପିଆଜ ବି। ଦାଦନ ଯାଆନ୍ତି ନାହିଁ। ଲେରକୁ ଗାଁ ମାଷ୍ଟରକୁ କୋଡ଼ିଏ ହଜାର ଟଙ୍କାରେ ବିକି ଝିଅର ବାହାକଲା। ଏନଜିଓ କରିଥିବା ସମାଜର ସଭାପତି ଆସି ତାକୁ ପାଞ୍ଚହଜାର ଟଙ୍କା ମାଗିଲା। ଝିଅର ଭବିଷ୍ୟତକୁ ଦେଖି ଚରିତ୍ର ମାରବାଡ଼ି ମହାଜନ ଠାରୁ ପାଞ୍ଚହଜାର ଟଙ୍କା କଳନ୍ତର ଆଣି ସମାଜ ସଭାପତିକୁ ଦେଲା। ତାକୁ ନେଉଥିବା ସରଦାର ପିଲା ଦଶହରା ପରେ ଚରିତ୍ରକୁ ଟଙ୍କା ଧାର ଦେଲା ଋଣ ପରିଶୋଧ କରିବାକୁ । ଏ ବର୍ଷ ଚରିତ୍ର ରାୟପୁର ଗଲା।
ତା’ପରବର୍ଷ ଗୋଟିଏ ବଡ଼ ଏନଜିଓରେ କାମ କରୁଥିବା ପିଲାମାନେ ଆସିଲେ। ସେମାନେ ଆଗରୁ ବି ଆସୁଥିଲେ। ଆନ୍ଧକୁ ନଯିବା ପାଇଁ କହୁଥିଲେ। ତାଙ୍କୁ ନାନା କଥା କହି ବୁଝଉଥିଲେ। ସବୁ କଥା ସତ, ହେଲେ ଚରିତ୍ରମାନଙ୍କ ପାଇଁ ଅର୍ଦ୍ଧସତ୍ୟ ହିଁ ଥିଲା। ଏତେକାମ ଏ ଛୋଟ ପିଲାମାନେ ଦେବେ ଆଉ ଦେଲେ ବି କେତେ ଦିନକୁ। ଶୁଣୁଥିଲେ ସମସ୍ତେ, ବାସ୍ ଏତିକି ହିଁ ସହଯୋଗ ଥିଲା ଏନଜିଓ ପିଲାମାନଙ୍କ ପ୍ରତି। ଆଜିବି ଚରିତ୍ର ଗଲା ସେମାନଙ୍କ କଥା ଶୁଣିବାକୁ। କହିଲେ ତୁମେ କାମ କରିଯାଅ। କାମ କରିଯିବା ତୁମର ଅଧିକାର। ସାରା ଦେଶରେ ତୁମେ ଯେଉଁଠି ହେଲେ କାମ କରିପାରିବ। ତମେ ଭଲରେ ଯାଅ, ଭଲ କାମ କର, ଆଉ ଭଲରେ ଆସ। ହେଲେ ତୁମର ସ୍କୁଲ ଯାଉଥିବା ପୁଅ ଝିଅଙ୍କୁ ଆମ ପାଖରେ ଛାଡ଼ିଯାଅ । ଆମେ ତାଙ୍କୁ ଖୁଏଇ ପିଏଇ ପାଠ ପଢ଼େଇବୁ। ଗାଁ ଛାଡ଼ି ଯାଉଥିବା ଲୋକ ପାଠ ପଢ଼େଇବା ପାଇଁ ପୁଅଝିଅଙ୍କ ନାଁ ଲେଖିଲେ। ଏମାନଙ୍କୁ ଏଠାରେ ଖାଦ୍ୟ ସୁରକ୍ଷା ମିଳିଲେ ସେଠାରେ ଅଚିନ୍ତାରେ କାମ କରିହେବ।
ଚରିତ୍ର ପ୍ରତିବାଦ କଲା, ‘ତୁମେମାନେ ତ ଆଜ୍ଞା ଆଗରୁ ଆସିକରି ଇଟା ବନେଇଯିବାର ଲାଗି ମନା କରୁଥିଲ। ଏଭେ କେନ୍ତା ଯ ବୋଲିକରି କହୁଛ! ଆରୁ ଆମର ପିଲାଛୁଆକେ ପାଠ ପଢ଼େଇ ପୁଷମୁଁ ବଲି କହୁଛ।’
ଥ ଥ ମ ମ ହେଇଗଲେ ଏନଜିଓ ପିଲାମାନେ। ଗାଁ ଲୋକ ଚରିତ୍ରକୁ ଚୁପ୍ କରେଇଲେ। ଏନ.ଜି.ଓ ପିଲାମାନଙ୍କ ସପକ୍ଷ ନେଇ। ସାହସ ପାଇ ଜଣେ ପିଲା ଗାଁ ଲୋକଙ୍କୁ ବୁଝେଇଲା ପରି କହିଲା-‘ଆମେରିକା ସରକାର ତୁମର ପିଲାଛୁଆ ଜଣକର ପିଛା ଆଠ ହଜାର ଟଙ୍କା ଖର୍ଚ୍ଚା କରି ଗାଁ ଥି ପାଠ ପଢ଼ାବା, ଖାଏବାର୍ ଲାଗି ଦେବା। ତମେମାନେ ଯଦି ଝଗଡ଼ା କର୍‌ବ, ଗାଁ ନୁ ସ୍କୁଲ ଉଠିଯିବା।’ ଲୋକେ ଶଙ୍କିଗଲେ- ହଁ ହଁ କହିଲେ।
‘ହେ ଆଠ ହଜାର ଲେଖା ତମର ଆମେରିକା ସରକାର ଦେଲେ ଆମେ ବିଦେଶକେ ଖଟିଖାଇ କେଁ କରି ଯାଏତୁଁ? ଚରିତ୍ରର ଏହି ଟପ୍‌ଣୀକୁ ଗାଁ ଲୋକ ରଡ଼ିକରି ପ୍ରତ୍ୟାଖ୍ୟାନ କଲେଯେପରି।’
ସ୍କୁଲ ଚାଲିଲା। ଲୋକେ ଗାଁ ଛାଡ଼ିଲେ। ଚରିତ୍ର ବି ସ୍ତ୍ରୀ ଆଉ ପୁଅକୁ ଧରି ଆନ୍ଧ୍ରା ଗଲା। ପୁଅ ସେଠାରେ ଏନ୍‌.ଜି.ଓ ସ୍କୁଲ୍‌ରେ ପାଠ ପଢ଼ିବ।
ବର୍ଷେପରେ ଚରିତ୍ରକୁ ଭେଟିଲି। ଝିଅ ତାର ଭଲରେ ଅଛି। ସେ ନିଜେ ଏବେ ଗୋଟିଏ ଚିକିନି ସରଦାର। ଦଶ ପନ୍ଦର ପରିବାର ଧରି ହାଇଦ୍ରାବାଦ ଯାଏ। ଭଲ ରୋଜଗାର କରେ। ମୋବାଇଲ୍‌ଟିଏ ବି ଧରେ।
କେବେ କେବେ ଲେବଡ଼ା କି ଠେମରା ପଟକୁ ଲେବର ପାଇଁ କି କେଉଁ କାମ ପାଇଁ ଗଲେ ‘ଟାମୁଡ଼ା ଯିବାକୁ ଭୁଲେନି। ବସେ ଇଆରଆରପି ଜମି ଆଉ ଭତାରେ ଗୁମ୍ଫାପରି ଛୋଟଘରେ ସ୍ତ୍ରୀ ସହିତ ଜୀବନ ବିତଉଥିବା ନିପୁତ୍ରୀ ଲୋକକବି ଆନନ୍ଦ ବାଗଙ୍କ ପାଖେ। କହେ, “ବବା ସେ ଗୀତ ଟିକେ ଗା।”
ଖଟରେ ବସେ ଚରିତ୍ର, ଆନନ୍ଦ ବାଗ ଗୀତ ଗା’ନ୍ତି- “ଦେଖତରେ ଭାଇ ଶୁନତରେ…” ଚରିତ୍ରର ଆଖି ଲମ୍ବିଯାଏ ଖେତଖଲା ଡେଇଁ ଗଁରେଇ ବରକାନୀ ରାସ୍ତା ସେପାଖ ଦିଗ୍‌ବଳୟ ଭେଦି ହାଇଦ୍ରାବାଦର ଦୂରତା ମାପିବାକୁ।
(ଏହାର ସମସ୍ତ ଘଟଣା ସତ୍ୟ ଅଟେ। କେବଳ ସାମାଜିକ ପ୍ରତିବନ୍ଧକ ଯୋଗୁଁ ଚରିତ୍ରର ନାମ ଓ ଠିକଣା ପ୍ରକାଶ ନକରିବାକୁ ମୁଁ ବଚନବଦ୍ଧ)


ଦାଦନ ଶ୍ରମିକଙ୍କୁ ରାଷ୍ଟ୍ରର ମାନ୍ୟତା ମିଳୁ
ବିଷ୍ଣୁ ପ୍ରସାଦ ଶର୍ମା।

ବଲାଙ୍ଗିର ଜିଲ୍ଲାର ଗୋଟିଏ ଅଖ୍ୟାତପଲ୍ଲୀ ବିରିପାଲିରୁ ଆସି କଂଟାବାଞ୍ଜିରେ ଜଣେ ବିଶିଷ୍ଠ ଆଇନଜୀବୀ ଭାବେ ପରିଚିତ। ଅଞ୍ଚଳର ବିଭିନ୍ନ ସାମାଜିକ ସମସ୍ୟା ଉପରେ ଗଭୀର ଅଧ୍ୟୟନ କରନ୍ତି, ଏହା ହେଉଛି ତାଙ୍କର ବିଶେଷତା। ଅଞ୍ଚଳର ବିଶେଷତା ହେଲା ଏହାର ପ୍ରାଚୀନ କୀର୍ତିରାଜି ପାଇଁ ଦେଶବିଦେଶର ଗବେଷକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଦେଶ ବିଦେଶର ଗଣମାଧ୍ୟମକୁ କେବଳ ଏହାର ସମସ୍ୟା ପାଇଁ।
ସମସ୍ୟାମାନଙ୍କ ପଛରେ ଥିବା କାରଣ ଏବଂ ଏହାର ଆଇନଗତ ତର୍ଜମା ପାଇଁ ପ୍ରାୟ ସମସ୍ତ ଗଣମାଧ୍ୟମର ପତ୍ରକାର ଶ୍ରୀ ଶର୍ମାଙ୍କ ନିକଟକୁ ଆସିଥାନ୍ତି। ବିଭିନ୍ନ ଅଞ୍ଚଳକୁ ବୁଲନ୍ତି, ଏହାର ତର୍ଜମା କରନ୍ତି।
ନିମ୍ନରେ ଦିଆଯାଇଥିବା ସାକ୍ଷାତକାର ଓøପଚାରିକ ସାକ୍ଷାତକାର ନୁହେଁ। ଦାଦନ ଶ୍ରମିକ ସମସ୍ୟା ଉପରେ ତାଙ୍କ ସହ ଆଲୋଚନା କରିଥିବା ଦୀର୍ଘ ବର୍ଷର ସଙ୍କଳିତ କଥାକୁ ହିଁ କ୍ରମ ଅନୁସାରେ ଉପସ୍ଥାପିତ କରୁଛି। ——
ପ୍ରତ୍ୟେକ ସମସ୍ୟାର କାରଣ ଥାଏ। ଦାଦନ ସମସ୍ୟାର କାରଣ କଣ?
ପଳାୟନର କାରଣ ପୂର୍ବସ୍ଥିତିରେ ସମସ୍ୟା। ସମୂହ ପଳାୟନ ନିଶ୍ଚିତ ଭାବେ ଐତିହାସିକ, ସାମାଜିକ ଓ ଆର୍ଥିକ ସମସ୍ୟାକୁ ଦାୟୀ କରାଯାଇପାରେ। ଏହାର ବିଧିବଦ୍ଧ ଅଧ୍ୟୟନ ଆଜିପର୍ଯ୍ୟନ୍ତ ହୋଇନାହିଁ।
ଆପଣଙ୍କ ପ୍ରତ୍ୟେକ୍ଷ ଅଧ୍ୟୟନ ଯଥେଷ୍ଟ ନୁହେଁ କି?
ନା! କିନ୍ତୁ କିଛି କାରଣ ଯାହା ଆମେ ଦେଖୁଛୁ ସେସବୁ ଉପରେ ଆଲୋଚନା କରାଯାଇପାରେ। ନିରାକରଣ ଦିଗରେ
ଇତିହାସକୁ କେଉଁ ପ୍ରକାରେ ଦାୟୀ କରିବା?
ଇତିହାସକୁ ନୁହେଁ, କିଛି ଏøତିହାସିକ କାରଣକୁ। ପ୍ରଗତୀ ପଛରେ ଇତିହାସର ହିଁ ସହଯୋଗ ରହିଛି କିନ୍ତୁ କିଛି କାରଣ, ଦାଦନ ଶ୍ରମିକ ସମସ୍ୟା ଉପରେ ବିଚାର କଲେ ଏ ଅଂଚଳ ହଠାତ୍ ରାଜତନ୍ତ୍ରରୁ ଗଣତନ୍ତ୍ରକୁ ଆସିଛି। ଗଣତନ୍ତ୍ର ଶାସନର ଛଅ ଦଶନ୍ଧି ପରେ ବି ଜଣେ ସରକାରୀ କର୍ମଚାରୀ ‘ହଜୁର’ ବୋଲି ସମ୍ବୋଧିତ ହୋଇଥାଏ। ସାଧାରଣ ଲୋକ ଥାନା, ତହସିଲ କିମ୍ବା ବ୍ଳକ୍‌କୁ ଦେଇଥିବା ଦରଖାସ୍ତରେ ‘ଶ୍ରୀ ଛାମୁରେ’ ବୋଲି ଉଲ୍ଲେଖ କରନ୍ତି। ଏହା ହେଉଛି ସାମନ୍ତୀୟ ସମ୍ବୋଧନ। କୁଷି ଓ ଜଙ୍ଗଲ ଉପରେ ଅଂଚଳର ଅର୍ଥନୀତି ନିର୍ଭର କରେ। ରାଜତନ୍ତ୍ର ରେ ଆୟର ମୁଖ୍ୟ ସ୍ରୋତ ଥିଲା କୃଷି। କୃଷିରୁ ଆୟବୃଦ୍ଧି ପାଇଁ ଅଭିଜ୍ଞ କୃଷକ ପରିବାରମାନଙ୍କୁ ରାଜାମାନେ ଆଣି ଭଲ ଜମି ଦେଇ ଥଇଥାନ କରେଇଲେ। ପୂର୍ବ ଜମିମାଲିକମାନେ ଉଦ୍‌ବାସ୍ତୁ ହେଲେ। ସେମାନେ ଜଙ୍ଗଲକୁ ପଳେଇଲେ। ରାଜାମାନଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଲେ, ଏଇଟା ଭିନ୍ନ କଥା। ଉଦ୍‌ବାସ୍ତୁମାନେ ଥିଲେ ମୂଳ ଆଦିବାସୀ।
ଅଞ୍ଚଳରେ ଜାତିପ୍ରଥା ସେତେ ଉତ୍କଟ ନଥିଲା। ଆଜିବି ଗାଁର ସାଂସ୍କୃତିକ କାର୍ଯ୍ୟରେ ସମସ୍ତ ଜାତି ଲୋକଙ୍କ ସହଭାଗିତା ଦେଖାଯାଏ। କିନ୍ତୁ ଗଣ୍ଡା ସମ୍ପ୍ରଦାୟକୁ ସାମାଜିକ ଅନ୍ୟାୟର ଶିକାର ହୋଇ ନିଃସ୍ୱ ଓ ନିକୃଷ୍ଟ ହେବାକୁ ପଡ଼ିଲା। ବୟନ ଓ ବାଦନ ଏ ସମ୍ପ୍ରଦାୟର ମୁଖ୍ୟ କାମ ଥିଲା। ଆର୍ଥିକ ବିକାଶ ଲାଗି ବୟନ ଓ ସାଂସ୍କୃତିକ ଦାୟିତ୍ୱ ଲାଗି ବାଦନ। ବୟନ ଶିଳ୍ପ ତାଙ୍କଠାରୁ ଲୁଣ୍ଠିତ ହେବାପରେ ହଠାତ୍ ଗୋଟିଏ ବଡ଼ ଗୋଷ୍ଠୀ ନିଃସ୍ୱ ହୋଇଗଲେ। ଏମାନଙ୍କୁ ନିକୃଷ୍ଟ କାମରେ ନିୟୋଜିତ କରାଗଲା, କେତେକ ଅଂଚଳରେ ଅପରାଧି ଗୋଷ୍ଠୀ ଭାବରେ ପରିଚିତ ହେଲେ। ହଠାତ୍ ଗୋଟିଏ ଗୋଷ୍ଠୀ କର୍ମଶୂନ୍ୟ ହୋଇଗଲେ ଏହା ସ୍ୱଭାବିକ କଥା।
ଯେମିତି?
‘ନୂଆଖାଇ’ ଆମ ଅଞ୍ଚଳର ଗଣପର୍ବ। ଗ୍ରାମ୍ୟ ସୁଷମ ବଣ୍ଟନ ବ୍ୟବସ୍ଥା ଦ୍ୱାରା କୁମ୍ଭାର, ତେଲି, ଧୋବା, ବାରିକ ସମସ୍ତେ ଶସ୍ୟ ବା ଫସଲ ଆକାରରେ ନିଜର ବର୍ଷକର ପାଉଣା ପାଇବେ। ଫସଲ ହେଲେ ସମସ୍ତେ ଖୁସି ହେବେ। ନିଜ ନିଜର କୂଳଦେବୀ ଗ୍ରାମ୍ୟଦେବୀଙ୍କୁ ଅର୍ପଣ କରି ଉତ୍ସବ ମାନିବେ। କିନ୍ତୁ ଆଜି ଫସଲ ସମସ୍ତଙ୍କ ଘରକୁ ଯାଉଛି କି? ନୂଆଖାଇ ପର୍ବ ପାଇଁ ଆମକୁ ଧାନ କିଣିବାକୁ ବି ପଡ଼ୁଛି। ଯାହା ଏ ଅଞ୍ଚଳର ମୂଳ ବ୍ୟବସ୍ଥାରେ ଚିନ୍ତା ବି କରା ଯାଇନଥିବ।
ଗଣତନ୍ତ୍ର ପରେ କଣ ହେଲ?
ଗଣତନ୍ତ୍ର ପରେ କଣ ହେଲା? ଏହା ପଛର କଥା। କିନ୍ତୁ ସାମାଜିକ ଧାରାର ପ୍ରବାହକୁ ଆଦିବାସୀଙ୍କୁ ଉଦ୍‌ବାସ୍ତୁ କରିବା ଓ ଜାତିପ୍ରଥା ପରି କ୍ରୁର ପ୍ରକ୍ରିୟା ଦୋହଲାଇ ଦେଲା। ତଥାପି ଜମି ଓ ଜଙ୍ଗଲ ପର୍ଯ୍ୟବେସିତ ଶିଳ୍ପ ବିକାଶରେ ଲୋକେ ନିଜକୁ ବ୍ୟବସ୍ଥିତ କଲେ। କିନ୍ତୁ ମରୁଡ଼ିର କ୍ରମାଗତ ଆଘାତ ସମ୍ପୂର୍ଣ୍ଣ ଗ୍ରାମ୍ୟ ପରମ୍ପପରା ଓ ଅର୍ଥନୀତିକୁ ନଷ୍ଟ କରିଦେଲା। ଏ ଭିତରେ ଗଣତନ୍ତ୍ରର ପ୍ରବେଶ କାଳ। ଯାହା ପୋଲିସ, ତହସିଲ, ବ୍ଲକ୍ ଓ ଜଙ୍ଗଲ କର୍ମଚାରୀଙ୍କ ସାମର୍ଥ୍ୟ ଭାବରେ ହିଁ ଲୋକଙ୍କ ସାମ୍ନାକୁ ଆସିଲା। ଲୋକେ ଭୋଟ ଦେବା ଜାଣିଲେ। ଗୋଟିଏ ପ୍ରକାରେ କହିଲେ ଗଣତନ୍ତ୍ର ପାଇଁ ସେମିତି ପୂର୍ବ ପ୍ରସ୍ତୁତି ନଥିଲା ଲୋକଙ୍କର। ସମୟ ଆସିଲା, ପରିବର୍ତନ ହେଲା। ବହୁ ପରିବର୍ତନକୁ ଦେଖିଥିବା ଗୋଟିଏ ଅଞ୍ଚଳ ପାଇଁ ଗଣତନ୍ତ୍ର ସେମିତି କିଛି ଆଶ୍ୱାସନା ଆଣିନଥିଲା।
ମରୁଡ଼ିର ପ୍ରଭାବ କିପରି ରହିଲା?
ଇତିହାସରୁ ଯାହା ଜାଣୁ ୧୮୬୫ ମସିହାରେ ଓଡ଼ିଶାରେ ବର୍ଷାଭାବ ଦେଖାଗଲା। ନ’ଅଙ୍କ ଦୁର୍ଭିକ୍ଷରେ ଲକ୍ଷାଧିକ ଲୋକ ମଲେ। ତା’ପରେ କ୍ରମାଗତ ମରୁଡ଼ି। ପ୍ରତି ତିନିବର୍ଷରେ ଥରେ ମରୁଡ଼ିପଡ଼ିଲା, ଆଠ/ନଅ ବର୍ଷରେ ଥରେ ବଡ଼ ମରୁଡ଼ି ପଡ଼ିଲା। ମରୁଡ଼ି କେବଳ ଜମିରେ ନୁହେଁ, ଜଙ୍ଗଲରେ ବି ପଡ଼େ। ‘ଳରେ ଲୋକଙ୍କ ଖାଦ୍ୟ ସୁରକ୍ଷାପାଇଁ ଆଉ ଉପାୟ ରହିଲା ନାହିଁ। ବର୍ଷାଭାବ ଭୂତଳ ଜଳ ଉପରେ ବି ପ୍ରଭାବ ପକାଏ। ‘ଳରେ ରବି ଫସଲର ଅମଳ ଉପରେ ବି ପ୍ରଭାବ ପଡ଼ିଲା। ଏ ସମୟ ମାନଙ୍କରେ ଅର୍ଥନୀତିରେ ସାମନ୍ତୀୟ ପ୍ରଭାବ ବିସ୍ତାର ଲାଭ କଲା। ଓ ବଳବତର ରହିଲା। ଛୋଟ ଚାଷୀମାନେ ଜମିରୁ ବିମୁଖ ହେଲେ। ବଡ଼ଚାଷୀଙ୍କୁ ଗାଁ ମହାଜନଙ୍କୁ ନିଜର ଜମିମାନ ବିକ୍ରି କଲେ। ଅଥବା ସ୍ଥାନୀୟ ନିୟମରେ ଦେଲେ ଯେପରି ଉଡ଼େନ, ବୁଡ଼େନ, କର, ବନ୍ଧା ପରି ସ୍ଥାନୀୟ ସାମନ୍ତୀୟ ନିୟମରେ। ବିକ୍ରିଜମି ବ୍ୟତୀତ ଅନ୍ୟ ଜମିର ରକ୍ଷଣବେକ୍ଷଣ ଠିକ୍ ହୋଇପାରିଲାନି। କଦବା କେମିତି ନିଜ ଜମି ଫେରିପାଇଲେ, ତା’ଉପରେ ଅମଳ ଭଲ ହେଲାନି। ଗୋଟିଏ କଥାକୁ ଅନୁମାନ କରାଯାଇପରେ ଗାଁର ସମସ୍ତ ଚାଷ ଉପକରଣ ଲୁହୁରା ତିଆରି ଓ ମରାମତି କରେ। ବର୍ଷତମାମ ଲୁହୁରାକୁ କାମ ଅଭାବ ରହେନି । ଦେଖାଯାଉଛି ଏହି ଲୁହୁରା ମଧ୍ୟ ଦାଦନ ଯାଉଛି। କାରଣ ତାକୁ କାମ ମିଳୁନି। ତାର ଗୋଟିଏ କାରଣ ଅନେକ ଲୋକ ଚାଷ ଛାଡ଼ିଦେଲେ। ଏ କଥାକୁ ‘ବୈଦ୍ୟନାଥ ମିଶ୍ର କମିଶନ’ ସ୍ପଷ୍ଟ କରେ-୧୯୭୦ ମସିହା ପର୍ଯ୍ୟନ୍ତ ଯେଉଁ ଜମି ୪୦ ଭାଗ ଲୋକଙ୍କ ନିକଟରେ ଥିଲା, ୨୦ ବର୍ଷ ପରେ ତାହା ୨୦ଭାଗରୁ କମ୍ ଲୋକଙ୍କ ନିକଟରେ ରହିଅଛି।
ସାମନ୍ତୀୟ ଅର୍ଥନୀତିର ପ୍ରଭାବ ମହାଜନୀ କାରବାରକୁ ପୁଷ୍ଟ କଲା। ଜମିହରା ହୋଇ ଲୋକେ କର୍ମଶୂନ୍ୟ ହେଲେ। ପୂର୍ବରୂୁ ଗଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ଶ୍ରମ ଶୋଷଣ କରାଯାଉଥିଲା ପରେ, ଅନ୍ୟ ସମ୍ପ୍ରଦାୟକୁ । ୧୯୬୫ ମସିହା ଥିଲା ଓଡ଼ିଶା ମରୁଡ଼ିର ଶହେ ବର୍ଷ । ଏକ ଶତକ ଧରି ଆଘାତ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିସାରିଥିଲା।ଏତେବେଳେ ଲୋକେ ପ୍ରଥମ କରି ରାୟପୁର, ଦୁର୍ଗ ଅଞ୍ଚଳକୁ ପଳାୟନ କଲେ, ମୁଖ୍ୟତଃ ହରିଜନ ସମ୍ପ୍ରଦାୟର। ପରେ ଅନ୍ୟ ସମ୍ପ୍ରଦାୟ ଲୋକ ଗଲେ। କୌଣସି ବ୍ୟକ୍ତିସମୂହ ନୁହେଁ, ପ୍ରଥମେ ସମ୍ପ୍ରଦାୟ ହିସାବରେ ପଳାୟନ କଲେ। ଏ ଅଂଚଳର ସମାଜ ଓ ଅର୍ଥନୀତି ସମ୍ପ୍ରଦାୟ ଆଧାରିତ ଥିଲା।
୧୯୬୬ ମସିହାରେ ଶ୍ରୀମତୀଇନ୍ଦିରା ଗାନ୍ଧୀ ମରୁଡ଼ି ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ଅବସ୍ଥା ଦେଖି ଶୀଘ୍ର ଉପଶମ ପାଇଁ ଜଙ୍ଗଲକୁ ରିଲିଫ ଆକାରରେ ଦେଲେ। ପ୍ରକୃତିକୁ ପୂଜା କରୁଥିବା ଲୋକେ ଜଙ୍ଗଲର ବ୍ୟବସାୟ କରି ଜାଣିନଥିଲେ।ଏହାର ସୁଯୋଗ ନେଇ କେତେକେ ହାତଗଣତି ଚାଲାକ୍ ଲୋକ । ଖାଦ୍ୟ ବଦଳରେ ଲୋକଙ୍କୁ ଜଙ୍ଗଲ କାଟି ମଗେଇଲେ ଓ ବାହାର ରାଜ୍ୟକୁ ନେଇ କାଠ ବିକିଲେ। ଏହାପରେ ଜଙ୍ଗଲ ତସ୍କରୀ ଆମ୍ଭ ହେଲା।
ପାଟଣା ଷ୍ଟେଟରେ ୧୯୩୬ ମସିହା ବେଳକୁ ୩୬% ଜମି ଜଳସେଚିତ ଥିଳା। ପରେ ଏହା ନଷ୍ଟ ହୋଇଗଲା। ‘ପାରମ୍ପାରିକ ଜଳସେଚନକୁ ଉପେକ୍ଷା’ ଅପେକ୍ଷା ଉପରୋକ୍ତ କାରଣ ମାନ ଏଥିଲାଗି ଦାୟୀ।
୧୯୬୫ ପରେ ମ୍ମ ମରୁଡ଼ି ପଡ଼ିଛି?
ପଳାୟନ ମାତ୍ରା ବି ବଢ଼ିଛି। ପଳାୟନ ଲୋକଙ୍କପାଇଁ ସମସ୍ୟା ନୁହେଁ ଏହାକୁ ସମାଧାନ ଆକାରରେ କ୍ରୁର ନିସ୍ପତି ନେଇଛନ୍ତି ଏ ଅଂଚଳର ପ୍ରତିବାଦବିହୀନ ମଣିଷ।
ଯାଆନ୍ତି କୁଆଡ଼େ?
ଦେଶର ବିଭିନ୍ନ ପ୍ରାନ୍ତକୁ। ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଇଟାଭାଟି, ମଧ୍ୟପ୍ରଦେଶର ପଥର ଖାଦାନ, ଛତିଶଗଡ଼ର ପରିବା ବଗିଚା, କଳକାରଖାନା, ହୋଟେଲ, ମୁମ୍ବାଇର ନିର୍ମାଣ ଶିଳ୍ପ ଇତ୍ୟାଦି ଅଞ୍ଚଳକୁ ଯାଇଥାନ୍ତି।
ବର୍ତ୍ତମାନ ଦେଖାଯାଉଛି ଦେଶର ବିଭିନ୍ନ ଅଞ୍ଚଳରେ ବିକାଶ ତଥା କର୍ମନିଯୁକ୍ତି ସୁଯୋଗର ଅସମାନତା ଉଦ୍‌ବେଗଜନକ ହୋଇଛି। ବିଭିନ୍ନ କାର୍ଯ୍ୟକ୍ଷେତ୍ର ଓ ଗୋଷ୍ଠୀ ମଧ୍ୟରେ ଆୟର ବ୍ୟବଧାନ ବ୍ୟାପକ ସ୍ତରର ହେଉଛି। ପରିଣାମ ଏହା ହେଉଛି କମ୍ ବିକଶିତ ଓ କମ୍ ଆୟ ଗୋଷ୍ଠୀ ବିକଶିତ ଓ ଆୟର ସୁଯୋଗ ଥିବା ଅଂଚଳକୁ ସାମୂହିକ ପଳାୟନ କରୁଛନ୍ତି। ବିକାଶର ଅସମାନତା ପରି ରୋଗର ଶ୍ରମିକ ସାମୂହିକ ପଳାୟନ ଏକ ଲକ୍ଷଣ।
ସାମୂହିକ ପଳାୟନ ନିଶ୍ଚିତ ଗୋଟଏ ବ୍ୟବସ୍ଥିତ ଜଙ୍ଗଲରେ ଚାଲୁଥିବ?
ହଁ! ଏହି ବିକଟ ପରିସ୍ଥିତିର ଆଇନଗତ ଉପଶମ ପାଇଁ, ଏକମାତ୍ର ରାଜ୍ୟ ଓଡ଼ିଶା ଦାଦନ ଶ୍ରମିକ ଆଇନ-୧୯୭୫ ପ୍ରସ୍ତୁତ କରିଥିଲେ। ଏଥିରେ ରାଜ୍ୟତରଫରୁ ଦଲାଲମାନଙ୍କୁ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା ରଖାଯାଇଥିଲା। ଶ୍ରମିକମାନଙ୍କ ଉପରେ ପୋଲିସ୍‌ର ଅଙ୍କୁଶ ରହିଲା।
ପୂର୍ବରୁ ବାହାର ରାଜ୍ୟରୁ ଆସି ଶ୍ରମିକମାନଙ୍କୁ ନେଉଥିଲେ। ଯେଉଁମାନଙ୍କୁ ଠିକାଦାର କୁହାଯାଉଥିଲା। ପୋଲିସ୍‌ର ହସ୍ତକ୍ଷେପ ଫଳରେ ସେମାନେ ସ୍ଥାନୀୟ ଲୋକର ସହଯୋଗ ଲୋଡ଼ିଲେ। ପରେ ସ୍ଥାନୀୟ ଲୋକର ପ୍ରଭାବ ରହିଲା। ସେମାନେ ଦଲାଲ୍ ବା ସରଦାର ହେଲେ।
ଓଡ଼ିଶା ଦାଦନ ଶ୍ରମିକ ଆଇନ-୧୯୭୫ ଦ୍ୱାରା ଦାଦନ ଶ୍ରମିକର ଜୀବନମାନରେ କୌଣସି ଉନ୍ନତି ନହୋଇ ଶ୍ରମିକ ଶୋଷଣ ବ୍ୟବସ୍ଥା ବଳବତର ଥିବାରୁ ଭାରତର ପାର୍ଲ୍ୟାମେଂଟ ଦାଦନ ଶ୍ରମିକଙ୍କୁ ଶୋଷଣରୁ ରକ୍ଷାକରିବା ପାଇଁ ଏକ ନୂଆ ଆଇନ ‘ଞଷର ସଦ୍ଭଗ୍ଧରକ୍ସଗ୍ଦଗ୍ଧବଗ୍ଧର ଜ୍ଞସଶକ୍ସବଦ୍ଭଗ୍ଧ ଙ୍ଗକ୍ଟକ୍ସଳଜ୍ଞବଦ୍ଭ (କ୍ସରଶଙ୍କକ୍ଷବଗ୍ଧସକ୍ଟଦ୍ଭ କ୍ଟଲ ରଜ୍ଞକ୍ଟ୍ରକ୍ଷକ୍ଟଚ୍ଚରଜ୍ଞରଦ୍ଭଗ୍ଧ ଌ ମକ୍ଟଦ୍ଭୟସଗ୍ଧସକ୍ଟଦ୍ଭ କ୍ଟଲ ଗ୍ଦରକ୍ସଙ୍ଖସମର) ଇମଗ୍ଧ-୧୯୭୯ ତିଆରି କରାଗଲା। ଏହି ଆଇନର ଉଦ୍ଦେଶ୍ୟ କହେ ଓଡ଼ିଶାର ଦାଦନ ଶ୍ରମିକମାନଙ୍କ ଉପରେ ହେଉଥିବା ଶୋଷଣକୁ ନେଇ ସାଂସଦମାନେ ନିଜର ଚିନ୍ତା ପ୍ରକଟ କରିଛନ୍ତି।
ଫଳ କଣ ହେଲ?
୧୯୮୦ ପର୍ଯ୍ୟନ୍ତ ଜିଲ୍ଲାରୁ ଦୁଇଲକ୍ଷ ଶ୍ରମିକ ଯାଉଥିବାର ଅନୁମାନ କରାଯାଏ। ଏହା କ୍ରମାଗତ ବଢ଼ିଛି। ୧୯୮୭ ମସିହାରେ ଜିଲ୍ଲା ପ୍ରଶାସନ ଜିଲ୍ଲାରୁ ଜଣେ ବି ଶ୍ରମିକ ଯାଇନଥିବାର ରିପୋର୍ଟ ବିଧାନସଭାକୁ ଦେଇଥିଲେ, ଯାହା ମିଛ ହିଁ ଥିଲା।
ପ୍ରଶାସନର ଏତାଦୃଶ ବ୍ୟବହାର ଗୋଟିଏ ଅନ୍ଧାର ପଟକୁ ଇଙ୍ଗିତ କରିଥାଏ। ଲକ୍ଷାଧିକ ଶ୍ରମିକଙ୍କୁ ଗୋଟିଏ ସମୟଭିତରେ ନେବାପାଇଁ ଗ୍ରାମସ୍ତରରେ ଚିକିନି ସରଦାର, ତା’ ଉପରେ ସରଦାର ରହିଥାନ୍ତି। ଏମାନେ ଶ୍ରମିକମାନଙ୍କୁ ଅଗ୍ରୀମଦେଇ କଣ୍ଟାବାଞ୍ଜି ରେଳଷ୍ଟେସନ ପହଂଚେଇଥାନ୍ତି। ତା’ପରେ ଆନ୍ଧ୍ରପ୍ରଦେଶ ଇଟାଭାଟି ମାଲିକଙ୍କ ବରାଦ ଅନୁସାରେ ଶ୍ରମିକ ଯୋଗାଯାଇଥାଏ।
ଏହି ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ ସଙ୍ଗେ ଉତମ ବୁଝାମଣା ନ ରଖିଲେ ଏହାର ସୁଚାରୁ ପରିଚାଳନା ଅସମ୍ଭବ। ଯେଉଁମାନେ ସରଦାର ବା ଦଲାଲ୍‌, ସେମାନେ ନିମ୍ନ ଆୟବର୍ଗର ସ୍ୱଳ୍ପ ଶିକ୍ଷିତ, ଭୁତପୂର୍ବ ଦାଦନମାନେ ହିଁ ଥାଆନ୍ତି। ଏମାନେ ଏତେ ପ୍ରକ୍ରିୟାକୁ ଯିବା ଅପେକ୍ଷା ସ୍ଥାନୀୟ ପୋଲିସ୍‌କୁ ତୁଷ୍ଟ କଲେ କାମ ସରିଲା। ଅର୍ଥାତ ଆଇନ ତିଆରିର ତିନି ଦଶନ୍ଧି ପରେ ଆମେ ନିଷ୍ପଳ ହୋଇଛୁ।
କାରଣ?
ଶ୍ରମିକ ଶୋଷଣ ବଳବତ୍ତର ରହିଛି। ଶ୍ରମିକ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଶ୍ରମିକ ଅପହରଣ, ଶାରୀରିକ ନିର୍ଯ୍ୟାତନା, ଅପମୃତ୍ୟୁ, ଶ୍ରମିକ ଅଟକ, ଶ୍ରମିକ ବନ୍ଧକ, ଟ୍ରେନ୍‌ରେ ଗଲାବେଳେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିବା, ନିଖୋଜ ହେବା, ମଜୁରୀ ପ୍ରାପ୍ତିରେ ଅବହେଳା, ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା, ବେଆଇନି ଅସୁଲି ପରି ଅନେକ ଅମାନବୀୟ ଘଟଣାର ଶିକାର ହେଉଛନ୍ତି ଶ୍ରମିକମାନେ। ଶୋଷଣର ଏହି ପ୍ରକ୍ରିୟାକୁ ପୋଲିସ୍‌, ଦଲାଲ, ଗୁଣ୍ଡା ଓ କେତେକ ଭ୍ରଷ୍ଟ ପ୍ରଶାସନିକ ଅଧିକାରୀଙ୍କ ସକ୍ରିୟ ସହଯୋଗ ଥିବା ଅଭିଯୋଗ ମିଛ ନୁହେଁ। ଅଞ୍ଚଳରୁ ପଳାୟନ କରିଥିବା ବହୁ ଯୁବତୀ ମର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ନିଜ ପରିଜନମାନଙ୍କୁ ବେଆଇନ ଅଟକବନ୍ଦୀରୁ ପ୍ରଶାସନର ଅସହଯୋଗ ଯୋଗୁଁ ମୁକୁଳେଇ ନପାରି ନିରାଶ ହୋଇ ସାତବର୍ଷର ଶିଶୁ ଅଦାଲତରେ ଗୁହାରୀ କରିବାର ଦୃଷ୍ଟାନ୍ତ ଅଛି। ଅନେକ ହତଭାଗା ଶ୍ରମିକ ବିକଳାଙ୍ଗ ହୋଇ ବିନା କ୍ଷତିପୂରଣ ଓ ଯତ୍ନରେ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି ଓ ଅନେକ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ତା’ର ସତ୍ତ୍ୱେ ମଧ୍ୟ ପ୍ରତିବର୍ଷ ଏ ଅଞ୍ଚଳରୁ ଲୋକେ ପଳାୟନ କରିବାକୁ ବିବଶ ହେଉଛନ୍ତି।
ଅଇନର ଭୂଲ ଯୋଗୁଁ?
ଶ୍ରମିକ ଆଇନ ଓ ସମ୍ବିଧାନ ପସ୍ପର ବରୁଦ୍ଧ। ଭାରତର ସମସ୍ତ ନାଗରିକଙ୍କୁ ଗାରୀମାମୟ ଜୀବନ ଦେବାର ସାମ୍ବିଧାନିକ ଶପଥ ଆମେ ନେଇଛୁ। ଏହି ସମ୍ବିଧାନର ୧୯ଧାରା ଅନୁସାରେ ଜୀବନଜୀବୀକା ପାଇଁ ଯେକୌଣସି ନାଗରିକ ଦେଶର ଯେକୌଣସି ଅଞ୍ଚଳକୁ ଯାଇପାରିବା ଏକ ମୌଳିକ ଅଧିକାର। ବରଂ ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକ ମାନଙ୍କୁ ଓଡ଼ିଶା ଚ୍ୟାରିଟେବୁଲ ରିଲି‘୍ ଫଣ୍ଡର ଧାରା ୩ର (୪) ଓ (୮) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଆର୍ଥିକ ସାହାଯ୍ୟ ଦେବା ଉଚିତ୍‌। ୧୯୭୯ ଆଇନ ଦଲାଲର ଭୂମିକାକୁ ସ୍ୱୀକାର କରେ, ଫଳତଃ ଶ୍ରମିକ ଚାଲାଣ କରି ମଣିଷ ଦୁର୍ବ୍ୟାପାର ପରି ଏକ ଅସାମ୍ବିଧାନିକ ବ୍ୟବସ୍ଥାକୁ ସ୍ୱୀକୃତି ଦେଇଛି। ଏ ଆଇନକୁ ଭଲକରି ଅନୁମାନ କଲେ ଏହା ପ୍ରବାସୀ ଶ୍ରମିକମାନଙ୍କୁ ନିୟନ୍ତ୍ରଣ ଓ ସର୍ତ୍ତ ନିର୍ଦ୍ଧାରଣର ଉଦ୍ଦେଶ୍ୟ ରଖାଯାଇଛି। ଶ୍ରମିକ କଲ୍ୟାଣ ପାଇଁ ସର୍ଦ୍ଦାରମାନଙ୍କୁ କେତେକ ଦାୟିତ୍ୱ ଦିଆଯାଇଛି। ଯଥା- କାର୍ଯ୍ୟସ୍ଥଳରେ କାର୍ଯ୍ୟ କଲାବେଳେ ବାସସ୍ଥାନର ବ୍ୟବସ୍ଥା କରିବା, ଓøଷଧର ବ୍ୟବସ୍ଥା କରିବା, ଯାତାୟତର ଖର୍ଚ୍ଚବହନ କରିବା, ନିୟମିତ ମଜୁରୀ ଦେବା, ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସମାନ କାମରେ ସମାନ ମଜୁରୀ ଦେବା। କିନ୍ତୁ ପ୍ରତିବର୍ଷ ଶହ ଶହ ଘଟଣା ଓ ଇଟାଭାଟିର କାର୍ଯ୍ୟସ୍ଥଳୀ ଏହାକୁ ଭୂଲ ପ୍ରମାଣ କରେ।
ବିଭିନ୍ନ କମ୍ପାନୀ ଦାଦନ ଶ୍ରମିକମାନଙ୍କ ନାମରେ ଟଙ୍କା ନେଉଥିଲେ ମଧ୍ୟ ଜଣକୁ ଟଙ୍କା ଦିଆଯାଇଥିବାର ଉଦାହରଣ ନାହିଁ।
ଏହି ଆଇନ ସମାନ କାମ ପାଇଁ ସମାନ ମଜୁରୀ ଦେବାକଥା କହେ। ଯାହାପାଇଁ କେନ୍ଦ୍ର ଆଇନର ଆଠ/ନଅଟି ଆଇନ ରହିଛି, ଯାହା ଦାଦନ ଶ୍ରମିକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।
୧୯୭୯ ଆଇନ ଅତ୍ୟଧିକ ଦଲାଲମାନଙ୍କ ଉପରେ ନିର୍ଭରଶୀଳ। ଯେଉମାନଙ୍କୁ ଲାଇସେନ୍ସ ଦିଆଯାଏ, ସେମାନଙ୍କୁ ଏହି ଆଇନର ଜ୍ଞାନ ଦେଖାଯାଏ ନାହିଁ। କେବଳ ବଲାଙ୍ଗିର ଜିଲ୍ଲାରେ ହଜାର ସଂଖ୍ୟାରେ ଦଲାଲ୍ ଅଛନ୍ତି। ଦଲାଲ୍‌ଙ୍କ ହାତରେ ଲକ୍ଷାଧିକ ଶ୍ରମିକମାନଙ୍କ ଭାଗ୍ୟ ଓ ଦାୟିତ୍ୱ ଦେଇ ଭାରତ ଭଳି ଏକ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରର ସରକାର ନିଜକୁ ସମ୍ବଧାନିକ ଦାୟିତ୍ୱରୁ ଓହରେଇ ନେଇ ନିଶ୍ଚତ ହୋଇଯିବା ଏକ ଉଦ୍‌ବେଗଜନକ ବିଷୟ।
ଏପରି ଦଲାଲ୍‌ମାନଙ୍କଠାରୁ କ୍ଷତିଗ୍ରସ୍ତ ଶ୍ରମିକମାନେ ଯେ ଉପଯୁକ୍ତ କ୍ଷତିପୁରଣ ବା ନ୍ୟାୟସଙ୍ଗତ ଶ୍ରମ ବ୍ୟବସ୍ଥା ପାଇବେ ତାହା ଆଶା କରିବା ବୃଥା।
ଶ୍ରମ ବିଭାଗର ଦାୟିତ୍ୱ ଏଠି ସରିଯାଏ କି?
ଓଡ଼ିଶାରେ ପ୍ରଚଳିତ ନିୟମାବଳୀରେ ଶ୍ରମିକମାନଙ୍କୁ ଚାଲାଣ କରିବାର ଲାଇସେନ୍ସ ଦେଲାବେଳେ ବୀମାକୁ ଆଇନଗତ ବାଧ୍ୟ କରାଯାଇନାହିଁ। ତଥା ଦଲାଲ୍‌ମାନଙ୍କୁ ୧୭ ରୁ ଉର୍ଦ୍ଧ ରେଜିଷ୍ଟ୍ରର ଓ ସହସ୍ରାଧିକ ତଥ୍ୟ ଇଂରାଜୀରେ ଲେଖିବାକୁ କୁହାଯାଇଛି। ଶ୍ରମ ବିଭାଗ ଦାଦନ ଶ୍ରମିକମାନଙ୍କ ତାଲିକା ପ୍ରସ୍ତୁତ କରିବାରେ ସକ୍ଷମ ହେଉନଥିବା ବେଳେ ଦଲାଲମାନଙ୍କଠାରୁ ତାହା ଆଶା କରିବା ବୃଥା। ମୁଁ ଜାଣିବାରେ ବଲାଙ୍ଗିର ଜିଲ୍ଲାରେ ଏପରି କୌଣସି ରେଜିଷ୍ଟ୍ରର କେହି ମଧ୍ୟ ପ୍ରସ୍ତୁତ କରନ୍ତି ନାହିଁ। କୌଣସି ଶ୍ରମିକ ଚାଲାଣ କରିବାକୁ ହେଲେ ସେହି ରାଜ୍ୟର ପଞ୍ଜିକୃତ ଅନୁଷ୍ଠାନନରେ ହିଁ ପ୍ରବାସୀ ଶ୍ରମିକମାନେ କାମ କରିବାର ଆଇନଗତ ବ୍ୟବସ୍ଥା ଅଛି। ଏହା କର୍ମନିଯୁକ୍ତି ସୁଯୋଗକୁ ସଙ୍କୁଚିତ କରିଥାଏ। ସେହିପରି ପଞ୍ଜିକୃତ ଅନୁଷ୍ଠାନମାନଙ୍କର ତାଲିକା କୌଣସି ଶ୍ରମବିଭାଗ, ବିଶେଷକରି ଦାଦନ ପ୍ରବଣ ଅଞ୍ଚଳର ଶ୍ରମବିଭାଗ ପାଖରେ ନାହିଁ।
ଶ୍ରମିକ କାମ ଅନ୍ୱେଷଣରେ ଭିଟାମାଟି ଛାଡ଼ିଲାପରେ ଶୋଷଣ, ଠକାମୀ, ଉତ୍ପୀଡ଼ନର ସମ୍ଭାବନା ବହୁଗୁଣରେ ବଢ଼ିଯାଏ। ସେ ଆନ୍ଧ୍ରପ୍ରଦେଶର ଉଟାଭାଟି ହେଉ ବା ନିଜ ରାଜ୍ୟର ପାରାଦ୍ୱୀପ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ହେଉ ସବୁଠି ସେ ନୀର୍ଯ୍ୟାତିତ ହୁଏ। ତା’ପାଇଁ ରାଜ୍ୟସୀମା ଗୁରୁତ୍ୱ ନୁହେଁ। କିନ୍ତୁ ଏହି ଆଇନ ରାଜ୍ୟଭିତରେ ହେଉଥିବା ସ୍ଥାନାନ୍ତରିତ ଶ୍ରମିକ ନିର୍ଯ୍ୟାତନା ପାଇଁ ଲାଗୁ ହୁଏନାହିଁ, କେବଳ ରାଜ୍ୟସୀମା ଅତିକ୍ରମ କଲେ ହିଁ ଏହି ଆଇନ ଲାଗୁ ହୁଏ।
ଅର୍ଥାତ ଆଇନ ଓ ଶ୍ରମବିଭାଗ ନିଜ ବାଟରେ ଓ ଶ୍ରମିକ ଚାଲାଣ ନିଜ ବାଟରେ?
ହଁ ।
ଆଶଙ୍କା ନିଶ୍ଚୟ ଥିବ?
ନିଶ୍ଚୟ ଅଛି, ଯାହା ଆମେ ପ୍ରତିବର୍ଷ ଦେଖୁଛୁ। ଶ୍ରମିକମାନେ ଗଲାବେଳେ ରେଲୱେ କର୍ମଚାରୀ, ସ୍ଥାନୀୟ ଭ୍ରଷ୍ଟ ପ୍ରଶାସନ ଓ ପୋଲିସର ଉତ୍ପିଡ଼ନର ଶିକାର ହୁଅନ୍ତି। ଏଥିପାଇଁ ଶ୍ରମିକମାନେ ଦଲାଲ୍‌ର ଆବଶ୍ୟକ କରନ୍ତି । ବହିର୍ଗମନ ପରେ ସର୍ଦ୍ଦାର ପରବର୍ତି ବର୍ଷପାଇଁ ଲୋକଙ୍କ ସଙ୍ଗେ ଠିକ୍ ସମ୍ପର୍କ ରଖେ ଆଉ ଏଇଥିପାଇଁ ଯେ ଶ୍ରମିକ ଆୟର ଦଶ ପ୍ରତିଶତ ସେ ପାଇଥାଏ। ଅନ୍ୟଥା ଭିଟାମାଟି ଓ ପ୍ରାଶାସନ ସହ ତାର କୌଣସି ସମ୍ପର୍କ ରହେ ନାହିଁ।
ସେଠାରେ ରୋଗରେ ପଡ଼ିଲେ ଶିଘ୍ର ବ୍ୟଥା ନିବାରକ ଦିଆଯାଏ। ଖାଦ୍ୟର ମାତ୍ରା ଯାହା ଜଣେ ଶ୍ରମଜୀବୀ ଆବଶ୍ୟକ କରୁଥିବ, ଖାଦ୍ୟସାରର ଅଧା ବି ଏମାନଙ୍କୁ ମିଳେନାହିଁ। ତା’ବାହାରେ ନିରନ୍ତର ପରିଶ୍ରମ। ଶ୍ରମିକଙ୍କୁ ଅକାଳ ବାର୍ଦ୍ଧକ୍ୟ ଅଡ଼କୁ ଟାଣିନେଉଛି। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ଅଂଚଳର ଲୋକ ଅକାଳ ବାର୍ଦ୍ଧକ୍ୟ ଓ ଅସୁରକ୍ଷିତ ଶୈଶବ ଭୋଗ କରନ୍ତି, ତା’ହେଲେ ସେ ଅଞ୍ଚଳର ସମସ୍ତ ବିକାଶ ପ୍ରକ୍ରିୟା ନିସ୍ଫଳ ହିଁ ହେବ।
ଭାରତର କେତେକ ବିକଶିତ ଅଞ୍ଚଳରୁ ଦରିଦ୍ର ଓ ଭୋକିଲା ଲୋକଙ୍କୁ ବିଭିନ୍ନ ଆଳରେ ବହିଷ୍କାର ବା ଉତ୍ପୀଡ଼ନ କରିବାର ପ୍ରୟାସ ହେଉଛି। ମୁମ୍ବାଇ ପରି ଅଞ୍ଚଳରେ ବାହାରର ଶ୍ରମିକଙ୍କୁ ବାହାର କରିଦେବା ପାଇଁ ରାଜନୈତିକ ଭାଷଣ ମାନ ଦିଆଯାଉଛି। ମୋର ଭୟ ବିକଶିତ ଅଞ୍ଚଳର ସରକାର ଏହି ଶ୍ରମିକ ଆଇନର ଦ୍ୱାହି ଦେଇ ପ୍ରବାସୀ ଶ୍ରମିକମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିପାରନ୍ତି।
ରାଜନୈତିକ ପ୍ରୟାସ ତ ରହିଥିବ ଏହାର ଉପଶମ ପାଇଁ?
ଦାଦନ ଶ୍ରମିକଙ୍କ ପାଇଁ ପଳାୟନ ସମସ୍ୟା ନୁହେଁ, ସମାଧାନ। କିନ୍ତୁ ଯେଉଁ କ୍ଷେତ୍ରମାନଙ୍କ ପାଇଁ ଏହା ସମସ୍ୟା, ସେ ସମସ୍ୟାକୁ ନେଇ ରାଜନୈତିକ ନେତୃତ୍ୱ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ଭୋଟ ସମୟରେ ଏହିମାନଙ୍କୁ େ‘ରେଇ ଆଣିଥାନ୍ତି। କିନ୍ତୁ ହାଇଦ୍ରାବାଦ ଯାଉଥିବା ଶ୍ରମିକମାନେ ତିନି ଦଶନ୍ଧି ହେବ ଭୋଟ ଦେଇନାହାନ୍ତି।
ବଲାଙ୍ଗିରର ଦାଦନ ଶ୍ରମିକମାନେ ଆଞ୍ଚଳିକ ବୈଷମ୍ୟତାର ଶିକାର ହେଉଛନ୍ତି। ବିଧାନ ସଭାରେ ଗଠିତ ଉଚ୍ଚସ୍ତରୀୟ କମିଟି ମାନ ଉପକୁଳ ଅଞ୍ଚଳରୁ ଯାଇଥିବା ଶ୍ରମିକମମାନଙ୍କ ଅଞ୍ଚଳ ଯଥା ସୁରଟ, ଅହମ୍ମଦାବାଦ, କୋଲକାତାକୁ ହିଁ ଯାଇଥାନ୍ତି।
ସମାଧାନ ତ ଥିବ?
ନିଶ୍ଚୟ ଅଛି। କିନ୍ତୁ ବର୍ତମାନର ସମାଧାନ ଏହା ଯେ, ହାଇଦ୍ରାବାଦ ଯାଉଥିବା ଶ୍ରମିକମାନଙ୍କ ଯାତ୍ରାର ସୁଗମତା ପାଇଁ ଯିବା ଓ ଫେରିବା ସମୟରେ ସ୍ୱତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରିବା ଉଚିତ। ଯେପରି ବ୍ରହ୍ମପୁର, ଆସିକା, ବାଲେଶ୍ୱର ପରି ଅଞ୍ଚଳର ପ୍ରବାସୀ ଶ୍ରମିକର ଗନ୍ତବ୍ୟକୁ ସୁଗମ କରିବା ପାଇଁ ସାଧାରଣ ବଗିଥାଇ ଦ୍ରୁତଗାମି ରେଳଗାଡ଼ିର ବ୍ୟବସ୍ଥା ହୋଇଛି।
ବି.ପି.ଏଲ୍ ଚାଉଳ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀ କର୍ମସ୍ଥଳରେ ମ୍ମ ଲୋକଙ୍କୁ ଉପଳବ୍ଧ କରାଯାଉ। କାରଣ ଏହା ରାଷ୍ଟ୍ରୀୟ କାର୍ଯ୍ୟକ୍ରମ।
ଅତିକମ୍‌ରେ ମାସକୁ ଥରେ ଯାଇ ସେଠାରେ ଶ୍ରମିକମାନଙ୍କର ପ୍ରାପ୍ୟ, ସ୍ୱାସ୍ଥ୍ୟ ଓ କାମ ଉପରେ ଅନୁ୍ମାନ କରାଯାଉ।
ତା’ହେଲେ ସମାଧାନ କେଉଁଠି?
ଆଇନର ଅପବ୍ୟବହାର କରାଯାଇପାରେ। ବିକାଶ ସଙ୍ଗେ ତାଳଦେଇ ଅପରାଧ ବି ନିଜ ନିଜର ସୁରକ୍ଷିତ କ୍ଷେତ୍ର ତିଆରି କରିବାରେ ବିଳମ୍ବ ହେଉନାହିଁ। ୧୯୭୯ ଆଇନର ଅପବ୍ୟବହାର ଆଗକୁ ସଙ୍କଟ ସୃଷ୍ଟି ନକରିବ, ଏକଥା କିଏ କହିବ? ସମସ୍ତ ଭାରତୀୟଙ୍କ ଅଧିକାର ଅଛି ସ୍ୱାଧିନ ବିଚରଣରେ। ଏହି ଅଧିକାର କ୍ଷୁର୍ଣ୍ଣ ଯେପରି ନହୁଏ ଏବଂ ଦାଦନମାନେ ମଧ୍ୟ ଭାରତୀୟ ନାଗରିକ ହୋଇଥିବାରୁ ତାଙ୍କର ମୌଳିକ ଅଧିକାର ସେମାନେ ସବୁସ୍ଥାନରେ ପାଇପାରବା ପରି ବ୍ୟବସ୍ଥା ରହିବା ଉଚିତ। ଦେଖାଯାଉଛି ଯେ କୌଣସି ଦାଦନ ପୀଡ଼ିତ ହେଲେ ତାକୁ ଓଡ଼ିଶା ପୋଲିସ ନିକଟରେ ଅଭିଯୋଗ କରିବାକୁ ପଡ଼ୁଛି। ଆନ୍ଧ୍ର ପୋଲିସ କହୁଛି ତୁମ ପୋଲିସ୍‌କୁ କହ। ଓଡ଼ିଶାର ପୋଲିସ୍ କହୁଛି ଏ ସମସ୍ୟା ଅମ ରାଜ୍ୟରେ ହୋଇନାହିଁ। ତେଣୁ ଜଣେ ଦାଦନ ନିଜର ଅଧିକାର ଆନ୍ଧ୍ରପ୍ରଦେଶରେ ବି କରିପାରବାର ବ୍ୟବସ୍ଥା ହେଉ। ଭାଷା ସଙ୍କଟରୁ ତାକୁ ରକ୍ଷା କରିବାର ବ୍ୟବସ୍ଥା କରାଯାଉ। ସେଠାରେ ସେ ଜଣେ ଭାରତୀୟର ମୌଳିକ ଅଧିକାର ଉପଭୋଗ କରୁ। ଅର୍ଥାତ୍ ୧୯୭୯ ଆଇନର ପୁନଃବିଚାର କରି ଏହାର ଭୁଲ ଆଇନଗତ ଦିଗମାନଙ୍କରେ ସୁଧାର ଅଣାଯାଉ। ଦାଦନ ଶ୍ରମିକଙ୍କୁ ରାଜ୍ୟରେ ନୁହେଁ, ରାଷ୍ଟ୍ରର ନାଗରିକ ମାନ୍ୟତା ଦିଆଯାଉ।

୧୦
ପରାଜିତ ଈଶ୍ୱର

ରାଧେଶ୍ୟାମ ଧରୁଆ ଜଣେ ପ୍ରାଥମିକ ଶିକ୍ଷକ ଥିଲେ। ଅବସର ନେଲେ। ରୋଗରେ ପଡ଼ିଲେ। ମରିଗଲେ। ବାସ୍ ଏତିକି ଇତିହାସ, ଏତିକି ହିଁ କାହାଣୀ।
ଏ କାହାଣୀ ସରିଗଲା ପଛକୁ ଆଉ ଯାହା କିଛି ରହିଲା ସେ ସବୁ ସୂଚିତ କଲା ଯେ ରାଧାଶ୍ୟାମ ଧରୁଆର କାହାଣୀ ସରିନାହିଁ। ରାଧାଶ୍ୟାମ ଧରୁଆ ପ୍ରବାହର ଅଗଣିତ ଅଂଶ ଭିତରୁ ଗୋଟିଏ। ଯେଉଁ ଅଂଶର ବ୍ୟବହାରଯୋଗ୍ୟ ଗୁଣ ଅଛି। ବ୍ୟବହାରଯୋଗ୍ୟ ଗୁଣ ଥିବା ପ୍ରତ୍ୟେକ ବସ୍ତୁ ହିଁ ରାଧେଶ୍ୟାମ ଧରୁଆ। ତେଣୁ ରାଧେଶ୍ୟାମ ଧରୁଆ ତାର ପରିଚୟ ହଜେଇ ଦେଲା। ସେ ସାମିଲ ହୋଇଗଲା ସେ ଭିଡ଼ ଭିତରେ, ଯେଉଁଠି ତାର ମୂଲ୍ୟ ନିର୍ଦ୍ଧାରିତ ହୋଇ ସାରିଥିଲା।
ରାଧେଶ୍ୟାମ ଧରୁଆ ଜଣେ ପ୍ରାଥମିକ ଶିକ୍ଷକ। ମଣିଷଗଢ଼ା କାରଖାନାର ପ୍ରଥମ ବିନ୍ଧାଣୀ। ସିଲଟରେ ହାତଧରି ଅ, ଆ ଲେଖିଦେଲେ ସେ ଗୁରୁ ହୋଇଯାଏ। ସେ ହୋଇଯାଏ ପୃଥିବୀର ସବାଶେଷ ଇଶ୍ୱରଠୁ ବଡ଼। ଆଉ ଏଥିରେ ପ୍ରଶ୍ନ କରିବାର ଅବକାଶ ନଥାଏ। ରାଧେଶ୍ୟାମ ଧରୁଆ କେବେ ନିଜ ଶିଷ୍ୟଙ୍କୁ ଆଙ୍ଗୁଠି ମାଗିନି। କୋଳରେ ମୁଣ୍ଡରଖି ଶୋଇନି। ପିଠିରେ ଜମିର ପାଣିକୁ ଅଟକେଇବା ପାଇଁ କହିନି କି ନିଜର ପୁଅ ପାଇଁ କହିନି।
ସ୍ତ୍ରୀଙ୍କ କୋଳ ଶୂନ୍ୟ। ଘର ଶୂନ୍ୟ। ଅଗଣା ଶୂନ୍ୟ। ବାଟ ଶୂନ୍ୟ। ଘାଟ ଶୂନ୍ୟ, ଏ ଶୂନ୍ୟତା ଚରିଯାଏ ଚରାଚର। ମନ୍ଦିରକୁ କହେ। ଦିହାରୀକୁ କହେ। ପୂଜାରୀକୁ କହେ, ବାସ୍ କହୁଥାଏ। ଆସ୍ତେ ଆସ୍ତେ ଏ କହିବା’ କାମଭିତରେ ସୀମିତ ହୋଇଯାଏ ତାର ପୁତ୍ରଲାଳସା।
ଛାତି ଭିତରେ ଭରିଥିବା ପୁତ୍ରଲାଳସାର ଚିରନ୍ତନ ରୋଗ ପାଇଁ ଔଷଧ ଖୋଜେ ପରିବାରରେ। ବଂଶରେ। ପରିଜନରେ ଆଉ କହିବ ମଧୁର ବଚନ ପଢ଼ୁଥିବା ସ୍କୁଲ ପିଲାଠାରେ। ଭାବେ ତାର କେହି ନାହାନ୍ତି, କିନ୍ତୁ ଦେଖେ ତାର କେହି ନଥିବା ଭିତରେ ସମସ୍ତେ ଅଛନ୍ତି। ସେ ପ୍ରସରି ଯାଏ। ଆଉ ମିଶିଯାଏ ଲୋକମାନଙ୍କ ଭିତରେ। ଭିଡ଼ ଭିତରେ, ଆଉ ନାଟକ ମଣ୍ଡଳୀରେ। ଅଖା ବସ୍ତା ପାରି ଘେରିଥିବା ଛୋଟଛୁଆ ଆଉ ମାଇପମାନଙ୍କ ଭିଡ଼, ଏହାପରେ ପୁରୁଷମାନଙ୍କ ବୃତ ଭିତରେ ରାଧେଶ୍ୟାମ ଧରୁଆ ନାଚେ। ମଞ୍ଚରେ ପେଟ୍ରୋମାକ୍ସର ଆଲୁଅ ଆଉ ବୃତ୍ତ ବାହାରେ ପାନ ଦୋକାନରେ ଡିବିରି ଆଲୁଅ। ଏ ଦୁଇ ଆଲୁଅ ଭିତରେ ବୃତ ଦେଖୁଥାଏ ରାଧେଶ୍ୟାମ ଧରୁଆର ନାଚ। ରାତି ଗଭିର ହୋଇଥାଏ। ଅଖାରେ ଶୋଇପଡ଼ନ୍ତି ଛୁଆମାନେ। ପେଟ୍ରୋମାକ୍ସ ଓ ଡିବିରିର ଆଲୁଅ ସୁଦ୍ଧା ଧିମେଇ ଯାଉଥାଏ। କିନ୍ତୁ ରାଧେଶ୍ୟାମ ଧରୁଆ ବେଶ୍ ସଚ୍ଚୋଟ ଥାଏ ନିଜ କଳାରେ। ସେ ନାଟକର ବିଦୂଷକ। ସୂତ୍ରଧର। ହାରାବତୀ ହରଣ ହେଉକି ସୁଭଦ୍ରା ପରିଣୟ, ବିଦୂଷକ ବୃତ୍ତକୁ ହସାଏ, ବୃତକୁ କନ୍ଦାଏ। ନାଟକରେ ରାଜାକୁ ଖବର ଦିଏ, ଅର୍ଜ୍ଜୁନକୁ ବୁଝାଏ; ନାଟକରେ ମୋଡ଼ ଦିଏ। ତା’ର ନାଟକର ନାୟକ/ନାୟୀକାଙ୍କୁ ଏକ ସୁଖଦ ମିଳନରେ ଛାଡ଼ିଦିଏ। ନାଟକ ସରିଆସେ ଆଉ ଗୋଟିଏ ବୃତକୁ ଓ ରାତିକୁ ଅପେକ୍ଷା କରି।
ତୃଟି କରେନି ଣାଧାଶ୍ୟାମ ଧରୁଆ, ନାଟକରେ ବେଶ୍ ସଚ୍ଚୋଟ ଆଉ ବିଦ୍ୟାଳୟରେ ବି। ରାଧେଶ୍ୟାମ ଧରୁଆ ନାଟକରେ ନାଚେ। ନିଜର ଭିତରୁ ଡାକିଆଣେ ବିଦୂଷକକୁ। ତାକୁ ସେ ବିଦୂଷକ ନଚାଏ। ସେ ଜାଣେ ତାକୁ ସେ ନଚଉଛି। ଖୁସି ହୁଏ। ନିଦକୁ ହତାଦର କରି ତାକୁ ଦେଖୁଥିବା ବୃତକୁ ସମ୍ମାନ ଦିଏ ବୃତ୍ତ ବାହାରେ ଦିନବେଳା କିଏ ଜଣେ ତାକୁ ନଚଉଥାଏ। ସେ ଜଣିପାରେନି। ସେ ବ୍ଲକରେ ଦେଖେ ବିଦ୍ୟାଳୟ ନିରୀକ୍ଷକ ତାକୁ ନଚଉଛି। ସେ ଦେଖେ ପ୍ରତି ମାସ ଦରମା ପାଏନି। ଏଥିଲାଗି ମହାଜନ ପାଖକୁ ଯାଏ। ସଉଦା ଉଧାର ଆଣେ। ପରିଜନଙ୍କ ସୁଖଦୁଃଖରେ ସାମିଲ ହେବାକୁ ମହାଜନଠୁ ଋଣ ଆଣେ। ଦରମା ପାଇବା ପୂର୍ବ ଦିନ ମହାଜନ ଖବର ଦିଏ ଧରୁଆ ବାବୁ କାଲ୍‌କେ ତମର ଦରମା ମିଲ୍‌ବା। ଦରମା ଧରେ, ଏସ୍‌ଆଇ କହେ ଅମୁକ ଦିନ ସ୍କୁଲ ଡେରିରେ ପହଞ୍ଚିଲେ। ରାଧେଶ୍ୟାମ ଧରୁଆ ମନେ ପକେଇ ପାରେନି କୋଉଦିନ ତାର ଡେରି ହେଲା। ବୁଝିଯାଏ ଏସଆଇର ଇଙ୍ଗିତ। ଆସନ୍ତା ମାସ ପରିଦର୍ଶକ ଖାତାରେ ଲେଖିବ କେମିତି ପଢ଼ାହେଉଛି। ଦିଏ ପଚାଶ ଟଙ୍କା। ବାହାରକୁ ଯେତେବେଳେ ବାହାରେ ଋଣ ଦେଇଥବା ମହାଜନ, ଦୋକାନୀ, କପଡ଼ାବାଲା ଠିଆ ହୋଇଥାନ୍ତି। ଏମାନଙ୍କ ପାଖେ ହିସାବ ଦେଉ ଦେଉ ଲାଗେ ଦୁଇଘଣ୍ଟା। ଅଧାରୁ ଅଧିକ ଦରମା ବ୍ଲକ୍ ପରିସରରେ ହିଁ ସରିଯାଏ। ଗାଁକୁ ଫେରିବାର ଅଛି। ତେଲବାଲିକୁ ଦେବ, କେଉଟ ଘରକୁ ଦେବ। ଆଉ ବଳକା ଟଙ୍କାକୁ ସ୍ତ୍ରୀଙ୍କ ହାତରେ ଧରେଇବ।
ଏହି ଟଙ୍କାରେ ଅନିଶ୍ଚିତ ପର୍ଯ୍ୟନ୍ତ ସୀମିତ କରିବ ତାର ଇଛା ଆଉ ସ୍ୱପ୍ନମାନଙ୍କୁ। ଅନୁଭବ କରିବ ତା’ର ଡଙ୍ଗା ପାଣିରେ ଚାଲିବାର ସୁଗମତା ଧରୁନି। ବାଲିରେ ଚାଲୁଛି ଯେପରି। ରାଗିବ ଏସ୍‌.ଆଇକୁ। ମହାଜନକୁ। ସଉଦା ଦୋକାନୀକୁ। କପଡ଼ା ଦୋକାନୀକୁ। ଛଟପଟ ହେବ। ପନ୍ଦର ଦିନ ପରେ ଏମାନଙ୍କ ପାଖକୁ ଯିବ। ମଧୁର ବଚନ କହିବ।
ଏ ମଧୁର ବଚନ କହିବା ଆବଶ୍ୟକ ଥିବ। ଏ ଆବଶ୍ୟକ କେବଳ ରାଧେଶ୍ୟାମ ଧରୁଆର ନୁହେଁ। ଅନେକ ରାଧେଶ୍ୟାମ ଧରୁଆ ଏହା କହିବାକୁ ବା୍ମ ହୁଅନ୍ତି। ରାଧେଶ୍ୟାମ ଧରୁଆ ଜଣେ ଶିକ୍ଷକ, ତାଙ୍କର ଆୟ ଅଛି। ଜଣେ ଚାଷୀ ତାର ଆୟ ସହ ଜମି ଅଛି। ଜଣେ ସୁକବାସୀ ତାର ସୁନା ଅଛି, କାମ କରିବାର କ୍ଷମତା ଅଛି। ଜଙ୍ଗଲ ଅଛି। ଘର ଅଛି। ଖାସ୍ ଏଇଥି ଲାଗି ରାଧେଶ୍ୟାମ ଧରୁଆମାନେ ପଣ୍ୟ ହୋଇଯାଆନ୍ତି। ପ୍ରସରି ଯାଆନ୍ତି ବଦ୍ୟାଳୟରୁ କ୍ଷେତ ଖଳା, ସୁନାରୁପା ଦେଇ ଜଙ୍ଗଲକୁ। ରାଧେଶ୍ୟାମ ଧରୁଆମାନେ ଆୟ କରିପାରନ୍ତି, ଏଥିଲାଗି ବ୍ୟବସାୟ ଚାଲେ। ଏମାନେ ମଧୁର ବଚନ କହନ୍ତି, ଏଥି ଲାଗି ସଂସାର ଚାଲେ। ବୃତ୍ତ ଭିତରେ ପେଟ୍ରୋମାକ୍ସ ଧିମେଇ ଗଲେ ବି ରାଧେଶ୍ୟାମ ଧରୁଆମାନଙ୍କୁ ନାଚିବେରେ ଅସୁବିଧା ହୁଏନି। ସ୍ତ୍ରୀଙ୍କ କୋଳ ଶୂନ୍ୟ ଥିଲେବି ନାଚିବାରେ ଅସୁବିଧା ହୁଏନି। ବୃତ୍ତ ବାହାରେ ବି ନାଚିବାର ଅସୁବିଧା ହୁଏନି। କାରଣ ଏମାନେ ମଧୁର ବଚନ କହନ୍ତି। ମଧୁର ବଚନ ଶୁଣିପାରନ୍ତି। ଗଣିତ କହେ ମାସକୁ ଏମାନେ ନିଜ ଅଜାଣତରେ ଜଣେ ମହାଜନକୁ ପରିବାର ପିଛା ଦେଢ଼ହଜାର ଟଙ୍କା ପର୍ଯ୍ୟନ୍ତ ଦିଅନ୍ତି। ଏହି ଗଣିତ ପାଇଁ ସମୟ ନଥାଏ ରାଧେଶ୍ୟାମ ଧରୁଆମାନଙ୍କ। ସେଥିଲାଗି ତିନି / ଚାରି ଗାଁର ଜଣେ ମହାଜନ କୋଟି ଟଙ୍କାର କଥା ହୁଏ। ରାଧେଶ୍ୟାମ ଧରୁଆମାନଙ୍କ ପାଇଁ ତାର ମହିମାଗାନ କରିବାର ସୁଯୋଗଟିଏ ଛାଡ଼ିଦିଏ ମାତ୍ର।
ରାଧେଶ୍ୟାମ ଧରୁଆ ସମୁହ ଭିତରେ ଜଣେ। ଶୋଷିତ ଭିତରୁ ଜଣେ। ରାତିସାରା ପେଟ୍ରୋମାକ୍ସ ଆଲୁଅରେ ନାଚିଲେ ବି ସକାଳୁ ସ୍କୁଲ ଯିବାକୁ ପଡ଼େ। ବାସ୍‌, ଏ ଉତ୍ତରଦାୟିତ୍ୱକୁ ସମ୍ମାନ ଦେଇ ଜାଣେ ବୋଲି ରାସ୍ତାପାଖ ଗାଁରେ ଶିକ୍ଷକ ହେବାକୁ ପଡ଼େ। ରାଧେଶ୍ୟାମ ଧରୁଆ ପାଖରେ ଅବକାଶ ଅଛି। ସେ ଅନ୍ୟ ବ୍ୟବସାୟ କରିପାରିବ। ମହୁଲ କିଣି ପାରିବ। ଜମି କର ନେଇ ପାରିବ। ଛେଳି ରଖିପାରିବ କି ହାଇଦ୍ରାବାଦକୁ ଲେବର ପଠେଇ ପରିବ। ଏସବୁ କଲେ ଏସଆଇକୁ ଦରମାରୁ କୋଡ଼ିଏ ପ୍ରତିଶତ ଦେବାକୁ ପଡ଼ିବ। ଭିତର କଉ ସ୍କୁଲରେ ତାକୁ ରଖାଯିବ। ସେ ଏମଡିଏମ ବିକୁ କି ସ୍କୁଲ୍ ନଯାଉ, ପ୍ରଳୟ ହେବନି। ରୋଗ ବଇରାଗରେ କେବେ ଦିନେ ସ୍କୁଲ୍ ବନ୍ଦ କରିଦେଲେ ଠିକାକାମ ଦେଖିଯାଇଥିବା ସବ୍‌କଲେକ୍ଟର ତାର ଦିନକର ଦରମା କାଟିବେ। ରାଧେଶ୍ୟଶମ ଧରୁଆ ସ୍କୁଲ୍ ନ ଆସି ଠକୁଛି ଏସ୍‌ଆଇ ଦୁଇଇଶହ ଟଙ୍କା ନେଇ ଏହି କଳଙ୍କକୁ ପୋଛିଦେବେ ତାର ଚରିତ୍ର ପଞ୍ଜିକାରୁ।
ଏସବୁ କରିବା ପାଇଁ ରାଧେଶ୍ୟାମ ଧରୁଆର ବିବେକ ମନା କରିବ। ତାର ସ୍କୁଲ୍ ଆଉ ବୃତ ସବୁବେଳେ ତାକୁ ତାଗିଦ କରିବ ମଧୁର ବଚନ କହିବାକୁ। ସେ ରାସ୍ତାପାଖ ସ୍କୁଲ୍‌ରେ ରହିବ। ନିୟମିତସ୍କୁଲ୍ ଯିବ। ଏସ୍‌.ଆଇକୁ ପଚାଶ ଟଙ୍କା ଦେବ। ମହାଜନକୁ ଦଶ ପ୍ରତିଶତ ସୁଧ ଦେବ। ଟଙ୍କା ଦେବ ଦୋକାନୀକୁ। କପଡ଼ା ଦୋକାନୀକୁ। ତେଲବାଲିକୁ। ବାହାଘରକୁ ଯିବ। ସନ୍ତାନ କାମନା ପାଇଁ ବାଳଭୋଗ ଦେବ।ନିଜର ସମ୍ପର୍କୀୟଙ୍କ ସୁଖଦୁଃଖରେ ଠିଆ ହେବ ଆଉ ମଧୁର ବଚନ କହିବ। ପେଟ୍ରୋମାକ୍ସର ଆଲୁଅ ନିଦେଇ ଯିବ ପଛେ ରାଧେଶ୍ୟାମ ଧରୁଆକୁ ନିଦ ଆସିବନି। ସେ ବିଦୂଷକ, ତାକୁ ମାନଭଞ୍ଜନ କରିବାର ଅଛି ବୃତ ଭିତରେ ଆଉ ବାହାରେ।
ମହାଜନର ପୁଅକୁ ବି ଶିଖେଇବ ରାଧେଶ୍ୟାମ ଧରୁଆ। କହିବ ମଧୁର ବଚନ। ମହାଜନ ରାଧେଶ୍ୟାମ ଧରୁଆକୁ ଗାଳିଦେବ। ମାଷ୍ଟର ପଏସା ଦେଲାବେଲେ ଏତିିକି ନଖରାମି କରସୁଁ କେଁ କରି। ପୁରା ପଏସା ଦେଇଦେ ଆରୁ ବାକି ଦେମି ନହେଲେ ନେଇ। ପିଲାଟି ଦେଖେ ତା ବାପା ମଧୁର ବଚନ କହୁନି, ହେଲେ ଆଜ୍ଞା କହୁଛନ୍ତି। ରାଧେଶ୍ୟାମ ଧରୁଆ ପୁଅକୁ ଦେଖେ, ଲାଜ କରେ। ମହାଜନର ପୁଅ ରାଧେଶ୍ୟାମ ଧରଆକୁ ଦେଖେ ଭୁଲ ଗଣିତର ବାଡ଼ିମାଡ଼ ପାଇଁ ବାପା ଜବାବ ଦେଇଛି ଯେପରି।
ବାସ୍ ପୃଥିବୀ ଚାଲିଥାଏ। ଦିନେ ଜଣେ ଆଇଏଏସ୍ ଗାଡ଼ି ଅଟକାଇ ତଳକୁ ଓହ୍ଲେଇ ଜଣେ ଶିକ୍ଷକ ପ୍ରଭାକର ରାଉତଙ୍କୁ ନମସ୍କାର କରନ୍ତି। ଏ ଖବର ରାଧେଶ୍ୟାମ ଧରୁଆ ଶୁଣେ। ଏ ଦିନ ସବୁ ରାଧେଶ୍ୟାମ ଧରୁଆ ବନ୍ଦ କରିଦିଅନ୍ତି ଦରମା, ଇକ୍ରିମେଣ୍ଟ କଥା। ଏ ଦିନ ବନ୍ଦ କରିଦିଅନ୍ତି ଏସ୍‌.ଆଇର ରାଜନୀତି କଥା। ଏ ଦିନ ସମସ୍ତେ ଅନୁଭବ କରନ୍ତି ଶିଷ୍ୟ ଆଇଏଏସ୍ ହେଲେ ବି ମଧୁର ବଚନ ପଢ଼ଉଥିବା ରାଧେଶ୍ୟାମ ଧରୁଆମାନଙ୍କୁ ନମସ୍କାର କରିପାରେ। ରାଧେଶ୍ୟାମ ଧରୁଆ ଖୁସି ହୁଏ। ତାର ମୂଲ୍ୟ ଅଛି। ମହାଜନ, ତେଲବାଲି, ଏସ୍‌ଆଇର ପରିଧି ସେ ପାରିରେ। ବୃତ୍ତଭିତରେ ଥିବା ସମ୍ମାନ ପରି। ବାସ୍ ଏଠାରେ ଅର୍ଜ୍ଜୁନକୁ ବୁଝାଯାଇପାରେ। ଆଙ୍ଗୁଠି ବି ମଗା ଯାଇପାରେ।
ଏସ୍‌ଆଇମାନଙ୍କୁ କୋଡ଼ିଏ ପ୍ରତିଶତ ଦେଇ ମହୁଲ କିଣୁଥିବା ରାଧେଶ୍ୟାମ ଧରୁଆମାନେ ଚିନ୍ତା ବି କରନ୍ତିନି ଯେ ଏପରି ହେଉଥିବ। କିନ୍ତୁ ସମୟ ବଦଳି ଯାଉଥିବ। ମଧୁର ବଚନ କହୁଥିବା ପିଲାଟି ତା’ବାପାର ଗଦିରେ ବସି ରାଧେଶ୍ୟାମ ଧରୁଆଙ୍କ ମଧୁର ବଚନ ଶୁଣୁଥିବ। ବୃତ୍ତ ଭିତରେ ଜଳୁଥିବା ପେଟ୍ରୋମାକ୍ସଟି ନିଦେଇବା ପୂର୍ବରୁ ରାଧେଶ୍ୟାମ ଧରୁଆ ନିଦେଇ ଯାଇଥିବ। ଡିବିରିର ତେଲ ସରୁଥିବ, ବୟସ ସରୁଥିବ ଓ ପୁତ୍ରମୋହ ବି।
ଦିନେ ଶେଷଥର ପାଇଁ ସ୍କୁଲ୍‌ରେ ମଧୁର ବଚନ କହିବ। ମଧୁର ବଚନ ଶୁଣିବ। ଛତା ଆଉ କରିଆ ଖଣ୍ଡେ ଦେଇ ବିଦାୟ ଦେବେ ରାଧେଶ୍ୟାମ ଧରୁଆକୁ। ଘରକୁ ଆସିବ। ବସିବ ଆଉ ସ୍ତ୍ରୀଙ୍କ ସଙ୍ଗେ ମାପିବ କେତେଦୂର ଚାଲିଲିଣି। ବହୁତ ଦୂର। ଏତେଦୂର ଯେ ଚିନ୍ତା କରିବ ଏତେ ବନ୍ଧୁରପଥ ସବୁ କେମିତି କେମିିତି ସରିଗଲା। ଦେଖିବ ସ୍ତ୍ରୀଙ୍କ ପଣତକାନୀ ଖରାରେ ତାକୁ ଛାଇ ଦେଇଛି। ରାସ୍ତାରେ କୋମଳତା। ପେଟ୍ରୋମାକ୍ସ ଆଲୁଅରେ ବୃତ୍ତର ଆଗଧାଡ଼ିରେ ବସିଛି। ବିଦ୍ୟାଳୟର ଛାତ ହୋଇ ବସିଛି। ରାଧେଶ୍ୟାମ ଧରୁଆ ଚିନ୍ତା କରିପାରିବନି। ଏତେ ନିବିଡ଼ ହୋଇ ମଧ୍ୟ ଏତେ ବର୍ଷ ହେଲା ମୁଁ କାହିଁକି ଚିହ୍ନି ପାରିଲିନି। ଯିଏ ପ୍ରସରି ଯାଇଛି ତାର ସମଗ୍ରତାକୁ, ତାର ଚରାଚରକୁ। କ୍ଷମାମାଗିବ ଆଉ ଜୀବନତମାମ ସଞ୍ଚିଥିବା ସମସ୍ତ ପୁଣ୍ୟକୁ ଅଜାଡ଼ି ଦେବ ତାଙ୍କ ପାଦତଳେ। ପୁତ୍ର ଲାଳସାରେ ରାଧେଶ୍ୟାମ ଧରୁଆ ହିଁ ତାଙ୍କର ପୁଅ ହୋଇଯାଇଛି କେଉଁକାଳୁ। ଏକଥା ଆଜି ଜାଣିବ ପ୍ରଥମ କରି। ଏ ନୈସର୍ଗିକ ବନ୍ଧନର ଅ, ଆ ପାଠକୁ ଶ୍ରୀଗଣେଶ କରିବ।
ସପ୍ତାହେ ପରେ ଯିବ ଏସ୍‌ଆଇଙ୍କ ନିକଟକୁ। କହିବ କାଗଜପତ୍ର କେବେ ହେବ। ସମୟର ସୀମା ଦେଇପାରିବନି ଏସ୍‌ଆଇ। ତଥାପି ବି ପାଞ୍ଚଶହ ଟଙ୍କା ଧରେଇ ଦେବ। ଛଅମାସ ପରେ ବି ଏସ୍‌ଆଇଙ୍କ ସେହି ଏକା ଉତ୍ତର। ଦେଖିବା! ରାଧେଶ୍ୟାମ ଧରୁଆ କହିବ ଛଅମାସ ହେଲାଣି ମହାଜନ କେତେ ଟାକିବ। ଉଧାରରେ ମୋର ପରିବାର କେମିତି ଚଳିବ। ହାତ ଯୋଡ଼ିବ,କରୁଣା ଭିକ୍ଷା କରିବ। ଏସ୍‌ଆଇ ସାମାନ୍ୟ ପ୍ରସନ୍ନ ଦିଶିବେ।
ଚିନ୍ତାଗସ୍ତ ହୋଇ ଫେରିବ ଘରକୁ। ତାର ସମଗ୍ର ସତ୍ତାକୁ ଧରିଥିବା ସ୍ତ୍ରୀଙ୍କୁ ଜୀବନତମାମ ଦେଇଥିବା ଦୁଃଖର ପ୍ରତିବଦଳରେ କ୍ଷମା ମାଗିବ। ଆଖିରୁ ପାଣି ବହିଯିବ। ଦୁଲ୍‌କରି ପଡ଼ିଯିବ ତଳେ, ଆଉ ଉଠିପାରିବନି। ସ୍ତ୍ରୀ ରାତିସାରା ତାର ସେବା କରିବ। ସକାଳୁ ନିଜେ ଯିବେ ଏସ୍‌ଆଇଙ୍କ ନିକଟକୁ। ଗୁହାରୀ ହେବେ ଏସ୍‌ଆଇଙ୍କ ଦରବାରରେ। ଏସ୍‌ଆଇ ଖୁସି ହେବେ।
ପନ୍ଦର ଦିନ ପରେ ଏସ୍‌ଆଇ ରାଧେଶ୍ୟାମ ଧରୁଆଙ୍କ ଘରକୁ ଯିବେ। କହିବେ ତୁମର ଚାଳିଶ ହଜାର ଟଙ୍କା ମିଳିଲା। କୋଡ଼ିଏ ହଜାର ଟଙ୍କା ମହାଜନ ନେଲା, ଆଉ କୋଡ଼ିଏ ହଜାର ଟଙ୍କା ମୋର। ରାଧେଶ୍ୟାମ ଧରୁଆ କହିବ ଆପଣ ମତେ ଦଶହଜାର ଦେଇଥାନ୍ତୁ ମୁଁ ପରେ ଦେଇଦେବି। ଏସ୍‌ଆଇ ତାଙ୍କର ବାଇକ୍ କିଣାଠାରୁ ଝିଅ ବାହାଘର ପର୍ଯ୍ୟନ୍ତ ଗୋଟିଏ ଲମ୍ବା ତାଲିକା ଦେବେ। ଏ ତାଲିକାକୁ ପୁରା କରୁ କରୁ ଦରମାର କୋଡ଼ିଏ ପ୍ରତିଶତ। ରାଧେଶ୍ୟାମ ଧରୁଆର ପଚାଶ ଟଙ୍କା ଓ ଏମଡିଏମ୍‌ର ଗୋଟିଏ ଅଂଶ କେତେ ସମର୍ଥ, ସେ କଥା କହିବେ।
ରାଧେଶ୍ୟାମ ଧରୁଆ ଖଟରେ ପଡ଼ି ସୁଦ୍ଧା ଏସ୍‌ଆଇଙ୍କ ଦୁଃଖରେ ଦୁଃଖ କରିବାକୁ ବାଧ୍ୟ ହେବ। ତାର ଦଶହଜାରକୁ କମେଇ କମେଇ ଏକହଜାର ମଧ୍ୟରେ ଦାବୀକୁ ସୀମିତ ରଖିବ। ଏଥିପାଇଁ ବି ଦୁଃଖି ଏସ୍‌ଆଇ ସମର୍ଥ ହୋଇପାରିବେନି। ଖଟରେ ପଡ଼ିଥିବା ରାଧେଶ୍ୟାମ ଧରୁଆ ନିଜକୁ ପ୍ରବୋଧିବ। ମହାଜନ ତ ଏବେ ମନାକରିବନି ସଉଦା କି ଟଙ୍କା ଦେବାକୁ। ବାସ୍ ଏସ୍‌ଆଇ ଫେରିବ।
ଆଉ ଦେଖା ଦେବନି ଏସ୍‌ଆଇ, ମହାଜନ ଟଙ୍କା ଦେବାକୁ ମନାକରିବ। ବଜାର କି ସଉଦା ପାଇଁ ରାଧେଶ୍ୟାମ ଧରୁଆଙ୍କ ଅର୍ଜ୍ଜୁନ କି ରାଜା କି ସୁଭଦ୍ରା କେବେ ମନା କରୁନଥିବେ। ଆସି ତା ସହ ମିଶୁଥିବେ। ସାଧ୍ୟଥିବା ପରିଜନ୍ତେ ସହଯୋଗ କରିବେ। ଦୁଃଖ କରିବେ ଏଇଟା ବୃତ ଭିତରର ଦୃଶ୍ୟ ହୋଇଥାନ୍ତା କି? ଆଦେଶ ଦେଇ କି ତୀର ମାରି ହରଣ କରିପାରନ୍ତେ ରାଧେଶ୍ୟାମ ଧରୁଆର ଦୁଃଖ।
ଖଟରେ ପଡ଼ିଥିବା ରାଧେଶ୍ୟାମ ଧରୁଆର ପିଠି ପୋଛୁ ପୋଛୁ ଦିନେ ସ୍ତ୍ରୀ ଦେଖିବେ ତାର ଚମଡ଼ା ଉତୁରି ଯାଉଛି। ଭୋ ଭୋ କରି କାନ୍ଦି ପକେଇବେ। ଅର୍ଜ୍ଜୁନ, ରାଜା, ସୁଭଦ୍ରା, ହାରାବତୀ, ରାକ୍ଷସ, ମନ୍ତ୍ରୀ ପାରିଷଦ ସହିତ ବାଜାବାଲା ସମସ୍ତେ ଆସିବେ। ଅର୍ଜ୍ଜୁନ ସାଇକେଲ ନେଇ ଖବର ଦେବ ରେଲୱେରେ କାମକରୁଥିବା ରାଧେଶ୍ୟାମ ଧରୁଆର ଭାଇକୁ। ଶିକ୍ଷକତା ଜୀବନକାଳରେ ଯେଉଁ ପରିଜନଙ୍କୁ ନିଜର କୋଣ ଅନୁକୋଣରେ ଥାପନା କରିଥିଲା, ସେମାନେ ହଜି ସାରିଥିଲେ ତାଙ୍କର ପରିସୀମାରୁ। ଭାଇ ଆସିବେ।
କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ରଖିବେ। ରାଧେ଼ଶ୍ୟମ ଧରୁଆ ସେପାରିକୁ ଯିବାକୁ ସାତଦିନ ସମୟ ଲାଗିବ। ଏସଆଇ ଶୁଣିବ, ନିଜକୁ ସଙ୍ଖୋଳିବ। ରାଧେଶ୍ୟାମ ଧରୁଆର ଶବାଧାରରେ ଅର୍ଜ୍ଜୁନ, ରାଜା, ସୁଭଦ୍ରା, ହାରାବତୀ, ରାକ୍ଷସ, ମନ୍ତ୍ରୀ ପରିଷଦ ସହିତ ବାଜାବାଲା ସମସ୍ତେ ଥିବେ। କେତେକ ଶିକ୍ଷକ ବି ଥିବେ। ହେଲେ ଏସ୍‌ଆଇ ନଥିବେ। ମହାଜନ ନଥିବ। କପଡ଼ାବାଲା ନଥିବ।
ଏକଥା ରବି ଦାସ ରାଜଧାନୀରେ ବସି ଜାଣିବ। ସେ ଲେଖିବ ନିଜର ‘ପର୍ଯ୍ୟବେକ୍ଷକ’ରେ ରାଧେଶ୍ୟାମ ଧରୁଆଙ୍କ ପଛରେ ଥିବା ନାଟକର ରାକ୍ଷସମାନଙ୍କ କଥା ତାର ସମ୍ପାଦକୀୟରେ। କହିବ ତିରିଶ ବର୍ଷ ଚାକିରୀ କରି ତା’ର ଏ ଅବସ୍ଥା ପାଇଁ ଦାୟୀ କିଏ?
ଏଖବର ବାହାରିବାର ପନ୍ଦରଦିନ ପରେ ଏସ୍‌ଆଇ ମତେ ଭେଟିବ। କହିବ ସାର୍ ରାଧେଶ୍ୟାମ ଧରୁଆଙ୍କର କାଗଜପତ୍ର ସବୁ ଠିକ୍ କରିଦେଲି। ତାଙ୍କ ସ୍ତ୍ରୀ ପେନ୍‌ସନ୍ ପାଇବାରେ ଅସୁବିଧା ଆଉ ନାହିଁ।
ବୃତ୍ତ ଭିତରେ ପେଟ୍ରୋମାକ୍ସ ଆଲୁଅରେ ରାଧେଶ୍ୟାମ ଧରୁଆ ନାଚୁଥବ। ଆଲୁଅ ନିଦେଇଗଲେ ବି ରାଧେଶ୍ୟାମ ଧରୁଆ ଥକୁନଥିବ। ମହାଜନ ରାଧେଶ୍ୟାମ ଧରୁଆର ମଧୁର ବଚନ ଶୁଣୁଥିବ। ଗୋଟିଏ ଅଭିନୟ ସରିବ କେବଳ, କିନ୍ତୁ ରାଧେଶ୍ୟାମ ଧରୁଆ ମରି ନଥିବ। ପରାଜିତ ହେଉ ନଥିବ। ସେ ଚରିଯାଉଥିବ ବୃତରୁ ବାହାରି ଘରଦ୍ୱାର ସୁନା, ରୁପା ଦେଇ ଜଙ୍ଗଳକୁ। ଗୋଟିଏ ବସ୍ତୁ ହୋଇ।

୧୧
କାରୁଣ୍ୟର ଫସଲ

ସୀତାରାମ ଭୋଇ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତର ବୁଢ଼ୀପଦର ଗାଁରେ ରହେ। କେବେ ଦାଦନ ଯାଉଥିଲା। ୨୦୦୩ ମସିହା ଦାଦନ ଶ୍ରମିକ ଗାଁ ଛାଡ଼ିବା ବେଳେ ଗାଁ ଲୋକଙ୍କୁ ଗୁହାରି ହେଲା। ମୋର ଜମିବାଡ଼ି କିଛି ନାହିଁ ତୁମେ ଜାଣିଛ। ମୋ ପରିବାର ପାଳିବା ପାଇଁ ମୁଁ ମନସ୍ଥ କରିଛି ଚାଷ କରିବି। ତୁମେମାନେ ସହାୟ ହେଲେ ଗୋଚର ଜମ କିଛି ଚାଷ କରନ୍ତି ଗାଁ ଲୋକ ହଁ କଲେ। ସେ ୧୫ ଡିସିମିଲି ପାଖାପାଖି ଗୋଚର ଜମିକୁ ମାଟିବାଡ଼ ଦେଲା। କୂଅ ଖୋଳିଲା। ନିଜ ପରିବାର ସଙ୍ଗେ ପରିଶ୍ରମ କରି ପିଆଜ ଚାଷ କଲା। ସେହି ବର୍ଷ ପାଇଲା ୧୫୦୦ ଟଙ୍କା। ତା’ ପରବର୍ଷ ବର୍ଷା ଓ କରକାପାତ ଯୋଗୁଁ ପିଆଜ ଚାଷୀ ସମସ୍ତେ କ୍ଷତିରେ ପଡ଼ିଲେ। ତଥାପି ସେ ପାଇଥିଲା ୧୨୦୦ ଟଙ୍କା।
ସମୂହ ଭିତରେ ଜଣେ ସୀତାରାମ। ତାର ଅଜାଣତରେ ତାକୁ କିଏ ଖଟଉଥାଏ। ତା’ର ଶ୍ରମ‘ଲ ଖାଉଥାଏ। ସେ ଜାଣିନି। ଜାଣିଲେ ବି ଭାବେ ନେଣଦେଣ, ଆଉ ଅଧିକ ଜାଣିଲେ ଧରିନିଏ ଭାଗ୍ୟ।
ସାହୁକାରର ଋଣ ଆଉ ପରିବାରର ବୋଝରୁ ନିସ୍ତାର ପାଇବା ପାଇଁ ସୀତାରାମ ପିଆଜ ଚାଷ କରେ। ନିଜ ସଂସାରର ସୁଖଦୁଃଖ ସୀତାରାମ ନିଜେ ଜାଣେ। ପିଆଜ ଚାଷରୁ କଣ ପାଇଲା ସବୁଠୁ ବେଶୀ ସେ ବୁଝିଛି, ତେଣୁ ଆଜିଯାକେ ଛାଡ଼ିନି ପିଆଜ ଚାଷ। ହେଉ ପଛେ ସେଟା ଗୋଚର ଜମି।
ପଶ୍ଚିମ ଓଡ଼ିଶା ମାଳଭୂମି ମୁଖ୍ୟତଃ ଗୋଟିଏ ପଟେ ଢାଲୁ। ଭୂମିର ଏହି ଚରିତ୍ର ଅନେକ ପ୍ରାକୃତିକ ଜଳାଶୟର ଧାରକ ଏବଂ ନଦୀମାନେ ଖରସ୍ରୋତା। ପାହାଡ଼ ଜଙ୍ଗଲ ଓ ମାଳଭୂମିର ଚରିତ୍ର ପାଣିକୁ ପ୍ରାୟତଃ ପ୍ରାକୃତିକ ଉପାୟରେ ସାମାନ୍ୟରୁ କିଛି ଅଧିକ ସମୟ ପାଇଁ ନଦୀ ପର୍ଯ୍ୟନ୍ତ ଯିବାକୁ ଦିଏନି। ଫଳତଃ ଭୂମର ସ୍ଥିତି ଅନୁସାରେ ଭୂଗର୍ଭର ଜଳସ୍ତର ରହିଥାଏ। ବେହେଲି ଓ ବାହାଲ ଏପରି ଜମି ଯେଉଁଠି ପାଂଚ‘ୁଟରୁ ବି କମ୍ ତଳେ ପାଣି ମିଳେ। ମାଲ, ବେର୍ଣ୍ଣାରେ ଏହା ସର୍ବାଧିକ ୨୫ ଫୁଟ ତଳକୁ ଯାଇଥାଏ। ଟିଟିଲାଗଡ଼ ଉପଖଣ୍ଡର ଭୂଗର୍ଭ ଜଳ ଏତେ ପରିମାଣରେ ଅଛି ଯେ ପରିସଂଖ୍ୟାନ କହେ ଏହା ସମଗ୍ର ଜିଲ୍ଲାକୁ ବର୍ଷ ତମାମ ଜଳସଙ୍କଟରୁ ମୁକୁଳେଇ ପାରିବ। ଅନ୍ୟତ୍ର ଟିଟିଲାଗଡ଼ ସହରର ଜଳସଂକଟ ସର୍ବବିଦିତ। ଖାସ୍ ପାଣି ସମସ୍ୟାର ସମାଧାନ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଭୋଟକୁ ଦୁଇଥର ଲୋକେ ବର୍ଜନ କରିଥିଲେ। କିନ୍ତୁ ଖଡ଼ିଆଳ, ବଙ୍ଗୋମୁଣ୍ଡା ଓ ମୁରିବାହାଲ ଅଞ୍ଚଳର ଅନେକ ଉତ୍ସକୂପର ସନ୍ଧାନ ମିଳିଛି। ଯା’ର ପାଣିକୁ ବଙ୍ଗୋମୁଣ୍ଡା ଓ ଖଡ଼ିଆଳରେ ବ୍ୟବସ୍ଥିତ କରାଯାଇଥିବା ବେଳେ ମୁରିବାହାଲର ସାମାନ୍ୟ କେତେକ ଜମିରେ ଚାଷ ହେଉଛି।
୧୯୫୭-୫୮ ରେ ମୁରିବାହାଲ ବ୍ଲକ୍‌ର କୁର୍‌ରାଖାଇ ଜୋରକୁ ବାନ୍ଧି ଡଙ୍ଗରପଡ଼ାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତିଆରି ହେଲା। ଏଥିରେ ଅନେକ ଲୋକଙ୍କର ଚାଷ ଜମି ଗଲା। ଯୁବାମାଲ, ବନ୍ଧବାହାଲ ଓ ଡଙ୍ଗରପଡ଼ାର ୧୩ ଜଣ ପରିବାରଙ୍କୁ ତିଖାରୀ ରିଜର୍ଭ ଫରେଷ୍ଟରେ ଜମି ଦେବାର ପ୍ରତିଶ୍ରୁତି ଦିଆଗଲା। ଜମି ଚିହ୍ନଟ ହେଲା କିନ୍ତୁ ବନବିଭାଗ ସେମାନଙ୍କୁ ଚାଷ କରେଇ ଦେଲାନି। ଅନ୍ୟମାନଙ୍କୁ ତେତେଲଖୁଣ୍ଟି କେରମେଲା ସୀମାରେ ଜମି ଦିଆଗଲା। କିନ୍ତୁ ଏଠାରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଘଟି ଚାଲିଛି। ଯେଉଁ ଜମିରେ ପାଣି ମାଡ଼ିବ ବୋଲି ସୀମା ଧାର୍ଯ୍ୟ ହେଲା, ସେ ଜମିମାନଙ୍କରେ ଆଜି ପର୍ଯ୍ୟନ୍ତ ପାଣିମାଡ଼ିନି କିନ୍ତୁ ସେମାନେ କ୍ରମାଗତ ଜଳକର ଦେଇ ଆସୁଛନ୍ତି।
ଆଲୋକ ତୋମର ନିଜର ‘ହରାଭରା ଅକାଲ’ରେ ଲେଖିଲା ଯେ ଏ ଅଞ୍ଚଳର ମାଟିର ଦଶଫୁଟ ଭିତରେ ପାଣି, କିନ୍ତୁ ଏଠାରେ ମରୁଡ଼ି ପଡ଼େ। ବଲାଙ୍ଗିରରେ ଶହେରୁ ଅଧିକ ଡିପ୍ ବୋର ବେକାର ହେଲା। କୁହାଗଲା ବଲାଙ୍ଗିର ଜିଲ୍ଲାରେ ଭୂତଳ ଜଳ ଆତଙ୍କିତ ସ୍ତରରୁ ବି ଅଧିକ ଖସିଗଲାଣି। ପି.ସାଇନାଥ ନିଜର ‘ଏଭ୍ରିବଡ଼ି ଲଭସ୍ ଏ ଗୁଡ଼୍ ଡ୍ରାଉଟ’ରେ କହିଲା ଏଠାରେ ସବୁଠୁ ବେଶି ପାଣି ଦରକାର କରୁଥିବା ଆଖୁଚାଷ ପ୍ରଚୁର ହୁଏ।
ସୁତରାଂ ଆମେ କେଉଁଠି ନା କେଉଁଠି ଭୁଲ୍ କରୁଛୁ। ଗୋଟିଏ କାର୍ଯ୍ୟକ୍ରମକୁ ରୂପାୟନ କରିବାକୁ ଯାଇ ଆମେ ଭୂମିର ଚରିତ୍ର ଓ ପ୍ରକୃତିକୁ ଉପେକ୍ଷା କରୁଛୁ।
ଲକ୍ଷ୍ମୀଧର ନାୟକ ବଲାଙ୍ଗିରର ପାରମ୍ପାରିକ ଜଳସେଚନ ଉପରେ ଚର୍ଚ୍ଚା କରିବାକୁ ଯାଇ କହେ ଆମେ ପଛକୁ ଫେରିଲେ ଉତରଣ ଏବଂ ଆଗକୁ ଗଲେ ଅବକ୍ଷୟ।
ଏ ବିରୋଧାଭାଷ ଓ ସୀତାରାମ ଭିତରେ ଅନ୍ତର କେତେ? ଏ ‘ଯକ୍ଷପ୍ରଶ୍ନ’ ର ଉତର ସମ୍ଭବତଃ କାହା ନିକଟରେ ନାହିଁ। ଦଶନ୍ଧି ଦଶନ୍ଧି ଧରି ସୀତାରମ ଉପରେ ପଡ଼ିଥିବା ଅନୈତିକ ଚାପ ଭିତରୁ ନିଜକୁ ମଣିଷଟିଏ ବୋଲି ମୁକୁଳେଇବା ପାଇଁ ଗାଁ ଲୋକଙ୍କୁ ହାରି ଗୁହାରୀ ହୋଇ ଗୋଚର ଜମିରେ ପିଆଜ ଫଳାଏ।
ସୀତାରାମ କାହିଁକି ପିଆଜ ଚାଷ କରେ (?) ଏହାର ଇତିହାସ ସୁଦୀର୍ଘ । ୧୯୬୫ ମରୁଡ଼ି ପଛକୁ ମରୁଡ଼ିର ଏକ ଶତାଦ୍ଦୀର ଇତିହାସ। ତା’ପରକୁ ପର ମରୁଡ଼ି। ଏତେଦିନ ସୀତାରାମର ମେରୁଦଣ୍ଡକୁ ସୁରି ମାରି ସାରିଥାଏ। ନାନା ଉପାୟ କରେ ସୀତାରାମ । ୧୯୬୫ ମରୁଡ଼ିରେ ତାର ଧୈର୍ଯ୍ୟ ଭାଙ୍ଗିଯାଏ। ଗୋଟିଏ ବରାଟ କ୍ଷେତ୍ର ଇତଃସ୍ତତ ହୋଇଯାଏ।
୧୯୭୫ ପର୍ଯ୍ୟନ୍ତ ୬୫’ମରୁଡ଼ିର ପ୍ରଭାବ ଜଳ ଜଳ ଦିଶୁଥାଏ। ବଙ୍ଗୋମୁଣ୍ଡା ଅଞ୍ଚଳର ଅଶୁର୍ଲା, ମାଲପଡ଼ା ଓ କପିଲାଭଟା ଅଞ୍ଚଳରେ ପ୍ରଥମେ ପିଆଜ ଚାଷ କଲେ ମାଳି ସମ୍ପ୍ରଦାୟ। ଯେଉଁମାନଙ୍କ ମୁଖ୍ୟ ଜୀବିକା ହେଲା ପନିପରିବା ଚାଷ। ପିଆଜ ସ୍ଥାନୀୟ ଭାଷାରେ ଉଇଲ। ନଭେମ୍ବର ଶେଷ ପର୍ଯ୍ୟନ୍ତ ଉଇଲ ଶାଗ ଅମଳ ହେବା ଆରମ୍ଭ ହୁଏ। ଜାନୁୟାରୀ ବେଳକୁ ମଘା ଅମଳ ହୋଇଥାଏ। ଉଇଲ ଶାଗ ଓ ଉଇଲ ମଘା ଅଞ୍ଚଳରେ ବେଶ୍ ପ୍ରିୟ ପରିବା। ଏହାର ବିକ୍ରିରେ ବେଶ୍ ଦୁଇ ପଇସା ମାଳି ପାଇଥାଏ। ଯାହା ଏଯାବତ୍ ଚାଲୁଅଛି। ଫେବୃୟାରୀ ଶେଷ ବେଳକୁ ପିଆଜ ଛୋଟ ଛୋଟ ଥିବା ଅବସ୍ଥାରେ ମୂଳରୁ ଉପାଡ଼ି ବିଡ଼ା ବାନ୍ଧି ବିକ୍ରି କରୁଥିଲେ। ଏଥିପାଇଁ ନିଜର ବିହନ ବ୍ୟବହାର ହେଉଥିଲା। ଯାହାକୁ ପାରମ୍ପାରିକ ଉପାୟରେ ସଂଗ୍ରହ କରାଯାଉଥିଲା। ଯାହା ଏବେ ବି ଚାଲିଛି। ଏହି ଚାଷର ଉଦ୍ଦେଶ୍ୟ କେବଳ ଏତିକି ଥିଲା ଯେ ଲୋକଙ୍କ ସାମାନ୍ୟ ଆବଶ୍ୟକତାକୁ ପୁରା କରିବା। ଏଥିରେ ସେତେବଡ଼ ବ୍ୟାପାର ନଥିଲା। ସୀତାରାମ ବଜାରରୁ କିଣି ଉଇଲ ଶାଗ କି ଉଇଲ ମଘା ଖାଉଥିଲା।
୨/୨ ଫୁଟର ପଟାଳୀ ବା ଦୁହୁରୀ କରି ଆଗରୁ ଯେପରି ଉଇଲ ଶାଗ ଉଇଲ ମଘା ଅମଳ କରାଯାଉଥିଲା, ଆଜିବି ଠିକ୍ ସେହିପରି ପଟାଳୀ ପ୍ରସ୍ତୁତ ହୁଏ। କୂଅରୁ ତେଣ୍ଡା ସାହାଯ୍ୟରେ ପାଣି ମଡ଼ା ଯାଉଥିଲା, ଆଜିବି ଅସ୍ଥାୟୀ କୂଅ ଖୋଳି ସେପରି ପାଣି ମଡ଼ା ହୁଏ। ମୋଟର ପାଇ୍‌ପର ବ୍ୟବହାର କେହି କରନ୍ତି ନାହିଁ। ଅନ୍ୟାନ୍ୟ ଚାଷରେ ମୋଟର ପାଇପ୍‌ର ବ୍ୟବହାର ବେଶି ନହେଲେବି ହେଉଛି। କିନ୍ତୁ ପିଆଜ କ୍ଷେତ୍ରରେ ନାହିଁ କାରଣ ପାରମ୍ପାରିକ ଚାଷ ପଦ୍ଧତିରେ ବି ଏହାର ଚାଷ ପ୍ରକ୍ରିୟାରେ ଉନ୍ନତି କରାଯାଇ ନାହିଁ। କିନ୍ତୁ ପିଆଜ କେଉଁ କେଉଁ ଜମିରେ ଅମଳ ହୁଏ, ୧୯୮୦ ପରେ ଲୋକେ ଜାଣିଲେ।
ଆଁଟ, ବେର୍ଣ୍ଣା ଓ ବାହାଲ ନାମରେ ତିନି କିସମର ଜମି ଏ ଅଂଚଳରେ ଅଛି। ଚରିତ୍ରଗତ ଦୃଷ୍ଟିରୁ ଏହାର ଏପରି ନାମକରଣ। ଉଚ୍ଚଜମି ଆଁଟ, ସାମାନ୍ୟ ସମତଳ ଜମି ବେର୍ଣ୍ଣା ଓ ଖାଲୁଆ ଜମି ବାହାଲ। ଆଁଟ ଜମିରେ କୋଦୋ, ଆଁଟଧାନ, ଗୁରଜୀ, ଚିନାବାଦାମ ଇତ୍ୟାଦି ପାରମ୍ପାରିକ ଚାଷ କରିଥାନ୍ତି। ଯାହା ନୂଆଖାଇ ପରେ ପରେ ଅମଳ ହେବା ଆରମ୍ଭ ହୁଏ। କାର୍ତିକ ମାର୍ଗଶିରବେଳକୁ ଏଥିରେ ପିଆଜ ଚାଷ କଲେ ଏହା ଫେବୃୟାରୀ-ମାର୍ଚ୍ଚ ବେଳକୁ ଅମଳ ହୁଏ। ବେରନା ଜମିରେ କୋଳଥ, ମୁଗ, ବିରି, କୋଦୋ, ରାଶି ଇତ୍ୟାଦି ଚାଷ ହୁଏ। ଯାହା ମାର୍ଗଶିର ଶେଷ ବେଳକୁ ଅମଳ ହେବା ଆରମ୍ଭ ହୁଏ। ଏଥିରେ ପିଆଜ ଚାଷ କଲେ ଏପ୍ରିଲ-ମଇ ବେଳକୁ ଅମଳ ହୁଏ। ବାହାଲ ଜମିରେ ମୁଖ୍ୟତଃ ଧାନଚାଷ ହୁଏ। ଯାହା ଅମଳ ହେବାକୁ ପୌଷ ପର୍ଯ୍ୟନ୍ତ ସମୟ ନେଇଥାଏ କିସମ ଅନୁପାତରେ। ଏ ଜମିରେ ପିଆଜ ଚାଷ କଲେ ଏହା ଜୁନ୍ ମଧ୍ୟ ବେଳକୁ ଅମଳ ହୁଏ। ଅର୍ଥାତ୍ ନିଜର ପାରମ୍ପାରିକ ଚାଷ କରିସାରିଲା ପରେ ହିଁ ଲୋକେ ପିଆଜ ଚାଷ ଆରମ୍ଭ କରିଥାନ୍ତି।
ପିଆଜ ତଳି ଧରିବାକୁ ୨୦ଦିନ ପର୍ଯ୍ୟନ୍ତ ସମୟ ନିଏ। ତାପରେ ସର୍ବାଧିକ ୧୦୦ ଦିନରେ ଏହା ଅମଳ ହୋଇଥାଏ। ଅର୍ଥାତ୍ ପାରମ୍ପାରିକ ଚାଷ ପରେ ଚାଷୀକୁ ଚାରିମାସର କାମ ମିଳିଯାଏ। ୨/୨‘ୁଟର ପଟାଳୀରେ ୫୦ରୁ ୯୦ଟି ତଳି ରୋପାଯାଏ। ଅମଳ ବେଳକୁ ୨ରୁ ୫କେଜି ପର୍ଯ୍ୟନ୍ତ ଗୋଟିଏ ପଟାଳୀରୁ ମିଳିଥାଏ। ଅର୍ଥାତ୍ ଏକରକୁ ୩୦ରୁ ୧୦୦ କ୍ୱିଂଟାଲ ପର୍ଯ୍ୟନ୍ତ ଅମଳ ହୁଏ। ସୀତାରାମ ୧୫ ଡିସିମିଲି ଜମିରେ ଭଲ ଫସଲ ହେଲେ ୧୫କ୍ୱିଣ୍ଟାଲ ପିଆଜ ପାଏ। ଯାହାକୁ କିଲୋ ଟଙ୍କାଏ ଦରରେ ବିକିବାକୁ ବାଧ୍ୟ ହୁଏ।
ତଳି ରୋଇଲାବେଳେ ସୀତାରାମ ଛେଳି ଓ ପାରାର ମଳ ସହ ଗୋବର ଦେଇଥାଏ। ଫଳରେ ତଳିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଲାଲ ବକି, ଧଳାବକି, ଓ ଡିଆଁ ହେଉଛି ପିଆଜର ପ୍ରଧାନ ଶତ୍ରୁ। ଅଦିନିଆ ବର୍ଷା ଅଥବା ଆକାଶ ମେଘାଚ୍ଛନ୍ନ ରହିଲେ ବକି ଲାଗେ। ଏଥିରୁ ଅଧିକ ସୀତାରାମ ଜାଣେନି । ଫସଲ ଭଲପାଇଁ ୟୁରିଆ ଦେଇଥାଏ କିନ୍ତୁ ଜାଣିବା ଲୋକ କହନ୍ତି ଏ ମାଟିରେ ୟୁରିଆ ଗୁଣ ଥିବାରୁ ଏହାର ପ୍ରୟୋଗ ଅନାବଶ୍ୟକ। ଏଥିଯୋଗୁଁ ୩/୪ଦିନ ବସ୍ତାରେ ରହିଲେ ପ୍ରାୟ ଦଶ ପ୍ରତିଶତ ପିଆଜ ନଷ୍ଟ ହୋଇଯାଏ। ଏକଥା ସୀତାରାମ ବୁଝେନି।
ଧଳା, ଲାଲ, ଓ ବଗରୀ(ଶଙ୍କର) ପରି ତିନି ଜାତିର ପିଆଜ ଚାଷ ହୁଏ। ସ୍ଥାନୀୟ ଧଳା ପିଆଜ ଏବେ ପ୍ରାୟ ଚାଷ ହେଉନଥିବା ବେଳେ ଲାଲ୍ ଓ ବଗରୀ ପିଆଜ ଚାଷ ହୁଏ। କୁହାଯାଏ ୯୦ଦଶକର ଆରମ୍ଭ ବେଳକୁ ଅଧକିଲୋ ପର୍ଯ୍ୟନ୍ତ ପିଆଜ ବଢ଼ୁଥିଲା। ସୀତାରାମ କନ୍ତୁ ଏତେ ବଡ଼ ପିଆଜ ଅମଳ କରିପାରେନି।
ସୀତାରାମ ୪୦ଟଙ୍କାରେ ପାଏ ମଞ୍ଜି କିଣି ତଳି ପକାଏ। ୧୫ ଡିସିମିଲି ଗୋଚର ଜମିକୁ ବାଡ଼ଦିଏ ହଳକରେ। ତା’ ଛୁଆମାନେ ସ୍କୁଲ୍ ଯା’ନ୍ତି ମଧ୍ୟାନ୍ନ ଭୋଜନ ମିଳେ ବୋଲି। ସ୍ୱାମି-ସ୍ତ୍ରୀ ଖଟନ୍ତି। ଖାଇସାରିଲା ପରେ କେବେ କେବେ ଛୁଆମାନେ ସ୍କୁଲରୁ ପଳେଇଆସନ୍ତି କାମ କରିବାକୁ ଅବା ବାଡ଼ି ଜଗିବାକୁ। ଚାରିମାସ ସ୍ୱାମୀ-ସ୍ତ୍ରୀ ଖଟନ୍ତି। ତଳି ପକେଇବାର ୧୫ଦିନ ପରେ ସୀତାରାମ ଉଇଲ ଶାଗ କାଟେ। ଯାହାକୁ ନିଜେ ଖାଏ ସ୍ତ୍ରୀ ବଜାରରେ ବିକେ। ତଳି ରୋଇବା ପୂର୍ବରୁ ଆଉଥରେ କାଟି ଶାଗ ବାହାର କରେ। ତଳି ରୋଇବାର ଦୁଇମାସ ପରେ ମଘା ସଂଗ୍ରହ କରେ। ଯାହାକୁ ସ୍ତ୍ରୀ ବଜାରକୁ ନିଏ। ମଘାରେ ଛୋଟ ଫୁଲ ଆସିଲେ ସୀତାରାମ ଖୁସି ହୁଏ। ଫସଲ ଭଲହେବ। ବଡ଼ ଫୁଲ ଆସିଲେ ସୀତାରାମ ଜାଣେ ଫସଲ ସେତେ ଭଲ ହେବନି। ସେ ଅନୁପାତରେ ନିଜର ଆବଶ୍ୟକତାକୁ ସଙ୍କୁଚିତ କରେ। ଅମଳ ପରେ ସୀତାରାମ ହଳଗାଡ଼ିରେ ମୁରିବାହାଲ ନିଏ। ନିଜର ୧୫କ୍ୱିଣ୍ଟାଲ ପିଆଜକୁ ତିନି ଚାରଥର କରି। ବିକେ ୧୫୦୦ ଟଙ୍କାରେ। ସ୍ୱାମୀ-ସ୍ତ୍ରୀ ଏତେ ଖଟଣି ପରେ ଦିନକୁ ପାଆନ୍ତି ୧୨ ଟଙ୍କା ୫୦ ପଇସା। ଏବେ ବ୍ରହ୍ମପୁର, ରାୟପୁର ଓ ଭୁବନେଶ୍ୱରକୁ ପିଆଜ ନେବାପାଇଁ ବେପାରୀ ଟ୍ରକ୍ ଲଗାଏ ତା’ ଗୋଚର ବାଡ଼ିକୁ। କେବେ କେବେ ଦଲାଲ ଆସେ। ଦୁଇଟଙ୍କା କିଲୋ ଦିଏ। ସ୍ୱାମୀ ସ୍ତ୍ରୀ ଦିନକୁ ପାଆନ୍ତି ୨୫ଟଙ୍କା। ସୀତାରାମ ଶୁଣେ ଦୋକାନରେ ପିଆଜ କିଲୋ ଚାରି / ପାଞ୍ଚ ଟଙ୍କା । ସେ ଜିଦ୍ କରି ପାରେନି। ଘରେ ସପ୍ତାହେ ପିଆଜ ରଖିଦେଲେ ପଚିଯିବ। ଅମଳ ପରେ ଦଲାଲ୍ କି ବେପାରୀକୁ ଦେବା ବୁଦ୍ଧିମାନୀ ଛଡ଼ା କିଛି ନୁହେଁ।
ସୀତାରାମ ବୁଝିପାରେନି ତାର ପିଆଜ ଅମଳ ବେଳକୁ ଦୋକାନରେ ପିଆଜ କିଲୋ ଚାରି / ପାଂଚ ଟଙ୍କା ହୁଏ। ଅମଳ ସରିଗଲେ ଏହା ଦଶଟଙ୍କାକୁ ବି ବଢ଼ିଯାଏ। ସେ ଜଦି ଏପରି କରିପାରନ୍ତା, ତା’ହେଲ ତାର ଶ୍ରମ ସାର୍ଥକ ହୁଅନ୍ତାବଜାରରୁ ପିଆଜ ଦୁଇଟଙ୍କାର କିଣିଆଣେ। ସେ ଅମଳ କରିଥିବା ଲାଲ୍ ପିଆଜ ସହ ମିଶାଏ। ତାର ପିଆଜର ରଙ୍ଗଟିକିଏ ଫିକା ଦିଶେ। ଦୋକାନର ପିଆଜ ଏତେ ଲାଲ୍ ଓ ଟାଣ କାହିଁକି ବୁଝିପାରେନି।
ସୀତାରାମ ଏତେ ବିଦ୍ୟା ଜାଣେନି। ନାସିକର ପିଆଜ ସାରା ଦେଶକୁ ଯୋଗାଏ। ସେଠାରେ ପିଆଜ ଚାଷ ଉପରେ ଉପଯୁକ୍ତ ଗବେଷଣା ହୁଏ। ମାଟିର ଗୁଣଧର୍ମ ରକ୍ଷାକରି ପିଆଜ ଚାଷ ହୁଏ।
କିଛି ଚାଷୀଙ୍କୁ ଧରି ଜଣେ ନାସିକ ଯାଏ। ସୀତାରାମର ଇଛାଥିଲେ ବି ଯାଏନି। କହିପାରେନି ସେ ପିଆଜ ଚାଷୀ। ସେ ନିଜ ବାପାର ନୁହେଁ, ଗୋଚର ଚଷୁଛି। ସମସ୍ତେ ଫେରନ୍ତି। ପିଆଜ ଚାଷ ଉପରେ ବହୁତ କଥା କହନ୍ତି ଚାଷୀମାନଙ୍କ ସହ ସୀତାରାମ ବସେ ଅନ୍ୟଚାଷୀଙ୍କ ପରି ସୀତାରାମ ଛାତି ଡେରି ପଚାରି ପାରେନି। ସେମାନେ ନିଜ ଜମ ଚାଷ କଲେ ସୀତାରାମ ଗୋଚର ଚଷେ। ସେ ଲୋକ ପିଆଜ ଉପରେ ଯେଉଁ କଥା କହେ, ସୀତାରାମ ଡରେ। ନାସିକର ବଡ଼ ବଡ଼ ଲୋକ ସେମାନେ ଯାହା କରିବେ ୟେ ନିଜେ ପାରିବନି। ଯଦି କଲା, ଫସଲ ନ ହେଲେ? ସୀତାରାମ ଚାଷକରେ ପୂର୍ବପରି। ସେ ଲୋକକୁ ତା ଗାଁର କେତେ ଚାଷୀ ଗାଳି କରନ୍ତି। ସେ ଲୋକକୁ ଆଉ ସୀତାରାମ ଗାଁରେ ଦେଖେନି।
ସେ ଲୋକକୁ ମୁଁ ପଚାରେ। ସେ କହେ ଚାଷୀମାନେ ପିଆଜ ଚାଷ କରି ଜାଣନ୍ତିନି। କିନ୍ତୁ ଚାଷୀମାନେ ପିଆଜ ଚାଷ କରନ୍ତି। ଏକଥା ସେ ଲୋକ ଜାଣିପାରେନି।
ଦିନେ ପୁଣିଥରେ ସେ ଲୋକ ଆସିଲା। କହିଲା ପିଆଜ ଅମଳ ସରିଲେ ପନ୍ଦର ଦିନ ପରେ ତାର ଦାମ ବଢ଼ିଯାଉଛି। ତେଣୁ ସମସ୍ତ ଚାଷୀ ପିଆଜକୁ ଦୁଇମାସ ସାଇତି ଦେଲେ ଛଅସାତ ଗୁଣ ଲାଭ ପାଇବେ। ଚାଷୀମାନେ ହଁ କଲେ। ସୀତାରାମ ବି ଖୁସିହେଲା। ସେ ଲୋକ ପିଆଜ ରଖିବା ଘର ତିଆରି କଲା। ପିଆଜ ପଚିଗଲ। ସେ ଲୋକ ସେଦିନୁ ନା ପିଆଜର ନାଁ ଧରିଲ, ନା ଗାଁକୁ ବର୍ଷଟିଏ ଆସିଲା।
ସେ ଲୋକକୁ ମୁଁ ପୁଣିଥରେ ପଚାରିଲି। ସେ କହିଲା ନାସିକରେ ଏପରି ହୁଏ। ଏଠାରେ କାହିଁକି ହେଲାନି ନା ସୀତାରାମ ଜାଣିଲା, ନା ସେ ଲୋକ। ବାସ୍ ପିଆଜ ଚାଷରେ ବିପ୍ଲବର କାହାଣୀ ସରିଗଲା। ସୀତାରମ ଗୋଚରକୁ ଚାଷ କରିଗଲା। ସେ ଲୋକ ଜଙ୍ଗଲକୁ ଗଲା ଅନ୍ୟ ଚାଷ ପାଇଁ ପାଠ ପଢ଼େଇବାକୁ। ଅଂଚଳରେ ୧୮ରୁ ୨୦ହଜାର ହେକ୍ଟର ପିଆଜ ଚାଷ ହୁଏ। ଅଞ୍ଚଳର ଚାଷୀ ପାଆନ୍ତି ମାତ୍ର ୫୦କୋଟି ଟଙ୍କା। ଏଭିତରେ ମିଶିଥାଏ ବିହନ ସହ ସମସ୍ତ ଶ୍ରମ ଓ ଖର୍ଚ୍ଚ। ଏମାନଙ୍କୁ ନିଜ ବୁଦ୍ଧିରେ ଖଟେଇ ମ୍ମସ୍ଥି ମାରିନିଅନ୍ତି ଦେଢ଼ଶହ କୋଟି ଟଙ୍କା।
ଚାଷ କରିବା ପୂର୍ବରୁ ମହାଜନ ସୀତାରାମ ପାଖକୁ ଆସେ। ବି÷ହନ ଦିଏ। ଚାଷ ଖର୍ଚ୍ଚ ବି। ଅମଳ ହେଲେ ମହାଜନ ଖର୍ଚ୍ଚକରିଥିବା ଟଙ୍କା ଉପରେ ଚାରିମାସର ସୁଧ ଯୋଡ଼େ। ନିଜ ହିସାବରେ ମୂଲ୍ୟ ନିର୍ଦ୍ଧାରଣ କରେ। ଟଙ୍କାର ମୂଳ ସୁଧ କାଟି ଦୁଇମାସ ପରେ ବାକି ଟଙ୍କା ଦିଏ। ସୀତାରାମ ଭାବେ ଏଇଟା ନିୟମ, ଏଇଟା ନେଣଦେଣ, ସେ ହଁ କରେ। ତା’ଘରକୁ ବିହନ ଓ ଟଙ୍କା ପହଞ୍ଚେ। ଗୋଚରରୁ ହିଁ ପିଆଜ ବିକ୍ରି ହୋଇଯାଏ। ମୁରିବାହାଲ ଯିବାକୁ ପଡ଼େନି।
ସରକାର ବି ଭାବନ୍ତି ପିଆଜକୁ କିଛିଦିନ ସାଇତି ରଖିଲେ ଚାଷୀ ପାଞ୍ଚଗୁଣ ଲାଭ ପାଇବ। ସାତହଜାର ଟଙ୍କା ସହଯୋଗରେ ଚାଷୀକୁ ନିଜସ୍ୱ ପିଆଜ ଗୋଦାମ ତିଆରି ପାଇଁ କୁହନ୍ତି। ଚାଷୀମାନେ ସ୍ୱକୀୟ ଗୋଦାମ ତିଆରନ୍ତି। ସୀତାରାମ କରିପାରେନି। ଗୋଚର ପଟ୍ଟା ତା’ ନାରେ ନଥାଏ। ଏହା ସର୍ବସାଧାରଣଙ୍କ ଜମି। ଗାଈମାନଙ୍କ ଜମି। ସରକାରଙ୍କ ଜମି। ଚାଷୀ ଲାଭ ପାଇଲା ନପାଇଲା, ସୀତାରାମ ଜାଣେନି। କିନ୍ତୁ ବର୍ଷାବେଳେ ଗୋଦାମର ପିଆଜ ନଷ୍ଟ ହୋଇଯିବାର ସେ ଦେଖେ। ସରକାର ବି ତିଆରି କରେଇ ପାରନ୍ତିନି କୋଡ଼ିଏ ହଜାର ହେକ୍ଟରର ଗୋଟିଏ ଜମି ପାଇଁ ଗୋଦାମ। ଅନୁପାତ କହେ ମୋଟ ଗୋଦାମରେ ଅମଳର ଦଶ ପ୍ରତିଶତ ଫସଲ ରହିବା ମୁସ୍କିଲ। ମଧ୍ୟସ୍ଥି ଓ ସୀତାରାମମାନେ ଦେଖିପାରନ୍ତି ନାହିଁ କାଗଜ କଲମରେ ପିଆଜ ଚାଷର ବିପ୍ଳବ।
ସୀତାରାମ ଶୁଣେ ଏକଦା ଏହି ପିଆଜ ତିନୋଟି ରାଜ୍ୟ ସରକାରଙ୍କୁ ତଡ଼ିଦେଲା। ସୀତାରାମ ନିଜେ ଅମଳ କରିଥିବା ପିଆଜକୁ ଖୋଳେ ପରସ୍ତ ପରସ୍ତ ଅନ୍ତଃହୀନ ପରସ୍ତ। ଦୌପଦୀର ମାନ ରହିଯାଏ।
ଏକ ଏନଜିଓ କହେ ମୁଁ ପିଆଜ ଚାଷକୁ ସୁରକ୍ଷା ଓ ପ୍ରଚାର କରି ଗଁରେଇ ଗ୍ରାମ ପଞ୍ଚାୟତକୁ ଦାଦନମୁକ୍ତ ଗ୍ରାମ ପଞ୍ଚାୟତ କରିଦେଇଛି। କଥାଟି ଚିତ୍ତାକର୍ଷକ ନିଶ୍ଚୟ। କଥାଟି ଅନୁଷ୍ଠାନମାନଙ୍କ କର୍ମକୁଶଳତାର ମାପକାଠି କୁଆଡ଼େ। ମୁଁ ଗଁରେଇ ଗ୍ରାମ ପଞ୍ଚାୟତ ବୁଲେ, ତଥ୍ୟ ପଢ଼େ। ଲୋକେ କ୍ରମ ଅନୁସାରେ ପିଆଜ ଚାଷ କରନ୍ତି। ସେହି କ୍ରମରେ ଦାଦନ ଯିବା ବନ୍ଦ କରିଛନ୍ତି। କାଁ ଭାଁ କିଛି ଲୋକଙ୍କୁ ଛାଡ଼ି।
ସୀତାରମ ଦଲାଲ୍‌ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିଗଲା ବେଳେ ଦେଖୁଥିଲା ପିଆଜ ଚାଷ ପାଇଁ ଲୋକେ ପ୍ରସ୍ତୁତ ହେଉଛନ୍ତି। ଫେରିଲାବେଳେ ଦେଖେ ପିଆଜର ବଜାର ସରିଯାଇଛି। ଏବେ ସେ ଦେଖୁଛି ସେ ପିଆଜଚାଷ ପାଇଁ ପ୍ରସ୍ତୁତ ହେଲେ ଲୋକେ ଯାଉଛନ୍ତି ଓ ତାର ‘ସଲ ବିକ୍ରି ସରିଲେ ଲୋକେ ଫେରୁଛନ୍ତି। ଗୋଟିଏ ଦୃଶ୍ୟ, କିନ୍ତୁ ଦେଖିବାର ପାଶ୍ୱର୍ କେବଳ ବଦଳେ।
ସୀତାରାମ କାହିଁକି ଦାଦନ ଯାଏ? ସୀତାରାମ କାହିଁକି ପିଆଜ ଚାଷ କରେ? ପ୍ରଶ୍ନ ଗୋଟିଏ, କିନ୍ତୁ ପଚରାଯାଏ ଦୁଇଥର।
ରୁଆଗଡ଼ା ସରିଲାପରେ ସୀତାରାମ ପାଖରେ କାମ ନଥାଏ। ଏତେବେଳେ ଲୋକେ ସାମୟିକ ଭାବରେ ରାୟପୁର ଯାଇଥାନ୍ତି। ଫସଲ ଅମଳ ହେବାବେଳକୁ ସୀତାରାମକୁ କାମ ମିଳେ। ଏହାପରେ ତା’ହାତରେ ନା ତ’ କାମ ଥାଏ, ନା ବଞ୍ଚିବାର ଅନ୍ୟ ସାଧନ। ସରକାରୀ କାମ ଯାହା ମିଳେ ଧର୍ମକୁ ଆଖିଠାର ପରି। ଏହି କାମ ଉପରେ ସୀତାରାମମାନେ ବିଶ୍ୱାସ କରିପାରନ୍ତି ନାହିଁ। ଏତେବେଳକୁ ଦଶହରା ଓ ନୂଆଖାଇ ପରି ବଡ଼ ବଡ଼ ପର୍ବ ସରି ଯାଇଥାଏ। ଏ ପର୍ବ ମାନ ତାର ସଞ୍ଚୟ ଓ ଆୟ ଉପରେ ବେଶ୍ ପ୍ରଭାବ ପକାନ୍ତି। ଏଥିପାଇଁ ବି ଋଣ ନକଲେ ନ ଚଳେ। ପାଖ ଆଖରେ ଜଙ୍ଗଲ ଥିଲେ ବି ଜଙ୍ଗଲ ଉପରେ ସେତିକି ଭରସା କରାଯାଇ ପାରେନାହିଁ। କାରଣ ଏତେବେଳକୁ ବାଢ଼ୁନ୍ (ଝାଡ଼ୁ) ବ୍ୟତୀତ କିଛି ମିଳେ ନାହିଁ। ଯାହା ସମସ୍ତ ସୀତାରାମଙ୍କ ବଞ୍ଚିବାର ମାଧ୍ୟମ ହୋଇପାରେ ନାହିଁ। କର୍ମସଂସ୍ଥାନର ସଙ୍କୋଚନ ଫଳରେ ଲକ୍ଷ ଲକ୍ଷ ସୀତାରାମର ପରିବାର ବଞ୍ଚିବାପାଇଁ ଚିନ୍ତା କରନ୍ତି। ଏ ଚିନ୍ତାରୁ ମୁକୁଳେଇବା ପାଇଁ ଦେବଦୂତ ପରି ଦାଦନ ଦଲାଲ୍ ଆସେ ତା ପାଖକୁ।
ଦାଦନ ଯିବା ସବୁଠୁ କଷ୍ଟ। କେବଳ ବଞ୍ଚିବା ବାହାନାରେ ଯିବାକଥା। ଏ ବାହାନା ଯଦି ଏଇ ମାଟିରେ ମିଳନ୍ତା ଦାଦନ ଯାଆନ୍ତେ କାହିଁକି? ସୀତାରାମମାନଙ୍କୁ ବାହାନା ମିଳିଯାଏ; ପିଆଜ! ଏଥିପାଇଁ ନିଜ ଜମି ନହେଲେ ବି ଗୋଚର ଜମିରେ ପିଆଜ ଚାଷ କରିବାକୁ ଏମାନେ ଅଧିକ ପସନ୍ଦ କରନ୍ତି। ଏହା ହିଁ ଗୋଟିଏ କାରଣ ଯେ ଆଜି ପିଆଜ ଚାଷ ଦାଦନ ପ୍ରବଣ ଅଞ୍ଚଳମାନଙ୍କରେ ପ୍ରସରି ଯାଇଛି। ଦାଦନ ପ୍ରବଣ ଅଞ୍ଚଳର ବ୍ୟାପ୍ତି ଯେତେ ବଢ଼ିବ, ବିଳମ୍ବ ହେଲେ ବି ପିଆଜ ଜମି ସେତେ ବିସ୍ତାରିତ ହେବ।
ପିଆଜ ଚାଷରେ ବୈଜ୍ଞାନିକତାର ପ୍ରୟୋଗ କରିନି ସୀତାରାମ। ସେ ଗୋଚର ଜମିରେ କୂଅ ଖୋଳେ। ଅନ୍ୟ ସୀତାରାମମାନେ ସମସ୍ତେ ଅସ୍ଥାଇ କୂଅ ଖୋଳନ୍ତି। ମାଲ, ବେର୍ଣ୍ଣା ଅବା ବାହାଲରେ। ଏ କୂଅମାନ ଖାଲି ପିଆଜ ଚାଷ ପାଇଁ ଉଦ୍ଦିଷ୍ଟ । ଚାଷପାଇଁ ସର୍ବାଦୌ ଶୁଖାମାଟି ଦରକାର ଅନ୍ତତଃ ଏକ ଫୁଟ। ଯାହା ସହଜଲବ୍ଧ। କେବଳ ସାହାସ ଓ ପରିଶ୍ରମ ଉପରେ ବିଶ୍ୱାସ ରଖି ଏ ଚାଷ କରାଯାଏ। ଯେପରି ହାଇଦ୍ରାବାଦରେ ଇଟା ଗଢ଼ାଯାଏ।
ଏହି ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ବଜାରରେ ଦଲାଲଙ୍କ ନିୟନ୍ତ୍ରଣରେ ରହେ ପିଆଜ ଦର। ଏତେ ନିୟନ୍ତ୍ରଣ ଯେ ସୀତାରାମ ପିଆଜ ବିକିସାରିଲେ ଦୋକାନ ପିଆଜର ମୂଲ୍ୟ ବଢ଼ିଯାଏ। ଏ କଥା ନା ସେ ଲୋକ ବୁଝେ, ନା ସରକାର। ଗୋଟିଏ ସୁସ୍ଥ ବଜାର ଦେବା ବ୍ୟତୀତ ଏମାନେ ନାସିକ ଥିଓରୀ ଓ ଷ୍ଟୋର କଥା ଚିନ୍ତା କରନ୍ତି। ଏମାନେ ଚିନ୍ତା କରନ୍ତିନି ପିଆଜ ଚାଷ କରିବା ଦ୍ୱାରା ମାଟିର କି କ୍ଷତି ହେଉଛି। ମାଟିର କେଉଁ ଗୁଣ ଯୋଗୁଁ ପିଆଜ ଅଧକେଜିରୁ ସର୍ବାଧିକ ଅଢ଼େଇ ଆଉନ୍ସକୁ ଖସିଆସେ।
ପିଆଜର ଭବିଷ୍ୟତ କଣ? ସୀତାରାମର ଭବିଷ୍ୟତ କଣ? ସରକାର ଉପରେ ଭରସା କରି ବିହନ ନିଜେ ନ ସାଇତି ବ୍ଲକ୍ ଉପରେ ଭରସା କରୁଛି ଧାନଚାଷୀ। ପାଣିର ତାଳମେଳ ଅଭାବ ରହିଲେ ନାନା ରୋଗ ଧରୁଛି। ଏଥିଲାଗି ରାସାୟନିକ ସାର ଦରକାର ପଡ଼ୁଛି। ମଣିଷ କୃତ ମରୁଡ଼ିର ସାମ୍ନା କରୁଛି ଚାଷୀ। ଠିକ୍ ଯେପରି ସୀତାରାମର ପିଆଜ ଦର ସେମାନେ ନିର୍ଦ୍ଧାରିତ କରନ୍ତି ଯେଁମାନେ ସୀତାରାମର ଖାଉନ୍ଦ ନୁହଁନ୍ତି। ବିହନ ସେମାନେ ଦିଅନ୍ତି ଯେଉଁମାନେ ବିହନ ଉପରେ ଗ୍ୟାରେଣ୍ଟି ଦେଇପାରନ୍ତିନି। ବିହନ ବିକିବାର ଅଛି ଆଉ ସୀତାରାମକୁ ବିହନ କିଣିବାର ଅଛି। ବାସ୍ ଏହା ହିଁ ବ୍ୟବସାୟ। ଦଲାଲ୍ ହାଇଦ୍ରାବାଦ ନିଏ ସୀତାରାମକୁ। ନିଜ ଅକ୍ତିଆରରେ ରଖେ। ସୀତାରାମ ପିଆଜ ଚାଷ କରେ ସେପରି ଜଣଙ୍କ ଅକ୍ତିଆରରେ ରହେ। ସୀତାରାମ ଗୋଟିଏ କଥାକୁ ଦୁଇପଟୁ ଦେଖେ। ସେ ସେଠାରେ ବି ଦାଦନ, ଆଉ ଏଠାରେ ବି ଦାଦନ; ଏକଥା ବୁଝିପାରେନି।
ପିଆଜର ପ୍ରସାର କରି ଦାଦନ ଶ୍ରମିକର ସମସ୍ୟାକୁ ରୋକାଯାଇ ପାରିବ ନାହିଁ। କାରଣ ସମସ୍ତେ ସୀତାରାମ ନୁହଁନ୍ତି। ପିଆଜ ପାରମ୍ପାରିକ ଚାଷ ନୁହେଁ। ଏହାକୁ ନିଷ୍ଠୁରଭାବେ ସମାଧାନ ବୋଲି ଧରିନେଇଛନ୍ତି ସୀତାରାମ ମାନେ। ଯେଉଁ ସୀତାରାମମାନେ ପିଆଜ ଚାଷ ନକଲେ, ଦାଦନକୁ ପ୍ରାଥମିକ ସମାଧାନ ବୋଲି ଧରି ନିଅନ୍ତି।
ପିଆଜ ଚାଷ ଉପରେ ଉପଯୁକ୍ତ ଗବେଷଣା କରାଯାଉ। କାରଣ ଯେପରି ଗୋଚର ଜମି ସୀତାରାମର ନୁହେଁ, ସେପରି କୌଣସି ଜମି କୌଣସି ଲୋକର ନିଜସ୍ୱ ସମ୍ପତି ନୁହେଁ। ଏହାର ଉପଜ କ୍ଷମତାର ସ୍ତର ଓ ମାନ ରକ୍ଷା କରିବାର ଅତ୍ୟନ୍ତ ଆବଶ୍ୟକ। ଯାହାକୁ ଆମକୁ ଉତର ପୁରୁଷ ପାଇଁ ସାଇତି ରଖିବାର ଅଛି। ଏହା କହିବାର ତାତ୍ପର୍ଯ୍ୟ ଏହା ଯେ ପିଆଜ କପା ପରି ସୁନ୍ଦର ଓ ବିଷାକ୍ତ ନ ହେଉ।
କପାଚାଷର ବହୁଳତାରେ ସୀତାରାମ ଦେଖୁଛି ପାରା ଆଉ ବାହାରକୁ ଚରିଯାଉନି। ଆମେ ପାରାର ପକ୍ଷକୁ ବାନ୍ଧିଦେଲା ପରି ପ୍ରକୃତି ଅଉା ସମାଜର କେଉଁ ପକ୍ଷକୁ ବାନ୍ଧିଦେଇ ଅର୍ଥସର୍ବସ୍ୱ କରି ଦେଉଛୁ ମାଟ, ପାଣି ଓ ପବନକୁ।
ତଥାପି ବର୍ତମାନ ପର୍ଯ୍ୟନ୍ତ ସୀତାରାମ ପାଖେ ଦୁଇଟି ରାସ୍ତା । ଦାଦନ ଯିବ ନହେଲେ ପିଆଜ ଚାଷ କରିବ। ଦାଦନ ତା’ପାଇଁ ନିଷ୍ଠୁର ସତ୍ୟ ହେଲେ ବି କାରୁଣ୍ୟର ସମାଧାନ, ପିଆଜ ତା’ପାଇଁ କାରୁଣ୍ୟର ଫସଲ।

୧୨
ମୃତ୍ୟୁର ଅଭିସାର

ହୀରାକୁଦ ବନ୍ଧ ଅବିଭାଜ୍ୟ ସମ୍ବଲପୁର ଓ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌କୁ ଜଳସେଚିତ କରିଥାଏ। ଏ ବନ୍ଧ ତିଆରିବେଳେ ଆନ୍ଧ୍ରପ୍ରଦେଶରୁ ଆସିଥିବା କର୍ମଚାରୀଙ୍କ ସମ୍ପର୍କୀୟ ଓ ଶ୍ରମିକମାନେ ବିଭିନ୍ନ ଅଞ୍ଚଳରେ ରହିଲେ। କେତେଜଣ ଜମି କିଣି ସ୍ଥାନୀୟ ବାସିନ୍ଦା ହୋଇଗଲେ। ସ୍ଥାନୀୟ ଲୋକଙ୍କଠାରୁ ଆନ୍ଧ୍ରଚାଷୀମାନେ ଚାଷରେ ଉନ୍ନତ ଥିଲେ। ସମୟକ୍ରମେ ଏ ଆନ୍ଧ୍ରଚାଷୀଙ୍କ ସମ୍ପର୍କ ଅନେକ ଚାଷୀଙ୍କୁ ଆକୃଷ୍ଟ କରିଥିଲା। ଭାଗଚାଷ କରିବା ପାଇଁ ବି ଆନ୍ଧ୍ରପ୍ରଦେଶରୁ ଲୋକ ଆସିଲେ।
ଯେପରି କେ.ବାବୁରାଓ। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମାରାଲ ଗାଁରୁ ଆସିଥିଲା ୧୯୮୦ ମସିହାରେ। ନିଜର ବଡ଼ଭାଇ କେ.ଆୟାର ରାଜୁର ଘରପାଖେ ରହିଲା। ବରଗଡ଼ ଜିଲ୍ଲା ଗୋଡ଼ଭେଗା ଥାନାର ବ୍ରାହ୍ମଣଟିକ୍ରା ଗାଁ ପାଖ ବିଛନାଟାଙ୍ଗରରେ। ଲୋକମୁଖରେ ଯାହା ଆନ୍ଧ୍ରଟିକ୍ରା। ଏପରି ଅନେକ ଆନ୍ଧ୍ରାଟିକ୍ରା ହୀରାକୁଦ ଜଳସେଚିତ ଅଞ୍ଚଳର।
କେ.ବାବୁରାଓ ଯେଉଁଠାରୁ ଆସିପାରେ ଏଇଟା ଖବର ନୁହେଁ। ତାକୁ କେଉଁ ରାଜା ଆଣିପାରେ। ସେ ରାଜାପାଖକୁ ଆସିପାରେ। ସେ ବରଗଡ଼କୁ ଆସିପାରେ, ନୂଆପଡ଼ାକୁ ବି। ଆଉ ସେ କେଉଁଠୁ ବି ଆସିପାରେ। ସେ ଜମି ମାଲିକକୁ ପ୍ରତି ଚାଷରେ ଆଠବସ୍ତା ଧାନ ଦିଏ। ବାସ୍‌, ଏ କଥା ହିଁ ତାକୁ ଅଲଗା କରି ରଖେ ସେ ଚଷୁଥିବା ଜମିର ମାଲିକାନାରୁ। ନହେଲେ ବାବୁରାଓ ସେ ସମୂହ ଭିତରେ ଜଣେ ବରଗଡ଼ରେ ଧାନଚାଷ କରିବ। ବେଲପଡ଼ାରେ କପା ଚାଷ କରିବ କି ଟିଟିଲାଗଡ଼ରେ ପିଆଜ। ଏ କଥା ସର୍ବାଦୌ ଗୌଣ ହୋଇଯାଏ। ସେ ଚାଷକରେ ଆଉ ପତ୍ନୀ କେ.ମଣି, ଦୁଇଝିଅ ଲକ୍ଷ୍ମୀ ଓ କେ.ବେଦୀଙ୍କୁ ନେଇ ସଂସାର କରେ।
ବାବୁରାଓ ସମୂହ ଭିତରେ ହଜିଯାଏ। ଏଇଥିପାଇଁ ସମୂହ ଭିତରେ ହଜିଯାଏ ଯେ ସେ ଧାନର ଜିନ୍ ଚୋରୀ କରେନି କି ଧାନରେ ଭାଇରସ୍ ଛାଡ଼େନି। ସେ ଚାଷକରେ। ବାସ୍‌, କେବଳ ତାର ନାଁ ଟି ବଦଳିଥାଏ ବରଗଡ଼ରେ, ନୂଆପଡ଼ାରେ, ବଲାଙ୍ଗିରରେ କି କଳାହାଣ୍ଡିରେ। ସେ ଆନ୍ଧ୍ରାର କି ଓଡ଼ିଶାର, ଏହାର ଅର୍ଥ ବି ସରି ଯାଇଥାଏ।
ବାବୁରାଓ ଧାନ ଚାଷ କରେ। ଏତିକି ତା’ର ଆୟତରେ ଥାଏ। ମହାଜନ ତା’ପାଖକୁ ଆସେ, ବିହନ ଦିଏ, ସାର ଦିଏ ଓ ଓøଷଧ ଦିଏ। ଚାଷ ଖର୍ଚ୍ଚ ବି ଦିଏ। ବାବୁରାଓ ଅନୁବନ୍ଧିତ ହୋଇଯାଏ ତା’ସହ। ଫସଲକୁ ମାପେ ମହାଜନ ପାଇଁ ଆଉ ସେ ପର‌୍ୟ୍ୟନ୍ତ ମାପେ ଯେ ପର‌୍ୟ୍ୟନ୍ତ ମହାଜନ ତାକୁ ଦେଇଥିବା ଟଙ୍କାର ମୂଳ ଓ ସୁଧ ସହ ସମାନ ହୁଏ। ଧାନର ଦର ବି ଧାର‌୍ୟ୍ୟକରେ ମହାଜନ। ସରକାରୀ ଦରଧାର‌୍ୟ୍ୟ ମହାଜନ ଓ ବାବୁରାଓର ସମ୍ପର୍କ ସୀମାକୁ ଛୁଇଁପାରେନି। ବଳକା ଧାନ ବାବୁରାଓର। ବାବୁରାଓ ସେ ଧାନକୁ ବି ମହାଜନକୁ ଟେକିଦିଏ ସେ ଦରରେ, ଯେଉଁ ଦରରେ ଋଣ ପରିଶୋଧ କରିଥିଲା ବାବୁରାଓ।
ବାବୁରାଓ ଜଣଙ୍କର ଜମି ଚାଷ କରେ ଯଦି ବାବୁରାଓର ନିଜର ଜମି ଥାଏ, ତା’ହେଲେ ଲକ୍ଷ୍ମୀ କି କେ.ବେଦୀର ବାହାପାଇଁ ମହାଜନଠୁ ଏକର ପ୍ରତି ଦଶହଜାର ଟଙ୍କା ଋଣ କରିବ। ମୂଳ ପରିଶୋଧ ନକରିବା ପର‌୍ୟ୍ୟନ୍ତ ପ୍ରତି ଫସଲ ଆଠ ବସ୍ତା ଧାନ ଦେବ ମହାଜନକୁ।
ଓଡ଼ିଶାର ଭାତହାଣ୍ଡିରେ ବାବୁରାଓ ଜଣେ ଧାନ ଚାଷୀ। ତାର ଉତ୍ପାଦନ ସମଗ୍ର ଭିତରେ ହିସାବ ହୁଏ। ଏତିକି ଲକ୍ଷ କ୍ୱିଣ୍ଟାଲଧାନ ଅମଳ ହେଲା। କିନ୍ତୁ ବବୁରାଓକୁ ସାରା ଓଡ଼ିଶାର ଧାନଗଦା ଭିତରେ ନିଜ ଅମଳ ୯୭ ବସ୍ତା ଦେବାକୁ କେତେ ବ୍ୟୁହ ଭେଦ କରିବାକୁ ପଡ଼ିଛି ସେକଥା ବାବୁରାଓ ହିଁ ଜାଣେ। ପରିବାରରେ ତା’ଭରସାରେ ତିନିଜଣ। ମାନେ ଚାରି ପାଞ୍ଚ ବି ହୋଇପାରନ୍ତି। ବାବୁରାଓ ଚାହେଁନି ଆଗଧାଡ଼ିରେ ରହି ଦୌଡ଼ିବାକୁ। ସେ ଚାହେଁ ଚାଷ କରିବାକୁ, ବାସ୍‌, ଏତିକି ତାର ସ୍ୱପ୍ନ, ଏତିକି ତାର ଅବଶୋଷ।
ଧାନଚାଷ ପାଇଁ ବାବୁରାଓ ଜମିକୁ ତୟାର କରେ, ତଳି ପକାଏ, ପହ୍ଲା ରୋଏ। ଏ ଭିତରେ ଦଶନ୍ଧି ଦଶନ୍ଧି ଅତିକ୍ରମ କରିଯାଏ ତାର ପୃଥିବୀ। ଶହ ଶହ କିସମର ଧାନ ହଜିଯାଏ ତାର ଜମିରୁ। ବାବୁରାଓକୁ କୁହାଯାଏ ତୁମେ ଚାଷ ଚିନ୍ତା କର, ମୁଁ ବିହନ ଚିନ୍ତା କରିବି। ବାବୁରାଓ ହଁ କରେ। ବ୍ଲକ୍‌କୁ ବିହନ ଆସେ ବ୍ଲକ୍ ଅଫିସ୍ ପାଖରେ ବାବବୁରାଓ ରାତି ଶୋଇ, ରନ୍ଧା ବସେଇ ବିହନ ନିଏ। ଏ ବିହନକୁ ବାବୁରାଓର ବାପଅଜା ଚିହ୍ନି ପାରନ୍ତିନି। ସ୍ୱର୍ଣ୍ଣା ବିହନର ଚେହେରା ଦେଖନ୍ତି। କହନ୍ତି ଝୁଲି ପରି ଦିଶୁଛି। ଝୁଲି, ବୈଦିହୁଣାର, ଲୁଚେ ପରି ବ୍ୟବହାର କରନ୍ତି ସେ ବିହନକୁ। ବ୍ଲକ୍‌ରୁ ଆଣିଥିବା ବିହନ ମାନକରେ। ସେ ଅପେକ୍ଷା କରେନି ଆକାଶର ମେଘ ଓ ମିଜାଜକୁ। ସେ ଚାହୁଁଥିବା ସାର, ବର୍ଷା ଓ ଓøଷଧ ବାବୁରାଓ ଦେଇ ନ ପାରିଲେ ଦାଉସାଧେ ବାବୁରାଓକୁ। ଓଡ଼ିଶାର ଧାନଗଦାରେ ସେତେଟା ଫରକ୍ ଆସେନି, କିନ୍ତୁ ବାବୁରାଓକୁ ଫରକ୍ ପଡ଼େ। ମହାଜନ ଆହୁରି ଆବଶ୍ୟକ ହୋଇପଡ଼େ। କେ.ମଣି, ଲକ୍ଷ୍ମୀ ଓ କେ.ବେଦୀ ଟିକିଏ ଭାରି ହୋଇଯାଆନ୍ତି। ପୃଥିବୀର ଆୟତନ ଭିତରେ ନିଜକୁ ଆହୁରି ଟିକିଏ ସଂକୁଚିତ କରିବାକୁ ପଡ଼େ। କାଚନଳୀ ଭିତରେ ବୈଜ୍ଞାନିକ ନିଜର ସବୁଜ୍ଞାନକୁ ଭରି ନାନା ପରୀକ୍ଷନିରୀକ୍ଷା କରିଥିବା ବ୍ଲକ୍‌ର ବିହନ ପାଇଁ ବାବୁରାଓ ଗୀତ ଖୋଜେ ସାରଦୋକାନରେ, କେନାଲରେ, ଡିପ୍‌ବୋରରେ, ମୋଟରପମ୍ପରେ। ବାବୁରାଓକୁ ଏହା ହିଁ କରିବାକୁ ପଡ଼େ। ବାବୁରାଓକୁ ସୁଯୋଗ ଦିଆଯାଏ ନିଜ ବାପ-ଅଜାର ଜ୍ଞାନରେ ଆକାଶ ସଙ୍ଗେ ଆଉ ମାଟିସଙ୍ଗେ କଥାହୋଇ କୁସନା, ଗେଲେଇ, ଯୁବରାଜ, ତୁଳସୀ କି କଲକତି ବିହନକୁ ପଚାରି ନିଜ ଜମିକୁ କୁଣିଆ କରିବାକୁ। ବାବୁରାଓ ତାହା କରେ, ଯାହା ତାକୁ କୁହାଯାଏ। ବାବୁରାଓକୁ ଦୌଡ଼ିବାକୁ ପଡ଼ିବ ଭିଡ଼ ଭିତରେ। ରାଜ୍ୟକୁ ଧାନଗଦା ବଢ଼େଇବାକୁ ପଡ଼ିବ। ବଡ଼ ବଡ଼ ଲୋକଙ୍କୁ ଦେଖେଇବାକୁ ପଡ଼ିବ, ଗତ ବର୍ଷଠୁ ଏବର୍ଷ ଧାନଗଦା ବଢ଼ିଛି। ବାସ, ସବୁ ଅନାହାର ଦୂରେଇ ଯିବ।
ବାବୁରାଓ ଧାନ କାଟିବ। ସରକାର ମିଲ୍‌ମାଲିକଙ୍କୁ କହିବ ମୁଁ ଅନ୍ନପୂର୍ଣ୍ଣା ଚାଉଳ ଦେବି, ବିପିଏଲ ଦେବି, ଏପିଏଲ ଦେବି, ଅନ୍ନଛତ୍ର କରିବି,ରିଲିଫ୍ ଦେବି। ଏ ଅନୁପାତରେ ମିଲ୍ ରିସାଇକ୍ଲିଂ ହିସାବ କରି ବାବୁରାଓଠୁ ଧାନ କିଣିବ। ବାବୁରାଓ ଧାନ ଅମଳ କରିବ ସେଇ ଜମି, ସେଇ ପାଣି ଦେଇ। ମିଲ୍ ବାବୁରାଓର ଧାନକୁ ଦୁଇଟି ଜାତି କରିଦେବ। ଏଫୟାର ଏଭେରେଜ କ୍ୱାଲିଟି ଓ ନନ୍‌ଏଫୟାର ନନ୍‌ଏଭେରେଜ କ୍ୱାଲିଟି। ପ୍ରଥମ ଧାନରେ ଗୁଣ ମାନ ନିର୍ଦ୍ଧାରିତ ଥିବ କେତେ ପାଣି ରହିବ, କେତେ ପୋଲ, କେତେ ଧାନ, କେତେ ଗୋଡ଼ି, କେତେ ମାଟି। ଏହାକୁ ଦରଧାର‌୍ୟ୍ୟ ହେବ ପ୍ରତିବର୍ଷ। ୨୦୦୨ ମସିହାରେ ବାବୁରାଓକୁ କୁହାଯିବ ୩୯୭ ଟଙ୍କା ୫୦ ପଇସା। ଏହି ଟଙ୍କାକୁ କେତେ ଦୂର ପହଞ୍ଚେଇ ପାରିବ, ବାବୁରାଓ ସନ୍ଦିହାନ ଥିବ। ସେ ମଣ୍ଡିକୁ ଧାନ ନେବ। ଦଲାଲ୍ ଧାନକୁ ଛୁଇଁବ କହିବ ନନ୍ ଏଫଏକ୍ୟୁ ଧାନ। ବାବୁରାଓ ଦଲାଲ୍‌ର ପାପୁଲିକୁ ଦେଖିବ। ବାବୁରାଓ ନିଜ ପାପୁଲିକୁ ଦେଖିବ। ଚାରିମାସ ଏ ଧାନର ଶିରା ପ୍ରଶିରାକୁ ଛୁଇଁଛି ବାବୁରାଓ। ସେ ଜାଣିପାରିନି ଧାନରେ କେତେ ପାଣି, କେତେ ଧାନ, କେତେ ପୋଲ ଆଉ କେତେ ଗୋଡ଼ି। ୟେ କେମିତି ଜାଣିଲା? ସରକାର କେଉଁ ମନ୍ଦିରରେ ଅଧିଆ ପଡ଼ି ୟେ ଲୋକ ଟିକିଏ ଛୁଆଁରେ ଧାନର ଜାତି କହିଦେଲା।
ସାର ଓøଷଧ ପାଇଁ ଜମିରେ ଯେତେ ନିୟମ, ଧାନର ଜାତିପାଇଁ ସେ ବ୍ୟବସ୍ଥା ନାର୍ହି କାଦୋବାହାଲ ମାର୍କେଟ ୟାର୍ଡ଼ରେ। ଏଠାରେ ଧାନ ରହିବ ସେ ପର‌୍ୟ୍ୟନ୍ତ, ଯେ ପର‌୍ୟ୍ୟନ୍ତ ମିଲରର କୃପାଦୃଷ୍ଟି ଧାନ ଉପରେ ନପଡ଼ିଛି। ଏ ସମୟ ଦୁଇମାସ ବି ହୋଇଯିବ। ବାବୁରାଓ ଆରମ୍ଭ କରି ସାରିଥିବ ଆଉ ଗୋଟିଏ ଫସଲ ପାଇଁ ପ୍ରସ୍ତୁତି।
ଖଦିପିନ୍ଧା ଜଣେ ଲୋକ ବାବୁରାଓର କଥା ବୁଝିବେ। ଜମି ହୁଡ଼ାକୁ ଯିବ। ପୃଥିବୀର ଦୁଃଖ କହିବ ବାବୁରାଓକୁ। ବାବୁରାଓର ଦୁଃଖ କହିବ ବାବୁରାଓକୁ। ବାବୁରାଓ ଶୁଣିବ। ।ବିବ ୟେ ଲୋକ ଠିକ୍ କହୁଛି। ବାବୁରାଓ ଜମିରେ ଖଟିବ। ତଳି ପଡ଼ିଲେ ସବୁ ତଳି ଲକ୍ଷ୍ମୀ ଆଉ କେ.ବେଦୀ ହୋଇଯିବେ। ତାଙ୍କ ସୁଖଦୁଃଖ ବୁଝିବ, ତାଙ୍କୁ ବଡ଼ କରିବ। ତାଙ୍କୁ ହସେଇବ। ଶୋଷ ହେଲେ ରାତିସାରା କେନାଲରୁ ପାଣି ଆଣିବ ହିଡ଼ମୁଣ୍ଡେ ଅନିଦ୍ରା ବସି। ଖାଲି ଏତିକି ଜାଣିବ ଖଦିପିନ୍ଧା ଲୋକ ଠିକ୍ କହୁଛି। ନିୟମ ଠିକ୍‌, ଆଇନ ଠିକ୍‌, ସବୁ ଠିକ୍‌, ହେଲେ ଖଦିପିନ୍ଧା ଲୋକର କଥାକୁ ସେ ଦେଖିବ ହାତପାହାନ୍ତାରୁ ଖୁବ୍ ଦୂର ସପନ ରାଇଜରେ। ସେଠାକୁ ଲକ୍ଷ୍ମୀ ଆଉ କେ.ବେଦୀମାନେ ପହଞ୍ଚିଲେ ଭଲହେବ। ହେଲେ କାଦୋବାହାଲ ମଣ୍ଡିରେ ଦୁଇମାସ ବନ୍ଦିନୀ ରହିବେ ସେମାନେ ବସ୍ତା ଭିତରେ।
ଲିଙ୍ଗରାଜ : ଓଡ଼ିଶା ରାଜ୍ୟ କୃଷକ
ସଙ୍ଗଠନର ସମ୍ପାଦକ
ଧାନର ଅଣ୍ଡରରେଟ୍ କାହିଁକି?
-ଧାନ ଅଣ୍ଡରରେଟ ଯଦିଓ ଆମ ଅଞ୍ଚଳରେ ଦୀର୍ଘଦିନ ହେଲା ରହିଆସିଛି, ଗତ ଦୁଇବର୍ଷ ହେବ ଏହା ଉତ୍କଟ ହୋଇଛି।
କୃଷିସବ୍‌ସିଡ଼ି ହ୍ରାସ କରିବା ଦ୍ୱାରା କୃଷି ସାମଗ୍ରି ଦର ବଢ଼ୁଛି। ଖାଦ୍ୟ ଉପରେ ହ୍ରାସ କରାଯାଉଥିବା ସବ୍‌ସିଡ଼ି ଫଳରେ ସାଧାରଣ ବଣ୍ଟନବ୍ୟବସ୍ଥା ସଙ୍କୁଚିତ ହେଉଛି। ଏସବୁ ଫଳରେ ସମସ୍ୟା ଉତ୍କଟ ହେଉଛି।
ଏଥିରେ କେଉଁମାନେ ଲାଭବାନ୍ ହେଉଛନ୍ତି? -ସିଧାକଥା ମିଲ୍ ମାଲିକ ଓ ମ୍ମସ୍ଥି। ଏଠି(ବରଗଡ଼ ଜିଲ୍ଲାରେ) ବର୍ଷକୁ ୨୦୦ରୁ ୨୫୦ କୋଟି ଟଙ୍କାର ଧାନ କାରବାର ହୁଏ। କିନ୍ତୁ ମିଲ୍‌ମାଲିକମାନେ ଗତବର୍ଷ ବ୍ୟାଙ୍କରୁ ମାତ୍ର ଆଠକୋଟି ଟଙ୍କା ଋଣ କରିଥିଲେ। ଏଥିରୁ ସ୍ପଷ୍ଟ ଯେ, ସେମାନେ ଚାଷୀର ଟଙ୍କାରେ ହିଁ ବ୍ୟବସାୟ କରୁଛନ୍ତି।
ଏ ସମସ୍ୟାର ସମାଧାନ କେଉଁଠି?
-ଓଡ଼ିଶା ସରକାର ହାଇକୋର୍ଟର ରାୟ ବିରୁଦ୍ଧରେ ଅପିଲ ନକରନ୍ତୁ ଏବଂ ଏଫ୍‌ସିଆଇ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣୁ। କେବଳ ମିଲ୍‌ମାଲିକଙ୍କ ଦୟା ଉପରେ ଚାଷୀଙ୍କୁ ନ ଛାଡ଼ି ଓଡ଼ିଶା ସରକାର ନିଜେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ପରି ନିଜସ୍ୱ ବିଭାଗ ଗଠନ କରି ଏହାକୁ ତଦାରଖ କରନ୍ତୁ।
ଧାନ ବ୍ୟତୀତ ଅନ୍ୟ ବିକଳ୍ପ ଫସଲ କଥା ଯାହା କୁହାଯାଉଛି, ସେ ଦିଗରେ ଧ୍ୟାନ ଦିଆଯାଉ।

ଦୁଇମାସ ପରେ ସେମାନ ଯିବେ ପଚିଶ କିଲୋମିଟର ଦୂର କାଠଡେରା ମିଲ୍‌କୁ। ଏହିଦିନ ଧରାଯାଉ ଜୁଲାଇ ୨୨ ତାରିଖ। ବାବୁରାଓ ଜମିରେ ଜମିରେ ତା’ର ସମୟ ସାରିଥିବ। ନିଜକୁ ଜାହିର କରି ନଥିବ ସମାଜରେ କି ସଭାରେ। କାହାଲାଗି ଭୋଟ ମାଗି ନଥିବ କି ଛକରେ ପୂଜା କରି ନଥିବ। ତାର ଭାଇ ଏମ୍‌.ଏଲ୍‌.ଏର ଗାଡ଼ିରେ ବସିନଥିବ କି ବି.ଡି.ଓ ଅଫିସରେ ଚା ପିଇନଥିବ। ଏତକ ନଥିବ ବୋଲି ତାର ଧାନ ୨୫ କିଲୋମିଟର ଦୌଡ଼ିବ। ନହେଲେ ଗୋଟିଏ କି ପାଞ୍ଚ କିଲୋମିଟର ରାସ୍ତା ଦୌଡ଼େଇ ପାରିଥାନ୍ତା ତାର ଦୁଇମାସର ବନ୍ଦନୀ ଝିଅମାନଙ୍କୁ।
ଖଦି ପିନ୍ଧିଥିବା ଲୋକ କହିବ ବାବୁରାଓକୁ ଠିକ୍ ମୂଲ୍ୟ ଦିଅ। ଦଲାଲ୍ କହିବ ବାବୁୁରାଓ ତୋର ଧାନ ଦ୍ୱିତୀୟ ଜାତିର। ଜାତିଭେଦର ଦ୍ୱନ୍ଦରେ ପଡ଼ିଯିବ ବାବୁରାଓ। ଜାତିଭେଦର ଦ୍ୱନ୍ଦରେ ପଡ଼ିଯିବ ଜିଲ୍ଲାପାଳ। କହିବ ବାବୁରାଓ ୩୬୦ ଟଙ୍କାରୁ କମ୍ ପାଇବା ଅନୁଚିତ। ମିଲ୍ ଭାବିବ ଜିଲ୍ଲାପାଳ ବାବୁରାଓକୁ ବେଶିରେ ୩୬୦ ଟଙ୍କା ଦେବାକୁ କହୁଛି। କମ୍ ଦେଲେ ଚଳିଯିବ ଯଦି ବାବୁରାଓ ମାନିଯିବ।
ବାବୁରାଓ କୃଷି ପ୍ରମାଣପତ୍ର ସଂଗ୍ରହ କରିବ ତା’ଜମି ମାଲିକର ନାଁରେ। ଆରଆଇ ତାକୁ ପ୍ରମାଣପତ୍ର ଦେବେ। ଧାନ ଉଠିଲାପରେ କୋଡ଼ିଏ ଭାଗ ଟଙ୍କା ବାବୁରାଓ ପାଇବା କଥା। ବାକି ୧୫ଦିନ ମଧ୍ୟରେ। କିନ୍ତୁ କିଛି ପାଇନଥିବା ବାବୁରାଓ ଶୁଣିବ ଅନ୍ୟ ଦିନେ ଆସ ବୋଲି। ଜମିରେ ଲକ୍ଷ୍ମୀ ଆଉ କେ.ବେଦୀମାନଙ୍କ ମୁହଁ ଦିଶି ଆସୁଥିବ। ଜମିରେ ହଳ କରିବାର ଅଛି, ତଳି ରୋଇବାର ଅଛି। ବ୍ୟସ୍ତ ହେବ ବାବୁରାଓ। ସମସ୍ୟା କହିବ। ମିଲ୍ କହିବ ୩୪୦ ଟଙ୍କା ଦେବି। ବାବୁରାଓ ମାପିବ ତାର ଅବସ୍ଥାକୁ , ଜମିର ତଳିକୁ, ପରିବାରକୁ, ଭାଗ୍ୟକୁ, ହଁ କରିବ। ମିଲ୍ କହିବ ପରିବହନ ଖର୍ଚ୍ଚ କାଟିବି। ବାବୁରାଓ ପୁଣି ମାପିବ, ହଁ କରିବ। ଦସ୍ତଖତ ଦେବ। ମିଲ୍ କହିବ ଅନ୍ୟଦିନେ ଆସିବୁ।
ବାବୁରାଓ ଘରକୁ ଫେରିବ। ରାତିରେ ଶୋଇବନି। କଣ କରିବ ବୁଝିପାରିବନି। ଭାବି ଭାବି ସକାଳ ହେଲାବେଳକୁ ଜମିରେ ଗଜୁରିଥିବା ଲକ୍ଷ୍ମୀ ଆଉ କେ.ବେଦୀମାନେ ତାକୁ ଓøଷଧ ମାଗିବେ। ସକାଳୁ ଉଠି ବରଗଡ଼ ଯିବ। ଓøଷଧ କିଣିବ। ଜିଲ୍ଲାପାଳଙ୍କ ନିକଟକୁ ଯିବ। ଆଜି ଦିନରେ ଜିଲ୍ଲାପାଳ ନଗ୍ରଲୋକଙ୍କ ଗୁହାରୀ ଶୁଣନ୍ତି। ସେ ବି କହିବ ତାର ଦୁଃଖ। ମିଲ୍ ଯାହା ଦେଉ, ହେଲେ ଦେଉ। କିନ୍ତୁ ଜିଲ୍ଲାପାଳ ନଥିବେ। ନଗ୍ରବୁଲି ଯାଇଥିବେ। ସେ ଅପେକ୍ଷା କରିବ।
ଜିଲ୍ଲାପାଳ ଏଇଠି ଅଛନ୍ତି। ଜମି ଅଛି, ମଣ୍ଡି ଅଛି, ମିଲ୍ ଅଛି, ଆଉ ଟଙ୍କା ବି। ସମସ୍ତେ ଗୋଟିଏ ସୂତାରେ ବନ୍ଧା ହେଲେ କେହି କାହାକୁ ଜାଣନ୍ତିନି ଯେପରି। ବାବୁରାଓ ତାର ଠିକା ଜମିର ଧାନକୁ କହିବ ତୁ ଏଇଠି ବସ୍‌, ତଳି ଉଠା। ତଳି ଗଜୁରୀବ ତାର ଲକ୍ଷ୍ମୀ ପରି, ତାର କେ.ବେଦୀ ପରି। କେନାଲକୁ କହିବ ଏଠି ପାଣି ଦେ। କେନାଲ ପାଣି ପରସି ଦେବ ତାର କେ.ମଣି ପରି। କେ.ମଣି ଘର ଲିପିବ, ମୁରୁଜ ଦେବ, ଗୀତ ଗାଇବ, ପାକ କରିବ। ସେ କାମ ବାବୁରାଓ ଜମିରେ କରିବ। ତାର ଘର ଆଉ ଜମିର ଆୟତନ ବଳିଯିବ ଧରାକୁ, ହେଲେ ମଣ୍ଡିରେ ସମସ୍ତେ ଅପରିଚିତ ହୋଇଯିବେ। କେହି କାହାକୁ ଚିହ୍ନିବେନି, ଜିଲ୍ଲାପାଳ, ମିଲ୍‌, ମଣ୍ଡି, ଧାନ ଓ ୩୯୭ ଟଙ୍କା ୫୦ ପିଇସା। ଖଦିପିନ୍ଧା ଲୋକର କଥା ପରି ସୁନ୍ଦର ଆଉ ଅପହଞ୍ଚ ହୋଇଯିବ ତା’ପାଇଁ ଶେଷ ନିଷ୍ପତ୍ତି ନେଇଥିବା ୩୪୦ ଟଙ୍କା ଆଉ ବରଗଡ଼ରେ ଜିଲ୍ଲାପାଳ। ଜମିରେ ନିୟନ୍ତା ଥିବା ବାବୁରାଓ କାକୁସ୍ଥ ଏଠି। ଜିଲ୍ଲାପାଳଙ୍କ ଆଜ୍ଞାକାରୀକୁ ପଚାରିବ।

  • କେବେ ଆସିବେ ଜିଲ୍ଲାପାଳ?
    -କାହିଁକି?
    -ମିଲ୍‌କୁ ମୋ ଟଙ୍କା ମାଗିଦେବେ।
    -କାହିଁକି?
    ପ୍ରଶ୍ନମାନଙ୍କର ଉତର ଦେଉଥିବ ବାବୁରାଓ। ବିଳମ୍ବ ହୋଇଯାଉଛି। ଜମିରେ ହଳ କରିବାର ଅଛି। କାଦୁଅ କରିବାର ଅଛି। ତଳି ରୋଇବାର ଅଛି। ମଣ୍ଡିରେ ଧାନକୁ ଦୁଇମାସ ରହିଲେ ଚଳିବ ହେଲେ ଦୁଇଦିନର ବିଳମ୍ବରେ ପ୍ରଳୟ ଆସିଯିବ ଜମିରେ। ବାବୁରାଓ ଆଖିରେ ଜମି ଦିଶିବ। ଜମିର ହୁଡ଼ା; ହଳ ହୋଇନଥିବା ଜମି ଆଉ କାଦୁଅ କଲେ ଜମିକୁ ଛାଇଯିବାକୁ ଅପେକ୍ଷା କରିଥିବା ତଳି। ଏ ଭିତରେ ଜିଲ୍ଲାପାଳଙ୍କ ଆଜ୍ଞାକାରୀ ଅପସରି ଯାଇଥିବ ତା’ସାମ୍ନାରୁ। ଜଣେ କିଏ ଦେଖିବ ବାବୁରାଓକୁ । ୟେ କଣ? ଲୋକଟା କାନ୍ଥ ସଙ୍ଗେ କଥା ହେଉଛି। ପାଗଳଟା। ଫୋନ୍ କରିବ ପୋଲିସ୍‌କୁ। ପୋଲିସ୍ ଆସିବ। ଧୈର‌୍ୟ୍ୟ ସରିଯାଇଥିବ ବାବୁରାଓର। ପୋଲିସ ପଛପଟୁ ତାକୁ କାବୁ କରିବା ବେଳେ ଦୁଲ୍ କରି ତଳେ ପଡ଼ିଯିବ ବାବୁରାଓ।
    ପୋଲିସ ଉଠେଇବ। ପଚାରିବ କଣ ହେଲା?
    -ବିଷ ପିଇ ଦେଇଛି!
    ଚମକି ପଡ଼ିବେ ସମସ୍ତେ। ପୋଲିସ୍‌, ଜିଲ୍ଲାପାଳଙ୍କ ଆଜ୍ଞାକାରୀ, ଆଉ ଜିଲ୍ଲାପାଳଙ୍କୁ ଗୁହାରୀ କରି ଆସିଥିବା ନଗ୍ରଜନ।
    ନବରତ୍ନ ଟିଭ କହିବ ଡାକ୍ତରଖାନାରେ ବାବୁରାଓ ମରିଗଲା।
    ଚମକି ପଡ଼ିବେ ସେମାନେ, ଯିଏ ବାବୁରାଓକୁ ବିଷ ପିଇବା ପାଇଁ କହିଥିଲେ। ନିଜ ନିଜ କବଚ ବାହାର କରି ପିନ୍ଧିନେବେ।
    ସମସ୍ତେ ଏକସଙ୍ଗେ କହିବେ ଆମେ ବାବୁରାଓକୁ ବିଷ ପିଇବାକୁ କହିନୁ। ଖଦିପିନ୍ଧା ଲୋକ କହିବ “ହେ ଧ୍ୱଜାଧାରୀ! ତୁମକ ମୁଁ କେତେ ପ୍ରକାରେ ବୁଝେଇଲି ବାବୁରାଓକୁ ତାର ଅଧିକାର ଦିଅ। ସେ ବଂଚିଲେ ମଥୁରା ବଂଚିବ। ସେ ବଂଚିଲେ ଗୋପ ଆଉ ମଗଧ ବଞ୍ଚିବ। ରାସ୍ତା ବନ୍ଦ କରି କହିଲି। ଧାନ ପୁଡ଼େଇ କରି କହିଲି। ତୁମେ ଶୁଣିଲନି। ଭୋଗ ତୁମର କର୍ମଫଳ! କିଏ ଦେବ ଆଉ ତୁମକୁ ୯୭ ବସ୍ତା ଧାନ? ଯାହାକୁ ମାପିବ ଜଗତର ମାପକାଠିରେ।”
    ମଥୁରା ନଗରୀର ଲୋକେ ହାଁ କରି ଦେଖିବେ ବାବୁରାଓର ଶବକୁ। କଂସର ଦରବାର ଶୂନ୍ୟ ଥିବ। ଶ୍ରୀକୃଷ୍ଣ ହୋମ୍‌ୱର୍କ କରୁଥିବେ। ବାବୁରାଓର ପରିଜନ କାନ୍ଦୁଥିବେ।
    ଶଙ୍କା ରହିଗଲା ଖଦିପିନ୍ଧା ଲୋକ, ରାଜା, ଶ୍ରୀକୃଷ୍ଣ, ଯୁବରାଜ ସମସ୍ତେ ହଟ କରିବେ। ଭଙ୍ଗାରୁଜା କରିବେ। ଅରାଜକ ହୋଇଯିବ ମଥୁରା।
    ଶବକୁ ବୁର୍ଲା ନିଆଗଲା। କୁହାଯାଉ ଏହିଦିନ ଜୁଲାଇ ୨୭ତାରିଖ ୨୦୦୨ ମସିହା। ତା’ପରଦିନ ଶବ ଫେରିବ ବୁର୍ଲାରୁ ବ୍ୟବଛେଦ ହୋଇ। ଆଉ ଗୋଟିଏ ଶବର ନାଁ ଯୋଡ଼ି ହୋଇଯିବ ସ୍ମୃତିସ୍ତମ୍ଭରେ। ଏହାପଛକୁ ଅପେକ୍ଷା କରିବେ ବେଲପଡ଼ା ଆଉ ନୂଆପଡ଼ାର ବାବୁରାଓମାନେ ନିଜ ନିଜର ନାଁ ଯୋଡ଼ିବାକୁ। ନଗ୍ରଲୋକେ ରାସ୍ତା ଅଟକେଇବେ। ବାବୁରାଓକୁ ନ୍ୟାୟ ଦିଅ, ତା’ପରେ ଆମେ ତୁମ ରାଜ୍ୟକୁ ଆମଦ୍ୱାରା ହେବାକୁ ଥିବା କ୍ଷତିରୁ ରକ୍ଷା କରିବୁ।
    ଜିଲ୍ଲାପାଳ ପ୍ରବୋଧିବେ ନଗ୍ରଜନଙ୍କୁ। ବାବୁରାଓ ଶବାଧାରରେ ସାମିଲ ହେବେ। ଦାହ କରିବେ। କେ.ମଣି ସଙ୍ଗେ କାନ୍ଦିବେ। ଫେରିବେ ମଥୁରା ନଗରୀକୁ।
    ଲୋକେ ବାବୁରାଓର ଭାଗ୍ୟକୁ ଧନ୍ୟ କରିବେ। ଏତେ ବଡ଼ ବଡ଼ ଲୋକ ତା’ଶବାଧାରରେ ସାମିଲ ହେବାକୁ ଥିଲା।
    କେ.ମଣିକୁ ବିଧବା କରିଥିବା ବାବୁରାଓର ବଳିଦାନ ନିଷ୍ଫଳ ହେବନି। କେ.ମଣି ନିଜର ଶଙ୍ଖା ସିନ୍ଦୁର ବଦଳରେ ପାଇବ ୪ ଡିସିମିଲି ଘରଡିହ ଆଉ ଏକରେ ଜମି। ଶେଷରେ ୯୭ ବସ୍ତା ଧାନର ମୂଲ୍ୟ ୩୯୭ଟଙ୍କା ୫୦ ପଇସା ଦରରେ। ମଲାପରେ ବାବୁରାଓ ପ୍ରକୃତ ଚାଷୀ ହୋଇଯିବ। ହେଲେ ହଳ କରିବାକୁ ସେ ଯାହା ନଥିବ।
    ଖଦିପିନ୍ଧା ଲୋକ ବାବୁରାଓର ପ୍ରତିକୃତି ଥାପନ କରିବାକୁ କହିବ। ସେ ବାବୁରାଓର ଘରୁ ମାଟି ମୁଠେ ଆଣି ବରଗଛ ରୋଇବ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଆଗରେ। କହିବ ଜିଲ୍ଲାପାଳ ଏ ଗଛକୁ ଦେଖିଲେ ବାବୁରାଓକୁ ମନେ ପକେଇବେ। ବାବୁରାଓମାନଙ୍କ ଦୁଃଖ ବୁଝିବେ। ଗଛଟି ବଢ଼ୁଥିବ। ବାବୁରାଓମାନେ ବି ବଢ଼ୁଥିବେ। ଗଛପରି ଶାଖାପ୍ରଶାଖା ମେଲି।
    ବହୁଦିନ ପରେ ସରକାର ବଲାଙ୍ଗିର ଜିଲ୍ଳାରୁ ପ୍ରଥମେ ଏଫ.ସି.ଆଇ ଦ୍ୱାରା ଧାନ କିଣିଲେ। ପୁଣି ଏହି ଧାନକିଣା ବ୍ୟବସାୟ ମିଲ୍‌ମାଲିକଙ୍କ ହାତକୁ ଗଲା।

୧୩
ତପ୍ତକୁରୁ ଓ ଶୁଆର ଚଉଦ ପୁରୁଷ ଉପାଖ୍ୟାନ

ପୃଥିବୀରେ ଜଳ ଓ ଜଙ୍ଗଲ ରହିଲା, ଜୀବମାନେ ରହିଲେ। ଗୋଟିଏ ଜୀବ ଜଙ୍ଗଲରୁ ପଳେଇ ଆସିଲା। ଜଙ୍ଗଲ କାଟିଲା। ଖାଲି ଜାଗାର ନାଁ ଦେଲା ଜମି। ଗାଁ ତିଆରି କଲା। ଦେଶ ତିଆରି କଲା। ବଞ୍ଚିଲା ଆଉ ନିଜକୁ ବଡ଼ ବୋଲି କହିଲା। ଏ କଥା ଅନ୍ୟ ଜୀବମାନେ ଜାଣିଲେ ନାହିଁ। ଖାଲି ଦେଖିଲେ ଯେ କିଛି ବଦଳୁଛି। କିଛି ଲୋକ ଜଙ୍ଗଲ ଛାଡ଼ି ପାରିଲେ ନାହିଁ। ଅଥବା ଗାଁ ଛାଡ଼ି ଚାଲିଗଲେ ଜଙ୍ଗଲକୁ। ଅବା ସେମାନଙ୍କୁ ଜଙ୍ଗଲକୁ ତଡ଼ି ଦିଆଗଲା। ଏମାନଙ୍କ ନାଁ ସୁମନୀ ଝୋଡ଼ିଆ, ସିକ୍‌କା ଲାଡ଼ି, ମଲିଆ ଧରୁଆ, କି ଶକୁନ୍ତଳା ପହରିଆ ହୋଇପାରେ। ସମସ୍ତେ ସମାନ। ଆଉ ଏଥିପାଇଁ ସମାନ ଯେ କାଶିପୁରର ମାଣ୍ଡିବିଶି, କଲ୍ୟାଣସିଂପୁରର ପାରଶାଳୀ, ମୁରିବାହାଲର ସୁକୁନିପଦର, ତୁରେକେଲାର କଦଲିପାଲି, ସିନାପାଲିର ନଙ୍ଗଲଘାଟ ହେଉ କି ନୂଆପଡ଼ାର ସୁନାବେଡ଼ା; ଏମାନେ ରହିବା କଥା ସରକାର ଦୁଇହଜାର ଆରମ୍ଭ ହେବାର ସାତ /ଆଠ ବର୍ଷଯାକେ ଜାଣିନଥିଲେ। ଏମାନେ ସମସ୍ତେ ୪୩,୩୦୦ ହେକ୍ଟର ଜଙ୍ଗଲ କାଟି ୫୧୧୦ଟି ଗାଁ ତିଆରି କରିଛନ୍ତି। ଏ ଭିତରୁ ୩୬୦୮ଟି ଗାଁରେ ଆଦିବାସୀ ରହନ୍ତି ବୋଲି ସରକାର ଜାଣିଲେ। ଆହୁରି କେତେଜଣ ଜଣେଇ ଦେଲେ ଯେ ଆମେ ରିଜର୍ଭ ଜଙ୍ଗଲରେ ପୁରୁଷ ପୁରୁଷ ଧରି ରହୁଛୁ। ଆମର ପୂର୍ବପୁରୁଷ ନାଁରେ ୪୦ବର୍ଷ ତଳେ କେଶ୍ ହୋଇଛି। ଏ’ ଭିତରୁ ୧୨୭୫ ହେକ୍ଟର ବିଶିଷ୍ଟ ବଙ୍ଗୋମୁଣ୍ଡାର ଚକାଗୋଜିଆ ରିଜର୍ଭ ଜଙ୍ଗଲ ଗୋଟିଏ। ଯେଉଁଠି ଦୁଇବର୍ଷ ହେଲା ଲୋକେ ରହନ୍ତି ନିଜ ଗାଁ ଛାଡ଼ି। ଏହାପରେ ଜଙ୍ଗଲ ଗାଁର ସଂଖ୍ୟା ବଢ଼ିଯ୍ଧଶ ପାଞ୍ଚହଜାର ଏକଶହ ଏଗାର, ବାର, ତେର ଇତ୍ୟାଦି।
ଏ ଭିତରୁ ଗୋଟିଏ ଗାଁ ନଙ୍ଗଲଘାଟ। ଯାହାକୁ ସରକାର ଜାଣନ୍ତି ନାହିଁ ଯେ ଏ ଗାଁଟି ଆଦିବାସୀ ଗାଁ। ଏ ଗାଁରେ ପହରିଆ ସମ୍ପ୍ରଦାୟର ଲୋକେ ରୁହନ୍ତି। ଛତିଶଗଡ଼ ସରକାର ଏମାନଙ୍କୁ ଆଦିବାସୀ କହେ। ଓଡ଼ିଶା ସରକାର କହେ ଏମାନେ ଓବିସି। ଦୁଇଟି ରାଜ୍ୟରେ ଯା’ର ଦୂରତା ରାସ୍ତାରେ ଆଠ କି ଦଶ କିଲୋମିଟର, ଆଉ ସମ୍ବିଧାନରେ ଶୂନ୍ୟ କିଲୋମିଟର। ଏହିରାସ୍ତାକୁ ଅତିକ୍ରମି ଜଣେ କୁମାରୀରୁ ଶ୍ରୀମତୀ ହୋଇଗଲେ ତାର ଜାତି ହରେଇଦିଏ।
କିଏ ଜାତି ହରେଇ ଦେଲେ କି କାହାର ଜାତି ନେଇଗଲେ କେତେ କଥା ରାଜ୍ୟରେ। ମନ୍ଦିର ଭାଙ୍ଗେ, ମସ୍‌ଜିଦ୍ ଭାଙ୍ଗେ, ଗିରିଜାଘର ଭାଙ୍ଗେ। ଗାଁ ଜଳେ, ଲୋକ ଜଳେ, ମୁଣ୍ଡ ଗଡ଼େ। କିନ୍ତୁ ନଙ୍ଗଲଘାଟ ନଙ୍ଗଲଘାଟ ହୋଇରହେ। ବର୍ଷା ଚାରିମାସ ଉଦନ୍ତୀ ନଦୀ ନଙ୍ଗଲଘାଟକୁ ଅଲଗା କରିଦିଏ। ସରକାର ଦେଉଥିବା ଚାଉଳ କି କିରୋସିନ ଏମାନେ ପାଆନ୍ତି ନାହିଁ। ସର୍ବଶିକ୍ଷା ଅଭିଯାନର ରଥ ନଈ ଡେଇଁପାରେନି। କ୍ଲୋରୋକୁଇନ ବଟିକା ସୁଦ୍ଧା ପାଣିରେ ମିଳେଇଯାଏ। ଚାଉଳ କିଣିବାକୁ ପଡ଼େ ସେଥିଲାଗି ସେମାନେ ଜଙ୍ଗଲରୁ କନ୍ଦା ଖାଆନ୍ତି। ଲାଜ ଢ଼ାଙ୍କିବା ପାଇଁ କପଡ଼ା ଖଣ୍ଡେ ଯଥେଷ୍ଟ। ଏ କପଡ଼ାକୁ ଏମାନେ ଏଇଥିପାଇଁ କିଣିପାରନ୍ତି ଯେ ସେମାନେ ବାଉଁଶରେ କୁଲା, ଟୁପା, ଡଲା, ଛେଟନା, ଟୁପଲି ଇତ୍ୟାଦି ତିଆରି କରି ଜାଣନ୍ତି। ବୋଧହୁଏ ଏଇଥିପାଇଁ ତିଆରି କରି ଜାଣନ୍ତି ଯେ କୃଷି ଓ ଜଙ୍ଗଲ ଆଧାରିତ ସଂସ୍କୃତିରେ ଜନ୍ମ ହେଲାଠାରୁ ମରିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଏ।
ଏମାନେ ଜାଣନ୍ତିନି ଅନ୍ୟ ବେଉଷା। ବାଉଁଶ ଏମାନଙ୍କ ପ୍ରଭୁ, ବାଉଁଶ ଏମାନଙ୍କ ଆଧାର। ଏଥିଲାଗି ଜଙ୍ଗଲ ଭିତରେ ବାଉଁଶରାଣୀ ପଛେ ପଛେ ଏମାନେ ଯା’ନ୍ତି। ବାଉଁଶରାଣୀ ହାତଠାରି ଡାକିନିଏ ଏମାନଙ୍କୁ, ସୀମା ସରହଦ ଡେଇଁ ଜଙ୍ଗଳ ଭିତରକୁ। ଗଭିରରୁ ଗଭିରକୁ। ଚିରସ୍ଥାୟୀ ବନ୍ଦୋବସ୍ତ କି ଗତ ଅଧିବେଶର ଜଙ୍ଗଲ ନିୟମ ଏମାନେ ଜାଣନ୍ତିନି। ଏମାନେ ରାଜ୍ୟସୀମାକୁ ଚିହ୍ନିପାରନ୍ତି ନାହିଁ, ହାତୀ ପରି। ହାତୀ ସୀମା ଡେଇଁଲେ ଦୁଇଟି ସରକାର ଝଗଡ଼ା କରନ୍ତି। ଏମାନେ ବାଉଁଶରାଣୀ ପଛେ ପଛେ ସୀମା ଡେଇଁଲେ କେହି ଜାଣନ୍ତିନି। ବଜାରରେ ପହରିଆ ଯୁବତୀଟି ଡଲା, ଟୁପା ବିକୁଥିଲେ ତାର ଦେହପରି ଆକର୍ଷଣ ରଖେ ଡଲାଟୁପା। ଆଉ ତଦୁଲ୍ୟ ଶସ୍ତା ବି। ଖଲି ଏତିକି ବାଉଁଶରାଣୀ ବଦଳେନି। ଏମାନେ ବଞ୍ଚିପାରନ୍ତି। ଏଥିପାଇଁ ବଞ୍ଚନ୍ତି ଯେ ବିଜାତିର ରୋଗ ଶରୀରରେ ହୁଏନି। ମନର ରୋଗ ପ୍ରିୟତମ ଅଙ୍ଗ ହୋଇସାରିଥାଏ।
ସରକାର ଆଗରୁ ଏନ୍‌ଜିଓ ପହଞ୍ଚିଲା ପହରିଆ ପାଖରେ। କହିଲା ତୁମକୁ ଆଦିବାସୀ କରିଦେବି। ପହରିଆ ଭାବିଲା ଆଦିବାସୀ ହେଲେ କଣ? ଏନ୍‌ଜିଓ କହିଲା ପାଠ ପଢ଼ିବ, କାଳିଆ ଘୋଡ଼ାରେ ଚଢ଼ିବ। ପହରିଆ ହଁ କଲା। ଗାଁ ଛୁଆଟି ମୁଢ଼ି ଖାଇବାର ଟୁପଲି ଠାରୁ କବାଟ କରିବା ପର୍ଯ୍ୟନ୍ତ ସମସ୍ତପ୍ରକାର ଆବଶ୍ୟକୀୟ ଜିନିଷ ପହରିଆ ବାଉଁଶ କାଟି ତିଆରି କରେ। ଲୋକଙ୍କ ଚଳଣୀ, ସୁଖଦୁଃଖ, ଚାଷବାସରେ ବାଉଁଶ ତିଆରି ଜିନିଷ ମୁଖ୍ୟ ହେଲା ଯାହାକୁ ଏମାନେ ତିଆରି କଲେ। ଗୋଟିଏ ମାସର ନିରନ୍ତର ପରିଶ୍ରମରେ ଏମାନେ ପାଇଲେ ସର୍ବାଧିକ ତିନିଶହ ଟଙ୍କା। ମହୁଲ ବିକିଲେ କିଲୋ ଦୁଇଟଙ୍କା, ଚାଁର ବିକିଲେ ପାଞ୍ଚଟଙ୍କା, ଡଲା ଆଠଟଙ୍କା।
ଦ୍ୱିତୀୟ ଏନ୍‌ଜିଓ ଆସିଲା। କହିଲା ତୁମକୁ ଧନି କରିଦେବି। ଏମାନେ ହଁ କଲେ। ଏମାନଙ୍କୁ କହିଲା ତୁମେ ଆଉ ଡଲା ଟୁପା ତିଆରି କରନି, ତୁମେ ମାଛ ଧରୁଥିବା ବଗ ତିଆର, କଲମ ରଖିବା ଖୋଳ ତିଆର, ଟେବୁଲ ଲ୍ୟାମ୍ପ ତିଆର, ବାଉଁଶରେ ମୃଗୟା ତିଆର, ରାମ ବନବାସ, ଗଣେଶ ଓ କଇଁଛ। ଏମାନେ ହଁ କଲେ।
ଦୁଇଜଣ ପହରିଆ ସହ ଏନ୍‌ଜିଓ ରାଜଧାନୀ ଗଲା। ରାମ ବନବାସ, ଗଣେଶ ଓ କଇଁଛମାନଙ୍କୁ ବିକିଲା। ରାଜଧାନୀ ଲୋକଙ୍କୁ କହିଲା ଏମାନଙ୍କୁ ମୁଖ୍ୟସ୍ରୋତରେ ମିଶେଇବି।
ପାରଶାଳୀରୁ ସିକ୍‌କା ଲାଡ଼ି ତାର ପରିବାର ସହ ଓଡ଼ିଶା ଆଦିବାସୀମାନଙ୍କ ପ୍ରତିନିଧିତ୍ୱ କରି ଦିଲ୍ଲୀ ଗଲା। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଜୁଏଲ ଓରାମ ସହ ଫଟୋ ହେଲା। କୋଶି ଇଣ୍ଟରନ୍ୟାସନାଲ ଓ ହୋଟେଲ ତାଜ୍‌ରେ ପ୍ରବାସ କଲା ପନ୍ଦର ଦିନ। ମୁଁ ତା’ଗାଁକୁ ଯାଇ ପଚାରିଲି କେମିତି ଲାଗିଲା ଦିଲ୍ଲୀ। ସେ କହିଲା ଆମର ଡଙ୍ଗର ନିକୋ (ଆମର ଡଙ୍ଗର ଭଲ) ହୋ ବାବୁ। ଡଙ୍ଗରିଆକୁ ନିଜର ଡଙ୍ଗର ଦିଲ୍ଲୀଠୁ ଅଧିକ ଶୋଭାମୟ ଆଉ ଆକର୍ଷଣୀୟ ଦିଶିଲା। ରାହୁଲ ଗାନ୍ଧୀଙ୍କୁ ଜଣେ ଡଙ୍ଗରିଆ ନିଜର ପାରମ୍ପାରିକ ପୋଷାକରେ କାନ୍ଧରେ ଟାଙ୍ଗିଆ ଧରି ଇଂରାଜୀରେ କହିଲା ତାର ଡଙ୍ଗରର କଥା, ଡଙ୍ଗରିଆର କଥା।
ପହରିଆମାନେ ମୁଖ୍ୟସ୍ରୋତକୁ ଅପେକ୍ଷା କଲେ। ନଗ୍ରଲୋକ ପରିବାର କରନ୍ତି କୁଲା, ଟୁପା, ଭୁଗା, ଟୁପଲି ନିଅନ୍ତି। ଗାଁରେ ଛୁଆ ଜନ୍ମ ହୁଏ ପରଲା, ପତିଆ ଲାଗେ; ଚାଷ ହୁଏ ଡଲା, ଭୁଗା, ଟୁପା ଲାଗେ, ଘରେ କପଡ଼ା ରଖାହୁଏ ଝାଁପି ଲାଗେ। ଲୋକ ମରିଯାନ୍ତ ଟୁପୁଲିରେ ଖଇ କଉଡ଼ି ଝିଣ୍ଟା ହୁଏ, କୁଲାରେ ଧାନ ଛଡ଼ା ହୁଏ, ଦୁଇ ବଟିଆ ବାଟରେ। ରାଜଧାନୀରେ ଲ୍ୟାମ୍ପ ଜାଳନ୍ତି, କଲମ ରଖନ୍ତି, କାନ୍ଥରେ ରାମ ବନବାସ ଟାଙ୍ଗନ୍ତି, ଟେବୁଲରେ କଇଁଛ ରଖନ୍ତି।
ପହରିଆ ଯୁବକଯୁବତୀ ଦେଖନ୍ତି ଏନ୍ତୁଡ଼ିଶାଳରୁ କ୍ଷେତଖଳା ଡେଇଁ ମଶାଣି ଯାକେ ସେମାନେ ତିଆରିଥିବା ବାଉଁଶର ସେତୁ। ସେତୁ ଉପରେ ଚରାଚର ଛାଲିଯାଉଛି। ଅଧାପେଟରେ କି ଖାଲିପେଟରେ ବି ଏ ଲୋକମାନଙ୍କ ମୁହଁରେ ମହୁଲିର ମାଦକତା। ରାଜଧାନୀରେ ଏ ବଜାର ନାହିଁ। ବଗ ଓ କଇଁଛ ବଜାର। ବଗ ଜନ୍ମ ହୁଏନି କି କଇଁଛ ମରେନି। ଥରେ ସରିଲେ ସରିଲା। ତାଙ୍କ ତିଆରି ବାଉଁଶ ବଗ ଉଡ଼ିପାରେନି ଏନ୍‌ଜିଓ ଦେଇଥିବା ସ୍ୱପ୍ନ ସହ। ଫେରିଆସେ ଗାଁକୁ। ବାଉଁଶ ବଣର ଗୀତ ଆଉ ଉଦନ୍ତୀ ନଈ ପାରିର କନ୍ଦା ପାଖକୁ। ଏନ୍‌ଜିଓ କହେ ପହରିଆମାନେ ଏକବିଂଶ ଶତକର ବଜାର ପାଇଁ ଉପଯୁକ୍ତ ହୋଇ ନାହାଁନ୍ତି।
ସୁମନୀ ଝୋଡ଼ିଆ କହିଲା ଆମେ ଜଙ୍ଗଲରେ ରହୁ, ଡଙ୍ଗର ଆମର ମା। ଆମେ ଡଙ୍ଗରରେ ଚାଷ କରୁ। ଆମର ଚାଷ ସାହୁକାର ଖାଏ। ଆମ ଅଣ୍ଡିରାଙ୍କୁ ମଦ ଦିଏ। ତୁଇ ଆମକେ ଡଙ୍ଗର ଚାଷ କରବାର ଲାଗି ଦେ, ଆରୁ ସରକାର ତୋର ମଦ ତୁଇ ନେଇଯା। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଖୁସି ହୁଅନ୍ତି। ମଦ ବନ୍ଦ କରନ୍ତି ରାଜ୍ୟରେ। ସୁମନୀ ଡଙ୍ଗର ଚାଷ କରେ। ସ୍ୱତନ୍ତ୍ର ପୋଲିସ ଅଧିକାରୀ ହୁଏ। ବିଜୁବାବୁ ତାକୁ ଏ କ୍ଷମତା ଦିଅନ୍ତି। ମଦରନ୍ଧାକୁ ପ୍ରଶ୍ରୟ ଦେବା ଅପ୍ରାଧରେ ଜଣେ ଏସଆଇ ଓ ଦୁଇଜଣ କନେଷ୍ଟବଲଙ୍କୁ ନିଲମ୍ବିତ କରେ। ଡଙ୍ଗରରେ ଚାଷ ହେଉଥିବା କାନ୍ଦୁଲକୁ ବିକେ। ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କୁ କହେ ମୋର ଡାଲି ତୋର ଇସ୍କୁଲର ପିଲାମାନଙ୍କୁ ଦେ। ରାୟଗଡ଼ାର ପର୍ବତ ପୁଅମାନେ ବାହାର ଡାଲି ଖାଇବେ ନାହିଁ। ବିଷ୍ଣୁପଦ ସେଠୀ ମଧ୍ୟାହ୍ନଭୋଜନ ପାଇଁ ସୁମନୀ ଓ ତାର ସାଥିମାନେ ଅମଳ କରିଥିବା ଓ ପ୍ରକ୍ରିୟା କରିଥିବା କାନ୍ଦୁଲ ଡାଲି କିଣନ୍ତି। ବିଭିନ୍ନ କାମ ପାଇଁ ସୁମନୀର ପ୍ରେସ୍ ଖଲିଦନା ବି କିଣା ହୁଏ।
ଏନ୍‌ଜିଓ ଭାବେ ପହରିଆମାନଙ୍କୁ ଶିକ୍ଷା ଦରକାର। ଶିକ୍ଷା ପାଇଲେ ଏମାନଙ୍କ ବଗ ନଙ୍ଗଲଘାଟରେ ଜନ୍ମ ହେବ। ରାଜଧାନୀରେ ଉଡ଼ିବ। ପୃଥିବୀ ପରିକ୍ରମା କରି ମଟରବୋଟରେ ଉଦନ୍ତୀ ଡେଇଁବ। ବଗ ଜନ୍ମିଥିବା ଏନ୍ତୁଡ଼ି ଆଉ ଚାଳ / ମାଟିର କୁଡ଼ିଆ ନୁହେଁ, କଂକ୍ରିଟ ମହଲ ହୋଇସାରିଥିବ। ତା’ଛାତରେ ବସି ବଗ କହିବ ମୁଁ ସ୍ୱପ୍ନରୁ ବେଶି ଉଡ଼ିପାରୁଛି। ପହରିଆ ତୁ ଆହୁରି ଜନ୍ମକର। ପହରିଆ ପଢ଼ିବ ଉଦନ୍ତୀ ସେ ପାରିର ଭାଷା। ବୁଇଲକୁ ବଳଦ କହିବ ଆଉ ଗଡ଼ୁକୁ କଳସ। ଜଣେ ପହରିଆ ଲଳନା ମାଟ୍ରିକ୍ ଫେଲ କରିବ। ଏନ୍‌ଜିଓ ପ୍ରଚାର ଯନ୍ତ୍ରମାନଙ୍କରେ ନଗ୍ରଲୋକଙ୍କୁ କହିବ ପହରିଆର ପ୍ରଥମ ପାଦ ଏକବିଂଶ ଜଗତ ପଟକୁ। ଏ ଝିଅକୁ ଚାକିରୀ ଦେବ। ପହରିଆ ଝିଅକୁ ବୁଝେଇବ। ଜମି, ଜଳ ଓ ଜଙ୍ଗଳ ଆମର। ଏଠାରେ ବଞ୍ଚିବାର, ଖାଇବାର ଅଧିକାର ଆମର ଅଛି। ସରକାର ଆମର ନାଁ ଠିକଣା ଜାଣିନି। ସେ ଜାଣିଛି ବିଶ୍ୱବ୍ୟାଙ୍କର ଠିକଣା, ବହୁରାଷ୍ଟ୍ରୀୟ କମ୍ପାନୀର ଠିକଣା। ଚାଲ୍‌, ଆମେ ଆମର ଜଙ୍ଗଲ ମାଗିବା। ଜମି ମାଗିବା। ଜଳ ମାଗିବା। ଶୁଆଟି ଉଡ଼ିବୁଲେ ଗାଁକୁ ଗାଁ। ତପ୍ତକୁରୁ ତପ୍ତକୁରୁ…। ପହରିଆ ଶୁଣେ। ଖୁସି ହୁଏ। ତାର ଶୁଆ ଗାଉଥିବା ଗୀତ।
ସୁନାବେଡ଼ା ଅଭୟାରଣ୍ୟରେ ବି ଶୁଆ ଉଡ଼େ। ଭୁ୍‌ଞ୍ଜିଆ ଦେଖିଲା ଇଏ ଅରଣ୍ୟରେ ବୁଲିବା କଥା। କାନ୍ଧରେ ଟାଙ୍ଗିଆ ଆଉ ଅଂଟାରେ କରରି ଖୋସି ସମୁଦ୍ରରୁ ବତିଶ ଶହ ଫୁଟ ଉଚ୍ଚରେ ଛଶହ ବର୍ଗ କିଲୋମିଟର ଅଭୟାରଣ୍ୟର ରଜା କହିବା କଥା। ଆଠ ହଜାର ଜୀବଜନ୍ତୁ ମେଳରେ ନିଜକୁ ବଞ୍ଚେଇ ଶିଖିବା କଥା। ଛ’ଶହ ଜାତିର ପକ୍ଷୀର ଡେଣାରେ ନିଜର ସପନକୁ ଉଡ଼ାଇବାର କଥା। ଜଙ୍ଗଲରୁ ଶାଗୁଆନ୍ କାଠ, ମହୁଲ, କେନ୍ଦୁ, ଡୁମେର, ଲାଖ, ଖଇରକୁ ଆଣି ବେପାରୀକୁ ଦେବା କଥା। ମହାଜନ କହିଥିବା ଗଞ୍ଜେଇ ବଗିଚା ଜଗିବା କଥା। ମୁନ୍‌ସୀ ଲାଗି କେନ୍ଦୁପତ୍ର ତୋଳିବା କଥା। ଏ ପିଲା ତଳକୁ ଗଲା। ଦେବତା ସମାନ ଉଚ୍ଚ ବୋଲି ଉଚ୍ଚରେ ରଖିଛି। ବାକିମାନେ ନୀଚ ବୋଲି ନୀଚରେ ରଖିଛି। ସେମାନେ ଏତେ ନୀଚ ଯେ ତାଙ୍କର ରନ୍ଧାଘର ବା ଲାଲମହଲ ଛୁଇଁଲେ ନିଆଁରେ ଘରକୁ ଜାଳି ଶୁଦ୍ଧ କରାଯାଏ। ସେ ଘରେ ଯିଏ ରହେ, ସେ ସୀତା। ଘର ସାମ୍ନାରେ ଲକ୍ଷ୍ମଣରେଖା, ତାକୁ ଡେଇଁବା ଅପ୍ରାଧ, ଯା’ର କ୍ଷମାନାହିଁ। ଦଣ୍ଡ ମୃତ୍ୟୁ ପର୍ଯ୍ୟନ୍ତ, ତାର ନିଜ ଆଇନସମ୍ମତ। ସେ ସେହି ନୀଚ ଲୋକଙ୍କ ସହ ରହିଲା, ପାଠ ପଢ଼ିଲା, ବିଜାତି ହେଲା। ଏନ୍‌ଜିଓ ଚିନ୍ତା କଲା। ଏମାନେ ପାଠପଢ଼ି ନପାରିଲେ ଅସୁବିଧା। ବୁଝେଇଲା ନାନା ପ୍ରକାରେ। ପାଠ ପଢ଼ିବା କଥା। ଭୁଞ୍ଜିଆ ମାନିଲା। ତାର ପିଲାଛୁଆ ପାଠ ପଢ଼ିଲେ।
କେଉଁ ଯୁଗରୁ ସରକାରର ନାଁ ଧରି ନଥିବା ଭୁଞ୍ଜିଆ ବିଶ୍ୱବ୍ୟାଙ୍କର ନାଁ ଶୁଣିଲା। ଶୁଣିଲା ଆଉ ହିସାବକଲା ତାର ୩୦ଟି ଗାଁ ରାଜସ୍ୱ ଗାଁ, ସରକାର ଖତାରେ ଲେଖିଛି। ୨୮ଟି ଗାଁ ଜବରଦଖଲ ଗାଁ ସରକାରର ଖତାରେ ନାହିଁ। ସରକାର କହିଁକି ଲେଖିଲା ଆଉ କାହିଁକି ଲେଖିଲା ନାହିଁ, ଭୁଞ୍ଜିଆ ଜାଣିପାରିଲା ନାହିଁ। କୁହାଗଲା ଆନ୍ଦୋଳନ କର, ସେ ଆନ୍ଦୋଳନ କଲା। ସରକାର କେନ୍ଦୁପତ୍ର ଫଡ଼ି ବନ୍ଦ କଲେ। ଚାଁର ମହୁଲ ଗୋଟାଇବା ବନ୍ଦ କଲେ। ଭୁଞ୍ଜିଆ ଆଠଦିନର ପରିିଶ୍ରମରେ ଯେଉଁ ଜିନିଷ ବିକି ବଜାର କରୁଥିଲା, ସେଥିରେ ସେ କଷ୍ଟେମଷ୍ଟେ ଚଳୁଥିଲା। ଭୁଞ୍ଜିଆ ଧାନ ଚାଷ କରେ। ହସ୍ତିନାରେ ମରୁଡ଼ି ପଡ଼ିଲା। କୁନ୍ତି ମାତା ଭୀମକୁ ପଠେଇଲେ ତାଙ୍କ ଭଉଣୀ ସୁନାଦେଇ ପାଖକୁ ଧାନ ଆଣିବାକୁ ଭୀମ ଧାନ ନେଲା। ସୁନାଦେଇ ଭୁଞ୍ଜିଆର ମା। ଭୁଞ୍ଜିଆର ଭୂମି ଅକଣ୍ଟକ। ମରୁଡ଼ି ଛୁଏଁନି ତା ଭୂମିକୁ। ଏହି ଭୂମିର ଧାନରେ ଓøଷଧୀୟ ଗୁଣ ରହେ। ସେ ଧାନ ବିକେନି। ଚାଁର ଟୋଲ ବିକିବା ପାଇଁ କେରମେଲି ଫାଟକ ଭାଙ୍ଗିଲା। ଆନ୍ଦୋଳନ କଲା। କଣ କହିଲା ସେ ଜାଣେନି। କେବଳ ଏତିକି ଜାଣେ ଯେ ତାକୁ ଯିଏ ସୁନାବେଡ଼ାରୁ ତଡ଼ିବ, ସେ ବଞ୍ଚିବନି। ସୁନାଦେଇ ମାରିବ, ନହେଲେ ସେ।
ପହରିଆ ବି ରଡ଼ିଲା। ମୋର ନଙ୍ଗଲଘାଟକୁ ମାନ୍ୟତା ଦିଅ। ପହରିଆ ଆହୁରି ରଡ଼ିଲା ମତେ ଆଦିବାସୀ କର। ସେ ଜାଣିଲା ତାକୁ ଆଦିବାସୀ କଲେ, ସ୍କୁଲରେ ତା’ପୁଅଝିଅ ପଢ଼ିଲେ ଟଙ୍କା ପାଇବେ। ପଢ଼ିସାରିଲେ କାଳିଆ ଘୋଡ଼ାରେ ଚଢ଼ିବେ। ତାର ମା / ଝିଅ ସରପଞ୍ଚ କି ସମିତିସଭ୍ୟ ହେବେ। କିନ୍ତୁ ନଙ୍ଗଲଘାଟରେ ସ୍କୁଲ୍ ନଥିଲା। ଉଦନ୍ତୀ ଡେଇଁ ତା’ପାଖକୁ କ୍ଲୋରକୁଇନ ପହଞ୍ଚି ନପାରିଲା ପରି ତା ପୁଅ ଝିଅ ନଈ ଡେଇଁ ସ୍କୁଲ ପହଞ୍ଚି ପାରିଲେ ନାହିଁ।
ସରକାର ବି ଭାବିଲେ ଡଙ୍ଗରିଆକୁ ଘର ଦେବି। ଡଙ୍ଗରିଆକୁ ପଥର ଦରକାର ନଥିଲା। ତାର ଡଙ୍ଗର ତାକୁ ଦେଲା। ନାଗାବଳୀ କହିଲା ମୋ ଛାତିରୁ ବାଲି ନେ। କୋଡ଼ିଏ କିଲୋମିଟର। ହଳଗାଡ଼ି ବି ଯାଇପାରିବନି ପରଶାଳୀ। ବାଲି ଗଲା। ଗୋଟିଏ ହଳଗାଡ଼ି ପ୍ରମାଣେ ବାଲି ଆଣିବାକୁ ଡଙ୍ଗରିଆକୁ ଲାଗିଲା ଦିନଟିଏ। ଘର ତିଆରି ହେଲା। ଅତି କଷ୍ଟରେ। ଡଙ୍ଗରିଆ ଇନ୍ଦିରା ଘରକୁ ଯାଇ ରହିବାବେଳେ ଘର ଭାଙ୍ଗିଗଲା। ତା’ପାଇଁ ଜିଲ୍ଲାପାଳ ବିଚାର କଲା ଡଙ୍ଗରିଆକୁ ତା ପରି ଘର ଦେବି। ଆଠ ହଜାର ଟଙ୍କାରେ।
ଏନ୍‌ଜିଓ ଭାବିଲା ପହରିଆକୁ ପାଣି ଦେବି, ଗଛର ଛାଇ ଦେବି। ପହରିଆ ହଁ କଲା। ସେ ବୁଝିପାରିଲାନି ଉଦନ୍ତୀ ନଈରେ ପାଣି ଆଉ ଜଙ୍ଗଲର ଛାଇ ପରେ କେଉଁ ପାଣି ଓ ଛାଇ ଦେବ। ରାଜଧାନୀକୁ ଉଡ଼ିଯାଉଥିବା ବଗ ତା’ର ସ୍ୱପ୍ନ ବୋହି ପାରିଲାନି। ଏନ୍‌ଜିଓ ପାଣି ଆଣିବ, ଛାଇ ଆଣିବ। ପହରିଆ ଏସ୍‌ଏଚ୍‌ଜି କଲା, ମା ଭଉଣୀକୁ ଡାକି ଭଲକଥା ବୁଝେଇଲା। ବ୍ୟାଙ୍କ ନେଲା ଟଙ୍କା ଦେଲା। ପହରିଆ ଖୁସି ହେଲା। ଛୋଟ ଛୋଟ ଟିଣରେ ସୁନ୍ଦର କରି ଗାଁର ନାଁ ଲେଖିଲା। ଗଛ ଜଗେଇଲେ ଲେଖିଲା, ରାସ୍ତାର ଖାଲଟିଏ ପୋତିଦେଲେ ଲେଖିଲା। ପହରିଆ ଦେଖିଲା, ଖୁସି ହେଲା।
ମୁରିବାହାଲ ତିଖାରୀ ଜଙ୍ଗଲ ଭିତରେ ଖରାଦିନେ ପାଣିର ଅଭାବ ହେଲା। ପେରୁଆମାଲର ଲୋକେ ଏନ୍‌ଜିଓକୁ କହିଲେ ଆମକୁ ପୋଖରୀଟିଏ ଦିଅ। ରେଞ୍ଜର କହିଲା ମତେ ଦଶହଜାର ଟଙ୍କା ଦିଅ। ଲୋକେ ବୁଝି ପାରିଲେନି ଏନ୍‌ଜିଓ ବେଚାରା ପୋଖରୀ ଖୋଳିବ, ରେଞ୍ଜରର କଣ ଗଲା ଯେ ଟଙ୍କା ନେବ। ଚାଷ କଲେ, ଧାନ କାଟିଲେ ରେଞ୍ଜର ତ କୁକୁଡ଼ା ନିଏ, ଟଙ୍କା ନିଏ। ତା’ର ଜମିର ଦେବତା ଆଗରୁ ତାକୁ କୁକୁଡ଼ା ଦିଆଯାଏ। ମଲିଆ ଧରୁଆ କଥାକୁ ବୁଝିପାରିଲାନି। ଝିଅବୋହୁ ଗାଧୋଇବେ, ବନ୍ଧ କାହିଁକି ହେବନି। ରେଞ୍ଜର ବୁଝେଇଲା ଲୋକ ବୁଝିପାରିଲେ ନାହିଁ। ଦଶ ଜଣଙ୍କୁ ଗିରଫ କଲା। ଏନ୍‌ଜିଓ ଲୋକଙ୍କୁ କହିଲା ତିଖାରୀରେ ରହୁଥିବା ୯ ଟି ଗାଁର ୩୦୪ ପରିବାରର ଅଧିକାର କିଛି ନାହିଁ। ନା ଜଙ୍ଗଲ, ନା କବ୍‌ଜା କରିଥିବା ୪୫୩ ହେକ୍ଟର ଜମି। ୯ଟି ଗାଁରେ ଭାଳେଣି ପଡ଼ିଲା। ଲୋକେ ପଚାରିଲେ ଏନ୍‌ଜିଓକୁ କଣ କରିବା। ଏନ୍‌ଜିଓ କହିଲା-ଏସ୍‌ଏଚ୍‌ଜି କର, ପାଣ୍ଠି କର, କିଲଟରୀ ଘେରାଉ କର। ଲୋକେ ହଁ କଲେ। ଅଗଷ୍ଟ ପନ୍ଦର, ଜାନୁୟାରୀ ଛବିଶ ତାରିଖରେ ତ୍ରିରଙ୍ଗା ଉଡ଼ିଲା। ଲୋକେ କହିଲେ ଜଙ୍ଗଲ ଆମର ମା। ଆମେ ଏଠାକାର ଖୁଟକଟା ଲୋକ। ମଲିଆକୁ ମୁଖିଆ କରାଗଲା। ବେଚାରା ଦଶଦିନ ଜେଲ ଗଲା। ଏନ୍‌ଜିଓ ପୁରସ୍କାର ପାଇଲା। ଏବେ ଏନ୍‌ଜିଓ ବି ଖୋଜି ପାଇବନାହିଁ ମଲିଆର ସମାଧିକୁ। ପଟ୍ଟା ପାଇଲେ ଅନ୍ତତଃ ଲୋକେ ଯାହାକୁ ଦେଖି ଜୁହାରଟିଏ ହୁଅନ୍ତେ।
ସରକାର କହିଲା ୧୯୮୦ ପୂର୍ବରୁ ଯେଉଁ ଗାଁ ଜଙ୍ଗଲ ଭିତରେ ଅଛି, କେବଳ ତାର ନାଁ ମୋ ଖାତାରେ ଲେଖିବି। ପହରିଆ ଖୋଜିଲା ନଙ୍ଗଲଘାଟ କେବେ ତିଆରି ହେଲା, ଉଦନ୍ତୀ କେବେ ବହିଲା, ବଣର କନ୍ଦା କେବେ ଜମିଲା। ସେମାନେ କେବେ ଚାଉଳ ଖାଇଲେ। ସେମାନେ କେବେ ଝିକରୀ ପଥର ଖାଇଲେ। ବାଉଁଶରାଣୀ ସଙ୍ଗେ ଜଙ୍ଗଲରେ ଲୁଚକାଳି ଖେଳୁ ଖେଳୁ ପହରିଆ କେବେ ନଙ୍ଗଲଘାଟ ମାଟି ଛୁଇଁଲା।
ସୁମନୀ ଝୋଡ଼ିଆ, ସିକ୍‌କା ଲାଡ଼ି, ମଲିଆ ଧରୁଆ, ଶକୁନ୍ତଳା ପହରିଆ ସମସ୍ତେ ଦିଲ୍ଲୀ ଗଲେ। ମୁଣ୍ଡରେ ପଟିଭିଡ଼ିଲେ। ପଟିରେ ଲେଖାଥିଲା ଜଙ୍ଗଲ ଜମି ଆମକୁ ଦିଅ। ତୁରେକେଲା କଦଲୀପାଲିର ରତନ ମାଝୀ ରେଳଗାଡ଼ି ଚଢ଼ିଲା। ପିତୃପୁରୁଷଙ୍କୁ ଜୁହାର ହେଲା। ଗାଁ ମୁଣ୍ଡ ମାଉଳୀର ମହିମାକୁ ଧନ୍ୟ କଲା। ତା’ର କୃପା ନହେଲେ ସେ ରେଳଗାଡ଼ି ଚଢ଼ିବ! ରେଳ ଚାଲିଲା। ଦିନ ରାତି। ରତନ ମାଝି ଦେଖିଲା ଏ କଣ? ରାସ୍ତା ସରୁନି କି ସର୍କାରର ଘର ଆସୁନି। ଦିନ ଗଲା, ରାତି ଗଲା ଆଉ ଗୋଟିଏ ରାତି ଆସୁଛି। ରେଳଗାଡ଼ି ରହିଲା। ରତନ ମାଝି ଓହ୍ଲେଇଲା। ସର୍କାରର ଘର ଏତେ ବଡ଼! ସେ ଲୋକକୁ ବି ଭେଟିଲା ଯାହାକୁ ସେ ଭୋଟ ଦେଇ ନଥିଲା। ଏନ୍‌ଜିଓ ମନାକରିଥିଲା ତାକୁ ଭୋଟ ଦେବାକୁ। ଯିଏ ଜମି ଦେବ, ତାକୁ ଭୋଟ ଦେବୁ। ତାକୁ ଭୋଟ ଦେଲାନି କି ସେ ଜମି ଦେଲାନି। ନିଜେ ରହୁଛି କଦଳୀପାଲିରେ ଆଉ ସେ ସର୍କାର ଘରେ। ବୁଝି ପାରଲାନି ରତନ ମାଝି। ଦୁଇଦିନ ରହିଲା ସର୍କାର ରହୁଥିବା ବଡ଼ ଗାଁରେ। ଏନ୍‌ଜିଓ କହିଲା ଫେରିବା। ରତନ ମାଝି ରେଳଗାଡ଼ିରେ ବସିଲା। ଦିନରାତି ଗୋଟିଏ ଜାଗାରେ ବସିବ। ଯିଏ ସକାଳୁ ସଞ୍ଜଯାକେ ଜଙ୍ଗଲଯାକର ଗଛ, ମୟୂର, କୁଟରା ଗଣିପାରେ ସେ ବସିବ ଖୁଣ୍ଟ ପରି। ନାଁ! ଓହ୍ଲେଇଗଲା ରେଳଗାଡ଼ିରୁ। ଗାଁ ଲୋକ ଏନ୍‌ଜିଓକୁ ପଚାରିଲେ ବୁଢ଼ା କୁଆଡ଼େ ଗଲା? ପୋଲିସ୍‌କୁ କୁହାଗଲା। କେତେଦିନ ପରେ ରତନ ମାଝି ଫେରିଲା ଗାଁକୁ କ଼ହିଲା ଗୋଟିଏ ଥାନରେ ବସିହେଲାନି। ମୋ ଇଛାରେ ଓହ୍ଲେଇପଡ଼ିଲି। ମୋ ଇଛାରେ ଚଢ଼ୁଥାଏ, ଓହ୍ଲଉଥାଏ। ଦିନେ ପାହାଡ଼ ମତେ ଚିହ୍ନିଲା। ଜଙ୍ଗଲ ଚିହ୍ନିଲା। ମୋ ନାଁ ଧରି ଡାକିଲା। ମୁଁ ଓହ୍ଲେଇଲି, ଆକାଶକୁ ଦେଖିଲି। ଚିହ୍ନିଲି ଆକାଶକୁ। ଜାଣିଲି ଯେ ମୋ ଗାଁ ଆସିଗଲା।
ଖୁଟୁରାମ ସୁନାନୀ ଦିନେ ଏନ୍‌ଜିଓର କଥା କହୁଥିଲା। ପନ୍ଦର ବର୍ଷ ଜଙ୍ଗଲରେ ବୁଲି ବୁଲି ଲୋକଙ୍କ କଥା କହିଲା। ପଚାରିଲା ତୁମେ କ’ଣ ଖାଅ? କିପରି ଖାଅ? କାହିଁକି ଖାଅ? କିଏ ଦିଏ? କେଉଁଠୁ ଆଣ? ସବୁ ଶୁଣିଲା। ଲେଖିଲା ଖବରକାଗଜରେ। ଗାଁ ଲୋକ ପଢ଼ିଲେ, କହିଲେ ସୁନାନୀ ଭଲ ଲେଖୁଛି। ନଗ୍ରଲୋକ ପଢ଼ିଲେ, କହିଲେ ଅତିରଞ୍ଜିତ। ନଗ୍ରଲୋକ ଭୟକରି ଯାଇଥିଲେ। ନଗ୍ରଲୋକ ଜାଣି ନଥିଲେ ଜଙ୍ଗଲ କାଟୁ କାଟୁ ସେମାନେ ସେ ମଣିଷମାନଙ୍କୁ ବି କାଟି ଦେଇଛନ୍ତି, ଯେଉଁମାନେ ତାଙ୍କ ନିଜର। ଖୁଟୁରାମ ଲେଖିଲା ଜଙ୍ଗଲର ଫଳମୂଳ କାହିଁକି ସୁମନୀ, ସିକକା, ମଲିଆ ଆଉ ଶକୁନ୍ତଳାର ଘର ଠିକଣା ଭୁଲିଗଲେ। ଏକଥାକୁ ଏନ୍‌.ଏଫ.ଆଇ ଶୁଣି ଖୁସି ହେଲା। ଖୁଟୁରାମକୁ ସମ୍ମାନ କଲା। ନେସ୍‌ନାଲ୍ ଫାଉଣ୍ଡେସନ୍ ଅଫ ଇଣ୍ଡିଆ ପାଇଁ ଖୁଟୁରାମ ସୁନାନୀ ଲେଖିଲା ଶାଳବଣରେ ଶାଗୁଆନ୍ ଗଛ କିପରି ବଢ଼େ। ମଲିଆ ଧରୁଆର ନାତି ଅଜା ମଲାପରେ କାହିଁକି ରାୟପୁର ଯାଏ। ରତନ ମାଝିର ସମ୍ପର୍କୀୟ ହାଇଦ୍ରାବାଦରେ କାହିଁକି ବନ୍ଧା ପଡ଼େ। ତାର ଜଙ୍ଗଲରୁ ସେ ଗଛ କାହିଁକି କାଟେ। ତାକୁ ଫରେଷ୍ଟର କାହିଁକି ଧରେ। ସେହି ଗଛର ପଲଙ୍କକୁ ବି.ଡି.ଓ କାହିଁକି ତିରିଶ ହଜାର ଟଙ୍କାରେ କିଣି ତା’ଝିଅକୁ ଯଉତୁକ ଦିଏ।
ନଗ୍ରଲୋକ ପଢ଼ନ୍ତି। ସରକାର ପଢ଼େ। ଭୋଟ ହୁଏ। ଗଛକାଟି ଧରାପଡ଼ିଥିବା ରତନ କୋଡ଼ିଏ ଟଙ୍କା ନେଇ ଭୋଟ ଦିଏ। ବିଡିଓ ଗାଡ଼ିରେ ବୁଲେ। ଖୁଟୁରାମ ସୁନାନୀ ଜଙ୍ଗଲରେ।
ଏନ୍‌ଜିଓ ଦେଖେ ସର୍କାର ଉଦାର ହୋଇଗଲେ। ନଗ୍ରଲୋକଙ୍କୁ ଖବର ଦିଏ। ଚକାଗୋଜିଆରେ ନଗ୍ରଲୋକ ଆସି ରହନ୍ତି। ତିଖାରୀରେ ଆହୁରି ଅନେକ ରହନ୍ତି। ଏନ୍‌ଜିଓ କହେ ସମସ୍ତେ ଖୁଟକଟା ମଲିଆ ଧରୁଆ ବି ନିଜେ ଖୁଟକାଟି ରହିଛି। ତାର କେଉଁ ଗାଁକୁ ପଛକରି। ଗାଁର ଘର ଆଉ ଜମିର ମୋହକୁ ପଛକରି। ଚକାଗୋଜିଆର ଦୁଇଜଣ ଚାଳିଶ ବର୍ଷ ତଳେ ଗଛ କାଟିବାର ଅପ୍ରାଧ କରିଥିଲେ। ତା’ର କାଗଜ ଅଛି। ସର୍କାର ମାନିବ। ତୁମକୁ ଜମି ଦେବ ଜଙ୍ଗଲରେ। ମୁଁ ଖାଦ୍ୟ ପାଇଁ କାମ ଯୋଜନାରେ ଜଙ୍ଗର ଜଳପ୍ରବାହକୁ ତୁମର ଦଖଲ ଜମି ପାଇଁ ଛୋଟ କୁଞ୍ଚ, ବଡ଼କୁଞ୍ଚ କରି ସାଇତି ଦେଇଛି। ଲୋକେ ଗଛ କାଟନ୍ତି। ଜଙ୍ଗଲ ଜଳେଇ ଚାଷ କରନ୍ତି। ଚାଷ ଜମିରେ ଖୁଟ କାଟିଥିବାର ଚିହ୍ନ ଲିଭି ନଥାଏ। ଖୁଟରେ ପତ୍ର କଅଁଳୁଥାଏ। ନଗ୍ରଲୋକ ଦେଖନ୍ତି ତାଙ୍କ ମରିବା ବେଳକୁ ଦୁଇଗଜ ଜମି ପାଇଁ ସେମାନେ ଚିନ୍ତା କରନ୍ତି। ପୁଅଝିଅ ବଞ୍ଚିଲେ ମୁହଁରେ ପାଣି ଦେବେ ବୋଲି ସେମାନେ ଦେଶାନ୍ତରୀ। ହେଲେ ଏନ୍‌ଜିଓ ଏମାନଙ୍କୁ ଦଶ ଏକର ଜମି ଦେବ! ତାହା ବି ଜାଳେଣୀଠୁ ମଶାଣୀ ପରିଯନ୍ତେ, ଯେଉଁ ଚକାଗୋଜିଆ ଆମକୁ କାଠ ଦିଏ। ତା’ର ଛାତି ଚିରି ଏମାନେ ରହିବେ। ଏନ୍‌ଜିଓ କହେ ମୁଁ ଏମାନଙ୍କୁ ରହିବା ପାଇଁ କହିନାହିଁ। ସେମାନେ ସର୍କାରର ଉଦାରତା ଦେଖି ନିଜେ ନିଜେ ଆସିଛନ୍ତି। ନିଜେ ନିଜର ଘର କରି ରହୁଛନ୍ତି।
ଜଙ୍ଗଲରେ ବୁଲୁ ବୁଲୁ ଦିନେ ଖୁଟୁରାମ ସୁନାନୀ ନଙ୍ଗଲଘାଟ ପହଁଚେ। ଦେଖେ ପହରିଆ ପଥର ଖାଉଛି। ଖଡ଼ିପରି ପଥର। ପାଣିରେ ବତୁରେଇ ଖାଉଛି ଖିରି ପରି, ଜୁଖା ପରି। ପହରିଆକୁ ପଚାରେ
-କାହିଁକିରେ ପହରିଆ ତୁ ପଥର ଖାଉଛୁ?
-ମତେ ସର୍କାର ଚାଉଳ ଦେଲାନି!
-କାହିଁକିରେ ପହରିଆ ତୁ ଚାଉଳ କଲୁନି?
-ନଗ୍ରଲୋକ ମତେ ବାଉଁଶ କାମ ଦେଲେ!
-କାହିଁକିରେ ପହରିଆ ନଗ୍ରଲୋକଙ୍କୁ କହିଲୁନି?
-ମୁଁ ନଗ୍ରକୁ ଯାଏନି। ଜଣେ ଲୋକ ଆସି ମୋ ଜିନିଷ ନଗ୍ରକୁ ନିଏ। ମୁଁ ନଗ୍ର ବୁଲିଲେ ବାଉଁଶରାଣୀ ଏକଲା ହୋଇଯିବ। ମାନ କରିବ।
-କାହିଁକିରେ ପହରିଆ ତୁ ସର୍କାରକୁ କହିଲୁନି?
-ଉଦନ୍ତୀ ସେ ପାରିରେ ସର୍କାର, ଏ ପାରିରେ ମୁଁ। ସର୍କାର ତ ନଈ ଡେଇଁ ପାରେନି ମୁଁ ବା କିଏ ଉଦନ୍ତୀ ଡେଇଁବି!
ଖୁଟୁରାମ ସୁନାନୀ ଭିଡିଓ କଲା। କିପରି ପହରିଆ ଉଦନ୍ତୀର ଛାତି ଚିରି ପିଇବା ପାଣି ଆଣୁଛି। କନ୍ଦମୂଳ କୁଡ଼ୁଛି। ପିନ୍ଧୁଛି, ଶୋଉଛି। ଜଙ୍ଗଲରେ ବୁଲୁଛି, ଆଉ ଝିକିରି ପଥର ଖାଉଛି।
ଡଙ୍ଗରିଆକୁ ଭାଳେଣି ପଡ଼େ। ଯେତେବେଳେ ଶୁଣିଲା ନିୟମଗିରିକୁ କମ୍ପାନୀ କୋଡ଼ି ଖାଇଦେବ। ବଂଶଧାରା ନଈ ଶୁଖିଯିବ। ଲକ୍ଷେ ପ୍ରଳୟ ଡଙ୍ଗରିଆର ପିଠି ଡେଇଁଛି। ନିୟମଗିରି ପରି ତାର ପିଠି ଅଟଳ। ନିୟମଗିରିକୁ ଖାଇଦେଲେ ସେ ରହିବ କେଉଁଠି? ଡଙ୍ଗରିଆର ଆତ୍ମାକାନ୍ଦେ। ତାର ଧାଙ୍ଗ୍‌ଡ଼ି ବସା ହଜିଯିବ। ରାତିରେ ଶୁୁଭିବନି ମାଦଳର ସୂର। କମ୍ପାନୀ ପଥର ଖାଇବ ନିୟମଗିରିର!
ନଗ୍ରର କିଛି ଲୋକ କହିଲେ ଡଙ୍ଗରିଆ ଶିକ୍ଷତ ହେବ। ସ୍କୁଲ୍ ହେବ। ଡାକ୍ତରଖାନା ହେବ। କ୍ଲବ୍ ହେବ। ଡଙ୍ଗରିଆ ପାଠ ପଢ଼ିବ, ଚାକିରୀ କରିବ। ଯୁବକ-ଯୁବତୀ ଧାଙ୍ଗ୍‌ଡ଼ି ବସାରେ ରହିବେନି। ସେମାନେ କ୍ଲବ୍ ଯିବେ। ଧାଙ୍ଗ୍‌ଡ଼ି ବସାରେ ଚରିତ୍ର ଖରାପ ହୁଏ।
ଡଙ୍ଗରିଆ କନ୍ଧର ଉନ୍ନୟନ ଏଜେନ୍ସିର ସ୍ୱତନ୍ତ୍ର ଅଧିକାରୀ ଶରତ ଦାସ କହେ, “ମୁଁ ମୋର କୋଡ଼ିଏ ବର୍ଷ ଡଙ୍ଗରିଆଙ୍କ ସହ ରହଣି କାଳରେ ଆନ୍ଥ୍ରାକ୍ସ ରୋଗ ଦେଖିଛି, ମ୍ୟାଲେରିଆ ଦେଖିଛି, ମହାମାରୀ ଦେଖିଛି, ଆନକ ରୋଗ ଦେଖିଛି, ରୋଗରେ ମରିବା ଦେଖିଛି। ହେଲେ ଜଣେ ବି ଯୌନରୋଗୀ ମୁଁ ଦେଖିନି।
ନଗ୍ରଲୋକ ଦେଖି ପାରନ୍ତିନି କ୍ଲବ୍ ଓ ଧାଙ୍ଗ୍‌ଡିବସାର ଦୂରତା ଓ ତତ୍ୱକୁ। ନଗ୍ରଲୋକ ସଞ୍ଜମ କଥା କହେ, ହେଲେ ଡଙ୍ଗରିଆ ସେ କଥା କରେ।
କମ୍ପାନୀ ପଥର ଖାଏ। ତା’ର ପଥର କାମୁଡ଼ା ଶବ୍ଦରେ ମାଦଳର ତାଳ ହଜିଯାଏ, ନିୟମଗିରି ହଜିଯାଉଥିଲା ପରି। ତା’ର ସୂର ନିୟମଗିରିର ପବନରେ ଛନ୍ଦି ହୋଇ ବହିପାରେନି, ବଂଶଧାରା ମରିବାକୁ ଆରମ୍ଭ କରୁଥିଲା ପରି।
ପହରିଆ ତିଆରି ଥିବା ବଗ ଏନ୍‌ଜିଓକୁ ଖବର ଦେଲା। ଏନ୍‌ଜିଓ ରାଗିଲା ଖୁଟୁରାମ ସୁନାନୀ ଉପରେ। ଟିଭି ପରଦାରେ ପହରିଆ ପଥର ଖାଇଲା। ସର୍କାର ଡ଼ରିଗଲେ। ଡରିକରି ରାଗିଗଲେ। ମୋ ରାଜ୍ୟ ଖମାରରେ ଅସରନ୍ତି ଖାଦ୍ୟ। ମଣିଷ ଖାଏ, ମୂଷା ଖାଏ, ଡ଼ିଆଁ ଖାଏ, ରିସାଇକି୍ଲଂ ହୁଏ, ପଚିଯାଏ, ସମୁଦ୍ରରେ ଫିଙ୍ଗା ହୁଏ। ପହରିଆର ଏତେ ବହପ, ପଥର ଖାଇବ! ଖୁଟୁରାମର ଏତେ ବହପ, ଫଟୋ ଉଠଇବ!
ସର୍କାର ଦରବାରରେ ଘୋଷଣା କରନ୍ତି ଖୁଟୁରାମ ସୁନାନୀ ରାଜଦ୍ରେହୀ!
ଖୁଟୁରାମ ସୁନାନୀ ବଙ୍ଗୋମୁଣ୍ଡାରେ ଲୁଚେ।
ଏନ୍‌ଜିଓ ପହରିଆ ପାଖକୁ ଯାଏ। ପହରିଆ ତୁ କହ ଯେ ତୁ ପଥର ଖାଇନୁ। ପହରିଆ କହେ ମୁଁ ପଥର ଖାଇଛି।
ସର୍କାର ଲୋକ ପହରିଆ ପାଖକୁ ଯାଏ। ପହରିଆ ଆଶ୍ଚର୍ଯ୍ୟ ହୁଏ। ସର୍କାରର ଲୋକେ ଉଦନ୍ତୀ ଡେଇଁଲା! ତା’ର କାହିଁକି କିଛି ହେଲାନି? ଉଦନ୍ତୀକୁ ଡେଇଁ ହୁଏ ବୋଲି ସେଦିନ ପ୍ରଥମ କରି ଏନ୍‌ଜିଓକୁ ଦେଖିଥିଲା, ତା’ପରେ ଖୁଟୁରାମକୁ ଦେଖି ଜାଣିଲା। ତା’ପରେ ସର୍କାରର ଲୋକଙ୍କୁ ଦେଖି। ପହରିଆ ନିଜକୁ ଧନ୍ୟକଲା। ସୂରୁଜ ଦେଖୁନଥିବା ସର୍କାରର ଲୋକକୁ ଦେଖିଲି। ଉଦନ୍ତୀକୁ ଡେଇଁହୁଏ। ଖାଲି ଇଛା କରିବା କଥା।
ସର୍କାରର ଲୋକ କହେ ପହରିଆ କହ ତୁ ପଥର ଖାଇନୁ।
ପହରିଆ କହେ ଖାଇଛି।
ଏନ୍‌ଜିଓ ନଙ୍ଗଲଘାଟରେ ଚହଲା ଖୋଳେ। କାମ କରାଏ। ଚାଉଳ ଦିଏ। କପଡ଼ା ଦିଏ। ବଗ ନଙ୍ଗଲଘାଟର ଆଶରେ ଉଡ଼େ। ପହରିଆ ବଗକୁ ଦେଖେ, ଖୁସିହୁଏ।
ସର୍କାର ସ୍କୁଲ୍ ବନାଏ, ନଳକୂଅ ଖୋଳେ ଗୋଟିଏ ରାତିରେ। ସକାଳୁ ପହରିଆର ପିଲା ସ୍କୁଲରେ ପଢ଼ନ୍ତି। ସକାଳୁ ପହରିଆର ଝିଅ, ମାଇପ ନଳକୂଅରୁ ପାଣି ଆଣନ୍ତି। ପହରିଆ ଦାଢ଼ିବୁଢ଼ା ଠାରୁ ଶୁଣିଛି ବିଶ୍ୱକର୍ମା ଗୋଟିଏ ରାତିରେ ଡଙ୍ଗର ଗଢ଼ିଲେ, ଉଦନ୍ତୀ ବୁହେଇଲେ। ମାରାଗୁଡ଼ା ବସାଇଲେ, ପୃଥିବୀ ସର୍ଜିଲେ। ପହରିଆ ଶୁଣେ ହୋଇଥିବ! ତାର ପିତୃପୁରୁଷଙ୍କୁ ଧନ୍ୟ କରେ। ତୋ’ଲାଗି ବିଶ୍ୱକର୍ମା ନଙ୍ଗଲଘାଟ ମାଟି ଛୁଇଁଲା। ମୁଁ ସାକ୍ଷାତ ହେଲି। ଗୋଟିଏ ରାତିରେ ମାରାଗୁଡ଼ା ନହେଲେ ବି ବାଉଁଶର ଇସ୍କୁଲ ବନେଇଲେ, ନଳକୂଅ ଖୋଳିଲେ।
ଏନ୍‌ଜିଓ ପଚାରିଲା ପହରିଆ ତୁ ପଥର ଖାଉ?
ନା!
ସର୍କାରର ଲୋକ ପଚାରିଲା ପହରିଆ ତୁ ପଥର ଖାଉ?
ନା!
ଦୁଇଶହ ମଟରଗାଡ଼ିରେ ସର୍କାରର ଲୋକ ଆସି ପଚାରିଲେ ପହରିଆ ତୁ ପଥର ଖାଉ?
ନା!
ଶୁଆଟି ଉଡ଼ି ଉଡ଼ି ଆସିଲା। ସର୍କାରର ଲୋକ ଆଗରେ କହିଲା ତପ୍ତକୁରୁ ତପ୍ତକୁରୁ….
ସର୍କାରର ଲୋକ ପଚାରିଲା ଏହାର ଅର୍ଥ କଣ?
ଏନ୍‌ଜିଓ କହିଲା – ଏ ଶୁଆ ଆମ ଏନ୍‌ଜିଓର ନୁହେଁ।
ଶୁଆ କହିଲା ତପ୍ତକୁରୁ ତପ୍ତକୁରୁ…
ଦ୍ୱତୀୟ ଏନ୍‌ଜିଓ କହିଲା ଏ ଶୁଆ ମୋ ଶୁଆ ପରି କହି ଜାଣେନି। ଆଜି ମୋର ଶୁଆକୁ ମନା କରାଯାଇଛି ଉଡ଼ିବାକୁ।
ଶୁଆଟି ପୁଣି କହିଲା ତପ୍ତକୁରୁ ତପ୍ତକୁରୁ…

୧୪
ମୁଁ ଏବେ ବି ହାରି ନାହିିଁ

ଘୁନୁ ସାହୁ ଜଣେ ଚାଷୀ। କେବଳ ଚାଷୀ ନୁହେଁ, ବଡ଼ ଚାଷୀ। ଏହି ପରିଚୟ ହିଁ ଘୁନୁ ସାହୁର ଇତିହାସ ଅଉ ପ୍ରତିଷ୍ଠା ମଧ୍ୟ। ଅଞ୍ଚଳର ମାନନୀୟ ବ୍ୟକ୍ତି ସେ। ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ୧୮କିଲୋମିଟର ଯାଇ ଡାହାଣକୁ ସୁକତେଲ ଛାଡ଼ି ଡେଇଁଲେ ପଡ଼େ ଗଡ଼ଶଙ୍କରଡୁଙ୍ଗୁରିପାଲି, ଯେଉଁଟା ଘୁନୁ ସାହୁର ଗାଁ। ସୁକତେଲ ସେପାରିରେ ଜଳ, ଜମି ଓ ଜଙ୍ଗଲର ଭବ୍ୟ ସାମ୍ରାଜ୍ୟ। ଗାଁ ଗଣ୍ଡା ଡେଇଁ ସାମ୍ରାଜ୍ୟ ଆଲିଙ୍ଗନ କରିଛି ଗନ୍ଧମାର୍ଦ୍ଦନକୁ। ତା’ପରେ ବ୍ୟାପିଛି ପୃଥିବୀ। ବ୍ୟାପିଯାଇଛି ଅଯୋଧ୍ୟାର ରାଜ ପରିବାର। ରାମଚନ୍ଦ୍ରଙ୍କ ମାର୍ଜାରକେଶରୀ ରୂପ, ପାଳନ ଓ ସଂହାରର ମିଳନ ହରିଶଙ୍କର। ଏଇ ରୂପର ବ୍ୟାପ୍ତି ସଚରାଚର। ଲକ୍ଷ୍ମଣଙ୍କୁ ଶକ୍ତିଭେଦରୁ ବଞ୍ଚାଇବାର ମହନିୟତା ଧରିଥିବା ଗନ୍ଧମାର୍ଦ୍ଦନ ଘୁନୁ ସାହୁ ନିକଟରେ କାର୍ପଣ୍ୟ କରିନି। ଘୁନୁ ସାହୁର କିଏ ଗୋହତ୍ୟା ପାତକରେ ପଡ଼ିଲେ ନୃସିଂହନାଥଙ୍କ ଆଶୀର୍ବଦ ହିଁ ତାକୁ ମୁକୁଳେଇବ। କିଏ ମରିଗଲେ ତାର ଅସ୍ଥି ବିସର୍ଜିତ ହେବ ହରିଶଙ୍କରରେ। ରୋଗରେ ପଡ଼ିଲେ ଗଡ଼ଶଙ୍କରଡୁଙ୍ଗୁରିପାଲିର ବୈଦ୍ୟ ଓøଷଧ ଦେବେ, ଯାହାକୁ ସେ ଗନ୍ଧମାର୍ଦ୍ଦନରୁ ଆଣିଥିବ।
ଘୁନୁ ସାହୁ ଜଣେ ଚାଷୀ, ଏହା ତାର ପ୍ରତିଷ୍ଠା ଓ ଇତିହାସ। ଘନୁ ସାହୁ ଅଶୀଦଶକ ଆରମ୍ଭ ପରେ ପରେ ଶୁଣିଲା ବାଲକୋ ଗନ୍ଧମାର୍ଦ୍ଦନକୁ ଖାଇବା ପାଇଁ ଆସିଛି। ଘୁନୁ ସାହୁ ସମେତ କ୍ରୁଦ୍ଧ ହେଲେ ସମସ୍ତେ। ଗନ୍ଧମାର୍ଦ୍ଦନ ନରହିଲେ ଛତିଶଗଡ଼ ଆଉ ପଶ୍ଚିମ ଓଡ଼ିଶାର ଆତ୍ମା ମରିଯିବ।
ବାଲ୍‌କୋ କହିଲା ମୁଁ ଗନ୍ଧମାର୍ଦ୍ଦନରୁ ବାର୍ଷିକ ୬ ଲକ୍ଷ ଟନ୍ ବକ୍ସାଇଟ ନେବି। ଶହେ ବର୍ଷ ପରେ ତୁମର ଗନ୍ଧମାର୍ଦ୍ଦନ ତୁମେ ପାଇବ। ତୁମର ମାର୍ଜ୍ଜାରକେଶରୀ, ତୁମର ହରିଶଙ୍କର, ତୁମର ଓøଷଧ, ତୁମର ଧର୍ମ, ତୁମର ସମ୍ମାନ, ତୁମର ବିଶ୍ୱାସ ଠିକ ସେପରି ତୁମ ନିକଟରେ ରହିବ, ଯେପରି ଆଜି ଅଛି। ମୁଁ ଏଠାରେ ଅଧିକ ବଗିଚା କରିବି, ସହର କରିବି, ସ୍କୁଲ୍ କରିବି, ଡାକ୍ତରଖାନା କରିବି। ତୁମେ ଯେତେ ଖୁସି ଅଛ, ତା’ଠାରୁ ବି ଅଧିକ ଖୁସି ହେବ।
ଘୁନୁ ସାହୁମାନେ ବିଶ୍ୱାସ କଲେନି ଏକଥାକୁ। ଶହେବର୍ଷ ଗନ୍ଧମାର୍ଦ୍ଦନକୁ କୋଡ଼ିଖାଇଲେ ଆଉ ରହିବ କଣ? ସେ ଘୁନୁ ସାହୁମାନେ ଡରିଗଲେ ଯେଉଁମାନେ ଶକ୍ତିଭେଦ ଯାଉଥିଲେ। ସେ ଘୁନୁ ସାହୁମାନେ ଡରିଗଲେ ଯେଉଁମାନେ ଗାଈ ସଙ୍ଗେ ରହୁଥିଲେ। ସେ ଘୁନୁ ସାହୁମାନେ ଡରିଗଲେ ଯେଉଁମାନେ ବୁଲି ଯାଉଥିଲେ। ସେ ଘୁନୁ ସାହୁମାନେ ଡରିଗଲେ ଯେଉଁମାନେ ବାହାରେ ଛୋଟ ବଡ଼ କାମ କରୁଥିଲେ। ସରକାରୀ ଅବା ବେସରକାରୀ।
ଘୁନୁ ସାହୁମାନେ ଘୁନୁ ସାହୁମାନଙ୍କୁ ପଚାରିଲେ, ବୋଡ଼ା ସାପମାନଙ୍କୁ ପଚାରିଲେ, ମୟୂରକୁ ପଚାରିଲେ, ହରିଣକୁ ପଚାରିଲେ, ଭାଲୁକୁ ପଚାରିଲେ, ଚିତାକୁ ପଚାରିଲେ। ଆହୁରି ପଚାରିଲେ ବିଶଲ୍ୟକରଣୀ ଘାସକୁ, ଭ୍ରମରମାରୀ ଦୃମକୁ ଯେ ବାଲ୍‌କୋ ଶହେବର୍ଷ ଟି-ୱକର ନାମକରଣ କରିଥିବା କନ୍ଧଶିଳାକୁ ଖାଇବ। ତୁମେ ତୁମ ଥାନରେ ଥିବ, ଆଉ ଝରଣା ଝରଣା ଥାନରେ। ମନ୍ଦିର ସୁନ୍ଦର ଦିଶିବ ହରି, ଶଙ୍କର ଓ ମାର୍ଜ୍ଜାରକେଶରୀ ହସିବେ।
ସମସ୍ତେ ଘୁନୁ ସାହୁମାନଙ୍କୁ କହିଲେ ମୂଷିକ ଦୈତ୍ୟର କେଉଁ ସମ୍ପର୍କୀୟ ହୋଇଥିବ ବାଲ୍‌କୋ। ଗନ୍ଧମାର୍ଦ୍ଦନର ଗର୍ଭକୁ ବିଦାରି ମୂଷିକକୁ ନେଇଯିବ। ମୂଷିକ ଚାଲିଗଲେ ପ୍ରଭୂ କାହାର ପ୍ରତିକ୍ଷା କରିବେ। ତାଙ୍କର ମହିମା ସରିଯିବ। ଯୁଗ ସରିବା ପୂର୍ବରୁ ପ୍ରଳୟ ହୋଇଯିବ। ଆଉ ଶୂନ୍ୟଗର୍ଭା ପର୍ବତ ଆମକୁ ଧରିରଖିପାରିବ? ଲକ୍ଷ୍ମଣମାନେ ମରିଯିବେ। ଇନ୍ଦ୍ରଜିତକୁ କେହି ମାରି ପାରିବେନି।
ଘନୁ ସାହୁମାନେ କହିଲେ ନା। ୧୯୮୬ ମସିହାରେ ଭାରତର ପରିବେଶ ବିଭାଗ ଘୁନୁ ସାହୁମାନଙ୍କୁ କହିଲା ଗନ୍ଧମାର୍ଦ୍ଦନରେ ଥିବା ସ୍ଥାବର ଅସ୍ଥାବର ସମ୍ପଦର ମୂଲ୍ୟ ୩୨୭ କୋଟି ଟଙ୍କା, ଯାହା ଚିରସ୍ଥାୟୀ। ଗଣିତ କଲା କମ୍ପାନୀ ଖର୍ଚ୍ଚକରିବ ୧୭୭୫ ହଜାର କୋଟି ଟଙ୍କା, ପାଇବ ୬୨,୧୨୫ ହଜାର କୋଟି ଟଙ୍କା। ସରକାର ପାଇବ ୧୧୫୦ କୋଟି ଟଙ୍କା। ବର୍ଷକୁ ଏଗାରକୋଟି ପଚାଶ ଲକ୍ଷ। ଏହାକୁ ଭାଗ ଯଦି କରାଯାଏ, ଦିନକୁ ବଲାଙ୍ଗିର ଜିଲ୍ଲା ଜଣେ ଘୁନୁ ସାହୁ ପାଇବ କୋଡ଼ିଏ ପଇସା ଶହେବର୍ଷ ପାଇଁ।
ଘୁନୁ ସାହୁମାନେ ଠିଆହୁଅନ୍ତି ଗନ୍ଧମାର୍ଦ୍ଦନ ତଳେ। ବାଲ୍‌କୋର କୋଡ଼ିଏ ପଇସା ଆଉ ଗନ୍ଧମାର୍ଦ୍ଦନକୁ ତୁଳନା କରନ୍ତି। ଅନାବଶ୍ୟକ କୋଡ଼ିଏ ପଇସାକୁ ଫିଙ୍ଗିଦଅନ୍ତି ଝଣରାରେ। ଝଣଣାରେ ହିଁ ହଜିଯାଏ ବାଲ୍‌କୋ। ଘୁନୁ ସାହୁମାନେ ଖୁସି ହୁଅନ୍ତି। ଚାଷ କରନ୍ତି। ସଂସାରର ପ୍ରିୟତମ ପାପପୂଣାକୁ ନେଇ ଚଳନ୍ତି।
ବକ୍ସାଇଟ ସମ୍ପଦା ସଂସାରରେ ୨୩୨୦ କୋଟି ଟନ। ଭାରତରେ ୨୯୧.୧ କୋଟି ଟନ ଓ ଓଡ଼ିଶରେ ୧୬୭ କୋଟି ଟନ ଅଛି। ଗନ୍ଧମାର୍ଦ୍ଦନ ଗର୍ଭରେ ୨୧ କୋଟି ୩୦ଲକ୍ଷ ଟନ ବକ୍ସାଇଟ ରହିଛି। ଯାହା ତାର ଗର୍ଭରେ ରହିଲା। ଘୁନୁ ସାହୁ ଚାଷ କଲା। ସୁକତେଲର ପାଣି ଯେପରି ବହୁଥିଲା, ବହିଲା।
ଦିନେ ଘୁନୁ ସାହୁକୁ କୁହାଗଲା, ତୁମେମାନେ ଖୁବ୍ ଗରିବ। ତୁମର ଜିଲ୍ଲାରେ ଶହେରୁ ତିନି ଭାଗ ଜମି ପାଣିମାଡ଼େ। ତୁମର ବର୍ଷାପାଣି ଗଡ଼ିଯାଏ ସୁକତେଲ ଦେଇ ସମୁଦ୍ର୍ରକୁ। ତେଣୁ କରି ତୁମର ଲୋକ ରାୟପୁରରେ ରିକ୍ସା ଟାଣନ୍ତି, ହାଇଦ୍ରବାଦରେ ଇଟା ଗଢ଼ନ୍ତି। ଅନାହାରରେ ମରନ୍ତି। ନିଜର ଛୁଆ ବିକନ୍ତି। ସମସ୍ତଙ୍କ ତାରଣ ପାଇଁ ସୁକତେଲ ପାଣିକୁ ଅଟକାଯିବ। ତୁମ ଗାଁର ଝରେଇପାହାଡ଼ ଓ ପଥରିଆପାଲିର ବୁଦାଲାଗେନ ପାହାଡ଼କୁ ଯୋଡ଼ି ୧୪୧୦ ମିଟରର ବନ୍ଧ ତିଆରି କାରାହେବ। ୫୨୧୬ ହେକ୍ଟର ଜମିରେ ପାଣି ରହିବ। ଏହିପାଣି ଜମାହେବ ୧୨୩୦ ବର୍ଗ କି.ମି ଅଞ୍ଚଳରେ। ଏହି ଜଳଭଣ୍ଡାରରୁ ୪୧.୮ କି.ମି.ଲମ୍ବର କେନାଲ କରି ସୋନପୁର ଆଉ ବଲାଙ୍ଗିର ଜିଲ୍ଲାର ୫୮.୦୪୫ ଏକର ଜମିକୁ ପାଣି ମଡ଼ାଯିବ।
ହାଁ କରେ ଘୁନୁ ସାହୁ। ଏତେ ଜାଗା ଆସିବ କୁଆଡ଼ୁ? ଗଡ଼ଶଙ୍କରଡୁଙ୍ଗୁରିପାଲି ସହିତ ଦଶଟି ଗାଁ ପୁରା ବୁଡ଼ିଯିବ ଆଉ ୨୬ ଟି ଗାଁ ଅଧା। ୬୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲ ବି ବୁଡ଼ିଯିବ। ଏ ଅଞ୍ଚଳର ୪୧୬୦ ପରିବାର ଘର ଛାଡ଼ିବେ।
ଏମାନେ ରହିବେ କେଉଁଠି? ବଲାଙ୍ଗିର, ପାଟଣାଗଡ଼, ସୋନ୍‌ପୁର, ଟିଟିଲାଗଡ଼, ବିନିକା, ରାମପୁର ଓ କଣ୍ଟାବାଞ୍ଜି ତହସିଲ ଅଞ୍ଚଳରେ ୫୪ଟି କଲୋନି କରି ରଖାଯିବ।
ଲାଭ କଣ ହେବ? ବଲାଙ୍ଗିର ସହରର ଲୋକେ ନିରନ୍ତର ପିଇବା ପାଣି ପାଇବେ। ୫୫ କୋଟି ୩୨ ଲକ୍ଷ ଟଙ୍କାର ଅଧିକ ଖାଦ୍ୟଶସ୍ୟ ଉପୁଜିବ। ବଲାଙ୍ଗିରର ୩ ପ୍ରତିଶତ ଜମି ପାଣି ପାଏ। ଆଠ ପ୍ରତିଶତ ଜମି ପାଣ ପାଇବ।
ଅନାହାର, ଦାଦନ ଆଉ ଛୁଆବିକ୍ରିର କଥା ଯେଉଁ କୁହା ହେଉଛି ଏହାତ ସୁକତେଲ କୂଳରେ ହୁଏ ନାହିଁ। ଗଣିତ କଷେ ଘୁନୁ ସାହୁ। ଦାଦନ ଯିବେ, ରାୟପୁରରେ ରିକ୍ସା ଟାଣିବେ, ଅନାହାରରେ ବି ମରି ପରନ୍ତି କିନ୍ତୁ ତାଙ୍କ ନାମରେ ଆମ ମୁଣ୍ଡରେ ଯେଉଁ ଲୋୟର ସୁକତେଲ ବନ୍ଧ ଲଦା ଯିବ ତାର କାରଣ କଣ? କହିଁକି ଆମକୁ ୫୪ ଖଣ୍ଡ କରି ଫିଙ୍ଗି ଦିଆଯିବ ଇତସ୍ତତଃ। ବନ୍ଧର ପାଣି ରହିବା ପାଇଁ ଯେତେ ଥାନ ଦରକାର, କେବଳ ତାର ୫ ଗୁଣ ଜମିକୁ ପାଣି ଯିବ। କିଏ ଜଣେ ଘୁନୁ ସାହୁ ବାଡ଼ି ଚାଷ କଲେ ଗୋଟିଏ କୂଅରେ ଅଧ ଏକର ଜମିକୁ ପାଣି ମଡ଼ାଏ। ଏହା କେଉଁ କୂଅ ଯାହା ନିଜ ଆୟତନର କେବଳ ପାଞ୍ଚଗୁଣ ଜମିକୁ ପାଣି ମଡ଼େଇବ? ପାଗଳା ହୋଇ ଲୋକଟା ଏକଥା କହୁଛି।
ଘୁନୁ ସାହୁ ଚିନ୍ତା କରେ। କାହାକୁ କହିବ ଏକଥା। ଗାଁ ଲୋକଙ୍କୁ କହେ। ଗାଁକୁ ଗାଁକୁ ବ୍ୟାପିଯାଏ କଥା। ଦଶହଜାର ଚାଷୀ, ସମପରିମାଣ ଆଦିବାସୀ, ହରିଜନ ବାସ୍ତୁହରା ହେବେ। ତାଙ୍କର ଜମିରେ ଜଳ ଚରିବ। ତାଙ୍କର ଶାଳପତ୍ର ବଜାରରୁ ହଜିଯିବ। କେନ୍ଦୁପତ୍ର ଶ୍ରୀଲଙ୍କା ଯିବନି। ଢୁଲିଆର ଢୋଲରେ ସୁକତେଲ ସ୍ରୋତ ନାଚିବନି, ଗୁନିଆ ବୁଢ଼ା ଜୁହାର ପାଇବନି, ବଇଦ ପରିଚୟ ହଜେଇ ଦେବ। ଜମି, ଜଙ୍ଗଲ, ପାହାଡ଼, ବନ୍ଧୁ, ବାନ୍ଧବ, ଭାଇ, ଭଗାରୀ ସମସ୍ତଙ୍କ ସମ୍ପର୍କ ଉପରେ ପାଣି ମାଡ଼ିଯିବ। ଆଉ ଗୋଟିଏ ବାଲ୍‌କୋ ଆସୁଛି ବନ୍ଧ ନାଁରେ। କଣ କରିବ ଘୁନୁ ସାହୁ?
ଗାଁ ଲୋକଙ୍କୁ ଡାକେ। ଲୋକେ କଥା ହୁଅନ୍ତି। କେତେକ କହନ୍ତି ବିପଦକୁ କେମିତି ସହିବା। ଥୋକେ ଖୁସି ହୁଅନ୍ତି। ଥୋକେ ଦୁଃଖ କରନ୍ତି। ଥୋକେ ବିଧାତାକୁ ସଁ’ପନ୍ତି। ଶ୍ରୀମତୀ ଗିରିଜା ପଣ୍ଡା କହେ ମୁଁ ହୀରାକୁଦ ବୁଡ଼ି ଅଞ୍ଚଳର ଝିଅ। ମୁଁ ଜାଣିଛି ବିସ୍ଥାପନର ଦୁଃଖ। ଏଠାରେ ତୁମେମାନେ କକା, ବବା, ଭାଇ, ବଡ଼ୁ। ବାହାରେ କେହି କାହାର ନୁହେଁ। ଗଛରୁ ଡାଳ ଛିଣ୍ଡିଗଲେ ମରିଯାଏ। ତୁମେମାନେ ବି ଏ ମାଟିରୁ ଛିଣ୍ଡିଗଲେ ମରିଯିବ। ମୁଁ ଝିଅ ବେଳେ ଭୋଗିଛି ବିସ୍ଥାପନର ଯନ୍ତ୍ରଣା। ବୋହୁ ହୋଇ ଉତ୍ତର ବୟସରେ ମୁଁ ତାକୁ ଆଉ ଥରେ ଭୋଗିବାକୁ ଚାହୁଁନି।
ସମସ୍ତେ କହିଲେ ତୁମକୁ ଦୁଃଖ ଭୋଗିବାକୁ ଦେବୁନି। ମାଟିକୁ ଛାଡ଼ିବୁନି। ଘୁନୁ ସାହୁ ସଙ୍ଗେ ସବୁବେଳେ ରହିବୁ। ରହିଲେ, କହିଲେ ଜମି ଦେବୁନି କେଉଁଠି ବନ୍ଧ ତିଆରି ହେବ ହେଉ। ଯୁବକ ମାନେ ଏକହଜାର ନାମର ତାଲିକା ଦେଲେ ଘୁନୁ ସାହୁକୁ, ଆମେ ମାଟି ଛାଡ଼ିଲେ ମରିବୁ ଏମିତି ବି ମରିବୁ। ମରଣସେନା ଗଢ଼ିଛୁ। ତୁମେ ଯେତେବେଳେ ଆମକୁ ଯେଉଁଠାକୁ ପଠେଇ ପାର। ଝିଅମାନେ କହିଲେ ଘୁନୁ ସାହୁ ତୁ ବନ୍ଧ ବନ୍ଦ କର। ତୁ ବନ୍ଧ ବନ୍ଦ କରିବା ପର୍ଯ୍ୟନ୍ତ ଆମେ କୁମାରୀ ରହିବୁ। ତୋର ସହଯୋଗୀ ହେବୁ। ବିପ୍ଳବ ସାହୁ ଧୂଳିଖେଳ ଛାଡ଼ି ତାର ସହପାଠୀଙ୍କୁ ଧରି ଆସିଲା କହିଲା ଘୁନୁ ସାହୁ ଆମେ ବନ୍ଧ ଭାଙ୍ଗିବୁ ତୋ’ସଙ୍ଗେ। ସାରା ସଂସାରର ଶକ୍ତି ଠୁଳ ହୋଇଗଲା ଘୁନୁ ସାହୁର ଶରୀରରେ। ଘୋଷଦେଲା ବନ୍ଧ ହେବନାହିଁ!
ସୁକତେଲ ପାଣି ଚହଲି ଗଲା। ବୁଦାଲାଗେନରେ ପ୍ରତିଧ୍ୱନିତ ହୋଇ ସଦର ମହକୁମାଠୁ ରାଜଧାନୀ ଚହଲିଗଲା। ଏହାକୁ ଏନ୍‌ଜିଓ ଶୁଣଲା। ଏନ୍‌ଜିଓ ଘୁନୁ ସାହୁ ପାଖକୁ ଆସିଲା କହିଲା ପାଣି କିପରି ତିଆରି ହୁଏ। ବନ୍ଧ କିପରି ତିଆରି ହୁଏ। ପାଣି ଓ ବନ୍ଧ ମିଶିଲେ କଣ ବୁଡ଼େ। ବୁଡ଼ିଯାଇଥିବା ଜିନିଷ ଭିତରୁ କାହାକୁ କଢ଼ାଯାଇଥାଏ। କାଢ଼ିଥିବା ଜିନିଷ ଆଗରୁ କିପରି ଥିଲା, ଏବେ କିପରି ରହିବ। ଏକ ଗଣିତ କରେ। ଘୁନୁ ସାହୁ ଖୁସି ହୁଏ ଜାଣେ ହୀରାକୁଦ, ତେହେରୀର କଥା। ମେଧା ପାଟକରର କଥା। ଛୋଟ ଛୋଟ ବୀରମାନଙ୍କ କଥା ଯେଉଁମାନେ ନିଜ ନିଜ ଅଂଚଳରେ ଲଢ଼ୁଛନ୍ତି ଘୁନୁ ସାହୁ ପରି।
ଏନ୍‌ଜିଓ ପାଣ୍ଠି କରେ, ଦଳ ଗଠନ କରେ। ଘୁନୁ ସାହୁ ଗାଁ ଗାଁ ବୁଲେ। ଦଶହଜାର ଲୋକଙ୍କୁ ନେଇ କିଲଟରୀ ଘେରାଏ। ଘୁନୁ ସାହୁର ବହପ ଅସହ୍ୟ ହୁଏ। ଘୁନୁ ସାହୁ କିଏ ବନ୍ଧକାମ ଅଟକେଇବ? ଘୁନୁ ସାହୁର ନାଁରେ କେଶ୍ ହୁଏ, ତା’ପଛରେ ଥିବା ଲୋକଙ୍କୁ ଦମନ କରାହୁଏ।
ଏତେକଥା ଖବର ହୋଇପାରେନି। ଲୋକେ ଜାଣନ୍ତି ଘୁନୁ ସାହୁର କଥା। ସେମାନେ ଜାଣନ୍ତି ଯେଉଁମାନେ ଘୁନୁ ସାହୁର କଷ୍ଟ ଭୋଗିଛନ୍ତି। ହୀରାକୁଦ, କୋଲାବରୁ ବିସ୍ଥାପିତ, ବରଗଡ଼ର ନିଷ୍ପେଷିତ ଧାନଚାଷୀ, ରାୟଗଡ଼ାରୁ ବିସ୍ଥାପନ ବିରୋଧୀ, ଉମରକୋଟର ଆଦିବାସୀ ଭାଇ ଭଉଣୀ ଆସନ୍ତି। ଘୁନୁ ସାହୁକୁ କହନ୍ତି ଘୁନୁ ସାହୁ ତୋ’ ପରି ଆମ ଘର ତାଡ଼ି ନିଆଯିବ। ଆମେ ଖଟିବୁ, ତ୍ୟାଗ କରିବୁ, ଭୋଗ କରିବ ଆଉଜଣେ। ଦେଖ ତୋର ଲୁହ ଯେଉଁ ଆଖିରୁ ବାହାରୁଛି ସେଇଟା ମୋର ଆଖି। ଆମେ ସମସ୍ତେ ଗୋଟିଏ ଆଖିରେ କାନ୍ଦୁଛୁ। ଘୁନୁ ସାହୁର ତାକତ ବଢିଯାଏ।
ଏ କଥା ବି ଖବର ହୋଇପାରେ ନାହିଁ। ଏନ୍‌ଜିଓ ତାର ଗୁପ୍ତ ଦଲିଲରେ ଲେଖେ ଘୁନୁ ସାହୁକୁ ସେ ପଢ଼େଇଲା। ଲୋକଙ୍କୁ ସେ ଆଣିଲା, ପାଣ୍ଠି କଲା, ଏସ୍‌ଏଚ୍‌ଜି କଲା। ଘୁନୁ ସାହୁ କିଛି କହିଲାନି। ଦିନେ ଘୁନୁ ସାହୁର କଥା ଖବର ହୋଇଗଲା। ଲକ୍ଷ୍ମୀଧର ନାୟକ ବୁଲୁ ବୁଲୁ ଘୁନୁ ସାହୁକୁ ଭେଟିଲା। ଘୁନୁ ସାହୁର ଘରକୁ ଗଲା। ନଦୀ ଦେଖିଲା, ଲୋକ ଦେଖିଲା। ଘୁନୁ ସାହୁକୁ ଦେଖିଲା। ଘୁନୁ ସାହୁର ଛାତିକୁ ଦେଖିଲା। ରବି ଦାସର କାଗଜ ପର୍ଯ୍ୟବେକ୍ଷକରେ ଲେଖିଲା। ଘୁନୁ ସାହୁ ଖୁସି ହେଲା ମୋର ଦୁଃଖ ଜାଣିଲେ ନଗ୍ରଲୋକ।
ସତରେ ତାର ଦୁଃଖ ନଗ୍ରଲୋକ ଜାଣିଲେ। ତାକୁ ଆହା କଲେ, ନିନ୍ଦା କଲେ, ଖୁସି ହେଲେ, କାନ୍ଧରେ ହାତ ଦେଲେ, ହାତରେ ହାତ ଦେଲେ। ଘୁନୁ ସାହୁର ତାକତ ବଢ଼ିଲା। ୧୬ଡିସେମ୍ବର ୨୦୦୧ ମାଇକଂଚରେ ସହିଦ ଦିବସ ପାଳନ କରାଗଲା। ୧୯୯୩ ମସିହାରେ ଇଣ୍ଡାଲ, ଟାଟା, ନରୱେର ହାଇଡ୍ରୋ ଏବଂ ଆମେରିକାର ଅଲ୍‌କାନ୍ କମ୍ପାନୀ ମିଳିତ ହୋଇ ଉତ୍କଳ ଆଲୁମିନା ଲିମିଟେଡ଼ ଗଠନ କଲେ। ଏହି ଉତ୍କଳ ଆଲୁମିନା ଲିମିଟେଡ଼ ରାୟଗଡ଼ା ଜିଲ୍ଲାର ବାଫଲିମାଳି ପାହାଡ଼ ଗର୍ଭରେ ଥିବା ୧୯ କୋଟି ୬୦ ଲକ୍ଷ ଟନ ବକ୍ସାଇଟକୁ ଆଣି କାଶିପୁର ବ୍ଲକର କୁଚେଇପଦର ଗ୍ରାମ ପଞ୍ଚାୟତର ଦୋରାଗୋଡ଼ାଠାରେ ଆଲୁମିନାଶୋଧନ ପ୍ରକଳ୍ପ ସ୍ଥାପନ କରିବ। ଘୁନୁ ସାହୁ ଦେଖେ ସେ ଆଗରୁ ଗନ୍ଧମାର୍ଦ୍ଦନ ପାଇଁ ଲଢ଼ୁଥିଲା। ଏଠାରେ ଲୋକ ନିଜ ପାଇଁ ଲଢ଼ୁଛନ୍ତି। ଘୁନୁ ସାହୁ ଜାଣିଲା ଗୋଟିଏ ଟନ ଆଲୁମିନା ଉତ୍ପାଦନ ପାଇଁ ୬ ଟନ୍ ବକ୍ସାଟ, ୮ ରୁ ୧୦ ଟନ୍ ପାଣି, ୧.୫ ଟନ୍‌ଫ୍ଲୁରାଇଡ ସଲ୍ଟ ୦.୪ ଟନ୍ କାଲସିନ ଓ ପେଟ୍ରୋଲିୟମ, ୦.୧୫ ଟନ୍ ପିଚୁ ଓ ୧୫ ରୁ ୧୬ ହଜାର କିଲୋୱାଟ ବିଜୁଳି ଦରକାର।
ଏକ ଟନ୍ ଆଲୁମିନିୟମ ବାହାରିଲେ ଫିଙ୍ଗା ଯାଉଥିବା ଜିନିଷ ହେଲା ବିଷ ଗଦା ୮ ଟନ୍‌, ୮ ରୁ ୧୦ ଟନ ବିଷାକ୍ତ ପାଣି, ୧.୫ ରୁ ୨ ଟନ ନାଲି କାଦୁଅ, ସାଇନାଇଡ ଯୁକ୍ତ ୫୦ କେଜି ତୀବ୍ର ବିଷ। ଯାହା ବୃକ୍ଷଲତା ନଷ୍ଟ କରେ, ପାଣିରେ ଫ୍ଲୋରାଇଡ଼୍ ଭରିଦିଏ ଯାହା ଅକାଳ ବାର୍ଦ୍ଧକ୍ୟର କାରଣ, ଏସବୁ କ୍ୟାନସର ପରି ମହାମାରୀକାରକ। ୬ ଟନ୍‌୍ କନ୍ଧଶିଳା ବା ବକ୍ସାଇଟରୁ ୨ ଟନ୍ ଆଲୁମିନା ଓ ଏଥିରୁ ଏକଟନ୍ ଆଲୁମିନିୟମ ବାହାରିଥାଏ। ୧୯୯୦ ମସିହାରେ ଆଲୁମିନିୟମ କାଢ଼ିବା ପାଇଁ ଯେତେ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ କରାଯାଇଥିଲା, ସେତେକ ଶକ୍ତି ଏ ବର୍ଷସାରା ଆଫ୍ରିକା ମହାଦେଶ ଖର୍ଚ୍ଚ କରିଥିଲା।
ଏହାକୁ ବିରୋଧ କଲେ କାଶିପୁରର ଲୋକେ, ‘ପ୍ରାକୃତିକ ସମ୍ପଦ ସୁରକ୍ଷା ପରିଷଦ’ ଗଠନ କରି। ୧୬ ଡିସେମ୍ବର ୨୦୦୦ ଦିନ ପୋଲିସ ଗୋଟିଏ ରାଲିକୁ ଦମନ କରିବାକୁ ଗୁଳି ଚଳେଇଲା। ଗାଁ ମୁଣ୍ଡ ପାହାଡ ଉପରକୁ ଲୁଚି ପଳଉଥିବା ନୀରିହ ଲୋକଙ୍କ ଉପରକୁ ଗୁଳି ମରାହେଲା। ଅଭିଳାଷ ଝୋଡ଼ିଆ, ଦାମୋଦର ଝୋଡ଼ିଆ ଓ ରଘୁନାଥ ଝୋଡ଼ିଆ ପୋଲିସ ଗୁଳିରେ ସହିଦ ହେଲେ। ତା’ପରଦିନ ଗୋଟିଏ ଏନ୍‌ଜିଓର ମୁଖ୍ୟ କାର୍ଯ୍ୟାଳୟକୁ କାଶିପୁରରେ ଭଙ୍ଗାରୁଜା କରାଗଲା। ଲୋକଙ୍କ ସଂଗ୍ରାମ ଜାରି ରହିଲା। ୧୬ ଡିସେମ୍ବର ସହିଦ ଦିବସ ହୋଇଗଲା।
୧୬ ଡିସେମ୍ବର ୨୦୦୧ ଘୁନୁ ସାହୁ ମାଇକଂଚରେ ଶୁଣିଲା ସବୁ, ଦେଖିଲା ସବୁ। ତା’ପରି ହଜାର ହଜାର ଲୋକଙ୍କୁ ଦେଖିଲା। ଭିଡ଼ଭିତରେ ଘୁନୁ ସାହୁ ଏକଲା ନୁହେଁ। ଆହୁରି ତାକତ ପାଇଲା। ମାଇକଞ୍ଚ ପାହାଡ଼ ଚଢ଼ିଲା। ତିନି ସହିଦଙ୍କ ସମାଧି ସାମ୍ନାରେ ଆଣ୍ଠୁମାଡ଼ି ବସିଲା। ସମାଧିକୁ ଛୁଇଁଲା। ଶିହଣ ଖେଳିଗଲା ଶରୀରରେ। ଦେହରେ ଆନ୍ଦୋଳିତ ହେଉଛି କ’ଣ ଗୋଟାଏ। ସମାଧିସ୍ଥ ହୋଇଗଲା ସେଠାରେ। ସମ୍ବିତ ପାଇଲା। ଆଖିରୁ ଦୁଇଟୋପା ଲୁହ ଗଡ଼ିଗଲା। ଏହା ହିଁ ଘୁନୁ ସାହୁର ସବାଶେଷ ସମ୍ପତ୍ତି, ସେ ସହିଦମାନଙ୍କୁ କୃତଜ୍ଞତା ଦେବାପାଇଁ।
ଓଡ଼ିଶାର ଘୁନୁ ସାହୁମାନେ ମିଶି ଗଠନ କଲେ ଲୋକ ସଂଗ୍ରାମ ମଞ୍ଚ। ଏନ୍‌ଜିଓ ଘୁନୁ ସାହୁକୁ ରାଗିଲା। ଉନ୍ନତି କାମରେ ବାଧା ଦେଉଥିବାରୁ ଘୁନୁ ସାହୁ ଏମିତି ହିଁ ଅପରାଧୀ। ରାଜନିତି ବି ରାଗିଲା। ଘୁନୁ ସାହୁକୁ ଡରାଗଲା। ତା’ଲୋକଙ୍କୁ ଜେଲ ପଠାଗଲା। ଜେଲ୍‌ରୁ ଫେରି ଗୁରୁବାରୁ ସାହୁ, ନଗେନ୍ଦ୍ର ଗଡ଼ତ୍ୟା ଓ ରାମ ପଧାନ ମରିବା ପର୍ଯ୍ୟନ୍ତ ଜେଲର ମାଡ଼ ଭୁଲି ପାରିନଥିଲେ। ଜେଲରୁ ବାହାରି ଛଅମାସ ଭିତରେ ଏ ତିନି ଜଣ ମରିଯାଇଥିଲେ। ମାମୁଁ ଘରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଝିଅ କଳ୍ପନା ପାତ୍ର ବି ଜେଲ ଗଲା।
ଘୁନୁ ସାହୁ ଶୁଣିଲା ମୁଖ୍ୟମନ୍ତ୍ରୀ ବନ୍ଧର ଭୂମିପୂଜା କରି ଆସିବେ। ଗଡ଼ଶଙ୍କରଡୁଙ୍ଗୁରିପାଲିରେ ହେଲିପ୍ୟାଡ଼୍ ତିଆରି ହେଲା। ଘୁନୁ ସାହୁର ଲୋକ ହେଲିପ୍ୟାଡକୁ ହଳ କରି ସୋରିଷ ବୁଣିଦେଲେ। ପାଖରେ ନାମଯଜ୍ଞ କଲେ। ଏଠାରୁ ଆଠ କିଲୋମିଟର ଦୂର ମାଗୁରବେଡ଼ାଠାରେ ମୂଖ୍ୟମନ୍ତ୍ରୀ ବନ୍ଧର ଭୂମିପୂଜା କଲେ। ଘୁନୁ ସାହୁ କହିଲା ଚାଲ ମୁଖ୍ୟମନ୍ତ୍ରୀଙ୍କୁ କହିବା ବନ୍ଧ ନକରିବାକୁ। ହଜାର ହଜାର ସ୍ତ୍ରୀ ପୁରୁଷ ପିଲାଛୁଆ ଧରି ରାତିରେ ଜଙ୍ଗଲରେ ରହିଲେ। ପୋଲିସ ସୁରକ୍ଷା ବଳୟ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲେ। ଘୁନୁ ସାହୁ ଖୁସୀ ହେଲା। ଦୂରରୁ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ଦେଖିଲେ, ତାଙ୍କୁ କୁହାଗଲା ଲୋକେ ଆପଣଙ୍କୁ ଅଭିନନ୍ଦନ କରୁଛନ୍ତି।
ଘୁନୁ ସାହୁ ଚିନ୍ତା କଲା ବକ୍ସାଇଟ ଖୋଳି ଆଲୁମିନିୟମ କରିବାକୁ ଦୁଇ, ତିନି ଗୁଣ ପାଣି ଲାଗେ। ଏଥିଲାଗି କୂଅ ପୋଖରୀ ନୁହେଁ, ବନ୍ଧ ଦରକାର। ବାଲ୍‌କୋ ଆସୁନି ତ? ଲୋକଙ୍କୁ କହିଲା ଗନ୍ଧମାର୍ଦ୍ଦନକୁ ପୁଣିଥରେ ବିପଦ ଆସୁଛି। ତୁମେ ବନ୍ଧ କାମ ବନ୍ଦ କର। ଗନ୍ଧମାର୍ଦ୍ଦନର ବିପଦ ଟଳିଯିବ। ଘୁନୁ ସାହୁର ଲୋକ ସତ ଭାବିଲେ କଥାକୁ। ନଗ୍ରଲୋକ କହିଲେ ଘୁନୁ ସାହୁ ପାଗଳା ହୋଇଗଲ।
ଲୋକ ସଂଗ୍ରାମ ମଞ୍ଚ କହିଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟରେ ଭାଗନେବ। ପଞ୍ଚାୟତ ଶାସନରେ ସେ ରହିଲେ ଅତିକମରେ ଲୋକଙ୍କୁ ବିସ୍ଥାପିତ ଯନ୍ତ୍ରଣାରୁ ଦୂରରେ ରଖିବ। ଜଣେ ସରପଞ୍ଚ ପ୍ରାର୍ଥୀକୁ ଚିହ୍ନଟ କରାଗଲା ଯେ ଘୁନୁ ସାହୁର ଲୋକ। ସେ ହାରିଗଲା। ଘୁନୁ ସାହୁ ପ୍ରତି ଇସାରା ଥିଲା ତୋ’ଶକ୍ତି ସେତେ ନାହିଁ ତୁ ଯେତେ ଭାବୁଛୁ। ଏନ୍‌ଜିଓ କହିଲା ମୋର ହାତ ଛାଡ଼ିଲାରୁ ଏପରି ହେଲା। କିନ୍ତୁ ଘୁନୁ ସାହୁ ଅଟଳ। ବନ୍ଧ କରିବାକୁ ଦେବି ନାହିଁ।
ମେଧା ପାଟକର ଗଡ଼ଶଙ୍କରଡ଼ୁଙ୍ଗୁରିପାଲି ଆସିଲେ। ହଜାର ହଜାର ନାରୀ ପୁରୁଷ ତାଙ୍କୁ ଦେଖି ଆସିଲେ କଥାରେ ଶୁଣିଥିବା ମେଧା ପାଟକର କିପରି ଦିଶେ, କଣ କହେ? ତା’ ଦିହରେ କଣ ଅଛି ଯେ ସେ ଏତେ କାମ କରୁଛି। ମେଧା ପାଟକର କହିଲା ତୁମର ଦୁଃଖ ଆମର ଦୁଃଖ। ଯେଉଁଠିବି ବିକାଶ ନାମରେ ଜଣେ ଭାରତୀୟ ନିଜର ଜୀବନ ଜୀବିକା ହରେଇବ, ସେ ଆମ ପରିବାର। ତା’ପାଇଁ ସମସ୍ତେ ଲଢ଼ିବୁ।
ଘୁନୁ ସାହୁର ତାକତ ଫେରିଲା। ସେ ମନେ ପକେଇ ପାରିଲାନି । କେଉଁଦିନ ସେ ଏକଲା ଥିଲା। କହିଲା ବନ୍ଧ କରେଇ ଦେବିନି।
ବନ୍ଧ କାମ ପାଇଁ ପ୍ରଥମ ଚରଣ କାମ ଆରମ୍ଭ ହେଲା। ଲୋକେ ପଇସା ନେଲେ, ଅନେକ ଗାଁ ଛାଡ଼ିବାକୁ ରାଜି ହେଲେ। ଗନ୍ଧମାର୍ଦ୍ଦନ ବକ୍ସାଇଟ ଖନନ ଆରମ୍ଭ ହେବ ବୋଲି କାମ ଚାଲିଲା। ଘୁନୁ ସାହୁର କଥା ସତ ହେଲା। ଗନ୍ଧମାର୍ଦ୍ଦନ ଖଣିକାମ ବିରୋଧରେ ଲୋକେ ଏକଜୁଟ ହେଲେ। ସମସ୍ତେ ଭାବିଲେ ଘୁନୁ ସାହୁ ଏକଲା ହୋଇଗଲା।
ଘୁନୁ ସାହୁ ଛାତିଡେରି କହିଲା ବନ୍ଧକାମ ହେବ ନାହିଁ। ଗନ୍ଧମାର୍ଦ୍ଦନ ବଞ୍ଚିବ! ଆଉ ସୁକତେଲ ବନ୍ଧର ପାଣିରେ ବୁଡ଼ିବାକୁ ଜଗିଥିବା ଗାଁ, ଜଙ୍ଗଲ, କ୍ଷେତ ଖଳା ସବୁ ବଞ୍ଚିବ। ମୁଁ ଏବେ ବି ହାରି ନାହିଁ।

୧୫
ଛୋଟଗାଁର ବଡ଼ଲୋକ

ଅର୍ଜ୍ଜୁନ ମହାନନ୍ଦ, ହରିଜନ ଲୋକ। ଗାଁ ଡୁଡୁକାପଡ଼ା, ଗଁରେଇ ଗ୍ରାମ ପଞ୍ଚାୟତ, ମୁରିବାହାଲ ବ୍ଲକ। ଏକଦା ବହୁକଷ୍ଟରେ ଚଳୁଥିଲା। ପୁରାଣ ଗାଇପାରିବା ପର୍ଯ୍ୟନ୍ତ ଶିକ୍ଷା। କାମ ମିଳୁଥିବା ପର୍ଯ୍ୟନ୍ତ ଖାଇବା ଚିନ୍ତାରୁ ମୁକ୍ତି। କେବେ ମାଛମାରି ଯାଏ, କେବେ କାଠ ସଂଗ୍ରହ କରିଯାଏ। ଭୋକରେ ବି ପରିବାର ସହ ଅନେକ ଦିନ କଟିଯାଏ। ହିସାବ ରଖିପାରେନି କେତେ ଦିନ କ୍ଷୁଧାରେ କଟିଲା। ଅନ୍ନ ଓ କ୍ଷୁଧା ଲୁଚକାଳି ଖେଳନ୍ତି ତା’ଘରେ। କେହି ଜଣେ ହେଲେ ହାରିବାର ନଜିର ନଥାଏ।
ସରକାରଙ୍କ ଇଆରଆରପି ଯୋଜନାରେ ଅଧ ଏକର ଜାଗିରି ଜମି ପାଇଲା। ଚାଷ କଲା କିଛିବର୍ଷ। ଅମଳ ଯାହା ବି ହେଉ ଚାଷ ଖର୍ଚ୍ଚକୁ ପାରିଲାନି। ସେ ଏ ଜମିକୁ କର ଦେଇ ଦେଲା। ଦୁଇବସ୍ତା ଧାନ ପାଇଲେ ଯଥେଷ୍ଟ।
ଡୁଡୁକାପଡ଼ା ଗାଁଟି ସେତେ ସମ୍ପନ୍ନ ନୁହେଁ। ଲୋକେ ଚାଷ କରନ୍ତି, ଦାଦନ ଖଟି ଯାଆନ୍ତି। ରୋଜଗାରର ଅଧାଟଙ୍କା ସାହୁକାରର ଋଣ ସୁଝନ୍ତି।
ଧୋବା ବେହେରା ନିକଟସ୍ଥ ଗାଁ ଭୋଇପଡ଼ାରେ ଥିବା ଗୋଟିଏ ଲୋକ ସଙ୍ଗଠନର ପଞ୍ଚାୟତ କର୍ମଚାରୀ। ଦିନେ ଖରାବେଳେ ଅର୍ଜ୍ଜୁନକୁ ଡାକିଲା। ଅର୍ଜ୍ଜୁନ ଦେଖିଲା ଗାଁର ଅନ୍ୟ ଅନେକ ଲୋକ ବି ସେଠାରେ ଅଛନ୍ତି। ଧୋବା ବେହେରା ବୁଝେଇଲା ସ୍ୱୟଂ ସହାୟକ ଦଳର ଉପକାରିତା। ଗାଁର ଲୋକ ନିଜ ନିଜର ସମସ୍ୟାକୁ ମାପକ କରି ସ୍ୱୟଂ ସହାୟକ ଦଳର ଉପକାରିତା ବିଷୟରେ ବିଚାର କଲେ। ସମସ୍ତେ ରାଜି ହେଲେ। ଲୋକ ସଂଗଠନ ନାମରେ ଦଳର ନାଁ ରଖିଲେ।
ଅର୍ଜ୍ଜୁନ ମହାନନ୍ଦ ଭଲ ମାଛ ମରା ଜାଲ ବୁଣିପାରେ। ଏହା ଅଞ୍ଚଳର ଅନେକ ଲୋକଙ୍କ ପାଇଁ ଜାଲବୁଣା କଳା ଶିଖିବା ଏକ ଆବଶ୍ୟକତା। ଏହା ଏଇଥିପାଇଁ ଯେ ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ପୁରା କରିଥାଏ। ଅଞ୍ଚଳର ଭୂଗୋଳ ମଧ୍ୟ ଜାଲକୁ ଏକ ଅତ୍ୟାବଶ୍ୟକ ଜିନିଷର ମାନ୍ୟତା ଦେଇଥାଏ। ବେହେଲି, ବାହାଲ ଏବଂ ଛୋଟ ଛୋଟ ଜଳାଶୟରେ ମାଛ ପ୍ରଚୁର ମିଳିଥାଏ, ଯାହାକୁ ଲୋକେ ସଂଗ୍ରହ କରିଥାନ୍ତି। ଏହିକାମ ଫଗୁଣ ମାସ ପର୍ଯ୍ୟନ୍ତ ଠିକ ଚାଲିଥାଏ। ଦଳରୁ ଟଙ୍କା ଋଣ ଆଣି ଅର୍ଜ୍ଜୁନ ମହାନନ୍ଦ ଜାଲବୁଣା କାମକୁ ରୋଜଗାରର ଗୋଟିଏ ପନ୍ଥା କଲା। ନିଦ ନହେବା ପର୍ଯ୍ୟନ୍ତ ଗୋଟିଏ ଡିବିରି ଜାଳି ରାତିରେ ଜାଲ ବୁଣିଲା। ପନ୍ଦର ଦିନରେ ଗୋଟିଏ ଜାଲ ପ୍ରସ୍ତୁତ କଲା। ବିକିଲା ପାଞ୍ଚଶହ ଟଙ୍କାରେ। ବର୍ଷଟିଏ ପରେ ନିଜ ଜମି ନିଜେ ଚାଷ କରିପାରିଲା ଆଉ ମଇଁଷିଟିଏ କିଣିପାରିଲା। ପୁରାଣ ପଢ଼ିଜାଣେ, ଭଲମନ୍ଦ ନିଜେ ବିଚାର କରିପାରେ, ଲୋକଙ୍କ ଭାବ ଅଭାବକୁ ବୁଝିପାରେ ବୋଲି ଲୋକେ ତାକୁ ସମ୍ମାନ କରନ୍ତି ଗାଁରେ। ଗାଁ ଲୋକଙ୍କୁ ସମୟ ଦିଏ। ଲୋକଙ୍କ ଭାବ ଅଭାବ ବି ବୁଝୁଥାଏ, ଠିକ୍ ତା’ପରି ଉନ୍ନତି କରିଥିବା ଜଣେ ମହିଳା ଦୁଆମତୀ ମୁଗ୍ରୀ ସହ।
ଛୋଟ ବଡ଼ ଅନେକ କଥା ଗାଁରେ। ଅନେକ କାମ ଅର୍ଜ୍ଜୁନ ମହାନନ୍ଦ ଓ ଶ୍ରୀମତୀ ମୁଗ୍ରୀଙ୍କ। ଗୋଟିଏ କାମର କାହାଣୀ ଏହିପରି-
୨୦୦୫ମସିହା ଅକ୍ଟୋବର ମାସର କଥା। ନୂଆଖାଇକୁ ବାକି ଥାଏ ପନ୍ଦର ଦିନ। ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ବେଡା ଗାଁକୁ ଜଣେ ପାଗଳୀ ଆସିଲା। ସାଙ୍ଗରେ ଧରିଥାଏ ତାର କଙ୍କାଳସାର ଶିଶୁପୁତ୍ରକୁ। ଭୋକରେ କଥା କହିପାରୁ ନଥିବା ପାଗଳୀଟି ଗାଁ ଲୋକଙ୍କୁ ଖାଇବାକୁ ମଗିଲା। ଖାଇସାରି ଦୁଇଘଣ୍ଟା ପରେ ପ୍ରକୃତିସ୍ଥ ହେଲା। ଲୋକେ ବୁଝିଲେ ସ୍ତ୍ରୀ ଲୋକଟି ପାଗଳୀ ନୁହେଁ; କ୍ଷୁଧା ଓ ବେଦନା ତାକୁ ଏପରି କରିଛି। ଗାଁ ସ୍କୁଲ ବାରଣ୍ଡାରେ ରହିଲା। ଛୁଆକୁ ଗେଲ କଲା। ଭୋକ ହେଲେ କା ଘରକୁ ଯାଇ ଖାଇବାକୁ ମାଗିଲା। କେହି କେହି ଦେଖନ୍ତି ଏକଲା ହେଲେ ସ୍ତ୍ରୀ ଲୋକଟି ଛୁଆକୁ ଗେଲ କରୁଥାଏ, ନ ହେଲେ କାନ୍ଦୁଥାଏ।
ଗାଁ ଲୋକଙ୍କ ହୃଦୟରେ ସ୍ତ୍ରୀ ଲୋକଟି ଜାଗାଟିଏ କରିପାରିଲା। ଖାଇବା ପିଇବା ଅଭାବ ହେଲାନି ତାକୁ। ଆଠ ଦଶଦିନ ଲେବଡ଼ା ଗାଁରେ ରହି ଦିନେ ଉଭାନ ହୋଇଗଲା।
ସକାଳୁ ଗାଁ ଲୋକ ଦେଖିଲେ ଛୁଆଟି ସ୍କୁଲ ବାରଣ୍ଡାରେ କାନ୍ଦୁଛି। ଗାଁ ଲୋକଙ୍କ ଦାୟିତ୍ୱରେ ଛୁଆକୁ ଛାଡ଼ି କୁଆଡ଼େ ଚାଲିଯାଇଛି ସ୍ତ୍ରୀ ଲୋକଟି। ଗାଁ ଲୋକେ ଛୁଆକୁ କ୍ଷୀର ଦେଲେ। ଆଲୋଚନା କଲେ ଛୁଆକୁ କ’ଣ କରିବେ।
ଏହି ଗାଁର ସତନାମୀ ସମ୍ପ୍ରଦାୟର ଜଣେ ଲୋକ ରାମ ସତ୍‌ନାମୀ ଗୋଟିଏ ପୁଅର କାମନାରେ ତିନି ଝିଅର ଜନକ ହୋଇସାରିଥାଏ। ଛୁଆକୁ ପୋଷ୍ୟ କରିବା ପାଇଁ ସେ ଗୁହାରୀ କଲା ଗାଁ ଲୋକଙ୍କୁ। କାହାର କିଛି ପ୍ରତିବାଦ ନଥିଲା। ଛୁଆଟି ଯେଉଁ ସମ୍ପ୍ରଦାୟର ହେଉ, ଏଇଟା ମୂଲ୍ୟହୀନ କଥା। ବଡ଼କଥା ହେଲା ତାକୁ ପରିବାରର ଛାଇ ମିଳିବ।
ରାମ ସତନାମୀର ପରିବାରକୁ ସ୍ୱପ୍ନର ଆଧାରଟିଏ ଆସିଗଲା। ଭଲ ଦିନ ବାର ଦେଖି ଛୁଆର ନାମକରଣ କରିବ, ପାଞ୍ଚ ଜାତିଭାଇଙ୍କୁ ଡାକିବ। ଗାଁ ଶିଶୁ ମନ୍ଦିରରେ ପଢେଇବ। ମଜୁରୀ ଟଙ୍କାରେ ଯୋଗାଡ କରିବ ଛୁଆ ପାଇଁ ସାଧ୍ୟ ମତେ ଐଶ୍ୱର୍ଯ୍ୟ।
ଛୁଆ ପାଇଁ କିଣାଗଲା ଅମୂଲ, ବିସ୍କୁଟ, ଗ୍ଲୁକୋଜ ନାନା କଥା। କଙ୍କାଳସାର ଛୁଆଟି ନୂଆ ଜାମାରେ ସୁନ୍ଦର ଦିଶିଲା। ଛୁଆ ଓ ରାମ ଦୁହିଁକୁ ଦୁହିଁଙ୍କ ଆବଶ୍ୟକତା ଥିଲା। ଗାଁ ଲୋକ ଖୁସି ହେଲେ। ଅଦୃଷ୍ଟକୁ ଧନ୍ୟ କଲେ।
ଦୁଇଦିନ ପରେ ରାମ ଦେଖିଲା ଯାହା ଖାଇଲେ ବି ଛୁଆର ପେଟରେ ରହୁନି। ଝାଡ଼ା ହୋଇଯାଉଛି। ସାଙ୍ଗେ ସାଙ୍ଗେ ଗଲା ଡାକ୍ତରଙ୍କ ପାଖକୁ। ଔଷଧ ଆଣିଲା। ଧାଁ ଦୌଡ଼ କଲା। ଫଳ କିଛି ହେଲାନି। ନୂଆଖାଇ ଦିନ ଛୁଆଟି ମରିଗଲା। ରାମ ନୂଆ ଖାଇଲାନି। ତିନିଦିନ ପରେ ଶୁଦ୍ଧି ହେଲା ବାଳଭୋଗ ଦେଇ।
ଏପଟେ ଡୁଡୁକାପଡ଼ାରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ଋକ୍ମଣୀ ଏକା ଫେରିଲା! ଛୁଆକୁ କଉଠି ଛାଡ଼ିଲା? ସବୁଠୁ ବେଶୀ ଚିନ୍ତା ଅର୍ଜ୍ଜୁନ ମହାନନ୍ଦ ଓ ଦୁଆମତୀ ମୁଗ୍ରୀଙ୍କ।
ବାହା ହେଲାପରେ ଋକ୍ମଣୀ ସମ୍ବଲପୁର ଯାଇ ରହିଲା ସ୍ୱାମୀ ତେଜ ସେଲମା ସହ। ତେଜ ନିକଟ ଗାଁର ପିଲା। ସମ୍ବଲପୁରରେ ହେମାଳ କାମ କରେ। ଦୁଇଟି ଝିଅ ଜନ୍ମହୋଇ ମରିଗଲା ପରେ ଋକ୍ମଣୀ ଗାଁକୁ ଫେରିଲା ସ୍ୱାମୀ ସହ। ମାମୁଁ ଘର ଲୋକ ମାଟିଘର ଦି ବଖରା କରିଦେଲେ। ଡୁଡୁକାପଡ଼ାରେ ସ୍ୱାମୀସ୍ତ୍ରୀ ରହିଲେ କାମଧାମ କରି।
ଦୁଇବର୍ଷ ପରେ ଦେଢ଼ଶାଶୁର ପରାମର୍ଶ କ୍ରମେ ଅନ୍ତଃସତ୍ୱା ଋକ୍ମଣୀ ସ୍ୱାମୀ ସହ ନାଗପୁର ଗଲା। ସେଠାରେ ଜନ୍ମଦେଲା ପୁଅ ଗୁଣକୁ । ତେଜ ଋ୍‌କ୍ମଣୀ ସହ ପଟିଲାନି। କାମ ନକରି ବସି ଖାଉଛୁ ବୋଲି ବାଡ଼େଇଲା। ଋକ୍ମଣୀ ଜାଣିଲା ସ୍ୱାମୀ ଦ୍ୱତୀୟ ହେବ। ତେଜ ଦିନେ ନାଗପୁର ରେଳଷ୍ଟେସନକୁ ଆଣି ଋକ୍ମଣୀ ଓ ତାର ଛୋଟ ଛୁଆ ଗୁଣକୁ ଛାଡ଼ିଦେଲା। ଋକ୍ମଣୀ ଗାଁକୁ ଫେରିଲା। ମାମୁଁଘର କେତେ ଦେବେ। ଦୁଶ୍ଚିନ୍ତା ଓ ଭୋକରେ ଋକ୍ମଣୀ ପାଗଳୀପ୍ରାୟ ହୋଇଗଲା। ଅର୍ଜ୍ଜୁନ ମହାନନ୍ଦ ଓ ଦୁଆ ମୁଗ୍ରୀ ସ୍ୱୟଂ ସହାୟକ ଦଳରୁ କିଛି ସହଯୋଗ କରିବା ସହ ମୁଠିଭିକ୍ଷା କରି ଋକ୍ମଣୀକୁ ଟିଟିଲାଗଡ଼ ଡାକ୍ତରଖାନାକୁ ନେଲେ। ଋକ୍ମଣୀର ଜୀବନ ରହିଲା। ତାର ଖାଇବା ବ୍ୟବସ୍ଥା କରାଗଲା। ପଞ୍ଚାୟତକୁ ଖବର ଦିଆଗଲା। ମୁରିବାହାଲ ବ୍ଲକକୁ ମଧ୍ୟ। ଫଳ କିଛି ହେଲାନି।
ଦିନେ ଋକ୍ମଣୀ ଛୁଆକୁ ଧରି ଗାଁରୁ ଉଭାନ ହୋଇଗଲା। ମାସେ ପରେ ଫେରିଲା। ଅର୍ଜ୍ଜୁନ ମହାନନ୍ଦ ଓ ଦୁଆ ମୁଗ୍ରୀ ଖୋଜୁଥାନ୍ତି। ଋକ୍ମଣୀ ଏକା ଫେରିବାର ଅନେକ ଦିନ ପରେ ଦୁଆମତୀ ମୁଗ୍ରୀ ଜାଣିଲେ ଯେ ଲେବଡ଼ାରେ ଛୁଆକୁ ଛାଡ଼ିଥିବା ପାଗଳୀଜଣକ ହେଉଛି ଋକ୍ମଣୀ।
ଋକ୍ମଣୀର ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ଓ ବିଡିଓ ଉଭୟେ ଗୋଟିଏ କଥା କହୁଥାନ୍ତି-ଇନ୍‌କ୍ୱାରୀ ହେବ। ଚାଉଳ ମଗା ହେବ ଉପରୁ, ତା’ପରେ ତାକୁ ଅନ୍ତୋଦୟ ଯୋଜନାରେ ସାମିଲ କରାଯିବ।
ବିଡିଓ ଉପରୁ ଚାଉଳ ମଗେଇବାରେ ବିଳମ୍ବ ହେଉଥାଏ। ଏ ଭିତରେ ଗୋଟିଏ ଚିରାଚରିତ ତଥା ଗୁପ୍ତ ଘଟଣା ପଦାରେ ପଡ଼ିଗଲା। ରିସାଇକ୍ଲିଂ ପାଇଁ କଣ୍ଟାବାଞ୍ଜିର ଗୋଟିଏ ଧାନ ମିଲକୁ ଯାଉଥିବା ୧୪ଶହ କ୍ୱିଣ୍ଟାଲ ଚାଉଳ ଧରାପଡ଼ିଲା। ଜଣାପଡ଼ିଲା ଏହା ମୁରିବାହାଲ ବ୍ଲକ୍‌ର ଚାଉଳ। ମୁରିବାହାଲ ବିଡ଼ିଓ କହିଲେ ତାଙ୍କର ୨୦୦ କ୍ୱିଣ୍ଟାଲ ଚାଉଳ ଥିଲା। ଆଉ ୧୨ଶହ କ୍ୱିଣ୍ଟାଲ ଚାଉଳ କେଉଁ ଋକ୍ମଣୀମାନଙ୍କର, କେହି ଜାଣିବା ପାଇଁ ଉଚିତ ମନେ କଲେନି।
ବିଡିଓ ବ୍ୟସ୍ତ ରହିଲେ। ଋକ୍ମଣୀ ବିଷୟରେ ଅର୍ଜ୍ଜୁନ ମହାନନ୍ଦ ଓ ଦୁଆମତୀ ମୁଗ୍ରୀ ଥାଉ ଥାଉ ସେ ଭାବିବାର କୌଣସି କାରଣ ନଥିଲା ଯେପରି।
ନବଜନ୍ମିତ ଶିଶୁପ୍ରୁକୁ ନେଇ ଅର୍ଜ୍ଜୁନ ମହାନନ୍ଦର ପୁଅବୋହୂ ଦାଦନ ଖଟିଗଲେ ହାଇଦ୍ରାବାଦକୁ। ଅର୍ଜ୍ଜୁନ ମହାନନ୍ଦର ଭିତରେ କଣ ଗୋଟିଏ ହଜିଗଲା। ସେ ସଭାସମିତିରେ ମୁହଁଜୋର ଦେଇ କିଛି କହି ପାରିଲାନି। ସ୍ୱୟଂ ସହାୟକ ଦଳ ଗଢ଼ିଲେ ଲୋକର ଉନ୍ନତି କିପରି ହୁଏ, ସେ ବୁଝେଇ ପାରିଲାନି।
ମତେ ଥରେ ଭେଟି ଆସିଲା। ଏକଲା ସମୟ ମାଗିଲା। ତାର ଉପକ୍ରମ ଥିଲା ବେଶ ଦୀର୍ଘ। ଅର୍ଥ ଥିଲା ଅତି ସଂକ୍ଷିପ୍ତ ଓ ପ୍ରଶ୍ନ ଥିଲା ବେଶ ଗୁରୁତର। ତା’କହିବା ଅନୁସାରେ ଗାନ୍ଧୀ ମହାତ୍ମାର ଦେଶରେ ଅନ୍ୟାୟ କାହିଁକି କରନ୍ତି। ତାଙ୍କପାଇଁ ପରିଶ୍ରମ କରି ନିୟମମାନି ଚଳୁଥିବା ଲୋକ କଷ୍ଟ ପା’ନ୍ତି।
ଦୀର୍ଘ ସମୟ ଧରି ଶୁଣିଲି ତାର କଥା। କହିଲି, ‘ମହାନନ୍ଦ! ଗୋଟିଏ କାମ କର, ତୁମ ବିଷୟରେ ମୁଁ କିଛି ଲେଖିବିନି। ତୁମେ ଲୋକଙ୍କୁ ଯେମିତି ପରିଶ୍ରମ କରିବାକୁ, ନିୟମ ମାନିବାକୁ ବୁଝାଅ, ସେପରି କରିବାକୁ ତୁମକୁ କିଏ କହେ ନା ତୁମେ ନିଜ ଅନୁଭବରୁ କହ?’
-ମୁଇଁ ନିଜର ଦିହେଁଗଲା କଥା କହେସିଁ।
ତା’ହେଲେ ଏକଥାକୁ ନିଜେ ଲେଖ।
ଅର୍ଜ୍ଜୁନ ମହାନନ୍ଦ ଗମ୍ଭିର ହୋଇଗଲା। ଚୁପ୍ ହୋଇ କିଛି ସମୟ ବସିଲା। ଉଠି ପଳେଇଲା ତାର ସାଇକେଲ ଧରି।
ତିନି / ଚାରି ଦିନ ପରେ ଆସିଲା। ମୋ ହାତକୁ ବଢ଼େଇ ଦେଲା ତାର ହାତଲେଖା କାଗଜ କେତେ ଖଣ୍ଡ, ସେ ତିନି ଚାରିଦିନର ପରିଶ୍ରମରେ ଏତକ ଲେଖିଥିଲା। ଏ ଦିନମାନଙ୍କରେ ଜାଲବୁଣା କାମ କମ କରିଥିଲା। ସେ ଲେଖିଥିଲା ତା’ର କାହାଣୀ। ତାର କିଛି ଅଂଶ ଏପରି, “… ସରକାର ବାହାଦୂର ମତେ ପ୍ରସନ୍ନ ହୋଇ ଇନ୍ଦିରାଆବାସ ଘରଟିଏ ଦେଲେ। ଏଥିପାଇଁ ନବୀନ ସରକାରଙ୍କୁ ଧନ୍ୟବାଦ। ଆଠହଜାର ପାଞ୍ଚଶହ ଟଙ୍କା ମହାଜନଠୁ ଋଣ ଆଣି ଘରକାମ ଆରମ୍ଭ କଲି। ବ୍ଲକ୍ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଛଅହଜାର ପାଞ୍ଚଶହ ଟଙ୍କା ମିଳିଲା। ସାହୁକାରର ଋଣଭାର ବଢ଼ି ବଢ଼ି ଚାଲୁଥାଏ। ନୂଆ ଦେଇଥିବା ଇନ୍ଧିରାଆବାସ ଘରେ ମୋ ପୁଅବୋହୂ ରହିବେ କଣ; ଋଣ ଓ କଳନ୍ତର ସୁଝିବା ପାଇଁ ନବଜନ୍ମିତ ମୋର ନାତିକୁ ଧରି ହାଇଦ୍ରାବାଦ ଦାଦନ ଖଟି ଗଲେ। ଏଥିପାଇଁ ବି ନବୀନ ସରକାରଙ୍କୁ ଧନ୍ୟବାଦ।…”
ଏ ଚିଠିିକୁ ଅବିକଳ ମୋକ୍ତାରେ ପ୍ରକାଶ କଲି। ଚିଠିଟି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନଜରକୁ ଆସିଲା। ଏହାର ଅନୁସନ୍ଧାନ ପାଇଁ ବଲାଙ୍ଗିର ପିଡିଡିଆରଡିଏଙ୍କ ନିକଟକୁ ଆଦେଶ ଆସିଲା।
ଏହାପରେ ମୁରିବାହାଲ ବ୍ଲକର ଦୃଶ୍ୟ ଥିଲା ଏହିପରି। ଦିନରାତି ଖଟି ସମସ୍ତ କାଗଜପତ୍ର ଠିକ କରାଗଲା। ସେମାନେ ଜାଣିପାରଲେ ନାହିଁ ଯେ ଅର୍ଜ୍ଜୁନ ମହାନନ୍ଦ ନିକଟରେ ସେମାନେ କି ଦୋଷ କରିଛନ୍ତି। ବହୁକଷ୍ଟରେ ଅର୍ଜ୍ଜୁନ ମହାନନ୍ଦ ନିକଟରୁ ମୋକ୍ତା ଖଣ୍ଡିଏ ସଂଗ୍ରହ କରି ନିକଟସ୍ଥ ଫଟାମୁଣ୍ଡା ଗାଁର ୧୭୬ ଜଣଙ୍କୁ ‘ଜବକାର୍ଡ଼’ ଦେଲେ। ଏହି କାର୍ଡ଼ରେ କାମ ବିଷୟ ଉଲ୍ଲେଖ ରହିଲା, ଲୋକଙ୍କୁ ଟଙ୍କା ବି ଦିଆଗଲା। ଅର୍ଜ୍ଜୁନ ମହାନନ୍ଦକୁ ଇନ୍ଦିରା ଆବାସ ତିଆରି କରିବା ପାଇଁ ଟଙ୍କା ଦେବାର ପ୍ରତିଶ୍ରୁତି।
୨ ମଇ ୨୦୦୬ ଦିନ ସକାଳୁ ମୁରିବାହାଲ ବିଡିଓ ଗଁରେଇ ଗ୍ରାମପଞ୍ଚାୟତକୁ ଆସିଲେ। ଏହିଦିନ ରାତ୍ରୀଯାପନ କଲେ। ଯାହା ଥିଲା ଅଞ୍ଚଳ ପାଇଁ ଅଭୁତପୂର୍ବ ଘଟଣା। ତା’ପର ଦିନ ପି.ଡି ଆସି ତଦନ୍ତ କରି ଫେରିଲେ ଅର୍ଜ୍ଜୁନ ମହାନନ୍ଦର ଅର୍ଦ୍ଧନିର୍ମିତ ଇନ୍ଦିରା ଆବାସ ବି ଦେଖିଲେ।
ସପ୍ତାହେ ପରେ ଅର୍ଜ୍ଜୁନ ମହାନନ୍ଦ ପୁଣି ମୋ ପାଖକୁ ଆସିଲା। ବହୁତ ଖୁସି ଥାଏ। ମୋ ହାତକୁ କାଗଜ ଖଣ୍ଡେ ବଢ଼େଇ ଦେଲା ଯାହା ଥିଲା ଏକ ଧନ୍ୟବାଦ ପତ୍ର। “ସରକାର ମତେ ଇନ୍ଦିରା ଆବାସ ଯୋଜନାରେ ଗୃହ ନିର୍ମାଣ ଆଦେଶ ଦେବା ଫଳରେ ଘରକାମ ଆରମ୍ଭ କଲି। ଘରକାମ ଅଧାହୋଇ ପଡ଼ିଥିଲା। ଫଳରେ ବାରମ୍ବାର ବ୍ଲକକୁ ଦୌଡ଼ି ନିରାଶ ହୋଇଥିଲି। ମୋର ପୁଅ ବୋହୂ ଓ ନାତି ଇନ୍ଦିରା ଆବାସ ତିଆରି ପାଇଁ କରିଥିବା ଋଣ ପରିଶୋଧ ପାଇଁ ହାଇଦ୍ରାବାଦ ଦାଦନ ଖଟିଗଲେ। ଏ ବିଷୟ ‘ମୋକ୍ତା’ ପେପର ଜରିଆରେ ନବୀନବାବୁଙ୍କୁ ଜଣାଇବା କାରଣରୁ ଶ୍ରୀମାନ ନବୀନ ସରକାରଙ୍କ ଆଦେଶମତେ ବଲାଙ୍ଗିର ଡିଆରଡିଏ, ପିଡି ସାହେବ ମୋ ଘର ଇନକୁଆରି କରି ଦେଖିଲେ ଓ ମତେ ଘର ତିଆରି ପାଇଁ ଆଦେଶ ଦେବା ଫଳରେ ମୁଁ ଜିନିଷପତ୍ର ସଂଗ୍ରହ କରି ଘରତିଆରି କରିବାରେ ଲାଗିପଡ଼ିଅଛି।
ମୋର ପୁଅ, ବୋହୂ ଓ ନାତି ହାଇଦ୍ରାବାଦରୁ ଫେରିବା ସମୟ ହେଲା। ଜାଲବୁଣା ଟଙ୍କାରୁ କିଛି ଓ ପୁଅ ବୋହୂ ଦାଦନ ଖଟିଯିବା ଅଗ୍ରୀମ ଟଙ୍କାରୁ ମହାଜନୀ ଋଣ ମୁକ୍ତ ହେଲି।
ବର୍ତ୍ତମାନ ନବୀନବାବୁ ଓ ମୋକ୍ତା ଦୟାରୁ ଥଇଥାନ ହେବି ବୋଲି ମୋର ଦୃଢ଼ ଆଶା। ଏଥିପାଇଁ ନବୀନବାବୁ ଓ ମୋକ୍ତା ସମ୍ପାଦକଙ୍କୁ ଧନ୍ୟବାଦ।”
ଚିଠିଟି ରଖିଲି। ପଚାରିଲି ମହାନନ୍ଦ ବାବୁ ଋକ୍ମଣୀ କେନ୍ତା ଅଛେ?
“ସେ ଠିକ୍ ହୋଇଗଲା ଆଜ୍ଞା! ତାର ଲୋକବାକ ସଙ୍ଗେ ସମ୍ବଲପୁର ଯାଇଛେ।” ବହୁତ ଉତ୍ସାହିତ ଥିଲା ମହାନନ୍ଦ।
ବଲାଙ୍ଗିର ଡିଆରଡିଏ ରୁ ଗୋଟିଏ ପତ୍ର ପାଇଲି। ଯେଉଁଥିରେ ଲେଖାଥିଲା ଅର୍ଜ୍ଜୁନ ମହାନନ୍ଦ କାମ ନିହ ପର୍ଯ୍ୟନ୍ତ କରିଥିଲା। ବିଡିଓ, ଏବିଡିଓ, ଜେଇ ଏବଂ ସରପଞ୍ଚ କୋହଳ ମନୋଭାବ ଗ୍ରହଣ କରି ତାକୁ ଇନ୍ଦିରା ଆବାସ ଗୃହ ପୁରା କରିବାକୁ କହିଲେ।
ଅଜ୍‌ୁର୍ନ ମହାନନ୍ଦ, ଫଟାମୁଣ୍ଡା ଗାଁ ଲୋକ ଏବଂ ଡିଆରଡିଏର ପତ୍ରକୁ ଅବିକଳ ମୋକ୍ତା (୧୬-୩୧ ଅଗଷ୍ଟ,୨୦୦୭) ରେ ପ୍ରକାଶ କରିଥିଲି। ଯା’ର ଶିର୍ଷକ ଥିଲା ‘ଚରମ ସତ୍ୟ ଏକ ପରମ ମିଥ୍ୟା: ଦୃଷ୍ଟାନ୍ତଟିଏ’।

୧୬
ଅହଲ୍ୟା ଉପାଖ୍ୟାନ ଓ ମହୁଲ ବଣର ଗୀତ

କନ୍ୟା ରଜୋବତୀ ହେବା ପୂର୍ବରୁ କେତେକ ଆଦିବାସୀ ଗୋଷ୍ଠୀଙ୍କୁ ଛାଡ଼ି ପଶ୍ଚିମଓଡ଼ିଶାର ପ୍ରାୟ ସମସ୍ତ ମୂଳ ଅଧିବାସୀ ‘କୁଣାବରା’ କରିଥାନ୍ତି। ‘କୁଣାବରା’ ଏକ ପ୍ରଚୀନ ପରମ୍ପରା। ସଂକ୍ଷେପରେ ଏହା ବିବାହ। ଝିଅଟି ‘ରଜୋବତୀ’ ହେଲେ ଆଉ ମା, ବାପାର ହୋଇ ରହେନାହିଁ। ସେ ପରଘରର ହୋଇଯାଏ। ମା ବାପାଙ୍କ ପରେ ଝିଅର ସର୍ବସ୍ୱ ହେଉଛି ସ୍ୱାମୀ। ପରର ହୋଇଗଲା ପରେ ଝିଅକୁ ତ’ କା’ର ଦାୟିତ୍ୱରେ ଛାଡ଼ିବାକୁ ପଡ଼ିବ। ମା ବାପାଙ୍କୁ ତ କନ୍ୟାଦାନ କରିବାକୁ ପଡ଼ିବ। ଝିଅ ନିଆଶ୍ରି ନହେଉ। ସେଥିଲାଗି ତାର ବିବାହ କରାଯାଏ ମହୁଲ ଡାଳ ସହ। ମହୁଲ ଡାଳ ଝିଅର ଭାବି ସ୍ୱାମୀର ପ୍ରତିନିଧିତ୍ୱ କରେ ମା’ ବାପା ସାମାଜିକ ଦାୟିତ୍ୱରୁ ମୁକ୍ତ ହୁଅନ୍ତି। ମହୁଲ ଗଛକୁ ସମର୍ପି ଦିଅନ୍ତି ନିଜକୂଳର ମର୍ଯ୍ୟାଦା। କୁମାରୀ ବିବାହ ବା କୁଣାବରା କରି।
ପ୍ରକୃତିକୁ ଏତେ ଗଭିର ସମ୍ମାନ ଦେଉଥିବା ମଣିଷମାନଙ୍କୁ ମହୁଲ ଗଛ କେବେବି ହତାଦର କରେନି। ଚାରିରୁ ସାତମାସ ସହଯୋଗ କରେ। ମହୁଲ ଫୁଲ ଅଜାଡ଼ିଦିଏ। ଟୋଲ ଦିଏ। ଚାରିମାସ ମହୁଲଫୁଲ ଗୋଟେଇ ଲୋକେ ବଞ୍ଚନ୍ତି। ଆଉ ଦୁଇମାସ ଟୋଲ। ଟୋଲ ଫଳକୁ ଖାଦ୍ୟ କରନ୍ତି। ତେଲ କରନ୍ତି। ଗୋଟିଏ ମହୁଲ ଗଛ ଦିଏ ଦୁଇରୁ ଦଶ କ୍ୱିଂଟାଲ ଫୁଲ, ତଦନୁରୁପ ଟୋଲ।
ମହୁଲ ଫୁଲର ଗୁଡ଼, ସିଝା ଆଉ ଲଡ଼ୁ ଦିଶୁନି ଏବେ। ଏବେ ମହୁଲ ଫୁଲ କେବଳ ମହୁଲି ପାଇଁ। ମହୁଲ ଫୁଲ ଫୁଟେ ଆଉ ଝଡ଼େ। ତା’କୁ ଗୋଟାନ୍ତି ଛୋଟ ଛୁଆଠୁ ପରିବାରର ବୁଢ଼ୀଲୋକ ପର୍ଯ୍ୟନ୍ତ। ଶୁଖାନ୍ତି ଆଉ ବିକ୍ରି କରନ୍ତି। ବାସ୍ ମହୁଲ ଫୁଲ ଆଉ ଲୋକଙ୍କ ସମ୍ପର୍କ ତୁଟିଯାଏ। ଆଗକୁ ଏହାର ବ୍ୟବସାୟ ହୁଏ। ଏହା ପରର ଅର୍ଥନୀତି ଅବକାରୀ ହିସାବ ଖାତାର ଗଣିତ ହୋଇଯାଏ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର ଖାସବାହାଲ ଗାଁରେ ଅବକାରୀ ହିସାବ ଖାତାରୁ ଲୁଚେଇ କିଛି ମହୁଲରୁ ମହୁଲି କରାହୁଏ। ଜଙ୍ଗଲରେ, ଜମିରେ, ରାୟପୁରରେ, ମୁମ୍ବାଇରେ କି ଆନ୍ଧ୍ରରେ ଖଟନ୍ତି ଲୋକେ। ସେଇ ଚୋରାରେ ତିଆରି ମହୁଲୀକୁ ପିଅନ୍ତି। ନିଶାରେ ମସଗୁଲ୍ ହୋଇ ହଜେଇ ଦିଅନ୍ତି ନିଜର ଭଲମନ୍ଦ, ଆଉ ଘରର ବାସନ। ଝିଅ, ବୋହୂର ଗହଣା ବି ହଜିଯାଏ। ସେମାନେ ଜାଣି ପାରନ୍ତିନି କେବେ ସେମାନେ ବି ହଜିଯିବା କଥା।
ସ୍ୱୟଂ ସହାୟକ ଦଳ ଗଠନ ପାଇଁ ଯୋର ଦିଅନ୍ତି ସରକାର। ଅହଲ୍ୟା ପୁଟେଇ ବି ଗୋଟିଏ ଦଳରେ ସାମିଲ ହୁଏ। ସ୍ୱାମୀ ଭାଗିରଥି କୌଳିକ ବୃତି ପରିବା ଚାଷ କରେ। ଦୁଇ ଝିଅ ଆଉ ଗୋଟିଏ ପୁଅର ସଂସାରରେ ଭାବ ଅଭାବର ବୋଝ ହାଲକା ହେବ। ସରକାର ପ୍ରତିଶ୍ରୁତି ଦେଇଛନ୍ତି ସ୍ୱୟଂ ସହାୟକ ଦଳ ଗଠନ କରି ସଞ୍ଚୟ କଲେ ଅଭାବ ଲାଘବ ହେବ। ଅହଲ୍ୟା ମାସକୁ କୋଡ଼ିଏ ଟଙ୍କା ଦିଏ। ନିଜ ଦଳରେ ନିଜ ନିଜ ଭିତରେ କଥା ହୋଇ ନିଜର ଟଙ୍କାକୁ ନିଜ କାମରେ ଲଗାନ୍ତି। ପରିବାରରେ କିଛି ଅପହଞ୍ଚ ଖୁସିକୁ ଆବିଷ୍କାର କରନ୍ତି। ଅହଲ୍ୟା ଟିକିଏ ଅଧିକ ଦାୟିତ୍ୱ ନିଏ। ଗାଁର ମହିଳାମାନଙ୍କୁ ଦଳ ଗଢ଼ିବା ପାଇଁ କହେ। କେବେ କେବେ ବିଡିଓ, ସିଡିପିଓ ଆସନ୍ତି, ଅହଲ୍ୟାକୁ ତାରିଫ କରନ୍ତି। ଅହଲ୍ୟା ଖୁସିହୁଏ। ଦଳ ଗଠନ କରିବାକୁ ମା’ମାନଙ୍କୁ ପ୍ରବର୍ତ୍ତାଏ।
ମହୁଲଫୁଲ ଝରୁଥାଏ। ଗର୍ଭରେ ତାର ୭୦.୬ ଭାଗ ଶ୍ୱେତସାର, ୧୮.୬ ଭାଗ ଜଳ, ୫.୯ ଭାଗ ପ୍ରୋଟିନ, ୨.୭ ଭାଗ ଲୁଣ, ୧.୭ ଭାଗ ତନ୍ତୁ, ୦.୫ ଭାଗ ଚର୍ବି ଓ କିଛି ଖାଦ୍ୟସାର ନେଇ। ଅହଲ୍ୟା ମହୁଲ ଗୋଟାଏ ଭୋରରୁ। ପାଛିଆରେ ମହୁଲଫୁଲ ଜମେ। ପ୍ରତି ୧୦୦ ଗ୍ରାମରେ ୮୭୮ ମି.ଗ୍ରା ରିବୋଫ୍ଲୋବିନ, ୩୨ ମି.ଗ୍ରା ମିଥାଇନ, ୭ ମି.ଗ୍ରା ଏସକର୍ବିନ ଅମ୍ଳ, ୫.୨ ମି.ଗ୍ରା ନିଆସିନ ଓ ୩୯ ୟୁନିଟ କେରୋଟିନ ଜମାହୁଏ।
ଅହଲ୍ୟା ମହୁଲ ଗୋଟାଏ। କୁଚିଆକୁ ଦେଇଦିଏ କେଜି ପାଞ୍ଚଟଙ୍କାରେ। ଅହଲ୍ୟା ଶୁଣେ ତା’ଠାରୁ ବି କମ୍‌ଦାମ୍ ପାଆନ୍ତି ମହୁଲ ବିକି କେତେକ। ଆଗେ ଟଙ୍କେ, ଦୁଇଟଙ୍କା ଯଥେଷ୍ଟ ଥିଲା। ଏବେ ମିଳୁଛି ପାଞ୍ଚଟଙ୍କା। ଏହାପରେ ମହୁଲ ଉପରେ ଅହଲ୍ୟାର ଅକ୍ତିଆର ସରିଯାଏ। ମହୁଲ ଗଛ ରହିଯାଏ ଅହଲ୍ୟାର ନିଜର ହୋଇ। ଝିଅକୁ କୁଣାବରା କରିବ, ପୁଅର ବାହାଘରେ ମହୁଲ ଡାଳକୁ ଅଗ୍ରପୂଜା ଦେବ। ମହୁଲ ପତ୍ରରେ ଦେବୀ ଦେବତା ପାଇଁ ଅନ୍ନ ବାଢ଼ିବ। ମହୁଲ କୁଁଚିକୁ ଦେବୀ ପାଖେ ଥୋଇବ। ଏସବୁ ଜିନିଷର ମୂଲ୍ୟ ଆଙ୍କିପାରେନି କୁଚିଆ। ଏହାର ଦର ଧାର୍ଯ୍ୟ କରି ପାରନ୍ତିନି ସରକାର। ମହୁଲ ପାଇଁ କ୍ୱିଣ୍ଟାଲ୍ ପିଛା ୨୨୫ ଟଙ୍କା ନିଅନ୍ତି। ଯାହା ବେପାରୀ କି କୁଚିଆ ଦିଏ, ଅହଲ୍ୟା ଖବର ରଖେନି।
ଏହି ବେପାର କରିବାକୁ ସରକାର ୧୯୮୯ ମସିହାରେ ‘ଉତ୍କଳ ଫରେଷ୍ଟ ପ୍ରଡକ୍ଟ ଲିମିଟେଡ଼’କୁ ୧୦ ବର୍ଷ ପାଇଁ ଲିଜ୍‌ରେ ଦେଲେ। ୨୯ଟି ବନଜାତ ଭିତରୁ ମହୁଲ ଥିଲା ଅନ୍ୟତମ। ବନଜାତ ଦ୍ରବ୍ୟ ଗାଁ ଲୋକ ଆଉ ଜଙ୍ଗଲପାଖର ଲୋକଙ୍କଠାରୁ ଆସେ। ଏକଚାଟିଆ ଲିଜ୍ ଦ୍ୱାରା ଏହାର ମୂଲ୍ୟ ମନଇଛା କରିହୁଏ। ଅହଲ୍ୟା ପ୍ରକୃତ ଦାମ୍ ପାଏନି ମହୁଲଫୁଲର। ତା’କଥା ଚିନ୍ତା କରୁଥିବା ଲୋକେ ଦେଖନ୍ତି ଅହଲ୍ୟା ପ୍ରତି ଅନ୍ୟାୟ ହେଉଛି। ଫେରାଦ ହୁଅନ୍ତି ଉଚ୍ଚନ୍ୟାୟାଳୟରେ। ମାନ୍ୟବର ନ୍ୟାୟାଳୟ ଅହଲ୍ୟାର କଥା ଚିନ୍ତାକରନ୍ତି। ସରକାରଙ୍କୁ କହନ୍ତି ଏକଚାଟିଆ ଲିଜ ବ୍ୟବସ୍ଥା ଅନୁଚିତ। ସରକାର ୧୯୯୭ ମାର୍ଚ୍ଚ ୫ ତାରିଖରେ ଏକଚାଟିଆ ଲିଜ ଉଠେଇ ଦିଅନ୍ତି। ସ୍ଥାନୀୟ ବେପାରୀଙ୍କୁ, ଆଉ ବ୍ୟବସାୟିକ ପ୍ରତିଷ୍ଠାନକୁ ଲିଜ ଦିଅନ୍ତି। ମଣ୍ଡି ନାହିଁ କି ବଜାର ନାହିଁ। ଯେତେ ଯାହା ହେଲା ଅହଲ୍ୟାଠାରୁ ସେ ମହୁଲ କିଣିଲା, ଯିଏ ଆଗରୁ କିଣୁଥିଲା। ଅହଲ୍ୟାକୁ ସେତେ ଟଙ୍କା ଦେଲା, ଯେତେ ସେ ଦେବାକୁ ଚାହିଁଲା।
୧୯୯୯ରେ ସରକାର ଚିନ୍ତାକଲେ, ଅହଲ୍ୟାକୁ ମହୁଲ କେଜି ପିଛା ଅଧିକ ତିନି ଟଙ୍କା ଦେବି। ମହୁଲର ଜାତୀୟକରଣ କଲେ। ଅହଲ୍ୟା ଖୁସି ହେଲା। ସେ ଲୋକକୁ ମହୁଲ ବିକିଲା ଯାହାକୁ ଆଗରୁ ବିକୁଥିଲା, ସେତେ ଟଙ୍କା ପାଇଲା ଯେତେ ସେ ଲୋକ ଦେବାକୁ ଚାହିଁଲା। ଅହଲ୍ୟାର ଲାଭ ହେଲାନି। ଆଉ ସରକାର ବି ୩୦ କୋଟି ଟଙ୍କା କ୍ଷତି ସହିଲେ ବୋଲି ଅହଲ୍ୟା ଶୁଣିଲା।
ଦେଶର ଅନ୍ୟ ରାଜ୍ୟରେ ପଞ୍ଚାୟତ ପାଇଁ ରାଜ୍ୟ ଆଇନ ସଂଶୋଧନ ହେଲା। ଓଡ଼ିଶା ଏ କାମ ତିନି ବର୍ଷ ବିଳମ୍ବରେ ୨୦୦୦ ମାର୍ଚ୍ଚ ମାସରେ କଲା। ଅହଲ୍ୟାର ଗ୍ରାମପଞ୍ଚାୟତକୁ ୬୦ଟି ବନଜାତ ଦ୍ରବ୍ୟର ମାଲିକାନା ଦେଲା ଓ ସାତଟି ଶାଳ, ଟୋଲ, କୁସୁମ, କରଞ୍ଜ, ନିମ, ଚାକୁଣ୍ଡା, ଆଉ ବବୁଲକୁ ନିଜ ପାଖରେ ରଖିଲା। ସରକାରଙ୍କୁ ଲୋକେ ଟାହିଟାପରା କଲେ। ସରକାର ସବୁ ଲଘୁବନଜାତ ଦ୍ରବ୍ୟକୁ ଗ୍ରାମପଂଚାୟତକୁ ଦେଇଦେଲେ। ଅହଲ୍ୟା ସେ ଲୋକକୁ ମହୁଲ ବିକିଲା ଯାହାକୁ ଆଗରୁ ବିକୁଥିଲା। ସେତେ ଟଙ୍କା ପାଇଲା, ଯେତେ ସେ ଲୋକ ଦେବାକୁ ଚାହିଁଲା।
ଅହଲ୍ୟା ଖାସବାହାଲ ଗ୍ରାମପଞ୍ଚାୟତ ସାରା ବୁଲିଲା। ସେ ସ୍ୱୟଂ ସହାୟକ ଦଳ କରିବାକୁ ପ୍ରବର୍ତାଇଥିବା ମହିଳାମାନଙ୍କୁ ଏକଜୁଟ କଲା। ମହିଳା ମଣ୍ଡଳ ତିଆରି କଲା। ଗୋଟିଏ ପରେ ଗୋଟିଏ ଦଳ ଆସି ତା’ର ମହିଳା ମଣ୍ଡଳରେ ସାମିଲ ହେଲେ। ତା’ର ନିଜ ଗ୍ରାମ ପଞ୍ଚାୟତ ଖାସବାହାଲ ସମେତ ରାନୀମୁଡ଼ା ଆଉ ସରଧାପୁର ଗ୍ରାମ ପଂଚାୟତର ଦଳମାନ ଆସି ଯୋଗଦେଲେ। ମହିଳା ମଣ୍ଡଳରେ ୧୦୫ଟି ଦଳ ସାମିଲ ହେଲେ। ଗୋଟିଏ ଖାତାରେ ସମସ୍ତଙ୍କ ନାଁ, ଗାଁ, ବୟସ ଓ ବୃତି ଲେଖାଗଲା। ଅହଲ୍ୟା ଅଶ୍ଚର୍ଯ୍ୟ ହୋଇଗଲା। ରହିପାରିଲାନି ଶାନ୍ତିରେ ଯେଉଁମାନଙ୍କ ମଙ୍ଗଳ ଚିନ୍ତାକରି ଗାଁ ଗାଁ ବୁଲି ସ୍ୱୟଂ ସହାୟକ ଦଳ ଗଠନ କରିବାକୁ କହୁଥିଲା ଅହଲ୍ୟା; ଗାଁ ମାଇପଙ୍କୁ ସପନର ଫରୁଆ ଧରଉଥିବା ଅହଲ୍ୟା ଦେଖିଲା ସେ ମହିଳାମାନଙ୍କ ସପନ ତ ସରିଯାଇଛି କେଉଁକାଳୁ। ବୟସର ସ୍ୱାଦ ଚାଖିନଥିବା, ଖୁଦର ଖାପେ ଖାଇନଥିବା ଯୁବତୀମାନେ ବିଧବା। ଏମାନଙ୍କ ସଂଖ୍ୟା କାଁ ଭାଁ ଥିଲେ ଚିନ୍ତାର କାରଣ ନଥିଲା। ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ ଆଉ ଅନୁପାତ ଅଙ୍କରେ ତା’ଗ୍ରାମପଞ୍ଚାୟତରେ ଅଧିକ।
ଅସ୍ତବ୍ୟସ୍ତ ହୋଇଗଲା ଅହଲ୍ୟା। ଏମାନଙ୍କୁ କି ସପନ ଦେବ? କଣ କହି ପ୍ରବୋଧିବ। କାହିଁକି ଗଢ଼ିବ ସ୍ୱୟଂ ସହାୟକ ଦଳ? କାହିଁକି କରିବ ମହିଳା ମଣ୍ଡଳ? କଣ ହେବ ଏ ସବୁରେ? ସମସ୍ତେ ତାର ଝିଅ ବୟସର। ସମସ୍ତେ ବୟସ ଆଉ ସଂସାରର ବୋଝ ବୋହି ଚାଲୁଛନ୍ତି ଅନିଶ୍ଚିତ ଆଡ଼କୁ। ବିବ୍ରତ ଅହଲ୍ୟା ଦିନେ ସକାଳୁ ପହଞ୍ଚିଲା ସ୍ୱାମୀସହ ସାଇକେଲରେ ଦୋହଲପଡ଼ା ଗାଁର କେଶବ ବେହେରାଙ୍କ ଘରେ। ଜୁହାର ହେଲା। କହିଲା ଆଜ୍ଞା! ଆପଣ ତ ଆମର ବ୍ଲକର ଚେରମେନ ଥିଲେ। ନୂଆପଡ଼ା ଜିଲ୍ଲାର ବଡ଼ ନେତାମାନଙ୍କ ଭିତରୁ ଆପଣ ଜଣେ। ଆପଣଙ୍କ ଘରକେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ବି ଆସିଛନ। ଆପଣଙ୍କର ପରିବାର ବଡ଼ଲୋକ ମୋର କାମ ନେଇ କଲେ, କରିବା କିଏ?
ଅହଲ୍ୟା ତଥ୍ୟମାଗେ ନୂଆପଡ଼ା ଜିଲ୍ଲାର ବିଧବା କେତେ ଅଛନ୍ତି ପଞ୍ଚାୟତୱାରୀ।
ଏ ତଥ୍ୟ ମିଳିଯାଏ ତାକୁ। ଆହୁରି ଅନେକ ତଥ୍ୟ ସଂଗ୍ରହ ହୁଏ ତା’ପାଇଁ। ସେ ଆଶ୍ଚର୍ଯ୍ୟ ହୋଇଯାଏ। ଦୁଃଖ କରେ, ତାର ଗ୍ରାମପଞ୍ଚାୟତରେ ହିଁ ସର୍ବାଧିକ ଯୁବା ବିଧବା। ଜିଲ୍ଲାର ଅନେକ ଜାଗା ବୁଲେ। ନିଜର ବୁଦ୍ଧିରେ କଳନା କରେ। ଧିରେ ଧିରେ ତାର ଶଙ୍କା କେନ୍ଦ୍ରିତ ହୁଏ ଗୋଟିଏ ବିନ୍ଦୁରେ। ଏଠାରେ ମଦକୋଠି ସଂଖ୍ୟା ଅଧିକ। ଲୁକାଚୋରାରେ ଅନେକ ଲୋକ ମଦ ରାନ୍ଧୁଛନ୍ତି, ବିକୁଛନ୍ତି। ଏହାକୁ ପିଉଛନ୍ତି, ଲୋକମାନେ ଜୁଆ ଖେଳୁଛନ୍ତି, କାମ କରୁନାହାନ୍ତି। ଏମାନଙ୍କ ରାଗରୋଷ ସବୁ ପଡ଼ୁଛି ଘରର ମାଇପ ଉପରେ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହେ ବିଶ୍ୱର ମଦୁଆ ଦେଶମାନଙ୍କ ହିସାବରେ ୧୮୪ ଟି ଦେଶରୁ ଭାରତ ୧୫୦ ସଂଖ୍ୟାରେ ଅଛି। ଓଡ଼ିଶାରେ ୪ କୋଟି ଲୋକ। ଏଠାରେ ଭାରତରେ ତିଆରି ବିଦେଶୀ ମଦ ଦେଢ଼କୋଟି ଲିଟର, ଦୁଇକୋଟି ଲିଟର ବିଅର, ୫୫ ଲକ୍ଷ ଲିଟର ଦେଶୀ ମଦ ଓ ୨ କୋଟି ଲିଟର ମହୁଲି ମଦ ତିଆରି ହୁଏ। ତାଡ଼ି, ସଲପ କି ଖାସବହାଲ ଗାଁରେ ରାନ୍ଧୁଥିବା ମଦ ମିଶିକରି ଆଠକୋଟି ଲିଟର। ଆଇନ ଓ ବେଆଇନରେ ତିଆରି ମଦକୁ ମିଶାଇଲେ ବର୍ଷକୁ ଚାରିକୋଟି ଲୋକ ଆଠକୋଟି ଲିଟର ମଦ ପିଅନ୍ତି। ଜଣେ ଲୋକ ଦୁଇ ଲିଟର। ଦିଲ୍ଳୀ, ଚଣ୍ଡିଗଡ଼ ଓ ପଣ୍ଡିଚେରୀରେ ଜଣେ ଲୋକ ୭ ଲିଟର ମଦପିଏ; ପଞ୍ଜାବ, ହରିଆଣା, ସିକିମ୍ ଓ କର୍ଣ୍ଣାଟକରେ ୬ ଲିଟର; ଆନ୍ଧ୍ର, ତାମିଲନାଡ଼ୁ ଓ କେରଳରେ ୫ ଲିଟର। ଓଡ଼ିଶାରେ ଦୁଇ ଲିଟର ଅତି କମ। ଅହଲ୍ୟା ହିସାବ କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ବଡ଼ପଣ୍ଡା, କେଶବ ବେହେରା ଓ ତା’ ସ୍ୱାମୀ ମଦ ପିଅନ୍ତି ନାହିଁ। ଏମାନଙ୍କ ଭାଗର ମଦ କିଏ ପିଉଛି? ଛୁଆ ପିଲା ଓ ମାଇପମାନଙ୍କ ମଦ କିଏ ପିଉଛି? ଏମାନଙ୍କ ଭାଗର ସବୁ ମଦକୁ ଖାସବାହାଲରେ ଅଜାଡ଼ି ଦେଉଛି ଯେପରି।
ଗୋଆରେ ଲକ୍ଷେ ଲୋକରେ ୫୯୩, ଦିଲ୍ଲୀରେ ୨୯୯, ସିକିମ୍‌ରେ ୧୧୫, କର୍ଣ୍ଣାଟକରେ ୨୭, ମହାରାଷ୍ଟ୍ରରେ ୧୮, ପଞ୍ଜାବରେ ୧୭, କେରଳରେ ୧୪, ରାଜସ୍ଥାନରେ ୧୦, ଉତରପ୍ରଦେଶ, ବିହାରରେ ୬, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ପାଞ୍ଚଟି ମଦଦୋକାନ ସରକାରଙ୍କ ଅନୁମତିରେ ଥିବାବେଳେ ଓଡ଼ିଶାରେ ଚାରିଟି। କିନ୍ତୁ ଖାସବାହାଲରେ ଶହେ ଲୋକରେ ପାଞ୍ଚଟି ଦୋକାନ। ବ୍ୟତିବ୍ୟସ୍ତ କରେ ଅହଲ୍ୟାକୁ। ସଂଖ୍ୟାରେ ସବୁ ଗଣିତ ଫେଲ୍ ହୁଏ ଖାସବାହାଲରେ। ମଦ ହିଁ ମୃତ୍ୟୁର କାରଣ। ୧୯୯୨ ମଇ ୯ ତାରିଖ ଦିନ କଟକରେ ବିଷାକ୍ତ ମଦ ପିିଇ ୨୦୦ ଲୋକ ପ୍ରାଣ ହରାନ୍ତି। ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଇସ୍ତଫା ଦିଅନ୍ତି। ବିଜୁବାବୁ ତାକୁ ଗ୍ରହଣ ସିନା କଲେ ନାହିଁ, ହେଲେ ସମୟାନ୍ତରେ ସମସ୍ତ ମଦଭାଟି ବନ୍ଦ ରହିଲା। ଅହଲ୍ୟା ମହୁଲ ବିକିଲା ସେ ଲୋକକୁ, ଯାହାକୁ ବିକି ଆସୁଥିଲା। ଖାସବାହାଲ ସବୁ ଗଣିତକୁ ପୂର୍ବପରି ଫେଲ କରି ମଦଦୋକାନ ଚାଲିଲା। ବହୁତ ଲାଭକଲା ଦୋକାନମାନ। ସରକାର ବଦଳିଲା ନିୟମ ବଦଳିଲା। ମହୁଲି ଭାଟି ଚାଲିଲା। ଖାସବାହାଲରେ କିଛି ବଦଳିଲା ନାହିଁ। ଏଠାରେ ବିଧବା ସଂଖ୍ୟା ବଢ଼ିଲା। ମଦ ଖାଇଗଲା ଖାସବାହାଲର ଅନେକ ଯୁବାପୁଅ। ବିଧବା ମାନଙ୍କର ଲୁହରେ ଭାସିଗଲା ମଦମୃତ୍ୟୁର ମଡ଼ା। ଏତେ କଷ୍ଟ ସତ୍ୱେ କେଉଁ ଅବକାରୀ ମନ୍ତ୍ରୀ ଇସ୍ତଫା ଦେବାର ତ ଦୂରର କଥା, ସମବେଦନା ବି ଦେଲେନି। ସେମାନେ ଜାଣିପାରିଲେନି ଖାସବାହାଲର କ୍ରମାଗତ ମଦମୃତ୍ୟୁର ଖବର।
ଅହଲ୍ୟାକୁ ଅପରାଧୀଳ ଅପରାଧୀ ଲାଗିଲା। ମଲାଲୋକ ତ ବଞ୍ଚିବେନି! ସେ ଯେଉଁ ସପନ ଦେଖିଛି ମା’ମାନଙ୍କ ହାତରେ, ତାକୁ ପ୍ରଚାର କରିବ। ସେ ବୁଲିଲା ଘର ଘର। କହିଲା ତାର ସପନର କଥା। କହିଲା ତାର ସପନକୁ ଖାଇଯାଉଥିବା ମଦର କଥା। ମହୁଲ ଗୋଟେଇଲା। ସେ ଲୋକକୁ ଯାହାକୁ ବିକୁଥିଲା, ସେତେ ଟଙ୍କା ପାଇଲା ଯେତେ ସେ ଲୋକ ଦେବାକୁ ଚାହିଁଲା। ଟୋଲ ଆଣିଲା। ତେଲ କଲା। ତେଲରେ ପିଠାପଣା କଲା। ଶାଗ ରାନ୍ଧିଲା। ମହୁଲ ବଳକା ରଖିଲା, ଲଡୁ କଲା। ଆଉ କେଜିଏ ମହୁଲରେ ସାତଶହ ପଚାଶଗ୍ରାମ ଗୁଡ଼ ତିଆରି କଲା। ଏ’କାମ ଥିଲା ପରମ୍ପରାଗତ। ଏହାର ହିସାବ ଅବକାରୀ ବିଭାଗର ଗଣିତ ଖାତାରେ ଲେଖା ହୋଇ ପାରିଲାନି।
ବଲାଙ୍ଗିର ପାଟଣା ଗୋଣ୍ଡ ରାଜତ୍ୱରେ ପାଣି କିପରି ଲୋକଙ୍କର ଆଜ୍ଞାକାରୀ ଥିଲା। ଆକାଶ ମାନ କଲେ ବି କିପରି ପାଟଣାରାଜ୍ୟର ଚାଳିଶ ଭାଗ ଜମିର ଶୋଷ ମେଣ୍ଟଉଥିଲା। ଜଙ୍ଗଲ ଭିତରେ ପାଣି କିପରି ବ୍ୟବସ୍ଥିତ ହେଉଥିଲା। ଏକଥାକୁ ଟିକିନିଖି ଦେଖି ଲେଖୁଥାଏ ଜଣେ କଟକିଆ ସାମ୍ବାଦିକ ଲକ୍ଷ୍ମୀଧର ନାୟକ। ସେ ରାଜ୍ୟବାସୀଙ୍କୁ କହେ କାହିଁକି ବଲାଙ୍ଗିର-ନୂଆପଡ଼ା କି କଳାହାଣ୍ଡିର ଜଣେ ଲୋକ ସରପଞ୍ଚକୁ ଆରାଧନା କରି, ମହାଜନର ଋଣ କରି, ଇନ୍ଦିରା ଆବାସ ତିଆରେ। କାହିଁକି ଏ ପାଇଥିବା ଇନ୍ଦିରା ଆବାସରେ ତାଲା ପକାଏ ଆନ୍ଧ୍ରପ୍ରଦେଶ ପଳାଏ ଇଟାଗଢ଼ି? କାହିଁକି ଓଡ଼ିଶାରେ ବନ୍ୟା ହୁଏ? କାହିଁକି ପଶ୍ଚିମଓଡ଼ିଶାର ଲୋକେ ନିଜ ପୂର୍ବଜଙ୍କ କଟା, ମୁଡ଼ା, ସରରେ ଚାଷ କରନ୍ତି ଆଉ ହୀରାକୁଦ, ଇନ୍ଦ୍ର ଆଉ ସୁକତେଲ ପାଇଁ ଜଗିବସନ୍ତି। କାଶିପୁରରେ କାହିଁକି ଲୋକେ କୋଇଲି ଓ ଗୁଳି ଖାଆନ୍ତି। ସମୁଦ୍ରରେ କେତେ ରତ୍ନ ଅଛି, ପାହାଡ଼ରେ କେତେ ଜୀବନ ଅଛି, ନଦୀରେ କେତେ ସଙ୍ଗୀତ ଅଛି। ମନରେ କେତେ ବିଷ ଅଛି ସବୁକୁ କହେ। ଜଗନ୍ନାଥଙ୍କୁ ଆଗତ ଅନାହାରରୁ ମୁକୁଳେଇବା ପାଇଁ ଇଷ୍ଟଭୁତି ଦାନ ଦିଏ। ଚଟାଣରେ ଶୁଏ ଆଉ ଚିନ୍ତା କରେ ମୋ ଓଡ଼ିଶାର ଲୋକ ଆନ୍ଧ୍ରରେ ଗୁଲ୍‌ଗୁଲା ହୋଇ ଇଟା ନ ତିଆରୁ। ସେ ଜାଣିନି ସେ କେତେ ସମ୍ପନ୍ନ। ଏ ଲୋକଟି ବୁଲୁ ବୁଲୁ ଖବର ପାଏ ଅହଲ୍ୟା ମହୁଲରେ ଗୁଡ଼ ତିଆରି ପାରେ। ମୟୁରଭଞ୍ଜର କେଉଁ ଅହଲ୍ୟାଠାରୁ ଗୁଡ଼ଟିକିଏ ମାଗି ନିଏ। ତାର ଖାଦ୍ୟ ଗୁଣ ପରୀକ୍ଷା କରିବାକୁ। ଜାଣେ ଏଥି ପାଇଁ ଚାରିଶହ ଟଙ୍କା ଦରକାର। ଟଙ୍କା ଖୋଜେ। ସଂସାରନାବ ଠେଲିବା ଖର୍ଚ୍ଚବାଦ ଚାରିଶହ ଟଙ୍କା ପାଇଁ ସପ୍ତାହେ ଲାଗେ ତାକୁ। ଏ ଭିତରେ ଅହଲ୍ୟାର ମହୁଲ ଗୁଡ଼କୁ ମୂଷା ଖାଇଦିଏ। ଚନ୍ଦକା ସୁନ୍ଦରୀକୁ କହେ, ‘ଏକଇ ନାରୀ ତନୁ ଦୁଇ ଅମୃତ’ ମହୁଲରେ ଦୁଇଟି ଜିନିଷ। ଗୋଟିଏ ଅମୃତ ଅନ୍ୟଟି ମୃତ। ମହୁଲର କବିତା ଲେଖିପାରେନି। ଚିନ୍ତା କରେ, ଦୁଃଖ କରେ ଅହଲ୍ୟାର ଗୁଡ଼ କେବେ ଆଣିଯିବ।
ଏଥିରେ ତା’ ନିଜର କିଛି ଯାଏ କି ଆସେ, ଅହଲ୍ୟା ଜାଣିପାରେ ନାହିଁ। ସେ ମା’ମାନଙ୍କୁ କହେ କିପରି ମହୁଲଫୁଲ ବିଷ ବଜାରରେ ବୁଲି ବୁଲି ଖାସବାହାଲ ଲୋକଙ୍କୁ ଦଂଶୁଛି। ସମସ୍ତେ ବୁଝନ୍ତି। ସମସ୍ତଙ୍କୁ ବୁଝାନ୍ତି ମା’ମାନେ। ସେମାନେ ବି ବୁଝନ୍ତି ଯେଉଁମାନେ ମଦ ପିଅନ୍ତି ଆଉ ସେମାନେ ବି ବୁଝନ୍ତି ଯେଉଁମାନେ ମଦ ରାନ୍ଧନ୍ତି। ପଶ୍ଚିମ ଓଡ଼ିଶାରେ ବର୍ଷର ଦ୍ୱିତୀୟ ଥର ମାତାଲ ହୁଅନ୍ତି ଲୋକ ଖୋଲାଖୋଲି। ପ୍ରଥମଥର ପୁଷପୁନୀ ଓ ଦ୍ୱିତୀୟ ଥର ନୂଆଖାଇ ବାସିଦିନ। ୨୦୦୪ ମସିହା ନୂଆଖାଇ ବାସିରେ ଖାସବାହାଲ ଗ୍ରାମପଂଚାୟତର ଲୋକେ ମଦ ପିଇଲେ ନାହିଁ। ଅହଲ୍ୟା ଖୁସି ହେଲା। ଲୋକେ ଆଶ୍ଚର୍ଯ୍ୟ ହେଲେ। ସମସ୍ତେ ଦେଖିଲେ ଖାସବାହାଲ ଗ୍ରାମ ପଞ୍ଚାୟତକୁ। ଅହଲ୍ୟା ଖୁସିରେ ଶୋଇପାରିଲା ନାହିଁ। ତାର ପରିଶ୍ରମ ସଫଳ ହେଲା।
ଅହଲ୍ୟା କିନ୍ତୁ ଜାଣିପାରିଲା ନାହିଁ ଏଥିଲାଗି କେଉଁମାନଙ୍କର କ୍ଷତି ହେଲା। ମଦ ସହିତ ମିଶିଥିବା ଗୋଟିଏ ସୂତ୍ର ଛିଣ୍ଡିଗଲା ଖାସବାହାଲ ଅଞ୍ଚଳରୁ। ଖାସବାହାଲ ସଙ୍ଗେ ମିଶିଗଲା ରାନୀମୁଡ଼ା ଆଉ ଶରଧାପୁର ଗ୍ରାମ ପଞ୍ଚାୟତ। ଅନେକ ସ୍ଥାନରେ ମଦ ଭାଟି ରହେ। ଏହି ଭାଟିମାନେ ଦୂର ଗାଁ ମାନଙ୍କରେ ଗୋଟଏ ଗୋଟିଏ ଖୁଚୁରା ବିକ୍ରେତା ରଖନ୍ତି। ଭାଟିର ଅଜାଣତରେ କିଏ କେଉଁ ଗାଁରେ ଖୁଚୁରା ମଦ ବିକେ କି ନିଜେ ତିଆରି କରି ବିକେ, ତା’ହେଲେ ଭାଟିରୁ ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରନ୍ତି। ସେମାନଙ୍କୁ ଧରନ୍ତି ଯେଉଁମାନେ ଭାଟିବାଲାର ବ୍ୟକ୍ତିଗତ ସ୍ୱୀକୃତି ନେଇ ନଥାନ୍ତି। ଏ ଖୁଚୁରା ବିକ୍ରୟ କେନ୍ଦ୍ର କୁଠି ନାମରେ ପରିଚିତ ହୁଏ। ଏହି କୁଠି ଭ୍ରଷ୍ଟ ପୋଲିସ ଅଧିକାରୀଙ୍କ ସୂଚନା କେନ୍ଦ୍ର ଭାବେ କାମକରେ। ଲୋକେ ଏଠାରେ ମଦ ପିଅନ୍ତି। ଭଲମନ୍ଦ କଥା ହୁଅନ୍ତି। ଏ କୁଠିରେ ପୋଲିସ୍‌ର ଏଜେଂଟ ଖବର ସଂଗ୍ରହ କରେ। ଦରକାର ପଡ଼ିଲେ ସାମାନ୍ୟ ମନୋମାଳିନ୍ୟକୁ ଝଗଡ଼ାର ରୂପ ଦିଏ। ଥାନାରେ କେଶ୍ କରାଏ। ପୋଲିସକୁ ଖବର ଦିଏ ଆଉ ଆୟ ବି। ଭୋଟ ବେଳେ ଏପରି କୁଠିମାନଙ୍କ ଅବସ୍ଥିତି ହିଁ ପୋଲିସ ପେଟ୍ରୋଲିଂର ନକ୍ସା ହୁଏ। ଏପରି ପୋଲିସ ଅପ୍ରୀତିକର ପରିସ୍ଥିତିର ନିୟନ୍ତ୍ରଣ ବି କରିପାରେ।
ଏପରି ଅନେକ ବ୍ୟବସ୍ଥିତ ପରମ୍ପରାରୁ ବିଛିନ୍ନ ହୋଇଗଲା ଅହଲ୍ୟାର ତିନୋଟି ଗ୍ରାମ ପଞ୍ଚାୟତ। ଅଞ୍ଚଳରୁ ମଦ ବନ୍ଦ ହୋଇଗଲା ପରେ ମହୁଲ ବେଟୁଥିବା ଅହଲ୍ୟାମାନେ ଘରେ ଟଙ୍କା ରଖିଲେ। ମହୁଲ ଟଙ୍କା ରହିବା ସହ ସେ ଟଙ୍କା ବି ରହିଗଲା ଯାହା ଅନ୍ୟ ପନ୍ଥାରୁ ଆୟ ହୋଇଥିଲା। ଅହଲ୍ୟା କେଜିଏ ମହୁଲ ବିିକି ପାଏ ପାଂଚଟଙ୍କା। ସେ ମହୁଲରେ ତିଆରି ମଦକୁ କିଣେ କୋଡ଼ିଏ ଟଙ୍କାରେ। ଏପରି କ୍ରମାଗତ ଅହଲ୍ୟାମାନେ ଘରୁ ପଇସା ଦିଅନ୍ତି। ଯେଉଁ ଅହଲ୍ୟାମାନେ ମହୁଲ ନ ଗୋଟେଇ ଶ୍ରମକରନ୍ତି, ସେମାନଙ୍କ ଅବସ୍ଥା କଣ ହେଉଥିବ। ମୁଣ୍ଡପିଛା ଆୟ ଓଡ଼ିଶାରେ ୧୬ ଟଙ୍କା। ଶହେରୁ ଅଶୀ ପରିବାର ଦିନକୁ ଖର୍ଚ୍ଚ କୋଡ଼ିଏ ଟଙ୍କାରୁ ବି କମ୍ । ଏହି ପରିସ୍ଥିତିରେ ମଦ କଣ କରୁ ନଥିବ! ଓଡ଼ିଶାରେ ଦୁଇକୋଟି ଲିଟର ମଦ ପ୍ରସ୍ତୁତି ପଛରେ କେତେ ଅହଲ୍ୟାର ପରିବାର ମହୁଲ ଗୋଟେଇ, ଶୁଖେଇ କୁଚିଆକୁ ଦେଉଥିବେ। ଏ ଅର୍ଥନୀତି ଟିକିଏ ଭାବିଲେ ସ୍ୱଷ୍ଟ ହୋଇଯିବ। ଏହା ହିଁ ନିୟତି ପ୍ରାୟ ହୋଇଯାଏ ଅହଲ୍ୟାମାନଙ୍କ ନିକଟରେ। ଲକ୍ଷ୍ମୀଧର ନାୟକ ରଖିଥିବା ଗୁଡ଼ ମୂଷା ଖାଇଗଲା। ମହୁଲର ଖାଦ୍ୟଗୁଣ ଅଛି। ମଣିଷ ପାଇଁ, ଗାଈ ପାଇଁ; ଏକଥା ଲକ୍ଷ୍ମୀଧର ନାୟକ ଜାଣିଲା, ବଡ଼ ବଡ଼ ବିସ୍କୁଟ କମ୍ପାନୀକୁ ଚିଠି ଲେଖିଲା। ଉତ୍ତର ଆସିଲାନି।
ଉତ୍ତର ଆସିଲାନି ଅହଲ୍ୟା ପାଖକୁ। ନାୟକ ବାବୁ ଶୁଣେଇ ପାରିଲେନି ଅହଲ୍ୟାକୁ ତା’ ସ୍ୱାମୀ କରୁଥିବା ପରିବା ଘରେ ଘରେ ଅନ୍ନ ହୁଏ। ତା’ ଗୋଟାଉଥିବା ମହୁଲ ଦେଶ ବିଦେଶରେ ବିସ୍କୁଟ ହେବ। ମଦର ତାଣ୍ଡବ ଖାସବାହାଲରେ ହେବନି, ଅନ୍ନପୂର୍ଣ୍ଣାର ଆଶୀର୍ବାଦ ହୋଇ ପେଟ ଭରିବ। ଲୋକେ ସବଳ ହେବେ। ତୋ’ଘରକୁ ସେ ସ୍ୱପ୍ନମାନ ଆସିବେ ଯାହାକୁ ତୁ ଖୋଜୁଛୁ, ତୋ ଛୋଟ ଛୋଟ ଦଳମାନଙ୍କୁ ନେଇ। ବେପାରୀ ଦେଖିଲା ଗୋଟିଏ ବଡ଼ ଅଞ୍ଚଳରେ ମଦ ବେପାର ବନ୍ଦ ହୋଇଗଲା। କୁଠି ବନ୍ଦ ହେଲା। ମଦୁଆ ମଦ ପାଇଲେ ଅହଲ୍ୟାର ତାକତ ରହିବନି। ତାର ମାନ୍ୟତା ଗଡ଼ିବ ଖାସବାହାଲ ଦାଣ୍ଡରେ। ଖଡ଼ିଆଳ ଭାଟି ଅଧିନରେ ଗୋଟିଏ ବିକ୍ରୟକେନ୍ଦ୍ର ଚଚରାଭଟା ଗାଁରେ ଖୋଲାଯିବାର ଅନୁମତି ମିଳିଲା। ଅହଲ୍ୟାର ସଙ୍ଗଠନ ଏହାକୁ ବିରୋଧ କଲା। ସରପଂଚଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖାହେଲା। ଫଳ କିଛି ହେଲାନି, ବିକ୍ରୟକେନ୍ଦ୍ର ଖୋଲିଲା। କାହାର କିଛି କରିବାର ନଥିଲା। ତିନୋଟି ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇ ଚଚରାଭଟା ମଦ ବିକ୍ରୟ କେନ୍ଦ୍ରକୁ ଭାଙ୍ଗିଦେଲେ। ଏହା ପୂର୍ବରୁ ନୂଆପଡ଼ା ତରବୋଡ଼ ମଦଭାଟି ଭାଙ୍ଗିଥିଲେ ସେଠାକାର କ୍ରୁଦ୍ଧ ମହିଳାମାନେ। କାରଣ ଧରପଗଡ଼ ନାଁରେ ଅବକାରୀ ବିଭାଗ ଓ କୋମନା ପୋଲିସ ଜଣେ ଝିଅ ଓ ଜଣେ ମହିଳାପ୍ରତି ଅସଦଆଚରଣ କରିଥିଲେ। ୨୦୦୫ ମାର୍ଚ୍ଚ ୨୫ ତାରିଖ ଏହିଘଟଣାର ପୁନରାବୃତ୍ତି ହେଲା ଚଚରାଭଟାରେ। ମାସେ ପରେ ଏପ୍ରିଲ ୧୩ ତାରିଖ ଭୋରରୁ ଅହଲ୍ୟାକୁ ଗିରଫ କରାଗଲା। ଏହାର ପ୍ରତିବାଦରେ ୧୪ ତାରଖ ଦିନ ହଜାର ହଜାର ମହିଳା ଖଡ଼ିଆଳ-ଭବାନୀପାଟଣା ରାଜରାସ୍ତା ବନ୍ଦ କଲେ। ଏହିଦିନ ତହସିଲଦାର ନିଜେ ଚଚରାଭଟା ବିକ୍ରୟକେନ୍ଦ୍ରକୁ ବନ୍ଦ କରିବାର ପ୍ରତିଶ୍ରୁତି ଦେଲେ।
ଗତ ରଥଯାତ୍ରା ଦିନ ଏହି ବ୍ରାଞ୍ଚ ପୁଣି ଚାଲିଲା। ୫ ମଇ ୨୦୦୮ ଦିନ ଗ୍ରାମ ପଞ୍ଚାୟତର ମହିଳାମାନେ ଖଡ଼ିଆଳ-ଭବାନୀପାଟଣା ରାଜରାସ୍ତା ପୁଣି ଅବରୋଧ କଲେ। ଏଥର ଅବକାରୀ ବିଭାଗ ପ୍ରତିଶ୍ରୁତି ଦେଲେ ବିକ୍ରୟକେନ୍ଦ୍ର ବନ୍ଦ ରହିବ। ପରେ ଏହା ପୁଣି ଖୋଲିଲା।
ଏହି ଖୋଲିବା, ବନ୍ଦ ହେବାର ପ୍ରକ୍ରିୟା ଅନବରତ ଚାଲିବ। ଅହଲ୍ୟାକୁ ଡରଉଥିବା ମଦ ଅସୁର ଯାହାକୁ ସକାଳୁ ଉଠିଲେ ଦେଖେ ଅହଲ୍ୟା ମହୁଲ ଗଛତଳେ, ଯୁବା ବିଧବାର ଆଖିରେ, ଖାସବାହାଲ ଗାଁର ଦ୍ୱାରେ ଦ୍ୱାରେ। ଅହଲ୍ୟା ନିଜର ସଂସାର ଚଳେଇବ, ମହୁଲ ଗୋଟେଇବ। ସେ ଲୋକକୁ ବିକିବ, ଯାହାକୁ ବିକୁଥିଲା। ସେତିକି ପାଇବ, ଯେତେ ସେ ଲୋକ ଦେବାକୁ ଚାହିଁବ। ନିଆଁ ଜାଳିବା ପରି ନିତିଦିନିଆ କାମ ହୋଇଯିବ ଅହଲ୍ୟାର, ଅସୁରକୁ ତଡ଼ିବ। ଅସୁର ଯିବ, ଆସିବ। ନିଆଁ ନ ଜାଳିଲେ ପରିବାର ଭୋକରେ ମରିବ। ଲକ୍ଷ୍ମୀଧରର ସାତ ଦିନକୁ ମୂଷା ଖାଇଯିବ। ଅହଲ୍ୟାର ଯୁଗ ଯୁଗକୁ ମଦ। ଦୁହେଁ ଚିନ୍ତା କରିବେ। ଜଣେ ରାଜଧାନୀରେ ଅହଲ୍ୟାର କଥା ଚିନ୍ତା କରିବ। ଅହଲ୍ୟା ଚିନ୍ତା କରିବ ଖାସବାହାଲରେ ଖାସବାହାଲର କଥା। ଲକ୍ଷ୍ମୀଧର ବିସ୍କୁଟବାଲାର ଚିଠିକୁ ଟାକିବ। ଅହଲ୍ୟାର ଗୁଡ଼କୁ ଟାକିବ। ଅହଲ୍ୟା କିନ୍ତୁ କାହାକୁ ଟାକିବନି। ନା ଲକ୍ଷ୍ମୀଧରକୁ ନା ସରକାରକୁ। ସେ ଘର ଘର ବୁଲି ମାଇପମାନଙ୍କୁ ବୁଝେଇବ ଭଲମନ୍ଦ କଥା। ଭାଟି ଭାଙ୍ଗିବ। ଅସୁରକୁ ତଡ଼ିବ।

୧୭
ବଜାର

‘ଶତାବ୍ଦୀ’ ୧୫, ଡିସେମ୍ବର ୨୦୦୦ ସଂଖ୍ୟାରେ ଦାଦନ ଶ୍ରମିକ ସମସ୍ୟା ଉପରେ ମୋର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କଳାଟଙ୍କର କିଛି ମାଧ୍ୟମ ଓ ତାର ଆନୁମାନିକ ତାଲିକା ଦିଆଯାଇଥିଲା। ତାହାହେଲା…
ଶ୍ରମିକ ଚାଲାଣ- ପ୍ରତି ଶ୍ରମିକ ୨ ହଜାର ଟଙ୍କା ହିସାବରେ ହାରହାରି ୩ ଲକ୍ଷ ଶ୍ରମିକମାନଙ୍କ ବାବଦରେ ୬୦ କୋଟି ଟଙ୍କା ସର୍ଦ୍ଦାରମାନେ ଆଣନ୍ତି। ହାଇଦ୍ରାବାଦ ପହୁଞ୍ଚେଇବା ପାଇଁ ଜଣେ ଶ୍ରମିକକୁ ୬୦୦ ଟଙ୍କା ଖର୍ଚ୍ଚ ହୁଏ ଓ ପୋଲିସ, ଗାଁ କମିଟି, କ୍ଲବ ଓ ଟାଉଟରଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ ହୁଏ। ଲାଭ ପ୍ରତି ଶ୍ରମିକ ୧୦୦୦ ଟଙ୍କା। ମୋଟ ୩୦ କୋଟି ଟଙ୍କା।
ସାଧାରଣ ବଣ୍ଟନ ବ୍ୟବସ୍ଥା- ମୋଟ ଲାଭ ଚାଉଳରୁ- ୩ କୋଟି, ଚିନିରୁ ୨୪ ଲକ୍ଷ ଓ କିରୋସିନରୁ ୪୮ ଲକ୍ଷ। ମୋଟ ୩.୭୨ କୋଟି ଟଙ୍କା।
ସୁଧ- ପାଖାପାଖି ୧୦ କୋଟି ଟଙ୍କାର ସୁଧ କାରବାର ହୁଏ। ପ୍ରତି ମାସ ୧୦ ପ୍ରତିଶତ ହିସାବରେ ବର୍ଷକୁ ୧୨ କୋଟି ଟଙ୍କା।
ବଜାର- ଟିକସ ଫାଙ୍କି ଇତ୍ୟାଦିରୁ ୧୦୦ କୋଟି ଟଙ୍କା ବ୍ୟବସାୟ ହୁଏ। ୧୦ ପ୍ରତିଶତ ଲାଭରେ ମୋଟ ୧୦ କୋଟି ଟଙ୍କା ।
ସରକାରୀ କାମ- ୨୫ କୋଟି ଟଙ୍କାର କାମ ହୁଏ। ଫାଙ୍କା ଯାଏ ୧୨ ପ୍ରତିଶତ କମିସନ। ଲାଭ- ୩ କୋଟି।
ଜଙ୍ଗଲ- ୧୫ କୋଟି ଟଙ୍କାର କାଠ, ଗଞ୍ଜେଇ, ବନ୍ୟଜନ୍ତୁ, ଲଘୁ ବନଜାତ ଦ୍ରବ୍ୟ ଇତ୍ୟାଦି।
ମୂଲ୍ୟବାନ ପଥର- ୧୦୦ କୋଟି ଟଙ୍କାର କାରବାରରୁ ଏ ଅଞ୍ଚଳକୁ ମିଳେ ୨୫ କୋଟି।
ମଦ- ବର୍ଷକୁ ୧ କୋଟି ଟଙ୍କା ଲାଭ।
ମୋଟ- ୧୦୦ କୋଟି ଟଙ୍କା।
ସରକାରୀ କର୍ମଚାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଏକ ବ୍ୟବସ୍ଥିତ ସମ୍ପର୍କ ଏହି ଟଙ୍କାକୁ ନିଜ ଅକ୍ତିଆରରେ ରଖନ୍ତି। ଏହି ଟଙ୍କା ସଂଗ୍ରହ ହୁଏ ସାଧାରଣ ଲୋକଙ୍କ ସମ୍ପଦାରୁ। ଏହି ସାରଣୀ ପାଖାପାଖି ଗୋଟିଏ ଦଶନ୍ଧି ପୁରୁଣା। ଏହା ଗୋଟିଏ ସୀମିତ ଅଞ୍ଚଳର ପରିସଂଖ୍ୟାନ ଅଟେ କେବଳ।
ଏପରି କାହିଁକି ହୁଏ? ଏ ପ୍ରଶ୍ନ ଉପରେ ଅନେକ ପ୍ରଶ୍ନ ଉଠିବ ସିନା; କିନ୍ତୁ ଏହା ହେଇ ଆସୁଛି, ଏଇଟା ହିଁ ସତ୍ୟ। ଏ ସତ୍ୟ ସେତେ ପୁରୁଣା ନୁହେଁ।
ଯେଉଁ ଭୌଗଳିକ ଅଞ୍ଚଳର କଥା ମୁଁ କହୁଛି ସେଠାରେ ସମ୍ପତ୍ତି ରଖିବା ଅପରାଧ ନଥିଲା। ଏହା ବିପଦ ଥିଲା। ଚୋର ଡକାୟତ ନେଇଯିବାର ଭୟ ଅଥବା ରାଜା ନେଇଯିବାର ଭୟ। ତେଣୁ ଲୋକେ ନିଜର ତଥା ନିଜ ଉତର ପୁରୁଷଙ୍କ ପାଇଁ ସୁନା, ରୁପା ଓ ମୁଦ୍ରାକୁ ମାଟି ଭିତରେ ପୋତି ରଖୁଥିଲେ। ପଶ୍ଚିମ ଓଡ଼ିଶାକୁ ବାହାରୁ ଆସି କୁର୍ମି ସମ୍ପ୍ରଦାୟର ଲୋକେ ଜଳାଶୟ ଖନନ କରୁଥିଲେ। ଜଳାଶୟର ପ୍ରକାର ଭେଦ ଜ୍ଞାନ ରଖିବା ଏମାନଙ୍କ ବଂଶ ପରମ୍ପରା। ଏମାନେ ନିଜ ପାରିଶ୍ରମିକ ସୁନା ଆକାରରେ ନେଉଥିଲେ। ଯାହାକୁ ଏକ ସ୍ୱତନ୍ତ୍ର କୌଶଳ ପ୍ରୟୋଗ କରି ତୁଠ ପଥର ଭିତରେ ରଖୁଥିଲେ। ଯାହାକୁ ତାଙ୍କର ଉତରପୁରୁଷ ଆସି ସଂଗ୍ରହ କରୁଥିଲେ।
ଏ ମାଟି ଓ ପଥର ଭିତରର ଟଙ୍କା ପରିଶ୍ରମର ଟଙ୍କା। ଏହା ସେ ସମୟର ସଞ୍ଚୟର ଏକ ମାଧ୍ୟମ। ଏଇଟା ସେ ସମୟର କଥା ଯେତେବେଳେ ଜମି ଏବଂ ଗୋ-ସମ୍ପଦ ସମୃଦ୍ଧିର ମାପକ ଥିଲା।
ସ୍ୱାଧୀନତାର କିଛି ସମୟ ପୂର୍ବରୁ ଅଣଓଡ଼ିଆମାନେ ବ୍ୟବସାୟ କରି ନିଜକୁ ପ୍ରତିପାଳିତ କରିବା ପାଇଁ ଆସିସାରିଥିଲେ। ଏମାନେ ଆସିଲାପରେ ଅଞ୍ଚଳର ବ୍ୟବସାୟିକ ସୁଗମତା ଦେଖି ନିଜ ନିଜର ପରିଜନଙ୍କୁ ଆଣିଲେ। ଗୋଟଏ ଗୋଟିଏ କ୍ଷେତ୍ରରେ ଏମାନେ ରହିଲେ। ଏମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଚଳେଇଲେ।
ଅଣଓଡ଼ିଆମାନେ ଆସିବା ପୂର୍ବରୁ ମୁଖ୍ୟତଃ ଶସ୍ୟଉପରେ ନେଣଦେଣ ଓ ବ୍ୟବସାୟ ଭୁଲିଆ ସମ୍ପ୍ରଦାୟର ଲୋକ କରୁଥିଲେ। ଏହାସହ ଗ୍ରାମ୍ୟ ସାମନ୍ତମାନେ ମଧ୍ୟ ଏହି ନେଣଦେଣ କାରବାର କରୁଥିଲେ। ଏହା ମୁଖ୍ୟତଃ ଶସ୍ୟକ୍ଷେତ୍ରରେ ସୀମିତ ଥିଲା। ଯଦି ଏହା ସୁନାକ୍ଷେତ୍ରକୁ ଆସୁଥିଲା ତାହା ବି ଶସ୍ୟ ଆକାରରେ ହିସାବ ହେଉଥିଲା। ଅଣଓଡ଼ିଆମାନେ ଆସି ବ୍ୟବସାୟ କଲାବେଳକୁ ପ୍ରଥମେ ଭୁଲିଆ ସମ୍ପ୍ରଦାୟର ବ୍ୟବସାୟ ସହିତ ପ୍ରତିଯୋଗିତା ଚଳେଇଲେ। ଏମାନେ ମୁଖ୍ୟତଃ ମାରୱାଡ଼ି ଥିଲେ।
କ୍ରମାଗତ ମରୁଡ଼ି ମହାଜନୀ କାରବାରକୁ ପୁଷ୍ଟ କଲା ଏବଂ ଉଭୟେ ଭୁଲିଆ ଓ ମାରଓା୍ୱଡ଼ି ସମ୍ପ୍ରଦାୟଙ୍କ ବ୍ୟବସାୟ ଠିକ ଚାଲିଲା।
୧୯୬୫ ମସିହା ଥିଲା ମହାଜନୀ କାରବାରର ସ୍ୱର୍ଣ୍ଣିମ ସମୟ। କେବଳ ଏତିକି ତଫାତ ରହିଲା- ଭୁଲିଆ ସମ୍ପ୍ରଦାୟ ଏବଂ ଗ୍ରାମ୍ୟ ସାମନ୍ତଙ୍କ ଭାଗ ମାରଓା୍ୱଡ଼ି ସମ୍ପ୍ରଦାୟ ସହିତ ଭାଗ କରିବାକୁ ପଡ଼ିଲା। ଏ ସମୟକୁ ସାମ୍ନା କରିଥିବା ଲୋକେ କହନ୍ତି କେବଳ ସୁନାକୁ ହାତରେ ଧରି ମହାଜନମାନେ ତାର ଓଜନ ଓ ମୂଲ୍ୟ ଧାର୍ଯ୍ୟ କରୁଥିଲେ। ସଙ୍କଟରେ ପୀଡ଼ିତ ଲୋକଙ୍କ ପାଇଁ ତାହା ଥିଲା ଆଶୀର୍ବାଦତୁଲ୍ୟ। ବିଚରା ଭୋକିଲା ମଣିଷକୁ ଖାଦ୍ୟ ଦରକାର। ସୁନା ତା’ପାଇଁ ସର୍ବାଦୌ ଗୌଣ ହିଁ ଥିଲା।
ଏ ମରୁଡ଼ି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନୂଆପଡ଼ା, ଖଡ଼ିଆଳ ଏବଂ ବଙ୍ଗୋମୁଣ୍ଡା ଗସ୍ତରେ ୧୩ ମଇ ୧୯୬୬ ମସିହାରେ ଆସିଲେ। ଅଞ୍ଚଳର ସବୁଠୁ ବେଶି ପୀଡ଼ିତ ସ୍ଥାନ ବଙ୍ଗୋମୁଣ୍ଡା ହରିଜନପଡ଼ାର ପରିସ୍ଥିତି ଦେଖି ଏହାର ତତ୍କାଳ ସମାଧାନ ପାଇଁ ଜଙ୍ଗଲକୁ ରିଲିଫ ଆକାରରେ ଘୋଷଣା କଲେ।
ଏହି ଘୋଷଣା ପରେ କିଛି ଚାଲବାଜ ଲୋକ ରାତାରାତି ଲକ୍ଷପତି ହୋଇଗଲେ। ଖାଦ୍ୟ ଓ ସାମାନ୍ୟ ଅର୍ଥ ବଦଳରେ ଜଙ୍ଗଲର ବଡ଼ ବଡ଼ ମୂଲ୍ୟବାନ ଗଛ କାଟି ରାୟପୁର, କଲିକତା ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଗଲା ରେଳଗାଡ଼ିରେ। ଶାଳ, ହଳଦିଆ, ଶାଗୁଆନ, ମୁନ୍ଦେ, କରଲା, ଶିଶୁ ପରି ମୂଲ୍ୟବାନ ଗଛମାନ ନଷ୍ଟହେବାକୁ ସମୟ ଲାଗିଲା ନାହିଁ। ହଜାର ହଜାର ହେକ୍ଟର ଜଙ୍ଗଲଶୂନ୍ୟ ହୋଇଗଲା। ଏଠାରେ ପୁନଃ ବୃକ୍ଷରୋପଣ ହୋଇପାରିଲା ନାହିଁ। ଲୋକେ ଚାଷ ଜମି କଲେ।
ଏ ମୁଲ୍ୟବାନ ଗଛ ବାହାର ଲୋକଙ୍କୁ ଆକୃଷ୍ଟ କଲା। ସେମାନେ ଅଞ୍ଚଳର କିଛି ମୁଷ୍ଟିମୟ ଲୋକଙ୍କୁ ପ୍ରଶ୍ରୟ ଦେଇ ଜଙ୍ଗଲ ତସ୍କରୀ ଆରମ୍ଭ କଲେ। ଏହା ସହିତ ବନଜାତ ସାମଗ୍ରୀର ବଜାର ବାହାର ରାଜ୍ୟରେ ପ୍ରସ୍ତୁତ ହେଲା, ଯେଉଁଠାକୁ କ୍ରମାଗତ ଲଘୁ ଓ ଗୁରୁ ବନଜାତ ଦ୍ରବ୍ୟ ଚାଲାଣ ହେଲା। ହରବାଲ ବା ଉଦ୍ଭିଦଜ ଓøଷଧ ଓ ପ୍ରସାଧାନ ସାମଗ୍ରୀ ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ଯାହାକୁ ଏ ଅଞ୍ଚଳର ଜଙ୍ଗଲ ତସ୍କରୀ ମାଧ୍ୟମରେ ପୁରା କରାଯାଇପାରୁଛି। ଯାହାର ମୂଲ୍ୟ ହଜାରେ କୋଟି ଟଙ୍କାରୁ ଉର୍ଦ୍ଧ ହୁଏ।
ଏହା ଥିଲା ବାହ୍ୟ ବେପାର। ଏହି ବାହାରର ବଜାର ସହ ଅନ୍ୟ ଏକ ବଜାର ଯୋଡ଼ି ହେଲା, ସୁନା ବେପାର। ୧୯୬୫ ପରେ ପରେ ଅଞ୍ଚଳର ୬୦ଭାଗରୁ ଉର୍ଦ୍ଧ୍ୱ ସୁନା ସ୍ୱଳ୍ପ ଲୋକଙ୍କ ହାତରେ ରହିଲା। ସୁନାର ମୂଲ୍ୟ ଏବଂ ସାମାଜିକ ଗୁରୁତ୍ୱ ଏ ବେପାରକୁ ବହୁତ ସହଯୋଗ କଲା। ଲୋକେ ନିଜର ସମ୍ପତ୍ତିକୁ ଟଙ୍କା ଅପେକ୍ଷା ସୁନା ଆକାରରେ ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି। ଯାହାକୁ ସୌନ୍ଦର୍ଯ୍ୟ ଏବଂ ସମ୍ପଦା ଉଭୟେ ପାଇଁ ବ୍ୟବହାର କରାଯାଇଥାଏ। ଏ ବ୍ୟବସାୟରେ ଶୋଷଣ ପ୍ରକ୍ରିୟା ଅତି ସାଂଘାତିକ ସ୍ତରର। ସୁନା ବେପାରୀଠାରୁ କିଣିଲେ ଠିକ୍ ଚଳନ୍ତି ମୂଲ୍ୟରେ କିଣାଯାଇଥାଏ ଏବଂ ତାହାକୁ ବେପାରୀକୁ ଦେଲେ ପ୍ରକୃତ ମୂଲ୍ୟଠୁ ୧୫ ରୁ ୨୦ ପ୍ରତିଶତ କମ୍ ଦେଇ ବେପାରୀ କିଣିଥାଏ। ଏପରିକି ଆଜିକାଲିର ଗହଣା ଦୋକାନମାନଙ୍କରେ ସେହି କିଣିଥିବା ଗହଣାକୁ ସେହି ଦୋକାନରେ ବଦଳ କଲେ ୧୦ ପ୍ରତିଶତ ଦାମ କଟା ଯାଇଥାଏ।
ଅନେକ ଉଦାହରଣ ପୁଷ୍ଟ କରିସାରିଛି ଯେ ବହୁମିଶ୍ରିତ ସୁନା ବେଳେବେଳେ ନକଲି ବି ଲୋକଙ୍କ ନିକଟକୁ ଛଡ଼ା ଯାଇ ଏକାସଙ୍ଗେ ଲୋକଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସୁନା ସଂଗ୍ରହ କରାଯାଇଥାଏ। ବନ୍ଧକ ରଖୁଥିବା ସୁନାକୁ ହିଁ ଏପରି କରାଯାଇଥାଏ। ଏଠାକାର ଗ୍ରାମାଞ୍ଚଳର ୮୦ ପ୍ରତିଶତ ସୁନା ଅତି କମ ଲୋକଙ୍କ ନିକଟରେ ବନ୍ଧକ ଆକାରରେ ରହିଥାଏ। ନୂଆଖାଇଠୁ ଦଶହରା ଏବଂ ମାଘରୁ ଜ୍ୟେଷ୍ଠମାସ ପର୍ଯ୍ୟନ୍ତ ସମୟକୁ ଛାଡ଼ି। ଦେଖାଯାଇଛି ଲୋକଙ୍କ ସମ୍ପଦାର ୩୦ ପ୍ରତିଶତ ଅଂଶ ହେଉଛି ସୁନା। ବନ୍ଧକ ରଖିଲେ ତିନି ପ୍ରତିଶତ ସୁଧ ଦେବାକୁ ପଡ଼େ। ଭଲକରି ବିଚାର କଲେ ଦେଖାଯାଏ ଯେ ଏ ଅଞ୍ଚଳର ଲୋକେ ଗହଣା ପିନ୍ଧିବା ପାଇଁ ଧନୀକମାନଙ୍କୁ ପ୍ରତ୍ୟକ୍ଷ କର ଦେଇଥାନ୍ତି। ଏହା ଅଇନସମ୍ମତ ନୁହେଁ କୀନ୍ତୁ ‘ବଜାର ଆଇନ’ ହୋଇସାରିଛି। ଯାହାକୁ ପ୍ରତିବାଦ କରିବା କି ଅଭିଯୋଗ କରିବା ଲୋକଙ୍କ ପାଇଁ ଅତୀବ କଠିନ ଓ ଅସମ୍ଭବ।
ଜମି ହେଉଛି ଲୋକଙ୍କ ଆୟର ମୁଖ୍ୟ ସ୍ରୋତ। ଜମି ଓ ସୁନା ପରସ୍ପରକୁ ବ୍ୟବହାର କରି ଲୋକେ ନିଜର ଆଜୀବିକା ସଂଗ୍ରହ କରନ୍ତି। ରୋଗ, ବିବାହାଦି ଉପହାର ଏବଂ ଚାଷ ପାଇଁ ଲୋକେ ସୁନା ବନ୍ଧକ ରଖିଥାନ୍ତି। ଅନ୍ୟପଟେ ଜମିର ସ୍ଥିତି ସେତେ ସୁବ୍ୟବସ୍ଥିତ ନାହିଁ, ଯାହାକୁ ବୈଦ୍ୟନାଥ ମିଶ୍ର କମିଶନ ସ୍ପଷ୍ଟ କରିଦେଇଛନ୍ତି। ଉଡ଼େନ, ବୁଡ଼େନ, ବନ୍ଧା ପରି ନିୟମ ଫଳରେ ଦେଖାଯାଇଛି ଗାଁର ୪୦ ପ୍ରତିଶତ ପର୍ଯ୍ୟନ୍ତ ଜମି ସାମାନ୍ୟ କେତେଜଣଙ୍କ ହାତରେ ରହିଯାଇଛି। ଏପରି ବି ଉଦାହରଣ ବିରଳ ନୁହେଁ କାଗଜ ପତ୍ରରେ ଗୋଟିଏ ଗାଁରେ ଯେତେ ଚାଷୀ ଅଛନ୍ତି, ପ୍ରକୃତରେ ସେ ଗାଁରେ ସମସ୍ତ ଜମି ହାତଗଣତି କିଛି ଲୋକଙ୍କ ପାଖରେ ରହିଯାଇଛି। ଏହାର କୁପ୍ରଭାବ ଉନ୍ନତ କୃଷି ଏବଂ କୃଷିକ୍ଷେତ୍ରର ଉପଜ ଉପରେ ସିଧା ସିଧା ପଡ଼ୁଛି।
ଏଠାରେ ଅନ୍ୟ ଏକ ସମସ୍ୟା ଦେଖାଯାଏ। ଲୋକେ ଜାଳେଣି ପାଇଁ ଘସି ବ୍ୟବହାର କରନ୍ତି। ଘସି ଆଞ୍ଚଳିକ ଭାଷାରେ ଛେନା। ଗୋମହିଷାଦି କମ୍ ହେବା ଫଳରେ ଲୋକେ ଚରିଯାଇଥିବା ଗାଈର ଗୋବର ଆଣି ପକଉଛନ୍ତି। ଆଗରୁ ଏହା ଜମିରେ ଶୁଖି ସାରିଲେ ସଂଗ୍ରହ କରୁଥିଲେ। ମୁଖ୍ୟତଃ ଗୋମହିଷାଦି ଗୋଚର, ଆଁଟ ଓ ବେରନା ଜମିରେ ଚରନ୍ତି। ଆଁଟ ଓ ବେରନାରେ ‘ଗୁରଜି’ ଚାଷ ହୁଏ। ଯାହା ବର୍ଷା ପରେ ପରେ ଧାନ ଅମଳ ହେବା ପର୍ଯ୍ୟନ୍ତ ଲୋକଙ୍କ ମୁଖ୍ୟ ଖାଦ୍ୟ ହୁଏ। ଏହାକୁ ବିଦେଶୀମଦ(ହ୍ୱିସ୍କି) ପ୍ରସ୍ତୁତରେ ମଧ୍ୟ ଲଗାଯାଇଥାଏ। ଆଁଟରୁ, ବେରନାରୁ କଞ୍ଚା ଗୋବର ସଂଗ୍ରହ କରିବା ଫଳରେ ଏହି ଚାଷ ଉପରେ ବିଶେଷ ପ୍ରଭାବ ପଡ଼ୁଛି। ଗୋବର ଶୁଖିବା ପର୍ଯ୍ୟନ୍ତ ମାଟିରେ ରହିଲେ ତାର ସାରଯୁକ୍ତ ପାଣିକୁ ମାଟି ଶୋଷି ନିଏ। ଯା’ ଫଳରେ ମାଟିର ଉର୍ବରା ଶକ୍ତି ବଢ଼ିଥାଏ। ଚାଷ ଭଲହୁଏ। ଗୁର୍‌ଜି ଫସଲ ମଧ୍ୟ। ଏହା ହେବା ଦ୍ୱାରା ସିଧା ସିଧା ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପଡ଼ୁଛି। କିନ୍ତୁ ସରକାରଙ୍କୁ ଧନ୍ୟବାଦ, ଏହା ଉପରେ ଅବକାରୀ ନିୟନ୍ତ୍ରଣ ରଖିନାହାନ୍ତି।
ଏହି ଜମିର ଉପଜ, ବ୍ୟବସାୟ ହୁଏ ଅନ୍ୟମାନଙ୍କ ଦ୍ୱାରା। ଚାଷୀ ବିଭିନ୍ନ ଉପାୟରେ ଜମି ହରାଏ। ଯଦି ଚାଷ କଲା, ତା’ ହେଲେ ଋଣ ଆଣିବାକୁ ବାଧ୍ୟହୁଏ। ତାର ଅମଳକୁ କମ ଦାମରେ ବିକ୍ରି କରିଥାଏ। ଏହାକୁ କିଣି ଯେଉଁମାନେ ବ୍ୟବସାୟ କରନ୍ତି, ସେମାନେ ଚାଷୀ ନୁହଁନ୍ତି। ତେଣୁ ଚାଷୀ କେବେ ବି ଉଚିତ ମୂଲ୍ୟ ପାଇନଥାଏ। ଜମିର ଏହିପରି ଅବସ୍ଥା ଏବଂ ଅମଳର ଏହି ଏକଚାଟିଆ ବ୍ୟବସାୟ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ବେଶ ପ୍ରଭାବ ପକାଏ।
ଏହା ପଛକୁ ରହିଲା ଜଙ୍ଗଲଜାତ ଦ୍ରବ୍ୟ। ଜଙ୍ଗଲଜାତ ଦ୍ରବ୍ୟ ସେମାନେ ସଂଗ୍ରହ କରନ୍ତି ଯେଉଁମାନେ ପରମ୍ପରାଗତ ଭାବରେ ଆଗରୁ ସଂଗ୍ରହ କରୁଥିଲେ। ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଓ ବ୍ୟବସାୟ ଉପରେ ଯେତେ ବି ଆଇନ ବଦଳିଛି, ତାର କୌଣସି ପ୍ରଭାବ ମୂଳ ସଂଗ୍ରହକାରୀଙ୍କ ଉପରେ ପଡ଼ୁନି। ସେମାନେ ସେହି ଧାରାରେ ବ୍ୟବସାୟ କରନ୍ତି ଯେପରି ଆଗରୁ କରୁଥିଲେ। ଅର୍ଥାତ ବନଜାତ ଦ୍ରବ୍ୟର ଲାଭ ସବୁ ସେମାନେ ପାଇଥାନ୍ତି ଯେଉଁମାନ ଦଲାଲ ଅଥବା ପ୍ରକୃତରେ ଏହାର ବ୍ୟବସାୟ କରନ୍ତି।
ଦେଖାଯାଇଛି ଧାନକଟା ସମୟରେ ମଜୁରୀ ଏବଂ ସରକାରୀ କାମ କରିବାକୁ ଜଣେ ବି ଲୋକ ବାହାରି ନଥାନ୍ତି। କାରଣ ଧାନକଟା ବେଳେ ପାରିଶ୍ରମିକ ଶସ୍ୟ ଆକାରରେ ମିଳିଥାଏ। ଅର୍ଥାତ ଲୋକେ ନିଜର ଖାଦ୍ୟ ସୁରକ୍ଷାକୁ ଅଗ୍ରାଧିକାର ଦିଅନ୍ତି।
ବର୍ତ୍ତମାନ ଦେଖାଯାଉଛି ପାରମ୍ପାରିକ ବିହନ ଚାଷ ଆଉ ନାହିଁ। କେବିକେ ଜିଲ୍ଲା, ବରଗଡ଼ର ପଦମ୍‌ପୁର ଅଞ୍ଚଳ, ବୌଦ୍ଧ ଓ ଫୁଲବାଣୀର ଅଣଜଳସେଚିତ ଅଞ୍ଚଳରେ ପାରମ୍ପାରିକ ବିହନ ଅତି କମ୍‌ମାତ୍ରାରେ ଚାଷ ହେଉଛି। ଯାହା ପାଖାପାଖି ୨୦ ପ୍ରତିଶତ। ସରକାରୀ ବିହନର ପ୍ରସାର ଫଳରେ ଉପଯୁକ୍ତ ସମୟରେ ପାଣି ଓ ସାରର ଆବଶ୍ୟକତା ପଡ଼ୁଛି। ଧାନଗଛର ଉଚ୍ଚତା ମଧ୍ୟ କମ ରହୁଛି, ଫଳରେ ଗୋରୁଗାଈଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପଡ଼ୁଛି, ଫଳରେ ବଳଦ ଏବଂ ଗାଇ ମଇଁଷୀ ଯେଉଁମାନେ ପାରମ୍ପାରିକ ଚାଷରେ ଜମିପାଇଁ ମୁଖ୍ୟ ଅଙ୍ଗ ସେମାନଙ୍କ ଉପରେ ଚଷୀର ନିର୍ଭରଶୀଳତା କମିଯାଉଛି। ଟ୍ରାକ୍ଟର ଉପରେ ଲୋକ ଆସ୍ଥା ରଖୁଛନ୍ତି। ଏ ଟ୍ରାକ୍ଟର ସେମାନଙ୍କ ପାଖରେ ଅଛି ସାଧାରଣତଃ ଯେଉଁମାନେ ଧନୀକବର୍ଗର ସାମନ୍ତ ଲୋକ। ତେଣୁ ଲୋକ ପୂର୍ବରୁ ବୁଢ଼ା ବଳଦ ଓ ବୁଢ଼ୀଗାଈର ବି ଯତ୍ନ ନେଉଥିଲେ କିନ୍ତୁ ବର୍ତ୍ତମାନ ଏମାନଙ୍କୁ ବିକ୍ରି କରାଯିବା ଫଳରେ ଏ ବ୍ୟବସାୟ ଖୁବ ଯୋରରେ ଚାଲୁଛି।
‘ଉତ୍ସବ’ ଲୋକଙ୍କ ପ୍ରକୃତ ଆୟ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ। ନୂଆଖାଇ, ଦଶହରା, କୁଣାବରା, ବିବାହ, ଏକୋଇଶିଆ, ପୁଷ୍‌ପୁନୀ, ମାର୍ଗଶିର ଗୁରୁବାର ଇତ୍ୟାଦି ଉତ୍ସବମାନଙ୍କର ଆୟୋଜକ ହୁଅନ୍ତୁ ଅଥବା ଅତିଥି, ଏ ଉଭୟ କ୍ଷେତ୍ରରେ ସୁନା, ଶସ୍ୟ ଓ ଟଙ୍କା ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଲୋକେ ମହାଜନର ଦ୍ୱାରସ୍ଥ ହୋଇଥାନ୍ତି। ଏ ହେତୁରୁ ଟଙ୍କା ମହାଜନୀ କାରବାର ଖୁବ ଜୋରରେ ଚାଲେ। ମାସକୁ ୧୦ ପ୍ରତିଶତ ସୁଧ। ମହାଜନ ବାର୍ଷିକ ତାର ମୂଳଟଙ୍କାକୁ ୧୨୦ ଗୁଣ ଅଧିକ ବଢ଼େଇପାରେ। ଟଙ୍କା ଦେଇ ଟଙ୍କା ଆୟ କରିବାର ବିକୃତ ବ୍ୟବସାୟ ସାମାଜିକ ଅର୍ଥତନ୍ତ୍ରକୁ ରୋଗିଣା କରିଦିଏ। ଯେଉଁ ଟଙ୍କା ଉତ୍ପାଦନ କ୍ଷେତ୍ରରେ ବ୍ୟବହାର ହୋଇପାରେ ନାହିଁ, ତାର ପ୍ରଭାବ ସର୍ବଦା ବିଯୁକ୍ତ ହିଁ ହୋଇଥାଏ।
ଏହା ପଛକୁ ରହିଲା ଗଞ୍ଜେଇ, ମଦ ଏବଂ ମୂଲ୍ୟବାନ ପଥର କାରବାର। ଗଞ୍ଜେଇ ଏବଂ ମଦ ବାହାର ରାଜ୍ୟକୁ ଯାଏନାହିଁ। ଉପଜର ମାତ୍ର ୫ପ୍ରତିଶତ ବାହାର ରଜ୍ୟକୁ ଯାଉଥିବା ଅନୁମାନ କରାଯାଏ। ଭୌଗଳିକ ଦୃଷ୍ଟିକୋଣରୁ ଦୁଇ ରାଜ୍ୟର ସୀମାକ୍ଷେତ୍ରରେ ବ୍ୟବସାୟକୁ କଳା, ଅର୍ଥନୀତିରେ ଅନ୍ତଃରାଜ୍ୟ ଆଖ୍ୟା ଦିଆଯାଇ ପାରିବନାହିଁ। କାରଣ ଏହାର ଉପଭୋକ୍ତା ସ୍ଥାନୀୟ ଅଞ୍ଚଳର ହିଁ ହୋଇଥାନ୍ତି।
ରହିଲା ରତ୍ନପଥର। ରତ୍ନପଥର ଇତିହାସ କହେ ପୃଥିବୀରେ ୮୪ ପ୍ରକାରର ରତ୍ନ ରହିଅଛି। ଯେଉଁଥିରୁ ଦୁଇଟି ‘ପ୍ରବାଳ’ ଓ ‘ମୁକ୍ତା’ ସାମୁଦ୍ରିକ। ବାକି ୮୨ ପ୍ରକାର ଭୂମିଜ। ଏହି ୮୨ ପ୍ରକାର ରତ୍ନ ଛତିଶଗଗଡ଼ ଏବଂ ଓଡ଼ିଶା ସୀମାର ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ତଥା ପଶ୍ଚିମ ଓଡ଼ିଶାରେ ମିଳିଥାଏ। ଇବ ଓ ମହାନଦୀ ହୀରାର ବାହକ। ହୀରା ସଂଗ୍ରହ ପାଇଁ ସାତକୋଶିଆ ଗଣ୍ଡକୁ କୃତ୍ରିମ ଆକାରରେ ବ୍ୟବସ୍ଥିତ କରାଯାଇଥିବା ଯୁକ୍ତି କରାଯାଇଥାଏ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀ। ମହାନଦୀର କୁଦକୁ ହୀରାକୁଦ ନାମ ଦିଆଯାଇଛି। ଚଣ୍ଡାମରିଚ ତନ୍ତ୍ର ରତ୍ନାବଳୀରେ ସମ୍ବଲପୁର ସହରକୁ ‘ବଜ୍ରସତ୍ୱ କେଳିପୁରୀ’ ବୋଲି କୁହାଯାଇଛି। ଚାଣକ୍ୟ ଶାସକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଶାସନ ପରିଚାଳନା ପାଇଁ ଧନର ଆବଶ୍ୟକତା ପଡ଼ିଲେ ଇନ୍ଦ୍ରବନରୁ ରତ୍ନ ସଂଗ୍ରହ କରିବ। ଆଜି ବି ରତ୍ନ ପଥର କଟାଯାଉଥିବା ପ୍ରାଚିନ ଯନ୍ତ୍ରମାନ ମାରାଗୁଡ଼ା ଉପତ୍ୟାକାରେ ପଡ଼ିଥିବାର ଦେଖିବାକୁ ମିଳେ। ରତ୍ନପଥର ବୋଝେଇ ଲୌହପଥର ଯିବାପାଇଁ ଜୋଙ୍କନଦୀରେ ଲାକ୍ଷାସେତୁ ନିର୍ମାଣ ହୋଇଥିଲା। ଯା’ର ଧ୍ୱସାବଶେଷ ଆଜି ବି ଅଛି।
ଏହି ପ୍ରାଚିନତା ଧରିଥିବା ରତ୍ନଭୂମିର ରତ୍ନ ଉପେକ୍ଷିତ ପଡ଼ିରହିଲା। କିନ୍ତୁ ଏହାର ବ୍ୟବସାୟ ଉପରେ କେହି ବି ଅଙ୍କୁଶ ଲଗାଇପାରିଲେ ନାହିଁ। ବ୍ୟବସାୟ ଚାଲିଛି। ଶାସନ ବଦଳିଛି। କ୍ରମାନ୍ୱୟରେ ଶାସନଗାଦିରେ ବସୁଥିବା ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ କିଛି ହୁସିଆର ଧନୀକ ଲୋକ ଏ ବ୍ୟବସାୟକୁ ଭୂମିଗତ କରି ଚଳେ ରଖିଛନ୍ତି। ୧୯୯୫ମସିହାରେ ଗୋଟିଏ ଘରୋଇ ଗଣମାଧ୍ୟମ ପ୍ରକାଶ କରିଥିଲା ଯେ ଏ ଅଞ୍ଚଳରୁ ବାର୍ଷିକ ହଜାରେ କୋଟି ଟଙ୍କାର ରତ୍ନପଥର ତସ୍କରୀ ହୁଏ। ଯାହା ବାହାର ରାଜ୍ୟ ତଥା ବିଦେଶକୁ ଯାଉଥିବାର ଉଦାହରଣ ବି ଲୋକେ ଦିଅନ୍ତି। ଏ ରତ୍ନପଥର ବ୍ୟବସାୟ ଲୋକଙ୍କ ସାଧାରଣ ଚଳଣୀ ଉପରେ ଆଦୌ ପ୍ରଭାବ ପକାଇ ନଥାଏ। ଯେପରି ମଦ ଓ ଗଞ୍ଜେଇ ପୁରା ପ୍ରଭାବ ପକେଇଥାଏ। ତେଣୁ ଅନ୍ୟାନ୍ୟ ତସ୍କରୀ ଅପେକ୍ଷା ରତ୍ନପଥର ତସ୍କରମାନେ ଅଞ୍ଚଳର ଲୋକଙ୍କଠୁ ସୁରକ୍ଷା ଓ ସମ୍ମାନ ପାଇଥାନ୍ତି।
ଜଙ୍ଗଲ ଉପଜ ଏବଂ ଭୂମି ଉପଜ ବାହାରକୁ ଯାଇଥାଏ। ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତେଲ, ସାବୁନ, ପ୍ରସାଧନ, ମସଲା, କପଡ଼ା ଇତ୍ୟାଦି ବାହାର ରାଜ୍ୟରେ ପ୍ରସ୍ତୁତ ହୁଏ। ଯା’ର ବ୍ୟବସାୟ ଓଡ଼ିଶାରେ ମଧ୍ୟ ହୁଏ। ତୈଳବୀଜ ଓ ଅନ୍ୟାନ୍ୟ ମସଲା ଉଦ୍ୟୋଗ ପାଇଁ ଏ ଅଞ୍ଚଳର କଞ୍ଚାମାଲ ଏକ ବଡ଼ ଆବଶ୍ୟକତାକୁ ପୁରା କରିଥାଏ। ଯାହା ଭୂମିଗତ ହୋଇ ବାହାରକୁ ଯାଇଥାଏ। ଓଡ଼ିଶାରେ ଏପରି ଏକ ଭଲ ସାବୁନ ପ୍ରସ୍ତୁତ ହୁଏନି ଯାହାକୁ ସାଧାରଣ ଲୋକ ବ୍ୟବହାର କରିବେ। ଅତି କମ ପ୍ର୍‌ଡ଼କ୍ଟ ଓ ପ୍ରୋସେସିଂ ୟୁନିଟ ଓଡ଼ିଶାର ପାଞ୍ଚ ପ୍ରତିଶତ ଲୋକଙ୍କ ଆବଶ୍ୟକତା ପୁରାକରିବାରେ ଅସମର୍ଥ। ଅନ୍ୟପପକ୍ଷରେ ରହିଲା କପଡ଼ା। ଗଣାକପଟାକୁ ଲୁପ୍ତ କରାଗଲା, ଭୁଲିଆ କପଟାକୁ ସମୟ ସହ ଚଲାଗଲା ନାହିଁ। ସମ୍ବଲପୁରୀ କପଡ଼ାକୁ ଆଭିଜାତ୍ୟର ରଙ୍ଗ ଦିଆଗଲା କଳାର କ୍ଷେତ୍ରଭୁ୍‌କ୍ତ କରି। ତେଣୁ ମିିଲ କପଡ଼ାର ବଜାର ଲୋକଙ୍କୁ ଆକୃଷ୍ଟ କଲା। ଓଡ଼ିଶାରେ ଏପରି ଗୋଟିଏ ବି କପଡ଼ା ମିଲ ନାହିଁ।
ଏ ସମସ୍ତ କାରଣ ସହ ଅନ୍ୟ ଅନେକ ଛୋଟ ଛୋଟ କାରଣମାନ ଲୋକଙ୍କୁ ପଳାୟନ ପାଇଁ ବାଧ୍ୟ କଲା। କୃଷିକ୍ଷେତ୍ରରେ ଶ୍ରମିକ କମିଗଲେ। ଲୋକେ ଟ୍ରାକ୍ଟର ଉପରେ ନିର୍ଭର କଲେ। ଲାଭ ହେଲା ଧନୀକ ଓ ସାମନ୍ତମାନଙ୍କର। ଆବଶ୍ୟକତା ଓ ଉନ୍ନତି ପାଇଁ ଲୋକେ ବଡ଼ ବନ୍ଧ, ଆଲୁମିନିୟମ ଓ ଲୁହା କାରଖାନା ପାଇଁ ଆନ୍ଦୋଳନ କରନ୍ତି, ଆଇନ କରନ୍ତି କିନ୍ତୁ ଓଡ଼ିଶାର ଚାରିକୋଟି ଲୋକଙ୍କ ପାଇଁ ଏକ ସୁସ୍ଥ ବଜାର କି ସାଧାରଣ ଜୀବନମାନର କଥା ଚିନ୍ତା କରନ୍ତି ନାହିଁ। ଏମାନଙ୍କ ଆବଶ୍ୟକତା ଅନୁରୂପ ଉପଜ ଓ ସୁଯୋଗମାନଙ୍କ ସଦବ୍ୟବହାର କରାଯାଏ ନାହିଁ।
ଆମର ବ୍ୟକ୍ତିଗତ ବିଶ୍ଲେଷଣ ପୁଷ୍ଟ କରିଛି କେବିକେ ସମେତ ଆଖପାଖ ଜିଲ୍ଲାର ଉପଜ ବାର୍ଷିକ ପାଂଚହଜାର କୋଟି ଟଙ୍କାରୁ ଉର୍ଦ୍ଧ ଗୋଟିଏ ଭୂମିଗତ ବଜାର ସୁନିୟନ୍ତ୍ରିତ ଢଙ୍ଗରେ ଚାଲି ଆସୁଅଛି। ଏହି ବଜାରର କ୍ଷେତ୍ର ଓ ଏହାର ପରିଚାଳନା ଢଙ୍ଗକୁ ଦେଖିଲେ ଏ ବଜାର କ୍ଷେତ୍ରରେ ଅନାହାର ଏବଂ ପଳାୟନ ଗୋଯିଏ ସାଧାରଣ କଥା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସରକାରୀ କଳ ଓ ବ୍ୟାଙ୍କମାନଙ୍କର ଅସାଧୁ କର୍ମଚାରୀ ଏ ବଜାରର ଗୋଟିଏ ପ୍ରମୁଖ ସହଯୋଗୀ। ଭ୍ରଷ୍ଟ ପୋଲିସ ଓ ଜଙ୍ଗଲ ବିଭାଗ ଏହାର ରକ୍ଷାକର୍ତ୍ତା।
ଏହି ବଜାରର ସ୍ୱତନ୍ତ୍ରତା ହେଲା ଯେ ଏ ବହୁଧା ବିଭକ୍ତ ତଥା ମାନସିକ ସ୍ତରରେ ସଂଘବଦ୍ଧ ପରିଚାଳକମାନଙ୍କ ବିନା ସମର୍ଥନରେ ପ୍ରବେଶ ଓ ପ୍ରସ୍ଥାନ କେବଳ ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିରେ ପକେଇଥାଏ। ଯେପରି ସରକାର ମହୁଲ କେଜି ୩ ଟଙ୍କା ବଢ଼େଇ ୩୦ କୋଟି ଟଙ୍କା କ୍ଷତିରେ ପଡ଼ିଥିଲେ। ସେପରି ବ୍ୟକ୍ତିଗତ ଅନୁପ୍ରବେଶକୁ ମଧ୍ୟ ନିଆଯାଇପାରେ। ସବୁଠାରୁ ସାଂଘାତିକ କଥା ଏହା ଯେ ଏମାନେ ରାଜନୀତିକୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି। ଯେପରି ୨୦୦୬ ମସିହାରେ ଦାଦନ ଚାଲାଣରେ ନିୟନ୍ତ୍ରଣ ଆଣିବାର ଚେଷ୍ଟାରେ ଜିଲ୍ଲାପାଳ ଏବଂ ଏସପିଙ୍କ ଉପରେ ଚାପ ପଡ଼ିଥିବା କଥା ଗଣମାଧ୍ୟମମାନେ ପ୍ରମୁଖତାର ସହ ସ୍ଥାନ ଦେଇଥିଲେ। ପରେ ଦାଦନ ଆଇନରେ ପ୍ରଶାସନ ଏପରି ପରିବର୍ତନ କଲା ଯେ ଯାହା କେବେ ଲୋକେ ଚିନ୍ତା ବି କରିନଥିଲେ ଯେ ଶ୍ରମିକ ଚାଲାଣ ଏତେ ଖୋଲା ହୋଇପାରେ। ଆଇନକୁ ଏତେ ନିକୃଷ୍ଟ ସ୍ତର ପର୍ଯ୍ୟନ୍ତ ଖସା ଯାଇପାରେ। ଅଧ୍ୟୟନ କହେ ଏହି ବଜାରକୁ ନିୟନ୍ତ୍ରଣ କରିବା ଅପେକ୍ଷା ବ୍ୟାଘାତ କରାଯାଇଛି। କିନ୍ତୁ ଏହା ଏତେ ଦୃଢ଼ ଯେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହାର ଗତିରୋଧ ହୋଇନାହିଁ।
ଏହି ବଜାରରେ ପ୍ରତ୍ୟେକ ବ୍ୟକ୍ତି ପଣ୍ୟ ହୋଇଯାଇଛନ୍ତି। ଦାଦନ ଚାଲାଣ ନାମରେ ମଣିଷ ବ୍ୟବସାୟ ଏହାର ତତ୍କାଳ ଉଦାହରଣ ମାତ୍ର।
ଏହି ବଜାରର ସିଧା ଲାଭ ନେଉଛି ଛତିଶଗଡ଼। ଏଠାକାର ଚୋରା ବ୍ୟବସାୟ ସେଠାରେ ଧଳା ହୋଇଯାଉଛି।
କିନ୍ତୁ ଏ ବଜାରର କିଛି ଅଂଶ ଅମାନୁଷିକ ପ୍ରକ୍ରିୟା ଦ୍ୱାରା କବଳିତ। ଖାଇବା ତେଲ, ମୋବିଲ, ଗ୍ରିଜ ପରି ଜିନିଷରେ ଭେଜାଲ ହେବା ଯାହା ସାମ୍ନାକୁ ଆସିଛି। ଏହାସହ ତାଲିକା କେତେ ଦୀର୍ଘ ହୋଇପାରେ, ତାହା ଅନୁମାନ କରାଯାଇପାରେ। ଏହାର ଏକ ସାଂଘାତିକ ଦିଗ ଉନ୍ମୋଚନ ହେଲା ଗତ ୨୧, ଜୁଲାଇ ୨୦୦୭ ଦିନ। ନକଲି ଔଷଧ ପ୍ରସ୍ତୁତ ଓ ବିକ୍ରି ପାଇଁ ଶଙ୍କରଲାଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଗଲା। ଏହାସହ ଅନ୍ୟ ଚାରିଜଣଙ୍କୁ। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଶଙ୍କରଲାଲ ବ୍ୟତୀତ ଅନ୍ୟମାନେ ଜାମିନ ପାଇସାରିଲେଣି।
ଏ ଘଟଣା ଜଣାପଡ଼ିବା ପରେ ସାଧାରଣ ଲୋକ ଉତ୍ୟକ୍ତ ହେଲେ। ଘଟଣାର ରାଜନୀତିକରଣ ହେଲା। ସମଗ୍ର ଜିଲ୍ଲାରେ ୧୪୪ ଧାରା ଲାଗୁ ହେଲା। ପ୍ରଶାସନ ଅତି ବୁଦ୍ଧିମତାର ସହ ସମସ୍ତ ଅପ୍ରିତିକର ସ୍ଥିତିକୁ ନିୟନ୍ତ୍ରଣ କଲା। ତିନି, ଚାରି ମାସ ପରେ ଘଟଣାଟି ଶଙ୍କରଲାଲ ପରିବାର ଭିତରେ ସୀମିତ ହୋଇଗଲା। ନକଲି ଔଷଧ ବଜାରର ରୂପ କଣ ହେଲା (!) ଲୋକେ ଜାଣିପାରିଲେ ନାହିଁ ଅଥବା ଜାଣିବାକୁ ଚାହିଁଲେ ନାହିଁ।
ଅପ୍ରେଲ ୨୦୦୭ ଆଉଟଲୁକ ପତ୍ରିକାର ଗୋଟିଏ ପରିିସଂଖ୍ୟାନ ଅନୁସାରେ ବଲାଙ୍ଗିର ଜିଲ୍ଲାର ୧୮ ରୁ ୨୦ କି.ମି ମ୍ମରେ ୧୦ପ୍ରତିଶତ, ୧୨ ରୁ ୧୩କି.ମି ମଧ୍ୟରେ ୩୦ ପ୍ରତିଶତ, ୧୦ରୁ ୧୧ କି.ମି ମଧ୍ୟରେ ୧୦ ପ୍ରତିଶତ, ୬ ରୁ ୯କି.ମି ମଧ୍ୟରେ ୨୫ ପ୍ରତିଶତ ଓ ୨ ରୁ ୫ କି.ମି ମଧ୍ୟରେ ୨୫ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ର ରହିଅଛି। ଏ ଅନୁପାତରେ ହିଁ ଓଡ଼ିଶାର ଅବସ୍ଥା ଅନୁମାନ କରାଯାଇପାରେ। ସ୍ୱାସ୍ଥ୍ୟ ସେବାରେ ଏ ଯେଉଁ ବିରାଟ ଶୂନ୍ୟସ୍ଥାନ ରହିଅଛି, ଏହାକୁ କ୍ୱାକମାନେ ପୁରା କରିଥାନ୍ତି। ଏହି କ୍ୱାକମାନେ ଶଙ୍କରଲାଲର ବଡ଼ ସହଯୋଗୀ, ତା’ପଛକୁ ଅନ୍ୟମାନେ।
ପ୍ରତି ୧୦୦ଟି ଦୋକାନ ପାଇଁ ଜଣେ ଡ୍ରଗ ଇନ୍ସପେକ୍ଟର ରହିବା କଥା। ଓଡ଼ିଶାରେ ୧୫ ହଜାର ଔଷଧ ଦୋକାନ ଓ ହଜାରେରୁ ଉର୍ଦ୍ଧ ହୋଲସେଲର। ମାତ୍ର ଡ୍ରଗ ଇନ୍ସପେକ୍ଟରଙ୍କ ସଂଖ୍ୟା ୨୦। ଏ କ୍ଷେତ୍ରରେ ନିୟନ୍ତ୍ରଣ କଥା ଚିନ୍ତା କରାଯାଇପାରେ।
ଭାରତରେ ସିଡ୍ୟୁଲ ଓନନସିଡ୍ୟୁଲ ଦୁଇପ୍ରକାରର ଔଷଧ ତିଆରି ହୁଏ। ଦୁଇଟି ଔଷଧ ବୈଧ ଓ ନାମୀ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ। ସିଡ୍ୟୁଲ ମେଡ଼ିସିନ ୩୦ ପ୍ରତିଶତ ବଜାର ଅକ୍ତିଆର କରିଥିବା ବେଳେ ନନସିଡ୍ୟୁଲ ବା ଜେନେରିକ ମେଡ଼ିସିନ ୭୦ ପ୍ରତିଶତ ବଜାର ଅକ୍ତିଆର କରିଛି। ସିଡ୍ୟୁଲ ଔଷଧରେ ଅଧିକ ୧୦୦ ପ୍ରତିଶତ ପୋଷ୍ଟ ପ୍ରଡକ୍ସନ ମୂଲ୍ୟ ଯୋଡ଼ାଯାଏ। କିନ୍ତୁ ନନସିଡ୍ୟୁଲ ଔଷଧରେ ୫୦୦ ରୁ ୧୦୦୦ ପ୍ରତିଶତ ପର୍ଯ୍ୟନ୍ତ ପୋଷ୍ଟ ପ୍ରଡକ୍ସନ ମୂଲ୍ୟ ହେବାରେ ବାଧା ନଥାଏ। ଯାହା ବର୍ଷକୁ କୋଡ଼ିଏ ହଜାର କୋଟି ଟଙ୍କା ବ୍ୟବସାୟ କରେ। ଏହି ବଜାର ଭିତରକୁ ଶଙ୍କରଲାଲମାନଙ୍କୁ ପ୍ରବେଶ କରିବାକୁ ଅସୁବିଧା ହୁଏନାହିଁ। ଅତି ବେଶିରେ ଡ୍ରଗ ଇନ୍ସପେକ୍ଟରକୁ ବୁଝାଯାଇପାରିଲେ ଯଥେଷ୍ଟ, ଯାହା ଶଙ୍କରଲାଲ କରୁଥିବା ସ୍ୱୀକାର କରିଛି।
କେବଳ ବଲାଙ୍ଗିର ଜିଲ୍ଲାକୁ ଦେଖାଯାଉ। ୫୦ ଟି ହୋଲସେଲର ଏବଂ ୪୫୦ ଟି ଔଷଧ ଦୋକାନରେ ଦୈନିକ ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ। ଗୋଟିଏ ଘରୋଇ ଗଣମାଧ୍ୟମ କହେ ଦେଶର ୩୫ ପ୍ରତିଶତ ବଜାର ନକଲି ଔଷଧ ଦଖଲ କରିଛି।
ବଲାଙ୍ଗିରରେ ଧରପଗଡ଼ ହେଲାବେଳେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଲା। ପରିସ୍ଥିତି ସ୍ପଷ୍ଟ କଲା ଯେ ଜିଲ୍ଳାର ଔଷଧ ବଜାରରେ ୧୮କୋଟି ଟଙ୍କା ବର୍ଷକୁ ନକଲି ଔଷଧ ବେପାରୀ ପାଖକୁ ଯାଏ। ଯାହା ବଲାଙ୍ଗିର ଜିଲ୍ଲା ଲୋକଙ୍କ ମୁଣ୍ଡପିଛା ଆୟର ୧୫ ଦିନ। କେବଳ ଔଷଧରେ ଜଣେ ଲୋକର ୧୫ ଦିନ କଳାବଜାରକୁ ଚାଲିଯାଏ।
ସରକାରୀ ଆଇନରେ ଫାଙ୍କ ଓ କର୍ମଚାରୀଙ୍କ ସମର୍ଥନ ଦ୍ୱାରା ଶଙ୍କରଲାଲମାନେ ଏପରି ବ୍ୟବସାୟ ପାଇଁ ସାହସ କରନ୍ତି। ଆଇନ ଅଖିରେ ଯାହା ବି ହେଉ, କିନ୍ତୁ ଏମାନେ ବ୍ୟବସାୟୀ।
ଏମାନେ ସେ ବଡ଼ବଜାରର ଜଣେ ଜଣେ ଖାଉନ୍ଦ। ଏମାନଙ୍କ ମାନସିକତା ଏତିକି ନିକୃଷ୍ଟ ଯେ ସିଧା ସିଧା ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସଙ୍ଗେ ଜଡ଼ିତ। ଏଇଟା ଏ ଯୁଗର ସାଧାରଣ ଉପଚାରର ପ୍ରାରମ୍ଭିକ ବ୍ୟାଖ୍ୟା। ଏପରି ଏକ ବଜାରରେ ମଣିଷ ନାମକ ପଣ୍ୟମାନେ ଅଭିଯୋଗ କରିବେ କି ପ୍ରତିକ୍ରିୟା କରିବେ! କିନ୍ତୁ ପ୍ରଶ୍ନ ହେଲା ଯେ କହିବେ କାହାକୁ?

୧୮
ପୃଥିବୀର ଶେଷ ବରତନିଆ

ବଙ୍ଗୋମୁଣ୍ଡା ଜମିଦାର ଦୁଇଜଣ ଲୋକଙ୍କ ଦଣ୍ଡବିଧାନ କଲେ। ଦଣ୍ଡ ଥିଲା ଲୋକ ଦୁହିଁକୁ ଦୁଇ ଦୁଇ ଜୋତା ମାରିବା। ଦଣ୍ଡ ବିଧାନ ପରେ ଦୁହିଁକୁ ଗୋଟିଏ ଲେଖାଏଁ ମେଲଛା ଦେଇ ଜାତି ହେବାକୁ ନିର୍ଦ୍ଧେଶ ଦେଲେ। ସେ ସମୟରେ କୌଳିକ ବୃତ୍ତି ବହିର୍ଭୂତ କାମ କଲେ ସ୍ୱଜାତିରୁ ବାସନ୍ଦ ହେବାକୁ ପଡ଼ୁଥିଲା। ଜାତିରେ ମିଶିବା ପାଇଁ ନିଜ ଜାତିଭାଇଙ୍କ ସମ୍ମୁଖରେ ଅପରାଧ ସ୍ୱୀକାର କରି ତାଙ୍କୁ ଭୋଜି ଦେଇ ଆପ୍ୟାୟିତ କରିବାକୁ ପଡ଼ୁଥିଲା। ଏଠାରେ ସେ ଲୋକ ଦୁଇଜଣଙ୍କ ଅପରାଧ ଥିଲା ଯେ ସେମାନେ ନିଜ ଗାଈପାଇଁ ନିଜେ ଘାସ କାଟିଲେ। ଘାସକଟା କାମ ଘାସି ସମ୍ପ୍ରଦାୟର। ଲୋକ ଦୁଇଜଣ ଜଣେ ଘାସି ଲୋକର କର୍ମ ସୁଯୋଗକୁ ଅପହରଣ କରିବା ଅପରାଧରେ ଦଣ୍ଡିତ ହେଲେ। ଏଇ ଦୁଇଜଣ ଲୋକ ଗଉଡ଼ ସମ୍ପ୍ରଦାୟର ଥିଲେ।
ଆଉ ଏକ ବିଚାରରେ ଅନ୍ୟଜଣେ ଲୋକ ଜମିଦାରଙ୍କ ଦରବାରରେ ଦଣ୍ଡ ପାଇଥିଲା। କାରଣ ତା’ସ୍ତ୍ରୀ ଘରର ଲୁଗାପଟା ନେଇ ପୋଖରିରେ ସଫା କରିଥିଲା। ଲୁଗା ସଫା କାମ ଧୋବା ବ୍ୟତୀତ ଅନ୍ୟ କେହି କରିପାରିବ ନାହିଁ।
ଚଳନ୍ତି ସମୟରେ ଏତାଦୃଶ କାମକୁ ଅପରାଧ ପରିସରଭୁକ୍ତ କରାଯାଇ ପାରିବନାହିଁ। କିନ୍ତୁ ସେ ସମୟରେ ସମାଜ ବ୍ୟବସ୍ଥାର କର୍ମ ଅବଣ୍ଟନ କୁଳ ଆଉ ଜାତି ଆଧାରରେ ବ୍ୟବସ୍ଥିତ କରି ରଖାଯାଇଥିଲା। ଗୋଟିଏ ପରିବାର ଗାଁର ଅନେକ ପରିବାରର ସହଯୋଗ ନେଉଥିଲା।
ଗୋଟିଏ କୃଷକ ପରିବାରର କପଡ଼ା ଧୋବା ସଫା କରିବ, ବାରିକ ତାର ନଖ କାଟିବ, ବାଳ କାଟିବ। ସ୍ତ୍ରୀ ଲୋକର ନଖ ବାରିକାଣୀ କାଟିବ। ଘାସି ଗୋରୁ ପାଇଁ ଘାସ ଆଣିଦେବ। ତେଲି ପାରିବାରରେ ତେଲର ଆପୂର୍ତି କରିବ। ଗଉଡ଼ ଘିଅ ଦେବ ଆଉ ଖାଇବା ପାଣି ଆଣିଦେବ। କୃଷି ଉପକରଣକୁ ଲୁହୁରା ତିଆରି କରିବ ଅଥବା ମରାମତି କରିବ। ଜଣେ ଗଣା ଲୋକ କପଡ଼ା ତିଆରି କରିବ, ପୂଜା ପାର୍ବଣ ଅଥବା ବିବାହାଦିରେ ବାଜା ବଜେଇବ। ଉତ୍ସବ ମାନଙ୍କରେ କେଉଟ ଲିଆ, ଭୂଜା ଭାଜି ଦେବ। କୁମ୍ଭାର ମାଟିପାତ୍ରର ଆବଶ୍ୟକତା ପୁରା କରିବ। ସୁତରାଂ ଗୋଟିଏ ପରିବାରର ଆବଶ୍ୟକତାକୁ ଗାଁର ସମସ୍ତେ ମିଶି ପୁରା କରିବେ। ପ୍ରତିଟି ପରିବାର ଏହି ଗ୍ରାମ ପରମ୍ପରାରେ ପ୍ରତ୍ୟେକ ପରିବାରର ଦେଖାରଖା କରୁଥିଲେ। ଗାଁରେ ପରସ୍ପରର ସମ୍ବନ୍ଧ ଠିକ୍ ରହୁଥିଲା। ଧୋବାର ଯଦି କୌଣସି ଅନ୍ୟ ଜାତିର ଲୋକ ସହ ମନୋମାଳିନ୍ୟ ହୁଏ, ତା’ହେଲେ ଧୋବା ସେ ପରିବାରର କପଡ଼ା କାଚିବା ବନ୍ଦ କରୁନଥିଲା। ଯଦି ଏ କାମ ବନ୍ଦ କରେ, ତା’ହେଲେ ଗାଁରେ ଧୋବା ଦୋଷୀ ହେଉଥିଲା। କାମ ସାମୂହିକ, କିନ୍ତୁ ସମ୍ପର୍କ ବ୍ୟକ୍ତିଗତ। ଏହା ଥିଲା ଗ୍ରାମ୍ୟ ବ୍ୟବସ୍ଥାର ଏକ ବାହ୍ୟ ଚିତ୍ର। ଏହା ହିଁ ଗୋଟିଏ କାରଣ ଯେ ଗ୍ରାମ୍ୟ ବ୍ୟବସ୍ଥା ସଙ୍ଗଠିତ ଓ ଦୃଢ଼ ଥିଲା।
ଏ ଗ୍ରାମ୍ୟ ବ୍ୟବସ୍ଥାରେ ତେଲି, ମାଳି, ଧୋବା ଓ ଗଣା ସମ୍ପ୍ରଦାୟର ଦାୟିତ୍ୱ ବେଶି ବଢ଼ି ଯାଉଥିଲା। କାରଣ ଏମାନେ ଗୋଟିଏ ଗାଁ କେବଳ ନୁହେଁ, ନିଜର କୌଳିକ ବୃତ୍ତି ପାଇଁ ଏମାନେ ପାଖଆଖ ଅନେକ ଗାଁ ସହ ସମ୍ବନ୍ଧ ରଖୁଥିଲେ। ଏମାନଙ୍କ ଦ୍ୱାରା ଗାଁ ଗାଁରେ ଅନ୍ତଃସମ୍ବନ୍ଧ ସ୍ଥାପିତ ହେଉଥିଲା। ଏଥିଯୋଗୁଁ ଏମାନଙ୍କ ସମ୍ମାନ ବି ସମାଜରେ ବେଶ ଉଚ୍ଚରେ ଥିଲା। ଜାତିପ୍ରଥାରେ ବର୍ତମାନ ଗଣା ସମ୍ପ୍ରଦାୟକୁ ଅଲଗା ହିସାବରେ ବିଚାର କରୁଛନ୍ତି କିନ୍ତୁ ସେ ସମୟରେ ଏ ସମ୍ପ୍ରଦାୟର ଜଣେ ହିଁ ବିବାହାଦି ସମ୍ବନ୍ଧ ପାଇଁ ନିଜର ଶେଷ ନିଷ୍ପତି ଦେଉଥିଲେ।
ଏହି କର୍ମ ବିଭାଜନ ପ୍ରତିବଦଳରେ ପାରିଶ୍ରମିକ ମଧ୍ୟ ସେହି ଅନୁପାତରେ ଧାର୍ଯ୍ୟ ହେଉଥିଲା। ଫସଲ ଅମଳ ପରେ ପରିବାରର କାମ ଅନୁସାରେ ପାରିଶ୍ରମିକ ମିଳୁଥିଲା। ଧାନ ଅମଳ ପରେ ଖଳାରୁ ହିଁ ନିଜ ନିଜର ପାରିଶ୍ରମିକ ଆଣୁଥିଲେ। ଏହା ଦ୍ୱାରା ଫସଲ ଆବଣ୍ଟିତ ହେଉଥିଲା ଏବଂ ଜଣେ ବାରିକ ଧୋବାକୁ ମଧ୍ୟ ଫସଲ ଆକାରରେ ପାରିଶ୍ରମିକ ଦେଉଥିଲା ଏବଂ ଜଣେ ଧୋବା ବାରିକକୁ ଏହିପରି ଦେଇ ପାରୁଥିଲା। ଯଦି ସେ ବାରିକ ଓ ଧୋବା ପରିବାର ପରସ୍ପର ଉପରେ ନିର୍ଭର କରୁଥିଲେ, ତା’ହେଲେ ତାଙ୍କ ମଧ୍ୟରେ ବୁଝାମଣା ବି କାମ କରୁଥିଲା। ଏହି ବ୍ୟବସ୍ଥାକୁ କୁହାଯାଉଥିଲା ‘ବରତନିଆ’ା
ଜାତି ଅନୁସାରେ କର୍ମ ବଣ୍ଟନ, କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ସୁନ୍ଦର ଭାବରେ ପରିଚାଳିତ କରାଯାଇ ପାରୁଥିଲା। ଏପରିକି ବୈଦ୍ୟ, ଶିକ୍ଷକ, ନାଟକଗୁରୁ ମଧ୍ୟ ଏ ପରମ୍ପରା ଭିତରେ ସ୍ଥାନ ପାଇଥିଲେ। ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା କରାଯାଇ ପାରୁଥିଲା। ଧନୀ-ଗରିବର ମହତ୍ତ୍ୱ ସରିଯାଉଥିଲା।
ଏମାଙ୍କ ସମୟ ହିସାବ ହେଉଥିଲା ପୌଷ ପୂର୍ଣ୍ଣିମାକୁ। ଏହି ଦିନକୁ ମୂଳ କରି ଏମାନେ ନିଜର କାମର ହିସାବ କରନ୍ତି। ଏହିଦିନ ତାଙ୍କର ସମସ୍ତ ପାଉଣା ପାଇସାରିଥାନ୍ତି; ତେଣୁ ଏହିଦିନ ବର୍ଷର ଆରମ୍ଭ ହୁଏ। ନୂଆବର୍ଷ, ଏହାକୁ ଲୋକେ ଅତି ଆନନ୍ଦ ସହ ପାଳନ କରନ୍ତି। ଯାହାକୁ ଦେଖିଲେ କହନ୍ତିି, ‘ଛେ ଛେରଛେରା!’ ଆଜିବି ଏମାନେ କହୁଛନ୍ତି। ଏମାନଙ୍କ ସହ ଯେଉଁମାନେ ବରତନିଆ ନୁହଁନ୍ତି, ସେମାନେ ମ୍ମ। ସମସ୍ତେ ପାଳନ କରନ୍ତି ଛେରଛେରା। ଏହିଦିନ କୌଣସି ଦେବୀ ପୂଜା ହୁଏ ନାହିଁ। ଏ ଦିନ କେବଳ ସମସ୍ତେ ମଜା କରନ୍ତି। ଖୁସି ମନାନ୍ତି। ପିଠାପଣା ଇତ୍ୟାଦିର ଅଭାବ ରହେନି ଘରେ ଘରେ।
ସ୍ଥାନିୟ କୃଷି ସଂସ୍କୃତିରେ ଏହିଦିନ ଖଳା ଛଡ଼ାହୁଏ। ଏହିଦିନ ସମସ୍ତଙ୍କ ପାଉଣା ଦେଇ ଚାଷୀ ବର୍ଷକର ଦାୟିତ୍ୱରୁ ମୁକ୍ତ ହୁଏ ଓ ବରତନିଆ ନିଜର ପାଉଣା ନେଇ ବର୍ଷକର ଦାୟିତ୍ୱ ବହନ କରିପାରୁଥିବାରୁ ଖୁସି ମନାଏ। ଜ୍ୟୋତିଷ ମତରେ ରବି ପୁଷ୍ୟା ନକ୍ଷେତ୍ରରେ ଥାଇ ଯେଉଁ ପୂର୍ଣ୍ଣିମା ପଡ଼େ ତାହାକୁ ପୁଷ୍‌ପୁନୀ କହନ୍ତି। ଏହିଦିନ ଜ୍ୟୋତିଷ ଗଣନା ଆରମ୍ଭ କରାଯାଇପାରେ ନାହିଁ। କିନ୍ତୁ କୃଷିକ୍ଷେତ୍ରରେ ଶାରଦୀୟ ଚାଷର ଶେଷ ଦିନ ଓ ରବିଚାଷର ଆରମ୍ଭ ଦିନ ହିସାବରେ ଜ୍ୟୋତିଷ ଶାସ୍ତ୍ର ନିଜର ମତ ଦିଏ। ଏହା ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ପର୍ବ, ବିଜ୍ଞାନସମ୍ମତ ଲୋକପର୍ବ।
ସମୟ କ୍ରମେ ଏହି ସମାଜ ବ୍ୟବସ୍ଥା ବିଭିନ୍ନ କାରଣରୁ ଭାଙ୍ଗିଗଲା। କିନ୍ତୁ ଆଜିବି ବଙ୍ଗୋମୁଣ୍ଡା ଗାଁର ନାରାୟଣ ସେଠ ଓ ବଡ଼ମୁଳା ଗାଁର ଗଣା ବାରିକକୁ ଏ ପରମ୍ପରାର ଶେଷ ସ୍ରୋତ ହିସାବରେ ଦେଖାଯାଇପାରେ। ଏମାନେ ଆଜିବି ସେ ପରମ୍ପରାକୁ ପାଳି ଆସୁଛନ୍ତି। ଠିକ୍ ସେହିପରି ଓ ସେହି ନିୟମରେ ଯାହା ପୂର୍ବରୁ ଧାର୍ଯ୍ୟ ହାଇସାରିଛି। ଫସଲ ପ୍ରତିବଦଳରେ କେତେକ ସ୍ଥାନରେ ଟଙ୍କାର ବ୍ୟବହାର ହେଉଛି ମାତ୍ର। ଏହି ପ୍ରାଚିନ ପରମ୍ପରା ନାରାୟଣ ଓ ଗଣାର ସମ୍ପ୍ରଦାୟ ଭିତରେ ସୀମିତ ହୋଇ ରହିଯାଇଛି।
ନାରାୟଣ ସେଠ ଜାତିରେ ଧୋବା। ରହେ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଗାଁରେ। ବଙ୍ଗୋମୁଣ୍ଡାର କିଛି ପରିବାର, ଜାନିପରା, ସାରସପଡ଼ା ଓ ସାହାଜପେନ ଗାଁର ସେ ବରତନିଆ। ଏକଦା ଲୋକ ପ୍ରବାଦ ଥିଲା “ତୁଷରାର ଧାନଘରା ଆରୁ ବଙ୍ଗୋମୁଣ୍ଡାର ଟିଆଁ ଧୁବାର ଇସ୍ତ୍ରି।” ତୁଷରାର ଧାନଘରା ଗଡ଼ଜାତ ରାଜ୍ୟମାନଙ୍କରେ ବଡ଼ ଥିଲା। ପୂର୍ବତନ ପାଟଣା ରାଜ୍ୟରେ ଏହା ଥିଲା ଗର୍ବ। ସେପରି ଟିଆଁ ସେଠ। ସେ କପଡ଼ା ଇସ୍ତ୍ରୀକଲେ କପଡ଼ା ସିଧା ଓ ଟାଣ ରହୁଥିଲା। ଯାହା ବଙ୍ଗୋମୁଣ୍ଡା ଜମିଦାରଙ୍କ ମନପସନ୍ଦ ଥିଲା। ଏହି ଜଣକର ବଂଶଧର ନାରାୟଣ ସେଠ। ଲୁଗା ସଫା କରେ ଓ ଗାଁରେ କପଡ଼ା ଇସ୍ତ୍ରୀ କରେ। ତା’ପରି ତା’ ବଂଶର ଆହୁରି ପାଞ୍ଚ / ଛଅ ପରିବାର କୌଳିକ ବୃତ୍ତି କରନ୍ତି। ସେମାନେ ବି ବରତନିଆ। ବରତନିଆ କାମ କରୁଥିବା ପରିବାର ଅନେକ ମିଳିବେ ଓଡ଼ିଶାର ପଶ୍ଚିମାଂଚଳର ଗାଁମାନଙ୍କରେ।
ସେହିପରି ଗଣା ବାରିକ। ନିଜ ପରିବାର ସହ ରହେ ବଡ଼ମୁଳା ଗାଁରେ। ବଡ଼ମୁଳା ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ, କିନ୍ତୁ ସେ ବଲାଙ୍ଗିର ଜିଲ୍ଲାର ଭାଲୁମୁଣ୍ଡାରେ ଗୋଟିଏ ସେଲୁନ କରିଛି। ଗଣାର କହିବା ଅନୁସାରେ ତାର ପୂର୍ବପୁରୁଷ ପାଟଣାରାଜ୍ୟର ଅନେକ ଗାଁର ବରତନିଆ ଥିଲେ। ଯାହାକୁ ସେ ଆଜିବି ପାଳନ କରୁଛି।
ଜୟପୁର ଓ ପାଟଣାରାଜ୍ୟର କିଛି କିଛି ଅଂଶ ମିଶି ଖଡ଼ିଆଳ ଜମିଦାରୀ ଖଡ଼ିଆଳ ରାଜ୍ୟ ହେଲା। ଐତିହାସିକ ରମାଇ ଖଣ୍ଡା ଖଡ଼ିଆଳ ରାଜ ପରିବାରରେ ଅଛି। ପାଟଣା ଗଡ଼ଜାତ ଜମିଦାର ସଙ୍ଗେ ଖଡ଼ିଆଳର ସମ୍ପର୍କ ସେତେ ଉନ୍ନତ ଥିବା ଉଦାହରଣ ନାହିଁ। ଏ ସମ୍ପର୍କ ଗଣାର ପୂର୍ବପୁରୁଷଙ୍କୁ କୌଣସି ଅପଦସ୍ତରେ ପକେଇଥିବା କଥା ଗଣା କେବେ ବି ତାର ବାପା, ଅଜାଠାରୁ ଶୁଣିନାହିଁ। ସୁତରାଂ ବରତନିଆ ପ୍ରଥାରେ ରାଜ୍ୟସୀମାର ମହତ୍ୱ ସରିଯାଏ।
ବଙ୍ଗୋମୁଣ୍ଡା ଇଷ୍ଟଦେବୀ ଦ୍ୱାରସେନୀ। ଦେବୀ ଦ୍ୱାରସେନୀଙ୍କ ମହିମା ବଖାଣ ବେଳେ କେତେକ ପୁରୁଖା ଲୋକ କହନ୍ତି ଏକଦା ବଙ୍ଗେମୁଣ୍ଡା ଜମିଦାରଙ୍କୁ ଖଡ଼ିଆଳ ରାଜପରିବାର ବନ୍ଦୀ କରିଥିଲା। ଏକଥା ଗଣା ବାରିକ ଜାଣେ। କିନ୍ତୁ ଏ ସମୟରେ ତାଙ୍କର କୌଳିକ ବୃତି କରିବାକୁ ଦୁଇ ରାଜ୍ୟରୁ କୌଣସି ବାଧା ଆସିବା ସେ ଶୁଣିନାହିଁ। ଯଦିବା ସେ ସମୟରେ କୌଣସି ବାଧା ଆସିଥାନ୍ତା, ତା’ହେଲେ ଗଣା ପାଟଣାର ସାତ ଆଠଟି ଗାଁର ବରତନିଆ ନଥାନ୍ତେ। ସେ କହେ ଯଦିବା ଆସିଥିବ, ତା’ହେଲେ ସେଟା ଏତେ ପ୍ରଭାବୀ ନଥିବ। ଲୋକେ ଏହି ରାଜ ଆକ୍ରୋଶକୁ ଉପେକ୍ଷା କରିଥିବେ ଅଥବା ସମାଧାନ କରିଥିବେ।
ସୁତରାଂ ବରତନିଆପ୍ରଥା ରଜ୍ୟସୀମା ଓ ରାଜତନ୍ତ୍ରରୁ ମୁକ୍ତ ଥିଲା। ଏହା ଥିଲା ଲୋକଙ୍କ ବ୍ୟବସ୍ଥା। ସାଧାରଣଙ୍କ ଅର୍ଥନୀତି। ରାଜତନ୍ତ୍ରର ନିୟନ୍ତ୍ରଣବିହୀନ ଏହି ସମାଜବାଦ ରାଜତନ୍ତ୍ର ପରେ ମ୍ମ ଏହାର ଅସ୍ତିତ୍ୱ ହରାଇ ନହିଁ। ବଙ୍ଗୋମୁଣ୍ଡା ଜମିଦାରଙ୍କ ଦଣ୍ଡବିଧାନ ଏକଥାର ପ୍ରମାଣ ଦିଏ ଯେ ରାଜତନ୍ତ୍ର ଏହାକୁ ସୁରକ୍ଷା ଦେଉଥିଲା।
ଏଠାରେ ଗୋଟିଏ ପ୍ରଶ୍ନ ଉଠେ, ରାଜତନ୍ତ୍ରକୁ ଏ ବ୍ୟବସ୍ଥା କେତେ ସୁରକ୍ଷା ଦେଉଥିଲା? କେତେ ସୁରକ୍ଷା ଏହା ଆକଳନ କରିହେବ ନାହିଁ। କିନ୍ତୁ ସମାଜର ଗୋଟିଏ ମୁଖ୍ୟ ଅଙ୍ଗ ଯଦି ସ୍ୱଚାଳିତ ବ୍ୟବସ୍ଥିତ ହୋଇଗଲା, ତା’ହେଲେ ଶାସକ ଉପରେ ଚାପ ନିଶ୍ଚିତ ଭାବରେ କମ୍ ପଡ଼ିବ। ଏପରିକି କୌଣସି ଚାପ ପଡ଼ିବାର ସମ୍ଭାବନା ସେତିକି ନାହିଁ।
କିନ୍ତୁ ଗଣା ବାରିକ ଗୋଟିଏ ଚିନ୍ତା କରିବାକୁ ସୁଯୋଗ ଦିଏ ଯେ ଶାସନର ପରିସୀମା ବାହାରେ ଲୋକ ଅର୍ଥନୀତି କେତେ ମୌଳିକ ରଖି ପାରୁଥିଲେ।
ଗାଁର ଏହି ବ୍ୟବସ୍ଥା ଗୋଟିଏ ଗାଁକୁ ପରିବାର ଭଳି ରଖୁଥିଲା। ବରତନିଆ ପ୍ରଥାରେ ଗାଁ ଗାଁର ଅନ୍ତଃସମ୍ବନ୍ଧ ଠିକ ରହୁଥିଲା। ଲୋକେ ନିଜ ଗାଁ, ନିଜ ଅଞ୍ଚଳ ଓ ନିଜ ରାଜ୍ୟକୁ ନିଜର ଗର୍ବ ମଣୁଥିଲେ। କିନ୍ତୁ ରାଜ୍ୟ ସୀମା ଡ଼େଇଁଲା ପରେ ଗଣା ବାରିକର ଅସ୍ମିତା କଣ ଥିଲା? ସେ ବଙ୍ଗୋମୁଣ୍ଡା ଜମିଦାରର ଗର୍ବ କରିବ କି ଖଡ଼ିଆଳ ରାଜାର? ଏତେବେଳେ ଗଣା ବାରିକକୁ ସାର୍ବଜନିକ ହେବାକୁ ପଡ଼ୁଥିଲା। ଗଣା ବାରିକର ଅସ୍ମିତା ନିଜର କର୍ତବ୍ୟ ଓ ଲୋକ, ରାଜା ନୁହେଁ। ଗଣା ବାରିକ ପୁରୁଷ ପୁରୁଷ ଧରି ରାଜ୍ୟ ସୀମା ଡେଇଁ କାମ କରୁଥିଲା। ତେଣୁ ରାଜତନ୍ତ୍ର ତା’ପାଇଁ ଗୌଣ ଥିଲା। ସର୍ବାଦୌ ଲୋକତନ୍ତ୍ର ହିଁ ତାର ନମସ୍ୟ ଥିଲା।
ଗଣା ବାରିକ ଅନ୍ୟ ରାଜ୍ୟର ଅରାଜକତାର ସୂତ୍ରଧର ବି ହୋଇପାରିବ। ଏଥିଲାଗି ଗଣା ବାରିକ ସର୍ବାଦୌ ଉପଯୁକ୍ତ ଲୋକ। କିନ୍ତୁ ଗଣା ବାରିକ କହେ ଏପରି ଉଦାହରଣ ସେ ଜାଣେନି। ବହୁତ ଚେଷ୍ଟା କରି ସେ ମନେ ପକାଇ ପାରେନାହିଁ। ହୁଏତ ହୋଇ ନଥିବ ଅଥବା ରାଜତନ୍ତ୍ର ଗଣା ବାରିକକୁ ଏ କାମ ପାଇଁ ଉପଯୁକ୍ତ ଭାବି ନଥିବ। ସୁତରାଂ ରାଜତନ୍ତ୍ର ଗଣା ବାରିକ କି ନାରାୟଣ ସେଠ୍ କୁ ଡରୁଥିବ।
ଶାସନର ପ୍ରମୁଖ ଅଙ୍ଗ ରାଜା କି ଜମିଦାର, ଗଣା ବାରିକ ଅବା ନାରାୟଣ ସେଠ୍ ପାଇଁ। କିନ୍ତୁ ନାରାୟଣ ଓ ଗଣା ସମାଜର ପ୍ରମୁଖ ଅଙ୍ଗ। ଏମାନେ ଅଙ୍କୁଶ ଓ ଆକ୍ରୋଶର ପରିସୀମାରୁ ଖୁବ ବାହାରେ। କିନ୍ତୁ ସମାଜର ଅତି ନିବିଡ଼ ଅଙ୍ଗ ଗଣା ଓ ନାରାୟଣ ଲୋକଶାସନ ଓ ରାଜଶାସନର ଏକ ବିରାଟ ବ୍ୟବଧାନ ରଖୁଥିଲେ। ଯାହାକୁ ରାଜତନ୍ତ୍ର ସମ୍ମାନ କରୁଥିଲା ଓ ସୁରକ୍ଷା ଦେଉଥିଲା।
ରାଜତନ୍ତ୍ର ସରିଗଲା କିନ୍ତୁ ଗଣା ଓ ନାରାୟଣ ଏବେ ବି ଅଛନ୍ତି। ସେତେବେଳେ ଯେମିତି ଥିଲେ। କିନ୍ତୁ ଏମାନେ ଆଉ କେତେଦିନ ରହିବେ। ଏତେବଡ଼ ସମାଜବାଦୀ ବ୍ୟବସ୍ଥା ଏତେ ସଙ୍କୁଚିତ ହୋଇଯିବାର କାରଣ ଅନେକ। ସେ ମଧ୍ୟରୁ…
ମରୁଡ଼ି – କ୍ରମାଗତ ମରୁଡ଼ିର ପ୍ରଭାବ ଗ୍ରାମ୍ୟ ଜୀବନକୁ ବେଶ ପ୍ରଭାବତ କଲା। ଛୋଟ ଛୋଟ ଚାଷୀମାନେ ନିଜର ଜମି ହରାଇଲେ ଅଥବା ଅଭାବଜନିତ କାରଣରୁ ତାଙ୍କର ଜମି ଲୁଣ୍ଠିତ ହେଲା। ଧିରେ ଧିରେ ଅନେକ ଲୋକ କର୍ମଶୂନ୍ୟ ହୋଇଗଲେ। କୃଷକ ସଂଖ୍ୟା କମି କମି ଆସିଲା। କର୍ମସୁଯୋଗର ସଙ୍କୋଚନ ହେଲା। ଏତେବେଳକୁ ବରତନିଆର ପାରିଶ୍ରମିକ ପାଇଁ ଲୋକଙ୍କୁ ଅଭାବ ହେଲା। ଲୋକେ ଏ ପ୍ରଥାକୁ ମାନୁଥିଲେ ମ୍ମ ଏହାର ସୁରକ୍ଷା କରିପାରିଲେ ନାହିଁ ଏହା ହେଉଛି ମୁଖ୍ୟ କାରଣ ବରତନିଆ ପ୍ରଥା ନଷ୍ଟ ହେବାର।
ସାମନ୍ତୀୟ ଅର୍ଥନୀତି – ଏହା ଆରମ୍ଭ ହେଲା ମରୁଡ଼ି ପରେ ପରେ। ଜମି ବନ୍ଧକ ରଖିବା । ବିହନ, ସୁନା ଇତ୍ୟାଦିକୁ ଋଣ ଆକାରରେ ଦେବା ଫଳରେ ଗ୍ରାମ୍ୟ ଅର୍ଥନୀତିର ସରଳତା ଭାଙ୍ଗିଗଲା। ବ୍ୟକ୍ତି ନିକଟରେ ସମ୍ପତ୍ତି ଠୁଳ ହେଲା। ସ୍ୱାଧୀନତାର ପରେ ସାମନ୍ତୀୟ ଅର୍ଥନୀତିର ପ୍ରାଦୁର୍ଭାବ ବଢ଼ିଲା। ଜମିମାଲିକ ସଂଖ୍ୟା କମିଯିବା ଫଳରେ ଲୁହୁରା ଓ କେଉଟ ଇତ୍ୟାଦି ସମ୍ପ୍ରଦାୟର କୌଳିକ ବୃତ୍ତି ଉପରେ ବେଶ କୁପ୍ରଭାବ ପଡ଼ିଲା। ବାହାରୁ ଆସିଥିବା ବ୍ୟବସାୟୀମାନେ ଋଣ କାରବାର କରି ଗ୍ରାମ୍ୟ ସମ୍ପଦାର ଲୁଣ୍ଠନ କଲେ।
ଜାତିପ୍ରଥା- ଜାତିପ୍ରଥାରେ ସବୁଠୁ କ୍ଷତିରେ ପଡ଼ିଲେ ଗଣା ସମ୍ପ୍ରଦାୟ। ଏମାନଙ୍କ ବୟନଶିଳ୍ପ ଅପହୃତ ହେଲା। ଏମାନେ କର୍ମଶୂନ୍ୟ ହେବା ଫଳରେ ସେମାନଙ୍କର ସମାଜ ପ୍ରତି ଯେଉଁ ଗୁରୁ ଦାୟିତ୍ୱ ଥିଲା, ତାହା ଆସ୍ତେ ଆସ୍ତେ ଅବକ୍ଷୟ ହେଲା। କର୍ମଶୂନ୍ୟ ଗୋଟିଏ ଗୋଷ୍ଠୀ ସବୁବେଳେ ନିଜର ଦାୟିତ୍ୱ ତୁଲାଇବାରେ ଅସମର୍ଥ ରହିବ।
ପଳାୟନ- କଳାହାଣ୍ଡିର ଗେଜେଟିୟରରେ ଉଲ୍ଲେଖ ଅଛି ମରୁଡ଼ି ହେଲେ ଲୋକେ ପାଟଣା ରାଜ୍ୟକୁ ସାମୟିକ ପଳାୟନ କରୁଥିଲେ। ଏମାନେ ଜଳାଶୟ ନିର୍ମାଣ କାମ କରୁଥିଲେ। କିନ୍ତୁ ୧୯୬୫ ପରବର୍ତୀ ପଳାୟନ ଗୋଟିଏ ନୂତନ ତଥ୍ୟ ଦିଏ। ପୂର୍ବବର୍ତୀ ପଳାୟନମାନ ସାମୟିକ ଥିଲା। ଏ ମଧ୍ୟରେ ସମାଜ ବ୍ୟବସ୍ଥା ଅବକ୍ଷୟ ହେବାକୁ ଲାଗିଲା। ୧୯୬୫ ପରେ ଗମନାଗମନର ସୁଗମତା ଓ ଆଧୁନିକତା ହେତୁ ଦୁର୍ଗ ଓ ଭିଲାଇକୁ ଲୋକେ ପଳାୟନ କଲେ। ଏମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ହରିଜନ ସମ୍ପ୍ରଦାୟର ଲୋକ। ସାମନ୍ତୀୟ ଅର୍ଥନୀତିରେ ଏମାନେ ଥିଲେ ସବୁଠୁ ବେଶି ନିଷ୍ପେଷିତ। ଏହି ବୟନ ଶିଳ୍ପକାର ଗୋଷ୍ଠୀ କୃଷିକାମ କରୁନଥିଲେ। ଏମାନଙ୍କ ପରେ ଗଉଡ଼ ସମ୍ପ୍ରଦାୟ । ଏମାନଙ୍କ ବହୁଳତା ଏ ଅଞ୍ଚଳରେ। ଅଧିକାଂଶ ଜମି ଏମାନଙ୍କ ହାତରେ ଥିଲେ ବି ସଂଖ୍ୟାବହୁଳତା ଦୃଷ୍ଟିରୁ ଏମାନେ ଛୋଟ ଚାଷୀ ଓ ନରିହା କାମରେ ନିଯୁକ୍ତ ଥିଲେ। ତେଣୁ ମରୁଡ଼ି ପ୍ରଭାବରେ ଏମାନଙ୍କୁ କର୍ମଶୂନ୍ୟ ହେବାକୁ ସାମାନ୍ୟ ଟିକିଏ ବିଳମ୍ବ ହେଲା। କମାରମାନେ ମ୍ମ ପଳାୟନ କଲେ। ଜାତି ଅନୁସାରେ ପଳାୟନ ଗୋଟଏ ସୁବ୍ୟବସ୍ଥିତ ସମାଜର କ୍ରମ ଅବକ୍ଷୟର ସୂଚନା ଦିଏ। ଏମାନଙ୍କ ପଛକୁ ଅନ୍ୟଜାତିର ଲୋକ ପଳାୟନ କଲେ। ଏହାର ସିଧା ପ୍ରଭାବ ଗ୍ରାମ୍ୟ ଜୀବନ ଓ ବରତନିଆ ପ୍ରଥା ଉପରେ ପଡ଼ିଲା। ଆହୁରି ମ୍ମ ବିଭିନ୍ନ କାରଣରୁ ବରତନିଆ ପ୍ରଥା କ୍ରମାନ୍ୱୟରେ ଲୋପ ପାଇଆସିଲା ବେଳକୁ ଲୋକେ କ୍ରମ ଅନୁସାରେ ପଳାୟନ କଲେ। ଗ୍ରାମ୍ୟ ନ୍ୟାୟ ବ୍ୟବସ୍ଥା ହଠାତ ଭାଙ୍ଗିଗଲା।
ଶିଳ୍ପ ବିପ୍ଳବ- ଶିଳ୍ପ ବିପ୍ଳବ ଦୁର୍ଗ୍‌, ରାଉରକେଲା, ଟାଟା ପରି ସହର ନିର୍ମାଣ କଲା। ହୀରାକୁଦ ବନ୍ଧ ହେବା ଫଳରେ କୃଷିକ୍ଷେତ୍ରରେ ମଧ୍ୟ ବିପ୍ଳବ ଆସିଲା। ଏ ଅଞ୍ଚଳମାନଙ୍କରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେଲା ଲୋକେ ଜୀବନଜୀବିକା ପାଇଁ ଏ ଅଞ୍ଚଳମାନଙ୍କୁ ପଳାୟନ କଲେ। ଅନ୍ୟ ବିପ୍ଳବ ସଙ୍ଗଠିତ ହେଲା ଗ୍ରାମ୍ୟସ୍ତରରେ। କୃଷିରେ ଓ ଗମନାଗମନରେ ନୂଆ ନୂଆ ଜିନିଷର ପ୍ରୟୋଗ ହେଲା। ରାସାୟନିକ ସାର, ଉତମ ବିହନ ନାମରେ ଶଙ୍କର ବିହନ ପାରମ୍ପାପାରିକ କୃଷିକୁ ଓ ବିହନକୁ ନଷ୍ଟ କଲା। ଅର୍ଥକାରୀ ଫସଲ ଆଳରେ ଲୋକେ କୃଷିରେ କ୍ଷତି ସହିଲେ। ଟ୍ରାକ୍ଟର ଓ ବିଭିନ୍ନ ଗାଡ଼ିଆସିବା ଫଳରେ ହଳଗାଡ଼ି ଓ ଗୋ-ସମ୍ପଦାର ବ୍ୟବହାର କମିଗଲା। ଏ ଉପରେ ପର୍ଯ୍ୟବେସିତ ପରମ୍ପରା ଭାଙ୍ଗିଗଲା। କୃଷି ଶ୍ରମିକ ଶିଳ୍ପ ଆଡ଼କୁ ମୁହାଁଇଲା।
ଉତ୍ସବ- ଏ ଅଞ୍ଚଳରେ ଯାହାବି ଉତ୍ସବ ହୁଏ, ତାହା କୃଷି ଓ ଜଙ୍ଗଲ ପର୍ଯ୍ୟବେଶିତ। ଗୋଟିଏ ଉତ୍ସବରେ ଯେତେ ଖର୍ଚ୍ଚହୁଏ, ତାହା ଜଣକର ଏକମାସରୁ ଏକ ବର୍ଷର ଖାଦ୍ୟ ଖର୍ଚ୍ଚ ସହ ସମାନ। ବିବାହ କୁଣାବରା ପରି ଉତ୍ସବରେ ଶତାଧିକ ଲୋକ ତିନି ଚାରି ଦିନ ଅତିଥି ହୋଇଥାନ୍ତି। ପୂର୍ବ ବରତନିଆ ପ୍ରଥାରେ ପରସ୍ପର ସମ୍ବୋଧିତ ଥିବାରୁ ଉପହାରରେ ଜଣେ ବିବାହ ପରି ବହୁଳ ଖର୍ଚ୍ଚର ଉତ୍ସବକୁ ଆରାମରେ କରିପାରୁଥିଲା। କାଳକ୍ରମେ ପରମ୍ପରାକୁ ସମ୍ମାନ ଦେବା ଫଳରେ ଏ ଆୟୋଜନରେ ପରିିବର୍ତ୍ତନ ହେଲାନାହିଁ। ଏଥିପାଇଁ ବି ଋଣ କରିବାକୁ ପଡ଼େ ଅତିଥି ଓ ଆୟୋଜକ ଉଭୟଙ୍କୁ।
ଅର୍ଥନୈତିକ ପରିବର୍ତ୍ତନ- ବରତନିଆର ପାଉଣା ଶସ୍ୟ ଆକାରରେ ଦିଆଯାଉଥିଲା। ସେ ସମୟରେ ସାଧାରଣଙ୍କ ଆବଶ୍ୟକତା ଥିଲା ଅତି କମ୍‌। ମନୋରଞ୍ଜନ ଓ ଜନସମ୍ପର୍କର ମାଧ୍ୟମ ଭାଗବତ ଟୁଙ୍ଗି, ନାଚ, ଗୀତ ଓ ଯାତ୍ରା ଉତ୍ସବ ଥିଲା। ଅନ୍ୟାନ୍ୟ ଆବଶ୍ୟକତା ଥିଲା ସାମାନ୍ୟ। ଶିଳ୍ପ ବିପ୍ଳବରେ ନୂଆ ନୂଆ ସାମଗ୍ରୀ ବଜାରକୁ ଆସିଲା। ଗ୍ରାମ୍ୟଜୀବନର ଅନେକ ଆବଶ୍ୟକତାକୁ ବଜାର ପୁରା କରିବାକୁ ଲାଗିଲା। ବିନିମୟର ମା୍ମମ ହିସାବରେ ଟଙ୍କାର ଗୁରୁତ୍ୱ ବଢ଼ିଲା। ଏହି ବଜାରକୁ ମୁଖ୍ୟତଃ ମାରୱାଡ଼ି ସମ୍ପ୍ରଦାୟ ନିଜେ ଆଣି ନିଜ ପରିଚାଳନାରେ ରଖିଲେ। ଲୋକଙ୍କ ଆବଶ୍ୟକତାମାନଙ୍କର ନିୟନ୍ତ୍ରଣ ନିଜ ହାତରେ ରଖିବା ଫଳରେ ସାଧାରଣଙ୍କ ଅଜୀବିକା ଉପରେ ତାଙ୍କର ନିୟନ୍ତ୍ରଣ ରହିଲା।
ଆବଶ୍ୟକତା ବଢ଼ିଲା। ନାରାୟଣକୁ ମିଳୁଥିଲା ପରିବାର ପ୍ରତି ସର୍ବାଧିକ ଏକ ପୁଟି (୨୦ ମାନ)। ବର୍ତମାନ ଲୋକଙ୍କର ନିଜ କାମ ନିଜେ କରିବାର ମାନସିକତା ନାରାୟଣର କାର୍ଯ୍ୟ ପରିସୀମାକୁ ସଙ୍କୁଚିତ କରିଦେଇଛି। ସେ ବଜାର ସଙ୍ଗେ ଦୌଡ଼ିବା ପାଇଁ ବସ୍ତି ଭିତରେ ଇସ୍ତ୍ରୀ ଦୋକାନ କରିଛି। ଗଣା ଭାଲୁମୁଣ୍ଡାରେ ସେଲୁନ ଖୋଲିଛି। ଜଣେ ଲୋକ ଶସ୍ୟ ଆକାରରେ ପାଉଣାଦେଲେ ତାକୁ ଟଙ୍କା ଆକାରରେ ମାପିବ ନାହିଁ। ଗଣା ପୂର୍ବରୁ ପାଉଥିଲା ତିନିମାନ, ବର୍ତମାନ ପାଉଛି ଜଣପ୍ରତି ପାଞ୍ଚମାଣ ଧାନ। ପାଞ୍ଚମାଣ ଧାନର ଦର ବର୍ତମାନ ବଜାରରେ ୧୩୦ ଟଙ୍କା। କିନ୍ତୁ ବର୍ଷତମାମ ବାଳ ନିଜେ କାଟିବ ଗଣା ଜଣେ ଲୋକର। ଥରେ ବାଳ କାଟିଲେ ଗଣା ପାଏ ସେଲୁନରେ ଦଶ ଟଙ୍କା। ତଦ୍ରୁପ ଅବସ୍ଥା ନାରାୟଣର।
ଏମାନେ ଏ’ କାମ ଛାଡ଼ି ଦେବେ କି?
ମନା କରନ୍ତି ଉଭୟେ। ଦାୟିତ୍ୱ ଯାହାକୁ ବି ତ ନିଭେଇବାକୁ ପଡ଼ିବ।
ଜମିର ଆକାର ବଢ଼ିନି କିମ୍ବା ପେଟର। କିନ୍ତୁ ଆକାର ଓ ପରିଭାଷା ବଦଳିଯାଇଛି ଆବଶ୍ୟକତା ମାନଙ୍କର। ଏ ଆବଶ୍ୟକତା ମାନଙ୍କୁ ଆଗେ ପୁରା କରିବାକୁ ଶସ୍ୟ ସମର୍ଥ ଥିଲା। କିନ୍ତୁ ଆଜି ଆଉ ନାହିଁ। ସେତେ ଟଙ୍କା ଗାଁର ପତି ପରିବା ନା ତ ନାରୟଣକୁ ଦେଇପାରିବ ନା ଗଣାକୁ। କିନ୍ତୁ ଉତରଦାୟିତ୍ୱ ଏମାନଙ୍କୁ ଯୋଡ଼ି ରଖିଛି ସମାଜ ସଙ୍ଗେ ବ୍ୟବସ୍ଥା ସଙ୍ଗେ। ସମୟ ଅନେକ ବରତନିଆକୁ ହଜେଇ ଦେଇଛି। କିନ୍ତୁ ଗଣା ଓ ନାରାୟଣଙ୍କ ପାଖରେ ଏବେ ବି ହାର ମାନୁଛି। ଗଣା ଓ ନାରାୟଣ କିନ୍ତୁ ଦୁର୍ବଳ ହୋଇଯାଇଛନ୍ତି। ତଥାପି ଶସ୍ୟ ତାଙ୍କୁ ଖାଦ୍ୟସୁରକ୍ଷା ଦେଉଛି, ଆଜି ବି।
ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗଣା ଓ ନାରାୟଣ ନିଜ ନିଜର ବିପିଏଲ କାର୍ଡ଼ ଧରି ଚାଉଳ ପାଇଁ ପଙକ୍ତିରେ ଠିଆ ହୁଅନ୍ତି। କିନ୍ତୁ ସେତେବେଳେ ଖଳାକୁ ଯାଉଥିଲେ ଦେଖୁଥିଲେ ତାଙ୍କର ଅଧିକାର ଶସ୍ୟ ଆକାରରେ ଗଦାହୋଇଛି ଖଳାରେ ଗୋଟିଏ ପାଖେ। ସେତେବେଳେ ଦୈବାତ ବର୍ଷା ନହେଲେ ଏମାନେ ଚିନ୍ତା କରୁଥିଲେ। ଏମାନଙ୍କର ଜମି ନଥିଲା ତଥାପି ବି ଫସଲ ଭଲ ହେଉ ବୋଲି ନିଜ ନିଜର ଇଷ୍ଟଙ୍କୁ ପ୍ରାର୍ଥନା କରୁଥିଲେ। ଆଜି କାହାପାଇଁ ପ୍ରାର୍ଥନା କରିବାର ଆବଶ୍ୟକତା ନାହିଁ। ନିଜେ ଗଢ଼ିଥିବା ସରକାର ଏମାନଙ୍କୁ ରାଜାଠୁ ବି ପରଲାଗେ। ରାଜତନ୍ତ୍ରକୁ ଏମାନେ ସମ୍ମାନ କରୁଥିଲେ। ରାଜତନ୍ତ୍ର ଏମାନଙ୍କୁ ସମ୍ମାନ କରୁଥିଲା। ରାଜତନ୍ତ୍ର ଏମାନଙ୍କ ଅଧିକାରକୁ ସମ୍ଭ୍ରମତାର ସହିତ ସୁରକ୍ଷା ଓ ସମ୍ମାନ ଦେଉଥିଲା।
ଗଣା ଓ ନାରାୟଣ କହି ବି ପାରନ୍ତି ନାହିଁ ଯେ ସରକାର ଆମର। କିନ୍ତୁ ଏ ସରକାର ଗଣା ଓ ନାରାୟଣକୁ କହେ ତୁମର ଭାବ-ଅଭାବ, ସୁଖ-ଦୁଃଖ ମୋର। ମୁଁ ତୁମକୁ ଭତା ଦେବି, ଦୁଇ ଟଙ୍କିଆ ଚାଉଳ ଦେବି, ଡାକ୍ତରଖାନାରେ ଔଷଧ ଦେବି, ବିଦ୍ୟାଳୟରେ ଶିକ୍ଷା ଦେବି, ବ୍ଲକ୍‌ରେ ଇନ୍ଦିରା ଆବାସ ଦେବି, ବି÷ହନ ଦେବି, ନଙ୍ଗଳ ଦେବି। କିନ୍ତୁ ଏସବୁ ପାଇଁ ଲଢ଼ିବାକୁ ପଡ଼େ ଏମାନଙ୍କୁ।
ଗ୍ରାମ୍ୟ ସଂସ୍କୃତିର ଦ୍ୱାହି ଦେଉଥିବା ମୂର୍ଦ୍ଧଣ୍ୟମାନେ ଗଣା ଓ ନାରୟଣକୁ କେବେ ବି ବୁଝି ନାହାନ୍ତି। ଏମାନେ ଠିକରେ ଚାଲିପାରିବେ ବୋଲି ଗାଁକୁ ପକ୍କା ସଡ଼କ ତିଆରି କରନ୍ତି। ସେ ସଡ଼କରେ ଗଣା ଓ ନାରାୟଣ ଚାଲନ୍ତି। କିନ୍ତୁ ଗ୍ରାମ୍ୟ ଓ ଜଙ୍ଗଲ ଉପଜ ଏ ରାସ୍ତାରେ ସହରକୁ ଯାଏ। ଯେଉଁଥିରୁ ବାରଅଣା ବିଭିନ୍ନ ଆଳରେ ଏମାନଙ୍କ ଠାରୁ ଲୁଟା ଯାଇଥାଏ।
ତଥାପି ଗଣା ଓ ନାରାୟଣ ସମସ୍ତଙ୍କ ସହ ପୁଷପୁନୀ ମନାନ୍ତି, ଛେ ଛେରଛେରା କହନ୍ତି।

ପଶ୍ଚିମ ଓଡ଼ିଶାର ଶବ୍ଦାବଳୀ ସମୁହର ଟିକା ଟିପ୍‌ପଣୀ
ବହିଯାଇଥିବା ନଈ ଓ ସରି ନଥିବା ଶୋଷ
ଡମଘିନା- ହରିଜନ ସମ୍ପ୍ରଦାୟର ଏକ ବିକଶିତ ଗୋଷ୍ଠୀକୁ ସ୍ଥାନୀୟ ଭାଷାରେ ‘ଡମ’ କୁହାଯାଏ। ଏହି ଗୋଷ୍ଟୀକୁ ବିଭିନ୍ନ କୌଶଳରେ କର୍ମଶୂନ୍ୟ କରାଗଲା। କର୍ମଶୂନ୍ୟ ହେବା ପରେ ଏ ବିରାଟ ଗୋଷ୍ଟୀ ନିଃସ୍ୱ ହୋଇଗଲେ। ଏମାନଙ୍କ ମ୍ମରେ ଅପରାଧ ପ୍ରବଣତା ବଢ଼ିଲା। ଏ ସୁଯୋଗରେ ଏହି ସମ୍ପ୍ରଦାୟର ଅନେକଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆୟତ କରାଯାଉଥିଲା। ସାମନ୍ତମାନେ ଏହି ସମ୍ପ୍ରଦାୟରୁ କ୍ରୀତଦାସ ରଖୁଥିଲେ। ଏ କ୍ରୀତଦାସମାନେ ‘ଡମ’ ସମ୍ପ୍ରଦାୟରୁ ମୁଖ୍ୟତଃ ଆସୁଥିଲେ। ତେଣୁ ଏମାଙ୍କୁ ଆଞ୍ଚଳିକ ଭାଷାରେ ଡମ ବା ‘ଘିନୁଆ ଡମ’କୁହାଯାଉଥିଲା। ଏହିପ୍ରଥାକୁ ଡମଘିନା କୁହାଯାଉଥିଲା।
ବାହାବନ୍ଧା- ହରିଜନ ଅଥବା ଯେ କୌଣସି ସମ୍ପ୍ରଦାୟର କ୍ରୀତଦାସ ଖାଇବା ଏବଂ ଗାଧୋଇବା ବ୍ୟତୀତ ଯାହା ବି ଶ୍ରମ କରିବ, ସେ ସମସ୍ତ ଶ୍ରମ ସାହୁକାର ପାଇଁ କେବଳ। ବାହୁ ହେଉଛି ଶ୍ରମର ପ୍ରତୀକ, ତେଣୁ ଏହି ପ୍ରଥାରେ ନିଜର ବାହୁକୁ ମାଲିକ ନିକଟରେ ବନ୍ଧା ଦେଇଥିବାରୁ ଏହାକୁ ‘ବାହାବନ୍ଧା’ କୁହାଯାଉଥିଲା।
ବଣତୁଳସୀ ମଞ୍ଜି- ବଣ ତୁଳସୀ ଗଛ ଯେକୌଣସି ଜମିରେ ଦୁଇରୁ ପାଞ୍ଚଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଛାଷ ଜମିରେ ଏହି ଗଛକୁ ନଷ୍ଟ କରି ଚାଷ କରାଯାଏ। ଏହାର ମଞ୍ଜି ଧଳା, ଛୋଟ ଓ ଚିକ୍କଣ। ଏ ଗଛ ଶୁଖିଗଲେ ଜାଳେଣୀ କରି ବ୍ୟବହାର କରିଥାନ୍ତି। ଏହାର ମଞ୍ଜିକୁ ସଂଗ୍ରହ କରି ଚାଉଳ ପରି ବ୍ୟବହାର କରନ୍ତି। ଦୁଇଜଣ ତିନିଦିନ ପରିଶ୍ରମ କଲେ ସପ୍ତାହକ ପାଇଁ ଖାଦ୍ୟ ଓ ଜାଳେଣିର ଆବଶ୍ୟକତା ପୁରା ହୁଏ। ଏହାର ଖାଦ୍ୟ ଓ ଔଷଧୀୟ ଗୁଣ ଜଣା ନଥିଲେ ବି ଗରିବ ଲୋକେ କ୍ଷୁଧା ନିବାରଣ ପାଇଁ ବଣତୁଳସୀ ମଞ୍ଜିକୁ ଚାଉଳ ପରି ରାନ୍ଧି ଖାଇଥାନ୍ତି।
ରିସିପିଟିର ସାମ୍ରାଜ୍ୟ ଓ ବଞ୍ଚିପାରିନଥିବା ବାଳମତୀ
ରିସିପିଟି-ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ତୁକଲା ଗାଁ ଯେଉଁଠାେରେ ବଲାଙ୍ଗିର ଜିଲ୍ଲାକୁ ଛୁଇଁଛି, ସେଠାରେ ଗୋଟିଏ ପାହାଡ଼ ଅଛି। ଯାହାକୁ ଲୋକେ ରିସିପିଟି କହନ୍ତି। ରିସିପିଟିର ପୂର୍ବ ଦିଗକୁ ରସ୍‌ଗାଁ ଗୋଟିଏ ଛୋଟ ଜନବସତି। ଏହାର ଦକ୍ଷିଣକୁ ଯୋଗୀ ମଠ; ଯେଉଁଠାରେ ଖ୍ରୀ.ପୂ ୫ ହଜାର ବର୍ଷ ପୂର୍ବରୁ ଗୁମ୍ଫାଚିତ୍ର ରହିଅଛି।
ଦଳ-‘ଦଳ’ ଏକ ଜନଜାତି। ଏହିଜନଜାତିର ଲୋକ ରିସିପିଟିକୁ ଦେବତା ଭାବନ୍ତି। ତାଙ୍କର ପାରମ୍ପାରିକ ଲୋକକଥା କହେ ଲୋକେ ରିସିପିଟିକୁ ଯାହା ବି ମାଗୁଥିଲେ, ଦେଉଥିଲା। କିନ୍ତୁ ସର୍ତ ଥିଲା ନେଇଥିବା ସମ୍ପତି ଅବା ଅନ୍ନ ଲୋକଟି ସାମର୍ଥ୍ୟ ହେଲେ ଫେରେଇବ। ଏକଦା ଜଣେ ସୁନା ନେଇ ରିସିପିଟିକୁ ଫେରେଇ ନଥିଲା। ରିସିପିଟି ସେଦିନୁ ଲୋକଙ୍କୁ ସମ୍ପତି କିମ୍ବା ଅନ୍ନ ସହଯୋଗ ବନ୍ଦ କରିଦେଲା। କିନ୍ତୁ ରିସିପିଟି ଦେବତାର ସମ୍ମାନ ଆଗପରି ପାଇଲା। ସେ ଆଜିବି ଡାକିଲେ ଜବାବ ଦିଏ(ପ୍ରତିଧ୍ୱନି) ବୋଲି ଲୋକେ ବିଶ୍ୱାସ କରନ୍ତି। ରାସ୍ତାଦେଇ ଗଲାବେଳେ ତା’ ସମ୍ମାନରେ ପଥରଟିଏ ଥୋଇଦେଇ ମୁଣ୍ଡିଆ ମାରନ୍ତି। ଏ ପଥର ଥୋଇବା ପରମ୍ପରା ଆଜିବି ଅନେକ ଦେବାଦେବୀ ନିକଟରେ ଅଛି। ଯେପରି ଡାଲଖାଇ ଦେବୀ ନିକଟରେ ଗଛରୁ ଗୋଟିଏ ଡାଳଟିଏ ଭାଙ୍ଗି ଥୋଇଥାନ୍ତି।
ଯୋଗୀ ମଠ- ଏଠାରେ ଖ୍ରୀ.ପୂ ୫.୫ ହଜାର ବର୍ଷ ତଳର ଗୁମ୍ଫାଚିତ୍ର ଅଛି। ଏହାକୁ ଜିତାମିତ୍ର ପ୍ରସାଦ ସିଂଦେଓ ଆବିଷ୍କାର କରି ଏ ବିଷୟରେ ଗବେଷଣା କରିଛନ୍ତି। ଏ ସମୟ ମଣିଷର ସଂସ୍କୃତି, ଧର୍ମ ବିଶ୍ୱାସ ଓ ପରମ୍ପରା ବିଷୟରେ ଆଲୋଚନା କରିଛନ୍ତି। ଯୋଗୀମଠର ଗୁମ୍ଫାଚିତ୍ର ବର୍ତମାନ ନଷ୍ଟ ହୋଇଯାଇଛି। ଜଣେ ହିନ୍ଦୁ ସନ୍ୟାସୀ ତା’ଉପରେ ଓଁ ଲେଖିଲେ। ଅନେକ ଛାତ୍ର ଇଂରାଜୀରେ କେସିକେ ଏବଂ ନିଜର ନାଁ ଲେଖିଛନ୍ତି। ଗାୟତ୍ରୀ ପରିବାର ବ୍ୟବହାର କରୁଥିବା ସନ୍ତକ ମଶାଲ୍‌ର ଚିତ୍ର ଓ କେତେଜଣଙ୍କ ନାଁ ଲେଖାଯାଇଛି। ଯୋଗୀମଠ ସାମ୍ନା ଓ ପଛରେ ଥିବା କେତେକ ଛୋଟ ପାହାଡ଼ରେ ଡିନାମାଇଟ ଲଗେଇ ପଥର ‘ଟା ହେଉଛି। ଡିନାମାଇଟର ପ୍ରଚଣ୍ଡ ଶବ୍ଦଯୋଗୁଁ ଯୋଗୀମଠ, ରିସିପିଟି ଓ ଅନ୍ୟ ପାହାଡ଼ରେ କମ୍ପନ ସୃଷ୍ଟି ହେଉଛି। ଆଇନ ଓ ବ୍ୟବସାୟ ଆଳରେ ଯୋଗୀମଠକୁ ନଷ୍ଟ କରାଯାଉଥିଲେ ହେଁ ସେହି ଆଇନର ବ୍ୟବହାର କରି ଯୋଗୀମଠର ସୁରକ୍ଷା କରାଯାଉ ନାହିଁ।
ଗୁଣିଆଁ- ଗୁଣିଆଁ ଆଞ୍ଚଳିକ ଭାଷାରେ ଗୁନିଆ। ତନ୍ତ୍ର ପରମ୍ପରାରେ ଏମାନେ ହେଉଛନ୍ତି ଅଂଚଳର ଶେଷ ସନ୍ତକ। ତନ୍ତ୍ରର ଉଚ୍ଚତମ ବିଧି ସ୍ତମ୍ଭନ, ମୋହନ, ବଶ୍ୟ ଓ ଉଚ୍ଚାଟନ ବିଦ୍ୟା ପ୍ରୟୋଗ କରି ଏମାନେ ଗୁଣିଗାରେଡ଼ି କାମ କରିଥାନ୍ତି। ଦୁଷ୍ଟ ଆତ୍ମାକୁ ତଡ଼ିବା, ସ୍ତ୍ରୀକୁ କୌଣସି ପୁରୁଷପାଇଁ ବଶ କରିବା, ମନ୍ତ୍ର ଦ୍ୱାରା ରୋଗମୁକ୍ତ କରିବା, କୌଣସି ବ୍ୟକ୍ତିର ସମ୍ପତି ଓ ଜୀବନ ରକ୍ଷାକରିବା ଓ ନଷ୍ଟ କରିବା ପରି କାମ କରିଥାନ୍ତି। ମାରାଗୁଡ଼ା ଉପତ୍ୟାକା, ରାଣୀପୁର ଝରିଆଲ, ଶ୍ରୀପୁର (ଛତିଶଗଡ଼), ସୋନପୁର, ବୌଦ୍ଧ ପରି ଅଞ୍ଚଳରେ ତନ୍ତ୍ରର ବହୁଳ ପ୍ରସାର ଥିଲା। ଏଥିମ୍ମରୁ ବୁଦ୍ଧତନ୍ତ୍ର ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ଅଞ୍ଚଳ ମାନଙ୍କରେ ବୁଦ୍ଧତନ୍ତ୍ର ସହ ଶୈବ, ଶାକ୍ତ, ଗାଣପତ୍ୟ, କାର୍ତିକେୟ, ବୈଷ୍ଣବ ଧର୍ମରେ ମ୍ମ ତନ୍ତ୍ରର ପ୍ରଭାବ ଓ ପ୍ରସାରକୁ ଡଃ.ରାମଚନ୍ଦ୍ର ମିଶ୍ର (ଡି.ଏ.ଭି ମହାବିଦ୍ୟାଳୟ ଟିଟିଲାଗଡ଼), ଡଃ. ଫଣିନ୍ଦମ ସିଂଦେବ, ଡଃ. ପଦ୍ମାବତୀ ଦଣ୍ଡସେନା, ଡଃ. ଦଧିବାମନ ମିଶ୍ର, ଜିତାମିତ ପ୍ରସାଦ ସିଂଦେଓଙ୍କ ପରି ଅନେକ ଗବେଷକ ନିଜର ମତ ଦିଅନ୍ତି। ଏହି ତନ୍ତ୍ର ଉପରେ ଆଜିବି ଲୋକଙ୍କ ବିଶ୍ୱାସ ରହିଛି। କିନ୍ତୁ ତାନ୍ତ୍ରିକ ବା ଗୁଣିଆ ଆଜି ବି ତନ୍ତ୍ରର ସେହି ଉଚ୍ଚତମ ସୋପାନ ପାଇଁ ନୁହେଁ ଗୁଣିଆ ନାମରେ ନିକୃଷ୍ଟ କର୍ମ କରୁଛି। ଏହା ଅନେକଙ୍କ ପାଇଁ ଜୀବନଜୀବିକାର ପନ୍ଥା ବି ଅଟେ।
ବାଇ- ନିଜର ବଡ଼ଭଉଣୀକୁ ବଲାଙ୍ଗିରର ଟିଟିଲାଗଡ଼ ଉପଖଣ୍ଡ, କଳାହାଣ୍ଡି ଓ ନୂଆପଡ଼ାର ମୂଳନିବାସୀ ‘ବାଇ’ କହିଥାନ୍ତି। ଛତିଶଗଡ଼ ଅଂଚଳରେ ମ୍ମ ବାଇ ସମ୍ବୋଧନ କରାଯାଇଥାଏ। କୌଣସି ମହିଳାଙ୍କୁ ସମ୍ମାନଜନକ ସମ୍ବୋଧନ ହେଲା ବାଇ। ଏ ଶବ୍ଦ ଉତର ଭାରତରେ ବାରଙ୍ଗନାମାନଙ୍କ ପ୍ରତି ପ୍ରୟୋଗ ହୁଏ। ରାୟପୁରରେ ପ୍ରୟୋଗ ହେଉଥିବା ବାଇ ଶବ୍ଦ ସର୍ବାଦୌ ବଡ଼ ଭଉଣୀର ମାନ୍ୟତା ରକ୍ଷା କରେ।
ଈଶ୍ୱରୀ ହେମା
ଟୁକେଲ- ଆଚଳିକ ଭାଷାରେ ଝିଅକୁ ‘ଟୁକେଲ୍‌’ ଡାକନ୍ତି। କିଶୋରୀକୁ ‘କେଡ଼ି’ ଓ କିଶୋରଙ୍କୁ ‘କେଡ଼ା’ ମଧ୍ୟ କୁହାଯାଏ।
ଟଙ୍ଗା- ଟଙ୍କା; ଆଞ୍ଚଳିକ ଭାଷାରେ ଟଙ୍ଗା।
ଗୋଟିଏ ଶବ…
ନୂରିଖିଆ କୁକୁରାର ଟୁଣେ ଘା’- ନୂରି – ଖୋଜୁଥିବା। ସ୍ୱର୍ଗୀୟ ପ୍ରୟୋଗଦତ ଯୋଷୀ ନିଜର ଗବେଶଣାତ୍ମକ ପ୍ରବନ୍ଧମାନଙ୍କରେ କୋଶଲୀ ଭାଷାରେ ଶବ୍ଦ ବିକାଶରେ କହନ୍ତି ନୟନରୁ ‘ନୂରା’ ଶବ୍ଦର ସୃଷ୍ଟି। ଏହାର ଅର୍ଥ ଅନ୍ୱେଷଣ।
ଫିଙ୍ଗାହୋଇନଥିବା…
ବିଧର୍ବା- ସାଧାରଣତଃ ଏହା ମଣିଷର ଛେଉଁଣ୍ଡ ବା ଅସହାୟ ସ୍ଥିତିକୁ ବୁଝାଏ। ଏହି ଶବ୍ଦରେ ଲିଙ୍ଗର ସୀମା ନଥାଏ। ବିଧବା ପ୍ରତି ମ୍ମ ଏହା ପ୍ରୟୋଗ ହୋଇଥାଏ।
ହରଜା- ବାହାଘର ବେଳେ ବରପକ୍ଷରୁ କନ୍ୟା ପକ୍ଷକୁ ଦିଆ ଯାଉଥିବା ଟଙ୍କାକୁ ‘ହରଜା’ କୁହାଯାଏ। ଯିଏ କନ୍ୟାକୁ ପ୍ରତିପାଳିତ କରିଥାଏ ଏହି ହରଜା ଟଙ୍କା ଉପରେ ତାର ଏକାନ୍ତ ଅଧିକାର ରହେ। ଏହି ଟଙ୍କା ଦୁଇରୁ ସାତ ଟଙ୍କା ମ୍ମରେ ସୀମିତ ଥିବାର ଦେଖାଯାଏ। ଏ ଟଙ୍କାରେ ଝିଅର ଅଭିଭାବକ ଚାଉଳ କିଣି ଖାଇବାର ପ୍ରଥା ବି ରହେ। ତେଣୁ ବାହା କରେଇଲି ପ୍ରତିବଦଳରେ ‘ଦେଇ ଖାଏଲି’; ବାହା ଦେବି ବଦଳରେ ‘ଦେଇ ଖାଏବି’ ବୋଲି ଲୋକେ କହିଥାନ୍ତି। ମୋ ଝିଅକୁ ବାହା ଦେଇ ସାରିଲିଣି ପ୍ରତିବଦଳରେ ‘ମୋର ଟୁକେଲକେ ଦେଇ ଖାଏଲି’ ବୋଲି କହିଥାନ୍ତି।
ଗନସନ- ବିବାହ ବେଳେ ପୁଅ ବା ଝିଅକୁ ତେଲ ଓ ହଳଦୀରେ ଅଭିଷେକ କରିବା।
ମଡ଼ୋଗଡ଼ା- ମହୁଲ ଡାଳ ଦୁଇଟିକୁ ସାକ୍ଷୀ ଭାବରେ ବେଦିରେ ରଖାଯାଏ। ଏହାକୁ ଛାଉଣୀ କରାଯାଏ କେନ୍ଦୁ ଡାଳରେ । ଖରାବେଳେ ପ୍ରାୟ ଅଧିକାଂଶ ବିବାହ ହୁଏ। କେନ୍ଦୁଡାଳର ଛାଉଣୀ ତଳେ ଖାଇବା କାମ ହୁଏ। କେନ୍ଦୁଡାଳର ଛାଇରେ ଝାଉ ମାରେନି ଅର୍ଥାତ୍ ଅଂଶୁଘାତ ହୁଏନାହିଁ।
ଦେ’ ଗନ୍‌ସା- ଦେ ଅର୍ଥାତ୍ ଦେବତା। ତେଲ ହଳଦୀରେ ବିବାହ ବେଳେ ପ୍ରଥମେ ଘରର ଅବା ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କୁ ଅଭିଷେକ କରାଯାଏ।
ପାଏନ୍ ପଲଟା-ପାଏନ ଅର୍ଥାତ୍ ପାଣି। ପୋଖରୀରୁ ପାଣି ଆଣିତାକୁ ସାତଟି ଘରେ ବଦଳ କରାଯାଏ। ଏ’ ପାଣିକୁ କଳସରେ ରଖାଯାଏ। ଏହାକୁ ବାଡ଼ୁଅ ପାଣି ବେଳେ ବ୍ୟବହାର କରାଯାଏ। ଯାହାକୁ ‘ହଲଦୀ ପାଏନ’୍ କୁହାଯାଏ।
ଚୁଟ୍‌କୀ- ଅରୁଆ ଚାଉଳରେ ବର ଅବା କନ୍ୟାକୁ ଅଭିଷେକ।
ବରନୀ- ଉପହାର ଧରି ବାହାଘର ଅତିଥିଙ୍କୁ ସ୍ୱାଗତ କରିବା।
ଜୋର- ନାଲା। ଏହା ଜଳସ୍ରୋତ କିନ୍ତୁ ଅଣ ଓସାରିଆ ଓ ଅଙ୍କାବଙ୍କା । ଜୋର ନଦୀ ପରି ସରଳ ନୁହେଁ, ଏହାର ଗତିପଥ ଜଟିଳ ଭାବରେ ବଙ୍କାଟଙ୍କା।
ପ୍ରଥା ଅନୁସାରେ ବାହା- ଏହା ସାଧାରଣ ବିବାହ। ପୁର୍ବ କାଳରେ ପ୍ରେମ ବିବାହ କଲେ ସମାଜ ସେମାନଙ୍କୁ ଗ୍ରହଣ କରେ। କିନ୍ତୁ ସର୍ତ୍ତ ଥିଲା ସେମାନେ ଗୋଟିଏ ଜାତିର ହୋଇଥିବେ। ଜଦି ଏମାନେ ଗୋଟିଏ ଜାତିର ନୁହଁନ୍ତି, ତା’ହେଲେ ପୁରୁଷର ଜାତି ଅନୁସାରେ ତାର ସନ୍ତାନସନ୍ତତି ନିଜକୁ ପରିଚିତ କରିପାରିବେ। ଏମାନଙ୍କୁ ସମସ୍ତ ସାମାଜିକ କର୍ମରେ ଭାଗ ନେବାକୁ ସୁଯୋଗ ମିଳିଥାଏ, ଯଦି ଏମାନେ ଗୋଟିଏ ଜାତିର। ଏହି ବିବାହ କରିଥିବା ମହିଳାମାନେ ସଧବା କରିବା ସାମାଜିକ କାମ କରିପାରନ୍ତି ନାହିଁ ଯେ ପର୍ଯ୍ୟନ୍ତ ପ୍ରକୃତ ବିବାହ ଏମାନେ ହୋଇନଥାନ୍ତି। ଏହି ବିବାହର ସମୟସୀମା ନିଜର ପୁଅ ଅଥବା ଝିଅର ବିବାହ ପୂର୍ବଦିନ ପର୍ଯ୍ୟନ୍ତ ହୋଇଥାଏ। ସମୟକ୍ରମେ ଦାରିଦ୍ର‌୍ୟ ଯୋଗୁଁ ଦୁଇପକ୍ଷର ବୁଝାମଣାରେ ବିବାହ ହୋଇଥାଏ। ଏହି ବିବାହରେ ଜାତିଭାଇଙ୍କ ସ୍ୱୀକୃତି ରହିଥାଏ। ମୃତ୍ୟୁପରେ ମଧ୍ୟ ଦଶାହ କର୍ମକୁ ଦାରିଦ୍ର‌୍ୟ ଯୋଗୁଁ ଲୋକେ ବର୍ଷ ବର୍ଷ ଧରି ସ୍ଥଗିତ ରଖିପାରନ୍ତି। ଏ କ୍ଷେତ୍ରରେ ଜାତିରୁ ବାସନ୍ଦ ହେବା ସାମାଜିକ ଆଇନରେ ନାହିଁ।
ସୁଖବାସୀ
କୁଁଚି- ମହୁଲ, ଚାଁର ଗଛେ ଫୁଲ ଆସିବା ପୂର୍ବବର୍ତୀ ଅବସ୍ଥାକୁ କୁଁଚି କହନ୍ତି। ଅର୍ଥାତ କଢ଼ ଅବସ୍ଥା।
କୁତିଆ- ନିଜର ସାମାଜିକ କର୍ମ ତୁଲେଇବା ପାଇଁ ସାହୁକାର ନିକଟରୁ ନେଇଥିବା ଶସ୍ୟ, ଟଙ୍କା ଓ ସୁନାକୁ ମୋଟ ହିସାବ କରି ତାକୁ ଶସ୍ୟ ଆକାରରେ ହିସାବ କରାଯାଏ। ମୋଟ ଶସ୍ୟର ବାର୍ଷିକ ଦେଢ଼ଗୁଣ ସୁଧ ଯୋଡ଼ାଯାଏ। ଶ୍ରମ କରି ସମସ୍ତ ଟଙ୍କା ପରିଶୋଧ କରିବାକୁ ପଡ଼େ। ଅନେକ ଉଦାହରଣରୁ ଜଣାପଡ଼େ ଗୋଟିଏ ବାହାଘର ପାଇଁ ନେଇଥିବା ଋଣର କେବଳ ସୁଧ ଜୀବନକାଳ ଭିତରେ ଜଣେ ପରିଶୋଧ କରିପାରେନି। ଯାହାକୁ ତାର ପୁଅ ଶ୍ରମ ପ୍ରତିବଦଳରେ ପରିଶୋଧ କରେ। ଏହି ପ୍ରଥାକୁ କୁତିଆ ପ୍ରଥା କହନ୍ତି।
ମୁଁ ବି ବଞ୍ଚି ଜାଣେ…
ଲେର- ପରିବା ବଗିଚା। ଏଠାରେ କିଛି ଆବଶ୍ୟକୀୟ ଫଳଗଛ ବି ରହେ। ଘର ଓ ଗୁହାଳ ବି ଥାଏ। ଜମିରେ କାମ କରିବା ବେଳେ ଲେରରେ ଖାଦ୍ୟ ପ୍ରସ୍ତୁତ କରାଯାଏ। ଜମି ପାଖ ବଗିଚାକୁ ‘ଲେର’ କୁହାଯାଏ। ଦିନନବେଳେ ଲେର ଓ ରାତିରେ ଘରେ ରହେ ଚାଷୀ। ବର୍ତମାନ ଲେର ସବୁ ଅର୍ତନୀତିର ଅବକ୍ଷୟ ସାଙ୍ଗକୁ ଧ୍ୱଂସ ହେଲାଣି।
ବେଉସା-ବ୍ୟବସାୟ
କନକୀ- ଖୁଦରୁ ଛୋଟ ଚାଉଳ। ‘ଖୁଦ କନକୀ ଖାଇ ଜିଉଛେଁ’ ଅର୍ଥାତ ଦରିଦ୍ର।
ଚେର ମକାର- ଧାନଗଛର ଚେର ବି ଶୁଖିଯିବା ସମୟର ମରୁଡ଼ିକୁ ଚେରମକାର କହନ୍ତି।
ମକାର- ମରୁଡ଼ି।
ଟେଣା- ତେଂଟା
ମଧି- ମଝି
ଅଡ଼଼ା- ଶସ୍ୟମାପକରେ ଏହା ଏକକ
୪ ବୁଚି- ୧ ଗିଧା
୪ ଗିଧା- ୧ ଅଡ଼ା
୪ ଅଡ଼ା- ୧ ମାନ
୨୦ ମାନ- ୧ ପୁଟି
୧ ଲିଟର ଶସ୍ୟ ୍ରଡ଼ା ସହ ପ୍ରାୟ ସମାନ ହୁଏ। ତେଣୁ ଲୋକେ ଲିଟରରେ ମ୍ମ ଶସ୍ୟମାପି ବିକ୍ରି କରିଥାନ୍ତି।
ବେଲା- ଡୁଆ। ଏହା ବାଉଁଶରେ ତିଆରି ହୋଇଥାଏ।
ଗିନି, ଗଜବନ, ଡୁଆମାଳି, କତରିଆ, ବନ୍ଦରିଆ, ଘୁନତି, ପଏଁରୀ, ଚାଏଁରୀମୁଡ଼ି- ଏସବୁ ସ୍ତ୍ରୀଲୋକଙ୍କର ଅଳଙ୍କାର।
ବଲା, ବାହାଁପଟ- ପୁରୁଷ ଲୋକଙ୍କ ଅଳଙ୍କାର
ଗୁଡ଼ସି- ଛୋଟ ଅସ୍ଥାୟୀ କୁଡ଼ିଆ।
ପଥରିଆ- ଇଟା ଗଢ଼ିବା ପାଇଁ ଗୋଟିଏ ଦଳ। ଏମାନେ ତିନିଜଣ। ଜଣେ ମାଟି ମାଡ଼ି ଗୋଲ କରିବ। ଜଣେ ସେ ଗୋଲ ମାଟିକୁ ଛାଂଚରେ ପକେଇ ଇଟା ତିଆରି କରିବ। ଜଣେ ଇଟା ଶୁଖେଇବ।
ମୁଁ ବି ଏବେ…
ରାମଚନ୍ଦ୍ର ମାର୍ଜ୍ଜାର କେଶରୀ ଋପ- ନୃସିଂହ ପୁରାଣ ଅନୁସାରେ ଭଗବାନ ରାମଚନ୍ଦ୍ର ନୃସିଂହ ଅବତାର ନେଇଥିଲେ।
କୁଣାବରା- ଚକ୍ସର ଗବଗ୍ଧଙ୍କକ୍ସସଗ୍ଧଚ୍ଚ ଗବକ୍ସକ୍ସସବଶର ଙ୍ଗସଗ୍ଧଷ ଗକ୍ଟଷଙ୍କବ ଞକ୍ସରର
ଏକଶିଆ- ଏକୋଇଶିଆ
ମାଏଲି- ଗ୍ରାମ୍ୟଦେବୀ
ବୋଏଲ- ଘର ଘର ଯାଇ ପୁଜା କରିବା ଖାଇବା।
ପଥରିଆ- ଇଟା ବନେଇବା ଲାଗି ଏକ ଦଳ।
ଗୁଡ଼ସି – ଖଳାର ଅସ୍ଥାୟୀ ଘର/ ଇଟାଭାଟିରେ ଅସ୍ଥାୟୀ ଘର।