Ranipur Jharial

ଡାଲଖାଇ ବିଷୟରେ ଚର୍ଚ୍ଚା କରିବା ପୂର୍ବରୁ ଆଦିବାସୀ ଦର୍ଶନ ପ୍ରତି ପୂର୍ବାଗ୍ରହକୁ ବାଦ ଦେବାକୁ ପଡିବ। ଡାଲଖାଇ ବିଷୟ ଉତ୍ଥାପନ କଲା ସମୟରେ ଏହି ଲେଖକ ସ୍ପଷ୍ଟ କରିଦେବାକୁ ଚାହେଁ; ଏହା ଏକ ପତ୍ରକାର ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଐତିହାସିକ ତଥ୍ୟ କହିଥାଏ ଯେ ୬୫ ହଜାର ବର୍ଷ ପୂର୍ବରୁ ପ୍ରଥମ ଭାରତୀୟ ବର୍ତ୍ତମାନର ପାକିସ୍ଥାନ ମାଟିରେ ପାଦ ଥାପିଲା (ଟୋନୀ ଜୋସେଫଙ୍କ ଞଷର ରବକ୍ସକ୍ଷଚ୍ଚ ଓଦ୍ଭୟସବଦ୍ଭଗ୍ଦ)। ମଧ୍ୟ ଏସିଆରେ ଏହା ପୂର୍ବରୁ ମଣିଷ ନିଜର ବିସ୍ତାର କରି ସାରିଥିଲା। ଭାରତର ପ୍ରଥମ ପ୍ରାଗୈତିହାସିକ ଚିତ୍ର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠୁ ଦକ୍ଷିଣକୁ ୪୫ କିଲୋମିଟର ଦୂର ଭୀମବେଟକାରେ ଦେଖିବାକୁ ମିଳିଥାଏ। ଏହା ୟୁନିସ୍କୋ ଦ୍ୱାରା ବିଶ୍ୱସ୍ମାରକର ମାନ୍ୟତା ପାଇଛି। ପ୍ରଗୈତିହାସିକ ଯୁଗର ମଣିଷ ଦ୍ୱାରା ଅଙ୍କିତ ଗୁମ୍ଫାଚିତ୍ର ଓ ପ୍ରସ୍ତର ଲେଖ ଓ ଚିତ୍ର ରହିଛି। ଏହାସହ ଅନେକ ପଥରର ଉପକରଣ ମଧ୍ୟ ମିଳିଛି। ଏହାକୁ ୩୦ ରୁ ୭୦ ହଜାର ବର୍ଷର ପୁରୁଣା ବୋଲି କୁହାଯାଏ। ପଥର କପ୍ୟୁଲ୍ସ କୁ ଆହୁରି ପୁରୁଣା କୁହା ଯାଇଥାଏ। ଯେଉଁ କାର୍ବନଡେଟିଙ୍ଗ ଦ୍ୱାରା ଏହି ତଥ୍ୟ କୁହାଯାଏ ତାହା ସର୍ବାଧିକ ୭୦ ହଜାର ବର୍ଷ ପର୍ଯ୍ୟନ୍ତ ତଥ୍ୟ ଦେଇଥାଏ। ଏଥିସହ ବର୍ତ୍ତମାନ ୟୁରାନିୟମଲେଡ ଡେଟିଙ୍ଗ, ଇଲେକ୍ଟ୍ରୋନ ସ୍ପିନ ରେଜୋନେନ୍ସ ଭଳି ଆହୁରି ଆଠଟି ବୟସ ନିର୍ଦ୍ଧାରଣ ପ୍ରକ୍ରିୟା ରହିଅଛି। ଯାହା ଅୟୁତ କୋଟି ବର୍ଷ ପର୍ଯ୍ୟନ୍ତ ତଥ୍ୟ ଦେଇଥାଏ। କେବଳ କାର୍ବନ ଡେଟିଙ୍ଗ ଆଧାରରେ ଆମର ଇତିହାସକୁ ଆମେ ପଢୁଅଛୁ।
ଅନେକ ତଥ୍ୟ ଏହା ବି ପ୍ରକାଶ କରିଥାଏ ଯେ ପ୍ରାଚୀନପ୍ରସ୍ତର ଯୁଗର ମଣିଷ ଦ୍ୱାରା ବ୍ୟବହୃତ ଗୁମ୍ଫା ସଂସ୍କୃତିର ଅନେକ ପ୍ରମାଣ ଓଡ଼ିଶାର ନୂଆପଡ଼ା ଜିଲ୍ଲାରୁ ମିଳିବା ଦ୍ୱାରା ଆମର ଅଧ୍ୟୟନର ସୀମିତତାକୁ ବ୍ୟାପ୍ତ କରିଥାଏ। ଡ. ତସୋବନ୍ତ ପ୍ରଧାନ ଜୋଙ୍କ ଉପତ୍ୟକାରେ ୪୩ ଗୋଟି ପ୍ରାଚୀନ ସ୍ଥଳୀର ଆବିଷ୍କାର କରିଛନ୍ତି। ଯେଉଁଥିରୁ ୧୧ ଗୋଟି ଆଦ୍ୟ ପ୍ରାଚୀନ ପ୍ରସ୍ତରଯୁଗ, ୩ ଗୋଟି ମଧ୍ୟ ପ୍ରାଚୀନ ପ୍ରସ୍ତରଯୁଗ ଓ ୨୯ ଗୋଟି ନୂତନ ପ୍ରସ୍ତରଯୁଗର ସ୍ମାରକ ଅଟେ।
ନର୍ମଦା ଉପତ୍ୟକାର ଭୂ-ସଂରଚନାରେ ଭୀମବେଟକା ଆସିଥାଏ। ଏହିଠାରୁ ମଣିଷ ଦକ୍ଷିଣକୁ ଆସିଲା। ଏହି ଗୋଷ୍ଠୀ ତିନିଭାଗ ହୋଇ ଗୋଟିଏ ଭାଗ ଓଡ଼ିଶାକୁ ଆସିଲା। ଓଡ଼ିଶାର ଜୋଙ୍କ ଉପତ୍ୟକାରେ ପ୍ରଥମେ ବସତିସ୍ଥାପନ କଲା। ବସ୍ତର ଓ ସତପୁରା ଅଞ୍ଚଳକୁ ଯାଇଥିବା ଗୋଷ୍ଠୀ ଅପେକ୍ଷା ଓଡ଼ିଶା ଆସିଥିବା ପ୍ରଥମ ମଣିଷ ଯେଉଁ ଭୂଗୋଳକୁ ଆବିଷ୍କାର କଲା ତାହା ହେଉଛି ସୁନାବେଡା ଉପତ୍ୟକା। ଇଣ୍ଡୋ-ମଙ୍ଗୋଲୀୟ ସଂସ୍କୃତି ପାହାଡ ଆଧାରିତ ହୋଇଥିବା କାରଣରୁ ସୁନାବେଡା ଉପତ୍ୟକା ଓଡ଼ିଶା ମାଟିର ସେ ପ୍ରଥମ ମଣିଷ ପାଇଁ ଉପଯୁକ୍ତ ସ୍ଥାନ ଥିଲା। କିନ୍ତୁ ଡ. ପ୍ରଧାନଙ୍କ ଆବିଷ୍କାର ପରେ ୧.୬୭ ମିଲିୟନ ବର୍ଷ ପୁରୁଣା ସଂସ୍କୃତିକୁ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟର ଜୋଙ୍କ ଉପତ୍ୟକା ଇତିହାସକୁ ପୁନଃଆଲୋଚନା ପାଇଁ ଆହ୍ୱାନ ଦେଇଥାଏ।
ଆମର ପୂର୍ବଜ ପ୍ରଥମ ସଭ୍ୟ ମଣିଷ ହୋମୋସପିଏନ୍ସର ମସ୍ତିଷ୍କର ଆକାର ଓ ସଂରଚନା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଅପରିବର୍ତ୍ତିତ ରହିଅଛି। ଚିନ୍ତା, କଳ୍ପନା ଓ ଅଧ୍ୟୟନ ଯୋଗୁଁ ଏହା ଅଧିକରୁ ଅଧିକ ବ୍ୟବହାର ହୋଇ ଆସୁଅଛି। ସହଜାତ ପ୍ରବୃତ୍ତିକୁ ଛାଡିଦେଲା ପରେ ମଣିଷ ନିଜର କର୍ମ ଓ ମସ୍ତିଷ୍କର ଶକ୍ତିକୁ ଉପଯୋଗ କରି ବର୍ତ୍ତମାନ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ପହଞ୍ଚିଛି। କହିବାର ଅର୍ଥ ହେଲା ମଣିଷ ନିଜ ପହଞ୍ଚର ଉପକରଣକୁ ବ୍ୟବହାର କରି ଭୌତିକ ଉନ୍ନତି କରିଥାଏ। ତାହା ଶିକାର ପାଇଁ ପଥରର ଅସ୍ତ୍ର ହେଉ ଅବା ପରବର୍ତ୍ତି ସମୟରେ ମହାକାଶ ଯାତ୍ରା ହେଉ।

ଜୋଙ୍କ ଉପତ୍ୟକାରେ ପ୍ରଥମ ମଣିଷ ଓଡ଼ିଶା ମାଟିକୁ ଛୁଇଁଲା। ସୁନାବେଡା ଉପତ୍ୟକା ଭଳି ଏକ ଦୂର୍ଲଭ ଭୂଖଣ୍ଡ ନିଜର ଅନେକ ଅଭିଜ୍ଞତାକୁ ସାକାର କରିବାର ସୁଯୋଗ ପାଇଲା। ବନୌଷଧି, ପ୍ରାକୃତିକ ଜଳଉତ୍ସ, ନିଘଞ୍ଚ ବନାନୀ ଓ ଇତର ପ୍ରାଣୀଙ୍କ ସହ ସହାବସ୍ଥାନ ତାର ଅଭିଜ୍ଞତାକୁ ପ୍ରୟୋଗ କରିବାର ସୁଯୋଗ ଦେଲା। ବର୍ତ୍ତାମାନ ପର୍ଯ୍ୟନ୍ତ ଅଧ୍ୟୟନ କହେ ପୃଥିବୀର ସମସ୍ତ ମାନବ ସଭ୍ୟତା ମଧ୍ୟରୁ ସୁନାବେଡା ଉପତ୍ୟକା ଆଧୁନିକତମ ପ୍ରୟୋଗଶାଳା ରହିଥିଲା। ଯାହା ପରବର୍ତ୍ତି ସଭ୍ୟତାକୁ ସାଂଖ୍ୟ ନାମକ ଏକ ମୌଳିକ ତତ୍ତ୍ୱ ଭେଟି ଦେଇ ପାରିଥିଲା। ସାଂଖ୍ୟ ଅର୍ଥାତ ପ୍ରକୃତି ଓ ପୁରୁଷ ଶକ୍ତିର ବିଶ୍ଲେଷଣ ଓ ପ୍ରୟୋଗ। କୃଷି ସଭ୍ୟତାର ଆଧୁନିକତା ଯେଉଁ ସ୍ତରର ଥାଉ ଧାନ ଭଳି ଏକ ନୂତନ ଚାଷରେ ସଫଳତା ପାଇ ପାରିଥିଲା। ଶବ୍ଦ, ପରିବେଶ, ଆକାଶ ଆଦି ଉପରେ ଗଭିର ଅଧ୍ୟୟନ କରିଥିଲା। ଉଦାହରଣ ସ୍ୱରୁପ ଖ୍ରୀ.ପୂ ୧୨ ହଜାର ବର୍ଷକୁ ସିଦ୍ଧରସାୟନର ଯୁଗ କୁହା ଯାଇଥାଏ।
ସୁନାବେଡା ଉପତ୍ୟକାର ପାଗୈତିହାସିକ ଉପକରଣ, ଜନମପାଏନର ଜଳକୁଣ୍ଡ ଏବଂ ଅନେକ ସ୍ଥାନମାନଙ୍କର ଅଧ୍ୟୟନ ଅନ୍ୟ କଥା କହିଥାଏ। ପ୍ରାଗୈତିହାସିକ ପଥର କପ୍ୟୁଲ୍ସ, ପ୍ରସ୍ତର ଉପକରଣ, ଗୁମ୍ଫାଚିତ୍ର ଭଳି ପ୍ରାଚୀନ ପ୍ରମାଣ ସହ ମାରାଗୁଡା, ପାଟଧରାର ପ୍ରସ୍ତର ପଦଚିହ୍ନ ଭଳି ଉନ୍ନତ ମଧ୍ୟଯୁଗ ପର୍ଯ୍ୟନ୍ତ ସଭ୍ୟତାର ପ୍ରମାଣ ରହିଅଛି। ଏହି ସଭ୍ୟତାର ନିରନ୍ତରତା ବର୍ତ୍ତମାନ ଭୁଞ୍ଜିଆ ଜନଜାତିର ଦର୍ଶନ, ଗ୍ରାମଦେବୀ ଓ ପିଦର ଗୋଟିଏ ଧାରାପ୍ରବାହକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏହା ମଧ୍ୟ ସତ ଯେ ବାହ୍ୟ ଅତିକ୍ରମଣ ଅନେକ ପ୍ରଭାବ ପଡିଅଛି (୧)। ଏହି ଅତିକ୍ରମଣ ଏତେ କୃର ହୋଇ ଯାଇଅଛି ଯେ ଆଦିସଂସ୍କୃତି ଅନ୍ୟ ଭାଷାରେ ଆଦିବାସୀ ସଂସ୍କୃତିକୁ ଅନ୍ଧବିଶ୍ୱାସର ସାର୍ବଜନିକ ମାନ୍ୟତା ଦେଇ ସାରିଛନ୍ତି। ପ୍ରସ୍ତର ଚିତ୍ର, ଗୁମ୍ଫାଚିତ୍ର, ପ୍ରାଗୈତିହାସିକ ସଂସ୍କୃତି, ବିଜ୍ଞାନ, ସଂଗୀତ ଆଦି ଉପରେ କୌଣସି ପ୍ରକାର ଚିନ୍ତା କରା ଯାଇନାହିଁ (୨)। ଏସମସ୍ତ ଅଧ୍ୟୟନ ଉପରେ ପ୍ରୋତ୍ସାହନ ଦେବା ଦୂରର କଥା ଆଦିବାସୀଙ୍କୁ ମୁଖ୍ୟଧାରାରେ ସାମିଲ କରିବା ନାମରେ ଆଦି ସଂସ୍କୃତିର ବିନାଶ ହିଁ କରା ଯାଇ ଆସୁଅଛି।
ଏହି ସଂଦର୍ଭରେ ଡାଲଖାଇକୁ ବିଚାରକୁ ନିଆଯାଇ ପାରେ। ଡାଲଖାଇର ଅଧ୍ୟୟନ ପାଇଁ ଓଡ଼ିଶାର ସେହି ପ୍ରଥମ ମଣିଷଙ୍କ ନିକଟକୁ ଯିବାକୁ ପଡିବ। ଓଡ଼ିଶା ଛତିଶଗଡ ସୀମାକ୍ଷେତ୍ର ହୀରାକୁଦ ଜଳଭଣ୍ଡାର ଉପତ୍ୟକାରୁ ନୂଆପଡା, କଳାହାଣ୍ଡି, କୋରାପୁଟ ଏବଂ ସୁନ୍ଦରଗଡ ସମତେ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ ପ୍ରାଚୀନ ଜନବସତି ଥିବାର ପ୍ରମାଣ ଆଜି ମଧ୍ୟ ଦେଖିଥାଉ। ଜୋଙ୍କ ନଦୀ ଉପତ୍ୟକାରେ ୪୩ ଗୋଟି ପ୍ରାଗୈତିହାସିକ ସ୍ଥାନ ଥିବାର ଡ. ତୋଷବନ୍ତ ପ୍ରଧାନ କଥା କହିଛନ୍ତି। ଏହା ସହିତ କେବଳ ଓଡ଼ିଶାରେ ସୁନାବେଡା ଉପତ୍ୟକା ପରେ ଗନ୍ଧମାର୍ଦ୍ଦନ, ବାରପାହାଡ ଅଞ୍ଚଳ ଦେଇ ଝାରସୁଗୁଡା ବିକ୍ରମଖୋଲ ପର୍ଯ୍ୟନ୍ତ ଗୋଟିଏ ଧାରା ଦେଖିବାକୁ ମିଳିଥାଏ। ଏହାର ଅନ୍ୟ ଏକ ଧାରା ସୁନାବେଡାରୁ ବଲାଙ୍ଗୀର ଜିଲ୍ଲା ପଟକୁ ରିସିପିଟି ଯୋଗୀମଠ ଅଞ୍ଚଳ, ରାଣୀପୁର ଝରିଏଲ ଅଲଣ୍ଡା ଓ ମୁଙ୍ଗେ ପାହାଡ, ଟିଟିଲାଗଡର କୁମୁଡା ପାହାଡ, ମୁରିବାହାଲର ହଲଦୀ, ଦେଷଣ୍ଢର ଚନ୍ଦଲୀପାଟ, ବଲାଙ୍ଗୀର ନିକଟସ୍ଥ ଭୀମଡୁଙ୍ଗରୀରୁ ସୁଲିଆ ଉପତ୍ୟକା, ଲୋଇସିଂହାର ଛେଲିଆପାଟ, ସୋନପୁରର ପୂଜାଡୁଙ୍ଗରୀ ଓ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଗୋଟିଏ ଧାରା ଏବଂ ଅନ୍ୟ ଏକ ଧାରା ସୁନାବେଡାରୁ କଳାହାଣ୍ଡି ଡୋକରୀ ଚଁଚରା, ଆମପାଣି ଅଞ୍ଚଳ ଦେଇ କୋରାପୁଟ ନନ୍ଦପୁର ଓ କୋରାପୁଟ ସୁନାବେଡା ଦେଇ ଅନ୍ୟ ଏକ ଧାରା ପ୍ରବାହିତ ହୋଇଥିବା ଦେଖାଯାଏ। ଏହି ତିନୋଟି ଧାରା କ୍ରମ ଅନୁସାରେ ହଜାର ହଜାର ବର୍ଷର ଅଧ୍ୟୟନ ଓ ଅଭ୍ୟାସ ଓଡ଼ିଶା ସଂସ୍କୃତିର ବୀଜ ପବନ କରିଥିଲେ (୩)। ଏ ସମସ୍ତ ଅଞ୍ଚଳରେ ପ୍ରସ୍ତର ଖୋଦିତ ଆକୃତି, ଚିତ୍ର ଦେଖାଯିବା ସହ ପ୍ରସ୍ତର ଗୁମ୍ଫାଚିତ୍ର ମଧ୍ୟ ଦେଖାଯାଏ। ଶତାଧିକ ସଂଖ୍ୟାରେ ଏହି ସ୍ଥାନମାନ ରହିଅଛି। ନିଶ୍ଚିତ ଏହା ସେ ସମୟର ଏକ ଉଚ୍ଚତର ସମାଜ ସଂରଚନାକୁ ସୂଚାଇଥାଏ। ସୁନାବେଡାରୁ ଆରମ୍ଭ ହୋଇଥିବା ଏହି ତ୍ରିଧାରା ବ୍ୟବସ୍ଥିତ ହେବା ପର୍ଯ୍ୟନ୍ତ କେତେବର୍ଷ ସମୟ ନେଇଛି ତାହାର ବୈଜ୍ଞାନିକ ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ପାରି ନାହିଁ। ଅପରନ୍ତୁ କ୍ରମ ଅନୁସାରେ ପ୍ରସ୍ତର ଉପକରଣ, ଚିତ୍ର, ଗୁମ୍ଫାଚିତ୍ର ଆଦି ସ୍ପଷ୍ଟ ଓ ଆଧୁନିକ ହୋଇଥିବାର ଦେଖାଯାଏ। ଡ. ଜିତାମିତ୍ର ପ୍ରସାଦ ସିଂଦେଓ ବିକ୍ରମଖୋଲ ପ୍ରସ୍ତର ଚିତ୍ରକୁ ଲିପି ବୋଲି କହିଥାନ୍ତି। ସେଠାରେ ଚତୁଃକୋଣର ଥିବା ପ୍ରସ୍ତର ଗର୍ତ୍ତ ଡୋକରିଚଁଚରା ଏବଂ ସୁନାବେଡାର ପ୍ରସ୍ତର ଗର୍ତ୍ତରୁ ସ୍ପଷ୍ଟ ଓ ଆଧୁନିକ ଜଣାପଡେ। ସୁନାବେଡାରୁ ଆଦିମାନବର ଏହି ସଂପ୍ରସାରଣ ନିଶ୍ଚିତ ଏକ ଦୀର୍ଘ ସମୟ ନେଇଥିବ। ଯାହା ବିଷୟରେ ଇତିହାସ ଏବେ ବି ନିରବରେ ଅଧ୍ୟୟନ ଅପେକ୍ଷାରେ ରହିଅଛି।
ଡାଲଖାଇ ବିଷୟ ପ୍ରବେଶ ପୂର୍ବରୁ ଏହି ସମସ୍ତ ପ୍ରସ୍ତରଚିତ୍ର ଓ ଗୁମ୍ଫାଚିତ୍ର ଉପରେ ସମ୍ୟକ ଆଲୋଚନା ଆବଶ୍ୟକ। ସୁନାବେଡା ଉପତ୍ୟକାର ପୂର୍ବ ଦିଗରେ ହଲଦିଆପାଟ ରହିଅଛି। ଏଠାକାର ଗୋଟିଏ ଡୁଙ୍ଗରୀ ଉପରେ ଅନେକ ପ୍ରକାର ପଶୁର ପାଦଚିହ୍ନ ସହ ମଣିଷ ପାଦଚିହ୍ନ ମଧ୍ୟ ରହିଅଛି। ଏହାସହ କେତେକ ଗର୍ତ୍ତ ରହିଅଛି ଯେଉଁ ଗର୍ତ୍ତମାନ ସାମାନ୍ୟ ବୃତ୍ତାକାର, ଚତୁଃକୋଣ ଏବଂ ତ୍ରିକୋଣ ବିଶିଷ୍ଟ। ପ୍ରସ୍ତର ଖୋଦେଇ ଚିତ୍ର ମାନଙ୍କ ମଧ୍ୟରେ ଯୋଗଚିହ୍ନ, ଗୁଣନ ଚିହ୍ନ, ତ୍ରିଭୂଜ, ବୃତ୍ତ ଓ ଅନେକ ଆକୃତି ରହିଛି। ପେଣ୍ଡୁ ଆକୃତିର ଅନେକ ଛୋଟବଡ ପଥର ସହ ଗୁମ୍ଫାଚିତ୍ରରେ ପ୍ରସ୍ତର ଚିତ୍ରଭଳି ଚିତ୍ର, କୃଷି ଓ ଶିକାର ଉପକରଣର ଚିତ୍ର ଦେଖିବାକୁ ମିଳେ। ଶିକାର ଚିତ୍ର ମାନବ ଆକୃତ୍ତି ଓ ବୃତ୍ତ ସେ ସମୟର ସଭ୍ୟତା ଉପରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ (୪)।

ଏହି ପ୍ରସ୍ତରଯୁଗୀୟ ସଭ୍ୟତା ଉପରେ ବୁଦ୍ଧ ଓ ଆର୍ଯ୍ୟଧର୍ମର ପ୍ରାଚୀନ ଲେଖାମାନଙ୍କରୁ ବୁଝିବାର ସୁଯୋଗ ମିଳିଥାଏ। ସ୍ୱତନ୍ତ୍ରଭାବେ ସେସମୟର ସଭ୍ୟତା ଉପରେ କୌଣସି ଅଧ୍ୟୟନ ହୋଇନାହିଁ। ଗୋଣ୍ଡ, ପହରିଆ ଏବଂ ଭୁଞ୍ଜିଆ ଜନଜାତି ସୁନାବେଡା ଉପତ୍ୟକାର ଆଦି ବାସିନ୍ଧା ଅଟନ୍ତି। ଏହି ଜନଜାତିମାନଙ୍କ ସାହିତ୍ୟ ଓ ପୁରାଣ ଅନେକ ବିଷୟ ଉପରେ ଚିତ୍ର ସ୍ପଷ୍ଟ କରିଥାଏ। ଯେଉଁଥିରେ ଗୋଟିଏ କୁଳ ବା ବଂଶର ପରିଚୟ ଓ ଇତିହାସ ମଧ୍ୟ ରହିଥାଏ। ଡାଲଖାଇକୁ ବୁଝିବା ପାଇଁ ଏହି ଚିତ୍ରମାନଙ୍କ ମଧ୍ୟରୁ କେତେକ ଚିତ୍ରର ଅର୍ଥ ଜାଣିବା ଆବଶ୍ୟକ।
ମଣିଷ ନିଜ ବଂଶର ଇତିହାସକୁ ସାଇତି ରଖେ ନିଜର ସାହିତ୍ୟରେ, ନିଜର ସଂଗୀତରେ। ମରିଗଲା ପରେ ପୁନର୍ବାର ଏହି ପରିବାରରେ ମଣିଷ ହୋଇ ଜନ୍ମ ହେବା ଅବଧାରିତ। ତେଣୁ ମୃତ୍ୟୁ ପରେ ପିତୃଡୁମାକୁ ଘରକୁ ଅଣାଯାଏ। ମଶାନକୁନାରେ ଥାପନା କରେ ଓ ତା ସହ ବଞ୍ଚିଥାଏ। ଯେଉଁଦିନ ଡୁମାର ଗୃହପ୍ରବେଶ ହୁଏ ଡୁମା ଗୋଟିଏ ଜନ୍ତୁ, ଶସ୍ୟ, ଚନ୍ଦ୍ର, ତାରା, ଆକୃତି ଆଦିକୁ ଇଙ୍ଗିତ କରିଥାଏ (୫)। ପ୍ରସ୍ତର ଓ ଗୁମ୍ଫାଚିତ୍ରମାନଙ୍କରେ ଏହି ଚିହ୍ନମାନ ମଧ୍ୟ ଅଙ୍କିତ ହୋଇଥିବା ଦେଖାଯାଏ। ଯେତେବେଳେ ମଣିଷ ଶିକାର ଓ ଫଳମୂଳ ଉପରେ ନିର୍ଭର କରୁଥିଲା ସେତେବେଳେ ପାହାଡ ହିଁ ତାର ଆଶ୍ରୟ ଥିଲା। ଗୋଟିଏ ଗୋଷ୍ଠିର ଏକକ ମଶାନକୁନା ଥିଲା। ଯାହା ସେସମୟରେ ପବିତ୍ରତମ ସ୍ଥାନ ଭାବରେ ମାନ୍ୟତା ପାଇଥିଲା। ଏହି ପ୍ରାଥମିକ ମଶାନକୁନା ପାହାଡ ଅଥବା ଗୁମ୍ଫା ହୋଇଥିବାର ଦେଖାଯାଏ। ପରବର୍ତ୍ତି ସମୟରେ ଏହି ମଶାନକୁନା ସଭ୍ୟତା ସହ ପ୍ରସାରିତ ହେଲା। କୃଷି ସଭ୍ୟତା ସମୟରେ ପାହାଡରୁ ଗାଁ ଏବଂ ବଂଶବୃଦ୍ଧି ସାଙ୍ଗକୁ ଘର ଭିତରେ ସ୍ଥାପିତ ହେଲା। ମଣିଷ ନିଜର ବଂଶ ଅସ୍ମିତାକୁ ସାଇତି ରଖେ। ଏଣୁ ଏହି ଚିତ୍ରମାନଙ୍କରେ ପଶୁପକ୍ଷୀଙ୍କ ଖୋଜ, କୃଷି ଓ ଶିକାର ଉପକରଣ, ଆକୃତି ଆଦି ରହିଅଛି (୬)।
ଏଥିବାଦ ଉପକରଣ ଓ ପ୍ରତିକକୁ ଆମେ ଦେଖିଲେ ଯୋଗଚିହ୍ନ, ଗୁଣନ ଚିହ୍ନ, ତ୍ରିଭୂଜ, ବୃତ୍ତ, ଚର୍ତୁଭୁଜ, ପାତ୍ର(କପ୍ୟୁଲ୍ସ) ଆଦି ଆକୃତି ଦେଖାଯାଏ। ଏହି ଯୋଗଚିହ୍ନ ସଂଯୁକ୍ତ ହେବାକୁ, ଗୁଣନ ଚିହ୍ନ ମିଳନକୁ, ଆୟତକ୍ଷେତ୍ର ଉପଜକୁ, ତ୍ରିଭୂଜ ସୃଷ୍ଟିକୁ, ବୃତ୍ତ ଆକାଶ ସହିତ ଗୋଟିଏ ସୀମାକୁ ବୁଝାଇଥାଏ। ଯାହା ପରବର୍ତ୍ତି ସମୟରେ ବୁଦ୍ଧ ଏବଂ ଆର୍ଯ୍ୟଙ୍କ ଦ୍ୱାରା ତନ୍ତ୍ରରେ ବ୍ୟବହାର ହୋଇଥିଲା। ବର୍ତ୍ତମାନର ଗୁଣିଆମାନେ ଏହାର ବ୍ୟବହାର କରିଥାନ୍ତି (୭)।
ପଶୁପକ୍ଷୀ ଆଦିଙ୍କ ପ୍ରତିକ କାହିଁକି ଗ୍ରହଣ କରାଗଲା ଗୋଟିଏ ପ୍ରଶ୍ନ ଆସିବ ନିଶ୍ଚୟ। ନିଜର ବଂଶ ଭାବନା ନେଇ ମଣିଷ ପ୍ରବାସ ଆରମ୍ଭ କରିଥିଲା। ପୃଥିବୀର ବିଭିନ୍ନ ମାଟିରେ ବଞ୍ଚିବା ପାଇଁ ସେହି ଭୂଗୋଳ ସହ ପରିଚିତ ଗୋଟିଏ ଇତର ପ୍ରାଣୀ, ଉଦ୍ଭିଦର ବ୍ୟବହାରକୁ ଅନୁକରଣ କରିଥିଲା। ସେ ସେହି ବଂଶର ମାର୍ଗଦର୍ଶକ। କ୍ରମେ ସେମାନେ କୂଳଦେବତା ହୋଇଛନ୍ତି। ଏହି କୂଳର ଗୋଟିଏ ନିର୍ଦ୍ଦିଷ୍ଟ ଦର୍ଶନ ରହଅଛି। ଆଶ୍ଚର୍ଯ୍ୟ ଭାବେ ସେ ସମସ୍ତ ଦର୍ଶନ ସାଂଖ୍ୟ ନିକଟରେ ହିଁ ମିଳିତ ହୋଇଥାନ୍ତି। ଶାଖାପ୍ରଶାଖା ମେଳି ବ୍ୟାପିଥିବା ସଭ୍ୟତା ମୂଳ ଏହି ପାହାଡମାନଙ୍କରେ ଆଜି ବି ଜୀବନ୍ତ ଅଛି। ଏଲିଜାବେଥ ଇଂଲିଶଙ୍କ ବଜ୍ରଯୋଗିନୀ ଗ୍ରନ୍ଥରେ ଉଲ୍ଲେଖ ଅଛି ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମସ୍ତେ ଉପସ୍ଥିତ ରହି ଗୀତ ନୃତ୍ୟ ବାଦ୍ୟ ଦ୍ୱାରା ନିଜର ପୂର୍ବପୁରୁଷଙ୍କୁ ଶାନ୍ତି ରଖିବା ସହ ଯୋଗାଯୋଗ ରଖୁଥିଲେ। ଏହି ଗୀତ, ବାଦ୍ୟ ଓ ନୃତ୍ୟ ହେଉଛି ଡାଲଖାଇ।

ଏହି ସମବେତ ନୃତ୍ୟ, ଗୀତ ଓ ବାଦ୍ୟକୁ କାହିଁକି ଡାଲଖାଇ କହିବା? ପ୍ରଥମତଃ ଡାଲଖାଇର ବ୍ୟାକ୍ଷା କଲାବେଳେ କୁହାଯାଏ ମଣିଷ ଘଞ୍ଚ ଜଙ୍ଗଲ ଭିତରେ ଶିକାର ଅବା ଫଳମୂଳ ସଂଗ୍ରହ କରିବାକୁ ଗଲାବେଳେ କୌଣସି ମୋଡ ଅବା ମୁଖ୍ୟସ୍ଥାନରେ ଗଛର ଡାଳଟିଏ ଥୋଇଦିଏ। ଏହି ଗଛଡାଳ ଏପରି ହୋଇଥିବ ଯାହା ଶାଖାଚ୍ୟୁତ କରାଯିବାର ଅନେକ ସମୟ ପର୍ଯ୍ୟନ୍ତ ସତେଜ ରହିବ। ସେହି ଡାଳକୁ ଦେଖି ନିଜର ବାସସ୍ଥାନ ପର୍ଯ୍ୟନ୍ତ ଦିଗ ପାଇ ପାରିବ। ଏହି ଡାଳଗଦା ଦେବୀ ଡାଲଖାଇ ନାମରେ ପରିଚିତ ହୁଅନ୍ତି। ଯିଏ ଜଙ୍ଗଲ ଭିତରେ ପଥ ପ୍ରଦର୍ଶନ କରନ୍ତି ଏହାସହ ଜୀବନ ମାର୍ଗର ପ୍ରଦର୍ଶନ ମଧ୍ୟ କରିଥାନ୍ତି। ଯେଉଁ ମାର୍ଗଦର୍ଶନ ପିଦର ମଧ୍ୟ କରିଥାଏ। ପିଦର ବା ପିତୃଆତ୍ମା ସହ ସମ୍ବନ୍ଧ ସ୍ଥାପନ ସହ ବର୍ଷର ନିର୍ଦ୍ଧିଷ୍ଟ ଦିନରେ ଏକତ୍ରିତ ହୋଇ ନିଜର ପରବର୍ତ୍ତି କାର୍ଯ୍ୟପନ୍ଥା ସ୍ଥିର କରିଥାନ୍ତି। ଯାହା ବର୍ତ୍ତମାନ ମଧ୍ୟ ଦେଖାଯାଏ। ଦଶହରା ଅବା ଚୈତ୍ରମାସରେ ପାହାଡ, ଗୁମ୍ଫା ଅବା ଡାଲଖାଇ ସ୍ଥାନରେ ସମବେତ ହେବା ଦେଖାଯାଏ। ଡାଲଖାଇର ମୂଳ ଉଦ୍ଦଶ୍ୟ ସହ ପିଦର ନିକଟରେ ସମବେତ ହେବା ଉଦ୍ଦେଶ୍ୟ ମଧ୍ୟ ସମାନ ରହିଥାଏ। ତେଣୁ ପରବର୍ତ୍ତି ସମୟରେ ଡାଲଖାଇ ସାଧାରଣ ଭାବରେ ବ୍ୟବହାର ହୋଇଥିବା ଜଣାପଡେ। ମତ୍ସ୍ୟେନ୍ଦ୍ରନାଥଙ୍କ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ରରେ ଉଲ୍ଲେଖ ଅଛି ଯେ ପାର୍ବତୀ ଶିବଙ୍କୁ କାମାକ୍ଷା ପିଠର ସମବେତ ନାଚଗୀତ ଉପରେ ପ୍ରଶ୍ନ କରୁଛନ୍ତି। ଯାହାର ଉତ୍ତର ଶିବ ଦେଲାବେଳେ ଡାଲଖାଇର ହିଁ ବର୍ଣ୍ଣନା ରହିଥିବା ଲକ୍ଷ କରାଯାଏ। ଏହାପରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ନେପାଳ ସଂସ୍କୃତିରେ ଡାଲଖାଇ ଭଳି ସମବେତ ନୃତ୍ୟ ଦେଖା ଯାଇଥାଏ। ଏହା ସଂସ୍କୃତିର ପ୍ରସାରଣ ସହ ଡାଲଖାଇ ମଧ୍ୟ ପ୍ରସାରିତ ହୋଇଥିବା ଜଣାପଡେ।
ଏହାପରେ କୃଷି ସଭ୍ୟତାର ଆରମ୍ଭ ହୋଇଛି। ମଣିଷ ପାହାଡରୁ ଓହ୍ଲେଇ ସମତଳ ଭୂମିରେ ବାସ କରିବା ଆରମ୍ଭ କରିଛି। ଯାହାକୁ ପାଟ କୁହାଯାଏ। କୋଶଲୀ ଶବ୍ଦ ପାଟ ଅର୍ଥାତ ସନ୍ତସନ୍ତିଆ ଭୁମି। ଘଞ୍ଚବନାନୀ ଆଚ୍ଛାଦିତ ମାଟି ସୂର୍ଯ୍ୟକିରଣ ପାଉ ନଥିଲା। ଫଳରେ ତାହା ସନ୍ତସନ୍ତିଆ ରହୁଥିଲା। ଜଙ୍ଗଲ ସଫାକରି ମଣିଷ ମାଟିକୁ ଶୁଷ୍କ ଓ ଚାଷ ଉପଯୋଗୀ କରିଥିଲା। ଜନପଦ ତିଆରିଲା, ଯାହାକୁ ପାଟ କୁହାଯାଏ। ଏହି ପ୍ରାଚୀନ ସ୍ଥାନମାନଙ୍କୁ ଆଜି ବି ପାଟ ନାମରେ ଚିହ୍ନିତ ହୋଇଥିବା ଦେଖାଯାଏ। ଯେପରି ସୁନାବେଡା ଉପତ୍ୟକାରେ ଦେବୀ ସୁନାଦେଈଙ୍କ ପୂଜାରେ ୪୮ ପାଟର ପ୍ରତିନିଧି ଯୋଗ ଦେଇଥାନ୍ତି। ହଲଦିଆପାଟ, ସିକେରପାଟ, ଚନ୍ଦଲିପାଟ, ଛେଲିଆପାଟ ଆଦି ନାମରେ ସେ ପ୍ରାଚୀନ ସ୍ଥାନମାନ ଚିହ୍ନିତ ହେବା ସହ ପ୍ରାଚୀନ ଗାଁମାନେ ମଧ୍ୟ ପାଟ ନାମରେ ଚିହ୍ନିତ ହୋଇଥାନ୍ତି। ପାଟର ପିଦର ନିଜ ନିଜର ବଂଶର କୂଳଦେବୀ ଅବା ଦେବତାଙ୍କ ଆସ୍ଥାନ ହେଲା। ଯାହା ପରବର୍ତ୍ତି ସମୟରେ ପାଟଦେବୀ ବା ଗ୍ରାମଦେବୀ ଭାବରେ ଚିହ୍ନିତ ହେଲେ। ପ୍ରସ୍ତର ଯୁଗରେ ସମବେତ ହେଉଥିବା ସ୍ଥାନର ମହତ୍ତ୍ୱ କମ ହୋଇ ନଥିଲା। ଯାହା ଆଜି ପର୍ଯ୍ୟନ୍ତ ନିଜର ସ୍ଥିତି ରଖିଛି। ଏହି ସମବେତ ହେବା ପରବର୍ତ୍ତି ସମୟରେ ପାଟ ବା ଗାଁକୁ ପ୍ରସାରିତ ହେଲା। ତଦୃପ ନୃତ୍ୟ, ଗୀତ ଓ ବାଦ୍ୟ ସହ ଉତ୍ସବ ପାଳିତ ହେଲା ବା ଡାଲଖାଇ ଆୟୋଜନ ହେଲା।
ବର୍ତ୍ତମାନ ସାଧାରଣତଃ ଡାଲଖାଇକୁ ନୃତ୍ୟଗୀତର ଏକ ମନୋରଞ୍ଜନ ଧର୍ମି ଉତ୍ସବ ବା ଅନୁଷ୍ଠାନ ଭାବରେ ଗ୍ରହଣ କରା ଯାଇଥାଏ। ଡାଲଖାଇର ବିଡମ୍ବନା ଏହା ଯେ ଦର୍ଶନ, ବିଜ୍ଞାନ, ସଂସ୍କୃତିର ଅପହରଣ କରି ଆଦିବାସୀଙ୍କୁ ଅଶିକ୍ଷିତ, ଜଙ୍ଗଲୀ ବୋଲି କହି ତାଙ୍କର ସମସ୍ତ ପରମ୍ପରାକୁ ଅନ୍ଧବିଶ୍ୱାସ କୁହାଗଲା। ଏହି କ୍ରମ ଭିତରେ ଡାଲଖାଇ ଏକ ଉଚ୍ଚତର ସାଂସ୍କୃତିକ ଦର୍ଶନରୁ ମଞ୍ଚର ମନୋରଞ୍ଜନ ସ୍ତରକୁ ଓହ୍ଲେଇ ଆସିଲା।

ଡାଲଖାଇ ଭିନ୍ନ ମାନ୍ୟତା ରଖେ। ନିଜକୁ ସୁସଂସ୍କୃତ କରିବା ମଣିଷ ସମାଜର ସହଜାତ ଲକ୍ଷଣ ଅଟେ। ଶୈଳଚିତ୍ର ଓ ଉପକରଣ ସମେତ ଗୁମ୍ଫାଚିତ୍ର ଓ ପ୍ରାଚୀନ ପୁରାଣ, ମିଥ ଆଦିର ଅଧ୍ୟୟନ ବେଳେ ବିକ୍ରମଖୋଲରୁ କୋରାପୁଟ ସମେତ ଜୋଙ୍କ ଉପତ୍ୟକା ପର୍ଯ୍ୟନ୍ତ ଗୋଟିଏ ପ୍ରକାର ପ୍ରତିକ ପ୍ରାୟ ପ୍ରତିଟି ସ୍ଥାନରେ ଦେଖିବାକୁ ପାଇଲୁ। ଯାହାର ବ୍ୟାକ୍ଷା ଗୋଟିଏ ଉଚ୍ଚତର ବୈଜ୍ଞାନିକ ସମାଜର ସୂଚନା ଦେଇଥାଏ। ପ୍ରକୃତି ସୁନ୍ଦର ଓ ପବିତ୍ର, ପ୍ରାକୃତିକ ଶକ୍ତି ଅଦମ୍ୟ ଓ ବିନାଶକ ଅଟେ। ପ୍ରକୃତିର ଶକ୍ତି ସହ ଲଢି ହେବନାହିଁ। ଏହାକୁ ନିୟନ୍ତ୍ରଣ କରା ଯାଇପାରେ କିନ୍ତୁ ପରାହତ କରାଯାଇ ପାରେ ନାହିଁ। ମଣିଷ ବଞ୍ଚିବା ପାଇଁ ନିଜକୁ ଏତେ ଶକ୍ତିଶାଳି କରିବ ଯିଏ ପ୍ରକୃତିର ବିନାଶକ ତତ୍ତ୍ୱରୁ ନିଜକୁ ସୁରକ୍ଷିତ ରଖି ପାରିବ। ଏଥିପାଇଁ ନିଜକୁ ଶକ୍ତିଶାଳି କରିବା ସହ ଶକ୍ତିଶାଳି ସନ୍ତାନ ଜନ୍ମ କରିବାକୁ ହେବ (୮)। ଏଥିପାଇଁ ନିଜକୁ ମାନବରୁ ବୀରାଚାରୀ କରିବାକୁ ହେବ। ପିତୃପୁରୁଷଙ୍କ ନିକଟରେ ତାଙ୍କଦ୍ୱାରା ଅନୁସୃତ ମାର୍ଗରେ ଚାଲିବା। ପିତୃସତ୍ତାର ସଂରକ୍ଷଣରେ ସେହି ମାର୍ଗରେ ନିଷ୍ଠାର ସହ ଚାଲିବା। ଡାଲଖାଇର ମାର୍ଗ ଦର୍ଶନ ଭଳି ପିତୃସତ୍ତା ତକୁ ମାର୍ଗଦର୍ଶନ କରେଇଥାନ୍ତି। ତେଣୁ ପରବର୍ତ୍ତି ସମୟରେ ଏହି ଅନୁଷ୍ଠାନ ଡାଲଖାଇ ନାମରେ କ୍ଷାତ ହୋଇଥିଲା।
ଏହି ଉତ୍ସବର ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ବିଧିସମ୍ମତ ଭାବେ ଗୋଟିଏ ରସାୟନ ପ୍ରସ୍ତୁତ ହେଉଥିଲା। ଏହି ରସାୟନ ପ୍ରସ୍ତୁତ ସମୟରେ କୌଳଦେବୀ ଅବା ଦେବତା ଯିଏ ପଶୁପକ୍ଷୀ ଇତର ପ୍ରାଣୀ ସହ ଉଦ୍ଭିଦ ମଧ୍ୟ ଅଟନ୍ତି ତାଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଥିଲା। ଯାହାକୁ ବୟସ ଅନୁପାତରେ ପୁରୁଷ ପିଲାଙ୍କୁ ଦିଆ ଯାଉଥିଲା (୯)। ଅନ୍ୟପଟେ ଯୁବତୀ ସମେତ ମହିଳାମାନେ ଖାଦ୍ୟ ଏବଂ ଆଚରଣରେ ଶ୍ରାବଣ ପୂର୍ଣ୍ଣିମା ପରଠାରୁ ନିୟମ ପାଳନ କରି ରହୁଥିଲେ। ସେହି ନିର୍ଦ୍ଦିଷ୍ଟ ଦିନ ମହିଳାମାନେ ସମବେତ ହୋଇ ନୃତ୍ୟ କରନ୍ତି। ଯେଉଁ ନୃତ୍ୟରେ ପୁରୁଷଙ୍କ ଭାଗିଦାରୀ ମଧ୍ୟ ରହେ। ଛନ୍ଦବଦ୍ଧ ନୃତ୍ୟ, ତାତ୍କାଳିକ ଗୀତ ଓ ଗଣାବଜା ଉଭୟ ଶାରୀରିକ ଓ ମାନସିକ ଭାବେ ସମସ୍ତଙ୍କୁ ଉଚ୍ଚତର ସୋପାନକୁ ନିଏ।
ଏହି ଅନୁଷ୍ଠାନରେ ଗଣାବଜା ହିଁ ବ୍ୟବହାର ହୁଏ ଯାହା ଆଜିବି ବ୍ୟବହାର ହୋଇଥାଏ। ଗଣାବଜା କାହିଁକି ବ୍ୟବହାର ହୋଇଥାଏ? ଏହି ପ୍ରଶ୍ନର ଉତ୍ତର ଗଣାବଜାର ଗୋଟିଏ ତାତ୍ତ୍ୱିକ ଦିଗର ବ୍ୟାକ୍ଷା କରିଥାଏ। ଗଣାବଜା ଢୋଲ, ନିସାନ, ତାସା, ଟିମକିଡି ଓ ମୁହୁରୀ ପାଞ୍ଚଗୋଟି ବାଦ୍ୟର ସମାହାର। ଢୋଲ ଆକାଶ; ନିସାନ ଭୂମୀ; ତାସା ଅଗ୍ନି; ଟିମକିଡି ଜଳ ଓ ମୁହୁରୀ ବାୟୁ ତତ୍ତ୍ୱର ପ୍ରତିନିଧି କରିଥାନ୍ତି। ପଞ୍ଚଭୂତରେ ମଣିଷ ସମେତ ଚରାଚର ତିଆରି ହୋଇଛି। ପଞ୍ଚଭୂତ ସହ ମଣିଷ ଶରୀରକୁ ଉଚ୍ଚସ୍ତରକୁ ନେବାପାଇଁ ଗଣାବଜା ହିଁ ମାଧ୍ୟମ ହୋଇଥାଏ। ଏହାର ଶବ୍ଦଧ୍ୱନୀ ମଣିଷକୁ ସାଧାରଣରୁ ବୀରାଚାରୀ କରିଥାଏ। ତେଣୁ ଡାଲଖାଇରେ ଗଣାବଜା ମୁଖ୍ୟ ହୋଇଥାଏ। ମଣିଷ ଶରୀର ଉପରେ ଗଣାବଜାର ପ୍ରଭାବ ବିଷୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅଧ୍ୟୟନ ହୋଇ ନାହିଁ। ଅନେ ତାତ୍କାଳିକ ପ୍ରମାଣ ଆଦିବାସୀର ଏହି ବିଶ୍ୱାସକୁ ବଳିଷ୍ଠ କରୁଥିବା କୁହାଯାଏ (୧୦)।
ନୃତ୍ୟ ଆରମ୍ଭ ପୂର୍ବରୁ ବିଧିମତେ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଗୋଟିଏ ଆୟତକ୍ଷେତ୍ରରେ ତଳ ଉପର କରି ଆଠ ଆଠଟି କୋଠରୀ ଅଙ୍କନ କରାଯାଏ। ଏହା ୧୬ଟି କୋଠରୀର ସମାହାର ହୋଇଥିବାରୁ ଏହାକୁ ଷୋହଲ କୁଠି ବା ଷୁଲକୁଠି କହନ୍ତି। ଏହି ୧୬ ଗୋଟି କୋଠରୀରେ ପକ୍ଷୀ, ପଶୁ, ଉଦ୍ଭିଦ, ସରିସୃପ ଓ ସ୍ଥାନ ବିଶେଷରେ ମଣିଷର ଆକୃତି ଅଙ୍କନ କରାହୁଏ। ଷୋହଲ ଘଡି (ସମୟ), ଷୋହଲ କଳା ଭଳି ଷୋହଲ ଏକ ଚକ୍ର ତିଆରି କରେ। ଏହି ଚକ୍ର ଜୀବନଚକ୍ର, ସମୟଚକ୍ର, ଋତୁଚକ୍ର ଆଦିର ପ୍ରତିନିଧିତ୍ୱ କରିଥାଏ। ଏହି ୧୬ ଟି କୋଠରୀରେ ଅଙ୍କିତ ଆକୃତିମାନ କୌଳଦେବାଦେବୀ ହିଁ ଅଟନ୍ତି। ତେଣୁ ସମସ୍ତ ୧୬ କୁଠି ସମାନ ହୋଇ ନଥାଏ। ପାଟ ଆଧାରରେ ଏହି ୧୬ ଗୋଟି କୋଠରୀରେ କୌଳଦେବାଦେବୀଙ୍କ ଚିତ୍ର ଅଙ୍କିତ ହୋଇଥାଏ (୧୧)। ଗଣାବଜାର ୧୬ କାଠି ଏହି ଧାରାର ଏକ ପରିପ୍ରକାଶ ଅଟେ।

ବର୍ତ୍ତମାନ ଏହି ୧୬ ଗୋଟି କୋଠରୀରେ ଗଣେଶ, ଶିବ, ଦୂର୍ଗା ଆଦି ଦେବାଦେବୀଙ୍କ ଚିତ୍ର ଅଙ୍କିତ ହେଉ ଥିବାର ଦେଖାଯାଏ। ଏହି ଦେବାଦେବୀ ଲୋକଙ୍କ ସହ ଅବା ଡାଲଖାଇ ଦର୍ଶନ ସହ କୌଣସି ଦାୟ ରଖୁ ନଥିବା ବେଳେ ଏମାନଙ୍କ ଚିତ୍ର ଦେବା ପଛରେ ପୁରୋହିତ ବାଦ ମୁଖ୍ୟ ଭୂମିକା ନେଇଛି। ଇତର ପ୍ରାଣୀ ଓ ଉଦ୍ଭିଦ ବଦଳରେ ଦେବାଦେବୀଙ୍କ ଚିତ୍ର ସେତେବେଳେ ଆସିଲା ଯେତେବେଳେ ଡାଲଖାଇକୁ ଦୂର୍ଗାପୂଜା ବୋଲି କୁହାଗଲା ଏବଂ ଗାଁର ଝାକର ବଦଳରେ ପୁରୋହିତ ଡାଲଖାଇକୁ ପରିଚାଳିତ କଲା। ଦୂର୍ଗାପୁଜା କୁ ଡାଲଖାଇ ବଦଳରେ ଅବରୋପିତ କରାଗଲା। ଡାଲଖାଇ ଯାହା ଭାଇମାନଙ୍କୁ ବୀରାଚାରୀ କରିବାର ମାର୍ଗ ଅଟେ ତାହା ଭାଇ ଜିଉନ୍ତିଆ ହୋଇଗଲା। ଭାଇ ଜିଉନ୍ତିଆରେ ଗୋଟିଏ ଚଟି ପୁରାଣ ମଧ୍ୟ ପ୍ରସ୍ତୁତ କରାଗଲା। ଛାପାଖାନା ସ୍ଥାପିତ ହେବାପରେ ଭାଇଜିଉନ୍ତିଆ, ପୁଅଜିଉନ୍ତିଆ ନାମରେ ଚଟିପୁରାଣମାନ ବହୁଳ ପ୍ରସାରିତ ହେଲା। ଏହି ପୁରାଣ ଗାଇ ପୁରୋହିତ ଡାଲଖାଇକୁ ଭାଇଜିଉନ୍ତିଆ ନାମଦେଲେ। ଯେଉଁ ସ୍ଥାନରେ ଭାଇ ଜିଉନ୍ତିଆ ହୁଏ ଗାଁର ଗୋଟିଏ କାନ୍ଥରେ ମହିଷାମର୍ଦ୍ଦିନୀ ଦୂର୍ଗାଙ୍କ ଚିତ୍ର ତିଆରି ହୁଏ। ଆଜି ମଧ୍ୟ ଏହି ସ୍ଥାନକୁ ଦୂର୍ଗାକୁଠି କୁହାଯାଏ। ଯାହା ସାମୟିକ, କାନ୍ଥରେ ବର୍ଷତମାମ ଚିତ୍ର ରହେ କିନ୍ତୁ ଦଶହରା ସମୟରେ ହିଁ ସେହି ସ୍ଥାନକୁ ଦୂର୍ଗାକୁଠି କୁହା ଯାଇଥାଏ। ଯାହା ଷୁଲକୁଠି ବଦଳରେ ଏବଂ ଷୁଲକୁଠିର ପ୍ରଭାବରେ ଏକ ପ୍ରଚଳିତ ନୂତନ ନାମ ଅଟେ।
ଦଶହରା ପୂଜା ଅରମ୍ଭ ପୂର୍ବରୁ ମାଁ ମାନେ ନିଜ ସନ୍ତାନ ପାଇଁ ପୁଅଜିଉନ୍ତିଆ କରନ୍ତି ଏହି ଷୋଲକୁଠି ନିକଟରେ ଏବଂ ଦଶହରା ଅଷ୍ଟମୀ ତିଥିରେ ଭଉଣୀମାନେ ଭାଇମାନଙ୍କ ପାଇଁ ଭାଇଜିଉନ୍ତିଆ କରିଥାନ୍ତି। ଏହି ଦୁଇ ପୂଜାରେ ବର୍ତ୍ତମାନ ଯେଉଁ ଚଟି ପୁରାଣ ପଢାହୁଏ ତାହା ସେହି ଲେଖକମାନଙ୍କ ଦ୍ୱାରା ଲେଖା ହୋଇଅଛି ଯେଉଁମାନଙ୍କ ସଂସ୍କୃତିରେ ଭାଇଜିଉନ୍ତିଆ, ପୁଅଜିଉନ୍ତିଆ ଅବା ଡାଲଖାଇ ନାହିଁ। ଏହି ଚଟିପୁରାଣମାନ ତଅପୋଇ ଆଦି ଲୋକକଥାର ଛାୟାରେ ଲିଖିତ ପୁରାଣ ଅଟେ। ଯାହା ଉପକୂଳ ଓଡ଼ିଶାର ସଂସ୍କୃତି ସହ ଜଡିତ। ଏଣୁ ସ୍ପଷ୍ଟ ଭାବରେ କୁହାଯାଏ ଯେ ପୁରୋହିତବାଦର ପ୍ରଭାବରେ ଡାଲଖାଇକୁ ନଷ୍ଟ କରାଯାଇ ଦୂର୍ଗାପୂଜାକୁ ଅବରୋପିତ କରା ଯାଇଅଛି।
କେବଳ ନୃତ୍ୟ ନୁହେଁ ସମସ୍ତ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ପ୍ରକରଣ ହିଁ ଡାଲଖାଇ ଅଟେ। ଏହି ପ୍ରକରଣ ମଧ୍ୟରେ ନୃତ୍ୟ ଗୋଟିଏ ମୁଖ୍ୟସ୍ଥାନ ନେଇଥାଏ। ଦଶହରା ଆରମ୍ଭ ଦିନରୁ ବିଧି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଗୁମ୍ଫା ଅବା ପଥର ଚଟାଣ ତାହାକୁ ସଫା କରିବା ଠାରୁ କାର୍ଯ୍ୟ ଆରମ୍ଭ ହୋଇଥାଏ। ବର୍ତ୍ତମାନ ଗ୍ରାମଦେବାଦେବୀଙ୍କ ପିଠରେ ଯେଉଁ ବିଧିରେ ପୂଜା ହୁଏ ତାହା ସେହି ଗାଁ ଅବା ପାଟର ଇତିହାସକୁ ପ୍ରତିଫଳିତ କରିଥାଏ। ଗାଁ କିଭଳି ବସିଲା; କିଏ ବସେଇଲା; କାହା ଆଦେଶରେ ବସିଲା; ଏଭଳି ଗାଁ ଇତିହାସ ସହ ଦେବାଦେବୀଙ୍କ ମହିମା ଆଦି କ୍ରମ ଅନୁସାରେ କୁହା ଯାଇଥାଏ। ଦେବାଦେବୀଙ୍କ ଆରାଧନା ସରିଲା ପରେ ଗଣାବଜା ବାଜେ। ଢୁଲିଆ ଢୋଲ ବଜାଏ। ଢୋଲକୁ କେନ୍ଦ୍ରକରି ଗଣାବଜା ପରିବେଶରେ ଗୋଟିଏ ତରଙ୍ଗ ସୃଷ୍ଟିକରେ। ଧାଙ୍ଗଡିମାନେ ସ୍ୱତଃ ଧିରେଧିରେ ଢୁଲିଆର ଚାରିପାଖକୁ ଘେରି ଯାଇଥାନ୍ତି। ଢୁଲିଆ ମଝିରେ ରହେ ବାକି ଚାରିଜଣ ଗଣାବଜା ବାଦକ ଚକ୍ରାକାରରେ ଘେରିଥିବା ଯୁବତୀମାନଙ୍କ ବାହାରେ ରହିଥାନ୍ତି। ଯୁବତୀମାନେ ପରସ୍ପର ଧରାଧରି ହୋଇ ଉର୍ଦ୍ଧ୍ୱମୁଖ କରି ଅଣ୍ଟାରୁ ପଛକୁ ନଇଥାନ୍ତି। ଏହାପରେ ସମବେତ ଛନ୍ଧବଦ୍ଧ ନାଚରେ ଆଗକୁ ନଇ ଚକ୍ରାକାରରେ ନୃତ୍ୟ କରିଥାନ୍ତି।

ଯୋଗ ଆଧାରରେ ଏହି ନୃତ୍ୟର ବ୍ୟାକ୍ଷା କରା ଯାଇଥାଏ। ଯାହା ଉଡ୍ଡୀୟାନର ମୌଳିକ ଯୋଗ ସହ ସମାନ୍ତରତା ରକ୍ଷା କରିଥାଏ। ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ମତରେ ଗୋଟିଏ ନିର୍ଦ୍ଦିଷ୍ଟ ଯୋଗରେ ସିଦ୍ଧ ନାରୀଙ୍କୁ ଯୋଗିନୀ କୁହାଯାଏ। ଢୁଲିଆ ଚାରିପାଖେ ଘେରି ନୃତ୍ୟ କରୁଥିବା ଯୁବତୀ ବା ମହିଳାମାନେ ଆଠଦଶ ଦିନର ନିର୍ଦ୍ଦିଷ୍ଟ କ୍ରିୟା ମାଧ୍ୟମରେ ନିଜକୁ ଯୋଗର ସେହି ସ୍ତର ପର୍ଯନ୍ତ ନେଇଯାଇ ପାରିଥାନ୍ତି। ଗଣାବଜା ସେମାନଙ୍କୁ ଯୋଗର ସେହି ସ୍ତରକୁ ନେଇ ରଖିଥାଏ। ତେଣୁ ପ୍ରତ୍ୟେକ ନୃତ୍ୟାଙ୍ଗନା ଯୋଗିନୀ ସ୍ତରକୁ ପ୍ରାପ୍ତ ହୁଅନ୍ତି। ଦଶହରାରେ ପ୍ରତ୍ୟେକ ନାରୀ ଦେବୀ ଭାବରେ ସମ୍ମାନ ପାଇବା ସଂସ୍କୃତିର ମୌଳିକ ଆଧାର ଅଟେ। ଯେଗିନୀ ସ୍ତରରେ ନୃତ୍ୟରତାମାନେ ଉତ୍‌କ୍ଷିପ୍ତା ହୋଇ ଯାଇଥାନ୍ତି। ସମସ୍ତଙ୍କୁ ଛନ୍ଦ ଏବଂ ଲୟରେ ନିୟନ୍ତ୍ରିତ କରିବା କାମ ଢୁଲିଆର ହୋଇଯାଏ। ଢୁଲିଆ ସମସ୍ତଙ୍କୁ ନିୟନ୍ତ୍ରଣରେ ରଖିଥାଏ। ନୃତ୍ୟରେ ଯେତେବେଳେ ପୁରୁଷଙ୍କ ଯୋଗଦାନ ହୁଏ ସେମାନେ ନିଶ୍ଚିତ ଭାବେ ବୀରାଚାରୀ ହେବା ବିଧେୟ। ନଚେତ ଶକ୍ତିଙ୍କୁ ଆୟତ୍ତ କରିବା ସମ୍ଭବ ହୋଇ ନଥାଏ। ନୃତ୍ୟର ଏକ ସମୟ ପରେ ପୁରୁଷଙ୍କ ଯୋଗଦାନ ରହେ ନୃତ୍ୟରେ। ପ୍ରକୃତି ଓ ପୁରୁଷର ନିକଟତା ଆସେ। ଏହି ସ୍ତରକୁ କୁଡୋ କୁହାଯାଏ।
ଏହା ହିଁ ଯୋଗିନୀ ଦର୍ଶନକୁ ପ୍ରକାଶ କରିଥାଏ। ଯୋଗିନୀ କେବଳ ନୃତ୍ୟରତା ନୁହନ୍ତି। ଯୋଗସିଦ୍ଧା ନାରୀ ହିଁ ଯୋଗିନୀ ଅଟନ୍ତି। କୌଳଦେବୀଙ୍କୁ ଯୋଗିନୀ ଭାବରେ ଗ୍ରହଣ କରାଯାଏ। ମାନବ ଶରୀରରେ ଦୈବୀଶକ୍ତିର ପରିପ୍ରକାଶ ହୁଏ। ଢୁଲିଆକୁ ମହିଳାମାନେ ଘେରି ରହିଥିବା ନୃତ୍ୟ ଯୋଗିନୀ ତନ୍ତ୍ରର ପ୍ରକାଶ ମାଧ୍ୟମ ଅଟେ। ତେଣୁ ଯେତକ ବି ଯୋଗିନୀ ମନ୍ଦିର ରହିଅଛି ତାହାର ଆକାର ବୃତ୍ତାକାର ହୋଇଥାଏ। ଯେହେତୁ କୌଳଦେବୀ ପଶୁ, ପକ୍ଷୀ ଅଥବା ସରିସୃପ ଆଦି ରହିଥାନ୍ତି ତେଣୁ ଯୋଗିନୀମାନେ ମଧ୍ୟ ସେହି ଋପରେ ମାନ୍ୟତା ପାଇଥାନ୍ତି। ସୋମବଂଶୀ ଶାସନ ସମୟରେ ପ୍ରଥମ ଯୋଗିନୀ ମନ୍ଦିର ରାଣୀପୁର ଝରିଆଲରେ ତିଆରି ହୁଏ। ଏହା ବୃତ୍ତାକାର ଏବଂ ମଝିରେ ଭୈରବ ବା ଶିବଙ୍କ ଅବସ୍ଥାନ ରହେ। ଯେପରି ଡାଲଖାଇ ବେଳେ ଢୁଲିଆ ରହିଥାଏ। ରାଣୀପୁର ଝରିଏଲର ଚଉଷଠି ଯୋଗିନୀ ମନ୍ଦିରରେ ମାନବ ଶରୀର ଏବଂ ପଶୁ, ପକ୍ଷୀ ଅବା ସରିସୃପ ମୁଣ୍ଡର ୨୭ ଗୋଟି ମୂର୍ତ୍ତି ରହିଅଛି। ୬୪ ଗୋଟି ମୂର୍ତ୍ତିରୁ ବର୍ତ୍ତମାନ ଥିବା ୪୮ ଟି ମୂର୍ତ୍ତି ମଧ୍ୟରୁ ୨୭ ଗୋଟି ମୂର୍ତ୍ତିରେ ଇତର ପ୍ରାଣୀଙ୍କୁ ମୁଣ୍ଡ ଦେଖାଯାଏ। ମୂଳ କୌଳ ଧାରଣାର ଅବିକଲ ମୂର୍ତ୍ତି ରହିଥିବା ଯୋଗୁଁ ରାଣୀପୁର ଝରିଏଲ ଆଦିଯୋଗିନୀ ତନ୍ତ୍ରପିଠର ମାନ୍ୟତା ପାଇଥାଏ। ଏହି ଉଚ୍ଚତର ଅବଧାରଣା ଯୋଗିନୀ ଦର୍ଶନର ଆଦିରୂପ ଯାହା ଡାଲଖାଇରୁ ହିଁ ଗ୍ରହଣ କରା ହୋଇଅଛି। ଅର୍ଥାତ ଯୋଗିନୀ ମନ୍ଦିର ଡାଲଖାଇର ପରିପ୍ରକାଶ ହିଁ ଅଟେ ବୋଲି ସାଲେଗ୍ରାମ ହୋତା ନିଜର ଅଧ୍ୟୟନରେ ସ୍ପଷ୍ଟ କରିଛନ୍ତି।
ଡ ଜିତାମିତ୍ର ପ୍ରସାଦ ସିଂଦେଓ କହନ୍ତି ମତ୍ତମୟୂର ଶୈବ ସମ୍ପ୍ରଦାୟର ଶେଷ ଗୁରୁ ଗଗନଶିବ ଦ୍ୱିତୀୟ ଅଷ୍ଟମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରାଣୀପୁର ଝରିଏଲ ବା ସୋମପୁରୀ ବିହାରରେ ଅବସ୍ଥାନ କରୁଥାନ୍ତି। ଏହି ସମୟରେ ଯୋଗିନୀ ଦର୍ଶନ ରାଣୀପୁର ଝରିଏଲକୁ କେନ୍ଦ୍ରକରି ପ୍ରସାରିତ ହୋଇଥିଲା। ଗଗନଶିବ ଦ୍ୱିତୀୟ ଯୋଗିନୀ ଦର୍ଶନ ପ୍ରତି ଆକୃଷ୍ଟ ହେଲେ। କାରଣ ଉଭୟ ମତ୍ତମୟୂର ଶିବ ପରମ୍ପରା ଏବଂ ଯୋଗିନୀ ପରମ୍ପରା ଅଭିନ୍ନ ନୁହନ୍ତି। ମତ୍ତମୟୂର ଶିବ ପରମ୍ପରାରେ ନାରୀଙ୍କ ସହଭାଗିତା ନଥାଏ କିନ୍ତୁ ଯୋଗିନୀ ଦର୍ଶନରେ ନାରୀ ହିଁ କେନ୍ଦ୍ର। ଏହି କାରଣରୁ ଗଗନଶିବ ଦ୍ୱିତୀୟଙ୍କ ଯୋଗିନୀ ଦର୍ଶନ ପ୍ରତି ଆକୃଷ୍ଟ ହେବା ଫଳରେ ମତ୍ତମୟୂର ଶିବ ପରମ୍ପରାର ଅବକ୍ଷୟ ହୁଏ। ପରବର୍ତ୍ତି ସମୟରେ ସମଗ୍ର ଭାରତ ଭୂଖଣ୍ଡରେ ବ୍ୟାପିଥିବା ଯୋଗିନୀ ଆନ୍ଦୋଳନର ଉଦ୍ୟୋକ୍ତା ହୋଇ ଗଗନଶିବ ସମ୍ମାନ ପାଇଥାନ୍ତି। ସୁତରାଂ ଡାଲଖାଇ ହିଁ ପରବର୍ତ୍ତି ସମୟରେ ଯୋଗିନୀ ପରମ୍ପରା ନାମରେ ପ୍ରସାରିତ ହୋଇଛି।

ଡାଲଖାଇ ଏକ ଉଚ୍ଚତର ସାମାଜିକ ସଂରଚନାକୁ ବୁଝାଇଥାଏ। ସେ ସମୟରେ ଜନପଦ ବା ଗ୍ରାମ ନିଶ୍ଚିତ ଭାବେ କ୍ଷୁଦ୍ର ଆକାରର ରହିଥିବ। ତେଣୁ ସମସ୍ତଙ୍କ ସଂପୃକ୍ତି ସମ୍ଭବ ହେଉଥିବ। ଏଠାରେ ଦେଖାଯାଏ ଯେ ସାମାଜିକତାର ଉଚ୍ଚତର ଚିନ୍ତନକୁ ପ୍ରତିଟି ନାଗରିକଙ୍କ ନିକଟରେ ପ୍ରତିଫଳିତ କରିବାର ବ୍ୟବସ୍ଥା କରା ଯାଉଥିଲା। ମଣିଷ ନିଜକୁ ବୀରାଚାରୀ ଅବା ଯୋଗିନୀ ସ୍ତରକୁ ନେବାପାଇଁ ନିଶ୍ଚିତ ଭାବରେ ଗୋଟିଏ କ୍ରମ ଅଭ୍ୟାସର ଆବଶ୍ୟକତା ରଖୁଥିବ। କିନ୍ତୁ ସାମାଜିକ ଚଳଣି ଏବଂ ପରମ୍ପରାରେ ଏହାକୁ ସହଜ କରାଯାଇ ପାରୁଥିଲା। ଏଥିଯୋଗୁଁ ଏହା ଯେତେବେଳେ ବୁଦ୍ଧଧମ୍ମ ଦ୍ୱାରା ଗୃହିତ ହେଲା ଏହାକୁ ସହଜ ସାଧନା ନାମରେ ପରିଚିତ କରାଗଲା।
ଡାଲଖାଇ ଅନୁଷ୍ଠାନ ପରେ ଗୁପ୍ତ ଡାଲଖାଇର ଆୟୋଜନ ମଧ୍ୟ ହେଉଥିଲା। ଏଥିରେ ଅଭିଜ୍ଞ ସିଦ୍ଧମାନଙ୍କ ଯୋଗଦାନ ରହୁଥିଲା। ପାହାଡ ଶିଖର କିମ୍ବା ଗୁମ୍ଫାରେ ଏହି ଡାଲଖାଇ ଗୁପ୍ତରେ ଆୟୋଜିତ ହେଉଥିଲା। ଗଣାବଜା ଏବଂ ଗୁପ୍ତଡାଲଖାଇର ଆୟୋଜନ ଏତେ ସଂଗୁପ୍ତ ଥିଲା ଯେ ଏହାକୁ ଦେଖିଲେ ପଥର ହୋଇ ଯାଉଥିବା କଥା କୁହା ଯାଉଥିଲା। ଅନେକ ପାହାଡ ଏବଂ ଗୁମ୍ଫା ନିକଟରେ ପଥର ହୋଇ ଯାଉଥିବା ଭଳି ଅନେକ ପାହାଡ, ଡୁଙ୍ଗରୀ ଦେଖିବାକୁ ମିଳେ। ସ୍ଥାନୀୟ ଲୋକ କୌଣସି ଯାତ୍ରୀଦଳ ଅବା ଗୋମହିଷାଦି ଚରଉଥିବା ଲୋକ ସମୁହ ଭାବରେ ପଥର ହୋଇ ଯାଇଥିବା ଭଳି ଅନେ ଉଦାହରଣ ଦେଖାଯାଏ। ଏଭଳି ଅନେକ ପାହାଡ ରହିଅଛି ଯେଉଁଥିରେ ଲୋକେ ପଥର ହୋଇ ଯାଇଥିବା କୁହା ଯାଇଥାଏ। କୌଣସି ନା କୌଣସି ପ୍ରକାରେ ଲୋକ ପଥର ହୋଇଥିବା ଉଦାହରଣ ଦିଆ ଯାଉଥିବା ଅଞ୍ଚଳ ଗୁପ୍ତଡାଲଖାଇର ସାଧନାପିଠ ରହିଥିଲା। ଯୋମିତି ମୁରିବାହାଲ ବ୍ଲକର ବାଭନୀ ଗାଁ ଏବଂ ପୂଜା ଡୁଙ୍ଗରୀର କବାଟଫାଲ ଆଦି ଅନେକ ସ୍ଥାନରେ ଲୋକେ ପଥର ହୋଇଥିବା ଦନ୍ତକଥା ସହ ସଂଯୁକ୍ତ ରହିଅଛି। ଗୁପ୍ତଡାଲଖାଇ ସାଧନା ପିଠକୁ ସାଧାରଣଙ୍କ ପ୍ରବେଶ ନଥିଲା। ଏଥିପାଇଁ ଏହି କ୍ଷେତ୍ରକୁ ପଥର ହୋଇଯିବା ଭଳି ଦନ୍ତକଥା ମାଧ୍ୟମରେ ସ୍ୱତନ୍ତ୍ର ଓ ସଂଗୁପ୍ତ ରଖା ଯାଉଥିଲା (୧୨, ୧୩)।
ଡାଲଖାଇରେ ଗାଉଥିବା ଗୀତମାନ ଶୃଙ୍ଗାର ଓ ଯୈାନଶୃଙ୍ଗାର ଉପରେ ପର୍ଯ୍ୟବେଶିତ। ଯାହା ସତୁରୀ ଦଶକ ପର୍ଯ୍ୟନ୍ତ ପ୍ରଚଳନରେ ରହିଥିଲା। ସାଲେଗ୍ରାମ ହୋତା ନିଜର ଅନଭୁତିରୁ କହନ୍ତି ଯେ ସେ ଛାତ୍ରାବସ୍ଥାରେ ପୂଜାଡୁଙ୍ଗରୀକୁ ଡାଲଖାଇ ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ନିଜର ବଡଭାଇଙ୍କ ନିକଟରୁ ମାଡ ଖାଇଥିଲେ। ଏହି କାରଣରୁ ଡାଲଖାଇ ଉପରେ ତାଙ୍କର ଉତ୍ସୁକତା ବଢିଥିଲା ଏବଂ ସେ ଡାଲଖାଇ ଉପରେ ଅଧ୍ୟୟନ କରିଥିଲେ। ତାଙ୍କ କହିବା ମତରେ କାଳଚକ୍ର ତନ୍ତ୍ର ଗ୍ରନ୍ଥ ଯୋଗୀ ଓ ଯୋଗିନୀଙ୍କ କଥା କହିଥାଏ ଯାହା ଗୁପ୍ତଡାଲଖାଇର ତତ୍ତ୍ୱ ବିଷୟକ ବର୍ଣ୍ଣନା ରହିଅଛି। କାଳଚକ୍ରତନ୍ତ୍ର ଗ୍ରନ୍ଥ ହିଁ ଡାଲଖାଇ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି ଶ୍ରୀ ହୋତା କହିଥାନ୍ତି। ଏହା ମଧ୍ୟ କହିଥାନ୍ତି ଯେ କୌଳ ସମୟରୁ ଏହାର ନିରନ୍ତର ଧାରା ରହିଥିଲା।
ଅନ୍ୟ ଉଦାହରଣ ଓଡ଼ିଆ ଭାଷାର ଆଦିକବି ଗୋଷ୍ଠି ୮୪ ସିଦ୍ଧାଚାର୍ଯ୍ୟଙ୍କ ରଚନାକୁ ଉଦାହରଣ ଭାବରେ ନିଆ ଯାଇଅଛି। ଯାହା ଗୁପ୍ତଡାଲଖାଇ ଏବଂ ଡାଲଖାଇ ଦର୍ଶନ ଉପରେ ପର୍ଯ୍ୟବେଶିତ। ଏହାର ପରିପ୍ରକାଶ କୋଣାର୍କ, ଖଜୁରାହୋ ଆଦିରେ ରହିଥିବା ଭାଷ୍କର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ। ବଲାଙ୍ଗୀର ଜିଲ୍ଲାର ପଟୁଆ, ଛତରଡାଣି ପାହାଡମାନଙ୍କରେ ଗଣାବଜାର ପଥର ପ୍ରତିରୂପମାନ ଦେଖିବାକୁ ମିଳିଥାଏ। ଏହି ସମସ୍ତ ସ୍ଥାନ ପ୍ରାଚୀନ ଡାଲଖାଇର ସନ୍ତକ ନେଇ ଆଜି ମଧ୍ୟ ଆମ ଗହଣରେ ରହିଅଛନ୍ତି।
ତନ୍ତ୍ରମତରେ ମଣିଷ ଶରୀରର ନାଭିଚକ୍ର, ହୃଦୟଚକ୍ର, କଣ୍ଠଚକ୍ର ଓ ମସ୍ତକଚକ୍ର ଚାରୋଟି ଚକ୍ରକୁ ପ୍ରାଧାନ୍ୟ ଦିଆଯାଏ। ଯାହା ଜଗନ୍ନାଥଙ୍କ ବିଗ୍ରହରେ ପରିଭାଷିତ ହୋଇଅଛି। ଡାଲଖାଇ ଦ୍ୱାରା ଏହି ଚାରିଚକ୍ର ଜାଗରିତ ହେଉଥିବାର କୁହାଯାଏ। ଫଳତଃ ଜଣେ ସଫଳ ସଂସାରୀ ହୋଇ ପାରିଥାଏ (୧୪)।
କୋରାପୁଟ ସମେତ ପଶ୍ଚିମ ଓଡ଼ିଶାର ହଜାର ହଜାର ପାହାଡରେ ବର୍ଷର ନିର୍ଦ୍ଦିଷ୍ଟ ଦିନରେ ସେଠାକାର ପୂଜାର ଆୟୋଜନ ହୋଇଥାଏ। ଏହି ପୂଜା ବା ଯାତ୍ରାକୁ ସେହି କ୍ଷେତ୍ରର ଦେବାଦେବୀ ସମବେତ ହୋଇଥାନ୍ତି। ସମସ୍ତେ କୌଳଦେବୀ ଅଥବା ପାଟଦେବୀ ହୋଇଥାନ୍ତି। ଏହି ଦେବୀମାନଙ୍କୁ ଯୋଗିନୀ ଅଟନ୍ତି। ଯୋଗିନୀଙ୍କ ସମବେତ ଦର୍ଶନ ଡାକିନୀ ସ୍ତରର ଅଟେ ଏବଂ ଡାକିନୀ ପରେ ଚାମୁଣ୍ଡାଙ୍କ ସ୍ତର ରହିଥାଏ। ଚାମୁଣ୍ଡାଙ୍କ ପିଠ ପରବର୍ତ୍ତି ସମୟରେ ଚନ୍ଦେଲ ବା ଚାଣ୍ଡାଲୀ କ୍ଷେତ୍ର ଭାବରେ ପରିଚିତ ହୁଅନ୍ତି। ଚନ୍ଦେଲକୁ ସାଧନାପିଠର ମାନ୍ୟତା ମିଳିଥିଲା। ଚଉରାଶି ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ୫୩ ସିଦ୍ଧାଚାର୍ଯ୍ୟ ଯୋଗୀପା ଅଟନ୍ତି ଯାହାଙ୍କୁ ତୀବ୍‌ବତରେ ଚାଣ୍ଡାଳୀ ପରିବ୍ରାଜକ ବୋଲି କୁହା ଯାଇଛି। ଭରତମୁନୀଙ୍କ ନାଟ୍ୟଶାସ୍ତ୍ର ଚାଣ୍ଡାଳୀ ଭାଷା ବିଷୟରେ କହିଥାଏ। ଏହି ଚାଣ୍ଡାଳୀ ଭାଷା ଚନ୍ଦଲୀକ୍ଷେତ୍ରରେ ରହୁଥିବା ଲୋକଙ୍କ ଭାଷା ଅଟେ ଯେଉଁମାନେ ଶିକାର କରିବା ସହ ମାଂସବିକ୍ରି କରୁଥିଲେ। ତେଣୁ ଚାମୁଣ୍ଡାଙ୍କ ବିଗ୍ରହ ଗୋଟିଏ ହାଡ ଚାବୁଥିବାର ଦେଖା ଯାଇଥାଏ। ଅର୍ଥଶାସ୍ତ୍ରରୁ ମଧ୍ୟ ଏହି ଚାଣ୍ଡାଲୀକ୍ଷେତ୍ରରୁ ଗଣ୍ଡାଚମଡା ରପ୍ତାନି ହେଉଥିବାର ସୂଚନା ମିଳିଥାଏ। ଗଣ୍ଡା ଚମଡାରେ ତିଆରି ବର୍ମ ପାଇଁ କୁମୁର୍ଦ୍ଦକ ଅଞ୍ଚଳ ବା ଟିଟିଲାଗଡର କୁମୁଡା ପାହାଡକୁ ଗୋଟିଏ ପ୍ରମୁଖ କେନ୍ଦ୍ର ଭାବରେ ବର୍ଣ୍ଣନା କରା ଯାଇଛି।

ଡାଲଖାଇର ଅସ୍ତିତ୍ୱକୁ ପୁରାତନ ପ୍ରସ୍ତରଯୁଗରୁ ବିଭିନ୍ନ ପୁରାତାତ୍ତ୍ୱିକ ଉପକରଣରୁ ଦେଖିଥାଉ। ସମୟ ଅନୁସାରେ ଏହା ସଂସ୍କାରିତ ହୋଇ ଆସୁଥିଲା। ଡାଲଖାଇର ଇତିହାସକୁ ଦେଖିଲେ ଏହା ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ମଣିଷର ଇତିହାସ ସହ ଯୋଡାଯାଇ ପାରେ। ମଧ୍ୟ ପ୍ରସ୍ତରଯୁଗରେ ଡାଲଖାଇର ସ୍ୱରୂପକୁ ସ୍ପଷ୍ଟ ଦେଖା ଯାଇଥାଏ। ମାନବୀୟ ଜୀନରେ ସାଂଖ୍ୟର ଉଚ୍ଚତମ ପରିପ୍ରକାଶ ହେଉଛି ଡାଲଖାଇ ଏହା ସ୍ପଷ୍ଟ ଭାବରେ କହିହେବ। ଡାଲଖାଇର ବିଧି ଓ ବିଧାନକୁ ତର୍ଜ୍ଜମା କଲେ ଏହା ଉପଜ ସଂସ୍କୃତିର ମୂଳ ଆଧାର ଉପରେ ପର୍ଯ୍ୟବେଶିତ। ପ୍ରକୃତି ସହ ବଞ୍ôଚବା ପାଇଁ ପ୍ରକୃତିର ଶକ୍ତିକୁ ନିଜ ମଧ୍ୟରେ ସମାହିତ କରିବା ହେଉଛି ସର୍ବୋତ୍ତମ ଉପଚାର। କୌଳ ଭାବନାରେ ପିତୃପୁରୁଷ ହେଉଛନ୍ତି ଜୀବନର ମାର୍ଗ ଦର୍ଶନ ପାଇଁ ସବାଶେଷ ଅସ୍ତିତ୍ୱ। ମାର୍ଗ ଏକ ଜଟିଳ ଅବଧାରଣା। ମଣିଷ ଘଞ୍ଚ ବନାନୀ ଭିତରେ ଶିକାର କରିବାକୁ ଗଲାବେଳେ ପୁନଃ ନିଜ ଗୋଷ୍ଠୀ ନିକଟକୁ ଫେରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଡାଳ ଛିଣ୍ଡେଇ ରଖୁଥିଲା। କ୍ରମେ ଅନେକ ଡାଳ ଗୋଟିଏ ସ୍ଥାନରେ ପଡିବା ଦ୍ୱାରା ଏହି ସ୍ଥାନର ଗୁରୁତ୍ୱ ପ୍ରତିପାଦିତ ହେଲା। ଏହାକୁ ଡାଲଖାଇ ଅବଧାରଣାର ପ୍ରଥମ ଉଦାହରଣ ଭାବରେ ନିଆଯାଏ। ଏହି ଡାଳ ସେହି ବୃକ୍ଷରୁ ଅଣାଯାଏ ଯାହା ସମୟକୁ ସ୍ପଷ୍ଟ ଇଙ୍ଗିତ କରିଥାଏ। ଉଦାହରଣ ସ୍ୱରୂପ କୋଶ ଦୈର୍ଘ୍ୟ ମାପର ଗୋଟିଏ ଏକକ। ଏହି କୋଶର ମାପ ପଳାଶ ଡାଳରୁ ନିର୍ଣ୍ଣିତ ହୋଇଥାଏ। ପଥିକ ଗୋଟିଏ ପଳାଶ ଡାଳକୁ ଅଣ୍ଟାରେ ଖୋସିବ। ତାହା ଗୋଟିଏ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମଉଳିଲେ ଗୋଟିଏ କୋଶ ବୋଲି ଗଣନା ହେଉଥିଲା। ଯେତୋଟି ଡାଳ ମଉଳିବ ସେତିକି କୋଶ ଲୋକଟି ଚାଲିଛି। ସେହି ଆଧାରରେ ମହୁଲ, ଶାଳ, ଅଁଳା, ଆମ୍ବ ଆଦି ବୃକ୍ଷର ଡାଳ ଶୁଖିବା ପାଇଁ ଅଧିକ ସମୟ ନେଇଥାନ୍ତି। ଜଙ୍ଗଲ ଭିତରେ ନିଜେ ପକେଇଥିବା ଡାଳକୁ ଚିହ୍ନି ମଣିଷ ନିଜର ସମୟ ଓ ପଥ ନିର୍ଦ୍ଧାରଣ କରୁଥିଲା। କ୍ରମେ ଏହି ଡାଳଗଦା ଦିଗ ଓ ସମୟ ନିର୍ଦ୍ଦେଶ କରୁଥିବା ସତ୍ତା ଭାବରେ ସ୍ୱୀକୃତି ପାଇଲା। ଜଙ୍ଗଲରେ ମାର୍ଗ ଦର୍ଶନ କରିବା ଦୈବୀସତ୍ତା କ୍ରମେ ଜୀବନର ମାର୍ଗ ଦର୍ଶନ କରିବାରେ ସହାୟକ ହେଲା। ଡାଲଖାଇ ଏକ ପ୍ରତିକ ହୋଇଗଲା। ତାହା ଜୀବନର ମାର୍ଗ ଦର୍ଶନ ପାଇଁ ହେଉ ଅବା ଉତ୍ତମ ସନ୍ତାନ ଜନ୍ମପାଇଁ ହେଉ ଅବା ନୂତନ ଜୀବନ ଆରମ୍ଭ କରିବା ପାଇଁ ହେଉ ଡାଲଖାଇର ଗୁରୁତ୍ୱ ବଢିଲା। ଜଙ୍ଗଲରେ ପଥପ୍ରଦର୍ଶକ ତୁଲ୍ୟ ନୃତ୍ୟ, ସାଧନା, ପର୍ବ ଆଦିରେ ଡାଲଖାଇ ବ୍ୟବହାର ହେଲା। ଡାଲଖାଇ ଏକ ସଂସ୍କୃତିର ପରିଚୟ ହୋଇଗଲା।
ଖ୍ରୀ.ପୂ ଚାରି ହଜାରରୁ ଦୁଇ ହଜାର ବର୍ଷ ମଧ୍ୟରେ ପ୍ରସ୍ତରଯୁଗର ସମାପନ ହୁଏ। ତମ୍ବାର ଆବିଷ୍କାର ପରେ ଧାତୁ ଯୁଗର ଆରମ୍ଭ ହୁଏ। ମଣିଷକୁ ବୈଷୟିକ ଯାତ୍ରାରେ କ୍ଷୀପ୍ରତା ଦିଏ। ଯାହାକୁ ତତ୍କାଳିନ ସହରୀ ସଭ୍ୟତାରେ ସ୍ପଷ୍ଟ ଦେଖିହୁଏ। ଏହି ସମୟର ନିର୍ମାଣ ଏବଂ କଳାକୃତିରେ ଡାଲଖାଇର ଅସ୍ତିତ୍ୱ ଖୋଜିବା କଠିଣ ଅଟେ। କାରଣ ଓଡ଼ିଶାର ପୁରାତାତ୍ତ୍ୱିକ ଅଧ୍ୟୟନ କେବଳ ମଧ୍ୟଯୁଗୀୟ ନିର୍ମାଣ ଉପରେ ଯେତିକି ଗୁରୁତ୍ୱ ଦେଇଛି ଅନ୍ୟାନ୍ୟ ପୁରାତାତ୍ତ୍ୱିକ ସ୍ଥଳୀମାନଙ୍କୁ ଅଣଦେଖା କରି ଆସିଛି। ଏହା ଏତେ ଅବହେଳିତ ଯେ ବଲାଙ୍ଗୀର ଜିଲ୍ଲାର ପଟୁଆ ଡୁଙ୍ଗରୀ, ମୁଙ୍ଗେ ଡୁଙ୍ଗରୀ ଭଳି ପୁରାତାତ୍ତ୍ୱିକ ଅବଶେଷ ଥିବା ପାହାଡମାନଙ୍କୁ ତହସିଲଦାରମାନେ ପଥରକ୍ୱାରୀ ପାଇଁ ଲିଜ ଦେଇଥିବା ଉଦାହରଣ ମାନ ରହିଅଛି।

ବୁଦ୍ଧଧମ୍ମର ଆଗମନ ପରେ ଉଡ୍ଡୀୟାନର ସାଂସ୍କୃତିକ ଓ ଦାର୍ଶନିକ ବିଭବକୁ ସାହିତ୍ୟରେ ବିଶେଷ ସ୍ଥାନ ଦିଆଗଲା। ଏଥି ସହିତ ବୁଦ୍ଧଧମ୍ମ ଉଡ୍ଡୀୟାନ ବା ପଶ୍ଚିମ ଓଡ଼ିଶାର ଦର୍ଶନକୁ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କଲା। ନାଳନ୍ଦା ଏବଂ ସୋମପୁରୀ ବୁଦ୍ଧବିହାର (ବାଙ୍ଗଲାଦେଶ) ମାନଙ୍କ ଭଳି ବିକ୍ଷାତ ବିଶ୍ୱବିଦ୍ୟାଳୟ ଏହି ଦର୍ଶନ ଉପରେ ବିଶେଷ ଅଧ୍ୟୟନ କରିଥିବା ଉଦାହରଣ ଅନେକ ରହିଅଛି। ଯୋଗିନୀ ଆନ୍ଦୋଳନ ସମୟରେ ଡାଲଖାଇ ସ୍ପଷ୍ଟ ଭାବରେ ପ୍ରତିୟମାନ ହେଲା। ଯୋଗିନୀମନ୍ଦିରମାନ ଡାଲଖାଇ ଆଧାରରେ ତିଆରି ହୋଇଥିଲା। ଶକ୍ତି ଦର୍ଶନରେ ଡାଲଖାଇ ପ୍ରସ୍ଫୁଟିତ ହେବାର ଉଦାହରଣ ଯୋଗିନୀ ମନ୍ଦିରମାନ ଅଟେ। ଯାହା ଆଧାରରେ ଆମର ପୁରାତନ ପାର୍ଲ୍ୟାମେଣ୍ଟ ଗୃହ ନିର୍ମାଣ ହୋଇଅଛି। ଏହାପରେ ଅଜନ୍ତା ଏବଂ କୋଣାର୍କରେ ମଧ୍ୟ ଡାଲଖାଇ ଦର୍ଶନର ପ୍ରମାଣ ମିଳିଥାଏ। ମନ୍ଦିର ଗାତ୍ରମାନଙ୍କରେ ଡାଲଖାଇର ଉପସ୍ଥିତିକୁ ଦେଖି ହେଉଥିବା ବେଳେ ଆଧୁନିକ ଯୁଗର ମୁଖ୍ୟତଃ ଅଷ୍ଟାଦଶ ପରବର୍ତ୍ତି ନିର୍ମାଣରେ ଡାଲଖାଇକୁ ଆବିଷ୍କାର କରିବା କଠିଣ କାରଣ ଏହି ସମୟରେ ନିର୍ମାଣ ମାନଙ୍କରେ ଅନୁକରଣକୁ ଅଗ୍ରାଧିକାର ଦିଆଗଲା। ଉଦାହରଣ ସ୍ୱରୁପ ସୋମବଂଶୀ ଶାସନରେ ଅନେକ ଶିବ ମନ୍ଦିର ନିର୍ମାଣ ହୋଇଛି। ଏହି ସମୟରେ ଗଜଲକ୍ଷ୍ମୀ ମୂର୍ତ୍ତି ମନ୍ଦିର ଗାତ୍ରରେ ଦେଖାଯାଏ। ଗଜଲକ୍ଷ୍ମୀ ହେଛନ୍ତି ସୋମବଂଶୀଙ୍କ ରାଜକୀୟ ଚିହ୍ନ। ପରବର୍ତ୍ତି ନିର୍ମାଣରେ ଏହାକୁ ଅନୁକରଣ କରା ଯାଇଥିବା ଦେଖାଯାଏ। ସେହିପରି ଭାବରେ ସପ୍ତଦଶ ଶତକର ପରବର୍ତ୍ତି ସମୟର ନିର୍ମାଣରେ ଡାଲଖାଇର ତାତ୍ତ୍ୱିକ ଅବରୋପଣ ଉପରେ ସନ୍ଦେହ ହୁଏ।
ବାଣିଜ୍ୟ ହିଁ ସହରୀକରଣର ମୁଖ୍ୟ ଆଧାର। ବାଣିଜ୍ୟ ହିଁ କେବଳ ଆଧୁନିକ ବିଶ୍ୱର ଚିତ୍ର ତିଆରି କରିଛି। ବାଣିଜ୍ୟ କେବଳ ବସ୍ତୁର ଆଦାନପ୍ରଦାନ ନୁହେଁ ଏହା ଜ୍ଞାନ ଓ ବିଚାରର ମଧ୍ୟ ଆଦାନପ୍ରଦାନର ମାଧ୍ୟମ ହୋଇ ରହିଅଛି। ଏହା ମଧ୍ୟ ସତ ଅଟେ ଯେ ବାଣିଜ୍ୟ ଯୋଗୁଁ ବୁଦ୍ଧଧମ୍ମ ବିଶ୍ୱର ଗୋଟିଏ ବଡ ଅଂଶକୁ ପ୍ରଭାବିତ କରି ପାରିଥିଲା। ବୁଦ୍ଧଧମ୍ମ ଉଡ୍ଡୀୟାନ କ୍ଷେତ୍ରରେ ନିଜକୁ ପୁଷ୍ଟ କରି ପାରିଥିଲା। ଯାହା ପରବର୍ତ୍ତି ସମୟରେ ତନ୍ତ୍ରଜାନ ଭାବରେ ସମଗ୍ର ଏସିଆ ଓ ୟୁରୋପ ର କିଛି ଅଂଶକୁ ବ୍ୟାପିଥିଲା। ଏହି ସମୟର ସାହିତ୍ୟ ଡାଲଖାଇ ଉପରେ ବିଶେଷ ଧ୍ୟାନ ଦେଇଥିଲା। ଯାହାର ପ୍ରମାଣ ଇନ୍ଦ୍ରଭୁତି, ଲକ୍ଷ୍ମୀଙ୍କରା, ପଦ୍ମସମ୍ଭବ, ପିଟୁପାଦ ଆଦିଙ୍କ ରଚନାରେ ସ୍ପଷ୍ଟ ଦେଖାଯାଏ।
ଏହାପରେ ଆର୍ଯ୍ୟ ଧର୍ମଧାରା ଶକ୍ତି ଦର୍ଶନ ମାଧ୍ୟମରେ ତନ୍ତ୍ରକୁ ସ୍ୱୀକାର କରିଥିଲା। ଯେଉଁଥିରେ ଡାଲଖାଇକୁ ଆବିଷ୍କାର କରିବା ସହଜ ହୋଇଥାଏ।
ଇତିହାସର ପ୍ରଥମ ସହରମାନ ଧ୍ୱଂସ ହେବା ସମୟରୁ ବିସ୍ତାରବାଦ ନୀତି ପ୍ରଭାବୀ ହେବା ଦେଖାଯାଇଛି। ବ୍ୟବସ୍ଥାକୁ ଏକେତ ସମୂହ ପରିଚାଳନା କରିବ ଅଥବା ବ୍ୟକ୍ତି। ଦେଖାଯାଇଛି ବ୍ୟକ୍ତି ପରିଚାଳିତ ବିସ୍ତାରବାଦ ଯୁଦ୍ଧକୁ ଅନ୍ୟ ଅର୍ଥରେ ହିଂସାକୁ ଗୁରୁତ୍ୱ ଦିଏ। ଅନେକ ଧର୍ମଗ୍ରନ୍ଥମାନ ମଧ୍ୟ ଯୁଦ୍ଧକୁ ଗୁରୁତ୍ୱର ସହ ବର୍ଣ୍ଣନା କରିଥାନ୍ତି। ମାନବ ପ୍ରଜାତିକୁ ପରିଚାଳିତ କରିବା ପାଇଁ ବାଣିଜ୍ୟ ଯେତିକି ସହାୟକ ହୋଇଛି ଯୁଦ୍ଧ ସେତିକି ହୋଇ ପାରିନାହିଁ। ଯୁଦ୍ଧ ଅପେକ୍ଷା ସାଂସ୍କୃତିକ ଓ ଧାର୍ମିକ ଆକ୍ରମଣ ବିସ୍ତାରବାଦକୁ ଅଧିକ ସ୍ଥାୟୀ କରିଥାଏ। ସବୁଠାରୁ ପରିତାପର ବିଷୟ ଡାଲଖାଇ ମାଟି ଉଭୟ ଆକ୍ରମଣକୁ ଦେଖିଛି। ପ୍ରତିବାଦ ବି କରିଛି। ସବୁଠାରୁ ବଡ ପ୍ରତିବାଦ ସାତକୁମାରୀ କରିଛନ୍ତି। ସାତକୁମାରୀଙ୍କ ସମୟକୁ ନେଇ ମତ ବିଭେଦ ରହିଛି। କିନ୍ତୁ ତାଙ୍କର ସଂଗ୍ରାମ ଧାର୍ମିକ ବିସ୍ତାରବାଦ ବିପକ୍ଷରେ ଥିଲା। ଯେହେତୁ ଆମେ ଡାଲଖାଇର ଆଲୋଚନା କରୁଛେ ସାତକୁମାରୀଙ୍କ ବ୍ୟତୀତ ଏହା ସମ୍ଭବ ନୁହେଁ।

ପ୍ରଥମେ ଜାତି ଦେଖାଯାଉ ଚମାର, ଗଉଡ, ମାଲୀ, ତେଲୀ, ଶବର, ଲୁହୁରା ଓ ଧୋବା ଜାତିର ମହିଳା ପ୍ରତିନିଧି ଥିଲେ। ଅର୍ଥାତ ଗୋଟିଏ ସମୂହ ପ୍ରତିବାଦରେ ସାମିଲ ହୋଇଥିଲା। ତାଙ୍କ ଯୋଗୁଁ ଡାଲଖାଇ ଅନ୍ତତଃ ବର୍ତ୍ତମାନ ପର୍ଯ୍ୟନ୍ତ ଗଣାବଜାରେ ଜୀବିତ ରହିଅଛି। ଏହି ସାତକୁମାରୀଙ୍କ ଆନ୍ଦୋଳନକୁ ପରବର୍ତ୍ତି ସମୟରେ ଲୋକଦେବତାଙ୍କ କୁତ୍ରିମ ବିବର୍ତ୍ତନ କରି ଆକ୍ରମଣ କରିବାର ଉଦାହରଣ ରହିଅଛି। ଗୋଟିଏ ବିଶେଷ ତଥ୍ୟ ସାମ୍ନାକୁ ଆସିଥାଏ। ଏହି ବିବର୍ତ୍ତନ ସମୟରେ ଗ୍ରହଣଶୀଳତା ଓ ପ୍ରତିରୋଧ ଉଭୟକୁ ଦେଖିବାକୁ ପାଇଥାଉ। ଅଶୋକଙ୍କ ପରେ ଧର୍ମ ଆଧାରିତ ପ୍ରସାରଣବାଦ ବେଶ ପ୍ରଭାବିତ ହେଲା। ଯାହା ଡାଲଖାଇ ଉପରେ ପଡିବାକୁ ବାଧ୍ୟ। ଏହି ସଂଘର୍ଷର ଶେଷ ପ୍ରତିରୋଧ କନ୍ଧମେଲି ହିଁ ଥିଲା। କନ୍ଧମେଳି ପୂର୍ବରୁ ମେରିଆ ନାମରେ ଧାର୍ମିକ ଆତଙ୍କବାଦ ଲୋକେ ଦେଖି ସାରିଥିଲେ। ୧୮୮୨ ମସିହା ପରେ ପରେ ବ୍ୟବସ୍ଥା ପ୍ରତିରୋଧି ସଂଘର୍ଷ ଆଉ ଦେଖା ଯାଉନାହିଁ। କନ୍ଧମେଳି ପରେ ରାଜଧର୍ମ ପ୍ରଭାବୀ ହେଲେ ମଧ୍ୟ ଡାଲଖାଇ ନିଜର ଅସ୍ତିତ୍ୱ ରଖିଥିଲା। ଭାରତ ସ୍ୱାଧିନ ହେଲାପରେ ସମ୍ବିଧାନ ଆଧାରିତ ବ୍ୟବସ୍ଥା ଲୋକଧର୍ମକୁ ସମ୍ମାନ ଦେଲା କିନ୍ତୁ ଅନ୍ଧ ବିଶ୍ୱାସ ଉନ୍ମୁଳନ ପାଇଁ ମଧ୍ୟ ସମ୍ବିଧାନିକ ବ୍ୟବସ୍ଥା ରଖାଗଲା। ଗୋଟିଏ ବିଶ୍ୱାସ ଓ ବ୍ୟବସ୍ଥାକୁ ଯେତେବେଳେ ଧ୍ୱଂସ କରାଯିବ ତାହାକୁ ଅନ୍ଧବିଶ୍ୱାସ ସ୍ତରକୁ ଆଣିଦେଲେ ଏହାକୁ ଧ୍ୱଂସ କରିବା ଦାୟିତ୍ୱ ରାଷ୍ଟ୍ରର ହୋଇଯିବ ନିଶ୍ଚୟ। ଡାଲଖାଇ ପ୍ରତି ଏହା ହିଁ ହୋଇଛି। ସଭ୍ୟତା, ଶିକ୍ଷା ଓ ଅନ୍ଧବିଶ୍ୱାସର ଏକ ସୁନ୍ଦର ଚକ୍ରବ୍ୟୁହ ରଚନା କରି ଆଦି ସଂସ୍କୃତି ପ୍ରତି ବେଶ ଆକ୍ରମଣ ହୋଇ ଆସୁଅଛି। ୧୯୭୦-୭୫ ମସିହା ପର୍ଯ୍ୟନ୍ତ ଡାଲଖାଇର ମୂଳରୂପ ଦେଖା ଯାଉଥିଲା। ଏହାପରେ ଡାଲଖାଇକୁ ଧ୍ୱଂସ କରିବା କାମ ଜାରି ରହିଲା। କାରଣ ଡାଲଖାଇକୁ ଆକ୍ରମଣ କଲେ ହିଁ ଗୋଟିଏ ସଭ୍ୟତାକୁ ନଷ୍ଟ କରିବାରେ ସହଜ ହେବ। ତାଙ୍କୁ ଶ୍ରମିକ ଓ ଦାସ କରିବା ସହଜ ହେବ। ଏହା ହିଁ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଡାଲଖାଇର ଗୀତକୁ ଡାଲଖାଇର ଶତୃ ବୋଲି ଅନେକ କହନ୍ତି। ସତକଥା ହେଲା ଡାଲଖାଇ ଏକ ସୂତ୍ର ଯାହାକୁ ନେଇ ମନ୍ଦିରକଳା ଓ ସାହିତ୍ୟ ବେଶ ମୁଖର। ଚର୍ଯ୍ୟାଗୀତ ସମେତ ଅନେକ ସାହିତ୍ୟ ଡାଲଖାଇ ନିୟମ ଆଧାରରେ ରଚିତ ହୋଇଛି। ତଦୃପ କାମସୂତ୍ର, ଯେଉଁଗ୍ରନ୍ଥ ମାନବ ସଭ୍ୟତା ପାଇଁ ଗୋଟିଏ ବହୁମୂଲ୍ୟ ଗ୍ରନ୍ଥ ବୋଲି କୁହାଯାଏ।
ଡାଲଖାଇ ନାଚିବା କି ଦେଖିବା ପାଇଁ କିଏ କାହାକୁ ଡାକି ନଥାଏ। ଏହା ଏକ ସ୍ୱତଃ ପ୍ରକ୍ରିୟା; ସ୍ଥାନ କାଳ ଓ ପାତ୍ର ଅନୁସାରେ ଏହା ଯୋଡି ହୋଇଥାଏ। କଳା ସଂସ୍କୃତିର ସୁରକ୍ଷା ପାଇଁ ଯେତେବେଳେ ଚିନ୍ତା କରାଗଲା ସେତେବେଳେ ଡାଲଖାଇ ନିଜର ଇତିହାସରେ ସବୁଠାରୁ ବଡ ଆକ୍ରମଣ ଦେଖିଲା। ଡାଲଖାଇ ମଞ୍ଚ ଉପରେ ପରିବେଷିତ ହେଲା। ମନୋରଞ୍ଜନର ମାଧ୍ୟମ ହୋଇଗଲା। ଯାହାକୁ ଆମେ ଆଜି ଗର୍ବର ସହ ଉପଭୋଗ କରୁଅଛୁ।