ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ଗ୍ରାମ ପଞ୍ଚାୟତର ବାଗଡେର ଗାଁର ନୀଳ ରଣା ପରିବାର ସହ ରହେ। ଲାଗ ଲାଗ ତିନୋଟି ଝିଅ ହେବାପରେ କୌଣସି କାରଣରୁ ପ୍ରଥମ ସ୍ତ୍ରୀ ସହ ତାର ବିବାହ ବିଚ୍ଛେଦ ହୁଏ। ସାମାଜିକ ରୀତିରେ ବିବାହ ବିଚ୍ଛେଦ। ଆଇନରେ ଦାୟ ରଖେନି ଏହି ବିବାହ ବିଚ୍ଛେଦ। ସମ୍ପତ୍ତି ଦାବୀ କି ଉତ୍ପୀଡ଼ନର କୌଣସି ଅଭିଯୋଗ ନାହିଁ। ଆଇନର ପରିଧି ବାହାରେ ଜୀବନ। ନୀଳ ରଣା ଦ୍ୱିତୀୟ ହେଲା। ପ୍ରଥମ ସ୍ତ୍ରୀର ତିନୋଟି ଛୁଆ ପରେ ଦ୍ୱିତୀୟ ସ୍ତ୍ରୀର ଦୁଇଟି ସନ୍ତାନ ଝିଅ ହେଲେ। ଜୁଲାଇ ୨୦, ୨୦୨୫ ଦିନ ଭୀମ ଭୋଇ ମେଡିକାଲ କଲେଜରେ ନୀଳ ରଣାର ଦ୍ୱିତୀୟ ସ୍ତ୍ରୀ ଦ୍ୱିତୀୟ ଝିଅ ଜନ୍ମକଲା।
ବାଗଡେର ଗାଁ ପାଖାପାଖି ସାତଶହ ଜନସଂଖ୍ୟା ବିଶିଷ୍ଟ ଅଟେ। ଏହି ଗାଁରେ ଲିଙ୍ଗ ଅନୁପାତ ବୟସ୍କଙ୍କ ମଧ୍ୟରେ ୧୧୧୯ ଥିବା ବେଳେ ଶିଶୁଙ୍କ କ୍ଷେତ୍ରରେ ୧୦୬୮ ରହିଅଛି। ଯାହା ରାଜ୍ୟ ଅନୁପାତରୁ ଢେର ଅଧିକ। ତିନୋଟି ଝିଅ ଜନ୍ମକଲା ପରେ ପ୍ରଥମ ସ୍ତ୍ରୀ ସହ ବିବାହ ବିଚ୍ଛେଦ ଏବଂ ଦ୍ୱିତୀୟ ସ୍ତ୍ରୀ ଗର୍ଭରୁ ଦୁଇଟି ଝିଅ ଜନ୍ମହେବା। ଚଳନ୍ତି ପୁତ୍ରମୋହର ପରିବେଶ ଓ ଝିଅ ପାଇଁ ଅସୁରକ୍ଷିତ ସମାଜରେ ନୀଳ ରଣାର ପାଞ୍ଚଟି କନ୍ୟା ସନ୍ତାନ ସମସ୍ୟା ଓ ଅସୁରକ୍ଷାର ପାହାଡ ହୋଇ ଯାଇ ଥାଇପାରେ। ଝିଅକୁ ଜୁଲାଇ ୨୭, ୨୦୨୫ ଦିନ ନୀଳ ରଣା ପାଇକମାଲର ଜଣେ ଦମ୍ପତ୍ତିଙ୍କୁ ଟେକିଦେଲା। ଅଭିଯୋଗ ହୁଏ ଏହା ବଦଳରେ କୋଡିଏ ହଜାର ଟଙ୍କା ନୀଳ ନେଇଥିଲା। କୋଡିଏ ହଜାର ଟଙ୍କା ଲେଣଦେଣର କୌଣସି କାଗଜାତ ନାହିଁ।
ନିୟମିତ ଦାଦନ ଯାଉଥିବା ନୀଳ ରଣା ପ୍ରଥମ ସ୍ତ୍ରୀ ସହ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ହେବା ଆବଶ୍ୟକ। କାରଣ ନୀଳମାନଙ୍କ ପରିବାରର ଅର୍ଥନୀତିରେ ମହିଳାମାନଙ୍କ ସମପରିମାଣରେ ଭାଗିଦାରୀ ରହେ। ଶିଶୁମାନେ ମଧ୍ୟ ଆୟର ଗୋଟିଏ ସ୍ରୋତ ହୋଇଥାନ୍ତି। କିନ୍ତୁ ପାଞ୍ଚଟି କନ୍ୟାସନ୍ତାନ ନୀଳ ପାଇଁ ବୋଝ ନିଶ୍ଚୟ। କେବଳ ଖାଇପିଇ ବଞ୍ôଚଯିବା ଜୀବନ ସଂଗ୍ରାମର ଶେଷ କାହାଣୀ। ତେଣୁ ସନ୍ତାନର ଖାଦ୍ୟ ସୁରକ୍ଷା ହିଁ ଆଇନ, କର୍ତ୍ତବ୍ୟ, ଜାତିଧର୍ମ ଆଦିରୁ ବଳିଯାଏ। ନୀଳ ରଣା ମଧ୍ୟସ୍ଥି ସହଯୋଗରେ ନିଜର ନବଜାତ କନ୍ୟାକୁ ଟେକିଦିଏ ଜଣେ ଅପରିଚିତ ଦମ୍ପତ୍ତିଙ୍କୁ। ସେ ମଧ୍ୟସ୍ଥି ଆଖିରେ ଝିଅର ସୁରକ୍ଷିତ ଭବିଷ୍ୟତ ଦେଖେ ଓ ଝିଅକୁ ଟେକିଦିଏ।
ଶିଶୁବିକ୍ରିର ଗୋଟିଏ ଦୀର୍ଘ ଇତିହାସ ରଖିଥିବା ବଲାଙ୍ଗୀର ଜିଲ୍ଲାରେ ନୀଳ ରଣାର କାହାଣୀ ନିଶ୍ଚୟ ଗୁରୁତ୍ୱ ରଖେ। ଗଣମାଧ୍ୟମରେ ଘଟଣା ପ୍ରଚାର ହେବାପରେ ପ୍ରଶାସନ ତତ୍ପର ହେଲା। ସ୍ଥାନୀୟ ରାଜନୀତିରେ ବୟାନବାଜି ଚାଲିଲା। ସିଡବ୍ଲୁସି ଶିଶୁଟିକୁ ପାଇକମାଲ ଷ୍ଟେସନପଡାରୁ ଶିଶୁୁକନ୍ୟାକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ସୁରକ୍ଷାରେ ରଖିଅଛି। ଟିଟିଲାଗଡ ବିଧାୟକ ନବୀନ ଜୈନ ଘଟଣାକୁ ଅସ୍ୱୀକାର କରୁଥିବା ବେଳେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପାଟଣାଗଡ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ ମେହେର ଘଟଣା ପାଇଁ ଶାସକ ଦଳକୁ ଆକ୍ଷେପ କରିଛନ୍ତି।
ନୀଳ ରଣା ଭଙ୍ଗା ଆଜବେଷ୍ଟସମାନଙ୍କରେ ଛାତ କରି ଏକ ମାଟି ଘରେ ରହେ। ପ୍ରଥମ ସ୍ତ୍ରୀଙ୍କ ନାମରେ ରାସନ କାର୍ଡ ଥିବାରୁ ପିଡିଏସ ଯୋଜନାରେ ଚାଉଳ ପାଇବାରେ ଅସୁବିଧା ହେଉଥିଲା। ଅଭିଯୋଗ ଆସିଲା ଯେ ନୀଳ ରଣାର ଜବ କାର୍ଡ ବନ୍ଧା ପଡିଛି। ଯାହାକୁ ସରପଞ୍ଚ ଯୁଗଳ କିଶୋର ସାହୁ ମିଛ ବୋଲି କହିଛନ୍ତି। ପକ୍କା ଘର ଆଦି ହିତାଧିକାରୀ ଯୋଜନାରେ ନୀଳ କାହିଁକି ସାମିଲ ହୋଇ ପାରିଲା ନାହିଁର ପ୍ରଶ୍ନର ଉତ୍ତରରେ ବିଡିଓ ଚନ୍ଦ୍ରମଣି ନାଗ କହନ୍ତି ସର୍ଭେ ସମୟରେ ନୀଳ ରଣାର ପରିବାର ଗାଁରେ ଅନୁପସ୍ଥିତ ଥିଲେ। ତାଙ୍କୁ ଫୋନ ଯୋଗେ ଖବର କରା ଯାଇଥିଲା। ସର୍ଭେ ସମୟରେ ଅନୁପସ୍ଥିତ ଥିବା କାରଣରୁ ସେ କେତେକ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିଲେ ନାହିଁ। ସିଡିପିଓ ସୁଷମା ପାଢୀଙ୍କ କହିବା ଅନୁସାରେ ଦୁଇଟି ସନ୍ତାନକୁ ହିତାଧିକାରୀ ଯୋଜନାରେ ସାମିଲ କରାଯିବା ନିୟମ ରହିଛି। ଯାହା ନୀଳ ରଣାର ପରିବାର ପାଉଛନ୍ତି।
ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଦୋଷ କାହାର?
ଏହି ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ। ପ୍ରଥମତଃ ଦେଖିବାକୁ ପଡିବ ଏହା ପୂର୍ବରୁ ତିନୋଟି ନବଜାତକର ବିକ୍ରି କଥା ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଲା। ଗୋଟିଏ ଲାଠୋର ଘଟଣା, ବଲାଙ୍ଗୀରର ଘଟଣା ଓ ମୁରିବାହାଲ ଘଟଣା। ସମସ୍ତ ଘଟଣାରେ ନବଜାତକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ସମସ୍ତ ଘଟଣାରେ ସିଡବ୍ଲୁସି, ବଲାଙ୍ଗୀର କଥିତ ବିକ୍ରି ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି। ଯେପରି ନୀଳ ରଣାର ସନ୍ତାନକୁ। ଏହି ଚାରୋଟି ଘଟଣାରେ ବଲାଙ୍ଗୀର ଘଟଣାକୁ ଛାଡିଦେଲେ ଗୋଟିଏ ସାଧାରଣ କଥା ରହିଛି ଯେ ପିତାମାତା ନିଜର ନବଜାତକଙ୍କୁ ତାଙ୍କ ପରିଚିତି ବାହାରେ ବିକ୍ରି କରିଛନ୍ତି। ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାରେ ଶିଶୁବିକ୍ରି ଭଳି ଘଟଣାରେ ଗୋଟିଏ ଦୀର୍ଘ କାହାଣୀ ରହିଅଛି। ୧୯୮୫ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଯେଉଁ ଶିଶୁବିକ୍ରିର ଅଭିଯୋଗ ରହିଥିଲା ସମସ୍ତେ ଆଠରୁ ୧୪ ବର୍ଷ ମଧ୍ୟରେ ରହିଥିଲେ। ଏହି ଘଟଣାମାନ ଏପରି ଚର୍ଚ୍ଚିତ ଓ ପ୍ରଭାବୀ ଥିଲା ଯେ କେବଳ ଶିଶୁବିକ୍ରି ଘଟଣାର ତଦନ୍ତ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ଦୁଇ ଜଣଙ୍କୁ ନିଜ ନିଜ ସମୟରେ ବଲାଙ୍ଗୀର ଆସିବାକୁ ପଡିଥିଲା। ପ୍ରଥମ ଘଟଣାରେ ରାଜୀବ ଗାନ୍ଧୀ ଜୁନ ୨୧, ୧୯୮୫ ମସିହାରେ ବଲାଙ୍ଗୀର ଭାଲୁମୁଣ୍ଡା ଆସିଥିଲେ ଏବଂ ଦ୍ୱିତୀୟ ବିକ୍ରି ଘଟଣାରେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୩ ମଇ, ୧୯୯୩ ମସିହାରେ ଲାଠୋର ଟଙ୍କପାଣିକୁ ଆସିଥିଲେ। ଘଟଣାର ଚଉଠେ ଶତକ ପରେ ପ୍ରଧାନମନ୍ତ୍ରୀ ନରସିଂହରାଓ ଯେଉଁଠାରେ ଓହ୍ଲାଇଥିଲେ ସେହି ହେଲପ୍ୟାଡରୁ ୫୦୦ ମିଟର ଦୂରରେ ଲାଠୋର ନବଜାତକ ବିକ୍ରି ଭଳି ଖବର ଆସେ। ଏହି ଦୁଇଟି ଶିଶୁବିକ୍ରି ସହ ଯେତକ ବି ଅଭିଯୋଗ ସେ ସମୟରେ ହୋଇଥିଲେ ସେତେବେଳେ ଦେଖା ଯାଇଛି ଯେ ସାମାଜିକ ଚଳଣିରେ ନିଜର ପରିଚିତ ଲୋକଙ୍କୁ ଶିଶୁ ବିକ୍ରି କରିଥିଲେ। ଯାହାର ବ୍ୟତିକ୍ରମ ଲାଠୋର, ମୁରିବାହାଲ, ବଲାଙ୍ଗୀର ସମେତ ନୀଳ ରଣାର ଶିଶୁବିକ୍ରି ଅଭିଯୋଗରେ ହୋଇଛି। ବଲାଙ୍ଗୀର ଅଭିଯୋଗକୁ ଛାଡି ତିନୋଟି ନବଜାତକଙ୍କ ବିକ୍ରିରେ ଯେଉଁମାନେ ଖରିଦଦାର ହୋଇଛନ୍ତି ସେମାନେ ପ୍ରକୃତ ପିତାମାତାଙ୍କ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ। ଏହି ତିନୋଟି ଘଟଣାରେ ମଧ୍ୟସ୍ଥି ରହି ଅଛନ୍ତି। ବଲାଙ୍ଗୀରର ଘଟଣାରେ ମାଁ ଜଣକ ନିଜର ପରିଚିତ ଘରେ ନିଜର ଜନ୍ମିତ ସନ୍ତାନକୁ ଦେଇଥିଲେ। ଅପରିଚିତଙ୍କୁ ସନ୍ତାନ ବିକିବା ଏବଂ ମଧ୍ୟସ୍ଥିର ଉପସ୍ଥିତି ଏହାକୁ ସ୍ୱତଃ ଏକ ବେପାରର ଆକ୍ଷା ଦିଆ ଯାଇପାରେ। ଘଟଣା ପରେ ଯେଉଁ ବୟାନ ଆସିଛି ସେହି ବୟାନ ଅନୁସାରେ କିଣିଥିବା ନବଜାତକଙ୍କୁ ସନ୍ତାନ ଭାବେ ଗ୍ରହଣ କରା ହୋଇଛି। ପୋଷ୍ୟ ସନ୍ତାନ ଭାବରେ ନବଜାତକମାନଙ୍କୁ ନେଇଛନ୍ତି।
ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା ନିକଟରୁ ଭାରତୀୟ ନାଗରିକ, ଅପ୍ରବାସୀ ଭାରତୀୟ ନାଗରିକ ଅବା ବିଦେଶୀ ନାଗରିକ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ। ଏଥିପାଇଁ ଆଇନଗତ ପ୍ରକ୍ରିୟା ରହିଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଷ୍ୟ ପାଇଁ ଗ୍ରହଣ କରାହେଉଥିବା ସନ୍ତାନ (ସର୍ବାଧିକ ୧୮ ବର୍ଷ) ପାଳିତ ପିତା ଅବା ମାତାଙ୍କ ବୟସ ଅନ୍ତର ସର୍ବନିମ୍ନ ୨୫ ବର୍ଷ ରହିବା କଥା। ହିନ୍ଦୁ ପିତାମାତା କ୍ଷେତ୍ରରେ ବ୍ୟକ୍ତିଗତ ବୁଝାମଣାରେ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇ ପାରେ। ପୋଷ୍ୟ ସନ୍ତାନ ଶିକ୍ଷା, ସମ୍ପତ୍ତି ଏବଂ ଉତ୍ତମ ଜୀବନର ଅଧିକାର ପାଇବାକୁ ଆଇନ ସମ୍ମତି ଦିଏ। ଉପରୋକ୍ତ ନବଜାତକ ବିକ୍ରି ଅଭିଯୋଗ ଯଦି ମୂଲ୍ୟ ବିନିମୟ ହୋଇ ନଥାଏ ତାହେଲେ ଏହା ଧର୍ତ୍ତବ୍ୟ ଅପରାଧ ନୁହେଁ। ରାଜନୈତିକ ଏବଂ ପ୍ରଶାସନିକ ହଲଚଲ ଯୋଗୁଁ ସିଡବ୍ଲୁସି ଉପରୋକ୍ତ ନବଜାତକମାନଙ୍କୁ ଉଦ୍ଧାର କରିଛି। ଏହି କୌଣସି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଜୁଭେଲାଇନ ଜଷ୍ଟିସ ଏକ୍ଟ-୨୦୧୫ ଅନୁସାରେ ସିଡବ୍ଲୁସିର କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅଧିକାର ପରିସର ଭୁକ୍ତ ଅଟେ। ଏହି ବିଷୟରେ ଆଲୋଚନା ବେଳେ ଜଣା ପଡିଛି ଯେ ଯଦି ସିଡବ୍ଲୁସି ନିଜର ଅନୁସନ୍ଧାନରେ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନିୟମରେ ପାଳିତ ପିତା ଅବା ମାତା ଚାହିଁବେ ତାହେଲେ ଏହି ଶିଶୁମାନଙ୍କୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରି ପାରିବେ। ଖବର ଲେଖା ହେବା ପର୍ଯ୍ୟନ୍ତ ନବଜାତକମାନଙ୍କୁ କଥିତ କିଣିଥିବା ଦମ୍ପତ୍ତି ଶିଶୁମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ କୌଣସି ଲିଖିତ ଆବେଦନ କରି ନାହାନ୍ତି। ଅପରନ୍ତୁ ଦେଖାଯାଇଛି ଯେ ପରସ୍ପର କଥାବାର୍ତ୍ତା ମାଧ୍ୟମରେ ନବଜାତକମାନଙ୍କୁ ପୋଷ୍ୟ ଭାବରେ ମଧ୍ୟସ୍ଥି ମାଧ୍ୟମରେ ନେଇ ସାରିଥିଲେ।
ପ୍ରବାସ ଏକ ସ୍ୱଭାବିକ ପ୍ରକ୍ରିୟା କିନ୍ତୁ ଯେତେବେଳେ ସମୁହ ପ୍ରବାସ କରନ୍ତି ତାହେଲେ ଏହା ପଛରେ ଗୋଟିଏ ବଡ କାରଣ ରହିଥାଏ। କାରଣ ହେଲା ଗୋଟିଏ ଜାତିକୁ କ୍ରମ ଶୋଷଣ କରି ନିଃଶ୍ୱ କରିଦେବା। ଇତିହାସ ଏହାର ପ୍ରମାଣ ଦେଇଥାଏ। ଦରିଦ୍ରଙ୍କ ପଟୁଆର ଭିତରୁ ଦାସ ଖୋଜିବା କଠିଣ ନୁହେଁ। ଏମିତି ଅନେକ ଝିଅଙ୍କୁ ନେଇ ଦେହ ବ୍ୟବସାୟରେ ଲଗା ହେଉଥିଲା। ଯେଉଁମାନେ ନେଉଥିଲେ ସେମାନେ ରୋଜଗାର ପାଇଁ ମଣିଷ ବେପାର ହିଁ କରୁଥିଲେ। କେତେକ ନିଜ ନିଜର ଛୋଟ ଛୋଟ ଅନୁଷ୍ଠାନ ତିଆରି ଦୁଇ ତିନିଜଣ ଝିଅଙ୍କୁ ନେଇ ବ୍ୟବସାୟ କରୁଥିଲେ। ଏହା ନୁହେଁ ଯେ ସେମାନେ କେବଳ ଦେହ ବ୍ୟବସାୟ କରୁଥିଲେ ଭଲ ପାତ୍ର ଦେଖି ବିବାହ ବି ଦେଉଥିଲେ। ଏହି କ୍ରମଧାରା ୨୦୧୦ ମସିହା ପରେ ପରେ ଅନ୍ୟ ଏକ ବ୍ୟବସାୟର ବାଟ ଖୋଳିଲା। ଝିଅଙ୍କୁ ନେଇ ଭୃଣହତ୍ୟା କାରଣରୁ ଶିଶୁ ଲିଙ୍ଗ ଅନୁପାତ କମିବାରେ ଲାଗିଲା। ବାହାର ରାଜ୍ୟମାନଙ୍କରେ ଯେଉଁଠାରେ ଝିଅଙ୍କ ଅଭାବ ରହିଲା ସେଠାକୁ ଅନେକ ଝିଅଙ୍କୁ ବିବାହ ପାଇଁ ମଧ୍ୟସ୍ଥିମାନେ ହିଁ ରହିଲେ। ଓଡ଼ିଆରେ ଘଟକ ଶବ୍ଦ ଏଠାରେ ବ୍ୟବସାୟ ହୋଇଗଲା। ଅନେକ ଘଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ଦେଖାଯାଇଛି ନବଜାତକଙ୍କ ବିକ୍ରି କଥା। ଏହି ମଧ୍ୟସ୍ଥିମାନେ ଆଇନର ଆଶ୍ରୟ ନେଇ ମଧ୍ୟ ପୋଷ୍ୟସନ୍ତାନ ଯୋଗାଡ କରି ପାରନ୍ତେ। କିନ୍ତୁ ପ୍ରଥମତଃ ମଧ୍ୟସ୍ଥିମାନେ ଅଶିକ୍ଷିତ କେବଳ ଯୋଗସୂତ୍ର ରକ୍ଷାକରି ରୋଜଗାର କରୁଥିବା ହେତୁରୁ ଏହାକୁ ସହଜ ମାର୍ଗ ବୋଲି ଭାବନ୍ତି। ଆଇନ ପ୍ରକ୍ରିୟା ଭିତରକୁ କେମିତି ଯିବେ ସେ ବିଷୟରେ ଅଜ୍ଞ ହିଁ ରହିଅଛନ୍ତି।
ଏହାବାଦ ରହିଲା ଅମଲା ଚରିତ୍ର। ଅଢେଇ ଶହ ବର୍ଷ ପୂର୍ବେ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଶାସନର ଚରିତ୍ରଗତ ପରିବର୍ତ୍ତନ ହୁଏ। ଭୋସଲା ମାନଙ୍କ ଆକ୍ରମଣ ପରେ ପ୍ରଜାମାନେ ଶାସନକୁ ଖଜଣା ଦେବା ପ୍ରଥା ଆରମ୍ଭ ହୁଏ। ପ୍ରଥମ କରି ଲୋକେ ବ୍ୟବସ୍ଥା ପରିବର୍ତ୍ତନକୁ ଦେଖନ୍ତି। ଏହି ପ୍ରଥା ବିରୋଧରେ ସ୍ଥାନୀୟ ଶାସକମାନେ ବିପ୍ଲବ କରନ୍ତି। ଭୋସଲାଙ୍କ ପରେ ଇଂରେଜଙ୍କ ଅଧିନକୁ ଅଞ୍ଚଳ ଆସେ। ଯାହା ଫଳରେ ପୋଲିସ, ରାଜ କର୍ମଚାରୀ, ଅମଲା ଆଦିଙ୍କ ସିଧା ସମ୍ପର୍କରେ ପ୍ରଜା ଆସନ୍ତି। ଜମିଦାର, ଗଉନ୍ତିଆ ଆଦି ପଦବୀମାନ ରାଜସ୍ୱ ସଂଗ୍ରହକାରୀ ହୋଇ ରହନ୍ତି। ସ୍ୱତଃ ଏମାନେ ଶୋଷକ ଶ୍ରେଣିର ଲୋକ ହୋଇଯାଆନ୍ତି। ଅନ୍ୟ ରାଜକର୍ମଚାରୀ ଓ ଅମଲା ପ୍ରଜା ଅପେକ୍ଷା ଏହି ଉଚ୍ଚପଦର ଲୋକଙ୍କ ନିକଟତର ହୁଅନ୍ତି। ଏତେବେଳକୁ ଖଜଣା ମୁଦ୍ରା ଆକାରରେ ପଇଠ କରିବା ହୁଏ। ତେଣୁ ବହିରାଗତ ଲୋକ ଆସି ଶସ୍ୟ, ଫସଲ, ଅନ୍ୟ ସ୍ଥାବର ଅସ୍ଥାବର ସମ୍ପଦାର ବ୍ୟବସାୟ କରନ୍ତି। ମୁଦ୍ରା ବଦଳରେ ଲୋକଙ୍କ ଉପଜ ଓ ଅନ୍ୟ ଜିନିଷ କିଣନ୍ତି। ମୁଦ୍ରା ଯୋଗାଉଥିବା ହେତୁ ଅନେକ ଜନଙ୍କୁ ସଙ୍ଖୋଳେ ଏଣୁ ଏମାନେ ମହାଜନ। ଏମାନଙ୍କଠାରୁ ମହାଜନୀ ପ୍ରଥାର ଆରମ୍ଭ ହୁଏ। ମହାଜନ, ରାଜକର୍ମଚାରୀ, ଅମଲା ଆଦି ସମସ୍ତେ ଗୋଟିଏ ପାଶ୍ୱର୍ରେ ରହିଲେ ପ୍ରଜା ଅପର ପାଶ୍ୱର୍ରେ ରହନ୍ତି। ସମୟାନ୍ତରରେ ଏହି ସମ୍ପର୍କ ଶୋଷକ ଶୋଷିତର ହୋଇଯାଏ।
ଦେଶ ସ୍ୱାଧିନ ହେଲାପରେ ଏହି ଧାରାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ମହାଜନୀ ଓ ମରୁଡି ସମୟ ଭିତରେ ଶୋଷଣ ପ୍ରବଳ ହୁଏ। ଲୋକେ ନିଶ୍ୱ ହୁଅନ୍ତି। ପ୍ରବାସ ହିଁ ଏକମାତ୍ର ସମାଧାହ ହୋଇଯାଏ। ଏହି ପ୍ରବାସ ଅନେକ ବିସଙ୍ଗତିକୁ ଜନ୍ମଦିଏ। ପରଗ୍ରହରେ ମାନବ ବସତି ପାଇଁ ଚିନ୍ତା କରୁଥିବା ମଣିଷ ପ୍ରଜାତିରୁ ଜଣେ ନୀଳ ରଣା ତାର ଜନ୍ମମାଟିରେ ବଞ୍ଚିବା ପାଇଁ ନିଜର ଜନ୍ମିତ ସନ୍ତାନକୁ ବିକିବାକୁ ବାଧ୍ୟ ହୁଏ। ଏହି ବିସଙ୍ଗତି କେବିକେ ଜିଲ୍ଲାର ନଗ୍ନ ଏବଂ ସ୍ଥିରଚିତ୍ର ଅଟେ।
ପ୍ରଜା ଓ ଶାସକର ସମ୍ପର୍କ ଦେଶ ସ୍ୱାଧିନ ହେଲାପରେ ତଦୃପ ରହିଗଲା। ଭୋଟ ଦେବା ସାଙ୍ଗକୁ ଗ୍ରାମ ପଞ୍ଚାୟତ ଗଠନ ପରେ ଲୋକେ ଦ୍ୱିତୀୟ ଥର ବ୍ୟବସ୍ଥା ପରିବର୍ତ୍ତନର ସାମାନ୍ୟ ଆଭାସ ପାଇଲେ। ଏତେବେଳକୁ କାଁ ଭାଁ ଛାଡିଦେଲେ ପୂର୍ବ ସାମନ୍ତ ଶ୍ରେଣିରୁ ସରପଞ୍ଚ ଆଦି ହେଲେ। ଗ୍ରାମ୍ୟ ଶାସନରେ ପରିବର୍ତ୍ତନ ଆସିଲା କିନ୍ତୁ ପୂର୍ବାଗ୍ରହ ଲାଗି ରହିଲା। ଲୋକଙ୍କ ଅର୍ଥନୀତିର ସୁରକ୍ଷା ପ୍ରତି ଧ୍ୟାନ ଗଲାନାହିଁ। ଭୂଦାନ ଆନ୍ଦୋଳନରୁ ପ୍ରାପ୍ତ ଜମିବଣ୍ଟନ ବେଳେ, ଇ.ଆର.ଆର.ପି ଯୋନାରେ ଗରିବଙ୍କୁ ଜମି ବଣ୍ଟନ ବେଳେ ଏବଂ ଗୋତି ପ୍ରଥା ଉନ୍ମୁଳନ ସମୟରେ ସେହି ରାଜତନ୍ତ୍ର କାଳିନ ସମ୍ପର୍କ ପୁନର୍ବାର ଯୋଡିଲା। ଏଠାରେ ଯେହେତୁ ଜମିର କଥା ଆସିଲା ଭୂମିହୀନମାନେ ଜମି ପାଇଲା ପରେ ଚୟନ ଆଦିରେ ବେଶ ବିସଙ୍ଗତି ଦେଖାଗଲା। ଏହି ପ୍ରକ୍ରିୟାମାନଙ୍କରେ ସାମନ୍ତ ଓ ମହାଜନମାନେ ଉପକୃତ ହେଲେ। ଅନେକ ଥଇଥାନ ହୋଇଛନ୍ତି ଏହା ଶୁଭ ସୂଚନା। ହୁଏତ ଏହି ଘଟଣା କୌଣସି ମୂଲ୍ୟ ରଖି ନପାରେ କିନ୍ତୁ ରାଜତନ୍ତ୍ର ସମୟର ସମ୍ପର୍କ ଗୋଟିଏ ସମାଜ ସାମ୍ନାକୁ ବାର ବାର ଆସିଲେ ଲୋକେ ରାଜତନ୍ତ୍ରର ଉପସ୍ଥିତିକୁ ସେତେବେଳେ ବି ଅନୁଭବ କରିଥିବେ ନିଶ୍ଚୟ। ଏହା ପ୍ରତିଫଳିତ ଅମଲା ଉପରେ ନିଶ୍ଚୟ ହୋଇଛି।
ନବେ ଦଶକ ଆରମ୍ଭ ପର୍ଯ୍ୟନ୍ତ କୌଣସି ଅମଲାର କାର୍ଯ୍ୟାଳୟକୁ ଗଲେ ଅଫିସ ସାମ୍ନାରେ ଚପଳ ଖୋଳି ଭିତରକୁ ଯାଉଥିଲେ। ନବେ ଦଶକ ଆସେ, ଦୁଇଜଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ନିଜ ନିଜ ସମୟରେ କେବଳ ଦାରିଦ୍ର୍ୟ ଦେଖିବାକୁ କେବିକେ ଜିଲ୍ଲା ଗସ୍ତ କରି ଯାଇ ସାରିଥାନ୍ତି। ଉନ୍ନୟନ ମୂଳକ କାମ ପାଇଁ ଅନେକ ଯୋଜନା ଆସେ। ନବେ ଦଶକର ପ୍ରବେଶ ହୁଏ ଓ ବିଶ୍ୱାୟନ ଆସେ। ଦାରିଦ୍ର୍ୟର ଉଦାହରଣ ମରୁଡି, ଛୁଆବିକ୍ରି, ଅନାହାର ମୃତ୍ୟୁ ଆଦିର ଅନେକ ଖବର ଆସେ। ଯୋଜନା ମାନଙ୍କ ନାମରେ ହଜାର ହଜାର କୋଟି ଟଙ୍କା ଆସେ। ଯୋଜନାମାନ କିଭଳି କାର୍ଯ୍ୟକାରୀ ହୋଇଥିବ ତାହା ରାଜୀବ ଗାନ୍ଧୀଙ୍କ ସ୍ୱୀକାରୋକ୍ତିରୁ ସ୍ପଷ୍ଟ ବୁଝାପଡେ। କେନ୍ଦ୍ର ଟଙ୍କାଟିଏ ପଠେଇଲେ ଲୋକଙ୍କ ପାଖକୁ ପଚିସ ପଇସା ପହଞ୍ଚିଥାଏ। ଦେଶର ସର୍ବୋଚ୍ଚ ଶାସନକର୍ତ୍ତାଙ୍କ ଏହି ସ୍ୱୀକାରୋକ୍ତି ପଛରେ ନିଶ୍ଚିତ ଅସଂଖ୍ୟ ପ୍ରତାରଣାର କାହାଣୀ ରହିଅଛି। ଏହା ବି ସତକଥା ଯେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାର ପରଠାରୁ ଯେତେକ ବି ଗରିବ ଉନ୍ମୁଳନ ଯୋଜନା ହୋଇଛି ସେହି ଯୋଜନାମାନ ପ୍ରଣୟନ ହେବାରେ କେବିକେ ଜିଲ୍ଲାମାନଙ୍କର ଅନେକ ଯୋଗଦାନ ରହିଛି। ନବେ ଦଶକ ପରେ ଦେଶର ରାଜନୀତିରେ ଗୋଟିଏ ପରିବର୍ତ୍ତନ ଦେଖାଦେଲା। ଟଙ୍କା ଓ କ୍ଷମତା ଭିତରେ ଘନିଷ୍ଠତା ବଢିବାକୁ ଲାଗିଲା। ଏହା ପ୍ରଥମକରି ଅଞ୍ଚଳକୁ ଅମଲା ଆସିବା ସମୟର ଚିତ୍ରକୁ ପୁନଃ ଲୋକଙ୍କ ସାମ୍ନାକୁ ଆଣିଲା ଯେତେବେଳେ ମହାଜନ ସାମନ୍ତିୟ ସୁରକ୍ଷା ପାଉଥିଲା।
କେନ୍ଦ୍ରର ଟଙ୍କାଟିଏକୁ ପଚିସ ପଇସା କରିବାର କ୍ଷମତା ଯାହା ପାଖରେ ଅଛି ସେମାନଙ୍କ ତୃଣମୂଳ ସ୍ତରର କର୍ମଚାରୀ ଗ୍ରାମ୍ୟ ରାଜନୀତିରେ ଗୋଟିଏ ବଡ ପରିବର୍ତ୍ତନ ଆଣିଲେ। ଠିକାଦାରଙ୍କୁ ରାଜନୀତିକୁ ଆଣିଲେ। ଅନୁଦାନର ସ୍ରୋତ ଏଭଳି ପ୍ରଖର ଥିଲା ଯେ ତାହାର ବିନିଯୋଗ ପାଇଁ ସରକାର ନିଜର ବିଭାଗ ସହ ଏନଜିଓମାନଙ୍କ ସହାୟତା ନେଲେ। ବେପାରୀ ସମୁଦାୟ ବି ଜାଣି ପାରିଲେ ଯେ ସରକାରୀ କାମରେ ବେପାରଠୁ ଅଧିକ ଲାଭ ଅଛି। ଠିକାଦାର ଏବଂ ବେପାରୀଙ୍କୁ କ୍ଷମତାକୁ ଆଣିବା ପରେ ଅମଲାତନ୍ତ୍ର ବେଶ ସୁରୁଖୁରୁରେ ଚାଳିଲା। କ୍ଷମତାରେ ଥିବା ଲୋକ ଟ୍ରାକ୍ଟର ଜେସିବି ଭଳି ମେସିନ ଆଣିଲେ। ଲୋକଙ୍କୁ ଶ୍ରମ ଓ କୃଷି କ୍ଷେତ୍ରକୁ ଗୋରୁ ଶୂନ୍ୟ କରିଥିବା ଏହି ସମୟ ଏବେ ବି ଚାଲୁଅଛି।
ଅର୍ଥାତ ବଜାର ତୃଣମୂଳ ସ୍ତରର ରାଜନୀତିକୁ ପ୍ରଭାବିତ କରି ନିୟନ୍ତ୍ରଣ କରୁଅଛି। ଏହାର ଗୋଟିଏ ସୁନ୍ଦର ଉଦାହରଣ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଟେ। ବିଡିଓଙ୍କ ଡ୍ରାଇଭର ବିଗତ ଚାରିବର୍ଷ ହେଲା ଏମଜିଏନଆରଇଜିଏ କାମ କରି ଲକ୍ଷାଧିକ ଟଙ୍କା ପାଇଛି। ଘରୋଇ ଭାବେ ବ୍ଲକ କାର୍ଯ୍ୟାଳୟରେ ନିଜର ଗାଡି ଭଡାରେ ଲଗେଇଥିବା ଡ୍ରାଇଭର ସସ୍ତ୍ରୀକ କେତେବେଳେ ମାଟିକାମ କରିଗଲା? ଏହି କାମର ଖବର ସଂଗ୍ରହ ପାଇଁ ଯାଇଥିବା ଗୋଟିଏ ସୋସିଆଲ ମିଡିଆ ଖବରଦାତା ବିପକ୍ଷରେ ବିଡିଓ ମାମଲା ଦାୟର କରିଥିଲେ। ସେ ପୋଲିସ ଦ୍ୱାରା ଗିରଫ ହୋଇ ଗୋଟିଏ ଦିନ ଜେଲ ମଧ୍ୟ ଯାଇଥିଲେ। ଦ୍ୱିତୀୟ ଉଦାହରଣ ହେଲା ସେହି ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତର ସରପଞ୍ଚ କାମ ନ କରି ୨୩ ଲକ୍ଷ ଟଙ୍କା ଜଣେ ଯୋଗାଣ ସହାୟକଙ୍କ ବ୍ୟାଙ୍କ ଖାତାରେ ଜମାକରି ଖାଇଛନ୍ତି। ଭାରତବର୍ଷରେ ବଙ୍ଗୋମୁଣ୍ଡା ଏପରି ଏକ ବ୍ଲକ ଯେଉଁଠାରେ ଏମଜିଏନଆରଇଜିଏର ବିଲ ଦେଲାବେଳେ ପିସି କାରବାର ହୋଇଥାଏ। ପସି ଅର୍ଥାତ ଅମଲା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଶତକଡାର ଟଙ୍କା ଯିବ। ଯାହା କାମ ଅନୁସାରେ ୧୭ ପ୍ରତିଶତରୁ ୩୫ ପ୍ରତିଶତ ମଞ୍ଜୁର ହୋଇଥିବା ଟଙ୍କାର ହୋଇଥାଏ। ଅର୍ଥାତ ବଜାର ନିୟନ୍ତ୍ରିତ ବ୍ୟବସ୍ଥାରେ ଅମଲାମାନେ ଗୋଟିଏ ଗୋଟିଏ କ୍ରୀଡନକ ମାତ୍ର।
ଏହି ପ୍ରକ୍ରିୟା ଗୋଟିଏ ସୁନ୍ଦର ଚକ୍ର ତିଆରି କରିଥାଏ। ଉନ୍ନୟନ ମୂଳକ ଯୋଜନାରେ ଲୋକଙ୍କ ଟଙ୍କା ଲୋକଙ୍କ ଉପସ୍ଥିତି ବିନା ଖର୍ଚ୍ଚ ହୋଇପାରେ। ଏହା କରାଯାଏ; ମେସିନ କାମ କରିଦେବ ଲୋକଙ୍କ ପଡିକାର୍ଡ ଓ ଜବକାର୍ଡ ସ୍ଥାନୀୟ ପ୍ରତିନିଧି ନିକଟରେ ରହିବ। ନୀଳ ରଣା ପ୍ରବାସରେ ଥିଲେ ବି ତାର ଏମଜିଏନଆରଇଜିଏ ଟଙ୍କା ଜେସିବି ମାଲିକ ପାଖକୁ ଯିବ। ଅମଲା ଓ ଜନପ୍ରତିନିଧି ନିଜ ନିଜର ଭାଗ ପାଇବେ। ଦାଦନ ସଂଖ୍ୟା ବଢୁଥିବ ଓ ବିକଶିତ ଭାରତ ପାଇଁ ଯେତିକି ଶ୍ରମିକ ଦରକାର କେବିକେ ଜିଲ୍ଲା ଯୋଗାଉଥିବ।
ହଜାର ହଜାର କୋଟି ଟଙ୍କାର କେବିକେ ଯୋଜନା କାର୍ଯ୍ୟକାରୀ ହୁଏ। ଏହି ଯୋଜନାରେ ଯେତେକ ଟଙ୍କା ଖର୍ଚ୍ଚ ହୋଇଛି ତାର ଗୋଟିଏ ସଂଗୁପ୍ତ ବୃକ୍ଷ ସମସ୍ତଙ୍କ ଅଲକ୍ଷରେ ବଢୁଅଛି। କେବିକେ ଜିଲ୍ଲାକୁ ମାନସିକ ସ୍ତରରେ ଗୋଟିଏ କ୍ଷେତ୍ର ଆକାରରେ ପ୍ରସ୍ତୁତ କରିବା। ଏହି ଏକକ ହେଉଛି ଖଣିଖାଦାନରେ ଭରପୁର ଅଞ୍ଚଳ। ଗୋଟିଏ ହିସାବ ଅନୁସାରେ କେବିକେ ଜିଲ୍ଲାର କୋରାପୁଟ ଓ ରାୟଗଡା ଦୁଇଟି ଜିଲ୍ଲା ମାସକୁ ଦୁଇ ହଜାର କୋଟି ଟଙ୍କାର ବକ୍ସାଇଟ ବ୍ୟବସାୟ କରନ୍ତି। କେବିକେ ଅଞ୍ଚଳରୁ ଦୈନିକ ଶହେକୋଟି ଟଙ୍କାର କେବଳ ବକ୍ସାଇଟ ବେପାର ହୋଇଥାଏ। ଏହା ତୁଳନାରେ ଅନ୍ୟାନ୍ୟ କ୍ଷେତ୍ର ଓ ବ୍ୟବସାୟକୁ ଅନୁଧ୍ୟାନ କଲେ କେବିକେ ଜିଲ୍ଲାକୁ ଯେଉଁ ସମସ୍ତ ଯୋଜନା ଆସେ ତାହା ସଂଖ୍ୟାରେ ହିଁ କେବଳ ବଡ ଦେଖାଯାଏ। ପ୍ରକୃତରେ ଉଦ୍ଦେଶ୍ୟ ଭିନ୍ନ ହୋଇଥାଏ।
ମେହେନତି ମଣିଷ ନୀଳ ରଣା। ମାଟିରେ ବାସନକୁସନ ତିଆରି ଲୋକଙ୍କୁ ବିକୁଥିଲା। ଆଲୁମିନିୟମ, ଷ୍ଟିଲ ବାସନ ନେଇ ବଜାର ଟିଟିଲାଗଡ ଆସିଲା। ନୀଳ ରଣା ତାର ଉଆ ଛାଡିଦେଲା ଦାଦନ ଗଲା। ମାଟିରେ ସୁନ୍ଦର ସୁନ୍ଦର ବାସନ ତିଆରୁ ଥିବା ନୀଳ ରଣା ବିଦେଶ ମାଟିକୁ ଚକଟି ଇଟା ତିଆରି କଲା। ସରକାର ତା ବାଟରେ ଚାଲିଲେ ନୀଳ ରଣା ତା ବାଟରେ ଚାଲିଲା। ନୀଳ ରଣା ଝିଅ ବିକିଦେଲା। ତା ଘରକୁ ବହୁତ ଲୋକ ଆସିଲେ ଭୋଟ ମାଗୁଥିବା ଲୋକ, ପଡିକାର୍ଡ ମାଗୁଥିବା ଲୋକ, ଅମଲା, ପୋଲିସ, ଜ୍ଞାନୀଗୁଣି ସମସ୍ତେ। ଏମାନେ ସେତେବେଳେ ପ୍ରଥମ କରି ଆସିଥିଲେ ଯେତେବେଳେ ଜମି ଲାଗି ସରକାରକୁ ଖଜଣା ଦେବାକୁ ପଡିଲା। ଆଜି ବି ସେମାନେ ଆସିଛନ୍ତି। ଏମାନେ ଆଉ ଆସିବେ ନାହିଁ ଭୋଟ ହେବା ପର୍ଯ୍ୟନ୍ତ।
ନୀଳ ରଣା ଏବେ ଝିଅ ବିକିଥିବା ବାପଟିଏ ନୁହେଁ କେବଳ ଯେଉଁମାନେ ଏ ମାଟିକୁ ଜୀବିକା କରିଥିଲେ। ଚାଷ କରୁଥିଲେ, ନଙ୍ଗଲ ତିଆରୁଥିଲେ, ଘର ଗଢୁଥିଲେ, ରଫା ଗଇନ୍ତି, ହାଣ୍ଡି ମାଠିଆ ତିଆରୁ ଥିଲେ। ସେମାନେ ସମସ୍ତେ ସମୁହ ହୋଇ ଦାଦନ ଯାଆନ୍ତି। ଯେଉଁମାନେ ତାକୁ ଖଜଣା ମାଗି ଆସୁଥିଲେ ସେମାନେ ଆଜି ବି ଆସୁଛନ୍ତି। ଦସ୍ତଖତ, ଝିଅ, ଖଜଣା କି ଭୋଟ ମାଗିବାକୁ।
ନୀଳରଣା ସ୍ଥିରଚିତ୍ର ଟିଏ ଦାରିଦ୍ର୍ୟର ଯାହାକୁ ଶୋଷିବାକୁ ଆହୁରି ବାକି ଅଛି। ଏଭିତରେ ନୀଳ ରଣା ସମସ୍ତ ସରକାରୀ ସୁବିଧା ପାଇଛି ଏହା ହିଁ ସରକାରଙ୍କ ଶେଷ ଉଦାରତା ନୀଳ ରଣାମାନଙ୍କୁ।
Leave a Reply