ମାଟ୍ରିକ ପରୀକ୍ଷା ପୂର୍ବର କଥା। ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ଜାଣିଲା ଯେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି। ଚୁଲାଭାଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉଦ୍ୟମ କ୍ରମେ ଭଇଁଷାଦାଦର ଗାଁର ଜଣେ ଦାଦନ ଛାତ୍ରୀଙ୍କୁ ତାର କାର୍ଯ୍ୟସ୍ଥଳୀରୁ ଆଣି ପରୀକ୍ଷା ଦେବାର ବ୍ୟବସ୍ଥା କରାଗଲା। ୫ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରବାସରୁ ଆଣି ପରୀକ୍ଷା ଦେବାର ବ୍ୟବସ୍ଥା ବି କରାଗଲା। ନିଶ୍ଚିତ ନୂଆପଡା ଜିଲ୍ଲାର ପ୍ରୟାସକୁ ଏକ ସଫଳ ପ୍ରୟାସ ବୋଲି କୁହାଯିବ। ସମସ୍ତଙ୍କୁ ଆଣିହେବ ଏହା ସମ୍ଭବ ନୁହେଁ। କେବଳ ସର୍ଦ୍ଦାର ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ ଯେ କିଏ କେଉଁଠି କାମ କରୁଛନ୍ତି। ତଦୃପ ବଲାଙ୍ଗୀରରେ ୭୫୦ ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହଉଛନ୍ତି। ଏହା ଦାଦନ ଇତିହାସରେ ଗୋଟିଏ ପୁରୁଣା କଥା। ଚଳିତ ବର୍ଷ ଏହାକୁ ଗୁରୁତ୍ୱ ଦେଇ ଚର୍ଚ୍ଚା ହେଉଅଛି ନିଶ୍ଚିତ ଗୋଟିଏ ଭଲ ଖବର। ଏଇଥି ପାଇଁ ଭଲ ଖବର ଯେ କୌଣସି ସରକାର ଦାଦନ ପ୍ରକ୍ରୀୟା ଉପରେ କିଛି କରି ପାରିବେ ନାହଁ କାରଣ ଏତେ ସଂଖ୍ୟକ ରୋଜଗାର ତାଙ୍କ ନିକଟରେ ନାହିଁ।

ଦ୍ୱିତୀୟ କଥା ହେଲା ସରକାରଙ୍କ ଦୃଷ୍ଟି ଆଢୁଆଳରେ ଚାଲିଥିବା ଦାଦନ ବେପାର ପରମ୍ପରା ହୋଇ ସାରିଲାଣି। ଏହା ଚାରି ହଜାର କୋଟି ଟଙ୍କାରୁ ଅଧିକର ଏକ ବ୍ୟବସ୍ଥିତ ବଜାର ଅଟେ। ହଜାର ହଜାର କୋଟି ଟଙ୍କାର ବ୍ୟବସାୟ ଗୋଟିଏ ବଜାରକୁ ଆକୃଷ୍ଟ କରିବ ଏହା ସ୍ୱଭାବିକ କଥା। ଏହି ସ୍ୱଭାବିକତା ପ୍ରତିରୋଧ ଅବା ନିୟନ୍ତ୍ରଣରୁ ମଧ୍ୟ ନିଜକୁ ମୁକ୍ତ ରଖିବା ପାଇଁ ଚାହିଁବ। ନିକଟ ଅତୀତରେ ଘଟିଥିବା ଏକ ଘଟଣା ବେଶ ଚର୍ଚ୍ଚାରେ ଥିଲା। କଣ୍ଟାବାଞ୍ଜିର ଏକ ଘରୋଇ ହୋଟେଲରୁ କୋଟି ଟଙ୍କାରୁ ଅଧିକ କିଛି ବାହାର ରାଜ୍ୟର ଦାଦନ ବେପାରୀଙ୍କ ନିକଟରୁ ପୋଲିସ ଉଦ୍ଧାର କଲା। ସେ ମଧ୍ୟରୁ ଅଧାରୁ ଅଧିକ ଟଙ୍କା ଗାୟବ ହୋଇଗଲା। ଏହି ଘଟଣାରେ ଅବଶ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଗଲା। ଡକାୟତି ମାମଲା ରୁଜ୍ଜୁ ହୋଇ ପାରିଥାନ୍ତା ନା ନାହିଁ ଏହା ଭିନ୍ନ କଥା। ଏହାର ଅନ୍ୟପଟ ଦୃଶ୍ୟ ଗୋଟିଏ ଘଟଣାକୁ ଆକଳନ କରିବା ପାଇଁ ଯଥେଷ୍ଟ ଥିଲା। ଅଞ୍ଚଳର ପ୍ରମୁଖ ଦାଦନ ସର୍ଦ୍ଦାରମାନଙ୍କ ଏକ ସଭା ହେଲା। ଏହି ସଭାର ନିଷ୍ପତ୍ତି ଅନୁସାରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଗଲା ଯେହେତୁ ସମସ୍ତ ଶ୍ରମିକଙ୍କୁ କାମ ଯୋଗା ଯାଇଥାଏ ତେଣୁ ସମସ୍ତ ସରକାରୀ ଦସ୍ତାବେଜ ପରିଚାଳନାରେ ଆମେ କର୍ମଚାରୀ ନିଯୁକ୍ତି କରିବୁ। ଫଳତଃ ଶ୍ରମିକମାନଙ୍କ (ଦାଦନମାନଙ୍କ) ହକ ଟଙ୍କା ଲେଣଦେଣ ପରିଚାଳନା ସୁଗମ ହେବ ଓ ଆଇନଗତ ପରିଚାଳନା ଦୃଷ୍ଟିରୁ ମଧ୍ୟ ଉତ୍ତମ ଫଳ ମିଳି ପାରିବ।
ପ୍ରକାରାନ୍ତେ ବର୍ତ୍ତମାନର ପ୍ରଶାସନିକ ନିୟନ୍ତ୍ରଣରୁ ଦାଦନ ବେପାରକୁ ମୁକ୍ତ ରଖିବାକୁ ଅନୁରୋଧ କରାଗଲା। କେତେ ଦାଦନ ଯାଇଛନ୍ତି ଶ୍ରମ ବିଭାଗ ନିକଟରେ ଅଲିଖିତ ଖବର ଥାଏ କିନ୍ତୁ କିଏ କେଉଁଠାକୁ ଯାଇଛନ୍ତି ସେ ଖବର ନଥାଏ। ତେଣୁ ଛାତ୍ରଛାତ୍ରୀଙ୍କୁ ଉଚିତ ସମୟରେ ଠାବ କରିବା ପ୍ରଶାସନ ପାଇଁ ଅସମ୍ଭହ ହୋଇଯାଏ। ଶିକ୍ଷା ବିଭାଗ ଓ ଶ୍ରମ ବିଭାଗ ସମନ୍ୱୟତା ରଖେ ନାହିଁ। ହୁଏତ କୌଣସି ବୈଧାନିକ ବାଧା ନାହିଁ ଯେ ଶିକ୍ଷା ବିଭାଗ ନିଜ ଛାତ୍ରଛାତ୍ରୀଙ୍କ ଠିକଣା ପାଇବାରେ ଅସୁବିଧା ହେବ। ଶାସନର ଦୁଇଟି ବିଭାଗ ମଧ୍ୟରେ ସମନ୍ୱୟତା ନାହିଁ ଏକଥା ବାରମ୍ବାର ପ୍ରଶାସନ ହିଁ ପ୍ରମାଣ କରି ସାରିଛି।
ବିଗତ ଦଶବର୍ଷରେ ହଜାର ହଜାର ଦାଦନ ଶ୍ରମିକ ଶିଶୁଶ୍ରମିକ ସମେତ ଉଦ୍ଧାର ହୋଇ ଆନ୍ଧ୍ରପଦେଶ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଗୋତି ଶ୍ରମିକର ପ୍ରମାଣପତ୍ର ନେଇ ଆସିଛନ୍ତି। ଗୋତିଶ୍ରମିକର ଆଇନ ଅନୁସାରେ ସମସ୍ତଙ୍କ ଥଇଥାନ ସରକାରଙ୍କ କର୍ତ୍ତବ୍ୟ କିନ୍ତୁ ପ୍ରମାଣପତ୍ର ପାଇଥିବା ସମସ୍ତ ଦାଦନ ପୁନର୍ବାର ଦାଦନ ଯାଇଥିବା ଅନେକ ପ୍ରମାଣ ଅଛି।
‘ମିଶନ ଉଦ୍ଧାର’ ଗୋଟିଏ ଆଳଙ୍କାରିକ ଶବ୍ଦର ବ୍ୟବହାର ବଲାଙ୍ଗୀର ପୋଲିସ କଲା। ଏହା ୧, ୨ ଓ ୩ କ୍ରମରେ ନିଜର ଅସ୍ତିତ୍ୱ ଆଜି ମଧ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଦାଦନ ପ୍ରବଣ ଅନ୍ୟ ଜିଲ୍ଲାମାନଙ୍କରେ ଆରମ୍ଭ କରାଗଲା। ହଜାର ହଜାର ଶ୍ରମିକ ଉଦ୍ଧାର ହେଲେ। ଏ ସମୟ ଭିତରେ ଗୋଟିଏ ବି ଜିଲ୍ଲା କହିଲା ନାହିଁ ଯେ ଉଦ୍ଧାର ଦାଦନ ଶ୍ରମିକମାନଙ୍କୁ ଏମଜିନରେଗା ମାଧ୍ୟମରେ ଉଦ୍ଧାର ଏତିକି ଦାଦନ ଶ୍ରମିକଙ୍କୁ ଏତିକି ଦିନର କାମ ଦିଆଗଲା। କାରଣ ପ୍ରଶାସନ ଜାଣିଥିଲା କୌଣସି ଉଦ୍ଧାର ଦାଦନ ନିଜ ଗାଁର ନାହାନ୍ତି। ଦାଦନ ଯାଇଛନ୍ତି, ତେଣୁ ଏହା ଏକ ନାଟକ। ପୋଲିସ ଜିଲ୍ଲାପାଳଙ୍କୁ ଉଦ୍ଧାର ଦାଦନଙ୍କ ତାଳିକା ଦେଇଦେଲେ ବିଭିନ୍ନ ଯୋଜନା ମାଧ୍ୟମରେ ସମସ୍ତଙ୍କୁ କାମ ଦେବା ଅସମ୍ଭବ ନୁହେଁ। ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ନାହିଁ। ଅଥବା ଦାଦନ ବେପାରକୁ ସୁରକ୍ଷିତ ରଖିବା ପାଇଁ ଅନେକ ମାୟାବ୍ୟୁହ ରଚନା କରାଯାଏ।

ଗତ ଶତକର ଶେଷ ବେଳକୁ ଏନଜିଓ ଦାଦନ ମାମଲା ଉପରେ ହସ୍ତକ୍ଷେପ କଲା। ଲୋକଙ୍କ କୁକୁଡା, ଖେତ, ଖଟ, କପଡା ଆଦିର ହିସାବ କରି ନିଜର ଅନେକ ପ୍ରକାର ଢଙ୍ଗରେ ଗବେଷଣା କଲା। ଅନେକ କାର୍ଯ୍ୟକ୍ରମ ହାତକୁ ନେଲା। ସେମଧ୍ୟରୁ ଗୋଟିଏ କାମ ହେଲା ଯେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଆବାସିକ କେନ୍ଦ୍ର ତିଆରି କରି ତାଙ୍କର ପାଠପଢାକୁ ନିୟମିତ ରଖା ଯିବାର କାମ କରାଗଲା। ଏପରିକି ପ୍ରବାସରେ ଇଟାଭାଟି ନିକଟସ୍ଥ ଗାଁ ମାନଙ୍କରେ ଓଡ଼ିଆ ଯୁବକମାନଙ୍କୁ ତାଲିମ ଦେଇ ଶିକ୍ଷା ଦିଆଗଲା। ଅନେକ ଶିକ୍ଷକ ଦାଦନ ସର୍ଦ୍ଦାର କାମ ବି କଲେ ଏହା ଭିନ୍ନ କଥା କିନ୍ତୁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ନିରନ୍ତରତା ରହିଲା। ଏହାକୁ ଆମେରିକା ଇଣ୍ଡିଆ ଫାଉଣ୍ଡେସନ, ଏକ୍ସନ ଏଡ, ଏଡେଡ ଏକ୍ସନ ଭଳି ସଂସ୍ଥାମାନେ ସହଯୋଗ ମଧ୍ୟ କଲେ। ପରେ ସରକାରୀ ବିଭାଗ ମଧ୍ୟ ଏହା ପରିଚାଳନା କରିଥିଲା। ସାମୟିକ ଆବାସିକ ଯୋଜନା ହୋଇଥିଲେ ମଧ୍ୟ ସରକାରୀ ବିଭାଗ ଛୁଟି ଦିନମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ରାସନ ଦେଉ ନଥିଲା। ଏହି ଯୋଜନାରେ ଯେଉଁ ଏନଜିଓମାନେ ସହଯୋଗ କରୁଥିଲେ ସେମାନଙ୍କୁ ଖର୍ଚ୍ଚ ହୋଇଥିବା ଟଙ୍କା ଦେବାରେ ମାସମାସ ବିଳମ୍ବ ବି ବିଭାଗଦ୍ୱାରା ହୋଇଥିଲା। ପରବର୍ତ୍ତି ସମୟରେ ଶିକ୍ଷକଙ୍କ ଦାୟିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହେଲା ଓ ପରେ ସରକାର ଉଦାସିନ ହୋଇଗଲେ। ଦାଦନ ପରିବାରର ଛାତ୍ରଛାତ୍ରୀ ପରିବାର ସହ ପ୍ରବାସ କଲେ।
ଦାଦନ ଚରିତ୍ର ଦୃଷ୍ଟିରୁ ଏମିତି ଏକ ପ୍ରକ୍ରୀୟା ଯେଉଁଥିରେ ଜଣେ ଛାତ୍ର ଅବା ଛାତ୍ରୀ ପରୀକ୍ଷା ଓ ପ୍ରବାସ ମଧ୍ୟରୁ ପ୍ରବାସକୁ ବାଛିବା ପାଇଁ ବାଧ୍ୟ ହୋଇଥାଏ। ସମସ୍ତ ପରିବାର ଜଣକୁ ଛାଡି ଦାଦନ ଖଟି ଯାଇ ପାରିବେ ନାହିଁ। ଦଶନ୍ଧୀ ଦଶନ୍ଧୀ ଧରି ଚାଲିଥିବା ଏକ ପ୍ରକ୍ରୀୟା ଯେତେବେଳେ ପରମ୍ପରା ହୋଇ ସାରିଲାଣି ଦାଦନ ବଂଶଧର ଶିକ୍ଷାରୁ ବଞ୍ଚିତ ରହିବେ ଏହା ଅବଧାରିତ। ଶିକ୍ଷା ଅଧିକାର ଆଇନ ପ୍ରସଙ୍ଗ ଯଦି ଉତ୍ଥାପନ କରାଯାଏ ତାହାହେଲେ ଖାଦ୍ୟ ଅଧିକାର ଆଇନ ବିଷୟ ଚର୍ଚ୍ଚା କରିବା ଉଚିତ ହେବ।
ଖାଦ୍ୟ ଅଧିକାର ଆଇନ ପ୍ରଣିତ ହେବା ପୂର୍ବରୁ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ସରକାର ରିହାତି ଦରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚାଉଳ ଯୋଗାଉ ଥିଲେ। ସେତେବେଳେ ପ୍ରବାସରେ ଦାଦନ ଶ୍ରମିକ ପରିବାର ଖୁଦ, ଅବା କୁକୁଡା ଖାଦ୍ୟ ବଜାରରୁ କିଣି କାଉଥିଲେ। ଯାହାକୁ କନକି ବୋଲି କହୁଥିଲେ। ‘ହାଦ୍ରା (ହାଇଦ୍ରାବାଦ ଏବଂ ସାମଗ୍ରିକ ଅର୍ଥରେ ତତ୍କାଳିନ ଆନ୍ଧ୍ରପ୍ରଦେଶ)ର କନକି, ପେଟ ଯାଏସି ଦନକି’ ବୋଲି ଦାଦନ ଶ୍ରେଣୀ ଢଗ କହନ୍ତି। ସାଧାରଣ ଯୋଗାଣ ବ୍ୟବସ୍ଥା ଏକ ରାଷ୍ଟ୍ରୀୟ ଯୋଜନା ଅଟେ। ନିଶ୍ଚୟ ଦାଦନ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଅଟନ୍ତି। ରାଷ୍ଟ୍ରର ନାଗରିକ ଯେକୌଣସି ସ୍ଥାନରେ ନିଜର ରିହାତି ଖାଦ୍ୟସାମଗ୍ରି ପାଇବା ଅଧିକାର ରଖେ। ସେ କନକି ଖାଇଥାଏ। ଖାଦ୍ୟ ସୁରକ୍ଷା ଯୋଜନା ଯେତେବେଳେ ଖାଦ୍ୟ ଅଧିକାର ଆଇନ ହୋଇଗଲା ସେ ସମୟରେ ମଧ୍ୟ ମୁଣ୍ଡପିଛା ପାଞ୍ଚକେଜି ଚାଉଳ ପ୍ରବାସରେ ଅପହଞ୍ଚ ହୋଇଗଲା। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ଦାଦନ ଛାତ୍ରଛାତ୍ରୀଙ୍କ ପାଇଁ କେତେ ଅପହଞ୍ଚ ତାହା ସହଜରେ ଅନୁମାନ କରିହେବ।
ଛାତ୍ରଛାତ୍ରୀ କେବଳ ଚଳିତ ବର୍ଷ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଏହା ନୁହେଁ, ଏହି ଘଟଣା ବହୁ ପୁରାତନ। ମୂଳରୁ ଚଳି ଆସୁଥିବା ଏହି ପୁରୁଣା ଘଟଣା ଆଜି କାହିଁକି ଚର୍ଚ୍ଚାକୁ ଆସିଲା?
ଅଢେଇ ଦଶନ୍ଧୀ ପ୍ରାୟ ପୁରୁଣା ସରକାର ପରେ ନୂଆ ସରକାର ରାଜ୍ୟଭାର ସମ୍ଭାଳିଛନ୍ତି। ସରକାରକୁ ଆସିଲା ପରେ ଦାଦନ ଟାକ୍ଲଫୋର୍ସ ତିଆରି କଲେ। ଦାଦନ ପ୍ରବଣ ଅଞ୍ଚଳର ବିଧାୟକ ତଥା ସରକାରଙ୍କ ଉପମୁଖ୍ୟମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ରଖିଲେ। ଘଟଣା ସତ ହେଲେ ବି ରାଜନୈତିକ ଉଦ୍ଦେଶ୍ୟ ନାହିଁ ଏହା କହିବା ଭୁଲ ନୁହେଁ। କିନ୍ତୁ ଏହା ନିଶ୍ଚିତ ଯେ ଟାକ୍ସଫୋର୍ସ ଏକ ଶକ୍ତିଶାଳୀ ବିଭାଗ। ଯେହେତୁ ଏହାର ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ଅଚନ୍ତି। ଏହ ଗଠନ ହେଲା ପରେ ପରେ ଦାଦନ ପ୍ରବାସ ଆରମ୍ଭ ହୋଇ ସାରିଥିଲା। ଏହି ସମୟରେ ଦାଦନ ଶ୍ରମିକଙ୍କ ବିବରଣୀ ସଂଗ୍ରହ ସମ୍ଭବ ହୋଇ ପାରି ନାହିଁ। ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବା ଘଟଣା ଟାକ୍ସଫୋର୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ହୋଇପାରେ। କିନ୍ତୁ ଦାୟି କରିବା ସମିଚିନ ହୋଇ ନପାରେ। ଅବଶ୍ୟ ପୂର୍ବ ସରକାରର ପ୍ରଥମ ନଅବର୍ଷ ଭାଜପା ରାଜ୍ୟରେ ଭାଗୀଦାର ଥିଲା। ଦାଦନ ବିଷୟରେ ସରକାର ଅନଭିଜ୍ଞ ଅଥବା ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିବାରେ ଟାକ୍ସଫୋର୍ସ ଅପ୍ରସ୍ତୁତ ଏହା ନିଶ୍ଚିତ ଭୁଲ କଥା।
ଟାକ୍ସଫୋର୍ସ ତିଆରି ହେଲା ସରକାର ଘୋଷଣା କଲେ ଓ ଲୋକ ଜାଣିଲେ। ଟାକ୍ସଫୋର୍ସର କଳେବର କିଭଳି ତିଆରି ହେବ? ଏହାର କ୍ଷମତା କେତେ ରହିବ? ଶ୍ରମ ଆଇନ ପରିଚାଲନାରେ ଏହାର ଭାଗିଦାରୀ କଣ? ଦାଦନଙ୍କ ଗମନାଗମନ ଓ କାର୍ଯ୍ୟକ୍ଷେତ୍ରରେ କାମ କଣ ରହିବ? କାର୍ଯ୍ୟ କ୍ଷତ୍ରରେ ଏହାର କ୍ଷମତା କେତେ ରହିବ? କର୍ମନିଯୁକ୍ତି ହୋଇଥିବା ରାଜ୍ୟ ସରକାରଙ୍କ ସହ ଏହାର ସମ୍ପର୍କ କଣ ରହିବ? ଏ ସମସ୍ତ ବିଷୟ ଉପରେ କୌଣସି ବିସ୍ତାର ନାହିଁ। ଅର୍ଥାତ ଟାକ୍ସଫୋର୍ସର କାମ ଆରମ୍ଭ ହୋଇନାହିଁ। ଏହା କାର୍ଯ୍ୟକ୍ଷମ ହେଲାପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରା ଯାଇପାରେ। ଅବଶ୍ୟ ପ୍ରାଥମିକ ପଦକ୍ଷେପ ଭାବରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଆଣି ତାଙ୍କର ଶିକ୍ଷା ଅଧିକାରକୁ ସାବ୍ୟସ୍ତ କରାଯାଇ ପାରିଥାନ୍ତା।
ଦାଦନ ସୁଦୂରପ୍ରସାରି ସାମାଜିକ ସମସ୍ୟା ତିଆରି କରେ। ଦାଦନ ପ୍ରତି ସରକାରୀ ନିୟନ୍ତ୍ରଣ ଓ ତମାମ ସରକାରୀ ଯୋଜନା ଦାଦନକୁ ରୋକି ପାରି ନାହିଁ। ଏପରିକି ଏହାର ପୂର୍ଣ୍ଣାଙ୍ଗ ସୂଚନା ପାଇଁ ମଧ୍ୟ ପ୍ରଶାସନ ଅସମର୍ଥ ଅଟେ। ତମାମ ପ୍ରକ୍ରୀୟାରେ ସରକାର, ପ୍ରଶାସନ, ଏନଜିଓ, ବୁଦ୍ଧିଜୀବୀ ଆଦି ଦାଦନକୁ ଦେଖୁଥିବା ଲୋକ ଏହାକୁ ସମସ୍ୟା କହନ୍ତି। କିନ୍ତୁ ନିଜେ ଦାଦନ ଏହାକୁ ହିଁ ସମାଧାନ ବୋଲି ଭାବେ। ଅତି କମ ଦୁଇ ଶତକର ଲୁଟ ପରେ ଗୋଟିଏ ଜାତି ନିଶ୍ୱ ହୋଇଯାଏ। ପେଟପାଇଁ ଭିଟାମାଟି ଛାଡିବା ଭଳି କରୁଣତମ ସମାଧାନ ଖୋଜେ। ତହା ହେଉଛି ପ୍ରବାସ। ଏହାଠାରୁ ବଳି ଦାଦନ। ପ୍ରବାସୀ ଶ୍ରମିକ ହୁଅନ୍ତୁ ଅବା ଦାଦନ ଏହା ତାଙ୍କ ପାଇଁ ସମାଧାନ ଅଟେ। ଲକ୍ଷ ଆକାରରେ ଗୋଟିଏ ବଡ ସଂଖ୍ୟାକୁ ଅଟକାଇବା ସାମର୍ଥ୍ୟ ପ୍ରଶାସନ ପାଖରେ ନାହିଁ। ଯେହେତୁ ସେମାନେ ରୋଜଗାର ପାଇଁ ଯାଉଛନ୍ତି ମାନବିକତା ଦୃଷ୍ଟିରୁ ସେମାନଙ୍କୁ ଅଟକ କରିବା ଅପରାଧ ହିଁ ଅଟେ। ଏହା ବି ପ୍ରଶାସନିକ ଉଦାସିନତାର ଗୋଟିଏ କାରଣ ଅଟେ। କାରଣ ପ୍ରଶାସନ ସମେତ ସରକାର ବି ଜାଣନ୍ତି ଏତେ ସଂଖ୍ୟକ ଲୋକଙ୍କୁ ବ୍ୟବସ୍ଥିତ କାମ ଯୋଗାଇବା ପାଇଁ ନାତ ସାମର୍ଥ୍ୟ ନା ଯୋଜନା ରହିଅଛି। ତେଣୁ ଦାଦନ ଏକ ନିରଙ୍କୁଶ ବ୍ୟବସ୍ଥା ହୋଇ ପାରିଛି।
ଲକ୍ଷାଧିକ ସଂଖ୍ୟାର ଗୋଟିଏ ମାନବ ଆକାରକୁ ସ୍ଥାନାନ୍ତରଣ, କର୍ମଯୋଗାଣ, ପାରିଶ୍ରମିକ, ସୁରକ୍ଷା ଆଦି ପରିଚାଳନା ପାଇଁ ଅତି କମ ସଂଖ୍ୟକ କର୍ମଚାରୀ ରହିଥାନ୍ତି। ଆଇନ, ସରକାରୀ ବିଧିବିଧାନ ଆଦି ପୁରା କରିବା ଗୋଟିଏ ମାତ୍ରାଧିକ ବୋଝ। କାରଣ ଜଣେ ଲୋକ ଶ୍ରମିକ ସଂଗ୍ରହ ଠାରୁ ଗମନାଗମନ ଓ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚାଇବା କାମ କରିଥାଏ। ଏ ପ୍ରକ୍ରୀୟା ଭିତରେ ଅଗ୍ରିମ ବାଟଖର୍ଚ୍ଚ ଯାତାୟତ ଆଦି ରହିଥାଏ। ଅର୍ଥାତ ଜଣେ ଦାଦନ ବଜାରର କର୍ମଚାରୀ ତାର ବହୁବିଧ ଦକ୍ଷତାକୁ ଉପଯୋଗ କରିଥାଏ। ଏହା ଉପରେ ସରକାରୀ ହସ୍ତକ୍ଷେପ। ଅବଶ୍ୟ ଏହା ସରକାରୀ ଲୋକଙ୍କୁ ମଧ୍ୟ ଅଲିଖିତ ଲାଭ ଦେଇଥାଏ। ଦାଦନ ପରିଚାଳନାରେ ଥିବା ଗୋଷ୍ଠୀ ପ୍ରଶାସନିକ ବ୍ୟବସ୍ଥା ଅପେକ୍ଷା ଅଧିକ ଦକ୍ଷ। ଦକ୍ଷତାର ଗୋଟିଏ ବଡ ପ୍ରଭେଦ ଥିବା ସତ୍ତ୍ୱେ ମାନ୍ୟତା ଭିନ୍ନ। ନିୟମ ପାଳନକାରୀ ଓ ନିୟମ ଉଲ୍ଲଙ୍ଘନକାରୀ। ଦେଢଶୁର ଭାଇବୋହୂ ଭଳି ଟିକିଏ ଅପସରି ଗଲେ ସବୁ କାମ ସହଜ ହୋଇଯାଏ। ଅବଶ୍ୟ ଟଙ୍କା ବି ଗୋଟିଏ କାରଣ। ତେଣୁ ଦାଦନ ବ୍ୟବସ୍ଥା ନିର୍ବିଘ୍ନରେ ଚାଲିଥାଏ। ତେଣୁ ଭାଇବୋହୂର ସୂଚନା ଭଳି ଦାଦନର ସୂଚନା ମଧ୍ୟ ପ୍ରଶାସନ ରଖି ନଥାଏ।
ତଦୃପ ଗଣମାଧ୍ୟମ ମଧ୍ୟ। ନିକଟରେ ଗୋଟିଏ ଗଣମାଧ୍ୟମ ସରକାରୀ ପରିସଂଖ୍ୟାନ ଆଧାରରେ ବାଲ୍ୟବିବାହକୁ ଦାଦନ ସହ ଯୋଡିଛନ୍ତି। ଦମ୍ପତ୍ତିଙ୍କୁ ଅଧିକ ଅଗ୍ରିମ ଦିଆ ଯାଉଥିବା କାରଣରୁ ବାଲ୍ୟବିବାହ ବଢୁଥିବା ତାଙ୍କ କୌଣସି ସୂଚନା କହେ। ଅଗ୍ରିମ କ୍ଷେତ୍ରରେ ଏପରି କୌଣସି ବ୍ୟବସ୍ଥା ନାହିଁ। ଫସଲ ଅମଲ ପରେ ପରେ ବିବହ ସମୟ ଉପଯୁକ୍ତ ହୋଇଥାଏ। ଯେହେତୁ ଦାଦନ ଫସଲ ଅମଲ ପୂର୍ବରୁ ଯାଇଥାନ୍ତି ତେଣୁ ଅସମୟରେ ବିବାହ କରେଇ ଥାନ୍ତି। ଅପରନ୍ତୁ ଝିଅ ପ୍ରବାସରେ ମଧ୍ୟ ନିଜ ପରିବାର ସହ ଥାଏ।
ଅଗନାଅଗନି ବନସ୍ତରେ ବୁଢୀ ଅସୁରୁଣୀର କଳ୍ପନା ଭଳି ଦାଦନକୁ ନେଇ ମଧ୍ୟ ଅନେକ କାଳ୍ପନିକ କଥା ତିଆରି କରାଯାଏ। କାରଣ ଏହା ଏକ ସଂଗୋପିତ ପ୍ରକ୍ରୀୟା। ଏହି ସଂଗୋପନ ଯୋଗୁଁ ଅନେକ ମାନବାଧିକାର ହନନର ଘଟଣା ଘଟେ। ପ୍ରଶାସନ ଜାଣିପାରେ ନାହିଁ। ଦଶନ୍ଧୀ ଧରି ଦାଦନ ଗୋତି ଶ୍ରମିକ ବୋଲି ସରକାରୀ ପ୍ରମାଣ ପାଇ ସାରିଲା ପରେ ବି ଏଥିପ୍ରତି କୌଣସି ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ ନକରିବା ଅନେକ ପ୍ରଶ୍ନକୁ ଜନ୍ମ ଦିଏ। ଦାଦନ ପୁରାତନ କ୍ରୀତଦାସ ପ୍ରଥାର ଗୋଟିଏ ଚଳନ୍ତି ଉଦାହରଣ ହିଁ ଅଟେ। ଲାଇସେନ୍ସ ବ୍ୟତୀତ ଅନ୍ୟ ସବୁ ପ୍ରବାସ ଧର୍ତ୍ତବ୍ୟ ନିଶ୍ଚୟ।
୨୦୨୪ ନିର୍ବାଚନ କୌଣସି କାରଣରୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଘୋଷଣା କଲେ ଯେ ସମସ୍ତ ଦାଦନ ଶ୍ରମିକ ନିଜ ନିଜ ଗାଁକୁ ଆସି ଭୋଟ କରିବେ। ପ୍ରଶାସନର ଏହା ବୃଥା ଆସ୍ଫାଳନ ଥିଲା। ପ୍ରଶାସନ ପାଖରେ ନିଶ୍ଚିତ ଖବର ନାହିଁ ଯେ ଲାଇସେନ୍ସ ପାଇଥିବା ସର୍ଦ୍ଦାରର ଶ୍ରମିକ କେଉଁଠି ଦାଦନ ଖଟୁଛନ୍ତି? ଭୋଟ ବେଳକୁ ଦାଦନ ତ ଆସିବେ ନିଶ୍ଚୟ। କାରଣ ଏତେ ଖର୍ଚ୍ଚିଲା ନିର୍ବାଚନରେ ଏହା ବଡକଥା ନୁହେଁ। ଆସିଲେ ମଧ୍ୟ, ଏହା ନୁହେଁ ଯେ ପୂର୍ବରୁ ଏହା ଘଟି ନଥିଲା। କିନ୍ତୁ ପ୍ରଶାସନ ଅସମ୍ଭବ ଭାବେ ଚୁପ ରହିଲା ଖୋଦ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରୁ ବିଧାୟକ ପ୍ରାର୍ଥୀ ହେଲେ। ଦାଦନ ଶ୍ରମିକ କାହାକୁ ଭୋଟ ଦେଇଛନ୍ତି? ପ୍ରଶ୍ନର ଉତ୍ତର ପ୍ରଶାସନକୁ କଲବଲ କରିଥାନ୍ତା। ଛାତଛାତ୍ରୀଙ୍କ ବି ତ ଅଧିକାର ଅଛି ପରୀକ୍ଷା ଦେବା? ଭୋଟରର ଏକ ପ୍ରତିଶତ ସଂଖ୍ୟାବି ନୁହେଁ ପରୀକ୍ଷାର୍ଥୀଙ୍କର। ଏତେବେଳକୁ ପ୍ରଶାସନ କାହିଁକି ନିରବ ରହିଲା?
ଦାଦନ ଏତେ ଚର୍ଚ୍ଚାରେ ଥାଇ ମଧ୍ୟ କୌଣସି ସରକାର ଆଜି ପର୍ଯ୍ୟନ୍ତ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରିପାରି ନାହାନ୍ତି। ଦାଦନ ପରିବାର ପ୍ରବାସ କରୁଥିବା ରାଜ୍ୟ ସରକାରଙ୍କ ସହ ସମ୍ପର୍କ ବହୁତ ଦୂରର କଥା। ଅପରନ୍ତୁ ଦାଦନ ବ୍ୟବସ୍ଥାର ପ୍ରତିନିଧି ବିଧାନସଭାରେ ବିଶ୍ୱାୟନ ପରେ ପରେ ପ୍ରତିନିଧିତ୍ୱ କରି ଆସୁଛନ୍ତି।
ଦାଦନ, କେବଳ ଅଗ୍ରିମ ନେଇ ଲୋକେ କାମ କରି ଯାଆନ୍ତି ନାହିଁ ଅନେକଙ୍କୁ ରୋଜଗାରର ପନ୍ଥା ବି ଯୋଗାଇ ଯାଇଥାନ୍ତି। ଦାଦନ ଏକ ଶବ୍ଦ ଯାହା ବର୍ତ୍ତମାନ ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ଜଟିଳତାର ସମାହାର ଏହି ଗୋଟିଏ ଶବ୍ଦ। ସେମିତି ପ୍ରକ୍ରୀୟା ମଧ୍ୟ। ଲୋକେ ବାଧ୍ୟ ହୋଇ ଦାଦନ ଯାଇଥାନ୍ତି। ହଜାର କୋଟି ଆକାରର ଟଙ୍କା ଲେଣଦେଣ ହୁଏ। ହଠାତ ଏତେ କୋକ ଉଭାନ ହୋଇଯାନ୍ତି। ପୂର୍ବରୁ ଏମାନଙ୍କ ପଡିଏସ ଯୋଜନାର ରିହାତି ଖାଦ୍ୟ ଗୋଟିଏ ବଜାର ତିଆରି କଲା। ରିସାଇକ୍ଲିଂ ଓଡ଼ିଶା ଯୋଗାଣ ବିଭାଗର ଗୋଟିଏ ଅଘୋଷିତ ପ୍ରକ୍ରୀୟା। ଯେଉଁଥିରେ ବଡଭାଗ ପ୍ରବାସୀ ଦାଦନଙ୍କ ହକ ଚାଉଳ ଅଟେ। ଏଥିଯୋଗୁଁ ଚାଷୀର ଧାନ ମିଲର କିଣିଲା ବେଳେ ଖାନାପୁରି ହୋଇଥାଏ କେବଳ। ମଣ୍ଡିରେ ବେପାରୀ ନିଜ ଇଚ୍ଛା ଅନୁସାରେ ଚାଷୀ ଠାରୁ ଧାନ କିଣିପାରେ। ଏନଜିଓଙ୍କ ନିକଟକୁ କୋଟି କୋଟି ଟଙ୍କାର ଅନୁଦାନ ଆସେ। ଏନଜିଓ ମଧ୍ୟ ଅନୁଦାନ ଆକର୍ଷଣକାରୀ ତଥ୍ୟ ସଂଗ୍ରହ ଓ ପ୍ରସ୍ତୁତ କରେ। ଗୋଟିଏ ବେପାର ଅନେକ ପାଶ୍ୱର୍ ବେପାର ତିଆରି କରିଥାଏ।
ଜଣେ ଦାଦନ ଏସବୁର ଧାର ଧାରେ ନାହିଁ। ତାହାକୁ ପେଟ ପାଇଁ ପ୍ରବାସ କରିବାର ଅଛି। ଅପମାନ ନିର୍ଯ୍ୟାତନା ସବୁ ଭୋକ ନିକଟରେ ଅର୍ଥହୀନ ହୋଇ ପଡନ୍ତି। ନାଗରିକ, ମାନବ, କାମ, ଖାଦ୍ୟ କି ଶିକ୍ଷାର ଅଧିକାରରେ ତାଙ୍କର ଯାଏ କେତେ? ଆସେ କେତେ?
Leave a Reply