
ଜାନୁୟାରୀ ୨୦୦୯ର କୌଣସି ଏକ ରାତ୍ରିରେ ଫୁଲ ବାପା ତେଜରୁ ବାଗ ସହ ଫେରିଲା। ଏଲିମେଟ ଗାଁ ଥାନା ବିରମ୍ପାନ୍ନା ଜିଲ୍ଲା ହାଇଦ୍ରାବାଦରୁ ମୁରିବାହାଲ ବ୍ଲକ୍, ଜିଲ୍ଲା ବଲାଙ୍ଗିରର କୌଣସି ଏକ ଗାଁ କୁ ସାତମାସର ଗର୍ଭ ଓ ସାଙ୍ଗରେ ଆଠବର୍ଷର ପୁଅ ବିଜୟ। ପାଞ୍ଚବର୍ଷପରେ ଫୁଲ ଫେରିଲା, ଏଇଟା ଖବର ନଥିଲା। ଫୁଲ ଗର୍ଭବତୀ ହୋଇ ଫେରିଲା ଏ କଥା ବି ବିଚଳିତ କରି ନଥିଲା କାହାକୁ। କିନ୍ତୁ ଫୁଲର ସମ୍ଭାବ୍ୟ ଆକ୍ରମଣକୁ କିପରି ପ୍ରତିହତ କରାଯିବ, ଏ ଯୋଜନାରେ ଅନେକେ ରହିଲେ। ଏ ଖବର ଫୁଲ ପାଖରେ ନଥିଲା। କିନ୍ତୁ ନିରକ୍ଷର ଫୁଲ ଜାଣୁଥିଲା ଯେ ତା’ର ନିଜର-ତା’ର ପରର ଏବଂ ତାର ଜଣାଅଜଣା ଅନେକଙ୍କ ଅମାନୁଷିକ ଅତ୍ୟାଚାରକୁ ନିଜଗର୍ଭରେ ଧରି ଫେରିଛି ପାଞ୍ଚ ବର୍ଷର ବନ୍ଦୀ ଜୀବନ ବିତେଇ।
ତେଜରୁ ବାଗ ଏବଂ ମା ପାଞ୍ଚାଲି ଫୁଲକୁ ନିଜ ପାଖେ ରଖିଲେ। ମାର୍ଚ୍ଚ ୨୦୦୯ର ତାରିଖ ମନେ ନଥିବା କୌଣସି ଏକ ରାତିରେ ଫୁଲ ପୁଅଟିଏ ଜନ୍ମ କଲା। ସହସ୍ର କୋଟି ଟଙ୍କାର ମାତୃମଙ୍ଗଳ ଯୋଜନା ଫୁଲପାଇଁ ଅପହଞ୍ଚ ହୋଇଗଲା ଗୋପର ଦୋଳଉତ୍ସବ ପରି। ବାପ ଘରେ କ୍ୱାକ୍ ଜଣେ ପ୍ରସବ କରେଇଥିଲା ଫୁଲକୁ। ସରକାରୀ କାଗଜରେ ନବଜାତକର ପିତା ଶ୍ରୀକୃଷ୍ଣ ମହାନନ୍ଦ ଲେଖିବ ନା ବାପ୍ ରେଡ୍ଡି? ଶ୍ରୀକୃଷ୍ଣ ମହାନନ୍ଦ ଲେଖିବାକୁ ବିବେକ ମନା କରୁଥିଲା ଏବଂ ବାପ୍ ରେଡ୍ଡି ନାମ ପାଇଁ ପ୍ରମାଣ ଥିଲା ଅପହଞ୍ଚ। ସବାଶେଷ କଥା ସରକାରଙ୍କ ବାକି ଆଇନ ବୁଝେଇବା ପାଇଁ ସମୟ ନଥିଲା କାହାପାଖରେ। ଫୁଲ ଦୁଇ ପୁଅ ଓ ଭାଗ୍ୟକୁ ନେଇ ପଡ଼ିରହିଲା ବାପ ଘରେ। ସେ ଲୋକମାନେ ଫୁଲକୁ ନେଇ ଡରିବା ଆରମ୍ଭ କଲେ ଯେଉଁମାନେ ନିଜର ଜାରଜ ଇଚ୍ଛାମାନଙ୍କୁ ଚରିତାର୍ଥ କରିବା ପାଇଁ ଫୁଲକୁ ବ୍ୟବହାର କରିଥିଲେ।
ଫୁଲ ବିଷୟ ପ୍ରବେଶ ପାଇଁ ଆମକୁ ଫେରିବାକୁ ପଡ଼ିବ ବ୍ଲକ୍-ମୁରିବାହାଲ, ଜିଲ୍ଲା ବଲାଙ୍ଗିରର ଅନ୍ୟ ଏକ ଗାଁ କୁ। ଏଠାରେ ରହେ ନକୁଳ ମହାନନ୍ଦ। ତିନି ପୁଅ ଓ ଗୋଟିଏ ଝିଅର ସଂସାର। ଉତ୍ତର ବୟସ ଆସିବା ପର୍ଯ୍ୟନ୍ତ ଝିଅକୁ ବାହା ଦେଇ ସାରିଥିଲା। ପୁଅ ଶ୍ରୀକୃଷ୍ଣ ରାୟପୁରରେ ରିକ୍ସା ଚଳଉଥିଲା। ଭାବ ଅଭାବର ସଂସାର। ନିକଟସ୍ଥ ଗୋଟିଏ ଲୋକ ଅନୁଷ୍ଠାନର ସହଯୋଗରେ ମାଛମରା ଜାଲ ବୁଣି ବିକିଲା। ଟିକିଏ ଭଲ ଚଳିଲା। ଲୋକଙ୍କୁ ସ୍ୱରୋଜଗାର ବିଷୟରେ ବୁଝେଇଲା। ଲୋକ ଅନୁଷ୍ଠାନର ସକ୍ରିୟ କର୍ମୀ ହୋଇଗଲା।
ବଡ଼ପୁଅ ଶ୍ରୀକୃଷ୍ଣ ପାଇଁ ବୋହୂ କଲା ଫୁଲକୁ। ଘରକୁ ଆଣି ଆଦରରେ ଫୁଲକୁ ସାମାଜିକ ରୀତିରେ ନାମକରଣ କଲା ମାଧୁରୀ। ବିବାହ ବେଳେ ପୁଅ ଝିଅର ଜାତକ ମେଳ ପାଇଁ ଏ ନାମକରଣ ସମାଜସମ୍ମତ ପ୍ରଥା। ଯେଉଁନାମ ଶ୍ୱଶୁର ଘରେ ଡାକନ୍ତି ବୋହୂ ପାଇଁ।
ନକୁଳ ମହାନନ୍ଦକୁ ଇନ୍ଦିରା ଆବାସଟିଏ ମିଳିଲା। ଛଅହଜାର ଟଙ୍କା ଅଗ୍ରୀମ ନେଇ କାମ ଆରମ୍ଭ କଲା। କାମ କରୁ କରୁ ଅଧିକ ଋଣ କରିଦେଲା। ଏ ଋଣ ପରିଶୋଧ କରିପାରିଲା ନାହିଁ କି ଇନ୍ଦିରା ଆବାସ ଘର ତିଆରି କରିପାରିଲା ନାହିଁ। ବ୍ଲକ୍କୁ ଦୌଡ଼ି ଦୌଡ଼ି କିଛି ନ ପାଇ ହତାଶ ହୋଇ ବସିଲା।
ମହାଜନୀ ଋଣ ପରିଶୋଧ ପାଇଁ ପୁଅ ଶ୍ରୀକୃଷ୍ଣ ଓ ବୋହୂ ମାଧୁରୀ ତିନି ବର୍ଷର ନାତି ବିଜୟକୁ ଧରି ଦାଦନ ଖଟି ଗଲେ ହାଇଦ୍ରାବାଦକୁ।
ସ୍ୱରୋଜଗାର ଓ ଗାଁ ଉନ୍ନତି ବିଷୟରେ ଲୋକଙ୍କୁ ବୁଝଉଥିବା ନକୁଳ ମହାନନ୍ଦ ମୋ ଦ୍ୱାରା ସମ୍ପାଦିତ ‘ମୋକ୍ତା’(୧୬ -୩୧ ଡ଼ିସେମ୍ବର ୨୦୦୫) ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଆଦେଶମତେ ୨ ମଇ, ୨୦୦୬ ଦିନ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୟଂ ସରଜମିନ ତଦନ୍ତ ପାଇଁ ନକୁଳ ନିକଟକୁ ଆସିଲେ। ଘର ତିଆରି ପାଇଁ ଆଦେଶ ଦେଲେ। ଅର୍ଜ୍ଜୁନ ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ‘ମୋକ୍ତା’ (୧୬-୩୧ଅଗଷ୍ଟ, ୨୦୦୭) ଜରିଆରେ। ଏଥିରେ କହିଥିଲା ପୁଅବୋହୂଙ୍କ ଫେରିବା ସମୟ ହେଲା।
ପୁଅ ବୋହୂ ଫେରି ନଥିଲେ। ନକୁଳ ମହାନନ୍ଦର ପହଞ୍ଚ ଓ ଅକ୍ତିଆର ବାହାରେ ଗୋଟିଏ ଅମାନୁଷିକ ଘଟଣା ଘଟି ଚାଲୁଥିଲା।
ଫୁଲ (ମାଧୁରୀ) ସ୍ୱାମୀ ଶ୍ରୀକୃଷ୍ଣ ଓ ପୁଅ ବିଜୟ ସହ ହାଇଦ୍ରାବାଦର ଏଲିମେଟ ଗାଁରେ ଇଟା ଭାଟିରେ କାମ କଲା। ଏହି ବର୍ଷ ଇଟା ଗଢ଼ି ଖାଇବା ଛଡ଼ା ଅଧିକ କିଛି ରୋଜଗାର କରି ନଥିଲେ। ଆଶ୍ୱାସନା ଏତିକି ଥିଲା ଯେ ସେମାନେ ଅଗ୍ରୀମ ନେଇଥିବା ଟଙ୍କା ପରିଶୋଧ କରି ଦେଇଥିଲେ। ଏଲିମେଟରେ ଆଠ ମାସର ରହଣୀ କାଳରେ ମାଧବ ଜାଣିଥିଲା ବାପ୍ ରେଡ୍ଡିର ପ୍ରଭାବ। ବାପ ରେଡ୍ଡି ଏଲିମେଟ ଗାଁର ମୁଖିଆ, ବେଶ ଭଦ୍ର; ପଚାଶ ଷାଠିଏ ଏକର ଜମି। ଚାଷ କରେ, ଇଟାଭାଟି ମାଲିକଙ୍କୁ ଜମି ଭଡ଼ା ଦିଏ। କେଉଁ ଓଡ଼ିଆ ଦାଦନ ମଦ ପିଇ ଆନ୍ଧ୍ର ପୋଲିସ ହାତରେ ଧରାପଡ଼ିଲେ ବାପ ରେଡ୍ଡିର ନାଁ କହି ପୋଲିସ ନିକଟରୁ ଛାଡ଼ ପାଉଥିଲେ। ପାଖ ଆଖ ଗାଁରେ ବି ବାପ ରେଡ୍ଡିର ସମ୍ମାନ ଯଥେଷ୍ଟ।

ଏହି ଲୋକକୁ ଶ୍ରୀକୃଷ୍ଣ ଯାଇ ପ୍ରସ୍ତାବ ଦେଲା ଯେ ସେ ଓଡ଼ିଶାରୁ ଦାଦନ ସଂଗ୍ରହକରି ଆଣିବ। ଫୁଲ ପ୍ରତିବାଦ କଲା, ‘ଆମେ ଖଟି ଆସିଛୁ। କାମ ସରିଲା ଘରକୁ ଯିବା। ଆମକୁ ଦରକାର ନାହିଁ ସର୍ଦ୍ଦାର ହେବା’ କିନ୍ତୁ ଦାଦନ ଶ୍ରୀକୃଷ୍ଣର ସର୍ଦ୍ଦାର ହେବାର ଉଚ୍ଚାକାଂକ୍ଷା ନିକଟରେ ଫୁଲର ପ୍ରତିବାଦ ଥିଲା ଅତି କ୍ଷୀଣ। ଶ୍ରୀକୃଷ୍ଣ ମାନିଲା ନାହିଁ। ବାପ ରେଡ୍ଡି ଏବଂ ତାର କାକା ପୁଅ ଭାଇ ମୋହନ ରେଡ୍ଡି ନିକଟରୁ ଏକଲକ୍ଷ ଟଙ୍କା ଆଣି ଓଡ଼ିଶା ଫେରିଲା। ମାଲିକ ବାପ ରେଡ୍ଡି ନିକଟରେ ନିଜେ ଶ୍ରୀକୃଷ୍ଣ ଏବଂ ତାର ସାଥି ଦୁଇଜଣ କମଲ ମହାନନ୍ଦ, ବୁଟୁ ମହାନନ୍ଦ, ଖିର ଛୁରା ଓ ଦେବ ଛୁରା ଲେଖିଦେଲେ ଯେ ସେମାନେ ଏକଲକ୍ଷଟଙ୍କା ଅଗ୍ରୀମ ନେଉଛନ୍ତି। ଆସନ୍ତା ସିଜନ୍ରେ କାମ ପାଇଁ ଅନ୍ତତଃ ଚାରୋଟି ପଥରିଆ ପରିବାର ନେଇ ଫେରିବୁ। ଏ ସମସ୍ତେ ଥିଲେ ନକୁଳ ଗାଁର।
ଫୁଲ ମହାଜନ ନିକଟରେ ବନ୍ଧା ପଡ଼ିଲା। ଶ୍ରୀକୃଷ୍ଣ ଲକ୍ଷେଟଙ୍କା ନେଇ ଓଡ଼ିଶା ଫେରିଲା। ଦୁଇ ମାସର ଅନ୍ତଃସତ୍ତ୍ୱା ଫୁଲକୁ ଅଚିନ୍ତା ରହିବା ପାଇଁ ଆଶ୍ୱାସନା ଦେଇ ଆସିଲା ଶ୍ରୀକୃଷ୍ଣ। କିନ୍ତୁ ଫୁଲ ସହଜରେ ଗ୍ରହଣ କରିପାରୁ ନଥିଲା ଶ୍ରୀକୃଷ୍ଣର ପ୍ରତିଶ୍ରୁତିକୁ। ବାହା ହେଲା ପରେ ବାପା ଦେଇଥିବା ସାଇକେଲ ଓ ବାସନକୁ ବିକ୍ରି କରିଦେଲା। ଫୁଲକୁ ବାପଘରେ ଛାଡ଼ି ରାୟପୁର ଗଲା। ବାପ ଘରେ ବିଜୟ ଜନ୍ମ ହେଲା। ଶ୍ରୀକୃଷ୍ଣ ଫୁଲକୁ ନେବାପାଇଁ ଆସିଲା ନାହିଁ। ଫୁଲର ବାପା ତେଜରୁ ଚାରି ଝିଅ ଓ ଦୁଇ ପୁଅର ବାପ। ସମସ୍ତଙ୍କୁ ସମୟାନ୍ତରରେ ରାୟପୁର ଯାଇ ରିକ୍ସା ଚଳେଇ ପାଳେ। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଝିଅ ଓ ବଡ଼ ପୁଅକୁ ବାହା ଦେଲାଣି। ଘରେ ଏଗାର ବର୍ଷର ପୁଅ ଷଷ୍ଠ ପଢ଼େ, ଆଠବର୍ଷର ଝିଅ ଚତୁର୍ଥ ପଢ଼େ। ଖଟିଖିଆ ପରିବାରରେ ଫୁଲ ନିଶ୍ଚିତ ରୂପରେ ବୋଝ। ନିସ୍ତାର ପାଇଁ ମୁରିବାହାଲ ଫାଣ୍ଡିରେ ଫେରାଦ ହେଲା। ଶ୍ରୀକୃଷ୍ଣ ଫାଣ୍ଡିରେ ଲେଖିଦେଲା ଫୁଲକୁ ନିଜ ପାଖେ ଭଲରେ ରଖିବ। ନିଜ ଘରକୁ ନେଲା, ରାୟପୁର ଯାଇ କାମ କଲା। ଶେଷରେ ପରିବାର ନେଇ ହାଇଦ୍ରାବାଦ ଗଲା। ଫୁଲ ଶ୍ୱଶୁର ଘର ଅପେକ୍ଷା ବେଶି ବାପ ଘରେ ବିତେଇଛି। ସେ ତାକୁ ବନ୍ଧା ପକେଇ ନିସ୍ତାର ପାଇଯାଇ ନାହିଁ ତ?
ସତକୁ ସତ ଶ୍ରୀକୃଷ୍ଣ ଫେରିଲା ନାହିଁ। ଫୁଲର ଗର୍ଭକୁ ଛଅମାସ। ଗର୍ଭ ନଷ୍ଟ ହୋଇଗଲା। ଶ୍ରୀକୃଷ୍ଣକୁ ବାରମ୍ବାର ଫୋନ କରାଗଲା। ଶ୍ରୀକୃଷ୍ଣର ଗୋଟିଏ ଉତ୍ତର ଲେବର ନେଇ ଯିବି। ଡାକ୍ତରଖାନାରୁ ଫୁଲ ପ୍ରତିଦିନ ଫୋନ କରେ ମୁଁ ଏକା ହୋଇଯାଇଛି। ବନ୍ଦୀ ପରି ଅଛି, ତୁମେ ଆସ। ଶ୍ରୀକୃଷ୍ଣର ସେଇ ଉତ୍ତର। ଫୁଲର ସନ୍ଦେହ ବଢ଼ିଲା। ଆଉ ଗୋଟିଏ ସିଜନର କାମ ଆରମ୍ଭ ହେଲାଣି ତଥାପି ବି ଶ୍ରୀକୃଷ୍ଣ ଆସିଲାନି।
ଶ୍ରୀକୃଷ୍ଣ କାହିଁକି ଏଲିମେଟ ଗଲାନି। ଏ ଉତ୍ତର ଦେବାକୁ ଶ୍ରୀକୃଷ୍ଣ ନଥିଲା। ସେ ରାୟପୁରରେ କାମ କରୁଛି; କେଉଁଠି କେହି ଜାଣନ୍ତି ନାହିଁ। ରାୟପୁରର ଫୁଲବନରେ ବାହା ହୋଇଥିବା ତାର ବଡ଼ଭଉଣୀ ଘରକୁ ଯାଏ ସେଠାରେ ରହେ। ସେ ଏଲିମେଟ ନ ଫେରିବାର କାରଣର ଉତ୍ତରରେ ନକୁଳ ମହାନନ୍ଦ କହେ… ଏଲିମେଟରେ ରହୁଥିବା ମାଲିକ ବାପ ରେଡ୍ଡି ଓ ତାର ପୁଅ ମୋହନ ରେଡ୍ଡି ଓ କିଶାନ ରେଡ୍ଡି (ଏମାନେ କାକା ବବାର ତିନିଭାଇ) ମାଧବକୁ ଚାଳିଶ ହଜାର ଟଙ୍କା ଦେଇ ଲେବର ଆଣିବା ପାଇଁ କହିଲେ। ଶ୍ରୀକୃଷ୍ଣ ଓଡ଼ିଶା ଆସି ନୂଆପଡ଼ା ଜିଲ୍ଲାର ଲାଞ୍ଜିଗାଁରୁ ଚାରିଘର ପଥରିଆ ଠିକ କଲା।(ଗୋଟିଏ ପଥରିଆ ୩ ଜଣିଆ ଲୋକଙ୍କ ଗୋଟିଏ ଦଳ)। ଏମାନଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ବେଳେ କେଉଁ ଅଜଣା ରେଳ ଷ୍ଟେସନରେ ପୋଲିସ ହାବୁଡ଼ରେ ପଡ଼ିଲା। ଆଠଦିନ ଜେଲରେ ରହି ଗାଁକୁ ଫେରିଲା। ଅଗ୍ରୀମ ଦେଇ ସମସ୍ତ ଟଙ୍କା ସାରି ଦେଇଥିଲା। ବିଦେଶରେ ସ୍ତ୍ରୀ ପୁଅକୁ ଛାଡ଼ି ଆସିଥିବା ଶ୍ରୀକୃଷ୍ଣ ନିଜର ଛୋଟ ଭାଇ ଓ ପଡ଼ୋଶୀ ଦୁଆମତୀ ମୁଗ୍ରୀଙ୍କ ତିନି ପୁଅ ସହ ଜଣେ ବନ୍ଧୁ ଏପରି ଛଅଜଣ ହାଇଦ୍ରାବାଦ ଗଲେ। ଜଣେ ସମ୍ପର୍କୀୟ ନିକଟରେ ଦୁଇଦିନ ରହି ଏଲିମେଟ ଯାଉଥିବା ବେଳେ ବାପ ରେଡ୍ଡିର ଲୋକ ଆସି ଶ୍ରୀକୃଷ୍ଣ ସହ ଏହି ଛଅ ଜଣଙ୍କୁ ନେଇଗଲେ। ଗୋଟିଏ କୋଠରୀରେ ଭରି ବାନ୍ଧି ସମସ୍ତଙ୍କୁ ନିସ୍ତୁକ ମାଡ଼ ଦେଲେ। ଶ୍ରୀକୃଷ୍ଣର ସ୍ତ୍ରୀ ଫୁଲ ଏ ଭିତରେ ବାପ ରେଡ୍ଡି ସହ ବାହା ହୋଇ ସାରିଥିଲା। ନିଜର ସର୍ବସ୍ୱ ହରେଇ ଶ୍ରୀକୃଷ୍ଣ ସେଠାରେ କାମ କରି ଫେରିଲା। ନିଜ ଘରେ ରହି ପାରିଲାନି। ରାୟପୁର ଗଲା। ରାୟପୁରରେ ଶୁଣିଲା ଫୁଲ ଆସିଛି। ସେ ଫୁଲକୁ ଆଣିଗଲା। ଫୁଲ ସଙ୍ଗେ ବାପ ରେଡ୍ଡି ବି ଆସିଥାଏ। ପଡ଼ାର ଲୋକମାନେ ଶ୍ରୀକୃଷ୍ଣକୁ ଫୁଲ ଓ ତା’ ବାପାର ପ୍ରରୋଚନାରେ ନିସ୍ତୁକ ମାଡ଼ଦେଲେ। ଶ୍ରୀକୃଷ୍ଣ ଫେରିଲା। ଫୁଲ ଆନ୍ଧ୍ର ପଳେଇଲା ବାପ ରେଡ୍ଡିସହ। ଏବେ ଫେରିଛି। ଥରେ ପାପଗର୍ଭ ନଷ୍ଟ କରିଥିଲା। ଭଗବାନ ବୋଲି ବି ଜଣେ ଅଛି। ଏ ଗର୍ଭ ନଷ୍ଟ କରି ପାରିଲା ନାହିଁ। ପୁଅଟିଏ ହେଲା। ଆଜ୍ଞା ମୋ ପୁଅ ଶ୍ରୀକୃଷ୍ଣର ଭାଗ୍ୟ ଖରାପ। ଏବେ ମୋର ନାତି ବିଜୟକୁ ମୁଁ ଫେରି ପାଇବାକୁ ଚାହେଁ। ଏଥିପାଇଁ ମୁଁ ଥରେ ସମାଜ ବସେଇଛି, ଥରେ ଡ଼ାକ ନୋଟିସ ପଠେଇଛି ୩୦ ଟଙ୍କାର ଷ୍ଟାମ୍ପ୍ ଲଗେଇ।
ଫୁଲ ଓ ଶ୍ରୀକୃଷ୍ଣର ଏହି କାହାଣୀ କହିଲା ବେଳେ ନକୁଳ କହେ ଗୋଟିଏ ଏନଜିଓର କେତେଜଣ ପ୍ରତିନିଧି ଓ ଲେବର ଅଫିସର ଫୁଲକୁ ଆଣି ଯାଇଥିଲେ। ସେଠାରୁ ଫୁଲକୁ ଆଣିବା ପାଇଁ ସେମାନେ ବିଫଳ ହୋଇଥିଲେ। ନକୁଳ ମହାନନ୍ଦକୁ ଲେବର କେସ କରିବାକୁ ପରାମର୍ଶ ଦେଇଥିଲେ। ଏନଜିଓ ଓ ଲେବର ଅଫିସର କେଉଁ ଆଧାରରେ ଫୁଲକୁ ଆଣି ଯାଇଥିଲେ ବୋଲି ପଚାରିଲେ ନକୁଳ ମହାନନ୍ଦ କହେ ଶ୍ରୀକୃଷ୍ଣ ସହ ଯାଇଥିବା ଜଣେ ପିଲା ଲେଖିଜାଣେ, ତା’ଠାରୁ ସମସ୍ତ ବିଷୟ ଲେଖେଇ ନେଇ ଯାଇଥିଲେ। ନକୁଳ ମହାନନ୍ଦ କିଛି କରି ନ ଥିଲା। ସେ ଏ ସବୁ ଯାହା କହୁଛି ତାହା କେବଳ ପୁଅ ଶ୍ରୀକୃଷ୍ଣ ନିକଟରୁ ଶୁଣିଥିବା କଥା। ସରଳ ଲୋକ ଏତେ ଗହନ ଚାଷ, ତା’ପାଇଁ ଅସମ୍ଭବ ସବୁବେଳେ।
ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଏନଜିଓର ଏକ ଦଳ ହାଇଦ୍ରାବାଦ ଇଟାଭାଟି ମାଲିକସଂଘଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ଜୁନ ୨୦, ୨୦୦୮ ଦିନ ମୋହନ ରେଡ୍ଡି ସହ ଫୁଲ ବିଷୟରେ ପଚାରି ଥିଲେ। ମୋହନ ରେଡ୍ଡି ଓ ବାପ ରେଡ୍ଡି ଏହି ଦିନ ଫୋନରେ କହିଲେ ଯେ ଆଜି ଫୁଲକୁ ଛାଡ଼ି ଦେଉଛୁ। ବାସ୍ ଏନଜିଓ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଫୁଲ ଉଦ୍ଧାର କାର୍ଯ୍ୟକ୍ରମ ଏଇଠି ସରିଲା। ଫୁଲକୁ କିଏ ଆଣିବ? ରେଡ୍ଡି ପରିବାର ଫୁଲକୁ କେଉଁଠି କାହା ଜିମାରେ ଛାଡ଼ିବେ, ଏ ପର୍ଯ୍ୟନ୍ତ ବି ଚିନ୍ତା କରାଯାଇ ନ ଥିଲା। ବଲାଙ୍ଗିର ଶ୍ରମ କାର୍ଯ୍ୟାଳୟ ନିକଟରୁ ଫୁଲ ଉଦ୍ଧାର କାର୍ଯ୍ୟକ୍ରମ ବାବଦ କୌଣସି ସୂଚନା ମିଳି ନ ଥିଲା।
ଫୁଲ କହେ ଶ୍ରୀକୃଷ୍ଣ ଫେରିଲାନି। ତାର ଦ୍ୱିତୀୟ ଗର୍ଭ ନଷ୍ଟ ହୋଇଗଲା। ଶ୍ରୀକୃଷ୍ଣ ତାକୁ ଛାଡ଼ି ଆସିବାର ଆଠ, ନଅମାସ ପରେ ଖବର ପାଇଲା ଯେ ଶ୍ରୀକୃଷ୍ଣ କେତେଜଣ ପଥରିଆକୁ ନେଇ ମୋହନ ରେଡ୍ଡିର ଇଟାଭାଟିରେ କାମ କରୁଛି। ତାକୁ ଡକାହେଲା। ସେ ଆସିଲା ବାପ ରେଡ୍ଡିକୁ କହିଲା ତୁମର ଟଙ୍କା ଫେରେଇ ଦେବି। ମୋ ସ୍ତ୍ରୀ ପିଲା ତ ଏଠି ତୁମ ନିକଟରେ ଅଛନ୍ତି। ମୁ ଯଦି ମିଛ କହିବି ତା’ହେଲେ ମୋ ପରିବାର ହରେଇବି।
ଫୁଲ କିନ୍ତୁ ବୁଝିସାରିଥିଲା ସବୁ। ଏ ଲୋକଟା ସବୁଟଙ୍କାକୁ ନଷ୍ଟକରି ସାରିଛି। ତାକୁ ଜିମା ଦେଇଥିବା ନାଁରେ ବିକି ସାରିଛି। ଗୋଟିଏ ଦଲାଲ ଅତି ବେଶିରେ ଘଣ୍ଟାଏ ସହି ଯାଏ, କିନ୍ତୁ ଏହାକୁ ତ ବର୍ଷେ ପାଇବ। ଫୁଲ ରାଗିଗଲା ଶ୍ରୀକୃଷ୍ଣକୁ ତୁ ସେଠ୍ର ଟଙ୍କା ଫେରେଇ ଦେ। ଯେମିତି ହେଲେ ଆଉ ମତେ ଓ ମୋ ପୁଅକୁ ନେଇଯା। ମୁଁ ତୋ ଠାରେ ଭୋକରେ ରହିବି କିନ୍ତୁ ଏଠାରେ ମତେ ଆଉ ବନ୍ଧା ପକାନି। ଶ୍ରୀକୃଷ୍ଣ କିଛି ଶୁଣିଲାନି। ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇ ଫେରିଲା। ଫୁଲ ଦେଖିଲା ତାର ମୁକ୍ତି ଅସମ୍ଭବ। ତା’ସହ ରହୁଥିଲେ ତା’ ନିଜ ଗାଁ ଆଖ ପାଖର ପନ୍ଦର କୋଡ଼ିଏ ପରିବାର। ଏମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ୍ର ଘାସି ରଣା ଅନ୍ୟତମ। ଯାହାକୁ ଫୁଲ ଦଦା(ବଡ଼ଭାଇ)ମାନ୍ୟ କରୁଥିଲା। ଘାସିକୁ ଦୁଃଖ କହିଲା। ଘାସି ବି ତ’ ପେଟପାଇଁ ଦାଦନ ଖଟି ଯାଇଛି। ସେ ବା’ କଣ କରି ପାରିବ। ଆଶ୍ୱାସନା ବ୍ୟତୀତ କିଛି ଦେଇ ପାରିବନି ଫୁଲକୁ।
ଫୁଲ ଚିନ୍ତାରେ ବୁଡ଼ିଗଲା। କଣ କରିବ? କିଛି ବୁଦ୍ଧି ପାଇଲା ନାହିଁ। ଗାଁ ଗଣ୍ଡା, ଘରଦ୍ୱାର, ସ୍ୱାମୀ ସଭିଙ୍କୁ ହରେଇ ସେ ନିଃସ୍ୱ। ପୁଅ ବିଜୟ ଛଡ଼ା କିଏ ଅଛି ତାର। ଶ୍ରୀକୃଷ୍ଣର ଚରିତ୍ରକୁ ବୁଝି ସାରିଥିଲା। ଏହା ବି ଜାଣି ସାରିଥିଲା ଯେ ଶ୍ରୀକୃଷ୍ଣ ଟଙ୍କା ଫେରେଇବ ନାହିଁ, ତାକୁ ନେବ ନାହିଁ। କଣ କରିବ?
ତାକୁ ବିବାହ ପ୍ରସ୍ତାବ ଦେଲାବେଳେ ଶ୍ରୀକୃଷ୍ଣ ତା ଗାଁ ଲୋକଙ୍କୁ କହିଥିଲା ଯଦି ତେଜରୁ ତାର ଟୁକେଲ କେ ନେଇ ଦିଏ, ତା’ହଲେ ମୁଇଁ ତାକେ ଘିଚି ନେମି।(ଅପହରଣ କରି ବାହା ହେବି।) ଏ ଅପହରଣ କରି ବାହାହେବା ପ୍ରଥାକୁ ସ୍ଥାନୀୟ ଭାଷାରେ ଟୁକେଲ ଘିଚା କହନ୍ତି। ଏହା ବି ଗୋଟିଏ ପ୍ରକାର ସମାଜ ସ୍ୱୀକୃତ ବିବାହ। ଏ ପ୍ରଥାକୁ ଘିଚା କନିଆ କୁହାଯାଏ। ଫୁଲର ସୁନ୍ଦରତା ପାଇଁ ଶ୍ରୀକୃଷ୍ଣ ଏପରି କହିଥିଲା। ଏବେ ବି ଫୁଲର ଶରୀର ଓ ସୁନ୍ଦରତା ଅଛି। ଏହାକୁ ନେଇ ଶେଷ ବାଜି ଲଗାଯାଇପାରେ। ଫୁଲ ସେପରି କଲା। ସଫଳ ହେଲା। ଫୁଲ ବାପ ରେଡ୍ଡିର ରକ୍ଷିତା ହେଲା। ତା’ପାଖରେ କାମ କରୁଥିବା ଓଡ଼ିଶାର କେତେଜଣ ଦାଦନ ଓ ସ୍ଥାନୀୟ କିଛି ଲୋକଙ୍କୁ ଡ଼ାକି ଫୁଲର ଦାୟିତ୍ୱ ନେଲା। ସର୍ତ୍ତ ରଖିଲା ଶ୍ରୀକୃଷ୍ଣ ଯଦି ଚାହିଁବ ଫୁଲକୁ ବିନା ସର୍ତ୍ତରେ ନେବ। ଯଦି ଫୁଲ ଅନ୍ୟତ୍ର ବାହା ହେବାକୁ ଚାହିଁବ, ବାହା ହୋଇ ପାରିବ। ଶ୍ରୀକୃଷ୍ଣ ସ୍ୱତଃ ଋଣମୁକ୍ତ ହୋଇଗଲା, ତଥାପି ବି ଶ୍ରୀକୃଷ୍ଣ ଫୁଲ ପାଖକୁ ଆସିଲା ନାହିଁ।
ଏ ଭିତରେ ଦୁଇବର୍ଷ ବିତିଗଲା। ଫୁଲ ଗର୍ଭ ଧାରଣ କଲା। ବାପ ରେଡ୍ଡି ଲୋକଙ୍କୁ ଡ଼ାକି କହିଲା ଫୁଲ ସାତ ମାସ ଗର୍ଭରେ ଅଛି। ସେ ଶ୍ରୀକୃଷ୍ଣ ପାଖକୁ ଯାଉ କି ଅନ୍ୟତ୍ର ବାହା ହେଉ, ମୋର ଆପତ୍ତି ନାହିଁ। ଯଦି କିଛି ନ ହେଲା ସେ ମୋ ପାଖକୁ ଆସି ପାରେ। ଫୁଲର ବାପା ତେଜରୁକୁ ଡକା ହେଲା। ତେଜରୁ ଅନ୍ତଃସତ୍ତ୍ୱା ଝିଅ ଓ ନାତି ବିଜୟକୁ ନେଇ ଫେରିଲା ନିଜ ଗାଁ କୁ। ଏ ବିଷୟରେ ଫୁଲର ଧରମଭାଇ ଘାସି କହେ ଟୁକେଲ କି ମାଲିକ କାହାରି ଦୋଷ ନେଇ। ଦୋଷ ପିଲା (ଶ୍ରୀକୃଷ୍ଣ)ର । ବଦମାସ ଟୁକେଲକେ ବନ୍ଧା ପକେଇ ଦେଲା ଆରୁ ଟଙ୍ଗା (ଟଙ୍କା) ଆନି କରି । ଲଗା କାମ କଲା। ଟୁକେଲ କର୍ବା କାଣା। ଯାହା କରିଛେ ବୁଦ୍ଧିମାନର କାମ କରିଛେ।
ଫୁଲ ଏବେ ବାପା ତେଜରୁ ବାଗ ନିକଟରେ। ସେ ନିଜେ ଏବେ ଦାସତ୍ୱରୁ ମୁକ୍ତ ଓ ସ୍ୱାମୀ ଶ୍ରୀକୃଷ୍ଣ ବି ଋଣମୁକ୍ତ। କିନ୍ତୁ କୋଳରେ ବାପ ରେଡ୍ଡିର ସନ୍ତକ ଚାରିମାସର ଶିଶୁପୁତ୍ର। ଯିଏ ସବୁବେଳେ ଚେତେଇ ଦେଉଛି ଫୁଲର ଦୀର୍ଘ ଦାସତ୍ୱର କାହାଣୀ।
ନକୁଳ ମହାନନ୍ଦ କହେ, “ମୁଁ ମୋର ନାତି ବିଜୟକୁ ଚାହେଁ।
ବିଶିଷ୍ଟ ଆଇନଜୀବୀ ବିଷ୍ଣ ପ୍ରସାଦ ଶର୍ମା କହନ୍ତି, “ଆଇନକୁ ଅପବ୍ୟବହାର କରି ଦାଦନ ନାମରେ ମଣିଷ ବେପାର ଚାଲେ। ଫୁଲ ବନ୍ଧା ପଡ଼ିବା ପରି ଅନେକ ଅମାନୁଷିକ ଘଟଣା ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ଫୁଲ ସାହସ କରି ମୁହଁ ଖୋଲିପାରୁଛି ଏଇଟା ବଡ଼ କଥା। ସେ ମୁକୁଳି ପାରିଲା ଏଇଟା ସବୁଠୁ ବଡ଼କଥା। କିନ୍ତୁ ଏ ମୁକ୍ତି ପ୍ରତିବଦଳରେ କଣ ସବୁ ହରେଇଲା, ତାହା ଆମେ ଆମକୁ ଶାସନ କରୁଥିବା ରାଷ୍ଟ୍ରର ନାଗରିକ ପାଇଁ ଲଜ୍ଜାର କଥା। ଏ ବିଷୟରେ ନିଜକୁ ବୁଦ୍ଧିଜୀବୀ ବୋଲାଉଥିବା ଆମେ ସମସ୍ତେ ନିଜକୁ ବିଶ୍ଲେଷଣ କରିବା ଉଚିତ। ଫୁଲ ଆଇନର ସହାୟତା ନେଇ ପାରିବ। ଆଇନତଃ ଫୁଲର ସ୍ୱାମୀ ଶ୍ରୀକୃଷ୍ଣ ମହାନନ୍ଦ ଅଟେ। ଏ ଅନୁସାରେ ଫୁଲର ଦ୍ୱିତୀୟ ପୁତ୍ରର ପିତା ବି ଶ୍ରୀକୃଷ୍ଣ ବୋଲି ଧରାଯିବ। ଶ୍ରୀକୃଷ୍ଣ ଯଦି ଫୁଲ ଏବଂ ଫୁଲର ଦୁଇଟି ସନ୍ତାନକୁ ଗ୍ରହଣ ନକରେ, ତା’ହେଲେ ସମସ୍ତଙ୍କୁ ଭରଣ ପୋଷଣ ଦେବାକୁ ବାଧ୍ୟ ହେବ।”
ଫୁଲ କି ତାର ବାପା ମା, ଏତେ ଗହନ କଥା ଜାଣନ୍ତି ନାହିଁ। ସେମାନେ କହନ୍ତି, “ଟୁକେଲ କାଣା କରବା ଇ ଚିନ୍ତା ଥି ଆମେ ମରୁଛୁଁ। ଶ୍ରୀକୃଷ୍ଣ ତାର ପିଲା କେ ନଉ। ମୋର ଟୁକେଲ ତାର ଭାଗ୍ୟକେ ନେଇ କରି ଚଲବା। କେନଠାନେ ଦୁଃଖଭୁତି କରି ଚଲବା। ସେ ବିଦେଶକେ ତାର ମାଲିକ ନିକେ ବିତ ନାଇ ଯାଇ ପାରେ। ଗଲେ ବି କାଣା କହିକରି ନିଜର ହକ ଜତାବା।”
ଫୁଲ କହେ, “ମୁଁ କେଉଁ ମୁହଁ ନେଇ ଶ୍ରୀକୃଷ୍ଣ କୁ କହିବି। ସେ ଦେଖିଲା ତ ଠିକ ନ ହଲେ ଦୁଃଖଭୁତି କରି ଦୁଇ ପିଲାକେ ପାଲମି। ମାଲିକ ନିକେ ହେଲେ କାଏଁ ବଲିକରି ଯିମି। ସେଠାନେ ମତେ ଅନ୍ଧାର ଲାଗି ଯାଏ। ଜେଲ ଘରେ ରହେଲା ବାଗିର ଲାଗେ। ମୁଇଁ ମୋର ବୁଆ ମାଁ ପାଖକେ ଫିରି ପାରଲି ଇଟା ବଡ଼ କଥା। ଦେଖମି ଭାଗ୍ୟର ବିଚାର କେ। ଜେନ୍ତା କରି ବି ତ ଦୁଇ ପୁଅକେ ପାଲବାକେ ପଡ଼ବା।”
ସମାଜକର୍ମୀ ଥବିର ବାଗ କହନ୍ତି, “ଯେଉଁମାନେ ହାଇଦ୍ରାବାଦ ଇଟାଗଢ଼ି ଯାଆନ୍ତି ସେମାନେ କ୍ଷୁଧା ମେଣ୍ଟେଇବା ପାଇଁ ସବୁ ସହି ଯା’ନ୍ତି। ତାଙ୍କୁ ସମବେଦନା ନା’ ସରକାର ଦିଏ, ନା ଏନଜିଓ। ଶ୍ରମିକ ଚାଲାଣ ସର୍ଦ୍ଦାର, ଏନଜିଓ ଓ ପୋଲିସ ପାଇଁ ଗୋଟିଏ ଦୁଧିଆଳୀ ଗାଈ। ଏହାର ସମସ୍ତ ଅପକର୍ମକୁ ମାଫ୍ କରାଯାଏ। ଶୁଣାଯାଏ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳର ଏକାଦଶତମ ପ୍ରତିଷ୍ଠା ଦିବସରେ ହାଇଦ୍ରାବାଦ ଇଟାଭାଟି ମାଲିକ ସଂଘରୁ ଗୋଟିଏ ଜୟମାଳା ପଠା ଯାଇଥିଲା। ସ୍ୱତନ୍ତ୍ର ଭାବେ ତିଆରି ଏହି ମାଳାର ଦାମ କୁଆଡ଼େ ୪୫ହଜାର ଟଙ୍କା। ଏ ମାଳାରେ ଥିବା ଫୁଲର ମହକରେ କେତେ ପାନଙ୍କ ଇଜ୍ଜତ ଯାଇ ଥିବାର ଦୁର୍ଗନ୍ଧ ନଥିବ। ଏ କଥାକୁ ଅନୁଭବ କରି ସ୍ୱଚ୍ଛତାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ପାନ ପ୍ରତି କେଉଁ ନ୍ୟାୟ କରିବେ ଦେଖିବାକୁ ରହିଲା।”
କିନ୍ତୁ ଫୁଲର ପଣତରେ ସବାଶେଷ କଣ ପଡ଼ିଲା?
ଦାଦନର ସଂକ୍ଷିପ୍ତ ଇତିହାସ
ପ୍ରତିବର୍ଷ ଲକ୍ଷାଧିକ ଲୋକ ଇଟା ଗଢ଼ିବା ପାଇଁ ହାଇଦ୍ରାବାଦ ଅଞ୍ଚଳକୁ ଯାଇଥାନ୍ତି। ସେମାନଙ୍କୁ ନେଇ ମଣିଷ ବେପାର ଚାଲେ। ପ୍ରଥମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡରୁ, ନୂଆପଡ଼ା ଓ କଳାହାଣ୍ଡି ଅଞ୍ଚଳରୁ ତଥା ବରଗଡ଼ ଜିଲ୍ଲାର ପଦମ୍ପୁର ଅଞ୍ଚଳରୁ ଇଟା ଗଢ଼ି ଯାଉଥିଲେ। ଏବେ ଏହା ସମଗ୍ର ବଲାଙ୍ଗିର, କଲାହାଣ୍ଡି, ନୂଆପଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ନବରଙ୍ଗପୁର, କୋରାପୁଟ ଆଦି ଅଞ୍ଚଳକୁ ବ୍ୟପିଲାଣି। ଏହି ବ୍ୟବସାୟରେ ଦଲାଲ ଯାହାକୁ ସର୍ଦ୍ଦାର କୁହାଯାଏ, ସେ ପାଏ ପ୍ରତି ଶ୍ରମିକ ସର୍ବନିମ୍ନ ୨ ହଜାର ଟଙ୍କା। ଏବଂ ଶ୍ରମିକ କାମକରିଥିବା ପାଉଣାର ୧୦ ପ୍ରତିଶତ। ଲକ୍ଷାଧିକ ସଂଖ୍ୟାର ଏହି ଲୋକଙ୍କ ପିଡ଼ିଏସ୍ କଳା ବଜାରକୁ ଯାଏ। ରି-ସାଇକ୍ଲିଂ ହେବାର ବି ଖବର ମିଳେ। ସେଠାରେ କିନ୍ତୁ ଏମାନେ କୁକୁଡ଼ାକୁ ଦିଆଯାଉଥିବା ଖୁଦ ଖାଆନ୍ତି। ଯାହାକୁ କନ୍କି କୁହାଯାଏ। ‘ହାଇଦ୍ରାବାଦର କନକୀ, ପେଟ ଜଉଛେ ଦନକୀ’ ବୋଲି ଲୋକ ପ୍ରବାଦ ବି ଲୋକେ କହନ୍ତି।
ସର୍ବପ୍ରଥମେ ଗଣମାଧ୍ୟମ ଦାଦନ ଚାଲାଣ ଉପରେ ଦୃଷ୍ଟି ଆକର୍ଷଣ କରିଥିଲା। ଏ ଦାଦନ ଚାଲାଣକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଇନ ତିଆରି କରିସାରିଥିଲେ। ଦେଖାଯାଏ ଆଇନ ତିଆରି ପରେ ଏହା ଗୋଟିଏ ଆକର୍ଷଣୀୟ ବ୍ୟବସାୟ ହୋଇଗଲା। ଏତେସଂଖ୍ୟାରେ ଦାଦନ ଯାଉଥିବା ସତ୍ତ୍ୱେ ଏମାନଙ୍କ ଗମନାଗମନ ପାଇଁ ସ୍ୱତନ୍ତ୍ର ରେଳ ଗାଡ଼ିର ବ୍ୟବସ୍ଥା ହୋଇ ନାହିଁ କି ଆଇନ ଅନୁସାରେ କର୍ମକ୍ଷେତ୍ରରେ ଶ୍ରମିକ ସୁରକ୍ଷା ଉପରେ ଚିନ୍ତା କରା ଯାଉ ନାହିଁ। ଯଦି ଏପରି କରାଯାଇଥାନ୍ତା ତାହେଲେ ଅନେକ ଫୁଲ ମହାନନ୍ଦ ଉତ୍ପୀଡ଼ନରୁ ନିଜକୁ ମୁକୁଳେଇ ପାରନ୍ତେ।
ଏହି ଦାଦନମାନଙ୍କୁ ଅଟକେଇବା ପାଇଁ ଏନଜିଓ ବିଶେଷ ଯତ୍ନ କରିଥିଲା ନବେ ଦଶକର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ। ଏହା ପରେ ହାଇଦ୍ରାବାଦ ଇଟାଭାଟି ଅଞ୍ଚଳରେ ଶ୍ରମିକ ବିଦ୍ୟାଳୟ ଖୋଲାଗଲା ଏନ୍ଜିଓ ଦ୍ୱାରା। ଯାହାକୁ ପରେ ଓଡ଼ିଶା ସରକାର ସହଯୋଗ କରିଥିଲେ। ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଉଭୟ ଏନଜିଓ ଓ ରାଜ୍ୟ ସରକାର ଦାଦନ ପ୍ରବଣ ଅଞ୍ଚଳରେ ଆରସିସି (ରେସିଡ଼େଣ୍ଟାଲ ଚାଇଲ୍ଡ କେୟାର ସେଣ୍ଟର)ନାମରେ ଆବାସିକ ବିଦ୍ୟାଳୟମାନ ଖୋଲାଯାଇ ଦାଦନ ଶ୍ରମିକଙ୍କ ସ୍କୁଲ ଯାଉଥିବା ପୁଅଝିଅଙ୍କୁ ରଖାଗଲା। ଦୁଇବର୍ଷ ହେବ ଏହାକୁ ବନ୍ଦ କରାଗଲା। ହାଇଦ୍ରାବାଦରେ ମଧ୍ୟ ୭୨ଟି ଏହିପରି ବିଦ୍ୟାଳୟ ଚାଲିଆସୁଛି। କିନ୍ତୁ ଫୁଲର ପୁଅ ବିଜୟ ତେଲଗୁ ସ୍କୁଲରେ ପାଠ ପଢ଼ୁଥିଲା। ମୋ ନୋଟ ଖାତାରେ ତେଲଗୁରେ ଲେଖିଲା ତାର ନା। କୋଟି କୋଟି ଟଙ୍କାର ଏହି ପ୍ରହସନ, ଆଇନ ସବୁ ଫୁଲ ଓ ବିଜୟ ପାଇଁ କେଉଁ କାମରେ ଆସିଲା, ତାହା ନା’ ବିଜୟ ଜାଣିଲା, ନା’ ଫୁଲ। କିନ୍ତୁ ପେଟ ନିକଟରେ ପ୍ରତିବାଦର ମୂଲ୍ୟ କିଛି ନାହିଁ; ଏ କଥା ଫୁଲ ଠିକ ବୁଝି ପାରିଲା ନିଜେ ବିକ୍ରି ହୋଇ।
Leave a Reply