ବର୍ତ୍ତମାନ ସୋସିଆଲ ମିଡ଼ିଆ ଫେସବୁକ ର କିଛି ଧର୍ତ୍ତବ୍ୟ କମେଣ୍ଟ ଉପରେ ଲୋକଙ୍କ ସ୍ୱଭାବର ବିରୋଧରେ ଉଗ୍ରତା, ପାଗଳାମୀ ଓ ଅସହ୍ୟ ପ୍ରତିକ୍ରିୟା ଦେଖି ମତେ ସ୍ୱଭାବିକ ୧୯୮୨ ମସିହାର ଅଗଷ୍ଟ ମାସର ସେ ନଅଦିନ ମନେ ପଡ଼ିଗଲା। ସେତେବେଳେ ଘୋର ବର୍ଷା ଯୋଗୁଁ ମହାନଦୀ ନିଜର ସୀମା ଲଘଂନ କରିଥିଲା। ସମ୍ବଲପୁର ସହରର ବଡ଼ ଅଂଶକୁ କବଳିତ କରି ନେଇଥିଲା। ବନ୍ୟା ଯୋଗୁଁ ସମ୍ବଲପୁର ବାସୀ ହାହାକାର ଥିଲା। କାର୍ଯ୍ୟାଳୟ, ଦୋକାନ ବଜାର ସବୁ ବନ୍ଦ ହୋଇ ଯାଇଥିଲା। ଆମ ଘର ସହରର ଉଚ୍ଚ ସ୍ଥାନରେ ଥିଲା ଏବଂ ବନ୍ୟା ପାଣି ଆମ ଘର ପର୍ଯ୍ୟନ୍ତ ଆସି ନ ଥିଲା। ଏହି ଘଟଣା କେବଳ ସମ୍ବଲପୁର ବାସୀଙ୍କୁ ଅସୁବିଧାରେ ପକାଇଥିଲା ତାହା ନୁହେଁ। ରେଡ଼ିଓରେ ସମାଚାର ଶୁଣି ସମ୍ବଲପୁର ସହର ସହ ସମ୍ପର୍କ ରଖିଥିବା ଲୋକ, ସହରରେ ଥିବା ଲୋକଙ୍କ ସମ୍ପର୍କୀୟ, ସମ୍ବଲପୁର ସହରକୁ ଜାଣିଥିବା ସମସ୍ତ ଲୋକ ଏପରିକି ସେ ସମୟରେ ଏହା ଏକ ବିଭିଷିକା ହୋଇଥିବା କାରଣରୁ ସମସ୍ତ ମାନବତା ସହର ପ୍ରତି ସମ୍ବେଦନ ଥିଲା। କୌଣସି ନା କୌଣସି ମାଧ୍ୟମରୁ ସହରର ଅବସ୍ଥା, ଏଠାରେ ରହୁଥିବା ଲୋକ କିପରି ଅଛନ୍ତି ଜାଣିବାକୁ ଚେଷ୍ଟା କରୁଥିଲେ ସମସ୍ତେ।
ସୂଚନା ପାଇବା ସେତେ ସମ୍ଭବ ନ ଥିଲା। କେବଳ ରେଡ଼ିଓ ହିଁ ଏକମାତ୍ର ମାଧ୍ୟମ ଥିଲା! ଏହା ବ୍ୟତୀତ ଦୂର ଗାଁ ମାନଙ୍କରେ ଲୋକେ ଥାନା ମାନଙ୍କୁ ଯାଇ ନିଜ ନିଜ ଲୋକଙ୍କ ବିଷୟରେ ଜାଣିବା ତ ସମ୍ଭବ ନ ଥିଲା କିନ୍ତୁ ସହରର କେଉଁ ଅଞ୍ଚଳ କି ପରି ପରିସ୍ଥିତିରେ ଅଛି। ଲୋକେ କଣ କରୁଛନ୍ତି? ଲୋକଙ୍କ ଅବସ୍ଥା କିପରି ଅଛି ଏହା ଜାଣିବାକୁ ବ୍ୟଗ୍ର ଥିଲେ(ଥାନାରେ ଭି.ଏଚ.ଏଫରୁ)।
ଏହି ସମୟରେ ଝାରସୁଗୁଡ଼ା ନିବାସୀ ଜାଫର ଭାଇ ଯିଏ ଆମ ଭାଇ ଭଉଣୀଙ୍କ ନିକଟରେ ଜଫର ଭାଇ ବୋଲି ସମ୍ବୋଧିତ ହେଉଥିଲେ। ସେ ଆମର ଅଗ୍ରଜ ପରି ଥିଲେ। ରେଡ଼ିଓ ସମାଚାର ଶୁଣି ସେ ବ୍ୟସ୍ତ ହୋଇ ପଡ଼ିଲେ। ଅମ୍ମା(ମୋର ମାଁ) ଆଉ ବଚ୍ଚେ(ଆମେ ଭାଇ ଭଉଣୀ) କଷ୍ଟରେ ଥିବେ। ଜାଫର ଭାଇ ମାଁଙ୍କ ଠାରୁ ଚାରି ପାଞ୍ଚ ବର୍ଷର ହିଁ ଛୋଟ ଥିଲେ। ବଡ଼ ଭାଇଙ୍କ ସୁଖଦୁଃଖର ସାଥି ଥିଲେ। ଜଫର ଭାଇ ଏବଂ ଭାଇଙ୍କ ସମ୍ବନ୍ଧର କୌଣସି କାହାଣୀରୁ କମ ନୁହେଁ।
ଦିନ ୧୦ କି ୧୧ ଟା ବାଜିଥିବ; ହଠାତ୍ ଜଫର ଭାଇଙ୍କ ଜିପ ଆମ ଗେଟ ଭିତରକୁ ପଶିଲା। ସେ ଜିପରୁ ଓହ୍ଲେଇଲେ ଏବଂ ଜିପରେ ଥିବା ତାଙ୍କର ଦୁଇଜଣ ଲୋକ କିଛି ବେଗ୍ ଉତାରିଲେ। ସେ ନିଜସହ ଚାଉଳ, ଡାଳି, ପରିବା, ଅଟା, ଲୁଣ, ତେଲ, ମସଲା, ମହମ, ମାଚିସ , ଟର୍ଚ୍ଚ ଆଦି ନେଇ ଆସିଥିଲେ। ଅତିକମରେ ଗୋଟିଏ ପରିବାର ପାଇଁ ଗୋଟିଏ ସପ୍ତାହର ରାସନ ଥିଲା। ଏହା ବି ସତକଥା ଯେ ଆମ ପରିବାରର ସମ୍ବଲପୁର ସହରର ସମ୍ପନ୍ନ ପରିବାର ମଧ୍ୟରୁ ଅନ୍ୟତମ ଥିଲା। ଏସବୁର କିଛି ଆବଶ୍ୟକ ନ ଥିଲା। ଆମ ପରିବାର ପାଇଁ ନିଜର ଚିନ୍ତା ଓ ଏହି ସମସ୍ତ ଜିନିଷପତ୍ର ଆଣି ସେ ନିଜର ପରିବାର ପ୍ରତି ଜଣେ ବଡ଼ ଭାଇର କର୍ତ୍ତବ୍ୟ ପୁରା କଲେ ଯେପରି। ସେ ମାଁଙ୍କୁ କହିଲେ ବର୍ଷା ଓ ବଢ଼ି ଯୋଗୁଁ ଦୋକାନ ବଜାର ବନ୍ଦ ରହିବ ଅମ୍ମା! ମୁଁ ବି ଭାବିଲି ଅମ୍ମାଙ୍କ ସେବା ପାଇଁ ଅହ୍ଲା ମତେ ଗୋଟିଏ ସୁଯୋଗ ଦେଇଛନ୍ତି। ମୋର ଅମ୍ମା ତ ଦେବୀ ନିଜର ପାଖ ପଡ଼ୋଶୀ ଅସୁବିଧାରେ ଆସିଲେ ନିରାଶ ଯେପରି ନ ହୁଏ କି ଘରେ ଅସୁବିଧା ନ ହେଉ ସେ ଲାଗି ସବୁ ନେଇ ଆସିଲି।
ମୋର ମାଁ ଅତ୍ୟନ୍ତ ଭାବୁକ ହୋଇଗଲେ। ଆମର ରକ୍ତ ସମ୍ବନ୍ଧିୟ କାହାକୁ ଏ ବିଷୟ ଚିନ୍ତା ଆସି ପାରିଲା ନାହିଁ? ମୁଁ ସେତେବେଳର କଥା ଭାବେ ବେଳେ ବେଳେ ସମସ୍ତେ ଭାବୁକ ହୋଇ ଯାଇଥିଲୁ। ଏପରିକି ଆତ୍ମିୟତାର ଅପରିଚିତ ପାଶ୍ୱର୍ମାନେ ଜୀବନ୍ତ ହୋଇ ଉଠୁଛନ୍ତି ଧିରେ ଧିରେ। ପରିବେଶ ଗମ୍ଭିର ହୋଇ ଯାଉଥିଲା। ଜଫର ଭାଇ କଥାକୁ ଲାଘବ କରିବା ପାଇଁ କହିଲେ ଆରେ ମତେ ଜଲଦି ଚା ଦିଅ!
ଇସଲାମକୁ ମାନୁଥିବ ଜଣେ ସଚ୍ଚା ମାନବାତ୍ମା ଥିଲେ ଜଫର ଭାଇ। ପାଞ୍ଚକାଳର ନମାଜୀ; ଗମନା ଗମନର ଅସୁବିଧା ସତ୍ତ୍ୱେ ଏତେ କଷ୍ଟରେ ଆମମାନଙ୍କ ଚିନ୍ତା କରି ସେ ଆସିଛନ୍ତି।
ଜଫର ଭାଇ; ମହମ୍ମଦ ହାଜି ଜାଫର ସାହେବ ସମଦ, ଝାରସୁଗୁଡ଼ା ଅଞ୍ଚଳରେ ମଦ ବେପାର ଉପରେ ତାଙ୍କର ଏକଚାଟିଆ ଅଧିକାର ଥିଲା। ସାହ ପଡ଼ାରେ ତାଙ୍କର ଗୋଟିଏ ହାଡ଼ କାରଖାନା ଥିଲା। ଜଫର ଭାଇଙ୍କ ପୂର୍ବଜ ନବାବ ସ୍ତରର ଥିଲେ। ମୁଁ ସେତେ ବିଶେଷ କହି ପାରିବି ନାହିଁ କିନ୍ତୁ ସେମାନେ ଦେବାନ ଥିଲେ। ତାଙ୍କ ପୂର୍ବଜଙ୍କ ଠାଟବାଟ ତାଙ୍କ ନିକଟରେ ଦେଖି ହେଉଥିଲା। ସେ ଜଣେ ସମ୍ଭ୍ରାନ୍ତୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।
ଜଫର ଭାଇଙ୍କ ଲୋକମଙ୍ଗଳ କାର୍ଯ୍ୟ ଯିଏ ଅତି ନିକଟରୁ ନ ଜାଣିଛି ସେ କେବେ ବି ବୁଝି ପାରିବ ନାହିଁ। ସେ ଯାହା ବି ଲୋକମଙ୍ଗଳ କାମ କରୁଥିଲେ କାହାକୁ କହୁନ ନ ଥିଲେ। ଲୋକଙ୍କ ଅଲକ୍ଷରେ କେତେ ଯେ ଲୋକ ତାଙ୍କ ଜୀବନରେ ଉନ୍ନତି କରିଛନ୍ତି ତାର ହିସାବ ଦେବା ସମ୍ଭବ ନୁହେଁ ଏଠାରେ।
ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ସ୍ଥାପନା ପଛରେ ଜଫର ଭାଇଙ୍କ ବିଶେଷ ଅବଦାନ ଥିଲା। ଜଫର ଭାଇ ଯେଉଁଠାରେ ରହୁଥିଲେ ସେଠାକାର ସମସ୍ତ ଛୁଆଙ୍କ ସେ ମାମା ଥିଲେ। ଏପରି କୌଣସି ଛୁଆ ନାହିଁ ଯିଏ ତାଙ୍କର ସ୍ନେହ ନ ପାଇଛି। ସେ ନିଜର ପୁରୁଣା ଘରକୁ ଛୁଆଙ୍କ ଅବାଧ ପ୍ରବେଶ ଥିଲା। ମାନବତାର ଶିକ୍ଷା ଦେବା ସହ ସେ ଛୁଆଙ୍କୁ ମନଲାଖି ଖାଇବା ଦେବାରେ ଆନନ୍ଦ ଅନୁଭବ କରୁଥିଲେ।
ସେ ତରଭା ବାବା ହଜରତ ସୟଦ ସାହ ଅବଦୂସ ସକୁର ରହମତୁଲ୍ଲା ହି ଅଲିହି ଦରଗାହ ସରିଫ ତାଙ୍କ ପଥପ୍ରଦର୍ଶକ ଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ହିଁ କାମ କରୁଥିଲେ। ଜଫର ଭାଇ ବହୁ ବର୍ଷ ପର୍ଯ୍ୟନ୍ତ ବିବାହ କରି ନ ଥିଲେ। ତରଭା ବାବା ତାଙ୍କୁ କହିଲେ ଇସଲାମରେ ବିବାହ ଏକ ଅନିବାର୍ଯ୍ୟ ଅନୁଷ୍ଠାନ। ଏହା ତତେ କରିବାକୁ ପଡ଼ିବ। ସେତେବେଳେ ସେ ମାଁଙ୍କୁ ଆସି କହିଥିଲେ, “ଅମ୍ମୀ ମୁଁ ବିବାହ କରିବାକୁ ଚାହେଁ।’ ମାଁ ବହୁତ ଖୁସି ହୋଇ ଯାଇଥିଲେ। ସେ କୌଣସି କାମରେ କଲିକତା(କୋଲକାତା) ଯାଉଥିଲେ। ସେଠାରେ ସେ ନିଜ ଧର୍ମାବଳମ୍ବୀ ଜଣେ ମହିଳାଙ୍କୁ ବିବାହ କରିଥିଲେ। ସେ ଭାବୀଙ୍କ ବିଷୟରେ ମାଙ୍କୁ ସବୁ କହିଥିଲେ। ଜଫର ଭାଇଙ୍କ ଏକମାତ୍ର ପୁଅ ଫଜଲ ଅହମ୍ମଦ ସେ ବର୍ତ୍ତମାନ ଭୋପାଳରେ ରହୁଛି।
ତରଭା ବାବାଙ୍କୁ ଜଫର ଭାଇ ଥରେ କହିଥିଲେ, “ବାବା! ମୋର ସବୁକାମ ହରାମ ପରି ହେଉଛି। ମୁଁ ଭାବି ପାରୁନାହିଁ କଣ କରିବି?’ ବାବା ତାଙ୍କୁ କହିଥିଲେ, “ତୁ ଚିନ୍ତା କର ନାହିଁ! ତୋର ହରାମ କେବେ ହଲାଲ ହୋଇଯିବ ତୁ ବି ଜାଣି ପାରିବୁ ନାହିଁ। ବାସ ତୁ କେବଳ ତୋର କାମ କରିଚାଲ।’
ଜଣେ ସଚ୍ଚା ଇସଲାମ ପାଞ୍ଚ ସମୟର ନମାଜୀ ଥିଲେ ଜଫର ଭାଇ। ଅହ୍ଲାଙ୍କ ପ୍ରତି ନିଜକୁ ସମର୍ପି ଦେଇଥିଲେ ସେ। ଇସଲାମରେ ଏହାକୁ ଫକିରୀ କହନ୍ତି। ଅର୍ଥାତ୍ ନଶ୍ୱର ଜଗତ ପ୍ରତି ମୋହ ନ ରଖି ନିଜକୁ ଅହ୍ଲାଙ୍କୁ ନିଜର ସର୍ବସ୍ୱ ସମର୍ପି ଦେବା ହିଁ ଫକିରୀ। ତାଙ୍କ ଚେହେରା ରେ ବି ଗୋଟିଏ ଦିବ୍ୟତା ଥିଲା। ସେ ଆମର ବଡ଼ଭାଇ ଥିଲେ ସେଥିଲାଗି ଆମର ଦୃଷ୍ଟି ଏହା ଉପରେ ପଡୁ ନ ଥିଲା। କିନ୍ତୁ ଆଜି ଯେତେବେଳେ ତାଙ୍କ କଥା ଲେଖିବାକୁ ହେଉଛି ତାହା ପୁରା ଆଖିସାମ୍ନାରେ ସ୍ପଷ୍ଟ ଦେଖାଯାଉଛି।
ବସନ୍ତ ହରିରାମ ଆଥା; ମୋର ବଡ଼ଭାଇ ଯିଏ ପରେ ବ୍ୟୋମ ଅଖିଳ ନାମରେ ପରିଚିତ ହେଲେ। ଜଫର ଭାଇ ଯେତେବେଳେ ବି ତରଭା ବାବାଙ୍କ ନିକଟକୁ ଯାଉଥିଲେ ବଡ଼ଭାଇଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ସେତେବେଳେ ଜଫର ଭାଇ ତାଙ୍କ ବିରାଦରୀରସରଦାର-ଏ-ବିରାଦରୀ ହେଲେ ଅର୍ଥାତ୍ ସେ ସଭାପତି ହେଲେ। ଝାରସୁଗୁଡ଼ାର ପୁରୁଣା ମସଜିଦ ଥିଲା। ସେ ପୁରୁଣା ମସଜିଦ ଭାଙ୍ଗି ଆସୁଥିଲା। ତା’ ବଦଳରେ ଗୋଟିଏ ନୂଆ ମସଜିଦ ତିଆରି ପାଇଁ ତରଭା ବାବଙ୍କ ନିକଟରୁ ଅନୁମତି ମାଗିଲେ। ତରଭା ବାବା ବସନ୍ତ ଭାଙ୍କ ପ୍ରତି ଇଙ୍ଗିତ କରି କହିଲେ ସେ ପୁଅ ତୋର ସ୍ୱପ୍ନ ପୁରା କରିବ। ଜଫର ଭାଇ ଡାକିଥିଲେ ବସନ୍ତ ଭାଇଙ୍କୁ ବାବାଙ୍କ ନିକଟକୁ। ବାବା ବସନ୍ତ ଭାଇଙ୍କୁ ଆଦେଶ ଦେଇଥିଲେ ମସଜିଦ ତିଆରି କରିବା ପାଇଁ।
ବସନ୍ତ ଭାଇ ଜଣେ ସ୍ଥପତି ଥିଲେ। ସେ ଆମେରିକା ରହଣୀ ସମୟରେ ବୁକମିନଷ୍ଟର ଫୁଲେରଙ୍କୁ ନିଜର ଗାଇଡ଼ ଫିଲୋସଫର ମାନୁଥିଲେ। ଫୁଲେରଙ୍କ “ଜିଓଡ଼େସିକ ଡ଼ୋମ’ ତଥ୍ୟ ଉପରେ ପର୍ଯ୍ୟବେସିତ ତତ୍ତ୍ୱ ଆଧାରରେ ଝାରସୁଗୁଡ଼ାରେ ମସଜିଦ ନିର୍ମାଣ କଲେ। ଝାରସୁଗୁଡ଼ାର ମସଜିଦ-ଏ-ହଦିଦକୁ ଦେଖିବାକୁ ଆସି ଦେଶ ବିଦେଶରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଆସି ନିଜ ନିଜର ମତ ଦେଇ ଯାଇଛନ୍ତି। ମୋର ତ ସେତେ ସୂଚନା ନାହିଁ କିନ୍ତୁ ଝାରସୁଗୁଡ଼ାର ମସଜିଦ-ଏ-ହଦିଦ ଆଧୁନିକ ବିଶ୍ୱ ସ୍ଥାପତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରେ (“ଝାରସୁଗୁଡ଼ା ବିଚାର’ ପ୍ରଥମ ବର୍ଷ, ତୃତୀୟ ସଂଖ୍ୟାରେ ସବିସ୍ତାର ପ୍ରକାଶ ପାଇଛି; jariaa.com, ମସଜିଦ-ଏ-ହଦିଦ, History)। ମୁଁ ବାହାରେ ଥିଲି। ଶୁଣିଲି ଯେ ଭଦ୍ରକରେ ଜାତିଆଣ ଦଙ୍ଗାରେ ବେଶ ଲୋକ ପିଡ଼ିତ ଅଛନ୍ତି। ମୋର ରାଜ୍ୟ ଓଡ଼ିଶା ନିହାତି ଭାବେ ଶାନ୍ତି ପ୍ରିୟ। ଆମେ କେବେ ବି ଶୁଣି ନାହୁଁ ଓଡ଼ିଶାରେ ଜାତିଆଣ ଦଙ୍ଗା ହେବା। ଏହା କିପରି ହେଲା? କାହିଁକି ହେଲା? ଏମିତି ଅନେକ ପ୍ରଶ୍ନ ମୋ ମନଭିତରେ ଉଠୁଥିଲା। ବାରମ୍ବାର ଜଫର ଭାଇ ମୋର ମନକୁ ଆସୁଥିଲେ। ଜଫର ଭାଇଙ୍କ ସହ ଆମ ପରିବାରର ସମ୍ପର୍କ ଏବଂ ଜଫର ଭାଇଙ୍କ ବ୍ୟକ୍ତିତ୍ୱକୁ ମୁଁ ଦେଖୁଛି। ଦଙ୍ଗା ଜାତିଆଣ ହିଂସା ଶୁଣିଲେ ମୁଁ ବହୁତ କଷ୍ଟ ପାଏଁ। ସହଜରେ ତ କାହାକୁ କିଛି କରି ପାରିବି ନାହିଁ; କିନ୍ତୁ ମନ ଖୁବ ପ୍ରତିକ୍ରିୟାଶୀଳ ହୋଇ ଉଠେ। ଲାଗେ ଯେଉଁମାନେ ବିଭେଦ ତିଆରି କରୁଛନ୍ତି; ଯେଉଁମାନେ କେବଳ ଧର୍ମ ନାମରେ ମାନବତାକୁ ବିଭାଜନ କରୁଛନ୍ତି; ସେମାନେ ଥରେ ଅନ୍ତତଃ ଝାରସୁଗୁଡ଼ା ସ୍ଥିତ ମସଜିଦ-ଏ-ହଦିଦ ବିଷୟରେ ଜାଣିବା ଉଚିତ। ତାକୁ ଥରେ ଦେଖିଯିବା ଉଚିତ। ମସଜିଦର କାରୁକାର୍ଯ୍ୟରେ ଏବଂ ତା ଭିତରେ ଇବାଦତ କରୁଥିବା ଭାଇମାନଙ୍କ ଅଲକ୍ଷରେ ଜଫରଭାଇଙ୍କ ଉଦାରତା ହିଁ ପ୍ରତୀତ ହୁଏ ମୋଦୃଷ୍ଟିରେ।
ଅନ୍ତତଃ ବସନ୍ତ ଭାଇ ଓ ଜଫର ଭାଇ ନାହାନ୍ତି ଏହା ହିଁ ଆଶ୍ୱାସନା! ଏ ଖବରମାନ ଶୁଣି ସେମାନେ କଷ୍ଟ ପାଇଥାନ୍ତେ। କିନ୍ତୁ ସେମାନେ ନାହାନ୍ତି ଏହା ହିଁ ବହୁତ ବଡ଼ ଦୁଃଖ ମୋ ଲାଗି!

ପ୍ରତିମା ମିଶ୍ର, ସମ୍ବଲପୁର ଲେଖିକା ବସନ୍ତ ହରିରାମ ଆଥାଙ୍କ ସାନ ଭଉଣୀ