
ଡା. ଜିତାମିତ୍ର ପ୍ରସାଦ ସିଂ ଦେଓ; ଖଡ଼ିଆଳ ରାଜା ଶ୍ରୀ ଅନୁପ ସିଂ ଦେଓ ଓ ରାଣୀ ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର। ୧୯୪୬ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କର ଜନ୍ମ। ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ, ପ୍ରଥମ ସାହିତ୍ୟ ସମିତି ତଥା ଓଡ଼ିଶା ସଂସ୍କୃତିକୁ ଖଡ଼ିଆଳର ଦାନ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରଖିଥାଏ। ଜଣେ ପ୍ରତ୍ନତତ୍ତ୍ୱବିଦ ଭାବରେ ସେ ପରିଚିତ। ତାଙ୍କଦ୍ୱାରା ବହୁ ପ୍ରତ୍ନତାତ୍ତ୍ୱିକ ସମ୍ପଦା ଆବିଷ୍କାର ହେବାସହ ୧୫ ଖଣ୍ଡ ବହି ଅଦ୍ୟାବଧି ପ୍ରକାଶିତ ହୋଇ ସାରିଛି। ତିନୋଟି ବହି ପ୍ରକାଶ ଅପେକ୍ଷାରେ। ଅନେକ ରାଜ୍ୟ, ରାଷ୍ଟ୍ରିୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର କୃତି ପାଇଁ ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟରୁ ‘ବିଶ୍ୱ ସାହିତ୍ୟ ସମ୍ମାନ’ ପାଇବାରେ ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଡ଼. ଏପିଜେ ଅବଦୁଲ କାଲାମଙ୍କ ପରେ ଦ୍ୱିତୀୟ ଭାରତୀୟ।
ବିକ୍ରମଖୋଳ ଶିଳାଲିପି ଉପରେ ଚର୍ଚ୍ଚା କରିବା ପାଇଁ ତାଙ୍କ ଖଡ଼ିଆଳ ରାଜପ୍ରାସାଦରେ ଗତ ୮ ଜାନୁୟାରୀ ୨୦୧୭ ଦିନ ‘ଜରିଆ’ ତରଫରୁ ତାଙ୍କୁ ସାକ୍ଷାତ କରାଯାଇଥିଲା। ଏହି ଦୀର୍ଘ ସାକ୍ଷାତକାରର କିଛି ସମ୍ପାଦିତ ଅଂଶ ବିକ୍ରମଖୋଳ ଗୁମ୍ଫା ଲିପି ଓ ଚିତ୍ର ଉପରେ ଏକ ଉପସ୍ଥାପନା।

ଜରିଆ-ବିକ୍ରମଖୋଳର ସ୍ୱତନ୍ତ୍ରତା କଣ?
ଡ଼. ଜିତାମିତ୍ର ପ୍ରସାଦ ସିଂ ଦେଓ – ୧୯୩୩ ମସିହାରେ ଜଣେ ସାଧୁ ସ୍ୱାମୀ ଗୟାନନ୍ଦ ସ୍ଥାନୀୟ ଲୋକଙ୍କ ସହାୟତାରେ ବିକ୍ରମଖୋଳର ପ୍ରସ୍ତର ଲିପି ଦେଖିଥିଲେ; ଏହି ସୂଚନା ସେ ପ୍ରଫେସର କାଶି ପ୍ରସାଦ ଜୟସ୍ୱାଲଙ୍କୁ ଦେଇଥିଲେ। ଏହାକୁ ପ୍ରଫେସର ଜୟସ୍ୱାଲ ଅଧ୍ୟୟନ କରି ଆଲୋକକୁ ଆଣିଥିଲେ। ଏହା ହରପ୍ପା ଲିପି ଏବଂ ପ୍ରାକ୍ ବ୍ରାହ୍ମୀ ଲିପି ଅଟେ। ସୁବ୍ରତ କୁମାର ଆଚାର୍ଯ୍ୟ ଏହାକୁ ପ୍ରଥମ ଖୋଦିତ ବ୍ରାହ୍ମୀଲିପି କହନ୍ତି। ଏଠାରେ ଲିପି ସହ କିଛି ପଶୁଚିତ୍ର ବି ଖୋଦିତ ହୋଇଛି। ପ୍ରାଚୀନ ଗୁମ୍ଫାଚିତ୍ରମାନଙ୍କରେ ଚିତ୍ର ବି ଏକ ପ୍ରକାଶର ମାଧ୍ୟମ।
ଐତିହାସିକ ଅନୁଧ୍ୟାନ କଣ କହେ?
ପଶ୍ଚିମବଙ୍ଗ ମେଦିନାପୁର; ଛତିଶଗଡ଼ ରାୟଗଡ଼ ରୁ ବସ୍ତର ଓ ପଶ୍ଚିମ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଲା; ଏହା ହେଉଛି ମହାନଦୀ ଉପତ୍ୟକା। The Grater Mahanadi Velly ଏହାକୁ ଉଡ଼୍ରପୀଠ ବା ଉଡ୍ଡିଆନ ପିଠ କୁହାଯାଏ। ବିକ୍ରମଖୋଳ ସମେତ ନୂଆପଡ଼ା ଜିଲ୍ଲାର ଯୋଗୀମଠ(ଖ୍ରୀ.ପୂ. ଦଶହଜାର ବର୍ଷ), କଲାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି(ଖ୍ରୀ.ପୂ. ପନ୍ଦରହଜାର ବର୍ଷ), ସୋନପୁର ଜିଲ୍ଲାର ପୂଜା ଡୁଙ୍ଗରୀ ଆଦି ଗୁମ୍ଫାଚିତ୍ର ରହିଅଛି। ଗୁଡ଼ହାଣ୍ଡିରେ ପଶୁପତିଙ୍କ ଚିତ୍ର ରହିଅଛି। ଯୋଗୀମଠରେ ହିରଣ୍ୟଗର୍ଭର ଚିତ୍ର ଯାହାକୁ ଅଣ୍ଡାକୃତିରେ ପ୍ରକାଶ କରାଯାଏ ତାହା ତିନୋଟି ଅଣ୍ଡାକାର ବୃତ୍ତରେ ଦେଖାଯାଇଛି। ଏଠାରେ ସୃଷ୍ଟିରୁ ସଭ୍ୟତା ପର୍ଯ୍ୟନ୍ତ ଚିତ୍ର ରହିଅଛି। ବିକ୍ରମଖୋଳରେ ଖୋଦିତ ଲିପି ରହିଥିବା ହେତୁ ଏହା ଧାତୁ ଆବିଷ୍କାର ସମୟର ବୋଲି କୁହାଯାଇ ପାରେ। ଏହା ସହିତ ବହୁ ପ୍ରାଚୀନ ଧରୋହର ମହାନଦୀ ଉପତ୍ୟକାରେ ଦେଖାଯାଇଥାଏ।
ଏସବୁ କାହାକୁ ଇଙ୍ଗିତ କରିଥାଏ?
The Grater Mahanadi Velly ବା ଉଡ୍ଡିୟାନ ପିଠ ହେଉଛି ସାଂଖ୍ୟ ଓ ତନ୍ତ୍ରର ଆଦିଭୂମୀ। କପିଳମୁନୀ ସାଂଖ୍ୟ ଦର୍ଶନ ପୃଥିବୀକୁ ଦେଇଛନ୍ତି। ମହାନଦୀ ଉପତ୍ୟକାର କେନ୍ଦ୍ର ଗୁରୁଡ଼ଙ୍ଗର ଯେଉଁଠାରେ ଆଦିପୁରୁଷ(ଗୁରୁବୁଢ଼ା) ଓ ଆଦିମାତା(ଦ୍ୱାରସେନୀ) ଆଜି ମଧ୍ୟ ପୂଜା ପାଉଛନ୍ତି। ଗୁରୁଡ଼ଙ୍ଗର ଗୁମ୍ଫା (ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ପାତାଳଗଙ୍ଗା)ରେ ଏକ ଲିଙ୍ଗ ରହିଅଛି ଯେଉଁଠାରେ କପିଳମୁନୀ ତପସ୍ୟା କରିଥିଲେ। ଏହି ଉପତ୍ୟକାର ସୁନାବେଡ଼ା ଅଞ୍ଚଳରୁ ମୋର ପତ୍ନୀ ଶ୍ରୀମତୀ ରାଜଶ୍ରୀ ଦେବୀଙ୍କ ଦ୍ୱାରା ‘ସୃଷ୍ଟିଯନ୍ତ୍ର’ ଆବିଷ୍କାର ହୋଇଛି। ଶିବ କାମେଶ୍ୱର, ଶିବା କାମେଶ୍ୱରୀ ଓ ସାମରସ୍ୟ ଏହି ତିନୋଟି ହିଁ ସୃଷ୍ଟି ରହସ୍ୟ। ଏହା ସୃଷ୍ଟିଯନ୍ତ୍ର। ସତ୍ତ୍ୱ, ରଜ ଓ ତମର ଦର୍ଶନ କପିଳମୁନୀ ହିଁ ଦେଇଥିଲେ। ମାରାଗୁଡ଼ା ଉପତ୍ୟକାରେ ଏକ ଶିଳାଲିପି ଦେଖାଯାଇଛି ଯେଉଁଠି ‘ଗୁଣ’ ‘ଲୋପ’ ‘ଦ୍ୟୁମ’ ତିନୋଟି ଶବ୍ଦ ଲେଖାଯାଇଛି। ଭାରତୀୟ ଦର୍ଶନକୁ ‘ସାଂଖ୍ୟ’ ଆମ ଅଞ୍ଚଳର ହିଁ ଦାନ। ‘ବୃହତ୍ତ ଯୋଗିନୀ ତନ୍ତ୍ର’ର ‘ହଟ୍ଟଯୋଗ ପ୍ରଦୀପ’ ଅନୁସାରେ ଆଦିଯୋଗିନୀଙ୍କ ନିକଟରେ ସୋମେଶ୍ୱର ରହନ୍ତି। ରାଣୀପୁର ଝରିଆଲ ଚଉଷଠୀ ଯୋଗିନୀଙ୍କ ମନ୍ଦିର ନିକଟରେ ସୋମେଶ୍ୱର ମନ୍ଦିର ରହିଅଛି। ବିଶ୍ୱକୁ ‘ତନ୍ତ୍ର’ ଓ ‘ସାଂଖ୍ୟ’ ହେଉଛି ଆମ ଅଞ୍ଚଳର ଦାନ।
ବିକ୍ରମଖୋଳର ଅବଦାନ ଭାରତୀୟ ସଂସ୍କୃତି ପ୍ରତି କଣ ରହିଅଛି?
କାଳଖଣ୍ଡର ପ୍ରକୃତ ବ୍ୟାକ୍ଷା ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ଆମେ ପଶ୍ଚିମ ବା ପାଶ୍ଚାତ୍ୟ ଐତିହାସିକ ଓ ପୁରାତତ୍ତ୍ୱବେତାଙ୍କ ପଦାଙ୍କ ଅନୁସରଣ କରିବା ଫଳରେ ଆନେକ ତଥ୍ୟର ପ୍ରକୃତ ସ୍ୱରୁପ ଆମେ ପାଇ ପାରୁନାହୁଁ। ଅନେକ ମନୀଷି ଏହି ସତ୍ୟକୁ ଆଲୋକ ଦେବାରେ ସମର୍ଥ ହେଉଛନ୍ତି। ମହାନଦୀ ଉପତ୍ୟକା ଉପରେ ଆହୁରି ଗବବେଷଣା ବାକିଅଛି। ଯାହାବି ସତ୍ୟ ସାମ୍ନାକୁ ଆସିଛି ସେଥିରେ ମହାନଦୀ ଉପତ୍ୟକାର ଦାନ ବିଶ୍ୱକୁ ଅତୁଳନୀୟ। ବିକ୍ରମଖୋଳର ପୂର୍ଣ୍ଣାଙ୍ଗ ଅନୁଶୀଳନ ଲିପି ପାଠ ପରେ କହିହେବ। ଯେପରି ମହାନଦୀ ଉପତ୍ୟକାର କ୍ରମବର୍ଦ୍ଧମାନ ସଂସ୍କୃତି ଓ ଦର୍ଶନ ନିଜର ସ୍ୱତନ୍ତ୍ରତା ରଖିଥାଏ। ତେଣୁ ବିକ୍ରମଖୋଳକୁ ନିଶ୍ଚିତ ଉଚ୍ଚସ୍ତର ପ୍ରାପ୍ତ ହୋଇଥିଲା ଏଥିରେ ଦ୍ୱୀମତ ନାହିଁ।
ବିକ୍ରମଖୋଳ ଲିପିର ବ୍ୟବହାର ଅନ୍ୟ କେଉଁଠି ଦେଖାଯାଏ?
ଏହା ବ୍ରାହ୍ମୀଲିପିର ଆଦିରୁପ। ଅନେକ ସ୍ଥାନରେ ରହିଅଛି। ଆମେ ଅଶୋକଙ୍କ ଶିଳାଲିପି ଦେଖିଥାଉ। ତାଙ୍କର ୩୨ଟି ଶିଳାଲେଖରେ ବ୍ରାହ୍ମୀଲିପିର ବ୍ୟବହାର ଅଛି। ପାଶ୍ଚାତ୍ୟ ଅନୁକରଣ ଆମକୁ ଐତିହାସିକ ଅଧ୍ୟୟନ ବେଳେ ଭ୍ରମିତ କରି ରଖିଛି। ଦେଖନ୍ତୁ ପ୍ରକୃତରେ ତିନିଜଣ ଅଶୋକ ଥିଲେ।
ପ୍ରଥମ ବିନ୍ଦୁସାର ଯିଏ ଅଶୋକ ବର୍ଦ୍ଧନ; ଦ୍ୱିତୀୟ କାଶ୍ମୀର ରାଜା ଗନୋଦ ବଂଶର ରାଜା ଅଶୋକ। ରାଜତରଙ୍ଗିଣୀରେ କୁହାଯାଇଛି ସେ ପ୍ରଥମେ ଶୈବ ଥିଲେ ପରେ ବୁଦ୍ଧଧର୍ମ ଗ୍ରହଣ କରିଥିଲେ। ତୃତୀୟ ଅଶୋକ ହେଉଛନ୍ତି ସମୁଦ୍ରଗୁପ୍ତ ଅଶୋକାଦିତ୍ୟ ପ୍ରିୟଦର୍ଶନ। ଭବିଷ୍ୟତ ପୁରାଣ, ତୃତୀୟ ଖଣ୍ଡ କଳିଯୁଗ ରାଜବୃତ୍ତାନ୍ତରେ ତାଙ୍କର ବର୍ଣ୍ଣନା ଅଛି। ଯାହାକୁ ୧୯୨୦ ମସିହାରେ ନାରାୟଣ ଶାସ୍ତ୍ରୀ ଇଂଲଣ୍ଡ ପାଠାଗାରରୁ ପାଇଥିଲେ। ସେଥିରେ ଉଲ୍ଲେଖ ଅଛି
ଅଶୋକାଦିତ୍ୟ ପ୍ରିୟଦର୍ଶନ କଳିଙ୍ଗ ଆକ୍ରମଣ କରିଥିଲେ ଏବଂ କଳିଙ୍ଗର ରାଜା ‘କ୍ଷେମରାଜ’ଙ୍କୁ ତାଙ୍କ ବଶତା ସ୍ୱୀକାର କରାଇଥିଲେ।
ଇତିହାସକୁ କିପରି ଭ୍ରମିତ କରାଯାଇଛି ଦେଖନ୍ତୁ କାଶ୍ମୀର ରାଜା ଅଶୋକ ବୁଦ୍ଧଙ୍କ ଜନ୍ମସ୍ଥାନରେ ଶିଳାଲେଖ ଖୋଦନ କରାଇଥିଲେ। ଅଶୋକାଦିତ୍ୟ
ପ୍ରିୟଦର୍ଶନ ବୁଦ୍ଧ ହେବାକଥା କୁହାଯାଇ ନାହିଁ ସେ ବିଷ୍ଣଙ୍କ ଶରଣାଗତ ହୋଇଥିଲେ। ତାଙ୍କର ଶିଳାଲେଖରେ ବୁଦ୍ଧଙ୍କ ବର୍ଣ୍ଣନା ନାହିଁ। ବିକ୍ରମଖୋଳ ପରେ ଏକ ବିରାଟ କ୍ଷେତ୍ରରେ ଅଶୋକଙ୍କ ଶିଳାଲେଖରେ ଆମେ ବ୍ରାହ୍ମୀଲିପିର ବ୍ୟବହାର ଦେଖିଥାଉ।
ଅର୍ଥାତ ବିକ୍ରମଖୋଳକୁ କେବଳ ବିକ୍ରମଖୋଳ ଭିତରେ ସୀମିତ ରଖାଯିବା ଅନୁଚିତ?
ହଁ! ଏହାର ବ୍ୟାପ୍ତି ବୋଲି କହିବା ନାହିଁ କିନ୍ତୁ ଗୋଟିଏ ବୃହତ୍ତ ପରିସୀମାରେ ଏହାକୁ ଦେଖାଯିବା ଆବଶ୍ୟକ। ସମସ୍ତ ପ୍ରାଚ୍ୟ ଲିପିର ଜନନୀ ବ୍ରାହ୍ମୀ ଲିପି ଅଟେ। ଏହି ଲିପିର ବିବର୍ତ୍ତନ ହୋଇଛି। ଆଜି ଆମେ ଏହାକୁ ଗୋଟିଏ ସ୍ତରରେ ଦେଖୁଛୁ। ବିକ୍ରମଖୋଳ ଲିପି ଏକ ପ୍ରମାଣ। ଏହା ଇଙ୍ଗିତ କରେ ଆମର ପ୍ରାଚୀନ ଯୁଗର ସଂସ୍କୃତି ପଟେ ଦର୍ଶନ ପଟେ। ଉଡ୍ଡିୟାନ ପିଠର ଭୂମା ଇତିହାସ ଓ ଉଚ୍ଚସ୍ତରର ମାନବୀୟ ଚେତନାର ଅଧ୍ୟୟନ ଆବଶ୍ୟକ। ସେହି ଅନୁସାରେ ଆମର ବର୍ତ୍ତମାନକୁ ସଂଶୋଧିତ କରିବା ଆମର ଦାୟିତ୍ୱ। ସବୁର ମୂଳ ହେଲା ସତ୍ୟ ଗୋଟିଏ ଓ ଅପରିବର୍ତ୍ତିତ।
Leave a Reply