ଓଡ଼ିଶାରେ ମରୁଡିର ଇତିହାସ କହିଲେ ପ୍ରଥମେ ବର୍ଷାଭାବ ଜନିତ ମରୁଡି ଉପରେ ଚର୍ଚ୍ଚା ହୋଇଥାଏ। ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି। ୧୮୯୯ – ୧୯୦୦ ସମିହାରେ ଛପନସାଲ ଦୁର୍ଭିକ୍ଷ ହୋଇଥିଲା। ବିଗତ ଅର୍ଦ୍ଧ ଶତାବ୍ଦୀର ଇତିହାସରେ ଏହା ଦେଶର ୨୪ ତମ ବଡ ମରୁଡି ଏବଂ ଭାରତର ଦୁର୍ଭିକ୍ଷ ଇତିହାସରେ ୫୦ ତମ ବର୍ଷ ପୁରା କରିଥିଲା। ବିଶେଷଜ୍ଞଙ୍କ ମତରେ ଇଂରେଜ ଶାସନ ସମୟରେ ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଉପନିବେଶିକ ଶାସନ ସମସ୍ତ ମରୁଡିମାନଙ୍କ ପାଇଁ ଦାୟୀ ଅଟେ। ଭାରତରେ (ପାକିସ୍ଥାନ ଓ ବଙ୍ଗଲାଦେଶ ସମେତ) ପଡିଥିବା ଏହି ମରୁଡିମାନଙ୍କ ମଧ୍ୟରେ କେତେକ ମରୁଡିର ଉଦାହରଣ ନିଆଯାଇ ପାରେ।
୧୮୬୫ – ୧୮୬୬ ନଅଙ୍କ ଦୁର୍ଭିକ୍ଷ
ଓଡ଼ିଶାରେ ଏହାକୁ ନଅଙ୍କ ଦୁର୍ଭିକ୍ଷ ବୋଲି କୁହାଯାଏ। ଯାହା ଗଜପତି ରାଜାଙ୍କ ନଅ ଅଙ୍କରେ ପଡିଥିଲା। ଏହା ପ୍ରଥମେ ବାଲେଶ୍ୱର ଏବଂ ତଟୀୟ ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ଦେଖା ଯାଇଥିଲା। ପରବର୍ତ୍ତି ସମୟରେ ଏହା ଅନ୍ୟ କ୍ଷେତ୍ରକୁ ବ୍ୟାପିଥିଲା। ବିହାର, ଦକ୍ଷିଣପୂର୍ବ ତଟିୟ କ୍ଷେତ୍ର, ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ ଅଞ୍ଚଳ ଓ କର୍ଣ୍ଣାଟକକୁ ବ୍ୟାପିଥିଲା। ଯାହା ମାଡ୍ରାସ ପ୍ରେସିଡେନ୍ସି ଅଧିନସ୍ଥ କ୍ଷେତ୍ର ଥିଲା। ଏହା ୧ ଲକ୍ଷ ୮୦ ହଜାର ବର୍ଗମାଇଲ ଅଞ୍ଚଳକୁ ପ୍ରଭାବିତ କରିଥିଲା।
୧୮୬୮ – ୧୮୭୦ ରାଜପୁତାନା ଦୁର୍ଭିକ୍ଷ
ଏହି ମରୁଡି ଗୁଜରାଟ, ଉତ୍ତର ଦକ୍କନ ଜିଲ୍ଲା ସମୂହ ଓ ଜବଲପୁର ଡିଭିଜନକୁ ପ୍ରଭାବିତ କରିଥିଲା। ମଧ୍ୟପ୍ରାନ୍ତ, ବିହାରର ସଂଯୁକ୍ତ ପ୍ରାନ୍ତ, ଆଗ୍ରା, ବୁନ୍ଦେଲଖଣ୍ଡ ମଣ୍ଡଳ, ହିସାର ମଣ୍ଡଳ ଓ ପଞ୍ଜାବ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ୨ ଲକ୍ଷ ୯୬ ହଜାର ବର୍ଗମାଇଲ ଅଞ୍ଚଳରେ ନିଜର କରାଳତା ଦେଖାଇ ଥିଲା।
୧୮୭୩ – ୧୮୭୪ ବିହାର ମରୁଡି ବା ବଙ୍ଗାଲ ମରୁଡି
ଏହି ମରୁଡିରେ ବିହାର ଓ ବଙ୍ଗର ପଡୋଶୀ ଅଞ୍ଚଳ, ଉତ୍ତର ପଶ୍ଚିମ କ୍ଷେତ୍ର, ଅବଧ, ମୋଙ୍ଗେର ଅଧିକ ପ୍ରଭାବିତ ଥିଲା। ଏହା ୫୪ ହଜାର ବର୍ଗମାଇଲ ଅଞ୍ଚଳରେ ନିଜର ପ୍ରଭାବ ଦେଖାଇଥିଲା।
୧୮୭୬-୭୮ The Great femine
ଏହି ସମୟରେ ୧୮୭୭ ମାଡ୍ରାସ ଦୁର୍ଭିକ୍ଷ ବା ମାଡ୍ରାସ ଅକାଳ ପଡିଥିଲା। ୧୮୭୬ ମସିହାରେ ମୌସୁମି କାରଣରୁ କମ ବର୍ଷା ହେବା ଫଳରେ ଫସଲ ନଷ୍ଟ ହୋଇଥିଲା। ଏହି ମରୁଡି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳକୁ ପ୍ରଭାବିତ କରିଥିଲା। ମାଡ୍ରାସ, ମହିସୂର, ହାଇଦ୍ରାବାଦ ଓ ବମ୍ବେ କ୍ଷେତ୍ରରେ ଦୁଇବର୍ଷ ମରୁଡିର ପ୍ରଭାବ ରହିଲା। ଏହା ଦୁଇବର୍ଷ ନିଜର ପ୍ରଭାବ ରଖିବା ସହ ବିସ୍ତାରିତ ହୋଇଥିଲା। ଯାହା ଉତ୍ତରର ମଧ୍ୟପ୍ରାନ୍ତ, ସଂଯୁକ୍ତ କ୍ଷେତ୍ର ଓ ଉତ୍ତର ପଶ୍ଚିମ ପଞ୍ଜାବ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହି ମରୁଡି ୨ ଲକ୍ଷ ୫୭ ହଜାର ବର୍ଗ ମାଇଲ ଅଞ୍ଚଳରେ ନିଜର କରାଳ ପ୍ରଭାବ ପକାଇ ଥିଲା।
୧୮୮୮ – ୧୮୮୯
ଉତ୍ତର ବିହାର ଓ ଓଡ଼ିଶାର ଗଞ୍ଜାମ ସମେତ ଉତ୍ତର ପୂର୍ବ ଅଞ୍ଚଳରେ ଏହି କରାଳ ମରୁଡିର ପ୍ରଭାବ ରହିଥିଲା।
୧୮୯୬ – ୧୮୯୭
ବୁନ୍ଦେଲଖଣ୍ଡରୁ ଏହି ମରୁଡି ଆରମ୍ଭ ହୋଇଥିଲା। ଯାହା ପରବର୍ତ୍ତି ସମୟରେ ସଂଯୁକ୍ତ ପ୍ରାନ୍ତ, ମଧ୍ୟପ୍ରାନ୍ତ, ବରାର, ବିହାର, ବମ୍ବେ, ମାଡ୍ରାସର ଅଂଶ, ପଞ୍ଜାବର ହିସାର ଅଞ୍ଚଳରେ ନିଜର ପ୍ରଭାବ ରଖିଥିଲା। ଏହାସହ ଉତ୍ତର ପୂର୍ବ ରାଜପୁତାନା ଓ ମଧ୍ୟଅଂଶକୁ ମିଶାଇ ୩ ଲକ୍ଷ ୭ ହଜାର ବର୍ଗମାଇଲ କ୍ଷେତ୍ରକୁ ପ୍ରଭାବିତ କରିଥିଲା।
୧୮୯୯ – ୧୯୦୦
ମଧ୍ୟପ୍ରାନ୍ତ, ବରାର, ବମ୍ବେ ପ୍ରେସିଡେନ୍ସି, ଅଜମେର, ମେରବାଡା ର ଛୋଟାପ୍ରାନ୍ତ, ପଞ୍ଜାବର ହିସାର, ରାଜପୁତାନା ଏଜେନ୍ସି,ସେଣ୍ଟ୍ରାଲ ଇଣ୍ଡିଆ ଏଜେନ୍ସି, ହାଇଦ୍ରାବାଦ ସମେତ ବଙ୍ଗାଲ ଓ ମାଡ୍ରାସ ପ୍ରେସିଡେନ୍ସି ସୀମାର ମୋଟ ୩ ଲକ୍ଷ ୭୬ ହଜାର ବର୍ଗମାଇଲ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଏ ମଧ୍ୟରେ ଓଡ଼ିଶା ମଧ୍ୟ ଆସିଥାଏ। ଯାହା ମାଡ୍ରାସ, ବମ୍ବେ ଓ ମଧ୍ୟ କ୍ଷେତ୍ର ସୀମାଭୁକ୍ତ ଥିଲା। ଯାହାକୁ ଓଡ଼ିଶାର ଛପନସାଲ ଦୁର୍ଭିକ୍ଷ କୁହାଯାଏ। ଏହାକୁ ସପନସାଲ ବୋଲି ମଧ୍ୟ କହିଥାନ୍ତି। କାରଣ ଖାଦ୍ୟ ସ୍ୱପ୍ନ ଥିଲା। ଅର୍ଥାତ ଅପହଞ୍ଚ ଥିଲା।
ଉନ୍ନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଘଟିତ ହୋଇଥିବା ମରୁଡିମାନଙ୍କ ବିଷୟରେ ଚର୍ଚ୍ଚା କଲେ କେବଳ ବର୍ଷାଭାବ ଜନିତ କାରଣକୁ ଦାୟୀ କଲେ ଆକଳନ ସମ୍ପୂର୍ଣ୍ଣ ସତ୍ୟ ହେବ ନାହିଁ। ଏହି ସମୟର ଇତିହାସ ଉପରେ ଆଲୋଚନା ମଧ୍ୟ ଆବଶ୍ୟକ ଅଟେ। ଉନ୍ନବିଂଶ ଶତକର ଆରମ୍ଭ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜର ବ୍ୟବସାୟ ସମ୍ପ୍ରସାରଣ ପାଇଁ ଯୁଦ୍ଧକୁ ଏକ ବଡ ମାଧ୍ୟମ କରିଥିଲା। ଯାହା ତାକୁ ରାଜନୀତି କ୍ଷେତ୍ରରେ ବିସ୍ତାରର ସୁଯୋଗ ଦେଇଥିଲା। ଏହି ସମୟ ପର୍ଯ୍ୟନ୍ତ ଭାରତ ଉପ ମହାଦେଶରେ ଇଂରେଜ ସତ୍ତା ଏକ ମହାଶକ୍ତି ଭାବରେ ନିଜକୁ ଜାହିର କରି ପାରିଥିଲା। ଏହି ସମୟରେ ହୋଇଥିବା ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନ ଉପରେ ଦୃଷ୍ଟି ଦେବା ଆବଶ୍ୟକ।

କୃଷି
ଇଂରେଜ ଶାସନ ପୂର୍ବରୁ ଗ୍ରାମ୍ୟ ବ୍ୟବସ୍ଥା କୃଷି ଓ ଜଙ୍ଗଲ ପର୍ଯ୍ୟବେଶିତ ଥିଲା। କୃଷି ଓ ଜଙ୍ଗଲ ଉପଜ ଜନିତ ଶିଳ୍ପ ଓ ଖଣିଜର ବ୍ୟବହାର ହେଉଥିଲା। ଗ୍ରାମ୍ୟ ସାମାଜିକ ବ୍ୟବସ୍ଥାରେ କୃଷି ଉପଜ ଉଭୟ କୃଷି ଓ ଅଣକୃଷି କ୍ଷେତ୍ରରେ ନିୟୋଜିତ ସମସ୍ତଙ୍କ ପାଇଁ ଖାଦ୍ୟାନ୍ନ ଆପୂର୍ତ୍ତି କରୁଥିଲା। ଅଧିକ ଅମଲ ଦୁଃସମୟରେ ବ୍ୟବହାର ପାଇଁ ଭଣ୍ଡାର କରି ରଖା ଯାଉଥିଲା। ଅଷ୍ଟାଦଶ ଶତାବ୍ଦୀ ଶେଷ ବେଳକୁ ନୂତନ ଶାସନ ବ୍ୟବସ୍ଥା ଗ୍ରାମ୍ୟ ବ୍ୟବସ୍ଥାରେ ବିଘଟନ ଆରମ୍ଭ କରି ଦେଇଥିଲା। ୧୭୯୩ ମସିହାରେ ଲର୍ଡ କର୍ଣ୍ଣୱାଲିସ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁକଲେ। ବଙ୍ଗାଲ, ବିହାର, ଓଡ଼ିଶା ଓ ଉତ୍ତର ମାଡ୍ରାସ ପ୍ରେସିଡେନ୍ସିର ବିସ୍ତାରିତ କ୍ଷେତ୍ରରେ ଜମିଦାର ଗୋଟିଏ ନୂତନ ଶ୍ରେଣୀ ସୃଷ୍ଟି ହେଲା। ଯେଉଁମାନେ ଲୋକଙ୍କ ନିକଟରୁ ଖଜଣା ସଂଗ୍ରହ ପାଇଁ ଏକ ନୂତନ ଆଭିଜାତ୍ୟ ବର୍ଗ ହୋଇ ରହିଲେ। ଏହି ଆଭିଜାତ୍ୟ ବର୍ଗ ପ୍ରଜା ଏବଂ ଉପନିବେଶିକ ଶାସନ ମଧ୍ୟରେ ମଧ୍ୟସ୍ଥି ହୋଇ ରହିଲେ।
କୃଷକ ଏକ ନିର୍ଦ୍ଦିଷ୍ଟ ଧନରାଶି ଜମିଦାରଙ୍କୁ ଦେଲେ। ଏହି ଧନରାଶି ମୁଦ୍ରା ଆକାରରେ ପଇଠ ହେଉଥିଲା। ଫଳତଃ ଅନେକ କୃଷକ ଚାଷକାମ ଛାଡି ଶ୍ରମିକ ହୋଇଗଲେ ଅବା ଅନ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କଲେ। ଏହି ବ୍ୟବସ୍ଥା ଗୋଟିଏ ଆଖିଦୃଶିଆ ସଂଖ୍ୟାକୁ କୃଷି କ୍ଷେତ୍ରରୁ ଅପସାରଣ କରିଦେଲା। ଏହି ସମୟ ମହାଜନୀ କାରବାରର ଅୟମାରମ୍ଭ ହୋଇଥିଲା। ଏହି ଲୋକମାନେ ଭାରତୀୟ ସମାଜର ପ୍ରଥମ ପିଢୀ ଯେଉଁମାନେ ସାହୁକାର ଓ ଋଣ ସହ ପରିଚିତ ହେଲେ। ମହାଜନୀ କାରବାର ଏତେ ବ୍ୟାପକ ଥିଲା ଯେ ଲୋକଙ୍କ ମଧ୍ୟରେ ଆପ୍ତବାକ୍ୟ ପ୍ରଚଳିତ ହୋଇଥିଲା, ଯାହାକୁ ‘ସାହୁକାରର ଋଣରେ ଜନ୍ମ’ ବୋଲି ସାହୁକାର ଆଶ୍ରିତଙ୍କୁ କହୁଥିଲେ। ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ମହାଜନ ପିଲା ଅବା ସାଁକାର ପିଲା ବୋଲି କୁହା ଯାଉଥିଲା।
ଭାରତୀୟ ଗ୍ରାମ୍ୟ ବ୍ୟବସ୍ଥା ଏତେ ଗୋଷ୍ଠୀଗତ ଥିଲା ଯେ ବିନିମୟ ତମାମ ଅର୍ଥବ୍ୟବସ୍ଥାକୁ ସଶକ୍ତ କରି ରଖିଥିଲା। ରାଜକୀୟ ଓ ବାହ୍ୟ ବ୍ୟବସାୟରେ ମୁଦ୍ରା ସନ୍ତକ ଆକାରରେ ବ୍ୟବହାର ହେଉଥିଲା। ଓଡ଼ିଶା ଗଡଜାତର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ୧୮୧୮ ମସିହା ପରବର୍ତ୍ତି ସମୟରେ ମାଟିର ମୁଦ୍ରା ବହିରାଗତ ବ୍ୟାପାରୀମାନେ ଲେଣଦେଣରେ ପ୍ରଚଳନ କରିଥିଲେ। ଯାହାର ରାଜକୀୟ ବ୍ୟବହାର ହୋଇ ପାରୁ ନଥିଲା। ମାଲଗୁସିଆଁ (କୋଶଲୀ ଶବ୍ଦ; ସ୍ଥାବର ଅବା ଅସ୍ଥାବର ସମ୍ପଦାର ଅଧିକାରୀ) ଓ ବେପାରୀ ମଧ୍ୟରେ ଲେଣଦେଣର ବ୍ୟକ୍ତିଗତ ମାଧ୍ୟମ ହୋଇ ପାରିଥିଲା। ଅନେକ କ୍ଷେତ୍ରରେ ଦେଖା ଯାଇଛି ଏହି ମାଟିର ମୁଦ୍ରା ବଡମକାର (୧୯୬୫-୬୬ ମରୁଡି) ପରବର୍ତ୍ତି ସମୟ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ସ୍ୱାଧିନ ଭାରତରେ ବଡମକାର ପଶ୍ଚିମ ଓଡ଼ିଶାର ସାମାଜି ଚରିତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିଦେଲା। ଯାହା ପୁଞ୍ଜି ପାଇଁ କ୍ଷେତ୍ର ପ୍ରସ୍ତୁତିରେ ସହାୟକ ହୋଇଥିଲା। ବିନିମୟ ବ୍ୟବସ୍ଥା ବର୍ତ୍ତମାନ ମଧ୍ୟ ତାର କ୍ଷୀଣ ସତ୍ତା ନେଇ କାଁ ଭାଁ ଜୀବିତ ରହିଅଛି। ୧୮୧୮ ମସିହା ପରବର୍ତ୍ତି ସମୟରେ ପ୍ରଥମ କରି ଲୋକେ ମୁଦ୍ରାକୁ ବିନିମୟର ମାଧ୍ୟମ କରିଥିଲେ। କାରଣ ଖଜଣା ଅସୁଲିରେ ମୁଦ୍ରା ହିଁ ମାଧ୍ୟମ ଥିଲା। ଏତେବେଳକୁ ଯେଉଁମାନେ ମୁଦ୍ରା ନେଇ ଆସିଲେ ସେମାନେ ପ୍ରଜାଙ୍କ ଉପରେ ଅହେତୁକ ନିୟନ୍ତ୍ରଣ ରଖି ପାରିଲେ। ୧୮୧୮ ମସିହାରେ ମହାଜନୀ ପ୍ରଥାର ଆରମ୍ଭ ହେଲା। ଯାହା ବଡମକାର ସମୟରେ ନିଜର ସ୍ଥିତିକୁ ମଜବୁତ କରିଦେଲା। ନିଜକୁ ଏକ ବ୍ୟବସ୍ଥା ଭାବରେ ଦୃଢତାର ସହ ସ୍ଥାପିତ କରି ପାରିଲା। କୃଷକ ପରିବାର ସିଧା ସିଧା ମହାଜନ ଆଶ୍ରିତ ହୋଇଗଲେ। ଜମିଦାର ଓ ମହାଜନ ଉଭୟେ ନିଜସ୍ୱ ଚାପରେ ସାଧାରଣଙ୍କୁ ରଖି ପାରିଲେ। ଉଭୟେ ପୁଞ୍ଜି ଓ ସାମ୍ରାଜ୍ୟବାଦର ପ୍ରାଥମିକ ପ୍ରତିନିଧି ଥିଲେ। ଫଳ ଏହା ହେଲା ଯେ ଗୋଟିଏ ବିରାଟ ଗୋଷ୍ଠୀ କର୍ମଶୂନ୍ୟ ହୋଇଗଲେ।
୧୮୮୨ ମସିହାରେ ଇଂରେଜ ସରକାର କନ୍ଧମେଳୀକୁ କୃରତାର ସହ ଦମନ କରିଥିଲେ। ପୂର୍ବ ପାରମ୍ପାରିକ ବ୍ୟବସ୍ଥା ମୁଖ୍ୟ ନିଜ ନିଜ କ୍ଷେତ୍ରରେ ଆଧୁନିକ ଜମିଦାର, ରାଜା, ଆଦି ପଦବୀ ଗ୍ରହଣ କରିଥିଲେ। ସେହି ଅଞ୍ଚଳ ମାନଙ୍କରେ ପ୍ରଜା ଆନ୍ଦୋଳନ ବେଶ ପ୍ରଭାବୀ ଥିଲା। ଏହା ଥିଲା ବ୍ୟବସ୍ଥା ବିରୋଧରେ ପ୍ରଥମ ଆନ୍ଦୋଳନ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ୧୮୪୦ ମସିହାରେ ମେରିଆ କମିଶନ ଗଠନ କରାଗଲା। ଜନଆନ୍ଦୋଳନ ମାନଙ୍କୁ ଇଂରେଜ ସରକାର ପ୍ରତ୍ୟକ୍ଷ ଭାବରେ କୃରତାର ସହ ଦମନ କରିଥିଲା। ୧୮୮୨ ମସିହାରେ ଆନ୍ଦୋଳନ ନେତୃତ୍ୱ ନେଉଥିବା ଶତାଧିକ ନେତାଙ୍କୁ ହତ୍ୟା କରିବା ସହ ଫାଶୀ ଓ କଳାପାଣି ଦଣ୍ଡ ଦେଇଥିଲେ। ଏହି ଐତିହାସିକ ସରକାରୀ ଉଗ୍ରବାଦର ନିନ୍ଦା ପ୍ରସ୍ତାବ ମଧ୍ୟ ସ୍ୱାଧିନ ଭାରତର କୌଣସି ସରକାର ଆଣି ନାହାନ୍ତି ସେମାନଙ୍କ ପରିବାରକୁ ଆଶ୍ୱାସନା ଦେବା ଦୂରର କଥା। ଅପରନ୍ତୁ ଚଲନ୍ତି ଓଡ଼ିଶା ରାଜ୍ୟ ସରକାର ଆପାତକାଳ ସଂଗ୍ରାମୀମାନଙ୍କୁ ଭତ୍ତା ଦେବାର ଘୋଷଣା କରିଛନ୍ତି। ଆପାତକାଳ ସମୟରେ ଅନେକ କଳାବଜାରୀ ବେପାରୀ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କ ପାଇଁ ଭତ୍ତା ଦିଆଯିବ ନା ନାହିଁ ଏ ନେଇ କୌଣସି ସ୍ପଷ୍ଟିକରଣ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନାହିଁ।
ଏହି କାରଣରୁ ମହାଜନୀକୁ ସଂଗ୍ରାମୀ ଅଞ୍ଚଳରେ ସ୍ଥିର ହେବାପାଇଁ ବିଳମ୍ବ ହୋଇଥିଲା। ଏହା ହିଁ ଥିଲା ସାମାଜିକ ବିଘଟନର ପ୍ରମୁଖ କାରଣ। ସମାଜ ବିଘଟିତ ହୋଇ ଗୋଟିଏ ନୂତନ ବ୍ୟବସ୍ଥାକୁ ପ୍ରବେଶ କଲା। ନୂତନ ବ୍ୟବସ୍ଥା ପାଇଁ ଅନେକ ଲୋକ ଅପାଙକ୍ତେୟ ହୋଇଗଲେ। ଏହା କହିବା ବାହୁଲ୍ୟ ଯେ ପୁଞ୍ଜି ବିସ୍ତାର ପାଇଁ ଯେଉଁ ଶ୍ରମର ଆବଶ୍ୟକତା ରହିଲା ତାହାକୁ ଏହି କର୍ମଶୂନ୍ୟମାନେ ପୁରା କଲେ। ପ୍ରବାସନ ଆରମ୍ଭ ହେଲା। ଏହି ସମୟର ଏହି ନୂତନ ଶ୍ରମିକ ଶ୍ରେଣୀ କ୍ରୀତଦାସ ପ୍ରଥାର ନୂତନ ସଂସ୍କରଣ ଥିଲେ। ଯାହା ବର୍ତ୍ତମାନ ଦାଦନ ଶ୍ରମିକଙ୍କ ନିକଟରେ ଦେଖାଯାଏ। ସୁତରାଂ ପୁଞ୍ଜିବାଦ ବଜାର ମାଧ୍ୟମରେ ଯେଉଁ ପ୍ରକ୍ରୀୟା ଆରମ୍ଭ କରିଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବଲବତ୍ତର ରହିଛି।
ମୁଦ୍ରାର ପ୍ରଚଳନ ଫଳରେ ପାରମ୍ପାରିକ କୃଷି ଅପେକ୍ଷା ଅର୍ଥକାରୀ ଫସଲ ପାଇଁ ଚାଷୀଙ୍କୁ ଅଭ୍ୟାସ କରାଗଲା। ଗୋଟିଏ ପ୍ରକାରେ ବାଧ୍ୟ କରାଗଲା। ଉନ୍ନବିଂଶ ଶତକ ଆରମ୍ଭ ବେଳକୁ ନୀଳ, ଅଫିମ, କପାସ ଓ ରେଶମ ଅର୍ଥକାରୀ ଫସଲ ଭାବରେ ଅଧିକ ପ୍ରୋତ୍ସାହିତ କରାଗଲା। ଏହା ବଦଳରେ ଧିରେ ଧିରେ ଝୋଟ, ନୀଳ ଓ ଅଫିମ ବଦଳରେ ଖାଦ୍ୟାନ୍ନ, ଶୋରିଷ ଓ ଚା ଏହାର ସ୍ଥାନ ନେଲେ।
ଖାଦ୍ୟାନ୍ନ ସମେତ ସମସ୍ତ କୃଷି ଉପଜ ରପ୍ତାନୀ ପାଇଁ ସଂଗୃହିତ ହେଉଥିଲା। ୧୮୫୯-୬୦ ମସିହାରୁ ୧୯୦୬-୦୭ ମସିହା ପର୍ଯ୍ୟନ୍ତ ଭାରତରୁ ରପ୍ତାନୀ ହାର ୫୦୦ ପ୍ରତିଶତ ବୃଦ୍ଧି ହୋଇଥିବା ଅନୁମାନ କରି କୁହାଯାଏ। ଏହାର ଏକ ବଡ ଲାଭ ବ୍ରିଟିଶ ବେପାରୀ ଓ ବଡଚାଷୀ ଭୋଗ କଲେ। ଫଳତଃ ଭୂତଳ ବା ଉପଜ କ୍ଷେତ୍ରରେ ଖାଦ୍ୟାନ୍ନର ଅଭାବ ଦେଖାଗଲା। ମରୁଡି ସମୟରେ ଏହାର ବିକଟାଳ ରୂପ ଦେଖା ଯାଇଥିଲା। ପ୍ରଥମେ କୃଷି ସ୍ଥାନୀୟ ଆବଶ୍ୟକତାକୁ ପୁରା କରୁଥିଲା। ପରେ ଏହା ହଠାତ୍ ବଜାର ନିୟନ୍ତ୍ରଣକୁ ଚାଲି ଆସିଲା। ଅନେକ ବିଦ୍ୱାନ ଭାରତର ଖାଦ୍ୟାନ୍ନ ରପ୍ତାନୀ ଏବଂ ମରୁଡିର ଘନିଷ୍ଠ ସମ୍ପର୍କ ରହିଥିବା କହନ୍ତି।
୧୯୭୬-୭୭ ମରୁଡି ସମୟରେ ରାଜସ୍ୱ ଅଭାବକୁ ରପ୍ତାନୀ ଦ୍ୱାରା ପୁରା କରାଗଲା। ଫଳରେ ଏହା ମରୁଡି ସଙ୍କଟକୁ ଆହୁରି କୃର କରି ଦେଇଥିଲା। ଏହି ପ୍ରକ୍ରୀୟା ୧୮୯୭-୯୮ ମରୁଡି ସମୟରେ ମଧ୍ୟ ଚାଲୁ ରହିଥିଲା। ଏତେବେଳକୁ ୧୭ ମିଲିୟନ ଷ୍ଟାର୍ଲିଂ (୧ ପାଉଣ୍ଡ ଷ୍ଟାର୍ଲିଂ – ୧୦୭.୪୮ ଟଙ୍କା) ସଂଗ୍ରହ କରାଗଲା। କୃଷକମାନେ ଖାଦ୍ୟାନ୍ନ ବିକ୍ରି କରି ଟଙ୍କା ସଂଗ୍ରହ କରିଥିଲେ। ୧୮୮୦, ୧୮୮୯ ଓ ୧୯୦୧ ମସିହାର ମରୁଡି ସମୟରେ ‘ମରୁଡି ଆୟୋଗ’ ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ଉଲ୍ଲେଖ ରହିଅଛି ଯେ ଏହି ସମୟମାନଙ୍କରେ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟାନ୍ନ ମହଜୁଦ ଥିଲା। ୧୮୮୦ ମସିହାରେ ୫ ମିଲିୟନ ଟନ ଖାଦ୍ୟାନ୍ନ ବଳକା ଉତ୍ପାଦନ ହୋଇଥିଲା। ଯାହା ଭଣ୍ଡାର ରପ୍ତାନୀ ଓ ବିଳାସମୟତା ପାଇଁ ଖର୍ଚ୍ଚ ହୋଇଥିଲା।
୧୮୯୮ ମସିହାରେ ‘ମରୁଡି ଆୟୋଗ’ ତଥ୍ୟ ଅନୁସାରେ ୧୮୮୦ ମସିହାରୁ ୧୮୯୮ ମସିହା ପର୍ଯ୍ୟନ୍ତ ଭାରତର ସମଗ୍ର ଉପଜ କୌଣସି ପ୍ରକାର ଖାଦ୍ୟ ଅଭାବକୁ ପୁରା କରିବା ପାଇଁ ସମର୍ଥ ଅଟେ। ସେହିିପରି ୧୮୮୦ ମସିହାର ଆୟୋଗ ତଥ୍ୟ ଅନୁସାରେ ରପ୍ତାନୀ ଫଳରେ ମରୁଡି ଅସମ୍ଭାଳ ହେଲା ଯାହାକୁ ପ୍ରାକୃତିକ ଆପଦା ବୋଲି କୁହାଯାଇ ନପାରେ। ବିଶେଷଜ୍ଞମାନେ ଏହି କଥାକୁ ଦୁଇ ପ୍ରକାରେ କହିଛନ୍ତି। ଖାଦ୍ୟର ମରୁଡି ଓ ମୁଦ୍ରାର ମରୁଡି।
ଜଙ୍ଗଲ
ଭାରତୀୟ ଗ୍ରାମ୍ୟ ବ୍ୟବସ୍ଥା କୃଷି ଓ ଜଙ୍ଗଲ ଅର୍ଥନୀତି ଉପରେ ପର୍ଯ୍ୟବେଷିତ। ବ୍ରିଟିଶ ସରକାର ନିଜ ଦେଶର ଜଙ୍ଗଲ କ୍ଷୟ ଯୋଗୁଁ ଜାଲେଣୀର ଆପୂର୍ତ୍ତି ପାଇଁ ଭାରତର ଜଙ୍ଗଲ ଉପରେ ନିର୍ଭର କଲେ। ପାରମ୍ପାରିକ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଜଙ୍ଗଲକୁ ସରକାରୀ ଅକ୍ତିଆରକୁ ନେବା ସହଜ ନଥିଲା। ଏଥିପାଇଁ ବିଭିନ୍ନ ଆଇନ ତିଆରି କରାଗଲା। ୧୮୬୦ ମସିହାରେ ଜଙ୍ଗଲ ଆଇନରେ ଅନେକ ଧାରା ଯୋଡି ଏହାକୁ ଜଟିଳ କରି ଦିଆଗଲା। ଫଳରେ ଲୋକେ ଜଙ୍ଗଲ ଉପରେୁ ନିଜର ଅଧିକାର ହରେଇଲେ। ବିନା ଅନୁମତିରେ ସାଧାରଣ ପ୍ରଜାଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ନିଷେଧ ରହିଲା। ଆଦିବାସୀ ଓ ତାଙ୍କ ସହ ସଂଯୁକ୍ତ ସମୂହ ଓ ବନ ଉପରେ ନିର୍ଭର କରୁଥିବା ଲୋକ ନିଶ୍ୱ ହୋଇଗଲେ। ଜମି ଉପରେ ନିର୍ଭର କରି ରହୁଥିବା ଲୋକ ବ୍ୟତୀତ ଅନ୍ୟମାନେ ପଳାୟନକୁ ପନ୍ଥା କରିନେଲେ। ବନଉପଜ ମରୁଡି ବା ଖାଦ୍ୟାଭାବ ସମୟରେ ବେଶ ସହାୟକ ହେଉଥିଲା। ଚାଉଳ ସ୍ଥାନରେ କନ୍ଦମୂଳ ବେଶ ସହାୟକ ହେଇ ପାରୁଥିଲା। ବନ ଆଇନ ପରେ ମରୁଡି ବେଶ କରାଳ ହୋଇଗଲା।

ରେଳମାର୍ଗ
ଏପ୍ରିଲ ୧୬, ୧୮୫୩ ଦିନ ବମ୍ବେ ବୋରିବନ୍ଦରୁ ଠାଣେ ପର୍ଯ୍ୟନ୍ତ ୨୧ ମାଇଲ ରେଳଗାଡି ପ୍ରଥମ କରି ଭାରତ ମାଟିରେ ଗଡିଲା। ୨୧ ତୋପର ସଲାମି ଦେଇ ଆରମ୍ଭ କରା ଯାଇଥିବା ଏହି ୨୧ ମାଇଲ ରେଳମାର୍ଗ ୧୮୬୦ ମସିହାରେ ୮୩୮ ମାଇଲ ଲମ୍ବ ହୋଇ ସାରିଥିଲା। ୧୮୮୦ ମସିହାରେ ଏହା ୧୫,୮୪୨ ମାଇଲ ହୋଇଥିବା ବେଳେ ୧୯୦୧ ମସିହାରେ ୨୫,୩୭୩ ମାଇଲକୁ ସଂପ୍ରସାରିତ ହୋଇଥିଲା। ଏହି ସମସ୍ତ ରେଳମାର୍ଗ ବନ୍ଦର ଅଭିମୁଖି ଥିଲେ। କ୍ଷିପ୍ର ବର୍ଦ୍ଧିତ ରପ୍ତାନୀ ଶିଳ୍ପକୁ ତ୍ୱରାନ୍ୱୀତ କରିବା ପାଇଁ କେବଳ ରେଳମାର୍ଗ ଉଦ୍ଦିଷ୍ଟ ଥିଲା।
ରେଳମାର୍ଗ ଭାରତୀୟ ସଡକ ଓ ନଦୀପଥ ପରିବହନକୁ ବେଶ ପ୍ରଭାବିତ କରିଥିଲା। ରେଳମାର୍ଗ ଭାରତୀୟ ପରିବହନ ବ୍ୟବସ୍ଥାରେ ବେଶ କ୍ରାନ୍ତି ଆଣିଲା ଏହା କହିବା ଭୁଲ ହେବ। କାରଣ ଖ୍ରୀଷ୍ଟପୂର୍ବ ସମୟରୁ ଉତ୍ତରାପଥ ଯାହା ବର୍ତ୍ତମାନ ଗ୍ରାଣ୍ଡଟଙ୍କରୋଡ ନାମରେ ପରିଚିତ ତାହା ଭାରତୀୟ ପରିବହନ ବ୍ୟବସ୍ଥାର ଇତିହାସର ସାକ୍ଷି ହୋଇ ରହିଅଛି। ଚିରସ୍ରୋତା ନଦୀ ଓ ବ୍ୟବସ୍ଥିତ ସଡକପଥ ପରିବହନ ପାଇଁ ପର୍ଯ୍ୟାପ୍ତ ଥିଲା। ମଣିଷ, ଗୋମହିଷାଦି ପଶୁ, ଶଗଡ ଆଦିରେ ସଡକମାର୍ଗରେ ପରିବହନ ହେଉଥିଲା। ମୌସୁମି ସମୟରେ ସଡକ ପରିବହନ ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରଭାବିତ ହେଉଥିଲା କିନ୍ତୁ ଏହା କୃଷିକର୍ମଣ କାଳ ହେଇଥିବା ହେତୁ ପରିବହନ କମ ହେଉଥିଲା। ସମୟ ପୂର୍ବରୁ ଲୋକେ ପରିବହନ ପାଇଁ ନିଜ ନିଜର ବ୍ୟବସ୍ଥା କରି ରଖୁଥିଲେ। ଲଣ୍ଡନ ଓ ମଞ୍ଚେଷ୍ଟର କମ୍ପାନୀର ପରିବହନ ଖର୍ଚ୍ଚ କମେଇବା ପାଇଁ ଭାରତରେ ରେଳମାର୍ଗ ବିଛାଗଲା ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି। ଭାରତୀୟ ବଜାରକୁ ଇଂରେଜଙ୍କ ପାଇଁ ଖୋଲାଗଲା। ସଙ୍କଟ ସମୟରେ ମୁଖ୍ୟତଃ ମରୁଡି ସମୟରେ ପ୍ରଜାଙ୍କ ପାଇଁ ଖାଦ୍ୟ ପରିବହନ ଅପେକ୍ଷା ରପ୍ତାନି ପାଇଁ ରେଳମାର୍ଗ ବ୍ୟବହୃତ ହେଉଥିଲା। ଯାହା ଲୋକଙ୍କ ଖାଦ୍ୟାଭାବ ର ଉପଚାର ପାଇଁ କୌଣସି କାମରେ ଆସୁ ନଥିଲା। ବିଶେଷଜ୍ଞଙ୍କ ଅଧ୍ୟୟନ କହେ ୧୯୦୨ ମସିହାରେ ବଙ୍ଗାଲ, ଆଗ୍ରା, ଅୱଧ ଓ ବମ୍ବେରେ ଜଳସେଚନ ପାଇଁ ୨୪ ମିଲିୟନ ଷ୍ଟର୍ଲିଂ ଖର୍ଚ୍ଚ କରା ଯାଇଥିବା ବେଳେ ରେଳମାର୍ଗ ପାଇଁ ୨୨୬ ମିଲିୟନ ଷ୍ଟର୍ଲିଂ ଖର୍ଚ୍ଚ କରା ଯାଇଥିଲା।
ମରୁଡି ସମୟରେ ଇଂରେଜ ସରକାର କୌଣସି ସହାୟତା ଦେଉ ନଥିଲେ ଏହା ଠିକ ନୁହେଁ। ସହାୟତା ଏତେ କମ ଥିଲା ଯେ ତାହା ଧର୍ମକୁ ଆଖିଠାର ସଦୃଶ ହେଉଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କ ପାଖକୁ ସହାୟତା ପହଞ୍ଚିବା ପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ମରି ସାରିଥିଲେ। ଖାଦ୍ୟାନ୍ନ ଭର୍ତ୍ତି ଜାହାଜ ବନ୍ଦରରେ ଛିଡା ହୋଇ ରହିଲା। ରପ୍ତାନି ନୀତି ଯୋଗୁଁ ଏହା ବନ୍ଦରରେ ଓହ୍ଲେଇବା କଠିଣ ହୋଇଥିଲା। ଏହି ସମୟରେ ସରକାର ୩୦ ମିଲିୟନ ୟୁନିଟ ଖାଦ୍ୟ ପାଇଁ ୯.୫ ମିଲିୟନ ଟଙ୍କା ଖର୍ଚ୍ଚ କରିଥିଲେ। ଗୋଟିଏ ୟୁନିଟ ଜଣେ ବୟସ୍କ ଲୋକଙ୍କ ପାଇଁ ଗୋଟିଏ ଦିନର ପୁରା ଖାଦ୍ୟ।
ନଅଙ୍କ ଦୁର୍ଭିକ୍ଷ ପରେ ସରକାରଙ୍କ ମରୁଡି ପ୍ରତିକାର ଉଦ୍ୟମ ନୀତି ଉପରେ ବିଶେଷ ପରିବର୍ତ୍ତନ ଆଣିଲେ। ୧୮୬୮ ମସିହାରେ ଆଗ୍ରା ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର ୱିଲିୟମ ମୁଇର ଜିଲ୍ଲାପାଳମାନେ ଅନାହାର ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ସରକାରୀ ଘୋଷଣା କରିଥିଲେ। ଏତାଦୃଶ ଘୋଷଣା ଏକଦା ପୂର୍ବ ଓଡ଼ିଶା ସରକାର କରିଥିବା ଦେଖାଯାଏ।
୧୮୬୯ ରାଜପୁତାନା ମରୁଡି ବ୍ରିଟିଶ ଶାସନ କ୍ଷେତ୍ରକୁ ବ୍ୟାପିଥିଲା। କେବଳ ଇଂରେଜ ନୁହେଁ ଅଜମେର, ଆଗ୍ରାର ପଡୋଶୀ ଶାସକ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ୫ ଲକ୍ଷ ଟଙ୍କାର ରାଜସ୍ୱ ମାଫି କରା ଯାଇଥିଲା। ୨.୧ ମିଲିୟନ ଟଙ୍କା କୃଷିଋଣ ପ୍ରଦାନ କରା ଯାଇଥିଲା। ୨୯ ମିଲିୟନ ୟୁନିଟ ଖାଦ୍ୟ ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଯେଉଁଥିରେ ଉଦୟପୁର ରାଜ୍ୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ମରୁଡିରେ ସରକାରୀ ହିସାବରେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।
ବିହାର ବଙ୍ଗାଲ ମରୁଡି ୧୮୭୪ ମସିହାରେ ବ୍ରିଟିଶ ସରକାରଙ୍କ ରିଲିଫ କାର୍ଯ୍ୟ ପୂର୍ବପେକ୍ଷା ଅଧିକ ସଫଳ ଥିଲା। ବଙ୍ଗାଲ ଗଭର୍ଣ୍ଣର ସାର ରିଚାର୍ଡ ଟେମ୍ପଲ ତା. ୩୧.୦୧.୧୮୭୮ ଦିନ ଦୁଇ ପ୍ରକାର ରିଲିଫର ଘୋଷଣା କଲେ। ଶ୍ରମିକଙ୍କୁ ୦.୪୫ କିଗ୍ରା ଖାଦ୍ୟାନ୍ନ ଓ ୪ ପଇସା ଦିଆ ଯାଉଥିଲା। ଏହି ସମୟରେ ପ୍ରଥମ ପ୍ରକାର ରିଲିଫ ୭୦୦ ୟୁନିଟ ଖାଦ୍ୟ ପାଇଁ ୮୦୦ ମିଲିୟନ ଟଙ୍କା ଓ ଅନ୍ୟ ୭୨ ମିଲିୟନ ୟୁନିଟ ପାଇଁ ୭୨ ମିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା।
୧୮୮୩ ଚକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭବକ୍ଷ ୠରଜ୍ଞସର ଉକ୍ଟୟର ରେ ଅନେକ ପରିବର୍ତ୍ତନ ମଧ୍ୟ କରାଗଲା। ୧୮୯୬-୯୭ ମରୁଡିରେ ୮୨୧ ମିଲିୟନ ୟୁନିଟ ପାଇଁ ୭୨.୫ ମିଲିୟନ ରୁପୟା ଖର୍ଚ୍ଚ ହୋଇଥିଲା। ୧୨.୫ ମିଲିୟନ ରୁପୟା ରାଜସ୍ୱ ମାଫ ହୋଇଥିଲା ଏବଂ ୧୭.୫ ମିଲିୟନ ରୁପୟା ଋଣ ଆକାରରେ ଦିଆ ଯାଇଥିଲା। ଏତେବେଳେ ଚେରେଟିରୁ ୧୭.୫ ମିଲିୟନ ରୁପୟା ସଂଗ୍ରହ ହୋଇଥିଲା।
ବ୍ରିଟିଶ ରିଲିଫ ପ୍ରକ୍ରିୟାରେ ରହିଥିବା ଅଭାବମାନ ମରୁଡି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅସମର୍ଥ ଥିଲା। ମରୁଡି ସମୟରେ ଅନାହାର ମୃତ୍ୟୁ ଏବଂ ମହାମାରୀ ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଥିଲା। ରେଳ ପରିବହନ ମହାମାରିକୁ ବିସ୍ତାର ଦେଇଥିଲା। ରିଲିଫ କ୍ୟାମ୍ପମାନଙ୍କ ନିକଟତର ହେବାପାଇଁ ଲୋକଙ୍କ ସ୍ଥାନାନ୍ତରଣ ବଢିଥିଲା। ବର୍ଷା କାରଣରୁ ଏନୋଫିଲିସ ମଶାଙ୍କ ବଂଶବୃଦ୍ଧି ଘଟେ ଏବଂ ଏହା ମହାମାରୀକୁ ଆହୁରି ବ୍ୟାପକ କରିଥାଏ।
ମରୁଡି ପରେ ପରେ ଖାଦ୍ୟାନ୍ନର ଦରବୃଦ୍ଧି, ପ୍ରବାସ, ଖାଦ୍ୟପାଇଁ ଚୋରୀ ରାହାଜାନି ଆଦି ଅପରାଧ, ସଂଗଠିତ ଅପରାଧ ହେବା ସଙ୍ଗେ ସଙ୍ଗେ ଔପନିବେଶିକ ନୀତି ବିରୁଦ୍ଧରେ ମଧ୍ୟ ସ୍ୱର ଉଠିଲା।
ଜଟିଳ ଏବଂ ବେଆଇନ ଜଙ୍ଗଲ ଆଇନ ଯୋଗୁଁ ଜାଲେଣୀ ପାଇଁ ମଧ୍ୟ କାଠର ଅଭାବ ରହିଲା। ଫଳରେ ଲୋକେ ଗୋରୁ ଗୋବରର ଛେନା (ଓ.ଘସି)କୁ ଜାଲେଣୀ ଭାବରେ ବ୍ୟବହାର କଲେ। ଯାହାର ପରିଣାମ ସ୍ୱରୁପ ଓଡ଼ିଶା ବିହାରରେ ଜମି ପାଇଁ ଗୋବର ସାରର ଅଭାବ ଦେଖାଦେଲା। ଯାହା କୃଷି ଉପଜ ଉପରେ ପ୍ରଭାବ ପକାଇଲା।
୫୦ ବର୍ଷରେ ୨୪ ଟି ମରୁଡି ଏବଂ ଏହାର ପ୍ରଭାବ ଫଳରେ ଲୋକେ କର୍ମଶୂନ୍ୟ ହୋଇଗଲେ। ଛପନସାଲ ମରୁଡି ଥିଲା ପରାଧିନ ଭାରତର ଅର୍ଥନୀତି ଉପରେ ଶେଷ ପ୍ରହାର। ଖାଦ୍ୟ ପାଇଁ କେବଳ ଶ୍ରୀଲଙ୍କା, ମରିଶସ, ଗୁୟାନା, ନାଟା ଆଦି ସ୍ଥାନକୁ ବୃକ୍ଷରୋପଣ ପାଇଁ ଭାରତୀୟମାନେ ଗଲେ। ବିଂଶ ଶତାବ୍ଦୀରେ ଏହିମାନେ ଥିଲେ ପ୍ରଥମ ଭାରତୀୟ କ୍ରୀତଦାସ। କାରଣ କ୍ରୀତଦାସ ପ୍ରଥା ଏତେବେଳକୁ ବେଆଇନ ଘୋଷିତ ହୋଇ ସାରିଥିଲା। ସେହିପରି ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ୧୯୬୫-୬୬ ବଡମକାର ଥିଲା ଅଞ୍ଚଳର ଅର୍ଥନୀତି ଉପରେ ଶେଷ ପ୍ରହାର ଏହାପରେ ପଳାୟନ ଆରମ୍ଭ ହୋଇଥିଲା। ଯାହାର ଗୋଟିଏ ଅଂଶ ଦାଦନ। ଯାହା ହଜାର ହଜାର କୋଟିର ଏକ ଶିଳ୍ପ ପ୍ରମାଣେ ବ୍ୟବସାୟ ହୋଇ ସାରିଛି। ନବ୍ୟ କ୍ରୀତଦାସ ପ୍ରଥା ସମୟରେ ଆମେ ବର୍ତ୍ତମାନ ବଞ୍ଚୁଅଛୁ। (photo_google)