ଉନ୍ନବିଂଶ ଶତାବ୍ଦୀର ଶେଷ ବର୍ଷରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଭୟଙ୍କର ଦୁର୍ଭିକ୍ଷ ହେଲା। ସେହିବର୍ଷ ବିକ୍ରମଅବ୍ଦର ଛପନ ସାଲ ଥିଲା ବୋଲି ଏହି ଦୁର୍ଭିକ୍ଷ ଛପନସାଲ ଦୁର୍ଭିକ୍ଷ ନାମରେ ନାମିତ ହେଲା। ୧୯୦୦ ମସିହା ପୂର୍ବରୁ ଏହି ଅଞ୍ଚଳରେ ଛପନସାଲ ଦୁର୍ଭିକ୍ଷ ଭଳି ବପତ୍ତି ଆସି ନ ଥିଲା। ସେହି ସମୟରେ ଏହି ଅଞ୍ଚଳ ମଧ୍ୟପ୍ରଦେଶର ଉପାନ୍ତ ଜିଲ୍ଲା ଥିଲା। ସରକାରୀ ସ୍ତରରେ ଏହି ଜିଲ୍ଲାକୁ Garden of Eden ଓ Land of Promise କୁହା ଯାଉଥିଲା। ଅବଶ୍ୟ ତାହା ପୂର୍ବରୁ ୧୮୩୪, ୧୮୪୫, ୧୯୬୬, ୧୮୯୭ରେ ସମ୍ବଲପୁର ଜିଲ୍ଲାର କେତେକ ଅଞ୍ଚଳ ଫସଲ ହାନି, ମରୁଡି ଯୋଗୁଁ କ୍ଷତିଗସ୍ତ ହୋଇଥିଲା। ୧୮୯୭ରେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ହାରାହାରି ସତୁରିଭାଗ ଫସଲ ଆମଦାନୀ ହୋଇଥିବା ଯୋଗୁଁ ଦୁର୍ଭିକ୍ଷ ଭଳି ପରିସ୍ଥିତି ହୋଇଥିଲା। ଜିଲ୍ଲାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର, ମାଲଖାରୋଡା ଜମିଦାରୀରେ (ଏବେ ଛତିଶଗଡରେ) ୬୩ ହଜାର ଲୋକ କ୍ଷତିଗସ୍ତ ହୋଇଥିଲେ। ସୂଚନାଯୋଗ୍ୟ ଯେ ନଅଙ୍କ ଦୁର୍ଭିକ୍ଷ ସମୟରେ (୧୮୬୫ – ୬୬) ସମ୍ବଲପୁର ଜିଲ୍ଲାରେ କେବଳ ଫସଲ ହାନୀ ହୋଇଥିଲା। ଫସଲହାନି ଯୋଗୁଁ ସେହିବର୍ଷ ଚାଉଳ ଦର ବଢି ଟଙ୍କାରେ ୧୬ ସେର ହୋଇଥିଲା। ପୁରା ଜିଲ୍ଲାରେ ଦୁର୍ଭିିକ୍ଷ ସମୟରେ (୧୮୬୬ ଜୁନରେ) ଚାଉଳ ଦର ଟଙ୍କାରେ ସାତ ସେର ଥିଲା।
୧୮୯୯ ସେପ୍ଟେମ୍ବରରେ ଛପନସାଲ ଦୁର୍ଭିକ୍ଷର ସୂତ୍ରପାତ ହେଲା। ସେହିବର୍ଷ ଜୁନ ୩ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ୩୯ ଇଞ୍ଚ ଓ ବରଗଡରେ ୩୧ ଇଞ୍ଚ ପାଖାପାଖି ବୃଷ୍ଟିପାତ ହେଲାପରେ ବୃଷ୍ଟିପାତ ବନ୍ଦ ହୋଇଗଲା। ତାପରେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସମ୍ବଲପୁରରେ କେବଳ ଦେଢଇଞ୍ଚ ଓ ବରଗଡରେ ଦୁଇଇଞ୍ଚ ବୃଷ୍ଟିପାତ ହେଲା। ବର୍ଷଯାକ ମଧ୍ୟରେ ସମ୍ବଲପୁରରେ ୪୫ ଇଞ୍ଚ ଓ ବରଗଡରେ ୩୭ ଇଞ୍ଚ ବୃଷ୍ଟିପାତ ହୋଇଥିଲା। ଅନାବୃଷ୍ଟି ଯୋଗୁଁ ପଦ୍ମପୁର ଅଞ୍ଚଳ ଏବଂ ଚନ୍ଦ୍ରପୁର ଫୁଲଝର ଅଞ୍ଚଳରେ ପୁରାମାତ୍ରାରେ ଫସଲ ନଷ୍ଟ ହେଲା।
ଦୁର୍ଭିକ୍ଷ ଯୋଗୁଁ କ୍ଷତିଗସ୍ତ ଲୋକଙ୍କୁ ସରକାରଙ୍କ ତରଫରୁ ନଭେମ୍ବର ୧୮୯୯ ରୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଥିଲା। ନଭେମ୍ବର ୧୮୯୯ ରୁ ଅକ୍ଟୋବର ୧୯୦୦ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶହେରୁ ଉଦ୍ଧ୍ୱଙ ଅନ୍ନଛତ୍ରରେ ହାରାହାରି ୩ ଲକ୍ଷ ୮୦ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ୧୯୦୦ ଅଗଷ୍ଟ, ୧୮ ତାରିଖରେ ସର୍ବାଧିକ ୮୪ ହଜାର ଲୋକଙ୍କୁ ଗୋଟିଏ ଦିନରେ ବିଭିନ୍ନ ଅନ୍ନଛତ୍ରରେ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ଅନ୍ନଛତ୍ରରେ ସରକାରଙ୍କର ଚାରି ଲକ୍ଷ ନଅ ଶହ ଟଙ୍କା ଖର୍ଚ୍ଚ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରିଲିଫ କାମ ବାବଦରେ ପଚିଶ ଲକ୍ଷ ଏକ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।
ଏହି ଦୁର୍ଭିକ୍ଷରେ ୧୮୯୯ ଅକ୍ଟୋବରରୁ ୧୯୦୦ ସେପ୍ଟେମ୍ବର ମଧ୍ୟରେ ୭୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେଥି ମଧ୍ୟରୁ କଲେରାରେ ଦଶହଜାର ଆଠଶହ, ସଂକ୍ରାମକ ଜ୍ୱରରେ କୋଡିଏ ହଜାର, ବସନ୍ତ ରୋଗରେ ଏକ ହଜାର ଚାରି ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାକୀ ଲୋକଙ୍କର ଅନାହାର ମୃତ୍ୟୁ ହୋଇଥିଲା। ଜନଗଣନା ଅନୁସାରେ ୧୮୯୧ ମସିହାରେ ସମ୍ବଲପୁର ଜିଲ୍ଲାର ଲୋକସଂଖ୍ୟା ଥିଲା ୭ ଲକ୍ଷ ୯୬ ହଜାର। ୧୯୦୦ ରେ ଏହି ଅଞ୍ଚଳର ଜନସଂଖ୍ୟା କେତେ ଥିଲା, ତାହା ଆକଳନ କରିବା ସମ୍ଭବ ନ ଥିଲା। କାରଣ ବାହ ର ଅଞ୍ଚଳର ଅଗଣିତ ଲୋକ ସେହି ସମୟରେ ସାହାଯ୍ୟ ସକାଶେ ଏହି ଜିଲ୍ଲାକୁ ଚାଲି ଆସିଥିଲେ। ଏହି ସବୁ ତଥ୍ୟ ମୁଖ୍ୟତଃ ସମ୍ବଲପୁର ଗେଜେଟିୟରରୁ ସଂଗୃହିତ ହୋଇଛି।
ଛପନସାଲ ଦୁର୍ଭିକ୍ଷ ପ୍ରସଙ୍ଗରେ ନିମ୍ନ ଲିଖିତ ବିବରଣୀ ଡା. ଶ୍ରଦ୍ଧାକର ସୂପକାରଙ୍କ ଦ୍ୱରା ରଚିତ ‘ମଧ୍ୟମ ପୁରୁଷ’ ରୁ ସଂଗୃହିତ ହୋଇଛି। ୧୮୯୯ ସମିହାରେ ସମ୍ବଲପୁର ଜିଲ୍ଲାର ପଶ୍ଚିମାଞ୍ଚଳରେ ଥିବା ପଦ୍ମପୁର, ବୁଡାସମ୍ବର, ଚନ୍ଦ୍ରପୁର, ଫୁଲଝର ଆଦି ସମିଦାରୀ ମାନଙ୍କରେ ଅନାବୃଷ୍ଟି ହେତୁ ବିଶେଷ ଫସଲହାନି ହେଲା। ଜଳସେଚନ ବ୍ୟବସ୍ଥା ଥିବା ଅଞ୍ଚଳରେ ଚାଷୀମାନେ ଅଧା ଫସଲ ପାଇଲେ। ପନ୍ଦର ବର୍ଷପୂର୍ବେ ଚାଉଳ ଟଙ୍କାରେ ଦୁଇ ମହଣ ବିକ୍ରି ହେଉଥିଲା। ୧୯୦୦ ରେ ତାହା ଟଙ୍କାକୁ ଛଅ ସେର ମିଳିଲା। ବର୍ଷା ପୂର୍ବରୁ ଯେତିକି ଚାଉଳ ରପ୍ତାନି ହୋଇଥିଲା, ସରକାର ପୁଣି ସେତିକି ଚାଉଳ ଆମଦାନୀ କଲେ। ଏହି ସମୟରେ ଜିଲ୍ଲା ବାହାରୁ ରାୟପୁର, ବିଲାସପୁର ଓ ଆଖପାଖ ଗଡଜାତମାନଙ୍କରୁ ବହୁ ସଂଖ୍ୟାରେ ସାହାଯ୍ୟ ସକାଶେ ଆସିଥିଲେ। ମହନ୍ତ ବିହାରୀ ଦାସ ଓ ଆହୁରି କେତେଜଣ ଗୌନ୍ତିଆ ଏହି ସମୟରେ ସମ୍ବଲପୁରରେ ଅନ୍ନଛତ୍ର ଖୋଲାଇଥିଲେ।
ଛପନସାଲ ଦୁର୍ଭିକ୍ଷ ସମୟରେ ବଲାଙ୍ଗୀର ଓ ସୋନପୁର ବିଶେଷ ଭାବେ କ୍ଷତିଗସ୍ତ ହୋଇଥିଲା। ଦେବଗଡ, ବଉଦ, ସୁନ୍ଦରଗଡ, ବଣାଇ ଅଞ୍ଚଳରେ ଫସଲହାନି ଯୋଗୁଁ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, କିନ୍ତୁ ଦୁର୍ଭିକ୍ଷ ହୋଇ ନ ଥିଲା। କଳାହାଣ୍ଡି ଅଞ୍ଚଳ କିଛି ମାତ୍ରାରେ ଦୁର୍ଭିକ୍ଷରେ ପ୍ରଭାବିତ ହୋଇଥିଲା। ବଲାଙ୍ଗୀର ଓ ସୋନପୁରକୁ ଛାଡିଦେଲେ ଅନ୍ୟ ଗଡଜାତ ଅଞ୍ଚଳରେ କେତେଜଣଙ୍କ ମୃତ୍ୟୁ ହେଲା, ତାହାର ସଠିକ ରେକର୍ଡ ମିଳୁ ନାହିଁ ବୋଲି ଓଡ଼ିଶା ଗେଜେଟିୟରରୁ ଜଣାଯାଏ।
ବଲାଙ୍ଗୀରରେ ୧୮୯୯ ରେ ୪୫ ଇଞ୍ଚ ବୃଷ୍ଟିପାତ ହୋଇଥିଲା। ଅଗଷ୍ଟ ୧୮୯୯ରେ ଚାଉଳ ଦର ଟଙ୍କାକୁ ୨୪ ସେର ଥିଲା। ପରେ ଟଙ୍କାକୁ ୨୦ ସେର ହେଲା। ୧୯୦୦ ଜୁଲାଇରେ ଟଙ୍କାକୁ ୫ ସେର ହେଲା। ରାଜ୍ୟ ତରଫରୁ ଓ ବ୍ୟକ୍ତିଗତ ସ୍ତରରେ ୧୭ ଟି ଅନ୍ନଛତ୍ର ଖୋଳା ଯାଇଥିଲା। ୬୯୮୦ ଲୋକ ଅନ୍ନଛତ୍ରରେ ଖାଦ୍ୟ ଗ୍ରହଣ କରିଥିଲେ। ବସନ୍ତ, କଲେରା ଓ ଅନାହାର ଯୋଗୁଁ ୧୮୯୯ ରେ ୮ ହଜାର ୨୨ ଜଣ ଓ ୧୯୦୦ ରେ ୪୨ ହଜାର ୧୫୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ନଛତ୍ରରେ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ସୋନପୁରରେ ୧୮୯୯ ରେ ୩୬ ଇଞ୍ଚ ବୃଷ୍ଟିପାତ ହୋଇଥିଲା। ୧୮୯୯ ରେ ଚାଉଳ ଦର ଟଙ୍କାକୁ ୨୦ ସେର ଥିଲା। ୧୯୦୦ ରେ ଟଙ୍କାକୁ ସାଢେ ଆଠ ସେର ହୋଇଗଲା। ୧୪,୬୭୪ ଲୋକ ଅନ୍ନଛତ୍ରକୁ ଆସି ଖାଦ୍ୟଗ୍ରହଣ କରିଥିଲେ। ୧୩,୫୪୯ ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁର୍ଭିକ୍ଷରେ ମୃତ୍ୟୁ ଯୋଗୁଁ ଶତକଡା ୧୩ ଭାଗ ଜନସଂଖ୍ୟା କମିଗଲା। କଳାହାଣ୍ଡି ଜିଲ୍ଲାରେ ଅତି ମାତ୍ରାରେ ଫସଲହାନି ହୋଇଥିଲା। କେତେକ ଅଞ୍ଚଳରେ ଅନ୍ନଛତ୍ର ଖୋଲା ଯାଇଥିଲା। ୮ ଲକ୍ଷ ୫୦ ହଜାର ଟଙ୍କାର ରାଜସ୍ୱ ଆଦାୟ ବନ୍ଦ କରାଗଲା। ଖରିଆର ଜମିଦାର ୮ ହଜାର ଟଙ୍କା ରିଲିଫ କାମରେ ଖର୍ଚ୍ଚ କରିଥିଲେ। ବଉଦ ଅଞ୍ଚଳରେ ଫସଲ ହାନି ଯୋଗୁଁ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଭିକ୍ଷରେ ମୃତ୍ୟୁ ଯୋଗୁଁ ଶତକଡା ଏକ ଭାଗ ଜନସଂଖ୍ୟା କମିଗଲା। ଏହି ସବୁ ତଥ୍ୟ ଓଡ଼ିଶା ଗେଜେଟିୟର ଓ ରାମସେଙ୍କ ରଚିତ ‘ଫିଉଡେଟରୀ ଷ୍ଟେଟସ ଅଫ ଓଡ଼ିଶା’ ରୁ ସଂଗୃହିତ ହୋଇଛି।
ଛପନସାଲ ଦୁର୍ଭିକ୍ଷ ଯୋଗୁଁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ୭୪ ହଜାରରୁ ଉର୍ଦ୍ଧ୍ୱ ଲୋକ ମଲେ। ପଶ୍ଚିମ ଓଡ଼ିଶାରେ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲା। ଅଥଚ ଇତିହାସ ଏ ସମ୍ପର୍କରେ ନୀରବ। କ୍ଷୋଭର ବିଷୟ ହେଉଛି ଯେ ସ୍କୁଲ କଲେଜରେ ଇତିହାସ ବହିରେ ଏହି ପ୍ରସଙ୍ଗକୁ ସ୍ଥାନ ମିଳି ପାରିଲା ନାହିଁ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏହି ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେଲେ ଭବିଷ୍ୟତ ବଂଶଧର ଉନ୍ନବିଂଶ ଶତାବ୍ଦୀର ଛପନସାଲ ଦୁର୍ଭିକ୍ଷ ସମ୍ବନ୍ଧରେ ଅବଗତ ହୋଇ ପାରିବେ।

ଲେଖକ- ଇଂ କରୁଣାକର ସୂପକାର ୧୯୪୧ ମସିହା ଡିସେମ୍ବର ୧୦ ତାରିଖରେ ସମ୍ବଲପୁରରେ ତାଙ୍କର ଜନ୍ମ। ଜାମସେଦପୁର ସ୍ଥିତ ଆରଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଙ୍ଗରେ ଡିଗ୍ରି ପାଇ ସରକାରୀ ଚାକିରିରେ ଯୋଗଦେଲେ। ଅବସର ପରେ ଓଡ଼ିଶା ହାଇଡ଼୍ରୋ ପାୱାର କର୍ପୋରେସନର ମେନେଜିଙ୍ଗ ଡାଇରେକ୍ଟର ପଦରୁ ୨୦୦୦ ମସିହାରେ ଅବସର ନେଲେ। ତାଙ୍କର ରଚନା ମଧ୍ୟରୁ ହୀରାକୁଦ ବିସ୍ଥାପନ ଉପରେ ପ୍ରଥମ ଉପନ୍ୟାସ ‘ଚେମା କାଲୋ’, ଇତିହାସ ର ପରିହାସ(୧ମ ଓ ୨ୟ ଖଣ୍ଡ), ସମ୍ବଲପୁରର ପରିଚୟ, ସମ୍ବଲପୁରର କୃତି ସନ୍ତାନ ଓ ନିଜର ଜୀବନୀ ପୁସ୍ତକ ସାଧାରଣ ପୁରୁଷ ଅନ୍ୟତମ।
ସ୍ଥାନୀତ ନିବନ୍ଧଟି ତାଙ୍କର ‘ଇତିହାସର ପରିହାସ-୨ୟ’ ଖଣ୍ଡରୁ ସଂଗ୍ରହ କରିଅଛୁ।)
Leave a Reply