ଇତିହାସ ଅବଲୋକନ

ମାନବ ସଭ୍ୟତାକୁ ଗତିଶିଳ କରିବା ମୂଳରେ ଯେଉଁ କାରଣ ରହିଛି ତାହା ହେଉଛି ‘ପ୍ରବାସ’। ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନ ହୋଇଥିବା ନିସ୍କର୍ଷମାନଙ୍କ ମଧ୍ୟରୁ ମାନବ ଇତିହାସ ବେଶ ସଂଘର୍ଷପୂର୍ଣ୍ଣ ହୋଇ ଆସିଅଛି। ପରିବର୍ତ୍ତିତ ପରିସ୍ଥିତିରେ ଆମର ପୂର୍ବଜ ବାନର ପ୍ରକୃତିର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମଣ କରି ଆସିଅଛି। ବର୍ତ୍ତମାନ ଆମର ସତ୍ତା ସେହି ସଂଘର୍ଷର ଫଳ। ଆଜିଠୁ ୧୪ ଶହ କୋଟି ବର୍ଷ ପୂର୍ବେ ଅଣୁଠାରୁ ବି କ୍ଷୁଦ୍ର ଏକ କଣିକାର ବିସ୍ଫୋରଣ ହୁଏ। ସେକେଣ୍ଡର କୋଟି କୋଟି ଭାଗରୁ କମ ସମୟରେ ବ୍ରହ୍ମାଣ୍ଡ ବିସ୍ତାର ହୋଇଯାଏ। ଏହାର ୩୦ କୋଟି ବର୍ଷ ପରେ ମାଧ୍ୟାକର୍ଷଣ ଅଣୁ ଏବଂ ଗ୍ୟାସକୁ ସଂଗଠିତ କରେ। ଉତ୍ତାପ ଉଦଜାନ ତିଆରି କରେ ଏବଂ ଉଦଜାନ ଉତ୍ତାପର ପ୍ରଭାବରେ ହିଲିୟମ ତିଆରି କରେ। ଫଳରେ ନକ୍ଷତ୍ରର ଅସ୍ତିତ୍ୱ ଆସେ। ପରବର୍ତ୍ତି ୧୨ ଶହ କୋଟି ବର୍ଷ ଉଦଜାନ ଓ ହିଲିୟମ ବ୍ୟତିତ ପରିବେଶ ସହ ଲିଥିୟମ ତିଆରି ହେଲା। ପରେ ଆୟନ ଓ କାର୍ବନ ତିଆରି ହେଲା, ଯାହା ଆମର ଅସ୍ତିତ୍ୱର ଏକ ବଡ କାରଣ ହେଲା। ଏ ସମୟ ପର୍ଯ୍ୟନ୍ତ ନକ୍ଷତ୍ରରେ ଧାତୁର ନିର୍ମାଣ ହୋଇ ନଥିଲା। ସୁପରନୋଭା ପରେ ୟୁରେନିୟମ, ସୁନା, ତମ୍ବା ଓ ଅନ୍ୟାନ୍ୟ ତତ୍ତ୍ୱ ତିଆରି ହେଲା। ସୁପରନୋଭା କାରଣରୁ ହିଁ ଜୀବନ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହେଲା। ଲାଭାର ଏକ ପିଣ୍ଡ କ୍ରମେ ଶିତଳ ହେଲା ଏବଂ ଆମର ଆଧାର ପୃଥିବୀ ତାର ବର୍ତ୍ତମାନ ରୂପ ତିଆରି ଆରମ୍ଭ କଲା। ଭାରି ଜିନିଷ କେନ୍ଦ୍ରକୁ ଗଲା ଏବଂ ଲାଭାର ପରଳ ଶିଳା ତିଆରି କଲା। ତରଳ କେନ୍ଦ୍ର ଘୁର୍ଣ୍ଣନ ଫଳରେ ଚୁମ୍ବକୀୟ କ୍ଷେତ୍ର ତିଆରି ହେଲା ଏବଂ ପୃଥିବୀ ବୈଶ୍ୱିକ ପରିବେଶରେ ନିଜର ସୁରକ୍ଷା ବଳୟ ତିଆରି କଲା। ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଅନ୍ୟଏକ ପିଣ୍ଡର ଧକ୍କା ହେଲା। ଏତେବେଳକୁ ପାଣିର ଅସ୍ତିତ୍ୱ ସାମ୍ନାକୁ ଆସିଲା। ସେତେବେଳକୁ ଯାହା ବାଷ୍ପ ଆକାରରେ ରହିଥିଲା। କ୍ରମେ ପୃଥିବୀ ଶୀତଳ ହୋଇ ବର୍ଷା ହେଲା। ୩୫୦ କୋଟି ବର୍ଷ ପୂର୍ବେ ପୃଥିବୀ ପାଖରେ ଗୋଟିଏ ମହାସାଗର ଓ ଗୋଟିଏ ଚନ୍ଦ୍ର ରହିଲା। ଏବଂ ଗୋଟିଏ ଦିନ ପ୍ରାରମ୍ଭିକ ୬ ଘଣ୍ଟାରୁ ୨୪ ଘଣ୍ଟାକୁ ବୃଦ୍ଧି ହେଲା।
ଏହାପରେ ପୃଥିବୀର ମହାସାଗର ନିଜ ଭିତରେ ଜୀବସତ୍ତା ତିଆରି କଲା। ଆଜିଠାରୁ ୩୮୦ କୋଟି ବର୍ଷ ପୂର୍ବେ ମହାସାଗରରେ ଉଦଜାନ, ଅମ୍ଲଜାନ, ଅଙ୍ଗାରକାମ୍ଲ, ନାଇଟ୍ରୋଜେନ ମିଶି ସୂକ୍ଷ୍ମଜୀବ ବା ବ୍ୟାକ୍ଟେରିଆ ତିଆରି କଲେ। ଯାହାର ମୂଳ ଆଧାର ରହିଲା ଜୀବକୋଷ ବା ଡିଏନଏ। ଯେଉଁ ଡିଏନଏରେ ଜୀବସତ୍ତାର ଇତିହାସ ଲେଖା ହୋଇଛି। ବିଗବ୍ୟାଙ୍ଗ ସମୟର ସମଗ୍ର ଶକ୍ତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରକାରର ତତ୍ତ୍ୱ ସୂର୍ଯ୍ୟ ଦେହରେ ରହିଅଛି। ୨୫୦ କୋଟି ବର୍ଷ ପୂର୍ବେ ବ୍ୟାକ୍ଟେରିଆ ସୂର୍ଯ୍ୟରୁ ଶକ୍ତି ଆଣି ଅମ୍ଲଜାନ ସହ ନିଜର ଆଙ୍ଗିକ ବିକାଶ କଲା। ଏବଂ ନିଜର ସଂରଚନାକୁ ଜଟିଳ ଆକାର ଦେଲା।
ଅମ୍ଲଜାନ ଲୌହ ସହ ରସାୟନିକ ପ୍ରକ୍ରୀୟାରେ ଲୌହ କଳଙ୍କି ତିଆରିଲା। ଯେଉଁ ଲୌହ ଆଜି ସଭ୍ୟତାର ବିକାଶରେ ନିଜର ପ୍ରାଥମିକତା ରଖିଅଛି।
ଲୌହ ପରେ ବ୍ୟାକ୍ଟେରିଆ ତିଆରୁଥିବା ଅମ୍ଲଜାନ ବାୟୁମଣ୍ଡଳରେ ମିଶିଲା। ଜୀବନ ପ୍ରକ୍ରୀୟା ନିଜକୁ ଅମ୍ଲଜାନ ସହାୟତାରେ ବୃଦ୍ଧିକଲା। ଏତେ ବେଳକୁ ପୃଥିବୀ ନିକଟରେ ଗୋଟିଏ ମହାସାଗର ଓ ଗୋଟିଏ ମହାଦ୍ୱୀପ (ପେନଜିଆ) ରହିଥିଲା। ଜୀବନ ସମୁଦ୍ରରୁ ମାଟିକୁ ଆସିଲା। ପ୍ରଥମେ ଉଦ୍ଭିଦ ମାଟିକୁ ଆସିଲେ। ୫୦ କୋଟି ବର୍ଷ ପୂର୍ବେ ସାଗରରେ କଣ୍ଟାଦାର ମାଛ ତିଆରି ହୋଇଥିଲେ। ଯେଉଁମାନେ ଆମର ଆଦି ପୂର୍ବଜ। ଆଜିଠାରୁ ୪୦ କୋଟି ବର୍ଷ ପୂର୍ବେ ଜୀବ ମାଟିକୁ ଆସିଲେ। ସମୁଦ୍ରରେ ତିଆରି ହୋଇଥିବା କଣ୍ଟାଦାର ମତ୍ସ୍ୟ ମାଟିକୁ ଛୁଇଁଲା, ଜୀବନ ପ୍ରସରିଲା ମାଟି ସହ ଉଦ୍ଭିଦ ସହ ସହାବସ୍ତାନରେ।
ତିରିଶ କୋଟି ବର୍ଷ ପୂର୍ବେ ଉଦ୍ଭିଦ ଜମିରେ ମିଶି କୋଇଲା ତିଆରି ଆରମ୍ଭ କଲା। ୨୫ କୋଟି ବର୍ଷ ପୂର୍ବେ କାର୍ବନର ବୃଦ୍ଧି ଫଳରେ ବିଳୟ ଆସିଲା। ଏତେବେଳକୁ ୭୦ ପ୍ରତିଶତ ଜୀବ ବିଲୁପ୍ତ ହୋଇଗଲେ। ଇତିହାସର ଏହି ସମୟ ମଧ୍ୟରେ ୫୦ କୋଟି ବର୍ଷରେ ପୃଥିବୀରେ ପାଞ୍ଚଥର ବିଳୟ ଆସିଅଛି।
ଡାଏନୋସର ପୃଥିବୀରେ ୧୬ କୋଟି ବର୍ଷ ରହିଲା ପରେ ଆଜିଠାରୁ ୬.୫ କୋଟି ବର୍ଷ ପୂର୍ବେ ୧୦ କିଲୋମିଟର ଆକାରର ଗୋଟିଏ ଉଲକା ପୃଥିବୀ ସହ ଧକ୍କା ହେବା ଫଳରେ ଡାଏନୋସର ସମେତ ୨୫ କିଲୋଗ୍ରାମରୁ ଅଧିକ ପ୍ରାଣୀ ପୃଥିବୀରୁ ବିଳୟ ହୋଇଗଲେ। ଏହାପରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିକାଶ ହେଲା। ପେନଜିଆ ଭୂମୀ ବିଭାଜନ ହେଲା। ଏକ କୋଟି ବର୍ଷ ପୂର୍ବେ ହିମାଳୟ ତିଆରି ହେଲା ଓ ପରେ ହୀମଯୁଗର ଆରମ୍ଭ ହେଲା। ବାନର ଗରମ ଅଞ୍ଚଳକୁ ଗଲେ।
ବାନରଙ୍କ ଏହି ପ୍ରବାସକୁ ପ୍ରଥମ ପ୍ରବାସ କୁହାଯାଇ ପାରେ କାରଣ ପରିସ୍ଥିତି ବଶତଃ ବାନର ନିଜକୁ ରକ୍ଷା କରିବା ପାଇଁ ଗରମ ଅଞ୍ଚଳକୁ ଗଲା। ସତୁରି ଲକ୍ଷ ବର୍ଷ ପୂର୍ବ ପର୍ଯ୍ୟନ୍ତ ବାନର ଗଛରେ ରହୁଥିଲେ। ଏହି ସମୟରେ ସାରା ପୃଥିବୀରେ ଘାସ ତିଆରି ହେଲା ଓ ପୃଥିବୀର ଜୀବନକୁ ଗୋଟିଏ ନୂଆ ଋପରେ ଢାଳିଲା। ବାନର ଖାଦ୍ୟ ପାଇଁ ଗଛରୁ ଓହ୍ଲେଇଲେ ଓ ଘାସ ପଡିଆରେ ନିଜର ନୂତନ ନିବାସ ତିଆରିଲେ। ଏତେବେଳକୁ ତୃଣ ଆଚ୍ଛାଦିତ ଭୂମୀରେ ଆଗକୁ ଦେଖିବାକୁ ଦୁଇଗୋଡରେ ଠିଆ ହେବାକୁ ହେଲା। କ୍ରମେ ବାନର ଦୁଇ ଗୋଡରେ ଠିଆ ହେବା ଫଳରେ ଦୁଇ ହାତ ଖାଲି ରହିଲା।
ଆଜିଠୁ୨୬ ଲକ୍ଷ ବର୍ଷ ପୂର୍ବେ ମଣିଷ ସିଲିକନ ପାଇଲା। ପାଞ୍ଚକୋଟି ବର୍ଷ ପୂର୍ବେ ସମୁଦ୍ର ଜୈବିକ ଅବଶେଷ ବା ସିସେଲ (seacell) ଚୁନ ପଥର ତିଆରି ହୋଇ ସାରିଥିଲା। ସମୟକ୍ରମେ ଅମ୍ଲଜାନ ସହ ମିଶି ତାହା ସିଲିକନ ହୋଇ ସାରିଥିଲା। ଯାହା ସମସ୍ତ ଭୂଭାଗରେ ଇତଃସ୍ତତଃ ପଡି ରହିଥିଲା। ଏହି ସିଲିକନ କ୍ରିଷ୍ଟାଲରେ କାଟିବା, ଛେଚିବା ଆଦି କାମ କଲେ। ଏହା ଥିଲା ପ୍ରଥମ ପ୍ରବେଶ ଟେକ୍ନେଲୋଜିର ଯୁଗକୁ ଏବଂ ଏହାଠାରୁ ମଣିଷ ପ୍ରସ୍ତର ଯୁଗକୁ ପ୍ରବେଶ କଲା।
କୋଡିଏ ଲକ୍ଷ ବର୍ଷ ପୂର୍ବରୁ ମାନବ ଆଫ୍ରିକା ମହାଦେଶରୁ ପ୍ରଥମେ ପ୍ରବାସ ଆରମ୍ଭ କରିଥିଲା। ୫୦ ହଜାର ବର୍ଷ ପୂର୍ବରୁ ମଣିଷ ଦକ୍ଷିଣ ଏସିଆ ରେ ବିସ୍ତାର ଲାଭ କରି ସାରିଥିଲା। ଭାରତକୁ ୬୫ ହଜାର ବର୍ଷ ପୂର୍ବେ ମଣିଷ ଆସି ସାରିଥିଲା। (EARLY INDIANS the story of our ancestors and where we came from; Author- Tony Joseph) ଇନ୍ଧନ ଓ ଅମ୍ଲଜାନ ଯୋଗୁଁ ପୃଥିବୀ ହିଁ ଏକମାତ୍ର ଗ୍ରହ ଯେଉଁଠି ନିଆଁ ଜଳିପାରେ। ପ୍ରସ୍ତର ଯୁଗର ଶେଷବେଳକୁ ଆଠ ଲକ୍ଷ ବର୍ଷ ପୂର୍ବେ ମଣିଷ ନିଆଁର ବ୍ୟବହାର ଜାଣିଲା। ନିଆଁ ମଣିଷ ଜୀବନରେ ପ୍ରବେଶ କଲାପରେ ମଣିଷର ବିକାଶ ତ୍ୱରାନ୍ୱୀତ ହେଲା। ଏହିଠାରୁ ହୋମୋସପିଏନ୍ସ ବା ବୁଦ୍ଧିମାନ ମଣିଷ ନିଜର ବିକାଶଯାତ୍ରା ଆରମ୍ଭ କଲା। ଏହିଯାତ୍ରା ମଣିଷକୁ ଦୁଇଲକ୍ଷ ବର୍ଷ ପରେ ପୂର୍ଣ୍ଣାଙ୍ଗ ମାନବରେ ପରିଣତ କଲା। ତାର ସ୍ୱରନଳୀ ଉପରକୁ ଗଲା ଏବଂ ବିଭିନ୍ନ ଶବ୍ଦ ଉଚ୍ଚାରଣରେ ସୁଗମ ହେଲା। ଜନସମ୍ପର୍କ ବଢିଲା, ଭାବର ଆଦାନପ୍ରଦାନ ସମ୍ଭବ ହେଲା। ମଣିଷ ନିଜର ଭାଷା ତିଆରି କଲା। ମାଟିପାତ୍ର, ନିଆଁ, ବାମ୍ଫର ବ୍ୟବହାର ଶିଖିଲା। ଯୋଗାଯୋଗ ବା ସମ୍ପର୍କର ଯୁଗ ଆରମ୍ଭ ହେଲା। ଯୋଗାଯୋଗର ପ୍ରକ୍ରିୟା ସରଳ ହେବାପରେ ମାଧ୍ୟମର ଯୁଗ ଆରମ୍ଭ ହେଲା, ଗଣମାଧ୍ୟମର କଳେବର ବୃଦ୍ଧି ହେଲା। ଯାହା ଆଗରୁ ଠାରନାର ଶାରୀରିକ କ୍ରିୟା ଆଦି ସହ ବିଭିନ୍ନ ଶବ୍ଦ ଉଚ୍ଚାରଣରେ ସୀମିତ ଥିଲା ତାହା ଭାଷା ଜନ୍ମର ପ୍ରାଥମିକ ସମୟରେ ବିସ୍ତାରିତ ହେବାକୁ ଆରମ୍ଭ କଲା ଓ ଆଜି ସଂପର୍କ ଓ ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲ ବୈଦ୍ୟୁତିକ ଯୁଗ ପର୍ଯ୍ୟନ୍ତ ପହଞ୍ଚିଛୁ। ନିଶ୍ଚିତ ଆଗକୁ ରାସ୍ତା ଆହୁରି ବାକି ଅଛି।
ସତୁରି ହଜାର ବର୍ଷ ପୂର୍ବେ ସିନ୍ଧୁ ଉପତ୍ୟକାକୁ ପହଞ୍ଚିଥିବା ମାନବଙ୍କୁ ପ୍ରଥମ ଭାରତୀୟ ବୋଲି ପତ୍ରକାର ଟୋନୀ ଜୋସେଫ କହିଛନ୍ତି। ବେଶ ତଥ୍ୟଗତ ପ୍ରମାଣ ଦେଇ ତାଙ୍କର ପୁସ୍ତକ ହୋମୋସପିଏନ୍ସରେ ଆଦି ଭାରତୀୟଙ୍କ ଇତିହାସ ଲେଖିଛନ୍ତି ଯାହା ଅନେକ ଚର୍ଚ୍ଚିତ ବହି ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଆଦିମାନବ କ୍ରମେ ଭାରତ ଭୂଖଣ୍ଡର ଦକ୍ଷିଣ ପଟକୁ ଯାଇଥିବା ବିଷୟ ଉଲ୍ଲେଖ କରିଛନ୍ତି।
ଆଦିମାନବର ବାସସ୍ଥାନ ମଧ୍ୟରୁ ନର୍ମଦା ଉପତ୍ୟକା ଗୋଟିଏ। ୪୦ ହଜାର ବର୍ଷ ପୂର୍ବେ ବିହାରରୁ ହୋମୋସପିଏନ୍ସ ତିନି ଭାଗ ହୋଇ ଯାତ୍ରା କରିଥିଲେ। ଗୋଟିଏ ବସ୍ତର, ଦ୍ୱିତୀୟ ସତପୁରା ଉପତ୍ୟକା ଏବଂ ଅନ୍ୟଦଳ ଓଡ଼ିଶାକୁ ଆସିଲେ।

ଓଡ଼ିଶାକୁ ପ୍ରବେଶ କରିଥିବା ଆଦିମାନବ ପ୍ରଥମେ ଜୋଙ୍କ ଓ ମହାନଦୀ ଉପତ୍ୟକାରେ ରହିଥିବା ପ୍ରମାଣ ମିଳିଥାଏ। ନୂଆପଡା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ହିମାଂଶୁ ଶେଖର ମହାକୁଡ ନିଜର ଏମଫିଲ ଥେସିସ୍ ରେ ଉଲ୍ଲେଖ କରିଛନ୍ତି ୩୦ ରୁ ୪୦ ହଜାର ବର୍ଷ ତଳର ବ୍ଲେଡ, ବ୍ଲେଡଲଟ, ସ୍କ୍ରାପର, କୋର ଆଦି ପଥର ଉପକରଣ ନିଜେ ପାଇଥିବା ଉଲ୍ଲେଖ କରିଛନ୍ତି। ଉଦନ୍ତି ନଦୀ ଛତିଶଗଡ଼ରୁ ବାହାରି ସିନ୍ଦୁରସିଲ ଜଙ୍ଗଲ ଦେଇ ଓଡ଼ିଶାର ନୂଆପଡା ଜିଲ୍ଲା ଦେଇ କଳାହାଣ୍ଡିରେ ପ୍ରବେଶ କରିଛି। କଳାହାଣ୍ଡି ଜିଲ୍ଲାର ତୁରକେଲ ନିକଟରେ ତେଲନଦୀ ସହ ମିଶିଅଛି। ଏହି ଉଦନ୍ତୀ ନଦୀ ଉପତ୍ୟକାରେ ଉପରୋକ୍ତ ଉପକରଣର ଆବିଷ୍କାର କରାଯାଇଛି। ଏହାସହ ସମ୍ବଲପୁର ସହରର ମହାନଦୀ ଅପରପାଶ୍ୱର୍ ବସନ୍ତପୁର ମୌଜାରେ କୁଠାର, ବ୍ଲେଡ, କୋର ଆଦି ସୂକ୍ଷ୍ମ ଉପକରଣ ମିଳିଅଛି।
କେବଳ ଏହି ଦୁଇ ଅଞ୍ଚଳ ନୁହେଁ ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଜିଲ୍ଲା ମାନଙ୍କରେ ପ୍ରାଗୈତିହାସିକ ଯୁଗର ଉପକରଣ ମିଳିଅଛି। ଏହି ପ୍ରାଚୀନ ଉପକରଣ
ଠାରୁ ନୂଆଁ ସୁନାବେଡ଼ା ଉପତ୍ୟକାର ଅନେକ ସ୍ଥାନରେ ତଥା ବଲାଙ୍ଗିର ଜିଲ୍ଲାର ପଟୁଆ, ମୁଙ୍ଗେ ଡୁଙ୍ଗରୀ, ଅଲଣ୍ଡା ଦ୍ୱାରସେନୀ ମନ୍ଦିରରେ ପଥରର କପ୍ୟୁଲ୍ସ ମାନ ଦେଖାଯାଏ। ଯେଉଁ ପ୍ରକାର କପ୍ୟୁଲ୍ସ ଭୀମବେଟକାରେ ଦେଖାଯାଇ ଥାଏ। ଯାହାକୁ ୪୦ ହଜାର ବର୍ଷ ପୁରୁଣା ବୋଲି ଦାବୀ କରାଯାଏ।
ଏହାପରେ ନୂଆପଡ଼ା ଜିଲ୍ଲାର ଯୋଗୀମଠ, କଳାହାଣ୍ଡି ଜିଲ୍ଲାର ଡୋକରୀଚଚରା, ସୁବର୍ଣ୍ଣପୁର ଜିଲ୍ଲାର ପୂଜା ଡୁଙ୍ଗରୀ, ସମ୍ବଲପୁର ଜିଲ୍ଲାର ମହାନଦୀ କୂଳରେ, ଝାରସୁଗୁଡ଼ା ଜିଲ୍ଲାର ବିକ୍ରମଖୋଲରେ ଥିବା ପ୍ରସ୍ତର ଚିତ୍ରକଳା ଓ ପଥରରେ ଖୋଦିତ ଚିତ୍ର ସବୁ ଆଦିମାନବର ପ୍ରମାଣ ଦେଇଥାଏ। ପୁରାତତ୍ତ୍ୱବିଦ ଡ ଜିତାମିତ୍ର ପ୍ରସାଦ ସିଂଦେଓଙ୍କ କହିବା ଅନୁସାରେ ସାମଗ୍ରିକ ଭାବେ ଯେଉଁମାନଙ୍କ ବୟସ କୋଡ଼ିଏ ହଜାର ବର୍ଷରୁ ଅଧିକ ପୁରୁଣା ଅଟେ।

ଓଡ଼ିଶାର ପୁରାତାତ୍ତ୍ୱିକ ଅଧ୍ୟୟନରେ ତିନିଜଣ ଡ ଜିତାମିତ୍ର ପ୍ରସାଦ ସିଂଦେଓ, ଶ୍ରୀ ସାଲେଗ୍ରାମ ହୋତା ଓ ଅଜିତ କୁମାର ଭୋଇଙ୍କ ଅଧ୍ୟୟନ ଉପରେ ଆଲୋଚନା କଲେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ସଂସ୍କୃତି ମୌଳିକ ଥିବାର ପ୍ରମାଣ ମିଳିଥାଏ। ତିନି ଗବେଷକଙ୍କ ଅଧ୍ୟୟନ କ୍ଷେତ୍ର ଉପର ମହାନଦୀ ଉପତ୍ୟକା ଅଟେ। ସମସ୍ତେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି କିନ୍ତୁ ପ୍ରାଚୀନତାକୁ ସମସ୍ତେ ସ୍ୱୀକାର କରିଥାନ୍ତି। ଇତିହାସିକ ଆଲୋଚନା ବେଳେ ତିନିଜଣଙ୍କ ମତବାଦ ଉପରେ ସମ୍ୟକ ଧାରଣା ହେବା ଆବଶ୍ୟକ।
ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ଅଧ୍ୟୟନ ପ୍ରାଗୈତିହାସିକ ଧରୋହର ଓ ମଧ୍ୟଯୁଗୀୟ ପୁରାତତ୍ତ୍ୱ କ୍ଷେତ୍ର ଉପରେ ଅଧ୍ୟୟନ କରି ବୈଦିକ ଦର୍ଶନ
ଆଧାରରେ ସମସ୍ତ ଅଞ୍ଚଳର ବ୍ୟାକ୍ଷା କରିଥାନ୍ତି। ସାଲେଗ୍ରାମ ହୋତା ଏବଂ ଅଜିତ କୁମାର ଭୋଇଙ୍କ ଅଧ୍ୟୟନ ପ୍ରାଗୈତିହାସିକ ସମ୍ପଦା ଆଧାରରେ
ପ୍ରସ୍ତର ଯୁଗୀୟ ମଣିଷର ଜୀବନ ଶୈଳୀ ଓ ସଂସ୍କୃତି ଉପରେ ଅଧ୍ୟୟନ, ବର୍ତ୍ତମାନ ତାହାର ଅପରିବର୍ତ୍ତିତ ରୂପ ଉପରେ ମୌଳିକ ଗବେଷଣା କରିଥାନ୍ତି। ତନ୍ତ୍ର ସପକ୍ଷରେ ଉଭୟ ଡ ଜିତାମିତ୍ର ପ୍ରସାଦ ସିଂଦେଓ ଓ ସାଲେଗ୍ରାମ ହୋତା ମତ ଦେଉଥିବା ବେଳେ ଅଜିତ କୁମାର ଭୋଇ ସଂସ୍କୃତିର ବୈଜ୍ଞାନିକତା ଉପରେ ଗୁରୁତ୍ୱ ଦେଇଥାନ୍ତି।
ମଧ୍ୟଯୁଗୀୟ ଇତିହାସ ଅଧ୍ୟୟନ କଲେ ଏ ସମୟ ପର୍ଯ୍ୟନ୍ତ ଉପର ମହାନଦୀ ଉପତ୍ୟକା ବ୍ୟବସାୟୀକ ଦୃଷ୍ଟିକୋଣରୁ ଉନ୍ନତ ଥିଲା। ପାଣିନୀଙ୍କ ତୈତଲିକ ଜନପଦ ଓ ତ୍ରୀତଳଗଡ଼ (ଟିଟିଲାଗଡ଼), ଚାଣକ୍ୟଙ୍କ ଉଲ୍ଲିଖିତ କୁମୁର୍ଦକ (ଟିଟିଲାଗଡ଼ସ୍ଥ କୁମୁଡା ପାହାଡ଼) ଉପରେ ଦେଇଥିବା ମତ ଅନୁସାରେ ଏହା ଏକ ପ୍ରମୁଖ ବ୍ୟବସାୟୀକ ପିଠ ଥିଲା। ଗଣ୍ଡା ଚମଡା ପ୍ରସ୍ତୁତ ବର୍ମ (ଅସ୍ତ୍ର ନିରୋଧକ ସାଞ୍ଜୁ), ଉଚ୍ଚମାନର ଅଶ୍ୱ ସହ ଲାଖ, ତୈଳ, ଆଦି ବ୍ୟବସାୟ ହେଉଥିବା କଥା ଉଲ୍ଲିଖିତ ରହିଅଛି। ରତ୍ନପଥର ବ୍ୟବସାୟର ମଧ୍ୟ ଅନେକ ପ୍ରମାଣ ମିଳିଥାଏ। ସୁନାବେଡ଼ା ଉପତ୍ୟକାର ଜୋଙ୍କ ନଦୀ ଉପରେ ଥିବା ପ୍ରାଚୀନ ଲାକ୍ଷାସେତୁ ଏବଂ ଏହି ସେତୁ ଉପରେ ରତ୍ନପଥର ବୋଝେଇ ଲୌହରଥମାନ ଯାଉଥିବା କଥା ଜଣାପଡେ। ସମ୍ବଲକ ନଗରର ବର୍ଣ୍ଣନା ରଣ୍ଡାମରିଚ ତନ୍ତ୍ର ରତ୍ନାବଳୀରେ କୁହା ଯାଇଛି
ଏସା ସମ୍ବଲକ ବିଶୁଦ୍ଧ ଯଶଭୁକ ବଜ୍ରଶ୍ରୀ କେଳିପୁରୀ
ରଚୈରମ୍ବର ଚୁମ୍ବି ଚାରୁ ସୁଷମା ସୁସ୍ମୈର ସୌଧାବଳୀ
ଯା ନିର୍ଦ୍ଦୋଷମିଶା ବିବାଦନଧିୟା ଶ୍ରୀ ଇନ୍ଦ୍ରଭୁତେ ଯଶଃ
ମୁଗ୍ଧୌଦାତ ନିନଦୈ ମହାର୍ନଦୀ ନିର୍ମଳା
ସମ୍ବଲପୁର ଅଞ୍ଚଳର ଶିରିଷକୁସୁମ ହୀରା ସେ ସମୟର ବିଶ୍ୱ ବଜାରରେ ଗୁରୁତ୍ୱ ରଖିଥିବା ଜଣାପଡେ।
ବାତ୍ସାୟନଙ୍କ କାମଶାସ୍ତ୍ରରେ ସ୍ତ୍ରୀରାଜ୍ୟର ବିଷୟରେ ଉଲ୍ଲେଖ ରହିଅଛି ଯାହା ମଧ୍ୟଦେଶର ଦକ୍ଷିଣରେ ଥିବା କୁହା ଯାଇଅଛି। ଚାଣକ୍ୟ ନିଜର ଅର୍ଥଶାସ୍ତ୍ରରେ ଇନ୍ଦ୍ରବନ ଓ କନ୍ଧଭୂମୀ ବୋଲି ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ସମ୍ପଦା ପରିପୂର୍ଣ୍ଣ ଅଞ୍ଚଳ କୁହାଯିବା ସହ ଅଜେୟ କନ୍ଧଭୂମୀ ବୋଲି କୁହାଯାଇ ଅଛି। କଳାହାଣ୍ଡି ବା କାରୁଣ୍ଡ କ୍ଷେତ୍ରରୁ ଉନ୍ନତ ମାନର ମାଣିକ ରତ୍ନପଥର ମିଲୁଥିବାରୁ ୟୁରୋପୀୟ ଦେଶରେ ମାଣିକକୁ କୁରୁଣ୍ଡମ କୁହାଯାଏ। (ବ୍ରିଟାନିକା ବିଶ୍ୱକୋଷ)
ବୁଦ୍ଧଗ୍ରନ୍ଥମାନଙ୍କରେ ଓଡ଼ିଶାର ବିଶେଷ ଉଲ୍ଲେଖ ରହିଅଛି। ଭରଦ୍ୱାଜଙ୍କ ବୈମାନିକ ଶାସ୍ତ୍ର, ଉତ୍ତରୋତ୍ତରା ଯୋଗଶାସ୍ତ୍ର ଯାହା ଅନେକ ବିଜ୍ଞଙ୍କ ତନିଲକ୍ଷ ଶ୍ଲୋକ ବିଶିଷ୍ଟ ରଚନା ସଂଗ୍ରହ ଅଟେ। ଏହା ସହିତ ମତ୍ସ୍ୟେନ୍ଦ୍ରନାଥଙ୍କ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର, ଇନ୍ଦ୍ରଭୁତିଙ୍କ ଜ୍ଞାନସିଦ୍ଧି ଏବଂ ଲକ୍ଷ୍ମୀଙ୍କରାଙ୍କ ଅଦ୍ୱେୟଶିଦ୍ଧି ଆଦି ଅସଂଖ୍ୟ ଗ୍ରନ୍ଥରେ ଓଡ଼ିଶା ବିଷୟରେ ବର୍ଣ୍ଣନା ରହିଅଛି।

ଭାରତର ପୂର୍ବାଞ୍ଚଳ ଭଷା ସମୂହର ଇତିହାସ ଲେଖିଲାବେଳେ ୮୪ ଶିଦ୍ଧାଚାର୍ଯ୍ୟଙ୍କ ଉଲ୍ଲେଖ ରହିଥାଏ। ମହାମହୋପଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ୧୯୨୯ ମସିହାରେ ନେପାଳ ଗ୍ରନ୍ଥାଳୟରୁ ଚର୍ଯ୍ୟାସାଧୁମାନଙ୍କ ଗୀତ ଚର୍ଯ୍ୟାଗୀତିକା ଆବିଷ୍କାର କରିଥିଲେ। ଏଥିରେ ଥିବା କବିତାମାନଙ୍କୁ ବଙ୍ଗଲା ଭାଷାର ପ୍ରଥମ ଋପ ବୋଲି କହୁଥିବା ବେଳେ ଏହାକୁ ଓଡ଼ିଆ ଭାଷାର ଆଦିଋପ ବୋଲି ଡ କରୁଣାକର କର ପ୍ରମାଣ କରିଛନ୍ତି। ଅନେକ ଗବେଷକ ଏହି ଭାଷାକୁ କୋଶଲୀ ଭାଷାର ପ୍ରାକଋପ ବୋଲି ମଧ୍ୟ କହୁଥିବା ବେଳେ ଡ ଗୋପୀନାଥ ବାଗ ଏହାକୁ ଡମଭାଷାର ବ୍ୟାକରଣ ସହ ଚର୍ଯ୍ୟାଗୀତର ବ୍ୟାକରଣ ସମାନ ରହିଛି ବୋଲି କହିଥାନ୍ତି। ସମ୍ବଲପୁର ବେଲବନ୍ଧାସୁନାବେଡ଼ା ଅଭୟାରଣ୍ୟର ଆଭ୍ୟନ୍ତର କୁପଟିଆମ ଓ ପାଦଦେଶ ବୋଡେନ ପାତଲଗଙ୍ଗା, ଟିଟିଲାଗଡ କୁମୁଡା ପାହାଡ, ସମସ୍ତ ଚନ୍ଦଲି ପାହାଡ, ରାଣୀପୁର ଝରିଆଲ ଏବଂ ଓଡ଼ିଶାର ଅନେକ ସ୍ଥାନରେ ପାଦଚିହ୍ନ ଅଙ୍କିତ ହୋଇଥିବା ଦେଖାଯାଏ। ଯାହାକୁ ରାମପାଦ ସୀତାପାଦ, ଲକ୍ଷ୍ମୀପାଦ ଆଦି ନାମରେ ସ୍ଥାନୀୟ ଲୋକ କହନ୍ତି। ତାହା ପା’ଯୋଗୀମାନଙ୍କ ପ୍ରତିକ ଅଟେ। କାହ୍ନୁପା ଜଣେ ବ୍ରାହ୍ମଣ ଥିଲେ, ପରବର୍ତ୍ତି ସମୟରେ ବୁଦ୍ଧ ହୋଇ ପା’ଯୋଗୀ ହୋଇଥିଲେ। ତାଙ୍କର ଗୀତିକାମାନଙ୍କରେ ସୋନପୁରର ଅବସ୍ଥିତିକୁ ଅନେକ ଗବେଷକ ଉଲ୍ଲେଖ କରିଥାନ୍ତି।
ସୁତରାଂ ଓଡ଼ିଶା ପ୍ରାଚୀନ କାଳରୁ ଅର୍ଥାତ ସଭ୍ୟତାର ଆରମ୍ଭ ସମୟରୁ ମାନବ ପ୍ରଜାତିର ଜୟଯାତ୍ରାର ପ୍ରତ୍ୟକ୍ଷ ସାକ୍ଷୀ ରହିଆସିଛି। ଡ ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ମତରେ ଯାହାକୁ ସେ ନେପାଳ ବୁଦ୍ଧଜାତକରୁ ଉଦ୍ଧୃତ କରି କହନ୍ତି ଉତ୍ତର ଓ ଦକ୍ଷିଣ କୋଶଲ ମଧ୍ୟରେ ଏକ ଲମ୍ବା ଯୁଦ୍ଧ ଚାଲିଲା। ଏହାକୁ ପ୍ରଶମିତ କରିବା ପାଇଁ ସ୍ୱୟଂ ବୁଦ୍ଧ ଦୁଇମାସ ଓଡ଼ିଶାରେ ରହିଥିଲେ। ଏହି ରହିବାର ପ୍ରମାଣ ସ୍ୱରୁପ ବଲାଙ୍ଗିର କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ନଦୀକୁ ରାହୁଲ ନାମରେ ଲୋକେ ନାମିତ କରିଥିବା କହନ୍ତି।
ଅଷ୍ଟମ ଶତାବ୍ଦୀ ବେଳକୁ ଶଙ୍କରାଚାର୍ଯ୍ୟଙ୍କ ଆନ୍ଦୋଳନ ବୁଦ୍ଧଧମ୍ମକୁ ଭାରତଭୂମୀରୁ ଏକପ୍ରକାର ହଟାଗଲା। ଆଲେକଜାଣ୍ଡର କନିଙ୍ଗହୋମଙ୍କ
Ancient Geography of India ପୁସ୍ତକରେ ହୁଏନ୍‌ସାଂଙ୍କ ଯାତ୍ରା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଅଛି। ତାଙ୍କ ସମୟରେ ଅନେକ ବୁଦ୍ଧବିହାର ନଷ୍ଟ ହୋଇ ଯାଇଥିବା କଥା ଉଲ୍ଲେଖ ରହିଅଛି। ଡ ନବୀନ କୁମାର ସାହୁଙ୍କ History of Orissa ପୁସ୍ତକରେ ପୋ-ଲି-ମ-ଲ-କି-ଲି ବିଷୟ ଉଲ୍ଲେଖ ରହିଅଛି। ଯାହାକୁ ପରିମଳଗିରି ବା ଗନ୍ଧମାର୍ଦ୍ଦନ ବୋଲି କୁହାଯାଇଛି। ଯେଉଁଠାରେ ନାଗାର୍ଜ୍ଜୁନ ପ୍ରଧ୍ୟାପକ ଥିଲେ। ଯିଏ ପରବର୍ତ୍ତି ସମୟରେ ଦକ୍ଷିଣ ରାଜ୍ୟସ୍ଥିତ ନାଗାର୍ଜ୍ଜୁନ ସାଗରକୁ ଯାଇଥିଲେ। ତାଙ୍କ ପରବର୍ତ୍ତି ସମୟରେ ଗନ୍ଧମାର୍ଦ୍ଦନକୁ ତାଙ୍କ ଅନୁଗାମୀ ଆସିଥିଲେ। ଯାହାର ପ୍ରମାଣ ଜମାନ୍ତକ ଭୈରବ ମୂର୍ତ୍ତିରୁ ପ୍ରମାଣ ମିଳିଥାଏ। ଯାହା ହରିଶଙ୍କର ନିକଟସ୍ଥ ଜଳମହାଦେବ ନିକଟରେ ଦେଖାଯାଏ। ଏହାସହ ଆଧୁନିକ ରାଣୀପୁର ଝରିଏଲ ସମିଆଗିରି ବୁଦ୍ଧବିହାରରେ ଅଶ୍ୱଘୋଷ ପ୍ରଧ୍ୟାପକ ଥିବା କୁହାଯାଏ।
ମଧ୍ୟଭାରତ ସହ ପୂର୍ବ ସମୁଦ୍ରକୁ ଯୋଡିବା ପାଇଁ ପ୍ରଶସ୍ତ ଜଳମାର୍ଗର ସୁବିଧା ରହିଅଛି। ମହାନଦୀ ଓ ତେଲନଦୀ ତଥା ଏହାର ସଂଯୁକ୍ତ ନଦୀ ସମୂହ।
ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ସହର ରହିଅଛି। ଏହିଠାରୁ ମହାନଦୀ ଜଳମାର୍ଗରେ ସମୁଦ୍ର ପର୍ଯ୍ୟନ୍ତ ସିଧା ଜଳରାସ୍ତା ରହିଅଛି। ସେ ସମୟର
ଆଧ୍ୟାତ୍ମିକ ଏବଂ ଅର୍ଥନୈତିକ ଇତିହାସ ଅଧ୍ୟୟନ କରି ସାଲେଗ୍ରାମ ହୋତା କହନ୍ତି ମହାନଦୀ ଗଣ୍ଡ ସଂସ୍କୃତିର ବାହକ ଥିବା ବେଳେ ତେଲନଦୀ କନ୍ଧ ସଂସ୍କୃତିର ବାହାକ ଅଟେ। ଦୁଇ ନଦୀର ମିଳନସ୍ଥଳ ସୋନପୁର ବା ସୁବର୍ଣ୍ଣପୁର ଅଟେ। ଏହିଠାରୁ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ମୌଳିକ ସଂସ୍କୃତିର ବିକାଶ ଉପରେ ଅନେକ ତଥ୍ୟ ମିଳିଥାଏ। ଯେଉଁ ଆଧାରରେ ଡ. ଜିତାମିତ୍ର ପ୍ରସାଦ ସିଂ ଦେବ ନିଜର The dity of Jagannath culture ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ଅଜିତ କୁମାର ଭୋଇ ନିଜର ଅଧ୍ୟୟନରେ ଆଦିବାସୀ ସଂସ୍କୃତି ବିଷୟ ଅଧ୍ୟୟନ ପୂର୍ବକ ଏହା ସହ ଆଦିବାସୀ ଅଞ୍ଚଳର ଜନପଦ ଆଦି ବିଭାଜନ କଥା କହିଥାନ୍ତି। ପ୍ରାଚୀନ ଆଦିବାସୀ ସଂସ୍କୃତିରେ ଉଚ୍ଚତର ଜୀବନଶୈଳୀ ଏବଂ ଏହାର ବୈଜ୍ଞାନିକତା ଉପରେ ବିଶେଷ ତଥ୍ୟ ଦେଇଥାନ୍ତି। ଗବେଷକ ଭୋଇଙ୍କ ଅନୁସାରେ ଆଦିବାସୀ ସଂପ୍ରଦାୟ ସେ ପ୍ରାଚୀନତାକୁ ଆଜି ମଧ୍ୟ ଜୀବିତ ରଖିଅଛି। ରାଜତନ୍ତ୍ରର କ୍ରମ ଆକ୍ରମଣ ସତ୍ତ୍ୱେ ଆଦିବାସୀ ସମାଜ ନିଜର ମୌଳିକତାକୁ ଆଜି ମଧ୍ୟ ଜୀବିତ ରଖିବା ଏକ ସଜଗ ମୌଳିକ ଜାତିର ପରିଚୟ ଅଟେ।
ମଧ୍ୟଯୁଗ ପରେ ପରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ବେଶ ରାଜନୈତିକ ପରିବର୍ତ୍ତନ ଦେଖା ଦେଇଛି। ମୁଖ୍ୟତଃ ବହିରାଗତଙ୍କ ଅନୁପ୍ରବେଶ ଧର୍ମ ଓ ଶାସନ ନାମରେ ହୋଇଛି। ଯାହା ବୁଦ୍ଧଧମ୍ମ ଓ ଆର୍ଯ୍ୟଧର୍ମର ଅନୁପ୍ରବେଶ ସହ ରାଜନୈତିକ ଅନୁପ୍ରବେଶ ହୋଇଛି। ଏହି ରାଜନୈତିକ ଅନୁପ୍ରବେଶ ସାମନ୍ତବାଦର ବୀଜ ପବନ କରିଛି।

ମୁଖ୍ୟତଃ ଅଜିତ କୁମାର ଭୋଇ ଏବଂ ସାଲେଗ୍ରାମ ହୋତାଙ୍କ ଅଧ୍ୟୟନରୁ ନିମ୍ନୋକ୍ତ ଗୋଟିଏ ଚିତ୍ର ସ୍ପଷ୍ଟ ହୁଏ। ଓଡ଼ିଶାର ପଶ୍ଚିମ କ୍ଷେତ୍ର ସମେତ ମୌଳିକ ଭାରତୀୟ ସମାଜ ବ୍ୟବସ୍ଥା ଗାଣତାନ୍ତ୍ରୀକ ଆଧାରରେ ରହିଥିଲା। ବ୍ୟକ୍ତି ନିଜର ଅଧିକାର ଭୋଗ କରିବ କିନ୍ତୁ କର୍ତ୍ତବ୍ୟ ବି ତଦନୁରୁପ କରିବାକୁ ବାଧ୍ୟ। ଗୋଟିଏ ଗତିଶୀଳତା ଥିଲା ସମାଜରେ। ମଣିଷ ପ୍ରଜାତିକୁ ଯେମିତି ଚକ ଆସିଲା ପରେ ପୃଥିବୀର ଚିତ୍ରରେ ପରିବର୍ତ୍ତନ ହେଲା ସେମିତି ବିଦ୍ୟୁତ ବ୍ୟବହାର ଜାଣିବା ପରେ। ପ୍ରସ୍ତର ଯୁଗ କେବଳ ଧାତୁର ବ୍ୟବହାର ଜାଣିବା ପୂର୍ବର ସମୟ ମାତ୍ର। ମଣିଷ ପ୍ରଜାତି ମୌଳିକ ଭାବେ ଗୋଟିଏ। ସେ ବର୍ତ୍ତମାନ ଯୁଗରେ ଶିଖୁଛି ଏବଂ ପ୍ରସ୍ତର ଯୁଗରେ ମଧ୍ୟ ଶିଖୁଥିଲା। ତାର ବାହ୍ୟ ଆବଶ୍ୟକତା ପୁରା କରିବା ପାଇଁ ପ୍ରକୃତି ସହ ରହୁଥିଲା। ବିଭିନ୍ନ ଭୌଗଳିକ ସ୍ଥିତିରେ ନିଜକୁ ସାମିଲ କରିବା ପାଇଁ ସେ ମାଟିର ସଫଳ ଇତର ପ୍ରଜାତି ଉପରେ ଅନୁଧ୍ୟାନ କରି ତାହାର ବ୍ୟବହାରର ଅନୁକରଣ କଲା। ଧର୍ମୀୟ ଭାବନାରେ ଅଥବା ଦାର୍ଶନିକ ଦୃଷ୍ଟିକୋଣରୁ ସଂପୃକ୍ତ ଜୀବ ସେହି କୁଳର ମାର୍ଗଦର୍ଶକ। ଏହି ଶ୍ରେଣୀରେ କେବଳ ପଶୁ ନୁହନ୍ତି ପକ୍ଷୀ, ସରିସୃପ, ବୃକ୍ଷ ଆଦି ରହିଛନ୍ତି। ଯେମିତି ସମ୍ବରକୁ ଅନୁକରଣ କରି ଗୋପାଳକ ଗୋଷ୍ଠୀ ନିଜକୁ ଗଢି ତୋଳିଛନ୍ତି। ଗାଈ ଜଗିଲା ବେଳେ କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ବରର ଯୁଦ୍ଧଶୈଳୀ ପ୍ରୟୋଗ କରନ୍ତି। ସମ୍ବରର ଆକ୍ରମଣ ବେଳେ ଦୁଇ ସମ୍ବରର ଶିଙ୍ଗ ପରସ୍ପର ଆଘାତ ହୋଇ ଠଡକ ଠଡକ ଶବ୍ଦ କରିବ। ଏହା ଗଉଡ଼ ଜାତିରେ ମୌଳିକ ବାଡ଼ିଖେଳ ରହିଅଛି। ଯାହା ଏହି ସମ୍ବର ଯୁଦ୍ଧରୁ ଅନୁପ୍ରେରିତ। ଯୁଦ୍ଧ ଉପରାନ୍ତ ସମ୍ବରର ବ୍ୟବହାର ହେଉଛି ଗଉଡ଼ ଜାତିର ଜୀବନ ଦର୍ଶନ। ତେଣୁ ଗଉଡ଼ ସମ୍ବର କୌଳ ବିଶିଷ୍ଟ ଜାତି ଅଟେ। ଏମିତି ହଜାର ସଂଖ୍ୟାରେ କୌଳ ଅନୁଗାମୀ ରହିଥିଲେ। ଏହାକୁ ବୁଦ୍ଧ ଅନୁଗାମୀ ପଦ୍ମସମ୍ଭବମ ‘କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର’ ସଂକଳିତ କରିଥିଲେ। ପଦ୍ମସମ୍ଭବମ ନିଜେ କୌଳ ଦର୍ଶନ ଆଧାରରେ ରାଜନୈତିକ ତୀବବତ ସ୍ଥାପନା କରିଥିଲେ। ତଦନୁରୁପ ଆର୍ଯ୍ୟଧର୍ମ ମଧ୍ୟ ନିଜକୁ ଦୃଢ ସ୍ଥିତିରେ ରଖି ପାରିଥିଲା। ଯେମିତି ଜଗନ୍ନାଥଙ୍କ ସଂସ୍ଥାପନ।
ସଂଗୀତ କ୍ଷେତ୍ରରେ ମଧ୍ୟ ଗଣାବଜା ଏକ ମୌଳିକ ଉଦ୍ଭାବନ। ଡ ଘାସିରାମ ମିଶ୍ର ଜଣେ ସଂଗୀତଜ୍ଞ, ଲୋକସଂଗୀତ ଏବଂ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ତାଙ୍କର ପ୍ରବେଶ ରହିଅଛି। ତାଙ୍କ ମତ ଅନୁସାରେ ପଞ୍ଚଭୂତ (ମାଟି, ପାଣି, ପବନ, ନିଆଁ ଓ ଆକାଶ)କୁ ନେଇ ଗଣାବଜାର ପାଞ୍ଚଟି ବାଦ୍ୟକୁ ବିକାଶ କରାଯାଇଛି। ମାଟି-ନିସାନ, ପାଣି-ଢୋଲ, ପବନ-ମହୁରୀ, ନିଆଁ-ତାସା ଓ ଆକାଶ-ଟିମକିଡି। ପାଞ୍ଚଟି ବାଦ୍ୟଯନ୍ତ୍ର ସମବେତ ବଜାଯାଏ। ଯାହାର ସାଙ୍ଗିତିକତା ସହ ଚେତନାକୁ ଉର୍ଦ୍ଧ୍ୱମୁଖି କରିବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଗଣାବଜା ଜନ୍ମ ସମୟରୁ ବିବାହାଦି ଉତ୍ସବ ଏବଂ ମୃତ୍ୟୁ ସମୟରେ ମଧ୍ୟ ବଜାଯାଏ। ପ୍ରତ୍ୟେକଟି ସାମାଜିକ ଓ ପାରିବାରିକ ଅନୁଷ୍ଠାନରେ ଗଣାବଜା ଆବଶ୍ୟକ ହୋଇଥାଏ। ଗଣାବଜାରେ ସାଙ୍ଗିତିକତା ଅପେକ୍ଷା ଦାର୍ଶନିକତାର ପ୍ରଭାବ ଦେଖାଯାଏ। ଏପରିକି ସିଂହଲର ବୁଦ୍ଧବିହାରମାନଙ୍କରେ ଗଣାବଜାର ପ୍ରଚଳନ ଦେଖା ଯାଇଥାଏ। କୁହାଯାଏ ଅଶୋକଙ୍କ ଦୁଇ ସନ୍ତାନ ମହେନ୍ଦ୍ର ଓ ସଂଘମିତ୍ରା ସିଂହଲ ଯିବାବେଳେ ଗଣାବଜା ବି ସାଙ୍ଗରେ ନେଇ ଯାଇଥିଲେ। ଡ ଦୋଳ ଗୋବିନ୍ଦ ବିଶିଙ୍କ ଅଧ୍ୟୟନ ଅନୁସାରେ ସପ୍ତମ ଅଷ୍ଟମ ଶତାବ୍ଦୀ ସମୟରେ ବଲରାମ ଗୌରଙ୍କ ଶାସନ ସମୟରେ ୧୨ ହଜାର ଡମ୍ବ (The great Dom caste) ପାରସ୍ୟ ସମ୍ରାଟଙ୍କ ନିମନ୍ତ୍ରଣ ରକ୍ଷାକରି ପାରସ୍ୟକୁ ଯାଇ ନୃତ୍ୟ ଓ ସଂଗୀତ ଶିକ୍ଷା ପ୍ରଦାନ କରିଥିଲେ। ସମଧ୍ୱନୀର ସମ୍ପାଦିକା ଶ୍ରୀମତୀ ସ୍ୱୟଂପ୍ରଭା ପାଢୀ ଗଣାବଜା ଉପରେ କାମ କଲାବେଳେ ଗୋଟିଏ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସଂସ୍କୃତି ବିଭାଗ ଗଣାବଜାକୁ Dying Art ବା ବିସ୍ମୃତ କଳା ଭାବରେ ଉଲ୍ଲେଖ କରିଛନ୍ତି। ଶ୍ରୀମତୀ ପାଢୀ ଅନେକ ପ୍ରମାଣ ସହ ଗଣାବଜାକୁ ଏକ ପ୍ରମୁଖ ବାଦ୍ୟ ଏବଂ ଯାହାକୁ ୫୦ ହଜାର କଳାକାର ପ୍ରତ୍ୟହ ଅଭ୍ୟାସ କରିବା ସହ ଏହାର ପ୍ରଦର୍ଶନ କରୁଥିବା କଥା କହି ଗଣାବଜା କଳାକାରଙ୍କୁ କଳାକାର ମାନ୍ୟତା ଦେବାସହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ କଳାକାର ଭତ୍ତା ଦେବାରେ ସହାୟକ ହୋଇଥିଲେ।

ଅଜିତ କୁମାର ଭୋଇ ଆଦିମ ରାଜନୀତିକ ପରମ୍ପରା ଉପରେ କହନ୍ତି, ମଣିଷ ପ୍ରଥମେ ସଭ୍ୟତା ଆରମ୍ଭ ବେଳକୁ ସ୍ୱତଃ ଗୋଷ୍ଠୀ ଜୀବନ ଯାପନ କରୁଥିଲା। ଯାହାକୁ ଗୋଣ୍ଡି ଭାଷାରେ ‘ନାର’ ବ୍ୟବସ୍ଥା ବୋଲି କୁହାଯାଏ। ‘ନାର’ ବା କୋୟତୁର ବ୍ୟବସ୍ଥା ବା (କୋୟା ଅର୍ଥ ଗୁମ୍ଫା) ବ୍ୟବସ୍ଥା ଯାହା ଗୁମ୍ଫାରେ ଜୀବନଯାପନ କରିବା ସମୟକୁ ବୁଝାଏ। ପରବର୍ତ୍ତି ସମୟରେ ‘କବିଲା’ ବ୍ୟବସ୍ଥା ଆରମ୍ଭ ହେଲା। ଯାହା ସଂଘବଦ୍ଧ ହୋଇ ଗୋଟିଏ ବିସ୍ତିର୍ଣ୍ଣ କ୍ଷେତ୍ରରେ ରହିବେ। ଏହାପରେ ‘ପାଟ’ ବ୍ୟବସ୍ଥାର ଆରମ୍ଭ ହେଲା। ମଣିଷ ଯେତେବେଳେ ପାହାଡ଼ରୁ ସମତଳ ଅଞ୍ଚଳକୁ ଆସିଲା କୃଷି କର୍ମଣ ପାଇଁ ଏହା ଆବଶ୍ୟକ ଥିଲା। ସନ୍ତସନ୍ତିଆ ଭୂମୀକୁ ପାଟ କୁହାଯାଏ। ବସତିର ସମାହାର କୁ ପାଟ କୁହାଗଲା। ଯେମିତି ଅନେକ ଜନପଦ ବା ଗ୍ରାମ ର ସମାହାର ପାଟ ବୋଲି କୁହାଗଲା। ରାଜନୈତିକ ଆବଶ୍ୟକତା ଓ ନିଜ ନିଜ ମଧ୍ୟରେ ଦର୍ଶନ, ସଂସ୍କୃତି ଓ ଅର୍ଥନୈତିକ ଆବଶ୍ୟକତା ଅନୁସାରେ ‘କୋଟ’ ଗଠିତ ହେଲା। କୋଟ ହେଉଛି ଏକ ସ୍ୱତନ୍ତ୍ର ରାଜନୈତିକ କ୍ଷେତ୍ର। ଯାହା ଗଣତାନ୍ତ୍ରୀକ ପ୍ରକ୍ରୀୟାରେ ପରିଚାଳିତ ହେଉଥିଲା। କନ୍ଧ ସଂସ୍କୃତିର ଇତିହାସରେ ୩୬ ପାଟ ଏବଂ ଗୋଣ୍ଡ ସଂସ୍କୃତିର ଇତିହାସରେ ୫୨ କୋଟର ଉଲ୍ଲେଖ ରହିଅଛି। କନ୍ଧ ସଂସ୍କୃତିର ୩୬ ପାଟ ମଧ୍ୟରୁ ଅନେକ ଚିହ୍ନିତ ହୋଇନାହିଁ କିନ୍ତୁ ଗୋଣ୍ଡ ସଂସ୍କୃତିର ୫୨ କୋଟ ଚିହ୍ନିତ ହୋଇ ସାରିଛି।
କୋଟ ବ୍ୟବସ୍ଥା ପର୍ଯ୍ୟନ୍ତ ମଣିଷ ସ୍ୱୟଂ ସମ୍ପୂର୍ଣ୍ଣ ବିକଶିତ ହୋଇ ସାରିଥିଲା। ଏହି ବିକାଶକ୍ରମ ଓଡ଼ିଶା ନୂଆପଡ଼ା ଜିଲ୍ଲାର ଜୋଙ୍କ ଉପତ୍ୟକା ସହ ଉପର ମହାନଦୀ ଉପତ୍ୟକାରେ ଦେଖାଯାଏ। ଅନ୍ୟ ଦୁଇଟି ନଦୀ ହେଲା ଉଦନ୍ତୀ ଏବଂ ତେଲ ନଦୀ। ମହାନଦୀ ଓ ଜୋଙ୍କ ନଦୀ ବର୍ତ୍ତମାନ ଓଡ଼ିଶା ଛତିଶଗଡ଼ ସୀମାରେ ମିଳିତ ହୋଇଥିବା ବେଳେ ଉଦନ୍ତୀ ଓ ତେଲନଦୀ ଛତିଶଗଡ଼ରୁ ବାହାରି କଳାହାଣ୍ଡି ନିକଟସ୍ଥ ବୋର୍ଡ଼ା ବା ମିଲକୀ ପ୍ରଗଣାରେ ମିଳିତ ହୋଇଛନ୍ତି। ଉଭୟ ତେଲ ଓ ମହାନଦୀ ସୋନପୁର ନିକଟରେ ମିଳିତ ହୋଇଛନ୍ତି। ଗବେଷକ ସାଲେଗ୍ରାମ ହୋତାଙ୍କ ମତରେ ଜୋଙ୍କ ଓ ମହାନଦୀ ଗୋଣ୍ଡି ସଭ୍ୟତାର ବିକାଶରେ ସହାୟକ ହୋଇ ଏହାକୁ ବିସ୍ତାରିତ କରିଛି ଏବଂ ତେଲ ଓ ଉଦନ୍ତୀ ନଦୀ କନ୍ଧ ସଭ୍ୟତାର ବିକାଶ ଓ ବିସ୍ତାରରେ ସହାୟକ ହୋଇଛି। ଉଭୟ ନଦୀ ସୋନପୁରରେ ମିଳିତ ହୋଇଥିବା କାରଣରୁ ସୋନପୁର ଏକ ପ୍ରକ୍ଷାତ କ୍ଷେତ୍ର ହୋଇ ପାରିଛି। ଖ୍ରୀ.ପୂ ସମୟରୁ ସୋନପୁରର କ୍ଷାତି ବିଷୟରେ ସାହିତ୍ୟମାନଙ୍କରେ କ୍ରମ ଉଲ୍ଲେଖ ରହିଅଛି।
ଓଡ଼ିଶା ଇତିହାସ ଅଧ୍ୟୟନ ବେଳେ ଚାରୋଟି ନଦୀକୁ ଗୁରୁତ୍ୱ ଦିଆଯାଏ। ଜୋଙ୍କ ନଦୀ ଉପତ୍ୟକା ଯାହା ସୁନାବେଡ଼ା ପ୍ଲାଟୁ ସହିତ ମହାନଦୀ ଓ ଜୋଙ୍କ ନଦୀର ସଙ୍ଗମ ସ୍ଥଳ ପର୍ଯ୍ୟନ୍ତ ବ୍ୟାପ୍ତ। ମହାନଦୀ ଓ ଜୋଙ୍କ ଉପତ୍ୟକା। ମଧ୍ୟ ଭାରତ ସହ ସମୁଦ୍ରକୁ ସଂଯୋଗ କରୁଥିବା ମୁଖ୍ୟନଦୀ ହେଉଛି ମହାନଦୀ। ଅଗନାଅଗନୀ ବନସ୍ତରେ ପୂର୍ଣ୍ଣ ମଧ୍ୟଭାରତ ସହ ଓଡ଼ିଶାର ପଶ୍ଚିମ କ୍ଷେତ୍ର ନୟାଗଡ଼ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ମହାନଦୀରେ ବନଜାତ ଦ୍ରବ୍ୟ, ବସ୍ତ୍ର, ରେଶମ, ଲାକ୍ଷା, ରତ୍ନପଥର, ଉଚ୍ଚମାନର ଅଶ୍ୱ, ଗଣ୍ଡା ଚମଡା ତିଆରି ବର୍ମ ଆଦି ରପ୍ତାନି ହେଉଥିଲା। ବିଭିନ୍ନ ନଦୀମାର୍ଗରେ ଉପକୁଳ ଅଞ୍ଚଳରେ ଭଣ୍ଡାରନ ହେଉଥିଲା। ତେଣୁ ଦେଖାଯାଏ ଉପକୁଳ ଅଞ୍ଚଳରେ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଚେଷ୍ଟା କରିଛନ୍ତି, ସଫଳ ମଧ୍ୟ ହୋଇଛନ୍ତି। ତେଣୁ ଉପକୂଳ ଅଞ୍ଚଳରେ ରାଜନୀତିକ ଗତିବିଧି ବିଶେଷ ଦେଖାଯାଏ। ପଣ୍ଡିତ ଜବାହରଲାଲ ନେହେରୁଙ୍କ Discovery of India ପୁସ୍ତକରେ ବିକ୍ଷାତ କଳିଙ୍ଗ ଯୁଦ୍ଧ ଦକ୍ଷିଣ ରାଜ୍ୟସହ ବ୍ୟବସାୟିକ ସୁଗମତା ପାଇଁ ହୋଇଥିବା ଉଲ୍ଲେଖ କରିଥାନ୍ତି।
ବିଭିନ୍ନ ଧର୍ମଧାରା ସହ ରାଜନୀତିକ ଅନୁପ୍ରବେଶ ହୋଇଥିବା କଥା ସାଲେଗ୍ରାମ ହୋତା କହିଥାନ୍ତି। ଇକ୍ଷ୍‌ବାକୁ, ପର୍ବତଦ୍ୱାରକ, ଗଙ୍ଗ, ସୋମବଂଶୀ, ଚୌହାନ ଆଦି ବଂଶର ଇତିହାସ ରହିଅଛି। ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଓଡ଼ିଶାର ପଶ୍ଚିମ କ୍ଷେତ୍ରରେ ଚୌହାନଙ୍କ ରାଜତ୍ୱ ରହିଥିଲା। ମହାକାନ୍ତାରରେ ନାଗବଂଶୀ ଓ କୋରାପୁଟ ଅଞ୍ଚଳରେ ଦକ୍ଷିଣ ରାଜବଂଶର ପ୍ରଭାବ ରହିଥିଲା। କିନ୍ତୁ ଆଦିବାସୀ ନିଜର ପାଟ ଓ କୋଟ ବ୍ୟବସ୍ଥାରେ ନିଜର ସଂସ୍କୃତି ପରିଚାଳିତ କରୁଥିଲା। ଅର୍ଥାତ କୌଣସି ରାଜବଂଶ ଏକାଧିପତ୍ୟ ସ୍ଥାପିତ କରି ପାରି ନଥିଲା। ଫଳତଃ ଗାଣତାନ୍ତ୍ରୀକ ପ୍ରକ୍ରୀୟା ବିଲୁପ୍ତ ହୋଇ ଯାଇ ନଥିଲା।