ଶ୍ରୀଯୁକ୍ତ ରିକିରାମ ସୌରୀ; ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ। ପତ୍ରକାର ହେବା କାରଣରୁ ସେ ମଣିଷକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା ହେବା ସ୍ୱଭାବିକ। ବନ୍ଧୁ ବିଘ୍ନରାଜ ରାଉତ ଏବଂ ମୁଁ ବାହାରିଲୁ ଖୁରସିଗୁଭା ଗାଁକୁ।
ସମଗ୍ର ଗୁଡ଼ା-ରାଇଜକୁ ବର୍ତ୍ତମାନ ତିନିଭାଗର ଭାଗେରେ ଦେଖିହେବ। ଛତିଶଗଡ଼ ମୈନପୁର ଅଞ୍ଚଳ, ଓଡ଼ିଶା ସୁନାବେଡ଼ା ଓ ପାଟଧରା ଅଞ୍ଚଳ। ପାଟଧରା ଅଞ୍ଚଳର ଲୋକ ପାଣି ପାଇଁ ବିକଳ ହେଇ ଆସୁଛନ୍ତି କେଉଁ ଅନାଦି କାଳରୁ। ନୂଆପଡ଼ା ଜିଲ୍ଲା, ବୋଡ଼େନ ବ୍ଲକ ଭଏଁସାଦାନୀ ଗ୍ରା.ପ ଅଧିନରେ ଆସେ ପାଟଧରା। ଧୋବଘାଟ, ସାଇନିପରା, କୁପଟିଆମ, କାଠଫେର, ଭଏଁଷମୁଡ଼ି ଆଦି ଗାଁ ସମେତ ଅନେକ ହାମଲେଟ୍ ଆସିଥାଏ। ଅତିକମ୍‌ରେ ପାଟଧରା ଗୋଟିଏ ଗ୍ରାମ ପଞ୍ଚାୟତ ହେବା ଉଚିତ। ଭୌଗଳିକ ଦୃଷ୍ଟିକୋଣରୁ ଭଏଁସାଦାନୀ ଗ୍ରା.ପ ରୁ ୯କି.ମି ସାତଟି ପାହାଡ଼ ଚଢ଼ିଲେ ଆସେ ଧୋବଘାଟ ନଦୀ (ପାଟଧରା ନଦୀ)। ନଦୀ ଡେଇଁଲେ ଧୋବଘାଟ ଗାଁ। ଧୋବଘାଟ ଗାଁରୁ ରାସ୍ତା ଦୁଇଭାଗ ହୋଇ ପୂର୍ବକୁ କୁପଟିଆମ ଓ ଦକ୍ଷିଣକୁ ପାଟଧରା ଯେଉଁ ନାମରେ ସମଗ୍ର ଉପତ୍ୟକା ଖଣ୍ଡ ପରିଚିତ ହୁଏ। ଭଏଁଷମୁଡ଼ି ଏବଂ ତା’ ପରକୁ ଛତିଶଗଡ଼ କୁକୁଡ଼ାର ଆଦି ଡ଼େଇଁ ପଡ଼େ ସୁନାବେଡ଼ା।
ପାହାଡ଼ ଉପରର ଗାଁମାନ କିଛି ଋତୁଜନିତ ପାଣିଝର ଓ ଝରଣାମାନଙ୍କ ମିଶ୍ରଣରେ ହୋଇଥିବା ପାଟଧରା ନଦୀ। ଯାହା ପାହାଡ଼ ଉପରୁ ବହିଆସି ଲୋୟରଇନ୍ଦ୍ର ଜଳଭଣ୍ଡାରରେ ମିଶିଛି। ପାହାଡ଼ ଉପରେ ହିଁ ତାର ଅନେକ ନାମ। ନଦୀର ଖାଲୁଆ ଅଞ୍ଚଳ ଯେଉଁଠି ପାଣି ରହେ ତାହାର ବି ଭିନ୍ନ ଭିନ୍ନ ନାମ ଅଛି ସ୍ଥାନ ବିଶେଷରେ। ପିଇବା ପାଇଁ ଲୋକେ ଏହି ପ୍ରାକୃତିକ ସ୍ରୋତମାନଙ୍କ ଉପରେ ନିର୍ଭର କରନ୍ତି। କିଛି ନଳକୂଅ ହୋଇଛି। ସୌରଶକ୍ତି ଚାଳିତ ନଳକୂପମାନ ସ୍ୱାସ୍ଥ୍ୟ ଅନୁକୂଳ ପାଣି ଦିଏ, ଏହାର ଗ୍ୟାରେଣ୍ଟି ଜନସ୍ୱାସ୍ଥ୍ୟ ବିଭାଗ ଦେଇ ନାହାନ୍ତି। ଲୋକେ ଏହି ପାଣି ପିଉଛନ୍ତି। ଫ୍ଲୁରୋସିସ ପ୍ରଭାବରେ ଛୁଆମାନଙ୍କ ଦାନ୍ତ ବଗଡ଼ିଆ ହୋଇଯାଇଛି।
ସାଧାରଣ ପାଣି ଉପରେ ଅବହେଳାକୁ ଦେଖିଲେ ଅନ୍ୟ ଅନେକ ସୁବିଧା ସେମାନେ ପାଉଥିବେ, ଏହା ନିଶ୍ଚୟ ଏକ ପ୍ରଶ୍ନ। ଅନେକ ବର୍ଷ ହେଲା ପାଟଧରାବାସୀ ଭୋଟ ବର୍ଜ୍ଜନ କରିଛନ୍ତି। ଯେହେତୁ ତାଙ୍କ ଭୋଟ କୌଣସି ହାରଜିତର ନିର୍ଣ୍ଣୟ କରେ ନାହିଁ; ସେଥିପାଇଁ ତାଙ୍କ ପ୍ରତିବାଦକୁ କେହି ଗୁରୁତ୍ୱ ଦେଇନାହାନ୍ତି ଆଜି ପର୍ଯ୍ୟନ୍ତ।
(ଚଳନ୍ତି ୨୦୨୪ ନିର୍ବାଚନରେ ଲୋକେ ଭୋଟ କଲେ। ସମଦୃଷ୍ଟିରେ ପ୍ରକାଶିତ କାହାଣୀଟି ତିନିବର୍ଷ ତଳେ ସୁଧିର ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶିତ ପାକ୍ଷିକ ସମଦୃଷ୍ଟି ପତ୍ରିକାରେ ପ୍ରକାଶିତ ହୋଇଥିଲା।)
ବୋଡ଼େନରୁ ଭଏଁଷାଦାନୀ ୧୨ କି.ମି., ଏଠାରୁ ଗୋଟିଏ କି.ମି.ପରେ ଆସେ ସୁରକ୍ଷାବଳର କ୍ୟାମ୍ପ, ତା’ପରେ ଆରମ୍ଭ ହୁଏ ପାଟଧରା ଘାଟି। ୯କି.ମି ସାତଟି ପାହାଡ଼ ଡେଇଁଲା ପରେ ପାଟଧରା/ଧୋବଘାଟ ନଦୀ ଓ ତା’ ପରେ ପରେ ଏକ ବିସ୍ତୀର୍ଣ୍ଣ ଭୂଗୋଳ।
ପାଣି ବଢ଼ିଥିବା ଯୋଗୁଁ ଦୁଇଥର ପାଟଧରା ନଦୀ ପାଖରୁ ଫେରିଥିବା ଏହି ପତ୍ରକାର ତୃତୀୟ ଥର ଜଣେ ଡ୍ରାଇଭର ଭାଇର ସାହସଯୋଗୁଁ ଗାଁମାନଙ୍କୁ ପହଞ୍ଚି ପାରିଥିଲା। ସ୍ଥାନୀୟ ଯୁବକମାନଙ୍କ ପରାମର୍ଶ ୧୦୦ସିସି ବାଇକ ସବୁଠାରୁ ଉତ୍ତମ ଉପତ୍ୟକାର ଅନେକସ୍ଥାନକୁ ପହଞ୍ଚିବା ପାଇଁ। ଗତ ଜାନୁୟାରୀ ୨୦ ତାରିଖ ପାଟଧରା ନଦୀରେ ପାଣି ନ ଥିଲା। ଧୋବଘାଟରୁ ସାଇନିପରା ଯାଇ ସେଠାରୁ ପୁଣିଥରେ ପାଟଧରା ନଦୀକୁ ଡେଇଁବାକୁ ହେଲା। ଯେଉଁଠି କାଁ ଭାଁ ପାଣି। ଯେଉଁ ପାଣି ହିଁ ଖୁରସିଗୁଭା ଗାଁର ସର୍ବସ୍ୱ।
କଦେଲଝରନ, ଗୁଡ଼ାରାଇଜର ଅନେକ ପ୍ରାଗୈତିହାସିକ ସ୍ଥଳୀ ମଧ୍ୟରୁ ଗୋଟିଏ। ଏହିଠାରୁ ଗୋଟିଏ ଝରଣା ଅନେକ ସ୍ରୋତ ହୋଇ ବାହାରିଛି। କିଛି ସ୍ରୋତ ଛତିଶଗଡ଼ ପଟକୁ ଯାଇଥିଲାବେଳେ କିଛିସ୍ରୋତ ପାଟଧରା ନଦୀ ତିଆରିଛନ୍ତି। ଝରଣା ଧାରମାନଙ୍କ ବଫୁ ହୁଏନାହିଁ ନଦୀକୁ ଚିରସ୍ରୋତା ରଖିବାକୁ। କାରଣ ସେମାନେ ଅସଙ୍ଗଠିତ ହୋଇ ନିଜ ନିଜ ଇଚ୍ଛାରେ ବହି ଯାଉଥାନ୍ତି। ଗାଁଲୋକ ନଦୀର ପାଣି ଅନୁସାରେ ନିଜ ଆବଶ୍ୟକତାକୁ ସନ୍ତୁଳିତ ରଖନ୍ତି।
ମହୁଲ, ଚାଁର ଓ ଲାଖ ଗଛର ବହୁଳତା, ସାମାନ୍ୟ ବିସ୍ତୀର୍ଣ୍ଣ ଜମିର ମଝିରେ ମଝିରେ ରହିଅଛି। ତା’ପରକୁ ଘଂଚ ଜଙ୍ଗଲ। ଜଙ୍ଗଲ ଭିତରେ ବାଘଭାଲୁ। ଗାଁଲୋକ ଜାଣନ୍ତି କେଉଁ ବାଘ କେଉଁ ରାସ୍ତାରେ ଯାଏ! ଜୀବଜନ୍ତୁଙ୍କ ସହ ପଡ଼ୋଶୀତୁଲ୍ୟ ରହନ୍ତି। ପଶୁ ତାଙ୍କର ହିଂସ୍ରତା ନେଇ ଓ ମଣିଷ ତା’ର ଦୁଃଖସୁଖର ମାନବତା ନେଇ। ଲୋକେ ଅନାୟାସରେ ମହୁଲ, ଚାଁର, ଲାଖ, ବାଉଁଶ ଔଷଧୀୟ ଗଛଲତା ଆଦି ସଂଗ୍ରହ କରନ୍ତି ଏବଂ ବାଘ ତା’ର ନିଜର ଶିକାର। କେହି କେବେ ସାମ୍ନାସାମ୍ନି ହେଲେ ସଂଭ୍ରମତାର ସହ ବାଟ ଦିଆଦୁଇ ହୁଅନ୍ତି। ମଣିଷ ଓ ବାଘ ଯେମିତି ପରସ୍ପର ନିଜ ନିଜର ଭାଷା ବୁଝି ପାରନ୍ତି। କିନ୍ତୁ ହାତୀ ଅମାନିଆ ହୋଇଯାଏ। ତିରିଶରୁ ପଚାଶ ହାତୀ ଆସନ୍ତି ତାଙ୍କ ସମୟରେ। ଫସଲ ନଷ୍ଟ କରନ୍ତି। ହାତୀ ଆସିଲେ ଉପତ୍ୟକାକୁ ବିପଦ ଆସେ। ଧାନ ଫସଲ ଆଦି ନଷ୍ଟ କରିଦିଏ। ହାତୀକୁ ତ ଲୋକେ ଘଉଡ଼େଇ ପାରିବେ ନାହିଁ। ନେହୁରା ହୁଅନ୍ତି। ହାତୀକୁ ଭଗବାନ କହନ୍ତି। ନିଜନିଜ ଭାଷାରେ ହାତୀର ସ୍ତୁତି କରନ୍ତି ଏବଂ ହାତୀର କୋପ ଶାନ୍ତ କରିବା ପାଇଁ ହାତୀ ଜଣାଣ କରନ୍ତି। କିଏ ଜଣେ ବିଜ୍ଞ, ହାତୀଜନିତ ଦୁଃଖର କାହାଣୀ ଶୁଣିଲେ। ଉପଦେଶ ଦେଲେ ଗଣେଶ ପୂଜା କଲେ ହାତୀ ଆସି ଫସଲ ନଷ୍ଟ କରିବେ ନାହିଁ। ଲୋକେ ଗାଁ ଗାଁରେ ଗଣେଶ ପୂଜା କଲେ। ହାତୀଙ୍କ ପାଖକୁ ଖବର ଗଲା ନାହିଁ ଗଣେଶ ପୂଜାର। ଚଳିତବର୍ଷ ପୁଣି ଲୋକଙ୍କ ଫସଲ ନଷ୍ଟ କରେ; ଲୋକେ ଗଣେଶ ପୂଜା ବି କରନ୍ତି। ରିକିରାମ ସୌରୀ ତାଙ୍କ ଜମିରୁ ଯାହା ଆମଦାନୀ କରନ୍ତି ଚଳନ୍ତି ବର୍ଷ ବିହନ ପର୍ଯ୍ୟନ୍ତ ବି ଧାନ ପାଇଲେ ନାହିଁ।

ହାତୀ ଫସଲ ନଷ୍ଟ କଲେ ଜଙ୍ଗଲ ବିଭାଗ କ୍ଷତିପୂରଣ ଦେବାକଥା। କିନ୍ତୁ ପାଟଧରା ସୁନାବେଡ଼ା ଉପତ୍ୟକା ତଥା ହାତୀ ଉପଦୃତ ଅଞ୍ଚଳର କାହାଣୀ ଅଲଗା। ଏଠାରେ ଜଙ୍ଗଲ ଜମି ଓ ନିଜର ସାମାନ୍ୟ ରୟତି ଜମିରେ ଲୋକ ଚାଷ କରନ୍ତି କେଉଁ ଅନାଦି କାଳରୁ। ସରକାରଙ୍କ ଖାତାରେ ସବୁ ଜମି ଜଙ୍ଗଲର। କିନ୍ତୁ ପୁରୁଷାନୁକ୍ରମେ ଚାଷ କରୁଥିବା ଜମିର ହିସାବକୁ ବି ବିଭାଗର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜାଣି ପାରି ନାହିଁ। ଜାଣିବାକୁ ଚେଷ୍ଟା କରିନାହିଁ। ତେଣୁ ହାତୀ ଯାହା ବି ଧାନ ଖାଏ କି ଫସଲ ନଷ୍ଟକରେ ବିଭାଗ କ୍ଷତିପୂରଣର ଦାୟ ରଖେ ନାହିଁ। ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ମଧ୍ୟ ସମସ୍ତ ଲୋକ ନିଜ ନିଜର ଅଧିକାର ପାଇ ନାହାନ୍ତି। ହୁଏତ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ ପାଇଁ ଲୋକେ ନିଜ ନିଜର ଜମିରୁ ବିମୁଖ ହୁଅନ୍ତୁ; ଏହି ଉଦ୍ଦେଶ୍ୟ ରହିଥାଇପାରେ ସରକାରଙ୍କ।
କିନ୍ତୁ ଶ୍ରୀ ରିକିରାମ ସୌରୀ ନିଜ ଫକିରୀରେ ମଗ୍ନ। ପରିବାର ଅଛି, ସ୍ତ୍ରୀ ଯଜ୍ଞଦେଈ ଓ ଚଉଦ ବର୍ଷର ପୁଅ ସୁରେଶ। ଯଜ୍ଞଦେଈ ଘର ସମ୍ଭାଳି ନିଅନ୍ତି ଏବଂ ରିକିରାମ ନିଜର ପୃଥିବୀ।
ସକାଳୁ ଉଠି ଗାଧୋଇ ପଡ଼ନ୍ତି ଫି’ଦିନ। ଶୀତ ଦିନେ ଖରେଲ(ବରଫ) ପଡ଼ିଥିଲେ ବି ତାଙ୍କ ଦିନଚର୍ଯ୍ୟାରେ ବ୍ୟାଘାତ ହୁଏ ନାହିଁ। ଦୁଇଟି କପଡ଼ା ହିଁ ତାଙ୍କର ପରିଧାନ। ସେ ଆସି ଅଁତରା ପାଖରେ ବସନ୍ତି, ଭଜନ ଗାଆନ୍ତି। ଛପନ କୋଟି ଜୀବ, ବାବନ କୋଟି ଭଣ୍ଡାରର ସୁରକ୍ଷା କାମନା କରନ୍ତି। ନିଜର ପରିବାର ପଡ଼ୋଶୀ, ଗାଁ, ଜିଲ୍ଲା ଦେଶ ପୃଥିବୀର ସମସ୍ତ ଲୋକ, ସମସ୍ତ ଜୀବଜନ୍ତୁଙ୍କ ମଙ୍ଗଳ କାମନା କରନ୍ତି ତାଙ୍କ ନିଜସ୍ୱ ଶୈଳୀରେ ଗାଉଥିବା ଭଜନରେ। ଝୁମକା-ଠିକଡ଼ି ଧରି ତାଙ୍କ ଜଣାଣରେ ସରକାରଙ୍କ ମଧ୍ୟ ମଙ୍ଗଳ କାମନା କରନ୍ତି।
ହାତୀ ପରି ସରକାର ମଧ୍ୟ ତାଙ୍କ ନିତ୍ୟ ଜଣାଣ ବିଷୟରେ ଅନଭିଜ୍ଞ ଅଟନ୍ତି। କୌଣସି କାରଣରୁ ସରକାର ତାଙ୍କୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କଲେ। ତାଙ୍କୁ ଗୋଟିଏ କାର୍ଯ୍ୟାଦେଶ ଦେଲାପରେ ଶ୍ରୀ ସୌରୀ ନିଜ ଘର ତିଆରି ଆରମ୍ଭ କଲେ। ଛଡ଼ କ୍ୱିଣ୍ଟାଲକୁ ପାଞ୍ଚ ହଜାର ଦରରେ ଚାରି କ୍ୱିଣ୍ଟାଲ ଛଡ; କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚରେ ନିହ; ଛଅ ହଜାର ଟଙ୍କା ବାଲି ଟ୍ରିପ୍‌, ଗୋଟିଏ ଟ୍ରାକ୍ଟର ଇଟା, ମଜୁରୀ ଆଦି ମିଶି ପାଖାପାଖି ନବେ ହଜାର ଟଙ୍କା ଖର୍ଚ୍ଚ କଲାପରେ ଘର ତିନିଫୁଟ ଉଠିଛି। ସେ ବାରମ୍ବାର ଗଲେ ବ୍ଲକ୍ କାର୍ଯ୍ୟାଳୟ ବୋଡ଼େନକୁ। ସେଠାକାର କୌଣସି ବାବୁ କହିଲେ ତୁମ ଟଙ୍କା ବ୍ୟାଙ୍କରୁ ନିଅ। ସେ ବ୍ୟାଙ୍କକୁ ଗଲେ। ବ୍ୟାଙ୍କ, ବ୍ୟାଙ୍କମାନଙ୍କ ଉପଶାଖା କିଓସ୍କବ୍ୟାଙ୍କକୁ ଗଲେ। ଗୋଟିଏ ପରେ ଗୋଟିଏ ଶାଖା। ହେଲେ ତାଙ୍କ ଖାତାରେ ଟଙ୍କା ନାହିଁ। ବହୁତ ଦିନ ଚେଷ୍ଟା କଲାପରେ ସେ ଜାଣିଲେ ଯେ ତାଙ୍କ ଖାତାରେ ଚାଳିଶ ହଜାର ଟଙ୍କା ପଡ଼ିଛି। ସେ ଟଙ୍କା ନେଇ ଖର୍ଚ୍ଚ କଲେ। ପୁଣି ମନସ୍ତ କଲେ ଅଧା ଘରକୁ ପୁରା କରିବେ। ଟଙ୍କା ପାଇଁ ବ୍ୟାଙ୍କ, କିଓସ୍କ ବ୍ୟାଙ୍କ ଆଦି ଯାଇ ବିଫଳ ହେଲାପରେ ବୋଡ଼େନ ବ୍ଲକକୁ ଗଲେ। ସେଠାରେ ଜାଣିଲେ ଯେ ସେ ସବୁ ଟଙ୍କା ପାଇ ସାରିଛନ୍ତି। ଆଶ୍ଚର୍ଯ୍ୟ ହେଲେ କିନ୍ତୁ ପ୍ରତିବାଦ କରିବା ଉପାୟ ତାଙ୍କୁ ଜଣା ନ ଥାଏ। ତେଣୁ ସେ ଚୁପ୍ ରହନ୍ତି। ତାଙ୍କ ଭାଷାରେ ଯେଉଁଦିନ ଭଗବାନଙ୍କ କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିବ, ସେଦିନ ତାଙ୍କ ଘର ପୁରା ହେବ।
କାହା ପ୍ରତି ଅଭିଯୋଗ ନାହିଁ କି ଆରୋପ ନାହିଁ। ଭଗବାନ ନ ଚାହିଁଲେ ଚରାଚରରେ କିଛି ହୁଏ ନାହିଁ। ତାଙ୍କ ଘର ବି ସେହି ନିୟନ୍ତାଙ୍କ ନିୟମ ଭିତରେ ଆସେ। ବାସ୍‌! ଭଗବାନଙ୍କ ଉପରେ ଘର ଚିନ୍ତା ଛାଡ଼ି ଦେଇ ସେ ପ୍ରତିଦିନ ସକାଳୁ ଗାଧୋଇ ସମସ୍ତ ଜଗତ, ଚରାଚରର ମଙ୍ଗଳ କାମନା କରି ପ୍ରାର୍ଥନା କରୁଥାନ୍ତି। ଗଣେଶ ପୂଜାର ଖବର ହାତୀ ନ ଜାଣିପାରିଲା ପରି ତାଙ୍କର ଅସୁବିଧା କି ଆବାସ ଟଙ୍କା ଚୋରି କଥା ସରକାର ଜାଣନ୍ତି ନାହିଁ। ଏହି ପତ୍ରକାର ସଂପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ପଚାରିଲା। ନିଜର ସୀମିତ ବୁଦ୍ଧିରେ ଯାହା ବୁଝିଲା; ଉତ୍ତର ବେଶ୍ ସୁନ୍ଦର ଥିଲା। ବୋଡ଼େନ ବ୍ଲକ କାର୍ଯ୍ୟାଳୟ ସରକାରୀ ନିୟମ ସମେତ ସମସ୍ତ ଦୈବୀ ନିୟମକୁ ଯେହେତୁ ପାଳନ କରିଥାଏ, ଏତାଦୃଶ ଘଟଣା ଅସମ୍ଭବ ଅଟେ। ଅବଶ୍ୟ ଜିଲ୍ଲାଧିକାରୀ ରିକିରାମଙ୍କ ଟଙ୍କାଚୋରି ଉପାଖ୍ୟାନର ସତ୍ୟତା ପାଇଁ ଧ୍ୟାନ ଦେବା କଥା। କାରଣ ବ୍ଲକ ବାବୁମାନଙ୍କ ବ୍ୟୁହଭେଦ ଜ୍ଞାନ ଆମ ପାଇଁ ଅସମ୍ଭବ।
ରାତି ୯ଟା ସମୟ ହେବ; ଜଙ୍ଗଲରେ ଏହା ବହୁତ ରାତି। ଶ୍ରୀଯୁକ୍ତ ରିକିରାମ, ମୁଁ ଏବଂ ବନ୍ଧୁ ବିଘ୍ନରାଜ ଅଁତରା ପାଖରେ ବସି ଗପ କରୁଥାଉ। ଜଙ୍ଗଲ ଭିତରୁ କିଏ ଜଣେ ଟର୍ଚ୍ଚ ମାରି ଆସୁଥିଲେ। ବାବା କହିଲେ କାହାର କିଛି ଅସୁବିଧା ହୋଇଥିବ। ସତକଥା, ଜଣେ ଯୁବକ ଆସି ବାବାଙ୍କୁ ତାଙ୍କ ସ୍ତ୍ରୀ ଅସୁବିଧାରେ ଥିବା କଥା କହିଲେ। ରୋଗର ଚରିତ୍ର ବିଷୟ ବୁଝି ବାବା ତାଙ୍କୁ ଔଷଧ ପ୍ରସ୍ତୁତ କରିଦେଲେ।

ପରଦିନ ସକାଳୁ ଉଠି ନିତ୍ୟକର୍ମ ସାରିଲା ବେଳକୁ ଦୂରରୁ ଗୋଟିଏ ସମ୍ବଲପୁରୀ ପୁରୁଣା ଗୀତ ବାଜୁଥିବାର ଶୁଣିଲୁ। କାହାର କୌଣସି ଉତ୍ସବ ଥିବ! କିନ୍ତୁ ପରେ ଜାଣିଲୁ ରାତିରେ ଯାହାପାଇଁ ଔଷଧ ନିଆ ଯାଇଥିଲା, ସେ ମହିଳାଜଣକ ସୁସ୍ଥ ହୋଇଛନ୍ତି। ଏହା ଜଙ୍ଗଲ ଗାଁ ମାନଙ୍କରେ ସୂଚନାର ଏକ ମାଧ୍ୟମ ବି ଅଟେ। ଯନ୍ତ୍ର ସଂଗୀତ ବଜେଇ ଅବା ଢୋଲ, ମୃଦଙ୍ଗ ଆଦି ବଜେଇ ବି ସୂଚନା ସାଧାରଣ ସୂଚନା ପ୍ରସାରଣ କରାଯାଏ।
ଘଞ୍ଚ ଜଙ୍ଗଲ। ଯାହାକୁ ସରକାର ସୁନାବେଡ଼ା ବ୍ୟାଘ୍ର ପ୍ରକଳ୍ପ କରିବାକୁ ଇଚ୍ଛା କରିଛନ୍ତି। ଲୋକେ ଉଦବାସ୍ତୁ ହେବେ। ପୁରୁଷ ପୁରୁଷ ଧରି ରହୁଥିବା ଜମି ସରକାରୀ ଖାତାରେ ଲେଖା ହୋଇନାହିଁ ବୋଲି ସେ ଜଙ୍ଗଲ ଜମିରେ ମଣିଷ ନାହାନ୍ତି। ଏହି ଭ୍ରମ ତିଆରି କରେ ଆଇନ। ଲୋକେ କିନ୍ତୁ ଜଙ୍ଗଲରୁ ନିଜର ଜୀବିକା ବାଛି ନିଅନ୍ତି। ଚାଷ କରନ୍ତି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରନ୍ତି କୁଚିଆ ମହାଜନକୁ। ସରକାରଙ୍କ ଧାର୍ଯ୍ୟମୂଲ୍ୟଠୁ ବହୁତ କମ୍ ଦରରେ। ପହରିଆ ଲୋକ ବାଉଁଶ ଆଣି ଗୃହୋପକରଣ ତିଆରି କରନ୍ତି। ଥରେ ହାତୀ ଆସିଲେ ବାଉଁଶକୁ ବହୁତ କ୍ଷତି କଲେ। ଫଳରେ ବହୁ ଦୂରକୁ ଜଙ୍ଗଲ ଭିତରକୁ ଯିବାକୁ ହୁଏ। ସରକାର, ଆଇନ, ପୋଲିସ, ମାଓବାଦୀ, ମହାଜନ, ଜଙ୍ଗଲ ପାଣି ଓ ପେଟ; ଗୋଟିଏ ଅବୋଧ୍ୟ ଚକ୍ରବ୍ୟୁହ ତିଆରି କରନ୍ତି। ଏ ଭିତରେ ଜଙ୍ଗଲର ମଣିଷ ଜିଲ୍ଲାର ଅନ୍ୟ ଅଞ୍ଚଳ ପରି ଦାଦନ ଯାଆନ୍ତି। ଯେଉଁଠାକୁ ସରକାର ପହଞ୍ଚିବା ପାଇଁ ଏତେ ମଠ, ସେଠାରୁ ଦାଦନ ଦଲାଲ ଅନେକ ପରିବାରକୁ ନେଇ ଦକ୍ଷିଣ ରାଜ୍ୟରେ ସାମୟିକ ବିକ୍ରି କରି ଦେଇପାରେ। ସେମାନେ ଫେରନ୍ତି; ବିଧି ଅନୁସାରେ ଶୁଦ୍ଧ ହେଲାପରେ ଗାଁକୁ ପଶନ୍ତି। ମୁଖ୍ୟତଃ ପହରିଆ ଜାତିର ଲୋକ ଦାଦନ ଯାଇଥାନ୍ତି। କାରଣ ସେମାନେ ଅନ୍ୟାନ୍ୟ ପଛୁଆ ବର୍ଗରେ ଆସିଥାନ୍ତି। ତାଙ୍କର ଦୁଃଖ କାହାଣୀ ଶୁଣିବାକୁ କେହି ନ ଥାନ୍ତି।
ସୁନାବେଡ଼ା ଅଞ୍ଚଳରେ ସିବିଡ଼ିଏ (ଚକୋଟିଆ ଭୁଞ୍ଜିଆ ଡେଭଲପମେଣ୍ଟ ଏଜେନ୍ସି) କେଳେଙ୍କାରୀ ଘଟଣା ବିଷୟରେ ଖବର ସଂଗ୍ରହ କରୁଥିବାବେଳେ ସେଠାକାର ଲୋକ କହିଲେ ଯଦି ସରକାର ନିଜର ମନମାନି ନ କରି ପାଣିର ବ୍ୟବସ୍ଥା କରନ୍ତା, ତା’ହେଲେ ଲୋକେ ସରକାର ଉପରେ ଭରସା ନକରି ଆତ୍ମନିର୍ଭର ହୋଇ ପାରନ୍ତେ। ତଦୃପ ଅବସ୍ଥା ପାଟଧରାର। କଦେଲଝରନର କିଛି ଝରଣାକୁ ବ୍ୟବସ୍ଥିତ କରି ପାଟଧରା ନଦୀରେ ପକାଯାଇପାରନ୍ତା। ସେହି ନଦୀର ଟିକିଏ ତଳକୁ ପଟୁଆପରଲି ନିକଟରେ ଗୋଟିଏ ଛୋଟ ବନ୍ଧ ତିଆରି କରିଦେଲେ ଛୋଟ କେନାଲ ଦ୍ୱାରା କୁପଟିଆମ, ଖରସିଗୁଭା, ସାଇନିପରା, ଧୋବଘାଟ, କୁଇମୁଡ଼ା, ଦରଲିପଡ଼ା, ପାଟଧରା, କୋଦୋଭଟା ଗାଁକୁ ଜଳସେଚିତ କରାଯାଇପାରନ୍ତା। କିଛି ଗାଁ ଦୁଇଥର ଚାଷ ହୋଇପାରନ୍ତା।
ବଣ୍ୟ ସମ୍ପଦାରେ ଭରପୁର ପାଟଧରା ପ୍ଲାଟୁକୁ ସ୍ୱାସ୍ଥ୍ୟସେବା ପହଞ୍ଚିବା ଦୁଷ୍କର ହୋଇଯାଏ ସରକାରଙ୍କ ଲାଗି। ସେହି ଅରଣ୍ୟ ଭିତରେ ଶ୍ରୀଯୁକ୍ତ ରିକିରାମ ସୌରୀ ଜଣେ ମଣିଷ ଯିଏ ନିଜ ପାଇଁ କମ୍‌, ଲୋକଙ୍କ ପାଇଁ ଅଧିକ ବଞ୍ଚନ୍ତି। କୌଣସି ରୋଗ ବଇରାଗ ହେଉ କି ପ୍ରସୂତୀଙ୍କ ଦୁଃଖ ସେ ହିଁ ମୋଚନ କରିଥାନ୍ତି। ଗୁଡ଼ାରାଇଜରେ ତାଙ୍କର ସ୍ୱତନ୍ତ୍ର ସମ୍ମାନ ରହିଅଛି। ତାଙ୍କ ମାଁ କୌଶଲ୍ୟା ଦେବୀ, ପ୍ରସୂତୀଙ୍କ ପାଇଁ ଦେବୀତୁଲ୍ୟ ଥିଲେ। ଏପରିକି ପ୍ରସବ ହୋଇ ପାରୁ ନଥିବା ସମୟରେ ସେ ଅନାୟାସରେ ପ୍ରସବ କରେଇ ପାରୁଥିଲେ। ମାଁଙ୍କ ମୃତ୍ୟୁପରେ ହିଁ ପ୍ରସୂତୀଙ୍କୁ ବୋଡ଼େନ ଆଦି ଡାକ୍ତରଖାନା ନେଉଛନ୍ତି ଲୋକେ।
ଚଳନ୍ତି ସମୟର ଜନନୀ ସୁରକ୍ଷା ଆଇନ ଆଧାରରେ ଟଙ୍କା ବି ପ୍ରସୂତୀଙ୍କୁ ମିଳେ। କିନ୍ତୁ ଜନନୀ ସୁରକ୍ଷା ଆମ୍ବୁଲାନ୍ସ ପାଟଧରାକୁ ପହଞ୍ଚେ ନାହିଁ କେବେ ବି। ଏକଦା ଧୋବଘାଟର ଲୋକେ ଆନ୍ଦୋଳନ କଲାପରେ ଥରେ ମାତ୍ର ଜନନୀସୁରକ୍ଷା ଗାଡ଼ି ପହଞ୍ଚିଛି। ତା’ପରେ ପାଟଧରା ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ବିଭାଗର ଗାଡ଼ି ଦେଖି ନାହାନ୍ତି। ପ୍ରସୂତୀଙ୍କୁ ଡାକ୍ତରଖାନା ନେବାକୁ ଘରୋଇ ଗାଡ଼ି ହିଁ ଭରସା। ଛଅ/ସାତ ହଜାର ଟଙ୍କା ଥରକୁ ଭଡ଼ା ଦେଇ ଲୋକେ ପ୍ରସବ ପାଇଁ ବୋଡ଼େନକୁ ଆସନ୍ତି।

କଣ କଲେ ଆପଣ ଠିକରେ ନିଜ କାମ କରି ପାରନ୍ତେ?
ଉତ୍ତରରେ କହନ୍ତି ଆମ ଗାଁକୁ ଗୋଟିଏ ନଳକୂପ ଦରକାର। ମୋ ପାଇଁ ଗୋଟିଏ ମନ୍ଦିର ଦରକାର। ମନ୍ଦିର ଅର୍ଥ ଆଶ୍ରମ ଯେଉଁଠାରେ ମହାଦେବ ପୂଜା ପାଇବେ ଏବଂ ସେଠାରେ ରୋଗୀ ବି ରହିବେ। ଯାହାଙ୍କ ଚିକିତ୍ସା ସମୟରେ ରହିବା ପାଇଁ କୌଣସି ଅସୁବିଧା ହେବନାହିଁ।
ସରକାରଙ୍କ ଅନେକ ଦାୟିତ୍ୱ ଶ୍ରୀଯୁକ୍ତ ରିକିରାମ ନିଜ ମୁଣ୍ଡକୁ ନେଇଛନ୍ତି। ଏକଥା ସରକାର ଜାଣେ ନାହିଁ; ଏଥିଲାଗି ହିଁ ତାଙ୍କ ଆବାସ ଟଙ୍କାକୁ ଖାଇବା ପାଇଁ କୌଣସି ପ୍ରକାରେ ସରକାରୀ ଲୋକ ଦ୍ୱିଧା କରନ୍ତି ନାହିଁ।
ଅନେକ ଅସୁବିଧା ଭିତରେ ଶ୍ରୀଯୁକ୍ତ ରିକିରାମ ସୌରୀ ନିଜର ଚିକିତ୍ସାକର୍ମକୁ ବିନା ପ୍ରତିବଦଳରେ କରି ଆସୁଛନ୍ତି। ପ୍ରକୃତରେ ସେ ଜଣେ ଫକୀର, ପାହାଡ଼ର ସନ୍ଥ।
(ଏହି କାହାଣୀକୁ ବର୍ତ୍ତମାନ ପ୍ରକାଶ କଲାବେଳେ ଧୋବଘାଟ ନଦୀ ଉପରେ ପୁଲିଆ ହୋଇ ସାରିଲାଣି। ଜନନୀ ସୁରକ୍ଷା ଗାଡି କେବେ କେବେ ଯାଏ। ରାସ୍ତା ବର୍ଷାଦିନ ବ୍ୟତୀତ ବାକି ସବୁଦିନ ଯାଇହୁଏ।)